Saturday, January 17, 2026

ବିଲେଇ ଚିତ୍ର ଆଙ୍କିଥିଵା ଏକ ଜାପାନୀ ବାଳକର କାହାଣୀ

ଅନେକ ଵର୍ଷ ପୂର୍ବେ ଜାପାନର ଏକ ଛୋଟ ଗ୍ରାମରେ ଜଣେ ଗରିବ କୃଷକ ଏଵଂ ତାଙ୍କ ପତ୍ନୀ ରହୁଥିଲେ। ସେମାନଙ୍କର ଅନେକ ସନ୍ତାନ ଥିଲେ—ବଡ଼ ପୁଅମାନେ ଓ ଝିଅମାନେ କ୍ଷେତରେ ତଥା ଘରେ କାମରେ ଵହୁତ ପରିଶ୍ରମ କରୁଥିଲେ। କିନ୍ତୁ ସବୁଠାରୁ ସାନ ପୁଅ ବହୁତ ଦୁର୍ଵଳ ଓ ଛୋଟ ଥିଲା। ସେ କାମଦାମରେ ସାହାଯ୍ୟ କରୁ ନଥିଲା—କେଵଳ ଚିତ୍ର ଆଙ୍କିଵାକୁ ସୁଖ ପାଉଥିଲା, ଆଉ ସେହି ଚିତ୍ର ସବୁ ଵିଲେଇର ହିଁ ଚିତ୍ର ଥିଲା। ସେ ମାଟିରେ,କାଠରେ, କାଗଜରେ, ଯେଉଁଠି ମିଳୁଥିଲା ସେଠାରେ ବିଲେଇର ଚିତ୍ର ଆଙ୍କୁଥିଲା—ଛୋଟ ବିଲେଇ,ବଡ଼ ବିଲେଇ,ଭୟଙ୍କର ବିଲେଇ, ନିଦ୍ରିତ ବିଲେଇ ଇତ୍ୟାଦି ।
ପିତାମାତା ଚିନ୍ତିତ ହୋଇପଡ଼ିଲେ—ଏ ବାଳକ କେବେ ବି ଜଣେ ଭଲ କୃଷକ ହୋଇପାରିଵ ନାହିଁ। ମା' କହିଲେ ସେ ଚତୁର, ତେଣୁ ଗ୍ରାମର ବୌଦ୍ଧ ମଠରେ ପୂଜକଙ୍କ ପାଖରେ ସହାୟକ ହୋଇ ରହିପାରିଵ। ସେମାନେ ପୂଜକଙ୍କୁ ଦେଖା କଲେ। ପୂଜକ ବାଳକକୁ ଚତୁର ଓ କଳ୍ପନାଶୀଳ ଦେଖି ରାଜି ହେଲେ, କିନ୍ତୁ କହିଲେ ସବୁ ନିୟମ ମାନି ଚଳିଵାକୁ ହେଵ।

ବାଳକ ମଠରେ ରହିଲା। ସେ ପଢ଼ିଵାକୁ ସୁଖ ପାଉଥିଲା, କିନ୍ତୁ ଏକା ହେଲେ ଵିଲେଇ ଚିତ୍ର ଆଙ୍କିଵା ଛାଡ଼ୁ ନଥିଲା। ସିଏ ପୂଜକଙ୍କ ପୁସ୍ତକର ପାର୍ଶ୍ୱରେ, ମଠର ପରଦାରେ,କୁଢ଼ରେ, ସ୍ତମ୍ଭରେ ସବୁଠି ବିଲେଇର ଚିତ୍ର ଆଙ୍କି ଦେଉଥିଲା। ପୂଜକ ବାରମ୍ଵାର ମନା କରୁଥିଲେ, କିନ୍ତୁ ସେ ବିଲେଇ ଚିତ୍ର ଆଙ୍କିଵା ଛାଡ଼ୁ ନଥିଲା। ଶେଷରେ ଦିନେ ନିରାଶ ହୋଇ ପୂଜକ ଜଣକ ବାଳକକୁ କହିଲେ, ''ତୁମେ କେଵଳ ବିଲେଇ ଚିନ୍ତା କରୁଛ—ଏହି ମମତ୍ବ ତୁମକୁ ପୂଜକ ହେଵାରେ ମୁଟେ ସାହାଯ୍ୟ କରିଵ ନାହିଁ। ତୁମେ ଘରକୁ ଫେରିଯାଅ।'' ଵାଳକ ଦୁଃଖ ମନରେ ମଠ ଛାଡ଼ି ଵାହାରିଗଲା।

ବାଳକଟି ଜାଣିଥିଲା ଘରକୁ ଫେରିଲେ ପିତାମାତା ଦୁଃଖ କରିବେ। ତେଣୁ ସେ ଆଉ ଏକ ମଠରେ ଯାଇ ରହିଵାକୁ ସ୍ଥିର କଲା। କିଛି ଦୂରରେ ଆଉ ଏକ ବୌଦ୍ଧ ମଠ ଥିଲା । ବାଳକ ସେହି ମଠ ଭିତରକୁ ଚାଲିଗଲା । ମଠରେ କେହି ନଥିଲେ । ବାଳକ ଭାବିଲା ମଠର ଲୋକେ ଅନ୍ୟତ୍ର ତୀର୍ଥ କରିଵାକୁ ଯାଇଛନ୍ତି । ମନରେ ଏୟା ଵିଚାର କରି ସେ ସେହି ମଠରେ ହିଁ ରହିଗଲା। କିନ୍ତୁ ବାଳକ ଜାଣି ନଥିଲା ଯେ ସେହି ମଠ ପରିତ୍ୟକ୍ତ ଓ ଏକ ଭୟଙ୍କର ଗାଈ ଆକାରର ଗବ୍ଲିନ୍ ମୂଷା ସେଠାରେ ରହୁଛି। ସେ ଗବ୍ଲିନ୍ ମୂଷା ଗୋଟିଏ ଶକ୍ତିଶାଳୀ ପ୍ରେତାତ୍ମା ଯାହାକୁ ଦୈର୍ଯ୍ୟଵାନ ତାନ୍ତ୍ରିକ ଓ ଲଢ଼ୁଆ ସୈନିକମାନେ ମଧ୍ୟ ତଡ଼ିଵାରେ ଵିଫଳ ହୋଇଥିଲେ।
ବାଳକ ସେହି ପ୍ରେତାତ୍ମା ପ୍ରଭାଵିତ ମଠ ଭିତର କବାଟ ଖୋଲି ଦେଇ ଆଶ୍ଚର୍ଯ୍ୟ ହୋଇଗଲା । ସେଠାରେ କିଛି ନଥିଲା ଏଵଂ ଚାରିଆଡ଼େ ଅନ୍ଧାର ଥିଲା । ବାଳକ ଏକ ଵତୀ ଜଳାଇ ଦେଖିଲା ବଡ଼ ଘରରେ ଅନେକ ସାଦା ପରଦା ରହିଛି। ସେ ଖୁସିରେ ତାଳି ମାରି କାଳି, ତୁଳୀ ବାହାର କରି ବିଲେଇ ଚିତ୍ର ଆଙ୍କିଵାକୁ ଲାଗିଲା। ସେ ଅନେକ ବିଲେଇ ଚିତ୍ର ଆଙ୍କିଲା—ଶେଷରେ ଏକ ଵିରାଟ, ଭୟଙ୍କର ବିଲେଇ ଚିତ୍ର ଆଙ୍କିଲା। ଅନେକ ଚିତ୍ର ଆଙ୍କି ଦେଇଥିଵାରୁ କ୍ଳାନ୍ତ ହୋଇ ବାଳକଟି ଏକ ଛୋଟ ଆଲମାରି (କ୍ୟାଵିନେଟ୍) ଭିତରେ ଲୁଚି ଶୋଇଲା, କାରଣ ପୂଜକଙ୍କ ଉପଦେଶ ତାହାର ମନେ ପଡ଼ିଗଲା ଯେ ବଡ଼ ଜିନିଷ ଭିତରେ ଲୁଚିଵା ଉଚିତ୍ ଅଟେ।

ମଧ୍ୟରାତିରେ ଭୟଙ୍କର ଶବ୍ଦ ହେଲା—ଗର୍ଜନ, ଆକ୍ରମଣ, ଝଗଡ଼ାର ଶବ୍ଦ। ଵାଳକ ଭୟରେ ଚୁପ୍ ରହିଲା। ସକାଳେ ସୂର୍ଯ୍ୟ ଉଦୟ ହେଵାପରେ ବାଳକଟି ଆଲମାରିରୁ ବାହାରି ଦେଖିଲା— ବଡ଼ ମୂଷାଟିଏ ମରି ଚଟାଣରେ ପଡ଼ିଛି, ଚାରିଆଡ଼େ ରକ୍ତ ପଡ଼ିଛି। ଅଙ୍କା ଯାଇଥିଵା ବିଲେଇମାନଙ୍କର ଚିତ୍ର ମୁହଁରେ ରକ୍ତ ଲାଗିଛି—ସେମାନଙ୍କ ପାଞ୍ଜା ଓ ଦାନ୍ତ ରକ୍ତମୟ ଦେଖାଯାଉଛି । ଵାଳକ ବୁଝିଲା ତା'ର ଅଙ୍କା ବିଲେଇ ଚିତ୍ରମାନ ଜୀଵନ୍ତ ହୋଇ ପ୍ରେତ ମୂଷାକୁ ମାରିଦେଇଛନ୍ତି। ସେ କୃତଜ୍ଞତାରେ ବିଲେଇମାନଙ୍କୁ ନମସ୍କାର କଲା ଓ ପ୍ରତିଜ୍ଞା କଲା ଯେ ଜୀଵନ ସାରା କେଵଳ ବିଲେଇର ହିଁ ଚିତ୍ର ଆଙ୍କିଵ।
ଗ୍ରାମଵାସୀମାନେ ଏହି ଘଟଣା ଶୁଣି ଵାଳକକୁ ଵୀର ମାନିଲେ। ପୂର୍ଵ ପୂଜକ ମଧ୍ୟ ତାକୁ ଫେରି ଆସିଵାକୁ କହିଲେ, କିନ୍ତୁ ସେ ପୂଜକ ହେଲା ନାହିଁ। ସେ ଜଣେ ପ୍ରସିଦ୍ଧ ଚିତ୍ରକର ହେଲା, ଯାହାର ବିଲେଇ ଚିତ୍ର ଆଜି ମଧ୍ୟ ଜାପାନରେ ଦେଖାଯାଏ।
×××××××××××××××××××××××××××
ଏହି ଲୋକକଥାଟି ମୂଳତଃ ଏକ ଜାପାନୀ ଲୋକକଥାରୁ ପ୍ରଭାଵିତ ହୋଇ ଲାଫ୍‌କାଡିଓ ହର୍ନ ୧୮୯୮ରେ ଇଂରାଜୀରେ "The Boy Who Drew Cats" ନାମରେ ପ୍ରକାଶ କରିଥିଲେ। ଏହା ଜାପାନର ମହାନ୍ ଚିତ୍ରକର Sessu Toyo(ସେସ୍ସୁ ଟୋୟୋ)ଙ୍କ ଵାଲ୍ୟାଵସ୍ଥା କିମ୍ଵଦନ୍ତୀ ସହ ଗଭୀରଭାବେ ଜଡ଼ିତ ବୋଲି ମନେ କରାଯାଏ। ଅଵଶ୍ୟ ଐତିହାସିକ ଭାବେ ଏହା ସିଧାସଳଖ ସେସ୍ସୁ ଟୋୟୋଙ୍କର ଜୀଵନୀ ସହିତ ସମ୍ପର୍କିତ ନୁହେଁ, ତଥାପି ଏହା ତାଙ୍କ ଵାଲ୍ୟାଵସ୍ଥାର କିଛି ପ୍ରଚଳିତ କିମ୍ଵଦନ୍ତୀରୁ ଉଦ୍ଭଵ ହୋଇଥିଵା ଏକ କଳ୍ପନାପୂର୍ଣ୍ଣ ଲୋକଗଳ୍ପ।

ସେସ୍ସୁ ଛୋଟବେଳୁ ଜେନ୍ ମଠରେ ସନ୍ନ୍ୟାସୀ ଭାବେ ରହୁଥିଲେ । ପ୍ରଥମେ ସେ ବାଉଫୁକୁ-ଜି ଵା ଇଇୟାମା ହୋଫୁକୁ-ଜି ମଠରେ ଥିଲେ ପରେ କ୍ୟୋଟୋର ଶୋକୋକୁ-ଜିରେ ରହିଥିଲେ। ଏକ ପ୍ରସିଦ୍ଧ କିମ୍ଵଦନ୍ତୀ ଅନୁଯାୟୀ, ସେ ପଢ଼ାପଢ଼ି ଛାଡ଼ି କେଵଳ ଚିତ୍ର ଆଙ୍କୁଥିଲେ। ପୂଜକ ତାଙ୍କୁ ଶାସ୍ତି ସ୍ୱରୂପ ମନ୍ଦିରର ସ୍ତମ୍ଭରେ ବାନ୍ଧି ଦେଇଥିଲେ। କିନ୍ତୁ ସେ କାନ୍ଦିଵା ସମୟରେ ତାଙ୍କ ଆଖିରୁ ପଡ଼ୁଥିଵା ଅଶ୍ରୁକୁ ପାଦର ଆଙ୍ଗୁଠିରେ ଲଗାଇ ମାଟିରେ ଏକ ମୂଷାର ଚିତ୍ର ଆଙ୍କିଥିଲେ। ଏହି ଚିତ୍ର ଏତେ ଜୀଵନ୍ତ ଦେଖାଯାଉଥିଲା ଯେ ପୂଜକ ପ୍ରଥମେ ଏହାକୁ ସତସତିକା ମୂଷା ଭାବି ଭୟ ପାଇଥିଲେ ଏଵଂ ପରେ ତାଙ୍କ ପ୍ରତିଭାରେ ପ୍ରଭାଵିତ ହୋଇ ସେସ୍ସୁ ଟୋୟୋଙ୍କୁ ଚିତ୍ର ଆଙ୍କିଵାକୁ ଅନୁମତି ଦେଇଥିଲେ। ଏହି ଘଟଣା ତାଙ୍କର ଅସାଧାରଣ ପ୍ରତିଭାର ପ୍ରମାଣ ଭାବେ ପ୍ରଚଳିତ।

 କାହାଣୀରେ ବାଳକ ଦୁଇଗୋଟି ମଠରେ ରହିଥିଵା କୁହାଯାଇଛି । ସେସ୍ସୁ ଟୋୟୋ ମଧ୍ୟ ଦୁଇଗୋଟି ମଠରେ ରହିଥିଲେ । ବାରମ୍ବାର ମନା କରିଵା ସତ୍ତ୍ୱେ ବାଳକ ବିଲେଇ ଚିତ୍ର ଆଙ୍କିଵା ଯୋଗୁଁ ମଠର ପୂଜାରୀ ତାକୁ ଗାଆଁକୁ ଫେରିଯିଵାକୁ କହିଥିଲେ ଯାହା ଦଣ୍ଡ ଭଳି ଥିଲା । ଠିକ୍ ସେହିପରି ସେସ୍ସୁ ଟୋୟୋ ମଧ୍ୟ ଚିତ୍ର ଆଙ୍କିଵା ଯୋଗୁଁ ଦଣ୍ଡିତ ହୋଇଥିଲେ । 

ଏହି ଲୋକକଥା ଜାପାନର ଵିଭିନ୍ନ ଅଞ୍ଚଳରେ ଭିନ୍ନ ନାମରେ ପ୍ରଚଳିତ ଥିଲା। କିଛି ଵିଦ୍ୱାନ ଏହାକୁ ପଞ୍ଚଦଶ ଶତାବ୍ଦୀର ସେସ୍ସୁଙ୍କ ଚାରିପାଖରେ ଗଢ଼ି ଉଠିଥିଵା କିମ୍ଵଦନ୍ତୀରୁ ଉଦ୍ଭଵ ହୋଇଥିଵା ବୋଲି ମନେ କରନ୍ତି। ଲାଫ୍‌କାଡିଓ ହର୍ନ ଏହାକୁ ଅନୁଵାଦ ଓ ପୁନର୍ଲିଖନ କରିଵା ପରେ ଏହା ଵିଶ୍ୱଵ୍ୟାପୀ ପ୍ରସିଦ୍ଧ ହେଲା। ଅନେକ ପିଲାମାନଙ୍କ ପାଇଁ ଏହା ସେସ୍ସୁଙ୍କ ଵାଲ୍ୟାଵସ୍ଥାର ଏକ କାହାଣୀ ଭାବେ ପ୍ରଚଳିତ।

 

ସେସ୍ସୁ ଟୋୟୋଙ୍କ ଜନ୍ମ ପ୍ରାୟ ୧୪୨୦ ଓ ମୃତ୍ୟୁ ୧୫୦୬ ଅଗଷ୍ଟ ୨୬ ହୋଇଥିଲା । ସେ ଜାପାନର ମୁରୋମାଚି ଯୁଗର ସବୁଠାରୁ ପ୍ରସିଦ୍ଧ ଚିତ୍ରକର ଓ ଜେନ୍ ବୌଦ୍ଧ ସନ୍ନ୍ୟାସୀ ଥିଲେ। ସେ ଜାପାନୀ କାଳି ଚିତ୍ରକଳା (sumi-e ଵା ink wash painting)ର ମହାନ୍ ମାଷ୍ଟର ଭାବେ ପରିଚିତ। ଚାଇନାର ସଙ୍ଗ୍ ଓ ମିଙ୍ଗ୍ ଯୁଗର ପ୍ରଭାଵ ଗ୍ରହଣ କରି ସେ ଜାପାନୀ ଶୈଳୀରେ ଏକ ନିଜସ୍ୱ ରୂପ ଦେଇଥିଲେ, ଯାହା ଜେନ୍ ବୌଦ୍ଧ ଦର୍ଶନ, ସରଳତା, ଶକ୍ତିଶାଳୀ ବ୍ରଶ୍ ଷ୍ଟ୍ରୋକ୍ ଓ ଭାଵନାତ୍ମକ ଗଭୀରତା ପ୍ରକାଶ କରେ।

ସେସ୍ସୁ ଏକ ସମୁରାଇ ଓଡା ପରିଵାରରେ ଜନ୍ମଗ୍ରହଣ କରିଥିଲେ ଏଵଂ ଛୋଟବେଳୁ ଚିତ୍ରକଳାରେ ଅସାଧାରଣ ପ୍ରତିଭା ଦେଖାଇଥିଲେ। ମାତ୍ର ୧୧ ଵର୍ଷ ଵୟସରେ ସେ ଜେନ୍ ସନ୍ନ୍ୟାସୀ ହୋଇ କ୍ୟୋଟୋର ଶୋକୋକୁ-ଜି ମଠରେ ରହିଲେ ଓ ପ୍ରସିଦ୍ଧ ଚିତ୍ରକର ଟେନ୍‌ଶୋ ଶୁବୁନ୍‌ଙ୍କ ପାଖରେ ଚିତ୍ରକଳା ଶିଖିଲେ।

୧୪୬୮-୬୯ରେ ସେସ୍ସୁ ଚୀନ (ମିଙ୍ଗ୍ ରାଜଵଂଶ) ଯାତ୍ରା କଲେ ଏଵଂ ସେଠାରେ ତାଙ୍କର କଳା ବହୁ ପ୍ରଶଂସିତ ହେଲା। ଚୀନର ଲ୍ୟାଣ୍ଡସ୍କେପ୍ ଚିତ୍ର ପରମ୍ପରାରୁ ସେ ଗଭୀର ଭାବରେ ପ୍ରେରିତ ହୋଇଥିଲେ। ଜାପନକୁ ଫେରିଵା ପରେ ସେ ୟାମାଗୁଚି, ଓଇଟା ଓ ମାସୁଡାରେ ରହି ଅନେକ ଅମର ଚିତ୍ର ସୃଷ୍ଟି କଲେ ଏଵଂ ନିଜର ଷ୍ଟୁଡିଓ ସ୍ଥାପନ କରି ଉନ୍‌କୋକୁ ସ୍କୁଲ୍ ପ୍ରତିଷ୍ଠା କଲେ, ଯାହା ପରଵର୍ତ୍ତୀ ପିଢ଼ିର ଚିତ୍ରକରମାନଙ୍କୁ ପ୍ରଭାଵିତ କଲା। ସେ କେଵଳ ଚିତ୍ରକଳା ନୁହେଁ ଵରଂ ବଗିଚା ଡିଜାଇନ୍ କରିଵାରେ ମଧ୍ୟ ପାରଙ୍ଗମ ଥିଲେ । ଇକୋ-ଜି ମଠର ପ୍ରସିଦ୍ଧ ବଗିଚା ସେ ଡିଜାଇନ୍ କରିଥିଲେ ବୋଲି କଥିତ ହୋଇଥାଏ ।

ସେସ୍ସୁଙ୍କ ଅନେକ ଚିତ୍ର ଜାପାନର ନ୍ୟାଶନାଲ୍ ଟ୍ରେଜର୍ (ଜାତୀୟ ସମ୍ପଦ) ଭାବେ ଘୋଷିତ ହୋଇଛି । ତାଙ୍କର କିଛି ଅମର କାର୍ଯ୍ୟ ହେଉଛି:

୧)ଟୋକ୍ୟୋ ନ୍ୟାଶନାଲ୍ ମ୍ୟୁଜିୟମ୍‌ରେ ସଂରକ୍ଷିତ Winter Landscape(ପ୍ରାୟ ୧୪୭୦ଦଶକ)
୨)ମ୍ୟୋଶିନ୍-ଜି ମଠରେ ସଂରକ୍ଷିତ
Haboku-sansui (ବ୍ରୋକେନ୍ ଇଙ୍କ୍ ଲ୍ୟାଣ୍ଡସ୍କେପ୍, ୧୪୯୫)
୩)Sansui Chōkan (Long Landscape Scroll)
୪)ଟୋକ୍ୟୋ ନ୍ୟାଶନାଲ୍ ମ୍ୟୁଜିୟମ୍‌ରେ ସଂରକ୍ଷିତ Four Landscape Scrolls of the Seasons 
୫)ଚୀନ ପ୍ରଭାଵିତ ସିଲ୍କ୍ ଉପରେ ଅଙ୍କିତ Birds and Flowers ଚିତ୍ର 
୬)View of Ama-no-Hashidate 
୭)Huike Offering His Arm to Bodhidharma(୧୪୯୬)

ସେସ୍ସୁଙ୍କ କାର୍ଯ୍ୟରେ ପ୍ରାୟତଃ ଲ୍ୟାଣ୍ଡସ୍କେପ୍, ପକ୍ଷୀ-ଫୁଲ, ଜେନ୍ ଦୃଶ୍ୟ ଓ ପୋର୍ଟ୍ରେଟ୍ ଦେଖାଯାଏ। ତାଙ୍କର ଶୈଳୀରେ ଫ୍ଲାଟେନ୍ଡ ପର୍ସପେକ୍ଟିଵ୍, ଵଳିଷ୍ଠ ଓ ନିର୍ଣ୍ଣାୟକ ଲାଇନ୍, କମ୍ ଡିଟେଲ୍ ସହ ଗଭୀର ଭାଵନାତ୍ମକ ପ୍ରଭାଵ ରହିଛି। ସେ କାଳି ଓ କାଗଜ/ସିଲ୍କ୍‌ର ସରଳ ମାଧ୍ୟମରେ ପ୍ରକୃତିର ଆତ୍ମା, ଜେନ୍ ଦର୍ଶନର ଶୂନ୍ୟତା ଓ ସମୟର ପ୍ରଵାହକୁ ଧରି ରଖିଵାରେ ସଫଳ ହୋଇଥିଲେ।

ତାଙ୍କର ପ୍ରଭାଵ ପରଵର୍ତ୍ତୀ ଜାପାନୀ ଚିତ୍ରକଳାରେ, ଵିଶେଷକରି କାନୋ ସ୍କୁଲ୍‌ରେ, ଗଭୀରଭାବେ ଦେଖାଯାଏ। ବହୁ କଳା ଵିଦ୍ୟାଳୟ ତାଙ୍କୁ ନିଜର ପ୍ରତିଷ୍ଠାତା ଵା ପ୍ରେରଣା ଉତ୍ସ ଭାବେ ମାନ୍ୟତା ଦେଇଥିଲେ। ତାଙ୍କର ଚିତ୍ରଗୁଡ଼ିକ ଆଜି ଟୋକ୍ୟୋ ନ୍ୟାଶନାଲ୍ ମ୍ୟୁଜିୟମ୍, କ୍ୟୋଟୋ ନ୍ୟାଶନାଲ୍ ମ୍ୟୁଜିୟମ୍ ଓ ଅନ୍ୟାନ୍ୟ ପ୍ରମୁଖ ସଂଗ୍ରହାଳୟରେ ସଂରକ୍ଷିତ ଏଵଂ ଵିଶ୍ୱଵ୍ୟାପୀ କଳା ପ୍ରେମୀମାନଙ୍କ ଦ୍ୱାରା ସମାଦୃତ।

"ବିଲେଇ ଚିତ୍ର ଆଙ୍କିଥିଵା ବାଳକ" ଗଳ୍ପଟି କେଵଳ ଏକ ଲୋକକଥା ନୁହେଁ—ଏହା ଏକ ଗଭୀର ଶିକ୍ଷା ଦିଏ ଯେ ନିଜର ପ୍ରକୃତ ପ୍ରତିଭା ଓ ଆଗ୍ରହକୁ ଅନୁସରଣ କରିଵା ଜୀଵନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ସେସ୍ସୁଙ୍କ ଜୀଵନୀ ଓ ଏହି ଲୋକଗଳ୍ପ ମଧ୍ୟରେ ସମ୍ପର୍କ ହୁଏତ କିମ୍ଵଦନ୍ତୀ ଓ କଳ୍ପନାର ମିଶ୍ରଣ, କିନ୍ତୁ ଏହା ଏକ ଗଭୀର ସତ୍ୟକୁ ପ୍ରତିଫଳିତ କରେ—ପ୍ରକୃତ କଳା ସର୍ଵଦା ହୃଦୟର ଗଭୀରତାରୁ ଜାତ ହୁଏ ଏଵଂ ତାହା ନିୟମ ଓ ପରମ୍ପରାକୁ ଅତିକ୍ରମ କରିପାରେ।

Friday, January 16, 2026

ବୋଉ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ

କିଛି ଵର୍ଷ ତଳେ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ମହାକଵି ଦାଣ୍ଡ ମଝିରେ ଡାକବାଜି ଲଗାଇ କଟକିଆଙ୍କୁ ପ୍ରଶ୍ନ କରୁଥାନ୍ତି... “ଗାଈ ହମ୍ମା ହମ୍ମା କରେ,ଅନେକ ମଣିଷ ବି ମାଁ କୁହନ୍ତି। ସଂସ୍କୃତରେ ମାତା, ଇଂରାଜୀରେ ମଦର ଅଛି । ଆମେ ବି ଆମ ମାଆଙ୍କୁ ମାଁ ଡାକୁ । ଇ କଟକିଏ ଉପକୂଳିଏ ବୋଉ ଶବ୍ଦ କେନୁ ଆନଲେ ବୋ ? ଆମେ ତ ଆମର ଫାଲେ ଦାଦାର କନିଆଁକେ ଆର୍ ଵହକେ ଵଊ ଡାକୁଛୁଁ । ଵହ ଲାଗି ଆମେ ଯେନ୍ ଵଊ ଶବ୍ଦ କହୁଛେଁ ହେଟା ଧରିକରିଁ ଇ କଟକିଏ ନିଜ ମାଁକେ କାଣା ବୋଉ ଡାକୁଛନ୍ ? 

ଆପଣା ବଳପଣ ଲାଗି ପିଲାମାନେ ଯେମିତି ଗୁରଦୁ ପ୍ରଶ୍ନ କରନ୍ତି ଠିକ୍ ସେହିପରି ମହାକଵି ନିଜର ବୃଦ୍ଧ ଵୟସରେ ଅଜ୍ଞାନତା ହେତୁ ଜାତ ବାଳପଣ ଯୋଗୁଁ ଏଭଳି ପ୍ରଶ୍ନ କରିଥିଲେ । ଗାଈ ଗୟଳ ମଇଁଷି ଆଦି bos ଵା ଗୋ-ଜାତୀୟ ଜୀଵ ହମା ହମା କରନ୍ତି,ଗାଈଛୁଆ ମାଁ ମାଁ କରେ,ଛେଳି ମେଁ ମେଁ କରେ,ଜିରାଫ୍ ହମ୍ ହମ୍ ଶବ୍ଦ କରେ ଆଉ ବିଲେଇ ଓ ଚିତା ମିଆଁଉ ମିଆଁଉ ଶବ୍ଦ କରନ୍ତି । ଏଥିରେ କିଛି ଵିଶେଷତା ନାହିଁ। ମ ଧ୍ଵନି ଉଚ୍ଚାରଣ ବଡ଼ ସହଜ । ତେବେ ମେଣ୍ଢା ଏମିତି ଏକ ଜୀଵ ଯିଏ ବା ବା କରେ ।‌ ବା ବା ବୋଲିଵା ଯୋଗୁଁ ମେଣ୍ଢା ଗୋଟେ ଦୀନ ହୀନ ଜୀଵ ପ୍ରମାଣିତ ହୁଏ ନାହିଁ କି କାଉ‌ କା କା କିମ୍ବା କୋଇଲି କୁ଼ହୁ କୁହୁ ଶବ୍ଦ କରିଵା ଯୋଗୁଁ ଛୋଟ ହୋଇଯାଏ ନାହିଁ । ଝେଳୀ ମେଁ ମେଁ କରି ହଣା ହୁଏ,ମେଣ୍ଢା ବା ବା ବୋଵାଳି ଛାଡ଼ି ରୋମ ଦେଇ ହଣା ହୁଏ । ଗାଈ ହମା ହମା କରି ,ବିଲେଇ ମିଆଁଉ ମିଆଁଉ କରି, ଛେଳି ମେଁ ମେଁ କରି ମନୁଷ୍ୟ ଦ୍ଵାରା ପୋଷା ହୋଇଛନ୍ତି ପଛେ ମନୁଷ୍ୟ ସହିତ ରହି ବି ନୂତନ ଭାଷା ସୃଷ୍ଟି କରିନାହାନ୍ତି । ପୃଥିଵୀର ଅନେକ ଜୀଵ ନିର୍ଦ୍ଧିଷ୍ଟ ଶବ୍ଦକୁ ଧରି କେଵଳ ବୋଵାଅନ୍ତି କିନ୍ତୁ ଏ ଜୀଵଜଗତ ମଧ୍ୟରେ କେଵଳ ମଣିଷ ହିଁ ଏକମାତ୍ର ଜୀଵ ଯିଏ ସହସ୍ରାଧିକ ଭାଷା ସୃଷ୍ଟି କରିଛି ‌।‌ ମଣିଷ ଭାଷା ସୃଷ୍ଟି କରିପାରିଛି ଯେହେତୁ ସେ କେଵଳ ମା ମା କି ବା ବା ରେ ସୀମିତ ହୋଇ ରହିଯାଇନାହିଁ । ଦା ଦା ,ନା ନା, ପା ପା ,ଭା ଭା ,ତା ତା ଇତ୍ୟାଦି ଶବ୍ଦ ବି ମାନଵ ଉଚ୍ଚାରଣ କରିଛି । ଏହି ସବୁ ଶବ୍ଦ ଅନୁକରଣରେ ପୃଥିଵୀର କୋଣ ଅନୁକୋଣର ଵିଭିନ୍ନ ଭାଷାରେ ନାନା ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ସୃଷ୍ଟି ହୋଇଛି । 

ତେବେ ସେ ମହାକଵି ଅଜ୍ଞାନଵଶତଃ ବୋଉ ଓ ଵୋହୂ ଶବ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିନଥିଲେ ବୋଲି ସ୍ପଷ୍ଟ। ସଂସ୍କୃତ 'ଵଧୂ' ଶବ୍ଦରେ ଅଵର୍ଗ୍ୟ 'ଵ' ଥିଲା । ପ୍ରାକୃତ ଭାଷାର ଵହୂ ଶବ୍ଦରେ ବି ଅଵର୍ଗ୍ୟ 'ଵ' ଥିଲା । ଏହି ମୂଳରୁ ଜାତ ହୋଇଥିଵା ଓଡ଼ିଆ ଭାଷାର ଵଧୂ ଅର୍ଥଜ ଵହ,ଵହୂ,ଵଊ ଓ ଵୋହୂ ଶବ୍ଦଗୁଡ଼ିକର ଉଚ୍ଚାରଣରେ ଆଜି ବି ଅଵର୍ଗ୍ୟ 'ଵ' ଓ ଦୀର୍ଘ 'ଊ'ର ଆଭାସ ମିଳେ । ଆଜି ବି ମାଆକୁ ପିଲାଏ ବୋଉ ଡାକିଲାବେଳେ ବୋଉ ଶବ୍ଦରେ ଥିଵା 'ଉ'କୁ ହର୍ସ୍ଵ ଉଚ୍ଚାରଣ କରନ୍ତି କିନ୍ତୁ ଶାଶୁଶଶୁର ଯେତେବେଳେ ନିଜ ଵୋହୂକୁ ଵୋଊ ଡାକନ୍ତି 'ଊ'କୁ ଦୀର୍ଘ ଉଚ୍ଚାରଣ କରନ୍ତି । କିନ୍ତୁ ଅତି ମହାପଣ୍ଡିତ ମହାକଵି ସାଧାରଣ ଲୋକଙ୍କ ସହିତ ରହି ବୋଉ ଓ ଵୋଊ ଶବ୍ଦ ମଧ୍ୟରେ ଥିଵା ଏହି ଧ୍ଵନିତତ୍ତ୍ଵ ଭିତ୍ତିକ ପ୍ରଭେଦକୁ କେବେ ଅନୁଭଵ ହିଁ କରିନଥିଲେ ବୋଲି ତାଙ୍କ ଭାଷଣରୁ ଜଣାପଡି଼ଯାଏ। 
 
‌ଅଵଶ୍ୟ ଏହା ସତ୍ୟ ଯେ ପୃଥିଵୀରେ ପ୍ରାୟ ଅନେକ ଭାଷାରେ ମାଆଙ୍କୁ ମ ଵା ମା ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ପିଲାଏ ଡାକନ୍ତି। ଉପକୂଳିଆମାନେ ବି ଅଧିକାଂଶ ନିଜ ମାତାଙ୍କୁ ମାଆ ‌ହିଁ ସମ୍ବୋଧନ କରନ୍ତି । ଗଞ୍ଜାମଵାସୀ ସମାଜର ଵୃଦ୍ଧା ମହିଳାମାନଙ୍କୁ ସମ୍ମାନ ସହକାରେ ମାଆ ସମ୍ବୋଧନ କରନ୍ତି । ଉପକୂଳରେ ଛୋଟ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରାଯାଏ ‌। ଠାକୁରାଣୀଙ୍କୁ ମଧ୍ୟ ଉପକୂଳିଏ ମାଆ ହିଁ ସମ୍ବୋଧନ କରନ୍ତି । ଅଧିକାଂଶ ପିଲା କଥା କହିଵା ଶିଖିଲାବେଳେ ସାଧାରଣତଃ ଶବ୍ଦଗୁଡ଼ିକର ଆନୁନାସିକ ଉଚ୍ଚାରଣ କରନ୍ତି ।‌ ଜନ୍ମରୁ ଏକ ମାସ ପର୍ଯ୍ୟନ୍ତ ଶିଶୁମାନେ ମୁଖ୍ୟତଃ ଆନନ୍ଦିତ ହେଲେ, ଆଶ୍ଚର୍ଯ୍ୟ, ଭୟଭୀତ ଓ ଦୁଃଖି ହେଲେ ହସନ୍ତି ଵା କାନ୍ଦନ୍ତି । ଜନ୍ମର ଦୁଇ ଓ ତିନି ମାସ ମଧ୍ୟରେ ପିଲାଏ ଆଁ ଆଁ ଉ ଉ ଭଳି ଶବ୍ଦ ଉଚ୍ଚାରଣ କରିଵାକୁ ଲାଗନ୍ତି। ଜନ୍ମରୁ ଚତୁର୍ଥ ଓ ପଞ୍ଚମ ମାସ ମଧ୍ୟରେ ପିଲାଏ ବଡ଼ମାନଙ୍କ ଦ୍ଵାରା ବୋଲାଯାଉଥିଵା ଭାଷାର ଶବ୍ଦ ଅନୁକରଣରେ ଆଉ କେତେକ ଅସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରିଵା ଆରମ୍ଭ କରି ଦିଅନ୍ତି । ଛମାସ ବେଳକୁ ପିଲାଏ ସ୍ଵରତନ୍ତ୍ର ଉପରେ ନିୟନ୍ତ୍ରଣ କରିଵା ଶିଖନ୍ତି ଏଵଂ ଏହି ସମୟରେ ହିଁ ସେମାନେ ବା ବା,ବୋ ବୋ,ବୁ ବୁ ଭଳି ଶବ୍ଦ ଉଚ୍ଚାରଣ କରନ୍ତି । ବ ବ ବୁ ବୁ ବୋ ବୋ ଭଳି ଶବ୍ଦ ଉଚ୍ଚାରଣ କରୁଥିଵାରୁ ଆଧୁନିକ ଭାଷାଵିଦମାନେ ଶିଶୁମାନଙ୍କର ଏହି ଉଚ୍ଚାରଣ ପ୍ରକ୍ରିୟାକୁ Child babbling ନାମ ଦେଇଛନ୍ତି। ତେଣୁ ପିଲାମାନଙ୍କର ଵର୍ଗ୍ୟ 'ବ' ଧ୍ଵନି ଉଚ୍ଚାରଣ ମୌଳିକ ଅଟେ କିନ୍ତୁ ଯେତେବେଳେ ଏହି ଧ୍ଵନି ଅନୁନାସିକ ହୁଏ ତାହା ମ'ମା,ମେ,ନ,ନା,ନେ ଇତ୍ୟାଦି ହୋଇଥାଏ । ଏ ଦୃଷ୍ଟିରୁ ପିଲାମାନଙ୍କର ମାଆ,ମାଉସୀ,ନନା,ନାନୀ ଇତ୍ୟାଦି ଉଚ୍ଚାରଣ ଅପେକ୍ଷା ବା,ବବା,ବୁଆ,ବୋଉ,ବେଈ,ବୋଈ,ବାଈ ଆଦି ଉଚ୍ଚାରଣ ମୌଳିକ ଅଟେ । ଆଧୁନିକ ଭାଷାଵିଦମାନେ କୁହନ୍ତି ଯେ 
ପୃଥିଵୀର ଅଧିକାଂଶ ଭାଷାରେ ଯେତେ ସମ୍ବନ୍ଧଵାଚକ ସମ୍ବୋଧନ ଶବ୍ଦ ସ୍ଵାଭାଵିକ ଭାବେ ସୃଷ୍ଟି ହୋଇଛି ସେସବୁର ମୂଳ Child babblingରୁ ଜାତ ପିଲାମାନଙ୍କ ଦ୍ଵାରା ଉଚ୍ଚାରଣ କରାଯାଇଥିଵା ଏହା ବା ବା,ବୁ ବୁ,ମା ମା,ନା ନା,ତା ତା,ଦା ଦା ଇତ୍ୟାଦି ଧ୍ଵନିଗୁଡ଼ିକ ହିଁ ଅଟଇ । କିନ୍ତୁ ମହାକଵି ଜଣକ Child babbling ସମ୍ବନ୍ଧିତ ଏହି ଧ୍ଵନିତତ୍ତ୍ଵ ଭିତ୍ତିକ ତଥ୍ୟ କାହୁଁ ଜାଣିବେ ? ସେ ଏତେ ପାଠ ପଢ଼ିନାହାନ୍ତି କି ଜାଣିଵାକୁ ଅଧ୍ୟଵସାୟ କରିନାହାନ୍ତି ।

ନାକରେ କଥା କହୁଥିଵା ଲୋକ,ନାକକାନ୍ଦୁରା ପିଲା ତ ଜଗତରେ ଅନେକ ହୁଅନ୍ତି ଓ ହୋଇଛନ୍ତି ତେବେ ଆଶ୍ଚର୍ଯ୍ୟର ଵିଷୟ ଯେ ପୃଥିଵୀର କେତେକ ଵୀରଜାତିରେ ମାଆଙ୍କୁ 'ବ' ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ପିଲାଏ ଡାକୁଥିଵା ଦେଖାଯାଏ । 

