Tuesday, January 14, 2020

ଭାରତଵର୍ଷରେ ମକର ସଂକ୍ରାନ୍ତି ପର୍ଵର ଵିଭିନ୍ନ ନାମ ଓ ସମ୍ଯକ ଆଲୋଚନା

ଅଖଣ୍ଡ ଭାରତଵର୍ଷରେ ମକର ସଂକ୍ରାନ୍ତି ଵିଭିନ୍ନ ନାମ ଓ ଵିଧି ସହିତ ପାଳିତ ହୋଇଥାଏ !

ନିମ୍ନରେ ମକରସଂକ୍ରାନ୍ତିର ଵିଭିନ୍ନ ନାମ ଵିଷୟରେ ସମ୍ଯକ ଆଲୋଚନା କରାଗଲା ।

୧)ଉତ୍ତରାଣ୍(ଗୁଜରାଟ),ଉତ୍ତରାୟଣ ସଂକ୍ରାନ୍ତି

ମକର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି କୁହାଯାଏ ! ଵୈଜ୍ଞାନିକ ମତ ଅନୁସାରେ ୨୩ ଡିସେମ୍ବର ଠାରୁ ସୂର୍ଯ୍ଯଙ୍କର ଉତ୍ତରାୟଣ ଆରମ୍ଭ ହୁଏ ଏବଂ ୨୧ ଜୁନ ଯାଏଁ ରହିଥାଏ ! ତେଵେ ଆଜକୁ ପ୍ରାୟ ୧୮୦୦ ଵର୍ଷ ପୂର୍ଵେ  ଡିସେମ୍ବର ମାସରେ ମକର ସଂକ୍ରାନ୍ତି ହେଉଥିଵା ଏଵଂ ପେଗାନ୍ ରୋମାନ୍ ସୋଲ୍ ପର୍ଵ (ଆଧୁନିକ x-mas) ସମାନ ପର୍ଵର ଭିନ୍ନ ନାମ ଥିବା କିଛି ଗଵେଷକ ମତ ଦିଅନ୍ତି ! ଜ୍ଯୌତିର୍ଵିଦଙ୍କ ଅନୁସାରେ ପ୍ରତି ଚାରିଵର୍ଷରେ ପଡ଼ୁଥିଵା ଅଧିଵର୍ଷ (leap year) ଯୋଗୁଁ ଆଜି ମକର ସଂକ୍ରାନ୍ତି ସୂର୍ଯ୍ଯଙ୍କ ମକର ରାଶିରେ ଅଵସ୍ଥାନ ଆଧାରରେ କୋଡ଼ିଏ ଦିନ ପରେ ହେଉ ଅଛି ! ମକର ସଂକ୍ରାନ୍ତିଠାରୁ ଶ୍ରାଵଣ ସଂକ୍ରାନ୍ତି ଯାଏଁଉତ୍ତରାୟଣ ହୁଏ ବୋଲି ମହାଭାରତରେ ଉଲ୍ଲେଖ ଅଛି ! ଏହା ଦେଵତାଙ୍କ ଦିନ ଓ ରାକ୍ଷସଙ୍କ ରାତି ବୋଲି ପୌରାଣିକ ମତ ପ୍ରଚଳିତ ! ଗୁଜରାଟୀ ଲୋକେ ଉତ୍ତରାୟଣ ସଂକ୍ରାନ୍ତିକୁ ଉତ୍ତରାଣ ଓ ପତଙ୍ଗୋତ୍ସଵ କହିଥାନ୍ତି । ଏହିଦିନ ଗୁଜରାଟୀ ଲୋକେ ଦଳବଦ୍ଧ ଭାଵେ ଗୁଡି଼ ଉଡେ଼ଇଥାଆନ୍ତି ।

୨)ମକର ସଂକ୍ରମଣ
ଏହିଦିନ ସୂର୍ଯ୍ଯ ଧନୁରାଶିରୁ ଯାଇ ମକରରେ ପ୍ରଵେଶ କରନ୍ତି ଏଣୁ ମକର ସଂକ୍ରାନ୍ତିକୁ ମକର ସଂକ୍ରମଣ ବି କୁହାଯାଏ !

୩)ମାଘି,ମାଘେ,ମାଘ ସଂକ୍ରାନ୍ତି
ଏହାକୁ ମାଘ ମାସ ଅନୁସାରେ ମାଘି ଓ ମାଘ ସଂକ୍ରାନ୍ତି ମଧ୍ଯ କୁହାଯାଏ ! ନେପାଳରେ ମାଘେ ସଂକ୍ରାନ୍ତି ନାମେ ପାଳନ କରାଯାଏ !

