Sunday, April 12, 2026

କଵିଵର ରାଧାନାଥ ରାୟଙ୍କ ବାଣହରଣର ସାରାଂଶ ଓ ଵିଶ୍ଳେଷଣ

କଵିଵର ରାଧାନାଥ ରାୟଙ୍କ “ବାଣ ହରଣ” କ୍ଷୁଦ୍ର କାଵ୍ୟର ଦ୍ଵିତୀୟ ସର୍ଗର କିଛି ଅଂଶ "ମୁକୁଟ ଭୀକ୍ଷା" ନାମରେ ନବେ ଦଶକର ଵିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇଥିଲା ।‌ ନବେ ଦଶକର ପିଲାମାନଙ୍କୁ ମୂଳ ଦୀର୍ଘ କଵିତାର ନାଆଁ "ବାଣ ହରଣ" ବୋଲି ନଜଣାଇ ତହିଁର ଏକ କ୍ଷୁଦ୍ରାଂଶକୁ "ମୁକୁଟ ଭୀକ୍ଷା" ନାମରେ ଵିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ାଯିଵାରୁ ସେସମୟର ଛାତ୍ରମାନେ ସେହି ନାମରେ ଏହା ସହିତ ପରିଚିତ ଅଟନ୍ତି । ଅସ୍ତୁ ଵିଦ୍ୟାଳୟ ପାଠ୍ୟକ୍ରମରେ ଯେଉଁଠାରୁ ବାଣ ହରଣ ଦୀର୍ଘ କଵିତାର ପଦଗୁଡ଼ିକୁ "ମୁକୁଟ ଭୀକ୍ଷା" ନାମରେ ପଢ଼ାଯାଉଥିଲା ସେହିଠାରୁ ଶେଷ ପର୍ଯ୍ୟନ୍ତ ନିମ୍ନରେ ପ୍ରଦତ୍ତ ହେଲା । 

   •ଵାଣ ହରଣ ଦ୍ଵିତୀୟ ସର୍ଗର ଶେଷାଂଶ•

ଆସ ଆସ ଅର୍ଜୁନ’’ ବୋଲନ୍ତି କୁରୁସାଇଁ, ‘‘କହ କେଉଁ କାର୍ଯ୍ୟ ଲାଗି ଆସିଲ, ହେ ଭାଇ ?”

ଵିନୟେ ଅର୍ଜୁନ ବନ୍ଦୁ ରାଜାଙ୍କ ଚରଣ, 
ବେନି ଭୂଜେ ଧରି ରାଜା ଦେଲେ ଆଲିଙ୍ଗନ।

ମହାଦରେ ନେଇ ରାଜା ଇନ୍ଦ୍ରର ନନ୍ଦନେ 
ନିଜ ହସ୍ତେ ବସାଇଲେ ରତ୍ନ-ସିଂହାସନେ।

ଆଉ ଯେତେ ପାତ୍ର ମନ୍ତ୍ରୀ ସଭା ମଧ୍ୟେ ଥିଲେ, ସମସ୍ତଙ୍କୁ ପାର୍ଥ ମିଷ୍ଟ ଵଚନେ ତୋଷିଲେ ।

ଶ୍ରମଯୁକ୍ତ ପାର୍ଥେ ଦେଖି ଆଦରେ ରାଜନ 
ସ୍ଵହସ୍ତେ ଵ୍ୟଜନ ଧରି କରନ୍ତି ଵ୍ୟଜନ।

ବୋଲଜି ଅର୍ଜୁନେ ଚାହିଁ, ‘‘କହ ଆହେ ଭାଇ, - ଆସିଲ ସଦନେ ମୋର କେଉଁ କାର୍ଯ୍ୟପାଇଁ ?

ନିଶାକାଳେ ଆଗମନ ଆଶ୍ଚର୍ଯ୍ୟ ଏ କଥା, 
କହ, ଭାଇ, ଆଗେ ଗୃହକୁଶଳ ବାରତା ।

ଅଛନ୍ତି ତ ସର୍ଵଶୁଭେ ରାଜା ଯୁଧିଷ୍ଠିର, ଭୀମ, 
ବେନି ମାଦ୍ରୀସୁତ, ଆଉ ଯେତେ ଵୀର ?

ଅଛନ୍ତି ତ ସର୍ଵଶୁଭେ କୁମାର ସକଳ ? ଦ୍ରୁପଦଦୁଲଣୀଙ୍କର ସବୁ ତ କୁଶଳ ?’’ 

ନିଵେଦନ୍ତେ ଧନଞ୍ଜୟ ଗୃହ-ଅନାମୟ ପ୍ରୀତି ପ୍ରକାଶିଲେ ଶୁଣି ଗାନ୍ଧାରୀ ତନୟ।

ବୋଇଲେ, ‘‘ବଚନ ମୋର ଶୁଣ, ପାର୍ଥଭାଇ,
ଵିଧିର ନିର୍ବନ୍ଧ କେବେ ଖଣ୍ଡି ହେଵ ନାହିଁ ।

ତୁମ୍ଭେ କି କାରଣେ ଆଜ ଆସିଲ ଏଠାବେ,
ମୋହ ପାଶେ ମନ ବଳାଇଲ କେଉଁ ଲାଭେ ? '

ଅର୍ଜୁନ ବୋଇଲେ, ‘‘ଯାହା କହିଲ ପ୍ରମାଣ,
ଵିଧିର ଵିଧାନ କେବେ ହେଵ ନାହିଁ ଆନ।

ମାତ୍ର ପୂର୍ଵ କଥା ରାଜା ଅଛଈ କି ମନେ,
ଚିତ୍ରସେନ ହସ୍ତୁ ଯେବେ ଉଦ୍ଧରିଲି ରଣେ
 ତୁମ୍ଭଙ୍କୁ ମହିଷୀ ସହ, ଯାଚିଥିଲ ଵର, 
ପଡ଼ଇ କି ମନେ ସେହି କଥା ନୃପଵର ?

ସେହି ଵର ପ୍ରାପ୍ୟ ମୋର ଅଛି ଆଜଯାଏ, ସେଥିଲାଗି ଶ୍ରୀଛାମୁକୁ ଆସିଲି ମୁଁ, ରାଏ।’’

ଅର୍ଜୁନର ଵାକ୍ୟ ଶୁଣି ରାଜା ଦୁର୍ଯ୍ୟୋଧନ 
ଦୀର୍ଘଶ୍ବାସ ତେଜି ମନେ ଭାବିଲେ ତକ୍ଷଣ ।

ଵୃଥା ହେଲା ସିନା ମୋର ସମସ୍ତ ଉଦ୍ୟମ,
ଵୃଥା ହେଲା ନାନା ଦେଶ ସୈନ୍ୟ-ସମାଗମ।

ଆମନ୍ତି ଆଣିଲି ସିନା ଵୃଥା ରାଜଦଳ,
ଭୀଷ୍ମର ପ୍ରତିଜ୍ଞା ହେଲା ସମସ୍ତ ଵିଫଳ ।

ଯୁଦ୍ଧକାଳେ ପାଣ୍ଡଵର ଉପୁଜିଲା ଭୟ, 
ଆସିଅଛି ସେଥିପାଇଁ ଵୀର ଧନଞ୍ଜୟ।

ଭୀତ ତ୍ରସ୍ତ ପାଣ୍ଡଵନାଥର ଆଜ୍ଞାମତେ,
ମାଗି ନେଵ ରାଜ୍ୟ ପରା ହେଉଛି ପରତେ !

