Sunday, February 2, 2025

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପରି ଓଡ଼ିଆ ଭାଷା ତଥା ଏହାର ଶୈଳୀଗୁଡ଼ିକରେ ବି ଏ ଧରଣର ଶବ୍ଦର ଅଭାଵ ନାହିଁ । ଗୋଟିଏ ଓଡ଼ିଆ ଶବ୍ଦର ଏଠାରେ ଉଦାହରଣ ଦିଆଯାଇପାରେ ।‌ ଓଡ଼ିଶାର ଲୋକେ ଯେତେବେଳେ କେଉଁଠି Very transparent water ଵା ଅତି ସ୍ଵଚ୍ଛ ଜଳ ଦେଖନ୍ତି ସେମାନେ କୁହନ୍ତି “ଵାଃ ଏଠି ତ ‘କାଚକେନ୍ଦୁ’ ପରି ପାଣି ମିଳୁଛି !”

ଅଵଶ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କାଚକେନ୍ଦୁ ଶବ୍ଦ ପ୍ରୟୋଗର ପ୍ରମାଣ ମିଳେ ନାହିଁ ତେବେ ଆଜକୁ ପ୍ରାୟ ଶହେ ଵର୍ଷ ତଳେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ତାଙ୍କ ରଚିତ “ମାଡ଼ହାଣ୍ଡି କଥା” ଗଳ୍ପରେ କାଚକେନ୍ଦୁ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି - “ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହେଲା । ଜୀଵନ ଵିକଳରେ ପାଣିକୂଳ ପାହାଚ ଉପରେ ଲଥ୍‌କିନି ବସିଗଲା,ଦେଖିଲା ଯେ କାଚକେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି, ସାତ ତାଳ ପାଣିରେ ରୁପାପାତିଆ ଟିକିଏ ପକେଇଦେଲେ ଉପରକୁ ଫୁଟି ଜକଜକ ଦିଶିଵ ।” 

 ପ୍ରହରାଜ ମହାଶୟଙ୍କ ଦ୍ଵାରା ସଂକଳିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ କାଚକେନ୍ଦୁ ଶବ୍ଦଟି ସ୍ଥାନ ପାଇଛି । ଭାଷାକୋଷରେ ଅନୁମାନ କରାଯାଇଛି ଯେ ସମ୍ଭଵତଃ କାଚକେନ୍ଦୁ ଶବ୍ଦଟି କାର୍ତ୍ତିକେନ୍ଦୁ ଶବ୍ଦର ପରିଵୃତ ରୂପ ହୋଇଥାଇପାରେ । ହୁଏତ ଆଗେ କାର୍ତ୍ତିକ ମାସର ଶରତ୍କାଳୀନ ଇନ୍ଦୁ ଵା ଚନ୍ଦ୍ର ପରି ଅତି ସ୍ୱଚ୍ଛ ଜଳକୁ ଓଡ଼ିଶାର ଲୋକେ କାର୍ତ୍ତିକେନ୍ଦୁ କହୁଥିଲେ ଯାହା ପରେ କାଚକେନ୍ଦୁ ହୋଇଅଛି । ଶରତଋତୁ ଓ ହେମନ୍ତଋତୁ ସମୟରେ 'ଆକାଶ' ଓ 'ଜଳ' ପରିଷ୍କାର ହୋଇଯାଇଥାଏ । ଏଠି କାର୍ତ୍ତିକ ମାସ ତଥା ଶରତ ଓ ହେମନ୍ତ ଋତୁ ସମ୍ବନ୍ଧୀୟ ଦ୍ବନ୍ଦ୍ଵ ଵିଷୟରେ ଜାଣିନେଵା ଠିକ୍ ହେଵ । ସାଧାରଣତଃ ଵର୍ଷାର ପରଵର୍ତ୍ତୀ ଓ ହେମନ୍ତର ପୂର୍ଵଵର୍ତ୍ତୀ ଋତୁକୁ ଶରତ ଋତୁ କୁହନ୍ତି ।