ରୁଷିଆର Avarianମାନେ ପାର୍ଵତ୍ୟଵାସୀ ଯୋଦ୍ଧାଜାତି ସେମାନେ ନିଜ ମାଆଙ୍କୁ баба (baba) ସମ୍ବୋଧନ କରନ୍ତି। ଏକଦା ନିଜ ବାହୁବଳରେ ଚୀନଦେଶର ଉପକୂଳ ଅଞ୍ଚଳ ତଥା ଦକ୍ଷିଣପୂର୍ଵ ଏସିଆ ଓ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଆଧିପତ୍ୟ ଵିସ୍ତାର କରିଥିଵା ଚୀନଦେଶୀୟ Hokkien ଜାତି ନିଜ ମାଆଙ୍କୁ 阿母 (a-bú), 阿娘 (a-niâ) ଓ 老母 (lāu-bú) ସମ୍ବୋଧନ କରନ୍ତି। ମାଲେସିଆର ମାଳୟଭାଷୀ ଲୋକେ ମଧ୍ୟ ନିଜ ମାଆଙ୍କୁ 
ibu ଓ bu ସମ୍ବୋଧନ କରନ୍ତି। ଏହି ଭାଷାର ଏକ କଥିତ ଶୈଳୀ Brunei Malay ଶୈଳୀରେ ମାଆଙ୍କୁ ପିଲାଏ babu ଓ mama ସମ୍ବୋଧନ କରନ୍ତି । 
ମାଳୟଭାଷୀଙ୍କୁ ହରାଇ ପରାଧୀନ କରିଵାକୁ ଇଂରେଜମାନେ ନାକେଦମ୍ ହୋଇଯାଇଥିଵାର ଇତିହାସ ଖୁବ ଜଣାଶୁଣା। ସେହିପରି 
Austronesian ଭାଷାପରିଵାରର Sundanese ଭାଷାରେ ମାଆଙ୍କୁ biang ଓ indung ସମ୍ବୋଧନ କରାଯାଏ । ଏହି ଭାଷାପରିଵାରର Javanese ଓ ମାଳୟ ଭାଷାରେ ମାଆଙ୍କୁ ପିଲାଏ ibu ଡାକିଥାନ୍ତି । ଅନ୍ୟ ଏକ Austronesian ଭାଷା Indonesianରେ ମାଆଙ୍କୁ ibu ଓ bunda ସମ୍ବୋଧନ କରାଯାଏ । ଭାରତୀୟଙ୍କ ପରି ଇଣ୍ଡୋନେସିଆର ଲୋକେ ବି ୟୁରୋପୀୟ ଜାତିମାନଙ୍କ ଵିପକ୍ଷରେ ଦୀର୍ଘକାଳ ଧରି ସ୍ଵାଧୀନତା ସଂଗ୍ରାମ ଚଳାଇଥିଲେ । ଆମେରିକାରେ କଥିତ ଲୋହିତ ଭାରତୀୟମାନଙ୍କର Na-Dene ଭାଷା ପରିଵାରର Apache ଭାଷାର ଅନେକ କଥିତ ଶୈଳୀ ରହିଛି ତନ୍ମଧ୍ୟରୁ Chiricahuaରେ ମାଆଙ୍କୁ -má ସମ୍ବୋଧନ କରାଯାଏ କିନ୍ତୁ Western Apache ଭାଷାରେ ମାଆଙ୍କୁ ପିଲାଏ bimaa ଓ bąą ସମ୍ବୋଧନ କରିଥାନ୍ତି । ଏହି Apache ଜନଜାତିର ଲୋକମାନେ ଦୁର୍ଦ୍ଧାନ୍ତ ଯୋଦ୍ଧା ଥିଵାର ଇତିହାସ ଵିଶ୍ଵପ୍ରସିଦ୍ଧ। ୟୁରୋପୀୟମାନେ ଆମେରିକାରେ ଉପନିଵେଶ ସ୍ଥାପନ କରି ହଜାର ହଜାର ସ୍ଥାନୀୟ ଜନଜାତୀୟ ଲୋକଙ୍କୁ ମାରୁଥିଵାବେଳେ Apacheମାନେ ସେମାନଙ୍କର ଭୀଷଣ ଵିରୋଧ କରିଥିଲେ । ୟୁରୋପୀୟମାନେ Apache ଜନଜାତି ରହୁଥିଵା ଅଞ୍ଚଳରେ ପାଦ ଦେଵାକୁ ବି ଭୟ କରୁଥିଲେ । ଫଳତଃ ଆମେରିକାର ଅନେକ ଜନଜାତି ଓ ସେମାନଙ୍କ ଭାଷା ସଂସ୍କୃତି ଲୋପ ପାଇଯାଇଥିଵାବେଳେ Apacheମାନେ ଏବେ ବି ନିଜର ଅସ୍ତିତ୍ବ ବଜାୟ ରଖିପାରିଛନ୍ତି । ବ୍ରାଜିଲର mura ଭାଷାପରିଵାରର Pirahã ଭାଷାରେ ମାଆଙ୍କୁ baíxi ସମ୍ବୋଧନ କରାଯାଏ । ଏ ଭାଷାକୁ ବୋଲୁଥିଵା ଲୋକେ ଏବେ ପୃଥିଵୀରେ ୪୦୦ରୁ କମ୍ ଲୋକ ଅଛନ୍ତି । mura ଲୋକମାନଙ୍କ ମଧ୍ୟରୁ କେଵଳ Pirahãମାନେ ହିଁ ବ୍ରାଜିଲ ଦେଶର ଜଙ୍ଗଲ ମଧ୍ୟରେ ପ୍ରକୃତି ସହିତ ସଂଘର୍ଷ କରି ବଞ୍ଚି ପାରିଛନ୍ତି। Austroasiatic ଭାଷା ପରିଵାରର ଵିଏତନାମୀ ଭାଷାରେ ମାଆଙ୍କୁ mẹ , má , mạ , mệ , mợ , bầm, u, nạ , đẻ ଓ cái ଇତ୍ୟାଦି ସମ୍ବୋଧନ କରାଯାଇଥାଏ । ଵିଶେଷତଃ ଉତ୍ତର ଵିଏତନାମରେ ପ୍ରଚଳିତ ଉତ୍ତର ଵିଏତନାମୀ ଵା Tonkinese କଥିତ ଶୈଳୀରେ ମାଆମାନଙ୍କୁ bầm ସମ୍ବୋଧନ କରାଯାଇଥାଏ । ଭାରତ ସିନା ଦିଭାଗ ହୋଇ ୧୯୪୭ରେ ସ୍ଵାଧୀନ ହୋଇଗଲା କିନ୍ତୁ ଵିଏତନାମୀଙ୍କୁ ନିଜର ସ୍ଵାଧୀନତା ଲାଭ ପାଇଁ ଆହୁରି ପଚିଶ ଵର୍ଷ ରକ୍ତାକ୍ତ ସଂଗ୍ରାମ କରିଵାକୁ ପଡ଼ିଥିଲା । ଏକ ନଵେମ୍ବର ୧୯୫୫ରୁ ତିରିଶ ଏପ୍ରିଲ ୧୯୭୫ ଯାଏଁ ଵିଏତନାମ ଯୁଦ୍ଧ ହୋଇଥିଲା ‌। ଯେତେବେଳେ ଦକ୍ଷିଣ ଵିଏତନାମର ଲୋକେ ୟୁରୋପୀୟ ଶକ୍ତି ଆଗରେ ନତମସ୍ତକ ହୋଇଯାଇଥିଲେ ସେତେବେଳେ ଉତ୍ତର ଵିଏତନାମର ଲୋକେ ‌ହିଁ ତୁମୁଳ ସଂଗ୍ରାମ କରି ଦିଭାଗରେ ଵିଭକ୍ତ ହୋଇଯାଇଥିଵା ଦେଶକୁ ଏକାଠି କରିଥିଲେ । ଆମେରିକାକୁ ହରାଇ ଵିଏତନାମୀମାନେ ଜଣେଇ ଦେଲେ ଯେ କେଵଳ ଅସ୍ତ୍ରଶସ୍ତ୍ର ନୁହେଁ ଯୁଦ୍ଧ କ୍ଷେତ୍ରରେ ଵୀରତ୍ୱ ଓ ନିଜ ଜାତି ମାଟି ପାଇଁ ପ୍ରାଣବଳି ଦେଵାର ସାହସର ମଧ୍ୟ ଆଵଶ୍ୟକତା ରହିଛି। ଅଷ୍ଟ୍ରେଲିଆ ମହାଦେଶର ଏକ ଜନଜାତୀୟ ଭାଷାପରିଵାର Pama–Nyunganରେ ଵର୍ଗୀକୃତ urrbal ଭାଷାର ଗୋଟିଏ ଶୈଳୀ Yagaraରେ ମାଆଙ୍କୁ budang ସମ୍ବୋଧନ କରାଯାଉଥିଲା । Niger–Congo ଭାଷାପରିଵାର ମୂଳର ଜାମ୍ବିଆ ଦେଶରେ କଥିତ ହେଉଥିଵା ଏକ ଭାଷା Bemba ଭାଷାରେ ମାଆଙ୍କୁ Bamama [Bamaa] ସମ୍ବୋଧନ କରାଯାଏ ।‌ ପୃଥିଵୀର ଏହିପରି ଶତାଧିକ ଭାଷାରେ ମାଆଙ୍କୁ 'ବ' ଆଦ୍ୟ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ତେବେ ଉକ୍ତ ଭାଷାଗୁଡ଼ିକୁ ବୋଲୁଥିଵା ଅଧିକାଂଶ ମାନଵଜାତି ଵୀରଜାତି ଭାବେ ଖ୍ୟାତ।

ଭାରତରେ ମଧ୍ୟ ଅନେକ ଵୀର ଜାତିରେ ମାଆଙ୍କୁ ‘ବ’ ଆଦ୍ୟରେ ସମ୍ବୋଧନ କରାଯାଉଥିଵାର ଜଣାଯାଏ । ଭାରତରେ ପଞ୍ଜାବୀ ଗୋଟିଏ ଵୀର ଜାତି ଭାବେ ଵିଶ୍ଵଵିଖ୍ୟାତ । ପଞ୍ଜାଵୀମାନେ ମାତା ଭଗିନୀ ଆଦି ସମ୍ମାନୀୟ ମହିଳାମାନଙ୍କୁ ବେବେ ଓ ବିବୋ ଇତ୍ୟାଦି ସମ୍ବୋଧନ କରନ୍ତି । ଵିଶେଷକରି ମାଆଙ୍କୁ ପଞ୍ଜାଵୀମାଳେ ବେବେ ସମ୍ବୋଧନ କରୁଥିଵାର ଦେଖାଯାଏ ।‌ ଭାରତ ଉପରେ ଯଵନମାନେ ଯେବେ ଯେବେ ବି ଆକ୍ରମଣ କରିଛନ୍ତି ପଞ୍ଜାଵୀମାନେ ଯୁଦ୍ଧ କ୍ଷେତ୍ରରେ ସେମାନଙ୍କର ସର୍ଵାଗ୍ରେ ସାମ୍ନା କରିଛନ୍ତି। ମରାଠୀମାନେ ମଧ୍ୟ ଵୀରଜାତି ବୋଲି ଖ୍ୟାତି ଲଭିଛନ୍ତି । ମରାଠୀମାନେ ତାଙ୍କ ମାଆଙ୍କୁ ସାଧାରଣତଃ आई ଓ मां ସମ୍ବୋଧନ କରନ୍ତି । ତେବେ ମହାରାଷ୍ଟ୍ର ଶବ୍ଦକୋଷ(୧୯୩୨-୫୦)ରେ 'ब' ଓ 'बई' ଶବ୍ଦର ଦେଶୀୟ ମରାଠୀ ଅର୍ଥ ମାଆ ଵା ମାତା ଲେଖା ହୋଇଛି । ମହାରାଷ୍ଟ୍ର ଶବ୍ଦକୋଷର ୨୧୯୯ତମ ପୃଷ୍ଠାରେ 'ब' ଶବ୍ଦର ଦ୍ଵିତୀୟ ଅର୍ଥ ଲେଖା ହୋଇଛି “स्त्री. लहान मुलाचा आईस हांक मारण्याचा शब्द” ଅର୍ଥାତ୍ ”ପିଲାମାନଙ୍କ ଦ୍ଵାରା ମାଆଙ୍କୁ କରାଯାଉଥିଵା ସମ୍ବୋଧନ” 
। ପୁଣି ଏହି ଶବ୍ଦକୋଷର ୨୨୦୦ତମ ପୃଷ୍ଠାରେ बई —ଶବ୍ଦର ଦୁଇଗୋଟି ଅର୍ଥ ଲେଖାଅଛି । (କ)लहान मुलांच्या भाषेंत आई(ଶିଶୁମାନଙ୍କ ଭାଷାରେ ମାଆଙ୍କୁ କରାଯାଉଥିଵା ସମ୍ବୋଧନ) ଓ (ଖ) वयांत आल्या- वर आईस लडिवाळपणानें संबोधण्याचा शब्द[बाई] (ଅର୍ଥାତ୍ ଵୟସ୍କ ହେଲାପରେ ମାଆଙ୍କୁ ଓ ମାତୃସ୍ଥାନୀୟା ମହିଳାଙ୍କ ପ୍ରତି ସମ୍ବୋଧନ) । ତେଣୁ ମହାରାଷ୍ଟ୍ର ଶବ୍ଦକୋଷରୁ ସ୍ପଷ୍ଟ ହୋଇଯାଏ ଯେ ମରାଠୀ ଭାଷାରେ ବି ମାଆଙ୍କୁ 'ब' ଓ 'बई' ସମ୍ବୋଧନ କରନ୍ତି । ହୁଏତ ଏବେବି ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଏହି ଦୁଇଟି ଶବ୍ଦ ପ୍ରଚଳିତ ଥିଵ । ଗୁଜରାଟର ଗ୍ରାମାଞ୍ଚଳରେ ଏବେବି ଅନେକେ ମାଆଙ୍କୁ ବା ସମ୍ବୋଧନ କରନ୍ତି। କେହି କେହି ଜେଜେମାଆଙ୍କୁ 'ବା' ସମ୍ବୋଧନ କରନ୍ତି । ଶ୍ରୀରତିଲାଲ ଚନ୍ଦରିଆଙ୍କ Gujarati lexicon ભગવદ્ગોમંડલ(ଭଗଵଦ୍ଗୋମଣ୍ଡଳ) ଜ୍ଞାନକୋଷର
૬૨૮૭(6287)ତମ ପୃଷ୍ଠାରେ ବା’ ଶବ୍ଦର ଅର୍ଥ ଜେଜେବାପା,ବାପା(ସିନ୍ଧୀ ଗୁଜରାଟୀ),ରାଜା ଓ ବାପା ଆଦ ଵୟସ୍କ(କଚ୍ଛୀ ଗୁଜରାଟୀ), ଝିଅ,ବଡ଼ନଣନ୍ଦ, ବଡ଼ଭଉଣୀ, ଚାକରାଣୀ, ଜେଜେମାଆ,ପୁଅ ଓ ମାଆଙ୍କ ପ୍ରତି ସ୍ନେହ ସମ୍ବୋଧନ ପାଇଁ ଵ୍ୟଵହାର କରାଯାଏ ବୋଲି ଉଲ୍ଲେଖ ଅଛି ।‌ ତେବେ ଆଧୁନିକ ଯୁଗରେ ଗୁଜରାଟୀମାନେ ଆଉ ନିଜ ମାଆଙ୍କୁ ବା’ ସମ୍ବୋଧନ କରୁନଥିଵା ଦେଖାଯାଉଛି। ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରଵାଙ୍କୁ ସେ ସମୟର ଲୋକେ ସ୍ନେହ ଆଦରରେ ବା’ ସମ୍ବୋଧନ କରୁଥିଲେ ତେଣୁ ସର୍ଵଭାରତୀୟ ସ୍ତରରେ ସେ କସ୍ତୁରଵା ନାମରେ ଖ୍ୟାତ ହୋଇଛନ୍ତି ।‌ ଗୁଜରାଟ ନାମଟି ଵୀର ଗୁଜ୍ଜରମାନଙ୍କ ନାମରେ ନାମିତ ହୋଇଛି ।‌ଚାଲୁକ୍ୟମାନେ ମଧ୍ୟ ଗୁଜରାଟର ଅନ୍ୟତମ ଵୀରଜାତି ଥିଲେ । ଗୁଜରାଟୀମାନେ ଆତତାୟୀ ଘୋରୀକୁ ପରାଜିତ କରିଥିଲେ । ଭୀନଦେଵ ଚାଲୁକ୍ୟ ୧୧୭୮ରେ ପ୍ରଥମେ ଆତତାୟୀ ଘୋରୀକୁ ପରାଜିତ କରିଥିଲେ କିନ୍ତୁ ସେ ଦୁଷ୍ଟକୁ ଛାଡ଼ି ଦେଵା ଯୋଗୁଁ ସେ ପୁଣି ଆକ୍ରମଣ କଲା ଓ ଗୁଜରାଟର ଅନେକ ଅଞ୍ଚଳ ଛଡ଼େଇ ନେଲା । ସେ ଯାହାହେଉ ଗୁଜରାଟର ଲୋକେ ଆଜି ସିନା ମାଆଙ୍କୁ ବା’ ଡାକିଵା ଛାଡ଼ି ଦେଇଛନ୍ତି କିନ୍ତୁ ସହସ୍ରାଧିକ ଵର୍ଷ ଯାଏଁ ସେମାନେ ଏହି ସ୍ନେହ ସମ୍ବୋଧନ ଦ୍ଵାରା ମାଆଙ୍କୁ ଡାକି ଆସୁଥିଲେ କହିଲେ ଅତ୍ୟୁକ୍ତି ହେଵ ନାହିଁ । ଅହମିଆ ଆସାମର ରାଜଭାଷା । ଆସାମର ନାମଟି ପ୍ରକୃତରେ କ୍ରା ଦାଈ ଭାଷାପରିଵାରର ଅହୋମ ଭାଷା ବୋଲୁଥିଵା ଅହୋମ ଜାତିର ଅହୋମ ରାଜ୍ୟର ନାମାନୁସାରେ ନାମିତ ହୋଇଛି । ଏହି ଵୀର ଜାତି ଷୋଡ଼ଶ ସପ୍ତଦଶ ଶତାବ୍ଦୀରେ ଆସାମରେ ଶାସନ କରି ଅନେକ ଥର ତତ୍କାଳୀନ ମୋଗଲ ସାମ୍ରାଜ୍ୟ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଇଥିଲେ । ତେବେ ଅହୋମମାନଙ୍କର ଶାସନ ପୂର୍ଵରୁ କାମରୂପରେ ୧୨୦୬ ସମୟରେ ମହାରାଜା ପୃଥୁ ଶାସନ କରୁଥିଲେ । ଏହି ରାଜା ବକ୍ତିଆର ଖିଲିଜିକୁ ସେହି ଵର୍ଷ ହରାଇ ଦେଇଥିଲେ ଏଵଂ ଏହା ହିନ୍ଦୁମାନଙ୍କର ପଠାଣ ଆକ୍ରାନ୍ତାଙ୍କ ଵିପକ୍ଷରେ ଏକ ବଡ଼ ଵିଜୟ ଥିଲା । ଏହି ଅହମିଆ ଲୋକମାନେ ନିଜ ମାଆଙ୍କୁ বৌ(ବୌ) ଓ ଭାଉଜଙ୍କୁ(ৱৌ) ସମ୍ବୋଧନ କରନ୍ତି । ତେବେ ଗୌହାଟୀ ଵିଶ୍ଵଵିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଚନ୍ଦ୍ରକାନ୍ତା ଅଭିଧାନ(୧୯୩୩)ର ୭୦୪ତମ ପୃଷ୍ଠାରେ বৌ(ବୌ) ଶବ୍ଦକୁ ଦୁଇଥର ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ଦର୍ଶାଇଵା ପାଇଁ ତଳ ଉପର କରି ଲେଖା ହୋଇଛି । ପ୍ରଥମ বৌ(ଉଚ୍ଚାରଣ ତଥା ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵୌ ଵା ৱৌ) ଶବ୍ଦଟି ଵଧୂ ଶବ୍ଦ ମୂଳର ଏଵଂ ଏହାର ଅର୍ଥ ককাইৰ ভাৰ্য্যা(କକାଇର ଭାର୍ଯ୍ୟା) ଵା ବଡ଼ଭାଇର ସ୍ତ୍ରୀ ଲେଖା ହୋଇଛି । ଦ୍ଵିତୀୟ বৌ(ବୌ) ଶବ୍ଦର କୌଣସି ଵ୍ୟୁତ୍ପତ୍ତି ଉଲ୍ଲେଖ ନାହିଁ କିନ୍ତୁ ଏହାର ଅର୍ଥ আই; পুত্ৰই মাকক কৰা সম্বোধন(ଆଇ; ପୁତ୍ରଇ ମାକକ କରା ସମ୍ବୋଧନ) ଆଈ;ପୁତ୍ରର ମାଙ୍କୁ କରାଯିଵା ସମ୍ବୋଧନ ଲେଖା ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ଯେମିତି ଅହମିଆ ଓ ମରାଠୀମାନେ ନିଜ ମାଆଙ୍କୁ ଆଈ ସମ୍ବୋଧନ କରନ୍ତି ଆଗେ ସେହିପରି ଓଡ଼ିଆମାନେ ବି ନିଜ ମାଆଙ୍କୁ ଆଈ ସମ୍ବୋଧନ କରୁଥିଲେ । ଵିଚିତ୍ର ରାମାୟଣରେ 
ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରାଯାଇଛି । 
“ଦଶରଥ ସୂତ, ଜଗତେ ଵିଦିତ, କୈକେୟୀ ମୋହର ଆଈ।”(ଵିଶ୍ୱନାଥ—ଵିଚିତ୍ରରାମାୟଣ) 
ତେବେ ୧୯୩୩ ମସିହାରେ ପ୍ରକାଶିତ ଚନ୍ଦ୍ରକାନ୍ତା ଅଭିଧାନରେ ଅହମିଆ বৌ ଶବ୍ଦର ଗୋଟିଏ ଅର୍ଥ ମାଆ ଲେଖାଥିଵା ସ୍ପଷ୍ଟ କରେ ଯେ କେଵଳ ଓଡ଼ିଆ ହିଁ ନୁହେଁ ଵରଂ ଅହମିଆମାନେ ବି ନିଜ ମାଆଙ୍କୁ ବୋଉ ନହେଲେ ମଧ୍ୟ ବୌ/বৌ ସମ୍ବୋଧନ କରୁଥିଲେ । ଉତ୍ତର ପୂର୍ଵ ଭାରତର ବୋଡୋମାନେ ବି ନିଜ ମାଆଙ୍କୁ ବିମା ସମ୍ବୋଧନ କରିଥାନ୍ତି । ଆସାମ ଓ ନାଗାଲାଣ୍ଡର ଦିମସାଭାଷାଭାଷୀ ବି ନିଜ ମାଆଙ୍କୁ ବୁମା ସମ୍ବୋଧନ କରନ୍ତି। Thomas Burrow ଓ M. B. Emeneauଙ୍କ ଦ୍ରାଵିଡ଼ ଭାଷା ଵ୍ୟୁତ୍ପତ୍ତିକୋଷ A Dravidian etymological dictionaryର ୩୯୨ତମ ପୃଷ୍ଠାରେ ଉଲ୍ଲେଖ ଅଛି ଯେ ତାମିଲନାଡୁର ନୀଳଗିରି ଅଞ୍ଚଳରେ ରହୁଥିଵା କୋଟା ଲୋକେ ନିଜ ମାଆଙ୍କୁ ବେ(Be) ତଥା ମାଉସୀଙ୍କୁ 
ଦୋବେ'କ(Dobe.k) ସମ୍ବୋଧନ କରିଥାନ୍ତି। ଏମନ୍ତକି ଆଗେ ହିନ୍ଦୀଭାଷାଭାଷୀ ଅଞ୍ଚଳରେ ବି ମାଆଙ୍କୁ 'बा' ସମ୍ବୋଧନ କରୁଥିଲେ। ତେଣୁ ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷର ୩୪୩୭ତମ ପୃଷ୍ଠାରେ ‘बा’ ଶବ୍ଦର ଅର୍ଥ 
माता , मा ଓ श्रेष्ठ या बड़ी स्त्रियों के लिये आदरार्थक शब्द ଆଦି ଲେଖା ହୋଇଛି। ଉତ୍ତର ତଥା ପଶ୍ଚିମ ଭାରତରେ ସମ୍ମାନନୀୟା ମହିଳାମାନଙ୍କୁ बाई ସମ୍ବୋଧନ କରନ୍ତି । ଓଡ଼ିଶାର ପଶ୍ଚିମାଞ୍ଚଳରେ ଜେଜେମାଆ ତଥା ବଡ଼ଭଉଣୀଙ୍କୁ ବାଈ ସମ୍ବୋଧନ କରାଯାଏ । ଓଡ଼ିଶାର କେନ୍ଦୁଝରର କେତେକ ଅଞ୍ଚଳରେ ଜେଜେମାଆଙ୍କୁ ବୋଈ ସମ୍ବୋଧନ କରାଯାଉଥିଲା ବେଳେ କଳାହାଣ୍ଡି ଓ ଏହାର ଆଖପାଖରେ କେତେକ ଅଞ୍ଚଳର ଜେଜେମାଆ ଓ ଆଈଙ୍କୁ ବେଈ ସମ୍ବୋଧନ କରନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୯୧ତମ ପୃଷ୍ଠାରୁ ଜଣାଯାଏ ଯେ ଆଗେ ବାଲେଶ୍ୱର ଓ ବାଙ୍କି ଅଞ୍ଚଳର କରଣଙ୍କ ଗୋଷ୍ଠୀରେ ଆବୋଉ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା । ଏହି ଅଞ୍ଚଳରେ ସାଧାରଣତଃ ଖୁଡୀ ଵା ଦେଠେଇଙ୍କୁ ଆବୋଉ ଡାକୁଥିଲେ । ପୁଣି ତହୁଁ ଉଲ୍ଲେଖ ଅଛି ଯେ ଏହି ଅଞ୍ଚଳରେ ପିତୃମାତୃହୀନ ଶିଶୁଙ୍କୁ ପିଲାଦିନୁ ପାଳିଥିଵା ପିଉସୀ, ମାଉସୀ, ମାଇଁ ଆଦିଙ୍କ ପ୍ରତି ଉକ୍ତ ଶିଶୁମାନଙ୍କର ସ୍ନେହ ସମ୍ବୋଧନ ଥିଲା ଆବୋଉ । କେତେକ ଅଞ୍ଚଳରେ ଏହି ଆବୋଉ ଶବ୍ଦ ଆଉବୋଉ ହୋଇ ମଧ୍ୟ ଚଳୁଥିଲା ବୋଲି ଭାଷାକୋଷର ୬୮୧ତମ ପୃଷ୍ଠାରୁ ଜଣାଯାଏ। ଅତି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବୋଉ ଶବ୍ଦ ଅପେକ୍ଷା ମାତା ଓ ଆଈ ଶବ୍ଦର ପ୍ରୟୋଗ ଅଧିକ ହୋଇଥିଵାର ଦେଖିଵାକୁ ମିଳେ। ଏହାର ଅର୍ଥ ଏଇଆ ନୁହେଁ ଯେ ସେତେବେଳେ ବୋଉ ଶବ୍ଦ ଚଳୁନଥିଲା । ପୁରୁଣା ଯୁଗର ଅନେକ ଓଡ଼ିଆ ଢଗରେ ବୋଉ ଶବ୍ଦ ଦେଖାଯାଏ । ଯଥା —
“ଶାଶୁ ମଲା ବୋଉ ବେଇଲା,
ଯେଉଁ ତିନି ପ୍ରାଣୀ କି 
ସେହି ତିନି ପ୍ରାଣୀ ହେଲା”

“ନଈ ଭିତରେ ଯାଉଥିଲି ମୁହିଁ,
ମାଡ଼ିଲି ମୁଣ୍ଡା ଗାଗର,
ବୋଉକୁ କହିବ କାନ୍ଦିବେ ନାହିଁ,
ଜୋଇଁତ ଗୁଣ ସାଗର”

ଢଗଗୁଡ଼ିକ ଶତାଧିକ ଵର୍ଷରୁ ଲୋକ ମୁଖରେ ପ୍ରଚଳିତ ଥାଏ ତେଣୁ ଏ ଦୃଷ୍ଟିରୁ ଫକୀରମୋହନ ସେନାପତିଙ୍କ ପାଠୋଇଵୋହୂ, ଗୋପବନ୍ଧୁ ଦାସଙ୍କ ଧର୍ମପଦ, ଗୋଦାଵରୀଶ ମିଶ୍ରଙ୍କ କାଳିଜାଈ ଆଦିରେ ବୋଉ ଶବ୍ଦ ଵ୍ୟଵହାରର ବହୁତ ପୂର୍ଵରୁ ଓଡ଼ିଶାରେ , ଓଡ଼ିଆ ଭାଷାରେ ବୋଉ ଶବ୍ଦ ଚଳୁଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୯୩୧ତମ ପୃଷ୍ଠାରେ ବୋଉ ଶବ୍ଦ ସମ୍ବନ୍ଧୀୟ ଦ୍ରଷ୍ଟଵ୍ୟରେ ଉଲ୍ଲେଖ ଅଛି ଯେ “ସାଧାରଣତଃ ପୁରୀ ଓ କଟକ ଜିଲ୍ଲାର ବ୍ରାହ୍ମଣ, କେତେକ କରଣ ଓ ଖଣ୍ଡାୟତ ଵା କ୍ଷତ୍ରିୟ ପରିଵାରରେ ମାତାଙ୍କୁ 'ବୋଉ' ଓ ପିତାମହୀଙ୍କୁ 'ମା' ବୋଲି ଡାକନ୍ତି । ଶୂଦ୍ରମାନେ ମାତାଙ୍କୁ 'ମା' ଓ ପିତାମହୀଙ୍କୁ 'ବୁଢ଼ୀ ମା' ବା 'ଆଈ' ବୋଲି ଡାକନ୍ତି।” ଏଥିରୁ ଜଣାଯାଏ ଯେ ବୋଉ ଶବ୍ଦଟି ଆଗେ ସାରା ଓଡ଼ିଶାରେ କିମ୍ବା ସବୁ ଜାତିର ଲୋକମାନଙ୍କର ମଧ୍ୟରେ ଓ ଓଡ଼ିଶାର ସବୁ ପରିଵାରରେ ମାଆଙ୍କୁ ସମ୍ବୋଧନ କରିଵା ହେତୁ ଵ୍ୟଵହୃତ ହେଉନଥିଲା। ଏହା ଅଵିଭକ୍ତ ପୁରୀ ଓ ଅଵିଭକ୍ତ କଟକ ତଥା ଏହାର ଆଖପାଖରେ ରହୁଥିଵା କେତେକ ବ୍ରାହ୍ମଣ, କ୍ଷତ୍ରିୟ , ଖଣ୍ଡାୟତତଥା ଅନ୍ୟାନ୍ୟ ଚଷା ଓ କରଣ ପରିଵାର ମଧ୍ୟରେ ହିଁ ସୀମିତ ଥିଲା । ପୂର୍ଵେ ଓଡ଼ିଶାର ସବୁ ଅଞ୍ଚଳରେ ସବୁ ପରିଵାରରେ ସବୁ ଜାତିରେ ବୋଉ ଶବ୍ଦ ଵ୍ୟଵହାର ହେଉନଥିଲା ଫଳତଃ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ପ୍ରୟୋଗ ହୋଇନଥିଵା ସମ୍ଭଵ ।‌ କିନ୍ତୁ ଆଗେ ପ୍ରାକୃତ ଭାଷାରେ ମଧ୍ୟ ଵର୍ଗ୍ୟ ‘ବ’ ଆଦ୍ୟରେ ମାତୃ ସମ୍ବୋଧନାର୍ଥକ ଦୁଇଗୋଟି ଶବ୍ଦ ଚଳୁଥିଲା ବୋଲି ଅନେକେ ଜାଣିନଥିବେ ‌। ହିନ୍ଦୀର बा ଓ बाई, ମରାଠୀର ब ଓ बई, ଗୁଜରାଟୀର બા,ଅହମିଆର বৌ ପରି ଆଗେ ପ୍ରାକୃତ ଭାଷାରେ ବି ମାଆଙ୍କୁ 𑀩𑀸𑀈(ବାଈ) ଓ 𑀩𑀸𑀈𑀬𑀸(ବାଈଯା) ତଥା ବାପାଙ୍କୁ 𑀩𑀸(ବା) ସମ୍ବୋଧନ କରାଯାଉଥିଲା । ଏହି ପ୍ରାକୃତ ଭାଷାର 𑀩𑀸𑀈(ବାଈ) ଶବ୍ଦଟି ହିଁ ଆଜି ଓଡ଼ିଶାରେ ବାଈ(ଜେଜେମା, ବଡ଼ଭଉଣୀ),ବେଈ(ଆଈ,ଜେଜେମାଆ),ବୋଈ(ଜେଜେମାଆ),ବୋଉ(ମାଆ) ଓ ଆବୋଉ(ଖୁଡ଼ି) ରୂପେ ନାନା ଅର୍ଥରେ ଚଳୁଅଛି। ପୁଣି ମୂଳ ପ୍ରାକୃତ 𑀩𑀸(ବା) ଶବ୍ଦରୁ ବାଆ,ବାବା,ବାବୁ,ବୁବା(>ବୁଆ),ବବା,ବାପା ଓ ବୋପା ଇତ୍ୟାଦି ଶବ୍ଦ କାଳକ୍ରମେ ସୃଷ୍ଟି ହୋଇଛି। 

Sir Ralph lily Turner ତାଙ୍କ ସଂକଳିତ ଵ୍ୟୁତ୍ପତ୍ତି କୋଷ A comparative dictionary of Indo-Aryan languagesର 519ତମ ପୃଷ୍ଠାରେ ପ୍ରାକ୍ ଇଣ୍ଡିକ୍ ଭାଷାର ମୂଳ ଶବ୍ଦ *bāର ଅର୍ଥ ବାପା ତଥା *bāī-' ଶବ୍ଦର ଅର୍ଥ ମାତା ଲେଖିଅଛନ୍ତି । ସେହିପରି ସେଠ୍ ହରଗୋଵିନ୍ଦ ଦାସଙ୍କ ଦ୍ଵାରା ସଂକଳିତ ପ୍ରାକୃତ ଅଭିଧାନ Paia-sadda-mahannavo; a comprehensive Prakrit Hindi dictionaryର ୬୩୩ତମ ପୃଷ୍ଠାରେ 𑀩𑀸𑀇𑀬𑀸(बाइया/ବାଇଯା/bāiyā) ଶବ୍ଦର ଅର୍ଥ ମାଁ,ମାତା ଲେଖା ହୋଇଛି । ଯେମିତି Child babbling ଯୋଗୁଁ ପ୍ରାକୃତ ଭାଷାରେ ମାତୃଵାଚକ ବାଈ ଓ ବାଈଯା ଶବ୍ଦ ସୃଷ୍ଟି ହୋଇଥିଲା ଠିକ୍ ସେହିପରି *bā,*buba, *bābba ଓ *bāppa ଭଳି ପିତୃଵାଚକ ଶବ୍ଦ ବି ସୃଷ୍ଟି ହୋଇଛି ।‌ ମୂଳ ଭାରତୀୟ ପିତୃଵାଚକ ଶବ୍ଦ *bā ସାମାନ୍ୟ ପରିଵର୍ତ୍ତନ ଯୋଗୁଁ*buba ହୋଇଛି ଏଵଂ ଏହି ଶବ୍ଦରୁ ପରେ କୁମାୟୁନୀ ଭାଷାରେ buwā(ପିତା), bubo-jyu(ସ୍ବାମୀଙ୍କ ପିତା;ଶଶୁର) ଓ bubu(ପିଉସୀ) ଶବ୍ଦ ସୃଷ୍ଟି ହୋଇଛି । ନେପାଳୀରେ ଏହି ମୂଳରୁ bubā(ପିତା) ଓ buwā(ପିତା) ଶବ୍ଦ ସୃଷ୍ଟି ହୋଇଛି ।‌ 
ଓଡ଼ିଆରେ ଵିଶେଷତଃ ସମ୍ବଲପୁରୀ ଓଡ଼ିଆରେ ଏହି ମୂଳ ଶବ୍ଦଟି buā(ପିତା) ଓ buiε(ଝିଅମାନଙ୍କୁ ସ୍ନେହ ସମ୍ବୋଧନ) ହୋଇଅଛି । ମରାଠୀରେ ମୂଳ ଭାରତୀୟ ଶବ୍ଦ *buba ଆହୁରି ପରିଵର୍ତ୍ତିତ ହୋଇ buvā ହୋଇ ଵୟସ୍କ ପିତୃତୁଲ୍ୟ ଲୋକଙ୍କୁ ସମ୍ବୋଧନାର୍ଥ ଵ୍ୟଵହୃତ ହେଉଛି ।‌ ପଶ୍ଚିମ ପାହାଡ଼ୀରେ ଏହି ମୂଳରୁ bvi, bui ଓ buiε ଶବ୍ଦ ସୃଷ୍ଟି ହୋଇ ପିତାଙ୍କ ଭଗିନୀ ଵା ପିଉସୀଙ୍କୁ ସମ୍ବୋଧନ କରିଵା ହେତୁକ ଵ୍ୟଵହାର ହେଉଛି ।‌ ପିତୃଵାଚକ ମୂଳ ଆର୍ଯ୍ୟଶବ୍ଦ *bā ଆହୁରି ପରିଵର୍ତ୍ତିତ ହୋଇ କାଳକ୍ରମେ *bāppa(ବାପ୍ପା) ଓ *bābba(ବାବ୍ବା) ହୋଇଥିଲା ଯାହା ପରେ ଵିଭିନ୍ନ ଇଣ୍ଡିକ୍ ଭାଷାରେ ଭିନ୍ନ ଭିନ୍ନ ରୂପରେ ଓ ନାନା ଅର୍ଥରେ ପରିଵର୍ତ୍ତିତ ହୋଇ ଚଳୁଅଛି । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଭାରତର ଦଶରୁ ଅଧିକ ଓ ଵିଶ୍ଵର କୋଡ଼ିଏ, ତିରିଶ ଵା ତତୋଽଧିକ ଭାଷାରେ ଵର୍ଗ୍ୟ 'ବ' ଆଦ୍ୟରୁ ମାତାଙ୍କୁ ସମ୍ବୋଧନ କରାଯାଉଥିଵା ସମ୍ବନ୍ଧଵାଚକ ଶବ୍ଦ ଚଳୁଅଛି ଵା ପୂର୍ଵେ ଚଳୁଥିଲା। ଅଧିକାଂଶ ଇତିହାସ ପ୍ରସିଦ୍ଧ ଵୀରଜାତିର ଶିଶୁମାନେ ହିଁ ମାଆଙ୍କୁ ଵର୍ଗ୍ୟ 'ବ' ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ଡାକିଥାନ୍ତି । 

ଆଜି ଗୁଜରାଟୀମାନେ ନିଜ ମାଆଙ୍କୁ બા ଡାକିଵା ଛାଡ଼ି ଦେଇଛନ୍ତି,ମରାଠୀମାନେ ବି ଆଉ ତାଙ୍କ ମାଆଙ୍କୁ ସେତେ ब ଓ बई ଡାକୁ ନାହାନ୍ତି। ଅହମିଆମାନେ ବି বৌ ଶବ୍ଦ ଛାଡ଼ି ସାରିଛନ୍ତି କିନ୍ତୁ ମାତା ଅର୍ଥଜ ପ୍ରାକ୍ ଇଣ୍ଡିକ୍
*bāī-' ଶବ୍ଦଟି ଆଜି ବି ଓଡ଼ିଶାରେ ବୋଉ ରୂପେ ପରିଵର୍ତ୍ତିତ ହୋଇ ମାତାଙ୍କୁ ସମ୍ବୋଧନ କରିଵା ହେତୁକ ପ୍ରୟୋଗ କରାଯାଉଛି ‌। କେଵଳ ଭାରତରେ ହିଁ ହିନ୍ଦୀ(बा),ମରାଠୀ(ब, बई), ଗୁଜରାଟୀ(બા),ଅହମିଆ(বৌ),ପଞ୍ଜାଵୀ(ਬੇਬੇ),ବୋଡ଼ୋ(बिमा),ଦିମସା(बुमा),କୋଟା(Be), ପ୍ରାକ୍ ଇଣ୍ଡିକ୍ ଭାଷା(*bāī) ଓ ପ୍ରାକୃତ ଭାଷାରେ 𑀩𑀸𑀈𑀬𑀸(ବାଈଯା) ଇତ୍ୟାଦି ଶବ୍ଦ ବୋଉ ଶବ୍ଦ ପରି ମାତାଙ୍କୁ ସମ୍ବୋଧନ ପାଇଁ କରାଯାଉଛି ଵା ପୂର୍ଵେ କରାଯାଉଥିଲା । 

ଅଜ୍ଞାନମାନେ ପଦ୍ମଶ୍ରୀ,ପଦ୍ମଭୂଷଣ କି ଭାରତରତ୍ନ ପାଇଗଲେ ପଣ୍ଡିତ ହୋଇଗଲେ । ଵିଶ୍ଵ ଓ ଭାରତର ଅନେକ ଭାଷାରେ 'ବ' ଆଦ୍ୟର ବୋଉ ଭଳି ଶବ୍ଦ ଥାଇ ବି ଗାଈ ହମ୍ମା ହମ୍ମା କରେ କଟକିଏ କାହିଁକି ବୋଉ ବୋଉ କରନ୍ତି ବୋଲି ଦାଣ୍ଡ ମଝିରେ ଡାକବାଜି ଲଗାଇ ପଚାରି ଦେଇ ଆପଣାର ପାଣ୍ଡିତ୍ୟ ନୁହେଁ ଵରଂ ସେ ଜାତୀୟ ପୁରସ୍କାର ପ୍ରାପ୍ତ ଫଡି଼ତମାନେ କିଛି ଜାଣନ୍ତି ନାହିଁ,ଅଜ୍ଞାନ ବୋଲି ହିଁ ପ୍ରମାଣ କରିଦେଲେ । କାହାର ଆକ୍ଷେପ ଦ୍ଵାରା ବୋଉ ଶବ୍ଦର ମହତ ଲୋପ ହେଵ ନାହିଁ କି ଓଡ଼ିଆ ଭାଷାର ଅପମାନ ହେଵ ନାହିଁ । ଆକାଶକୁ ପଥର ମାରିଲେ ପଥରଟା କେବେ ସୂର୍ଯ୍ୟ ଓ ଚନ୍ଦ୍ରଠି ଯାଇ ବାଜେ ନାହିଁ । ସେହିପରି ଅଜ୍ଞାନଲୋକେ ତିନି ହଜାର ଵର୍ଷ ପୂର୍ଵର ଓଡ଼ିଆ ଭାଷା ଓ ଏହାର ଶବ୍ଦ ସମ୍ଭାରକୁ ଆକ୍ଷେପ କରି କିଛି ଲାଭ ପାଇବେ ନାହିଁ । 
...............................................................