ପଡ଼ୁଅଛି ମନେ ମୋର ପୂର୍ଵର ସେ କଥା,
 କ୍ଷତ୍ର ମୁହିଁ, କ୍ଷତ୍ର ଵାକ୍ୟ ନୁହଇ ଅନ୍ୟଥା।

ଏହା ଭାବି ଅଧୋମୁଖ ହୋଇ କୁରୁସାଇଁ କହିଲେ, ‘‘ସେ ଵରକଥା ମନେଅଛି, ଭାଇ।’’

ବୋଇଲେ ଅର୍ଜୁନ, ‘‘ଏବେ ଦିଅ ସେହି ବର,’’ ‘‘ଯା ମାଗିଵ ମାଗ’’ ରାଜା ବିହିଲେ ଉତ୍ତର ।

ବୋଇଲେ ଅର୍ଜୁନ, ‘‘ଆହେ କୌରଵପ୍ରଧାନ
ମୁକୁଟ ତୁମ୍ଭର ମୋତେ କର ଏବେ ଦାନ।’’

ଉଚ୍ଚହାସ୍ୟ କୁରୁପତି କହିଲେ ଵିସ୍ମିତେ,
‘‘ଆଶ୍ଚର୍ଯ୍ୟ ଲାଗିଲା ଶୁଣି ଵରକଥା ଚିତ୍ତେ।

ବଡ଼ ଭାଗ୍ୟହୀନ ତୁମ୍ଭେ, ହେ ଵୀର ପାଲ୍‌ଗୁନି, ଆସିଲ ଯା ଏଥି ଏହି ଵର ଲାଗି ପୁଣି ।

ରାଜ୍ୟ ଧନ ଅଶ୍ବ ହସ୍ତୀ ଵସ୍ତ୍ର ଆଭରଣ ଜନପଦ ବରାଙ୍ଗନା ଅଛି ଅଗଣନ, ତୁମ୍ଭ ସଙ୍ଗେ ଶତ୍ରୁଭାବ ଛାଡ଼ି ଏ ସକଳ, ବଳାଇଲ ମନ ଛାର ମୁକୁଟେ କେଵଳ !

ଭାଳିଥିଲି ରାଜ୍ୟ ମାଗି ନେଵ, ଧନଞ୍ଜୟ,
ଦେଇଥାନ୍ତି ରାଜ୍ୟ ମୁହିଁ ନାହିଁଟି ସଂଶୟ।

କି ଧନ ମାଗିଲ, ଭାଇ, ମୋର କେଉଁ ଦୋଷ ?
ତୁମ୍ଭଠାରେ ମୋର ବଡ଼ ହେଲାଟି ଆକ୍ରୋଶ।

ଆହା କେଉଁ ତୁଚ୍ଛ ଦ୍ରଵ୍ୟ ମାଗିଲ, ହେ ଭାଇ।’’
ଏହା କହି ଝୁରିହେଲେ କୌରବଗୋସାଇଁ।

ପାର୍ଥ ବୋଲେ, ‘‘ଏଥି କିବା ଦୁଃଖ କୁରୁନାହା, ଘଟିଲା ମୋ ଭାଗ୍ୟ ବିହି ଲେଖିଥିଲେ ଯାହା ।

ମୁକୁଟ ତୁମ୍ଭର ମୋତେ ଦିଅ ହେ ରାଜନ, 
ମୁକୁଟ ବିହୁନେ ନାହିଁ ଆନ ପ୍ରୟୋଜନ ।

ମୁକୁଟ ପାଇଲେ ମୁହିଁ ପାଇଲି ସମସ୍ତ, 
ନ ହୁଅ, ହେ ନରନାଥ, ମୋହୋପାଇଁ ଵ୍ୟସ୍ତ।’’

‘‘ନିଅ ତେବେ’’ ଏହା କହି ରାଜା ଦୁର୍ଯ୍ୟୋଧନ 
ମୁକୁଟ ଉତ୍ତାରି ପାର୍ଥେ କଲେକ ଅର୍ପଣ।

ମୁକୁଟ ଲଭିଣ ପାର୍ଥ ପ୍ରଫୁଲ୍ଲ ଅନ୍ତରେ ମେଲାଣି ମାଗିଲେ ରାଜା ପାଶେ ଯୋଡ଼କରେ ।

‘“କିପାଁ ଯିଵ ନିଶାଯୋଗେ ରହିଯାଅ, ଭାଇ’’, 
ଏହା କହି ଅଳି କଲେ କୌରଵଗୋସାଇଁ। 

ପାର୍ଥ ବୋଲେ, ‘‘କାଲି, ରାଏ, ପ୍ରଥମ ସଂଗ୍ରାମ,
କିପରି କରିବି ମୁହିଁ ଏଠାରେ ଵିଶ୍ରାମ ?

ଯାଇ କରିଵାକୁ ହେଵ ସୈନ୍ୟ-ସମାଵେଶ’’
ଉତ୍ତରିଲେ ‘‘ସତ ସତ’’ ବୋଲି କୌରଵେଶ ।

‘‘ଧର୍ମରାଜେ ଜଣାଇଵ ମୋହର ପ୍ରଣାମ,
କହିଵ ନିଶ୍ଚୟ କାଲି ପ୍ରଥମ ସଂଗ୍ରାମ ।’’ 

ଉଠିଲେ ମୁକୁଟ ଘେନି ଇନ୍ଦ୍ରର ନନ୍ଦନ, 
ଆଶିଷ ପ୍ରଣାମ ପାର୍ଥେ କଲେ ସଭାଜନ।

ସମାଦରେ ସବାନ୍ଧବେ ତହୁଁ କୁରୁରାଏ 
ପାର୍ଥ ସଙ୍ଗେ ସଙ୍ଗେ ଗଲେ ସିଂହଦ୍ଵାରଯାଏ ।

ଘୋର ଅନ୍ଧକାରେ ପାର୍ଥ ଯାଇ କିଛି ଦୂର, 
ଭେଟିଲେ ସହସା ପଥେ ବ୍ରହ୍ମାଣ୍ଡଠାକୁର। 
ନତି କଲେ କୃଷ୍ଣ ଵୀର ମୁକୁଟ ଦେଖାଇ,
 ସଭାର ସକଳ କଥା ଶ୍ରୀପଦେ ଜଣାଇ।

ବୋଇଲେ, ‘‘ହେ ମହାପ୍ରଭୁ, ମୋହ ପ୍ରତୀକ୍ଷାରେ 
ଏ ନିର୍ଜନେ ଥିଲ କିପାଁ ଏ ଘୋର ଅନ୍ଧାରେ ?''

