ଓଶୋ ଓରଫ୍ ରଜନୀଶ୍ ଅନେକଥର କହିଛନ୍ତି ନିଜର ଅନେକ ବହି ମଧ୍ୟରେ ଯୀଶୁଙ୍କ ଵିଷୟରେ ଯାହା ଉଲ୍ଲେଖ କରିଛନ୍ତି ତହିଁର ସାର ହେଲା : “ଯୀଶୁ କ୍ରୁଶଵିଦ୍ଧ ହେଵା ସମୟରେ ମରିନଥିଲେ, କେଵଳ ଅତ୍ୟଧିକ ରକ୍ତସ୍ରାଵ ଯୋଗୁଁ ଅଚେତ ହୋଇଯାଇଥିଲେ। କାରଣ ସାଧାରଣ କ୍ରୁଶଦଣ୍ଡରେ ମୃତ୍ୟୁ ହେଵାକୁ ଅତ୍ୟଳ୍ପେ ୪୮ ଘଣ୍ଟା ଵା କେତେକ କ୍ଷେତ୍ରରେ ୬ ଦିନ ଲାଗେ, କିନ୍ତୁ ଯୀଶୁଙ୍କୁ ମାତ୍ର ୬ ଘଣ୍ଟାରେ କ୍ରୁଶରୁ ଓହ୍ଲାଇ ଦିଆଯାଇଥିଲା। ଏହା ପୋଣ୍ଟିୟସ୍ ପାୟଲଟ୍ ଓ ଧନୀ ଯୋସେଫ୍ ଅଫ୍ ଆରିମାଥିଆଙ୍କ ଷଡ଼ଯନ୍ତ୍ର ଥିଲା। ଶୁକ୍ରଵାର ଵିଳମ୍ବରେ ଶୁଳି ଦିଆଯାଇ ଶନିଵାର (ସବ୍ତ) ଆସିଵା ପୂର୍ଵରୁ ଶରୀର ଓହ୍ଲାଇ ନେଵାର ଵ୍ୟଵସ୍ଥା କରାଯାଇଥିଲା। ରକ୍ତସ୍ରାଵ ଯୋଗୁଁ ଯୀଶୁ ଅଚେତ ହୋଇଯାଇଥିଲେ, ମରି ନ ଥିଲେ। ଗୁମ୍ଫାରେ ରଖିଵା ପରେ ତାଙ୍କ ଅନୁକରଣକାରୀମାନେ ତାଙ୍କୁ ଉଦ୍ଧାର କରି ନେଇଯାଇଥିଲେ। ସୁସ୍ଥ ହେଵା ପରେ ଯୀଶୁ ଭାରତ ଚାଲିଆସି କାଶ୍ମୀରରେ ୧୧୦-୧୨୦ ଵର୍ଷ ବଞ୍ଚି ସେଠାରେ ମୃତ୍ୟୁଵରଣ କରିଥିଲେ।”
ତେବେ ଏହାର ସତ୍ୟାସତ୍ୟ କ’ଣ ? କ’ଣ ସତରେ ଜୀଶୁ ଭାରତ ଆସିଥିଲେ ?
ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମରିନଥିଲେ ଏଵଂ ପରେ ଭାରତ ଆସି କାଶ୍ମୀରରେ ୧୧୦-୧୨୦ ଵର୍ଷ ବଞ୍ଚିଥିଲେ ଏହି ଦାବିଟି ମୁଖ୍ୟତଃ ଓଶୋ (ରଜନୀଶ) ଏଵଂ ତାଙ୍କ ପୂର୍ଵରୁ ରୁଷୀୟ ଲେଖକ ନିକୋଲାସ୍ ନୋଟୋଭିଚ୍ (୧୮୯୪ରେ ପ୍ରକାଶିତ “The Unknown Life of Jesus Christ”) ଓ ପରେ ହୋଲଗର କେର୍ସ୍ଟନ୍, ଏଲିଜାବେଥ କ୍ଲେର ପ୍ରଫେଟ୍ ଆଦି ଲୋକଙ୍କ ଦ୍ୱାରା ପ୍ରଚାରିତ ହୋଇଛି । ଏମାନେ ସମସ୍ତେ ଦାବି କରିଛନ୍ତି ଯେ ତିବ୍ବତର ହେମିସ୍ ଗୁମ୍ଫାରେ ଏକ ପୁରୁଣା ପାଣ୍ଡୁଲିପି ଅଛି ଯହିଁରେ “ଈଶା” ନାମରେ ଯୀଶୁଙ୍କ ଭାରତ ଆଗମନ ଓ କାଶ୍ମୀରରେ ତାଙ୍କ ସମାଧି ଵିଷୟ ଲେଖା ଅଛି ।
ଏହାର ସତ୍ୟତା କେତେ ? ଆଧୁନିକ ଗବେଷଣା ଅନୁଯାୟୀ ଏହି ଦାବିଟି ପ୍ରାୟ ଶତପ୍ରତିଶତ ଅସତ୍ୟ ଏଵଂ ଐତିହାସିକ ଭାବେ ଅସମର୍ଥିତ । କିନ୍ତୁ କେମିତି?