‌ କେହି କେହି ଆଶ୍ୱିନ ଓ କାର୍ତ୍ତିକ ଏହି ଦୁଇ ମାସକୁ ଶରତ ଋତୁ କହୁଥିଵାବେଳେ ଆଉ କେହି କେହି ଭାଦ୍ର ଓ ଆଶ୍ୱିନ ମାସ ଦ୍ୱୟକୁ ଶରତ ଋତୁ ଅଭିହିତ କରିଥାନ୍ତି। ହିନ୍ଦୀ ଶବ୍ଦ ସାଗର ତଥା ଵିଶ୍ଵକୋଷ ଅନୁସାରେ ଵୈଦ୍ଯକ ଗ୍ରନ୍ଥ ମତରେ ଭାଦ୍ର ଓ ଆଶ୍ୱିନ ମାସକୁ ଶରତଋତୁ ବୋଲା ଯାଉଥିଲା । ଵର୍ତ୍ତମାନ ଆଶ୍ୱିନ ଓ କାର୍ତ୍ତିକକୁ ଶରତଋତୁ ବୋଲାଯାଏ। ମାଧଵାଚାର୍ଯ୍ଯଙ୍କ ପ୍ରଣୀତ କାଳମାଧଵ ନାମକ ଗ୍ରନ୍ଥରେ ଇଷ (ଆଶ୍ୱିନ) ଓ ଊର୍ଚ୍ଚ (କାର୍ତ୍ତିକ) ମାସଦ୍ୱୟକୁ ଶରତ୍କାଳ ବୋଲା ଯାଇଅଛି । ସମ୍ଭଵତଃ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ହେଉ ଵା ଉତ୍ତର ଓ ପୂର୍ଵ ଭାରତର ଜଳଵାୟୁ ଭିନ୍ନତା ଯୋଗୁଁ ହେଉ ଶରତକାଳକୁ ନେଇ ମତ ପାର୍ଥକ୍ୟ ହୋଇଅଛି । ସେ ଯାହା ହେଉ ଆଗେ 'କାର୍ତ୍ତିକମାସ'ରେ ନଦୀ ଓ ପୁଷ୍କରିଣୀ ଜଳ ଓ ଆକାଶର ଇନ୍ଦୁ ଵା ଚନ୍ଦ୍ର ଅତି ପରିଷ୍କାର ଦିଶୁଥିଲା । ଶରତ ଋତୁରେ ଇନ୍ଦୁ ଵା ଚନ୍ଦ୍ର ରାତ୍ରିକାଳରେ ଜଳରେ ପ୍ରତିଵିମ୍ଵିତ ହେଉଥିଲେ । ତେଣୁ ହୁଏତ ସ୍ବଚ୍ଛ ଜଳକୁ କାର୍ତ୍ତିକେନ୍ଦୁ କୁହାଯାଇଥିଵା ଯାହା ପରେ କାଚକେନ୍ଦୁ ହୋଇଅଛି । କିନ୍ତୁ ଯଦି କାର୍ତ୍ତିକେନ୍ଦୁ ଶବ୍ଦଟି କାଳକ୍ରମେ କାଚକେନ୍ଦୁ ହୋଇଅଛି ତେବେ ପ୍ରାଚୀନ ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ କାର୍ତ୍ତିକେନ୍ଦୁ ଶବ୍ଦର ପ୍ରୟୋଗ କାହିଁକି ମିଳେ ନାହିଁ ? 

ହୁଏତ କାର୍ତ୍ତିକେନ୍ଦୁ ବୋଲି କୌଣସି ଶବ୍ଦ ହିଁ ନଥିଲା ଏଵଂ କେଵଳ କାଚକେନ୍ଦୁ ଶବ୍ଦକୁ ଟାଣି ଭିଡ଼ି ଗୋଟିଏ ତଦ୍ଭଵ ଶବ୍ଦ ପ୍ରମାଣ କରିଵାକୁ ଚେଷ୍ଟା କରାଯାଇଛି ? 

