Thursday, January 2, 2020

ତୁଳସୀବଣ ର ବାଘ

ଓଡ଼ିଶାରେ ଗୋଟିଏ ଢଗ ରହିଛି  #ତୁଳସୀ_ବଣ_ର_ବାଘ !

ଏହି ଢ଼ଗର ପ୍ରକୃତ ଭାବାର୍ଥ ହେଲା...

ପ୍ରକୃତ ବାଘ ମହାଦ୍ରୁମାନ୍ବିତ ଘୋର ଜଙ୍ଗଲ ମଧ୍ଯରେ ନିଜର ପରାକ୍ରମ ଦେଖାଏ । ତୁଳସୀ ପରି ସାମାନ୍ଯ ଗଛ ଥିଵା ସ୍ଥାନରେ ବିରାଡ଼ି ଆପଣାକୁ ବାଘ ବୋଲି ଵିଚାର କରି ସ୍ବଶକ୍ତି ଦେଖାଇଵା ଭଳି ଛୋଟଲୋକ ଵା ଅଶିକ୍ଷିତ ଲୋକଙ୍କ ମଧ୍ଯରେ ସାମାନ୍ଯ ଗୁଣ ଥିଵା ବ୍ଯକ୍ତି ଆପଣାର ଅଧିକାର ଦେଖାଇ ହୁଏ ।  ଅଳ୍ପ ପଢ଼ାପଢ଼ି କରିଥିଵା ବ୍ଯକ୍ତି ବିଦ୍ବାନମାନଙ୍କୁ ସମାଜରେ ଆପଣାର ଗର୍ଵ ଦେଖାଇପାରେ ନାହିଁ, କିନ୍ତୁ ମୂର୍ଖମାନଙ୍କ ମଧ୍ଯକୁ ଯାଇ ଆପଣାର ବଡ଼ାଇ ଦେଖାଇ ହେଵା ସ୍ଥଳରେ ଏ ଢଗ ପ୍ରଯୁଯ୍ୟ ହୁଏ । ନିଜର ବଡେ଼ଇ କରିଵା ଭାଵାର୍ଥରେ ସମାନାର୍ଥକ ଆଉ ଏକ ଢଗ ମଧ୍ୟ ଆମ ଭାଷାରେ ଚଳୁଅଛି 
ଯଥା—

“ତନ୍ତି ସାହିରେ କଟାଶ ମହାବଳ”

ତନ୍ତ ଵା ସୂତାକାଟୁଥିଵା ଜାତିଵିଶେଷ ତନ୍ତିମାନଙ୍କୁ ଆମ ସମାଜରେ ଅଳ୍ପବୁଦ୍ଧିଆ ଵିଚାର କରି ଏଭଳି ଢଗ ରଚିତ ହୋଇଥିଵା ଅନୁମାନ କରାଯାଏ । ମଧ୍ୟ ଯୁଗରୁ ଭାରତୀୟ ସନାତନ ସମାଜରେ ଏ ଜାତିର ଲୋକଙ୍କୁ ଏତେ ଅପମାନିତ କରାଗଲା ଯେ ସେମାନେ ବହୁ ସଂଖ୍ୟାରେ ମୁସଲମାନ ହେଇଗଲେ ।  ମୋଗଲକାଳରେ ଭାରତରେ ଇସ୍ଲାମ୍ ଧର୍ମ ଆସିପହଞ୍ଚିଲାରୁ ଉତ୍ତର ଭାରତର ଅଧିକାଂଶ ଅଧିକାଂଶ ତନ୍ତିଜାତୀୟ ଲୋକେ ମୁସଲମାନ ହୋଇଗଲେ । ହିନ୍ଦୀରେ ତନ୍ତିମାନଙ୍କୁ ଜୁଲ୍ହା କୁହାଯାଏ । ଏହି ଜୁଲ୍ହାମାନେ ଆଗେ ସନାତନୀ ଥିଲେ କିନ୍ତୁ ମୋଗଲକାଳରେ ସେମାନେ ମୁସ୍ଲିମ୍ ହୋଇଯାଇଛନ୍ତି । ଜୁଲାହା ଶବ୍ଦଟି ମୂଳତଃ ଏକ ପାର୍ସୀ ଶବ୍ଦ “ଜୌଲାହ”ରୁ ଆସିଅଛି ।
ଏଇ ଜୁଲାହା ମାନଙ୍କୁ ନେଇ ହିନ୍ଦୀରେ କିଛି ଲୋକକଥା ଓ ଢଗ ରହିଛି । ନିମ୍ନରେ କିଛି ଢଗ ଓ ଲୋକଵାଣୀର ଉଦାହରଣ ଦିଆଗଲା ।