ପ୍ରଥମତଃ କ୍ରୁଶରେ ମୃତ୍ୟୁ କେତେ ଶୀଘ୍ର ହୋଇପାରେ ସେ ଵିଷୟରେ ଆଧୁନିକ ଚିକିତ୍ସା ଵିଜ୍ଞାନ ଓ ପୁରାତତ୍ତ୍ଵ ଗଵେଷଣା କହୁଛି ଯେ ରୋମୀୟ କ୍ରୁଶଦଣ୍ଡ (crucifixion) ସାଧାରଣତଃ ୨-୩ ଦିନ ଲାଗୁଥିଲା ବେଳେ ଯୀଶୁଙ୍କ କ୍ଷେତ୍ରରେ ଅତ୍ୟଧିକ ଚାବୁକ ମାଡ଼ (scourging) ପରେ ରକ୍ତସ୍ରାଵ ଓ hypovolemic shock ଯୋଗୁଁ କେବଳ ୬ ଘଣ୍ଟା ମଧ୍ୟରେ ମୃତ୍ୟୁ ହେଵାର ସମ୍ଭାଵନା ବହୁତ ଥିଲା । ୧୯୮୬ରେ Journal of the American Medical Associationରେ ପ୍ରକାଶିତ ଗଵେଷଣା ପତ୍ରରେ ସ୍ପଷ୍ଟ ଲେଖାଯାଇଛି ଯେ ଯୀଶୁ କ୍ରୁଶରେ ମରିଥିଲେ ଏଵଂ ବର୍ଚ୍ଛା ଭୁଶିଵା ସମୟରେ ହୃତ୍ପିଣ୍ଡରୁ ରକ୍ତ ଓ ପାଣି (ପେରିକାର୍ଡିୟାଲ୍ ଫ୍ଲୁଇଡ୍) ବାହାରିଥିଲା ଯାହା ମୃତ୍ୟୁର ଚିକିତ୍ସାଗତ ପ୍ରମାଣ । ଯେଉଁ ଲୋକମାନେ ୬ ଦିନ ବଞ୍ଚି ରହୁଥିଲେ ସେମାନଙ୍କୁ ଆଗରୁ ଏତେ ଅତ୍ୟାଚାର କରାଯାଉ ନଥିଲା ।
ମାତ୍ର ଏହା ପଢ଼ି କିଛି ଲୋକ ପଚାରି ପାରନ୍ତି ପ୍ରମାଣ କଣ୍ ଅଛି ? ଯୀଶୁଙ୍କ ମୃତ ଶରୀର କେବେ ମିଳିନାହିଁ ତେଣୁ ଆମେ କେମିତି କହିପାରିଵା ଯେ ଯୀଶୁଙ୍କର ମୃତ୍ୟୁ ଛଅଘଣ୍ଟା ଭିତରେ ହୋଇଯାଇଥିଲା ?
ପ୍ରଥମେ ଯୀଶୁଙ୍କ ମୃତ ଶରୀର କଥା ଉପରେ ଆଲୋଚନା କରାଯାଉ । ଆଜିଯାଏଁ ମଧ୍ୟ ଏହା ମିଳିନାହିଁ ଏଵଂ ଐତିହାସିକ ଦୃଷ୍ଟିରୁ ଏହା ମିଳିଵାର କୌଣସି ସମ୍ଭାଵନା ମଧ୍ୟ ନାହିଁ।
ଖ୍ରୀଷ୍ଟୀୟ ଵିଶ୍ୱାସ ଅନୁଯାୟୀ ଯୀଶୁ ତୃତୀୟ ଦିନରେ ମୃତ୍ୟୁରୁ ପୁନରୁତ୍ଥାନ (resurrection) ହୋଇ ସ୍ୱର୍ଗକୁ ଆରୋହଣ (ascension) କରିଛନ୍ତି। ତେଣୁ ତାଙ୍କର ମୃତ ଶରୀର ପୃଥିଵୀରେ ରହିଵ ନାହିଁ। ଏହି ଵିଶ୍ୱାସ ପ୍ରାଚୀନକାଳରୁ ଆଜିଯାଏଁ ଵିଶ୍ୱର ଦୁଶଶହ କୋଟିରୁ ଅଧିକ ଖ୍ରୀଷ୍ଟିଆନଙ୍କ ମନରେ ବସା ବାନ୍ଧି ରହିଛି । ପ୍ରାଚୀନ ଖ୍ରୀଷ୍ଟୀୟ ଲେଖକମାନେ (ପଲ୍, ଇଗ୍ନେସିୟସ୍, ଜଷ୍ଟିନ୍ ମାର୍ଟିର୍ ଆଦି) ଏହାକୁ ବାରମ୍ବାର ଉଲ୍ଲେଖ କରିଛନ୍ତି ଯେ ଗୁମ୍ଫା ଖାଲି ମିଳିଥିଲା ଏଵଂ ଶରୀର କେହି ଚୋରେଇ ନେଇଯାଇ ନ ଥିଲା।
ତେବେ ଯଦି କେହି ନାସ୍ତିକ ଵା ଅନ୍ୟ ଧର୍ମାଵଲମ୍ବୀ ଏହି ଖ୍ରୀଷ୍ଟୀୟ ପୁନରୁତ୍ଥାନ ଲୋକଵିଶ୍ଵାସକୁ ମାନନ୍ତି ନାହିଁଁ, ତଥାପି ମଧ୍ୟ ଐତିହାସିକ କାରଣରୁ ଶରୀର ମିଳିଵା ଅସମ୍ଭଵ। କାରଣ ପ୍ରଥମ ଶତାବ୍ଦୀରେ ଜେରୁଜେଲମରେ କ୍ରୁଶଵିଦ।ଧ ଅପରାଧୀଙ୍କ ଶଵ ସାଧାରଣତଃ ସାମୂହିକ ଶଵ ଫିଙ୍ଗା ଗାଡ଼ (ଯେମିତି ଆଖ୍ରୋତ୍ ଉପତ୍ୟକାର ଗର୍ତ୍ତଗୁଡ଼ିକ) ଫିଙ୍ଗି ଦିଆଯାଉଥିଲା ଏଵଂ ଏକ ଵର୍ଷ ପରେ ହାଡ଼ଗୁଡ଼ିକ ସଂଗ୍ରହ କରି ଅଷ୍ଟୁଆରି (ossuary)ରେ ରଖାଯାଉଥିଲା। କିନ୍ତୁ ଯୀଶୁଙ୍କ କ୍ଷେତ୍ରରେ ଯୋସେଫ୍ ଅଫ୍ ଆରିମାଥିଆଙ୍କ ନିଜର ନୂଆ ଗୁମ୍ଫା କବର ଦିଆଯାଇଥିଲା ଏଵଂ ତୃତୀୟ ଦିନରେ ଗୁମ୍ଫା ଖାଲି ମିଳିଥିଲା ବୋଲି ସମସ୍ତ ପ୍ରାଚୀନ ସାକ୍ଷ୍ୟ କହୁଛି। ତେଣୁ ଶରୀର ସେଠାରୁ ଅଦୃଶ୍ୟ ହୋଇଯାଇଥିଲା। ହୋଇପାରେ ଯୀଶୁଙ୍କୁ ମହାତ୍ମା,ଦେଵତା,ଈଶ୍ଵରଙ୍କ ସନ୍ତାନ ପ୍ରମାଣ କରିଵାକୁ ଯାଇ ସେସମୟର କିଛି ଲୋକେ ତାଙ୍କ ଶଵକୁ ଚୋରାଇ ନେଇଥିବେ ଏଵଂ କୌଣସି ଗୁପ୍ତ ସ୍ଥାନରେ ରଖିଥିବେ ।