ଅନେକଙ୍କ ମନରେ ଏହି ସନ୍ଦେହ ଜାତ ହେଵାରୁ ସେମାନେ କାଚକେନ୍ଦୁ ଶବ୍ଦର ଅନ୍ୟାନ୍ୟ ଵ୍ୟୁତ୍ପତ୍ତି ଉପରେ ଵିଚାର କରିଥାନ୍ତି । କିଛି ଲୋକ କୁହନ୍ତି କାଚ ଏକ ତତ୍ସମ ଶବ୍ଦ ଏଵଂ ଏଥିରେ ସ୍ଵାର୍ଥେ କ ପ୍ରତ୍ଯୟରେ କାଚକ ହୋଇ ସେଥିରେ ଇନ୍ଦୁ ଶବ୍ଦ ଯୋଡ଼ାଯାଇ କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇଛି । ଅର୍ଥାତ୍ କାଚ ଓ ଇନ୍ଦୁ(ଜହ୍ନ) ପରି ସ୍ଵଚ୍ଛ ଜଳ । ତେବେ ଏଭଳି କୌଣସି ସଂସ୍କୃତ ଶବ୍ଦର ଵ୍ୟଵହାର ଥିଵା ଜଣାଯାଏ ନାହିଁ କି ଓଡ଼ିଆ ଛଡ଼ା ଅନ୍ୟ କୌଣସି ଭାଷାରେ କାଚକେନ୍ଦୁ ଶବ୍ଦ ପ୍ରୟୋଗର ପ୍ରମାଣ ମିଳେ ନାହିଁ।

ପୁଣି କିଛି ଲୋକ କାଚକେନ୍ଦୁ ଶବ୍ଦଟି କାଚ ଓ କନ୍ଦୁକ ଶବ୍ଦଯୁକ୍ତ ହୋଇ ସୃଷ୍ଟି ହୋଇଛି ବୋଲି ମତ ଦିଅନ୍ତି । କନ୍ଦୁକ ଅର୍ଥ ପେଣ୍ଡୁ ।କାଚରେ ନିର୍ମିତ କନ୍ଦୁକ ଵା ପେଣ୍ଡୁ ଗୋଲାକାର ଵିଶିଷ୍ଟ ହୋଇଥିଲେ ମଧ୍ୟ ପାରଦର୍ଶୀ ହୋଇଥିଵା ଯୋଗୁଁ ଅପରପାର୍ଶ୍ବକୁ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ, ତେଣୁ ସେ'ଦୃଷ୍ଟିରୁ କାଚ କନ୍ଦୁକରୁ କାଚ କେନ୍ଦୁ ସୃଷ୍ଟି ହୋଇ ଥାଇପାରେ । ତେବେ ଯଦି ଓଡ଼ିଆ ଭାଷାରେ କନ୍ଦୁକ ଶବ୍ଦରୁ କେନ୍ଦୁ ଶବ୍ଦ ସୃଷ୍ଟି ହୋଇଥାନ୍ତା ତା'ହେଲେ ଆଜି ବି ଓଡ଼ିଆ ଭାଷାରେ କେନ୍ଦୁ ଶବ୍ଦର ଗୋଟିଏ ଅର୍ଥ ପେଣ୍ଡୁ ହୋଇଥାନ୍ତା । କେନ୍ଦୁଫଳର କେନ୍ଦୁ ନାମଟି ଏକ ତତ୍ସମ ନାମ ଏଵଂ ସଂସ୍କୃତ କଳ୍ପଦ୍ରୁମ କୋଷ ଅନୁସାରେ ତତ୍ସମ କେନ୍ଦୁ ଶବ୍ଦଟି "କୁ ଈଷତ୍ ଇନ୍ଦୁରିଵ ; କୋଃ କାଦେଶଃ ଇତି କେନ୍ଦୁଃ" ତେଣୁ ପେଣ୍ଡୁ ସହିତ କେନ୍ଦୁ ଫଳର କୌଣସି ସମ୍ପର୍କ ନାହିଁ କି ଓଡ଼ିଆ ତଥା ସଂସ୍କୃତ ଭାଷାରେ କେନ୍ଦୁ ଶବ୍ଦର ଅର୍ଥ ପେଣ୍ଡୁ ନୁହେଁ । ହଁ ସଂସ୍କୃତ ତଥା ଓଡ଼ିଆ ଭାଷାରେ ଆଗେ ପେଣ୍ଡୁକୁ ଗେଣ୍ଡୁ କୁହାଯାଉଥିଲା ।