◆जुलाहे का तीर(ମିଛକଥା)
◆जुलाहे की सी दाढ़ी(ଛୋଟ ଦାଢି଼,ଅପ୍ରକୃତ ମୁସ୍ଲିମ୍ ହୋଇଥିଵାରୁ ଏଭଳି ପ୍ରୟୋଗ ?)
◆खेत खाए गदहा, मार खाए जुलाहा(ଦୋଷ ଜଣେ କରେ ଦଣ୍ଡ ଆଉଜଣେ ଭୋଗେ,ଦରିଦ୍ର ଜନର ଵିଵଶତା ପ୍ରକଟକଲା ଭଳିଆ ଢଗ)
◆रूपया तो शेख नहीं तो जुलाहा(ଦରିଦ୍ର କି ଧନୀକ ଟଙ୍କାରୁ ଜାଣିହୁଏ)

ହିନ୍ଦୀ ଭାଷାରେ ଏଇ ଜାତି ଉପରେ ଶହ ଶହ ଢଗଢମାଳି ରହିଛି ।
........
....
..

ତେଵେ ଓଡ଼ିଆ ଭାଷାର ଏହି
“ତୁଳସୀ ବଣର ବାଘ” ଢଗଟି କପଟଚାରଣ ଅର୍ଥରେ ମଧ୍ୟ ପ୍ରୟୋଗ ହେଉଥିଵା ଦୃଷ୍ଟିଗୋଚର ହୋଇଥାଏ । ତୁଳସୀ ହେଉଛି ଵିଷ୍ଣୁ ଓ ଵୈଷ୍ଣଵମାନଙ୍କର ସବୁଠାରୁ ପ୍ରିୟ ଵୃକ୍ଷ । ତେଣୁ ଵୈଷ୍ଣଵ ସନ୍ଥମାନେ  ତୁଳସୀମାଳ ପିନ୍ଧିଵା ଏଵଂ ଆପଣା ଘର ଅଗଣା ଓ ବାଡି଼ରେ ତୁଳସୀଗଛ ଲଗାଇଥାଆନ୍ତି ।

କପଟ ଧର୍ମାଚରଣ ଅର୍ଥରେ ମଧ୍ୟ କେମିତି ତୁଳସୀ ବଣର ବାଘ ଢଗଟି ପ୍ରୟୋଗ କରାଯାଏ ସେଥି ସକାଶେ ଗୋଟିଏ ଲୋକକଥା ରହିଛି । କାହାଣୀଟି ଏଇଭଳି...

ବୁଢ଼ା ବାଘଟେ ଗୋଟେ ବୁଢ଼ା ମାଙ୍କଡ଼କୁ ଖାଇବା ପାଇଁ ଵୈଷ୍ଣଵ ଦୀକ୍ଷା ନେଲା ।  ମୌନଵ୍ରତ ରଖି ତୁଳସୀ ବଣରେ ଯାଇ ଵାସକଲା । କୀଟ ଦଳି ହେଇଯିବ ଏଇ ଭୟରେ ଭୂଇଁ ଫୁଙ୍କି ଫୁଙ୍କି ଆଗକୁ ପାଦ ପକାଏ । ଏଇଭଳି ସେ କେତେପରକାର କପଟାଚରଣ କଲା ।

ତାକୁ ଦେଖି ବୁଢ଼ା ମାଙ୍କଡ଼ର ଵିଶ୍ବାସ ହେଲା ଯେ ବାଘ ପ୍ରକୃତରେ ଧାର୍ମିକ !

           "ପଶୁ ଜନ୍ମରୁ ତ୍ରାହି କର"
ଏମନ୍ତ କହି ମାଙ୍କଡ଼ ତା ପାଦ ତଳେ ପଡ଼ିଗଲା । ବାଘ ଏଇଟା ସୁଵର୍ଣ୍ଣ ସୁଯୋଗ ମନେକରି ମାଙ୍କଡ଼କୁ କସି କି ମାଡ଼ି ବସିଲା । ସେଦିନ ଦୃଢ଼ ଧର୍ମ ବଳରୁ ହେଉ କି କୌଶଳ ଯୋଗୁଁ ମାଙ୍କଡ଼ଟା ବାଘ ହାତରୁ ଖସିଗଲା ଆଉ କପଟ ସାଧୁର ପ୍ରକୃତ ସତ୍ଯ ଜାଣିପାରିଥିଲା । କିନ୍ତୁ ଏ ଯୁଗରେ ଶହ ଶହ ତୁଳସୀ ବଣର ବାଘ ସଦୃଶ କପଟି ସାଧୁ ହେଇକି ବୁଲୁଛନ୍ତି ! ଅନ୍ଧ ଭକ୍ତି କି ଅନ୍ଧ ବିଶ୍ବାସ କଲେ ତୁଳସୀ ବଣର ବାଘ ଝାମ୍ପି ହିଁ ନେବ ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...