Tuesday, May 5, 2026

ସଙ୍ଗୀତର ମହାସମର: ନିଲ୍ ୟଙ୍ଗ୍ ବନାମ ଲିନର୍ଡ ସ୍କିନର୍ଡ

ଗୋଟିଏ ଶ୍ରେଷ୍ଠ ଗୀତ ଆଉ ଏକ ଶ୍ରେଷ୍ଠ ଗୀତର ସକାରାତ୍ମକ କିମ୍ବା ନକାରାତ୍ମକ ଦିଗରୁ ପ୍ରେରଣାର ଉତ୍ସ ହୋଇପାରେ । Neil Youngଙ୍କ Southern Men ଆଉ Lynyrd Skynyrd ରକ୍ ବ୍ୟାଣ୍ଡର Sweet home alabama ଗୀତ ମଧ୍ୟରେ ଏହିପରି ଏକ କାହାଣୀ ରହିଛି। 

୧୯୭୦ ଦଶକର ପ୍ରଥମ ଭାଗରେ କାନାଡାର ପ୍ରସିଦ୍ଧ ଗାୟକ Neil Young ଦୁଇଟି ଗୀତ ଗାଇଥିଲେ— 'Southern Man' ଓ 'Alabama'। ଆମେରିକାର ଦକ୍ଷିଣାଞ୍ଚଳରେ ଚାଲିଥିଵା ସାମାଜିକ ଅନ୍ୟାୟ ଓ ଅତୀତର ଦାସତ୍ଵ ପ୍ରଥା ଉପରେ ଏକ କଠୋର ଆକ୍ରମଣ ଥିଲା। Neil Young ଏହି ଗୀତଗୁଡ଼ିକ ମାଧ୍ୟମରେ ଆମେରିକାର ଦକ୍ଷିଣାଞ୍ଚଳର ଲୋକଙ୍କୁ ସେମାନଙ୍କର ପୁରୁଣା ମାନସିକତା ପାଇଁ ସମାଲୋଚନା କରିଥିଲେ। 

Southern Man ଗୀତଟିରେ ନିଲ୍ ୟଙ୍ଗ୍ ଜଣେ ଶ୍ଵେତକାୟ ଦକ୍ଷିଣାଞ୍ଚଳର ଵ୍ୟକ୍ତିକୁ ସମ୍ବୋଧନ କରି ସେମାନଙ୍କ ଭୁଲ୍ ଓ ଦୋଷମାନ ଜଣାଇଛନ୍ତି । 
 କିପରି ଦକ୍ଷିଣ ଆମେରିକାରେ କଳାଵର୍ଣ୍ଣର ଲୋକଙ୍କୁ କ୍ରୀତଦାସ ଭାବେ ରଖାଯାଉଥିଲା ଏଵଂ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା ତାହା Neil Young ଉଲ୍ଲେଖ କରିଛନ୍ତି । ପୁଣି ଗୀତ ମଧ୍ୟରେ ସେ ସେ ପ୍ରଶ୍ନ କରିଛନ୍ତି ଯେ, କେବେ ଏହି ଲୋକମାନେ ନିଜର ଭୁଲ୍ ବୁଝିବେ ଏଵଂ ଅତୀତର ପାପ ପାଇଁ କ୍ଷମା ମାଗିବେ? 

ମୋଟାମୋଟି ଭାବେ ଦକ୍ଷିଣାଞ୍ଚଳର ଲୋକମାନେ ବାହାରକୁ ସଭ୍ୟ ଦେଖାଗଲେ ମଧ୍ୟ ସେମାନଙ୍କ ଭିତରେ ଵର୍ଣ୍ଣଵୈଷମ୍ୟ (Racism) ଭରି ରହିଛି ବୋଲି ଗୀତ ମାଧ୍ୟମରେ କୁହାଯାଇଛି ।

