ଗ୍ରୀଷ୍ମ ଋତୁର ଆରମ୍ଭ ଥିଲା। ସୁଧା ମୂର୍ତ୍ତି ଗୁଲବର୍ଗା ରେଳ ଷ୍ଟେସନରେ ଉଦୟନ ଏକ୍ସପ୍ରେସ୍ ଚଢ଼ୁଥିଲେ। ତାଙ୍କର ଗନ୍ତଵ୍ୟ ସ୍ଥଳ ବେଙ୍ଗାଲୁରୁ ଥିଲା। ଟ୍ରେନ୍ ଚଢ଼ିଵା ସମୟରେ,ସୁଧା ମୂର୍ତ୍ତି ଦେଖିଲେ ଯେ ଦ୍ୱିତୀୟ ଶ୍ରେଣୀର ସଂରକ୍ଷିତ କମ୍ପାର୍ଟମେଣ୍ଟଟି ଲୋକଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଇଥିଲା। ସେ ବସିଲେ ଏଵଂ ତାଙ୍କୁ ବର୍ଥ୍ର କୋଣକୁ ଠେଲି ଦିଆଗଲା। ଯଦିଓ ଏହା ତିନି ଜଣଙ୍କ ପାଇଁ ଥିଲା, କିନ୍ତୁ ସେଠାରେ ପୂର୍ଵରୁ ଛଅ ଜଣ ବସିଥିଲେ।
ଟିକେଟ୍ ପରୀକ୍ଷକ ଆସିଲେ ଏଵଂ ଲୋକଙ୍କ ଟିକେଟ୍ ତଥା ସଂରକ୍ଷିତ ଟିକେଟ୍ ଯାଞ୍ଚ କରିଵା ଆରମ୍ଭ କଲେ। ହଠାତ୍, ସେ ସୁଧା ମୂର୍ତ୍ତିଙ୍କ ଦିଗକୁ ଚାହିଁଲେ ଏଵଂ ପଚାରିଲେ, 'ତୁମର ଟିକେଟ୍ କେଉଁଠି?'
'ମୁଁ ଆଗରୁ ତୁମକୁ ମୋର ଟିକେଟ୍ ଦେଖାଇଛି,' ସୁଧା ମୂର୍ତ୍ତି କହିଲେ।
'ତୁମ ପାଇଁ ନୁହେଁ, ମ୍ୟାଡାମ, ତୁମ ବର୍ଥର ତଳୁ ଲୁଚୁଥିଵା ଝିଅ ପାଇଁ। ହେ, ବାହାରକୁ ଆସ, ତୁମ ପାଖରେ ଟିକେଟ୍ ନାହିଁ କି?' ସୁଧା ମୂର୍ତ୍ତି ଅନୁଭବ କଲେ ଯେ କେହି ଜଣେ ତାଙ୍କ ବର୍ଥ୍ର ତଳେ ବସିଛନ୍ତି। ଯେତେବେଳେ ପରୀକ୍ଷକ ତାଙ୍କୁ ଗାଳି ଦେଲେ, ଝିଅଟି ଲୁଚି ରହିଵା ସ୍ଥାନରୁ ବାହାରି ଆସିଲା।
ସେ ପତଳା ଥିଲା, କଳା ଥିଲା, ଭୟଭୀତ ଥିଲା ଏଵଂ କାନ୍ଦି କାନ୍ଦି ତା' ଆଖି ଫୁଲି ଯାଇଥିଲା। ତା'ର ଵୟସ 13 କିମ୍ବା 14 ଵର୍ଷ ହୋଇଥିଵ। ତା'ର କେଶ ଅସଜଡ଼ା ଥିଲା ଏଵଂ ସେ ଚିରା ସ୍କର୍ଟ ଓ ବ୍ଲାଉଜ୍ ପିନ୍ଧିଥିଲା। ସେ ଥରୁଥିଲା ଆଉ ଉଭୟ ହାତ ଯୋଡ଼ି ଠିଆ ହୋଇଥିଲା। ପରୀକ୍ଷକ ତାଙ୍କୁ ଜୋର୍ କରି କମ୍ପାର୍ଟମେଣ୍ଟରୁ ବାହାରକୁ ଟାଣିଵାକୁ ଲାଗିଲେ। ହଠାତ୍, ସୁଧା ମୂର୍ତ୍ତିଙ୍କ ମନରେ ଏକ ଅଜବ ଭାବ ଜାତ ହେଲା। ସେ ଠିଆ ହୋଇ ପରୀକ୍ଷକଙ୍କୁ ଡାକିଲେ ଆଉ କହିଲେ — “ସାର୍, ମୁଁ ତା'ର ଟିକେଟ୍ ଦେୟ ଦେବି”।