୪)ମୋହା ସଂକ୍ରାନ୍ତି

କାମ୍ବୋଡ଼ିଆର ସନାତନି (ବୌଦ୍ଧାଦି) ଏହି ଦିନକୁ ମୋହା ସଂକ୍ରାନ୍ତି ଭାବେ ପାଳିଥାନ୍ତି । ସମ୍ଭଵତଃ ମାଘ ଶବ୍ଦ କାଳାନ୍ତରେ ମୋହା ହୋଇଅଛି ।

୫)ପୌଷ ସଂକ୍ରାନ୍ତି
ବଙ୍ଗାଳିଲୋକେ  ପୌଷ ମାସ ଅନୁସାରେ ମକର ସଂକ୍ରାନ୍ତିକୁ ପୌଷ ସଂକ୍ରାନ୍ତି ନାମରେ ପାଳନ୍ତି !

୬)ଖିଚଡ଼ି ସଂକ୍ରାନ୍ତି

ଉତ୍ତରପ୍ରଦେଶ,ବିହାର ଓ ନେପାଳ ଆଦିରେ ମକର ସଂକ୍ରାନ୍ତିକୁ ଖିଚଡ଼ି ସଂକ୍ରାନ୍ତି ବି କୁହାଯାଏ ! ଉତ୍ତର ଭାରତରେ ଏହି ଦିନ ଦେବତାଙ୍କୁ ଖିଚଡ଼ି ଭୋଗ ଲାଗେ ! ଓଡ଼ିଶାରେ ମଧ୍ଯ ଲୋକେ କେଉଁଠି କେଉଁଠି ଦେଵତା ଓ ଗୃହ ଇଷ୍ଟଙ୍କୁ ଖେଚୁଡ଼ି ଭୋଗ ଲଗାନ୍ତି ! ଓଡ଼ିଶାର ମନ୍ଦିର ମାନଙ୍କରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଖେଚେଡ଼ି ଭୋଗ ଲାଗେ ଏହାକୁ ପହି(ଇ)ଲି ଭୋଗ କୁହାଯାଏ !

୭)ଲୋହଡ଼ି(ରି)

ପଞ୍ଜାବ ଓ ହରିୟାଣାରେ ଏହି ଦିନକୁ ଲୋହଡ଼ି(ରି) ନାମରେ ପାଳନ କରନ୍ତି ! ପଞ୍ଜାବୀଙ୍କର ଲୋହଡ଼ିରେ ଅଗ୍ନୁ ଉତ୍ସଵ ଭାରତଵର୍ଷରେ ବିଶେଷ ଜଣାଶୁଣା ! ଭାରତୀୟଙ୍କର ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ଦିନରେ ଅଗ୍ନୁ ଉତ୍ସଵ ହୁଏ ! ପଶ୍ଚିମ ଭାରତର ହୋଲିକା ଦହନ ଏବଂ ଓଡ଼ିଶାର ଅଇଘରା ଦହନ ତହିଁର ଉଦାହରଣ !
ତେଵେ ଓଡ଼ିଶାର ଦକ୍ଷିଣ ଭାଗରେ ମଧ୍ଯ ମକର ସଂକ୍ରାନ୍ତି ପୂର୍ବ ସଂଧ୍ଯାରେ ଅଗ୍ନୁ ଉତ୍ସଵ ହେଉଥିବା ଏଵଂ ଏହାର ନାମ ଭୋଗୀ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି !

୮)ତିଳୁ(ଲୁ)ଆ ସଂକ୍ରାନ୍ତି

ମକର ସଂକ୍ରାନ୍ତିକୁ ଓଡ଼ିଶାର କେତେକ ଅଞ୍ଚଳରେ ତିଳୁ(ଲୁ)ଆ ସଂକ୍ରାନ୍ତି କୁହାଯାଏ ! ଏହି ଅଞ୍ଚଳରେ ଦେଵତାଙ୍କୁ ତିଳ ବା ତିଲୁଆ(ରାଶି) ଖଜା ଭୋଗ ଲଗାଯାଏ ବୋଲି ଏହାର ଏଭଳି ନାମ ହୋଇଅଛି !
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହି ଦିନ ଧୋବା ଜାତିର ଲୋକଙ୍କ ଦ୍ବାରା ଗଣ୍ଡିପୂଜା ହେଉଥିଲା କିନ୍ତୁ ଲୁଗାଧୁଆ ଯନ୍ତ୍ର( ୱାସିଙ୍ଗମେସିନ୍) ଯୁଗରେ ଏ ପୂଜା ଅଛି କି ନାହିଁ ତାହା ଗଵେଷଣାର ଵିଷୟ ଅଟେ !

