ଚୋରି ଏକ ସାଧାରଣ ଘଟଣା, କିନ୍ତୁ ଯେତେବେଳେ କୌଣସି ମହାନ୍ ଜିନିଷ ଚୋରି ହୁଏ, ତାହା ଇତିହାସ ପାଲଟିଯାଏ। ଆମ ଗାଆଁ ଗହଳିରେ କାହାର ସାଇକେଲ୍ ଚୋରି ହେଲେ ପୋଲିସ୍ FIR ଲେଖିଵାକୁ ହୁଏତ କୁଣ୍ଠାବୋଧ କରିପାରେ। କିନ୍ତୁ ଯଦି ଗୋଟାଏ ସାଇକେଲ୍କୁ ଲିଓନାର୍ଡୋ ଦା ଭିନ୍ସି ଚଳାଉଥାନ୍ତେ, ତେବେ ସେହି ସାଇକେଲ୍ ଚୋରି ଆନ୍ତର୍ଜାତୀୟ ଷଡ଼ଯନ୍ତ୍ରର ରୂପ ନେଇଥାନ୍ତା। ଠିକ୍ ସେହିପରି ଏକ ଘଟଣା ଘଟିଥିଲା ୧୯୧୧ ମସିହାରେ, ଯେତେବେଳେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ର ସୁରକ୍ଷିତ Louvre Museumରୁ 'ମୋନାଲିସା' ଫେରାର୍ ହୋଇ ଯାଇଥିଲେ। ଥାନାରେ କେଶ୍ ହେଲା, "ମୋନାଲିସା ନିଖୋଜ।" ପୋଲିସ୍ ଭାବିଲା, କୌଣସି ଝିଅ ବୋଧହୁଏ ପ୍ରେମିକ ସହ ଫେରାର୍ ହୋଇଯାଇଛି। କିନ୍ତୁ ଯେତେବେଳେ ଜଣାପଡ଼ିଲା ଯେ ଫେରାର୍ ହୋଇଥିଵା ମହିଳା ଜଣକ ରକ୍ତମାଂସର ନୁହେଁ ଵରଂ କାନ୍ଥରେ ଟଙ୍ଗା ହୋଇଥିଵା ଏକ ଚିତ୍ର, ସେତେବେଳେ ଫରାସୀ ସରକାରଙ୍କ ହୋସ୍ ଉଡ଼ିଗଲା।
ମୋନାଲିସା ବିଷୟରେ କୁହାଯାଏ ଯେ ତାଙ୍କ ହସରେ ଏକ ରହସ୍ୟ ଅଛି। ସେ କାହିଁକି ହସୁଛନ୍ତି, ତାହା ଆଜି ପର୍ଯ୍ୟନ୍ତ କେହି ବୁଝିପାରି ନାହାନ୍ତି। ମୋର ତ ସନ୍ଦେହ ହୁଏ, ସେ ବୋଧହୁଏ ପ୍ୟାରିସ୍ ପୋଲିସ୍ର ବୋକାମୀକୁ ଦେଖି ସେବେଠାରୁ ହସୁଛନ୍ତି। ୧୯୧୧ ମସିହା ଅଗଷ୍ଟ ୨୧ ତାରିଖ ସକାଳେ ଏକ ସାଧାରଣ ଲୋକ ଲୁଵର୍ ମ୍ୟୁଜିୟମରେ ପଶିଲା, କାନ୍ଥରୁ ମୋନାଲିସାଙ୍କ ଚିତ୍ରଟି କାଢ଼ିଲା, କୋଟ୍ ଭିତରେ ଲୁଚାଇଲା ଆଉ ସିଧା ବାହାରକୁ ଖସି ପଳାଇଲା । କେହି ଦେଖିଲେ ନାହିଁ, କେହି ପଚାରିଲେ ନାହିଁ। ଆମ ଦେଶରେ ମନ୍ଦିର ବାହାରୁ ଜୋତା ଚୋରି କଲାବେଳେ ବି ଲୋକେ ଧରାପଡ଼ି ଛେଚା ଖାଆନ୍ତି, କିନ୍ତୁ ଏଠି ଵିଶ୍ୱର ସବୁଠାରୁ ଦାମୀ କଳାକୃତି ଏତେ ଆରାମରେ ଚୋରି ହୋଇଗଲା ଯେମିତି କିଏ ନିଜ ଶ୍ୱଶୁର ଘରୁ ଆଚାର ଡବାଟିଏ ଉଠାଇ ନେଇଯାଉଛି।
ପରଦିନ ଯେତେବେଳେ ମ୍ୟୁଜିୟମ ଖୋଲିଲା, କର୍ମଚାରୀମାନେ ଦେଖିଲେ କାନ୍ଥ ଖାଲି। ସରକାରୀ କର୍ମଚାରୀଙ୍କ ମାନସିକତା ସବୁଠି ସମାନ। ଯେ ପର୍ଯ୍ୟନ୍ତ ନିଆଁ ନ ଲାଗିଛି, ସେ ପର୍ଯ୍ୟନ୍ତ ସମସ୍ତେ ଶୋଇଥାନ୍ତି। ଶେଷରେ ଯେତେବେଳେ ନିଶ୍ଚିତ ହେଲା ଯେ ଚୋରି ହୋଇଛି, ପ୍ୟାରିସ୍ରେ ଆତଙ୍କ ଖେଳିଗଲା। ମ୍ୟୁଜିୟମ୍ ଡାଇରେକ୍ଟରଙ୍କୁ ଚାକିରିରୁ ବିଦା କରାଗଲା। ଖବରକାଗଜଗୁଡ଼ିକ ସରକାରଙ୍କ ମୁଣ୍ଡ ଖାଇଵା ଆରମ୍ଭ କଲେ। ପୋଲିସ୍ ଉପରେ ଚାପ ପଡ଼ିଲା।
ଏବେ ପୋଲିସର ନିୟମ ହେଉଛି— ଯଦି ପ୍ରକୃତ ଚୋର ମିଳୁନାହିଁ, ତେବେ ଏମିତି କାହାକୁ ଧର ଯାହାକୁ ଦେଖିଲେ ଲୋକେ ଭାବିବେ ଯେ ହଁ, ଏଇ ଲୋକଟା ହିଁ ଚୋରି କରିଥିଵ।
କିନ୍ତୁ ଆପଣ ଭାବୁଥିବେ ସେତେବେଳେ ପୋଲିସ୍ କାହାକୁ ସନ୍ଦେହ କରିବ? କୌଣସି ପେସାଦାର ଚୋର, ମାଫିଆ ଵା ଗୁଣ୍ଡାକୁ ? ନା! ପୋଲିସ୍ ସନ୍ଦେହ କଲା ଜଣେ କଵି ଉପରେ। ତାଙ୍କ ନାମ ଥିଲା Guillaume Apollinaire। ସେ ଥିଲେ ଜଣେ ପ୍ରସିଦ୍ଧ ଫରାସୀ କଵି ଏଵଂ କଳା ସମାଲୋଚକ।
ଵର୍ତ୍ତମାନ ପ୍ରଶ୍ନ ଉଠୁଛି, କଵିଙ୍କୁ କାହିଁକି ସନ୍ଦେହ କରାଗଲା? ସମାଜରେ କଵି, ଲେଖକ ଓ ବୁଦ୍ଧିଜୀଵୀମାନଙ୍କର ସ୍ଥିତି ବଡ଼ ଅଜବ। ସେମାନେ ନିଜ କଵିତାରେ ଏତେ ଗୁଡ଼ାଏ ଵିପ୍ଳଵ, ଭଙ୍ଗାରୁଜା ଓ ପୁରୁଣା ପରମ୍ପରାକୁ ନଷ୍ଟ କରିଵାର କଥା ଲେଖିଥାନ୍ତି ଯେ ପୋଲିସ୍ ଭାବେ, "ଶଳା ଏଇଟା ହିଁ ଅସଲ ଆତଙ୍କଵାଦୀ।" ଆପୋଲିନେୟାର ଥରେ ଏକ ପ୍ରବନ୍ଧରେ ଲେଖିଥିଲେ ଯେ, "ଲୁଵର୍ ମ୍ୟୁଜିୟମକୁ ଜାଳି ଦେଵା ଉଚିତ୍!" କଵି ଲୋକ, ଭାବପ୍ରଵଣ ହୋଇ କିଛି ଗୋଟେ ବୌଦ୍ଧିକ କଥା ଲେଖିଦେଇଥିଲେ। ତାଙ୍କର କହିଵାର ଅର୍ଥ ଥିଲା ଯେ ପୁରୁଣା କଳାକୁ ଛାଡ଼ି ନୂଆ କଳା ସୃଷ୍ଟି କରିଵା ଦରକାର। କିନ୍ତୁ ଦରମାଖିଆ ପୋଲିସ୍ ଇନ୍ସପେକ୍ଟର କ'ଣ ଏହି ରୂପକ ଅଳଙ୍କାର ବୁଝିଵ ? ସେ ଭାବିଲା, ଯିଏ ମ୍ୟୁଜିୟମ୍ ଜାଳିଦେଵା କଥା କହୁଛି, ସିଏ ନିଶ୍ଚୟ ମୋନାଲିସାଙ୍କ ଚିତ୍ରଟି ଚୋରି କରିଥିବ। ଆଉ ଏକ କାରଣ ମଧ୍ୟ ଥିଲା। ଆପୋଲିନେୟାରଙ୍କର ଜଣେ ପୂର୍ଵତନ ସେକ୍ରେଟାରୀ ଥିଲା ଯିଏକି ଆଗରୁ ଲୁଵର୍ ମ୍ୟୁଜିୟମରୁ କିଛି ଛୋଟମୋଟ ମୂର୍ତ୍ତି ଚୋରି କରି ଆଣିଥିଲା ଏଵଂ ଆପୋଲିନେୟାର ସେଗୁଡ଼ିକୁ ନିଜ ଘରେ ରଖିଥିଲେ। ବାସ୍, ପୋଲିସ୍ ପାଇଁ ଏତିକି ପ୍ରମାଣ ଯଥେଷ୍ଟ ଥିଲା। ସେପ୍ଟେମ୍ବର ୭, ୧୯୧୧ ମସିହାରେ ପୋଲିସ୍ ଯାଇ ଆପୋଲିନେୟାରଙ୍କ ଘରେ ପହଞ୍ଚିଲା।
"ଚାଲ ବାବୁ, ଥାନାକୁ।"
"କିନ୍ତୁ ମୁଁ ଜଣେ କଵି, ମୁଁ ଜଣେ ସମାଲୋଚକ!" ଆପୋଲିନେୟାର ଯୁକ୍ତି କଲେ।
"ଥାନାରେ ପହଞ୍ଚିଵା ପରେ ତୁମର ସବୁ ସମାଲୋଚନା ଆମେ ବାହାର କରିଦେବୁ, ଆସ।" ପୋଲିସ୍ ବାବୁ କହିଲେ।
ପୋଲିସ ହାଜତ ଏକ ଏମିତି ଜାଗା ଯେଉଁଠି ବଡ଼ ବଡ଼ ଦାର୍ଶନିକଙ୍କ ଦର୍ଶନ ଵିଫଳ ହୋଇଯାଏ। ଯେଉଁ କଵିମାନେ କଵିତାରେ ଛାତି ଦେଖାଇ ଗୁଳି ଖାଇଵାକୁ ପ୍ରସ୍ତୁତ ଥାଆନ୍ତି, ପୋଲିସର ଗୋଟିଏ ଚାପୁଡ଼ାରେ ସେମାନେ ନିଜ ଜେଜେବାପାଙ୍କଠାରୁ ଆରମ୍ଭ କରି ପଡ଼ୋଶୀ କୁକୁରର ନାମ ପର୍ଯ୍ୟନ୍ତ ସବୁ ସତ ଓଗାଳି ଦିଅନ୍ତି। ଆପୋଲିନେୟାରଙ୍କ ଅଵସ୍ଥା ମଧ୍ୟ ସେହିପରି ହେଲା।
ଆପୋଲିନେୟାର ଥିଲେ ସୁକୁମାର ବୁଦ୍ଧିଜୀବୀ। କଫି ହାଉସ୍ରେ ବସି ସିଗାରେଟ୍ ଟାଣି ଟାଣି କଳା ଉପରେ ଘଣ୍ଟା ଘଣ୍ଟା ଭାଷଣ ଦେଵା ଅଲଗା କଥା ଏଵଂ ପୋଲିସ୍ ଇନ୍ସପେକ୍ଟରର ଲାଲ୍ ଆଖି ସାମ୍ନାରେ ଛିଡ଼ା ହେଵା ଅଲଗା କଥା। ପୋଲିସ୍ ତାଙ୍କୁ ଜେରା ଆରମ୍ଭ କଲା।
"କୁହ କଵି, ମୋନାଲିସା କେଉଁଠି ଅଛି?"
"ମୁଁ ଜାଣିନି ଆଜ୍ଞା। ମୁଁ କେଵଳ କଳାର ପୂଜାରୀ।"
"ତୁମେ ନିଜେ ଲେଖିଥିଲ ଲୁଵର୍ ମ୍ୟୁଜିୟମ୍ ଜାଳିଦେଵ ବୋଲି?"
"ଆଜ୍ଞା, ସେଟା ଗୋଟେ 'ମେଟାଫର୍' (Metaphor) ଥିଲା। ସାହିତ୍ୟିକ ଭାଷା।"
"ଥାନାରେ କୌଣସି ମେଟାଫର୍ ଚାଲେନି, କେଵଳ ମାଡ଼ ଚାଲେ। ସତ କୁହ, ନହେଲେ ତମ କଵିତାକୁ ଫଵିତା କରିଦେବି।"
ଏତିକି ଶୁଣିଲା ମାତ୍ରେ ଆପୋଲିନେୟାରଙ୍କ ଭିତରେ ଥିଵା ଵୀର ରସର କଵିତା ଶାନ୍ତ ରସରେ ପରିଣତ ହୋଇଗଲା। ଭୟରେ ତାଙ୍କର ପ୍ୟାଣ୍ଟ୍ ଓଦା ହୋଇଗଲା। ସେ ବୁଝିଗଲେ ଯେ ଏହି ମୂର୍ଖ ପୋଲିସ୍ବାଲାମାନେ ତାଙ୍କୁ ହିଁ ମୋନାଲିସା ଚୋର ସଜାଇ ଦେବେ। ମଣିଷ ଯେତେବେଳେ ବୁଡ଼ିଵାକୁ ବସେ, ସେତେବେଳେ ସେ କୁଟା ଖିଅଟିକୁ ବି ଧରେ। ଆଉ ଯଦି କୁଟା ନମିଳେ, ତେବେ ନିଜର ସବୁଠାରୁ ପ୍ରିୟ ସାଙ୍ଗର ଗୋଡ଼ ଟାଣେ।
ଆପୋଲିନେୟାର ଭାବିଲେ, ମୁଁ ଏକୁଟିଆ କାହିଁକି ମରିବି? ଯଦି ବୁଡ଼ିବି, ତେବେ ମୋ ସାଙ୍ଗକୁ ବି ସାଥିରେ ନେଇ ବୁଡ଼ିବି। ସେ ପୋଲିସକୁ କହିଲେ, "ଦେଖନ୍ତୁ ସାର୍, ମୁଁ ଏଥିରେ ନାହିଁ। କିନ୍ତୁ ମୋର ଏକ ସାଙ୍ଗ ଅଛି, Pablo Picasso। ସେ ଟିକେ ଆଡ଼ବାଇଆ ଚିତ୍ରକର। ସେ ବଙ୍କା ଟେହେଣା ମୁହଁ ଥିଵା ଲୋକଙ୍କର ଚିତ୍ର ଆଙ୍କେ। ତା'ର କଳା ପ୍ରତି ଭାରି ନିଶା। ହୁଏତ ସେ ହିଁ ମୋନାଲିସାକୁ ଚୋରି କରିଥିଵ।"
ବାସ୍! ଏତିକି ଦରକାର ଥିଲା। ସଙ୍କଟ ସମୟରେ ହିଁ ପ୍ରକୃତ ବନ୍ଧୁତାର ପରୀକ୍ଷା ହୁଏ ବୋଲି କୁହାଯାଏ। କିନ୍ତୁ ଆମର ଏଠି ବନ୍ଧୁ ହିଁ ବନ୍ଧୁକୁ ସଙ୍କଟ ଭିତରକୁ ଠେଲି ଦେଲା। ପୋଲିସ୍ ତୁରନ୍ତ ଏକ ଟିମ୍ ପଠାଇଲା ଏଵଂ ପାବ୍ଲୋ ପିକାସୋଙ୍କୁ ଉଠାଇ ଆଣିଲା।
ପାବ୍ଲୋ ପିକାସୋଙ୍କ ନାମଟି ଶୁଣିଲେ ଆଜି ଲୋକେ ଭକ୍ତିରେ ମୁଣ୍ଡିଆ ମାରନ୍ତି। ତାଙ୍କର ଗୋଟିଏ ଗୋଟିଏ ଚିତ୍ର ଆଜି ଶହ ଶହ କୋଟି ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ୧୯୧୧ ମସିହାରେ ପିକାସୋ କେଵଳ ଜଣେ ସଂଘର୍ଷରତ, ଅଳ୍ପ-ପରିଚିତ ଆଧୁନିକ ଚିତ୍ରକର ଥିଲେ। ସେ ପ୍ୟାରିସ୍ର ଏକ ଶସ୍ତା ଘରେ ରହୁଥିଲେ। ତାଙ୍କର ଚିତ୍ର ଆଙ୍କିଵାର କ୍ୟୁବିଜିମ୍ ଶୈଳୀ ଦେଖି ସାଧାରଣ ଲୋକେ ଭାବୁଥିଲେ ଯେ ଲୋକଟା ନିଶ୍ଚୟ ପାଗଳ। ଗୋଟିଏ ମୁହଁରେ ଆଖି କେଉଁଠି ତ ନାକ ଆଉ କେଉଁଠି।
ଯେତେବେଳେ ପୋଲିସ୍ ଯାଇ ପିକାସୋଙ୍କ ଦ୍ୱାର ବାଡ଼େଇଲା, ପିକାସୋ ବୋଧହୁଏ ଭାବିଥିବେ କିଏ ଗ୍ରାହକ ଆସିଛି। କିନ୍ତୁ ପୋଲିସକୁ ଦେଖି ତାଙ୍କର ରଙ୍ଗ-ତୁଳୀ ଖସିପଡ଼ିଲା। "ଆପଣଙ୍କୁ ଆପୋଲିନେୟାର ଫସାଇଛନ୍ତି, ଚାଲନ୍ତୁ ଥାନାକୁ।"
ପିକାସୋ ଥିଲେ ଜଣେ ସ୍ପେନୀୟ ନାଗରିକ ଏଵଂ ଫ୍ରାନ୍ସରେ ରହୁଥିଲେ। ଵିଦେଶୀ ଲୋକ, ତା' ଉପରେ ପୋଲିସ୍ର ଧରପକଡ଼। ପିକାସୋଙ୍କର ଅଵସ୍ଥା ଶୋଚନୀୟ ହୋଇଗଲା। କୁହାଯାଏ, ମଣିଷର ଅସଲ ଚରିତ୍ର ଭୟ ସମୟରେ ହିଁ ବାହାରକୁ ଆସେ। ପିକାସୋ ନିଜ ଚିତ୍ର ମାଧ୍ୟମରେ ସମାଜର ନିୟମକୁ ଭାଙ୍ଗିଵାର ସାହସ ଦେଖାଉଥିଲେ, ପୋଲିସ୍ ଗାଡ଼ିରେ ବସିଲା ବେଳେ ଏକ ଭୟଭୀତ ଛୁଆ ପରି ଥରୁଥିଲେ। ସେ ଭାବୁଥିଲେ, ଏହି ଫରାସୀ ପୋଲିସ୍ ତାଙ୍କୁ ସ୍ପେନ୍କୁ ତଡ଼ିଦେବେ କିମ୍ବା ଆଜୀଵନ ଜେଲ୍ରେ ପୂରାଇଦେବେ।
ପ୍ୟାରିସ୍ର ଏକ ପୋଲିସ୍ ଷ୍ଟେସନ୍ରେ ପୋଲିସ ଅଫିସର ଜଣକ ପିକାସୋଙ୍କୁ ଚାହିଁ ପଚାରିଲେ, "ତେବେ, ତୁମେ ହିଁ ମୋନାଲିସାକୁ ଚୋରି କରିଛ?"
ପିକାସୋଙ୍କ କଣ୍ଠରୁ ସ୍ୱର ବାହାରୁ ନଥାଏ। ଡରିଯାଇ ସେ କହିଲେ, "ନାଇଁ ଆଜ୍ଞା, ମୁଁ ଚୋରି କରିନି।"
ଅଫିସର ଆପୋଲିନେୟାରଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, "କିନ୍ତୁ ତୁମର ଏହି ସାଙ୍ଗ କହୁଛି ଯେ ତୁମେ ହିଁ ଚୋର।"
ଏବେ ଆସିଲା ସେହି ମୁହୂର୍ତ୍ତ, ଯାହା ଇତିହାସର ସବୁଠାରୁ ହାସ୍ୟାସ୍ପଦ ଓ କରୁଣ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ। ପିକାସୋ, ଆପୋଲିନେୟାରଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ, ଯାହାଙ୍କ ସହ ସେ ପ୍ରତିଦିନ ଖାଉଥିଲେ, ପିଉଥିଲେ ଏଵଂ କଳା ଉପରେ ଚର୍ଚ୍ଚା କରୁଥିଲେ, ସେହି ପିକାସୋ ଆପୋଲିନେୟାରଙ୍କ ଆଡ଼କୁ ଏମିତି ଅପରିଚିତ ଭାବରେ ଚାହିଁଲେ ଯେମିତି କିଏ ମଙ୍ଗଳ ଗ୍ରହରୁ ଆସିଛି।
ପିକାସୋ କାନ୍ଦ କାନ୍ଦ ହୋଇ, ପୋଲିସ୍ ଅଫିସରଙ୍କୁ କହିଲେ, "ମୁଁ ଏ ଲୋକଙ୍କୁ ଜାଣିନାହିଁ! ମୁଁ ଏହାଙ୍କୁ ଜୀଵନରେ କେବେବି ଦେଖିନାହିଁ!"
ଏକଥା ଶୁଣି ଆପୋଲିନେୟାରଙ୍କ ମୁଣ୍ଡରେ ଵଜ୍ର ପଡ଼ିଲା। ଯେଉଁ ସାଙ୍ଗକୁ ସେ ନିଜେ ଫସାଇଥିଲେ, ସେ ତାଙ୍କୁ ଚିହ୍ନିଵାକୁ ମନା କରିଦେଲା ! ଏବେ ଦୁଇ ମହାନ କଳାକାରଙ୍କ ମଧ୍ୟରେ ଯେଉଁ ନାଟକ ଆରମ୍ଭ ହେଲା, ତାହା ଦେଖି ସେକ୍ସପିୟର ବି ଲଜ୍ଜିତ ହୋଇଯାଇଥାନ୍ତେ ।
ଆପୋଲିନେୟାର କାନ୍ଦିଵାକୁ ଲାଗିଲେ। ପିକାସୋ ବି ଭୋ ଭୋ ହୋଇ କାନ୍ଦିଵା ଆରମ୍ଭ କଲେ। ଦୁଇ ବୁଦ୍ଧିଜୀଵୀ, ଦୁଇ ବିପ୍ଳଵୀ କଳାକାର, ପୋଲିସ୍ ଷ୍ଟେସନରେ ଛୋଟ ପିଲାଙ୍କ ପରି ଲୁହ ଗଡ଼ାଇ କହିଵାକୁ ଲାଗିଲେ, "ମୁଁ ନିର୍ଦ୍ଦୋଷ, ଏଇଟା ମିଛ କହୁଛି, ମୁଁ ଏହାକୁ ଜାଣିନି।"
ଭାବନ୍ତୁ ତ, ଆଜି ଆମେ ଏହି ଦୁଇ ଜଣଙ୍କ ଉପରେ କେତେ ଗବେଷଣା କରୁଛୁ। ଛାତ୍ରଛାତ୍ରୀମାନେ PhD କରୁଛନ୍ତି। ପିକାସୋଙ୍କ ପେଣ୍ଟିଂକୁ ବୁଝିଵା ପାଇଁ ଲୋକେ ମୁଣ୍ଡ ଖରାପ କରୁଛନ୍ତି। ଆଉ ସେହି ଵ୍ୟକ୍ତି ନିଜ ପ୍ରାଣ ଵିକଳରେ ନିଜର ସବୁଠାରୁ ଭଲ ସାଙ୍ଗକୁ ଚିହ୍ନିଵାକୁ ମନା କରୁଥିଲା। ଏହାକୁ ହିଁ କହନ୍ତି ମାନଵ ଚରିତ୍ରର ପ୍ରକୃତ ରୂପ। ଦର୍ଶନ, କଳା, ଆଦର୍ଶ—ଏ ସବୁ କେଵଳ ପେଟ ପୂରିଥିଵା ବେଳେ ଏଵଂ ସୁରକ୍ଷିତ ଥିଵା ବେଳେ ମନେପଡ଼େ। ଯେତେବେଳେ ଥାନାର ବେତ ପିଠି ପାଖରେ ପହଞ୍ଚେ, ସେତେବେଳେ Socialism,Idealism,Capitalism,Communism ଓ Pacifism ଇତ୍ୟାଦି ସବୁ 'ଇଜିମ୍' (Ism) ବାଷ୍ପ ହୋଇ ଉଡ଼ିଯାଏ, ବଳିପଡ଼େ କେଵଳ ବଞ୍ଚିଵାର ଇଚ୍ଛା। ମୋତେ ଲାଗେ, ସେଦିନ ପିକାସୋ ନିଜ ଜୀଵନର ସବୁଠାରୁ ଵାସ୍ତଵଵାଦୀ ଅଭିନୟ କରିଥିଲେ।
ଦୁଇ କଳାକାରଙ୍କ ଏହି କାନ୍ଦଣା, ପରସ୍ପରକୁ ଦୋଷାରୋପ ଏଵଂ ଅତ୍ୟଧିକ ଭୟ ଦେଖି ମାମଲାର ତଦନ୍ତ କରୁଥିଵା ଵିଚାରପତି ଆନ୍ରି ଡ୍ରିଓଙ୍କ ମୁଣ୍ଡ ଘୂରାଇଲା। ସେ ଜଣେ ଅଭିଜ୍ଞ ଲୋକ ଥିଲେ। ସେ ଭାବିଲେ, ଯେଉଁ ଲୋକମାନେ ନିଜ ସାଙ୍ଗକୁ ଚିହ୍ନିଵାକୁ ଭୟ କରୁଛନ୍ତି, ଯେଉଁମାନେ ପୋଲିସ୍ ଷ୍ଟେସନରେ ଏମିତି ରଡ଼ି ପକାଇ କାନ୍ଦୁଛନ୍ତି, ସେମାନେ ଜୀଵନରେ ଆଉ ଯାହା ବି କରିପାରନ୍ତି, କିନ୍ତୁ ଵିଶ୍ୱର ସବୁଠାରୁ ବଡ଼ ମ୍ୟୁଜିୟମରୁ ଵିଶ୍ୱର ସବୁଠାରୁ ପ୍ରସିଦ୍ଧ ଚିତ୍ରକୁ ଏତେ ଚତୁରତାର ସହ ଚୋରି କରିପାରିବେ ନାହିଁ। ଏହି ଅକର୍ମା ବୁଦ୍ଧିଜୀଵୀମାନଙ୍କର ଏତେ ସାହସ ହିଁ ନାହିଁ। ଏମାନେ କେଵଳ କାଗଜରେ ବାଘ, ଵାସ୍ତଵରେ ମୂଷା। ଏହି ସିଦ୍ଧାନ୍ତରେ ପହଞ୍ଚିଵା ପରେ,ଵିଚାରପତି ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଲେ। ପ୍ରମାଣ ଅଭାବରୁ ଏଵଂ ସେମାନଙ୍କର ଅତ୍ୟଧିକ ଭୟଭୀତ ଆଚରଣ ଯୋଗୁଁ ସେମାନେ ରକ୍ଷା ପାଇଗଲେ। କିନ୍ତୁ ଖଲାସ ହେଵା ପରେ ଯେତେବେଳେ ସେମାନେ ଥାନା ବାହାରକୁ ଆସିଲେ, ସେମାନଙ୍କ ବନ୍ଧୁତାରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା, ତାହା ସହଜରେ ଯୋଡ଼ି ହେଲା ନାହିଁ। ପିକାସୋ ସାରା ଜୀଵନ ଏହି ଘଟଣାକୁ ନେଇ ଲଜ୍ଜିତ ରହିଥିଲେ। ପରଵର୍ତ୍ତୀ ସମୟରେ ସେ କେବେବି ଏହି ଵିଷୟରେ ଖୋଲାଖୋଲି କଥା ହେଵାକୁ ପସନ୍ଦ କରୁନଥିଲେ। କିଏ ଵା ନିଜର କାପୁରୁଷତାକୁ ଡେଙ୍ଗୁରା ପିଟି କହିଵ ?
କିନ୍ତୁ ଯଦି ଆପୋଲିନେୟାର ଓ ପିକାସୋ ଚୋର ନଥିଲେ, ତେବେ ଚୋର କିଏ ଥିଲା? ଫରାସୀ ପୋଲିସ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଅନ୍ଧାରରେ ବାଡ଼ି ବୁଲାଉଥିଲା କିନ୍ତୁ ଏହି ପ୍ରଶ୍ନର କୌଣସି ଉତ୍ତର ମିଳିପାରିନଥିଲା । ସେମାନେ ଭାବୁଥିଲେ ଏହା କୌଣସି ଆନ୍ତର୍ଜାତୀୟ ଗ୍ୟାଙ୍ଗ୍ର କାମ। କୌଣସି କୋଟିପତି କିମ୍ବା ଅବ୍ଜପତି(Billionaire) ଏହାକୁ କିଣି ନେଇଛି। କିନ୍ତୁ ସତ କଥା ଥିଲା ଅତ୍ୟନ୍ତ ସାଧାରଣ ଏଵଂ ପୋଲିସର ମୁହଁରେ ଶକ୍ତ ଚାପୁଡ଼ା ସଦୃଶ।
୧୯୧୩ ମସିହା। ମୋନାଲିସା ଚୋରି ହେଵାର ପୂରା ଦୁଇ ଵର୍ଷ ବିତିଯାଇଥାଏ। ଇଟାଲୀର ଫ୍ଲୋରେନ୍ସ ସହରର ଜଣେ ଆର୍ଟ ଡିଲର୍ଙ୍କ ପାଖକୁ ଏକ ଚିଠି ଆସିଲା। ଚିଠି ଲେଖିଥିଵା ଵ୍ୟକ୍ତି ଜଣକ କହିଲେ ଯେ ତାଙ୍କ ପାଖରେ ଅସଲି 'ମୋନାଲିସା' ଅଛି ଏଵଂ ସେ ତାକୁ ଇଟାଲୀକୁ ଫେରାଇ ଦେଵାକୁ ଚାହୁଁଛନ୍ତି, କିନ୍ତୁ କିଛି ପୁରସ୍କାର ରାଶି ବଦଳରେ। ଡିଲର୍ ଜଣକ ପୋଲିସ୍ ନେଇ ପହଞ୍ଚିଲେ ଏଵଂ ଏକ ହୋଟେଲ୍ ରୁମ୍ରେ ଧରାପଡ଼ିଲା ପ୍ରକୃତ ଚୋର। ଚୋରର ନାମ ଥିଲା Vincenzo Peruggia। ସେ କୌଣସି ଅନ୍ତର୍ଜାତୀୟ ମାଫିଆ କିମ୍ବା ବଡ଼ କଳା ସମାଲୋଚକ ନଥିଲା। ସେ ଥିଲା ଲୁଵର୍ ମ୍ୟୁଜିୟମରେ କାମ କରୁଥିଵା ଜଣେ ସାଧାରଣ ଇଟାଲୀୟ କାରିଗର । ସେ ସେହି ଗ୍ଲାସ୍ ବାକ୍ସ ତିଆରି କରିଵାରେ ସାହାଯ୍ୟ କରିଥିଲା ଯେଉଁଥିରେ ଚିତ୍ରଗୁଡ଼ିକ ରଖାଯାଉଥିଲା।
Vincenzo କିପରି ଚୋରି କଲା? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କୌଣସି ହଲିଉଡ୍ ସିନେମା ଭଳି ଲେଜର୍ ବିମ୍, ହେଲିକପ୍ଟର କିମ୍ବା ବୋମା ଵିସ୍ଫୋରଣ ନଥିଲା। ସେ ସେଦିନ ମ୍ୟୁଜିୟମ୍ ବନ୍ଦ ହେଵା ବେଳେ ଏକ ଝାଡ଼ୁ ରଖାଯାଉଥିଵା ଆଲମିରା ଭିତରେ ଲୁଚି ରହିଲା। ରାତି ସାରା ସେଇଠି ଶୋଇଲା। ସକାଳେ ଯେତେବେଳେ କେହି ନଥିଲେ, ସେ ବାହାରକୁ ଆସିଲା। କାନ୍ଥରୁ ମୋନାଲିସା ଚିତ୍ରଟି କାଢ଼ିଲା। ଫ୍ରେମ୍ ଖୋଲିଲା। କାନ୍ଭାସ୍ଟିକୁ ନିଜର କାମ କରିଵା ବେଳେ ପିନ୍ଧୁଥିଵା ଲମ୍ବା କୋଟ୍ ଭିତରେ ଲୁଚାଇଲା ଆଉ ସିଧା ମୁଖ୍ୟ ଦ୍ୱାର ଦେଇ ବାହାରକୁ ଚାଲିଆସିଲା। ଗେଟ୍ରେ ଥିଵା ସିକ୍ୟୁରିଟି ଗାର୍ଡ ତାକୁ ସୁପ୍ରଭାତ ମଧ୍ୟ କହିଥିଲା! ଦୁଇ ଵର୍ଷ ଧରି ସେହି ଵିଶ୍ୱପ୍ରସିଦ୍ଧ ମୋନାଲିସା ଚିତ୍ରଟି ପ୍ୟାରିସ୍ରେ ଥିଵଖ ତା'ର ଏକ ଛୋଟ ଭଡ଼ା ଘରର ଏକ ଟ୍ରଙ୍କ୍ ଭିତରେ ଲୁଚି ରହିଥିଲା, ଆଉ ପୋଲିସ୍ ପୂରା ଦୁନିଆରେ ପିକାସୋଙ୍କ ପରି ଲୋକଙ୍କୁ ଧରି ପିଟୁଥିଲା।
ଵିନ୍ସେଞ୍ଜୋର ଯୁକ୍ତି କ'ଣ ଥିଲା? ସେ କହିଲା ଯେ ଲିଓନାର୍ଡୋ ଦା ଭିନ୍ସି ଥିଲେ ଇଟାଲୀୟ। ତେଣୁ ତାଙ୍କର କଳାକୃତି ଇଟାଲୀର ସମ୍ପତ୍ତି। ନେପୋଲିଅନ୍ ଏହାକୁ ଚୋରି କରି ଫ୍ରାନ୍ସ ନେଇଯାଇଥିଲେ। ସେ କେଵଳ ଇଟାଲୀର ଗୌରଵକୁ ଫେରାଇ ଆଣିଵାକୁ ଚେଷ୍ଟା କରୁଥିଲା। (ସତ କଥା ହେଉଛି ଲିଓନାର୍ଡୋ ନିଜେ ହିଁ ମୋନାଲିସା ଚିତ୍ରଟିକୁ ଫ୍ରାନ୍ସର ରାଜାଙ୍କୁ ବିକ୍ରି କରିଥିଲେ, ନେପୋଲିଅନ୍ ଚୋରି କରିନଥିଲେ। କିନ୍ତୁ ଦେଶଭକ୍ତିର ନିଶା ଥିଵା ଲୋକଙ୍କୁ ଇତିହାସ ପଢ଼ାଇଵା ଯାହା, କାନ୍ଥରେ ମୁଣ୍ଡ ପିଟିଵା ତାହା ।ଇଟାଲୀୟମାନେ ତାକୁ ଜଣେ ରାଷ୍ଟ୍ରୀୟ ହିରୋ ଭାବେ ଗ୍ରହଣ କଲେ, ଏଵଂ ତାକୁ ମାତ୍ର କିଛି ମାସର ଜେଲ୍ ଦଣ୍ଡ ମିଳିଲା।
ଯଦି ଆମେ ଏହି ପୂରା ଘଟଣାକୁ ଦେଖିବା, ତେବେ ଏହା କୌଣସି କ୍ରାଇମ୍ ଥ୍ରୀଲର୍ ନୁହେଁ, ଵରଂ ଏକ ଶ୍ରେଷ୍ଠ ଵ୍ୟଙ୍ଗ୍ୟ କାହାଣୀ ଵିଵେଚିତ ହେଵ । ଦୁନିଆ ଯାହାକୁ ମହାନ୍ ବୋଲି ଭାବେ, ଵାସ୍ତଵରେ ତାହା କେତେ ଦୃଢ଼, ଏ ଘଟଣା ତାର ପ୍ରମାଣ ଦିଏ।
ମୋନାଲିସା ଚୋରି ହେଵା ପୂର୍ଵରୁ ଏତେ ପ୍ରସିଦ୍ଧ ନଥିଲା। ଏହା ଲୁଵର୍ର ଶହ ଶହ ଚିତ୍ର ମଧ୍ୟରୁ ଗୋଟିଏ ଥିଲା। କିନ୍ତୁ ଯେତେବେଳେ ଏହା ଚୋରି ହୋଇଗଲା, ଖବରକାଗଜମାନେ ଏହାକୁ ଏତେ ବଢ଼ାଇ ଚଢ଼ାଇ ଲେଖିଲେ ଯେ, ଏହା ରାତାରାତି ଏକ ଵିଶ୍ୱସ୍ତରୀୟ 'ସେଲିବ୍ରିଟି' ପାଲଟିଗଲା। ଲୋକେ ଖାଲି କାନ୍ଥ ଦେଖିଵା ପାଇଁ ଟିକେଟ୍ କିଣିଵାକୁ ଲାଗିଲେ! ଅର୍ଥାତ୍ ଲୋକେ କଳାକୁ ସମ୍ମାନ କରୁନାହାନ୍ତି ଵରଂ 'ପ୍ରସିଦ୍ଧି' ଓ ଚାଞ୍ଚଲ୍ୟକୁ ସମ୍ମାନ କରୁଛନ୍ତି । ଏକ ଜିନିଷର ମୂଲ୍ୟ ସେତେବେଳେ ବଢ଼ିଯାଏ, ଯେତେବେଳେ ତାହା ଆମ ପାଖରେ ନଥାଏ।
ଆଉ ସେହି କାନ୍ଭାସ୍ ଭିତରେ ବନ୍ଦୀ ଥିଵା ମହିଳା ଜଣକ ସବୁ ଦେଖୁଥିଲା। ସେ ଦେଖିଲା କିପରି ଜଣେ ଇଟାଲୀୟ ତାକୁ କୋଟ୍ରେ ଗୁଡ଼ାଇ ନେଇଗଲା, କିପରି ପ୍ୟାରିସ୍ ପୋଲିସ୍ ଖାଲି ହାତରେ ମାଛି ମାରିଲା ଏଵଂ କିପରି ପିକାସୋଙ୍କ ଭଳି ମହାନ୍ ଲୋକେ ତା ପାଇଁ ଥାନାରେ କାନ୍ଦି କାନ୍ଦି ନିଜ ସମ୍ମାନ ହରାଇଲେ। ବୋଧହୁଏ, ମୋନାଲିସାର ସେହି ରହସ୍ୟମୟୀ ହସ ପଛରେ ଏହି ଭଵିଷ୍ୟତର ଘଟଣାକୁ ଦେଖି ଆଗୁଆ ହସିଵାର ଲକ୍ଷଣ ଲୁଚି ରହିଥିଲା। ଅଵଶ୍ୟ ପିକାସୋ ପରେ ଦୁନିଆର ସବୁଠାରୁ ବଡ଼ ଚିତ୍ରକର ହେଲେ। ଆପୋଲିନେୟାର କଵିତାରେ ନୂଆ ଯୁଗ ସୃଷ୍ଟି କଲେ। ଲୁଵର୍ ମ୍ୟୁଜିୟମର ସୁରକ୍ଷା କଡ଼ାକଡ଼ି କରାଗଲା। କିନ୍ତୁ ଇତିହାସର ପୃଷ୍ଠାରେ ସେହି ୧୯୧୧ ମସିହା ସେପ୍ଟେମ୍ବର ୭ ତାରିଖର ଦିନଟି ସବୁଦିନ ପାଇଁ ଲିପିବଦ୍ଧ ହୋଇଗଲା—ଯେଉଁ ଦିନ କଳା ଜଗତର 'ବାଘ'ମାନେ ପୋଲିସ୍ ଷ୍ଟେସନରେ 'ବିରାଡ଼ି' ପାଲଟି ଯାଇଥିଲେ। ଯଦି ଵ୍ୟଙ୍ଗ୍ୟସମ୍ରାଟ୍ ହରିଶଙ୍କର ପରସାଇ ଆଜି ଥାଆନ୍ତେ, ସେ ହୁଏତ ଏହି ଘଟଣା ଉପରେ ଏତିକି କହିଥାନ୍ତେ, "ମହାପୁରୁଷମାନଙ୍କୁ କେଵଳ ପୁସ୍ତକରେ ମହାନ୍ ରହିଵାକୁ ଦିଅ। ଯଦି ସେମାନଙ୍କୁ ଥାନାକୁ ନେଇଆସିଵ, ତେବେ ସେମାନେ ତୁମ ସାହିର ଭିକାରିଠାରୁ ବି ଅଧିକ ଦୟନୀୟ ଦେଖାଯିବେ।"