କହନ୍ତି ଶ୍ରୀପତି, ‘‘ଶୁଣ, ଆହେ ଧନଞ୍ଜୟ,
ଏକା ଯେଣୁ ଥିଲ, ଚିତ୍ତେ ହେଲା ମହାଭୟ।

କାଳେ ଖଳ ଦୁର୍ଯ୍ୟୋଧନ ସାଧିଵ ଅହିତ, 
ତୁମ୍ଭ ପ୍ରତୀକ୍ଷାରେ ତେଣୁ ଥୁଲି ମୁଁ ଚିନ୍ତିତ।’’

ବୋଇଲେ ଅର୍ଜୁନ, ‘‘ତୁମ୍ଭ କୃପା ଯାହାଠାରେ,
ଭୀତ କିପାଁ ହେଵ ସେହି ଖଳର ବେଭାରେ ? 

ତୁମ୍ଭ କୃପାଫଳେ ମୁହିଁ ତ୍ରିଭୁଵନଜେତା,
କିସ କରି ପାରେ ମୋର କୁରୁ କ୍ଷୁଦ୍ରଚେତା ?

ତୋ କରୁଣାକଣା, ନାଥ ବାଞ୍ଛାକଳ୍ପତରୁ,
ତାରି ପାରେ ହେଳେ ମୋତେ ସବୁ ଵିପଦରୁ।

ଯାହାର ଅଭୟ-ଦୁର୍ଗ ତୋର ପଦ୍ମପାଦ,
 ଛୁଇଁଵ ତାହାକୁ କିପାଁ କେବେ ପରମାଦ ?’’
 ବୋଇଲେ ଅର୍ଜୁନେ ତହୁଁ କୃଷ୍ଣ ମହାଶୟ, 
‘‘ଶୀଘ୍ରଗତି ଭୀଷ୍ମ ପାଶେ ଯାଅ, ଧନଞ୍ଜୟ।

ଯାବତ ନ ଆସ ଫେରି ସେ ବାଣ ସହିତ, 
ତୁମ୍ଭ ପ୍ରତୀକ୍ଷାରେ ଏଥି ରହିବି, ଭୋ ମିତ।’’ 
‘‘ଯେ ଆଜ୍ଞା’’ ବୋଲିଣ ତହୁଁ କୁନ୍ତୀର ନନ୍ଦନ
 ନିଜ ଶିରେ ସେ ମୁକୁଟ ଦେଲେ ସେହିକ୍ଷଣ।

ମାୟାଦୁର୍ଯ୍ୟୋଧନବେଶ ବିରଚି କୌଶଳେ 
କୃଷ୍ଣେ କରି ନତି ଭୀଷ୍ମ -ଶିବିରକୁ ଗଲେ ।

ଏଣେ ଗଙ୍ଗାପୁତ୍ର ବସି ଶିବିର ମଧ୍ଯରେ 
ଅସ୍ତ୍ରେ ଭରା ଦେଇ ଵୀର ଭାବନ୍ତି ଅନ୍ତରେ,

‘‘ପ୍ରତିଜ୍ଞା ତ କଲି ମୁହିଁ ଵଧିବି ପାଣ୍ଡବ, 
କି ଅନର୍ଥ ଭିଆଇଲା ଦୁର୍ମତି କୌରଵ !

ଅଵିଚାରେ ସିନା ମୁହିଁ କଲି ସେହି ପଣ,
ଵିନାଶିବି ଧର୍ମବନ୍ତ ପାଣ୍ଡୁପୁତ୍ରଗଣ।

ପୂର୍ଵେ ବାଣ ଦେଇ ମୋତେ ବ୍ରହ୍ମାଣ୍ଡର ସାଇଁ, କହିଥିଲେ ନେବି ମୁହିଁ ଏ ବାଣ ଫେରାଇ।

ଉପସ୍ଥିତ ହେଲା ଏବେ ଏ ଵିଷମ କାଳ !
କିପାଁ ନ ନିଅନ୍ତି ବାଣ ଫେରାଇ ଗୋପାଳ ?’’

ଏହିରୂପେ ଭାଳୁଁ ଭାଳୁଁ ଗଙ୍ଗାର କୁମର
ଭେଟିଲେ ଶିବିରେ ତାଙ୍କୁ ପାର୍ଥ ଧନୁଦ୍ଧର।

ମାୟାଦୁର୍ଯ୍ୟୋଧନବେଶେ ଭେଟିଲେ ସେ ଯାଇଁ, 
ନତି କଲେ ପାଦେ ଶିର ଭୂମିରେ ନୁଆଇଁ।

ଶୁଭାଶିଷ କରି ଭୀଷ୍ମ ପୁଚ୍ଛିଲେ ଵିସ୍ମୟେ,
‘‘ଆସିଲ ଶିବିରେ, ଵୀର, ପୁଣି କି ବିଷୟେ ?”

କାଲି ଯୁଦ୍ଧେ ଅପାଣ୍ଡବା କରିବି ଧରଣୀ, 
କରିଛି ଏ ପଣ ତୁମ୍ଭ ଆଗେ, ନରମଣି।

ପୁଣି ବାହୁଡ଼ିଲ କିପାଁ, ଲାଗଇ ଵିସ୍ମୟ,
କି ମନ୍ତ୍ରଣା ଦେଲେ ପୁଣି କର୍ଣ୍ଣ ମହାଶୟ ?

କି ମନ୍ତ୍ରଣା ଦେଲା ପୁଣି ଶକୁନି ଦୁର୍ମତି ?
ସବୁ ଫେଡ଼ି କହ ମୋତେ, ଆହେ କୁରୁପତି।’’

ମାୟାଦୁର୍ଯ୍ୟୋଧନରୂପୀ କହନ୍ତି ଅର୍ଜୁନ,
‘‘ନିଵେଦିବି ପାଦେ କିପାଁ ଆସିଲି ମୁଁ ପୁଣ ।

ତୁମ୍ଭଠାରୁ ଵିଦା ହୋଇ ବାହୁଡ଼ି ନଵରେ ବସିଲି ସଭାରେ ଯାଇ ମହାହର୍ଷଭରେ।

କର୍ଣ୍ଣ ଦୁଃଶାସନ ଆଦି ଯେତେ ମନ୍ତ୍ରଗଣ 
ତୁମ୍ଭେ ସେନାପତି ଶୁଣି ସର୍ଵେ ହୃଷ୍ଟମନ।

ଆସିଲେ ଏସନକାଳେ ରାଜା ଯୁଧିଷ୍ଠିର 
ସଙ୍ଗେ ଘେନି ଚାରି ଭାଇ ପୁଣି ଯଦୁଵୀର,
ପୁତ୍ର ସହ ଵିରାଟ ଦ୍ରୁପଦ ନୃପଵର,
ମହାମୁନି ଵ୍ୟାସ ସତ୍ୟଵତୀର କୁମର।

ଆସିଲେ ସକଳେ ଯୁଦ୍ଧହେତୁ ଭୟ କରି,
ବୁଝାଇ କହିଲେ ମୋତେ ଦ୍ବୈପାୟନ ହରି,
‘“ନ ବଳାଅ ଏ ସମରେ ମତି, ନରପତି,
ତୁମ୍ଭର ମହିମା ଯେତେ ଖ୍ୟାତ ଵସୁମତୀ ।

ତୁମ୍ଭଙ୍କୁ ପାରିଵ ଜିଣି ବଳେ କି କୌଶଳେ 
ନାହିଁଟି ଏସନ ଵୀର ଏ ମହୀମଣ୍ଡଳେ ।
କେଉଁ ତୁଚ୍ଛ ଏଥି ପୁଣି ପଞ୍ଚ ପାଣ୍ଡୁସୁତ, 
ଵନେ ଭ୍ରମି ଭ୍ରମି ନାନା କଷ୍ଟେ ଅଭିଭୂତ ।

ଶରୀରପଞ୍ଜରେ କ୍ଷୀଣ ପ୍ରାଣ ମାତ୍ର ଧରି 
ଏମାନେ କି ତୁମ୍ଭ ସଙ୍ଗେ ଯୁଦ୍ଧେ ହେବେ ସରି ?