୧୯୮୦ ମସିହାରେ ଜେରୁଜେଲମ୍ର ଦକ୍ଷିଣ ତାଲ୍ପିୟୋଟ୍ ଅଞ୍ଚଳରେ ଏକ ପ୍ରାଚୀନ କବର ମିଳିଥିଲା ଯେଉଁଥିରେ ୧୦ଟି ଅସ୍ଥିପାତ୍ର (ossuaries) ଥିଲା। ସେଥିମଧ୍ୟରୁ କେତେକ ପାତ୍ରରେ ଲେଖା ଥିଲା –Yeshua bar Yosef ଅର୍ଥାତ୍ Josephଙ୍କ ପୁଅ Jesus ପୁଣି “ମରିୟମ” (Mary), “ଯୋସେ” (Jose), “ମରିୟା ମାଗ୍ଦଲେନୀ” ବୋଲି ଏକ ପାତ୍ରରେ ଲେଖା ଥିଵାର ଦାବି କରାଯାଇଛି ଏଵଂ ଆଉ ଏକ ପାତ୍ରରେ “ଯୁଡାହ ବର୍ ୟେଶୁଆ” (Judah son of Yeshua) ଅର୍ଥାତ୍ ଯୀଶୁଙ୍କ ପୁଅ ବୋଲି ଦାବି ମଧ୍ୟ ହୋଇଛି । ଏହି କବରକୁ ନିର୍ମାତା ସିମ୍ଚା ଜେକୋବୋଭିଚି ଏଵଂ ଜେମ୍ସ କ୍ୟାମେରନ୍ ତାଙ୍କ ଡକ୍ୟୁମେଣ୍ଟାରି “The Lost Tomb of Jesus” (୨୦୦୭) ମାଧ୍ୟମରେ ଵିଶ୍ୱଵ୍ୟାପୀ ଚର୍ଚ୍ଚାକୁ ଆଣିଥିଲେ। କିନ୍ତୁ ଅଧିକାଂଶ ପ୍ରତ୍ନତତ୍ତ୍ୱଵିତ୍ ଏବଂ ବାଇବେଲ ଵିଶେଷଜ୍ଞ ଏହାକୁ ଭିତ୍ତିହୀନ ବୋଲି ମତପ୍ରକାଶ କରିଛନ୍ତି କାରଣ ସେସମୟରେ “ଯେଶୁଆ” ଓ “ମରିୟମ” ନାମ ବହୁତ ସାଧାରଣ ଥିଲା ଏଵଂ ଅସ୍ଥିପାତ୍ରଗୁଡ଼ିକରେ ଥିବା ଅସ୍ଥି ପରୀକ୍ଷା କରାଯାଇ ନ ଥିଵାରୁ ଏହା ଯୀଶୁଙ୍କ ପରିଵାର ବୋଲି କୌଣସି ପ୍ରମାଣ ନାହିଁ। ଇସ୍ରାଏଲ ପ୍ରତ୍ନତତ୍ତ୍ୱ ଵିଭାଗ ମଧ୍ୟ ଏହାକୁ ଯୀଶୁଙ୍କ କବର ବୋଲି ଗ୍ରହଣ କରେ ନାହିଁ। ତାଲ୍ପିୟୋଟ୍ “ପ୍ୟାଟ୍ରିଆର୍କ୍ସ କବର” ଵା “ତଥାକଥିତ ଯୀଶୁ ଫ୍ୟାମିଲି ଟୁମ୍ବ୍” ନିକଟରେ ଥିଵା ୨୦୧୦ ପରେ ଆଵିଷ୍କୃତ ଆଉ ଏକ କବରକୁ ମଧ୍ୟ କେତେକ ଗଣମାଧ୍ୟମ ଯୀଶୁଙ୍କ ପରିଵାର ସହ ଯୋଡ଼ି ଚର୍ଚ୍ଚା କରିଥିଲେ, କିନ୍ତୁ ଏହା ମଧ୍ୟ ଵିଶେଷଜ୍ଞମାନଙ୍କ ଦ୍ୱାରା ନାକଚ ହୋଇଛି। ଏହା ଵ୍ୟତୀତ ଯୁରୋପରେ ମଧ୍ୟ କେତେକ ଦାବି ରହିଛି ଯାହା ଯୀଶୁ ମରି ନ ଥିଲେ ବା ତାଙ୍କ ଶରୀର ସେଠାରେ ରହିଛି ବୋଲି କହିଥାଏ। ଉଦାହରଣ ସ୍ୱରୂପ ଫ୍ରାନ୍ସର Rennes-le-Château ନିକଟରେ କେତେକ ଗୁପ୍ତ ସଙ୍ଘ (ପ୍ରିୟୋରୀ ଅଫ୍ ସାୟନ୍ ପରି) ଯୀଶୁ ଓ ମରିୟମ ମାଗ୍ଦଲେନୀଙ୍କ ଵଂଶଧରଙ୍କୁ ସୁରକ୍ଷା ଦେଉଥିଵା ଏଵଂ ତାଙ୍କ ଶରୀର ସେଠାରେ ରହିଛି ବୋଲି କଳ୍ପନାକାହାଣୀ ରହିଛି (ଯାହା “ଦ ଦା ଵିନ୍ଚି କୋଡ୍” ଭଳି ପୁସ୍ତକରେ ଲୋକପ୍ରିୟ ହୋଇଥିଲା), କିନ୍ତୁ ଏହାର କୌଣସି ଐତିହାସିକ ଵା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ନାହିଁ।
ଅଧିକାଂଶ ଵିଶେଷଜ୍ଞ ମାନନ୍ତି ଯେ ଯୀଶୁଙ୍କ ମୃତ ଶରୀର କେବେ ମଧ୍ୟ ମିଳିନାହିଁ ଏଵଂ ଆଜି ପର୍ଯ୍ୟନ୍ତ କେହି ବି ଵିଶ୍ୱସନୀୟ ଭାବେ ଦାବି କରି ପ୍ରମାଣ ଦେଇ ପାରିନାହାନ୍ତି। ଯଦି ଯୀଶୁଙ୍କ ଶରୀର ମିଳିନାହିଁ ତେବେ କେମିତି କହିପାରିଵା ଯେ ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କୁ ଭୀଷଣ ଚାବୁକ ମାଡ଼ ହୋଇଥିଲା ତଥା ତାଙ୍କ ପେଟରେ ବର୍ଚ୍ଛା ଭୁଷି ହତ୍ୟା କରାଯାଇଥିଲା ?