‌ ଗଞ୍ଜମ ଜିଲ୍ଲାର କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ପେଣ୍ଡୁ ଅର୍ଥରେ ଗେଣ୍ଡୁ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି “ଏ ଉତ୍ତାରେ ସେ ଗେଣ୍ତୁଟିଏ କରେ ଧରି, ଆରମ୍ଭିଲେ ଖେଳ ବିବିଧ ଭଙ୍ଗୀ କରି।” (କୃଷ୍ଣସିଂହ, କୃଷ୍ଣ ମହାଭାରତ, ଵନପର୍ଵ।)

ତେଣୁ କାଚରେ ଗଢ଼ା ପେଣ୍ଡୁର ଠିକ୍ ସଂସ୍କୃତ ନାମଟି କାଚକେନ୍ଦୁ ନୁହେଁ ଵରଂ କାଚଗେଣ୍ଡୁ ହେଵା ଵିଧେୟ । ଅଵଶ୍ୟ ମାନଵ ଇତିହାସରେ କାଚରେ ଗଢ଼ା ପେଣ୍ଡୁର ଇତିହାସ ୫୦୦୦ ଵର୍ଷ ପୁରୁଣା ତଥାପି କାଚଗେଣ୍ଡୁ ଭଳି କୌଣସି ଶବ୍ଦ ପ୍ରାଚୀନ ଭାରତୀୟ ସାହିତ୍ୟରେ ପ୍ରୟୋଗ ହୋଇଥିଵା ଜଣାଯାଏ ନାହିଁ ‌ । ତେଣୁ କାଚକେନ୍ଦୁ ଶବ୍ଦର ଏହି ସମ୍ଭାଵିତ ଵ୍ୟୁତ୍ପତ୍ତି ମତଟି ସନ୍ଦେହାସ୍ପଦ ।  

ପୁନଶ୍ଚ ଅନେକ ଲୋକ କାଚକେନ୍ଦୁ ଭଳି ଏକ ନିରୋଳ ଓଡ଼ିଆ ଶବ୍ଦର ଅଯଥା ସଂସ୍କୃତ ଵ୍ୟୁତ୍ପତ୍ତି ମୂଳ ନଉଣ୍ଡି ଏହାର ଓଡ଼ିଆ ଶବ୍ଦ ସମ୍ଭାର ଆଧାରରେ ଵ୍ୟୁତ୍ପତ୍ତି ଆଲୋଚନା କରିଵାକୁ ମତ ଦେଇଥାନ୍ତି । ସେମାନଙ୍କ ମତରେ ଆମ ଓଡ଼ିଆ ଭାଷାରେ କାଚ ଓ କେନ୍ଦୁ ଶବ୍ଦ ଥାଉ ଥାଉ ଆମେ ଅଯଥା ସଂସ୍କୃତ ଆଡ଼କୁ କାହିଁକି ଯିଵା ? ଆମ ଭାଷାର କାଚ ଓ କେନ୍ଦୁ ଶବ୍ଦ ମିଶି କାହିଁକି କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇନଥିଵ ? 

ତାହେଲେ କାଚ ଓ କେନ୍ଦୁ ଶବ୍ଦଦ୍ଵୟ ମିଶି କିପରି ଓ କେଉଁ ଆଧାରରେ କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇ ଏହାର ଅର୍ଥ Very transparent water ଵା ଅତି ସ୍ଵଚ୍ଛ ଜଳ ହୋଇଛି? 