Sunday, January 11, 2026

ପିଚ୍‌ରେ ଷ୍ଟ୍ରିଟ୍ ଫାଇଟ୍ : ପାକିସ୍ତାନରେ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍ ଉପରେ ଆକ୍ରମଣର ଐତିହାସିକ ଘଟଣା

ପାକିସ୍ତାନ ବନାମ ଭାରତ, ପ୍ରଥମ ଟେଷ୍ଟ ନଭେମ୍ବର ୧୫-୨୦, ୧୯୮୯ ଦିନ ପାକିସ୍ତାନର କରାଚୀ ନ୍ୟାସନାଲ୍ ଷ୍ଟାଡିଅମ୍‌ରେ ଖେଳା ଯାଉଥାଏ । ସେ ସମୟରେ ଭାରତୀୟ କ୍ୟାପ୍ଟେନ୍ ଥାଆନ୍ତି କୃଷ୍ଣମାଚାରୀ ଶ୍ରୀକାନ୍ତ ଏଵଂ ସେହି ମ୍ୟାଚ୍ ସଚିନ୍ ତେନ୍ଦୁଲକରଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା ।‌

ମ୍ୟାଚ୍ ସାଧାରଣ ଭାବରେ ଆରମ୍ଭ ହୋଇଥିଲା। ପାକିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିଵା ବେଳେ ଭାରତୀୟ ଖେଳାଳିମାନେ ଫିଲ୍ଡିଂ କରୁଥିଲେ। ହଠାତ୍ ଏକ ଅଭାବନୀୟ ଘଟଣା ଘଟିଲା।

ଧୂସର ପଥାନୀ ସୁଟ୍ ପିନ୍ଧିଥିଵା ଜଣେ ଦର୍ଶକ ଆସନରୁ ସିଧା ପିଚ୍ ଭିତରକୁ ପଶି ଆସିଲା। ସେ ଭାରତ ଵିରୋଧି ସ୍ଲୋଗାନ୍ ଦେଉଥିଲା ଏଵଂ ଭାରତୀୟ ଦଳକୁ ଏହି ଗସ୍ତ ନ ଆସିଵା ପାଇଁ କହୁଥିଲା। ଏହି ଵ୍ୟକ୍ତି ଏକ ମଜହବୀ ଦଳର ସକ୍ରିୟ ସଦସ୍ୟ ଥିଲା ବୋଲି କୁହାଯାଏ।

ସେ ମଜହବୀ ଲୋକଟା ସିଧା ଭାରତୀୟ କ୍ୟାପ୍ଟେନ୍ କୃଷ୍ଣମାଚାରୀ ଶ୍ରୀକାନ୍ତଙ୍କ ଆଡ଼କୁ ଦୌଡ଼ିଗଲା। ଶ୍ରୀକାନ୍ତଙ୍କୁ ଧରି ଟାଣି ଧରିଲା ଆଉ ଟଣାଟଣି ଭିତରେ ତାଙ୍କ ଜର୍ସି ଚିରି ଦେଲା – ବୋତାମ ଛିଡ଼ିଗଲା ଏଵଂ ଏକ ଛୋଟ ଧରଣର ଝଗଡ଼ା ହେଲା। ଏହାକୁ ଅନେକେ "ପିଚ୍ ଉପରେ ଷ୍ଟ୍ରିଟ୍ ଫାଇଟ୍" ଭାବରେ ଵର୍ଣ୍ଣନା କରନ୍ତି । ଶ୍ରୀକାନ୍ତ ନିଜକୁ ରକ୍ଷା କରିଵାକୁ ଚେଷ୍ଟା କରିଥିଲେ ଏବଂ କିଛି ଛୋଟ ଧରଣର ଆଘାତ ପାଇଥିଲେ ମଧ୍ୟ ଗୁରୁତର ଆହତ ହୋଇନଥିଲେ।

ଶୀଘ୍ର ପାକିସ୍ତାନୀ ଖେଳାଳିମାନେ (ଵିଶେଷକରି ଇମ୍ରାନ୍ ଖାନ୍ ଭଳି ସିନିୟର ଖେଳାଳି) ଏଵଂ ସୁରକ୍ଷାକର୍ମୀମାନେ ଦୌଡ଼ିଆସି ଆକ୍ରମଣକାରୀକୁ ଧରି ବାହାର କରିଦେଲେ। ଶ୍ରୀକାନ୍ତ କିଛି ସମୟ ପାଇଁ ଫିଲ୍ଡ ଛାଡ଼ି ବାହାରକୁ ଯାଇଥିଲେ କିନ୍ତୁ ପରେ ମ୍ୟାଚ୍ ପୁନଃ ଆରମ୍ଭ ହେଲା ଏଵଂ ଖେଳ ସ୍ଵାଭାବିକ ଭାବରେ ଜାରି ରହିଲା।

କେହି କେହି କହନ୍ତି ଧାରୁଆ ଛୁରୀ ଧରି ଆକ୍ରମଣକାରୀ ଆସିଥିଲା ତେବେ ଆଉ କିଛି ଲୋକ ଏହାର ଖଣ୍ଡନ କରିଥାନ୍ତି । ଇଣ୍ଟରନେଟରେ ଏ ସମ୍ବନ୍ଧରେ ଥିଵା ଚିତ୍ରରୁ ଏଭଳି ଅନୁମାନ କରାଯାଉଛି । 
ସଞ୍ଜୟ ମଞ୍ଜରେକର ତାଙ୍କ ବହିରେ ଲେଖିଛନ୍ତି ଯେ ସେ ମିଡ୍-ଅଫ୍ ପୋଜିସନରେ ଥିଵା ବେଳେ ଆକ୍ରମଣକାରୀ ଵ୍ୟକ୍ତି ତାଙ୍କୁ ପାର କରି ପିଚ୍ ଆଡ଼କୁ ଯାଉଥିଵା ଦେଖିଥିଲେ। ବହିରେ ସେ ଉଲ୍ଲେଖ କରିଛନ୍ତି ପ୍ରଥମେ ଆକ୍ରମଣକାରୀ ଵ୍ୟକ୍ତି ଶାନ୍ତ ଭାବରେ ପିଚ୍ ଭିତରକୁ ପଶିଥିଲା ପରେ ଭାରତ ଵିରୋଧୀ ସ୍ଲୋଗାନ ଦେଵା ଆରମ୍ଭ କରିଦେଲା ।

ଏହି ଘଟଣା ସତ୍ତ୍ୱେ ମ୍ୟାଚ୍ ଡ୍ର ହୋଇଥିଲା । କରାଚୀ ନ୍ୟାସନାଲ୍ ଷ୍ଟାଡିଅମ୍‌ରେ ଖେଳାଯାଇଥିଵା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ ଭାରତ-ପାକିସ୍ତାନ କ୍ରିକେଟ୍ ଇତିହାସରେ ଏକ ଅଵିସ୍ମରଣୀୟ ଘଟଣା ଭାବରେ ରହିଛି, କାରଣ ଏହା ସଚିନ୍ ତେନ୍ଦୁଲକର ଓ ଓ୍ୱାକର ୟୁନିସ୍‌ଙ୍କର ଟେଷ୍ଟ ପଦାର୍ପଣ ମ୍ୟାଚ୍ ରୂପେ ସ୍ମରଣୀୟ ହୋଇଥିଲା । ଝଗଡ଼ା ଛଡ଼ା ମ୍ୟାଚ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଘଟିଥିଲା ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୦୯ ରନ୍ କରିଥିଲା । କ୍ୟାପ୍ଟେନ୍ ଇମ୍ରାନ୍ ଖାନ୍ ୧୦୯ ରନ୍‌ର ଏକ ଦୃଢ଼ ଶତକ ମାରିଥିଲେ, ଯାହା ଦଳକୁ ଏକ ସଶକ୍ତ ଭିତ୍ତି ପ୍ରଦାନ କରିଥିଲା । ଶୋଏବ ମହମ୍ମଦ ୬୭ ଓ ଜାଭେଦ ମିଆଁଦାଦ ୭୮ ରନ୍ କରିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରୁ ମନୋଜ ପ୍ରଭାକର ୫/୧୦୪ ଓ କପିଲ ଦେଵ୍ ୪/୬୯ ରନ୍ ନେଇ ଉତ୍ତମ ପ୍ରଦର୍ଶନ କରିଥିଲେ । ଏହି ଇନିଂସରେ ପାକିସ୍ତାନ ଏକ ଭଲ ସ୍କୋର ଗଢ଼ିଥିଲା ।

ଭାରତ ପ୍ରଥମ ଇନିଂସରେ ୨୬୨ ରନ୍‌ରେ ଅଲଆଉଟ୍ ହୋଇଥିଲା, ଯାହାଦ୍ୱାରା ପାକିସ୍ତାନ ପ୍ରଥମ ଇନିଂସରେ ୧୪୭ ରନ୍‌ର ଲିଡ୍ ନେଇଥିଲା । ଭାରତୀୟ ଇନିଂସରେ କିରଣ ମୋରେ ୫୮* ରନ୍ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରି ନଥିଲେ । ୱାକର ୟୁନିସ୍ ୪/୮୦ ରନ୍ ନେଇ ପାକିସ୍ତାନୀ ବୋଲିଂକୁ ନେତୃତ୍ୱ ଦେଇଥିଲେ ।

ଦ୍ୱିତୀୟ ଇନିଂସରେ ପାକିସ୍ତାନ ୩୦୫/୫ ରନ୍‌ରେ ଡିକ୍ଲେୟାର କରିଥିଲା, ଯାହାଦ୍ୱାରା ଭାରତକୁ ୪୫୩ ରନ୍‌ର ଏକ ବିଶାଳ ଟାର୍ଗେଟ୍ ମିଳିଥିଲା । ସଲିମ୍ ମଲିକ ୧୦୨* ରନ୍‌ର ଏକ ଅପରାଜିତ ଶତକ କରିଥିଲେ । କପିଲ ଦେବ ୩/୮୨ ରନ୍ ନେଇ ଭାରତୀୟ ବୋଲିଂକୁ ନିୟନ୍ତ୍ରଣରେ ରଖିଥିଲେ ।

ରନ୍ ଚେଜ୍ କରିଵା ସମୟରେ ଭାରତ ୩୦୩/୩ ରନ୍ କରି ଡ୍ର କରିଥିଲା । ସଞ୍ଜୟ ମଞ୍ଜରେକର ୧୧୩* ରନ୍‌ର ଏକ ଅପରାଜିତ ଶତକ କରିଥିଲେ, ଯାହା ଦଳର ସ୍ଥିତି ସୁରକ୍ଷିତ କରିଥିଲା । ଏହି ମ୍ୟାଚ୍‌ରେ କପିଲ ଦେଵ୍‌ଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଭାବରେ ପୁରସ୍କାର ଦିଆଯାଇଥିଲା, କାରଣ ସେ ପ୍ରଥମ ଇନିଂସରେ ୪/୬୯ ଓ ଦ୍ୱିତୀୟରେ ୩/୮୨ ରନ୍ ନେଇଥିଲେ ଏଵଂ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦେଇଥିଲେ । ଏହା ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ୍ ଥିଲା ଏବଂ ସେ ୩୫୦ତମ ୱିକେଟ୍ ମଧ୍ୟ ନେଇଥିଲେ ।

ଏହି ମ୍ୟାଚ୍ ରାଜନୈତିକ ଉତ୍ତେଜନା ମଧ୍ୟରେ ଖେଳାଯାଇଥିଲା, କିନ୍ତୁ ଖେଳାଳିମାନେ ନିଜ ନିଜର ପ୍ରଦର୍ଶନ ଉପରେ ଧ୍ୟାନ ଦେଇଥିଲେ । ପିଚ୍ ଇନଵେଡର ଘଟଣା ହେଲା ସବୁଠାରୁ ବଡ଼ ହାଇଲାଇଟ୍, କିନ୍ତୁ ଇମ୍ରାନ୍‌ଙ୍କ ଶତକ, ମଞ୍ଜରେକରଙ୍କ ଅପରାଜିତ ଇନିଂସ ଓ କପିଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ମ୍ୟାଚ୍‌କୁ ଏକ ରୋମାଞ୍ଚକର ଡ୍ର କରିଥିଲା । ଏହି ସିରିଜ୍ ଶେଷରେ ୦-୦ରେ ଡ୍ର ହୋଇଥିଲା, ଯାହା ଉଭୟ ଦଳଙ୍କର ସମାନ ଶକ୍ତିକୁ ଦର୍ଶାଇଥିଲା । 



Saturday, January 10, 2026

"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନର ସାଂସ୍କୃତିକ ଓ ଵୈଜ୍ଞାନିକ ଵିଶ୍ଳେଷଣ

ଭାରାତୀୟ ସାହିତ୍ୟ ଓ ସଂସ୍କୃତିରେ ପ୍ରଵଚନ ତଥା ଲୋକକଥାଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ପ୍ରଵଚନଗୁଡ଼ିକ କେଵଳ ଭାଷାର ସୌନ୍ଦର୍ଯ୍ୟକୁ ଵୃଦ୍ଧି କରେ ନାହିଁ ଵରଂ ଜୀଵନର ଗଭୀର ଦାର୍ଶନିକ ଓ ଵ୍ୟାଵହାରିକ ଶିକ୍ଷାକୁ ମଧ୍ୟ ସଂକେତ ଦିଏ। ଏହି ପ୍ରସଙ୍ଗରେ “ଗଜଭୁକ୍ତ କପିତ୍ଥ ଵତ୍” ପ୍ରଵଚନଟି ଏକ ଅନନ୍ୟ ଉଦାହରଣ। 

ସମ୍ପୂର୍ଣ୍ଣ ସଂସ୍କୃତ ସୁଭାଷିତଟି ହେଲା :

“ଆଜଗାମ ଯଦା ଲକ୍ଷ୍ମୀର୍ନାରିକେଳଫଳାମ୍ବୁଵତ୍ ।
ନିର୍ଜଗାମ ଯଦା ଲକ୍ଷ୍ମୀର୍ଗଜଭୁକ୍ତକପିତ୍ଥଵତ୍ ॥

ଅର୍ଥାତ୍ ଯେତେବେଳେ ଲକ୍ଷ୍ମୀ (ଧନ/ସମ୍ପତ୍ତି) ଆସନ୍ତି, ସେତେବେଳେ ନଡ଼ିଆ ଫଳରେ ପାଣି ଭରିଵା ପରି ଧୀରେ ଧୀରେ ଆସନ୍ତି। ଗଜ କଇଁଥ ଫଳ ଖାଇ ତାକୁ ଗୋଟା ଲଣ୍ଡିରେ ବାହାର କରି ଦିଏ ।‌ କିନ୍ତୁ ସେ କଇଥ ଭିତରେ ଆଉ ଶସ ନଥାଏ । ଠିକ୍ ସେହିପରି ଲକ୍ଷ୍ମୀ ଯେତେବେଳେ ଛାଡ଼ି ଯାଆନ୍ତି ପରି ଅତି ଶୀଘ୍ର ଓ ସହସା ଚାଲିଯାଆନ୍ତି।

ପରଵର୍ତ୍ତୀ କାଳରେ ଲୋକମାନେ “ଗଜଭୁକ୍ତ କପିତ୍ଥ ଵତ୍” ପଦଟିକୁ ଲୋକଵାଣୀ ରୂପେ ଵ୍ୟଵହାର କରିଵାକୁ ଲାଗିଲେ ଏଵଂ ଏହା ସାହିତ୍ୟରେ ଏକ ଜନପ୍ରିୟ ଉକ୍ତି ହୋଇଗଲା । ଯେତେବେଳେ “ଗଜଭୁକ୍ତ କପିତ୍ଥ ଵତ୍” ପଦଟି ଏକ ଲୋକଵାଣୀ ରୂପେ ଵ୍ୟଵହାର କରାଗଲା ସେତେବେଳେ ଏହାକୁ ସାମାନ୍ୟ ଭିନ୍ନ ଅର୍ଥରେ ପ୍ରୟୋଗ କରାଗଲା ।‌'ଗଜ', କଇଥ ଫଳକୁ ଗୋଟା ଖାଇ ତା’ର ଲଣ୍ଡିରେ ଅକ୍ଷୁଣ୍ଣ ଵାହାର କରେ, ସେହି ଫଳ ଵାହାରୁ ଅକ୍ଷୁଣ୍ଣ ଦେଖାଯାଏ କିନ୍ତୁ ଭିତରୁ ସମ୍ପୂର୍ଣ୍ଣ ଫମ୍ପା ହୋଇଯାଏ। ଏହା ଏକ ପ୍ରତୀକାତ୍ମକ ଉପମା ଯାହା ମାନଵ ଜୀଵନରେ ଵାହ୍ୟ ଚାକଚକ୍ୟ ଓ ଆଭ୍ୟନ୍ତରୀଣ ଶୂନ୍ୟତାକୁ ନିର୍ଦ୍ଦେଶ କରେ। ଏହି ପ୍ରଵଚନ ମାଧ୍ୟମରେ ସମାଜରେ ଥିଵା ଏପରି ଵ୍ୟକ୍ତି ଵା ପରିସ୍ଥିତିକୁ ବୁଝାଯାଏ, ଯେଉଁମାନେ ବାହାରୁ ସଫଳ, ସମୃଦ୍ଧ ଵା ସୁନ୍ଦର ଦେଖାଯାନ୍ତି, କିନ୍ତୁ ଭିତରୁ ସେମାନେ ମୂଲ୍ୟହୀନ ଵା ଶୂନ୍ୟ।

ଏହି ପ୍ରଵଚନ ଵା ଲୋକଵାଣୀରେ ହାତୀ ଓ କଇଥ ଫଳର ଉପମା ଅତ୍ୟନ୍ତ ପ୍ରତୀକାତ୍ମକ। ହାତୀ, ଯାହା ଶକ୍ତି, ଵୃହତ୍ତ୍ୱ ଓ ପ୍ରଭାଵର ପ୍ରତୀକ, ଏକ ଛୋଟ ଫଳକୁ ଗିଳି ଦେଇ ତାହାର ଭିତରକୁ ନଷ୍ଟ କରିଦିଏ। ଏହା ସମାଜରେ ଥିଵା କିଛି ଶକ୍ତିଶାଳୀ ଵ୍ୟକ୍ତି ଵା ପରିସ୍ଥିତିକୁ ସୂଚାଏ, ଯେଉଁମାନେ ଵାହ୍ୟରୂପେ ଆକର୍ଷଣୀୟ ହେଲେ ମଧ୍ୟ ଆଭ୍ୟନ୍ତରୀଣ ମୂଲ୍ୟକୁ ନଷ୍ଟ କରିଦିଅନ୍ତି। ଅନ୍ୟପକ୍ଷରେ, କଇଥ ଫଳ ଏକ ସାଧାରଣ ଓ ସରଳ ଜୀଵନର ପ୍ରତୀକ, ଯାହା ଵାହାରୁ ସୁନ୍ଦର ହେଲେ ମଧ୍ୟ ଶକ୍ତିଶାଳୀ ପ୍ରଭାଵରେ ନଷ୍ଟ ହୋଇଯାଏ।

ଏହି ପ୍ରଵଚନର ଵୈଜ୍ଞାନିକ ଦିଗକୁ ଵିଚାର କଲେ, ଏହାର ମୂଳ ଧାରଣାଟି କିଛି ପରିମାଣରେ ପରୀକ୍ଷାମୂଳକ ଅନୁସନ୍ଧାନ ଦ୍ୱାରା ଖଣ୍ଡନ କରାଯାଇଛି। ପ୍ରଵଚନ ଅନୁଯାୟୀ, ହାତୀ କଇଥ ଫଳକୁ ଗୋଟା ଗିଳି ଦେଇ ତାହାର ଲଣ୍ଡିରେ ଅକ୍ଷୁଣ୍ଣ ରୂପରେ ବାହାର କରେ ହେଲେ ତା ଭିତର ଫମ୍ପା ଥାଏ । କିନ୍ତୁ, କେତେକ ପରୀକ୍ଷା ଓ ପର୍ଯ୍ୟଵେକ୍ଷଣରୁ ଜଣାଯାଇଛି ଯେ ହାତୀ କଇଥ ଫଳକୁ ଚୋବାଇ ଖାଏ, ଯାହା ଫଳରେ ଫଳଟି ଖଣ୍ଡ ଖଣ୍ଡ ହୋଇଯାଏ। 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର 2069ତମ ପୃଷ୍ଠାରେ 
"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନଟି ସ୍ଥାନ ପାଇଛି ଏଵଂ ଦ୍ରଷ୍ଟଵ୍ୟରେ ଉଲ୍ଲେଖ ଅଛି:
“କେହି କେହି କହନ୍ତି ଏହି "ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନଟି ସତ୍ୟ । କିନ୍ତୁ ପରୀକ୍ଷା କରି ହାତୀକୁ କଇଥ ଖାଇଵାକୁ ଦେଇ ଲେଖକ ଦେଖିଅଛନ୍ତି ଯେ ପ୍ରଥମେ ହାତୀ ସେ କଇଥଟିକୁ ମଡ଼ ମଡ଼ କରି ଚୋବାଇ ଖାଏ ଓ ହାତୀ ଲଣ୍ଡିରେ ଖଣ୍ଡ ଖଣ୍ଡ କଇଥର ଖୋଳ ବାହାରେ।”

ଏଥିରୁ ସ୍ପଷ୍ଟ ହୁଏ ଯେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ସମ୍ଭଵତଃ ଏ ପ୍ରଵଚନକୁ ପରୀକ୍ଷା କରି ଦେଖିଛନ୍ତି ତେଣୁ ତାହା ସେ ଭାଷାକୋଷରେ ଉଲ୍ଲେଖ କରିଯାଇଛନ୍ତି।‌

କେହି କେହି ଯୁକ୍ତି କରନ୍ତି ଯେ ହାତୀର ପାକସ୍ଥଳୀରେ କଇଥ (କପିତ୍ଥ) ଫଳର ଶସ ଅସ୍ମୋସିସ (Osmosis) ପ୍ରକ୍ରିୟା ମାଧ୍ୟମରେ ଖୋଳ ଦେଇ ବାହାରିଯାଏ, ଯାହା ଫଳରେ ଫଳଟି ବାହାରୁ ଅକ୍ଷୁଣ୍ଣ ଦେଖାଯାଏ କିନ୍ତୁ ଭିତରୁ ଫମ୍ପା ହୋଇଯାଏ। 

ତେବେ ଏହି ଅସ୍ମୋସିସ କ’ଣ ? 
ଅସ୍ମୋସିସ ଏମିତି ଏକ ଜୈଵିକ ପ୍ରକ୍ରିୟା, ଯହିଁରେ ଏକ ଅର୍ଦ୍ଧଭେଦ୍ୟ (semi-permeable) ଝିଲ୍ଲୀ ମାଧ୍ୟମରେ ଦ୍ରଵଣ (solvent),ସାଧାରଣତଃ ଜଳ, ଅଧିକ ଘନତ୍ୱ (high concentration) ଅଞ୍ଚଳରୁ କମ ଘନତ୍ୱ (low concentration) ଅଞ୍ଚଳକୁ ପ୍ରଵାହିତ ହୁଏ। ଏହି ପ୍ରକ୍ରିୟା ସାଧାରଣତଃ ଜୀଵକୋଷରେ ଜଳ ଓ ଅନ୍ୟାନ୍ୟ ଦ୍ରଵଣର ଗତିବିଧି ପାଇଁ ଦାୟୀ। କିନ୍ତୁ ଏହି ପ୍ରକ୍ରିୟା କେଵଳ ଅର୍ଦ୍ଧଭେଦ୍ୟ ଝିଲ୍ଲୀରେ ହିଁ ସମ୍ଭଵ, ଯେଉଁଥିରେ କେଵଳ ନିର୍ଦ୍ଦିଷ୍ଟ ଅଣୁ (ଯଥା ଜଳ) ପାର ହୋଇପାରେ, ଅନ୍ୟ ଵୃହତ୍ ଅଣୁ ନୁହେଁ।

କେହି କେହି କଇଥ ଫଳର ଖୋଳକୁ ଏକ ଟୀ-ବ୍ୟାଗ୍ ସହ ତୁଳନା କରି କୁହନ୍ତି ଯେ ଏହା ଛିଦ୍ରଯୁକ୍ତ (porous) ଏଵଂ ଅର୍ଦ୍ଧଭେଦ୍ୟ ଝିଲ୍ଲୀ ଭଳି କାର୍ଯ୍ୟ କରେ। ଏହା ସତ୍ୟ ଯେ କଇଥ ଫଳର ଖୋଳ ନିଶ୍ଚିତ ଭାବେ କଠିନ ଓ ଛିଦ୍ରଯୁକ୍ତ ହୋଇଥାଏ ଯାହା ଫଳରେ କେତେକ ପୋକମାନେ ଏହା ଭିତରେ ପ୍ରଵେଶ କରିପାରନ୍ତି। ତେବେ ଏହାକୁ ଅର୍ଦ୍ଧଭେଦ୍ୟ ଝିଲ୍ଲୀ ଭାବରେ ଗ୍ରହଣ କରିଵା ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହେଁ। ଅର୍ଦ୍ଧଭେଦ୍ୟ ଝିଲ୍ଲୀ ସାଧାରଣତଃ ଜୈଵିକ ଝିଲ୍ଲୀ (ଯଥା କୋଷ ଝିଲ୍ଲୀ) ହୋଇଥାଏ, ଯେଉଁଥିରେ ଅଣୁଗୁଡ଼ିକର ଗତିଵିଧି ନିୟନ୍ତ୍ରିତ ହୁଏ। କଇଥର ଖୋଳ ଏକ କଠିନ, ଲିଗ୍ନିନ୍‌ଯୁକ୍ତ ଆଵରଣ, ଯାହା ଅସ୍ମୋସିସ ପାଇଁ ଆଵଶ୍ୟକ ନିୟନ୍ତ୍ରିତ ଛିଦ୍ର ପ୍ରଦାନ କରେ ନାହିଁ। ତେଣୁ, କଇଥର ଶସ ଅସ୍ମୋସିସ ମାଧ୍ୟମରେ ଖୋଳ ଦେଇ ବାହାରିଵ ବୋଲି କରାଯାଉଥିଵା ଦାବି ଵୈଜ୍ଞାନିକ ଦୃଷ୍ଟିରୁ ଅସମ୍ଭଵ।

ହାତୀ ଏକ ଵୃହତ୍ ତୃଣଭୋଜୀ ପ୍ରାଣୀ, ଯାହାର ପାଚନତନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ। ହାତୀର ପାକସ୍ଥଳୀରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଓ ଏଞ୍ଜାଇମ୍ ଥାଏ, ଯାହା ଖାଦ୍ୟକୁ ଭାଙ୍ଗିଵାରେ ସହାୟକ ହୁଏ। କଇଥ ଫଳର ଶସ ନରମ ଓ ପାଚନଯୋଗ୍ୟ, କିନ୍ତୁ ଖୋଳଟି ଅତ୍ୟନ୍ତ କଠିନ। ଲୋକେ ଦାବି କରନ୍ତି ଯେ ହାତୀ କଇଥକୁ ଗୋଟା ଗିଳି ଦେଇ ଶସକୁ “ପାକସ୍ଥଳୀ ମଧ୍ୟରେ ନିଏ କିନ୍ତୁ କଇଥ ଖୋଳ ଯଥାଵତ୍ ରହେ ,” ।‌ ଏହି ଦାବି ଵୈଜ୍ଞାନିକ ଦୃଷ୍ଟିରୁ ଠିକ୍ ନୁହେଁ। ହାତୀର ପାଚନତନ୍ତ୍ର ଖାଦ୍ୟକୁ ଗୁଣ୍ଡ କରେ ଏଵଂ ପାଚନ କରିଥାଏ, ତେଣୁ କଇଥର ଖୋଳ ଅକ୍ଷୁଣ୍ଣ ରହିଵାର ସମ୍ଭାଵନା କମ୍। ଅଧିକନ୍ତୁ, ହାତୀର ଲଣ୍ଡିରେ ସାଧାରଣତଃ ଅପଚିତ ଖାଦ୍ୟର ଅଵଶେଷ ଖଣ୍ଡ ଖଣ୍ଡ ହୋଇ ବାହାରେ, ଗୋଟାଏ ଫଳ ଭାବରେ ନୁହେଁ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର 2069ତମ ପୃଷ୍ଠାରେ ଏହି ପ୍ରଵଚନ ସମ୍ବନ୍ଧରେ ଲେଖାଯାଇଛି: “କେହି କେହି କହନ୍ତି ଯେ ଗଜନାମକ ଏକଜାତୀୟ ପୋକ କଇଥ ଫଳ ମଧ୍ୟରେ ପଶି କଇଥର ଶସକୁ ଏପରି ଖାଆନ୍ତି ଯେ କଇଥର ଆକାରଟି ପୂର୍ଵପରି ଥାଏ କିନ୍ତୁ ଭିତରଟି ଫମ୍ପା ହେଇଯାଏ ।”

ସମ୍ଭଵତଃ ଗଜନାମକ ଏହି ପୋକ ଏକ ଜାତୀୟ “Fruit Borer” ଯାହାର ଵୈଜ୍ଞାନିକ ନାମ Meridarchis scyrodes ଅଟେ । Meridarchis scyrodes ପ୍ରକୃତରେ ଏକ ଜାତୀୟ Moth ଅଟେ ଏଵଂ ଏହା ନିଜର ପୋକରୂପ ସମୟରେ କଇଥ ଫଳର ଭିତରକୁ ପ୍ରଵେଶ କରି ଶସକୁ ଖାଇଦିଏ, ଯାହା ଫଳରେ ଫଳଟିର ଵାହ୍ୟ ଆକୃତି ଅକ୍ଷୁଣ୍ଣ ରହେ କିନ୍ତୁ ଭିତରୁ ଶୂନ୍ୟ ହୋଇଯାଏ। ଏହା ପ୍ରଵଚନର ମୂଳ ଧାରଣାକୁ ଆଂଶିକ ସମର୍ଥନ କରେ, ଯଦିଓ ଏହା ହାତୀ ସହ ସମ୍ପୃକ୍ତ ନୁହେଁ। 

ତେବେ ଭାରତୀୟ ସଂସ୍କୃତିରେ "ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନଟି ଅନେକ ସାମାଜିକ ଓ ଦାର୍ଶନିକ ଅର୍ଥ ଵହନ କରେ। ଏହା ସମାଜରେ ଥିଵା ଦମ୍ଭ, ଵାହ୍ୟ ଚାକଚକ୍ୟ ଓ ଆଭ୍ୟନ୍ତରୀଣ ଶୂନ୍ୟତାକୁ ଵ୍ୟଙ୍ଗ୍ୟ କରେ। ଉଦାହରଣ ସ୍ୱରୂପ, କେହି ଵ୍ୟକ୍ତି ବାହାରୁ ଧନୀ, ସଫଳ ଵା ସମ୍ମାନିତ ଦେଖାଯାଇପାରେ, କିନ୍ତୁ ତା'ର ଜୀଵନରେ ନୈତିକତା, ମୂଲ୍ୟଵୋଧ ଵା ଆନ୍ତରିକତାର ଅଭାଵ ଥାଇପାରେ। ଏହା ସମାଜରେ ଥିଵା ଦ୍ୱିମୁଖୀ ଚରିତ୍ରକୁ ମଧ୍ୟ ସୂଚାଏ।

ପୁଣି ଭାଷାକୋଷ ଅନୁସାରେ ପ୍ରଵଚନଟି ଲକ୍ଷ୍ମୀଙ୍କ ସହ ମଧ୍ୟ ସମ୍ପର୍କିତ। ଲୋକଵିଶ୍ୱାସ ଅନୁଯାୟୀ, ଲକ୍ଷ୍ମୀ ଯେତେବେଳେ ଘରେ ପ୍ରଵେଶ କରନ୍ତି, ସେତେଵେଳେ ଘରଟି ସମୃଦ୍ଧିରେ ପୂର୍ଣ୍ଣ ହୁଏ, ଯେପରି ନଡ଼ିଆରେ ପାଣି ପଶିଲେ ତାହା ସମ୍ପୂର୍ଣ୍ଣ ହୁଏ। କିନ୍ତୁ ଲକ୍ଷ୍ମୀ ଯେତେଵେଳେ ଘର ଛାଡ଼ି ଚାଲିଯାଆନ୍ତି, ସେତେଵେଳେ ଘରଟି “ଗଜଭୁକ୍ତ କପିତ୍ଥ” ପରି ଫମ୍ପା ହୋଇଯାଏ। ଏହା ମାନଵ ଜୀଵନର ଅନିଶ୍ଚିତତା ଓ ସମୃଦ୍ଧିର ଅସ୍ଥାୟୀ ପ୍ରକୃତିକୁ ସୂଚାଇଥାଏ ।

ଏହି ପ୍ରଵଚନଟି ସାମାଜିକ ପରିପ୍ରେକ୍ଷୀରେ ଅନେକ ପରିସ୍ଥିତିରେ ଵ୍ୟଵହୃତ ହୁଏ। ଉଦାହରଣ ସ୍ୱରୂପ, କେହି ଵ୍ୟକ୍ତି ଵାହାରୁ ଅତ୍ୟନ୍ତ ଧନୀ ଓ ସଫଳ ଦେଖାଯାଇପାରେ, କିନ୍ତୁ ତାଙ୍କ ପାରିଵାରିକ ଜୀଵନ ଵା ଵ୍ୟକ୍ତିଗତ ସୁଖ ଶୂନ୍ୟ ହୋଇପାରେ। ଏହା ସମାଜରେ ଥିଵା ଦୃଶ୍ୟମାନ ସଫଳତା ଓ ଅଦୃଶ୍ୟ ଖାଲିପଣ ମଧ୍ୟରେ ଥିଵା ଵ୍ୟଵଧାନକୁ ସୂଚାଏ। ଏହି ପ୍ରଵଚନ ଆମକୁ ଶିକ୍ଷା ଦିଏ ଯେ ଵାହ୍ୟ ଚାକଚକ୍ୟ ଉପରେ ଵିଶ୍ୱାସ କରିଵା ପୂର୍ଵରୁ ଆଭ୍ୟନ୍ତରୀଣ ମୂଲ୍ୟକୁ ପରୀକ୍ଷା କରିଵା ଆଵଶ୍ୟକ। ତେବେ ଆମ ଓଡ଼ିଆ ଭାଷାରେ ମଧ୍ୟ ଏଭଳି ଅନେକ ଲୋକଵାଣୀ ରହିଛି ଯାହାର ଅର୍ଥ ଗଜଭୁକ୍ତ କପିତ୍ଥ ଵତ୍ ସହିତ ସାମ୍ୟ ରଖିଥାଏ । 

ଯଥା : 
•ଦେଖାସୁନ୍ଦର ପଲାଶ ଫୁଲ, ବାସ ଗୁଣ ନାହିଁ ଅମୂଲ ମୂଲ।
•ଦେଖାସୁନ୍ଦର କଖାରୁବଡ଼ି
•ଦେଖା ସୁନ୍ଦରୀ ବଉଳାଗାଈ
•ଦେଖନ ସୁନ୍ଦର ଫୁଲଗୁଭା
ଭିତରେ ଭିତରେ ରୁବରୁବା 
•ଦେଖା ସୁନ୍ଦର ମହାକାଳ ଫଳ
•ଦେଖା ସୁନ୍ଦର କଲରେଇ ଫୁଲ

ଏସବୁ ଲୋକଵାଣୀରେ "ଦେଖା ସୁନ୍ଦର" ଵିଶେଷଣ ରହିଛି। ଦେଖିଵାକୁ ସୁନ୍ଦର ଅଥଚ ନିର୍ଗୁଣ ଵା ଦୁର୍ଵଳ ହୋଇଥିଲେ, ବାହାରକୁ ଛାପ ଚିକଣ ଅଥଚ ଭିତରେ ଫମ୍ପା ହୋଇଥିଲେ ଦେଖା ସୁନ୍ଦର ଵିଶେଷଣ ପ୍ରୟୋଗ କରାଯାଏ । ଏତଦଵ୍ୟତୀତ ଆଉ କିଛି ଲୋକଵାଣୀ ମଧ୍ୟ ସମାନ ଭାବ ଓ ଅର୍ଥ ଘେନି ଵ୍ୟଵହାର କରାଯାଏ । 

•ଚହଟ ଚମ୍ପା, 
ତଳେ ପାଟ ଫୁଲି ଉପରେ ଝୁମ୍ପା 
ବାହାର ସୁନ୍ଦର ଭିତର ଫମ୍ପା

•ଓଡ଼ିଆ ଢମ,
ତଳେ ଛିଣ୍ଡା କନା 
ଉପରେ କମ। 

•ପଳାସ ଫୁଲ ଟି ଦେଖ କେଡ଼େ ମନୋହର। 
ବାସ ନାହିଁ ବୋଲି ସେ ତ ପାଏନା ଆଦର

•ସଳଖ ସୁନ୍ଦର ଭେଣ୍ଡିଆଟା 
ହାତ ଗୋଡ଼ ନାହିଁ ଖଣ୍ଡିଆଟା

•ମହାକାଳ ଫଳ କି ମନୋହର 
ଭିତରୁ ଦେଖିଲେ ପୋଡ଼ା ଅଙ୍ଗାର( କେତେକ ଅଞ୍ଚଳରେ ପୋଡ଼ା ଅଙ୍ଗାର ପରିଵର୍ତ୍ତେ ପୂରା ନାରଖାର ମଧ୍ୟ କୁହାଯାଏ )


ଇଂରାଜୀ ଭାଷାରେ ମଧ୍ୟ କୁହାଯାଏ “All that glitters is not gold” ଅର୍ଥାତ୍ ବାହାରୁ ଯାହା ଭଲ କିମ୍ବା ଆକର୍ଷଣୀୟ ଲାଗେ, ସେ ସବୁବେଳେ ଭଲ ହୋଇ ନଥାଏ । ଏହି ଧରଣର ଆଉ ତିନୋଟି ଜଣାଶୁଣା ଇଂରାଜୀ ଲୋକଵାଣୀ ହେଲା : 
•Appearances can be deceptive.
•Don’t judge a book by its cover.
•Looks can be deceiving.