ସହାୟ ତୁମ୍ଭର ମହାମହା ଯୋଦ୍ଧାଗଣ, କୋଦଣ୍ଡଟଙ୍କାରେ ଯାଙ୍କ କମ୍ପେ ତ୍ରିଭୁଵନ।

ମହାବଳବନ୍ତ ତୁମ୍ଭେ, ପାଣ୍ଡଵେ ଦୁର୍ବଳ, 
ଶକ୍ତିହୀନ ସଙ୍ଗେ ଯୁଦ୍ଧ ଅଯଶ କେଵଳ।

ଶରଣ ତୁମ୍ଭର ଏବେ ନେଲେ ପଞ୍ଚଭାଇ,
ଶରଣ ସମ୍ଭାଳି ରଖ ସୁଯଶ ଗୋସାଇଁ।

ପଞ୍ଚଗ୍ରାମ ଦେଇ କର ଏହାଙ୍କୁ ପାଳନ, 
କୀର୍ତ୍ତି ରଖ ନରପତି କୀର୍ତ୍ତି ବଡ଼ ଧନ।’’

ନାରାୟଣ ଦୈପାୟନ ଏସନ ବୁଝାଇ 
ସମର୍ପିଣ ଦେଲେ ମୋର ହସ୍ତେ ପଞ୍ଚ ଭାଇ।

ଅଶ୍ରୁମୁଖେ ଯୁଧିଷ୍ଠିର କଲେ ପରିହାର,
‘‘ଲାଗିଲା ତୁମ୍ଭଙ୍କୁ ଆମ୍ଭ ପାଳନର ଭାର।’’

ଲଙ୍ଘି ନ ପାରିଲି ବ୍ୟାସ ଗୋଵିନ୍ଦର କଥା,
ପାଣ୍ଡଵର ଦୁଃଖେ ଦୁଃଖୀ ହେଲି ମୁଁ ସର୍ଵଥା।

ତାଙ୍କ ଦୁଃଖେ ଉପୁଜିଲା କରୁଣା ମୋହର,
ସେହିକ୍ଷଣି ତେଜିଲି ମୁଁ ବାସନା ଯୁଦ୍ଧର।

ପାଣ୍ଡଵଙ୍କୁ ପଞ୍ଚଗ୍ରାମ ଦେଲି ପିତାମହ,
ବାହୁଡ଼ିଲେ ସେହୁ ଵ୍ୟାସ ଶ୍ରୀନିଵାସ ସହ।

ତେଣୁ ମୁଁ ଆସିଲି ଦେବ ତୁମ୍ଭର ସଦନ, 
କିପାଁ ଯୁଦ୍ଧେ ଯିବ କାଲି ? କେଉଁ ପ୍ରୟୋଜନ ?

ନୋହିଲା ମରଣ ଦେଵ ପଞ୍ଚପାଣ୍ଡଵର,
ପଣ୍ଡ ହେଲା ଯୁଦ୍ଧର ଯେ ପ୍ରୟାସ ମୋହର ।’’

ଅସ୍ତ୍ରେ ଭରା ଦେଇ ଶୋଇଥିଲେ ଗଙ୍ଗାସୁତ, ମାୟାଦୁର୍ଯ୍ୟୋଧନ ଵାକ୍ୟେ ହରଷେ ଆପ୍ଲତ 
ହୋଇ ଉଠି ବସିଲେ ସେ ଶୟନେ ତକ୍ଷଣ, 
ପୁଲକେ ପ୍ରଫୁଲ୍ଲ ହେଲା ତାଙ୍କ ଅପଘନ।

ବୋଇଲେ, ‘‘ଯେ କଥା ଵୀର କହିଲ ଏକ୍ଷଣି,
କଥା ନୁହେଁ, ସୁଧାଵୃଷ୍ଟି କଲ, ନରମଣି।

ମୃତକୁ ଅମୃତ ଦେଲ, ଶରୀରେ ଇନ୍ଦ୍ରିୟ,
ଏଥୁଁ ବଳି ଆଉ ମୋର କିବା ଅଛି ପ୍ରିୟ ?

ଏ କର୍ମ ତୁମ୍ଭର ଯୋଗ୍ୟ, ଶୁଣ ହେ ରାଜନ,
ପାଣ୍ଡଵ ସଙ୍ଗତେ କଲ ପ୍ରୀତିରେ ମିଳନ।

ରଖିଲ ଅତୁଳ କୀର୍ତି ଅଖିଳ ଜଗତେ,
ଘୋଷିବେ ଯା କାଳକାଳ ଲୋକେ ନାନାମତେ ।’’

ଏହିରୂପେ ପ୍ରଶଂସିଲେ ଗଙ୍ଗାର ନନ୍ଦନ, 
ହର୍ଷେ ମାୟାଦୁର୍ଯ୍ୟୋଧନେ ଦେଲେ ଆଲିଙ୍ଗନ।

ବୋଇଲେ, ‘‘ହେ ବସ୍ତ୍ର, ନୋହି ପାଣ୍ଡବେ ବିମୁଖ 
ତାଙ୍କ ସଙ୍ଗେ ମିଳି ଏବେ ଭୁଞ୍ଜ ରାଜ୍ୟସୁଖ ।

ବୟୋଜ୍ୟେଷ୍ଠ ଗୁଣଜ୍ୟେଷ୍ଠ ପାଣ୍ଡୁକୁଳରାଣ,
ଜ୍ୟେଷ୍ଠ ବୋଲି ତାଙ୍କୁ ସଦା କରିଵ ସମ୍ମାନ।

ପାଣ୍ଡବଙ୍କୁ ରଖ ଏବେ ନେଇ ସ୍ୱନଵରେ,
ବିଦୁରଙ୍କ ଘରୁ ଆଣି କୁନ୍ତୀଙ୍କୁ ସତ୍ୱରେ।

ମାତୃଵତ୍ ପୂଜା ତାଙ୍କୁ ଦିଅ ପୂର୍ଵପରି,
ବାସନା ତୁମ୍ଭର ପୂର୍ଣ କରନ୍ତୁ ଶ୍ରୀହରି।’’ 

ବୋଇଲେ ଅର୍ଜୁନ, ‘‘ଆଜ୍ଞା ପାଳିବି ତୁମ୍ଭର,
ତଥାପି ହୃଦୟେ ଭୀତି ଅଛି ନିରନ୍ତର।

ଭ୍ରାତୃଗଣ ମଧ୍ୟେ ଦ୍ବନ୍ଦ୍ବ ଲାଗେ ସବୁକାଳେ,
ଭ୍ରାତାକୁ ପକାଏ ଭ୍ରାତା ଵିପଦର କାଳେ।

ଅକସ୍ମାତ ଘଟି ପାରେ ହିତେ ଵିପରୀତ,
ସତର୍କେ ରହିଵା ତେଣୁ ନିରତେ ଉଚିତ।

ତେଣୁ ଏ ମାଗୁଣି ମୋର, ଆହେ ମତିମାନ,
ପାଣ୍ଡଵେ ଵଧିବ ବୋଲି ଯେଉଁ ପଞ୍ଚ ବାଣ ଦେଖାଇଣ ଥିଲ ମୋତେ, ସେହି ପଞ୍ଚ ଶର ଅଭିରୁଚି ଯେବେ ମୋତେ ସମର୍ପଣ କର।’’

ଉତ୍ତରିଲେ ଭୀଷ୍ମ, ‘‘ଆହେ ସାଧୁ ଦୁର୍ଯ୍ୟୋଧନ, 
ସେ ବାଣେ ମୋହର ଆଉ କେଉଁ ପ୍ରୟୋଜନ ?