ପ୍ରକୃତରେ ଯୀଶୁଙ୍କ ଚାବୁକ ମାଡ଼ (scourging) ଏବଂ ପାର୍ଶ୍ୱରେ ବର୍ଚ୍ଛା ଭୁଶା (lance thrust) ହୋଇଥିଵାର ପ୍ରମାଣ ଅତ୍ୟନ୍ତ ଦୃଢ଼ ଏଵଂ ଵିଭିନ୍ନ ସ୍ତରରେ ଉପଲବ୍ଧ । ଏହାକୁ ତିନିଦିଗରୁ ବୁଝାଇ ଦେଲେ ଯେକେହି ବୁଝିଯିବେ ।
ପ୍ରଥମତଃ –ଯୀଶୁଙ୍କୁ ଭୀଷଣ ଚାବୁକ ପ୍ରହାର ହୋଇଥିଵାର ତଥା ବର୍ଚ୍ଚାରେ ଉଦର ଉପରେ ଆଘାତ କରାଯାଇଥିଵାଳ ସାହିତ୍ୟିକ ଓ ଐତିହାସିକ ପ୍ରମାଣ ରହିଛି । ଚାରୋଟି ସୁସମାଚାର (ମାଥିଉ ୨୭:୨୬, ମାର୍କ ୧୫:୧୫, ଲୂକ ୨୩:୧୬, ଯୋହନ ୧୯:୧) ସ୍ପଷ୍ଟ ଲେଖାଅଛି ଯେ ପୋଣ୍ଟିୟସ୍ ପାୟଲଟ୍ ଯୀଶୁଙ୍କୁ “ଚାବୁକ ମାରିଵାକୁ” (ଗ୍ରୀକ୍ φραγελλόω / phragelloō) ଆଦେଶ ଦେଇଥିଲେ । ୟୋହନ ସୁସମାଚାର (୧୯:୩୪)ରେ ଲିଖିତ ହୋଇଛି ଯେ ରୋମୀୟ ସୈନିକ ଜଣେ ବର୍ଚ୍ଛା (λόγχη / lonchē) ନେଇ ଯୀଶୁଙ୍କ ପାର୍ଶ୍ୱରେ ଭୁଶିଦେଲା ଏଵଂ “ସଙ୍ଗେସଙ୍ଗେ ରକ୍ତ ଓ ଜଳ ବାହାରିଲା” । ଏହି ଵର୍ଣ୍ଣନା ଅତ୍ୟନ୍ତ ପ୍ରତ୍ୟକ୍ଷଦର୍ଶୀ ଭଳି ଏଵ ଅନ୍ୟ ସୁସମାଚାରଗୁଡ଼ିକ ସହ ଵିରୋଧ ନକରି ପୂରକ ହୋଇଛି । ଏହା ଛଡ଼ା ପ୍ରାଚୀନ ଖ୍ରୀଷ୍ଟୀୟ ଲେଖକ ଇଗ୍ନେସିୟସ୍ (୧୧୦ ଖ୍ରୀ.ପୂ.), ଜଷ୍ଟିନ୍ ମାର୍ଟିର୍ (୧୫୦ ଖ୍ରୀ.ପୂ.) ଓ ଟର୍ଟୁଲିଆନ୍ (୨୦୦ ଖ୍ରୀ.ପୂ.) ମଧ୍ୟ ଯୀଶୁଙ୍କ ଚାବୁକ ମାଡ଼ ଓ ବର୍ଚ୍ଛା ଭୁଶାକୁ ସ୍ଵୀକାର କରିଛନ୍ତି ।
ପୁଣି ପୁରାତତ୍ତ୍ୱ ଓ ରୋମୀୟ ଅଭ୍ୟାସର ଐତିହାସିକ ପ୍ରମାଣ ମଧ୍ୟ ଅଛି । ରୋମୀୟ କ୍ରୁଶଦଣ୍ଡରେ ଆଗରୁ ଭୟଙ୍କର ଚାବୁକ ମାଡ଼ (flagellum) ଏକ ମାନ୍ୟତାପ୍ରାପ୍ତ ନିୟମ ଥିଲା । ପ୍ରଥମ ଶତାବ୍ଦୀର ଈହୁଦୀ ଇତିହାସକାର ଯୋସେଫସ୍ ଅନେକ ଥର ଲେଖିଛନ୍ତି ଯେ କ୍ରୁଶ ପୂର୍ଵରୁ ଲୋକମାନଙ୍କୁ ଏତେ ଚାବୁକ ମାରାଯାଉଥିଲା ଯେ ସେମାନଙ୍କର ହାଡ଼ ପିଞ୍ଜରା ବାହାରି ଆସୁଥିଲା । ଚାବୁକରେ ଧାରୁଆ ଲୁହା ଓ ହାଡ଼ ଥାଏ ଯାହା ମାଂସ ଛିଣ୍ଡାଇ ଦିଏ । ୧୯୬୮ରେ ଜେରୁଜେଲମରେ ମିଳିଥିଵା ଯେହୋହାନାନ୍ ନାମକ ଜଣେ କ୍ରୁଶଵିଦ୍ଧ ଵ୍ୟକ୍ତିର ହାଡ଼ରେ ସମାନ ଚାବୁକ ଚିହ୍ନ ମିଳିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୌତିକ ପ୍ରମାଣ ରୂପେ ତୁରିନ୍ କଫନ (Shroud of Turin) ବି ଅଛି । ଏହି ୪.