ଏହି ସମସ୍ତ ପ୍ରବଚନରେ ଏକାଇ ମୂଳ ସନ୍ଦେଶ ରହିଛି – ବାହ୍ୟ ରୂପ, ଚାକଚକ୍ୟ କିମ୍ବା ପ୍ରଥମ ଛବି ଉପରେ ଭରସା କରିଵା ଵିପଜ୍ଜନକ ହୋଇପାରେ। ଅଵଶ୍ୟ "ଗଜଭୁକ୍ତ କପିତ୍ଥ ଵତ୍" ଏହାଠାରୁ କିଛି ପରିମାଣରେ ଭିନ୍ନ କାରଣ ଏହା ଅଧିକ ନାଟକୀୟ ଓ ପ୍ରତୀକାତ୍ମକ – ଏଥିରେ ଏକ ଜୀଵନ୍ତ ପ୍ରାଣୀ (ହାତୀ ଵା ଗଜକୀଟ) ଓ ଏକ ଫଳର ସମ୍ପୂର୍ଣ୍ଣ ନଷ୍ଟ ହେଵାର ଚିତ୍ର ଅଛି, ଯାହା କେଵଳ ଦେଖାକୁ ନୁହେଁ ଵରଂ ଭିତରର ଶୂନ୍ୟତାର ଏକ ନିର୍ମମ ଚିତ୍ରଣ କରେ। ଆଧୁନିକ ସମୟରେ ଏହି ପ୍ରବଚନର ପ୍ରାସଙ୍ଗିକତା ଆହୁରି ବଢ଼ିଛି। ଆଜିର ଡିଜିଟାଲ୍ ଦୁନିଆରେ ଲୋକେ ସୋସିଆଲ୍ ମିଡ଼ିଆରେ ନିଜର ଜୀଵନର କେଵଳ ଉଜ୍ଜ୍ୱଳ ମୁହୂର୍ତ୍ତକୁ ଦେଖାନ୍ତି – ସୁନ୍ଦର ଫଟୋ,ଵିଦେଶ ଭ୍ରମଣ, ଵିଲାସବହୁଳ ଜୀଵନଶୈଳୀ ଇତ୍ୟାଦି। କିନ୍ତୁ ପରଦା ପଛରେ ଅନେକ ଥର ମାନସିକ ଯନ୍ତ୍ରଣା, ଅର୍ଥନୈତିକ ସଙ୍କଟ, ସମ୍ପର୍କର ଅଭାବ ଓ ଏକାକୀତ୍ଵ ରହିଥାଏ। ଏହା ପୂରାପୂରି "ଗଜଭୁକ୍ତ କପିତ୍ଥ" ପରି – ବାହାରୁ ପୂର୍ଣ୍ଣ ଓ ଆକର୍ଷଣୀୟ, ଭିତରୁ ଫମ୍ପା ଓ ଶୂନ୍ୟ।

ଏହି ପ୍ରବଚନଗୁଡ଼ିକ ଆମକୁ କେଵଳ ଅନ୍ୟମାନଙ୍କୁ ନୁହେଁ, ନିଜକୁ ମଧ୍ୟ ପରୀକ୍ଷା କରିଵାକୁ ଶିଖାଏ। ଆମେ ନିଜେ କ’ଣ ବାହାରେ ଚାକଚକ୍ୟ ଦେଖାଇ ଭିତରେ କିଛି ନଥିଵା ଅଵସ୍ଥାରେ ରହିଛୁ? ଆମ ସମ୍ପର୍କ, କାର୍ଯ୍ୟ ଓ ଜୀଵନଶୈଳୀରେ କ’ଣ ଆମେ ସତ୍ୟ ଓ ଆନ୍ତରିକତାକୁ ପ୍ରାଧାନ୍ୟ ଦେଉଛୁ, ନା କେଵଳ ଲୋକ ଦେଖାଣିଆ ଭଲ ହେଵାକୁ ଚେଷ୍ଟା କରୁଛୁ?

ଅସ୍ତୁ "ଗଜଭୁକ୍ତ କପିତ୍ଥ ଵତ୍" ପୁରାତନ ଲୋକଜ୍ଞାନର ଏକ ଅମୂଲ୍ୟ ରତ୍ନ। ଏହା ଆମକୁ ସତର୍କ କରେ, ଚିନ୍ତନ କରାଏ ଏଵଂ ସତ୍ୟର ଅନୁସନ୍ଧାନ କରିବାକୁ ପ୍ରେରଣା ଦିଏ। ଏ କଇଥ ଫଳ ପରି – କଠିନ ବାହାର ଆଵରଣ ତଳେ ଏକ ଗଭୀର ସତ୍ୟ ଲୁଚି ରହିଛି। ତେଣୁ ଜୀବନରେ ଆଗକୁ ବଢ଼ିବା ସମୟରେ ଆମେ ସମସ୍ତେ "ଦେଖାସୁନ୍ଦର" ରେ ନୁହେଁ, ପ୍ରକୃତ ସୁନ୍ଦରତା ଓ ମୂଲ୍ୟକୁ ଖୋଜିଵା – କାରଣ ସତ୍ୟ ସବୁବେଳେ ଭିତରେ ଲୁଚି ରହିଥାଏ, ବାହାରେ ନୁହେଁ। 

"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନ ଆଜିରେ ମଧ୍ୟ ଆମ ସମାଜକୁ, ଆମ ଵ୍ୟକ୍ତିତ୍ୱକୁ ଏବଂ ଆମ ସଂସ୍କୃତିକୁ ଏକ ଆଦର୍ଶ ଦିଗଦର୍ଶନ ଦେଇ ଚାଲିଛି। ଏହା ଏକ ସରଳ ଉକ୍ତି ନୁହେଁ, ଏହା ଏକ ଜୀଵନ ଦର୍ଶନ।

Friday, January 9, 2026

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତାରେ ଥିଵା ଵେଳେ, ପୂର୍ଵତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏମର୍ଜେନ୍ସି ଵା ଆପାତକାଳ ସମ୍ପର୍କିତ ଅଭିଯୋଗରେ ଗିରଫ କରାଯାଇ ଦିଲ୍ଲୀର ତିହାର ଜେଲ୍‌କୁ ପଠେଇ ଦିଆଯାଇଥିଲା। ଏହି ପରିସ୍ଥିତି ଦେଖି କଂଗ୍ରେସର ଦୁଇଜଣ ଅନ୍ଧସମର୍ଥକ ଯୁଵକ – ଭୋଳାନାଥ ପାଣ୍ଡେ ଓ ଦେଵେନ୍ଦ୍ର ପାଣ୍ଡେ – ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଥିଲେ।
ସେହିଦିନ ସକାଳେ ସେ ଦୁଇଜଣ ଲଖଣୌ ଵିମାନବନ୍ଦରରେ ପହଞ୍ଚିଲେ। ସେମାନେ ଧୋତି-କୁର୍ତ୍ତା ଓ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ, ଗାମୁଛା ଧରିଥିଲେ ଏଵଂ ଗ୍ରାମ୍ୟ ଲୋକ ଭଳି ଦେଖାଯାଉଥିଲେ। ଭୋଳାନାଥ ଲମ୍ଵା ଓ ଆଥଲେଟିକ୍ ଥିଲେ, ଦେଵେନ୍ଦ୍ର ଅପେକ୍ଷାକୃତ ଅଳ୍ପ ଉଚ୍ଚ ଓ ସାମାନ୍ୟ ଫାପୁଲା ଥିଲେ । ସେମାନେ ପ୍ରଥମ ଥର ଵିମାନରେ ଚଢ଼ୁଥିଵା ଭଳି ଅଭିନୟ କରି ଵିମାନ ଚାଳକ ଦଳ(Crew)ଙ୍କ ସନ୍ଦେହ ଦୂର କରିଦେଇଥିଲେ। ସେହି ସମୟରେ ଭାରତୀୟ ଵିମାନଵନ୍ଦରଗୁଡ଼ିକରେ କଡ଼ା ସୁରକ୍ଷା ଵ୍ୟଵସ୍ଥା ନଥିଲା ଏଵଂ ଵିମାନ ଅପହରଣ ଏକ ଅସମ୍ଭଵ କଥା ଭାଵରେ ଵିଵେଚନା ହେଉଥିଲା।

ଭୋଳାନାଥ ପାଣ୍ଡେ ଓ ଦେଵେନ୍ଦ୍ର ପାଣ୍ଡେ ଇଣ୍ଡିଆନ୍ ଏୟାରଲାଇନ୍ସର ଫ୍ଲାଇଟ୍ ଆଇସି ୪୧୦ରେ ଚଢ଼ିଲେ, ଯାହା କଲିକତାରୁ ଦିଲ୍ଲୀ ଯାଉଥିଵା ଏକ ଡୋମେଷ୍ଟିକ୍ ଫ୍ଲାଇଟ୍ ଥିଲା ଏଵଂ ଲାଣଣୌରୁ ଦିଲ୍ଲୀର ପାଲମ ଵିମାନଵନ୍ଦରକୁ ଯାଉଥିଲା। ଏହି ବୋଇଙ୍ଗ୍ ୭୩୭-୨୦୦ ଵିମାନରେ ପ୍ରାୟ ୧୩୨ ଜଣ ଯାତ୍ରୀ ଏଵଂ ଵିମାନ ଚାଳକ ଦଳର ସଦସ୍ୟ ଥିଲେ।

ଵିମାନ ଲଖଣୌରୁ ଉଡ଼ି ଯାଇ ପ୍ରାୟ ଅଧଘଣ୍ଟା ପରେ ଦିଲ୍ଲୀ ନିକଟରେ ପହଞ୍ଚିଵା ଵେଳେ ସେ ଦୁଇଜଣ ଏୟାର ହୋଷ୍ଟେସଙ୍କୁ ଶୌଚାଳୟ କେଉଁଠାରେ ଅଛି ବୋଲି ପଚାରିଲେ। ନିର୍ଦ୍ଦେଶ ପାଇଵା ପରେ ସେମାନେ କକପିଟ୍ ଆଡ଼କୁ ଯାଇ ଭିତରକୁ ଡୁଙ୍ଗୁଥିଵାର ଦେଖାଗଲା। ଏୟାର ହୋଷ୍ଟେସ ପଚାରିଵାରୁ ସେମାନେ କହିଲେ ଯେ ପ୍ରଥମ ଥର ଵିମାନରେ ଚଢ଼ିଛନ୍ତି, ତେଣୁ ଵିମାନ କିପରି ଉଡ଼ୁଛି ଦେଖୁଛନ୍ତି। ସେହି ସମୟରେ ଯାତ୍ରୀମାନଙ୍କୁ କକପିଟ୍ ଦେଖାଇଵା ସାଧାରଣ କଥା ଥିଲା। ଏୟାର ହୋଷ୍ଟେସ ହସି ସେମାନଙ୍କୁ ଅନୁମତି ଦେଲେ।

ଏହି ସୁଯୋଗରେ ସେମାନେ କକପିଟ୍ ଭିତରକୁ ପଶି ପାଇଲଟଙ୍କୁ ଧମକ ଦେଲେ। ସେମାନଙ୍କ ପାଖରେ ଥିଵା ଅସ୍ତ୍ର ଥିଲା ଗୋଟିଏ ପିସ୍ତଲ ଓ ହ୍ୟାଣ୍ଡ ଗ୍ରେନେଡ୍। ସେମାନେ ଇଣ୍ଟରକମ୍‌ରେ ଘୋଷଣା କରି କହିଲେ ଯେ ଵିମାନ ଅପହୃତ ହୋଇଛି, କିନ୍ତୁ କାହାକୁ ହାନି କରାଯିଵ ନାହିଁ। ସେମାନେ ନିଜକୁ ଯୁଵ କଂଗ୍ରେସର ସଦସ୍ୟ ବୋଲି ପରିଚୟ ଦେଲେ।
ପ୍ରଥମେ ସେମାନେ ପାଇଲଟଙ୍କୁ ଵିମାନକୁ ପାକିସ୍ତାନ କିମ୍ଵା ନେପାଳ ନେଇଯିଵାକୁ କହିଲେ। ପାଇଲଟ କହିଲେ ଯେ ଏହା ଡୋମେଷ୍ଟିକ୍ ଫ୍ଲାଇଟ୍ ହୋଇଥିଵାରୁ ଆନ୍ତର୍ଜାତିକ ଏୟାର ସ୍ପେସ୍‌ରେ ପ୍ରଵେଶ କରିଵାକୁ ଅନୁମତି ନାହିଁ ଏଵଂ ଯଥେଷ୍ଟ ଇନ୍ଧନ ମଧ୍ୟ ନାହିଁ। ପାଇଲଟ ବୁଝିପାରିଥିଲେ ଯେ ଅପହରଣକାରୀମାନେ ଵିମାନ ଚାଳନା ଵିଷୟରେ କିଛି ଜାଣି ନାହାଁନ୍ତି। ସେ ଯାତ୍ରୀଙ୍କ ଜୀଵନ ଓ ସମୟ ବଞ୍ଚାଇଵା ହେତୁ ଵନାରସ ଯିଵାକୁ ପ୍ରସ୍ତାଵ ଦେଲେ। ଅପହରଣକାରୀମାନେ ରାଜି ହେଲେ ଏଵଂ ଵିମାନ ଵନାରସ ଵିମାନଵନ୍ଦରରେ ଅଵତରଣ କଲା।

ଵନାରସରେ ପହଞ୍ଚିଵା ପରେ ସେମାନେ ନିଜର ଦାଵି ଘୋଷଣା କଲେ : ଇନ୍ଦିରା ଗାନ୍ଧୀଙ୍କୁ ମୁକ୍ତ କରାଯାଉ, ସଞ୍ଜୟ ଗାନ୍ଧୀଙ୍କ ଵିରୁଦ୍ଧରେ ଥିଵା ସମସ୍ତ ମାମଲା ପ୍ରତ୍ୟାହାର କରାଯାଉ ଏଵଂ ଜନତା ପାର୍ଟି ସରକାର ଇସ୍ତଫା ଦେଉ। ସେମାନେ ଅହିଂସାଵାଦୀ ବୋଲି କହି ଯାତ୍ରୀମାନଙ୍କୁ ଆଶ୍ୱସ୍ତ କରୁଥିଲେ।

ଏହି ଅପହରଣ ପ୍ରାୟ ୧୭ ଘଣ୍ଟା ଧରି ଚାଲିଥିଲା। ରାତି ପ୍ରାୟ ୧ଟାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରାମ ନରେଶ ଯାଦଵ ଚାର୍ଟର୍ ଫ୍ଲାଇଟ୍‌ରେ ପୋଲିସ୍ ଇନ୍ସପେକ୍ଟର ଜେନେରାଲ୍ ଏଵଂ ଚୀଫ୍ ସେକ୍ରେଟାରୀଙ୍କ ସହ ଵନାରସ ପହଞ୍ଚି ଅପହରଣକାରୀମାନଙ୍କ ସହ ଆଲୋଚନା ଆରମ୍ଭ କଲେ। ସରକାର ସମୟ ଅପଚୟ କରିଵାକୁ ଚେଷ୍ଟା କରୁଥିଵା ଵେଳେ ପାଇଲଟ ଏଵଂ ଵିମାନଚାଳକ ସଦସ୍ୟମାନେ ଧୀରେ ଧୀରେ ଇମର୍ଜେନ୍ସି ଦ୍ୱାର ଖୋଲି ସ୍ଲାଇଡ୍ ମାଧ୍ୟମରେ ଯାତ୍ରୀମାନଙ୍କୁ ବାହାର କରିଦେଲେ। ଵିଶେଷକରି ଵୃଦ୍ଧ ମହିଳା ଏଵଂ ଶିଶୁମାନଙ୍କୁ ପ୍ରାଧାନ୍ୟ ଦିଆଗଲା।ଅପହରକାରୀମାନଙ୍କୁ ଏହା ଜଣା ପଡ଼ି ନଥିଲା ଏଵଂ ପ୍ରାୟ ୬୦ ଜଣ ଯାତ୍ରୀ ଏହିଭଳି ବାହାରି ଯାଇଥିଲେ।
ରାତି ସାରା ଆଲୋଚନା ଚାଲିଥିଲା। ପରଦିନ ସକାଳେ ଭୋଳାନାଥଙ୍କ ବାପାଙ୍କୁ ଡକାଯାଇଥିଲା। ବାପା ସେମାନଙ୍କୁ ବୁଝାଇଲେ ଯେ ଏହା ଭୁଲ କାମ। ଶେଷରେ ସେ ଦୁଇଜଣ ଆତ୍ମସମର୍ପଣ କଲେ। ପଛକୁ ଫେରି ଦେଖିଵାରୁ ଯାତ୍ରୀମାନେ ଅଧିକାଂଶ ନ ଥିଵା ଦେଖି ସେମାନେ ନିରୁପାୟ ହୋଇଯାଇଥିଲେ।

ପରେ ଜଣାପଡ଼ିଲା ଯେ ସେମାନଙ୍କ ପାଖରେ ଥିଵା ପିସ୍ତଲ ଗୋଟିଏ ଖେଳନା ଏଵଂ ଗ୍ରେନେଡ୍ କ୍ରିକେଟ୍ ବଲ୍ ଥିଲା। ପଚରାଉଚରାରେ ସେମାନେ କହିଲେ ଯେ ଇନ୍ଦିରା ଗାନ୍ଧୀଙ୍କୁ ଜେଲ୍ ଯିଵା ଦେଖି ଦୁଃଖ ଲାଗିଥିଲା। ଵନାରସର ଜଣେ ଵିଧାୟକ ସେମାନଙ୍କୁ ଏହି କାମ କରିଵାକୁ ପ୍ରେରଣା ଦେଇଥିଲେ ଏଵଂ ୭୨୦ ଟଙ୍କା ଦେଇଥିଲେ, ଯହିଁରୁ ୪୦୦ ଟଙ୍କା ଟିକଟ୍ କିଣିଵାରେ ଖର୍ଚ୍ଚ ହୋଇଥିଲା। ଆଜିର ମୂଲ୍ୟ ଦୃଷ୍ଟିରୁ ୭୨୦ଟଙ୍କା ପ୍ରାୟ ୧୮୦୦୦ ଟଙ୍କା ହେଵ ଏଵଂ ସେତେବେଳର ୪୦୦ ଟଙ୍କା ଆଜିର ୧୦୦୦୦ ଟଙ୍କା ମୂଲ୍ୟ ସହିତ ସମାନ ଅଟେ। ଏହି ଵିମାନ ଅପହରଣ ଘଟଣା ଦେଶରେ ଏକ ବ୍ଲାକ୍ କମେଡିରେ ପରିଣତ ହେଲା। ନକଲି ଅସ୍ତ୍ର ଵ୍ୟଵହାର କରି ଵିମାନ ଅପହରଣ କରାଯାଇଥିବା କଥା ଯିଏ ଶୁଣିଲା ସିଏ ହସିଲା ।
୧୯୮୦ରେ ଇନ୍ଦିରା ଗାନ୍ଧୀ ପୁନର୍ଵାର କ୍ଷମତାକୁ ଆସିଵା ପରେ ଵିମାନ ଅପହରଣକାରୀ ଭୋଳାନାଥ ପାଣ୍ଡେ ଓ ଦେଵେନ୍ଦ୍ର ପାଣ୍ଡେଙ୍କ ଵିରୁଦ୍ଧରେ ଥିଵା ମାମଲା ପ୍ରତ୍ୟାହାର କରାଯାଇଥିଲା। କଂଗ୍ରେସ ସେମାନଙ୍କୁ ଟିକଟ୍ ଦେଇ ଉତ୍ତର ପ୍ରଦେଶ ଵିଧାନସଭାକୁ ପଠାଇଥିଲା। ଭୋଳାନାଥ ପାଣ୍ଡେ ବଲିଆର ଡୋଵା ଆସନରୁ ୧୯୮୦-୧୯୮୫ ଏଵଂ ୧୯୮୯-୧୯୯୧ ଯାଏଁ ଦୁଇ ଥର ଵିଧାୟକ ହୋଇଥିଲେ। ପରେ ସେ ସଲେମପୁର ଲୋକସଭା ଆସନରୁ କେତେକ ଥର ନିର୍ଵାଚନ ଲଢ଼ିଥିଲେ, ଯଦିଓ ଜିତି ପାରି ନଥିଲେ। ସେ ଗାନ୍ଧୀ ପରିଵାରର ନିକଟଵର୍ତ୍ତୀ ଥିଲେ ଏଵଂ ରାଜିଵ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରା କରିଥିଲେ। ଦେଵେନ୍ଦ୍ର ପାଣ୍ଡେ ମଧ୍ୟ ଦୁଇ ଥର ଵିଧାୟକ ହୋଇଥିଲେ ଏଵଂ ପରେ ମୃତ୍ୟୁଵରଣ କରିଥିଲେ। ଭୋଳାନାଥ ପାଣ୍ଡେ ୨୦୨୪ ଅଗଷ୍ଟ ମାସରେ ଲକ୍ଷ୍ନୌରେ ଦୀର୍ଘ ରୋଗରେ ମୃତ୍ୟୁଵରଣ କରିଥିଲେ। ତାଙ୍କ ଵୟସ ପ୍ରାୟ ୭୧ କିମ୍ଵା ୭୪ ଵର୍ଷ ଥିଲା। ତାଙ୍କ ମୃତ୍ୟୁ ସହିତ ଏହି ଘଟଣା ପୁନର୍ଵାର ଚର୍ଚ୍ଚାକୁ ଆସିଥିଲା।
ଏହି ଅପହରଣ ଭାରତୀୟ ରାଜନୀତିର ଏକ ଅଦ୍ଭୁତ ଉଦାହରଣ ହୋଇ ରହିଯାଇଛି । ରାଜନୈତିକ ଆନୁଗତ୍ୟ କେତେ ଦୂର ଯାଇପାରେ ଏଵଂ କିପରି ଏହା ପୁରସ୍କୃତ ହୋଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଏ । 

Monday, January 5, 2026

ମୂର୍ଖର ଲକ୍ଷଣ ଓ ପରିଣାମ : ଏକ ମନୋଵୈଜ୍ଞାନିକ ଵିଶ୍ଳେଷଣ

ଗୋଟିଏ ଦେଶିଆ ଢଗ ଅଛି :
“ଗିଆନି କେ ଗିଆନ୍ ଗାଲା ଭେଦି
ମୁରୁକ୍ କେ ଠେଙ୍ଗା ଗାଲା ଖେଦି”
ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶୀଭୂତ କରାଯାଇପାରେ କିନ୍ତୁ ମୂର୍ଖ ଆଗରେ ଜ୍ଞାନର ପ୍ରତାପ କାମ ଦିଏ ନାହିଁ । ମୂର୍ଖ ପାଇଁ ଠେଙ୍ଗାର ଆଵଶ୍ୟକତା ରହିଛି । ମୂର୍ଖ ଦଣ୍ଡ ପାଇଲେ ହିଁ କଥା ବୁଝେ ।

ଜ୍ଞାନୀ ଵ୍ୟକ୍ତିଙ୍କୁ ଢଗରେ "ଗିଆନି" କୁହାଯାଇଛି, ଯିଏ ଜ୍ଞାନକୁ ଗ୍ରହଣ କରିଵାରେ ସକ୍ଷମ। ଏହି ଵ୍ୟକ୍ତିମାନଙ୍କ ମଧ୍ୟରେ ଉଚ୍ଚ ବୌଦ୍ଧିକ କ୍ଷମତା (Cognitive Ability) ଏଵଂ ଆବେଗଗତ ବୁଦ୍ଧି (Emotional Intelligence) ଥାଏ। ସେମାନେ ଯୁକ୍ତିଯୁକ୍ତ ଚିନ୍ତା (Rational Thinking) ଏଵଂ ଆତ୍ମ-ପ୍ରତିଫଳନ (Self-Reflection) ମାଧ୍ୟମରେ ନୂଆ ତଥ୍ୟ କିମ୍ବା ଜ୍ଞାନକୁ ବୁଝିପାରନ୍ତି ଓ ତାହାକୁ ନିଜ ଜୀଵନରେ ପ୍ରୟୋଗ କରିପାରନ୍ତି। ଜ୍ଞାନୀମାନେ ମେଟାକଗନିସନ (Metacognition) ଅର୍ଥାତ୍ ନିଜର ଚିନ୍ତନ ପ୍ରକ୍ରିୟାକୁ ବୁଝିଵା ଓ ନିୟନ୍ତ୍ରଣ କରିଵାରେ ପାରଙ୍ଗମ। ସେମାନେ ନୂଆ ଜ୍ଞାନକୁ ଗ୍ରହଣ କରିଵା ପାଇଁ ମୁକ୍ତ ମନ (Open-Mindedness) ରଖନ୍ତି। ସେମାନେ ଆତ୍ମ-ନିୟନ୍ତ୍ରଣ (Self-Regulation) କ୍ଷମତା ସହିତ ନିଜ ଆଵେଗକୁ ନିୟନ୍ତ୍ରଣ କରି ଯୁକ୍ତିଯୁକ୍ତ ଆଲୋଚନାରେ ଭାଗ ନେଇପାରନ୍ତି। ଜ୍ଞାନୀ ଵ୍ୟକ୍ତି Cognitive Learning Theory) ଅନୁଯାୟୀ ଜ୍ଞାନକୁ ଅର୍ଥପୂର୍ଣ୍ଣ ଭାବେ ଗ୍ରହଣ କରନ୍ତି, ଯାହା ସେମାନଙ୍କୁ କୌଣସି ଵିଷୟକୁ ଠିକ୍ ଭାବେ ବୁଝିଵାରେ ସାହାଯ୍ୟ କରେ। ତେଣୁ ଜ୍ଞାନୀଙ୍କ ପାଇଁ "ଜ୍ଞାନ" ହେଉଛି ଏକ ପ୍ରଭାଵଶାଳୀ ଉପାୟ ଏଵଂ ଏହା ସେମାନଙ୍କ ଚିନ୍ତାଧାରାକୁ ପ୍ରଭାଵିତ କରେ ତଥା ସେମାନଙ୍କୁ ଉପଯୁକ୍ତ ଦିଗରେ ପରିଚାଳିତ କରେ।

ଢଗରେ "ମୁରୁକ୍" ଵା ମୂର୍ଖ ଵ୍ୟକ୍ତିଙ୍କୁ ଜ୍ଞାନ ଦ୍ୱାରା ବୁଝାଇଵା କଷ୍ଟକର ବୋଲି କୁହାଯାଇଛି। ଏହି ଵ୍ୟକ୍ତିମାନେ ନିମ୍ନ ବୌଦ୍ଧିକ କ୍ଷମତା କିମ୍ବା ଅନମନୀୟ ଚିନ୍ତାଧାରା (Cognitive Rigidity) ରେ ଆବଦ୍ଧ ହୋଇପାରନ୍ତି। ସେମାନେ ନୂଆ ତଥ୍ୟ ଗ୍ରହଣ କରିଵାରେ ଅସୁବିଧା ଅନୁଭଵ କରନ୍ତି କିମ୍ବା ଜ୍ଞାନକୁ ଅଗ୍ରାହ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ଢଗଟି Behavioral Conditioning ତତ୍ତ୍ୱ ସହିତ ଜଡ଼ିତ। 

ବି. ଏଫ୍. ସ୍କିନର୍‌ଙ୍କ Operant Conditioning ତତ୍ତ୍ୱ ଅନୁଯାୟୀ, ଆଚରଣକୁ ପୁରସ୍କାର (Reward) କିମ୍ବା ଦଣ୍ଡ (Punishment) ମାଧ୍ୟମରେ ପରିଵର୍ତ୍ତନ କରାଯାଇପାରେ। ମୂର୍ଖ ଵ୍ୟକ୍ତିଙ୍କ କ୍ଷେତ୍ରରେ, "ଠେଙ୍ଗା" ଏକ ପ୍ରକାର ନକାରାତ୍ମକ ପୁନଃବଳନ (Negative Reinforcement) କିମ୍ବା ଦଣ୍ଡ (Punishment) ଭାବେ କାମ କରେ ଫଳତଃ ତାହା ସେମାନଙ୍କ ଆଚରଣକୁ ସଂଶୋଧନ କରିଵାକୁ ବାଧ୍ୟ କରେ। ମୂର୍ଖ ଵ୍ୟକ୍ତିଙ୍କ ମନରେ ଜ୍ଞାନର ପ୍ରଭାଵ ଅପେକ୍ଷା ଭୟ ଵା ଅପମାନ ଭଳି ଆଵେଗଗତ ଉତ୍ତେଜନା ଅଧିକ ପ୍ରଭାଵଶାଳୀ ହୋଇପାରେ। ଏହା ସେମାନଙ୍କୁ ତୁରନ୍ତ ପ୍ରତିକ୍ରିୟା କରିଵାକୁ ବାଧ୍ୟ କରେ। ଅନେକ ସମୟରେ, ମୂର୍ଖ ଵ୍ୟକ୍ତିମାନେ ସାମାଜିକ ପ୍ରଭାଵ(Social Pressure) କିମ୍ବା ଦଣ୍ଡର ଭୟ ହେତୁ ନିଜ ଆଚରଣ ପରିଵର୍ତ୍ତନ କରନ୍ତି, ଯାହା ସାମାଜିକ ଶିକ୍ଷଣ ତତ୍ତ୍ୱ ସହିତ ସମ୍ପର୍କିତ।

ମନେ ରଖିଵାକୁ ହେଵ ଯେ ଏଠାରେ ଅଶିକ୍ଷିତ ଵ୍ୟକ୍ତିଙ୍କୁ ମୂର୍ଖ କୁହାଯାଉନାହିଁ ।ଶାସ୍ତ୍ରରେ ମୂର୍ଖଙ୍କ ସମ୍ବନ୍ଧରେ ଅନେକ ଵ୍ୟଖ୍ୟା ରହିଛି । ତେବେ ସାଧାରଣତଃ ଗର୍ଵୀ,ଦୁର୍ଵଚନୀ,ଜିଦ୍ଖୋର,ଅପ୍ରିୟଵାଦୀ ଓ ସତ୍ ଉପଦେଶ ଗ୍ରହଣ କରୁନଥିଵା ଲୋକଙ୍କୁ ମୂର୍ଖ କୁହାଯାଏ । ଏ ସମ୍ବନ୍ଧରେ ଏକ ପ୍ରସିଦ୍ଧ ଶ୍ଳୋକ ରହିଛି:
“ମୂର୍ଖସ୍ଯ ପଞ୍ଚ ଚିହ୍ନାନି ଗର୍ଵୋ ଦୁର୍ଵଚନଂ ତଥା ।
କ୍ରୋଧଶ୍ଚ ଦୃଢଵାଦଶ୍ଚ ପରଵାକ୍ଯେଷ୍ଵନାଦରଃ ॥
ଅର୍ଥାତ୍ ମୂର୍ଖର ପାଞ୍ଚଟି ଲକ୍ଷଣ ହେଲା— ଅହଙ୍କାର, କଟୁ କଥା, କ୍ରୋଧ, ଜିଦ୍ଖୋର ସ୍ୱଭାବ ଓ ଅନ୍ୟର କଥାକୁ ଅଗ୍ରାହ୍ୟ କରିଵା। ତେଣୁ ଏହି ସବୁ ଗୁଣ ଯାହାଠାରେ ଥିଵ ସିଏ ମୂର୍ଖ ଵିଦିତ ହୁଏ । 

ଏପରି ଲୋକଙ୍କଠାରୁ ଦୂରେଇ ରହିଵାକୁ ଚାଣକ୍ୟ ନୀତିରେ ଉପଦେଶ ଦିଆଯାଇଛି । 

“ମୂର୍ଖସ୍ତୁ ପରିହର୍ତ୍ତଵ୍ଯଃ ପ୍ରତ୍ଯକ୍ଷୋ ଦ୍ଵିପଦଃ ପଶୁଃ।
ଭିନତ୍ତି ଵାକ୍ଯଶୂଳେନ ଅଦୃଶ୍ଯଂ କଣ୍ଟକଂ ଯଥା॥”
ଅର୍ଥାତ୍ ମୂର୍ଖ ଵ୍ୟକ୍ତିକୁ ପରିତ୍ୟାଗ କରିବା ଉଚିତ୍, କାରଣ ସେ ଦୁଇପାଦ ଵିଶିଷ୍ଟ ପଶୁ ସଦୃଶ। ସେ ଅଦୃଶ୍ୟ କଣ୍ଟକ ପରି କଟୁ ଵାକ୍ୟରେ ହୃଦୟକୁ ବିଦ୍ଧ କରେ। ମୂର୍ଖଙ୍କର କଟୁ କଥା ଅଦୃଶ୍ୟ କଣ୍ଟକ ପରି ଆଘାତ ଦିଏ, ତେଣୁ ସେମାନଙ୍କୁ ଏଡ଼ାଇ ଚଳିଵା ଉଚିତ୍।

ପଣ୍ଡିତ ପାଖରେ ଏକ ଵା ଏକାଧିକ ସୁଗୁଣ ରହିଥାଏ, ମୂର୍ଖ ପାଖରେ କେଵଳ ଦୋଷ ହିଁ ଭରି ରହିଥାଏ। ତେଣୁ ହଜାରେ ମୂର୍ଖ ମଧ୍ୟରେ ଏକ ପ୍ରାଜ୍ଞ ଵ୍ୟକ୍ତି ଶ୍ରେଷ୍ଠ। ମୂର୍ଖଙ୍କର ମୁଖ୍ୟ ଲକ୍ଷଣ ହେଉଛି ଦୋଷପୂର୍ଣ୍ଣ ସ୍ୱଭାଵ ଯାହା ସେମାନଙ୍କୁ ଅନ୍ୟମାନଙ୍କଠାରୁ ସ୍ଵତଃ ନ୍ୟୂନ କରିଦିଏ। ଏକଥା ଚାଣକ୍ୟ ନୀତିରେ ଏମନ୍ତ ଭାବେ ଉଲ୍ଲେଖ ଅଛି:

ପାଣ୍ଡିତେ ଚ ଗୁଣାଃ ସର୍ଵେ ମୂର୍ଖେ ଦୋଷା ହି କେଵଳମ୍ ।
ତସ୍ମାନ୍ମୂର୍ଖସହସ୍ରେଷୁ ପ୍ରାଜ୍ଞା ଏକୋ ଵିଶିଷ୍ଯତେ ॥

ମୂର୍ଖଙ୍କର ବହୁଳତା କୌଣସି ଲାଭ ଦିଏ ନାହିଁ, ସେମାନେ ଅନ୍ଧକାର ପରି ଅନୁପଯୋଗୀ। ଏକଥାକୁ ଚାଣକ୍ୟ ନୀତିରେ ସ୍ପଷ୍ଟ ଭାବରେ ପ୍ରକାଶ କରି ଦିଆଯାଇଛି । 

“ଵରମେକୋ ଗୁଣୀ ପୁତ୍ରୋ ନ ଚ ମୂର୍ଖଶତାନ୍ଯପି ।
ଏକଶ୍ଚନ୍ଦ୍ରସ୍ତମୋ ହନ୍ତି ନ ଚ ତାରଗଣୋଽପିଚ ॥”

ଅର୍ଥାତ୍ ଏକ ଗୁଣଵାନ୍ ପୁତ୍ର ଶ୍ରେୟସ୍କର, ହଜାରେ ମୂର୍ଖ ପୁତ୍ର ନୁହେଁ। ଏକ ଚନ୍ଦ୍ର ଅନ୍ଧକାର ନାଶ କରେ, କିନ୍ତୁ ହଜାରେ ତାରା ନୁହେଁ।

ମୂର୍ଖଙ୍କର ମୌନ ହିଁ ସେମାନଙ୍କର ଶୋଭା ବଢ଼ାଏ କିନ୍ତୁ ତାଙ୍କ ମୁଖରୁ କଥା ସ୍ପୁରଣ ମାତ୍ରେ ସେମାନଙ୍କର ଅଜ୍ଞାନତା ପ୍ରକାଶ ପାଏ । ଚାଣକ୍ୟ ନୀତିରେ ଚାଣକ୍ୟ ଏକଥାକୁ ବଡ଼ ସୁନ୍ଦର ଭାବରେ ବୁଝାଇ ଲେଖିଛନ୍ତି।

“ଦୂରତଃ ଶୋଭତେ ମୂର୍ଖୋ ଲମ୍ବଶାଟପଟାଵୃତଃ ।
ତାଵଚ୍ଚ ଶୋଭତେ ମୂର୍ଖୋ ଯାଵତ୍କିଞ୍ଚିନ୍ନ ଭାଷତେ ॥”

ଅର୍ଥାତ୍ ଦୂରରୁ ମୂର୍ଖ ଵ୍ୟକ୍ତି ଭଲ ଵସ୍ତ୍ର ପରିଧାନ କରି ଶୋଭାମୟ ଦିଶେ, କିନ୍ତୁ ତାହାର ସେହି ଶୋଭା ସେ ପର୍ଯ୍ୟନ୍ତ ବଞ୍ଚି ରହେ ଯେ ପର୍ଯ୍ୟନ୍ତ ସେ କିଛି କଥାଭାଷା ହୁଏ ନାହିଁ । ଥରେ ମୁଖରୁ କିଛି ଵାକ୍ୟ ଉଚ୍ଚାରଣ ହୋଇଗଲେ ତାହାର ପ୍ରକୃତ ରୂପ ସମସ୍ତେ ଜାଣି ଯାଆନ୍ତି ।

ମୂର୍ଖଙ୍କର ମୁଖ୍ୟ ବଳ ହେଉଛି ମୌନତା, କାରଣ କଥା କହିଵା ଦ୍ଵାରା ସେମାନଙ୍କର ଅଜ୍ଞାନ ପ୍ରକାଶ ପାଏ। ଏକଥାକୁ ଚାଣକ୍ୟ ବୁଝାଇ ଲେଖିଛନ୍ତି:

ଦୁର୍ଵଳସ୍ଯ ଵଳଂ ରାଜା ଵାଳାନାଂ ରୋଦନଂ ଵଳମ୍ ।
ଵଳଂ ମୂର୍ଖସ୍ଯ ମୌନିତ୍ଵଂ ଚୌରାଣାମନୃତଂ ଵଳମ୍ ॥

ଅର୍ଥାତ୍ ଦୁର୍ଵଳର ବଳ ରାଜା, ବାଳକର ବଳ ରୋଦନ, ମୂର୍ଖର ବଳ ମୌନତା ଏଵଂ ଚୋରର ବଳ ମିଛ ଅଟେ । ମୂର୍ଖ ସର୍ଵଵିଧ ଶତ୍ରୁ ସଦୃଶ, କାରଣ ସେମାନଙ୍କର ଅଜ୍ଞାନତା ଵ୍ୟକ୍ତି ଓ ସମାଜ ସମସ୍ତଙ୍କ ପାଇଁ ଅନିଷ୍ଟକାରୀ। ଏହାକୁ ବୁଝାଇଵାକୁ ଯାଇ ଚାଣକ୍ୟ କହି ଯାଇଛନ୍ତି:

“ନାସ୍ତି ମୂର୍ଖସମଃ ଶତ୍ରୁର୍ନ ଚ ଜ୍ଞାନସମଂ ବଳମ୍।
ନ ଚ ସତ୍ଯସମୋ ଧର୍ମୋ ନ ଚ ତ୍ଯାଗସମଂ ସୁଖମ୍॥”

ଅର୍ଥାତ୍ ମୂର୍ଖ ପରି ଶତ୍ରୁ ନାହିଁ, ଜ୍ଞାନ ପରି ବଳ ନାହିଁ, ସତ୍ୟ ପରି ଧର୍ମ ନାହିଁ ଏଵଂ ତ୍ୟାଗ ପରି ସୁଖ ନାହିଁ।

ଦେଶିଆ ଢଗ ଓ ଚାଣକ୍ୟ ନୀତିରେ ଵର୍ଣ୍ଣିତ ଜ୍ଞାନୀ ଓ ମୂର୍ଖଙ୍କ ମଧ୍ୟରେ ଥିଵା ମୌଳିକ ପାର୍ଥକ୍ୟ ମାନଵ ସ୍ୱଭାଵ ଓ ଆଚରଣର ଏକ ଗଭୀର ଵିଶ୍ଳେଷଣ ପ୍ରଦାନ କରେ। ଜ୍ଞାନୀ ଵ୍ୟକ୍ତି ଜ୍ଞାନ, ଯୁକ୍ତି ଓ ଆତ୍ମ-ନିୟନ୍ତ୍ରଣ ମାଧ୍ୟମରେ ନିଜକୁ ଓ ସମାଜକୁ ଉନ୍ନତ କରିଥାଏ । ମୂର୍ଖ ଵ୍ୟକ୍ତି ଅଜ୍ଞାନତା, ଅହଙ୍କାର ଓ ଅନମନୀୟତା ହେତୁ ନିଜ ଓ ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଦେଶିଆ ଢଗ ତଥା ଚାଣକ୍ୟ ନୀତିର ପ୍ରୋକ୍ତ ସମସ୍ତ ଶ୍ଳୋକଗୁଡ଼ିକରୁ ଆମକୁ ଏହି ଶିକ୍ଷା ମିଳେ ଯେ ଜ୍ଞାନ ହେଉଛି ଏକ ଶକ୍ତିଶାଳୀ ଉପକରଣ, ଯାହା ଜ୍ଞାନୀଙ୍କୁ ପଥ ପ୍ରଦର୍ଶନ କରେ, କିନ୍ତୁ ମୂର୍ଖଙ୍କ ପାଇଁ ଦଣ୍ଡ କିମ୍ବା ସାମାଜିକ ଚାପ ହିଁ ଆଚରଣ ସଂଶୋଧନର ଏକମାତ୍ର ଉପାୟ ହୋଇପାରେ। ଏହା ଆମକୁ ମୌନତାର ମହତ୍ତ୍ୱ ଓ ଜ୍ଞାନର ମୂଲ୍ୟ ବୁଝାଇଵା ସହିତ ମୂର୍ଖଙ୍କଠାରୁ ଦୂରେଇ ରହିଵାକୁ ପ୍ରେରଣା ଦେଇଥାଏ। 

Sunday, January 4, 2026

ଭାରତର ପାଞ୍ଚୋଟି ସହର ଏଵଂ ବ୍ରିଟିଶ୍ ସାମ୍ରାଜ୍ୟଵାଦର ଆଧାର

ଇଂଲଣ୍ଡର ରାଣୀ ଏଲିଜାବେଥ୍ ପ୍ରଥମଙ୍କ ଦ୍ୱାରା ୩୧ ଡିସେମ୍ଵର ୧୬୦୦ ରେ ରୟାଲ୍ ଚାର୍ଟର୍ ମାଧ୍ୟମରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଏହି ଚାର୍ଟର୍ କମ୍ପାନୀକୁ ପୂର୍ଵ ଦିଗରେ ଵାଣିଜ୍ୟ କରିଵାର ଏକଚାଟିଆ ଅଧିକାର ପ୍ରଦାନ କରିଥିଲା। ପ୍ରାରମ୍ଭରେ ଏହା ଏସିଆ ସହିତ ମସଲା ଵାଣିଜ୍ୟ ପାଇଁ ଗଠିତ ହୋଇଥିଲା । କିନ୍ତୁ ଅନୁମତି ମିଳିଗଲା ମାତ୍ରେ ଇଂରେଜମାନେ ଭାରତ ଚାଲି ଆସିନଥିଲେ । ସେତେବେଳେ ଭାରତକୁ ଆସିଵା ସୁରକ୍ଷା ଦୃଷ୍ଟିରୁ ସେତେ ସହଜ ନଥିଲା । 
(୧୬୩୦—Nova Totius Terrarum Orbis Geographica ac Hydrographica Tabula -Willem Janszoon Blaeu)

୧୬୦୧ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ପ୍ରଥମ ମହତ୍ୱପୂର୍ଣ୍ଣ ଭ୍ରମଣ ଆରମ୍ଭ ହୋଇଥିଲା ଏଵଂ ତାହାର ନେତୃତ୍ୱ ଜେମ୍ସ୍ ଲାଙ୍କାଷ୍ଟର୍‌ଙ୍କ ଦ୍ୱାରା କରାଯାଇଥିଲା ଯିଏ ପରେ ସାର୍ ଉପାଧି ପାଇଥିଲେ। ଏହି ଭ୍ରମଣରେ ରେଡ୍ ଡ୍ରାଗନ୍ ନାମକ ଜାହାଜଟି ପ୍ରଧାନ ଥିଲା ପୁଣି ଏହା ଚାରିଟି ଜାହାଜର ଏକ ସମୂହର ଅଂଶ ଥିଲା ଏଵଂ ଅନ୍ୟ ତିନୋଟି ଜାହାଜ ଥିଲା ହେକ୍ଟର୍, ଆସେନ୍ସନ୍ ଓ ସୁଜାନ୍। ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଷ୍ଟ୍ ଇଣ୍ଡିଜ୍ ଅର୍ଥାତ୍ ଆଧୁନିକ ଇଣ୍ଡୋନେସିଆର ମସଲା ମିଳୁଥିଵା ଦ୍ୱୀପଗୁଡ଼ିକୁ ଯାତ୍ରା କରି ମସଲା ଵାଣିଜ୍ୟ କୋଠି ସ୍ଥାପନ କରିଵା। ଏହି ସମୟରେ ପର୍ତ୍ତୁଗୀଜମାନେ ଭାରତୀୟ ମହାସାଗରରେ ପ୍ରଵଳ ସକ୍ରିୟ ଥିଵାରୁ ଇଂରେଜମାନେ ସେମାନଙ୍କ ସହ ସିଧାସଳଖ ପ୍ରତିଯୋଗିତାରୁ ଦୂରରେ ରହିଵାକୁ ଚାହିଁ ଭାରତକୁ ଆସିପାରି ନଥିଲେ। ଇଂରେଜମାନଙ୍କର ଏହି ପ୍ରଥମ ଜାହାଜ ସମୂହ ତେଣୁ ଆଫ୍ରିକାର ଦକ୍ଷିଣସ୍ଥ ଭାଗରେ ଥିଵା ଉତ୍ତମାଶା ଅନ୍ତରୀପ(Cape of Good hope)ପାର୍ଶ୍ୱରୁ ଯାଇ ନିକୋବର୍ ଦ୍ୱୀପପୁଞ୍ଜ, ସୁମାତ୍ରାର ଆଚେହ୍ ଏଵଂ Javaର ବାଣ୍ଟମ୍‌ରେ ପହଞ୍ଚିଥିଲା ତଥା ସେଠାରେ ପ୍ରଥମ ଇଂରେଜ ଵାଣିଜ୍ୟ କେନ୍ଦ୍ର ସ୍ଥାପନ କରାଯାଇଥିଲା । ପରେ ମୋଲୁକ୍କାସରେ ମଧ୍ୟ ଵାଣିଜ୍ୟ ଚେଷ୍ଟା କରାଯାଇଥିଲା। ଇଂରେଜମାନଙ୍କର ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆକୁ ଏହି ପ୍ରଥମ ଯାତ୍ରା ସଫଳ ହୋଇଥିଲା ଏଵଂ ୧୬୦୩ରେ ଉକ୍ତ ଜାହାଜ ସମୂହ ଇଂଲଣ୍ଡକୁ ଫେରିଥିଲା । 

ଦ୍ୱିତୀୟ ଯାତ୍ରା ୧୬୦୪ରେ ହେନ୍ରୀ ମିଡଲଟନ୍‌ଙ୍କ ନେତୃତ୍ୱରେ ଏଵଂ ତୃତୀୟ ଯାତ୍ରା ୧୬୦୭ରୁ ୧୬୧୦ ପର୍ଯ୍ୟନ୍ତ ଉଇଲିୟମ୍ କିଲିଙ୍ଗ୍‌ଙ୍କ ନେତୃତ୍ୱରେ ହୋଇଥିଲା ଏଵଂ ଏସବୁ ଯାତ୍ରା ମୁଖ୍ୟତଃ ଇଷ୍ଟ୍ ଇଣ୍ଡିଜ୍ ଵା ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜର ମସଲା ଵାଣିଜ୍ୟ ଉପରେ କେନ୍ଦ୍ରୀଭୂତ ରହିଥିଲା। ଏହି ସମୟରେ ୧୬୦୨ରେ ଗଠିତ ହୋଇଥିଵା ଡଚ୍ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ମସଲା ଵାଣିଜ୍ୟରେ ପ୍ରବଳ ହେଵାକୁ ଲାଗିଥିଲା ଏବଂ ଡଚ୍‌ମାନେ ସାମରିକ ଶକ୍ତି ଵ୍ୟଵହାର କରି ଇଂରେଜମାନଙ୍କୁ ଅନେକ ସ୍ଥାନରୁ ଵିତାଡ଼ିତ କରିଥିଲେ ଯାହା ଫଳରେ ଇଂରେଜୀ କମ୍ପାନୀର ଲାଭ ହ୍ରାସ ପାଇଥିଲା। ଏହି ପ୍ରତିଯୋଗିତା ଏଵଂ ପର୍ତ୍ତୁଗୀଜଙ୍କ ସହ ସଂଘର୍ଷ ଯୋଗୁଁ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ରଣନୀତି ପରିଵର୍ତ୍ତନ କରି ମସଲା ଵାଣିଜ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଛାଡ଼ିଦେଲା ।

ନୂଆ ରଣନୀତି ରୂପେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତୀୟ ଉପମହାଦେଶରୁ କପଡ଼ା ଆଦି ଅନ୍ୟାନ୍ୟ ପଦାର୍ଥ ଆଣି ମସଲା ଉତ୍ପାଦକମାନଙ୍କୁ ବିକ୍ରି କରି ପରୋକ୍ଷ ଲାଭ କରିଵାକୁ ନିଷ୍ପତ୍ତି ନେଇଥିଲା। ଭାରତ ମୋଗଲ୍ ସାମ୍ରାଜ୍ୟର ନିୟନ୍ତ୍ରଣରେ ଥିଵାରୁ ସେଠାରେ ଵାଣିଜ୍ୟ ଅପେକ୍ଷାକୃତ ସୁରକ୍ଷିତ ଥିଲା।
ଏହି ପରିପ୍ରେକ୍ଷୀରେ ତୃତୀୟ ଯାତ୍ରାର ଅଂଶ ଭାବେ ୧୬୦୭ରେ ଆରମ୍ଭ ହୋଇଥିବା ଯାତ୍ରାରେ ହେକ୍ଟର୍ ନାମକ ଜାହାଜଟି ଉଇଲିୟମ୍ ହକିନ୍ସଙ୍କ ନେତୃତ୍ୱରେ ଗୁଜରାଟର ସୁରତ ବନ୍ଦରରେ ୧୬୦୮ ଅଗଷ୍ଟ ୨୪ ତାରିଖରେ ପହଞ୍ଚିଥିଲା । ତାହା ଭାରତୀୟ ଉପମହାଦେଶରେ ଇଂରାଜଙ୍କର ପ୍ରଥମ ପଦଚିହ୍ନ ଥିଲା। ହକିନ୍ସ୍ ରାଜା ଜେମ୍ସ୍ ପ୍ରଥମଙ୍କର ଏକ ପତ୍ର ନେଇ ମୋଗଲ୍ ସମ୍ରାଟ ଜହାଙ୍ଗିରଙ୍କ ଦରବାରକୁ ଆଗରା ଯାଇ ଵାଣିଜ୍ୟ ଅନୁମତି ଚାହିଁଥିଲେ କିନ୍ତୁ ପର୍ତ୍ତୁଗୀଜମାନଙ୍କ ଵିରୋଧ ଯୋଗୁଁ ସ୍ଥାୟୀ ଅନୁମତି ପାଇନଥିଲେ। ଏହି ଭ୍ରମଣ ପ୍ରାରମ୍ଭରେ ଦକ୍ଷିଣ ପୂର୍ଵ ଏସିଆର ମସଲା ଉତ୍ପାଦନକାରୀ ଦ୍ୱୀପପୁଞ୍ଜଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଥିଲା କିନ୍ତୁ ପରେ ଡଚ୍ ପ୍ରତିଯୋଗିତା ଯୋଗୁଁ ଭାରତ ପ୍ରତି ଧ୍ୟାନ ଦିଆଗଲା।
ଇଂରେଜମାନେ ଦେଖିଲେ ଭାରତୀୟମାନେ ସ୍ଵଭାଵତଃ କର୍ମଠ,ସାଧୁ ଓ ସରଳ ଵିଶ୍ଵାସୀ ତେଣୁ ସେମାନେ ଭାରତରେ ଵ୍ୟାପାର କରିଵାର ସୁନ୍ଦର ପରିଵେଶ ଦେଖିପାରିଲେ । 

ଭାରତର ପଶ୍ଚିମ ଉପକୂଳରେ ଗୁଜରାଟର କପଡ଼ା ମିଳୁଥିଲା କିନ୍ତୁ ପୂର୍ଵ ଉପକୂଳ;କୋରୋମଣ୍ଡଳ କୋଷ୍ଟରେ ଅର୍ଥାତ୍ ଆନ୍ଧ୍ର ଓ ତାମିଳ ଅଞ୍ଚଳରେ ଅଧିକ ଉନ୍ନତ ଓ ରଙ୍ଗିନ କ୍ୟାଲିକୋ ତଥା ମସଲିନ କପଡ଼ା ଉତ୍ପାଦନ ହେଉଥିଲା ଯାହାର ଇଉରୋପରେ ଅଧିକ ଚାହିଦା ଥିଲା । ଏହା ଛଡ଼ା ଦକ୍ଷିଣରେ ମୋଗଲ ଶାସନର ପ୍ରଭାଵ କମ୍ ଥିଲା ଏଵଂ ସ୍ଥାନୀୟ ଶାସକମାନେ ଇଂରେଜମାନଙ୍କୁ କେତେକ ସୁଵିଧା ପ୍ରଦାନ କରିଥିଲେ। ମୋଗଲମାନଙ୍କ କଡ଼ା ନିୟନ୍ତ୍ରଣ ନଥିଵାରୁ ଦକ୍ଷିଣରେ ଇଂରେଜମାନେ ନିଜର ଦୁର୍ଗ ନିର୍ମାଣ କରି ସ୍ୱାଧୀନ ଭାବେ ଵ୍ୟଵସାୟ କରିପାରିଥିଲେ । ତେଣୁ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ୧୬୧୧ ମସିହାରେ ମସୁଲିପଟ୍ଟନମରେ ଫ୍ୟାକ୍ଟରୀ ଖୋଲିଥିଲା କିନ୍ତୁ ଏହା ସ୍ଥାୟୀ ହୋଇପାରିନଥିଲା କାରଣ ସେଠାରେ ଡଚ୍ ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ସମସ୍ୟା ଥିଲା । ତେଣୁ ୧୬୩୯ ମସିହାରେ କମ୍ପାନୀର ଏଜେଣ୍ଟ ଫ୍ରାନ୍ସିସ ଡେ ଏକ ଛୋଟ ମାଛଧରା ଗାଁ ମାଡ୍ରାସପଟ୍ଟନମକୁ ଚିହ୍ନିତ କରିଥିଲେ । ଏହି ଗାଁ କୋରୋମଣ୍ଡଳ ଉପକୂଳରେ ଅଵସ୍ଥିତ ଥିଲା ଏଵଂ ନିକଟରେ ଥିଵା ଚନ୍ଦ୍ରଗିରିର ନାୟକ ରାଜା ଦମର୍ଲା ବେଙ୍କଟାଦ୍ରିଙ୍କଠାରୁ ଡେ ଏକ ଜମି କିଣିଥିଲେ । ଏହି ଜମିରେ କମ୍ପାନୀ ଏକ ଦୁର୍ଗ ନିର୍ମାଣ କରିଵାକୁ ଅନୁମତି ପାଇଥିଲା ଯାହାକୁ ଫର୍ଟ ସେଣ୍ଟ ଜର୍ଜ ନାମ ଦିଆଗଲା । ଏହା ଭାରତରେ ଇଂରେଜମାନଙ୍କର ପ୍ରଥମ ଦୁର୍ଗ ଥିଲା ଏଵଂ ୧୬୪୦ ମସିହାରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । ଫର୍ଟ ସେଣ୍ଟ ଜର୍ଜ ଚାରିପାଖରେ ଧୀରେ ଧୀରେ ଏକ ଜନଵସତି ଗଢ଼ି ଉଠିଲା ଯାହାକୁ White Town କୁହାଯାଉଥିଲା ଯେଉଁଠାରେ ଇଂରେଜ ଏବଂ ଅନ୍ୟ ଇଉରୋପୀୟମାନେ ରହୁଥିଲେ । ଏହାର ଉତ୍ତରରେ Black Town ନାମକ ଅଞ୍ଚଳ ଗଢ଼ି ଉଠିଲା ଯେଉଁଠାରେ ସ୍ଥାନୀୟ ଭାରତୀୟମାନେ ରହୁଥିଲେ । ଏହି ଦୁଇ ଅଞ୍ଚଳ ମିଶି ମାଡ୍ରାସ ସହରର ମୂଳ ରୂପ ନେଇଥିଲା । ସହରର ନାମ ମାଡ୍ରାସ କାହିଁକି ହେଲା ତାହା ଵିଵାଦାସ୍ପଦ କିନ୍ତୁ ଅନେକ ଇତିହାସକାର ମତରେ ଏହା ନିକଟରେ ଥିଵା ମାଦ୍ରାସପଟ୍ଟନମ ଗାଁରୁ ପ୍ରେରିତ ହୋଇ ରଖାଯାଇଥିଲା କିମ୍ବା ପର୍ତ୍ତୁଗୀଜମାନଙ୍କ ଦ୍ୱାରା ପ୍ରଚଳିତ ମାଦ୍ରେ ଦେ ଦେଉସ ନାମରୁ ଉତ୍ପନ୍ନ ହୋଇଥିଲା ।
ଫର୍ଟ ସେଣ୍ଟ ଜର୍ଜର ନିର୍ମାଣ ପରେ ମାଡ୍ରାସ ଦ୍ରୁତ ଗତିରେ ବଢ଼ିଵାକୁ ଲାଗିଲା । ଏହାର ପ୍ରାକୃତିକ ବନ୍ଦର ଏଵଂ ନିକଟରେ ଉତ୍ପାଦିତ କ୍ୟାଲିକୋ ଓ ମସଲିନ ଆଦି ଉତ୍ତମ କପଡ଼ା କାରଣରୁ ଇଂରେଜମାନେ ଏଠାରେ ଵ୍ୟଵସାୟ କେନ୍ଦ୍ର ସ୍ଥାପନ କରିଥିଲେ । ୧୬୮୮ ମସିହା ସୁଦ୍ଧା ମାଡ୍ରାସ ନଗର ମାଡ୍ରାସ ପ୍ରେସିଡେନ୍ସିର ରାଜଧାନୀ ହୋଇଗଲା । ଏହି ସମୟରେ ସହରରେ ଅନେକ ଇଂରେଜ ଅଧିକାରୀ ଵ୍ୟଵସାୟୀ ଓ ସୈନିକ ଆସି ଵାସ କରିଥିଲେ । ସ୍ଥାନୀୟ ତାମିଳ ଲୋକମାନେ ମଧ୍ୟ ସହରରେ କାମ କରିଵାକୁ ଆସିଥିଲେ ଏଵଂ ଧୀରେ ଧୀରେ ଏକ ମିଶ୍ରିତ ସଂସ୍କୃତି ଗଢ଼ି ଉଠିଲା ।
୧୬୧୧ରେ ଇଂରେଜମାନେ ଦକ୍ଷିଣ ଭାରତରେ ଵାଣିଜ୍ୟ କରିଵାକୁ ଚେଷ୍ଟା କରି ଵିଫଳ ହେଲେ ତେଣୁ ସେମାନେ ପଶ୍ଚିମ ଭାରତ ଵିଶେଷ କରି ସୁରତ ଅଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କଲେ । ୧୬୧୨ ମସିହାରେ ସ୍ୱାଲ୍ଲୀ ଯୁଦ୍ଧରେ ଇଂରେଜ୍ ନୌସେନା ପର୍ତ୍ତୁଗୀଜମାନଙ୍କୁ ପରାସ୍ତ କରିଵା ପରେ ଜାହାଙ୍ଗୀର ଫରମାନ୍ ଜାରି କରି ସୁରତରେ ଫ୍ୟାକ୍ଟରୀ ସ୍ଥାପନ କରିଵାର ଅନୁମତି ଇଂରେଜମାନଙ୍କୁ ଦେଇଥିଲେ। ଏହି ଫ୍ୟାକ୍ଟରୀ ୧୬୧୩ ମସିହାରେ ସ୍ଥାୟୀ ରୂପ ନେଇଥିଲା ଏଵଂ ଏହା ଇଂରେଜମାନଙ୍କର ଭାରତରେ ପ୍ରଥମ ସ୍ଥାୟୀ ଵାଣିଜ୍ୟ କେନ୍ଦ୍ର ହୋଇଥିଲା। ସୁରତକୁ ବାଛିଵାର ମୁଖ୍ୟ କାରଣ ଥିଲା ତଦାନୀନ୍ତନ ସୁରତର ଅପାର ଵାଣିଜ୍ୟିକ ମହତ୍ତ୍ୱ ଏଵଂ ଏହାର ଭୌଗୋଳିକ ଅଵସ୍ଥିତି।
ସୁରତ ସେତେବେଳେ ମୋଗଲ ସାମ୍ରାଜ୍ୟର ପଶ୍ଚିମ ଉପକୂଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଥିଲା ଏଵଂ ଏହାକୁ ବନ୍ଦର ମୁବାରକ୍ ଵା ମକ୍କାର ଦ୍ୱାର କୁହାଯାଉଥିଲା କାରଣ ଏଠାରୁ ଵର୍ଷକୁ ହଜ୍ ଯାତ୍ରୀମାନଙ୍କର ଅନେକ ଜାହାଜ ଯାତ୍ରା କରୁଥିଲା। ସୁରତ ନଗ୍ର ତାପି ନଦୀ ଵା ତାପ୍ତୀ ନଦୀ ମୁହାଣରେ ଅଵସ୍ଥିତ ଥିଵାରୁ ଏହାର ବନ୍ଦର ଗଭୀର ଏଵଂ ନିରାପଦ ଥିଲା ତେଣୁ ବଡ଼ ବଡ଼ ଜାହାଜଗୁଡ଼ିକ ପାଇଁ ଉପଯୁକ୍ତ ଥିଲା। ପୂର୍ଵରୁ କାମ୍ଵେ ଵା ଖମ୍ଵାତ୍ ଗୁଜରାଟର ପ୍ରମୁଖ ବନ୍ଦର ଥିଲା କିନ୍ତୁ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଏହାର ଗୁରୁତ୍ୱ ହ୍ରାସ ପାଇଵା ପରେ ସୁରତ ତାହାର ସ୍ଥାନ ନେଇଥିଲା। ଗୋଆ ପର୍ତ୍ତୁଗୀଜମାନଙ୍କ ନିୟନ୍ତ୍ରଣରେ ଥିଵାରୁ ଇଂରେଜମାନେ ସେଠାରେ ଫ୍ୟାକ୍ଟରୀ ସ୍ଥାପନ କରିଵାକୁ ଚାହୁଁନଥିଲେ ଵରଂ ମୋଗଲ ଅଧିକାରରେ ଥିଵା ସୁରତକୁ ପସନ୍ଦ କରିଥିଲେ।
ସେତେବେଳେ ସୁରତରେ ଅପାର ଵାଣିଜ୍ୟ ଚାଲୁଥିଲା ଏଵଂ ଏହା ଭାରତର ପଶ୍ଚିମ ଉପକୂଳର ସବୁଠାରୁ ଧନୀ ଏଵଂ ଵ୍ୟସ୍ତତମ ବନ୍ଦର ଥିଲା। ଏଠାରୁ ମୁଖ୍ୟତଃ ସୂତା କପଡ଼ା ଓ ରେଶମ କପଡ଼ା ରପ୍ତାନୀ ହେଉଥିଲା ଏଵଂ ତହିଁର ୟୁରୋପ ,ମଧ୍ୟ ଏସିଆ ଓ ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକରେ ଅତ୍ୟନ୍ତ ଚାହିଦା ଥିଲା। ଆହମ୍ମଦାଵାଦ,ଭରୁଚ ଏଵଂ କାମ୍ଵେ ଆଦି ଗୁଜରାଟର କପା ଉତ୍ପାଦନ କ୍ଷେତ୍ର ସହିତ ସୁରତର ସିଧାସଳଖ ଯୋଗାଯୋଗ ଥିଲା ଯାହା କପଡ଼ା ସଂଗ୍ରହ କରିଵାକୁ ସହଜ କରୁଥିଲା। ଏହା ଵ୍ୟତୀତ ମସଲା ଯେମିତି ଲବଙ୍ଗ,ଦାରୁଚିନି, ଗୋଲମରିଚ, ନୀଳ ରଙ୍ଗ ଏଵଂ ଅନ୍ୟାନ୍ୟ ମୂଲ୍ୟଵାନ୍ ଦ୍ରଵ୍ୟ ମଧ୍ୟ ଏଠାରୁ ଅନ୍ୟ ଦେଶକୁ ଵାଣିଜ୍ୟ ହେଉଥିଲା। ସୁରତ ନଗ୍ର ଆରବଦେଶ, ପାରସ୍ୟ, ଲାଲସାଗର ଏଵଂ ଦୂର ପୂର୍ଵାଞ୍ଚଳ ସହିତ ଵାଣିଜ୍ୟ ପଥରେ ଥିଵାରୁ ଆରବ,ଆର୍ମେନୀୟ,ପର୍ତ୍ତୁଗୀଜ୍,ଡଚ୍ ଏଵଂ ଅନ୍ୟାନ୍ୟ ଦେଶୀୟ ଵ୍ୟଵସାୟୀମାନେ ଏଠାରେ ସକ୍ରିୟ ଥିଲେ। ମୋଗଲ ସମ୍ରାଟମାନଙ୍କ ପୃଷ୍ଠପୋଷକତାରେ ସୁରତର ଵାଣିଜ୍ୟ ଅଭୂତପୂର୍ଵ ଵୃଦ୍ଧି ପାଇଥିଲା ଏଵଂ ଏହା ଏକ Cosmopolitical ସହର ପାଲଟିଥିଲା ଯେଉଁଠାରେ ଵିଭିନ୍ନ ଧର୍ମ ଏଵଂ ସଂସ୍କୃତିର ଲୋକେ ମିଶି ରହୁଥିଲେ। ଇଂରେଜମାନେ ସୁରତ ନଗ୍ରକୁ ବାଛିଵା ଦ୍ୱାରା ମୋଗଲ ସାମ୍ରାଜ୍ୟର ଅର୍ଥନୈତିକ କେନ୍ଦ୍ରରେ ପ୍ରଵେଶ କରିପାରିଥିଲେ ଏଵଂ ଏହା ସେମାନଙ୍କର ଭାରତରେ ଵାଣିଜ୍ୟ ତଥା ପରଵର୍ତ୍ତୀ ରାଜନୈତିକ ପ୍ରଭାଵ ବଢ଼ାଇଵାର ପ୍ରଥମ ପାଦ ହୋଇଥିଲା। 

ସୁରତ ନଗ୍ର ଷୋଡ଼ଶ ଏଵଂ ସପ୍ତଦଶ ଶତାବ୍ଦୀରେ ଭାରତର ପଶ୍ଚିମ ଉପକୂଳର ସବୁଠାରୁ ଧନୀ ଏଵଂ ଵ୍ୟସ୍ତତମ ବନ୍ଦର ଥିଲା କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ଏହାର ଗୌରଵ ଧୀରେ ଧୀରେ ହ୍ରାସ ପାଇଵାକୁ ଲାଗିଲା ଏଵଂ ଇଷ୍ଟ ଇଣ୍ଡିଆ କମ୍ପାନୀର ଵାଣିଜ୍ୟ ଓ ରାଜନୈତିକ କେନ୍ଦ୍ର ପୂର୍ଵ ଦିଗକୁ ସ୍ଥାନାନ୍ତରିତ ହେଲା ଯାହାର ମୁଖ୍ୟ କାରଣ ଥିଲା ରାଜନୈତିକ ଅସ୍ଥିରତା, ମରାଠା ଆକ୍ରମଣ ତଥା ଅନ୍ୟାନ୍ୟ ଇଉରୋପୀୟ ଶକ୍ତିମାନଙ୍କ ସହିତ ପ୍ରତିଯୋଗିତା। ସୁରତର ଅଧଃପତନର ଏକ ଵଡ଼ କାରଣ ଥିଲା ମୋଗଲ ସାମ୍ରାଜ୍ୟର ଦୁର୍ଵଳତା ଯାହା ଅଠର ଶତାବ୍ଦୀର ପ୍ରଥମ ଭାଗରେ ସ୍ପଷ୍ଟ ହୋଇଉଠିଥିଲା ଏଵଂ ସ୍ଥାନୀୟ ଶାସକମାନେ କମ୍ପାନୀ ଉପରେ ଅଧିକ କର ଲଗାଇଵା ଆରମ୍ଭ କରିଥିଲେ ଯାହା ଵାଣିଜ୍ୟକୁ ଅସୁଵିଧାଜନକ କରିଥିଲା। ଏହା ସହିତ ମରାଠାମାନେ ଗୁଜରାଟ ଅଞ୍ଚଳରେ ଵାରମ୍ଵାର ଆକ୍ରମଣ କରି ସୁରତକୁ ଲୁଟ୍ କରିଥିଲେ ।  
ପ୍ରଥମେ, ୧୬୬୪ ମସିହାର ଜାନୁଆରୀ ମାସରେ ମରାଠା ଶାସକ ଶିଵାଜୀ ମହାରାଜ ସୁରତ ନଗର ଉପରେ ଆକ୍ରମଣ କରିଥିଲେ। ସେ ସମୟରେ ସୁରତ ମୋଗଲ ସାମ୍ରାଜ୍ୟର ଏକ ପ୍ରମୁଖ ଵାଣିଜ୍ୟ କେନ୍ଦ୍ର ଥିଲା। ଶିଵାଜୀ ମହାରାଜ କିଛି ହଜାର ଅଶ୍ୱାରୋହୀ ସୈନ୍ୟ ସହିତ ଆକସ୍ମିକ ଭାବରେ ସୁରତରେ ପହଞ୍ଚିଥିଲେ। ମୋଗଲ ଗଭର୍ଣ୍ଣର ଇନାୟତ ଖାନଙ୍କ ପ୍ରତିରୋଧ ଦୁର୍ଵଳ ଥିଵାରୁ ସହର ଶୀଘ୍ର ମରାଠାମାନଙ୍କ ଅଧିନକୁ ଚାଲି ଯାଇଲା।
ଏହି ଆକ୍ରମଣ ଅତ୍ୟନ୍ତ ଆକସ୍ମିକ ଥିଵାରୁ ସହରଵାସୀମାନେ ପ୍ରସ୍ତୁତ ହେଵାକୁ ସମୟ ପାଇନଥିଲେ। କିଛି ଦିନ ଧରି ମରାଠା ସୈନ୍ୟମାନେ ସହରର ଧନୀ ଵ୍ୟଵସାୟୀମାନଙ୍କ ଘର ଓ ଗୋଦାମଗୁଡ଼ିକୁ ଲୁଣ୍ଠନ କରିଥିଲେ। ଏଥିରୁ ବହୁ ପରିମାଣର ଧନ-ସମ୍ପତ୍ତି ହସ୍ତଗତ ହୋଇଥିଲା, ଯାହା ଶିଵାଜୀଙ୍କ ରାଜ୍ୟକୁ ସୁଦୃଢ଼ କରିଵାରେ ସାହାଯ୍ୟ କରିଥିଲା। ଇଂରେଜ ଓ ଡଚ୍ ଵ୍ୟଵସାୟ କାରଖାନାଗୁଡ଼ିକ ନିଜ ଦୁର୍ଗୀକୃତ ଅଞ୍ଚଳରେ ରହିଥିଵାରୁ ବଞ୍ଚିଯାଇଥିଲେ, କିନ୍ତୁ ସହରର ଅନେକ ଅଂଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣ ମୋଗଲମାନଙ୍କର ଅର୍ଥନୈତିକ ଶକ୍ତିକୁ ଗୁରୁତର ଆଘାତ ଦେଇଥିଲା।

ଦ୍ୱିତୀୟଥର ପାଇଁ, ୧୬୭୦ ମସିହାର ଅକ୍ଟୋବର ମାସରେ ଶିଵାଜୀ ମହାରାଜ ପୁନର୍ଵାର ସୁରତ ଉପରେ ଆକ୍ରମଣ କରିଥିଲେ। ପ୍ରଥମ ଆକ୍ରମଣ ପରେ ସୁରତ ଧୀରେଧୀରେ ପୁନଃ ସମୃଦ୍ଧି ଲାଭ କରିଥିଲା। ଏହି ସମୟରେ ମୋଇଲମାନଙ୍କ ସହିତ ମରାଠାମାନଙ୍କ ଯୁଦ୍ଧ ଚାଲିଥିବାରୁ ରାଜ୍ୟ ପାଇଁ ଧନର ଆବଶ୍ୟକତା ବଢ଼ିଥିଲା। ଶିଵାଜୀ କିଛି ହଜାର ସୈନ୍ୟ ସହିତ ସୁରତରେ ପହଞ୍ଚି ୩ ଓ ୪ ଅକ୍ଟୋବର ତାରିଖରେ ସହରକୁ ଲୁଣ୍ଠନ କରିଥିଲେ।
ଏଥର ମଧ୍ୟ ଇଂରେଜ ଓ ଡଚ୍ କାରଖାନାଗୁଡ଼ିକ ରକ୍ଷିତ ରହିଥିଲେ, କିନ୍ତୁ ସହରରୁ ବହୁ ପରିମାଣର ଧନ ସଂଗ୍ରହ କରାଯାଇଥିଲା। ଫେରିଵା ସମୟରେ ମୋଗଲ ସୈନ୍ୟ ଦାଉଦ ଖାନଙ୍କ ନେତୃତ୍ୱରେ ମରାଠାମାନଙ୍କୁ ଅଟକାଇଵାକୁ ଚେଷ୍ଟା କରିଥିଲେ, କିନ୍ତୁ ବାନି–ଦିନ୍ଦୋରି ଯୁଦ୍ଧରେ ମରାଠା ସୈନ୍ୟଦଳ ଵିଜୟ ଲାଭ କରିଥିଲା। ଏହି ଦୁଇଟି ଆକ୍ରମଣ ଶିଵାଜୀ ମହାରାଜଙ୍କ ସାହସ, ରଣନୀତି ଓ ସୁଯୋଗଵାଦୀ ନୀତିର ସ୍ପଷ୍ଟ ପ୍ରମାଣ ଦେଇଥିଲା ଏଵଂ ମୋଗଲ ସାମ୍ରାଜ୍ୟ ପାଇଁ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

୧୬୬୪ ଓ ୧୬୭୦ ମସିହାରେ ହୋଇଥିଵା ମରାଠା ଆକ୍ରମଣଗୁଡ଼ିକ ଯୋଗୁଁ ସୁରତ ସହରର ଅର୍ଥନୀତି ଭୁଶୁଡ଼ି ଯାଇଥିଲା। ଫଳରେ ଅନେକ ଵ୍ୟଵସାୟୀ ସୁରତ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ ଏଵଂ କମ୍ପାନୀ ମଧ୍ୟ ନିଜର ମୁଖ୍ୟ କାର୍ଯ୍ୟାଳୟକୁ ୧୬୮୭ରେ ବମ୍ବେକୁ ସ୍ଥାନାନ୍ତର କରିଥିଲା । ବମ୍ବେ ସେତେବେଳେ ଏକ ଗଭୀର ପ୍ରାକୃତିକ ବନ୍ଦର ଥିଲା ଏଵଂ ରକ୍ଷଣାତ୍ମକ ଦୃଷ୍ଟିରୁ ଅଧିକ ନିରାପଦ ଥିଲା।

ବମ୍ବେର ଦ୍ୱୀପପୁଞ୍ଜର ପୂର୍ଵ ଇତିହାସ ଆରବ ସାଗରର ପଶ୍ଚିମ ଉପକୂଳରେ ଅଵସ୍ଥିତ ସାତୋଟି ଛୋଟ ଦ୍ୱୀପରେ ଆରମ୍ଭ ହୁଏ, ଯାହାକୁ ସ୍ଥାନୀୟ କୋଳି ମତ୍ସ୍ୟଜୀଵୀମାନେ ନିୟନ୍ତ୍ରଣ କରୁଥିଲେ। ଏହି ଦ୍ୱୀପଗୁଡ଼ିକର ନାମ ଥିଲା Bombay, Colaba, Old Woman's Island, Mahim, Mazagaon, Parel ଓ Worli। ଏହି ଅଞ୍ଚଳ ଗୁଜରାଟର ସୁଲତାନ ବାହାଦୁର ଶାହଙ୍କର ଅଧୀନରେ ଥିଲା ଏଵଂ ୧୫୩୪ରେ Treaty of Bassein ଦ୍ୱାରା ପର୍ତ୍ତୁଗୀଜମାନେ ଏହାକୁ ଅଧିଗ୍ରହଣ କଲେ। ପର୍ତ୍ତୁଗୀଜମାନେ ଏହାକୁ ଏକ ଵାଣିଜ୍ୟ କେନ୍ଦ୍ର ଭାବରେ ଵ୍ୟଵହାର କଲେ, କିନ୍ତୁ ଏହାକୁ ପୂର୍ଣ୍ଣ ଭାବେ ଉପଯୋଗ କରିପାରିଲେ ନାହିଁ। ସେମାନେ ଏଠାରେ କେତେକ କିଲ୍ଲା ଓ ଚର୍ଚ୍ଚ ନିର୍ମାଣ କଲେ, କିନ୍ତୁ ଅଞ୍ଚଳଟି ସେତେବେଳେ ମୂଳତଃ ଜଳମୟ ଏଵଂ ମେଲେରିଆ ପ୍ରଵଣ ଥିଲା। 

ଇଂରେଜମାନେ ବମ୍ବେକୁ ଏକ ରାଜନୈତିକ ଵିଵାହ ମାଧ୍ୟମରେ ପାଇଥିଲେ। ୧୬୬୧ରେ, ପର୍ତ୍ତୁଗାଲର ରାଜା John IV ତାଙ୍କ ଝିଅ Catherine of Braganzaକୁ ଇଂଲଣ୍ଡର ରାଜା Charles II ସହ ଵିଵାହ କରାଇଲେ। ଏହି ଵିଵାହର ଯୌତୁକ ଭାବରେ ବମ୍ବେର ଦ୍ୱୀପଗୁଡ଼ିକ ସହ ଅନ୍ୟାନ୍ୟ ସମ୍ପତ୍ତି ଯେପରିକି Tangier, ବ୍ରାଜିଲ୍ ତଥା ପର୍ତ୍ତୁଗୀଜ ଇଷ୍ଟ ଇଣ୍ଡିଜରେ ଇଂରେଜମାନଙ୍କୁ ଵାଣିଜ୍ୟ ଅଧିକାର ମିଳିଥିଲା। ଏହି ଚୁକ୍ତି ପର୍ତ୍ତୁଗାଲ ଓ ଇଂଲଣ୍ଡ ମଧ୍ୟରେ ସହଯୋଗକୁ ସଶକ୍ତ କରିଵା ପାଇଁ ଥିଲା ଏଵଂ ସ୍ପେନ୍ ଓ ଡଚ୍ଚଙ୍କ ଵିରୋଧରେ ଉଦ୍ଦିଷ୍ଟ ଥିଲା। କିନ୍ତୁ ପର୍ତ୍ତୁଗୀଜ ଭାରତରେ ଥିଵା ଅଧିକାରୀମାନେ ଏହି ଚୁକ୍ତିକୁ ସହଜରେ ସ୍ୱୀକାର କରିନଥିଲେ ଏଵଂ ପ୍ରାରମ୍ଭରେ କେଵଳ ମୂଳ ଦ୍ୱୀପଗୁଡ଼ିକର କିଛି ଅଂଶ ହସ୍ତାନ୍ତର କରାଗଲା। ୧୬୬୫ରେ, Humphrey Cooke ଭାରତରେ ଇଂରେଜଙ୍କ ପ୍ରତିନିଧି ଭାବରେ ଅଵଶିଷ୍ଟ ଅଞ୍ଚଳ ଯେପରିକି Mahim, Sion, Dharavi ଓ Wadalaକୁ ଅଧିଗ୍ରହଣ କଲେ। ଏହି ଯୌତୁକର ମୂଲ୍ୟ ଥିଲା ପ୍ରାୟ ୨ ମିଲିୟନ୍ ପର୍ତ୍ତୁଗୀଜ କ୍ରାଉନ୍, ଯାହା ତତ୍କାଳୀନ ସମୟରେ ପ୍ରାୟ £300,000 ସହିତ ସମାନ ଥିଲା। ଏହି ଅଧିଗ୍ରହଣ ଇଂରେଜଙ୍କୁ ଭାରତର ପଶ୍ଚିମ ଉପକୂଳରେ ଏକ ଶକ୍ତିଶାଳୀ ଆଧାର ପ୍ରଦାନ କଲା ଏଵଂ ଏହା ସେମାନଙ୍କର ଵାଣିଜ୍ୟିକ ସାମ୍ରାଜ୍ୟକୁ ବୃଦ୍ଧି କରିଵାରେ ସାହାଯ୍ୟ କଲା।

ଇଂରେଜମାନେ ବମ୍ବେକୁ ପାଇଵା ପରେ, ରାଜା Charles II ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଭଡ଼ାକୁ ଦେଲେ। ୧୬୬୮ରେ ହୋଇଥିଵା ଏହି ଚୁକ୍ତିରେ କମ୍ପାନୀ ଵାର୍ଷିକ £10 ଭଡ଼ା ଦେଵାକୁ ସହମତ ହେଲା। ରାଜା Charles IIଙ୍କ ପାଖରେ ପରିଚାଳନା ପାଇଁ ଧନ ନଥିଲା । ବମ୍ବେକୁ ସିଧାସଳଖ ଚଳାଇବା ମହଙ୍ଗା ଥିଲା। East India Company ଏକମାତ୍ର ସମର୍ଥ ସଂସ୍ଥା ଥିଲା । ସେମାନଙ୍କ ପାଖରେ ସେନା, ଜାହାଜ, ପୁଞ୍ଜି ଥିଲା।
ଲାଭ ଠାରୁ ଦାୟିତ୍ୱ ମୁଖ୍ୟ ଥିଲା । କମ୍ପାନୀ ସମସ୍ତ ପ୍ରଶାସନିକ ଓ ସେନା ଖର୍ଚ୍ଚ ବୋହିଥିଲା। ତେଣୁ ରାଜା 
Charles II ଅଳ୍ପ ମୂଲ୍ୟର ଭଡ଼ାରେ ବମ୍ବେକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଦେଇଦେଇଥିଲେ । 

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଵାଣିଜ୍ୟ କରିଵା ପାଇଁ ରାଜକୀୟ ଚାର୍ଟର୍ ପାଇଥିଲା ଏଵଂ ବମ୍ବେକୁ ଏକ ବାଣିଜ୍ୟ ହବ୍ ଭାବରେ ଵିକଶିତ କରିଵାରେ ଆଗ୍ରହୀ ଥିଲା। ପ୍ରଥମ ଗଭର୍ଣ୍ଣର Sir George Oxenden ଏହାକୁ କମ୍ପାନୀ ଅଧୀନକୁ ଆଣିଲେ, କିନ୍ତୁ ପ୍ରକୃତ ଵିକାଶ ଆରମ୍ଭ ହେଲା Gerald Aungierର ନେତୃତ୍ୱରେ, ଯିଏ ୧୬୬୯ରେ ଗଭର୍ଣ୍ଣର ହୋଇଥିଲେ। Aungier ବମ୍ବେକୁ ଏକ ସ୍ୱାଧୀନ ଵାଣିଜ୍ୟ କେନ୍ଦ୍ର ଭାବରେ ଗଢ଼ିଵା ପାଇଁ ଯୋଜନା କଲେ। ସେ ଏକ ମିଣ୍ଟ ଏବଂ ପ୍ରିଣ୍ଟିଙ୍ଗ ପ୍ରେସ୍ ସ୍ଥାପନ କଲେ ଏଵଂ ଗୁଜରାତୀ, ପାର୍ସି, Dawoodi Bohra ଓ ଈହୁଦୀ ଵ୍ୟଵସାୟୀଙ୍କୁ ଆକର୍ଷିତ କରିଵା ପାଇଁ ଟ୍ୟାକ୍ସ ଛାଡ଼ ତଥା ଧାର୍ମିକ ସ୍ୱାଧୀନତା ପ୍ରଦାନ କଲେ। ଏହି ନୀତି ବମ୍ବେର ଜନସଂଖ୍ୟା ଓ ଅର୍ଥନୈତିକୁ ବଢ଼ାଇଲା ଏବଂ ଏହା ସୁରତର ଵିକଳ୍ପ ଭାବରେ ଉଭା ହେଲା। ଏହି ସମୟରେ ବମ୍ବେର ଜନସଂଖ୍ୟା ୧୦,୦୦୦ରୁ ବଢ଼ି ୬୦,୦୦୦ ହୋଇଯାଇଥିଲା ଏଵଂ ପରଵର୍ତ୍ତୀ କାଳରେ ଏହା ଏକ ବହୁସାଂସ୍କୃତିକ ନଗରର ରୂପ ନେଲା।

ଇଂରେଜ ଅମଳରେ ବମ୍ବେର ଵିକାଶ ପ୍ରକ୍ରିୟା ଜଟିଳ ହୋଇଯାଇଥିଲା। ପ୍ରାରମ୍ଭରେ ଏହା ଡଚ୍ଚ ଓ ମୋଗଲମାନଙ୍କ ଆକ୍ରମଣର ସମ୍ମୁଖୀନ ହେଲା। ୧୬୭୩ରେ Rijckloff van Goens ନେତୃତ୍ୱରେ ଡଚ୍ଚମାନେ ଆକ୍ରମଣ କଲେ, କିନ୍ତୁ Aungierଙ୍କର ନେତୃତ୍ୱରେ ଇଂରେଜମାନେ ଏହାକୁ ପ୍ରତିହତ କଲେ। ୧୬୮୯ରେ Siddi admiral Yakut Khan ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦେଶରେ ଅଞ୍ଚଳଟିକୁ ଅଧିକାର କଲେ, କିନ୍ତୁ ୧୬୯୦ରେ ପୈସା ଦେଇ ଇଂରେଜମାନେ ଏହାକୁ ପୁନରୁଦ୍ଧାର କଲେ। ଏହି ଘଟଣାଗୁଡ଼ିକ ବମ୍ବେକୁ ଫର୍ଟିଫାଏ କରିଵାର ଆଵଶ୍ୟକତା ସୃଷ୍ଟି କଲା। ୧୭୧୫ରେ Bombay Castle ନିର୍ମାଣ ସମାପ୍ତ ହେଲା ଏଵଂ ୧୬୮୨ରେ Middle Ground Coastal Battery ସ୍ଥାପିତ ହେଲା। ଏହି କିଲ୍ଲାଗୁଡ଼ିକ ବମ୍ବେକୁ ସୁରକ୍ଷିତ କଲା ଏଵଂ ଏହାର ଵାଣିଜ୍ୟକୁ ତ୍ଵରାନିତ କଲା। ୧୭୧୮ରେ Charles Boone ପ୍ରଥମ ଆଙ୍ଗ୍ଲିକାନ ଚର୍ଚ୍ଚ St. Thomas Cathedral ନିର୍ମାଣ କଲେ, ଯାହା ନଗରର ଧାର୍ମିକ ଓ ସାମାଜିକ ଜୀଵନରେ ଗୁରୁତ୍ୱପୂର୍ଣ୍ଣ ହେଲା। 

ବମ୍ବେ ନଗର ଗଢ଼ା ହେଵା ପ୍ରକ୍ରିୟାରେ ପ୍ରମୁଖ ପଦକ୍ଷେପ ଥିଲା ସାତୋଟି ଦ୍ୱୀପକୁ ଯୋଡ଼ିଵା। ଏହି ଦ୍ୱୀପଗୁଡ଼ିକ ଜଳମୟ ଥିଲା ଏଵଂ ଉଚ୍ଚ ଜଳପ୍ରଵାହରେ ବାଡ଼େଇ ହେଉଥିଲା। ୧୭୮୪ରେ Governor William Hornby, ହର୍ନବୀ ଵେଲାର୍ଡ୍ ପ୍ରୋଜେକ୍ଟ ଆରମ୍ଭ କଲେ, ଯାହା ଦ୍ୱୀପଗୁଡ଼ିକ ମଧ୍ୟରେ ଵ୍ୟଵଧାନକୁ ବନ୍ଦ କରି ଭୂମି ସୃଷ୍ଟି କଲା। ଏହି ପ୍ରୋଜେକ୍ଟ କମ୍ପାନୀର ଅନୁମୋଦନ ଵିନା ଆରମ୍ଭ ହୋଇଥିଲା, କିନ୍ତୁ ପରେ ଏହାକୁ ସ୍ୱୀକୃତି ମିଳିଲା। ୧୮୦୩ରେ Sion Causeway ନିର୍ମାଣ ହେଲା, ଯାହା Sionକୁ ଯୋଡ଼ିଲା। ୧୮୩୮ରେ Colaba Causeway ନିର୍ମାଣ ହେଲା, ଯାହା Colabaକୁ ଯୋଡ଼ିଲା। ୧୮୪୫ରେ Mahim Causeway ସମାପ୍ତ ହେଲା, ଯାହା Mahimକୁ Bandra ସହ ଯୋଡ଼ିଲା। ଏହି Causeway ଓ ଵେଲାର୍ଡ୍ ପ୍ରୋଜେକ୍ଟଗୁଡ଼ିକ ସାତୋଟି ଦ୍ୱୀପକୁ ଏକ ଏକକ ଭୂଭାଗରେ ପରିଣତ କଲା, ଯାହାର କ୍ଷେତ୍ରଫଳ ଥିଲା ପ୍ରାୟ ୪୩୫ ଵର୍ଗ କିଲୋମିଟର। ଏହି ଭୂମି ରେକ୍ଲାମେସନ୍ ପ୍ରକ୍ରିୟା ବମ୍ବେକୁ ଏକ ଆଧୁନିକ ନଗରର ରୂପ ଦେଲା ଏଵଂ ଏହାର ଵାଣିଜ୍ୟ ଓ ଶିଳ୍ପର ଵିକାଶରେ ସାହାଯ୍ୟ କଲା। 

ବମ୍ବେକୁ ପାଇଗଲାପରେ ଏଣେ ଇଷ୍ଟ ଇଣ୍ଡିଆ କମ୍ପାନୀ ପୂର୍ବ ଉପକୂଳରେ ନିଜର ଉପସ୍ଥିତି ବଢ଼ାଇଵାକୁ ଚେଷ୍ଟା ଆରମ୍ଭ କରିଦେଇଥିଲା ଯାହାର ମୁଖ୍ୟ କାରଣ ଥିଲା ବଙ୍ଗୋପସାଗରରେ ଵାଣିଜ୍ୟିକ ସମ୍ଭାଵନା ଏଵଂ ରାଜନୈତିକ ଅଧିକାର ପ୍ରାପ୍ତି।

ଇଂରେଜମାନେ ଓଡ଼ିଶାରେ ପ୍ରଥମ ଵାଣିଜ୍ୟ କେନ୍ଦ୍ର ଗଢ଼ିଵାକୁ ୧୬୩୩ ମସିହାରେ ଚେଷ୍ଟା କରିଥିଲେ। ସେହି ଵର୍ଷ ସେମାନେ ହରିହରପୁର ଓ ବାଲେଶ୍ୱର ଅଞ୍ଚଳରେ କାରଖାନା ସ୍ଥାପନ କରିଥିଲେ। ଏହା ପୂର୍ବ ଭାରତରେ ଇଂରେଜମାନଙ୍କର ପ୍ରଥମ କାରଖାନା ଥିଲା, ଯାହା ମୋଗଲ ଶାସନକାଳରେ ଓଡ଼ିଶାର ମୋଗଲ ଗଭର୍ଣ୍ଣରଙ୍କ ଅନୁମତିରେ ସ୍ଥାପିତ ହୋଇଥିଲା। ହରିହରପୁର ସୁବର୍ଣ୍ଣରେଖା ନଦୀ ନିକଟରେ ଅଵସ୍ଥିତ ଥିଲା ଏଵଂ ସେଠାରେ ଇଂରେଜମାନେ ଵାଣିଜ୍ୟ ଆରମ୍ଭ କରିଵାକୁ ଚେଷ୍ଟା କରିଥିଲେ। କିନ୍ତୁ ନଦୀ ପଙ୍କ ବଢ଼ିଵାରୁ ଓ ନୌକା ଚଳାଚଳର ସମସ୍ୟା ହେତୁ ସେଠାରେ ଵାଣିଜ୍ୟ ସଫଳ ହୋଇପାରିଲା ନାହିଁ। ଏହି କାରଣରୁ ପରେ ଇଂରେଜମାନେ ବାଲେଶ୍ୱରକୁ ତାଙ୍କର ପ୍ରମୁଖ ଵାଣିଜ୍ୟ କେନ୍ଦ୍ର ଭାବେ ସ୍ଥାନାନ୍ତର କରିଥିଲେ। ଏହି ପ୍ରୟାସ ସଫଳ ହୋଇଥିଲା ଏଵଂ ଏହାପରେ ଓଡ଼ିଶାରେ ଇଂରେଜମାନଙ୍କର ଵାଣିଜ୍ୟ କାରବାର ଆରମ୍ଭ ହୋଇଥିଲା। ୧୬୩୩ ରୁ ୧୬୯୦ ମସିହା ପର୍ଯ୍ୟନ୍ତ ଇଂରେଜମାନେ ଭାରତର ପୂର୍ଵ ଉପକୂଳରେ ଧୀରେ ଧୀରେ ଵାଣିଜ୍ୟ ଓ ରାଜନୈତିକ ପ୍ରଭାଵ ବଢ଼ାଇଥିଲେ ।
୧୬୯୦ ମସିହାରେ ଜୋବ୍ ଚାର୍ନକ୍ ନାମକ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ଅଧିକାରୀ ହୁଗଳୀ ନଦୀ କୂଳରେ ସୁତାନୁଟି,କଲିକତା ଓ ଗୋଵିନ୍ଦପୁର ନାମକ ତିନୋଟି ଗାଁରେ ଏକ ବନ୍ଦୋବସ୍ତ ସ୍ଥାପନ କରିଥିଲେ ଯାହା ପରଵର୍ତ୍ତୀ କାଳରେ କଲିକତା ସହରର ଆଧାର ହୋଇଥିଲା। ଏହି ସ୍ଥାନକୁ ବାଛିଵାର କାରଣ ଥିଲା ହୁଗଳୀ ନଦୀର ଗଭୀରତା ଯାହା ଵଡ଼ ଜାହାଜଗୁଡ଼ିକ ପାଇଁ ଉପଯୁକ୍ତ ଥିଲା ଏଵଂ ଏହା ବଙ୍ଗର ଧନୀ ଅଞ୍ଚଳ ସହିତ ସିଧା ଯୋଗାଯୋଗ ରଖୁଥିଲା ଯେଉଁଠାରୁ ଲୁଣ,ନୀଳ, କପା ଓ ଅନ୍ୟାନ୍ୟ ଦ୍ରଵ୍ୟ ସହଜରେ ସଂଗ୍ରହ କରାଯାଇପାରୁଥିଲା। ୧୬୯୮ ମସିହାରେ କମ୍ପାନୀ ମୋଗଲ ସୁବେଦାରଙ୍କଠାରୁ ଏହି ତିନି ଗାଁର ଜମିଦାରୀ ଅଧିକାର କିଣିଥିଲା ଯାହା ସେମାନଙ୍କୁ ସ୍ୱାଧୀନ ଭାବେ ଦୁର୍ଗ ନିର୍ମାଣ ଏଵଂ ଵନ୍ଦୋବସ୍ତ ଵିସ୍ତାର କରିଵାର ସୁଯୋଗ ଦେଇଥିଲା। ୧୭୦୦ ମସିହାରେ ଫୋର୍ଟ ଉଇଲିୟମ୍ ନିର୍ମାଣ ଆରମ୍ଭ ହେଲା ଏଵଂ ତାହା କମ୍ପାନୀର ପୂର୍ଵ ଭାରତରେ ରକ୍ଷଣାତ୍ମକ ଏଵଂ ଵାଣିଜ୍ୟିକ କେନ୍ଦ୍ର ହୋଇଉଠିଥିଲା। କଲିକତା ଏକ ନୂଆ ସହର ଭାବେ ଗଢ଼ାହେଲା କାରଣ ଏଠାରେ କମ୍ପାନୀର ପୂର୍ଣ୍ଣ ନିୟନ୍ତ୍ରଣ ଥିଲା ଏଵଂ ଏହା ଯୋଜନାଵଦ୍ଧ ଭାବେ ଵିକଶିତ ହେଵାର ସୁଯୋଗ ଥିଲା ଯାହା ସୁରତ ଭଳି ପୁରୁଣା ସହରରେ ସମ୍ଭଵ ନଥିଲା। ଏଥିଯୋଗୁଁ ସୁରତ କେବେ ବି ବ୍ରିଟିଶ ଇଣ୍ଡିଆର ରାଜଧାନୀ ହୋଇପାରିନଥିଲା ।‌
ସମୟ ସହିତ କଲିକତାର ଵିକାଶ ତୀବ୍ର ହେଲା ଫଳତଃ କମ୍ପାନୀ ବଙ୍ଗରେ ରାଜନୈତିକ ପ୍ରଭାଵ ବଢ଼ାଇଲା। ୧୭୫୬ ମସିହାରେ ବଙ୍ଗର ନବାବ ସିରାଜ୍ ଉଦ୍ଦୌଲା କଲିକତା ଉପରେ ଆକ୍ରମଣ କରି ଏହାକୁ ଅଳ୍ପ ସମୟ ପାଇଁ ଅଧିକାର କରିନେଇଥିଲେ ଯାହାକୁ Black hole of Kolkata ଘଟଣା ଭାବେ ଜଣାଯାଏ କିନ୍ତୁ ୧୭୫୭ ମସିହାରେ ପଲାଶୀ ଯୁଦ୍ଧରେ ରବର୍ଟ କ୍ଲାଇଵ୍‌ଙ୍କ ନେତୃତ୍ୱରେ କମ୍ପାନୀ ନୱାବକୁ ପରାସ୍ତ କରି ବଙ୍ଗ,ବିହାର ଓ ଓଡ଼ିଶାର ଦିୱାନୀ ଅଧିକାର ୧୭୬୫ ମସିହାରେ ପ୍ରାପ୍ତ କରିଥିଲା । ଏହି ଦିୱାନୀ ଅଧିକାର ଦ୍ୱାରା କମ୍ପାନୀ ବଙ୍ଗ,ବିହାର ଓ ଓଡ଼ିଶାର ରାଜସ୍ୱ ସଂଗ୍ରହ କରିଵାର ଅଧିକାର ପାଇଥିଲା ଯାହା ସେମାନଙ୍କର ଅର୍ଥନୈତିକ ଶକ୍ତିକୁ ଅପାର ପରିମାଣରେ ବଢ଼ାଇଦେଲା ଏଵଂ କଲିକତା ଏହି ନୂଆ ଧନର କେନ୍ଦ୍ର ହୋଇଉଠିଲା।
ପଲାଶୀ ଯୁଦ୍ଧ ପରେ କଲିକତା ଦ୍ରୁତ ଗତିରେ ଵଢ଼ିଚାଲିଲା ଏଵଂ ଏହା କମ୍ପାନୀର ପ୍ରେସିଡେନ୍ସି ସହର ହେଲା ପୁଣି ବଙ୍ଗ ପ୍ରେସିଡେନ୍ସିର ରାଜଧାନୀ ମଧ୍ୟ ହେଲା। ସୁରତ ଓ ବମ୍ବେ ତୁଳନାରେ କଲିକତାର ଭୌଗୋଳିକ ଅଵସ୍ଥାନ ଅଧିକ କେନ୍ଦ୍ରୀୟ ଥିଲା କାରଣ ଏହା ଉତ୍ତର ଭାରତର ଗଙ୍ଗା ଉପତ୍ୟକା ସହିତ ସିଧା ଯୋଗାଯୋଗ ରଖୁଥିଲା ଯେଉଁଠାରୁ ଅଧିକାଂଶ ଵାଣିଜ୍ୟ ଦ୍ରଵ୍ୟ ଆସୁଥିଲା।
୧୭୭୨ ମସିହାରେ ଓ୍ୱାରେନ୍ ହେଷ୍ଟିଙ୍ଗ୍ସ୍ କଲିକତାକୁ ବଙ୍ଗ ପ୍ରେସିଡେନ୍ସିର ରାଜଧାନୀ ଘୋଷଣା କରିଥିଲେ ଏଵଂ ଏହା କମ୍ପାନୀର ଭାରତୀୟ କାର୍ଯ୍ୟକଳାପର ପ୍ରଶାସନିକ କେନ୍ଦ୍ର ହୋଇଉଠିଥିଲା। ଯେତେବେଳେ କମ୍ପାନୀର ପ୍ରଭାଵ ସାରା ଭାରତରେ ଵ୍ୟାପିଲା ଏଵଂ ବ୍ରିଟିଶ ସରକାର କମ୍ପାନୀର ଉପରେ ଅଧିକ ନିୟନ୍ତ୍ରଣ ଆରମ୍ଭ କଲା ସେତେବେଳେ କଲିକତାର ମହତ୍ତ୍ୱ ଆହୁରି ବଢ଼ିଲା। ସୁରତ ଵା ବମ୍ବେକୁ ରାଜଧାନୀ ନକରି କଲିକତାକୁ ଵାଛିଵାର କାରଣ ଥିଲା ଏହାର ଅର୍ଥନୈତିକ ଏଵଂ ରାଜନୈତିକ ପ୍ରାଧାନ୍ୟ। ବଙ୍ଗ ଥିଲା ଭାରତର ସବୁଠାରୁ ଧନୀ ପ୍ରଦେଶ ଏଵଂ କଲିକତା ଏହାର ପ୍ରଵେଶ ଦ୍ୱାର ଥିଲା। ଏହା ଵ୍ୟତୀତ କଲିକତା ଏକ ବ୍ରିଟିଶ୍ ନିର୍ମିତ ସହର ଥିଲା ଯେଉଁଠି ଇଂରେଜ ଶୈଳୀର ଭଵନ,ରାସ୍ତା ତଥା ପ୍ରଶାସନିକ ଵ୍ୟଵସ୍ଥା ଥିଲା ଯାହା ବ୍ରିଟିଶ ଅଧିକାରୀମାନଙ୍କ ପାଇଁ ଅଧିକ ଉପଯୁକ୍ତ ଥିଲା। ସେତେବେଳେ ବମ୍ବେ ଏକ ଉତ୍ତମ ବନ୍ଦର ଥିଲା ସତ କିନ୍ତୁ ଏହାର ରାଜନୈତିକ ଓ ଅର୍ଥନୈତିକ ପ୍ରଭାଵ ବଙ୍ଗ ତୁଳନାରେ କମ୍ ଥିଲା ଏଵଂ ସୁରତ ସେତେବେଳେ ପୂରାପୂରି ଅଧଃପତନର ଶିକାର ହୋଇସାରିଥିଲା। ୧୮୫୮ ମସିହାରେ କମ୍ପାନୀ ଶାସନ ଶେଷ ହେଵା ପରେ ବ୍ରିଟିଶ କ୍ରାଉନ୍ ସିଧା ଶାସନ ଆରମ୍ଭ କଲା ଏଵଂ କଲିକତା ବ୍ରିଟିଶ ଭାରତର ୧୯୧୧ ମସିହା ପର୍ଯ୍ୟନ୍ତ ରାଜଧାନୀ ହୋଇ ରହିଲା । ବ୍ରିଟିଶ ଭାରତରେ କଲିକତା ଏକ ପ୍ରମୁଖ ସହର ଭାବେ ଉଭା ହୋଇଥିଲା ବୋଲି ପାଖାପାଖି ୧୦୦୦ ଵର୍ଷ ଧରି ପଠାଣଙ୍କ ଦ୍ୱାରା ପରାଧୀନ ଥିଵା ବଙ୍ଗାଳୀମାନଙ୍କ ମଧ୍ୟରେ ପୁନଃ ଜାଗରଣ ଦେଖାଦେଲା । ବଙ୍ଗାଳୀ ବାବୁ ତାପରେ ସମସ୍ତ ପୂର୍ଵ ଭାରତକୁ ବଙ୍ଗମୟ ଓ ବଙ୍ଗାଳୀମୟ କରିଦେଵାର ସ୍ୱପ୍ନ ଦେଖିଵାକୁ ଲାଗିଲେ ଯାହା ୧୯୧୧ ମସିହାରେ ଦିଲ୍ଲୀ ରାଜଧାନୀ ହେଵାପରେ ସ୍ୱପ୍ନରେ ହିଁ ରହିଗଲା । କଲିକତାକୁ କେନ୍ଦ୍ର କରି ଇଂରେଜମାନେ ଭାରତକୁ ୧୭୭୨ରୁ ୧୯୧୧ ଯାଏଁ ପ୍ରାୟ ୧୩୯ ଵର୍ଷ ଶାସନ କରିଥିଲେ । କିନ୍ତୁ କାଳକ୍ରମେ କଲିକତା ସହରରେ ଅନେକ ସମସ୍ୟା ଦେଖାଦେଲା ।

ଇଂରେଜମାନଙ୍କ ପାଇଁ କଲିକତାର ଭୌଗୋଳିକ ଅଵସ୍ଥାନ ଏକ ବଡ଼ ସମସ୍ୟାରେ ପରିଣତ ହୋଇଥିଲା। ଭାରତ ଏକ ଵିଶାଳ ଉପମହାଦେଶ, ଯାହାର ଉତ୍ତର-ପଶ୍ଚିମ ସୀମାନ୍ତରୁ ପୂର୍ଵ ଉପକୂଳ ପର୍ଯ୍ୟନ୍ତ ଅନେକ ହଜାର ମାଇଲ୍ ଦୂରଵର୍ତ୍ତୀ। କଲିକତା ଵଙ୍ଗୋପସାଗରର କୂଳରେ ଅଵସ୍ଥିତ ଥିଵାରୁ ଏହା ବ୍ରିଟିଶ୍ ସୈନ୍ୟଵାହିନୀର ପ୍ରଧାନ ଅଂଶ ଏଵଂ ରାଜନୈତିକ କାର୍ଯ୍ୟାଳୟ ଅଵସ୍ଥିତ ଥିଵା ଉତ୍ତର-ପଶ୍ଚିମ ପ୍ରଦେଶଗୁଡ଼ିକରୁ ଅତ୍ୟନ୍ତ ଦୂରଵର୍ତ୍ତୀ ଥିଲା । ପଞ୍ଜାବ, ରାଜପୁତାନା ଏଵଂ ଉତ୍ତର-ପଶ୍ଚିମ ଫ୍ରଣ୍ଟିୟର୍ ପ୍ରଦେଶ ଅଞ୍ଚଳଗୁଡ଼ିକରୁ ଶାସନ ପାଇଁ କଲିକତାକୁ ଯାତ୍ରା କରିଵା ଦ୍ୱାରା ଅତ୍ୟନ୍ତ ସମୟ ଓ ଧନ ଵ୍ୟୟ ହେଉଥିଲା। ରେଳପଥ ଵିକାଶ ସତ୍ତ୍ୱେ ମଧ୍ୟ ଏହି ଦୂରତ୍ୱ ଏକ ବଡ଼ ଅସୁଵିଧା ସୃଷ୍ଟି କରୁଥିଲା। ଊନଵିଂଶ ଶତାବ୍ଦୀର ଆରମ୍ଭରେ ବ୍ରିଟିଶ୍ ଅଧିକାରୀମାନେ ଏକ କେନ୍ଦ୍ରୀୟ ସ୍ଥାନର ଆଵଶ୍ୟକତା ଅନୁଭଵ କରୁଥିଲେ ଯେଉଁଠାରୁ ସମଗ୍ର ଉପମହାଦେଶକୁ ସମାନରୂପେ ନିୟନ୍ତ୍ରଣ କରିପାରିଵ । ରାଜନୈତିକ ଅସ୍ଥିରତା ଏଵଂ ଜାତୀୟତାଵାଦୀ ଆନ୍ଦୋଳନର ଉତ୍ଥାନ କାରଣରୁ ବି କଲିକତା ସହର ଇଂରେଜମାନଙ୍କ ପାଇଁ ଅସୁଵିଧାଜନକ କରିଦେଇଥିଲା। ୧୯୦୫ ମସିହାରେ Lord Curzonଙ୍କ ଦ୍ୱାରା ବଙ୍ଗର ଵିଭାଜନ ହେଲା। ଏହି ଵିଭାଜନ ହିନ୍ଦୁ-ମୁସଲମାନ୍ ସମ୍ପ୍ରଦାୟଗତ ଵିଭାଜନ ଉଦ୍ଦେଶ୍ୟରେ କରାଯାଇଥିଲା ଏଵଂ ଏହା ଭାରତୀୟ ଜାତୀୟତାଵାଦୀମାନଙ୍କୁ ଉତ୍ତେଜିତ କରିଥିଲା।
ସ୍ୱଦେଶୀ ଆନ୍ଦୋଳନ ସମୟରେ କଲିକତାର ଅନେକ ଲୋକେ ସକ୍ରିୟ ଥିଲେ । କଲିକତା ଏହି ଆନ୍ଦୋଳନର କେନ୍ଦ୍ରଭୂମି ଥିଲା ଏଵଂ ଵୈପ୍ଳଵିକ କାର୍ଯ୍ୟକଳାପରେ ଏ ଅଞ୍ଚଳରେ ଅନେକ ଘଟଣା ଦୁର୍ଘଟଣା ଘଟୁଥିଲା। କଲିକତାରେ ବାରମ୍ବାର ବୋମା ବିସ୍ଫୋରଣ,Boycott, ଆନ୍ଦୋଳନ ଆଦି ଘଟଣାଗୁଡ଼ିକ ବ୍ରିଟିଶ୍ ଅଧିକାରୀମାନଙ୍କୁ ଚିନ୍ତିତ୍ କରିଥିଲା। ଏହି ଅସ୍ଥିରତା କଲିକତାକୁ ରାଜଧାନୀ ଭାବେ ଅନିରାପଦ କରିଦେଇଥିଲା ଏଵଂ ବ୍ରିଟିଶ୍ ସରକାର ଏକ ନୂତନ ସ୍ଥାନର ଆଵଶ୍ୟକତା ଅନୁଭଵ କରିଥିଲେ । ‌ ଏପଟେ ବ୍ରିଟିଶ୍ ସାମ୍ରାଜ୍ୟର Russia ଓ Germany ଆଦି ମୁଖ୍ୟ ପ୍ରଧାନ ଵିରୋଧୀ ରାଷ୍ଟ୍ରଗୁଡ଼ିକ ଉତ୍ତର-ପଶ୍ଚିମ ସୀମାନ୍ତରୁ ଆକ୍ରମଣର ଵିପଦ‌ ସୃଷ୍ଟି କରୁଥିଲେ। "ଗ୍ରେଟ୍ ଗେମ୍" ନାମକ ରାଜନୈତିକ ଖେଳରେ ରୁଷିଆର କାର୍ଯ୍ୟ Afghanistan ଓ NWFP ଅଞ୍ଚଳରେ ଵଡ଼ ଵିପଦ ସୃଷ୍ଟି କରୁଥିଲା। କଲିକତାରୁ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିଵା ଅସମ୍ଭଵ ପ୍ରାୟ ଥିଲା, ଯାହା ବ୍ରିଟିଶ୍ ସାମ୍ରାଜ୍ୟର ସୁରକ୍ଷାକୁ ଦୁର୍ଵଳ କରୁଥିଲା।
ପ୍ରଶାସନିକ ଏଵଂ ସାମାଜିକ କାରଣଗୁଡ଼ିକ ଯୋଗୁଁ ମଧ୍ୟ କଲିକତାରୁ ବ୍ରିଟିଶ ଭାରତର ରାଜଧାନୀ ହଟାଇଵାକୁ ଇଂରେଜମାନେ ବାଧ୍ୟ ହୋଇଥିଲେ। କଲିକତାର ଜନସଂଖ୍ୟା ଵୃଦ୍ଧି, ବାରମ୍ବାର ଦୁର୍ଭିକ୍ଷ ଏଵଂ ମାଲେରିଆ ଓ ପ୍ଲେଗ୍ ରୋଗର ମହାମାରୀ ଆଦି ମଧ୍ୟ ଏହାକୁ ଏକ ରାଜଧାନୀ ରୂପେ ଅନୁପଯୁକ୍ତ କରିଦେଇଥିଲା।