ସେହିପରି ନିଲ୍ ୟଙ୍ଗ୍ Alabama ଗୀତ ମାଧ୍ୟମରେ କହିଥିଲେ ଯେ ଆଲାବାମାର ପାଖରେ ବହୁତ ଶକ୍ତି ଓ ସମ୍ଭାଵନା ଅଛି, କିନ୍ତୁ ସେଠାକାର ଲୋକମାନେ ଏବେ ମଧ୍ୟ ଶହେ ଵର୍ଷ ତଳର ପୁରୁଣା ଚିନ୍ତାଧାରାକୁ ଧରି ବସିଛନ୍ତି। ଗୀତରେ ସେ ଆଲାବାମାକୁ ଏକ "ଶଗଡ଼ ଗାଡ଼ି" ଵା Wagon ସହ ତୁଳନା କରିଥିଲେ, ଯାହାର ଗୋଟିଏ ଚକ ଭାଙ୍ଗିଯାଇଛି, ଅର୍ଥାତ୍ ଏହି ରାଜ୍ୟର ଵିକାଶରେ ଵର୍ଣ୍ଣଵୈଷମ୍ୟ ଏକ ବଡ଼ ବାଧା ସାଜିଛି। ଗୀତ ମାଧ୍ୟମରେ ଉପହାସ ଶୈଳୀରେ କୁହାଯାଇଥିଲା ଯେ ଆଲାବାମାର ଲୋକମାନେ ପରିଵର୍ତ୍ତନକୁ ଗ୍ରହଣ କରିଵାକୁ ଭୟ କରୁଛନ୍ତି।

କିନ୍ତୁ ଆଲାବାମା ଏଵଂ ଦକ୍ଷିଣାଞ୍ଚଳର ଲୋକଙ୍କୁ Neil Youngଙ୍କର ଏହି ଏକପାଖିଆ ସମାଲୋଚନା ଭଲ ଲାଗିଲା ନାହିଁ। ଏହି ସମୟରେ ଫ୍ଲୋରିଡାର ଏକ ରକ୍ ବ୍ୟାଣ୍ଡ Lynyrd Skynyrd ଏହାର ଜବାବ ଦେଵାକୁ ସ୍ଥିର କଲେ। ସେମାନେ Neil Youngଙ୍କୁ ଵ୍ୟକ୍ତିଗତ ଭାବେ ଘୃଣା କରୁନଥିଲେ, କିନ୍ତୁ ସେମାନଙ୍କ ଅଞ୍ଚଳର ବଦନାମ ସହିପାରିଲେ ନାହିଁ।

୧୯୭୪ ମସିହାରେ ସେମାନେ ରିଲିଜ୍ କଲେ 'Sweet Home Alabama'। ଗୀତର ଏକ ଧାଡ଼ିରେ ସେମାନେ ସିଧାସଳଖ ନିଲ୍ ୟଙ୍ଗ୍‌ଙ୍କ ନାମ ନେଇ କହିଲେ: "Well, I hope Neil Young will remember / A Southern man don't need him around anyhow." (ଆଶା କରୁଛି ନିଲ୍ ୟଙ୍ଗ୍ ମନେ ରଖିବେ, ଦକ୍ଷିଣାଞ୍ଚଳର ମଣିଷଙ୍କୁ ତାଙ୍କ ପରାମର୍ଶର ଆଭଶ୍ୟକତା ନାହିଁ।)
ଏହି ଗୀତରେ ସେମାନେ ଦର୍ଶାଇଲେ ଯେ ଆଲାବାମା କେଵଳ ଖରାପ ଘଟଣା ପାଇଁ ନୁହେଁ ଵରଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ନୀଳ ଆକାଶ ଓ ସଙ୍ଗୀତ ପାଇଁ ମଧ୍ୟ ଵିଶ୍ଵପ୍ରସିଦ୍ଧ। ଗୀତର ପ୍ରସିଦ୍ଧ "Muscle Shoals" ପରିପ୍ରେକ୍ଷୀରେ ସେମାନେ ସେଠାକାର ଷ୍ଟୁଡିଓ ଓ ସଙ୍ଗୀତଜ୍ଞମାନଙ୍କ ଗୌରଵ ଗାନ କଲେ। ଏହି ଗୀତର ରେକର୍ଡିଂ ଶୈଳୀ ତଥା ଏହାର ଗିଟାର୍ ରିଫ୍ (Guitar Riff) ଏତେ ଶକ୍ତିଶାଳୀ ଥିଲା ଯେ ଏହା ତତକ୍ଷଣାତ୍ ଏକ ଚାର୍ଟବଷ୍ଟର ପାଲଟିଗଲା। ଆଜି ବି ଗୀତଟି ଆରମ୍ଭ ହେଵା ମାତ୍ରେ ଯେଉଁ ଗିଟାର ଧ୍ୱନି ଶୁଭେ, ତାହା ରକ୍ ପ୍ରେମୀଙ୍କୁ ପାଗଳ କରିଦିଏ। 