୪ ମିଟର ଲମ୍ବା କପଡ଼ାରେ ଏକ ପୁରୁଷର ସମ୍ପୂର୍ଣ୍ଣ ଶରୀରର ନେଗେଟିଭ୍ ଛବି ଅଛି ଯାହାର ପିଠି ଓ ଵକ୍ଷରେ ୧୨୦ରୁ ଅଧିକ ଡମ୍ବେଲ୍ ଆକୃତିର (dumb-bell shaped) ଚାବୁକ ଆଘାତର ଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ଦେଖାଯାଏ । ଏହି ଚିହ୍ନଗୁଡ଼ିକ ରୋମୀୟ ଫ୍ଲାଜେଲମ୍ (flagellum)ର ତିନିଟି ଧାରୁଆ ବଲ୍ ସହ ପୂରା ମେଳ ଖାଏ । ପାର୍ଶ୍ୱରେ ଏକ ବଡ଼ ରକ୍ତସ୍ରାଵ ଚିହ୍ନ ଅଛି ଯାହା ରୋମୀୟ ବର୍ଚ୍ଛା (lancea)ର ଆକୃତି ସହ ମିଶେ । ଏହି କଫୀନର ପୋଲେନ୍ (pollen) ପରୀକ୍ଷାରେ ଜେରୁଜେଲମର ବସନ୍ତ କାଳର ଫୁଲର ପରାଗ ମିଳିଛି । ୧୯୮୮ର କାର୍ବନ୍ ଡେଟିଙ୍ଗ୍ରୁ ଏହା ମଧ୍ୟଯୁଗୀୟ ବୋଲା ଧରାଗଲା କିନ୍ତୁ ୨୦୧୦ ପରେ ନୂଆ ଅଧ୍ୟୟନ (୨୦୧୮ X-ray dating by Liberato De Caro, Italian National Research Council)ରେ ଏହା ୧ମ ଶତାବ୍ଦୀର ବୋଲି ପ୍ରମାଣିତ ହୋଇଛି । ଵିଶ୍ୱର ଅନେକ ଵୈଜ୍ଞାନିକ ଏହାକୁ ପ୍ରାଚୀନ ରୋମୀୟ କ୍ରୁଶଦଣ୍ଡର ଶିକାର ଵ୍ୟକ୍ତିର କଫୀନ ବୋଲି ମାନୁଛନ୍ତି ।
୧୯୮୬ରେ Journal of the American Medical Associationରେ ପ୍ରକାଶିତ ପ୍ରସିଦ୍ଧ ଗଵେଷଣା (Dr. Robert Bucklin, Dr. Frederick Zugibe ଆଦି) କହୁଛି ଯେ ରକ୍ତ ଓ ଜଳ (blood and clear fluid) ବାହାରିଵା କେଵଳ ମୃତ୍ୟୁ ପରେ ହୋଇପାରେ ଯେତେବେଳେ ହୃତ୍ପିଣ୍ଡ ଫାଟି ପେରିକାର୍ଡିୟାଲ୍ ଫ୍ଲୁଇଡ୍ ଓ ପ୍ଲୁରାଲ୍ ଫ୍ଲୁଇଡ୍ ଜମା ହୋଇଥାଏ । ଜୀଵିତ ଅଵସ୍ଥାରେ ଏହା ଅସମ୍ଭଵ ।
ତେଣୁ ଯୀଶୁଙ୍କ ଶରୀର ନମିଳିଵା ସତ୍ତ୍ୱେ ଚାବୁକ ମାଡ଼ ଓ ବର୍ଚ୍ଛା ଭୁଶାର ପ୍ରମାଣ ଅତ୍ୟନ୍ତ ବହୁମୁଖୀ ଏଵଂ ପରସ୍ପର ସହ ମେଳ ଖାଉଛି । ପ୍ରାଚୀନ ଲେଖ୍ୟ, ରୋମୀୟ ଅଭ୍ୟାସ, ପୁରାତତ୍ତ୍ୱ ଚିହ୍ନ, ତୁରିନ୍ କଫନର ଭୌତିକ ଛବି ଓ ଆଧୁନିକ ଚିକିତ୍ସା ଵିଜ୍ଞାନ ସବୁ ଏକ ଗୋଟିଏ କହୁଛନ୍ତି । ଏହା ଵିଶ୍ୱର ପ୍ରାୟ ସମସ୍ତ ନିରପେକ୍ଷ ଐତିହାସିକ ଓ ଵୈଜ୍ଞାନିକମାନଙ୍କ ଦ୍ୱାରା ସ୍ୱୀକୃତ ।
ତହୁଁ ଦାବି କରାଯାଏ, “ଯୀଶୁଙ୍କ ପ୍ରତି ସହାନୁଭୂତି ରଖିଥିଵା ଜଣେ ଧନୀକ ଵ୍ୟକ୍ତି ଓ ପୋଣ୍ଟିୟସ ପାଇଲଟ୍ ଉଭୟେ ଷଡ଼ଯନ୍ତ୍ର ରଚିଥିଲେ ଯେ ଯୀଶୁଙ୍କୁ ଶୁକ୍ରଵାର ଦିନ ଯେତେଦୂର ସମ୍ଭଵ ଡେରିରେ ଯେପରି କ୍ରୁଶଵିଦ୍ଧ କରି ଶୂଳିରେ ଚଢ଼ାଯିଵ କାରଣ ଶନିଵାର ଦିନ, ଇହୁଦୀ ସବୁ ବନ୍ଦ କରିଦେଇ ଥାନ୍ତି; ସେମାନଙ୍କ ସବ୍ତର ଦିନରେ ସେମାନଙ୍କୁ କୌଣସି ପ୍ରକାର କୃତ୍ୟର ଅନୁମତି ନଥିଲା ।ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସବୁ ଶେଷ କରାଯାଉଥିଲା ।”