ବ୍ରିଟିଶ୍ ଭାରତର ରାଜଧାନୀକୁ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଵାର ନିଷ୍ପତ୍ତି ଏକ ଅତ୍ୟନ୍ତ ଗୋପନୀୟ ପ୍ରକ୍ରିୟା ଥିଲା ଯାହା କେଵଳ ଉଚ୍ଚସ୍ତରୀୟ ବ୍ରିଟିଶ୍ ଅଧିକାରୀମାନଙ୍କ ମଧ୍ୟରେ ସୀମିତ ରହିଥିଲା ଏଵଂ ଏହାର ଘୋଷଣା ସମୟରେ ଅଧିକାଂଶ ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ଚର୍ଯ୍ୟର ଵିଷୟ ହୋଇଯାଇଥିଲା ।‌
୧୯୧୧ ମସିହାର ପ୍ରାରମ୍ଭରେ ଭାଇସରଏ ଲର୍ଡ୍ ହାର୍ଡିଙ୍ଗ୍‌ଙ୍କ ଅଧୀନରେ ଏକ ଆଠଜଣିଆ କମିଟି ଗଠନ ହୋଇଥିଲା ଏଵଂ ଏହି କମିଟି କଲିକତାକୁ ରାଜଧାନୀ ରୂପେ ରଖିଵାର ସମ୍ଭାଵନା ଯାଞ୍ଚ କରିଥିଲା । ବହୁ ଵିଚାର ଆଲୋଚନା ପରେ କମିଟି ଶେଷରେ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତର କରିଵାର ପ୍ରସ୍ତାବ ଦେଇଥିଲା। ଅଗଷ୍ଟ ୨୫ ତାରିଖରେ ଲର୍ଡ୍ ହାର୍ଡିଙ୍ଗ୍ ସିମଳାରୁ ଲଣ୍ଡନକୁ ଇଣ୍ଡିଆର ସେକ୍ରେଟାରି ଅଫ୍ ଷ୍ଟେଟ୍ ଅର୍ଲ୍ ଅଫ୍ କ୍ରିଉକୁ ଏକ ଗୋପନ ଚିଠି ଲେଖି ଦିଲ୍ଲୀକୁ ରାଜଧାନୀ କରିଵାର ପ୍ରସ୍ତାବ ଦେଇଥିଲେ ଏଵଂ ତତ୍ ସହିତ ବଙ୍ଗଭଙ୍ଗ ରଦ୍ଦ କରିଵାର ଯୋଜନା ମଧ୍ୟ ଥିଲା । ଏହା ଜାତୀୟତାଵାଦୀଙ୍କୁ ଶାନ୍ତ କରିଵାର ଏକ ରାଜନୈତିକ କୌଶଳ ଥିଲା। ଏହି ପ୍ରସ୍ତାବ ଲଣ୍ଡନରେ ଶୀଘ୍ର ଅନୁମୋଦିତ ହେଲା ଏଵଂ ବ୍ରିଟେନର ରାଜା ଜର୍ଜ୍ ପଞ୍ଚମଙ୍କ ସହିତ ଆଲୋଚନା ପରେ ଏହାକୁ ତାଙ୍କ ଭାରତ ଆଗମନ ସମୟରେ ଘୋଷଣା କରିଵାର ନିଷ୍ପତ୍ତି ହେଲା। ଏହି ସମଗ୍ର ପ୍ରକ୍ରିୟାରେ ଗୋପନୀୟତା ଏତେ କଡ଼ା ଥିଲା ଯେ ପୂର୍ଵତନ ଭାଇସରଏମାନେ ବଙ୍ଗର ଲେଫ୍ଟନାଣ୍ଟ ଜେନେରାଲ୍ ଆଦି ଉଚ୍ଚ ଅଧିକାରୀ କେହି ଏ ଵିଷୟରେ ଜାଣି ନଥିଲେ ଏଵଂ କେଵଳ ଦଶରୁ କମ୍ ଲୋକ ଏହା ଵିଷୟରେ ଅବଗତ ଥିଲେ। ଚିଠିପତ୍ର ଓ ଆଲୋଚନାକୁ "ମୋଷ୍ଟ ସିକ୍ରେଟ୍" ଚିହ୍ନିତ କରାଯାଇଥିଲା ଏଵଂ ବ୍ରିଟେନର ରାଜା ନିଜେ ସେପ୍ଟେମ୍ବରରେ ଲର୍ଡ୍ ହାର୍ଡିଙ୍ଗଙ୍କୁ ଲେଖିଥିଲେ ଯେ ଏହା କେଵଳ ତାଙ୍କ ଓ ତାଙ୍କର ଦୁଇଜଣ ନିକଟତମ ସହଯୋଗୀଙ୍କୁ ଜଣା ଅଛି। ଇଂରେଜମାନଙ୍କ ମନରେ ଭୟ ଥିଲା ଯେ ଯଦି ଏହା ପୂର୍ଵରୁ ଜଣାପଡ଼େ ତେବେ କଲିକତାରେ କିମ୍ବା ଅନ୍ୟତ୍ର ଵିରୋଧ ଉଠିପାରେ ଏବଂ ବଙ୍ଗଭଙ୍ଗ ରଦ୍ଦର ପ୍ରଭାଵ କମିଯାଇପାରେ। ଫଳରେ ଡିସେମ୍ବର ୧୨ ତାରିଖରେ କରୋନେସନ୍ ପାର୍କରେ ହୋଇଥିଵା ଦିଲ୍ଲୀ ଦରବାରରେ ଲକ୍ଷାଧିକ ଲୋକଙ୍କ ସମ୍ମୁଖରେ ରାଜା ଜର୍ଜ୍ ପଞ୍ଚମ ଓ ରାଣୀ ମେରି ଉପସ୍ଥିତ ରହି ଏହି ଘୋଷଣା କଲେ ଯାହା ଅଧିକାଂଶଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା ଏଵଂ ଘୋଷଣା ସମୟରେ ରାଜାଙ୍କ ଶୁଷ୍କ ଓ କଠୋର ସ୍ୱରରେ କୁହାଯାଇଥିଵାରୁ ଦୂରରେ ଠିଆ ହୋଇଥିଵା ଲୋକମାନେ ପ୍ରଥମେ ବୁଝି ପାରିନଥିଲେ। କୌଣସି ବ୍ରିଟିଶ୍ ରାଜା ଭାରତରେ ନିଜେ ଉପସ୍ଥିତ ରହି ଦରବାର କରି ଏପରି ବଡ଼ ରାଜନୈତିକ ଘୋଷଣା କଲେ ଯାହା ଇତିହାସରେ ପ୍ରଥମ ଥର ଘଟିଥିଲା ।
ରାଜା ଜର୍ଜ୍ ପଞ୍ଚମଙ୍କ ଦ୍ୱାରା ରାଜଧାନୀକୁ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଵାର ଘୋଷଣା କରାଯିଵା ପରେ କଲିକତାରେ କୌଣସି ବଡ଼ ଧରଣର ଵିରୋଧ ଵା ଆନ୍ଦୋଳନ ହୋଇନଥିଲା। ଏହି ଘୋଷଣା ସହିତ ବଙ୍ଗଭଙ୍ଗ ରଦ୍ଦ ହେଵାର ଖବର ମଧ୍ୟ ଥିଲା ଏଵଂ ତାହା ବଙ୍ଗର ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଏକ ବଡ଼ ଵିଜୟ ଥିଲା କାରଣ ସେମାନେ ଦୀର୍ଘ ଦିନରୁ ବଙ୍ଗଭଙ୍ଗ ବିରୁଦ୍ଧରେ ସ୍ୱଦେଶୀ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରତିଵାଦ କରି ଆସୁଥିଲେ। ଫଳରେ ରାଜଧାନୀ ହରାଇଵାର ଦୁଃଖ ସତ୍ତ୍ୱେ ମଧ୍ୟ ବଙ୍ଗୀୟ ହିନ୍ଦୁମାନେ ଏହି ଦୁଇଟି ଘୋଷଣାକୁ ଏକ ମିଶ୍ରିତ ଅନୁଭଵ ଭାବେ ଗ୍ରହଣ କରିଥିଲେ ଏଵଂ ଏଥିରେ ବଙ୍ଗଭଙ୍ଗ ରଦ୍ଦର ଆନନ୍ଦ ଅଧିକ ଥିଲା। କଲିକତାର ବଙ୍ଗୀୟ ବୁଦ୍ଧିଜୀଵୀମାନେ କଲିକତାର ରାଜଧାନୀ ଉଠିଯିଵା ଜାଣି ନିରାଶ ହୋଇଥିଲେ ଏଵଂ ଏହାକୁ ବଙ୍ଗର ପ୍ରତିପତ୍ତି ଉପରେ ଏକ ଆଘାତ ଭାବେ ଦେଖିଥିଲେ କାରଣ କଲିକତା ବ୍ରିଟିଶ୍ ଭାରତର ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ କେନ୍ଦ୍ର ଥିଲା। ହିନ୍ଦୁ ପେଟ୍ରିଅଟ୍ ଭଳି କେତେକ ସମକାଳୀନ ଖବରକାଗଜ ଏହାକୁ ବଙ୍ଗର ପ୍ରତିପତ୍ତି ପ୍ରତି ଏକ ଗମ୍ଭୀର ଆଘାତ ବୋଲି ଲେଖିଥିଲେ ଏଵଂ କଲିକତାର ଭଵିଷ୍ୟତ ସମ୍ବନ୍ଧରେ ଚିନ୍ତା ପ୍ରକାଶ କରିଥିଲେ। କିନ୍ତୁ ଏହି ନିରାଶା ରାସ୍ତାକୁ ଓହ୍ଲାଇ ବଡ଼ ଧରଣର ବିକ୍ଷୋଭ ବା ଦଙ୍ଗା ରୂପ ନେଇନଥିଲା। ଘୋଷଣା ପରେ ରାଜା ଜର୍ଜ୍ ପଞ୍ଚମ ଡିସେମ୍ବର ଶେଷରେ କଲିକତା ଆସି ଏକ ସପ୍ତାହ ରହିଥିଲେ । ଭିକ୍ଟୋରିଆ ମେମୋରିଆଲ୍ ଭଳି ସ୍ଥାନ ପରିଦର୍ଶନ କରିଥିଲେ । ପୋଲୋ ମ୍ୟାଚ୍ ଦେଖିଥିଲେ ଏଵଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କିନ୍ତୁ ସେଠାରେ କୌଣସି ଵିରୋଧ ଵା ଆନ୍ଦୋଳନର ଚିହ୍ନ ଦେଖାଯାଇନଥିଲା। ବଙ୍ଗଭଙ୍ଗ ରଦ୍ଦର ଆନନ୍ଦ ରାଜଧାନୀ ସ୍ଥାନାନ୍ତରର ଦୁଃଖକୁ ଢାଙ୍କି ଦେଇଥିଲା। ଅନ୍ୟପକ୍ଷରେ ମୁସଲମାନ ସମ୍ପ୍ରଦାୟ ବଙ୍ଗଭଙ୍ଗ ରଦ୍ଦରେ ଅଧିକ ନିରାଶ ହୋଇଥିଲେ ।‌
ରାଜଧାନୀ ସ୍ଥାନାନ୍ତରଣର ଘୋଷଣା ପରେ ନୂଆ ରାଜଧାନୀ ନିର୍ମାଣର ଯୋଜନା ଆରମ୍ଭ ହେଲା କିନ୍ତୁ ପୁରୁଣା ଦିଲ୍ଲୀ ନୁହେଁ ଵରଂ ରାଇସିନା ପାହାଡ଼ ନିକଟରେ ଏକ ସମ୍ପୂର୍ଣ୍ଣ ନୂଆ ସହର ରୂପେ ଡିଜାଇନ୍ କରାଗଲା। ୧୯୧୨ରେ ଦିଲ୍ଲୀ ଟାଉନ୍ ପ୍ଲାନିଙ୍ଗ୍ କମିଟି ଗଠନ ହେଲା ଏଵଂ ପ୍ରସିଦ୍ଧ ବ୍ରିଟିଶ୍ ସ୍ଥାପତ୍ୟକାର ସର୍ ଏଡ଼ୱିନ୍ ଲୁଟିଏନ୍ସ୍ ଓ ସର୍ ହର୍ବର୍ଟ୍ ବେକର୍‌ଙ୍କୁ ଏହାର ଦାୟିତ୍ୱ ଦିଆଗଲା। ଲୁଟିଏନ୍ସ୍ ସମଗ୍ର ଲେଆଉଟ୍ ଯୋଜନା କରି ଭାଇସରଏଙ୍କ ପ୍ୟାଲେସ୍ ଡିଜାଇନ୍ କରିଥିଲେ ଏଵଂ ବେକର୍ ସେକ୍ରେଟାରିଏଟ୍ ବିଲ୍ଡିଙ୍ଗ୍ ଉତ୍ତର ଓ ଦକ୍ଷିଣ ବ୍ଲକ୍ ସଂସଦ ଭଵନ ଆଦି ନିର୍ମାଣ କରିଥିଲେ। ଏହି ସ୍ଥାପତ୍ୟରେ ପାଶ୍ଚାତ୍ୟ ଶାସ୍ତ୍ରୀୟ ଶୈଳୀ ସହିତ ଛତ୍ର ଓ ଜାଲି ଆଦି ଭାରତୀୟ ଉପାଦାନ ଯେମିତି ମିଶ୍ରିତ ହୋଇଥିଲା ଯାହାକୁ ଇଣ୍ଡୋ ସାରାସେନିକ୍ ଵା ଦିଲ୍ଲୀ ଅର୍ଡର୍ କୁହାଯାଏ। ରାଜପଥ ଓ ଇଣ୍ଡିଆ ଗେଟ୍ ଆଦି ଏହି ଯୋଜନାର ମୁଖ୍ୟ ଅଂଶ ଥିଲା ଏଵଂ ତାହା ସାମ୍ରାଜ୍ୟଵାଦୀ ଗରିମା ପ୍ରକାଶ କରୁଥିଲା। ତେବେ ନୂତନ ରାଜଧାନୀର ନିର୍ମାଣ କାର୍ଯ୍ୟ ପ୍ରଥମ ଵିଶ୍ୱଯୁଦ୍ଧ ଯୋଗୁଁ ଵିଳମ୍ବିତ ହେଲା ଏଵଂ ଖର୍ଚ୍ଚ ଅନୁମାନରୁ ଅଧିକ ହେଲା । ସେତେବେଳେ ଏଥିପାଇଁ ପ୍ରାୟ ଚାରି ମିଲିୟନ୍ ପାଉଣ୍ଡ୍ ଷ୍ଟର୍ଲିଙ୍ଗ୍ ଵ୍ୟୟ ହୋଇଥିଲା। ଶେଷରେ ୧୯୩୧ ମସିହା ଫେବୃଆରି ୧୩ ତାରିଖରେ ଭାଇସରଏ ଲର୍ଡ୍ ଇର୍ୱିନ୍ ନୂଆ ଦିଲ୍ଲୀକୁ ଆନୁଷ୍ଠାନିକ ଭାବେ ରାଜଧାନୀ ରୂପେ ଉଦ୍ଘାଟନ କଲେ ଏଵଂ ଏହା ବ୍ରିଟିଶ୍ ସାମ୍ରାଜ୍ୟଵାଦର ଅନ୍ତିମ ବଡ଼ ନିର୍ମାଣ ପ୍ରକଳ୍ପ ଥିଲା ।

ମହାଭାରତ କାଳରୁ ଅର୍ଥାତ୍ ଆଜକୁ ପ୍ରାୟ ୫୦୦୦ ଵର୍ଷରୁ ଦିଲ୍ଲୀ ଭାରତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇ ରହିଛି ଏଵଂ ଏହାର ଐତିହାସିକ ପୃଷ୍ଠଭୂମି ଅତ୍ୟନ୍ତ ସମୃଦ୍ଧ ଅଟେ। କିନ୍ତୁ କୁହାଯାଏ ଆଜିଯାଏଁ ଯିଏ ବି ଆକ୍ରମଣକାରୀ ଵିଦେଶୀ ଶକ୍ତି ଦିଲ୍ଲୀକୁ ରାଜଧାନୀ କରିଛି ତାହାର ପତ୍ତନ ହୋଇଯାଇଛି ।

ଦିଲ୍ଲୀର ଦୀର୍ଘ ଐତିହାସିକ ଯାତ୍ରାରେ ବାରମ୍ବାର ଉତ୍ଥାନ ପତନ ଏବଂ ସାମ୍ରାଜ୍ୟଗୁଡ଼ିକର ଧ୍ୱଂସ ହୋଇଛି । ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦିଲ୍ଲୀ ଅନେକ ସାମ୍ରାଜ୍ୟର ରାଜଧାନୀ ହୋଇଥିଵାରୁ ଏହାକୁ ସାତ କିମ୍ବା ଆଠ ନଗରର ନଗର ବୋଲି କୁହାଯାଏ। ପ୍ରତ୍ୟେକ ନୂଆ ଶାସକ ଦିଲ୍ଲୀରେ ନିଜର ନଗର ଗଢ଼ିଥିଲେ ଏଵଂ ପୁରୁଣା ନଗରଗୁଡ଼ିକୁ ଧ୍ୱଂସ କରିଥିଲେ କିମ୍ବା ଅଵହେଳା କରିଥିଲେ। ଏହି କାରଣରୁ ଦିଲ୍ଲୀକୁ ଅନେକ ସାମ୍ରାଜ୍ୟର କବରସ୍ଥାନ ବୋଲି ମଧ୍ୟ କୁହାଯାଏ। ଯେଉଁ ଶାସକମାନେ ଏଠାକୁ ରାଜଧାନୀ କଲେ ସେମାନଙ୍କ ସାମ୍ରାଜ୍ୟ ଅଧିକ ଦିନ ତିଷ୍ଠିପାରିଲା ନାହିଁ ଏଵଂ ଆକ୍ରମଣକାରୀମାନେ ଏହାକୁ ଲୁଟ କରି ଧ୍ୱଂସ କରିଦେଇଥିଲେ।
ଦିଲ୍ଲୀର ଇତିହାସ ମହାଭାରତ କାଳରୁ ଆରମ୍ଭ ହୋଇଥାଏ। ମହାଭାରତରେ ଏହାକୁ ଇନ୍ଦ୍ରପ୍ରସ୍ଥ ନାମରେ ଉଲ୍ଲେଖ କରାଯାଇଛି ଏଵଂ ସେତେବେଳେ ଏହା ପାଣ୍ଡଵମାନଙ୍କ ରାଜଧାନୀ ଥିଲା। ପୌରାଣିକ କାହାଣୀ ଅନୁସାରେ ଇନ୍ଦ୍ରପ୍ରସ୍ଥ ନିର୍ମାଣ ପୂର୍ଵରୁ ଖାଣ୍ଡବ ଵନକୁ ଜାଳି ଦିଆଯାଇଥିଲା ଯାହା ନାଗମାନଙ୍କ ବାସସ୍ଥାନ ଥିଲା। ଏହାକୁ କେତେକ ଅଶୁଭର କାରଣ ବୋଲି ଵିଶ୍ୱାସ କରନ୍ତି। ଇନ୍ଦ୍ରପ୍ରସ୍ଥ ନିର୍ମାଣର କେତେକ ଵର୍ଷ ପରେ ପାଣ୍ଡଵମାନେ ନିଜ ରାଜ୍ୟ ହରାଇ ବାରଵର୍ଷ ଵନଵାସ ଏଵଂ ଏକ ଵର୍ଷ ଅଜ୍ଞାତଵାସ କରିଵାକୁ ଏକପ୍ରକାରେ ଵାଧ୍ୟ ହୋଇଥିଲେ ।
ଦିଲ୍ଲୀ ଅନେକ ଥର ଵିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଲୁଣ୍ଠିତ ହୋଇଛି ଏଵଂ ଏହି ଆକ୍ରମଣକାରୀମାନେ ପ୍ରଚୁର ଧନରତ୍ନ ନେଇ ଫେରିଯାଇଛନ୍ତି କିନ୍ତୁ ତନ୍ମଧ୍ୟରୁ ଅଧିକାଂଶ ଏଠାରେ ସ୍ଥାୟୀ ଶାସକ ହୋଇ ରାଜଧାନୀ ଗଢ଼ି ଶାସନ କରିନଥିଲେ । ତେବେ ଯିଏ ବି ଦିଲ୍ଲୀକୁ ଲୁଣ୍ଠନ କଲା ତାହାର ମୃତ୍ୟୁ ଭୟଙ୍କର ହୋଇଥିଲା । ମହମୁଦ ଗଜନଵୀ ମାଲେରିଆ ଏଵଂ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିଲା । ଦିଲ୍ଲୀକୁ ଲୁଟିଵା ପରେ ଭାରତରୁ ଘଜନି ଫେରୁଥିଵା ସମୟରେ ମହମ୍ମଦ ଘୋରୀ ପଞ୍ଜାଵର ଧାମିଆକ ନାମକ ସ୍ଥାନରେ ନିଜର ଶିବିର ପକାଇଥିଲା । ଏହି ଆକ୍ରମଣକାରୀମାନେ ଘୋରୀକୁ ଛୁରୀ ଵା ଅନ୍ୟ ଧାରୁଆ ଅସ୍ତ୍ରରେ ଆଘାତ କରି ହତ୍ୟା କରିଥିଲେ ଏଵଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ତିମୁର ଦିଲ୍ଲୀ ଲୁଣ୍ଠନ କରି ନିଜ ଦେଶ ସମରକନ୍ଦ ଫେରିଯାଇଥିଲା କିନ୍ତୁ ସେ ମଧ୍ୟ ବେଶି ଦିନ ବଞ୍ଚି ପାରିନଥିଲା ଏଵଂ ଵିଭିନ୍ନ ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ମରିଯାଇଥିଲା ।

ବାବର ପାନିପଥର ପ୍ରଥମ ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କୁ ପରାଜିତ କରି ଦିଲ୍ଲୀ ଏଵଂ ଆଗ୍ରା ଅଧିକାର କରି ହିନ୍ଦୁସ୍ତାନର ସମ୍ରାଟ ଘୋଷିତ ହୋଇଥିଲା। କିନ୍ତୁ ସେ ବେଶି ଦିନ ବଞ୍ଚି ପାରିନଥିଲା ଏଵଂ ଏହାର ଚାରି ଵର୍ଷ ପରେ ମରିଯାଇଥିଲା । ତାର ପୁଅ ହୁମାୟୁନ ମଧ୍ୟ ନିର୍ଵାସନ ଭୋଗିଥିଲା ଏଵଂ ଦିଲ୍ଲୀରେ ମାତ୍ର ଦଶ ଵର୍ଷ ପ୍ରକୃତ ଶାସକ ହୋଇ ପାରିଥିଲା ।
ନାଦିର ଶାହ ଦିଲ୍ଲୀରେ ହଜାର ହଜାର ଲୋକଙ୍କର ହତ୍ୟା କରାଇଥିଲା ଏଵଂ କୋହିନୂର ହୀରା ଓ ମୟୂର ସିଂହାସନ ଲୁଣ୍ଠନ କରିଥିଲା। ନାଦିର ଶାହ ଏହି ଲୁଣ୍ଠନ ପରେ ପର୍ସିଆ ଫେରିଯାଇଥିଲା କିନ୍ତୁ ଏହାର ଆଠ ଵର୍ଷପରେ ତାହାର ନିଜ ସୈନିକମାନେ ହିଁ ତାକୁ ନିର୍ମମ ଭାବେ ହତ୍ୟା କରିଥିଲେ । ଅହମଦ ଶାହ ଅବଦାଲି ଏକାଧିକ ଥର ଦିଲ୍ଲୀ ଆକ୍ରମଣ କରି ଲୁଣ୍ଠନ କରିଥିଲା ଏଵଂ ଏହାର ଫଳସ୍ଵରୂପ କର୍କଟ ରୋଗରେ ଭୟଙ୍କର କଷ୍ଟ ଭୋଗି ମୃତ୍ୟୁ ଵରଣ କରିଥିଲା ।
ଯୋଉମାନେ ଦିଲ୍ଲୀରେ ନିଜର ନଗର ଗଢ଼ିଲେ ସେମାନଙ୍କର ସେ ନଗର ବି ବେଶି ଦିନ ତିଷ୍ଠି ପାରିଲା ନାହିଁ । ତୋମର ଓ ଚୌହାନ ରାଜପୁତମାନେ ଲାଲକୋଟ ଵା କିଲ୍ଲା ରାୟ ପିଥୋରା ଗଢ଼ାଇଥିଲେ । ସିରିନଗର ଖିଲଜି ବଂଶ ଗଢ଼ାଇଥିଲା। ତୁଘଲକାବାଦ ତୁଘଲକ ବଂଶର ଗିୟାସୁଦ୍ଦିନ ତୁଘଲକ ଗଢ଼ାଇଥିଲା ଏଵଂ ଏହାକୁ ନିଜାମୁଦ୍ଦିନ ଅଉଲିଆଙ୍କ ଅଭିଶାପ ଲାଗିଥିଵା କିମ୍ବଦନ୍ତୀ ରହିଛି। ଜହାନପନାହ, ମହମ୍ମଦ ବିନ ତୁଘଲକ ଗଢ଼ାଇଥିଲା। ଫିରୋଜାବାଦ, ଫିରୋଜ ଶାହ ତୁଘଲକ ଗଢ଼ାଇଥିଲା। ଦିନପନାହ ଵା ପୁରାନା କିଲା ହୁମାୟୁନ ଏଵଂ ଶେର ଶା ସୂରୀଙ୍କ ସମୟରେ ଗଢ଼ାଯାଇଥିଲା । ଶାହଜାହାନାବାଦ ଶାହଜାହାନ ଗଢ଼ାଇଥିଲା । ଶେଷରେ ଅଷ୍ଟମ ନଗର ନୂଆଦିଲ୍ଲୀ ବ୍ରିଟିଶମାନେ ଗଢ଼ାଇଥିଲେ।
ଅଧିକାଂଶ ନଗର ଗଢ଼ାଯିଵା ପରେ ଅଳ୍ପ କାଳ ମଧ୍ୟରେ ଧ୍ୱଂସ ହୋଇଯାଇଥିଲା। ତୁଘଲକାବାଦକୁ ସୁଫି ସନ୍ଥ ନିଜାମୁଦ୍ଦିନ ଅଉଲିଆଙ୍କ ଅଭିଶାପ ଲାଗିଥିଵା କୁହାଯାଏ କାରଣ ଗିୟାସୁଦ୍ଦିନ ତୁଘଲକ ତାଙ୍କ ସହ ଵିଵାଦ କରିଥିଲେ ଏଵଂ ନଗର ନିର୍ମାଣ ପାଇଁ ଲୋକମାନଙ୍କୁ ବାଧ୍ୟ କରିଥିଲେ। ସନ୍ଥ କହିଥିଲେ ଦିଲ୍ଲୀ ଏବେ ବହୁତ ଦୂରରେ ଅଛି ଅର୍ଥାତ୍ ଏହି ନଗର ଶୀଘ୍ର ଶୂନ୍ୟ ହୋଇଯିଵ। ଏହି ଅଭିଶାପ ପରେ ତୁଘଲକାବାଦ ଅଳ୍ପ କାଳ ମଧ୍ୟରେ ପରିତ୍ୟକ୍ତ ହୋଇଗଲା। ସେହିଭଳି ଅନ୍ୟ ନଗରଗୁଡ଼ିକ ମଧ୍ୟ ଆକ୍ରମଣକାରୀମାନଙ୍କ ଦ୍ୱାରା ଧ୍ୱଂସ ହୋଇଥିଲା। ମଙ୍ଗୋଲ ଆକ୍ରମଣଠାରୁ ଆରମ୍ଭ କରି ନାଦିର ଶାହ ଏଵଂ ଆହମଦ ଶାହ ଅବଦାଲିଙ୍କ ଆକ୍ରମଣ ପର୍ଯ୍ୟନ୍ତ ଦିଲ୍ଲୀ ବାରମ୍ବାର ଲୁଟ ହୋଇଛି। ମୋଗଲ ସାମ୍ରାଜ୍ୟ ମଧ୍ୟ ଦିଲ୍ଲୀରୁ ଶାସନ କରିଥିଲା କିନ୍ତୁ ଅନ୍ତିମ କାଳରେ ଦୁର୍ଵଳ ହୋଇ ବ୍ରିଟିଶମାନଙ୍କ ହାତରେ ପଡ଼ିଥିଲା। ବ୍ରିଟିଶମାନେ ବି କଲିକତାଠାରୁ ରାଜଧାନୀ ନୂଆଦିଲ୍ଲୀକୁ ସ୍ଥାନାନ୍ତର କଲେ କିନ୍ତୁ ସେମାନଙ୍କ ଶାସନ ମଧ୍ୟ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏଵଂ ୧୯୪୭ରେ ଭାରତ ସ୍ୱାଧୀନ ହେଲା।

ଦିଲ୍ଲୀର ଏହି ବାରମ୍ବାର ଧ୍ୱଂସ ଏଵଂ ପତନର କାରଣ ଏହାର ଭୌଗୋଳିକ ଅଵସ୍ଥିତି ଅଟେ । ଏହା ଉତ୍ତର ଭାରତର ମଧ୍ୟଭାଗରେ ଅଵସ୍ଥିତ ଏଵଂ ହିମାଳୟ ପାଦଦେଶରୁ ଆସୁଥିଵା ଆକ୍ରମଣକାରୀମାନଙ୍କ ପାଇଁ ଦିଲ୍ଲୀ ସବୁବେଳେ ପ୍ରଥମ ଲକ୍ଷ୍ୟ ହେଉଥିଲା। ଯେଉଁମାନେ ଭାରତ ଆକ୍ରମଣ କଲେ ସେମାନେ ପ୍ରଥମେ ଦିଲ୍ଲୀକୁ ଟାର୍ଗେଟ କଲେ କାରଣ ଏଠାରୁ ଗଙ୍ଗା ଉପତ୍ୟକା ନିୟନ୍ତ୍ରଣ କରାଯାଇପାରୁଥିଲା। ଏହି ରଣନୈତିକ ଗୁରୁତ୍ୱ ଦିଲ୍ଲୀକୁ ଶକ୍ତିଶାଳୀ କଲା କିନ୍ତୁ ଏହାକୁ ଅଶୁଭ ମଧ୍ୟ କଲା କାରଣ ଶାସକମାନେ ଅଧିକ ଦିନ ଶାନ୍ତିରେ ରାଜତ୍ୱ କରିପାରିଲେ ନାହିଁ। ଭାରତରେ କେବେ ସୂର୍ଯ୍ୟାସ୍ତ ହେଉନଥିଵା ବ୍ରିଟିଶ ସାମ୍ରାଜ୍ୟର ଇତିହାସ ସୁରତ ନଗରରୁ ଆରମ୍ଭ ହେଲା । ବମ୍ବେ, ମାଡ୍ରାସ ଓ କଲିକତାରୁ ଇଂରେଜମାନେ ଭାରତକୁ ନିୟନ୍ତ୍ରଣ କରି ରଖିଲେ । ପରେ କଲିକତାକୁ କେନ୍ଦ୍ର କରି ସମ୍ପୂର୍ଣ୍ଣ ଭାରତକୁ ଶାସନ କଲେ କିନ୍ତୁ ତାଙ୍କ ଶାସନର ପତନ ନୂଆଦିଲ୍ଲୀକୁ ରାଜଧାନୀ କରିଵା ପରଠାରୁ ହିଁ ଆରମ୍ଭ ହୋଇଯାଇଥିଲା । 

ତଥ୍ୟ ଉତ୍ସ:
୧. "The Voyages of Sir James Lancaster to the East Indies" ବହିର ଲେଖକ Sir William Foster (Hakluyt Society)।  
୨. "British Beginnings in Western India" ବହିର ଲେଖକ H.G. Rawlinson।  
୩. "The History of the Indian Navy" ବହିର ଲେଖକ Charles Rathbone Low।  
୪. "Bombay: The Cities Within" ବହିର ଲେଖକ Sharada Dwivedi ଓ Rahul Mehrotra।  
୫. "Shivaji and His Times" ବହିର ଲେଖକ Jadunath Sarkar
୬. "The Cambridge History of India, Vol. III: Turks and Afghans" ବହିର ଲେଖକ Sir Wolseley Haig।
୭. "History of Medieval India" ବହିର ଲେଖକ Satish Chandra।
୮. "A History of British India" ବହିର ଲେଖକ William Dalrymple।
୯. "New Delhi: The Last Imperial City" ବହିର ଲେଖକ David Johnson ଓ Richard Watson।
୧୦. "Delhi: A Thousand Years of Building" ବହିର ଲେଖକ R.E. Frykenberg।

Monday, December 15, 2025

ଓଡ଼ିଆ ଜାଗରଣର ପଥପ୍ରଦର୍ଶକ ପଣ୍ଡିତ ନୀଳମଣି ଵିଦ୍ୟାରତ୍ନ

ନୀଳମଣି ଵିଦ୍ୟାରତ୍ନ ଓଡ଼ିଶାର ଜଣେ ଅମର ସନ୍ତାନ ଭାଵେ ଚିରସ୍ମରଣୀୟ ହୋଇ ରହିଛନ୍ତି ଯାହାଙ୍କର ଜୀଵନ ଓ କର୍ମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଏଵଂ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ ଆନ୍ଦୋଳନରେ ଅଵିସ୍ମରଣୀୟ ଅଵଦାନ ରଖିଛି । ସେ ଜଣେ ଵିଦ୍ୱାନ ସାମ୍ଵାଦିକ ସମାଜ ସୁଧାରକ ଏଵଂ ଦେଶପ୍ରେମୀ ନେତା ଥିଲେ ଯାହାଙ୍କର ନିର୍ଭୀକ ଲେଖନୀ ଓ ସାଙ୍ଗଠନିକ କ୍ଷମତା ଓଡ଼ିଆ ଜାତିକୁ ଏକତ୍ରିତ କରିଵାରେ ମୁଖ୍ୟ ଭୂମିକା ନିର୍ଵାହ କରିଥିଲା । ଓଡ଼ିଶାର ଵିଭିନ୍ନ ଅଞ୍ଚଳ ବ୍ରିଟିଶ୍ ଶାସନ ଅଧୀନରେ ଵିଭକ୍ତ ଥିଵା ସମୟରେ ସେ ଓଡ଼ିଆ ଭାଷାର ସୁରକ୍ଷା ଏଵଂ ଵିଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରି ଏକ ପ୍ରଦେଶ ଗଠନର ଆହ୍ୱାନ ଦେଇଥିଲେ । ତାଙ୍କର ସାମ୍ଵାଦିକତା ନିଷ୍ଠାପର ଏଵଂ ସତ୍ୟନିଷ୍ଠ ଥିଲା ଯାହା ତତ୍କାଳୀନ ସମାଜରେ କୁସଂସ୍କାର ଵିରୁଦ୍ଧରେ ଲଢ଼େଇ କରିଥିଲା ଏଵଂ ଓଡ଼ିଆ ଜାତିର ଜାଗରଣ ଘଟାଇଥିଲା । ନୀଳମଣି ଵିଦ୍ୟାରତ୍ନଙ୍କ ଜୀଵନ କାହାଣୀ ହେଉଛି ନିଷ୍ଠା ଅଧ୍ୟଵସାୟ ଏଵଂ ଦେଶପ୍ରେମର ଏକ ଉଜ୍ଜ୍ୱଳ ଉଦାହରଣ ଯାହା ଆଜି ବି ଓଡ଼ିଶାର ଯୁଵପିଢ଼ିକୁ ପ୍ରେରଣା ଯୋଗାଇଥାଏ ।


ନୀଳମଣି ଵିଦ୍ୟାରତ୍ନ ୧୮୬୭ ମସିହା ଡିସେମ୍ଵର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କି ଉପଖଣ୍ଡ ଅନ୍ତର୍ଗତ ଵୈଦେଶ୍ୱର ନିକଟସ୍ଥ ଵ୍ରଜଵିହାରୀପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ଜନ୍ମ ହେଵା କାରଣରୁ ତାଙ୍କୁ ବାଙ୍କୀର ଵିଦ୍ୟାରତ୍ନ ଵୋଲି ମଧ୍ୟ କୁହାଯାଏ । ତାଙ୍କର ପରିଵାର ଏକ ସାଧାରଣ ବ୍ରାହ୍ମଣ ପରିଵାର ଥିଲା ଯେଉଁଠାରେ ଶାସ୍ତ୍ର ପୁରାଣ ଏଵଂ ସାହିତ୍ୟର ପରମ୍ପରା ରହିଥିଲା । ଵାଲ୍ୟକାଳରେ ସେ ଗ୍ରାମ୍ୟ ଵିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ଏଵଂ ଘରୋଇ ଭାଵେ ସଂସ୍କୃତ ଓଡ଼ିଆ ଶାସ୍ତ୍ର ପୁରାଣ ଆଦିରେ ଗଭୀର ଜ୍ଞାନ ଆହରଣ କରିଥିଲେ । ନିଜର ଅଧ୍ୟଵସାୟ ଦ୍ୱାରା ସେ ଇଂରାଜୀ ଏଵଂ ଵଙ୍ଗଳା ଭାଷାରେ ମଧ୍ୟ ପାରଙ୍ଗମତା ଲାଭ କରିଥିଲେ । ତତ୍କାଳୀନ ସ୍କୁଲ ଇନସ୍ପେକ୍ଟର ରାଧାନାଥ ରାୟ ତାଙ୍କର ଜ୍ଞାନ ଓ ଶିକ୍ଷା ପ୍ରତି ଆଗ୍ରହ ଦେଖି ବାମଣ୍ଡା ଗଡ଼ଜାତର ଗୋପୀନାଥପୁର ପ୍ରାଥମିକ ଵିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ । ଏହି ସମୟରେ ସେ ବାମଣ୍ଡା ରାଜ୍ୟର ରାଜା ଵାସୁଦେଵ ସୁଢଳ ଦେଵଙ୍କୁ ସାକ୍ଷାତ କରିଥିଲେ ଯାହାଙ୍କର ପ୍ରଶ୍ରୟରେ ତାଙ୍କର ଜୀଵନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।

ବାମଣ୍ଡା ରାଜା ଵାସୁଦେଵ ସୁଢଳ ଦେଵ ନୀଳମଣିଙ୍କର ପାଣ୍ଡିତ୍ୟ ଓ ଵ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ୧୮୮୯ ମସିହାରେ ସମ୍ଵଲପୁର ହିତୈଷିଣୀ ପତ୍ରିକାର ସମ୍ପାଦକ ଦାୟିତ୍ୱ ଅର୍ପଣ କରିଥିଲେ । ଏହି ପତ୍ରିକା ବଡ଼ମ୍ଵାରୁ ପ୍ରକାଶିତ ହେଉଥିଲା ଏଵଂ ରାଜାଙ୍କର ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ କାରଣରୁ ଏହା ଓଡ଼ିଆ ସାହିତ୍ୟର ଵିକାଶରେ ମୁଖ୍ୟ ଭୂମିକା ନେଇଥିଲା । ନୀଳମଣି ଏହି ପତ୍ରିକା ମାଧ୍ୟମରେ ଗଙ୍ଗାଧର ମେହେର ରାଧାନାଥ ରାୟ ଆଦି କଵିଙ୍କ ରଚନା ପ୍ରକାଶ କରି ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହା ସହିତ ସେ ନିଶାସକ୍ତି ଵାଲ୍ୟଵିଵାହ କୁସଂସ୍କାର ଅଶିକ୍ଷା ଆଦି ଵିରୁଦ୍ଧରେ ଲେଖା ପ୍ରକାଶ କରି ସମାଜ ସୁଧାରର ଆହ୍ୱାନ ଦେଇଥିଲେ । ରାଜା ତାଙ୍କର ଗୁଣକୁ ସମ୍ମାନ ଦେଇ ଵିଦ୍ୟାରତ୍ନ ଉପାଧି ପ୍ରଦାନ କରିଥିଲେ ଯାହା ତାଙ୍କର ନାମର ଅଵିଚ୍ଛେଦ୍ୟ ଅଂଶ ହୋଇଗଲା । କିନ୍ତୁ ସେ ନିର୍ଭୀକ ସାମ୍ଵାଦିକ ଥିଵାରୁ ରାଜାଙ୍କ ସହ ମତଭେଦ ହେଵାରୁ ବାମଣ୍ଡା ଏଵଂ ହିତୈଷିଣୀ ପରିତ୍ୟାଗ କରି ଗଞ୍ଜାମ ଅଞ୍ଚଳକୁ ଚାଲିଯାଇଥିଲେ ।

ଗଞ୍ଜାମର ଖଲ୍ଲିକୋଟ ରାଜ୍ୟରେ ରାଜା ହରିହର ମର୍ଦ୍ଦରାଜ ନୀଳମଣିଙ୍କର ପାଣ୍ଡିତ୍ୟ ଓ ସାଙ୍ଗଠନିକ କ୍ଷମତାକୁ ଚିହ୍ନି ରମ୍ଭା ପ୍ରେସ ପ୍ରତିଷ୍ଠା କରି ପତ୍ରିକା ପ୍ରକାଶନ ପାଇଁ ଅନୁରୋଧ କରିଥିଲେ । ୧୯୦୨ ମସିହା ଜୁନ୍ ୨୫ ତାରିଖରେ ନୀଳମଣିଙ୍କ ସମ୍ପାଦନାରେ ପ୍ରଜାବନ୍ଧୁ ସାପ୍ତାହିକ ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ଓଡ଼ିଆ ଵିଛିନ୍ନାଞ୍ଚଳର ଏକତ୍ରୀକରଣ ଆନ୍ଦୋଳନର ମୁଖ୍ୟ ମାଧ୍ୟମ ହୋଇଥିଲା । ଏଥିରେ ସେ ଓଡ଼ିଆ ଭାଷାର ସୁରକ୍ଷା ଏଵଂ ଵିଭିନ୍ନ ପ୍ରଦେଶରେ ଵିଭକ୍ତ ଓଡ଼ିଆଙ୍କୁ ଏକତ୍ର କରିଵାର ଆହ୍ୱାନ ଦେଇଥିଲେ । ଗଞ୍ଜାମର ଵିଭିନ୍ନ ଗ୍ରାମରେ ପ୍ରଜାଵନ୍ଧୁ ସମିତି ଗଠନ ହୋଇଥିଲା ଯାହା ପରେ ଗଞ୍ଜାମ ଜାତୀୟ ସମିତି ରୂପ ନେଇଥିଲା । ଏହି ସମିତି ଓଡ଼ିଶା ଏକତ୍ରୀକରଣର ପ୍ରଥମ ସଂଗଠିତ ପ୍ରୟାସ ଥିଲା ଏଵଂ ଉତ୍କଳ ସମ୍ମିଳନୀର ପୂର୍ଵସୂରୀ ଭାବେ ଵିଵେଚିତ ହୋଇଥାଏ । ନୀଳମଣି ପରେ ଗଞ୍ଜାମ ଗୁଣ ଦର୍ପଣ ଉତ୍କଳ ମଧୁପ ଉତ୍କଳ ଦୀପିକା ଆଦି ପତ୍ରିକା ସମ୍ପାଦନା କରିଥିଲେ ଯାହା ଓଡ଼ିଆ ଜାତୀୟତାଵାଦର ପ୍ରଚାରରେ ସହାୟକ ହୋଇଥିଲା ।

ଓଡ଼ିଶାର ଏକତ୍ରୀକରଣ ଆନ୍ଦୋଳନରେ ନୀଳମଣି ଵିଦ୍ୟାରତ୍ନଙ୍କର ଭୂମିକା ଅତୁଳନୀୟ । ତତ୍କାଳୀନ ସମୟରେ ଓଡ଼ିଆ ଅଞ୍ଚଳ ବଙ୍ଗ ମଧ୍ୟପ୍ରଦେଶ ମଦ୍ରାସ ପ୍ରେସିଡେନ୍ସି ଆଦିରେ ଵିଭକ୍ତ ଥିଲା ଏଵଂ ଵିଭିନ୍ନ ସ୍ଥାନରେ ଓଡ଼ିଆ ଭାଷା ଉପରେ ଆକ୍ରମଣ ହେଉଥିଲା । ସମ୍ଵଲପୁରରେ ହିନ୍ଦୀ ଏଵଂ ଗଞ୍ଜାମରେ ତେଲୁଗୁ ଭାଷାର ପ୍ରଭାଵ ଵଢ଼ୁଥିଵା ବେଳେ ନୀଳମଣି ହିତୈଷିଣୀ ଏଵଂ ପ୍ରଜାବନ୍ଧୁ ମାଧ୍ୟମରେ ଓଡ଼ିଆ ଭାଷା ଆନ୍ଦୋଳନକୁ ଉଜ୍ଜୀଵିତ କରିଥିଲେ । ଉତ୍କଳ ଗୌରଵ ମଧୁସୂଦନ ଦାସ ଏଵଂ ଉତ୍କଳମଣି ଗୋପଵନ୍ଧୁ ଦାସ ତାଙ୍କର ସାଙ୍ଗଠନିକ ଶକ୍ତିରେ ମୁଗ୍ଧ ହୋଇଥିଲେ । ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାରେ ତାଙ୍କର ପ୍ରେରଣା ଏଵଂ ପରାମର୍ଶ ମୁଖ୍ୟ ଥିଲା । ସେ ଓଡ଼ିଆ ଭାଷାର ଶୁଦ୍ଧତା ଉଚ୍ଚାରଣ ଏଵଂ ଲେଖନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଓଡ଼ିଆ ଭାଷା ଆନ୍ଦୋଳନକୁ ସଶକ୍ତ କରିଥିଲେ । ତାଙ୍କର ଲେଖା ଦ୍ୱାରା ଅନେକ ରାଜା ମହାରାଜା ଓଡ଼ିଆ ଏକତାରେ ଯୋଗ ଦେଇଥିଲେ ଏଵଂ ଶେଷରେ ୧୯୩୬ ମସିହାରେ ଓଡ଼ିଶା ଏକ ପୃଥକ ପ୍ରଦେଶ ରୂପେ ଗଠିତ ହୋଇଥିଲା ।

ନୀଳମଣି ଵିଦ୍ୟାରତ୍ନ କେଵଳ ସାମ୍ଵାଦିକ ନ ଥିଲେ ସେ ଜଣେ ସାହିତ୍ୟିକ ମଧ୍ୟ ଥିଲେ । ସେ ଶ୍ଳୋକ ମୁକ୍ତାଵଳୀ, ଜଳ ଚିକିତ୍ସା ଓ ଗୋ ଚିକିତ୍ସା ଆଦି ପୁସ୍ତକ ରଚନା କରିଥିଲେ ଯାହା ସାଧାରଣ ଜ୍ଞାନ ଏଵଂ ସ୍ୱାସ୍ଥ୍ୟ ଵିଜ୍ଞାନ ଉପରେ ଆଲୋକପାତ କରିଥିଲା । ତାଙ୍କର ରଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ସେ ଶଶୀ ଭୂଷଣ ରଥ ଆଦି ଯୁଵ ସାମ୍ଵାଦିକଙ୍କୁ ପ୍ରେରଣା ଦେଇ ଆଶା ପତ୍ରିକା ଆରମ୍ଭ କରାଇଥିଲେ ଯାହା ଓଡ଼ିଶାର ପ୍ରଥମ ଦୈନିକ ପତ୍ରିକା ହୋଇଥିଲା । ତାଙ୍କର ଜୀଵନ ଦେଶପ୍ରେମ ସମାଜ ସେଵା ଏଵଂ ଭାଷା ପ୍ରେମର ଏକ ଆଦର୍ଶ ଥିଲା । ୧୯୨୩ ମସିହା ଜୁଲାଇ ୨୬ ତାରିଖରେ ସେ ଇହଲୀଳା ସମ୍ଵରଣ କରିଥିଲେ କିନ୍ତୁ ତାଙ୍କର ଅଵଦାନ ଓଡ଼ିଶାର ଇତିହାସରେ ଚିର ଅମ୍ଳାନ । ଆଜି ବି ତାଙ୍କର ଜନ୍ମଦିଵସରେ ଓଡ଼ିଶାଵାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସ୍ମରଣ କରି ଓଡ଼ିଆ ଗର୍ଵର ଅନୁଭଵ କରନ୍ତି । ନୀଳମଣି ଵିଦ୍ୟାରତ୍ନଙ୍କ ଭଳି ମହାମାନଵ ଓଡ଼ିଶାର ଗର୍ଵ ଓ ଗୌରଵ ଏଵଂ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି କିନ୍ତୁ ତାଙ୍କର ଆଦର୍ଶ ଆମକୁ ସଦା ସର୍ଵଦ ପଥ ପ୍ରଦର୍ଶକ ହୋଇ ରହିଛି ।

•••••••••••••••••••••••••••••••••

ତଥ୍ୟ ଉତ୍ସ

ପଣ୍ଡିତ ନୀଳମଣି ଵିଦ୍ୟାରତ୍ନ - ଗଣେଷ ରାମ ନାହାକ (୨୦୦୯)

History of Journalism in Odisha - ବିଭିନ୍ନ ଓଡ଼ିଶା ସରକାରୀ ପ୍ରକାଶନ ଏଵଂ ଓଡ଼ିଶା ରିଭ୍ୟୁ ଆଦି

Odia Press and Freedom Movement - ଵିଭିନ୍ନ ଐତିହାସିକ ଲେଖା ଏଵଂ ଓଡ଼ିଶାର ଇତିହାସ ସମ୍ବନ୍ଧୀୟ ପୁସ୍ତକ ।

•••••••••••••••••••••••••••••••••

Sunday, December 14, 2025

ମଣିଷମାନେ ସର୍କିଟ୍ ବୋର୍ଡ କେମିତି ତିଆରି କଲେ ?