ଟିକେଟ୍ ପରୀକ୍ଷକ ସୁଧା ମୂର୍ତ୍ତିଙ୍କୁ ଚାହିଁ କହିଲେ, “ମ୍ୟାଡାମ, ଯଦି ଆପଣ ତାଙ୍କୁ ଦଶ ଟଙ୍କା ଦେବେ, ତେବେ ସେ ଟିକେଟ୍ ଅପେକ୍ଷା ସେହି ଟଙ୍କାରେ ବହୁତ ଖୁସି ହେଵ।”
ସୁଧା ମୂର୍ତ୍ତି ତାଙ୍କ କଥା ଶୁଣିଲେ ନାହିଁ। ସେ ଟିକେଟ୍ ପରୀକ୍ଷକଙ୍କୁ କହିଲେ ଯେ ତାଙ୍କୁ ଶେଷ ଗନ୍ତଵ୍ୟ ସ୍ଥଳ ବେଙ୍ଗାଲୁରୁ ପାଇଁ ଟିକେଟ୍ ଦିଅନ୍ତୁ, ଯେପରି ଝିଅଟି ଯେଉଁଠି ଚାହିଁଵ ସେଠି ଓହ୍ଲାଇ ପାରିଵ।
ଧୀରେ ଧୀରେ, ସେ ଝିଅଟି କଥା କହିଵା ଆରମ୍ଭ କଲା। ସେ କହିଲା ଯେ ତା'ର ନାମ ଚିତ୍ରା। ସେ ବିଦର ନିକଟସ୍ଥ ଏକ ଗାଁରେ ରହୁଥିଲା। ତା'ର ବାପା ଜଣେ ଶ୍ରମିକ ଥିଲେ ଏବଂ ସେ ଜନ୍ମରୁ ମା'କୁ ହରାଇଥିଲା। ତା'ର ବାପା ପୁଣି ବିବାହ କରିଥିଲେ ଏବଂ ସେହି ସାବତ ମା'ଙ୍କଠାରୁ ତାଙ୍କର ଦୁଇଟି ପୁଅ ଥିଲେ। କିନ୍ତୁ କିଛି ମାସ ପୂର୍ବରୁ ତା'ର ବାପାଙ୍କର ମୃତ୍ୟୁ ହୋଇଥିଲା। ତା'ର ସାବତ ମା' ତାଙ୍କୁ ପ୍ରାୟତଃ ମାଡ଼ ମାରୁଥିଲେ ଏବଂ ଖାଦ୍ୟ ଦେଉନଥିଲେ। ସେ ସେହି ଜୀବନରୁ କ୍ଳାନ୍ତ ହୋଇଯାଇଥିଲା। ତା'ର କୌଣସି ସାହାଯ୍ୟକାରୀ କି ବନ୍ଧୁବାନ୍ଧବ ନଥିବାରୁ ସେ ଭଲ କିଛି ଖୋଜିଵା ପାଇଁ ଘର ଛାଡ଼ି ଚାଲିଆସିଛି ।
ତେବେ ସେହି ସମୟରେ ଟ୍ରେନ୍ ବେଙ୍ଗାଲୁରୁ ପହଞ୍ଚି ସାରିଥିଲା। ସୁଧା ମୂର୍ତ୍ତି ତହୁଁ ଚିତ୍ରାଙ୍କୁ ବିଦାୟ କହି ଟ୍ରେନରୁ ଓହ୍ଲାଇଲେ। ତାଙ୍କର ଡ୍ରାଇଭର ଆସିଲା ଏଵଂ ବ୍ୟାଗ୍ ନେଲେ। ସୁଧା ମୂର୍ତ୍ତିଙ୍କର ଅନୁଭବ ହେଲା ଯେ ସତ ଯେମିତି କେହି ଜଣେ ତାଙ୍କୁ ଦେଖୁଛି। ସେ ପଛକୁ ଚାହିଁଲେ, ଦେଖିଲେ ଚିତ୍ରା ସେଠାରେ ଠିଆ ହୋଇ ତାଙ୍କୁ ଦୁଃଖ ମନରେ ଚାହିଁଥିଲା। କିନ୍ତୁ ସେ ଆଉ କିଛି କରିପାରିଲେ ନାହିଁ। ସୁଧା ମୂର୍ତ୍ତି ଝିଅଟିର ଟିକେଟ୍ ଦୟାଭାବରେ କିଣିଥିଲେ, କିନ୍ତୁ ସେ କେବେ ବି ଭାବି ନଥିଲେ ଯେ ସେ ତାଙ୍କର ଦାୟିତ୍ୱ ହୋଇଯିଵ !