୯)ସୁଗ୍ଗି(ಸುಗ್ಗಿ)
କର୍ଣ୍ଣାଟକରେ ମକରସଂକ୍ରାନ୍ତି ଦିନ ସୁଗ୍ଗି(ಸುಗ್ಗಿ) ପର୍ଵ ପାଳନ କରାଯାଏ ଯାହା ମୁଖ୍ୟତଃ ଏକ କୃଷିସମ୍ବନ୍ଧୀୟ ପର୍ଵ ଭାଵେ ଜଣାଶୁଣା । ଏହିଦିନ କନ୍ନଡ କନ୍ୟାମାନେ ନୂଆ ଵସ୍ତ୍ର ପରିଧାନ କରି ପାଖ ପଡି଼ଶା ପ୍ରିୟଜନଙ୍କୁ ଭେଟନ୍ତି ଏଵଂ ଫଳମୂଳ ଓ ଅନ୍ୟ ଉପହାର ସାମଗ୍ରୀ ଦେଇଆସନ୍ତି । ଏଇ ପ୍ରଥାକୁ ଏଠାକାର ଲୋକେ "Ellu Birodhu." କହିଥାନ୍ତି । 

୧୦)ଭୋଗୀ―ମକରସଂକ୍ରାନ୍ତି―କନୁମା―ମୁକନୁମା

ଅଖଣ୍ଡ ତେଲେଙ୍ଗାଞ୍ଚଳରେ ଓଡ଼ିଶାର ଧଜ ସଂକ୍ରାନ୍ତି ଭଳି ମକରସଂକ୍ରାନ୍ତି ଚାରିଦିନ ଵ୍ଯାପି ପାଳିତ ହୋଇଥାଏ ।
ପ୍ରଥମଦିନକୁ ଭୋଗୀ(భోగి),ଦ୍ଵିତୀୟ ଦିନ ମକରସଂକ୍ରାନ୍ତି(మకర సంక్రాంతి-పెద్ద పండుగ),ତୃତୀୟ ଦିନକୁ କମୁନା (కనుమ) ଓ ଚତୁର୍ଥ ଦିନକୁ ମୁକମୁନା କୁହାଯାଏ ।

୧୧)ମାଘ ବିହୁ,ଭୋଗଲୀ ବିହୁ
ଆସାମରେ ମକରସଂକ୍ରାନ୍ତିକୁ ମାଘ ବିହୁ (মাঘ বিহু) ,ଭୋଗଲୀ ବିହୁ(ভোগালী বিহু) ଓ ମାଘର ଦୋମାହୀ (মাঘৰ দোমাহী) ଇତ୍ୟାଦି କୁହାଯାଏ ।

୧୨)ମାଘ ସାଜି

ହିମାଳୟ ପ୍ରଦେଶର ସିମଳା ଜିଲ୍ଲାରେ ମକରସଂକ୍ରାନ୍ତିକୁ ମାଘ ସାଜି କୁହାଯାଏ । ସାଜି ଶବ୍ଦଟି ମୂଳତଃ ପାହାଡି଼ ଭାଷାର ଏଵଂ ଏହା ସଂକ୍ରାନ୍ତିର ଏକ ପ୍ରତିଶବ୍ଦ ଭାଵେ ଵ୍ୟଵହୃତ ହୋଇଥାଏ ।

୧୩)ଓଣାମ୍,ମକରଵିଲ୍ଲାକୁ

କେରଳରେ ମକରସଂକ୍ରାନ୍ତିକୁ ଓଣାମ୍ ଓ ମକରଵିଲ୍ଲାକୁ ନାମରେ ପାଳନ କରନ୍ତି । ଏହିଦିନ ମକରଜ୍ୟୋତି ପ୍ରଜ୍ଵଳନ କରାଯାଏ ଓ ଲମ୍ଵା ଡଙ୍ଗା ଦ୍ଵାରା ନଦୀ ଓ ଦୀର୍ଘିକାଦିରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ ।