ଆପଣଙ୍କର ଟିଭି, ରେଡିଓ, ମୋବାଇଲ୍ ଭିତରେ ସାଧାରଣତଃ ଗୋଟିଏ କିମ୍ବା ଏକାଧିକ ସବୁଜ ରଙ୍ଗର କାର୍ଡ୍‌ ଲାଗିଥାଏ । ସେହି କାର୍ଡକୁ ଅନେକେ ହୁଏତ ସର୍କିଟ ବୋର୍ଡ୍ ଵା Printed Circuit Board - PCB ନାମରେ ଜାଣିଥିବେ । ଏହି PCB ଵା ସର୍କିଟ୍ ବୋର୍ଡକୁ ଦେଖି ସାଧାରଣ ଲୋକେ ଭାବିବେ ହଁ ମ ୟାର କ'ଣ ଵିଶେଷତା ଅଛି ? କିନ୍ତୁ ଏହି ସାଧାରଣ ଦେଖାଯାଉଥିଵା ସବୁଜ ବୋର୍ଡ୍‌ ହିଁ ଆଧୁନିକ ଇଲେକ୍ଟ୍ରୋନିକ୍ସ୍‌ର ମୂଳ ଆଧାର । ଏହା ବିନା ଆଜିର ସ୍ମାର୍ଟଫୋନ୍‌, କମ୍ପ୍ୟୁଟର୍‌, ଟେଲିଭିଜନ୍‌ କିମ୍ବା ଅନ୍ୟ ଯନ୍ତ୍ରଗୁଡ଼ିକ କଳ୍ପନା କରାଯାଇନପାରେ । ଏହି ବୋର୍ଡ୍‌ର ଇତିହାସ ଅତ୍ୟନ୍ତ ରୋମାଞ୍ଚକର ଏଵଂ ଆଜକୁ ପ୍ରାୟ ୨୬୦୦ ଵର୍ଷ ତଳେ ସ୍ଥିର ଵିଦ୍ୟୁତର ପ୍ରଥମ ଉଲ୍ଲେଖ ସହିତ ଏହାର ଇତିହାସ ଆରମ୍ଭ ହୋଇଥିଲା। 
ଖ୍ରୀଷ୍ଟପୂର୍ଵ ୬୦୦ ମସିହାରେ ମିଲେଟସ୍‌ ନଗରର ଦାର୍ଶନିକ ଥେଲସ୍‌ ଏକ ଅଦ୍ଭୁତ ଘଟଣା ଲକ୍ଷ୍ୟ କଲେ। ସେ ଦେଖିଲେ ଯେ, Amber (ଗ୍ରୀକ୍‌ ଭାଷାରେ elektron) ନାମକ ଏକ ହଳଦିଆ ରଙ୍ଗର ପଥରକୁ ପଶମ କିମ୍ବା ଉଲ୍‌‌ରେ ଘଷିଲେ ସେଥିରେ ଏକ ଅଦୃଶ୍ୟ ଶକ୍ତି ଉତ୍ପନ୍ନ ହୁଏ, ଯାହା ଶସ୍ୟଚଷୁ, କାଗଜ ଖଣ୍ଡ କିମ୍ବା କେଶକୁ ନିଜ ଆଡ଼କୁ ଟାଣି ଆଣେ। ଏହି ଘଟଣାକୁ ସେ ସମ୍ଭଵତଃ ପ୍ରଥମେ ରେକର୍ଡ କରିଥିଲେ। ଏହା ସ୍ଥିର ଵିଦ୍ୟୁତ୍ (Static Electricity) ଅଟେ ଏଵଂ ଏହି ଗ୍ରୀକ୍‌ ଶବ୍ଦ elektronରୁ ବହୁତ ପରେ ଇଂରାଜୀରେ Electricity ଓ Electron ଶବ୍ଦ ସୃଷ୍ଟି ହେଲା। ପ୍ରାଚୀନ ରୋମାନ୍‌,ଭାରତ ଓ ଚୀନ୍‌ ଦେଶରେ ମଧ୍ୟ ଏହି ପରୀକ୍ଷା ହେଉଥିଲା। କିନ୍ତୁ ଏହି ସ୍ଥିର ଵିଦ୍ୟୁତକୁ ସେତେବେଳେ କେହି ବି ନିରନ୍ତର ପ୍ରଵାହରେ ପରିଣତ କରିପାରି ନ ଥିଲେ ।

ମଧ୍ୟଯୁଗରେ ଧାର୍ମିକ ଏକଛତ୍ରଵାଦ ଯୋଗୁଁ ଵିଦ୍ୟୁତ୍‌ ଵିଷୟରେ ଵିଶେଷ ଅଗ୍ରଗତି ହେଲା ନାହିଁ। ଚର୍ଚ୍ଚ ଓ ଧର୍ମଗ୍ରନ୍ଥ ପ୍ରଭାଵରେ ଵୈଜ୍ଞାନିକ ଚିନ୍ତାଧାରା ଦମନ ହେଲା। କିନ୍ତୁ ଷୋଡ଼ଶ ଶତାବ୍ଦୀରେ ରେନେସାଁ ଯୁଗ ଆସିଵା ପରେ ପୁନର୍ଵାର କୌତୂହଳ ଜାଗ୍ରତ ହେଲା। ୧୬୦୦ ମସିହାରେ ଇଂଲଣ୍ଡର ଵୈଜ୍ଞାନିକ William Gilbert ନିଜର ପୁସ୍ତକ De Magneteରେ ସ୍ଥିର ଵିଦ୍ୟୁତ୍ ଓ ଚୁମ୍ବକତ୍ୱର ପାର୍ଥକ୍ୟ ବୁଝାଇଲେ ଏଵଂ ପ୍ରଥମ କରି ଲାଟିନ୍‌ ଶବ୍ଦ “electrica” ଵ୍ୟଵହାର କଲେ। 
ଅଷ୍ଟାଦଶ ଶତାବ୍ଦୀରେ ଆମେରିକାର ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ତାଙ୍କର ଵିଖ୍ୟାତ ଘୁଡ଼ି ପରୀକ୍ଷା କରି ଦେଖାଇଲେ ଯେ ଵିଜୁଳି ଓ ସ୍ଥିର ବିଦ୍ୟୁତ୍‌ ଏକା ପ୍ରକାରର ଶକ୍ତି। ଫ୍ରାଙ୍କଲିନ୍‌ ଝଡ଼ ଵର୍ଷା ଦିନେ ରେଶମୀ ସୂତା ସହିତ ଏକ ସିଲ୍କ ହ୍ୟାଣ୍ଡକର୍ଚିଫ୍‌ରେ ତିଆରି ଘୁଡ଼ି ଉଡ଼ାଇଲେ। ପତଙ୍ଗର ଉପର ବିନ୍ଦୁରେ ଏକ ଧାରୁଆ ଲୁହା ତାର ଲଗାଇଥିଲେ ଯାହା ଵିଜୁଳିକୁ ଆକର୍ଷଣ କରିପାରିଵ। ସୂତାର ତଳ ପାଖରେ ଏକ ଲୁହା ଚାବି ବାନ୍ଧି ରଖିଥିଲେ ଏଵଂ ସେହି ଚାବି ସହିତ ଏକ ଲେଡେନ୍‌ ଜାର୍‌ (Leyden jar) ନାମକ ପ୍ରାଚୀନ ଵିଦ୍ୟୁତ୍‌ ସଞ୍ଚୟକାରୀ ଯନ୍ତ୍ର ଯୋଡ଼ିଥିଲେ। ଫ୍ରାଙ୍କଲିନ୍‌ ନିଜେ ଏକ ଶୁଖିଲା ଜାଗାରେ ଘର ବାରଣ୍ଡା ତଳେ ଠିଆ ହୋଇ ରେଶମୀ ସୂତାର ଅଂଶ ଧରି ରହିଥିଲେ ।ଏହି ରେଶମ ସୂତା ଵିଦ୍ୟୁତ୍‌ ଅପରିଵାହୀ ହେତୁ ସୁରକ୍ଷିତ ଥିଲା ।
ଯେତେବେଳେ ମେଘ ଉପରେ ଵିଜୁଳି ଚମକୁଥିଲା ଓ ଝଡ଼ ଵର୍ଷା ହେଉଥିଲା, ଘୁଡ଼ି ମେଘ ନିକଟକୁ ଯାଇ ଵିୟୁମଣ୍ଡଳରେ ଥିବା ବିଦ୍ୟୁତ୍‌ ଆଵେଶ (electric charge)କୁ ଆକର୍ଷଣ କଲା। ସେହି ଵିଦ୍ୟୁତ୍‌ ଘୁଡ଼ିର ତାର ଦେଇ ସୂତା ତଳକୁ ଆସି ଚାବି ନିକଟରେ ସଞ୍ଚିତ ହେଲା। ଫ୍ରାଙ୍କଲିନ୍‌ ଆଙ୍ଗୁଳି ଚାବି ନିକଟକୁ ଆଣିଲେ ଚମକିଲା ସ୍ଫୁଲିଙ୍ଗ (spark) ବାହାରିଲା ଏଵଂ ଲେଡେନ୍‌ ଜାର୍‌ରେ ଵିଦ୍ୟୁତ୍‌ ସଞ୍ଚୟ ହେଲା। ଏହା ସ୍ପଷ୍ଟ ପ୍ରମାଣ କରିଦେଲା ଯେ ଵଜ୍ରପାତ ଓ ସ୍ଥିର ଵିଦ୍ୟୁତ୍‌ ଏକା ପ୍ରକାରର ଅଟେ । ଏହି ପରୀକ୍ଷା ଅତ୍ୟନ୍ତ ଵିପଦପୂର୍ଣ୍ଣ ଥିଲା ଏଵଂ ପରେ ଅନେକ ଲୋକ ଏହାର ଅନୁକରଣ କରି ମରିଯାଇଥିଲେ ତଥାପି ଏହା ଵିଦ୍ୟୁତ୍‌ ଵିଜ୍ଞାନର ମୂଳଦ୍ୱାର ଖୋଲିଦେଇଥିଲା ଏଵଂ ପରେ ଫ୍ରାଙ୍କଲିନ୍‌ ଏହା ଆଧାରରେ ଵଜ୍ର ନିରୋଧକ ଦଣ୍ଡ (lightning rod) ଉଦ୍ଭାଵନ କରିଥିଲେ ଯାହା ଆଜି ସବୁ ଉଚ୍ଚ ଅଟ୍ଟାଳିକାରେ ଲଗାଯାଏ।
ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ଲେଡେନ୍‌ ଜାର୍‌ (Leyden Jar) ନାମକ ଏକ ସରଳ କ୍ୟାପାସିଟର୍‌ ଵ୍ୟଵହାର କରି ଵିଦ୍ୟୁତ୍‌କୁ ଷ୍ଟୋର୍‌ କରିଵାର ପ୍ରଥମ ପ୍ରୟୋଗ କଲେ। କିନ୍ତୁ ଏହା ମଧ୍ୟ ସ୍ଥିର ଵିଦ୍ୟୁତ୍‌ ଥିଲା। ନିରନ୍ତର ପ୍ରଵାହୀ ବିଦ୍ୟୁତ୍‌ ଵା Continuous Current ଆଵିଷ୍କାର ପାଇଁ ଵିଶ୍ୱକୁ ଆହୁରି ଅଢ଼େଇଶହ ଵର୍ଷ ଅପେକ୍ଷା କରିଵାକୁ ପଡ଼ିଲା।
୧୮୦୦ ମସିହାରେ ଇଟାଲୀର ପାଭିଆ ଵିଶ୍ୱଵିଦ୍ୟାଳୟର ପ୍ରଫେସର Alessandro Volta ଏକ ଯୁଗାନ୍ତକାରୀ ଆଵିଷ୍କାର କଲେ। ସେ ଦେଖିଲେ ଯେ ଦୁଇଟି ଭିନ୍ନ ଧାତୁ - ଜିଙ୍କ୍‌ ଓ କପର୍‌ ଏକ ଇଲେକ୍ଟ୍ରୋଲାଇଟ୍‌ (ଲୁଣ ପାଣି) ସହିତ ସଂସ୍ପର୍ଶରେ ଆସିଲେ ସେଥିରୁ ନିରନ୍ତର ଵିଦ୍ୟୁତ୍‌ ପ୍ରଵାହ ହୁଏ। ଏହି ନୀତି ଉପରେ ସେ ଜିଙ୍କ୍‌ ଓ କପର୍‌ ଚକତିକୁ ଲୁଣ ପାଣିରେ ଭିଜା କାର୍ଡ଼ବୋର୍ଡ଼ ଦେଇ ଅଲଗା କରି ଏକ ଷ୍ଟାକ୍‌ ତିଆରି କଲେ। ଏହାକୁ ସେ ନାମ ଦେଲେ Voltaic Pile। ଏହା ଥିଲା ପୃଥିଵୀର ପ୍ରଥମ ରାସାୟନିକ ବାଟେରୀ। ଏହି ବାଟେରୀରୁ ପ୍ରଥମ ଥର ପାଇଁ ମଣିଷ ନିରନ୍ତର ଵିଦ୍ୟୁତ୍‌ ପ୍ରଵାହ (Direct Current – DC) ପାଇଲା। ଏହି ବାଟେରୀର ଦୁଇ ପ୍ରାନ୍ତରେ ତାର ଯୋଡ଼ି ଦେଇ ଏକ ବନ୍ଦ ପଥ (Closed Loop) ତିଆରି ହେଲା — ଏହା ହିଁ ପ୍ରକୃତ ଅର୍ଥରେ ପ୍ରଥମ ଵିଦ୍ୟୁତ୍‌ ସର୍କିଟ୍‌ (Electric Circuit) ଥିଲା। ଏହି ଆଵିଷ୍କାର ପରେ ଵିଶ୍ୱର ଅନ୍ୟ ଵୈଜ୍ଞାନିକମାନେ ଵିଦ୍ୟୁତ୍‌ ଉପରେ ପରୀକ୍ଷା ଆରମ୍ଭ କଲେ। ଭୋଲ୍ଟାଙ୍କର ସାଙ୍ଗିଆ ନାମାନୁସାରେ ଭୋଲ୍ଟ (Volt) ନାମକ ଏକକ ଆଜି ବି ଵ୍ୟଵହୃତ ହେଉଛି।

ଭୋଲ୍ଟାଙ୍କ ବାଟେରୀ ଆଵିଷ୍କାର ପରେ ଅନେକ ଵୈଜ୍ଞାନିକ ଵିଦ୍ୟୁତ୍‌ର ଗୁଣ ବୁଝିଵାକୁ ଲାଗିଲେ। ୧୮୨୦ ମସିହାରେ ଡେନମାର୍କର ପଦାର୍ଥଵିଜ୍ଞାନୀ Hans Christian Ørsted ଏକ ଐତିହାସିକ ପରୀକ୍ଷା କଲେ। ସେ ଦେଖିଲେ ଯେ ତାର ଭିତରେ ଵିଦ୍ୟୁତ୍‌ ପ୍ରଵାହ ହେଲେ ପାଖରେ ରଖା କମ୍ପାସ୍‌ର ସୂଚକ ଡେଇଁଗଲା। ଅର୍ଥାତ୍ ଵିଦ୍ୟୁତ୍‌ ପ୍ରଵାହ ଚାରିପାଖେ ଚୁମ୍ବକୀୟ କ୍ଷେତ୍ର (Magnetic Field) ସୃଷ୍ଟି କରୁଥିଲା। ଏହି ଆଵିଷ୍କାର ଵିଦ୍ୟୁତ୍‌ ଓ ଚୁମ୍ବକତ୍ୱର ଅଵିଚ୍ଛେଦ୍ୟ ସମ୍ପର୍କକୁ ପ୍ରଥମେ ପ୍ରମାଣ କଲା। ଏହାକୁ ଆଧାର କରି ଫରାସୀ ଵୈଜ୍ଞାନିକ André-Marie Ampère ଵିଦ୍ୟୁତ୍‌ ପ୍ରଵାହର ଓ ଚୁମ୍ବକୀୟ ଶକ୍ତିର ଗାଣିତିକ ସମ୍ପର୍କ ବୁଝାଇଲେ। ତାଙ୍କ ନାମାନୁସାରେ ଆଜି ଵିଦ୍ୟୁତ୍‌ ପ୍ରଵାହର ଏକକକୁ ଆମ୍ପିୟର୍‌ ଵା Ampere କୁହାଯାଏ।
ଏହି ସମୟରେ ଇଂଲଣ୍ଡର Michael Faraday ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଵିଷ୍କାର କଲେ। ୧୮୩୧ ମସିହାରେ ସେ ଦେଖାଇଲେ ଯେ ଚୁମ୍ବକକୁ ତାର କୁଣ୍ଡଳୀ ଭିତରେ ଘୁଞ୍ଚାଇଲେ କିମ୍ବା କୁଣ୍ଡଳୀକୁ ଚୁମ୍ବକ ଆଗରେ ଘୁରାଇଲେ ତାରରେ ଵିଦ୍ୟୁତ୍‌ ପ୍ରଵାହ ଉତ୍ପନ୍ନ ହୁଏ। ଏହାକୁ ସେ ନାମ ଦେଲେ ଵିଦ୍ୟୁତ୍‌-ଚୁମ୍ବକୀୟ ପ୍ରେରଣ (Electromagnetic Induction)। ଏହି ନୀତି ଉପରେ ଆଜିର ଵିଦ୍ୟୁତ୍‌ ଜେନେରେଟର୍‌, ମୋଟର୍‌, ଟ୍ରାନ୍ସଫର୍ମର୍‌ ସବୁ କାମ କରୁଅଛି। ଏହି ସମୟରେ ସର୍କିଟ୍‌ ଥିଲା ଅତ୍ୟନ୍ତ ସରଳ — କେଵଳ ତାର, ବାଟେରୀ ଓ କିଛି ଧାତୁ ଖଣ୍ଡ ହିଁ ଏହାର ଅଂଶ ଵିଶେଷ ଥିଲା । ସବୁ ହାତରେ ଯୋଡ଼ା ହେଉଥିଲା ଏଵଂ ଏହାକୁ Point-to-point wiring କୁହାଯାଏ। ଏହା ଅତ୍ୟନ୍ତ ଧୀର, ଅସୁଵିଧାଜନକ ଓ ଭୁଲ୍‌ପ୍ରଵଣ ଥିଲା। ଏକ ଛୋଟ ଯନ୍ତ୍ର ତିଆରି କରିଵାକୁ ମଧ୍ୟ ଅନେକ ଦିନ ଲାଗିଯାଉଥିଲା।
ଉନଵିଂଶ ଶତାବ୍ଦୀର ଶେଷ ଭାଗରେ ଥୋମସ୍‌ ଆଲ୍‌ଵା ଏଡିସନ୍‌ ଓ ନିକୋଲା ଟେସଲାଙ୍କ ମଧ୍ୟରେ ଵିଖ୍ୟାତ “War of Currents” ଚାଲିଲା। ଏଡିସନ୍‌ DC ଵିଦ୍ୟୁତ୍‌କୁ ସମର୍ଥନ କରୁଥିଵା ବେଳେ ଟେସଲା ଓ ଜର୍ଜ୍‌ ୱେଷ୍ଟିଙ୍ଗହାଉସ୍‌ AC (Alternating Current) ଦିଗରେ କାର୍ଯ୍ୟ କଲେ । ଅଵଶେଷରେ AC ଜାତୀୟ ଵିଦ୍ୟୁତ୍ ଜିତିଲା କାରଣ ଏହାକୁ ଟ୍ରାନ୍ସଫର୍ମର୍‌ ଦେଇ ଉଚ୍ଚ ଭୋଲ୍ଟେଜ୍‌ରେ ଦୂର ଦୂରାନ୍ତକୁ ପଠାଇ ପୁଣି କମ୍‌ ଭୋଲ୍ଟେଜ୍‌ରେ ପରିଵର୍ତ୍ତନ କରି ଘରେ ଘରେ ପହଞ୍ଚାଇ ହେଉଥିଲା। ଏହି ସମୟରେ ବି ସର୍କିଟ୍‌ ତିଆରି ହାତରେ ହେଉଥିଲା। ରେଡିଓ, ଟେଲିଫୋନ୍‌, ଟେଲିଗ୍ରାଫ୍‌ ଭଳି ଯନ୍ତ୍ରରେ ଶହ ଶହ ତାର ସମୂହ ଯୋଡ଼ା ହେଉଥିଲା। ଏହା ଅତ୍ୟନ୍ତ ମୂଲ୍ୟଵାନ ଓ ସମୟସାପେକ୍ଷ ଥିଲା।
ଵିଂଶ ଶତାବ୍ଦୀର ଆରମ୍ଭରେ ପ୍ରିଣ୍ଟେଡ୍‌ ସର୍କିଟ୍‌ର ଧାରଣା ଧୀରେ ଧୀରେ ଜନ୍ମ ନେଲା। ୧୯୦୩-୧୯୦୪ ମଧ୍ୟରେ ଜର୍ମାନୀର ଇଞ୍ଜିନିୟର୍ Albert Hanson ଏକ ପେଟେଣ୍ଟ ପଞ୍ଜିକୃତ କଲେ ଯେଉଁଥିରେ ସେ ଫ୍ଲାଟ୍‌ ଧାତୁ ତାରକୁ ପାରାଫିନ୍‌ କାଗଜ ଉପରେ ଲଗାଇ ଇନ୍ସୁଲେଟିଂ ବୋର୍ଡରେ ରଖିଵାର ଏକ ପ୍ରସ୍ତାବ ଦେଲେ। ଏହା ଆଜିର PCBର ଅତି ସରଳ ରୂପ ଥିଲା। ସେହିପରି ୧୯୨୫ରେ ଆମେରିକାର Charles Ducas ପେଟେଣ୍ଟ ନେଲେ ଯେଉଁଥିରେ ସେ ଷ୍ଟେନସିଲ୍‌ ଦେଇ ଇଙ୍କ୍‌ରେ କଣ୍ଡକ୍ଟିଵ୍ ପାଉଡର ଲଗାଇ ସର୍କିଟ୍‌ ପ୍ରିଣ୍ଟ କରିବାର ପ୍ରକ୍ରିୟା ଵର୍ଣ୍ଣନା କଲେ। କିନ୍ତୁ ଏହି ସବୁ ଧାରଣା କେଵଳ କାଗଜ ଉପରେ ହିଁ ରହିଗଲା।
ପ୍ରକୃତ ପରିଵର୍ତ୍ତନ ଆଣିଲେ ଅଷ୍ଟ୍ରିଆରେ ଜନ୍ମିତ ଇହୁଦୀ ଇଞ୍ଜିନିୟର Paul Eisler। ୧୯୩୬ ମସିହାରେ ଲଣ୍ଡନରେ ରହୁଥିଵା ବେଳେ ସେ ଏକ ରେଡିଓ ସେଟ୍‌ ଭିତରେ ଥିଵା ଅସଂଖ୍ୟ ତାର ଦେଖି ଭାବିଲେ ଯେ ଏହାକୁ କିପରି ସଂକ୍ଷିପ୍ତ କରାଯାଇ ପାରିଵ। ସେ କପର୍‌ ଫଏଲ୍‌କୁ ବାକେଲାଇଟ୍‌ କିମ୍ବା ଗ୍ଲାସ୍‌ ବେସ୍‌ ଉପରେ ଲଗାଇ ଅଣଆଵଶ୍ୟକ ଅଂଶକୁ Etching ପ୍ରକ୍ରିୟାରେ ହଟାଇ ଦେଇ କେଵଳ Conductive Track ରଖିଲେ। ଏହା ଥିଲା ପ୍ରଥମ ଆଧୁନିକ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ୍‌। କିନ୍ତୁ ତାଙ୍କର ଏହି ଆଵିଷ୍କାରକୁ ସେତେବେଳେ କେହି ଗୁରୁତ୍ୱ ଦେଲେ ନାହିଁ। ସେ ଅନେକ କମ୍ପାନୀକୁ ଦେଖାଇଲେ ମଧ୍ୟ କେହି ଗ୍ରହଣ କଲେ ନାହିଁ। ଅଵଶେଷରେ ଦ୍ୱିତୀୟ ଵିଶ୍ୱଯୁଦ୍ଧ ଲାଗିଗଲା।
୧୯୪୦ରୁ ୧୯୪୨ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ଵିଜ୍ଞାନୀ ଓ ସୈନ୍ୟଵାହିନୀ ଏକ ଗୋପନ ପ୍ରଯୁକ୍ତିଵିଦ୍ୟା ତିଆରି କରୁଥିଲେ ଯାହା ଆର୍ଟିଲେରୀ ଗୋଳାରେ ଲଗାଯାଉଥିଲା ଏଵଂ ଶତ୍ରୁ ଵିମାନ ନିକଟକୁ ଆସିଲେ ଗୋଳା ସ୍ୱତଃ ଫାଟିଯାଉଥିଲା ଏଵଂ ଏହାକୁ କୁହାଯାଉଥିଲା Proximity Fuze କିମ୍ବା VT Fuze ଵା Variable Time Fuze। ଏହା ମୁଖ୍ୟତଃ ଵିମାନ ଵିରୋଧୀ ଆର୍ଟିଲେରୀ ପାଇଁ ଡିଜାଇନ୍ ହୋଇଥିଲା ଯାହା ନୌସେନାର ଜାହାଜଗୁଡ଼ିକୁ କାମିକାଜେ ଆକ୍ରମଣରୁ ରକ୍ଷା କରିଥିଲା ଏଵଂ ପରେ ଜର୍ମାନୀର V-1 ରକେଟ୍ ଏଵଂ ସ୍ଥଳ ଯୁଦ୍ଧରେ ମଧ୍ୟ ଵ୍ୟଵହାର ହୋଇଥିଲା।
ମାତ୍ର ଏହି ଯନ୍ତ୍ର ଭିତରେ ଭ୍ୟାକ୍ୟୁମ୍‌ ଟ୍ୟୁବ୍‌ ଥିଲା ଏଵଂ ହଜାର ହଜାର ତାର ଯୋଡ଼ା ହେଉଥିଲା। କିନ୍ତୁ ସେ ଗୋଳା ଵିଶେଷ ଆଘାତ ପ୍ରାପ୍ତ ହେଲେ ତା ମଧ୍ୟରେ ଥିଵା ତାର ଛିଣ୍ଡି ଯାଉଥିଲା। ତେଣୁ ଆମେରିକୀୟ ସେନା ସହିତ ସମ୍ପୃକ୍ତ ଵୈଜ୍ଞାନିକମାନେ ପଲ୍‌ ଐସ୍‌ଲର୍‌ଙ୍କ ପେଟେଣ୍ଟ ଦେଖି ତାଙ୍କ ପ୍ରକ୍ରିୟାକୁ ସଂଶୋଧନ କରି ଏକ କଠିନ ବୋର୍ଡ ଉପରେ କପର୍‌ ଫଏଲ୍‌ ଲଗାଇ ଏଚିଂ କରି ସର୍କିଟ୍‌ ତିଆରି କଲେ। ଏହି ଯନ୍ତ୍ର ୧୯୪୩ରୁ ଵ୍ୟଵହାର ହେଲା ଏଵଂ ଯୁଦ୍ଧରେ ଵିପୁଳ ସଫଳତା ଦେଲା। ଯୁଦ୍ଧ ପରେ ଆମେରିକା ସରକାର ୧୯୪୮ରେ ଏହି ପ୍ରଯୁକ୍ତିକୁ ସାଧାରଣ ଲୋକଙ୍କ ପାଇଁ ମୁକ୍ତ କରିଦେଲେ। ଏହା ପରେ ଜାପାନ ଓ ଆମେରିକାର କମ୍ପାନୀମାନେ ଵ୍ୟାପକ ସର୍କିଟ୍ ଉତ୍ପାଦନ ଆରମ୍ଭ କଲେ।
୧୯୫୦ ଦଶକରେ ଆଉ ଏକ ବଡ଼ ଧରଣର ଵୈଷୟିକ ସିଦ୍ଧି ମିଳିଲା ଏଵଂ ତାହା ଥିଲା ଟ୍ରାନ୍‌ଜିଷ୍ଟରର ଉଦ୍ଭାଵନ। ୧୯୪୭ ଡିସେମ୍ବର ୨୩ ତାରିଖରେ ବେଲ୍‌ ଲ୍ୟାବୋରେଟରୀରେ ଜନ୍‌ ବାର୍ଡିନ୍‌, ୱାଲ୍ଟର୍‌ ବ୍ରାଟେନ୍‌ ଓ ୱିଲିୟମ୍‌ ଶକ୍‌ଲି ଜର୍ମେନିୟମ୍‌ କ୍ରିଷ୍ଟାଲ ଉପରେ gold foil ଲଗାଇ ପ୍ରଥମ ପଏଣ୍ଟ କଣ୍ଟାକ୍ଟ ଟ୍ରାନ୍‌ଜିଷ୍ଟର ତିଆରି କଲେ। 
ଏହା ଭ୍ୟାକ୍ୟୁମ୍‌ ଟ୍ୟୁବ୍‌ଠାରୁ ହଜାର ଗୁଣ ଛୋଟ ଥିଲା ଏଵଂ କମ୍‌ ଶକ୍ତି ଖର୍ଚ୍ଚ କରୁଥିଲା ତଥା ଅଧିକ ନିର୍ଭରଯୋଗ୍ୟ ଥିଲା। ୧୯୫୪ରେ ଟେକ୍ସାସ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ କମ୍ପାନୀ ପ୍ରଥମ ସିଲିକନ୍‌ ଟ୍ରାନ୍‌ଜିଷ୍ଟର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କଲା। ଟ୍ରାନ୍‌ଜିଷ୍ଟର ଓ PCBର ମିଶ୍ରଣ ଯୋଗୁଁ ଇଲେକ୍‌ଟ୍ରୋନିକ୍ସ୍‌ ଜଗତରେ ଵିଶେଷ ପରିଵର୍ତ୍ତନ ଦେଖାଦେଲା । ଫଳତଃ ଏକ ଛୋଟ PCB ଉପରେ ଶହ ଶହ ଟ୍ରାନ୍‌ଜିଷ୍ଟର ଲଗେଇ ରେଡିଓ, ଟେଲିଭିଜନ୍‌, କ୍ୟାଲକୁଲେଟର ତିଆରି ହେଵା ଆରମ୍ଭ ହେଲା।
ଏହି ଵୈଷୟିକ ଵିପ୍ଳଵକୁ ଆଉ ଏକ ସ୍ତରକୁ ନେଇଗଲେ Jack Kilby ଓ Robert Noyce। ୧୯୫୮ରେ କିଲ୍‌ବି ଟେକ୍ସାସ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ରେ ଏକ ଜର୍ମେନିୟମ୍‌ ଚିପ୍‌ ଉପରେ ଟ୍ରାନ୍‌ଜିଷ୍ଟର, ରେଜିଷ୍ଟର ଓ କ୍ୟାପାସିଟର ଏକାଠି ତିଆରି କଲେ। ଏହାକୁ ସେ ନାମ ଦେଲେ Integrated Circuit (IC)। ୧୯୫୯ରେ ରବର୍ଟ୍‌ ନୟସ୍‌ ଫେେୟାର୍‌ଚାଇଲ୍ଡ କମ୍ପାନୀରେ ସିଲିକନ୍‌ ଉପରେ ପ୍ଲାନାର ପ୍ରକ୍ରିୟା (Planar Process) ଉଦ୍ଭାଵନ କଲେ ଯାହାର ଅନୁକରଣରେ ଆଜିର ସବୁ IC ତିଆରି ହେଉଛି। ଏହି ଦୁଇ ଉଦ୍ଭାଵନ ଫଳ ସ୍ଵରୂପ ମାଇକ୍ରୋଚିପ୍‌ ଯୁଗ ଆରମ୍ଭ ହୋଇଗଲା । ୧୯୬୦ ଦଶକରେ ପ୍ରଥମ ଵାଣିଜ୍ୟିକ IC ବଜାରକୁ ଆସିଲା। ଏକ ଛୋଟ ଚିପ୍‌ ଭିତରେ ଶହ ଶହ ଟ୍ରାନ୍‌ଜିଷ୍ଟର ରହିଵା ସମ୍ଭଵ ହେଲା।
୧୯୬୫ ମସିହାରେ ଇଣ୍ଟେଲର ସହ-ପ୍ରତିଷ୍ଠାତା Gordon Moore ତାଙ୍କ ନିୟମ Moore's Law ଘୋଷଣା କଲେ — ଏହି ନିୟମରେ କୁହାଯାଇଥିଲା ଯେ ପ୍ରତି ୧୮-୨୪ ମାସରେ ଏକ ଚିପ୍‌ରେ ରହିପାରୁଥିଵା ଟ୍ରାନ୍‌ଜିଷ୍ଟର ସଂଖ୍ୟା ଦୁଇଗୁଣ ହେଵ। ଏହି ନିୟମ ଆଜି ପର୍ଯ୍ୟନ୍ତ ପ୍ରାୟ ଠିକ୍‌ ରହିଛି। ୧୯୭୧ରେ ଇଣ୍ଟେଲ ୪୦୦୪ ମାଇକ୍ରୋପ୍ରୋସେସର ବାହାର କଲା ଯେଉଁଥିରେ ୨୩୦୦ ଟ୍ରାନ୍‌ଜିଷ୍ଟର ଥିଲା। ଆଜି ଆପଲର M2 ଅଲଟ୍ରା ଚିପ୍‌ରେ ୧୩୪ ବିଲିଅନ (୧୩,୪୦୦ କୋଟି) ଟ୍ରାନ୍‌ଜିଷ୍ଟର ଅଛି।
ଆଜିର PCB ଅତ୍ୟନ୍ତ ଜଟିଳ। ଏକ ଆଧୁନିକ ମଦରବୋର୍ଡରେ ୧୬-୨୪ ଲେୟାର ଥାଏ, Microvia, HDI (High Density Interconnect), ଫ୍ଲେକ୍ସିବଲ PCB, ରିଜିଡ-ଫ୍ଲେକ୍ସ PCB ଭଳି ଅନେକ ପ୍ରକାର ରହିଛି। ଏହା ଏୟାରବସ୍‌ ଵିମାନ, ମଙ୍ଗଳ ଯାନ, କୃତ୍ରିମ ହୃଦୟ ପମ୍ପଠାରୁ ଆରମ୍ଭ କରି ଆପଣଙ୍କ ପକେଟରେ ଥିବା ସ୍ମାର୍ଟଫୋନ୍‌ ପର୍ଯ୍ୟନ୍ତ ସବୁଠାରେ ରହିଛି। ଏହାର ଵିକାଶ କେବଳ ଵୈଜ୍ଞାନିକଙ୍କର ନୁହେଁ, ଯୁଦ୍ଧ, ଅର୍ଥନୀତି, ରାଜନୀତି ଓ ମାନଵ କୌତୂହଳର ମିଶ୍ରଣ। ଥେଲସ୍‌ଙ୍କ ଆମ୍ବର୍‌ ଘଷାରୁ ଆରମ୍ଭ ହୋଇ ଆଜିର ନାନୋମିଟର ପ୍ରକ୍ରିୟା (3nm, 2nm) ପର୍ଯ୍ୟନ୍ତ ଏହି ଯାତ୍ରା ମାନଵ ସଭ୍ୟତାର ସବୁଠାରୁ ଅଵିଶ୍ୱସନୀୟ ଅଧ୍ୟାୟ। ଏହି ସବୁଜ ବୋର୍ଡ୍‌ ଆଜି ଆମର ଜୀଵନର ଅଵିଚ୍ଛେଦ୍ୟ ଅଂଶ। ଏହା ଵିନା ଆଧୁନିକ ସଭ୍ୟତା କଳ୍ପନା କରିଵା ଅସମ୍ଭଵ। 
•••••••••••••••••••••••••••••••••
ତଥ୍ୟ ସୂଚୀ :

୧. "Crystal Fire: The Invention of the Transistor and the Birth of the Information Age" by Michael Riordan and Lillian Hoddeson.

୨. "The Chip: How Two Americans Invented the Microchip and Launched a Revolution" by T.R. Reid.

୩. "Empires of Light: Edison, Tesla, Westinghouse, and the Race to Electrify the World" by Jill Jonnes.

୪. "Benjamin Franklin: An American Life" by Walter Isaacson.

୫. "Much Ado About Almost Nothing: Man's Encounter with the Electron" by Hans Camenzind.
••••••••••••••••••••••••••••••••

ବିଲେଇ ଚିତ୍ର ଆଙ୍କିଥିଵା ଏକ ଜାପାନୀ ବାଳକର କାହାଣୀ

ଅନେକ ଵର୍ଷ ପୂର୍ବେ ଜାପାନର ଏକ ଛୋଟ ଗ୍ରାମରେ ଜଣେ ଗରିବ କୃଷକ ଏଵଂ ତାଙ୍କ ପତ୍ନୀ ରହୁଥିଲେ। ସେମାନଙ୍କର ଅନେକ ସନ୍ତାନ ଥିଲେ—ବଡ଼ ପୁଅମାନେ ଓ ଝିଅମାନେ କ୍ଷେତରେ ତଥା ଘ...