Neil Youngଙ୍କ ସମାଲୋଚନା ଏଵଂ Lynyrd Skynyrdଙ୍କ ପ୍ରତିଵାଦ ପରେ, ଏହି ସଙ୍ଗୀତମୟ ଯୁଦ୍ଧ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଥିଲା। 'Sweet Home Alabama' ର ଜବାବରେ କିମ୍ବା ସେହି ସମାନ ପ୍ରସଙ୍ଗକୁ ନେଇ ଆଉ କିଛି ଗୁରୁତ୍ଵପୂର୍ଣ୍ଣ ଗୀତ ମଧ୍ୟ ମୁକ୍ତିଲାଭ କଲା ଯାହା ଏହି କାହାଣୀକୁ ଆହୁରି ରୋଚକ କରିଥାଏ ।‌

Neil Young ଯେତେବେଳେ 'Sweet Home Alabama' ଗୀତଟି ଶୁଣିଲେ, ସେ ରାଗିଵା ପରିଵର୍ତ୍ତେ ଜଣେ ପ୍ରକୃତ କଳାକାର ଭଳି ପ୍ରତିକ୍ରିୟା ଦେଇଥିଲେ। ତାଙ୍କର 'Walk On' (୧୯୭୪) ଗୀତଟିକୁ ଅନେକେ 'Sweet Home Alabama' ର ଏକ ପରୋକ୍ଷ ଜବାବ ବୋଲି ମନେ କରନ୍ତି। ଏହି ଗୀତରେ ସେ ଗାଇଥିଲେ:
"I hear some people been talkin' me down / Bring up my name, pass it 'round."(ମୁଁ ଶୁଣୁଛି କିଛି ଲୋକ ମୋ ଵିଷୟରେ ସମାଲୋଚନା କରୁଛନ୍ତି ଏଵଂ ମୋ ନାଁକୁ ଚର୍ଚ୍ଚାକୁ ଆଣୁଛନ୍ତି।) ଏହି ଗୀତ ମାଧ୍ୟମରେ ସେ ବୁଝାଇଵାକୁ ଚାହିଁଥିଲେ ଯେ ସେ ଅନ୍ୟର ସମାଲୋଚନାକୁ ଖାତିର କରନ୍ତି ନାହିଁ ଏଵଂ ନିଜ ରାସ୍ତାରେ ଆଗକୁ ବଢ଼ିଵାକୁ ଚାହାଁନ୍ତି।

୧୯୮୦ ମସିହାରେ ପ୍ରସିଦ୍ଧ ଗାୟକ Warren Zevon ଏକ ଗୀତ ବାହାର କରିଥିଲେ, ଯାହାର ନାଁ ଥିଲା 'Play It All Night Long'। ଏହି ଗୀତଟି ଲିନର୍ଡ ସ୍କିନର୍ଡଙ୍କ ଗୀତ ପ୍ରତି ଏକ ପ୍ରକାରର କଟାକ୍ଷ ଵା Satire ଥିଲା। ଗୀତରେ ଏକ ଧାଡ଼ି ଥିଲା:
"Sweet home Alabama / Play that dead boys' song / Turn those speakers up full blast / Play it all night long."
ସେତେବେଳକୁ ଲିନର୍ଡ ସ୍କିନର୍ଡ ବ୍ୟାଣ୍ଡର ମୁଖ୍ୟ ସଦସ୍ୟମାନେ ଏକ ଵିମାନ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଥିଲେ। ଏହି ଗୀତଟି ଦକ୍ଷିଣାଞ୍ଚଳର ଗ୍ରାମୀଣ ଜୀଵନର କଷ୍ଟ ଏଵଂ ସେଠାକାର ଵାସ୍ତଵତାକୁ ଟିକେ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଥିଲା।

Tom Pettyଙ୍କ Southern Accents ଗୀତଟି 
ଦକ୍ଷିଣାଞ୍ଚଳର ଆତ୍ମସମ୍ମାନକୁ ନେଇ ଏକ ନୂଆ ସ୍ଵର ଦେଇଥିଲା। ଏହା Neil Youngଙ୍କ ଦ୍ଵାରା ସୃଷ୍ଟି ହୋଇଥିଵା ନକାରାତ୍ମକ ଭାବନା ଏବଂ Lynyrd Skynyrdଙ୍କ ଆଞ୍ଚଳିକ ଗର୍ଵ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିଥିଲା।

ଆଜି ବି ଅନେକ କଣ୍ଟ୍ରି (Country) ଓ ରକ୍ ଗାୟକ ନିଜ ଗୀତରେ 'Sweet Home Alabama'ର ସେହି ପ୍ରସିଦ୍ଧ ଗିଟାର୍ ଧୁନ୍‌କୁ ଵ୍ୟଵହାର କରି ଏହାର ଉତ୍ତର ଦେଵାକୁ ଚେଷ୍ଟା କରନ୍ତି। kid rockର All Summer Long ଭଳି ଅନେକ ଗୀତ Sweet home alabama ଗୀତରୁ ପ୍ରେରିତ ହୋଇ ଲେଖା ଯାଇଛି । 
ତେବେ ଵିଵାଦରୁ ଆରମ୍ଭ ହୋଇଥିବା ଏହି କାହାଣୀ କିନ୍ତୁ ଶତ୍ରୁତାରେ ଶେଷ ହେଲା ନାହିଁ। ନିଲ୍ ୟଙ୍ଗ୍ ନିଜର ଆତ୍ମଜୀଵନୀ 'Waging Heavy Peace' ରେ ସ୍ପଷ୍ଟ ଭାବେ ସ୍ଵୀକାର କରିଛନ୍ତି ଯେ ତାଙ୍କର 'Alabama' ଗୀତଟି କିଛିଟା ଅଧିକ କଠୋର ଥିଲା। ସେ ଲେଖିଛନ୍ତି: "ମୋ ଗୀତ 'Alabama' ଏକ 'Sweet Home Alabama' ପାଇଵାକୁ ଯୋଗ୍ୟ ଥିଲା। ମୁଁ ସେଥିରେ ଯେଉଁ ଶବ୍ଦ ଵ୍ୟଵହାର କରିଥିଲି, ତାହା ଅପେକ୍ଷାକୃତ ଅଭଦ୍ର ଓ ଅପମାନଜନକ ଥିଲା।" ସେ 'Sweet Home Alabama' ଗୀତକୁ ବହୁତ ପସନ୍ଦ କରୁଥିଲେ ଏଵଂ ଅନେକ ଥର ନିଜେ ମଧ୍ୟ ସେହି ଗୀତକୁ ମଞ୍ଚରେ ଗାଇଛନ୍ତି। 

୧୯୭୭ ମସିହାରେ ଲିନର୍ଡ ସ୍କିନର୍ଡ ବ୍ୟାଣ୍ଡର ସଦସ୍ୟମାନେ ଏକ ଦୁଃଖଦ ଵିମାନ ଦୁର୍ଘଟଣାରେ ପ୍ରାଣ ହରାଇଵା ପରେ, ନିଲ୍ ୟଙ୍ଗ୍ ସେମାନଙ୍କ ପ୍ରତି ସମ୍ମାନ ଜଣାଇ ଅନେକ ସମୟରେ ଲିନର୍ଡ ସ୍କିନର୍ଡଙ୍କ ନାମ ଥିବା ଟି-ସାର୍ଟ ପିନ୍ଧିଥିଵାର ଦେଖାଯାଇଛି। ସେମାନଙ୍କ ସ୍ମୃତିରେ ସେ ଏକ ଵିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ।

ଶୁଣିଵାକୁ ମିଳେ ଯେ ଵିମାନ ଦୁର୍ଘଟଣା ପୂର୍ଵରୁ, ନିଲ୍ ୟଙ୍ଗ୍ ଓ ରୋନି ଭାନ୍ ଜାଣ୍ଟ ଏକାଠି ମିଶି କାମ କରିଵା ପାଇଁ ଆଲୋଚନା କରୁଥିଲେ। ରୋନି ଚାହୁଁଥିଲେ ଯେ ନିଲ୍ ୟଙ୍ଗ୍ ସେମାନଙ୍କ ପାଇଁ ଏକ ଗୀତ ଲେଖନ୍ତୁ। 

ଅର୍ଥାତ୍ ସେମାନଙ୍କ ଭିତରେ ଥିଵା ଵିଵାଦ କେଵଳ ଗୀତର ଧାଡ଼ି ଭିତରେ ସୀମିତ ଥିଲା। ଵାସ୍ତଵ ଜୀଵନରେ ସେମାନେ ପରସ୍ପରର କଳାକୁ ବହୁତ ଭଲ ପାଉଥିଲେ। ସଙ୍ଗୀତ ଦୁନିଆରେ ଏହା ଏକ ଵିରଳ ଉଦାହରଣ ଥିଲା କାରଣ ଦୁଇଜଣ ଶୀର୍ଷ ସ୍ତରର କଳାକାର ପରସ୍ପରକୁ ସମାଲୋଚନା କରି ମଧ୍ୟ ଗଭୀର ସମ୍ମାନ ଦେଉଥିଲେ।







No comments:

Post a Comment