ନେଇ ସେହି ବାଣ ରଖ ଯହିଁ ଇଚ୍ଛା ତଵ,
ତୁମ୍ଭର ମଙ୍ଗଳ ସଦା କରନ୍ତୁ କେଶଵ।’’

ଏହା କହି ଅସ୍ତ୍ରାଗାରେ ପଶି ଵୀରମଣି 
ବାଣ ଆଣି ସମର୍ପିଲେ ଅର୍ଜୁନେ ସେକ୍ଷଣି।

ବାଣ ଦେଖି ପାର୍ଥ ହେଲେ ମନେ ମନେ ଭୀତ, ପଞ୍ଚପାଣ୍ଡବର ଶିର ସେ ବାଣେ ଅଙ୍କିତ।

ଦେଖି ହେଲେ ଧନଞ୍ଜୟ ଵିସ୍ମୟେ ଆପୂତ, 
ବାଣ ଧରି ସବିନୟେ ନମି ଗଙ୍ଗାସୁତ, 
ବାହାରିଲେ ହୃଷ୍ଟମନେ ଶିବିରମଧ୍ଯରୁ, 
ଭେଟିଲେ ନିର୍ଜନେ ଯାଇ ବାଞ୍ଛା କଳ୍ପତରୁ ।

ବାଣ ଦେଖି ନାରାୟଣ ହେଲେ ବଡ଼ ପ୍ରୀତ, ବୋଇଲେ, ‘‘ଅସାଧ୍ଯ ଆଜ ସାଧିଲ, ହେ ମିତ ।’’

ବେନି ସଖା ତହୁଁ ଯାଇ ପାଣ୍ଡବ ଶିବିରେ ଦେଖାଇଲେ ସେହି ବାଣ ରାଜା ଯୁଧିଷ୍ଠିରେ।

ମୁଖର ଶିବିର ହେଲା ଆନନ୍ଦ ଉତ୍ସଵେ, ଆନନ୍ଦେ ଗଦ୍ଗଦ ସର୍ଵେ ସ୍ତବିଲେ କେଶଵେ।
ତେବେ ବାଣ ହରଣରେ ଥିଵା ଦୁର୍ଯୋଧନ ମୁକୁଟ ଭୀକ୍ଷା ତଥା ଭୀଷ୍ମଙ୍କଠାରୁ ପାଞ୍ଚୋଟି ବାଣ ହରଣର କାହାଣୀକୁ ଗଭୀର ଭାବରେ ବୁଝିଵାକୁ ହେଲେ ଆମକୁ ପ୍ରଥମେ ମହାଭାରତର ସ୍ୱରୂପ, ତାହାର ଐତିହାସିକ ଗଠନ ଏଵଂ ସାହିତ୍ୟିକ ଵିକାଶକୁ ଧ୍ୟାନ ଦେଵାକୁ ହେଵ। ମହାଭାରତ ଏକ ସାଧାରଣ କାହାଣୀ ନୁହେଁ; ଏହା ହେଉଛି ଏକ “ଜୀବନ୍ତ ସଂସ୍କୃତିଗ୍ରନ୍ଥ”, ଯାହା ଶତାବ୍ଦୀ ଧରି ମଣିଷର କଳ୍ପନା, ଆସ୍ଥା ଓ ଅନୁଭୂତି ସହ ଜଡ଼ିତ ରହିଛି। ଏହି କାରଣରୁ ଏହାର ଅନେକ ସଂସ୍କରଣ, ଅନେକ ଉପଖ୍ୟାନ ଏଵଂ ଅନେକ ସାହିତ୍ୟିକ ପୁନର୍ରଚନା ଦେଖିଵାକୁ ମିଳେ। “ବାଣ ହରଣ” ଏହିପରି ଏକ ଉପଖ୍ୟାନ, ଯାହା ସରଳ ଭାବରେ ମୂଳ ମହାଭାରତର ଅଂଶ ନୁହେଁ, କିନ୍ତୁ ସାହିତ୍ୟିକ ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧ ଓ ଆକର୍ଷଣୀୟ। ଓଡ଼ିଆ ସାହିତ୍ୟରେ ଏହି କାହାଣୀକୁ ଅମର କରିଥିଵା ମହାନ କଵି ହେଲେ କଵିଵର ରାଧାନାଥ ରାୟ। ସାରଳା ମହାଭାରତରେ ଏହି ଦୁଇ କାହାଣୀ ନାହିଁ କିନ୍ତୁ ସେଇ ଅଭାବକୁ କଵିଵର ରାଧାନାଥ ରାୟ ବାଣ ହରଣ ଲେଖି ପୂରଣ କରି ଅଛନ୍ତି । ସେ ଏହି କାହାଣୀକୁ ଯେପରି ନାଟ୍ୟମୟ ଓ ଭାବପ୍ରଵଣ ଭାବରେ ଉପସ୍ଥାପନ କରିଛନ୍ତି, ତାହା ପାଠକଙ୍କୁ ମନୋମୁଗ୍ଧ କରିଦିଏ। ବାଣ ହରଣ ଦୀର୍ଘକଵିତାର ଆରମ୍ଭରେ ଦୁର୍ଯ୍ୟୋଧନଙ୍କ ଆତିଥ୍ୟ ଓ ସ୍ନେହର ଚିତ୍ରଣ ଦେଖାଯାଏ—

“ଆସ, ଆସ ଅର୍ଜୁନ,” ବୋଲନ୍ତି କୁରୁସାଇଁ,
“କହ, କେଉଁ କାର୍ଯ୍ୟ ଲାଗି ଆସିଲ ହେ ଭାଇ।”

ଏହି ପଦଗୁଡ଼ିକରେ ଦୁର୍ଯ୍ୟୋଧନଙ୍କ ଚରିତ୍ରର ଏକ ଅନ୍ୟ ଦିଗ ପ୍ରକାଶିତ ହୁଏ। ସାଧାରଣତଃ ଆମେ ଦୁର୍ଯ୍ୟୋଧନଙ୍କୁ ଏକ ଅହଂକାରୀ ଓ ଦୁର୍ମତି ରାଜା ଭାବେ ଦେଖୁଥାଉ, କିନ୍ତୁ ଏଠାରେ ସେ ଏକ ସହୃଦୟ ଓ ଆଦରଶୀଳ ଆତିଥ୍ୟଦାତା ଭାବେ ଦେଖାଯାଉଛନ୍ତି। ଏହା କଵିଙ୍କ କଳା—ସେ ଚରିତ୍ରକୁ ଏକମାତ୍ର ଦୃଷ୍ଟିକୋଣରୁ ନୁହେଁ, ବହୁମୁଖୀ ଭାବରେ ପ୍ରସ୍ତୁତ କରନ୍ତି।