କାଳେ ସେ ନିରାଶ୍ରୟୀ ଝିଅ ଟି ଅବାଟରେ ଚାଲିଯିଵ କିମ୍ବା ତାହା ସହିତ କୌଣସି ଅଘଟଣ ଘଟିଵ ଏହି ଆଶଙ୍କା ମଧ୍ୟ ସୁଧା ମୂର୍ତ୍ତିଙ୍କ ମନରେ ଜାତ ହେଲା । ଅନ୍ୟ କୌଣସି ଉପାୟ ନପାଇ ସେ ଝିଅଟିକୁ
କାର୍ ଭିତରକୁ ଯିବାକୁ କହିଲେ। ସୁଧା ମୂର୍ତ୍ତିଙ୍କର ଡ୍ରାଇଭର ଝିଅଟିକୁ କୌତୂହଳରେ ଚାହିଁଲେ।
ସେଇଠୁ ସୁଧା ମୂର୍ତ୍ତି ତାଙ୍କ ବନ୍ଧୁ ରାମବାବୁଙ୍କ ଘରକୁ ଚିତ୍ରାକୁ ଯିଵାକୁ କହିଲେ । ରାମ ପୁଅ ଓ ଝିଅମାନଙ୍କ ପାଇଁ ପୃଥକ ଆଶ୍ରୟସ୍ଥଳ ଚଲାଉଥିଲେ। ଉଭୟ ରାମବାବୁ ଓ ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନ୍ରେ ନିରାଶ୍ରୟ ଅନାଥ ପିଲାଙ୍କୁ ଆର୍ଥିକ ସହାୟତା କରୁଥିଲେ। ସୁଧା ମୂର୍ତ୍ତି ଭାବିଲେ ଚିତ୍ରା କିଛି ସମୟ ପାଇଁ ସେଠାରେ ରହିପାରିବ।
ସୁଧା ମୂର୍ତ୍ତି କିନ୍ତୁ ନିଶ୍ଚିତ ନଥିଲେ ଯେ ଚିତ୍ରା ସେଠାରେ ଥିବ କି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ, ସୁଧା ମୂର୍ତ୍ତି ଦେଖିଲେ ଯେ ଚିତ୍ରା ପୂର୍ଵ ଅପେକ୍ଷା ବହୁତ ଅଧିକ ଖୁସି ଦେଖାଯାଉଛନ୍ତି। ରାମବାବୁ ପରାମର୍ଶ ଦେଲେ ଯେ ଚିତ୍ରା ନିକଟସ୍ଥ ଏକ ହାଇସ୍କୁଲରେ ପଢ଼ିପାରିବେ। ସୁଧା ମୂର୍ତ୍ତି ତୁରନ୍ତ ରାଜି ହୋଇଗଲେ ଏବଂ କହିଲେ ଯେ ସେ ପାଠ ପଢ଼ା ଜାରି ରଖିଵା ପର୍ଯ୍ୟନ୍ତ ସେ ଚିତ୍ରାର ଖର୍ଚ୍ଚ ଵହନ କରିବେ। ଆଶ୍ରୟସ୍ଥଳରୁ ବାହାରିବା ବେଳେ ସୁଧା ମୂର୍ତ୍ତି ଜାଣିଲେ ଯେ ଚିତ୍ରା ଏକ ଘର ଏଵଂ ଜୀଵନର ଏକ ନୂଆ ଦିଗ ପାଇଲେ।
ତାପରେ ସୁଧା ମୂର୍ତ୍ତି ନିଜ କାର୍ଯ୍ୟରେ ଵ୍ୟସ୍ତ ହୋଇଗଲେ ଏଵଂ ତାଙ୍କର ସେହି ଅନାଥାଶ୍ରମକୁ ଯିଵା ବହୁତ କମ୍ ହୋଇଗଲା। କିନ୍ତୁ ସେ ଫୋନ୍ ମାଧ୍ୟମରେ ସବୁବେଳେ ଚିତ୍ରାଙ୍କ ଭଲମନ୍ଦ ଵିଷୟରେ ପଚାରି ବୁଝୁଥିଲେ। ସୁଧା ମୂର୍ତ୍ତି ଜାଣିଥିଲେ ଯେ ଚିତ୍ରା ଭଲ ପାଠ ପଢ଼ୁଛି ଏଵଂ ତା'ରପ୍ରଗତି ଭଲ ହେଉଛି। ଯେତେବେଳେ ଚିତ୍ରାର କଲେଜ ପାଠପଢ଼ା ଆରମ୍ଭ ହେଲା ସେତେବେଳେ ସୁଧା ମୂର୍ତ୍ତି ପାଠପଢ଼ା ପାଇଁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲେ, କିନ୍ତୁ ଚିତ୍ରା କହିଲା, 'ନାହିଁ ଆକ୍କା। ମୁଁ ମୋର ସାଙ୍ଗମାନଙ୍କ ସହ କଥା ହୋଇଛି ଏଵଂ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଵାକୁ ଚାହୁଁଛି ଯେପରି ତିନି ବର୍ଷ ପରେ ତୁରନ୍ତ ଚାକିରି ପାଇପାରିବି।' ଚିତ୍ରା ଯଥାଶୀଘ୍ର ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେଵାକୁ ଚାହୁଁଥିଲା।
ଚିତ୍ରା ବହୁତ ଭଲ ଫଳାଫଳରେ ତାଙ୍କ ଡିପ୍ଲୋମା ସମାପ୍ତ କଲା। ସେ ଏକ ସଫ୍ଟୱେର୍ କମ୍ପାନୀରେ ଆସିଷ୍ଟାଣ୍ଟ ଟେଷ୍ଟିଂ ଇଞ୍ଜିନିୟର ଭାବରେ ଚାକିରି ପାଇଲା। ଯେତେବେଳେ ତାକୁ ପ୍ରଥମ ଦରମା ମିଳିଲା, ସେ ସୁଧା ମୂର୍ତ୍ତିଙ୍କ ପାଇଁ ଏକ ଶାଢ଼ୀ ଏଵଂ ମିଠା ବାକ୍ସ ଧରି ଅଫିସକୁ ଆସିଲା।
ଦିନେ,ସୁଧା ମୂର୍ତ୍ତି ଦିଲ୍ଲୀରେ ଥିଲାବେଳେ ତାଙ୍କ ପାଖକୁ ଏକ କଲ୍ ଆସିଲା,ସେ କଲ୍ ଚିତ୍ରା କରିଥିଲା। ସେ ବହୁତ ଖୁସି ଥିଲା। 'ଆକ୍କା, ମୋ କମ୍ପାନୀ ମୋତେ ଆମେରିକାକୁ ପଠାଇଵାକୁ ସ୍ଥିର କରିଛି! ମୁଁ ଆପଣଙ୍କୁ ଭେଟିଵାକୁ ଏଵଂ ଆପଣଙ୍କ ଆଶୀର୍ଵାଦ ନେଵାକୁ ଚାହୁଁଥିଲି କିନ୍ତୁ ଆପଣ ବେଙ୍ଗାଲୁରୁରେ ନାହାନ୍ତି।'
ବହୁ ଵର୍ଷ ଗଡ଼ିଗଲା। ସୁଧା ମୂର୍ତ୍ତି ବେଳେବେଳେ ଚିତ୍ରାଙ୍କଠାରୁ ଏକ ଇମେଲ୍ ପାଉଥିଲେ। ଚିତ୍ରା ତା କ୍ୟାରିୟରରେ ବହୁତ ଭଲ କରୁଥିଲା। ସେ ଆମେରିକାର ଅନେକ ସହରରେ ନିୟୋଜିତ ଥିଲା ଏଵଂ ଜୀଵନକୁ ଉପଭୋଗ କରୁଥିଲା। ସୁଧା ମୂର୍ତ୍ତି ସବୁବେଳେ ପ୍ରାର୍ଥନା କରୁଥିଲେ ଯେ ଚିତ୍ରା ଯେଉଁଠି ଥାଉ ସବୁବେଳେ ଖୁସି ରହୁ ।
ଏହାର କିଛି ଦିନ ପରେ ସାନ ଫ୍ରାନ୍ସିସ୍କୋର Kannada Koota of Northern California (KKNC) ସଂଗଠନର ଏକ ସଭାରେ ଭାଷଣ ଦେଵାକୁ ସୁଧା ମୂର୍ତ୍ତିଙ୍କୁ ନିମନ୍ତ୍ରଣ କରାଗଲା। ଭାଷଣଟି ଏକ ହୋଟେଲ କନଭେନସନ ହଲରେ ଥିଲା ଏଵଂ ସୁଧା ମୂର୍ତ୍ତି ସେହି ସମାନ ହୋଟେଲରେ ରହିଵାକୁ ନିଷ୍ପତ୍ତି ନେଲେ। ଭାଷଣ ପରେ, ସୁଧା ମୂର୍ତ୍ତି ବିମାନବନ୍ଦର ପାଇଁ ବାହାରୁଥିଲେ। ହୋଟେଲ ରୁମ୍ ଚେକ୍ ଆଉଟ୍ କରିଵା ପରେ, ଯେତେବେଳେ ସେ ବିଲ୍ ପୈଠ କରିଵାକୁ ରିସେପ୍ସନ କାଉଣ୍ଟର ପାଖକୁ ଗଲେ ତାଙ୍କୁ ରିସେପ୍ସନିଷ୍ଟ କହିଲେ, ”ମ୍ୟାମ୍, ଆପଣଙ୍କ ବିଲ୍ ଆଗରୁ ପୈଠ କରି ଦିଆଯାଇଛି। ଜଣେ ମହିଳା ଆପଣଙ୍କ ବିଲ୍ ପୂର୍ଵରୁ ଦେଇ ସାରିଛନ୍ତି। ସେ ବୋଧହୁଏ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଥିବେ।” ସୁଧା ମୂର୍ତ୍ତି ଚାରିପାଖକୁ ଚାହିଁଲେ ଏଵଂ ଚିତ୍ରାକୁ ଦେଖିଲେ।
ଚିତ୍ରା ଜଣେ ଯୁଵ ଗୋରାଲୋକଙ୍କ ସହ ଠିଆ ହୋଇଥିଲା ଏଵଂ ଏକ ସୁନ୍ଦର ଶାଢ଼ୀ ପିନ୍ଧିଥିଲା। ସେ ଛୋଟ କେଶ ସହିତ ବହୁତ ସୁନ୍ଦର ଦେଖାଯାଉଥିଲା। ତାର କଳା ଆଖି ଆନନ୍ଦ ଓ ଗର୍ଵରେ ଚମକୁଥିଲା। ତାକୁ ଦେଖିଵା ମାତ୍ରେ, ସେ ସୁଧା ମୂର୍ତ୍ତିଙ୍କ ପାଖକୁ ଆନନ୍ଦ ମନରେ ଦୌଡ଼ି ଆସି ପ୍ରଣାମ କଲେ ଏଵଂ ପାଦ ଛୁଇଁଲେ। ସୁଧା ମୂର୍ତ୍ତି ବହୁତ ଖୁସି ହେଲେ ଏଵଂ କ'ଣ କହିବେ ବୁଝିପାରିଲେ ନାହିଁ। ଚିତ୍ରାର ଜୀଵନ ଉନ୍ନତ ହୋଇଯାଇଛି ଦେଖି ସୁଧା ମୂର୍ତ୍ତି ବହୁତ ଖୁସି ହେଲେ। କିନ୍ତୁ ସୁଧା ମୂର୍ତ୍ତି ସେଇ ପ୍ରଶ୍ନଟି ଚିତ୍ରାକୁ ପଚାରିଲେ —
“ଚିତ୍ରା, ତୁମେ ମୋର ହୋଟେଲ ବିଲ୍ କାହିଁକି ଦେଲ? ତାହା ଠିକ୍ ନୁହେଁ।”
ହଠାତ୍, କାନ୍ଦି ପକାଇ ଚିତ୍ରା ସୁଧା ମୂର୍ତ୍ତିଙ୍କୁ ଜାବୁଡ଼ି ଧରି କହିଲେ, 'ଆକ୍କା ଆପଣ ବମ୍ବେରୁ ବେଙ୍ଗାଲୁରୁ ପାଇଁ ମୋର ଯେଉଁ ରେଳ ଟିକେଟ୍ଟି କରି ଦେଇଥିଲେ ତା ଆଗରେ ୟେ କିଛି ବି ନୁହେଁ !”
••••••••••••••••••••••••••••••••••••••
ସୁଧା ମୂର୍ତ୍ତିଙ୍କ ପୁସ୍ତକ :
The Day I Stopped Drinking Milkର କ୍ଷୁଦ୍ର ଗଳ୍ପ Bombay to Bangaloreର ଓଡ଼ିଆ ଭାଵାନୁଵାଦ ।
•••••••••••••••••••••••••••••••••••••••
No comments:
Post a Comment