୧୪) ପୋଙ୍ଗଲ
ତେଲୁଗୁ ଲୋକଙ୍କ ପରି ତାମିଲ ଲୋକେ ମଧ୍ୟ ଚାରିଦିନ ଧରି ମକରପର୍ଵ ପାଳିଥାଆନ୍ତି ଏଵଂ ସେମାନେ ଏହାକୁ ପୋଙ୍ଗଲ କହିଥିନ୍ତି । ପ୍ରଥମ ଦିଵସର ଉତ୍ସଵକୁ ପୋକି ପଣ୍ଟିକୈ, ଦ୍ଵିତୀୟ ଦିଵସକୁ ତୈ ପୋଙ୍କଲ୍, ତୃତୀୟ ଦିଵସକୁ ମାଟ୍ଟୁପ୍ ପୋଙ୍କଲ୍ ଏଵଂ ଶେଷ ଦିଵସକୁ କାଣୁମ୍ ପୋଙ୍କଲ୍ କୁହାଯାଏ । ଆମ ରଜପର୍ଵ ଭଳି ଦକ୍ଷିଣ ଭାରତରେ ଚାରିଦିନ ଵ୍ଯାପି ପର୍ଵପାଳନ ପୂର୍ଵ ଓ ଦକ୍ଷିଣ ଭାରତର ସଂସ୍କୃତିଗତ ସାମ୍ଯ ପ୍ରକଟିତ କରିଥାଏ ।

୧୫)ଟୁସୁ ପରଵ
ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ମକର ସଂକ୍ରାନ୍ତିର ନାନା ସ୍ଵରୂପ ରହିଛି । ଟୁସୁପର୍ଵ ସହ ମକର ସଂକ୍ରାନ୍ତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇସାରିଛି ।  କୁହାଯାଏ ମୋଗଲ ଶାସନ ସମୟରେ ଜନୈକ ମୁସଲିମ ବାଦଶାହା କୁଡୁମି ମହାନ୍ତ ସଂପ୍ରଦାୟର ଜଣେ ଝିଅଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବଳପୂର୍ଵକ ଵିଵାହ କରିବାକୁ ଉଦ୍ୟମ କରିଥିଲେ । ଏଥିରେ ରାଜି ନହୋଇ ଟୁସୁମନୀ ନାମ୍ନୀ ସେହି ଝିଅ ଓ ତାଙ୍କର ପରିଵାରଵର୍ଗ ଅନ୍ୟତ୍ର ପଳାୟନ କରି ଗୋପନରେ ରହିଥିଲେ । କିନ୍ତୁ ବାଦଶାହାଙ୍କର ସୈନ୍ୟମାନେ ଟୁସୁମନୀ ପଛେ ଗୋଡା଼ଇଲାରୁ  ଅନ୍ୟ ଉପାୟ ନପାଇ ନାରୀ ଜାତିର ମର୍ଯ୍ୟାଦା ରକ୍ଷା ନିମନ୍ତେ ଟୁସୁମନୀ ନଦୀରେ ଝାସଦେଇ ପ୍ରାଣତ୍ୟାଗ କରିଥିଲେ । ସେହି ଦିନଟି ମକରସଂକ୍ରାନ୍ତି ଥିଲା । ତେଣୁ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ କୁଡୁମି ମହାନ୍ତ ସଂପ୍ରଦାୟର ଝିଅବୋହୂମାନେ ଟୁସୁମନୀଙ୍କର ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ନଦୀ ବା ପୁଷ୍ପରିଣୀରେ ବିସର୍ଜନ କରି ଟୁସୁମନୀଙ୍କର ଆତ୍ମବଳୀ ଦାନକୁ ସ୍ମରଣ କରିଥାନ୍ତି ।

ଭାରତ ବାହାରେ ଅନ୍ଯ କେତକ ଦେଶରେ ମଧ୍ୟ ମକର ସଂକ୍ରାନ୍ତି ପାଳନ କରାଯାଏ । ପାକିସ୍ଥାନର ସିନ୍ଧି ଜାତୀୟ ଲୋକେ ମକର ସଂକ୍ରାନ୍ତିକୁ ତିରମୋରି ଭାଵେ ପାଳନ କରୁଥିଵାଵେଳେ ନେପାଳରେ ମାଘି ନାମରେ ମକର ସଂକ୍ରାନ୍ତି ପାଳିତ ହୋଇଥାଏ । ବଙ୍ଗଳାଦେଶରେ ମକର ସଂକ୍ରାନ୍ତି ଦିନ ଲୋକେ ସାକରାଇନ ପର୍ଵ ପାଳନ କରନ୍ତି । ଏହିଦିନ ବଙ୍ଗଳାଦେଶରେ ଗୁଜରାଟ ଭଳି ଗୁଡି଼ ଉଡା଼ଯାଏ ।

ମକର ସଂକ୍ରାନ୍ତି ଆପଣଙ୍କ ଅଞ୍ଚଳରେ କେମିତି ପାଳନ୍ତି ଏବଂ ଓଡ଼ିଶାରେ କେଉଁଠି କେଉଁଠି ମକରମେଳା ହୁଏ ଜଣେଇବାକୁ ଅନୁରୋଧ ରହିଲା !

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...