ତେବେ ଏହି କଥାଟି କୌଣସି ପ୍ରାଚୀନ ଉତ୍ସରେ ନାହିଁ । ଚାରୋଟି ସୁସମାଚାର ଓ ଯୋସେଫସ୍, ଟାସିଟସ୍, ପ୍ଲିନି ଆଦି ରୋମୀୟ-ଇହୁଦୀ ଲେଖକମାନେ ଯୀଶୁଙ୍କ ମୃତ୍ୟୁକୁ ସ୍ୱୀକାର କରିଛନ୍ତି । କ୍ରୁଶ ପରେ ବର୍ଚ୍ଛା ଭୁଶି ରୋମୀୟ ସୈନିକମାନେ ନିଶ୍ଚିତ ହେଵା ପାଇଁ କରୁଥିଲେ ଏଵଂ ସେମାନଙ୍କୁ ଭୁଲ୍ ହେଲେ ମୃତ୍ୟୁଦଣ୍ଡ ମିଳୁଥିଲା । ତେଣୁ ଏହା ଗୋଟିଏ ସୁନ୍ଦର କଳ୍ପନା କାହାଣୀ ଛଡ଼ା ଆଉ କିଛି ନୁହେଁ ।
ସେଇଠୁ କାଶ୍ମୀରରେ “ରୌଜାବଲ୍” ନାମକ ସମାଧିକୁ ଯୀଶୁଙ୍କର ବୋଲି ଯେଉଁ ଦାବି କରାଯାଏ ତାହାର କୌଣସି ପୁରାତତ୍ତ୍ୱ ପ୍ରମାଣ ନାହିଁ । ୧୯୭୦ ଦଶକରେ ଜର୍ମାନ ଗଵେଷକ ପ୍ରଫେସର ଫିଦା ହାସ୍ନାଇନ୍ ଏହି କଥା ପ୍ରଚାର କରିଥିଲେ କିନ୍ତୁ ପରେ ନିଜେ ସ୍ୱୀକାର କରିଥିଲେ ଯେ ଏହା କେଵଳ ଲୋକକଥା ଓ ପର୍ଯ୍ୟଟକ ଆକର୍ଷଣ ପାଇଁ ପ୍ରଚାରିତ ହୋଇଥିଲା। ସେହି ସମାଧିରେ ଥିଵା ଦୁଇଟି କବର ମଧ୍ୟରୁ ଗୋଟିଏ ୧୫ଶ ଶତାବ୍ଦୀର ମୁସଲମାନ ସାଧୁ “ୟୁଜ୍ ଅସଫ୍”ଙ୍କର ଏବଂ ଅନ୍ୟଟି ତାଙ୍କ ଶିଷ୍ୟ ସୈୟଦ ନସୀରୁଦ୍ଦୀନଙ୍କର ଅଟେ । ଡିଏନ୍ଏ ପରୀକ୍ଷା ଵା କାର୍ବନ୍ ଡେଟିଙ୍ଗ୍ କେବେ ହୋଇନାହିଁ କାରଣ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟ ଏଥିପାଇଁ ଅନୁମତି ଦିଅନ୍ତି ନାହିଁ ।
ଦାବି କରାଯାଏ ଯେ ନିକୋଲାସ୍ ନୋଟୋଵିଚ୍ ନାମକ ଜଣେ ରୁଷିଆନ୍ ସାମ୍ବାଦିକ ତଥା ଅନୁସନ୍ଧାନକାରୀ ୧୮୮୭ ମସିହାରେ ଭାରତ ଓ ତିବ୍ବତ ଗସ୍ତ କରିଥିଲେ ଏଵଂ ୧୮୯୪ ମସିହାରେ ସେ ତାଙ୍କର ବହି “The Unknown Life of Jesus Christ” (ଯୀଶୁଖ୍ରୀଷ୍ଟଙ୍କ ଅଜଣା ଜୀବନ) ପ୍ରକାଶ କରିଥିଲେ। ଏହି ବହିରେ ନୋଟୋଵିଚ୍ ଦାବି କରିଛନ୍ତି ଯେ ଲଦାଖର ହେମିସ୍ ଗୁମ୍ଫାରେ (Hemis Monastery) ସେ ଦୁଇଟି ପ୍ରାଚୀନ ତିବ୍ବତୀ ପାଣ୍ଡୁଲିପି ଦେଖିଥିଲେ, ଯେଉଁଥିରେ ଲେଖା ଅଛି “ଈଶା” ଵା ଯୀଶୁଖ୍ରୀଷ୍ଟ ବାଇବେଲରେ ଉଲ୍ଲେଖ ନଥିଵା ତାଙ୍କର ୧୨ରୁ ୩୦ ଵର୍ଷ ବୟସ ମଧ୍ୟରେ ଭାରତ ଓ ତିବ୍ବତ ଆସି ହିନ୍ଦୁ ଓ ବୌଦ୍ଧ ଧର୍ମ ଶିଖିଥିଲେ। ନୋଟୋଵିଚ୍ କହିଥିଲେ ଯେ ଗୁମ୍ଫାର ପ୍ରଧାନ ଲାମା ତାଙ୍କୁ ସେହି ପାଣ୍ଡୁଲିପି ଦେଖାଇ ତା’ର ଫରାସୀ ଅନୁଵାଦ ଶୁଣାଇଥିଲେ।