ପରେ ଅର୍ଜୁନଙ୍କ ଵିନୟ ଓ ନମ୍ରତା ପ୍ରକାଶ ପାଇଛି—

“ଵିନୟେ ଅର୍ଜୁନ ବନ୍ଦୁ ରାଜାଙ୍କ ଚରଣ,
ବେନିଭୂଜେ ଧରି ରାଜା ଦେଲେ ଆଲିଙ୍ଗନ।”

ଏହି ଚିତ୍ରଣ ଦେଖାଏ ଯେ ଯୁଦ୍ଧରେ ଶତ୍ରୁ ହୋଇଥିଲେ ମଧ୍ୟ, ମାନଵୀୟ ସମ୍ପର୍କ ଓ ଶିଷ୍ଟାଚାର କେବେ ବି ନଷ୍ଟ ହୁଏନି। ଏହା ଭାରତୀୟ ସଂସ୍କୃତିର ଏକ ଗଭୀର ମୂଲ୍ୟ—“ଶତ୍ରୁତାରେ ମଧ୍ୟ ମର୍ଯ୍ୟାଦା”ଏଵଂ କଵିଵର ଏହାକୁ ସୁନ୍ଦର ଭାବରେ ଲେଖି ଯାଇଛନ୍ତି ‌। 

କାହାଣୀର ମୂଳ ନାଟ୍ୟମୟ ମୋଡ଼ ସେତେବେଳେ ଆସେ ଯେତେବେଳେ ଅର୍ଜୁନ ପୂର୍ଵରୁ ଦିଆଯାଇଥିବା ଵରକୁ ସ୍ମରଣ କରାନ୍ତି—

“ମାତ୍ର ପୂର୍ଵ କଥା ରାଜା, ଅଛଇ କି ମନେ,
ଚିତ୍ରସେନ ହସ୍ତୁ଼ଁ ଯେବେ ଉଦ୍ଧରିଲି ରଣେ।”

ଏଠାରେ ମହାଭାରତର ଏକ ପ୍ରମାଣିତ ଘଟଣାକୁ ଆଧାର କରାଯାଇଛି ଏଵଂ ସେହି ପ୍ରସଙ୍ଗଟି ଅର୍ଜୁନଙ୍କ ଦ୍ୱାରା ଦୁର୍ଯ୍ୟୋଧନଙ୍କୁ ଚିତ୍ରସେନ ଗନ୍ଧର୍ଵଙ୍କ ବନ୍ଧନରୁ ଉଦ୍ଧାର କରାଯିଵା ଅଟେ । ଏହା ମୂଳ ମହାଭାରତରେ ଥିଵା ଏକ ପ୍ରକୃତ ଉଲ୍ଲେଖିତ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ କଵି ଏକ କଳ୍ପନାଶୀଳ ମୋଡ଼ ଦେଇଛନ୍ତି, ଯହିଁରୁ ଗଢ଼ିଉଠିଛି “ମୁକୁଟ ଭୀକ୍ଷା ଓ ବାଣ ହରଣ”ର ମୂଳ କାହାଣୀ।

ଅର୍ଜୁନଙ୍କ ସରଳ ଓ ଆଶ୍ଚର୍ଯ୍ୟଜନକ ଭାବରେ ଦୁର୍ଯ୍ୟୋଧନଙ୍କ ମାଗୁଛନ୍ତି—

“ମୁକୁଟ ତୁମ୍ଭର ମୋତେ କର ଏବେ ଦାନ।”

ଏହି ଏକ ପଦରେ ସମଗ୍ର କାହାଣୀର ରହସ୍ୟ ଓ ନାଟ୍ୟମୟତା ଲୁଚିଥାଏ। ଦୁର୍ଯ୍ୟୋଧନ ଆଶ୍ଚର୍ଯ୍ୟ ହୋଇ କହନ୍ତି—

“ଆହା, କେଉଁ ତୁଚ୍ଛ ଦ୍ରଵ୍ୟ ମାଗିଲ ହେ ଭାଇ।”

ଏଠାରେ ଦୁର୍ଯ୍ୟୋଧନଙ୍କ ମନୋଭାବ ଗଭୀର ଭାବରେ ଵ୍ୟକ୍ତ ହୋଇଛି। ସେ ଭାବିଥିଲେ ଯେ ଅର୍ଜୁନ ରାଜ୍ୟ ମାଗିବେ କିମ୍ବା ଯୁଦ୍ଧ ବନ୍ଦ କରିଵା ପାଇଁ କହିବେ, କିନ୍ତୁ ସେ ମାଗିଲେ କେଵଳ ଏକ ମୁକୁଟ। ଏହା ଦୁର୍ଯ୍ୟୋଧନଙ୍କ ଦୃଷ୍ଟିରେ ଏକ ତୁଚ୍ଛ ଦାବି ଥିଲା, କିନ୍ତୁ ଏହାର ପଛରେ ଥିଲା ଗଭୀର କୌଶଳ ଯାହା ସେତେବେଳେ ସେ ବୁଝି ପାରିନଥିଲେ।

ଶେଷରେ ଦୁର୍ଯ୍ୟୋଧନ ତାଙ୍କର ସତ୍ୟ ପାଳନ କରି ମୁକୁଟ ଦାନ କରନ୍ତି—

“ନିଅ ତେବେ!” ଏହା କହି ରାଜା ଦୁର୍ଯ୍ୟୋଧନ,
ମୁକୁଟ ଉତ୍ତାରି ପାର୍ଥେ କଲେକ ଅର୍ପଣ।”

ଏଠାରେ ଦୁର୍ଯ୍ୟୋଧନଙ୍କ ଚରିତ୍ରର ଏକ ମହାନ ଦିଗ ଦେଖିଵାକୁ ମିଳେ—ସେ ଵଚନ ପାଳନ କରନ୍ତି, ଯଦିଓ ସେ ଶତ୍ରୁଙ୍କୁ ଲାଭ ଦେଉଛନ୍ତି। ଏହା “କ୍ଷତ୍ରିୟ ଧର୍ମ”ର ଏକ ଉଦାହରଣ। କଵିଵର ରାଧାନାଥ ରାୟଙ୍କ ଦ୍ଵାରା ଏଠାରେ ଵଚନ ପାଳନ କେମିତି ସମସ୍ତଙ୍କୁ କରିଵା ଉଚିତ୍ ତାହା ପରୋକ୍ଷରେ ଶିକ୍ଷା ଦେଇଛନ୍ତି । 

ତେବେ ଦୁର୍ଯ୍ୟୋଧନଙ୍କ ଠାରୁ ମୁକୁଟ ପାଇଵା ପରେ, ଅର୍ଜୁନ ଯେତେବେଳେ କୃଷ୍ଣଙ୍କୁ ଭେଟନ୍ତି, ସେଠାରେ କାହାଣୀର ମୂଳ କୌଶଳ ଆରମ୍ଭ ହୁଏ। କୃଷ୍ଣ ତାଙ୍କୁ ସୂଚନା ଦେଇ କହନ୍ତି—