diospyros ଜାତୀୟ ଅନେକ ଗଛ ଭାରତରେ ଦେଖାଯାଏ ଯଥା 
Diospyros melanoxylon ଵା କରମଣ୍ଡଳ କେନ୍ଦୁ,Diospyros montana ଵା ବମ୍ବେ କେନ୍ଦୁ,Diospyros malabarica ଵା ମାଲବାର କେନ୍ଦୁ ଇତ୍ୟାଦି । ତେବେ Diospyros melanoxylon ଵା କରମଣ୍ଡଳ କେନ୍ଦୁ ସାଧାରଣତଃ ଓଡ଼ିଶାରେ ଅଧିକ ଦେଖାଯାଏ ଏଵଂ ଏହି ଜାତୀୟ କେନ୍ଦୁର ଶସ ଈଷତ ଧଳା ରଙ୍ଗର ଆଉ ଏହି କେନ୍ଦୁର ରସ ଦେଖିଲେ ଖୁବ ସ୍ବଚ୍ଛ ହୋଇଥାଏ । ଓଡ଼ିଶାରେ ମିଳୁଥିଵା କରମଣ୍ଡଳ କେନ୍ଦୁର ରସ କୌଣସି କାଚ ପାତ୍ରରେ ରଖି ଦେଖିଲେ ଆରପଟର ଦରଵ ଦେଖାଯାଏ । ତେଣୁ ହୁଏତ ଏହି ଆଧାରରେ କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇଥାଇପାରେ ‌ । ସେହିପରି ଆଉ କିଛି ଲୋକ କୁହନ୍ତି କେନ୍ଦୁ ପତ୍ର ଉପରେ ସ୍ୱଚ୍ଛ ଜଳବୁନ୍ଦା କାଚ ସଦୃଶ ପ୍ରତିଭାତ ହୁଏ ତେଣୁ ସ୍ବଚ୍ଛଜଳକୁ କାଚକେନ୍ଦୁ କୁହାଗଲା । ଆଉ କେହି କେହି କୁହନ୍ତି କେନ୍ଦୁ ଗଛର ଡାଳ କଳା, ଏହାର ବୀଜ ବି କଳା ଏଵଂ ଫଳ ପାଚି ଶୁଖିଗଲେ କଳା ହୋଇଯାଏ ତେଣୁ ଯୋଉ ସ୍ଵଚ୍ଛ ପାଣିରେ କେନ୍ଦୁକାଠ ଓ ବୀଜ ପରି କଳା ଭଳି କୌଣସି କଳାଵସ୍ତୁ ଥିଲେ ବି ଦେଖାଯାଏ ସେଭଳି ପାଣିକୁ କାଚକେନ୍ଦୁ ପାଣି କୁହାଯାଏ । ଏହିପରି ଭାବେ ଓଡ଼ିଆ ଭାଷାର କାଚକେନ୍ଦୁ ଶବ୍ଦର ଏକାଧିକ ସମ୍ଭାଵିତ ଵ୍ୟୁତ୍ପତ୍ତି ମତ ରହିଛି ଯାହା ଵିଷୟରେ ଆଲୋଚନା କରାଗଲା। କିନ୍ତୁ ଓଡ଼ିଆ ଭାଷାର ସ୍ଵଚ୍ଛ ଜଳ ଅର୍ଥଜ ଏହା ଏକମାତ୍ର ଶବ୍ଦ ନୁହେଁ ଵରଂ ଏହିପରି ଆଉ ଗୋଟିଏ ନିଆରା ଓଡ଼ିଆ ଶବ୍ଦର ଉଲ୍ଲେଖ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଛି । 