ଏଠାରେ ଜାଣି ରଖିଵା ଉଚିତ ଯେ ନୋଟୋଭିଚ୍ କେବଳ ଯୁଵାଵସ୍ଥାର ଯୀଶୁଙ୍କ ଭାରତ ଆଗମନ ଵିଷୟରେ ହିଁ ଲେଖିଥିଲେ । ବହିରେ ଯାହା କୁହାଯାଇଛି ତାହାର ସଂକ୍ଷିପ୍ତ ସାର ଏଇଆ ଯେ ଯୀଶୁ ୧୩ ଵର୍ଷ ଵୟସରେ ଘର ଛାଡ଼ି ଵ୍ୟଵସାୟୀଙ୍କ ସହ ଭାରତ ଆସିଥିଲେ । ସିନ୍ଧୁ ନଦୀ ଅଞ୍ଚଳ, ପଞ୍ଜାବ, ରାଜପୁତାନା ଓ ହିମାଳୟ ଅଞ୍ଚଳରେ ବହୁ ଵର୍ଷ ରହି ହିନ୍ଦୁ ଓ ବୌଦ୍ଧ ଗୁରୁଙ୍କ ପାଖରେ ଧର୍ମ ଶିଖିଥିଲେ । ତାଙ୍କୁ ସେଠାରେ “ଈଶା” ବା “ସନ୍ଥ ଈଶା” ନାମରେ ଡକାଯାଉଥିଲା । ୨୯ ବର୍ଷ ବୟସରେ ପୁଣି ପାଲେଷ୍ଟାଇନ୍ ଫେରିଯାଇଥିଲେ । କ୍ରୁଶଵିଦ୍ଧରୁ ନ ମରି ବଞ୍ଚି ଯାଇ ପୁଣି ଭାରତ ଆସି କାଶ୍ମୀରରେ ୧୨୦ ଵର୍ଷ ବଞ୍ଚିଵା କଥାଟି ନୋଟୋଭିଚ୍ କେବେ ଲେଖି ନ ଥିଲେ। ଏହି ଦ୍ୱିତୀୟ ଅଂଶଟି ପରଵର୍ତ୍ତୀ କାଳରେ ଆନ୍ଦ୍ରିଆସ୍ ଫାବର୍-କାଇଜର୍ (୧୯୫୦ ଦଶକ),ହୋଲଗର କର୍ସ୍ଟେନ୍ (୧୯୬୦ ଦଶକ),
ଫିଦା ହାସନାଇନ୍ (୧୯୭୦-୮୦ ଦଶକ), ଏଲିଜାବେଥ୍ କ୍ଲେର୍ ପ୍ରଫେଟ୍ଟ୍ ଓ ଓଶୋ ଆଦି ଲେଖକ ଓ ଚିନ୍ତାଵିଦମାନେ ଯୋଡ଼ିଛନ୍ତି ।
ଅଵଶ୍ୟ ନୋଟୋଵିଚ୍ଙ୍କ ଦାବି ପ୍ରକାଶ ହେଵା ସମୟରେ ପାଶ୍ଚାତ୍ୟ ଵିଦ୍ୱାନମାନେ ଏହାକୁ ଅତ୍ୟନ୍ତ ସନ୍ଦେହରେ ଦେଖିଥିଲେ। ଵିଶେଷ କରି ଅକ୍ସଫୋର୍ଡ ଵିଶ୍ୱଵିଦ୍ୟାଳୟର ପ୍ରସିଦ୍ଧ ପ୍ରାଚ୍ୟଵିଦ୍ ତଥା ସଂସ୍କୃତ ଵିଶାରଦ ମାକ୍ସ ମୁଲର୍ (Max Müller) ଏହାକୁ ସମ୍ପୂର୍ଣ୍ଣ ଜାଲିଆତି ବୋଲି ଘୋଷଣା କରିଥିଲେ ଏଵଂ ସେ ନିଜେ ହେମିସ୍ ଗୁମ୍ଫା ସହ ଚିଠି ଲେଖାଲେଖି କରି ଖୋଜଖବର ନେଇଥିଲେ।
୧୯୨୦ ଦଶକରେ ଅନେକ ପାଶ୍ଚାତ୍ୟ ଗଵେଷକ ଓ ଯାତ୍ରୀ ନିଜେ ଲଦାଖ ଯାଇ ହେମିସ୍ ଗୁମ୍ଫାରେ ସେହି ପାଣ୍ଡୁଲିପି ଖୋଜିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବ୍ରିଟିଶ୍ ଅନୁସନ୍ଧାନକାରୀ ଜର୍ଜ ରୋରିଚ୍, ଆମେରିକାନ୍ ଧର୍ମପ୍ରଚାରକ ଡାକ୍ତାର ଏଲମର୍ ଏଲିଜାବେଥ୍ ହାର୍ଵି, ସ୍ୱାମୀ ଅଭେଦାନନ୍ଦ (ଵିଵେକାନନ୍ଦଙ୍କ ଶିଷ୍ୟ) ଆଦି। ସେମାନେ ସମସ୍ତେ ଗୁମ୍ଫାର ପୁସ୍ତକାଳୟ ଓ ଭଣ୍ଡାର ଖୋଲାଖୋଲି କରି ଦେଖିଵା ସହ ପ୍ରଧାନ ଲାମାଙ୍କ ସହ କଥା ହୋଇଥିଲେ।