“ଶୀଘ୍ରଗତି ଭୀଷ୍ମ ପାଶେ ଯାଅ, ଧନଞ୍ଜୟ, 
ଯାଵତ ନ ଆସ ଫେରି ସେ ବାଣ ସହିତ…”

ଏହି ପଦରେ ଗୋଟିଏ ଦୈଵୀୟ ଯୋଜନାର ସୂଚନା ମିଳେ। ଅର୍ଜୁନ ତାହାପରେ ଦୁର୍ଯ୍ୟୋଧନଙ୍କ ରୂପ ଧାରଣ କରନ୍ତି—
“ମାୟାଦୁର୍ଯ୍ୟୋଧନଵେଶ ଵିରଚି କୌଶଳେ…”
ଏଠାରେ “ମାୟା” ଶବ୍ଦଟି ଅତ୍ୟନ୍ତ ଅର୍ଥଵହ। ଏହା କେଵଳ ଵେଶ ପରିଵର୍ତ୍ତନ ନୁହେଁ ଵରଂ ଏକ ଯୁଦ୍ଧନୀତି, ଯାହା ଧର୍ମର ସୁରକ୍ଷା ପାଇଁ ପାଳିଵାକୁ ହେଉଛି।

ଏବେ ଆସୁଛି ସେଇ ମୂଳ ପ୍ରସଙ୍ଗ—ଅର୍ଜୁନଙ୍କ ଭୀଷ୍ମଙ୍କ ସମ୍ମୁଖୀନ ହେଵା ପ୍ରସଙ୍ଗ । ଭୀଷ୍ମ ସେତେବେଳେ ଗଭୀର ଚିନ୍ତାରେ ମଗ୍ନ—

“ପ୍ରତିଜ୍ଞା ତ କଲି ମୁହିଁ ଵଧିବି ପାଣ୍ଡଵ, 
କି ଅନର୍ଥ ଭିଆଇଲା ଦୁର୍ମତି କୌରଵ !”
ଏହି ପଦରେ ଭୀଷ୍ମଙ୍କ ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ। ସେ ଜାଣନ୍ତି ଯେ ପାଣ୍ଡଵମାନେ ଧର୍ମପକ୍ଷୀ, ତଥାପି ତାଙ୍କ ପ୍ରତିଜ୍ଞା ତାଙ୍କୁ ବାନ୍ଧି ରଖିଛି।

ଏହି ସମୟରେ ଅର୍ଜୁନ (ମାୟାଦୁର୍ଯ୍ୟୋଧନରୂପେ) ଭୀଷ୍ମଙ୍କୁ ନମନ କରି କହନ୍ତି—
“ନିଵେଦିବି ପାଦେ କିପାଁ ଆସିଲି ମୁଁ ପୁଣ…”
ଏଠାରେ ତାଙ୍କର ଭାଷା, ଶୈଳୀ ଓ ଵ୍ୟଵହାର ସଂପୂର୍ଣ୍ଣ ଦୁର୍ଯ୍ୟୋଧନଙ୍କ ଭଳି। ସେ ଏକ କଳ୍ପିତ କାହାଣୀ ରଚନା କରନ୍ତି—
“ପାଣ୍ଡଵଙ୍କୁ ପଞ୍ଚଗ୍ରାମ ଦେଲି ପିତାମହ…”
ଏହି ମିଥ୍ୟା କଥା ଶୁଣି ଭୀଷ୍ମ ଅତ୍ୟନ୍ତ ପ୍ରସନ୍ନ ହୋଇଯାନ୍ତି ଏଵଂ କୁହନ୍ତି—
“କଥା ନୁହେଁ, ସୁଧାଵୃଷ୍ଟି କଲ, ନରମଣି…”
ଏହାରୁ ବୁଝାଯାଏ ଯେ ଭୀଷ୍ମଙ୍କ ମନର ଗଭୀରତାରେ ପାଣ୍ଡଵଙ୍କ ପ୍ରତି ସ୍ନେହ ଓ କରୁଣା ଥିଲା। ସେ ଚାହୁଁଥିଲେ ଯୁଦ୍ଧ ନ ହେଉ।
ଏହି ଅଵସରକୁ ଉପଯୋଗ କରି ଅର୍ଜୁନ ତାଙ୍କର ପ୍ରକୃତ ଲକ୍ଷ୍ୟକୁ ସାଧନ କରନ୍ତି—
“ପାଣ୍ଡଵେ ଵଧିବ ବୋଲି ଯେଉଁ ପଞ୍ଚ ବାଣ… ସେହି ପଞ୍ଚ ଶର ମୋତେ ସମର୍ପଣ କର।”
ଏହି ଅନୁରୋଧଟି ହେଉଛି ସମଗ୍ର କାହାଣୀର ମୂଳ ବିନ୍ଦୁ। ଭୀଷ୍ମ କୌଣସି ସନ୍ଦେହ ବିନା ସେହି ବାଣ ଦେଇଦିଅନ୍ତି—
“ଏହା କହି ଅସ୍ତ୍ରାଗାରେ ପଶି ଵୀରମଣି, ବାଣ ଆଣି ସମର୍ପିଲେ ଅର୍ଜୁନେ ସେକ୍ଷଣି।”
ଏଠାରେ ଭୀଷ୍ମଙ୍କ ଭରସା, ସରଳତା ଓ ମହାନତା ପ୍ରକାଶ ପାଏ। ସେ କେବେ ଭାବି ନଥିଲେ ଯେ ଏହା ଏକ କୌଶଳ।
ଯେତେବେଳେ ଅର୍ଜୁନ ସେହି ବାଣକୁ ଦେଖନ୍ତି—
“ପଞ୍ଚପାଣ୍ଡବର ଶିର ସେ ବାଣେ ଅଙ୍କିତ।”
ଏହି ପଦରେ ଏକ ଭୟାଵହ ସତ୍ୟ ପ୍ରକାଶିତ ହୁଏ ଯେ ସେହି ବାଣ ପାଣ୍ଡଵମାନଙ୍କ ଵିନାଶ ପାଇଁ ନିର୍ଦ୍ଦିଷ୍ଟ ଥିଲା। ଏହାକୁ ହରଣ କରି ଅର୍ଜୁନ କେଵଳ ଏକ ଯୁଦ୍ଧକୌଶଳ ନୁହେଁ ଵରଂ ନିଜ ପରିଵାରକୁ ନିଶ୍ଚିତ ମୃତ୍ୟୁରୁ ବଞ୍ଚାଇଲେ। ପରେ ଅର୍ଜୁନ ଯେତେବେଳେ କୃଷ୍ଣଙ୍କୁ ବାଣ ଦେଖାଇଲେ, ସେତେବେଳେ କୃଷ୍ଣଙ୍କ ପ୍ରଶଂସା ଵାକ୍ୟ ଶୁଣିଲେ—
“ଅସାଧ୍ୟ ଆଜ ସାଧିଲ, ହେ ମିତ।”
ଏହି ଏକ ପଦରେ ସମଗ୍ର କାହାଣୀର ସାର ଲୁଚିଛି ଏଵଂ ତାହା"ଅସମ୍ଭଵକୁ ସମ୍ଭଵ କରିଵା" ଅଟେ ।

କିନ୍ତୁ ଏଠାରେ ଏକ ପ୍ରଶ୍ନ ଉଠେ ଯେ ଏହି କାହାଣୀ କ’ଣ ମୂଳ ମହାଭାରତର ଅଂଶ କି ?