ଭାଷାକୋଷ ଅନୁସାରେ ଆଗେ ପୁରୀ ଅଞ୍ଚଳରେ ସ୍ୱଚ୍ଛ ଓ ନିର୍ମଳ ତରଳ ଵସ୍ତୁକୁ ପଞ୍ଜୁରିପାଣି କହୁଥିଲେ । ଯଥା—ଏ ମାଲପା ପଞ୍ଜୁରିପାଣି ଭଳି ଦିଶୁଛି । ସମ୍ଭଵତଃ ପ୍ରାଞ୍ଜଳ ଶବ୍ଦଟି ଲୋକମୁଖରେ ପଞ୍ଜୁରି ହୋଇଥାଇପାରେ କାରଣ ଏହି ପ୍ରାଞ୍ଜଳ ଶବ୍ଦର ଆଠ ଦଶଗୋଟି ଅର୍ଥ ମଧ୍ୟରେ ଦୁଇଗୋଟି ଅର୍ଥ ହେଲା ନିର୍ମଳ ଓ ଉଜ୍ଜ୍ୱଳ। ପୁଣି ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ସ୍ଫଟିକ ପରି ନିର୍ମଳ ଓ ସ୍ୱଚ୍ଛ ପାଣିକୁ ସଷ୍ଟିକ ଜଳ, ସଷ୍ଟିକ ପାଣି,ସ୍ୱଷ୍ଟିକ ଜଳ ଓ ସ୍ୱଷ୍ଟିକ ପାଣି କହୁଥିଲେ। ସଷ୍ଟିକ ଵା ସ୍ଵଷ୍ଟିକ ଶବ୍ଦ ଯେ ସ୍ଫଟିକ ଶବ୍ଦର ଗ୍ରାମ୍ୟ ରୂପ ଏହା ସହଜେ ଅନୁମେୟ । ସଂସ୍କୃତ ଭାଷାରେ ବି ଏହିପରି ଭାବେ ଅଂଶୂଦକ ଶବ୍ଦ ଅଛି । ଯେଉଁ (ଜଳାଶୟର) ଜଳରେ ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଜ୍ୟୋତ୍ସ୍ନା ସମ୍ପୂର୍ଣ୍ଣରୂପେ ପଡ଼େ ଓ ଯହିଁରେ ଜଳ ନିର୍ମଳ ତାକୁ ଅଂଶୂଦକ କୁହନ୍ତି । ସ୍ୱଚ୍ଛ ସଲିଳ ଓ ହଂସୋଦକ ଏହି ଧରଣର ଆଉ ଦୁଇଗୋଟି ଶବ୍ଦ ଅଟେ । କାକ ଚକ୍ଷୁ ପରି ସ୍ପଟିକ ଵା ସ୍ଵଚ୍ଛ ଜଳକୁ ପୁଣି କାକଚକ୍ଷୁ ବି କୁହନ୍ତି । ସଂସ୍କୃତ ଭାଷାରେ ସ୍ଵଚ୍ଛ ସ୍ଫଟିକ ଦରଵ ପାଇଁ 'କାଚତୁଲ୍ୟ' ଶବ୍ଦର ପ୍ରୟୋଗ ଥିଵା ବି ଜଣାଯାଏ । 

ସଂସ୍କୃତ ଓ ଓଡ଼ିଆ ପରି ପୃଥିଵୀର ଅଳ୍ପ କେତେକ ଭାଷାରେ ହିଁ ଏହି ଵିଶେଷ ଅର୍ଥକୁ ପ୍ରକାଶ କଲା ଭଳି ଶବ୍ଦ ରହିଛି । ଇଂରାଜୀ ଭାଷାରେ ସ୍ଵଚ୍ଛ ନିର୍ମଳ ଜଳ ପାଇଁ Crystal clear,pellucid ଓ plain as day ଇତ୍ୟାଦି ଵ୍ୟଵହାର କରାଯାଏ । Polish ଭାଷାରେ krystaliczna ଶବ୍ଦ ଵ୍ୟଵହୃତ ହୁଏ । ଜର୍ମାନ୍ ଭାଷାରେ ସ୍ଵଚ୍ଛ ଜଳକୁ କୁହନ୍ତି glasklar ଅର୍ଥାତ୍ ଗ୍ଲାସ୍ ପରି ସ୍ଵଚ୍ଛ। ଆମ ଭାରତର ମରାଠୀ ଭାଷାରେ ବି ନିଵଳଶଙ୍ଖ ଓ ଶଙ୍ଖବଣୀ ପରି ଦୁଇଗୋଟି ସମାର୍ଥକ ଶବ୍ଦ ଅଛି। ନିଵଳଶଙ୍ଖ ଶବ୍ଦରେ ନିଵଳ ଅର୍ଥ ସ୍ଵଚ୍ଛଜଳ ଓ ଶଙ୍ଖ ଏଠାରେ ପ୍ରତୀକାତ୍ମକ ଭାବେ ଅତି ଅର୍ଥକୁ ପ୍ରକାଶ କରିଵା ପାଇଁ ଯୋଡ଼ା ଯାଇଛି । ସେଇମିତି ଶଙ୍ଖ ଓ ପାଣି ଶବ୍ଦକୁ ନେଇ ମରାଠୀ ଭାଷାରେ ଶଙ୍ଖବଣୀ ଶବ୍ଦ ସୃଷ୍ଟି ହୋଇଛି । ଶଙ୍ଖ ପରି ଅତି ଧଳା ସ୍ଵଚ୍ଛଜଳ ଵା ଘୋଳଦହି ଅଦି ତରଳ କ୍ଷେତ୍ରରେ ମରାଠୀ ଭାଷାରେ ନିଵଳଶଙ୍ଖ ଓ ଶଙ୍ଖବଣୀ ଶବ୍ଦ ପ୍ରୟୋଗ ହୁଏ ବୋଲି James Thomas Molesworthଙ୍କ ଦ୍ଵାରା ସଂକଳିତ A Marathi and English dictionary (2d ed)ର ପୃଷ୍ଠା ୪୭୨ ଓ ୭୮୦ରୁ ଜଣାଯାଏ । ଚୀନ ଦେଶର ମାଣ୍ଡାରିନ ଭାଷାରେ ଅତି ସ୍ଵଚ୍ଛ ଜଳକୁ 碧水(Bìshuǐ) କୁହନ୍ତି । ଚୀନଦେଶୀୟ ଭାଷାରେ 碧ର ଅର୍ଥ ନୀଳ,ସବୁଜ ନୀଳ ମିଶ୍ରରଙ୍ଗ ଓ ନୀଳ ରଙ୍ଗର ଜେଡ୍ ହସ୍ତାଳଙ୍କାର । ସେହିପରି 水(shuǐ)ର ଅର୍ଥ ଜଳ । ସାଧାରଣତଃ ଜଳାଶୟରେ ସ୍ଵଚ୍ଛ ଜଳ ଦେଖିଵାକୁ ନୀଳ ଵା ସବୁଜମିଶା ନୀଳରଙ୍ଗର ହୋଇଥିଵାରୁ ମାଣ୍ଡାରିନ ଭାଷାରେ ସ୍ଵଚ୍ଛ ଜଳ ପାଇଁ 碧水(Bìshuǐ) ଶବ୍ଦ ପ୍ରଚଳିତ ହୋଇଛି । ଜର୍ମାନ୍ ଭାଷାରେ ଅତି ସ୍ଵଚ୍ଛ ଜଳ ପାଇଁ glasklar ଶବ୍ଦ ଵ୍ୟଵହାର ହୁଏ । ଜାଵାନିଜ୍ ଭାଷାରେ ବି ꦕꦼꦛꦮꦼꦭꦮꦼꦭ (cetha wela-wela) ବୋଲି ଏକ ଶବ୍ଦ ଏହି ସମାନ ଅର୍ଥରେ ରହିଛି । ଉଣ୍ଡିଲେ ଆହୁରି ଅନେକ ଭାଷାରେ ମଧ୍ୟ ଏ ଧରଣର ଶବ୍ଦ ମିଳିଵ । 

କେହି କେହି ମନରେ ଵିଚାର କରିପାରନ୍ତି ଯେ ଆମ ପାଖରେ ତ ସଫାପାଣି,ସ୍ଵଚ୍ଛଜଳ,ଶୁଦ୍ଧଜଳ,ପଏର୍ଚା ପାଏନ୍ ଓ ତୋଫାପାଣି ପରି ଶବ୍ଦ ଅଛି ତାହେଲେ ୟେ କାଚକେନ୍ଦୁ ପରି ଶବ୍ଦଟିଏ କାହିଁକି ଲୋଡ଼ା ହେଲା ? ପ୍ରକୃତରେ ପ୍ରୋକରତ ଶବ୍ଦଗୁଡ଼ିକ ସ୍ଵଚ୍ଛଜଳ ପାଇଁ ଵ୍ୟଵହୃତ ହୁଏ କିନ୍ତୁ ଅତିସ୍ଵଚ୍ଛ ଜଳ ପାଇଁ ହିଁ କାଚକେନ୍ଦୁ ପରି ଶବ୍ଦ ଵ୍ୟଵହାର କରାଯାଏ । ଅର୍ଥାତ୍ କାଚକେନ୍ଦୁ ଶବ୍ଦଟି ସ୍ଵଚ୍ଛ ଜଳର ଅତି ଆଧିକ୍ୟ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଵା ହେତୁ ଆଵଶ୍ୟକ ହୋଇଅଛି । କାଚକେନ୍ଦୁ ପାଣିରେ ଧୂଳି ମଳି ନଥିଵ,ତାହା ପାରଦର୍ଶୀ ହୋଇଥିଵ । କାଚକେନ୍ଦୁ ପାଣିରେ ଆଲୋକର ପ୍ରତିଫଳନ ଅଧିକ ହେଵା ଯୋଗୁଁ ଏହାର ରଙ୍ଗ ଉଜ୍ଜ୍ୱଳ ନୀଳ କିମ୍ଭା ସବୁଜ ନୀଳ ରଙ୍ଗ(Turquoise)ର ହୋଇଥାଏ । କାଚକେନ୍ଦୁ ପାଣି ଥିଵା ଜଳାଶୟର ଜଳ ପରିଷ୍କାର ପରିଵେଶକୁ ସୂଚିତ କରିଵା ସହିତ ଜଳଜୀଵ ଓ ମାନଵ ଵ୍ୟଵହାର ପାଇଁ ଉତ୍ତମ ହୋଇଥାଏ । ସାଧାରଣତଃ ସମୁଦ୍ରକୂଳିଆ ଅଞ୍ଚଳରେ କାଚକେନ୍ଦୁ ପରି ପାଣି ଦେଖିଵାକୁ ମିଳିଥାଏ । ମାଳଦ୍ଵୀପ, ଫିଲିପାଇନସର ପଲାୱାନ୍,ବେଲିଜ୍‌ର ଅବ୍ମରଗ୍ରିସ୍ କୈ, କ୍ରୋଏସିଆର ପ୍ଲିଟ୍‌ଵାଇସ୍ ହ୍ରଦ, ଯୁକ୍ତରାଷ୍ଟ୍ର ଆମେରିକାର ଓରେଗାନରେ ଅଵସ୍ଥିତ କ୍ରେଟର୍ ହ୍ରଦ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଏ ଧରଣର ଅତି ସ୍ଵଚ୍ଛଜଳ ଅଧିକ ପରିମାଣରେ ଦେଖିଵାକୁ ମିଳିଥାଏ । ଓଡ଼ିଶାର ପୁରୀ ବେଳାଭୂମି, ଚନ୍ଦ୍ରଭାଗା ବେଳାଭୂମି,ବାଲିହରଚଣ୍ଡି ବେଳାଭୂମି, ରାମଚଣ୍ଡୀ ବେଳାଭୂମି ଓ ଚାନ୍ଦିପୁର ବେଳାଭୂମିରେ ମଧ୍ୟ ଏ ଧରଣର ଜଳ ଦେଖିଵା ମିଳେ ବୋଲି ଅନ୍ତର୍ଜାଲରୁ ଜଣାପଡି଼ଛି । ଅତଃ ଯେହେତୁ ଓଡ଼ିଶାର ବେଳାଭୂମିରେ ଲୋକେ ଆଗେ ଏ ଧରଣର ଅତି ସ୍ଵଚ୍ଛ ପାରଦର୍ଶୀ କଣିକାହୀନ ଜଳ ଦେଖିଵାକୁ ମିଳୁଥିଲା ତେଣୁ ଓଡ଼ିଶାରେ କାଚକେନ୍ଦୁ ଓ ସଷ୍ଟିକ ଜଳ ଵା ସ୍ପଟିକ ଜଳ ପରି ଶବ୍ଦ ପ୍ରଚଳିତ ହୋଇଥିଲା । ଅତଏଵ୍ ପୃଥିଵୀର ଅଳ୍ପ ଭାଷାରେ ଅତି ସ୍ଵଚ୍ଛ ପାରଦର୍ଶୀ ଜଳ ପାଇଁ ଶବ୍ଦ ଥିଵାରୁ, ଓଡ଼ିଆ ଭାଷାର ଶବ୍ଦ ସମ୍ଭାରକୁ ନେଇ ସୃଷ୍ଟି ହୋଇଥିଵାରୁ ନିଃସନ୍ଦେହରେ କୁହାଯାଇପାରେ ଯେ କାଚକେନ୍ଦୁ ଓଡ଼ିଆ ଭାଷାର ଏକ ନିଆରା ମୌଳିକ ଶବ୍ଦ ଅଟେ ।











Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...