ହେମିସ୍ ଗୁମ୍ଫାର ତତ୍କାଳୀନ ପ୍ରଧାନ ଲାମା ନିଜେ ଲିଖିତ ଭାବେ ଓ ମୌଖିକ ଭାବେ ବାରମ୍ବାର ଘୋଷଣା କରିଥିଲେ ଯେ ସେଠାରେ ଏପରି କୌଣସି ପାଣ୍ଡୁଲିପି କେବେ ହେଲେ ନାହିଁ କି ନଥିଲା ଏଵଂ ନିକୋଲାସ୍ ନୋଟୋଵିଚ୍ ନାମରେ କେହି ବି କେବେ ସେ ଗୁମ୍ଫାକୁ ଆସି ନଥିଲେ। ଏହି ବୟାନ ଅନେକ ପାଶ୍ଚାତ୍ୟ ଗଵେଷକଙ୍କ ରିପୋର୍ଟରେ ଲିପିବଦ୍ଧ ହୋଇଛି ଏଵଂ ଆଜି ପର୍ଯ୍ୟନ୍ତ ହେମିସ୍ ଗୁମ୍ଫାର ଅଫିସିଆଲ୍ ଅଵସ୍ଥାନ ଏହି ଯେ ଏହା ଏକ ସମ୍ପୂର୍ଣ୍ଣ ଜାଲିଆତି।
ପରବର୍ତ୍ତୀ କାଳରେ ଅନେକ ବିଦ୍ୱାନ ଯେପରି ଏଡଗାର୍ ଗୁଡ଼ସ୍ପିଡ୍ (ଆମେରିକା), ଡଗଲାସ୍ ଟି. ମ୍ୟାକଗେଟିଗାନ୍ (କାନାଡା), ରବର୍ଟ ଏଚ୍. ଷ୍ଟାଇନ୍ ଆଦି ବି ଏହାକୁ ନୋଟୋଵିଚ୍ଙ୍କ ନିଜେ ରଚିତ କାଳ୍ପନିକ କାହାଣୀ ବୋଲି ପ୍ରମାଣିତ କରିଛନ୍ତି। ଆଜି ବି ଵିଶ୍ୱର ପ୍ରାୟ ସବୁ ପ୍ରସିଦ୍ଧ ଵିଶ୍ୱଵିଦ୍ୟାଳୟ ଓ ଗଵେଷଣା ସଂସ୍ଥା ଏହି ପୁସ୍ତକକୁ ଏକ ଐତିହାସିକ ଜାଲିଆତି (historical forgery) ରୂପେ ଗ୍ରହଣ କରନ୍ତି।
ନୋଟୋଵିଚ୍ ଯାହା କହିଥିଲେ ତା’ର କୌଣସି ପ୍ରମାଣ ଆଜିଯାଏ ମିଳିନାହିଁ ଏଵଂ ହେମିସ୍ ଗୁମ୍ଫା ନିଜେ ଓ ଅନେକ ସ୍ୱାଧୀନ ଗଵେଷକ ଏହାକୁ ପୁରାପୁରି ଅସ୍ୱୀକାର କରିଛନ୍ତି। ତେଣୁ ଏହାକୁ ଆଜି ଐତିହାସିକ ଭାବେ ଏକ ଵିଶ୍ୱପ୍ରସିଦ୍ଧ ଜାଲିଆତି ରୂପେ ଗ୍ରହଣ କରାଯାଏ।
ପ୍ରାଚୀନ ଭାରତ ଵା କାଶ୍ମୀରର କୌଣସି ସାହିତ୍ୟ, ଶିଲାଲିପି, ବୌଦ୍ଧ ବା ହିନ୍ଦୁ ଗ୍ରନ୍ଥରେ ଯୀଶୁ ଵା “ଈଶା” ଵିଷୟରେ କିଛି ବି ଉଲ୍ଲେଖ ନାହିଁ । ଯଦି ଯୀଶୁଙ୍କ ଭଳି ଜଣେ ଵିଶିଷ୍ଟ ଵ୍ୟକ୍ତି ୮୦-୧୦୦ ଵର୍ଷ ଧରି କାଶ୍ମୀରରେ ରହି ଧର୍ମ ପ୍ରଚାର କରୁଥାଆନ୍ତେ ତେବେ ରାଜତରଙ୍ଗିଣୀ ଭଳି କାଶ୍ମୀରର ଐତିହାସିକ ଗ୍ରନ୍ଥରେ ଅଵଶ୍ୟ ଏହାର ଉଲ୍ଲେଖ ରହିଥାଆନ୍ତା ।
ଶେଷରେ ଏତିକି କୁହାଯାଇପାରେ ଯେ ଓଶୋ ଏହି କଥା କହିଥିଲେ ମଧ୍ୟ ଏହା ଐତିହାସିକ ନୁହେଁ ଵରଂ ଏକ ଆଧ୍ୟାତ୍ମିକ କଳ୍ପନା ଓ ପରଵର୍ତ୍ତୀ କାଳର ଜାଲିଆତି ଉପରେ ଆଧାରିତ । ଵିଶ୍ୱର ପ୍ରାୟ ସମସ୍ତ ନିରପେକ୍ଷ ପୁରାତତ୍ତ୍ୱ ଓ ଚିକିତ୍ସା ଵିଜ୍ଞାନୀମାନେ ଯୀଶୁଙ୍କ କ୍ରୁଶ ମୃତ୍ୟୁକୁ ସ୍ୱୀକାର କରନ୍ତି ଏଵଂ ଭାରତ ଆଗମନ ତଥା କାଶ୍ମୀର ସମାଧି କଥାକୁ ପୌରାଣିକ କିମ୍ବା ପର୍ଯ୍ୟଟନ ଵ୍ୟଵସାୟ ସହ ଜଡ଼ିତ ମିଥକ ମାନନ୍ତି । ତେଣୁ ଏହି ଦାବିର କୌଣସି ଵିଶ୍ୱସନୀୟ ଐତିହାସିକ ଵା ବୈଜ୍ଞାନିକ ପ୍ରମାଣ ନାହିଁ ।