ଅନେକ ମହାଭାରତ ଧାରାଵାହିକରେ ଏହି ଘଟଣାକୁ ନାଟ୍ୟ ରୂପାନ୍ତର ସହିତ ଚିତ୍ରଣ କରାଯାଇଛି। ତେବେ 
ଐତିହାସିକ ଓ ପାଠ୍ୟସମୀକ୍ଷାତ୍ମକ ଦୃଷ୍ଟିରୁ ଦେଖିଲେ ମୂଳ ମହାଭାରତରେ ମୁକୁଟ ଭୀକ୍ଷା ଓ ବାଣ ହରଣ ପ୍ରସଙ୍ଗ ହିଁ ନାହିଁ। Bhandarkar Oriental Research Institute ଦ୍ୱାରା ସମ୍ପାଦିତ Critical Edition ମହାଭାରତର ସବୁଠାରୁ ନିର୍ଭରଯୋଗ୍ୟ ସଂସ୍କରଣ ବୋଲି ଗ୍ରହଣ କରାଯାଏ। ଏହି ସଂସ୍କରଣରେ “ମୁକୁଟ ଭୀକ୍ଷା” ଵା “ପାଞ୍ଚ ଅମୋଘ ବାଣ ହରଣର” କାହାଣୀ ନାହିଁ। ଏହାକୁ ପରଵର୍ତ୍ତୀ କାଳରେ ଯୋଡ଼ାଯାଇଥିବା ଏକ “interpolation” ବୋଲି ମାନାଯାଏ।

ମୂଳ ମହାଭାରତରେ ଭୀଷ୍ମଙ୍କ ପତନ ଅନ୍ୟ ଭାବରେ ଘଟିଥାଏ। ସେଠାରେ ଶିଖଣ୍ଡୀଙ୍କୁ ଆଗରେ ରଖି ଅର୍ଜୁନ ବାଣଵର୍ଷା କରନ୍ତି। ସାରଳା ମହାଭାରତରେ ମଧ୍ୟ ସାରଳା ଦାସ ଏହା ଉଲ୍ଲେଖ କରିଛନ୍ତି ।‌ଭୀଷ୍ମ ଶିଖଣ୍ଡୀଙ୍କୁ ସ୍ତ୍ରୀ ଭାବି ତାଙ୍କ ଉପରେ ଆକ୍ରମଣ କରନ୍ତି ନାହିଁ, ଯାହାର ଫଳରେ ସେମାନଙ୍କ ପତନ ଘଟେ। ଏହା ଏକ ପ୍ରମାଣିତ ଓ Critical Editionରେ ଥିଵା ପ୍ରକୃତ ପ୍ରସଙ୍ଗ ଅଟେ।

ଏହିପରି, ଦ୍ଵିସର୍ଗଯୁକ୍ତ "ବାଣ‌ ହରଣ" ଦୀର୍ଘ କଵିତା ଆମକୁ ଏକ ଗଭୀର ସତ୍ୟ ବୁଝାଏ ଯେ ମହାଭାରତ ଏକ “ଫିକ୍ସଡ୍ ଟେକ୍ସଟ୍” ନୁହେଁ ଵରଂ ଏକ “ଏଵଲ୍ଭିଂ ଟ୍ରାଡିସନ୍” ଅଟେ । ସମୟ ସହିତ ଲୋକମାନେ ଏହାରେ ନୂତନ କାହାଣୀ ଯୋଡ଼ିଛନ୍ତି, ଯାହା ଏହାକୁ ଅଧିକ ଆକର୍ଷଣୀୟ ଓ ନାଟ୍ୟମୟ କରିଛି।

ସାହିତ୍ୟିକ ଦୃଷ୍ଟିରୁ “ବାଣ ହରଣ” ଏକ ଅପୂର୍ଵ ସୃଷ୍ଟି। ଏଥିରେ ନାଟକୀୟତା, ଚରିତ୍ର ଚିତ୍ରଣ ଓ ଭାବନାର ଗଭୀରତା ଅତ୍ୟନ୍ତ ଉଚ୍ଚସ୍ତରୀୟ। ଏହା ଆମକୁ କେଵଳ ମନୋରଞ୍ଜନ ନୁହେଁ ଵରଂ ମାନଵୀୟ ମୂଲ୍ୟ,ଉଦାରତା,ଵଚନ ପାଳନ ଓ କୌଶଳ—ସମ୍ପର୍କରେ ମଧ୍ୟ ଶିକ୍ଷା ଦେଉଛି।

କଵିଵର ରାଧାନାଥ ରାୟଙ୍କ “ବାଣ ହରଣ” ନିଶ୍ଚିତ ଭାବରେ ଏକ ସାହିତ୍ୟିକ ରତ୍ନ, ଯାହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। କିନ୍ତୁ ଏହାକୁ ମୂଳ ମହାଭାରତର ଅଂଶ ଭାବେ ଗ୍ରହଣ କରିଵା ଠିକ୍ ନୁହେଁ ଯେହେତୁ ମୂଳ ପ୍ରାମାଣିକ ମହାଭାରତରେ ଏହି ଘଟଣାକ୍ରମ ନାହିଁ । ତଥାପି ଏହା ଏକ କଳ୍ପନାମୟ, କିନ୍ତୁ ଅତ୍ୟନ୍ତ ସୁନ୍ଦର ଉପଖ୍ୟାନ, ଯାହା ଆମ ସାହିତ୍ୟ ଓ ସଂସ୍କୃତିକୁ ଆହୁରି ଗଭୀର ଓ ରୋମାଞ୍ଚକ କରିଦେଇଛି। ଯଦିଓ ଏହା ମୂଳ ମହାଭାରତର ପ୍ରାମାଣିକ ଅଂଶ ନୁହେଁ, ତଥାପି ଏହା ଓଡ଼ିଆ ସାହିତ୍ୟରେ ଏକ ଅମର ସୃଷ୍ଟି ହୋଇ ରହିଛି। ନବେ ଦଶକର ଛାତ୍ରଛାତ୍ରୀମାନଙ୍କ ପାଇଁ “ମୁକୁଟ ଭୀକ୍ଷା” ରୂପେ ପଢ଼ାଯାଇଥିଵା ଏହି ପଦାଵଳୀର କିଛି ଅଂଶ ଆଜି ମଧ୍ୟ ଆମର ସ୍ମରଣୀୟ ହୋଇ ରହିଛି।

No comments:

Post a Comment

କଵିଵର ରାଧାନାଥ ରାୟଙ୍କ ବାଣହରଣର ସାରାଂଶ ଓ ଵିଶ୍ଳେଷଣ

କଵିଵର ରାଧାନାଥ ରାୟଙ୍କ “ବାଣ ହରଣ” କ୍ଷୁଦ୍ର କାଵ୍ୟର ଦ୍ଵିତୀୟ ସର୍ଗର କିଛି ଅଂଶ "ମୁକୁଟ ଭୀକ୍ଷା" ନାମରେ ନବେ ଦଶକର ଵିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇ...