Tuesday, June 17, 2025

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସେହିପରି ଫିଲିପାଇନସର Tagalog ଭାଷାରେ Hindi ଶବ୍ଦର ଅର୍ଥ ନା(No) ଵା ନୁହେଁ (Not) ଅଟେ । ଆଚ୍ଛା ସାରା ଵିଶ୍ଵରେ‌ Meleagris ଜାତୀୟ ଲଞ୍ଜାକୁକୁଡ଼ାକୁ ଟର୍କୀପକ୍ଷୀ କୁହାଯାଉଥିଲାବେଳେ ତୁର୍କୀବାଲା ତାକୁ هندی(hindi) କୁହନ୍ତି। ତୁର୍କଭାଷାରେ هندی(hindi) ଶବ୍ଦଟି ଭାରତୀୟ ଓ ଟର୍କୀ ପକ୍ଷୀ ଅର୍ଥରେ ଵ୍ୟଵହୃତ ହୋଇଥାଏ । ପୁଣି ଏହି ତୁର୍କ ଶବ୍ଦ ମୂଳତଃ ଆରବୀ ଭାଷାର هِنْدِيّ (hindiyy) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ଭାରତୀୟ ଅଟେ।‌ ତେବେ ଵିଶ୍ଵଵାସୀ ଯୋଉ ଲଞ୍ଜାକୁକୁଡ଼ାକୁ "ଟର୍କୀ" କୁହନ୍ତି ସେ ପକ୍ଷୀକୁ ତୁର୍କୀଭାଷୀ Hindi କାହିଁକି କୁହନ୍ତି ? 

ଏହି ପ୍ରଶ୍ନର ଉତ୍ତର ଜାଣିଵାକୁ ହେଲେ ଆମକୁ 
ଟର୍କୀପକ୍ଷୀର ଇତିହାସ ଜାଣିଵାକୁ ହେଵ ।
ଆଜକୁ ପ୍ରାୟ ଚିରିଶହ ପାଞ୍ଚ ଶହ ଵର୍ଷ ତଳେ ଓଟୋମାନ ସାମ୍ରାଜ୍ୟର ତୁର୍କ ବେପାରୀମାନେ ପୂର୍ଵ ଆଫ୍ରିକାରୁ ଗିନି ଫାଉଲ୍ (Numida meleagris) ନାମକ ଏକ ଜାତୀୟ ପକ୍ଷୀଙ୍କୁ ଇଉରୋପରେ ନେଇ ବିକୁଥିଲେ।
       (Numida meleagris)

 ଏହି ପକ୍ଷୀଙ୍କୁ ଇଉରୋପୀୟମାନେ "ଟର୍କୀ-କକ୍" ଵା "ଟର୍କୀ-ହେନ୍" କହୁଥିଲେ, କାରଣ ଏହା ଓଟୋମାନ ତୁର୍କୀ ଲୋକଙ୍କ ଦ୍ଵାରା ୟୁରୋପରେ ବିକ୍ରି କରାଯାଉଥିଲା । ପରେ, ଯେତେବେଳେ ସ୍ପେନୀୟ ଅନୁସନ୍ଧାନକାରୀମାନେ ଉତ୍ତର ଆମେରିକାରୁ Meleagris gallopavo (ଟର୍କୀ) ନାମକ ଲଞ୍ଜାକୁକୁଡ଼ାଙ୍କୁ ୧୫୧୯ ମସିହା ପାଖାପାଖି ଇଉରୋପକୁ ଆଣିଥିଲେ, ଏହାର ଗିନି ଫାଉଲ୍ ସହ ସାମଞ୍ଜସ୍ୟ ଥିଵାରୁ ଇଉରୋପୀୟମାନେ ଏହାକୁ ମଧ୍ୟ "ଟର୍କୀ" ନାମ ଦେଇଥିଲେ। 

        (Meleagris gallopavo)

କ୍ରିଷ୍ଟୋଫର କଲମ୍ବସ ୧୪୯୨ରେ ଆମେରିକାର ୱେଷ୍ଟ ଇଣ୍ଡିଜରେ ପହଞ୍ଚି ଭାବିଥିଲେ ଯେ ସେ ଭାରତରେ ପହଞ୍ଚିଛନ୍ତି। ଜଣେ ଇଟାଲୀୟ ଅନୁସନ୍ଧାନକାରୀ ଅମେରିକୋ ଵେସ୍ପୁଚି, ୧୪୯୯ରୁ ୧୫୦୨ ମଧ୍ୟରେ କରିଥିଵା ଅନୁସନ୍ଧାନ ଯାତ୍ରାରେ ଏହା ପ୍ରମାଣ କରିଥିଲେ ଯେ କଲମ୍ବସ୍‌ ଆଵିଷ୍କାର କରିଥିଵା ନୂତନ ଭୂମି ଭାରତ ନୁହେଁ, ଵରଂ ଏକ ନୂଆ ମହାଦେଶ। ତାଙ୍କର ଚିଠି ଓ ମାନଚିତ୍ର ଅନୁସାରେ, ୧୫୦୭ ମସିହାରେ ଜର୍ମାନ ମାନଚିତ୍ର ନିର୍ମାତା ମାର୍ଟିନ୍‌ ଓ୍ଵାଲ୍ଡସେମୁଲର୍‌ ଏହି ନୂଆ ମହାଦେଶର ନାମ ଵେସ୍ପୁଚିଙ୍କ ନାମାନୁସାରେ “ଆମେରିକା” ରଖିଥିଲେ। ତେଣୁ, କଲମ୍ବସ୍‌ଙ୍କ ଆମେରିକା ଆଵିଷ୍କାର (୧୪୯୨)ର ପ୍ରାୟ ୧୫ ଵର୍ଷ (୧୫୦୭ ପର୍ଯ୍ୟନ୍ତ) ପରେ ସ୍ପଷ୍ଟ ହୋଇଥିଲା ଯେ ସେ ଅଞ୍ଚଳଟି ଭାରତ ନୁହେଁ, ଏକ ନୂଆ ଆଵିଷ୍କୃତ ମହାଦେଶର ଅଂଶ ଅଟେ। ଭେସ୍ପୁଚିଙ୍କ ପ୍ରମାଣ ମୁଖ୍ୟତଃ ୧୫୦୨ ମସିହା ସୁଦ୍ଧା ସ୍ପଷ୍ଟ ହୋଇଥିଲା, ଯାହା କଲମ୍ବସ୍‌ଙ୍କ ଆଵିଷ୍କାରର ୧୦ ଵର୍ଷ ପରେ ହୋଇଥିଲା।
 
(କ୍ରିଷ୍ଟୋଫର କଲମ୍ବସଙ୍କୁ ଆମେରିକାର କ୍ୟାପିଟଲ କୋଠାର ଗୋଲେଇରେ ଚିତ୍ରିତ କରାଯାଇଛି,ସେ ୱେଷ୍ଟଇଣ୍ଡିଜ୍‌ରେ ଏକ ଦ୍ୱୀପରେ ଅବତରଣ କରିଥିଲେ ଏଵଂ  ତତ୍କାଳୀନ ସ୍ଥାନୀୟ ଲୋକେ  ତାକୁ ଅକ୍ଟୋବର ୧୨, ୧୪୯୨ ସମୟରେ ଗୁଆନାହାନି ବୋଲି କହୁଥିଲେ।)

ତେବେ କଲମ୍ବସଙ୍କ ଭୁଲ ଯୋଗୁଁ, ଆମେରିକାରୁ ଆସୁଥିଵା କେତେକ ଜିନିଷକୁ ଅନେକ ଦିନ ଯାଏଁ "ଇଣ୍ଡିଆନ୍" ଵା "ଭାରତୀୟ" ସହ ଜଡ଼ିତ ନାମ ଦିଆଯାଇଥିଲା। ସେ ଯୁଗରେ ଭାରତୀୟ ଦ୍ରଵ୍ୟର ବଡ଼ ନାମ ଡାକ ଓ ପ୍ରତିଷ୍ଠା ଥିଲା ତେଣୁ ଭାରତୀୟ ନାମରେ ବିକିଲେ ବେପାରୀଙ୍କର ବହୁତ ଲାଭ ହେଉଥିଲା ।‌ ଅତଏଵ ଆମେରିକା ମହାଦେଶ ଦ୍ଵୟରୁ ଅଣାଯାଉଥିଵା ଫଳମୂଳ ଓ ଜୀଵଙ୍କୁ ବହୁ ଵର୍ଷ ଯାଏଁ ଭାରତୀୟ ଦ୍ରଵ୍ୟ ନାମରେ ବିକ୍ରି କରାଗଲା । ଫଳତଃ କେତେକ ଆଫ୍ରିକୀୟ ଓ ଏସୀୟ ଭାଷାରେ ଆମେରିକାରୁ ଅଣାଯାଇଥିଵା ଫଳମୂଳ ଓ ଜୀଵଙ୍କ ନାମ ସହିତ ଭାରତର ନାଆଁ ରହିଗଲା । ଏହାର ଏକ ଉଦାହରଣ Meleagris gallopavo (ଟର୍କୀ) ପକ୍ଷୀର ଭାରତ ଆଧାରରେ ନାମକରଣ ଅଟେ । 

ଆମେରିକା ଆଵିଷ୍କାର ପରେ ଅର୍ଥାତ୍ ଇଣ୍ଡିଜ ନାମରେ ପରିଚିତ ହେଵାର ପ୍ରାରମ୍ଭିକ ସମୟରେ Meleagris gallopavo ଵା ଟର୍କୀ ନାମକ ଲଞ୍ଜାକୁକୁଡ଼ାଙ୍କୁ ଫ୍ରେଞ୍ଚ ଲୋକେ ଭାରତୀୟ କୁକୁଡ଼ା ବା coq d'Inde ଓ poule d'Inde ଆଖ୍ୟା ଦେଇଥିଲେ ଯାହାର ଅର୍ଥ ଥିଲା ଭାରତରୁ ଆସିଥିଵା କୁକୁଡ଼ା । ଏ ନାମକରଣ କ୍ରିଷ୍ଟୋଫର କଲମ୍ବସଙ୍କ ଭୁଲ୍ ଯୋଗୁଁ ରଖାଯାଇଥିଲା । ଏହି ଭୁଲ ପରିଚୟ ଯୋଗୁଁ ଟର୍କୀର ନାମ ଫ୍ରେଞ୍ଚ ଭାଷାରେ d'Inde ହେଲା ଯାହା ପରେ rebracketing ମାଧ୍ୟମରେ dinde ଓ dindon ରୂପେ ପରିଣତ ହେଲା । ପ୍ରୋକ୍ତ ନାମକରଣର ପ୍ରଭାବ ଅନ୍ୟ ଅନେକ ଭାଷାରେ ମଧ୍ୟ ପଡ଼ିଥିଲା ଫଳତଃ ସେସବୁ ଭାଷାରେ ଟର୍କୀ ପକ୍ଷୀକୁ ଭାରତ ଵା ଇଣ୍ଡିଜ ସହ ଜଡ଼ିତ ନାମରେ ଡ଼କାଯାଇଥିଲା । ଏହା ଏକ ରୋଚକ ଭାଷାଗତ ଓ ଐତିହାସିକ ସଂଯୋଗକୁ ପ୍ରତିଫଳିତ କରେ ଯାହା ଔପନିବେଶିକ ଵାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନର ଫଳାଫଳ ଅଟେ ।  

coq d'Inde ଓ poule d'Inde ରୁ ଉତ୍ପନ୍ନ ହୋଇ ଫ୍ରେଞ୍ଚ ଭାଷାରେ ପରେ ମାଈ ଟର୍କୀକୁ dinde ଓ ପୁରୁଷ ଟର୍କୀକୁ dindon କୁହାଗଲା ‌। ଲାଡିନୋ ଭାଷାରେ ଟର୍କୀକୁ indiana ଓ biba କୁହାଗଲା ।‌ ଏଠି indiana ଶବ୍ଦଟି ସ୍ପଷ୍ଟ ଭାବେ ଇଣ୍ଡିଜ ଵା ଭାରତରୁ ଆସିଥିଵା ପକ୍ଷୀର ନାମକୁ ସୂଚାଏ । ଇରାକୀ ଆରବୀରେ ଟର୍କୀକୁ hendi କୁହାଗଲା ।‌ ଏହି ଆଧାରରେ ଆର୍ମେନୀୟ ଭାଷାରେ ମଧ୍ୟ hndkahav ନାମ ଦିଆଯାଇଛି ।ଏହାର ପଡୋ଼ଶୀ ଦେଶର ଆଜେରବାଇଜାନୀ ଭାଷାରେ hindushka ନାମ ମଧ୍ୟ ଭାରତୀୟ ସଂଯୋଗକୁ ସୂଚାଏ । ବାସ୍କ ଭାଷାରେ ଲଞ୍ଜାକୁକୁଡ଼ାଙ୍କୁ indioilar ନାମ ଦିଆଯାଇଛି ଯାହା ଇଣ୍ଡିଜରୁ ଆସିଥିବା ପକ୍ଷୀ ବୋଲି ସୂଚାଏ ।‌ ଲଞ୍ଜାକୁକୁଡ଼ାଙ୍କର କାଟାଲାନ୍ ଭାଷାରେ gall dindi ଓ indiot ନାମ ମଧ୍ୟ ଭାରତୀୟ ଉତ୍ସକୁ ନିର୍ଦ୍ଦେଶ କରେ ।‌ ଡାଲମେସିଆନ୍ ଭାଷାରେ ଏ ପକ୍ଷୀର dindiuota ଓ ଫ୍ରିଉଲିଆନ୍ ଭାଷାରେ dindi ତଥା dindiat ନାମ ମଧ୍ୟ ଫ୍ରେଞ୍ଚ dinde ରୁ ପ୍ରଭାଵିତ ହୋଇଛି ଯାହା ଭାରତୀୟ ସଂଯୋଗକୁ ବଞ୍ଚାଇ ରଖିଛି । ଲଞ୍ଜାକୁକୁଡ଼ାର ଜର୍ଜିଆନ୍ ଭାଷାରେ indauri ନାମ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରେ । ଇସ୍ରାଏଲର ହିବ୍ରୁ ଭାଷାରେ ଟର୍କୀକୁ tarnegol hodu ଓ hodu କୁହାଯାଏ । ହିବ୍ରୁ ଭାଷାର hodu ଶବ୍ଦଟି ଭାରତକୁ ନିର୍ଦ୍ଦେଶ କରେ । ଇଙ୍ଗ୍ରିଆନ୍ ଭାଷାରେ ଟର୍କୀପକ୍ଷୀକୁ kalkkuna ଓ indjukka ନାମ ଦିଆଯାଇଛି ଏଵଂ indjukka ମଧ୍ୟ ଭାରତୀୟ ପରିଚୟକୁ ସୂଚାଏ । ପୋଲିଶ ଭାଷାରେ ଟର୍କୀପକ୍ଷୀର indyk, indor, indyczka ଓ gula ଆଦି ନାମ ରହିଛି । ପୋଲିଶ ଭାଷାର indyk ଓ indyczka ଶବ୍ଦଗୁଡ଼ିକ ଭାରତୀୟ ଉତ୍ସ ସହ ଜଡ଼ିତ । ରୁଷିଆନ୍ ଭାଷାରେ ଟର୍କୀ ପକ୍ଷୀକୁ indjuk, indejka,indjushka ଓ turka ମାଈ ନାମ ଦିଆଯାଇଛି। ରୁଷିଆନ୍ indjuk ଓ indejka ଶବ୍ଦଗୁଡ଼ିକ ଭାରତୀୟ ସଂଯୋଗକୁ ସୂଚାଇଥିବା ବେଳେ turka ଓଟୋମାନ ସାମ୍ରାଜ୍ୟର ପ୍ରଭାଵକୁ ଦର୍ଶାଏ । ଟର୍କୀ ପକ୍ଷୀର ତୁର୍କ ଭାଷାରେ hindi,ତୁର୍କମେନ୍ ଭାଷାରେ indyuk ଓ ୟୁକ୍ରେନୀୟ ଭାଷାରେ indyk ତଥା indychka ଆଦି ନାମ ମଧ୍ୟ ଭାରତୀୟ ପରିଚୟରୁ ଉତ୍ପନ୍ନ । ସାର୍ଡିନିଆନ୍ ଭାଷାରେ ଟର୍କୀ ପକ୍ଷୀକୁ dindu,piocu,caboni de Indias ଓ pudda de India କୁହନ୍ତି ।‌caboni de Indias ଓ pudda de India ସିଧାସଳଖ ଇଣ୍ଡିଜ ଵା ଭାରତକୁ ନିର୍ଦ୍ଦେଶ କରେ ।‌

ଏହି ସମସ୍ତ ଭାଷାରେ ଟର୍କୀପକ୍ଷୀ ଵା ଲଞ୍ଜାକୁକୁଡ଼ାର ନାମକରଣରେ ଭାରତୀୟ ପରିଚୟର ଛାପ ଦେଖାଯାଏ ଯାହା କଲମ୍ବସଙ୍କ ଭୁଲ ଓ ଫ୍ରେଞ୍ଚ ଭାଷାରେ d'Inde ରୁ dinde ରୂପାନ୍ତରରୁ ଆରମ୍ଭ ହୋଇଥିଲା । ଏହା ଏକ ଅନନ୍ୟ ଭାଷାଗତ ଘଟଣା ଯେଉଁଠାରେ ଏକ ପକ୍ଷୀର ନାମ ଏକ ଭୌଗୋଳିକ ଭୁଲ ଯୋଗୁଁ ଵିଶ୍ଵର ଵିଭିନ୍ନ ଭାଷାରେ ଭାରତୀୟ ସଂଯୋଗ ସହ ଜଡ଼ିତ ହେଲା ଏହି ନାମଗୁଡ଼ିକ ଔପନିଵେଶିକ ଯୁଗର ଵାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନର ଏକ ଜୀଵନ୍ତ ଉଦାହରଣ ଯାହା ଆଜି ମଧ୍ୟ ଏହି ଭାଷାଗୁଡ଼ିକରେ ଟର୍କୀପକ୍ଷୀର ନାମରେ ପ୍ରତିଫଳିତ ହୁଏ ।

ତେବେ ତୁର୍କୀଦେଶ ଓ ଭାରତଵର୍ଷ ଛଡ଼ା ଆଉ ଏକ ଦେଶ "ପେରୁ"ର ନାମ ମଧ୍ୟ ଟର୍କୀ ପକ୍ଷୀ ସହିତ ସମ୍ବନ୍ଧିତ । ପର୍ତ୍ତୁଗୀଜ ଭାଷାରେ ଟର୍କି (turkey) ପକ୍ଷୀକୁ "peru" ନାମ ଦିଆଯାଏ କିନ୍ତୁ କାହିଁକି ? 

ଆମେ ସମସ୍ତେ ଜାଣନ୍ତି ଯେ Meleagris gallopavo ଵା ଟର୍କୀପକ୍ଷୀଟି ଉତ୍ତର ଓ ମଧ୍ୟ ଆମେରିକା ଵିଶେଷତଃ ମେକ୍ସିକୋ ଓ ଯୁକ୍ତରାଷ୍ଟ୍ରର ସ୍ଥାନୀୟ ପକ୍ଷୀ ଅଟେ । କଲମ୍ବସ୍‌ଙ୍କ ଆମେରିକା ଆବିଷ୍କାର (୧୪୯୨) ପରେ, ସ୍ପେନୀୟ ଓ ପର୍ତ୍ତୁଗୀଜ ଅନୁସନ୍ଧାନକାରୀମାନେ ଏହି ପକ୍ଷୀକୁ ଇଉରୋପକୁ ନେଇଥିଲେ। ପର୍ତ୍ତୁଗୀଜମାନେ ଏହି ପକ୍ଷୀକୁ "peru" ନାମ ଦେଇଥିଲେ କାରଣ ସେତେବେଳେ "Peru" ଶବ୍ଦଟି ସ୍ପେନୀୟ ଉପନିବେଶ ଅଞ୍ଚଳ, ଵିଶେଷତଃ ଦକ୍ଷିଣ ଆମେରିକାର ସମଗ୍ର ଅଞ୍ଚଳକୁ ବୁଝାଉଥିଲା (*pars pro toto*)। ଏହା ସମ୍ଭଵତଃ ସ୍ପେନୀୟ ଭାଷାରୁ ସୃଷ୍ଟ, "Perú" ଶବ୍ଦର ମୂଳ ଆମେରିକୀୟ ଆଦିଵାସୀ ନାମ "Birú" କିମ୍ବା କ୍ୱେଚୁଆ ଭାଷାର ଶବ୍ଦ "pelu" (ନଦୀ) ସହ ଜଡ଼ିତ ହୋଇଥାଇପାରେ ।

ପର୍ତ୍ତୁଗୀଜମାନେ ଭାବିଥିଲେ ଯେ ଏହି ପକ୍ଷୀ ଦକ୍ଷିଣ ଆମେରିକାରୁ, ଵିଶେଷତଃ ପେରୁ ଅଞ୍ଚଳରୁ ଆସିଛି, ଯଦିଓ ଏହା ମେକ୍ସିକୋରୁ ଉତ୍ପନ୍ନ। ଏହି ଭୁଲ ଧାରଣା କାରଣରୁ ପର୍ତ୍ତୁଗୀଜ ଭାଷାରେ ଟର୍କିକୁ "galinha do Peru" (ପେରୁର କୁକୁଡ଼ା) କୁହାଯାଉଥିଲା, ଯାହା ପରେ ସଂକ୍ଷିପ୍ତ ହୋଇ "peru" ହେଲା।

କଲମ୍ବସ୍‌ଙ୍କ ଭାରତ ଆଵିଷ୍କାରର ଭ୍ରମ ଯୋଗୁଁ ଅନେକ ଇଉରୋପୀୟ ଭାଷାରେ ଟର୍କିକୁ ଭାରତ ସହ ଜଡ଼ିତ ନାମ ଦିଆଯାଇଥିଲା (ଯେମିତି ଫରାସୀରେ "dinde" ଵା "from India") ବେଳେ ପର୍ତ୍ତୁଗୀଜମାନେ ଏହାକୁ ପେରୁ ସହ ସମ୍ପର୍କିତ କରିଥିଲେ, ଯାହା ସେମାନଙ୍କ ଔପନିବେଶିକ ଵାଣିଜ୍ୟ ଓ ସ୍ପେନୀୟ ଅଞ୍ଚଳ ସହ ଜଡ଼ିତ ଥିଲା।

ପର୍ତ୍ତୁଗୀଜ "peru" ଶବ୍ଦର ପ୍ରଭାବ ଅନେକ ଭାଷାରେ ଵିଶେଷତଃ ପୂର୍ଵ ଏସୀୟ ଓ ଦକ୍ଷିଣ ଆମେରିକୀୟ ଭାଷାଗୁଡ଼ିକରେ ଦେଖାଯାଏ । 

ପର୍ତ୍ତୁଗୀଜମାନେ ଭାରତରେ ଅନ୍ୟ ୟୁରୋପୀୟ ଜାତିଙ୍କ ପୂର୍ଵରୁ ଆସିଥିଲେ ତଥା ଵ୍ୟାପାର ଓ କେତେକ ଅଞ୍ଚଳରେ ସାମୁଦ୍ରିକ ଲୁଣ୍ଠନ ମଧ୍ୟ କରୁଥିଲେ । ତେଣୁ ପର୍ତ୍ତୁଗୀଜମାନଙ୍କ ଦ୍ଵାରା ଯେତେବେଳେ ଭାରତକୁ ଲଞ୍ଜାକୁକୁଡ଼ା ଅଣାଗଲା ସେତେବେଳେ ଵିଭିନ୍ନ ଭାରତୀୟ ଭାଷାରେ ପର୍ତ୍ତୁଗୀଜ ପ୍ରଭାଵରେ ଟର୍କୀପକ୍ଷୀକୁ ପେରୁ ନାଆଁ ଦିଆଗଲା । ଓଡ଼ିଆରେ ଟର୍କିକୁ "ପେରୁ" ଓ "ଲଞ୍ଜା କୁକୁଡ଼ା(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ - ପୃଷ୍ଠା ୭୨୭୭)" କୁହାଯାଏ। ହିନ୍ଦୀରେ ଟର୍କିପକ୍ଷୀକୁ କୁ "पिरू" (pīrū) କୁହାଯାଏ, ଯାହା ପର୍ତ୍ତୁଗୀଜ "peru" ରୁ ମୂଳର ଶବ୍ଦ । ଅହମିଆ ଭାଷାରେ ଏ ପକ୍ଷୀକୁ "পেৰু চৰাই" (peru sorai) ନାମ ଦିଆଯାଇଛି । ପଞ୍ଜାବୀରେ ବି ଏ ପକ୍ଷୀକୁ "ਪੇਰੂ" (perū) ହିଁ କୁହନ୍ତି । ସେହିପରି ବଙ୍ଗାଳୀରେ "পেরু" (peru), ନେପାଳୀରେ "पेरू" (perū) ଶବ୍ଦ ଵ୍ୟଵହୃତ ହୁଏ, ଯାହା ଭାରତୀୟ ଉପମହାଦେଶରେ ସେ ସମୟର ପର୍ତ୍ତୁଗୀଜ ପ୍ରଭାଵ ଯୋଗୁଁ ପ୍ରଚଳିତ ହୋଇଥିଲା।

ଭାରତ ଵ୍ୟତୀତ ସେର୍ବୋ-କ୍ରୋଏସୀୟ ଓ ସ୍ଲୋଭେନ ଭାଷାଗୁଡ଼ିକରେ "puran" ଶବ୍ଦ ଟର୍କୀପକ୍ଷୀର ନାମ ରୂପେ ଵ୍ୟଵହୃତ ହୁଏ, ଯାହା ପର୍ତ୍ତୁଗୀଜ "peru" ରୁ ଇଟାଲୀୟ "peruano" ମାଧ୍ୟମରେ ପ୍ରଭାଵିତ ହୋଇ ପ୍ରଚଳିତ । ଦକ୍ଷିଣ ଆମେରିକାରେ ବୋଲାଯାଉଥିଵା ଜର୍ମାନ ଭାଷା ମୂଳର Hunsrik ଶୈଳୀରେ ଟର୍କୀପକ୍ଷୀର Biru ନାମ ମଧ୍ୟ ସେହି Peru ଶବ୍ଦରୁ ସୃଷ୍ଟି ହୋଇଛି ।ହାୱାଇୟାନ ଭାଷାରେ ବି ଟର୍କୀପକ୍ଷୀର "pelehu" ନାମ ଅଛି ଯାହା ପର୍ତ୍ତୁଗୀଜ "peru" ରୁ ଉଦ୍ଭୁତ, କାରଣ ପର୍ତ୍ତୁଗୀଜମାନେ ଶତଵର୍ଷାଧିକ ହାୱାଇରେ ଵାଣିଜ୍ୟ କରିଥିଲେ।

ପର୍ତ୍ତୁଗୀଜ "peru" ଶବ୍ଦର ଵ୍ଯଵହାର ଅନେକ ଭାଷାରେ ପ୍ରଚଳିତ ହେଵାର ମୁଖ୍ୟ କାରଣ ହେଉଛି ଆଜକୁ ପାଞ୍ଚଶହ ଵର୍ଷ ତଳେ ପର୍ତ୍ତୁଗୀଜମାନଙ୍କର ଵିସ୍ତୃତ ଔପନିଵେଶିକ ଵାଣିଜ୍ୟ ନେଟୱାର୍କ। ପର୍ତ୍ତୁଗୀଜମାନେ ଭାରତ (ଗୋଆ, କାଲିକଟ), ହାୱାଇ, ଓ ଅନ୍ୟାନ୍ୟ ଅଞ୍ଚଳରେ ଵାଣିଜ୍ୟ କରୁଥିଵାରୁ ଏହି ଶବ୍ଦ ଏସୀୟ ଓ ପ୍ରଶାନ୍ତ ମହାସାଗରୀୟ ଭାଷାଗୁଡ଼ିକରେ ପ୍ରଭାଵ ପକାଇଥିଲା। ଏହା ଵ୍ୟତୀତ, ସ୍ପେନୀୟ ଓ ପର୍ତ୍ତୁଗୀଜ ଔପନିଵେଶିକ ଶାସନ ସମୟରେ "Peru" ଶବ୍ଦଟି ସମଗ୍ର ଦକ୍ଷିଣ ଆମେରିକାକୁ ବୁଝାଉଥିଵାରୁ, ଏହା ଅନେକ ଭାଷାରେ ଟର୍କିର ନାମ ହେଵାରେ ସହାୟକ ହୋଇଥିଲା।

ତେଣୁ Meleagris gallopavo ଵା ଲଞ୍ଜାକୁକୁଡ଼ାର ଵିଭିନ୍ନ ଭାଷାରେ କେଵଳ ତୁର୍କୀ ହିଁ ନୁହେଁ ଭାରତ ଓ ପେରୁ ଦେଶ ସହିତ ସମ୍ବନ୍ଧିତ ନାମ ମଧ୍ୟ ରହିଛି । ତେବେ ଏହି ଆମେରିକୀୟ କୁକୁଡ଼ା ଜାତୀୟ ଜୀଵଠାରୁ ଅତିଷ୍ଠ ହୋଇ ୨୦୨୨ରେ ତୁର୍କୀକୁ ନିଜ ନାଆଁ ପରିଵର୍ତ୍ତନ କରି Türkiye କରିଵାକୁ ପଡ଼ିଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ଇସ୍ରାଏଲ,ଗ୍ରୀସ୍, ସାଇପ୍ରସ୍, ଆର୍ମେନିଆ ଓ ଭାରତ ଆଦି ଦେଶ ଵିପକ୍ଷରେ ଛାତି ଫୁଲେଇ ଯୁଦ୍ଧମ୍ ଦେହି ଚିତ୍କାର କରୁଥିଵା ତୁର୍କୀ ଏକ ସାମାନ୍ୟ ଆମେରିକୀୟ କୁକୁଡ଼ାକୁ ଡରି ନିଜର ବ‌ହୁ ଶତାବ୍ଦୀ ପୁରୁଣା ନାଆଁ ପରିଵର୍ତ୍ତନ କରିଦେଇଛି ‌। 

ଖ୍ରୀ.ପୂ. ୧୮ଶ ଶତାବ୍ଦୀ ସମୟରେ ଆନାତୋଲିଆର କେନ୍ଦ୍ରୀୟ ଅଞ୍ଚଳ "Hatti" ନାମରେ ପରିଚିତ ଥିଲା, ଯାହା ହିତ୍ତୀମାନଙ୍କ ଦ୍ୱାରା ଶାସିତ ହେଉଥିଲା। ଖ୍ରୀ.ପୂ. ୧୨ଶ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ଵ 6ଷ୍ଠ ଶତାବ୍ଦୀ ଯାଏଁ ଆନାତୋଲିଆର ପଶ୍ଚିମ ଅଞ୍ଚଳ "Lydia" ଓ କେନ୍ଦ୍ରୀୟ ଅଞ୍ଚଳ "Phrygia" ନାମରେ ଜଣାଶୁଣା ଥିଲା। ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ଵ ୪ର୍ଥ ଶତାବ୍ଦୀ ସମୟରେ ଆକେମେନିଡ ସାମ୍ରାଜ୍ୟ ଅଧୀନରେ ଏହି ଅଞ୍ଚଳ "Sparda" (ପାର୍ସୀୟ ନାମ) ଵା "Asia Minor" (ଗ୍ରୀକ ନାମ) ନାମରେ ପରିଚିତ ଥିଲା। ହେଲେନିଷ୍ଟିକ ଓ ରୋମାନ ଯୁଗ ଅର୍ଥାତ୍ ଖ୍ରୀ.ପୂ. ୪ର୍ଥ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୪ର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ସମୟକାଳରେ ଗ୍ରୀକ ଓ ରୋମାନମାନେ ଏହି ଅଞ୍ଚଳକୁ "Anatolia" (ଗ୍ରୀକ୍ :"ପୂର୍ବ" ଵା "ସୂର୍ଯ୍ୟୋଦୟ") ଓ "Asia Minor" ନାମ ଦେଇଥିଲେ। ରୋମାନ ସାମ୍ରାଜ୍ୟରେ "Provincia Asia" ନାମରେ ଏହା ଏକ ପ୍ରଦେଶ ଥିଲା। ୪ର୍ଥ ଶତାବ୍ଦୀରୁ ୧୧ଶ ଶତାବ୍ଦୀ ମଧ୍ୟରେ ବାଇଜାଟାଇନ ସାମ୍ରାଜ୍ୟ କାଳରେ ପୂର୍ଵ ରୋମାନ ସାମ୍ରାଜ୍ୟ ଅଧୀନରେ ଏହା "Anatolia" ଵା "Byzantine Empire" ର କେନ୍ଦ୍ରୀୟ ଅଞ୍ଚଳ ଥିଲା। ୧୦୭୧ରେ ମାଜିକୋର୍ଟ ଯୁଦ୍ଧ ପରେ ସେଲଜୁକ ତୁର୍କୀୟମାନେ ଆନାତୋଲିଆକୁ "Rum" (ରୋମାନୀୟ ଅଞ୍ଚଳ) ବୋଲି ଡାକିଥିଲେ, ଯାହା "Sultanate of Rum" ନାମରେ ପରିଚିତ ହେଲା। ୧୨୯୯ରୁ ଓଟୋମାନମାନେ ଏହି ଅଞ୍ଚଳକୁ ଶାସନ କରିଥିଲେ ଏଵଂ ଏହା "Osmanlı Devleti" (ଓସମାନୀୟ ସାମ୍ୟ) ଵା ପାଶ୍ଚାତ୍ୟରେ "Ottoman Empire" ନାମେ ଜଣାଶୁଣା ହେଲା । ସେତେବେଳେ ଅଟୋମାନ ସାମ୍ରାଜ୍ୟରେ ଆନାତୋଲିଆ ମୁଖ୍ୟ ଅଞ୍ଚଳ ଥିଲା। 

ମଧ୍ୟଯୁଗରେ ୟୁରୋପୀୟମାନେ ଆଧୁନିକ ତୁର୍କୀ ଅଞ୍ଚଳକୁ, ଯାହା ସେତେବେଳେ ଓଟୋମାନ ସାମ୍ରାଜ୍ୟର ଅଂଶ ଥିଲା, "Turkey" ଵା "Turquie" ନାମରେ ଉଲ୍ଲେଖ କରୁଥିଲେ। ଏହି ଶବ୍ଦଟି ମଧ୍ୟଯୁଗୀୟ ଲାଟିନ "Turchia" ଵା "Turquia" ରୁ ଉଦ୍ଭବ ହୋଇଥିଲା, ଯାହା ତୁର୍କୀୟ ଜନଜାତିମାନଙ୍କୁ (ଵିଶେଷତଃ ସେଲଜୁକ ଓ ଓଟୋମାନ ତୁର୍କ) ସୂଚିତ କରୁଥିଲା। ୧୧ଶ ଶତାବ୍ଦୀରୁ ସେଲଜୁକ ତୁର୍କମାନେ ଆନାତୋଲିଆରେ ପ୍ରଭାଵ ଵିସ୍ତାର କରିଵା ଆରମ୍ଭ କରିଥିଲେ ଏଵଂ ୧୩ଶ ଶତାବ୍ଦୀରୁ ଓଟୋମାନ ସାମ୍ରାଜ୍ୟର ଉତ୍ଥାନ ସହିତ ୟୁରୋପୀୟ ଦସ୍ତାବେଜରେ "Turkey" ନାମଟି ଏହି ଅଞ୍ଚଳ ପାଇଁ ପ୍ରଚଳିତ ହେଲା।ତେବେ,ତୁର୍କ ଜାତି ଓ ତୁର୍କ ଭାଷାର ନାମ ସହିତ ସମ୍ପର୍କିତ ହୋଇଥିଲେ ବି ଏହି ତୁର୍କୀ ନାମଟି ସେତେବେଳେ ସ୍ଥାନୀୟ ତୁର୍କୀୟ ଲୋକମାନେ ନିଜେ ଵ୍ୟଵହାର କରୁନଥିଲେ ।‌
 
ସ୍ଥାନୀୟ ତୁରଷ୍କଵାସୀ ସେତେବେଳେ ନିଜ ସାମ୍ରାଜ୍ୟକୁ "Osmanlı Devleti" (ଓସମାନୀୟ ରାଜ୍ୟ) ଵା ଅନ୍ୟ ଆଞ୍ଚଳିକ ନାମରେ ଡାକୁଥିଲେ। "Turkey" ଶବ୍ଦଟି ୟୁରୋପୀୟମାନଙ୍କ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ତୁର୍କୀୟ ଶାସନ ଓ ଜନଗଣଙ୍କୁ ଚିହ୍ନିଵା ପାଇଁ ଵ୍ୟଵହୃତ ହେଉଥିଲା। "ତୁର୍କୀ" ନାମଟି ଆନୁଷ୍ଠାନିକଭାବେ ୧୯୨୩ ମସିହାରେ ତୁର୍କୀ ଗଣରାଜ୍ୟ (Republic of Turkey) ପ୍ରତିଷ୍ଠା ସମୟରୁ ପ୍ରଚଳିତ ହୋଇଥିଲା। ଏହା ଓଟୋମାନ ସାମ୍ରାଜ୍ୟର ଅଵସାନ ପରେ ମୁସ୍ତାଫା କେମାଲ ଆତାତୁର୍କଙ୍କ ନେତୃତ୍ୱରେ ଘଟିଥିଲା। ତୁର୍କୀ ଦେଶର ପ୍ରତ୍ୟେକ ସମୟକାଳରେ ଭିନ୍ନ ଭିନ୍ନ ନାମ ରହିଥିଵାରୁ ୧୦୦ ଵର୍ଷ ପରେ Turkey ନାମଟି Türkiye ହୋଇଯିଵାଟା ସେତେ ବଡ଼ ଆଶ୍ଚର୍ଯ୍ୟର ଵିଷୟ ନୁହେଁ । ତଥାପି ଶହେ ଵର୍ଷ ପରେ ତୁର୍କୀର ସରକାରୀ ନାଆଁ ପରିବର୍ତ୍ତନ କରିଦେଵାର ଏକ କାରଣ Meleagris gallopavo ଵା ଟର୍କୀପକ୍ଷୀ ବୋଲି ବି ଦାବି କରାଯାଉଛି ଯାହା ସମ୍ପୂର୍ଣ୍ଣ ଅମୂଳକ ବି ନୁହେଁ ।

Sunday, June 8, 2025

•ଆମ ସୌରଜଗତର କାହାଣୀ: ସୂର୍ଯ୍ୟଙ୍କର ଜନ୍ମ, ଜୀଵନ ଓ ଭଵିଷ୍ୟତ•

ସୌରଜଗତର କାହାଣୀ ଏକ ମହାକାଵ୍ୟ ପରି ରୋମାଞ୍ଚକର ଏଵଂ ସୂର୍ଯ୍ୟ ଏହାର ମୁଖ୍ୟ ପାତ୍ର ଓ ମହାନାୟକ ଅଟନ୍ତି । ଆଜକୁ ପ୍ରାୟ ୪୬୦ କୋଟି (୪.୬ ବିଲିୟନ) ଵର୍ଷ ପୂର୍ଵେ ଆମ ସୌରଜଗତର କାହାଣୀ ଆରମ୍ଭ ହେଲା। ସେତେବେଳେ ଆମ ସୌରଜଗତରେ ଏକ ମହାକାଶୀୟ ନେବୁଲା (nebula) ଥିଲା । ଏହି ନେବୁଲାରେ ଧୂଳି ଓ ଗ୍ୟାସର ଵିଶାଳ ମେଘ ଥିଲା। ଉକ୍ତ ନେବୁଲାଟି ସମ୍ଭଵତଃ ଏକ ଆଖପାଖ ସୁପରନୋଵା ଵିସ୍ଫୋରଣର ଆଘାତ ତରଙ୍ଗ ଦ୍ବାରା ସଙ୍କୁଚିତ ହେଲା। ଏହି ସଙ୍କୋଚନ ପ୍ରକ୍ରିୟାରେ ନେବୁଲାର କେନ୍ଦ୍ରୀୟ ଭାଗ ଘନୀଭୂତ ହେଲା ।‌ ନେବୁଲାର କେନ୍ଦ୍ରୀୟ ଭାଗ ସଙ୍କୁଚିତ ହେଵା ସହ ଗରମ ହେଲା ଏଵଂ ଏକ ପ୍ରୋଟୋଷ୍ଟାର (protostar) ସୂର୍ଯ୍ୟଙ୍କର ଜନ୍ମ ହେଲା। ଏହି ସମୟରେ ସୂର୍ଯ୍ୟ ଏକ ଅସ୍ଥିର, ଗରମ ଓ ଘୂର୍ଣ୍ଣମାନ ଗ୍ୟାସର ଗୋଲକ ଥିଲେ।


ଏହାର ପ୍ରାୟ ୧ କୋଟି ଵର୍ଷ ପରେ, ସୂର୍ଯ୍ୟଙ୍କର କେନ୍ଦ୍ରରେ ତାପମାତ୍ରା ଓ ଚାପ ଏତେ ଵୃଦ୍ଧି ପାଇଲା ଯେ ହାଇଡ୍ରୋଜେନ ନ୍ୟୁକ୍ଲିୟ ଫ୍ୟୁଜନ ଆରମ୍ଭ ହେଲା, ଯାହା ହିଲିୟମରେ ପରିଣତ ହେଲା। ଏହି ପ୍ରକ୍ରିୟା ସୂର୍ଯ୍ୟଙ୍କୁ ଏକ ମୁଖ୍ୟ କ୍ରମ ତାରକା (main sequence star) ରୂପେ ସ୍ଥିରତା ଦେଲା, ଯେଉଁଥିରେ ସେ ଆଜି ମଧ୍ୟ ରହିଛନ୍ତି । ସୂର୍ଯ୍ୟ ଏକ G2V ଶ୍ରେଣୀର ତାରକା ଅଟନ୍ତି, ତେଣୁ ଏ ଦୃଷ୍ଟିରୁ ସୂର୍ଯ୍ୟଙ୍କୁ yellow dwarf ତାରକା ମଧ୍ୟ କୁହାଯାଏ। ସୂର୍ଯ୍ୟଙ୍କର ଜନ୍ମ ସହିତ ନେବୁଲାର ଅଵଶିଷ୍ଟ ଧୂଳି ଓ ଗ୍ୟାସ ଏକ ଚକ୍ରାକାର ଡିସ୍କ (protoplanetary disk) ରୂପେ ସୂର୍ଯ୍ୟଙ୍କର ଚାରିପାଖରେ ଘୂରିଲା। ଏହି ଡିସ୍କରୁ ପ୍ରଥମେ ଜନ୍ମ ହେଲା ଵୃହସ୍ପତି । ପ୍ରାୟ ଅଧିକାଂଶ ନକ୍ଷତ୍ର ମଣ୍ଡଳରେ ପ୍ରଥମେ ଵୃହସ୍ପତି ପରି ଗ୍ରହ ସୃଷ୍ଟି ହୁଅନ୍ତି । ଵୈଜ୍ଞାନିକମାନେ ହଜାର ହଜାର ସୌରମଣ୍ଡଳରେ ଯେଉଁ Exoplanet ସବୁ ଦେଖୁଛନ୍ତି ତନ୍ମଧ୍ୟରେ ଵୃହସ୍ପତି ଓ ତାହାଠାରୁ ବଡ଼ ଭୀମକାୟ ଗ୍ରହ ନିଜ ନକ୍ଷତ୍ର ନିକଟରେ ହିଁ ପରିକ୍ରମଣ କରୁଥିଵା ଦେଖାଯାଏ । ଗୋଟିଏ ବଡ଼ ଗ୍ରହ ନିଜ ତାରକାଠାରୁ ଦୂରରେ ଗଠିତ ହୁଏ ଏଵଂ ଧିରେ ଧିରେ ସେ ନିଜ ଆଖପାଖରେ ଥିଵା ଗ୍ୟାସ୍ ଗ୍ରହାଣୁ ଓ ଛୋଟ ଗ୍ରହଙ୍କୁ ଭକ୍ଷଣ କରି ଆପଣା ତାରକାର ନିକଟତର ହୋଇଥାଏ । ଆମ ସୌରମଣ୍ଡଳର ଆରମ୍ଭରେ ଵୃହସ୍ପତି ବି ସେଇଭଳି ସୂର୍ଯ୍ୟଙ୍କର ଟିକଟତର ହେଵାକୁ ଚେଷ୍ଟା କରିଥିଲା କିନ୍ତୁ ପରଵର୍ତ୍ତୀ କାଳରେ ସୃଷ୍ଟି ହୋଇଥିଵା ଶନି ନିଜର ଗୁରୁତ୍ବାକର୍ଷଣ ବଳରେ ଵୃହସ୍ପତିକୁ ଏଥିରୁ ନିଵୃତ୍ତ କରିଵାରେ ସଫଳ ହୋଇଗଲା ।‌ ଏହାପରେ ପରେ ୟୁରାନସ୍ ଓ ନେପଚୁନ ଭଳି ଗ୍ରହ ଗଠିତ ହୋଇଥିଲା ।‌ ଶନି ଓ ୟୁରାନସ୍ ଭଳି ଗ୍ରହଗୁଡ଼ିକର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଵୃହସ୍ପତିର ପରିକ୍ରମଣ ପଥ ସ୍ଥାୟୀ ହୋଇଗଲା । ଫଳତଃ ଵୃହସ୍ପତି ଯେଉଁ ଗ୍ୟାସ୍ ଓ ଗ୍ରହାଣୁ ଛାଡ଼ି ଦେଇଥିଲା ସେଥିରୁ ବୁଧ,ଶୁକ୍ର,ପୃଥିଵୀ ଓ ମଙ୍ଗଳ ପରି ଗ୍ରହ ଗଠିତ ହୋଇଥିଲା । 

ଆମ ପୃଥିଵୀ ପ୍ରାୟ ୪୫୪ କୋଟି ଵର୍ଷ ପୂର୍ଵେ ଗଠିତ ହେଲା, ଏଵଂ ଏହାର ଜଳ, ଵାୟୁମଣ୍ଡଳ, ଓ ଜୀଵନର ଆରମ୍ଭ ପରଵର୍ତ୍ତୀ କୋଟି କୋଟି ଵର୍ଷରେ ହେଇଥିଲା। ପୃଥିଵୀରେ ଜୀଵନ ପ୍ରାୟ ୩.୮ ବିଲିୟନ ଵର୍ଷ ପୂର୍ବେ ଆରମ୍ଭ ହେଲା ଆଉ ସେତେବେଳେ ଅଣୁଜୀଵ ପୃଥିଵୀରେ ଦେଖାଦେଲେ।

ବର୍ତ୍ତମାନ ସୂର୍ଯ୍ୟ ତା’ର ମୁଖ୍ୟ କ୍ରମ ପର୍ଯ୍ୟାୟରେ ରହିଛି, ଯାହା ପ୍ରାୟ ୧୦୦୦ କୋଟି ଵର୍ଷ ଧରି ଚାଲିଵ। ଏହି ଦଶହଜାର କୋଟି ଵର୍ଷ ମଧ୍ୟରେ ୪୬୦ କୋଟି ଵର୍ଷ ସରି ସାରିଛି ଏଵଂ ଆହୁରି ୫୪୦ କୋଟି ଵର୍ଷ ରହିଛି । ଏହି ପର୍ଯ୍ୟାୟରେ ସୂର୍ଯ୍ୟ ହାଇଡ୍ରୋଜେନକୁ ହିଲିୟମରେ ପରିଣତ କରୁଛନ୍ତି, ଯାହା ତାଙ୍କ ଶକ୍ତିର ମୂଳ ଉତ୍ସ। ଏହି ସମୟରେ ସୂର୍ଯ୍ୟ ସ୍ଥିର ରହିଛନ୍ତି, ଯାହା ପୃଥିଵୀରେ ଜୀଵନର ଵିକାଶ ପାଇଁ ଅନୁକୂଳ ପରିଵେଶ ପ୍ରଦାନ କରିଛି। କିନ୍ତୁ ସୂର୍ଯ୍ୟଙ୍କର ଉଜ୍ଜ୍ୱଳତା ପ୍ରତି କୋଟିଏ ଵର୍ଷରେ ୧% ହାରରେ ଧୀରେ ଧୀରେ ଵୃଦ୍ଧି ପାଉଛି । ଆରମ୍ଭରେ ସୂର୍ଯ୍ୟଙ୍କର ଉଜ୍ଜ୍ବଳତା ଆଜି ଅପେକ୍ଷା କମ୍ ଥିଲା ଯାହା ଗତ ୪୦୦ କୋଟି ଵର୍ଷରେ ଅନେକାଂଶରେ ଵୃଦ୍ଧି ପାଇଛି । ଗଵେଷକମାନେ କେତେକ ପ୍ରମାଣ ଆଧାରରେ କୁହନ୍ତି ଆଗେ ପୃଥିଵୀ ପରି ଶୁକ୍ରଗହରେ ମଧ୍ୟ ଜଳ ଥିଲା କିନ୍ତୁ ସୂର୍ଯ୍ୟଙ୍କର ଉଜ୍ଜ୍ଵଳତା ନିରନ୍ତର ଵୃଦ୍ଧି ଯୋଗୁଁ ଏ ଗ୍ରହ ଏବେ ନର୍କରେ ପରିଣତ ହୋଇଛି । ଏଥିପାଇଁ ଵୈଜ୍ଞାନିକମାନେ ଶୁକ୍ରକୁ ପୃଥିଵୀର Evil twin କୁହନ୍ତି କାରଣ ଯାହା ଶୁକ୍ର ସହିତ ଆଗରୁ ହୋଇଛି ତାହା ଭଵିଷ୍ୟତରେ ପୃଥିଵୀ ସହିତ ବି ହେଵାକୁ ଯାଉଛି । 


ତଥ୍ୟ କହେ ପ୍ରାୟ ୧୦୦ କୋଟି (୧ ବିଲିୟନ) ଵର୍ଷ ମଧ୍ୟରେ ସୂର୍ଯ୍ୟଙ୍କର ଵୃଦ୍ଧିପ୍ରାପ୍ତ ଉତ୍ତାପ ଯୋଗୁଁ ପୃଥିଵୀର ସମୁଦ୍ର ବାଷ୍ପୀଭୂତ ହେଵା ଆରମ୍ଭ ହେଵ, ଫଳତଃ ଜଟିଳ ଜୀଵନ (ମଣିଷ, ପଶୁ, ଗଛ ଆଦି) ଆଉ ପୃଥିଵୀରେ ରହିପାରିବେ ନାହିଁ । ତଥାପି, କିଛି ଅଣୁଜୀଵ (extremophiles) ୨୦୦-୩୦୦ କୋଟି ଵର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବେ ।
  
ପ୍ରାୟ ୫୦୦ କୋଟି ଵର୍ଷ ପରେ, ସୂର୍ଯ୍ୟଙ୍କର ମୁଖ୍ୟ କ୍ରମ ପର୍ଯ୍ୟାୟ ଶେଷ ହେଵ । ସେତେବେଳେ ସୂର୍ଯ୍ୟଙ୍କର କେନ୍ଦ୍ରରେ ହାଇଡ୍ରୋଜେନ ଶେଷ ହୋଇଯିଵ। ସୂର୍ଯ୍ୟ ଏକ ଲାଲ ଦାନଵ ନକ୍ଷତ୍ର (red giant star)ରେ ପରିଣତ ହେବେ ଫଳତଃ ତାଙ୍କର ଆକାର ଶତଗୁଣ ଵୃଦ୍ଧି ପାଇଵ । ଏହି ପର୍ଯ୍ୟାୟରେ ସୂର୍ଯ୍ୟ ପ୍ରାୟ ୧ ଖଗୋଳୀୟ ଏକକ (AU) ପର୍ଯ୍ୟନ୍ତ ଵିସ୍ତାର ଲଭି ବୁଧ ଓ ଶୁକ୍ରକୁ ଗିଳିଦେବେ । ତେବେ ପୃଥିଵୀର ଭାଗ୍ୟ ଅନିଶ୍ଚିତ । ହୁଏତ ସୂର୍ଯ୍ୟଙ୍କର ଵାହ୍ୟ ସ୍ତରରେ ଘର୍ଷଣ ଯୋଗୁଁ ପୃଥିଵୀ ମଧ୍ୟ ଗିଳାଯାଇପାରେ କିମ୍ବା ଜଳିଯାଇଥିଵା ଏକ ମୃତଗ୍ରହ ରୂପେ ବଞ୍ଚିଯାଇପାରେ।

କିନ୍ତୁ ଯଦି ଏହି ପର୍ଯ୍ୟାୟରେ ପୃଥିଵୀ ବଞ୍ଚିଯାଏ ତେବେ ଏ ଗ୍ରହରେ ଜୀଵନ ରହିଵା ସମ୍ପୂର୍ଣ୍ଣ ଅସମ୍ଭଵ ହୋଇଯାଇଥିଵ । ଵାହ୍ୟ ଗ୍ରହଗୁଡ଼ିକ (ବୃହସ୍ପତି, ଶନି) ଅଧିକ ଗରମ ହେବେ, କିନ୍ତୁ ସେ ଗ୍ରହମାନ ସୂର୍ଯ୍ୟଙ୍କଠାରୁ ଦୂରରେ ଅଵସ୍ଥିତ ଥିଵାରୁ ସମ୍ଭଵତଃ ଗିଳାଯିବେ ନାହିଁ। କିଛି ଦୂର ଉପଗ୍ରହ (ଯେପରି ବୃହସ୍ପତିର ଚନ୍ଦ୍ର ଇଉରୋପା) ଅସ୍ଥାୟୀ ଭାବେ ଜୀଵନ ପାଇଁ ଅନୁକୂଳ ହୋଇପାରନ୍ତି, ଯଦି ସେଠାରେ ଜଳ ତରଳ ଅଵସ୍ଥାରେ ରହେ।


ଵୈଜ୍ଞାନିକ ଆକଳନ ଅନୁସାରେ, ସୂର୍ଯ୍ୟ ଲାଲ ଦାନଵ ପର୍ଯ୍ୟାୟରେ ପ୍ରଵେଶ କରିଵା ପରେ, ସେ ପ୍ରାୟ ୧୦୦ କୋଟି ଵର୍ଷ ମଧ୍ୟରେ ନିଜର ଵାହ୍ୟ ସ୍ତରଗୁଡ଼ିକୁ ନିର୍ଗତ କରି ଆଜିଠାରୁ ୬୪୦ କୋଟି ଵର୍ଷ ପରେ ପ୍ଲାନେଟାରୀ ନେବୁଲା ସୃଷ୍ଟି କରିଵେ ।‌ ଏହା ଏକ ଚମତ୍କାର ମହାକାଶୀୟ ଦୃଶ୍ୟ ହେଵ, ଯେଉଁଥିରେ ଗ୍ୟାସ ଓ ଧୂଳିର ଏକ ଆଲୋକିତ ଵଳୟ ସୂର୍ଯ୍ୟଙ୍କୁ ଘେରି ରହିଥିଵ। ଏ ପର୍ଯ୍ୟାୟ ଅନେକ ହଜାର ଵର୍ଷ ଧରି ଚାଲିଵ। ଏହି ସମୟରେ ସୌରଜଗତର ପୃଥିଵୀ ଓ ମଙ୍ଗଳ ପରି ଅନ୍ତଃସ୍ଥ ଗ୍ରହମାନ ଯଦି ବଞ୍ଚିଥାନ୍ତି ତେବେ ସେଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହେବେ। ଵାହ୍ୟ ଗ୍ରହମାନ ଏକ ଶୀତଳ, ଅନ୍ଧକାର ଅଵସ୍ଥାରେ ରହିବେ, ଯେହେତୁ ସୂର୍ଯ୍ୟଙ୍କର ଆଲୋକ ଓ ତାପ କ୍ଷୀଣ ହେଵ। ସୂର୍ଯ୍ୟଙ୍କ ପରି G2V ତାରକାରେ ଦ୍ରଵ୍ୟର ପରିମାଣ ଦୃଷ୍ଟିରୁ ପ୍ଲାନେଟାରୀ ନେବୁଲା ପ୍ରାୟ ୧୦,୦୦୦ ରୁ ୫୦,୦୦୦ ଵର୍ଷ ପର୍ଯ୍ୟନ୍ତ ଚାଲୁ ରହିଥାଏ ।

ପ୍ଲାନେଟାରୀ ନେବୁଲା ପରେ, ସୂର୍ଯ୍ୟ ଏକ ଶ୍ବେତ ଵାମନ ତାରକାରେ ପରିଣତ ହେଵେ, ଯାହା ପୃଥିଵୀ ଆକାରର ଏକ ଅତ୍ୟନ୍ତ ଘନ ତାରକା ହେଵ ଏଵଂ ଏହାର ଦ୍ରଵ୍ୟମାନ(Mass) ଵର୍ତ୍ତମାନ ସୂର୍ଯ୍ୟଙ୍କର ଅଧା ହେଵ। ଏହି ଅଵସ୍ଥାରେ ଶ୍ଵେତ ଵାମନ ସୂର୍ଯ୍ୟ ଆଉ ନ୍ୟୁକ୍ଲିୟ ଫ୍ୟୁଜନ କରିବେ ନାହିଁ, କିନ୍ତୁ ଅଵଶିଷ୍ଟ ତାପ ନିର୍ଗତ କରି ଧୀରେ ଧୀରେ ଶୀତଳ ହେଵେ। ଶ୍ବେତ ଵାମନ ସୂର୍ଯ୍ୟ ଅତ୍ୟନ୍ତ କ୍ଷୀଣ ଆଲୋକ ନିର୍ଗତ କରିଵେ, ଯାହା ସୌରଜଗତକୁ ଅନ୍ଧକାର ଓ ଶୀତଳ କରିଦେଵ। ଵାହ୍ୟ ଗ୍ରହ ଓ ଧୂମକେତୁ ଏକ ହିମାୟିତ ଅଵସ୍ଥାରେ ରହିଵେ ଏଵଂ କୌଣସି ଜୀଵନ ସେତେବେଳେ ସୌରଜଗତରେ ତିଷ୍ଠିଵା ଅସମ୍ଭଵ ହେଵ ।‌

ଏହି ଶ୍ଵେତ ଵାମନ ପର୍ଯ୍ୟାୟରେ ସୂର୍ଯ୍ୟ ପ୍ରାୟ ଟ୍ରିଲିୟନ୍ (୧୦,୦୦୦ କୋଟି) ଵର୍ଷ ଵା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବେ । ଶ୍ବେତ ଵାମନ ଭାବେ କିଛି ଟ୍ରିଲିୟନ (୧୦^୧୨) ଵର୍ଷ ଧରି ରହି ଶୀତଳ ହେଵା ପରେ, ସୂର୍ଯ୍ୟ ଏକ କୃଷ୍ଣ ଵାମନ (black dwarf) ରୂପେ ପରିଣତ ହେବ। ଏହି ପର୍ଯ୍ୟାୟରେ ସୂର୍ଯ୍ୟ ଆଉ କୌଣସି ଆଲୋକ ଵା ତାପ ନିର୍ଗତ କରିବେ ନାହିଁ, ଏଵଂ ସେତେବେଳେ ସେ ଶୀତଳ, ଅନ୍ଧକାର ଓ ନିଷ୍କ୍ରିୟ ଵସ୍ତୁ ହୋଇ ରହିଯିବେ । ତେବେ, ଏହି ପର୍ଯ୍ୟାୟରେ ପହଞ୍ଚିଵା ପାଇଁ ଆଵଶ୍ୟକ ସମୟ ବ୍ରହ୍ମାଣ୍ଡର ଵର୍ତ୍ତମାନ ବୟସ (୧୩.୮ ବିଲିୟନ ଵର୍ଷ) ତୁଳନାରେ ଅନେକ ଗୁଣ ଅଧିକ, ତେଣୁ ଏହା ଏକ ତାତ୍ତ୍ବିକ ପର୍ଯ୍ୟାୟ ଅଟେ। ସୂର୍ଯ୍ୟଙ୍କ ପରି ନକ୍ଷତ୍ରକୁ ବ୍ଲାକ୍ ଡ୍ୱାର୍ଫ ହେଵାକୁ ୧୦¹⁵ ଵର୍ଷ ଲାଗେ, ତେଣୁ ବ୍ରହ୍ମାଣ୍ଡର ୧୩୮୦ କୋଟି ଵର୍ଷ ଵୟସ ଯଥେଷ୍ଟ ନୁହେଁ । ଏହି କାରଣରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ଲାକ୍ ଡ୍ୱାର୍ଫ ଆମକୁ ମିଳିନାହିଁ।ଏତଦଵ୍ୟତୀତ ଆଲୋକଵିହୀନ ଅତି ପ୍ରାଚୀନ black dwarf ତାରକା ଠାବ କରିଵା ମଧ୍ୟ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ । 

ତେବେ ଏତେ ସବୁ ପଢ଼ିଵା ପରେ କେହି କେହି ପଚାରି ପାରନ୍ତି 
ଵୈଜ୍ଞାନିକ ଆଗକୁ ସୂର୍ଯ୍ୟ ସହିତ କ'ଣ ହେଵାକୁ ଯାଉଛି ତାହା କେମିତି କହିପାରୁଛନ୍ତି? 

ଵୈଜ୍ଞାନିକମାନେ ସୂର୍ଯ୍ୟ ଓ ସୌରଜଗତର ଭଵିଷ୍ୟତରେ ଘଟିଵାକୁ ଯାଉଥିଵା ଘଟଣାଗୁଡ଼ିକ ସମ୍ବନ୍ଧରେ ଵିଭିନ୍ନ ଵୈଜ୍ଞାନିକ ପଦ୍ଧତି ଓ ତଥ୍ୟ ଉପରେ ନିର୍ଭର କରନ୍ତି ଭଵିଷ୍ୟଵାଣୀ କରିପାରୁଛନ୍ତି ।‌ ଵୈଜ୍ଞାନିକମାନେ ତାରକାଗୁଡ଼ିକର ଜୀଵନଚକ୍ରକୁ ଅଧ୍ୟୟନ କରି ଏକ ସୁନିର୍ଦ୍ଦିଷ୍ଟ ତାତ୍ତ୍ବିକ ମଡେଲ ପ୍ରସ୍ତୁତ କରିଛନ୍ତି। ସୂର୍ଯ୍ୟ ଏକ G2V ଶ୍ରେଣୀର ତାରକା (ହଳଦିଆ ବାମନ) ଏଵଂ ଏହା ପରି ଅନ୍ୟ ତାରକାଗୁଡ଼ିକର ଜୀଵନଚକ୍ର ଅଧ୍ୟୟନ କରାଯାଇଛି। ଏହି ମଡେଲ ଅନୁସାରେ, ସୂର୍ଯ୍ୟ ପରି ତାରକାମାନେ ମୁଖ୍ୟ କ୍ରମ (main sequence), ଲାଲ ଦାନଵ (red giant), ପ୍ଲାନେଟାରୀ ନେବୁଲା, ଓ ଶ୍ବେତ ବାମନ (white dwarf) ପର୍ଯ୍ୟାୟରେ ଅଗ୍ରସର ହୁଅନ୍ତି। ଏହି ପର୍ଯ୍ୟାୟଗୁଡ଼ିକୁ ଗାଣିତିକ ଗଣନା ଓ ଭୌତିକ ନିୟମ (ଯେପରି ନ୍ୟୁକ୍ଲିୟ ଫ୍ୟୁଜନ, ଗୁରୁତ୍ବାକର୍ଷଣ, ଓ ତାପଗତିଵିଜ୍ଞାନ) ଆଧାରରେ ନିର୍ଣ୍ଣୟ କରାଯାଏ। ସୂର୍ଯ୍ୟଙ୍କର ଶକ୍ତି ଉତ୍ପାଦନ ହାଇଡ୍ରୋଜେନରୁ ହିଲିୟମ ନିର୍ମାଣ ପ୍ରକ୍ରିୟା (nuclear fusion) ଉପରେ ନିର୍ଭର କରେ। ଵୈଜ୍ଞାନିକମାନେ ସୂର୍ଯ୍ୟର ଦ୍ରଵ୍ୟମାନ, ରାସାୟନିକ ଗଠନ (୭୩.୫% ହାଇଡ୍ରୋଜେନ, ୨୩.୮% ହିଲିୟମ), ଓ ଫ୍ୟୁଜନ ହାର ଅନୁସାରେ ଗଣନା କରିଛନ୍ତି ଯେ ସୂର୍ଯ୍ୟର ମୁଖ୍ୟ କ୍ରମ ପର୍ଯ୍ୟାୟ ପ୍ରାୟ ୧୦ ବିଲିୟନ ଵର୍ଷ ଚାଲିଵ। ଵର୍ତ୍ତମାନ ସୂର୍ଯ୍ୟ ୪.୬ ବିଲିୟନ ଵର୍ଷ ବୟସରେ ଅଛନ୍ତି, ତେଣୁ ଏହି ମୁଖ୍ୟ କ୍ରମ ଆହୁରି ୫ ବିଲିୟନ ଵର୍ଷ ଚାଲିଵ। ଏହା ପରେ ହାଇଡ୍ରୋଜେନ ଶେଷ ହେଲେ ସୂର୍ଯ୍ୟ ଲାଲ ଦାନଵରେ ପରିଣତ ହେବେ। ଆଧୁନିକ କମ୍ପ୍ୟୁଟର ସିମୁଲେସନ ଵ୍ୟଵହାର କରି ଵୈଜ୍ଞାନିକମାନେ ସୂର୍ଯ୍ୟ ପରି ତାରକାମାନଙ୍କର ଵିକାଶକୁ ମଡେଲ କରନ୍ତି। ଏହି ସିମୁଲେସନଗୁଡ଼ିକ ଗୁରୁତ୍ବାକର୍ଷଣ, ତାପମାତ୍ରା, ଚାପ, ଓ ରାସାୟନିକ ପ୍ରତିକ୍ରିୟାକୁ ଆଧାର କରି ତାରକାର ଭଵିଷ୍ୟତ ପର୍ଯ୍ୟାୟଗୁଡ଼ିକ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥାଏ । ଏହା ସୂର୍ଯ୍ୟଙ୍କର ଲାଲ ଦାନଵ, ପ୍ଲାନେଟାରୀ ନେବୁଲା, ଓ ଶ୍ବେତ ଵାମନ ପର୍ଯ୍ୟାୟର ସମୟ ଓ ପ୍ରଭାବ ନିର୍ଣ୍ଣୟ କରିଵାରେ ସାହାଯ୍ୟ କରେ।

ଵୈଜ୍ଞାନିକମାନେ ଦୂରଵର୍ତ୍ତୀ ତାରକାମାନଙ୍କୁ ( ସୂର୍ଯ୍ୟ ପରି ଵା ଅନ୍ୟ ଶ୍ରେଣୀର) ଟେଲିସ୍କୋପ (ଯେପରି ହବଲ, ଜେମ୍ସ ୱେବ) ମାଧ୍ୟମରେ ଅଧ୍ୟୟନ କରି ସେଗୁଡ଼ିକର ଜୀଵନଚକ୍ରର ଵିଭିନ୍ନ ପର୍ଯ୍ୟାୟ (ଯେମିତି ଲାଲ ଦାନଵ, ଶ୍ବେତ ଵାମନ, ପ୍ଲାନେଟାରୀ ନେବୁଲା) ଦେଖିଛନ୍ତି। ଏହି ପର୍ଯ୍ୟବେକ୍ଷଣ ସୂର୍ଯ୍ୟର ଭଵିଷ୍ୟତ ଵିଷୟରେ ଧାରଣା ଦେଇଛି। ଉଦାହରଣ ସ୍ବରୂପ, ଶ୍ବେତ ଵାମନ ତାରକାମାନଙ୍କର ଗଠନ ଓ ଶୀତଳ ହେଵାର ହାର ଅଧ୍ୟୟନ କରି ଵୈଜ୍ଞାନିକମାନେ ଅନୁମାନ କରନ୍ତି ଯେ ସୂର୍ଯ୍ୟ ଶେଷରେ ଏକ କୃଷ୍ଣ ଵାମନରେ ପରିଣତ ହେବେ। ତେବେ ସୂର୍ଯ୍ୟଙ୍କର କୃଷ୍ଣ ବାମନ (black dwarf) ପର୍ଯ୍ୟାୟ ଏକ ତାତ୍ତ୍ବିକ ପର୍ଯ୍ୟାୟ, କାରଣ ବ୍ରହ୍ମାଣ୍ଡର ଵର୍ତ୍ତମାନ ଵୟସ (୧୩.୮ ବିଲିୟନ ଵର୍ଷ) ଏହା ପାଇଁ ଯଥେଷ୍ଟ ନୁହେଁ। ଶ୍ବେତ ଵାମନ ଶୀତଳ ହେଵାର ହାରକୁ ଗାଣିତିକ ଭାବେ ଗଣନା କରି ଵୈଜ୍ଞାନିକମାନେ ଅନୁମାନ କରନ୍ତି ଯେ ଏହା ଟ୍ରିଲିୟନ (୧୦^୧୨) ଵର୍ଷରେ ହେଵ। ଏହା ଭୌତିକ ନିୟମ ଓ ଥର୍ମୋଡାଇନାମିକ୍ସ ଉପରେ ଆଧାରିତ।

ତେବେ ଵୈଜ୍ଞାନିକମାନେ କେମିତି ଜାଣିଲେ ଯେ ସୂର୍ଯ୍ୟ G2V ଶ୍ରେଣୀର ତାରକା ? 

ବୈଜ୍ଞାନିକମାନେ ସୂର୍ଯ୍ୟଙ୍କର ସ୍ପେକ୍ଟ୍ରାଲ୍ ଵିଶ୍ଳେଷଣ ଓ ଷ୍ଟେଲାର ଶ୍ରେଣୀକରଣ ପ୍ରଣାଳୀ ଆଧାରରେ ସୂର୍ଯ୍ୟଙ୍କୁ G2V ତାରକା ଭାବେ ଶ୍ରେଣୀବଦ୍ଧ କରିଛନ୍ତି । ଵୈଜ୍ଞାନିକମାନେ ସୂର୍ଯ୍ୟଙ୍କ ଆଲୋକକୁ ସ୍ପେକ୍ଟ୍ରୋସ୍କୋପୀ ମାଧ୍ୟମରେ ଅଧ୍ୟୟନ କରିଥିଲେ। ଏହି ପ୍ରକ୍ରିୟାରେ ସୂର୍ଯ୍ୟରୁ ନିର୍ଗତ ଆଲୋକକୁ ତାହାର ରଙ୍ଗ ଅନୁଯାୟୀ ଵିଭକ୍ତ କରାଯାଇ ଏକ ସ୍ପେକ୍ଟ୍ରମ୍ ସୃଷ୍ଟି କରାଯାଏ। ସୂର୍ଯ୍ୟର ସ୍ପେକ୍ଟ୍ରମ୍‌ରେ ନିର୍ଦ୍ଦିଷ୍ଟ ଶୋଷଣ ରେଖା (absorption lines) ଦେଖାଯାଏ, ଯାହା ତାଙ୍କର ରାସାୟନିକ ଗଠନ ଓ ତାପମାତ୍ରା ସୂଚାଏ। ତାରକାଗୁଡ଼ିକୁ ସେଗୁଡ଼ିକର ତାପମାତ୍ରା ଓ ସ୍ପେକ୍ଟ୍ରାଲ୍ ଵୈଶିଷ୍ଟ୍ୟ ଆଧାରରେ O, B, A, F, G, K, M ଶ୍ରେଣୀରେ ବିଭକ୍ତ କରାଯାଏ । ସୂର୍ଯ୍ୟଙ୍କର ସ୍ପେକ୍ଟ୍ରମ୍‌କୁ ହାର୍ଵାର୍ଡ ଶ୍ରେଣୀକରଣ ପ୍ରଣାଳୀ ଅନୁଯାୟୀ ଅଧ୍ୟୟନ କରାଯାଇଥିଲା । ସୂର୍ଯ୍ୟଙ୍କର ପୃଷ୍ଠ ତାପମାତ୍ରା ପ୍ରାୟ 5,500 K (ଅର୍ଥାତ୍‌ 5,227°C) ହେଵାରୁ ସୂର୍ଯ୍ୟଙ୍କୁ G ଶ୍ରେଣୀରେ ରଖାଯାଇଛି । G ଶ୍ରେଣୀରେ ଆହୁରି ଉପ-ଶ୍ରେଣୀ ଅଛି (0-9), ଏଵଂ ସୂର୍ଯ୍ୟ G2 ଶ୍ରେଣୀରେ ରହିଛନ୍ତି, ଯାହା ସୂର୍ଯ୍ୟଙ୍କର ତାପମାତ୍ରା ଓ ସ୍ପେକ୍ଟ୍ରାଲ୍ ରେଖାଗୁଡ଼ିକ ଆଧାରରେ ନିର୍ଣ୍ଣୟ କରାଯାଇଛି । ସେହିପରି G2Vରେ ଥିଵା ‘V’ ସୂଚାଏ ଯେ ସୂର୍ଯ୍ୟ ଏକ ମୁଖ୍ୟ କ୍ରମ ତାରକା (main sequence star), ତାଙ୍କର ଶକ୍ତି ହାଇଡ୍ରୋଜେନ୍‌ର ନ୍ୟୁକ୍ଲିୟ ସଂମିଶ୍ରଣ (nuclear fusion) ମାଧ୍ୟମରେ ଉତ୍ପନ୍ନ ହୁଏ। ଏହା ସୂର୍ଯ୍ୟଙ୍କର ଆଲୋକମୟତା (luminosity) ଏବଂ ଆକାର ଆଧାରରେ ନିର୍ଦ୍ଧାରିତ ହୋଇଛି। ଅନ୍ୟ ତାରକାମାନଙ୍କର ସ୍ପେକ୍ଟ୍ରମ୍ ସହ ସୂର୍ଯ୍ୟର ସ୍ପେକ୍ଟ୍ରମ୍‌କୁ ତୁଳନା କରି ଵୈଜ୍ଞାନିକମାନେ ନିଶ୍ଚିତ କରିଥିଲେ ଯେ ସୂର୍ଯ୍ୟ G2V ଶ୍ରେଣୀର ତାରକା ।ଏହି ଶ୍ରେଣୀକରଣ ମୋର୍ଗାନ-କୀନାନ (MK) ସିଷ୍ଟମ୍‌ ଉପରେ ଆଧାରିତ, ଯାହା ତାରକାମାନଙ୍କର ତାପମାତ୍ରା ଓ ଆଲୋକମୟତା ଅନୁଯାୟୀ ସେମାନଙ୍କୁ ଶ୍ରେଣୀବଦ୍ଧ କରେ। ସୂର୍ଯ୍ୟଙ୍କର ସ୍ପେକ୍ଟ୍ରାଲ୍ ଵୈଶିଷ୍ଟ୍ୟ, ତାପମାତ୍ରା, ଓ ଆଲୋକମୟତା ସୂର୍ଯ୍ୟଙ୍କୁ G2V ତାରକା ଭାବେ ସ୍ଥିର କରିଛି।

ତେଣୁ ସୌରଜଗତର କାହାଣୀ ଏକ ମହାକାବ୍ୟ ପରି, ଯହିଁରେ ସୂର୍ଯ୍ୟ ମୁଖ୍ୟ ନାୟକ ଭାବେ ଆମ ସୌରମଣ୍ଡଳର ଜନ୍ମ, ବିକାଶ ଓ ଭବିଷ୍ୟତକୁ ପରିଚାଳନା କରୁଛନ୍ତି। ପ୍ରାୟ ୪.୬ ବିଲିୟନ ଵର୍ଷ ପୂର୍ଵେ ଏକ ନେବୁଲାରୁ ଜନ୍ମ ନେଇ ସୂର୍ଯ୍ୟ ଏକ G2V ଶ୍ରେଣୀର ମୁଖ୍ୟ କ୍ରମ ତାରକା ଭାବେ ସ୍ଥିରତା ଲାଭ କରିଛନ୍ତି, ଯାହା ପୃଥିଵୀରେ ଜୀଵନର ଵିକାଶ ପାଇଁ ଅନୁକୂଳ ପରିଵେଶ ସୃଷ୍ଟି କରିଛି। ଵୈଜ୍ଞାନିକମାନେ ସ୍ପେକ୍ଟ୍ରୋସ୍କୋପୀ, ଗାଣିତିକ ମଡେଲ ଓ ଅନ୍ୟ ତାରକାଙ୍କ ଅଧ୍ୟୟନ ମାଧ୍ୟମରେ ସୂର୍ଯ୍ୟର ଶ୍ରେଣୀକରଣ ଓ ଭଵିଷ୍ୟତ ଆକଳନ କରିଛନ୍ତି। ଆଗାମୀ ୫.୪ ବିଲିୟନ ଵର୍ଷ ମଧ୍ୟରେ ସୂର୍ଯ୍ୟ ମୁଖ୍ୟ କ୍ରମରେ ରହିବେ, କିନ୍ତୁ ତାଙ୍କର ବୃଦ୍ଧିପ୍ରାପ୍ତ ଉଜ୍ଜ୍ୱଳତା ପୃଥିଵୀରେ ଜୀଵନକୁ ଚ୍ୟାଲେଞ୍ଜ କରିଵ। ପରଵର୍ତ୍ତୀ ସମୟରେ ସୂର୍ଯ୍ୟ ଲାଲ ଦାନଵ, ପ୍ଲାନେଟାରୀ ନେବୁଲା, ଶ୍ୱେତ ଵାମନ, ଓ ଶେଷରେ କୃଷ୍ଣ ବାମନ ପର୍ଯ୍ୟାୟରେ ପହଞ୍ଚି ଏକ ଶୀତଳ, ଅନ୍ଧକାର ଅବସ୍ଥାରେ ସୌରଜଗତକୁ ଛାଡ଼ି ଦେବେ। ଏହି ମହାକାଶୀୟ ଯାତ୍ରା ଆମକୁ ବ୍ରହ୍ମାଣ୍ଡର ଅସ୍ଥିରତା ଓ ଅସୀମ ରହସ୍ୟ ସମ୍ବନ୍ଧରେ ଶିକ୍ଷା ଦେଇଥାଏ । ସେହିପରି ପୃଥିଵୀରେ ଜୀଵନର ମୂଲ୍ୟ ଓ ସଂରକ୍ଷଣର ଗୁରୁତ୍ୱକୁ ମଧ୍ୟ ଆମ ସୌରଜଗତର ଏହି କାହାଣୀ ମନେ ପକାଇ ଦେଇଥାଏ।


Friday, June 6, 2025

ଭାରତର ସିକନ୍ଦର : ଲଳିତାଦିତ୍ୟ ମୁକ୍ତପିଡ଼

ଲଳିତାଦିତ୍ୟ ମୁକ୍ତପିଡ଼ (Lalitaditya Muktapida) କାଶ୍ମୀରର କର୍କୋଟକ ବଂଶର ଜଣେ ପ୍ରସିଦ୍ଧ ହିନ୍ଦୁ ସମ୍ରାଟ ଥିଲେ, ଯାହାଙ୍କ ଶାସନକାଳ ପ୍ରାୟ ୭୨୪ ଖ୍ରୀଷ୍ଟାବ୍ଦରୁ ୭୬୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଵିସ୍ତାରିତ ଥିଲା। ସେ ଇତିହାସରେ ଜଣେ ଶକ୍ତିଶାଳୀ ଓ ସାହସୀ ଶାସକ ଭାବେ ପରିଚିତ, ଯିଏ କାଶ୍ମୀରକୁ ଏକ ଵିଶାଳ ସାମ୍ରାଜ୍ୟରେ ପରିଣତ କରିଥିଲେ ଏଵଂ ଆରବ ଓ ତୁର୍କ ଆକ୍ରମଣକାରୀଙ୍କୁ ପ୍ରତିହତ କରିଥିଲେ।


 ଲଳିତାଦିତ୍ୟ ଉତ୍ତର ଭାରତ,ଅଫଗାନିସ୍ତାନ, ମଧ୍ୟ ଏସିଆର କିଛି ଅଂଶ ଓ ତିବ୍ବତ ପର୍ଯ୍ୟନ୍ତ ଅଞ୍ଚଳରେ ନିଜ ସାମ୍ରାଜ୍ୟ ଵିସ୍ତାର କରିଥିଲେ। ସେ ସିନ୍ଧ ଓ ଆଖପାଖ ଅଞ୍ଚଳରେ ପ୍ରଭାବ ଵିସ୍ତାର କରିଥିଵା ଆରବ ଆକ୍ରମଣକାରୀଙ୍କୁ ସଫଳତାର ସହ ପ୍ରତିରୋଧ କରିଥିଲେ। ଏହି ସମୟରେ ଆରବ ଶକ୍ତି ଉମୟ୍ୟଦ ଖିଲାଫତ ଅଧୀନରେ ଥିଲା ଏଵଂ ଲଳିତାଦିତ୍ୟଙ୍କ ସାମରିକ କୌଶଳ ସେମାନଙ୍କୁ ସଫଳତାର ସହ ପ୍ରତିହତ କରିଥିଲା ।ଲଳିତାଦିତ୍ୟଙ୍କ ଶାସନକାଳକୁ କାଶ୍ମୀରର ସ୍ୱର୍ଣ୍ଣିମ ଯୁଗ ଭାବେ ଵିଵେଚିତ କରାଯାଏ ।‌ ସେ ଅନେକ ସାମରିକ ଅଭିଯାନରେ ଅପରାଜିତ ରହିଥିଲେ।

ଲଳିତାଦିତ୍ୟ କାଶ୍ମୀରର ପାରିଆଉଲି (ବର୍ତ୍ତମାନ ପାରିହାସପୁର)ଠାରେ ଏକ ନୂତନ ରାଜଧାନୀ ନିର୍ମାଣ କରିଥିଲେ। ସେ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ, ଯାହା ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଥିଲା ଏଵଂ ଏହାର ଭଗ୍ନାଵଶେଷ ଆଜି ମଧ୍ୟ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦେଖାଯାଏ। ଏହି ମନ୍ଦିର ସ୍ଥାପତ୍ୟ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଶିଳ୍ପ, ସ୍ଥାପତ୍ୟ ଓ ଧର୍ମର ପ୍ରସାର ପାଇଁ ଅନେକ ଅଵଦାନ ଦେଇଥିଲେ।

ଲଳିତାଦିତ୍ୟଙ୍କ ଵିଷୟରେ ସଵିଶେଷ ତଥ୍ୟ ରାଜତରଙ୍ଗିଣୀରେ ମିଳେ ଏଵଂ ଏହା କଲ୍ହଣଙ୍କ ଦ୍ୱାରା ଲିଖିତ ଏକ ଐତିହାସିକ ଗ୍ରନ୍ଥ। ଆରବ,ପାରସ୍ୟ ଓ ଚୀନଦେଶର ପ୍ରାଚୀନ ଗ୍ରନ୍ଥରେ ବି ଏହାଙ୍କ ନାମୋଲ୍ଲେଖ ରହିଛି । କୁହାଯାଏ ଯେ ଲଳିତାଦିତ୍ୟ କେଵଳ ସାମରିକ ଵିଜେତା ନ ଥିଲେ ବରଂ ସେ ଏକ ଦକ୍ଷ ପ୍ରଶାସକ ମଧ୍ୟ ଥିଲେ, ଯିଏ ନିଜ ସାମ୍ରାଜ୍ୟକୁ ସ୍ଥିରତା ଓ ସମୃଦ୍ଧି ଦେଇଥିଲେ।

ଲଳିତାଦିତ୍ୟଙ୍କୁ ଅନେକ ଐତିହାସିକ ଓ ଗଵେଷକ "ଭାରତର ସିକନ୍ଦର" ଭାବେ ଅଭିହିତ କରିଛନ୍ତି, କାରଣ ସେ କେବେ ଯୁଦ୍ଧରେ ହାରି ନ ଥିଲେ ଏଵଂ ତାଙ୍କ ସାମ୍ରାଜ୍ୟ ଵିସ୍ତାର ଅତ୍ୟନ୍ତ ପ୍ରଭାଵଶାଳୀ ଥିଲା।
 ତାଙ୍କ ସମୟରେ କାଶ୍ମୀର ଏକ ଶକ୍ତିଶାଳୀ ଆର୍ଥିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ଉଭା ହୋଇଥିଲା।

ଦୁର୍ଭାଗ୍ୟଵଶତଃ, ଆଧୁନିକ ଇତିହାସ ଶିକ୍ଷାରେ ଲଳିତାଦିତ୍ୟଙ୍କ ଵିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ, ଯାହା କାରଣରୁ ଅନେକ ଲୋକ ତାଙ୍କ ଅଵଦାନ ବିଷୟରେ ଅଜଣା ଅଛନ୍ତି। ତଥାପି, ସେ ଭାରତୀୟ ଇତିହାସରେ ଜଣେ ମହାନାୟକ ଭାବେ ସ୍ମରଣୀୟ।

Thursday, June 5, 2025

•ଗୋଟିଏ ଅବୋଲକରା ବେଙ୍ଗର କାହାଣୀ•

ଅତି ପ୍ରାଚୀନ କାଳରେ ଏକ ସାଗୁଆ ରଙ୍ଗର ବେଙ୍ଗ ଥିଲା, ଯିଏ ଜନ୍ମରୁ ଅବୋଲକରା ଥିଲା ଏଵଂ କେବେ ହେଲେ ତା’ର ମାଆର ବୋଲ ମାନୁ ନଥିଲା। ଯେତେବେଳେ ତା’ର ମାଆ ତାକୁ ଡେଇଁଵାକୁ କହୁଥିଲା, ସେ କାଦୁଅ ଭିତରେ ନିଜକୁ ଦୃଢ଼ ଭାବେ ଅଟକାଇ ଦେଇ ଡେଇଁଵାକୁ ମନା କରିଦେଉଥିଲା। ପୁଣି ଯେତେବେଳେ ତା’ର ମାଆ ତାକୁ "ଚୁପ୍ ରହ" ବୋଲି କହୁଥିଲା, ସେ ବାରମ୍ବାର ଯଥାସମ୍ଭବ ଉଚ୍ଚକୁ ଡିଆଁ ମାରୁଥିଲା। ଏହି ଦୁଷ୍ଟାମି ତା’ର ବାଲ୍ୟକାଳ ସାରା ଚାଲିଥିଲା ଓ ଯୌଵନ ଵୟସରେ ମଧ୍ୟ ଜାରି ରହିଲା, ଯାହା ତା’ର ଦୁଃଖୀ ମାଆକୁ ବହୁତ ହଇରାଣ କରୁଥିଲା। ଶେଷରେ, ମାଆ ବେଙ୍ଗ ତା’ର ଏହି ଅବୋଲକରା ପୁଅକୁ ସୁଧାରିଵାର ଚେଷ୍ଟା ଛାଡ଼ି ଦେଇଥିଲା।ତା’ର ଏହି ଅଵାଧ୍ୟ ସ୍ଵଭାଵ ମାଆ ବେଙ୍ଗ ପାଇଁ ମୁଣ୍ଡଵ୍ୟଥାର‌ କାରଣ ହୋଇଗଲା । ମାଆ ବେଙ୍ଗ ବୃଦ୍ଧା ହୋଇଯାଇଥିଲା ଆଉ ତା’ର ପୁଅ ବେଙ୍ଗ ତଥାପି ନିଜ ଅବୋଲକରା ଆଚରଣ ସୁଧାରି ନଥିଲା। ପୁଅ ବେଙ୍ଗଟା ଭେଣ୍ଡିଆ ହୋଇଗଲା ତଥାପି ମାଆ ବେଙ୍ଗ କଥା ଶୁଣୁନଥାଏ ,ଦକ୍ଷିଣକୁ ଯିଵାକୁ କୁହାଗଲେ ଉତ୍ତରକୁ ଯାଉଥାଏ ଆଉ ଜାଗି ରହିଵାକୁ କୁହାଗଲେ ଶୋଇ ପଡ଼ୁଥାଏ । ମାଆ ବେଙ୍ଗ କାନ୍ଦି କାନ୍ଦି କହୁଥିଲା, "କେଵଳ ଗୋଟିଏ ଥର ପାଇଁ ମୋ ପୁଅ ମୋ କଥା ମାନନ୍ତା ଭଲା !" । ପୁଅ ବେଙ୍ଗର ଏହି ଦୁଷ୍ଟାମି ମାଆ ବେଙ୍ଗକୁ ଵିଶେଷ ଭାବେ ଦୁଃଖୀ କରୁଥିଲା, କାରଣ ସେ ତା’ର ଜୀଵନର ଶେଷ ଦିନଗୁଡ଼ିକ ଆଡ଼କୁ ଅଗ୍ରସର ହେଉଥିଲା। 

ପୁଅ ବେଙ୍ଗ ସ୍ଵଭାଵତଃ ଦୁଷ୍ଟ ନଥିଲା; ସେ କେଵଳ ଯାହା କରିଵାକୁ କୁହାଯାଉଥିଲା, ତା’ର ଠିକ୍ ଉଲଟା କରିଵାରେ ଆନନ୍ଦ ପାଉଥିଲା।କିନ୍ତୁ, ଯେତେବେଳେ ଏହି ଦୁଷ୍ଟ ବେଙ୍ଗ ତା’ର ମାଆକୁ ମରିଯିବାର ଦେଖିଲା, ସେ ହଠାତ୍ ଜୀଵନସାରା ମାଆ କଥା ମାନି ନଥିଵା କଥା ମନେ ପକାଇ ପଶ୍ଚାତାପ କରିଵାକୁ ଲାଗିଲା। 

ମାଆ ବେଙ୍ଗ ମରିଵା ପୂର୍ଵରୁ ପୁଅବେଙ୍ଗକୁ କହିଲା ମୁଁ ମରିଗଲେ "ମୋତେ ନଦୀକୂଳ ପାଖରେ ପୋତି ଦେବୁ ।" ପ୍ରକୃତରେ, ମାଆ ବେଙ୍ଗ ପାହାଡ଼ରେ ପୋତା ପାଇଵାକୁ ଚାହୁଁଥିଲା, କିନ୍ତୁ ଯେହେତୁ ପୁଅ ବେଙ୍ଗ ସବୁବେଳେ ଉଲଟା କାମ କରେ ତେଣୁ ମାଆ ବେଙ୍ଗ ଓଲଟା କଥା କହିଥିଲା । ଦୁର୍ଭାଗ୍ୟବଶତଃ, ମାଆର ଶେଷ କଥା ଶୁଣି ଏହି ଦୁଷ୍ଟ ବେଙ୍ଗର ମନ ବଦଳିଗଲା। ଏକ ପରିପକ୍ୱ ବେଙ୍ଗ ପରି ଆଚରଣ କରିଵାର ସମୟ ଆସିଛି ବୋଲି ସେ ଵିଚାର କଲା । 
ନିଜକୁ ଏକ ଭଲ ପୁଅ ଭାବି, ସେ ତା’ର ମାଆକୁ ନଦୀକୂଳ ପାଖରେ କବର ଦେଲା । ଅଵଶ୍ୟ ନଦୀକୂଳରେ ପୋତିଵାକୁ କାର୍ଯ୍ୟକୁ ସେ ଏକ ମୂର୍ଖାଣ୍ଡିଆ କାମ ମନେ କରୁଥିଲା କାରଣ ଵର୍ଷା ହେଲେ ପ୍ରଵଳ ସ୍ରୋତ ତା’ର ମାଆର ଶଵକୁ ଭସାଇ ନେଇଯାଇପାରେ।


କିନ୍ତୁ ମାଆବେଙ୍ଗର ଶେଷ ଇଚ୍ଛା, ଅତି କମରେ ମାନିଵା ଉଚିତ ଵିଚାର କରି ଅବୋଲକରା ପୁଅବେଙ୍ଗଟା ନଦୀକୂଳରେ ତା ମାଆର ଶଵକୁ ପୋତି ଦେଲା । ତେବେ ମାଆ ବେଙ୍ଗକୁ ନଦୀକୂଳରେ ପୋତି ଦେଵା ପରେ ଅବୋଲକରା ବେଙ୍ଗର ଚିନ୍ତା ବଢ଼ିଗଲା । ସେ ଭାବିଲା ଵର୍ଷା ହେଲେ କାଳେ ପ୍ରଵଳ ସ୍ରୋତ ତା’ର ମାଆକୁ ଭସାଇ ନେଵ। ତେଣୁ, ଯେତେବେଳେ ପୁଅବେଙ୍ଗ ଵର୍ଷା ହେଵାର ସଙ୍କେତ ପାଉଥିଲା, ସେ କାନ୍ଦିଵାକୁ ଲାଗୁଥିଲା, ପ୍ରାର୍ଥନା କରୁଥିଲା ଯେ ସ୍ରୋତ ତା’ର ମାଆକୁ ଭସାଇ ନ ନେଇଯାଉ। କାଳକ୍ରମେ ଏହା ଏକ ପରମ୍ପରାରେ ପରିଣତ ହେଲା । ପୁଅବେଙ୍ଗର ପରିଵାର ଜାତି ଭାଇ ସାଈ ପଡ଼ିଶା ସମସ୍ତେ ସେମିତି କଲେ ଆଉ ଆଜି ପର୍ଯ୍ୟନ୍ତ ଵର୍ଷା ହେଲେ ବେଙ୍ଗମାନେ ସେଇମିତି ବୋବାଉଛନ୍ତି । 

•••••••••••••••••••••••••••
ପ୍ରାଚୀନ କାଳରେ ଯେତେବେଳେ ବେଙ୍ଗ କାହିଁକି ବୋବାଉଛନ୍ତି ବୋଲି ଚୀନ ଓ କୋରିଆରେ ପିଲାଏ ତାଙ୍କ ମାଆ, ଜେଜେମାଆ ଓ ଆଈମାଆଙ୍କୁ ପଚାରୁଥିଲେ ସେତେବେଳେ ସେମାନେ ଅବୋଲକରା ବେଙ୍ଗ ଓ ଵର୍ଷା ସମ୍ବନ୍ଧୀୟ ଏହି ଲୋକକଥା ଦ୍ଵାରା ତହିଁର ଉତ୍ତର ଦେଉଥିଲେ । ମୂଳତଃ ଏହି କାହାଣୀଟି ଚୀନଦେଶୀୟ ତେବେ ପରେ ଏହା କୋରିଆରେ ଅଧିକ ଲୋକପ୍ରିୟ ହୋଇଥିଲା । 

 ତେବେ ଵର୍ଷାକାଳରେ ବେଙ୍ଗମାନଙ୍କର ବୋବାଇଵା ପଛରେ ଥିଵା ଵୈଜ୍ଞାନିକ କାରଣ ଭିନ୍ନ। ବେଙ୍ଗମାନେ ଵର୍ଷାକାଳରେ ବୋବାଇଥାଆନ୍ତି କାରଣ ଏହା ସେମାନଙ୍କ ପାଇଁ ଏକ ଆଦର୍ଶ ସମୟ। ଵୈଜ୍ଞାନିକ ଦୃଷ୍ଟିରୁ, ବେଙ୍ଗ ଓ ପାଣିବେଙ୍ଗ ଆର୍ଦ୍ରତା ପସନ୍ଦ କରନ୍ତି। ଵର୍ଷା ସମୟରେ ଆର୍ଦ୍ର ପରିଵେଶ ସେମାନଙ୍କ ଚର୍ମକୁ ଆଦ୍ର କରିଦିଏ, ଯାହା ସେମାନଙ୍କ ଶ୍ୱାସକ୍ରିୟା ଓ ବଞ୍ଚିଵା ପାଇଁ ଜରୁରୀ, କାରଣ ସେମାନେ ଚର୍ମ ମାଧ୍ୟମରେ ଅମ୍ଳଜାନ ଗ୍ରହଣ କରନ୍ତି। ଵର୍ଷା ଯୋଗୁଁ ପରିଵେଶର ଆର୍ଦ୍ର ଅଵସ୍ଥା ସେମାନଙ୍କୁ ବାହାରକୁ ଆସି ଖେଳିଵା ଓ ପ୍ରଜନନର ସୁଯୋଗ ଦେଇଥାଏ। ଵର୍ଷା ସମୟରେ ଜଳାଶୟ ଓ ଆର୍ଦ୍ର ସ୍ଥାନଗୁଡ଼ିକ ବେଙ୍ଗମାନଙ୍କ ପାଇଁ ଅଣ୍ଡା ଦେଵା ଓ ପ୍ରଜନନ ପାଇଁ ଉପଯୁକ୍ତ ହୋଇଥାଏ। ତେଣୁ, ଯେତେବେଳେ ଵର୍ଷା ହୁଏ, ବେଙ୍ଗମାନେ ବୋବାଇଥାଆନ୍ତି ଯାହା ସଙ୍ଗମ ପାଇଁ ଡାକ ଵା ଆନନ୍ଦ ପ୍ରକାଶ କରିଵା ପାଇଁ ଉଦ୍ଧିଷ୍ଟ ହୋଇଥାଏ ।

(ଛୋଟବେଳେ ମୁଁ ବେଙ୍ଗ କାହିଁକି ବୋବାଉଛନ୍ତି ପଚାରିଲେ ମାଆ ଆଉ ଗୋଟିଏ କାହାଣୀ କହୁଥିଲା କିନ୍ତୁ ସେ କାହାଣୀଟି ମନେ ପଡ଼ୁନାହିଁ । ସେଇ କାହାଣୀକୁ ଖୋଜୁ ଖୋଜୁ ଏଇ କାହାଣୀଟା ମିଳିଲା 😂🙏)

Monday, June 2, 2025

•ସ୍ଵାଧୀନତା ପରଵର୍ତ୍ତୀ ଭାରତର ଅର୍ଥନୈତିକ ଓ ସାମାଜିକ ଯାତ୍ରା•

ଇଂରେଜମାନେ ଗଲାବେଳେ ଭାରତକୁ ପୂରା କାଙ୍ଗାଳ କରି ଛାଡ଼ି ଯାଇଥିଲେ । ପ୍ରଖ୍ୟାତ ଅର୍ଥନୀତିଜ୍ଞ ଉତ୍ସା ପଟ୍ଟନାୟକ (Utsa Patnaik) ଙ୍କ ଗଵେଷଣା ଅନୁସାରେ, ୧୭୬୫ ରୁ ୧୯୩୮ ମଧ୍ୟରେ ଇଂରେଜମାନେ ଭାରତରୁ ପ୍ରାୟ ୪୫ ଟ୍ରିଲିୟନ ଡଲାର (ଆଜିର ମୂଲ୍ୟରେ) ଲୁଟି ନେଇଥିଲେ। ଏହି ଅଙ୍କ ବ୍ରିଟେନର ଵର୍ତ୍ତମାନର ବାର୍ଷିକ GDP ର ପ୍ରାୟ ୧୫-୧୭ ଗୁଣ ଅଟେ। ଏ ଟଙ୍କା ଏତେ ଅଧିକ ଯେ ଲଣ୍ଡନକୁ ଚାରିଥର ପଚାଶ ପାଉଣ୍ଡ ନୋଟରେ ଆଚ୍ଛାଦିତ କରାଯାଇପାରେ। 

ଅଵଶ୍ୟ କେତେକ ଇତିହାସବିଦ୍, ଯେପରିକି ନିଆଲ୍ ଫର୍ଗୁସନ୍, ଦାବି କରନ୍ତି ଯେ ବ୍ରିଟିଶ ଶାସନ ଭାରତକୁ କିଛି ଵିକାଶରେ ସାହାଯ୍ୟ କରିଥିଲା (ଯେପରିକି ରେଳବାଇ ଓ ଶିକ୍ଷା)। କିନ୍ତୁ ଉତ୍ସା ପଟ୍ଟନାୟକ ଓ ଅନ୍ୟମାନେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଏହି ବିକାଶ ମୁଖ୍ୟତଃ ବ୍ରିଟିଶ ସ୍ୱାର୍ଥ ପାଇଁ ଥିଲା, ଏବଂ ଭାରତୀୟମାନଙ୍କ ପାଇଁ ଏହାର ଲାଭ ନଗଣ୍ୟ ଥିଲା। ଯୋଉମାନେ ଇଂରେଜମାନଙ୍କ ସପକ୍ଷରେ କୁହନ୍ତି ସେମାନେ ୧୦୦୦ ଵର୍ଷ ପୂର୍ଵର ଭାରତ ଓ ୧୦୦ ଵର୍ଷ ତଳର ଭାରତର ଅଵସ୍ଥା ସମ୍ବନ୍ଧରେ ଅଧ୍ୟୟନ କରିଵା ଆଵଶ୍ୟକ ।‌ ତେବେ ଏତେ ପଛକୁ ନଯାଇ 
ଇଂରେଜମାନଙ୍କ ଶାସନ ପୂର୍ଵ ସମୟର ଭାରତୀୟ ଅର୍ଥନୈତିକ ସ୍ଥିତିକୁ ଵିଚାର କରି ଦେଖିଲେ ବି ସେମାନଙ୍କର ଆଖି ଖୋଲିଯିଵ । ଇଂରେଜମାନଙ୍କ ଭାରତ ଅଧିକାର ପୂର୍ଵରୁ ଅର୍ଥାତ୍ ୧୭୫୭ ମସିହା ପୂର୍ଵରୁ, ଭାରତ ଅର୍ଥନୀତି କ୍ଷେତ୍ରରେ ଵିଶ୍ୱର ସବୁଠାରୁ ଵୃହତ ଅର୍ଥନୀତି ଥିଲା ।‌ ଵିଶ୍ଵରେ ଭାରତ ସବୁଠାରୁ ସମୃଦ୍ଧ ଦେଶ ଭାବେ ପ୍ରଥମ ସ୍ଥାନରେ ଥିଲା। ଅର୍ଥନୀତିଜ୍ଞ ଆଙ୍ଗସ୍ ମାଡିସନ୍ (Angus Maddison) ଙ୍କ ଗଵେଷଣା ଅନୁସାରେ, ୧୭୦୦ ମସିହାରେ ଭାରତର ଅର୍ଥନୀତି ଵିଶ୍ୱର ମୋଟ GDPର ୨୪.୪% ଥିଲା, ଯାହା ଚୀନ (୨୨.୩%) ଓ ପଶ୍ଚିମ ଇଉରୋପର ସମସ୍ତ ଅର୍ଥନୀତିକୁ ମିଶାଇ ଅପେକ୍ଷା ଅଧିକ ଥିଲା। କିନ୍ତୁ ଇଂରେଜମାନଙ୍କ ଆଗମନ ପରେ ପରେ ଭାରତ ପୃଥିଵୀର ଏକ ଦରିଦ୍ର ଦେଶରେ ପରିଣତ ହୋଇଥିଲା । ଉଦାହରଣ ସ୍ଵରୂପ ଭାରତର ପ୍ରତି ଵ୍ୟକ୍ତି ଆୟ ୧୯୦୦ରୁ ୧୯୪୬ ମଧ୍ୟରେ ପ୍ରାୟ ସ୍ଥିର ରହିଥିଲା (୧୯୦୦ରେ ୧୯୬.୧ ଟଙ୍କା ଥିଵା ବେଳେ ୧୯୪୬ରେ ୨୦୧.୯ ଟଙ୍କା)। ୧୭୫୦ରେ ଭାରତ ଵିଶ୍ୱର ୨୫% ଶିଳ୍ପ ଉତ୍ପାଦନ କରୁଥିଲା, କିନ୍ତୁ ୧୯୦୦ ବେଳକୁ ଏହା ୨% କୁ ହ୍ରାସ ପାଇଥିଲା, ଯାହା ବ୍ରିଟିଶ ସୁରକ୍ଷାବାଦୀ ନୀତି (protectionist policies) ଯୋଗୁଁ ହୋଇଥିଲା। ଇଂରେଜମାନଙ୍କର ଉଚ୍ଚ କର, ଖାଦ୍ୟ ରପ୍ତାନି, ଓ ଅନାଵଶ୍ୟକ ଋଣ ଯୋଗୁଁ ଭାରତରେ ଦୁର୍ଭିକ୍ଷ ଓ ଦାରିଦ୍ର୍ୟ ବୃଦ୍ଧି ପାଇଥିଲା। ୧୯୧୧ରେ ଭାରତୀୟଙ୍କର ଜୀଵନ ଆୟୁ ମାତ୍ର ୨୨ ଵର୍ଷ ଥିଲା। ତେବେ ଇଂରେଜମାନେ ଭାରତକୁ ଆଖୁ ଚିପୁଡ଼ିଲା ଭଳି ଚିପୁଡ଼ି ଦେଇ ଗଲାପରେ ଏ ଦେଶ ସେବେଠାରୁ ଆଜି ପର୍ଯ୍ୟନ୍ତ ଅନେକ ଉନ୍ନତି କରିଛି । ଏମିତି ଶହେଟିରୁ ଅଧିକ କ୍ଷେତ୍ରରେ ଭାରତ ଶୀର୍ଘ ୫ ସ୍ଥାନରେ ରହିଛି ତେବେ ସେ ସମସ୍ତ ଵିଷୟକୁ ଏଠାରେ ଏକାବେଳକେ ଉଲ୍ଲେଖ କରିଵା କଷ୍ଟକର । ତଥାପି ଭାରତର କେତେକ ମୁଖ୍ୟ ମୁଖ୍ୟ ଉପଲବ୍ଧି ଵିଷୟରେ ନିମ୍ନରେ ଉଲ୍ଲେଖ କରାଗଲା । 


ଭାରତ ଏବେ ଵିଶ୍ୱର ଚତୁର୍ଥ ଵୃହତ୍ତମ ଅର୍ଥନୀତି । ଆମେରିକା, ଚୀନ୍, ଜାପାନ, ଓ ଜର୍ମାନୀ ପରେ ଭାରତ ଚତୁର୍ଥ । IMF ଏବଂ ଵିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ଭାରତର GDP ପ୍ରାୟ $୩.୯ ଟ୍ରିଲିୟନ୍ ଅଟେ।

ଭାରତ ଵିଶ୍ୱରେ ସର୍ଵାଧିକ ଦୁଗ୍ଧ ଉତ୍ପାଦକ (ର‍୍ୟାଙ୍କ ୧)। FAO ତଥ୍ୟ ଅନୁଯାୟୀ, ଭାରତ ପ୍ରାୟ ୨୨% ଵିଶ୍ୱ ଦୁଗ୍ଧ ଉତ୍ପାଦନ କରେ, ଯାହା ଅମୁଲ ଓ ଶ୍ୱେତ ବିପ୍ଲବ ଦ୍ୱାରା ସମ୍ଭଵ ହୋଇଛି।

ଭାରତ ଵିଶ୍ୱରେ IT ଓ ସଫ୍ଟୱେର ସେବା ରପ୍ତାନିରେ ଶୀର୍ଷ ସ୍ଥାନରେ (ର‍୍ୟାଙ୍କ ୧ କିମ୍ବା ୨)। NASSCOM ଅନୁଯାୟୀ, ଭାରତୀୟ IT ଶିଳ୍ପର ରପ୍ତାନି ମୂଲ୍ୟ $୧୯୦ ବିଲିୟନ୍‌ରୁ ଅଧିକ (୨୦୨୪)।

ଭାରତ ଵିଶ୍ୱରେ ଜେନେରିକ୍ ଔଷଧ ଉତ୍ପାଦନରେ ତୃତୀୟ ଵୃହତ୍ତମ (ର‍୍ୟାଙ୍କ ୩) ଏଵଂ ପରିମାଣ ଅନୁଯାୟୀ ପ୍ରଥମ ଦେଶ ଅଟେ । ଏହା "ଵିଶ୍ୱର ଫାର୍ମାସି" ଭାବେ ପରିଚିତ, ଯାହା ଵିଶ୍ୱକୁ ୬୦% ଟୀକା ଯୋଗାଇଥାଏ।

ଭାରତ ଧାନ ଉତ୍ପାଦନରେ ଵିଶ୍ୱରେ ଦ୍ୱିତୀୟ (ଚୀନ୍ ପରେ) ଏଵଂ ଗହମ ଉତ୍ପାଦନରେ ମଧ୍ୟ ଦ୍ୱିତୀୟ। ଏହା ଵିଶ୍ୱରେ ଅନ୍ୟତମ ପନିପରିବା ଓ ଫଳ ଉତ୍ପାଦକ (FAO ତଥ୍ୟ) ଦେଶ।

ଇସ୍ରୋ (ISRO) ବିଶ୍ୱରେ ଅନ୍ୟତମ ଶୀର୍ଷ ୫ଟି ଅନ୍ତରୀକ୍ଷ ସଂସ୍ଥା ମଧ୍ୟରେ ସ୍ଥାନ ପାଇଛି। ମଙ୍ଗଳଯାନ ଓ ଚନ୍ଦ୍ରଯାନ-୩ ଭଳି ମିଶନ ଭାରତକୁ ଅନ୍ତରୀକ୍ଷ ଗଵେଷଣାରେ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ରଖିଛି।

ଵିଶ୍ୱର ଦ୍ୱିତୀୟ ସର୍ଵଧିକ ଇଣ୍ଟରନେଟ ଵ୍ୟଵହାରକାରୀ (୮୦୦ ମିଲିୟନ୍‌ରୁ ଅଧିକ) ଏଵଂ ମୋବାଇଲ ଫୋନ୍ ଵ୍ୟଵହାରକାରୀ ଭାରତରେ ରହିଛନ୍ତି, ଯାହା ଡିଜିଟାଲ ଅଵସଂସ୍ଥାନରେ ଭାରତର ଉନ୍ନତି ଓ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଦର୍ଶାଏ ।‌

ଭାରତ ଵିଶ୍ୱରେ ନଵୀକରଣୀୟ ଶକ୍ତି ଉତ୍ପାଦନରେ (ବିଶେଷତଃ ସୌର ଓ ପଵନ ଶକ୍ତି) ଚତୁର୍ଥ ସ୍ଥାନରେ ରହିଛି। ୨୦୨୪ ସୁଦ୍ଧା ଭାରତର ସୌର ଶକ୍ତି କ୍ଷମତା ୮୫ GW ଅତିକ୍ରମ କରିଛି ଏଵଂ ମୋଟ ନଵୀକରଣୀୟ ଶକ୍ତି କ୍ଷମତା ୧୪୦ GWରୁ ଅଧିକ ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ସ୍ମାର୍ଟଫୋନ ଉତ୍ପାଦକ ଦେଶ (ଚୀନ୍ ପରେ) ଅଟେ। "ମେକ୍ ଇନ୍ ଇଣ୍ଡିଆ" କାର୍ଯ୍ୟକ୍ରମ ଅଧୀନରେ ସାମସଙ୍ଗ, ଶାଓମି, ଓ ଆପଲ୍ ଭଳି କମ୍ପାନୀ ଭାରତରେ ଵୃହତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛନ୍ତି। ୨୦୨୪ରେ ଭାରତ ପ୍ରାୟ ୩୩୦ ମିଲିୟନ୍ ସ୍ମାର୍ଟଫୋନ ଉତ୍ପାଦନ କରିଛି।

ଭାରତର ସ୍ଟାର୍ଟଅପ୍ ଇକୋସିଷ୍ଟମ ଵିଶ୍ୱରେ ତୃତୀୟ ଵୃହତ୍ତମ (ଆମେରିକା ଓ ଚୀନ୍ ପରେ)। ୨୦୨୫ ସୁଦ୍ଧା ଭାରତରେ ୧୦୦,୦୦୦ରୁ ଅଧିକ ସ୍ଟାର୍ଟଅପ୍ ଏବଂ ୧୦୦ରୁ ଅଧିକ Unicorn (ମୂଲ୍ୟ $୧ ବିଲିୟନ୍‌ରୁ ଅଧିକ) ରହିଛି, ଯେମିତି Byju’s, Paytm, ଓ Zomato ଇତ୍ୟାଦି ।‌

ଭାରତ ବିଶ୍ୱରେ ପଞ୍ଚମ ବୃହତ୍ତମ ପ୍ରତିରକ୍ଷା ବଜେଟ ଥିଵା ଦେଶ ଅଟେ (SIPRI ତଥ୍ୟ, ୨୦୨୪)। ଏହା ବ୍ରହ୍ମୋସ କ୍ଷେପଣାସ୍ତ୍ର, ତେଜସ ଯୁଦ୍ଧବିମାନ, ଆକାଶ ମିସାଇଲ ସିଷ୍ଟମ୍ ଓ ଅଗ୍ନି ଶ୍ରେଣୀର ବାଲିଷ୍ଟିକ୍ ମିସାଇଲ୍ ଭଳି ସ୍ୱଦେଶୀ ପ୍ରଯୁକ୍ତିରେ ଅଗ୍ରଣୀ।

ଭାରତ ଵିଶ୍ୱରେ ସର୍ଵାଧିକ ଚଳଚ୍ଚିତ୍ର ଉତ୍ପାଦନ କରୁଥିଵା ଦେଶ (ର‍୍ୟାଙ୍କ ୧)। ବଲିଉଡ୍, ଟଲିଉଡ୍, ଓ ଅନ୍ୟ ଆଞ୍ଚଳିକ ଚଳଚ୍ଚିତ୍ର ଶିଳ୍ପ ମିଳିତ ଭାବେ ଵର୍ଷକୁ ୧,୫୦୦-୨,୦୦୦ ଚଳଚ୍ଚିତ୍ର ନିର୍ମାଣ କରେ, ଯାହା ହଲିଉଡ୍ ଓ ଅନ୍ୟ ଶିଳ୍ପଠାରୁ ଅଧିକ।

ଭାରତ ଵିଶ୍ୱରେ ସର୍ଵାଧିକ ମସଲା ଉତ୍ପାଦକ ଓ ରପ୍ତାନିକାରୀ (ର‍୍ୟାଙ୍କ ୧)। ଏହା ଵିଶ୍ୱ ମସଲା ବଜାରର ପ୍ରାୟ ୭୦% ଯୋଗାଇଥାଏ, ଯେଉଁଥିରେ ହଳଦୀ, ମରିଚ, ଓ ଅଳେଇଚ ଇତ୍ୟାଦି ପ୍ରମୁଖ।

ଭାରତ ବିଶ୍ୱରେ ପ୍ରଥମ ପାଞ୍ଚଟି ସ୍ଥାନ (ର‍୍ୟାଙ୍କ ୧ରୁ ୫) ମଧ୍ୟରେ ଥିବା ଅନ୍ୟ କିଛି ଉଲ୍ଲେଖନୀୟ କ୍ଷେତ୍ର ନିମ୍ନଲିଖିତ ଅଟେ (ପୂର୍ବରୁ ଉଲ୍ଲେଖିତ କ୍ଷେତ୍ରଗୁଡ଼ିକ ବ୍ୟତୀତ):

ଭାରତ ଵିଶ୍ୱରେ ଟେକ୍ସଟାଇଲ୍ ଓ ପୋଷାକ ରପ୍ତାନିରେ ଚତୁର୍ଥ ଵୃହତ୍ତମ ଦେଶ। ୨୦୨୪ ସୁଦ୍ଧା, ଭାରତର ଟେକ୍ସଟାଇଲ୍ ରପ୍ତାନି ମୂଲ୍ୟ ପ୍ରାୟ $୪୦ ବିଲିୟନ୍, ଯେଉଁଥିରେ ତୁଳା, ଓ ହସ୍ତଶିଳ୍ପ ପୋଷାକ ପ୍ରମୁଖ (ଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରଣାଳୟ ତଥ୍ୟ)।

ଭାରତ ଵିଶ୍ୱରେ ଚତୁର୍ଥ ବୃହତ୍ତମ ଅଟୋମୋବାଇଲ ଉତ୍ପାଦକ (ଯାତ୍ରୀବାହୀ ଗାଡ଼ି ଓ ଦୁଇଚକିଆ ସହିତ)। ଭାରତ ଦୁଇଚକିଆ ଗାଡ଼ି ଉତ୍ପାଦନ କ୍ଷେତ୍ରରେ ଵିଶ୍ୱରେ ଦ୍ୱିତୀୟ (ଚୀନ୍ ପରେ), ଯେଉଁଥିରେ ବାର୍ଷିକ ୨୨-୨୫ ମିଲିୟନ୍ ଗାଡ଼ି ଉତ୍ପାଦନ ହୁଏ (SIAM ତଥ୍ୟ, ୨୦୨୪)।

ଭାରତ ଵିଶ୍ୱରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପଞ୍ଚମ ସ୍ଥାନରେ ରହିଛି। ଏହା ମସଲା, ଶସ୍ୟ, ଓ ପ୍ରକ୍ରିୟାକୃତ ଖାଦ୍ୟ (ଯେମିତି ଫଳ ରସ ଓ ପ୍ୟାକେଜ୍‌ଡ୍ ଖାଦ୍ୟ) ରପ୍ତାନିରେ ଅଗ୍ରଣୀ, ଯାହାର ବଜାର ମୂଲ୍ୟ $୫୦ ବିଲିୟନ୍‌ରୁ ଅଧିକ (APEDA ତଥ୍ୟ)।

 ଭାରତ ଵିଶ୍ୱରେ ତୃତୀୟ ବୃହତ୍ତମ ପେଟ୍ରୋଲିୟମ ରିଫାଇନିଂ କ୍ଷମତା ଥିଵା ଦେଶ। ରିଲାଏନ୍ସ ଜାମନଗର ରିଫାଇନାରୀ ଵିଶ୍ୱରେ ସର୍ଵଵୃହତ୍ ଏକକ ରିଫାଇନାରୀ କମ୍ପ୍ଲେକ୍ସ ଅଟେ, ଯାହା ଵାର୍ଷିକ ୬୮ ମିଲିୟନ୍ ଟନ୍ କ୍ଷମତା ରଖିଛି । 

ଭାରତ ଵିଶ୍ୱରେ ଡିଜିଟାଲ ପେମେଣ୍ଟ ନେଣଦେଣରେ ପ୍ରଥମ ସ୍ଥାନରେ ରହିଛି। UPI (Unified Payments Interface) ମାଧ୍ୟମରେ ଭାରତ ୨୦୨୪ରେ ମାସିକ ୧୫ ବିଲିୟନ୍‌ରୁ ଅଧିକ ନେଣଦେଣ କରିଛି, ଯାହା ଵିଶ୍ୱରେ ଅନ୍ୟ କୌଣସି ଦେଶଠାରୁ ଅଧିକ (NPCI ତଥ୍ୟ)।

ଇସ୍ରୋ ଵିଶ୍ୱରେ ସର୍ଵାଧିକ ଖର୍ଚ୍ଚ-ଦକ୍ଷ ଉପଗ୍ରହ ଉତ୍କ୍ଷେପଣ ସଂସ୍ଥା ଭାବେ ପ୍ରଥମ ସ୍ଥାନରେ ରହିଛି। ଉଦାହରଣ ସ୍ୱରୂପ, ମଙ୍ଗଳଯାନ ($୭୪ ମିଲିୟନ୍) ଓ ଚନ୍ଦ୍ରଯାନ-୩ ($୭୫ ମିଲିୟନ୍) ନାସା ଓ ଅନ୍ୟ ସଂସ୍ଥାଙ୍କ ତୁଳନାରେ ଅତ୍ୟନ୍ତ କମ୍ ଖର୍ଚ୍ଚରେ ସଫଳ ହୋଇଛି।

ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଚା’ ଉତ୍ପାଦକ (ଚୀନ୍ ପରେ)। ଆସାମ, ଦାର୍ଜିଲିଂ, ଓ ନୀଳଗିରିରୁ ଉତ୍ପାଦିତ ଚା’ ଵିଶ୍ୱଵ୍ୟାପୀ ପ୍ରସିଦ୍ଧ। ୨୦୨୪ରେ ଭାରତ ପ୍ରାୟ ୧.୩୫ ବିଲିୟନ୍ କିଲୋଗ୍ରାମ ଚା’ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୨୫%ରୁ ଅଧିକ ।

ଭାରତ ଵିଶ୍ୱରେ ମେଡିକାଲ ଟୁରିଜମରେ ପଞ୍ଚମ ସ୍ଥାନରେ ରହିଛି। ଉଚ୍ଚମାନର ସ୍ୱାସ୍ଥ୍ୟସେଵା, କମ୍ ଖର୍ଚ୍ଚ, ଓ ଆଧୁନିକ ହସ୍ପିଟାଲ (ଯେମିତି AIIMS, Apollo, Fortis) ଯୋଗୁଁ ପ୍ରତିଵର୍ଷ ୨ ମିଲିୟନ୍‌ରୁ ଅଧିକ ଵିଦେଶୀ ରୋଗୀ ଭାରତରେ ଚିକିତ୍ସା ପାଇଁ ଆସୁଛନ୍ତି। ଏହି ଶିଳ୍ପର ମୂଲ୍ୟ ୨୦୨୪ରେ $୯ ବିଲିୟନ୍‌ରୁ ଅଧିକ ।‌

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ସିମେଣ୍ଟ ଉତ୍ପାଦକ ଦେଶ (ଚୀନ୍ ପରେ)। ୨୦୨୪ରେ ଭାରତର ସିମେଣ୍ଟ ଉତ୍ପାଦନ କ୍ଷମତା ପ୍ରାୟ ୫୫୦ ମିଲିୟନ୍ ଟନ୍, ଯାହା ଵିଶ୍ୱ ଉତ୍ପାଦନର ୮-୧୦% ଅଟେ।

ଭାରତ ଵିଶ୍ୱରେ ଜୈଵିକ ସାର(Organic Fertilizers) ଉତ୍ପାଦନରେ ତୃତୀୟ ସ୍ଥାନରେ ରହିଛି। ସରକାରୀ ଯୋଜନା ଓ ଜୈଵିକ ଚାଷକୁ ପ୍ରୋତ୍ସାହନ ଯୋଗୁଁ ଏହାର ବଜାର ୨୦୨୪ରେ $୧.୫ ବିଲିୟନ୍‌ରୁ ଅଧିକ ହୋଇଛି, ଯାହା କୃଷିରେ ଅଗ୍ରଣୀ ଭୂମିକା ନେଇଛି।

ଭାରତ ଵୈ-ବର୍ଜ୍ୟ (Electronic Waste - ଵୈଦୁତିକ ଵର୍ଜ୍ୟଵସ୍ତୁ) ପୁନର୍ଵ୍ୟଵହାର କ୍ଷେତ୍ରରେ ଵିଶ୍ୱର ପଞ୍ଚମ ଅଗ୍ରଣୀ ଦେଶ। ସ୍ୱଚ୍ଛ ଭାରତ ଅଭିଯାନ ଓ ସରକାରୀ ନୀତି ଯୋଗୁଁ ୨୦୨୪ରେ ଭାରତ ପ୍ରାୟ ୧.୫ ମିଲିୟନ୍ ଟନ୍ ଵୈ-ବର୍ଜ୍ୟ ପରିଚାଳନା କରିଛି (Global E-waste Monitor)।


ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଆଖୁ ଉତ୍ପାଦକ (ବ୍ରାଜିଲ ପରେ)। ୨୦୨୪ରେ ଭାରତ ପ୍ରାୟ ୪୦୦ ମିଲିୟନ୍ ଟନ୍ ଆଖୁ ଉତ୍ପାଦନ କରିଛି, ଯାହା ବିଶ୍ୱ ଉତ୍ପାଦନର ୨୦%ରୁ ଅଧିକ ।

ଭାରତର ପୋଷ୍ଟାଲ ସେଵା, India Post,ଵିଶ୍ୱରେ ସର୍ଵଵୃହତ୍ ଡାକ ନେଟୱାର୍କ (ର‍୍ୟାଙ୍କ ୧)। ଏହାର ୧.୫୫ ଲକ୍ଷରୁ ଅଧିକ ଡାକଘର ରହିଛି, ଯାହା ଗ୍ରାମୀଣ ଓ ସହରୀ ଅଞ୍ଚଳକୁ ସଂଯୋଗ କରେ ।

ଭାରତ ଵିଶ୍ୱରେ ଵୈଦ୍ୟୁତିକ ଦ୍ୱିଚକ୍ରୀ ଯାନ ଉତ୍ପାଦନ ଓ ବିକ୍ରିରେ ତୃତୀୟ ସ୍ଥାନରେ ରହିଛି। Ola Electric, Ather Energy ଭଳି କମ୍ପାନୀ ୨୦୨୪ରେ ୧.୨ ମିଲିୟନ୍‌ରୁ ଅଧିକ ଇ-ସ୍କୁଟର ବିକ୍ରି କରିଛନ୍ତି ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଷ୍ଟୀଲ ଉତ୍ପାଦକ (ଚୀନ୍ ପରେ)। ୨୦୨୪ରେ ଭାରତ ୧୪୦ ମିଲିୟନ୍ ଟନ୍‌ରୁ ଅଧିକ ଷ୍ଟୀଲ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୮% ଅଟେ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ମାଛ ଉତ୍ପାଦକ (ଚୀନ୍ ପରେ)। ୨୦୨୪ରେ ଭାରତର ମାଛ ଉତ୍ପାଦନ (ମୁଖ୍ୟତଃ ଅନ୍ତର୍ଦେଶୀୟ ଓ ସାମୁଦ୍ରିକ) ୧୪ ମିଲିୟନ୍ ଟନ୍‌ରୁ ଅଧିକ, ଯାହା ଵିଶ୍ୱର ୧୦% ।

ଭାରତ ଵିଶ୍ୱରେ ମୋବାଇଲ ଆପ୍ ଡେଵଲପମେଣ୍ଟରେ ତୃତୀୟ ସ୍ଥାନରେ ରହିଛି। Google Play Store ଓ App Storeରେ ଭାରତୀୟ ଡେଭେଲପରଙ୍କ ଦ୍ୱାରା ନିର୍ମିତ ଆପ୍‌ଗୁଡ଼ିକର ଡାଉନଲୋଡ ୨୦୨୪ରେ ୨୫ ବିଲିୟନ୍‌ରୁ ଅଧିକ ।

ଭାରତ ବିଶ୍ୱରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟାରେ ଚତୁର୍ଥ ସ୍ଥାନରେ। ୨୦୨୪ ସୁଦ୍ଧା ଭାରତରେ ୧୫ ମିଲିୟନ୍‌ରୁ ଅଧିକ ମହିଳା-ନେତୃତ୍ୱାଧୀନ ସ୍ଟାର୍ଟଅପ୍ ଓ ଵ୍ୟଵସାୟ ରହିଛି ।

ଭାରତ ଵିଶ୍ୱରେ କୃଷି ଉତ୍ପାଦ ରପ୍ତାନିରେ ପଞ୍ଚମ ସ୍ଥାନରେ ଅଛି । ମସଲା, ମାଂସ, ଓ ଚା’ ଭଳି ଉତ୍ପାଦର ରପ୍ତାନି ୨୦୨୪ରେ $୫୦ ବିଲିୟନ୍‌ରୁ ଅଧିକ ।‌

ଭାରତର ଆଧାର ଵିଶ୍ୱରେ ସର୍ଵଵୃହତ୍ ବାୟୋମେଟ୍ରିକ ପରିଚୟ ପ୍ରଣାଲୀ (ର‍୍ୟାଙ୍କ ୧)। ୧.୪ ବିଲିୟନ୍‌ରୁ ଅଧିକ ଲୋକଙ୍କୁ ଏହା ଏକ ଅନନ୍ୟ ଡିଜିଟାଲ ପରିଚୟ ପ୍ରଦାନ କରିଛି, ଯାହା ସରକାରୀ ସେଵା ଓ ଆର୍ଥିକ ନେଣଦେଣରେ ଵ୍ୟଵହୃତ ହୁଏ । 

କାର୍ପାସ ଉତ୍ପାଦନ କ୍ଷେତ୍ରରେ ଵିଶ୍ଵରେ ଭାରତ ପ୍ରଥମ ଦେଶ । ୨୦୨୪ରେ ଭାରତ ପ୍ରାୟ ୬.୫ ମିଲିୟନ୍ ଟନ୍ କାର୍ପାସ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୨୫% ଅଟେ।

ଭାରତର ମେଟ୍ରୋ ରେଳ ନେଟୱାର୍କ ଵିଶ୍ୱରେ ପଞ୍ଚମ ଵୃହତ୍ତମ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ସହରରେ ୮୦୦ କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ୍ କାର୍ଯ୍ୟକ୍ଷମ ହୋଇଛି ।

ଭାରତ ଵିଶ୍ୱରେ ଦ୍ୱିତୀୟ ସର୍ଵାଧିକ ମୋବାଇଲ ଡାଟା ଵ୍ୟଵହାରକାରୀ ଦେଶ । ଭାରତରେ ପ୍ରାୟ ୧୨ ବିଲିୟନ୍ GB ଡାଟା ମାସିକ ଵ୍ୟଵହୃତ ହୁଏ, ଯାହା Jio ଓ ଅନ୍ୟ ଟେଲିକମ୍ ସେଵା ଯୋଗୁଁ ସମ୍ଭଵ ହୋଇପାରିଛି । 

 ପାରମାଣଵିକ ଅସ୍ତ୍ର ସଂଖ୍ୟା ଅନୁଯାୟୀ ଭାରତ ଵିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି । ଭାରତ ପାଖରେ ପ୍ରାୟ ୧୬୦-୧୭୦ ପାରମାଣଵିକ ଅସ୍ତ୍ର ରହିଛି ।

ଭାରତ ଵିଶ୍ୱରେ ତୃତୀୟ ଵୃହତ୍ତମ ଘରୋଇ ଵିମାନ ଚଳାଚଳ ବଜାର ଅଟେ । ୨୦୨୪ରେ ୧୫୩ ମିଲିୟନ୍ ଯାତ୍ରୀ ଯାତାୟାତ କରିଛନ୍ତି । 

ଭାରତରେ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଇଞ୍ଜିନିୟରିଂ ଶିକ୍ଷା ଵ୍ୟଵସ୍ଥା ପ୍ରତିଷ୍ଠିତ ହୋଇ ପାରିଛି । ଭାରତର IIT ଓ ଅନ୍ୟ ପ୍ରତିଷ୍ଠାନରୁ ଵାର୍ଷିକ ୧.୫ ମିଲିୟନ୍ ଛାତ୍ରଛାତ୍ରୀ ଇଞ୍ଜିନିୟର ଭାବେ ଉତ୍ତୀର୍ଣ୍ଣ ହୋଇଥାନ୍ତି । 

ଭାରତ ଵିଶ୍ୱରେ ଦ୍ୱିତୀୟ ବୃହତ୍ତମ କୋଇଲା ଉତ୍ପାଦକ। ୨୦୨୪ରେ ୯୫୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି ।‌

ଭାରତ ଵିଶ୍ୱରେ ପଞ୍ଚମ ବୃହତ୍ତମ ସୌର ପ୍ୟାନେଲ ଉତ୍ପାଦକ ଦେଶ। ୨୦୨୪ରେ ୧୦ GW କ୍ଷମତାର ପ୍ୟାନେଲ ଉତ୍ପାଦନ କରାଯାଇଛି ।

ଭାରତ ଵିଶ୍ୱରେ ଆୟୁର୍ବେଦୀୟ ଔଷଧ ରପ୍ତାନିରେ ପ୍ରଥମ। ପ୍ରାୟ $୨ ବିଲିୟନ୍‌ର ଆୟୁର୍ଵେଦ ଉତ୍ପାଦ ୧୫୦ରୁ ଅଧିକ ଦେଶକୁ ରପ୍ତାନି ହୁଏ ।

ଇଂରେଜମାନଙ୍କ ଦ୍ଵାରା ଦୁଇଶହ ଵର୍ଷ ଧରି ପରାଧୀନ ହୋଇଥିଵା ଆଉ କୌଣସି ଦେଶ ଭାରତ ଭଳି ଏତେ ଵିକାଶ କରିପାରିନାହାନ୍ତି(USA ଛଡ଼ା) । ଅନେକ କାରଣ ଯୋଗୁଁ ଭାରତ ମାତ୍ର ୭୦ ଵର୍ଷ ମଧ୍ୟରେ ଏତେ ପ୍ରତିଷ୍ଠା ଲଭିଛି ତନ୍ମଧ୍ୟରେ ପ୍ରାକୃତିକ କାରଣଗୁଡ଼ିକ ହେଲା ଭାରତର ଉର୍ଵର ଭୂମି,ଵିଵିଧ କିନ୍ତୁ ଅପେକ୍ଷାକୃତ ସ୍ଥିର ଜଳଵାୟୁ ଓ ଜୈଵ ଵିଵିଧତା । 
ଵିଶ୍ୱରେ ଜୈଵ ଵିଵିଧତା କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି । ଭାରତରେ ପ୍ରାୟ ୮୯,୦୦୦ ଜାତିର ପଶୁ ଓ ୪୫,୦୦୦ ଜାତିର ଦେଶୀ ଉଦ୍ଭିଦ ଅଛନ୍ତି । ଭୌଗୋଳିକ ଦୃଷ୍ଟିକୋଣରୁ ପୃଥିଵୀର ଏକ ଶ୍ରେଷ୍ଠ ଭୂଭାଗ ହୋଇଥିଵାରୁ ଭାରତରେ ଜନସଂଖ୍ୟା ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ସର୍ଵାଧିକ । ମନୁଷ୍ୟମାନେ ଯେଉଁ ଚାରି ପାଞ୍ଚୋଟି ସ୍ଥାନରେ ପ୍ରାଚୀନ ସଭ୍ୟତା ଗଢ଼ିଥିଲେ ତନ୍ମଧ୍ୟରେ ଗୋଟିଏ ଅଞ୍ଚଳ ଭାରତରେ ବି ରହିଛି । ଭାରତର ସଂସ୍କୃତି ସର୍ଵଶ୍ରେଷ୍ଠ ଓ ସମୃଦ୍ଧ ।‌ ଭାରତରେ ରଚିତ ସମସ୍ତ ପୁରାଣ ଗ୍ରନ୍ଥ ପୃଥିଵୀରେ ଅଦ୍ୱିତୀୟ। ମହାଭାରତୀୟ ସଂସ୍କୃତିର ପ୍ରଭାଵ ସାରା ଵିଶ୍ଵରେ ଉପରେ ପଡ଼ିଛି । ଭାରତୀୟ ପ୍ରାଚୀନ ଵିଜ୍ଞାନ ଓ ଗଣିତାଦି ଜ୍ଞାନର ମୂଳ ଭିତ୍ତି ଉପରେ ଆଧୁନିକ ଵିଜ୍ଞାନ ଓ ଗଣିତ ପ୍ରତିଷ୍ଠିତ। ମହାଭାରତୀୟ ସଂସ୍କୃତି ଅତି ସମୃଦ୍ଧ ହେଵାର କାରଣ ଭାରତୀୟ ଜନତାଙ୍କ ମଧ୍ୟରେ ଜାତୀୟ ଵିଵିଧତା ଅଟେ । ଭାରତରେ ଭାଷା ସଂସ୍କୃତି ଓ ମାନଵଗୋଷ୍ଠୀ ଦୃଷ୍ଟିରୁ ଅନେକ ଜାତି ଅଛି । ଭାରତରେ ୭୦୦ରୁ ଅଧିକ ଅନୁସୂଚୀଭୁକ୍ତ ଜନଜାତି ଅଛନ୍ତି। ଏତଦଵ୍ୟତୀତ ଅନେକ ଅଣ-ଜନଜାତି ମାନଵଗୋଷ୍ଠୀ ବି ଭାରତରେ ରହୁଛନ୍ତି, ଯେଉଁମାନେ ଆଞ୍ଚଳିକ, ଧାର୍ମିକ ଓ ସାଂସ୍କୃତିକ ପରିଚୟ ଅନୁସାରେ ଭିନ୍ନ ଭିନ୍ନ ଜାତି ରୂପେ ପ୍ରତିଷ୍ଠିତ । Ethnologue ଓ ଅନ୍ୟାନ୍ୟ ଅନୁସନ୍ଧାନ ଅନୁସାରେ, ଭାରତରେ ପ୍ରାୟ ୨,୦୦୦ରୁ ୩,୦୦୦ ଭିନ୍ନ ଜାତିଗତ ଗୋଷ୍ଠୀ ରହିପାରନ୍ତି, ଯେଉଁମାନେ ଭାଷା, ସଂସ୍କୃତି ଓ ଜୀବନଶୈଳୀ ଦୃଷ୍ଟିରୁ ପୃଥକ। ଏତେ ଜାତି ଥିଵାରୁ ସେମାନଙ୍କର ଅନେକ ଉପଜାତି ଏଵଂ ପ୍ରତ୍ୟେକ ଜାତି ଓ ଉପଜାତିର ଅନେକ ଭାଷା ରହିଥିଵା ସ୍ଵାଭାଵିକ କଥା । ଭାରତରେ ୧୯,୫୦୦ରୁ ଅଧିକ ମାତୃଭାଷା ଓ ଉପଭାଷା ରହିଛି । ଏହା ମଧ୍ୟରୁ ୧୨୧ଟି ଭାଷା ପ୍ରମୁଖ ଭାଷା ଭାବେ ଚିହ୍ନଟ ହୋଇଛି, ଯେଉଁଥିରେ ୨୨ଟି ସମ୍ବିଧାନରେ ଅନୁସୂଚୀଭୁକ୍ତ ଭାଷା (ଯଥା: ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ଓଡ଼ିଆ, ଆସାମୀୟା ଇତ୍ୟାଦି) ।‌

ତେବେ ଯେତେବେଳେ କୌଣସି ଦେଶ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୁଏ ଓ ଏକ ଵିଶାଳ ଜନସଂଖ୍ୟାର ଵାସଭୂମି ହୋଇଥାଏ ସେତେବେଳେ ସେ ଦେଶର ସେନା ମଧ୍ୟ ଆପଣାଛାଏଁ ଶକ୍ତିଶାଳୀ ହୋଇଥାଏ । 
 
୨୦୨୫ ଗ୍ଲୋବାଲ୍ ଫାୟାରପାୱାର (Global Firepower) ସୂଚକାଙ୍କ ଅନୁଯାୟୀ, ଭାରତୀୟ ସେନା ଵିଶ୍ୱରେ ଚତୁର୍ଥ ଶକ୍ତିଶାଳୀ ସେନା ଅଟେ (Power Index: 0.1025), ଆମେରିକା, ରୁଷିଆ, ଓ ଚୀନ୍ ପରେ ଭାରତୀୟ ସେନା ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ପ୍ରତିଷ୍ଠା ଲଭିଛି । ଭାରତୀୟ ସେନାର ୫.୧୩୭ ମିଲିୟନ୍ ସୈନିକ (୧.୨୩୭ ମିଲିୟନ୍ ସକ୍ରିୟ ଓ ୯.୬ ଲକ୍ଷ ରିଜର୍ଭ), ଆଧୁନିକ ଅସ୍ତ୍ରଶସ୍ତ୍ର (ବ୍ରହ୍ମୋସ, ଅଗ୍ନି, ପୃଥ୍ୱୀ ମିସାଇଲ୍), ଓ $୯୦ ବିଲିୟନ୍ ପ୍ରତିରକ୍ଷା ବଜେଟ୍ ଏହାର ସାମର୍ଥ୍ୟକୁ ଦର୍ଶାଇଛି। ତେବେ ଆକାର ଦୃଷ୍ଟିରୁ ପୃଥିଵୀରେ ଭାରତୀୟ ସେନାର ର‍୍ୟାଙ୍କ ଚୀନ ପରେ ୨ୟ ସ୍ଥାନରେ ରହିଛି । Global Firepower Index (2025) ଅନୁଯାୟୀ, ଭାରତୀୟ ସେନା ପୃଥିଵୀରେ ୨ୟ ବୃହତ୍ତମ ସୈନ୍ୟଵାହିନୀ ଅଟେ, ଯାହାର ପ୍ରାୟ ୧୪.୫ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି। ଏହା ଚୀନ (ପ୍ରାୟ ୨୦ ଲକ୍ଷ ସୈନିକ) ପରେ ଦ୍ୱିତୀୟ ସ୍ଥାନରେ ରହିଛି । Global Firepower Naval Strength Ranking ଅନୁଯାୟୀ, ଭାରତର ନୌସେନା ଯୁକ୍ତରାଷ୍ଟ୍ର, ଚୀନ ଓ ରୁଷିଆ ପରେ ଚତୁର୍ଥ ଶକ୍ତିଶାଳୀ ନୌସେନା ଭାରତ ପାଖରେ ଅଛି । ଭାରତୀୟ ନୌସେନାରେ ପ୍ରାୟ ୧୫୦ଟି ଜାହାଜ ଏବଂ ପାଣିପାଗ ନିରୋଧକ ଜାହାଜ (ଯୁଦ୍ଧଜାହାଜ, ସବମାରିନ, ଏୟାରକ୍ରାଫ୍ଟ କ୍ୟାରିୟର ଆଦି) ଅଛି, ଯାହା ଏହାକୁ ଏକ ଶକ୍ତିଶାଳୀ ନୌସେନା ରୂପେ ପ୍ରତିଷ୍ଠିତ କରିଥାଏ । ସେହିପରି Global Firepower Air Strength Ranking ଅନୁଯାୟୀ, ଭାରତର ଵାୟୁସେନା ଯୁକ୍ତରାଷ୍ଟ୍ର, ରୁଷିଆ, ଓ ଚୀନ ପରେ ଚତୁର୍ଥ ଶକ୍ତିଶାଳୀ ଵାୟୁସେନା ଅଟେ । ଏହାର ପ୍ରାୟ ୨,୧୦୦ ଵିମାନ (ଯୁଦ୍ଧଵିମାନ, ହେଲିକପ୍ଟର ଓ ଟ୍ରାନ୍ସପୋର୍ଟ ଵିମାନ ସମେତ) ଅଛି, ଯାହା ଏହାକୁ ଏକ ଶକ୍ତିଶାଳୀ ଵାୟୁସେନାରେ ପରିଗଣିତ କରେ।

ଅସ୍ତୁ ଭାରତ ଆହୁରି ଅନେକ କ୍ଷେତ୍ରରେ ଵିଶ୍ଵର ଏକ ଅଗ୍ରଣୀ ଦେଶ ରୂପେ ପ୍ରତିଷ୍ଠିତ। ଭାରତର ଏହି ଉପଲବ୍ଧି ଦେଖି ଭାରତ ଵିରୋଧିଙ୍କ ଦେହ ମନ ଜଳାପୋଡ଼ା ହୁଏ । ଭାରତରେ ରହୁଥିଵା ଭାରତଵିରୋଧି ଦେଶଦ୍ରୋହୀଙ୍କର ବି ଦେହ ମନ ଜଳିଯାଏ । ଭାରତ କୌଣସି କ୍ଷେତ୍ରରେ ଅଗ୍ରଣୀ ଦେଶ ରୂପେ ପ୍ରତିଷ୍ଠିତ ହୋଇଛି ଜାଣିଲେ ସେହି ଦେଶଦ୍ରୋହୀମାନେ ଵିଭିନ୍ନ ଆଳ ଦେଖାଇ ଲୋକଙ୍କ ମନୋବଳ ଭାଙ୍ଗିଵାକୁ ଚେଷ୍ଟା କରନ୍ତି ।‌ ତେବେ ଆମ୍ବଗଛରେ black fungus ଵା sooty mold ଭଳି ଏହି ଦେଶଦ୍ରୋହୀ ତତ୍ତ୍ଵ ଆମ ଦେଶ ପାଇଁ ଵିପଜ୍ଜନକ । ଏମାନଙ୍କ ଵିନାଶରେ ହିଁ ଏ ଦେଶର ଉନ୍ନତି ସମ୍ଭଵ ଅନ୍ୟଥା ଯେମିତି mealybug,aphids,hoppers ଓ scale insectsଙ୍କ ଯୋଗୁଁ ଆମ୍ବଗଛ ରୋଗିଣା ହୋଇଯାଏ ଠିକ୍ ସେହିପରି ଦେଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ ।





Friday, May 30, 2025

• ଜନମପାଣି: ଜୀଵନର ପ୍ରଥମ ସ୍ପର୍ଶ•

ଓଡ଼ିଆ ଭାଷା ଓ ସଂସ୍କୃତିରେ ‘ଜନମପାଣି’ ଶବ୍ଦଟି ଏକ ଅନନ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅର୍ଥ ବହନ କରେ। ଏହି ଶବ୍ଦଟି ଦୁଇଟି ପରିପ୍ରେକ୍ଷୀରେ ଵ୍ୟଵହୃତ ହୁଏ: ଗଛରୋପଣ ସମୟରେ ପ୍ରଥମ ଜଳଦାନ ଓ ନଵଜାତ ଶିଶୁର ପ୍ରଥମ ସ୍ନାନ। ଏହି ଦୁଇଟି ପ୍ରସଙ୍ଗ ଜୀଵନର ଆରମ୍ଭ ଓ ପୁନର୍ଜନ୍ମର ପ୍ରତୀକ ରୂପେ ଦେଖାଯାଏ। ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଏହି ଶବ୍ଦଟି ଗଛ ଓ ଶିଶୁ ଉଭୟଙ୍କ ପାଇଁ ଜୀଵନଦାୟୀ ଶକ୍ତିର ପ୍ରତୀକ। 

ଜନମପାଣି ଓ ବୃକ୍ଷରୋପଣ: 

ଵୃକ୍ଷରୋପଣ ଏକ ପତ୍ର କାର୍ଯ୍ୟ ରୂପେ ଵିଵେଚିତ ହୁଏ। ଯେତେବେଳେ ଗଛର ଚାରା ଏକ ସ୍ଥାନରୁ ଅଣା ହୋଇ ଅନ୍ୟ ସ୍ଥାନରେ ରୋପିତ ହୁଏ, ତାହାର ମୂଳ ସହ ଲାଗିଥିଵା ମାଟିକୁ ‘ଜନ୍ମମାଟି’ କୁହାଯାଏ। ଏହି ମାଟି ଗଛର ମାତୃଭୂମି ସଦୃଶ, ଯେଉଁଠାରେ ତା’ର ଚେର ପ୍ରଥମେ ମାଡ଼ିଥାଏ। ରୋପଣ ପରେ ଗଛକୁ ଦିଆଯାଉଥିଵା ପ୍ରଥମ ଜଳକୁ ଓଡ଼ିଆ ଭାଷାରେ ଜନ୍ମପାଣି ଵା ‘ଜନମପାଣି’ କୁହାଯାଏ। ଏହି ଜଳ ଗଛକୁ ନୂଆ ପରିଵେଶରେ ଜୀଵନ ପ୍ରଦାନ କରେ। 

ଵୈଜ୍ଞାନିକ ଦୃଷ୍ଟିକୋଣରୁ, ଜନମପାଣି ଗଛର ଵୃଦ୍ଧି ଓ ବଞ୍ଚିଵା ପାଇଁ ଅତ୍ୟନ୍ତ ଆଵଶ୍ୟକ। ଗଛଟିଏ ଉତ୍ପାଟିତ ହେଵା ସମୟରେ ତା’ର ମୂଳ ଅର୍ଦ୍ଧମୃତ ଅଵସ୍ଥାକୁ ପ୍ରାପ୍ତ ହୁଏ, କାରଣ ମୂଳ ମାଟିରୁ ଅଲଗା ହେଵା ଫଳରେ ଜଳ ଓ ପୋଷକ ତତ୍ତ୍ୱର ଆହରଣ ବାଧାପ୍ରାପ୍ତ ହୁଏ। ନୂତନ ସ୍ଥାନରେ ଚାରା ଲଗାଯାଇ ତା ମୂଳରେ ଦିଆଯାଉଥିଵା ଜନମପାଣି ମୂଳକୁ ଆର୍ଦ୍ରତା ଯୋଗାଇ ମାଟି ସହ ସଂଯୋଗ ସ୍ଥାପନ କରିଵାରେ ସହାୟକ ହୁଏ। ନୂତନ ରୂପେ ରୋପଣ କରାଯାଇଥିଵା ଗଛ ମୂଳରେ ଜନମପାଣି ଦିଆଯିଵା ଦ୍ଵାରା ଏହା ମୂଳରେ ଥିଵା ମାଇକୋରାଇଜା ଜୀଵାଣୁଙ୍କୁ ସକ୍ରିୟ ହୁଅନ୍ତି, ଫଳତଃ ଏହା ଗଛର ପୋଷକ ତତ୍ତ୍ୱ ଶୋଷଣରେ ସହାୟକ ହୁଏ । ଏତଦଵ୍ୟତୀତ, ଜନମପାଣି ମାଟିରେ ଥିଵା ବାୟୁ ଫାଙ୍କକୁ କମାଇ ମୂଳକୁ ସ୍ଥିର କରେ, ଯାହା ଗଛର ସ୍ଥାୟୀତ୍ୱ ପାଇଁ ଜରୁରୀ। 

ଓଡ଼ିଆ ସଂସ୍କୃତିରେ ଜନମପାଣିକୁ ପୁନର୍ଜନ୍ମର ପ୍ରତୀକ ରୂପେ ଦେଖାଯାଏ। ଗଛଟିଏ ଯେତେବେଳେ ଏକ ସ୍ଥାନରୁ ଉତ୍ପାଟିତ ହୋଇ ଅନ୍ୟତ୍ର ରୋପିତ ହୁଏ, ତାହା ଏକ ନୂଆ ଜୀଵନ ଆରମ୍ଭ କରେ। ଏହି ପ୍ରକ୍ରିୟା ଗଛର ପୁନର୍ଜନ୍ମ ସହ ତୁଳନୀୟ ଏଵଂ ଜନମପାଣି ଏହି ନୂଆ ଜୀଵନର ପ୍ରଥମ ସ୍ପର୍ଶ ରୂପେ କାର୍ଯ୍ୟ କରେ। 

ଜନମପାଣି ଓ ନବଜାତ ଶିଶୁ : 

ଓଡ଼ିଆ ସଂସ୍କୃତିରେ ନବଜାତ ଶିଶୁର ପ୍ରଥମ ସ୍ନାନକୁ ମଧ୍ୟ ‘ଜନମପାଣି’ କୁହାଯାଏ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, ଏହି ସ୍ନାନ ଶିଶୁର ଜୀଵନର ପ୍ରଥମ ସାଂସ୍କୃତିକ ରୀତି ରୂପେ ଗଣାଯାଏ। ଆଗେ ଓଡ଼ିଶାରେ ଲୋକେ ପ୍ରାୟତଃ ଉଠିଆରିରେ ପିଲାଙ୍କୁ ପ୍ରଥମ ସ୍ନାନ କରାଉଥିଲେ । କେହି କେହି ନଵଜାତ ଶିଶୁ ଅସୁସ୍ଥ ଥିଲେ ବାରଆତର କିମ୍ବା ଏକୋଇଶିଆ ସମୟରେ ଶିଶୁକୁ ପ୍ରଥମ ସ୍ନାନ କରାଉଥିଲେ । ଏହି ସ୍ନାନ କେଵଳ ଶାରୀରିକ ଶୁଚିତା ପାଇଁ ନୁହେଁ ଵରଂ ଶିଶୁକୁ ନୂଆ ଜୀଵନରେ ସ୍ୱାଗତ କରିଵାର ମଧ୍ୟ ଏକ ପ୍ରତୀକାତ୍ମକ ଅଭିଵ୍ୟକ୍ତି ଅଟେ । 

ଵୈଜ୍ଞାନିକ ଦୃଷ୍ଟିକୋଣରୁ, ନଵଜାତ ଶିଶୁର ପ୍ରଥମ ସ୍ନାନ ତା’ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗର୍ଭାଶୟରେ ଥିଵା ସମୟରେ ଶିଶୁ ଏକ ନିରାପଦ ଓ ଜୀଵାଣୁମୁକ୍ତ ପରିବେଶରେ ଥାଏ। ଜନ୍ମ ପରେ ସେ ଵାହ୍ୟ ପରିଵେଶରେ ଉନ୍ମୁକ୍ତ ହୁଏ, ଯେଉଁଠାରେ ଜୀଵାଣୁ ଓ ଅନ୍ୟାନ୍ୟ କ୍ଷତିକାରକ ଉପାଦାନ ତା’ର ସ୍ୱାସ୍ଥ୍ୟକୁ ପ୍ରଭାଵିତ କରିପାରେ। ପ୍ରଥମ ସ୍ନାନ ଶିଶୁର ଶରୀରରୁ ଜନ୍ମ ସମୟରେ ଲାଗିଥିଵା ରକ୍ତ, ଭର୍ନିକ୍ସ (vernix) ଓ ଅନ୍ୟାନ୍ୟ ଅଶୁଦ୍ଧ ପଦାର୍ଥ ଦୂର କରେ। ଏହା ଶିଶୁର ଚର୍ମକୁ ସଂକ୍ରମଣରୁ ରକ୍ଷା କରେ ଓ ତା’ର ଥର୍ମୋରେଗୁଲେସନ (ଶରୀରର ତାପମାତ୍ରା ନିୟନ୍ତ୍ରଣ) ପ୍ରକ୍ରିୟାକୁ ସହାୟତା କରେ। ଆଧୁନିକ ଚିକିତ୍ସା ଵିଜ୍ଞାନ ଅନୁସାରେ, ପ୍ରଥମ ସ୍ନାନ ସାଧାରଣତଃ ଜନ୍ମର ୨୪ ଘଣ୍ଟା ପରେ କରାଯାଏ, ଯାହା ଶିଶୁର ଚର୍ମରେ ଥିଵା ପ୍ରାକୃତିକ ତୈଳୀୟ ପଦାର୍ଥକୁ ସଂରକ୍ଷଣ କରି ତା’ର ସ୍ୱାସ୍ଥ୍ୟରେ ସୁଧାର ଆଣେ। 

ଓଡ଼ିଆ ସଂସ୍କୃତିରେ ଜନମପାଣି କେଵଳ ଶାରୀରିକ ଶୁଚିତା ନୁହେଁ, ବରଂ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା। ଏହା ଶିଶୁର ନୂଆ ଜୀଵନରେ ପ୍ରବେଶକୁ ପଵିତ୍ର କରେ। ଏହା ସହ,ଜନ୍ମଠାରୁ ସପ୍ତମ ଦିଵସ ପରେ ଶିଶୁର ମୁଖରେ ଦିଆଯାଉଥିଵା ‘ଲାଜପାଣି’ ମଧ୍ୟ ଏକ ଅନନ୍ୟ ପରମ୍ପରା। ଏହି ରୀତି ଅନୁସାରେ, ଶିଶୁର ମୁଖରେ ପ୍ରଥମ ଅଞ୍ଜଳି ପାଣି ଦେଇ ତା’ର ମାତା ତା'ର ମୁଖକୁ ଧୋଇ ଥାଆନ୍ତି । ଲୋକ ଵିଶ୍ୱାସ ଅଛି ଯେ, ଯେଉଁ ଶିଶୁର ମୁହଁରେ ତାହାର ମାତା ଲାଜ ପାଣି ମାରି ନ ଥାନ୍ତି ସେ ଭାବି ଜୀଵନରେ ନିର୍ଲ୍ଲଜ୍ଜ ହୁଏ। ଏଥିପାଇଁ କୌଣସି ନିର୍ଲ୍ଲଜ୍ଜ ଵ୍ୟକ୍ତିକୁ ଲକ୍ଷ୍ୟ କରି ଲୋକେ କହିଥାନ୍ତି 'ତା ମାଆ ତା ମୁହଁରେ କଅଣ ଲାଜପାଣି ମାରି ନ ଥିଲା କି?' 

ଶିଶୁ ଜନ୍ମ ହେଵାର ଷଷ୍ଠ,ସପ୍ତମ, ଅଷ୍ଟମ ଵା ନଵମ ଦିନର କୃତ୍ୟ ଵା ଅନୁଷ୍ଠାନକୁ ଓଡ଼ିଶାର ଲୋକେ ଉଠିଆରି କୁହନ୍ତି ।‌ ସେ ଦିନ ଅନ୍ତୁଡ଼ି ନିଆଁ ଉଠାଯାଇ ପ୍ରସୂତି ସ୍ନାନ କରେ ଓ ଅନ୍ତୁଡ଼ିଶାଳ ସଫା ହୁଏ । ପ୍ରସବର ସାତ ଦିନପରେ ଏହି ଉଠିଆରି ଦିନ ଅନ୍ତୁଡ଼ିଶାଳରୁ ପାଉଁଶ ଆଦି କଢ଼ା ଯାଇ ସଫା ହୋଇଥାଏ ଯାହାକୁ ଅନ୍ତୁଡ଼ି ଉଠିଵା କୁହନ୍ତି । ଏହାପରେ ମାତା ଓ ଶିଶୁ ଯେଉଁ ପ୍ରଥମ ସ୍ନାନ କରନ୍ତି ତାହାକୁ ଶିଶୁ କ୍ଷେତ୍ରରେ ଜନମପାଣି ତଥା ମାତା କ୍ଷେତ୍ରରେ ଉଠିଆରିଗାଧୁଆ କୁହାଯାଏ। 

ଜନମପାଣି ଓ ଉଠିଆରିଗାଧୁଆ ଭଳି ଶବ୍ଦ ଓଡ଼ିଆ ଭାଷାରେ ଏକ ଅନନ୍ୟ ସ୍ଥାନ ଅଧିକାର କରେ। ହିନ୍ଦୀ, ବଙ୍ଗଳା, ମରାଠୀ କିମ୍ବା ଅନ୍ୟ କୌଣସି ଭାରତୀୟ ଭାଷାରେ ଏହି ଶବ୍ଦର ସମାନ ଅର୍ଥରେ କୌଣସି ଶବ୍ଦ ମିଳେ ନାହିଁ। ତଥାପି, ଅନ୍ୟ ସଂସ୍କୃତିରେ ଵୃକ୍ଷରୋପଣ ଓ ଶିଶୁର ପ୍ରଥମ ସ୍ନାନ ସହ ଜଡ଼ିତ କେତେକ ରୀତିନୀତି ଦେଖାଯାଏ। ଉଦାହରଣ ସ୍ୱରୂପ, ଜାପାନୀ ସଂସ୍କୃତିରେ ‘ମିୟାମୈରି’ ରୀତି ଅନୁସାରେ ନଵଜାତ ଶିଶୁକୁ ଆଶୀର୍ଵାଦ ପ୍ରାପ୍ତି ପାଇଁ ମନ୍ଦିରକୁ ନିଆଯାଏ, ଯାହା ନଵଜାତର ଜୀଵନାରମ୍ଭକୁ ପଵିତ୍ର କରେ। ସେହିପରି, ଭାରତୀୟ ସଂସ୍କୃତିରେ ‘ଅନ୍ନପ୍ରାଶନ’ କିମ୍ବା ‘ନାମକରଣ’ ରୀତି ଶିଶୁର ନୂଆ ଜୀଵନରେ ପ୍ରବେଶକୁ ଚିହ୍ନିତ କରେ। ଵୃକ୍ଷରୋପଣ ପରିପ୍ରେକ୍ଷୀରେ, ଜନଜାତୀୟ ସଂସ୍କୃତିରେ ଗଛକୁ ପୂଜା କରାଯାଏ ଓ ତାକୁ ଜୀଵନଦାତା ରୂପେ ଗ୍ରହଣ କରାଯାଏ। ଉଦାହରଣ ସ୍ୱରୂପ, ମେକ୍ସିକୋର ମାୟା ସଂସ୍କୃତିରେ ଗଛକୁ ‘ଜୀଵନର ଅକ୍ଷ’ (axis mundi) ରୂପେ ଵିଵେଚନା କରାଯାଏ । 

ତଥାପି, ‘ଜନମପାଣି’ ଶବ୍ଦର ଅନନ୍ୟତା ଏହାର ଦ୍ୱୈତ ଅର୍ଥରେ ନିହିତ। ଏହା ଗଛ ଓ ଶିଶୁ ଉଭୟଙ୍କ ପାଇଁ ଜୀଵନର ଆରମ୍ଭକୁ ଚିହ୍ନିତ କରେ, ଯାହା ଓଡ଼ିଆ ସଂସ୍କୃତିର ପ୍ରକୃତି ଓ ମାନଵ ଜୀଵନ ପ୍ରତି ଥିଵା ଗଭୀର ସମ୍ମାନକୁ ପ୍ରତିଫଳିତ କରେ। ଏହି ଶବ୍ଦ ଓଡ଼ିଆ ଭାଷାର ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ପ୍ରକାଶ କରେ ଓ ଏହାର ଅନ୍ୟ ଭାଷାରେ ଅନୁପସ୍ଥିତି ଏହାକୁ ଆହୁରି ଵିଶେଷ ଶବ୍ଦର ମଧ୍ୟ ମର୍ଯ୍ୟାଦା ମଧ୍ୟ ପ୍ରଦାନ କରିଥାଏ । 

‘ଜନମପାଣି’ ଓଡ଼ିଆ ସଂସ୍କୃତିରେ ଜୀଵନର ଆରମ୍ଭ ଓ ପୁନର୍ଜନ୍ମର ଏକ ଶକ୍ତିଶାଳୀ ପ୍ରତୀକ। ଏହା ଗଛରୋପଣରେ ଜଳର ଵୈଜ୍ଞାନିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ଏଵଂ ଶିଶୁର ପ୍ରଥମ ସ୍ନାନରେ ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଏକାଠି ସମନ୍ୱିତ କରେ। ଏହି ଶବ୍ଦ ଓଡ଼ିଆ ସଂସ୍କୃତିର ପ୍ରକୃତି ଓ ମାନଵ ଜୀଵନ ପ୍ରତି ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ। ଅନ୍ୟ ଭାଷାରେ ଏହାର ସମାନ ଶବ୍ଦର ଅନୁପସ୍ଥିତି ଏହାକୁ ଆହୁରି ଅନନ୍ୟ କରେ। ଆମେ ଯେତେବେଳେ ଗଛକୁ ଜନମପାଣି ଦେଉ କିମ୍ବା ଶିଶୁକୁ ପ୍ରଥମ ସ୍ନାନ କରାଉ, ଆମେ ଜୀଵନର ପଵିତ୍ରତାକୁ ଆନନ୍ଦ, ସମ୍ମାନ ଓ କୃତଜ୍ଞତାର ସହିତ ପାଳନ କରିଥାଉ । ଏହି ପରମ୍ପରା ଆମକୁ ପ୍ରକୃତି ଓ ମାନଵ ଜୀଵନର ଅନ୍ତରଙ୍ଗ ସମ୍ପର୍କର ସ୍ମରଣ କରାଇଦିଏ। 

“ଗଛ, ପୃଥିଵୀର ଶ୍ୱାସ, 
ଆଉ ଗଛ ପାଇଁ ଜନମପାଣି 
ତାହାର ପ୍ରଥମ ନିଶ୍ଵାସ।”

ବିକ୍ରି ପାଇଁ ଚାରୋଟି ସନ୍ତାନ: ଏକ ମା’ର ନିରୁପାୟ ଚିତ୍କାର

୧୯୪୮ର ଅଗଷ୍ଟ ମାସ। ଆମେରିକାର ଶିକାଗୋ ନଗରର ଏକ ଶାନ୍ତ, କିନ୍ତୁ ଜରାଜୀର୍ଣ୍ଣ ଅଞ୍ଚଳରେ ଏକ ଛୋଟ ଘର। ସେ ଘରେ ଲୁସିଲେ ଚାଲିଫ୍‌କ୍ସ (Lucille Chalifoux) ଓ ତାଙ୍କ ପରିଵାର ରହୁଥିଲେ । ଲୁସିଲେଙ୍କୁ ସେତେବେଳେ ୨୪ ଵର୍ଷ ଵୟସ ହୋଇଥାଏ ମହିଳା ଏଵଂ ସେ ତାଙ୍କ ପତି "ରେ ଚାଲିଫ୍‌କ୍ସ (Ray Chalifoux)" ଓ ଚାରୋଟି ଛୁଆ—ଲାନା (୬ ଵର୍ଷ), ରାଏ (୫ ଵର୍ଷ), ମିଲ୍‌ଟନ (୪ ଵର୍ଷ), ଓ ସୁ (୨ ଵର୍ଷ)—ଙ୍କ ସହ ସେହି ଘରେ ରହୁଥିଲେ। ଲୁସିଲେ ସେତେବେଳେ ଗର୍ଭଵତୀ ଥିଲେ। କିନ୍ତୁ ଏହି ପରିଵାର ସେତେବେଳେ ଅତ୍ୟନ୍ତ ଦୟନୀୟ ଅଵସ୍ଥାରେ କାଳ କାଟୁଥିଲା । ଆର୍ଥିକ ଦୁର୍ଦଶା ଓ ପାରିଵାରିକ ଅଶାନ୍ତି ସେମାନଙ୍କୁ ଏକ ଅନ୍ଧକାର ଭଵିଷ୍ୟତକୁ ଠେଲି ଦେଇଥିଲା।

ଶିକାଗୋର ଏହି ଅଞ୍ଚଳରେ ଦାରିଦ୍ର୍ୟ କୌଣସି ନୂଆ କଥା ନଥିଲା। ଦ୍ଵିତୀୟ ଵିଶ୍ଵଯୁଦ୍ଧ ପରେ ଆମେରିକାରେ ଅନେକ ପରିଵାର ଆର୍ଥିକ ସଙ୍କଟରେ ଥିଲେ। "ଲୁସିଲେ ଓ ରେ"ଙ୍କ ପାଇଁ ଜୀଵନ ଅଧିକ କଷ୍ଟକର ଥିଲା। "ରେ" ଏକ ଅସ୍ଥାୟୀ କାମରେ ଥିଲେ, ଯହିଁର ଆୟ ପରିଵାର ଚଳାଇଵା ପାଇଁ ଯଥେଷ୍ଟ ନଥିଲା। ଘରର ଭଡ଼ା, ଖାଦ୍ୟ, ଓ ଅନ୍ୟ ଜରୁରୀ ଖରଚ ମେଣ୍ଟାଇଵା ଦୁସ୍ତର ହୋଇ ପଡ଼ିଥିଲା। ତହିଁରେ ପୁଣି ଲୁସିଲେ ଓ ରେ’ଙ୍କ ଵୈଵାହିକ ଜୀଵନରେ ଅଶାନ୍ତି ବଢ଼ିଚାଲିଥିଲା। "ରେ" ମଦ୍ୟପାନ କରୁଥିଲେ ଫଳତଃ ଘରେ ଝଗଡ଼ାଝାଟି ଯୋଗୁଁ ଅସ୍ଥିରତା ସୃଷ୍ଟି ହେଉଥିଲା।

 ଦିନେ, ଲୁସିଲେ ଏକ ହୃଦୟଵିଦାରକ ନିଷ୍ପତ୍ତି ନେଲେ। ସେ ନିଜର ଚାରୋଟି ଛୁଆଙ୍କୁ 'ଵିକ୍ରି' କରିଵା ପାଇଁ ଘୋଷଣା କଲେ। ଏହା କୌଣସି ସାଧାରଣ ବିକ୍ରି ନଥିଲା; ଏହା ଥିଲା ଏକ ମା’ର ନିରୁପାୟ ଚିତ୍କାର, ଯିଏ ନିଜ ସନ୍ତାନଙ୍କୁ ଖାଇଵାକୁ ଦେଵାରେ ଅସମର୍ଥ ଥିଲା। ଲୁସିଲେ ନିଜ ଘରର ବାହାରେ ଏକ ପୋଷ୍ଟର ଲଗାଇଲେ, ଯେଉଁଥିରେ ଲେଖାଥିଲା: “4 children for sale, inquire within.” ଏହି ପୋଷ୍ଟର ତାଙ୍କ ଘରର ସିଡ଼ିରେ ଲାଗିଥିଲା, ଯେଉଁଠି ସେ ନିଜେ ଗର୍ଭଵତୀ ଅବସ୍ଥାରେ ଚାରୋଟି ଛୁଆ ସହ ଠିଆ ହୋଇଥିଲେ।


ଅଗଷ୍ଟ 5, 1948ରେ, ସ୍ଥାନୀୟ ଖବରକାଗଜ “The Vidette-Messenger” ଏହି ଦୃଶ୍ୟକୁ ଉତ୍ତୋଳନ କଲା। ଫୋଟୋଟି ଦେଖିଵାକୁ ହୃଦୟଵିଦାରକ ଥିଲା—ଲୁସିଲେ, ତାଙ୍କର ମୁହଁରେ ଏକ ଅଜଣା ଦୁଃଖ ଓ ଅସହାୟତା ସହ, ଚାରୋଟି ନିରୀହ ଛୁଆଙ୍କ ସହ ଠିଆ ହୋଇଛନ୍ତି। ଛୁଆମାନେ, ଯେଉଁମାନେ ଏହି ଘଟଣାର ଗମ୍ଭୀରତା ବୁଝି ପାରୁ ନଥିଲେ, କେଵଳ କ୍ୟାମେରା ଆଡ଼କୁ ଚାହୁଁଥିଲେ। ଏହି ଫୋଟୋ ପ୍ରକାଶିତ ହେଵା ପରେ ଶିକାଗୋରେ ଏକ ଝଡ଼ ସୃଷ୍ଟି ହେଲା। ଅନେକେ ଲୁସିଲେଙ୍କୁ ଦୋଷ ଦେଲେ, କିନ୍ତୁ ଅନ୍ୟମାନେ ତାଙ୍କ ଦୁର୍ଦଶାକୁ ବୁଝିଵାକୁ ଚେଷ୍ଟା କଲେ।

ଖବରକାଗଜରେ ଏହି ଘଟଣା ଚର୍ଚ୍ଚାର ଵିଷୟ ହେଲା, ଏଵଂ ଶୀଘ୍ର ଏହା ଜାତୀୟ ସ୍ତରରେ ଵିସ୍ତାର ଲାଭ କଲା। ଅନେକ ପରିଵାର ଲୁସିଲେଙ୍କ ସହ ଯୋଗାଯୋଗ କଲେ, କେହି ଛୁଆମାନଙ୍କୁ ଦତ୍ତକ ନେଵାକୁ ଚାହିଁଲେ, ଆଉ କେହି କେଵଳ ଜାଣିଵାକୁ ଚାହିଁଲେ ଯେ ଏପରି ନିଷ୍ପତ୍ତି କାହିଁକି ନିଆଗଲା । 

ଲୁସିଲେଙ୍କ ଏହି ନିଷ୍ପତ୍ତି ପରେ ଚାରୋଟି ଛୁଆଙ୍କୁ ଅଲଗା ଅଲଗା ପରିଵାରଙ୍କ ଦ୍ଵାରା ଦତ୍ତକ ନିଆଗଲା। କିନ୍ତୁ ଏହି ଦତ୍ତକ ପ୍ରକ୍ରିୟା ସୁଖଦାୟୀ ନଥିଲା। 

ଗୋଟିଏ ପରିବାର ଲାନା ଓ ରାଏଙ୍କୁ ଦତ୍ତକ ନେଇଥିଲେ। କିନ୍ତୁ ପରେ ଜଣାପଡ଼ିଲା ଯେ ସେମାନେ ଏକ କୃଷି କ୍ଷେତ୍ରରେ କଠିନ ପରିଶ୍ରମ କରିଵାକୁ ବାଧ୍ୟ ହୋଇଥିଲେ। ରାଏ ପରେ ଦାବି କରିଥିଲେ ଯେ ତାଙ୍କୁ ଶାରୀରିକ ଓ ମାନସିକ ଦୁର୍ଵଵ୍ୟହାରର ସାମ୍ନା କରିଵାକୁ ପଡ଼ିଥିଲା।

ମିଲ୍‌ଟନଙ୍କୁ ଅନ୍ୟ ଏକ ପରିଵାର ଦତ୍ତକ ନେଇଥିଲେ, କିନ୍ତୁ ତାଙ୍କ ଜୀଵନ ମଧ୍ୟ ସହଜ ନଥିଲା। ସେ ଅନେକ ଦିନ ଯାଏଁ ନିଜର ପ୍ରକୃତ ପରିଚୟ ଓ ଅତୀତ ଵିଷୟରେ ଅଜଣା ରହିଥିଲେ।

ସୁ'ଙ୍କୁ ମଧ୍ୟ ଏକ ପରିଵାର ଦତ୍ତକ ନେଇଥିଲେ, କିନ୍ତୁ ତାଙ୍କ ଜୀଵନ ଵିଷୟରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ।

ଲୁସିଲେ ନିଜେ ପଞ୍ଚମ ସନ୍ତାନକୁ ଜନ୍ମ ଦେଇଥିଲେ, କିନ୍ତୁ ତାଙ୍କ ଜୀଵନ ମଧ୍ୟ ଅନେକ ଉତ୍ଥାନ-ପତନରେ ଭରା ରହିଥିଲା। ରେ ଓ ଲୁସିଲେଙ୍କ ଵିଵାହ ଵିଚ୍ଛେଦ ହୋଇଗଲା ଏଵଂ ତତ୍ପରେ ଲୁସିଲେ ଏକାକୀ ଜୀଵନ ବିତାଇଥିଲେ।

ୟା ଭିତରେ ଅନେକ ଵର୍ଷ ଗଡ଼ିଗଲା। ୧୯୮୦ରୁ ୧୯୯୦ ଦଶକରେ, ଛୁଆମାନେ ଵୟସ୍କ ହେଵା ପରେ ନିଜ ନିଜ ଅତୀତକୁ ଖୋଜିଵାକୁ ଚେଷ୍ଟା କଲେ। ଲାନା, ରାଏ, ଓ ମିଲ୍‌ଟନ ପରସ୍ପର ସହ ଯୋଗାଯୋଗ କଲେ ଓ ନିଜ ମା’ ଲୁସିଲେଙ୍କୁ ଖୋଜି ବାହାର କଲେ। ଏହି ମିଳନ ମିଠା ଓ ତିକ୍ତ ଦୁଇଟି ଅନୁଭବ ଆଣିଥିଲା। କେତେକ ସନ୍ତାନ ଲୁସିଲେଙ୍କୁ କ୍ଷମା କରିଥିଲେ, ବୁଝିଥିଲେ ଯେ ସେ ସେତେବେଳେ ନିରୁପାୟ ଥିଲେ। କିନ୍ତୁ ଅନ୍ୟମାନେ, ଵିଶେଷ କରି ରାଏ, ନିଜ ଅତୀତର ଯନ୍ତ୍ରଣାକୁ ଭୁଲି ପାରି ନଥିଲେ।

ଲୁସିଲେ ନିଜେ ଜୀଵନର ଶେଷ ଭାଗରେ ଅନୁତାପ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତାଙ୍କର ଆର୍ଥିକ ଓ ମାନସିକ ଅଵସ୍ଥା ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା।

୧୯୪୮ର ଏ ଫୋଟୋଟି ଏବେ ମଧ୍ୟ ଐତିହାସିକ ଆର୍କାଇଵ୍‌ରେ ସଂରକ୍ଷିତ ଅଛି। ଏହା କେଵଳ ଲୁସିଲେ ଓ ତାଙ୍କ ପରିଵାରର କାହାଣୀ ନୁହେଁ ଵରଂ ସେହି ସମୟର ସାମାଜିକ ଓ ଆର୍ଥିକ ସଙ୍କଟର ପ୍ରତିଫଳନ। ଏହା ଆମକୁ ସେହି ସମୟର ଦାରିଦ୍ର୍ୟ, ଅସମାନତା, ଓ ମାନଵୀୟ ଦୁଃଖକୁ ମନେ ପକାଇ ଦିଏ।

Friday, May 23, 2025

ଚାରିଭାଇ ସାଧଵ କଥା

ବୋଇତରେ ବସି ବାଲୀ ଦ୍ଵୀପରୁ କଳିଙ୍ଗ ଦେଶକୁ ଚାରିଭାଇ ସାଧଵ ଫେରୁଥାନ୍ତି । ଅଧା ବାଟ ଆସିଛନ୍ତି କି ନାହିଁ ଏଙ୍ଗାନୋ ଦ୍ଵୀପ(Enggano island) ନିକଟରେ ଭୀଷଣ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେଵାରୁ ସେମାନଙ୍କ ବୋଇତ ଭାଙ୍ଗିଗଲା । କଷ୍ଟେମଷ୍ଟେ ସେମାନେ ଏଙ୍ଗାନୋ ଦ୍ଵୀପରେ ପହଞ୍ଚିଲେ । ସେ ଦ୍ଵୀପରେ ଆଗେ ମଣିଷ ରହୁନଥିଲେ କିନ୍ତୁ ଗଛବୃଛର ଅଭାଵ ନଥିଲା ‌। ଖାଇଵା ପିଇଵାକୁ ଫଳମୂଳ ଓ ମଧୁରଜଳ ସବୁ ଥିଲା ସେ ଦ୍ଵୀପରେ ତେଣୁ ଚାରି ଭାଇ ସାଧଵ କେତେକ ଦିନ ସେଠାରେ ରହିଲେ । 

ଦିନେ ବଡ଼ ସାଧଵଙ୍କୁ ସମୁଦ୍ର କୂଳରେ ପଡି଼ଥିଵା ଏକ ଲୌହ ବୋତଲ ମିଳିଲା । ସେ ବୋତଲରେ କିସ ଅଛି ଜାଣିଵା ପାଇଁ ଉତ୍ସୁକତାର ସହ ତାହାର ଠିପି ଖୋଲି ଦେଲେ । 

ହଠାତ୍ କଳା ବାରିଦ ରଙ୍ଗର ଧୂଆଁ ସେ ବୋତଲରୁ ବାହାରିଲା ଏଵଂ ସେ ଧୂଆଁରୁ ଶେଷରେ‌ ଏକ ଭୂତ ସେଠାରେ ପ୍ରକଟ ହେଲା । ଭୂତକୁ ଦେଖି ଚାରି ଭାଇ ସାଧଵ ଯିଏ ଯୁଆଡ଼େ ପାଇଲେ ଆଞ୍ଛି କୁଞ୍ଛି କି ଧାଇଁଵାକୁ ଲାଗିଲେ । କିନ୍ତୁ ଭୂତ କି ମନ୍ତର କଲା କେଜାଣି ସେମାନେ ଯୋଉଠୁ ଯାଇଥିଲେ ସେଇଠି ଆସି ଠିଆ ହେଇଗଲେ ।

ଭୂତ ସେମାନଙ୍କୁ କହିଲା ଡରିଵାର ଆଵଶ୍ୟକତା ନାହିଁ । ସେମାନେ ଯାହା ଚାହିଁବେ ତାଙ୍କୁ ମିଳିଵ । ବଡ଼ ଭାଇ ଭାବିଲା ଗାଆଁରେ ଶିଘ୍ର ନପହଞ୍ଚିଲେ ବେପାର ଆଉ ଚାଷ ଉଭୟ ବୁଡି଼ଯିଵ ତେଣୁ ସେ ଭୂତକୁ କହିଲା ମୋତେ ଗାଆଁକୁ ପଠେଇ ଦିଅ । ଏତିକି କହିଵା ମାତ୍ରେ ବଡ଼ ଭାଇ ଅଦୃଶ୍ୟ ହୋଇଗଲା । ତହୁଁ ବଡ଼ ମଝିଆଁ ଭାଇ କହିଲା ମୋର ଏଇ ଵରଷ ବାହାଘର ହେଵ ତେଣୁ ମୋତେ ମଧ୍ୟ ଗାଆଁକୁ ପଠେଇ ଦିଅ । ସେ ବି ଅଦୃଶ୍ୟ ହୋଇଗଲା । ସେଇଠୁ ସାନ ମଝିଆଁ ଭାଇ କହିଲା କଳିଙ୍ଗ ଦେଶର ରାଜାଙ୍କ ଛାମୁରେ ମୋତେ ବହୁମୂଲ୍ୟ ଭେଟି ଦେଵାର ଅଛି । ମୋତେ ଶିଘ୍ର ରାଜଧାନୀ ସିଂହପୁର ନଗରକୁ ପଠାଇଦିଅ । ସେ ମଧ୍ୟ ଅଦୃଶ୍ୟ ହୋଇଗଲା । ଶେଷରେ ସେଠାରେ ସାନଭାଇ ଜଣକ ରହିଗଲା । ସାନ ଭାଇ ସାଧଵ ଭାବିଲା ଏକେଲା ଏତେ ବଡ଼ ଦ୍ଵୀପରେ ସେ ଵା କ'ଣ କରିଵ ? ତାକୁ ଏ ଦ୍ଵୀପ ବହୁତ ଭଲ ଲାଗିଥିଲା । ତେଣୁ ସେ ଭୂତକୁ କହିଲା ମୋର ତିନି ଭାଇଙ୍କୁ ଏଠାକୁ ଫେରାଇ ଆଣ ଆମେ ଏଇ ସୁନ୍ଦର ଦ୍ଵୀପରେ ସୁଖରେ ରହିବୁ । ତତ୍‌କ୍ଷଣାତ୍ ଅଦୃଶ୍ୟ ହୋଇଯାଇଥିଵା ବଡ଼ ତିନିଭାଇ ପୁଣି ଏଙ୍ଗାନୋ ଦ୍ଵୀପକୁ ଚାଲିଆସିଲେ ଏଵଂ ଭୂତଟି ସେଠାରୁ ଅଦୃଶ୍ୟ ହୋଇଗଲା । 
(କାହାଣୀ କାଳ୍ପନିକ; ଏଙ୍ଗାନୋ ଦ୍ଵୀପରେ ବହୁତ ପରେ ଜନଵସତି ଗଢି଼ଉଠିଥିଲା । ଏଠିକା ଲୋକଙ୍କୁ ଏଙ୍ଗାନୀୟ ମାନଵ ତଥା ତାଙ୍କର କଥିତ ଭାଷାକୁ ଏଙ୍ଗାନିଜ୍ କୁହାଯାଏ। ଏ ଦ୍ଵୀପରେ ଅଧୁନା ଚାରି ପାଞ୍ଚ ହଜାର ଲୋକ ନିଵାସ କରନ୍ତି । ସେମାନେ ଆଣ୍ଡାମାନୀୟ କି ମାଳୟୀ ସେ ଵିଷୟରେ ଏବେ ବି ସ୍ପଷ୍ଟ ହୋଇପାରିନାହିଁ କିନ୍ତୁ ମୁଖମଣ୍ଡଳରୁ ଏଙ୍ଗାନୀୟ ମାନଵମାନେ ମାଳୟୀ ଲୋକଙ୍କ ପରି ପ୍ରତିଭାତ ହୋଇଥାନ୍ତି । ଏକ ଭାରତୀୟ ଲୋକକଥା ଆଧାରରେ କେତେକ ପରିଵର୍ତ୍ତନ ସହ ଏହା ଲିଖିତ)

Thursday, May 22, 2025

ସ’କ୍ (ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈଙ୍କ ଵ୍ୟଙ୍ଗ୍ୟ ଗଳ୍ପ शॉक[Shock]ର ଓଡ଼ିଆ ଭାଵାନୁଵାଦ)

ନଗରର ନାମ ଲେଖୁନାହିଁ । ଯାହାଙ୍କ ଵିଷୟରେ ଚର୍ଚ୍ଚା ହେଉଛି ସେ ହିନ୍ଦୀର ଜଣେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ। ଶରୀର ସମ୍ପତ୍ତି ଅତି କ୍ଷୀଣ, ରୂପ କେବେ ଆକର୍ଷକ ନଥିଲା । ଯେବେକାର କଥା ପଡି଼ଛି ସେତେବେଳେ ସେ ଵୟସର ୪୦ଗୋଟି ଵସନ୍ତ ଦେଖିସାରିଥିଲେ ମାତ୍ର ଅଵିଵାହିତ ଥାଆନ୍ତି। 

ବାବୁ ଦିନେ ନଗରର ଏକ ଉଦ୍ୟାନରେ ବଡ଼ ମନଦୁଃଖରେ ବସିଥାଆନ୍ତି ଏତିକି ବେଳେ ସେଠାକୁ ତାଙ୍କର ଜଣେ ପୁରୁଣା ମଇତ୍ର ଆସି ତାଙ୍କୁ ସେଭଳି ମନଦୁଃଖ କରି ବସିଥିଵାର କାରଣ ଜିଜ୍ଞାସା କରିଲେ - “କିହୋ ପୁଣି ଵିଵାହ ପ୍ରସ୍ତାଵ ଭାଙ୍ଗିଗଲା କି ? କାହିଁକି ଏମିତି ମନ ମାରି ବସିଛ ଯେ?" 

"ହେ,ମୋ ସହିତ ଲାଗନା ହୋ। "
ସାମାନ୍ୟ ଚିଡି଼ ଉଠି ଲେଖକ ଉତ୍ତର ଦେଲେ । 

ମଇତ୍ର ପୁଣି ପଚାରିଲେ : "ଏମିତି କ'ଣ ହୋଇଗଲା କି ? ଯାହା ହୋଇଛି ଖୋଲି କହୁଦେଉନା ଵା !"
 

ତହୁଁ ଲେଖକ କହିଲେ," ହଉ ହେଲା ତେବେ ଶୁଣ ! ମୁଁ ହିନ୍ଦୀ ଲେଖକ - ୨୦ ୨୨ ଵର୍ଷର ମୋ ସାହିତ୍ୟ ସାଧନା । ଛାୟାଵାଦୀ କଵିତାକୁ ଲୋକେ ସେତେଟା ବୁଝନ୍ତି ନାହିଁ- ମୁଁ ସେମାନଙ୍କୁ ଛାୟାଵାଦ କ'ଣ ବୁଝାଇଦେଇଛି । ସେ ଦୃଷ୍ଟିରୁ ଛାୟାଵାଦୀ ରଥର ସାରଥୀ ମୁଁ ହିଁ କହିଲେ ଅତ୍ୟୁକ୍ତି ହେଵନାହିଁ। ମୋର ଆଠଗୋଟି ପୁସ୍ତକ ଛପିଲାଣି । ଭାରତଵାସୀଙ୍କୁ ଟିକିଏ ଲାଜ ଶରମ ଥାଆନ୍ତା ଯଦି ମୋତେ ଏତେବେଳକୁ ଓନରେରୀ ଡୋକ୍ଟରେଟଟାଏ ଦେଇ ସାରନ୍ତେଣି ।" 

ଲେଖକ ଟିକେ ରହିଲେ। ତାପରେ ଗଭୀର ନିଃଶ୍ୱାସ ଛାଡ଼ି ବୋଇଲେ, "ଆଉ ମୋର ଏବେ ଯୋଉ ଅଵସ୍ଥା ? ମୋ ପ୍ରତି ଏହା ବଡ଼ ଅନ୍ଯାୟ ନୁହେଁ କି ? ମୋର ଏତେ ଅନାଦର କାହିଁକି ?"


ମିତ୍ର ବୁଝିଲେ ୟାଙ୍କର କୌଣସି ସାହିତ୍ୟ ସମ୍ମିଳନୀରେ ଅପମାନ ହୋଇଯାଇଛି । ତାଙ୍କୁ ବୁଝାଇଲେ, "ଆରେ ଭାଇ, ଏ ଦେଶରେ ବହୁତ ଵିଳମ୍ବରେ ଵ୍ୟକ୍ତିର ସାଧନାକୁ ମାନ୍ଯତା ଦିଆଯାଏ ।”

" ଲେଖକ ବୋଇଲେ, "ନା ନା, ମୁଁ ଏ ଦେଶଵାସୀଙ୍କୁ ଦୋଷ ଦେଉନାହିଁ । ଏହି ଲଫାପାଟା ଦେଖ। କାହା ଠିକଣା ଲେଖା ହୋଇଛି ଏଥିରେ ?"

ମଇତ୍ର କହିଲେ, "ଏଥିରେ ଵିଶ୍ଵଵିଦ୍ୟାଳୟରେ ପଢ଼ୁଥିଵା ଏକ ଛାତ୍ରର ଠିକଣା ଅଛି ।"

"ଜାଣିଛନ୍ତି ଏଥିରେ କ'ଣ ଅଛି ? ଆହିଁରେ ପ୍ରେମ ପତ୍ର ଅଛି । ଯୋଉ ଝିଅ ୟାକୁ ଲେଖିଛି ତାକୁ ମୁଁ ଵର୍ଷେ ହେଲା ହିନ୍ଦୀ ପଢ଼ାଉଛି ଆଉ ସେ ମୋତେ ଏ ପ୍ରେମପତ୍ର ଦେଇ କହୁଛି —“ସାର୍, ଏହାକୁ ଲେଟରବକ୍ସରେ ଟିକିଏ ପକେଇ ଆସିବେ କି ?”

••••••••••••••••••••••••••••••••••••••••••
ହରିଶଙ୍କର ପରସାଇଙ୍କ ବ୍ୟଙ୍ଗ "शॉक(Shock)"ର ଏହା ଓଡ଼ିଆ ଅନୁଵାଦ । ଵ୍ୟଙ୍ଗ୍ୟ ଗଳ୍ପର ମୁଖ୍ୟ ଚରିତ୍ର ଜଣେ ପ୍ରସିଦ୍ଧ ଲେଖକ, ଯିଏ ନିଜର ସାହିତ୍ୟିକ ସଫଳତା ଓ ଛାୟାଵାଦୀ କଵିତାକୁ ଲୋକଙ୍କ ମଧ୍ୟରେ ପ୍ରଚାର କରିଥିଵାରୁ ଗର୍ଵିତ। ସେ ଭାବୁଛନ୍ତି ଯେ ତାଙ୍କୁ ସମାଜରୁ ସମ୍ମାନ ଓ ମାନ୍ୟତା ମିଳିଵା ଉଚିତ୍‌, ଯେପରି ଅନରେରୀ ଡକ୍ଟରେଟ୍‌। କିନ୍ତୁ ଵାସ୍ତଵରେ ତାଙ୍କୁ ସେହି ସମ୍ମାନ ମିଳୁନାହିଁ, ଯାହା ତାଙ୍କ ଆତ୍ମଗୌରଵକୁ ଆଘାତ ଦେଇଥାଏ । ପରସାଈ ଏଠାରେ ବୌଦ୍ଧିକ ଓ ସାହିତ୍ୟିକ ଜଗତରେ ମାନ୍ୟତାର ଅଭାଵ ଏଵଂ ବାସ୍ତବତା ମଧ୍ୟରେ ଥିଵା ଵ୍ୟଵଧାନକୁ ଦର୍ଶାଇଛନ୍ତି।

 ଛାତ୍ରୀ ହାତରେ ଲଫାପା ଧରି ଯେତେବେଳେ ଲେଖକଙ୍କ ପାଖକୁ ଆସିଥିଵ ତାକୁ ଦେଖି ସେ ଭାବିଥିବେ ଯେ ତାହା ସମ୍ଭଵତଃ ସାହିତ୍ୟିକ ସମ୍ମେଳନରୁ ଆସିଅଛି କିନ୍ତୁ ସେ ଏହା ଜାଣି ପରେ କାବା ହୋଇଯାଇଛନ୍ତି ଯେ ଛାତ୍ରୀ ତାଙ୍କୁ ଏକ ପ୍ରେମପତ୍ର ଦେଇ ଅନ୍ୟ ଜଣଙ୍କୁ ପଠାଇଵାକୁ କହିଛି। ଏହା ତାଙ୍କ ଆତ୍ମସମ୍ମାନକୁ ଆଘାତ ଦେଇଛି । ମନେ ମନେ ଲେଖକ ଵିଚାରିଛନ୍ତି ଯେ ହୁଏତ ତାଙ୍କ ଵୟସ, ଅଵିଵାହିତ ଜୀଵନ ଓ ଶାରୀରିକ ଅଵସ୍ଥା ହେତୁ ସେ ରୋମାନ୍ସର ଯୋଗ୍ୟ ନୁହନ୍ତି ବୋଲି ଛାତ୍ରୀ ଭାବିଛି।

ପରସାଈ ଏହି ଵ୍ୟଙ୍ଗ ମାଧ୍ୟମରେ ସାମାଜିକ ମୂଲ୍ୟବୋଧ ଓ ପ୍ରାଥମିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଲେଖକ ଜଣେ ବୌଦ୍ଧିକ ଵ୍ୟକ୍ତି ହେଵା ସତ୍ତ୍ୱେ ସମାଜ ତାଙ୍କର ଆକଳନ ଵୟସ, ରୂପ ଓ ଵୈଵାହିକ ସ୍ଥିତି ଆଧାରରେ ଵିଚାର କରୁଛି। ତେଣୁ ଛାତ୍ରୀର ନିରୀହ ଅନୁରୋଧ (ପତ୍ରଟି ଲେଟରବକ୍ସରେ ପକାଇଵାକୁ କହିଵଖ) ଲେଖକଙ୍କ ପାଇଁ ଏକ ଅପମାନ ଭଳି ବୋଧ ହୋଇଛି । 

ଲେଖକଙ୍କ ମନଦୁଃଖ ଓ ତାଙ୍କର ଅଭିମାନ ମାନଵୀୟ ଆବେଗର ଏକ ସୁନ୍ଦର ଚିତ୍ରଣ। ଲେଖକ ନିଜର ସାହିତ୍ୟିକ ସଫଳତାରେ ଗର୍ଵ କରୁଛନ୍ତି, କିନ୍ତୁ ଵ୍ୟକ୍ତିଗତ ଜୀଵନରେ ଅନାଦୃତ ହେଵା ତାଙ୍କୁ ଝଟକା ଵା Shock ଦେଇଛି,ଆଘାତ ଦେଇଛି। ଏହା ମାନଵୀୟ ମନର ଏକ ସାଧାରଣ ଦୁର୍ଵଳତାକୁ ପ୍ରକାଶ କରୁଛି । ଆମେ ସମସ୍ତେ ସମ୍ମାନ ଓ ଗ୍ରହଣୀୟତା ଚାହୁଁ, କିନ୍ତୁ ସମାଜ ଆମକୁ ଅଲଗା ମାନଦଣ୍ଡରେ ଵିଚାର କରିଥାଏ।

ପରସାଈଙ୍କ ଵ୍ୟଙ୍ଗ ଶୈଳୀ ଅତ୍ୟନ୍ତ ଚତୁର ଓ ମଜାଳିଆ। ସେ ଗଳ୍ପର ଶେଷରେ ଏକ ଅପୂର୍ଵ ମୋଡ଼ ଆଣିଛନ୍ତି, ଯେଉଁଠାରେ ଲେଖକଙ୍କର ଅଭିମାନର କାରଣ ଏକ ଗମ୍ଭୀର ଅପମାନ ନୁହେଁ,ଵରଂ ଏକ ନିରୀହ ଘଟଣା। ଏହା ପାଠକଙ୍କୁ ହସାଇଵା ସହିତ ଗଭୀର ଭାବେ ଚିନ୍ତା କରିଵାକୁ ଵାଧ୍ୟ କରେ।

ଵ୍ୟଙ୍ଗ୍ୟ ସମ୍ରାଟ ହରିଶଙ୍କର ପରସାଈ ତାଙ୍କ शॉक ଵ୍ୟଙ୍ଗ୍ୟ ଗଳ୍ପରେ ମଜାଳିଆ ଢଙ୍ଗରେ ଦେଖାଇଛନ୍ତି ଯେ ମଣିଷ ନିଜର ସଫଳତା ଓ ଯୋଗ୍ୟତା ନେଇ ଯେତେ ଗର୍ଵ କଲେ ମଧ୍ୟ, ସମାଜରେ ଜଣେ ସାହିତ୍ୟିକର ସାମାଜିକ ମୂଲ୍ୟବୋଧ ଓ ଵାହ୍ୟ ରୂପ ମଉଡ଼ା ଆଧାରରେ ମୂଲ୍ୟାଙ୍କନ କରାଯାଇପାରେ। ଏହା ଏକ ସାମାଜିକ ପରିହାସ, ଯାହା ଆମକୁ ଆମର ମୂଲ୍ୟବୋଧ ଓ ଦୃଷ୍ଟିକୋଣ ଉପରେ ପୁନର୍ଵିଚାର କରିଵାକୁ ଆହ୍ୱାନ ଦିଏ।
•••••••••••••••••••••••••••••••••••••••••••••
ଵ୍ୟଙ୍ଗ୍ୟ ସମ୍ରାଟ ହରିଶଙ୍କର ପରସାଈଙ୍କ ମୂଳ ଵ୍ୟଙ୍ଗ୍ୟ ଗଳ୍ପ ନିମ୍ନରେ ପ୍ରଦତ୍ତ ହେଲା...

शॉक (व्यंग्य) : हरिशंकर परसाई

नगर का नाम नहीं बताता। जिनकी चर्चा कर रहा हूँ, वे हिंदी के बड़े प्रसिद्ध लेखक और समालोचक। शरीर सम्पति काफी क्षीण। रूप कभी आकर्षक न रहा होगा। जब का जिक्र है, तब वे 40 पार कर चुके थे। बिन ब्याहे थे।
एक दिन पार्क में बड़े अनमने बैठे थे। एक मित्र आये। पूछा," क्यों, कैसे अनमने बैठे हो ?"
"भई, मुझे छेड़ो मत। " तुनककर वे बोले। "आखिर कुछ बताओ भी तो। ऐसा क्या दुःख का पहाड़ टूट गया। "वे बोले," नहीं मानते तो सुनो। मैं हिंदी का लेखक - 20 -22 साल की मेरे साधना। छायावादी कविता को लोग ख़ाक नहीं समझते थे - मैंने उन्हें छायावाद समझाया। एक प्रकार से छायावादी - रथ का सारथी मैं ही हूँ। आठ पुस्तकें हैं मेरी। हिन्दुस्तान वासियों को लाज शर्म होती, तो मुझे अभी तक ऑनरेरी डॉक्टरेट दे दी होती।" वे रुके। फिर गहरी सांस छोड़कर बोले, "और मेरा यह हाल है ? मेरे प्रति ये अन्याय है। मेरी ऐसी अवहेलना ?"
मित्र समझे कि इनका कहीं किसी सम्मेलन में अपमान हो गया है। समझाते हुए बोले, "अरे भाई, हिन्दीवाले बहुत देर से आदमी की साधना को मान्यता देते हैं।" वे बोले, "नही, हिन्दीवालों से मुझे शिकायत नहीं है। यह लिफाफा देखो। किसका पता लिखा है इस पर ?"
मित्र बोले, "इस पर किसी यूनिवर्सिटी के लड़के का पता लिखा है।"
"जानते हो इसमें क्या है ? इसमें प्रेम पत्र है। जिस लड़की ने लिखा है, उसे मैं साल भर से हिंदी पढ़ा रहा हूँ। और वह प्रेम पत्र मुझे देकर कहती है - सर, इसे लेटरबॉक्स में छोड़ते आइये।"
•••••••••••••••••••••••••••••••••••••••••••••••••

Wednesday, May 21, 2025

“ଶିଶିଫସ୍ ଓ ତ୍ରିଶଙ୍କୁ: ମାନଵୀୟ ଆକାଙ୍କ୍ଷା ଓ ଅର୍ଥହୀନତାର ଦାର୍ଶନିକ ସମ୍ମିଳନ”

ହୋମରଙ୍କ ଓଡ଼େଶୀର Book 10 ଅନୁସାରେ ଯୋଗିନୀ(ଐନ୍ଦ୍ରଜାଲିକା) ସର୍ସି (Circe) ଓଡ଼ିସିଅସଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ନିଜ ଦେଶ ଇଥାକାକୁ ଫେରିଵା ପାଇଁ ପାତାଳ ଜଗତକୁ ଯାତ୍ରା କରି ମୃତ ଭଵିଷ୍ୟତ ଵକ୍ତା ଟାଇରେସିଆସଙ୍କୁ ଭେଟିଵା ଆଵଶ୍ୟକ। ଓଡ଼େସିଅସ୍ ପାତଳ ଲୋକକୁ ଯାଇ ଶିଶିଫସଙ୍କୁ ଅନନ୍ତ କାଳ ପାଇଁ ପଥର ଠେଲୁଥିଵାର ଦେଖିଥିଲେ ।‌ ହୋମର ତାଙ୍କର ଓଡ଼େଶୀ କାଵ୍ୟରେ ଶିଶିଫସଙ୍କ କାହାଣୀ ସଂକ୍ଷେପରେ ଵର୍ଣ୍ଣନା କରିଥିଲେ ଏଵଂ ପରେ ଅନ୍ୟ ଗ୍ରୀକ୍ ପୁରାଣରେ ସେ କାହାଣୀ ଉଲ୍ଲେଖ କରାଯାଇଛି । 
ଶିଶିଫସ୍‌ର କାହାଣୀ ଗ୍ରୀକ୍ ପୁରାଣ ଗାଥାର ଏକ ଅନନ୍ୟ ଅଧ୍ୟାୟ, ଯାହା ମାନବ ଜୀଵନର ଅର୍ଥହୀନତା ଓ ସଂଘର୍ଷକୁ ଗଭୀର ଦାର୍ଶନିକ ତତ୍ତ୍ଵ ସହିତ ଉପସ୍ଥାପନ କରେ। ଶିଶିଫସ୍ ଥିଲେ କୋରିନ୍ଥର ରାଜା, ଚତୁର ଓ ବୁଦ୍ଧିମାନ, କିନ୍ତୁ ଅହଙ୍କାରୀ। ତାଙ୍କର ଚାଲାକି ଦେଵତାମାନଙ୍କୁ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ କରୁଥିଲା, କିନ୍ତୁ ତାଙ୍କ ଅହମିକା ତାଙ୍କୁ ଵିପଦରେ ପକାଇଲା ।‌ ଦେଵତାମାନଙ୍କ ମଧ୍ୟରେ ଵିଵାଦ ହେଲାବେଳେ ସେ ସେଥିରେ ମୁଣ୍ଡ ଖେଳାଇ ଦଣ୍ଡିତ ହୋଇଥିଲେ । ଗ୍ରୀକ୍ ପୁରାଣର କଥା ଅନୁସାରେ ନଦୀମାନଙ୍କର ଅଧିଷ୍ଠାତା ଦେଵ ଆସୋପସ୍‌ଙ୍କ ଝିଅ ଆଇଗିନା ଅତ୍ୟନ୍ତ ସୁନ୍ଦରୀ ଥିଲେ ।‌ଜିଉସ୍, ତାଙ୍କୁ ଦେଖି ମୋହିତ ହୋଇ, ତାଙ୍କୁ ଅପହରଣ କରି ଓଇନୋନ ନାମକ ଏକ ଦ୍ୱୀପକୁ ନେଇଗଲେ (ଏ ଦ୍ଵୀପ ପରେ ଆଇଗିନା ନାମରେ ପରିଚିତ ହେଲା)। ସେଠାରେ ଜିଉସ୍ ଆଇଗିନାଙ୍କ ସହ ସମ୍ପର୍କ ସ୍ଥାପନ କଲେ, ଯାହାଫଳରେ ତାଙ୍କର ପୁତ୍ର ଆଇଆକସ୍ (Aeacus) ଜନ୍ମ ହେଲା, ଯିଏ ପରେ ଆଇଗିନା ଦ୍ୱୀପର ରାଜା ହେଲେ। ଆସୋପସ୍, ତାଙ୍କ ଝିଅର ଅପହରଣ ଜାଣି କ୍ରୋଧିତ ହେଲେ ଓ ଜିଉସ୍‌ଙ୍କୁ ସମ୍ମୁଖୀନ ହେଵାକୁ ଚେଷ୍ଟା କଲେ। କିନ୍ତୁ ଜିଉସ୍ ତାଙ୍କୁ ଵଜ୍ରପାତ ଦ୍ୱାରା ପରାସ୍ତ କରି ନଦୀକୁ ଫେରାଇ ଦେଇଥିଲେ। ଏହି ଘଟଣାରେ କରିନ୍ଥର ରାଜା ଶିଶିଫସ୍ (Sisyphus), ଆସୋପସ୍‌ଙ୍କୁ ଜିଉସ୍‌ଙ୍କ କାର୍ଯ୍ୟ ଵିଷୟରେ ସୂଚନା ଦେଇଥିଲେ। ଜିଉସ୍ ଏଥିରେ କ୍ରୋଧିତ ହୋଇ ଶିଶିଫସ୍‌ଙ୍କୁ ଶାସ୍ତି ଦେଵାକୁ ମୃତ୍ୟୁର ଦେବତା ଥାନାଟୋସ୍‌କୁ ପଠାଇଲେ, କିନ୍ତୁ ଶିଶିଫସ୍ ଚାଲାକିରେ ଥାନାଟୋସ୍‌କୁ ବନ୍ଧନରେ ଆବଦ୍ଧ କରି ମୃତ୍ୟୁକୁ ଠକି ଦେଇଥିଲେ। 

ଫଳତଃ ଏହା ଜିଉସ୍‌ଙ୍କୁ ଆହୁରି କ୍ରୋଧିତ କଲା ଏଵଂ ଶେଷରେ ଶିଶିଫସ୍‌ଙ୍କୁ ପାତାଳରେ ଅନନ୍ତ କାଳ ପାଇଁ ଶାସ୍ତିର ଵିଧାନ କରାଗଲା । ଏହି ଦଣ୍ଡ ଥିଲା ଏକ ଵିଶାଳ ପଥରକୁ ପାହାଡ଼ର ଶିଖରକୁ ଠେଲିଵା ଯାହା ପ୍ରତିଥର ଶିଖର ପାଖରେ ପହଞ୍ଚି ପୁଣି ଗଡ଼ି ଆସି ତଳକୁ ଖସିପଡୁଥିଲା। ଏହି ଅର୍ଥହୀନ ଓ ଅନନ୍ତ କାର୍ଯ୍ୟ ଶିଶିଫସଙ୍କର ଚିରନ୍ତନ ଦଣ୍ଡ ହେଲା। ଶିଶିଫସ୍ ପ୍ରତିଦିନ ପଥୟକୁ ଠେଲୁଥିଲେ, କ୍ଳାନ୍ତ ଓ ହତାଶ ହେଉଥିଲେ, କିନ୍ତୁ ଏ କାର୍ଯ୍ୟରୁ ଵିରତ ହୋଇ ପାରୁ ନ ଥିଲେ। 

ଆଧୁନିକ ଦାର୍ଶନିକ ଆଲବେର୍ଟ କାମୁ ତାଙ୍କ ପୁସ୍ତକ “The Myth of Sisyphus”ରେ ଏହି କାହାଣୀକୁ ମାନଵ ଜୀଵନର ଅର୍ଥହୀନତାର ପ୍ରତୀକ ଭାବେ ଵ୍ୟାଖ୍ୟା କରିଛନ୍ତି, କିନ୍ତୁ ସେ ଏକ ଆଶାଵାଦୀ ଦୃଷ୍ଟିକୋଣ ଦେଇ କହିଛନ୍ତି ଯେ ଶିଶିଫସ୍ ନିଜର ଶାସ୍ତିକୁ ଗ୍ରହଣ କରି ଏହା ମଧ୍ୟରେ ଜୀଵନର ମୂଲ୍ୟବୋଧ ବୁଝି ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ପ୍ରକାରେ ପଥର ଠେଲି,ଟେକି ଦଣ୍ଡ ମଧ୍ୟରେ ବି ସୁଖର ପ୍ରାପ୍ତି କଲେ । ଏହି କାହାଣୀ ଜୀଵନର absurdity ଓ ତାହା ମଧ୍ୟରେ ଅର୍ଥ ସୃଷ୍ଟିର ସାମର୍ଥ୍ୟକୁ ଉଜାଗର କରେ। ଜୀଵନରେ ଅନେକ କାର୍ଯ୍ୟ ଅର୍ଥହୀନ ମନେ ହୋଇପାରେ, ତଥାପି ମଣିଷ ଏହାକୁ ଚାଲୁ ରଖେ। ଜୀଵନର ଏହି ଅଯୌକ୍ତିକତାକୁ ସ୍ୱୀକାର କରି ତଥାପି ଉତ୍ସାହ ଓ ସ୍ୱାଧୀନତାରେ ଜୀଵନ ଯାପନ କରିଵାର ପ୍ରଵୃତ୍ତିକୁ କାମୁ ସବୁଠାରୁ ଯୁକ୍ତିଯୁକ୍ତ ଵିକଳ୍ପ ମାନନ୍ତି। 

ଦୈନନ୍ଦିନ ଜୀଵନରେ, ମଣିଷ ଅନେକ ସମୟରେ ଏକ ଅନିଶ୍ଚିତ ଲକ୍ଷ୍ୟ ପାଇଁ ଶ୍ରମ କରନ୍ତି, ଯେପରି ଅନ୍ତହୀନ କାମ, ସଫଳତା ଵା ସୁଖର ପଛରେ ଦୌଡ଼ିଵା କିନ୍ତୁ ଶେଷରେ ମୃତ୍ୟୁର ଦର୍ଶନ ମାତ୍ରେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କ ପୂର୍ଵ କାର୍ଯମାନ ଅର୍ଥହୀନ ମନେ ହୋଇପାରେ। ପ୍ରକୃତରେ ଆମ ଜୀଵନ ହିଁ ଶିଶିଫସ୍‌ଙ୍କ ପଥର ଟେକା ପରି ଅଟେ । ଆମେ ପ୍ରତିଦିନ ପଥର ଟେକିଵା ଭଳି ଅନେକ ଅର୍ଥହୀନ କାମ କରନ୍ତି ଆଉ ଆମର ମୃତ୍ୟୁ ସେ ସମସ୍ତ କାର୍ଯ୍ୟର ଶେଷ ପରିଣତି ହୋଇଥାଏ । ଶିଶିଫସ୍‌ଙ୍କ କାହାଣୀ ଏକ ରୂପକ (metaphor) ଯେଉଁଠି ଅର୍ଥହୀନ ଶ୍ରମ ଜୀଵନର ଅଯୌକ୍ତିକତାକୁ ଚିତ୍ରଣ କରେ, କିନ୍ତୁ କାମୁ କହନ୍ତି ଯେ ଶିଶିଫସ୍ ଏହାକୁ ଗ୍ରହଣ କରି ନିଜର ଭାଗ୍ୟକୁ ସ୍ୱୀକାର କରନ୍ତି, ଯାହା ଏକ ପ୍ରକାର ବିଦ୍ରୋହ ଓ ସ୍ୱାଧୀନତା।


ତେବେ ଭାରତୀୟ ଗାଥାରେ ତ୍ରିଶଙ୍କୁର କାହାଣୀ ସହିତ ଗ୍ରୀକ୍ ପୁରାଣର ଶିଶିଫସଙ୍କ କାହାଣୀର କେତେକ ସାମ୍ୟ ରହିଛି ।‌

 ବାଲ୍ମୀକି ରାମାୟଣର ବାଲକାଣ୍ଡରେ ତ୍ରିଶଙ୍କୁର କାହାଣୀ ଵର୍ଣ୍ଣିତ। ତ୍ରିଶଙ୍କୁ ଥିଲେ ଇକ୍ଷ୍ଵାକୁ ବଂଶର ଜଣେ ରାଜା, ଯାହାଙ୍କର ଏକ ଅସାଧାରଣ ଇଚ୍ଛା ଥିଲା ସଶରୀର ସ୍ଵର୍ଗଗମନ । ଏହି ଇଚ୍ଛା ଧର୍ମ ଓ ପ୍ରକୃତିର ନିୟମ ଵିରୋଧୀ ଅଟେ। ତ୍ରିଶଙ୍କୁ ନିଜର ରାଜଗୁରୁ ଵଶିଷ୍ଠଙ୍କୁ ଏହି ଇଚ୍ଛା ପୂରଣ କରିଵାକୁ ଅନୁରୋଧ କଲେ କିନ୍ତୁ ଵଶିଷ୍ଠ ଏହାକୁ ଅସମ୍ଭଵ ଓ ଅଧାର୍ମିକ କହି ମନା କରିଦେଲେ। ଫଳରେ କ୍ରୋଧିତ ହୋଇ ତ୍ରିଶଙ୍କୁ ଵଶିଷ୍ଠଙ୍କୁ ଅପମାନ କଲେ, ଯାହା ଫଳରେ ଵଶିଷ୍ଠ ତାଙ୍କୁ ଶାପ ଦେଲେ। ତ୍ରିଶଙ୍କୁ ତା’ପରେ ଋଷି ଵିଶ୍ଵାମିତ୍ରଙ୍କ ଶରଣ ନେଲେ, ଯିଏ ଵଶିଷ୍ଠଙ୍କୁ ଘୃଣା କରୁଥିଲେ । ଵିଶ୍ଵାମିତ୍ର ଏକ ମହାନ ଯଜ୍ଞ ଆୟୋଜନ କରି ତ୍ରିଶଙ୍କୁଙ୍କୁ ସଶରୀର ସ୍ଵର୍ଗକୁ ପଠାଇଵାକୁ ଚେଷ୍ଟା କଲେ। ଵିଶ୍ଵାମିତ୍ରଙ୍କ ତପଶକ୍ତିରେ ତ୍ରିଶଙ୍କୁ ସ୍ଵର୍ଗକୁ ଉଠିଗଲେ, କିନ୍ତୁ ଦେଵରାଜ ଇନ୍ଦ୍ର ତାଙ୍କୁ ସ୍ଵର୍ଗରୁ ତଳକୁ ଠେଲି ଦେଲେ, କାରଣ କୌଣସି ମାନଵ ସଶରୀର ସ୍ଵର୍ଗରେ ରହିପାରିବେ ନାହିଁ। ତ୍ରିଶଙ୍କୁ ପୃଥିଵୀ ଆଡ଼କୁ ଖସିପଡ଼ୁଥିଵାର ଦେଖି ଵିଶ୍ଵାମିତ୍ର ନିଜର ଶକ୍ତି ବଳରେ ତାଙ୍କୁ ମଝିରେ ଅଟକାଇ ଦେଲେ ଓ ତାଙ୍କ ପାଇଁ ଏକ ନୂଆ ସ୍ଵର୍ଗ (ତ୍ରିଶଙ୍କୁ ସ୍ଵର୍ଗ) ସୃଷ୍ଟି କରିଵାକୁ ଆରମ୍ଭ କଲେ। ଶେଷରେ, ଦେଵତାମାନଙ୍କ ସହ ଆପୋଷ ହେଲା ଏଵଂ ତ୍ରିଶଙ୍କୁ ସ୍ଵର୍ଗ ଓ ପୃଥିଵୀ ମଧ୍ୟରେ ଏକ ଅଵସ୍ଥାରେ ରହିଲେ, କେତେକ ଵର୍ଣ୍ଣନା ଅନୁଯାୟୀ ସେ ଏକ ତାରାମଣ୍ଡଳରେ ପରିଣତ ହେଲେ ଯାହା ତ୍ରିଶଙ୍କୁ ନାମରେ ଖ୍ୟାତ ହେଲା । ଏହି କାହାଣୀ ମାନଵୀୟ ଆକାଙ୍କ୍ଷାର ଅସୀମତା ଓ ପ୍ରକୃତିର ସୀମାବଦ୍ଧତା ମଧ୍ୟରେ ସଂଘର୍ଷକୁ ପ୍ରତିଫଳିତ କରେ।


ଶିଶିଫସ୍ ଓ ତ୍ରିଶଙ୍କୁଙ୍କ କାହାଣୀ, ଯଦିଓ ଭିନ୍ନ ସାଂସ୍କୃତିକ ପରମ୍ପରାରୁ ଉଦ୍ଭବ, ଉଭୟ କଥା ମଧ୍ୟରେ କିଛି ଗଭୀର ଦାର୍ଶନିକ ସାମଞ୍ଜସ୍ୟ ଦର୍ଶାଏ, ସେହିପରି କିଛି ଅସାମଞ୍ଜସ୍ୟ ମଧ୍ୟ ରହିଛି। ଉଭୟେ ଅସମ୍ଭଵ ଆକାଙ୍କ୍ଷାର ପଛରେ ଲାଗିଥିଲେ—ଶିଶିଫସ୍ ମୃତ୍ୟୁକୁ ଠକିଵାକୁ ଚାହିଁଥିଲେ, ତ୍ରିଶଙ୍କୁ ମଧ୍ୟ ମୃତ୍ୟୁକୁ ଏଡ଼ାଇଵା ପାଇଁ ସଶରୀର ସ୍ଵର୍ଗକୁ ଯିଵାକୁ ଚେଷ୍ଟା କରିଥିଲେ। ଏହି ଅହଙ୍କାର ଓ ଅସାଧାରଣ ଇଚ୍ଛା ଉଭୟଙ୍କୁ ଦୁର୍ଦଶାରେ ପକାଇଲା। ଉଭୟେ ଏକ ଚିରସ୍ଥାୟୀ ଅସମ୍ପୂର୍ଣ୍ଣତାରେ ଆବଦ୍ଧ ହେଲେ—ଶିଶିଫସ୍ ଅନନ୍ତ କାଳ ଯାଏଁ ପଥର ଠେଲିଲେ, ତ୍ରିଶଙ୍କୁ ସ୍ଵର୍ଗ ଓ ପୃଥିଵୀ ମଧ୍ୟରେ ଅନନ୍ତ କାଳ ଯାଏଁ ଅଟକି ରହିଗଲେ। ଉଭୟେ ଦୈଵୀ ଶକ୍ତିଙ୍କ ଵିରୋଧ କଲେ । ଶିଶିଫସ୍ ଜିଉସ୍‌ଙ୍କ ଓ ତ୍ରିଶଙ୍କୁ ଇନ୍ଦ୍ରଙ୍କ ନିୟମକୁ ଆହ୍ଵାନ କରିଥିଲେ। ଶିଶିଫସ୍‌ଙ୍କ କଥାରୁ ଜୀଵନର ଅର୍ଥହୀନତା ଓ ତାହା ମଧ୍ୟରେ ଅର୍ଥ ସୃଷ୍ଟିର ଶିକ୍ଷା ମିଳୁଥିଲାବେଳେ ତ୍ରିଶଙ୍କୁଙ୍କ କଥାରୁ ଅତ୍ୟଧିକ ଇଚ୍ଛାର ପରିଣାମ ଓ ଧର୍ମର ସନ୍ତୁଳନର ଶିକ୍ଷା ମିଳିଥାଏ। କିନ୍ତୁ ଉଭୟ କଥା ମଧ୍ୟରେ ଅସାମଞ୍ଜସ୍ୟ ମଧ୍ୟ ରହିଛି। ଶିଶିଫସ୍‌ଙ୍କ ଶାସ୍ତି ଅର୍ଥହୀନ ଓ ଅନନ୍ତ, ଯେଉଁଠି ମୁକ୍ତିର କୌଣସି ସମ୍ଭାଵନା ନାହିଁ, କିନ୍ତୁ ତ୍ରିଶଙ୍କୁଙ୍କ କାହାଣୀରେ ଏକ ଆପୋଷ ଓ ଅଂଶତଃ ସଫଳତା ରହିଛି। ଶିଶିଫସ୍‌ଙ୍କ ସଂଘର୍ଷ ଶାରୀରିକ ଓ ଅନନ୍ତ,ତ୍ରିଶଙ୍କୁଙ୍କ ସଂଘର୍ଷ ଆଧ୍ୟାତ୍ମିକ ଓ ଆକାଙ୍କ୍ଷାଭିତ୍ତିକ, ଯେଉଁଠି ଏକ ନିର୍ଦ୍ଦିଷ୍ଟ ଅଵସ୍ଥା ପ୍ରାପ୍ତ ହେଲା। ଗ୍ରୀକ୍ ଟ୍ରାଜେଡିରେ ଶିଶିଫସ୍‌ଙ୍କ କାହାଣୀ ଅହଙ୍କାର ଓ ଶାସ୍ତି ଉପରେ ଗୁରୁତ୍ଵ ଦେଇଛି,ତ୍ରିଶଙ୍କୁଙ୍କ କାହାଣୀ ଭାରତୀୟ ପରମ୍ପରାରେ କର୍ମ ଓ ଧର୍ମର ମହତ୍ତ୍ଵ ଦର୍ଶାଇଛି।

ଏହି ଦୁଇ କାହାଣୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଭଜଗୋଵିନ୍ଦମ୍‌ର ଶ୍ଲୋକ ସହ ଗଭୀର ଭାବେ ସମ୍ପର୍କିତ। ଶଙ୍କରାଚାର୍ଯ୍ୟ କହିଛନ୍ତି 

“ଦିନଯାମିନ୍ଯୌ ସାୟଂ ପ୍ରାତଃ ଶିଶିରଵସନ୍ତୌ ପୁନରାୟାତଃ। 
କାଳଃ କ୍ରୀଡତି ଗଚ୍ଛତ୍ଯାୟୁ ତଦପି ନ ମୁଞ୍ଚତ୍ଯାଶାଵାୟୁଃ ॥”

ଅର୍ଥାତ୍ ଦିନ ଓ ରାତି, ସନ୍ଧ୍ୟା ଓ ପ୍ରଭାତ, ଶୀତ ଓ ଵସନ୍ତ ଵାରମ୍ବାର ଆସୁଛି ଓ ଚାଲିଯାଉଛି; ସମୟ ଚକା ଭଉଁରୀ ଖେଳୁଛି ଆଉ ସେଇ ଚକ୍ରଗତି ମଧ୍ୟରେ ଜୀଵନର ଆୟୁଷ କ୍ଷୟ ହେଉଛି, ତଥାପି ମନୁଷ୍ୟର ଆଶା ଓ ଇଚ୍ଛାର ପଵନ (ଆସକ୍ତି) ତାକୁ ଛାଡ଼ୁନାହିଁ। ଏହା ଜୀଵନର ନଶ୍ଵରତା ଓ ଆସକ୍ତିର ନିରର୍ଥକତା ଉପରେ ଆଲୋକପାତ କରେ। 

ଶିଶିଫସ୍‌ଙ୍କ ଅହଙ୍କାର ଓ ମୃତ୍ୟୁକୁ ଠକିଵାର ଇଚ୍ଛା, ତ୍ରିଶଙ୍କୁଙ୍କ ଦେହ ସହିତ ସ୍ଵର୍ଗ ପ୍ରାପ୍ତିର ଆକାଙ୍କ୍ଷା—ଉଭୟେ ଏହି ଶ୍ଲୋକରେ ବର୍ଣ୍ଣିତ “ଆଶାଵାୟୁଃ” (ଆଶା ଵା ଆସକ୍ତିର ଵାୟୁ) ର ଉଦାହରଣ। ଶିଶିଫସ୍‌ଙ୍କ ଅନନ୍ତ ସଂଘର୍ଷ ଓ ତ୍ରିଶଙ୍କୁଙ୍କ ଅସମ୍ପୂର୍ଣ୍ଣ ଆକାଙ୍କ୍ଷା ସମୟର ଅଵିରାମ ଗତି ଓ ଜୀଵନର କ୍ଷଣସ୍ଥାୟୀ ପ୍ରକୃତିକୁ ପ୍ରତିଫଳିତ କରେ, ଯେପରି ଶ୍ଲୋକରେ “କାଳଃ କ୍ରୀଡତି ଗଚ୍ଛତ୍ଯାୟୁ” ମାଧ୍ୟମରେ ଵର୍ଣ୍ଣିତ। ଭଜଗୋଵିନ୍ଦମ୍‌ର ଏହି ଶ୍ଲୋକ ଉଭୟ କାହାଣୀକୁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଵ୍ୟାଖ୍ୟା କରେ, ଯେଉଁଠି ଅତ୍ୟଧିକ ଆସକ୍ତି ମାନଵକୁ ମୁକ୍ତି ଵା ଆତ୍ମଜ୍ଞାନରୁ ଦୂରେଇ ରଖେ। ଶିଶିଫସ୍ ଓ ତ୍ରିଶଙ୍କୁଙ୍କ ଦୁର୍ଦଶା ସ୍ପଷ୍ଟ କରେ ଯେ ଅସୀମ ଇଚ୍ଛା ମାନଵକୁ ଏକ ଅନନ୍ତ ବନ୍ଧନରେ ଆବଦ୍ଧ କରିପାରେ ଏଵଂ ଭଜଗୋଵିନ୍ଦମ୍‌ର ପ୍ରୋକ୍ତ ଶ୍ଳୋକର ଵାର୍ତ୍ତା ଅନୁଯାୟୀ, ଏହି ଆସକ୍ତି ତ୍ୟାଗ କରି ଈଶ୍ଵର ଭଜନା ଓ ଆତ୍ମଜ୍ଞାନରେ ଜୀଵନର ଅର୍ଥ ଅନ୍ଵେଷଣ କରିଵା ଉଚିତ।

ଶିଶିଫସ୍ ଓ ତ୍ରିଶଙ୍କୁଙ୍କ କାହାଣୀ ଯଦିଓ ଭିନ୍ନ ସାଂସ୍କୃତିକ ପରମ୍ପରାରୁ ଉଦ୍ଭଵ, ମାନଵୀୟ ଆକାଙ୍କ୍ଷାର ଅସୀମତା ଓ ପ୍ରକୃତିର ସୀମାବଦ୍ଧତା ମଧ୍ୟରେ ସଂଘର୍ଷକୁ ପ୍ରତିଫଳିତ କରେ। ଉଭୟ କାହାଣୀ ଦୈଵୀ ଶକ୍ତିଙ୍କ ଵିରୋଧରେ ମାନଵର ଅହଙ୍କାର ଓ ଅସମ୍ଭଵ ଇଚ୍ଛାର ପରିଣାମକୁ ଦର୍ଶାଏ। ଶିଶିଫସ୍‌ଙ୍କ ଅନନ୍ତ ଶ୍ରମ ଜୀଵନର ଅର୍ଥହୀନତାର ପ୍ରତୀକ ହେଲାବେଳେ, ତ୍ରିଶଙ୍କୁଙ୍କ ଅସମ୍ପୂର୍ଣ୍ଣ ସ୍ଵର୍ଗଗମନ ଧର୍ମ ଓ କର୍ମର ସନ୍ତୁଳନକୁ ଉଜାଗର କରେ। ଆଦି ଶଙ୍କରାଚାର୍ଯ୍ୟଙ୍କ ଭଜଗୋଵିନ୍ଦମ୍‌ର ଶ୍ଲୋକ ଏହି ଦୁଇ କାହାଣୀକୁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ସଂଯୋଗ କରେ, ଯେଉଁଠି ଜୀଵନର ନଶ୍ଵରତା ଓ ଆସକ୍ତିର ନିରର୍ଥକତାକୁ ସ୍ୱୀକାର କରି ଈଶ୍ଵର ଭଜନ ଓ ଆତ୍ମଜ୍ଞାନ ମାଧ୍ୟମରେ ମୁକ୍ତିର ପଥ ଅନ୍ଵେଷଣ କରିଵାର ପରାମର୍ଶ ଦିଆଯାଇଛି। ଏହି କାହାଣୀଗୁଡ଼ିକ ଆମକୁ ଶିକ୍ଷା ଦେଇଛି ଯେ ଅତ୍ୟଧିକ ଆସକ୍ତି ମାନଵକୁ ଅନନ୍ତ ବନ୍ଧନରେ ଆବଦ୍ଧ କରେ, କିନ୍ତୁ ଜୀଵନର ଅଯୌକ୍ତିକତାକୁ ଗ୍ରହଣ କରି ମଧ୍ୟ ଅର୍ଥ ଓ ସ୍ୱାଧୀନତା ଅନୁସନ୍ଧାନ କରାଯାଇପାରେ।

(ଯୋଗିନୀ Circeଙ୍କ ଚରିତ୍ରରୁ ପ୍ରେରିତ ହୋଇ ମାର୍ଵେଲ୍ କମିକ୍ସରେ ଗୋଟିଏ ଚରିତ୍ର Sersi ସୃଷ୍ଟି କରାଯାଇଛି ।‌ ମାର୍ଵେଲ୍ କମିକ୍ସ ଅନୁସାରେ ଏହି ଯୋଗିନୀ ଵା ଐନ୍ଦ୍ରଜାଲିକା ହୋମରଙ୍କୁ ଭେଟିଥିଲେ ତଥା ଓଡ଼େସିଅସ୍‌ଙ୍କୁ ସାହାଯ୍ୟ କରିଥିଲେ) 

Sunday, May 18, 2025

•ଓଡ଼ିଆ ଭାଷାରେ ନିଘନ ଓ ସମାର୍ଥକ ଶବ୍ଦ•

ଓଡ଼ିଆ ଭାଷାରେ ‘ନିଘନ’ ବୋଲି ଗୋଟିଏ ଦେଶଜ ଶବ୍ଦ ଅଛି ଯାହା ସଂସ୍କୃତର ‘ଘନ’ ମୂଳରୁ ଉତ୍ପନ୍ନ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି । 

ପ୍ରଥମତଃ, ‘ନିଘନ’ ଅର୍ଥ ଘନିଷ୍ଠ ସମ୍ପର୍କ। ଫକୀରମୋହନ ସେନାପତିଙ୍କ ଗଳ୍ପସ୍ଵଳ୍ପରେ ଏହା ସ୍ପଷ୍ଟ ହୁଏ। ସେଠାରେ ଵର୍ଣ୍ଣିତ ହୋଇଛି:

 “ଶ୍ୟାମ ସାହୁ ବିଦେଇର ନିଘନ ମଳାଶୁର। ଘର ଜୋରମେ ଇଲାକା ଖାଲପାଳ। ସାହୁ ଜଣେ କାରବାରିଆ ମଧ୍ୟଭଳି ଲୋକ।” 

ଏହି ପଦରେ ‘ନିଘନ’ ଶବ୍ଦ ବିଦେଇ ଓ ଶ୍ୟାମ ସାହୁଙ୍କ ମଧ୍ୟରେ ଥିଵା ଗାଢ଼ ସମ୍ପର୍କକୁ ସୂଚାଏ। ଏହା କେଵଳ ରକ୍ତ ସମ୍ପର୍କ ନୁହେଁ ଵରଂ ମନରେ ଓ ସାମାଜିକ ସ୍ତରରେ ଥିଵା ନିକଟତାକୁ ପ୍ରତିଫଳିତ କରେ। 

ପୁଣି ଭାଷାକୋଷ ଅନୁସାରେ ବାଲେଶ୍ୱର ଅଞ୍ଚଳରେ ‘ନିଘନ’ , "ଅତି ନିକଟ ସମ୍ପର୍କ"କୁ ବୁଝାଇଥାଏ, ଯାହା ମାନଵୀୟ ବନ୍ଧନର ଗଭୀରତାକୁ ପ୍ରକାଶ କରେ। ବାଲେଶ୍ବର ଜିଲ୍ଳାର କଥିତ ଓଡ଼ିଆ ଶୈଳୀରେ ନିଘନ ଶବ୍ଦର ଏଭଳି ଅର୍ଥ ପ୍ରଚଳିତ ଥିଵାରୁ ଫକୀରମୋହନ ସେନାପତି ସେ ଶବ୍ଦକୁ ସାହିତ୍ୟରେ ସ୍ଥାନ ଦେଇଥିଲେ ।‌


ଦ୍ଵିତୀୟତଃ, ‘ନିଘନ’ ଅର୍ଥ ଘନ ଵା ନିଵିଡ଼। ପ୍ରାଚୀନ ଓଡ଼ିଆ ସାହିତ୍ୟରେ, ଯେପରି ରସବାରିଧିରେ ଵର୍ଣ୍ଣିତ, “ନଵଘନ ରୁଚିର ନିଘନ କେଶ ମୋର।” ଏହି ପଙ୍କ୍ତିରେ ‘ନିଘନ’ ଶବ୍ଦ କେଶର ଘନତା ଓ ସୌନ୍ଦର୍ଯ୍ୟକୁ ଚିତ୍ରଣ କରେ। ଏହା ପ୍ରକୃତି ଵା ଵସ୍ତୁର ନିଵିଡ଼ତାକୁ ସୂଚାଇ ସାହିତ୍ୟରେ ଏକ ସୁନ୍ଦର ଚିତ୍ରକଳ୍ପ ସୃଷ୍ଟି କରେ। ଏହି ଵ୍ୟଵହାର ଓଡ଼ିଆ କାଵ୍ୟରେ ଵସ୍ତୁଗତ ସୌନ୍ଦର୍ଯ୍ୟକୁ ଆଲୋକିତ କରେ।

ତୃତୀୟତଃ, ‘ନିଘନ’ ଅର୍ଥ ମୋଟ ଵା ସ୍ଥୂଳ।
ଜଗନ୍ନାଥ ଦାସଙ୍କ ଭାଗଵତରେ ଏହା ସ୍ପଷ୍ଟ ହୋଇଛି: 

“ସୁସଞ୍ଚ ଅଂଘ୍ରି ଚାରୁ ଉର 
ନିଘନ ଜାନୁ ଶୋଭାକର।"

ଏହି ପଦରେ ‘ନିଘନ’ ଶବ୍ଦ ଶାରୀରିକ ଗଠନର ସ୍ଥୂଳତା ଓ ସୌନ୍ଦର୍ଯ୍ୟକୁ, ଵିଶେଷତଃ ଜାନୁ (ଆଣ୍ଠୁ)ର ମୋଟତାକୁ ବର୍ଣ୍ଣନା କରେ। ଏହା ଶରୀରର ବାହ୍ୟ ଗୁଣକୁ ଏକ ଆକର୍ଷଣୀୟ ରୂପେ ଉପସ୍ଥାପନ କରେ।

 ଫକୀରମୋହନଙ୍କ ଗଳ୍ପରୁ ଆରମ୍ଭ କରି ପ୍ରାଚୀନ ରସବାରିଧି ଓ ଜଗନ୍ନାଥ ଦାସଙ୍କ ଭାଗଵତ ପର୍ଯ୍ୟନ୍ତ, ‘ନିଘନ’ ଶବ୍ଦ ଵିଭିନ୍ନ ଅର୍ଥରେ ଆମ ଭାଷାର ସାହିତ୍ୟରେ ପ୍ରୟୋଗ ହୋଇଛି । ତେବେ ନିଘନ ପରି ଆଉ ଦୁଇଟି ଓଡ଼ିଆ ଶବ୍ଦ ବି ଅଛି । ଗୋଟିଏ ହେଲା ନିଘମ ଯାହାର ଅର୍ଥ ଘୋର ଓ ନିଵିଡ଼ । ଯେମିତି ନିଘମ ନିଦ ଅର୍ଥାତ୍ ଘୋର ନିଦ । କେହି କେହି ଏ କ୍ଷେତ୍ରରେ ନିଘୋଡ଼ ନିଦ ମଧ୍ୟ କୁହନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନିଘୋଡ଼ ଶବ୍ଦର ଦୁଇଗୋଟି ଅର୍ଥ ପୂର୍ଣ୍ଣ ଓ ଗଭୀରରୂପେ ଵା ଅତ୍ୟନ୍ତ ଆଧାରରେ ଏଠାରେ ନିଦ ଶବ୍ଦ ସହିତ ନିଘୋଡ଼ ଶବ୍ଦ ଯୁକ୍ତ ହୋଇଅଛି ।‌

ଆଉ ଏକ ଶବ୍ଦ ହେଲା ନିଘଞ୍ଚ ଯାହା 
ନିଵିଡ଼ ତଥା ଗାଢ଼ ଅର୍ଥରେ ସାହିତ୍ୟରେ ଵ୍ୟଵହୃତ ହୋଇଛି । ନନ୍ଦ କିଶୋର ବଳଙ୍କର ଶର୍ମିଷ୍ଠାରେ ନିଵିଡ଼ ଅର୍ଥରେ ନିଘଞ୍ଚ ଶବ୍ଦ ଵ୍ୟଵହାର କରାଯାଇଛି 

“ଝିଲ୍ଲୀ ଝଙ୍କାରିତ ମଞ୍ଜୁଳ ବଞ୍ଜୁଳ ନିଘଞ୍ଚ କୁଞ୍ଜଵନ।” 

ସେହିପରି ଫକୀରମୋହନ ସେନାପତି ଛମାଣ ଆଠଗୁଣ୍ଠରେ ଗାଢ଼ ଅର୍ଥରେ ନିଘଞ୍ଚ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି "ଆରେ ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ ?" 

ନିଘଞ୍ଚ ପରି ନଘଞ୍ଚନ ଶବ୍ଦ ମଧ୍ୟ ଆମ ଭାଷାରେ ପ୍ରଚଳିତ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

"ମିଥୁନେ ଛତା କକଡ଼ା ହତା, 
କନ୍ୟେ ନିଘଞ୍ଚନ ରୋ 
ଆଉ ଯେତକ ରୋଇ ନ ପାରିବୁ 
ବଳଦ ଆଗରେ ଥୋ।"

‘ନିଘନ’, ‘ନିଘମ’, ‘ନିଘଞ୍ଚ’ ଓ ‘ନଘଞ୍ଚନ’ ଆଦି ଓଡ଼ିଆ ଶବ୍ଦଗୁଡ଼ିକ ଆମ ଭାଷାର ସାହିତ୍ୟିକ ଓ ସାଂସ୍କୃତିକ ଐଶ୍ଚର୍ଯ୍ୟକୁ ପ୍ରତିଫଳିତ କରେ। ଫକୀରମୋହନ ସେନାପତିଙ୍କ ଗଳ୍ପରୁ ଆରମ୍ଭ କରି ଜଗନ୍ନାଥ ଦାସଙ୍କ ଭାଗଵତ ଓ ନନ୍ଦକିଶୋର ବଳଙ୍କ କାଵ୍ୟ ପର୍ଯ୍ୟନ୍ତ ଏହି ଶବ୍ଦମାନେ ମାନଵୀୟ ସମ୍ପର୍କ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାରୀରିକ ଗଠନର ଗଭୀରତାକୁ ନାନା ରୂପେ ଚିତ୍ରଣ କରିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଶବ୍ଦଗୁଡ଼ିକର ଵିଵିଧ ଅର୍ଥ ଓ ପ୍ରୟୋଗ ଓଡ଼ିଆ ଭାଷାର ଗାଢ଼ତା ଓ ଵିଚିତ୍ରତାକୁ ଆଲୋକିତ କରେ। ଏହି ଶବ୍ଦମାନେ କେଵଳ ଭାଷାର ଅଂଶ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ମନୋଜ ବନ୍ଧନ ଓ କାଵ୍ୟିକ ସୌନ୍ଦର୍ଯ୍ୟର ପ୍ରତୀକ। ତେଣୁ, ଏହି ଶବ୍ଦଗୁଡ଼ିକର ସଂରକ୍ଷଣ ଓ ପ୍ରଚଳନ ଆମ ଭାଷାକୁ ଆହୁରି ସମୃଦ୍ଧ ଓ ଜୀଵନ୍ତ ରଖିଵ।

Thursday, May 15, 2025

ନୃସିଂହପ୍ରସାଦ ଗଡ଼ ସ୍ଥାପନର କଥା

ସତରଶହ ଶତାବ୍ଦୀରେ ଓଡ଼ିଶାର ଢେଙ୍କାନାଳ ରାଜ୍ୟରେ ରାଜା ନୃସିଂହ ଭ୍ରମରବରଙ୍କ ଶାସନ ଚାଲିଥିଲା। ତାଙ୍କ ରାଜତ୍ୱ ସମୟରେ, ରାମିଆଳ ନଦୀ ଢେଙ୍କାନାଳର ଉତ୍ତର ସୀମା ସ୍ଥିର କରୁଥିଲା ଏଵଂ ଏହି ନଦୀର ଆର ପାଖରେ ସୁକିନ୍ଦା ରାଜ୍ୟ ଥିଲା। ରାମିଆଳ ନଦୀର ଅନ୍ୟ ପାର୍ଶ୍ୱରେ ଥିଵା ସୁକିନ୍ଦା ରାଜ୍ୟରେ ଅଶାନ୍ତି ଉପୁଜୁଥିଲା। କେତେକ ଖଣ୍ଟ ବ୍ରାହ୍ମଣ, ଗୁପ୍ତ ରୂପେ ରାମିଆଳ ନଦୀର ଉତ୍ତର ତଟରେ ଵାସ କରୁଥିଲେ ଓ ଢେଙ୍କାନାଳର ପ୍ରଜାଙ୍କ ଧନସମ୍ପତ୍ତି ଚୋରି କରୁଥିଲେ। ଏହି ଚୋରାକାମ ସୁକିନ୍ଦା ରାଜାଙ୍କ ଜ୍ଞାନରେ ହେଉଥିଵା କଥା ରାଜା ନୃସିଂହଙ୍କ କାନରେ ପହଞ୍ଚିଲା।

ଏହା ଜାଣି ରାଜା ନୃସିଂହ ଅତ୍ୟନ୍ତ କ୍ରୁଦ୍ଧ ହେଲେ। କିନ୍ତୁ ସେ ଆଗୁଆ କୌଣସି ପଦକ୍ଷେପ ନେଵା ପୂର୍ଵରୁ ସତ୍ୟ ଅନୁସନ୍ଧାନ କରିଵାକୁ ସ୍ଥିର କଲେ। ସେ ପୁରୀର ଜଗନ୍ନାଥବଲ୍ଲଭ ମଠର ଜଣେ ପ୍ରସିଦ୍ଧ ସନ୍ନ୍ୟାସୀ, ଯମୁନା ଦାସଙ୍କୁ ଏହି କାମ ପାଇଁ ମନୋନୀତ କଲେ। ଯମୁନା ଦାସ ଥିଲେ ଜଣେ ବୁଦ୍ଧିମାନ ଓ ଧୈର୍ଯ୍ୟଶୀଳ ଵ୍ୟକ୍ତି । 

ଯମୁନା ଦାସ ଭିକ୍ଷୁକ ବେଶରେ ରାମିଆଳ ନଦୀର ଉତ୍ତର ତଟକୁ ଗଲେ। ସେ ଗାଁ ଗାଁ ବୁଲି ଭିକ୍ଷା ମାଗୁଥିଲେ, କିନ୍ତୁ ତାଙ୍କ ଆଖି ଓ କାନ ଖଣ୍ଟ ବ୍ରାହ୍ମଣମାନଙ୍କ ଗତିବିଧି ଉପରେ ରହୁଥିଲା। କେତେକ ଦିନ ପରେ, ସେ ସେମାନଙ୍କର ଗୁପ୍ତ ଵାସସ୍ଥଳୀ ଠାବ କଲେ। ଏହି ସ୍ଥାନଟି ପରେ “ବ୍ରାହ୍ମଣ ଖଣ୍ଟ ଖୋଲ” ନାମରେ ପରିଚିତ ହେଲା। ଯମୁନା ଦାସ ସମସ୍ତ ତଥ୍ୟ ସଂଗ୍ରହ କରି ରାଜା ନୃସିଂହଙ୍କ ନିକଟକୁ ଫେରି ଆସିଲେ ଓ ସବୁ ସତ୍ୟ ଵିଵରଣୀ ପ୍ରଦାନ କଲେ। ଏହା ଶୁଣି ରାଜା ନୃସିଂହ ଆଉ ଅପେକ୍ଷା ନକରି ସୁକିନ୍ଦା ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ୧୬୯୦ ମସିହାରେ, ରାମିଆଳ ନଦୀର ଉତ୍ତର ତଟରେ ଏକ ଭୟଙ୍କର ଯୁଦ୍ଧ ସଂଘଟିତ ହେଲା। ଢେଙ୍କାନାଳର ସୈନ୍ୟଵାହିନୀ, ରାଜା ନୃସିଂହଙ୍କ ନେତୃତ୍ୱରେ, ଅତ୍ୟନ୍ତ ଶକ୍ତିଶାଳୀ ଓ ନିଷ୍ଠାପର ଥିଲେ। ସୁକିନ୍ଦା ସୈନ୍ୟ ଏହି ଆକ୍ରମଣ ଆଗରେ ତିଷ୍ଠି ପାରିଲେ ନାହିଁ। ସେମାନେ ପରାସ୍ତ ହୋଇ ପଳାୟନ କଲେ।

ଢେଙ୍କାନାଳର ସୈନ୍ୟମାନେ ଵିଜୟର ଉତ୍ସାହରେ ପଶ୍ଚାଧାଵନ କରି ଖଣ୍ଟ ବ୍ରାହ୍ମଣମାନଙ୍କ ଵାସସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚିଗଲେ। ସେଠାରେ ସେମାନେ ଖଣ୍ଟ ବ୍ରାହ୍ମଣମାନଙ୍କୁ ଦମନ କଲେ ଓ ସେହି ସ୍ଥାନକୁ ମାର୍ଥାପୁର ଶାସନର ବ୍ରାହ୍ମଣଙ୍କୁ ନିଷ୍କର ଲାଖରାଜ ଭାବେ ପ୍ରଦାନ କରିଦେଲେ। ଏହାପରେ, ସୁକିନ୍ଦା ରାଜାଙ୍କ ଦୁର୍ଗକୁ ଵିଧ୍ୱଂସ କରାଗଲା। ରାଜା ନୃସିଂହ ସେହି ସ୍ଥାନରେ ନିଜର ସୈନ୍ୟବାହିନୀ ମୁତୟନ କରି ଏକ ନୂତନ ଗଡ଼ ନିର୍ମାଣ କଲେ, ଯାହାର ନାମ ରଖାଗଲା “ନୃସିଂହପ୍ରସାଦ”। ଏହି ଅଞ୍ଚଳଟି “ନୃସିଂହପ୍ରସାଦ ଵିଷୟ(ପ୍ରଗଣା)” ନାମରେ ଢେଙ୍କାନାଳ ରାଜ୍ୟରେ ମିଶିଲା।ଵିଜୟର ସ୍ମାରକୀ ସ୍ୱରୂପ, ରାଜା ନୃସିଂହ ରାମିଆଳ ନଦୀର ଉତ୍ତର ତଟରେ “ନୃସିଂହପୁର” ନାମକ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କଲେ। ସେ ଯମୁନା ଦାସଙ୍କ ଅଵଦାନକୁ ସମ୍ମାନ ଜଣାଇ ତାଙ୍କୁ “ଯମୁନାକୋଟ” ଗ୍ରାମ ପ୍ରଦାନ କଲେ, ଯାହା ଆଜି ମଧ୍ୟ ଜଗନ୍ନାଥବଲ୍ଲଭ ମଠ ଅଧୀନରେ ରହିଛି।

 ଏହାପରେ, ଢେଙ୍କାନାଳ ସୈନ୍ୟ ପୂର୍ଵଦିଗରେ ଅଗ୍ରସର ହୋଇ ଅନନ୍ତପୁର ପର୍ଯ୍ୟନ୍ତ ଅଧିକାର କଲେ। ଏହି ନୂତନ ଅଞ୍ଚଳ “ଗଁପୁର ଵିଷୟ(ପ୍ରଗଣା)” ନାମେ ପରିଚିତ ହେଲା। ସେଠାରେ ରାଜା ଏକ ଗଡ଼ ନିର୍ମାଣ କରି ସୀମା ସୁରକ୍ଷା ନିମିତ୍ତ ପାଇକ ଓ ଖଣ୍ଡାୟତମାନଙ୍କୁ ମୁତୟନ କଲେ।ରାଜା ନୃସିଂହଙ୍କ ଦୟା ଓ ଧାର୍ମିକତା ମଧ୍ୟ ଅନୁପମ ଥିଲା। ସେ ନୃସିଂହପ୍ରସାଦ ବିଷର ଖୋକସା ମଠ ଓ ଗଁପୁର ବିଷ(ପ୍ରଗଣା)ର ବାଲିବୋ ମଠ ପାଇଁ ପ୍ରଚୁର ଭୂସମ୍ପତ୍ତି ଦାନ କଲେ, ଯାହା ଆଜି ମଧ୍ୟ ଦେଵୋତ୍ତର ଵିଭାଗ ଦ୍ୱାରା ପରିଚାଳିତ ହେଉଛି। ଏହି ଵିଜୟ ଓ ପ୍ରତିଷ୍ଠା କେଵଳ ଢେଙ୍କାନାଳର ସୀମା ବୃଦ୍ଧି କରିନଥିଲା ବରଂ ରାଜା ନୃସିଂହ ଭ୍ରମରଵରଙ୍କ ନ୍ୟାୟପରାୟଣତା ଓ ଦୂରଦୃଷ୍ଟିର ଏକ ଅମର କାହାଣୀ ସୃଷ୍ଟି କଲା।

•••••••••••••••••••••••••••••••••••••••
ଢେଙ୍କାନାଳ ରାଜା ନୃସିଂହ ରାୟ ସିଂହ ଭ୍ରମରଵର ୧୬୮୨ରୁ ୧୭୦୮ ଯାଏଁ ଢେଙ୍କାନାଳ ରାଜ୍ୟର ଶାସକଥିଲେ । ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି ପୁସ୍ତକରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏ ଐତିହାସିକ ଘଟଣାର ଉଲ୍ଲେଖ କରିଛନ୍ତି । ନୃସିଂହପ୍ରସାଦ ବିଶ ଵା ପ୍ରଗଣାର କେତେକ ପୁରୁଣା ଗାଆଁ ହେଲେ : ନୃସିଂହପ୍ରସାଦ(ଗୋଡ଼ା),ସୁରପ୍ରତାପପୁର, ନୃସିଂହପୁର,ଯମୁନାକୋଟ,ବାରୁଆଁ,ଵନଵାସପୁର,ଖୋକଶା,ଅନଳ,ଓଡ଼ିଶ,କିଙ୍ଗୋଳ,ଅସୁରବନ୍ଧ,ଗବଗୋଡ଼ା,କଂସରଗଡ଼ା,ବାଲିଝାଟୀ,ଦର୍ଜନୀ,କୁମୁରସିଂହା,କୁନିନ୍ଦା,କେନ୍ଦୁପଡ଼ା,ଭଦଳିଆ,ଦୟଣାବିଲୀ ଓ ଗୋପାଳପୁର । ପରେ ନୃସିଂହପ୍ରସାଦ ବିଶ(ପ୍ରଗଣା)ରେ ଅନେକ ନୂଆ ଗାଆଁ ଗଠିତ ହୋଇଥାଇପାରେ । ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ସଂକଳିତ ଢେଙ୍କାନାଳ ଭୂଗୋଳ ପୁସ୍ତକ ଅନୁସାରେ ନୃସିଂହପ୍ରସାଦଠାରେ ଗୋଟିଏ ଦୁର୍ଗର ଧ୍ଵଂସାଵଶେଷ ଅଛି । ନୃସିଂହପୁର ବ୍ରାହ୍ମଣଶାସନରେ ବେଲେଶ୍ୱର ମହାଦେଵଙ୍କ ମନ୍ଦିର ରହିଛି । ଖୋକଶାରେ ଏକ ରାମାଉତ ଵୈଷ୍ଣଵ ମଠ ଅଛି । ଅନ୍ତର୍ଜାଲରୁ ଜଣାଯାଏ ଯେ ଯମୁନାକୋଟରେ ଯମୁନେଶ୍ଵର ଭଗଵାନଙ୍କ ମନ୍ଦିର ଅଛି । ସମ୍ଭଵତଃ ଅସୁରବନ୍ଧ ଗାଆଁ ଆଜିକାଲି ଟିକାବାଲି ନାଆଁରେ ଜଣାଯାଉଛି କାରଣ ଗୁଗଲ ମାନଚିତ୍ରରେ ଅସୁରବନ୍ଧ ଲେଖି ଉଣ୍ଡିଲେ ଟିକାବାଲି ହିଁ ଦେଖାଉଛି । 
•••••••••••••••••••••••••••••••••••••
(ଏହି ସବୁ ଅଞ୍ଚଳ ଵିଷୟରେ ଅଧିକ ତଥ୍ୟ ଜାଣିଥିଲେ ଜଣାନ୍ତୁ)

Saturday, May 10, 2025

•ଜିଉସ୍‌ଙ୍କ ଜନ୍ମ କାହାଣୀ ଓ ତହିଁର ଭାରତୀୟ ପୌରାଣିକ ଗାଥା ସହିତ ସମାନତା•

ଅତି ପ୍ରାଚୀନ କାଳରେ, ଯେତେବେଳେ ସଂସାର ଏକ ନୂଆ ରୂପ ନେଉଥିଲା, ସେତେବେଳେ ଥିଲେ ୟୁରାନୋସ୍, ଆକାଶର ପ୍ରଥମ ଦେଵତା, ଯାହାଙ୍କର ନୀଳ ଚାଦର ସମଗ୍ର ପୃଥିଵୀକୁ ଆଚ୍ଛାଦିତ କରି ରଖିଛି। ତାଙ୍କ ସଙ୍ଗିନୀ ଥିଲେ ଗାଇଆ, ପୃଥିଵୀର ମାତା, ସିଏ ଜୀଵନର ଉତ୍ସ ଓ ସମସ୍ତ ସୃଷ୍ଟିର ଜନନୀ । ଏହି ଦୈଵୀ ଦମ୍ପତିଙ୍କ ମିଳନରୁ ଜନ୍ମ ହେଲେ ବାରଜଣ ଶକ୍ତିଶାଳୀ ଟାଇଟାନ୍, ଯେଉଁମାନେ ଥିଲେ ଦେଵତାମାନଙ୍କର ପୂର୍ଵପୁରୁଷ। ଏମାନଙ୍କ ମଧ୍ୟରେ ଥିଲେ ରେଆ, ଜଣେ ସୌମ୍ୟ ଓ ସୁନ୍ଦରୀ ଦେଵୀ, ଯାହାଙ୍କର ହୃଦୟ ମାତୃତ୍ୱର ଉଷ୍ଣତା ଓ ପ୍ରକୃତିର ସମୃଦ୍ଧିରେ ପରିପୂର୍ଣ୍ଣ ଥିଲା।

ଅନେକ କାଳ ପରେ ରେଆ ଓ କ୍ରୋନୋସ୍‌ ଵିଵାହ କଲେ । କ୍ରୋନୋସ୍‌ ଥିଲେ ଟାଇଟାନ୍‌ମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଓ ମହତ୍ତ୍ୱାକାଙ୍କ୍ଷୀ। କ୍ରୋନୋସ୍ ନିଜ ପିତା ୟୁରାନୋସ୍‌ଙ୍କୁ ଏକ ନିଷ୍ଠୁର ଯୋଜନାରେ ସିଂହାସନରୁ ହଟାଇଥିଲେ। ଗାଇଆଙ୍କ ସହାୟତାରେ କ୍ରୋନୋସ୍ ଏକ ଅସ୍ତ୍ର ନେଇ ୟୁରାନୋସ୍‌ଙ୍କୁ ଆହତ କରି ସମଗ୍ର ଦେଵତାମାନଙ୍କର ରାଜା ହେଲେ। କିନ୍ତୁ ୟୁରାନୋସ୍‌ଙ୍କ ଶାପ ଓ ଗାଇଆଙ୍କ ଭବିଷ୍ୟତଵାଣୀ କ୍ରୋନୋସ୍‌ଙ୍କ ମନକୁ ଅନ୍ଧକାରାଛନ୍ନ କରିଦେଲା । ଗାଇଆ ଅଭିଶାପ ଦେଇଥିଲେ, “ତୁମେ ଯେମିତି ତୁମ ପିତାଙ୍କୁ ଶାସନଗାଦିରୁ ହଟାଇଲ, ତୁମର ନିଜ ସନ୍ତାନ ମଧ୍ୟ ତୁମକୁ ସିଂହାସନରୁ ହଟାଇ ଦେଵ।” ଏହି ଭୟ କ୍ରୋନୋସ୍‌ଙ୍କ ମନକୁ ଵିଷାକ୍ତ କରିଦେଲା।

ରେଆ ଓ କ୍ରୋନୋସ୍‌ଙ୍କର ଛଅଟି ସନ୍ତାନ ଜନ୍ମ ହେଲେ । ପ୍ରଥମେ ଜନ୍ମ ହେଲେ ଦେଵୀ ହେଷ୍ଟିଆ । ତାଙ୍କ ପରେ ଦେଵୀ ଡେମେଟର୍ ଜନ୍ମିଲେ । ତାପରେ ଦେଵୀ ହେରାଙ୍କର ଜନ୍ମ ହେଲା । ତହୁଁ ପାତାଳର ଦେଵ ହେଡ୍‌ସ୍ ଓ ସମୁଦ୍ରଦେଵ ପୋସାଇଡନ୍‌ଙ୍କର ଜନ୍ମ ହେଲା । କିନ୍ତୁ କ୍ରୋନୋସ୍‌ଙ୍କ ମନରେ ଥିଵା ଭୟ ତାଙ୍କୁ ଏକ ଅମାନୁଷିକ ପଥକୁ ନେଇଗଲା। ପ୍ରତ୍ୟେକ ସନ୍ତାନ ଜନ୍ମ ହେଵା ମାତ୍ରେ ସେ ସେମାନଙ୍କୁ ଗିଳି ଦେଉଥିଲେ । ରେଆଙ୍କ ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଥିଲା। ତାଙ୍କ ଗର୍ଭରୁ ଜନ୍ମ ନେଇଥିଵା ପ୍ରତ୍ୟେକ ଶିଶୁ ତାଙ୍କ ସ୍ୱାମୀଙ୍କ ଉଦରରେ ଅନ୍ତର୍ହିତ ହେଉଥିଲେ। 

 ଶେଷରେ ଜନ୍ମ ହେଲେ ଜିଉସ୍, ଯାହାଙ୍କ ଚକ୍ଷୁରେ ଵିଦ୍ୟୁତ ଓ ବଜ୍ରର ଝଲକ ଦେଖା ଯାଉଥିଲା। ଯେତେବେଳେ ଜିଅୁସ୍ ଜନ୍ମ ହେଲେ, ରେଆଙ୍କ ମନରେ ଏକ ନୂଆ ସଂକଳ୍ପ ଜାତ ହେଲା । ସେ ନିଷ୍ପତ୍ତି ନେଲେ ଯେ ଏହି ଶିଶୁକୁ ସେ ବଞ୍ଚାଇବେ, ଯେମିତି ହେଉ ନା କାହିଁକି। ରେଆ ଏହି ସମସ୍ୟାର ସମାଧାନ ପାଇଁ ଗାଇଆଙ୍କ ପାଖକୁ ଗଲେ। ଶିଶୁପତ୍ରକୁ କେମିତି ଉପାୟ କରି ବଞ୍ଚେଇ ହେଵ ସେକଥା ଗାଇଆ ବୁଝେଇ ଦେଲେ । 

 ତହୁଁ ରେଆ ଏକ ପଥରକୁ ନେଇ ତାହାକୁ ନରମ କମ୍ବଳରେ ଗୁଡ଼ାଇ ଶିଶୁ ଭଳି ସଜାଇଲେ। କ୍ରୋନୋସ୍‌ଙ୍କ ସମ୍ମୁଖରେ ସେ ଏହି ‘ଶିଶୁ’କୁ ଦେଖାଇଲେ। ଭୟ ଓ ଅସାଵଧାନତାରେ କ୍ରୋନୋସ୍ ସେହି ପଥରଟିକୁ ଗିଳି ଦେଲେ ଏଵଂ ମନେ ମନେ ନିଶ୍ଚିନ୍ତ ହେଲେ ଯେ ତାଙ୍କ ଶକ୍ତି ଏବେ ସୁରକ୍ଷିତ।

ଏହି ସମୟରେ ରେଆ ଗୁପ୍ତ ଭାବେ ଜିଉସ୍‌ଙ୍କୁ ନେଇ କ୍ରୀଟ୍ ଦ୍ୱୀପକୁ ଯାତ୍ରା କଲେ ‌। କ୍ରୀଟଦ୍ଵୀପର ଲୋକେ ରେଆଙ୍କୁ ଭକ୍ତି ସହକାରେ ପୂଜା କରୁଥିଲେ ତେଣୁ ସେମାନେ ତାଙ୍କର ସାହାଯ୍ୟ ହେତୁ ସବୁ ପ୍ରକାରର ପ୍ରଯତ୍ନ କଲେ । କ୍ରୀଟ୍‌ର ଘନ ଜଙ୍ଗଲ ଓ ଗୁମ୍ଫାମୟ ପର୍ଵତ ମଧ୍ୟରେ ଜିଉସ୍‌ଙ୍କୁ ଲୁଚାଇ ରଖାଗଲା। ରେଆ ତାଙ୍କ ଶିଶୁକୁ ଅମଲଥିଆ ନାମ୍ନୀ ଏକ ଦୈଵୀ ଛାଗଳୀ(ନିମ୍ଫ୍‌)ଙ୍କ ହାତରେ ସମର୍ପଣ କଲେ ଏଵଂ ସେ ଜିଅୁସ୍‌ଙ୍କୁ କ୍ଷୀର ଓ ମହୁ ଖୁଆଇ ପାଳନ କଲେ। ଜିଉସ୍‌ଙ୍କ କାନ୍ଦଣା ଶବ୍ଦକୁ କ୍ରୋନସଙ୍କଠାରୁ ଲୁଚାଇଵା ପାଇଁ କୋରିବାଣ୍ଟେସ୍ ଯୋଦ୍ଧା-ନର୍ତ୍ତକ ଦଳ, ଢୋଲ ବଜାଇ ଓ ନାଚି ଚାରିପାଖରେ ଏକ ଶବ୍ଦର ପରଦା ସୃଷ୍ଟି କଲେ, ଫଳତଃ କ୍ରୋନୋସ୍‌ କିଛି ଜାଣିପାରିଲେ ନାହିଁ ।

କ୍ରୀଟ୍‌ର ଗୁମ୍ଫା ମଧ୍ୟରେ ରହି ଓ ବଢ଼ି ଜିଉସ୍ ଏକ ଶକ୍ତିଶାଳୀ ଯୁଵକ ହୋଇପାରିଲେ । ତାଙ୍କ ଶରୀରରେ ବଜ୍ରର ଶକ୍ତି ପ୍ରତିଫଳିତ ହେଉଥିଲା। ଗାଇଆ ଓ ରେଆ ତାଙ୍କୁ ନିଜ ଭାଇଭଉଣୀମାନଙ୍କୁ ମୁକ୍ତ କରିଵା ଓ କ୍ରୋନୋସ୍‌ଙ୍କ ଅତ୍ୟାଚାରରୁ ସଂସାରକୁ ମୁକ୍ତ କରିଵାର ଦାୟିତ୍ୱ ଦେଲେ। ଯୁଵକ ଜିଉସ୍ ଏକ ଯୋଜନା ପ୍ରସ୍ତୁତ କଲେ। ସେ ଜଣେ ବୁଦ୍ଧିମତୀ ଟାଇଟାନ୍ ଦେଵୀ ମେଟିସ୍‌ଙ୍କ ସହାୟତା ନେଲେ। ଦେଵୀ ମେଟିସ୍, ଛଳନା କରି କ୍ରୋନୋସ୍‌ଙ୍କୁ ଏକ ଔଷଧ ମିଶ୍ରିତ ପାନୀୟ ଦେଲେ, ଫଳତଃ ତାଙ୍କୁ ବାନ୍ତି ମାଡ଼ିଲା। ଏହି ବାନ୍ତିରେ କ୍ରୋନୋସ୍ ଗିଳିଥିଵା ତାଙ୍କର ସମସ୍ତ ସନ୍ତାନ ହେଷ୍ଟିଆ, ଡେମେଟର୍, ହେରା, ହେଡ୍‌ସ୍, ଓ ପୋସାଇଡନ୍ ମୁକ୍ତ ହେଲେ। ସେମାନେ ଜିଉସ୍‌ଙ୍କ ସହିତ ଏକତ୍ର ହୋଇ ନିଜ ପିତା କ୍ରୋନୋସ୍‌ଙ୍କ ଵିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ।

ଏହି ଯୁଦ୍ଧ "ଟାଇଟାନୋମାକି" ନାମରେ ପ୍ରସିଦ୍ଧ ହେଲା ଓ ଦୀର୍ଘ ଦଶ ଵର୍ଷ ଧରି ଚାଲିଲା। ଜିଉସ୍ ଓ ତାଙ୍କ ଭାଇଭଉଣୀମାନେ ଓଲିମ୍ପସ୍ ପର୍ଵତକୁ ନିଜର ମୁଖ୍ୟାଳୟ କଲେ ଏଵଂ ସେଠାରୁ ସେମାନେ ଟାଇଟାନ୍‌ମାନଙ୍କ ଵିରୁଦ୍ଧରେ ଲଢ଼ିଲେ। ଗାଇଆ, ଜିଉସ୍‌ଙ୍କୁ ସାଇକ୍ଲୋପ୍‌ସ ଓ ହେକାଟୋଙ୍କାଇର୍‌ସ ନାମକ ଦୈତ୍ୟମାନଙ୍କ ସହ ମିଳିତ ହେଵାକୁ ପରାମର୍ଶ ଦେଲେ ।‌ ଓଉରାନୋସ୍‌ଙ୍କ ଦ୍ୱାରା ଏମାନେ ବନ୍ଦୀ ହୋଇଥିଲେ ତେବେ ଜିଉସ୍ ସେମାନଙ୍କୁ ମୁକ୍ତ କଲେ ଏଵଂ କୃତଜ୍ଞତା ସ୍ଵରୂପ ସାଇକ୍ଲୋପ୍‌ସ‌ମାନେ ଜିଉସ୍‌ଙ୍କୁ ଵଜ୍ର, ପୋସାଇଡନ୍‌ଙ୍କୁ ତ୍ରିଶୂଳ, ଓ ହେଡ୍‌ସ୍‌ଙ୍କୁ ଅଦୃଶ୍ୟ ମୁକୁଟ ଉପହାର ଦେଲେ।

ଏହି ଅସ୍ତ୍ରଶସ୍ତ୍ର ଓ ମିତ୍ରମାନଙ୍କ ସହାୟତାରେ ଜିଉସ୍ ଓ ତାଙ୍କ ଦଳ ଟାଇଟାନ୍‌ମାନଙ୍କୁ ପରାସ୍ତ କଲେ। କ୍ରୋନୋସ୍ ଓ ଅନ୍ୟ ଟାଇଟାନ୍‌ମାନଙ୍କୁ ପାତାଳର ଏକ ଗଭୀର ଅନ୍ଧକାର ସ୍ଥାନ ଟାରଟାରସ୍‌ରେ ବନ୍ଦୀ କରି ରଖାଗଲା। ଜିଉସ୍ ଦେଵତାମାନଙ୍କର ରାଜା ହେଲେ, ଏଵଂ ତାଙ୍କ ଭାଇଭଉଣୀମାନେ ସଂସାରର ବିଭିନ୍ନ ଅଂଶର ଶାସନ ଗ୍ରହଣ କଲେ। ହେଡ୍‌ସ୍ ପାତାଳ ଜଗତ, ପୋସାଇଡନ୍ ସମୁଦ୍ର, ଓ ଜିଉସ୍ ଆକାଶର ଶାସକ ହେଲେ। ଡେମେଟର୍ ପୃଥିଵୀର ସମୃଦ୍ଧି ରକ୍ଷା କଲେ ଆଉ ହେଷ୍ଟିଆ ଗୃହ ଶାନ୍ତିର ପ୍ରତୀକ ହେଲେ। ହେରା ଜୀଵଙ୍କ ଵୈଵାହିକ ଜୀଵନକୁ ନିୟନ୍ତ୍ରଣ କଲେ । 

••••••••••••••••••••••••••••••••••••••••
ଖ୍ରୀଷ୍ଟପୂର୍ଵ ୮ମ ଶତାବ୍ଦୀରେ ରଚିତ ହେସିଓଡ୍‌ଙ୍କ "ଥିଓଗୋନି" (Theogony) ଗ୍ରନ୍ଥରେ ଦେଵତାମାନଙ୍କର ଉତ୍ପତ୍ତି ଓ ବଂଶାଵଳୀ ଵିଷୟରେ ଵିସ୍ତୃତ ଵର୍ଣ୍ଣନା ରହିଛି ।‌ ଏହି ଗ୍ରନ୍ଥରେ ପ୍ରଥମେ ଜିଉସଙ୍କ ଜନ୍ମ ଓ କ୍ରୋନୋସ୍‌ଙ୍କ ଵିରୁଦ୍ଧରେ ତାଙ୍କର ଵିଜୟର କାହାଣୀ ଵର୍ଣ୍ଣନା ହୋଇଥିଲା ।‌

ତେବେ ଜିଉସଙ୍କ ଜନ୍ମ ଵୃତ୍ତାନ୍ତ ପଢ଼ିଲେ ଶୁଣିଲେ ଏହାର ସମାନତା କେମିତି ଶ୍ରୀକୃଷ୍ଣଙ୍କର ଜନ୍ମ ଵୃତ୍ତାନ୍ତ ସହିତ ସାମଞ୍ଜସ୍ୟ ରଖେ ତାହା ସ୍ପଷ୍ଟ ହୋଇଯାଏ ।

ଯେମିତି କ୍ରୋନୋସ୍ ନିଜ ପିତା ୟୁରାନୋସ୍‌ଙ୍କୁ ଗାଦିଚ୍ୟୁତ କରିଥିଲେ ଠିକ୍ ସେହିପରି କଂସ ମଧ୍ୟ ନିଜ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିଥିଲା । କ୍ରୋନୋସ୍‌ଙ୍କୁ ୟୁରାନୋସ୍ ଅଭିଶାପ ଦେଇଥିଲେ ଯେ ତାଙ୍କର ମୃତ୍ୟୁର କାରଣ ତାଙ୍କ ନିଜର ପୁତ୍ର ହିଁ ହେଵ । କଂସ କ୍ଷେତ୍ରରେ ଆକାଶଵାଣୀ ହୋଇଥିଲା ଯେ ଦେଵକୀଙ୍କ ଅଷ୍ଟମ ପୁତ୍ର ହାତରେ କଂସର ନିଧନ ହେଵ ।‌ କ୍ରୋନୋସ୍ ନିଜର ସନ୍ତାନମାନଙ୍କୁ ଜନ୍ମ ହେଲା ମାତ୍ରେ ଗିଳି ଦେଉଥିଲେ,କଂସ ନିଜ ଭଗିନୀର ଶିଶୁ ଜନ୍ମ ହେଲା ମାତ୍ରେ ସେମାନଙ୍କୁ ମାରି ଦେଉଥିଲା । ଜିଉସ ତାଙ୍କ ମାତାଙ୍କର ଷଷ୍ଠ ସନ୍ତାନ ଥିଲେ, ଶ୍ରୀକୃଷ୍ଣ ଅଷ୍ଟମ ସନ୍ତାନ ଥିଲେ ।‌ ଜିଉସଙ୍କୁ ତାଙ୍କ ମାତା ରେଆ,ଗାଇଆଙ୍କ ପରାମର୍ଶରେ କ୍ରୀଟ ଦ୍ଵୀପକୁ ନେଇ ଯାଇଥିଲେ । ଶ୍ରୀକୃଷ୍ଣଙ୍କୁ ଵସୁଦେଵ ସେହିପରି ଗୋପପୁରକୁ ନେଇ ଯାଇ ନିଜ ବନ୍ଧୁ ନନ୍ଦଙ୍କ ଘରେ ଛାଡ଼ି ଆସିଥିଲେ । କ୍ରୋନୋସ୍‌ଙ୍କୁ ଗୋଟିଏ ଶିଶୁ ଆକାରର ପଥର ଦେଇ ରେଆ ଠକି ଦେଇଥିଲେ । ଶ୍ରୀକୃଷ୍ଣଙ୍କୁ ନନ୍ଦ ଯଶୋଦାଙ୍କ ଘରେ ଛାଡ଼ି ଯଶୋଦାଙ୍କ ଘରେ ଜନ୍ମିଥିଵା ଶିଶୁକନ୍ୟା(ମାୟାଦେଵୀ)ଙ୍କୁ ଆଣି ଵସୁଦେଵ କଂସକୁ ଦେଇଥିଲେ ଯାହାଙ୍କୁ ମାରିଵାକୁ ଚେଷ୍ଟା କଲାବେଳେ ମାୟାଦେଵୀ ସାକ୍ଷାତ ପ୍ରକଟ ହୋଇ କଂସକୁ ତାତ୍ସଲ୍ୟ କରିଥିଲେ । ବଡ଼ ହେଲାପରେ ଜିଉସ୍ ଯେମିତି କ୍ରୋନୋସ୍‌ଙ୍କୁ ପରାସ୍ତ କରିଵାକୁ ଚେଷ୍ଟା କରିଥିଲେ ଠିକ୍ ସେହିପରି ଶ୍ରୀକୃଷ୍ଣ ମଧ୍ୟ ବଡ଼ ହେଲାପରେ ଗୋପରୁ ମଥୁରାକୁ ଯାଇ କଂସଠାରୁ ଶାସନ ଛଡ଼ାଇ ନେଇ ଉଗ୍ରସେନଙ୍କୁ ପୁଣି ଶାସକ କରିଥିଲେ ।

ତେବେ Comparative mythologistsମାନେ ଜିଉସ ଓ କ୍ରୋନୋସ୍‌ଙ୍କ ଯୁଦ୍ଧ ସହିତ ଇନ୍ଦ୍ର ଓ ଵୃତ୍ତାସୁରର ଯୁଦ୍ଧ କଥାର ସାମ୍ୟ ଥିଵା ମତ ଦିଅନ୍ତି ।‌ 

ରୋମାନ୍ ପୌରାଣିକ ଗାଥାରେ ରୋମାନ୍ ଦେଵତା ଜୁପିଟର ଜିଉସଙ୍କର ସମକକ୍ଷ ଏଵଂ ତାଙ୍କ ଜନ୍ମ ଓ ଉତ୍ଥାନର କାହାଣୀ ,ଜିଉସଙ୍କ ଜନ୍ମ ଵୃତ୍ତାନ୍ତ ସହିତ ପ୍ରାୟ ସମାନ। ଜୁପିଟରଙ୍କୁ ମଧ୍ୟ ତାଙ୍କ ପିତା ସାଟର୍ନ (କ୍ରୋନସର ରୋମାନ୍ ସଂସ୍କରଣ)ଙ୍କଠାରୁ ଲୁଚାଇ ରଖାଯାଇଥିଲା ଏଵଂ ସେ ପରେ ସାଟର୍ନଙ୍କୁ ପରାସ୍ତ କରି ଦେଵତାଙ୍କ ରାଜା ହୋଇଥିଲେ। ଏହା ଗ୍ରୀକ୍ ଓ ରୋମାନ୍ ସଂସ୍କୃତିର ସାଂସ୍କୃତିକ ସମ୍ପର୍କକୁ ଦର୍ଶାଏ।

ନର୍ସ ପୌରାଣିକ ଗାଥାରେ ଓଡ଼ିନଙ୍କ ଉତ୍ଥାନରେ ମଧ୍ୟ ପିତୃପୁରୁଷଙ୍କ ଵିରୋଧରେ ସଂଘର୍ଷ ଦେଖାଯାଏ। ଓଡ଼ିନ ଓ ତାଙ୍କ ଭାଇମାନେ (Vili ଓ Vé) ତାଙ୍କ ପୂର୍ଵଜ ଦୈତ୍ୟ Ymirଙ୍କୁ ହତ୍ୟା କରି ତାଙ୍କର ମୃତ ଶରୀର ଉପରେ ଵିଶ୍ୱ ସୃଷ୍ଟି କରିଥିଲେ। ଏହି କାହାଣୀଟି ଭାରତୀୟ ପୁରାଣଗାଥାର ମଧୁ ଓ କୈଟଭଙ୍କ ମେଦରୁ କିପରି ମେଦିନୀ ଵା ପୃଥିଵୀ ଉତ୍ପତ୍ତି ହୋଇଥିଲା ତାହା ସହିତ ମଧ୍ୟ ସାମ୍ୟ ରଖେ ।‌
 ଜିଉସଙ୍କ ଗାଥା ସହିତ କ୍ରୋନସଙ୍କ କାହାଣୀର କିଛି କିଛି ସାମ୍ୟ‌ ରହିଛି । ମେସୋପୋଟାମିଆର ମର୍ଦୁକ ଓ ତିଆମତର ଯୁଦ୍ଧ ଗାଥାର ମଧ୍ୟ ଏହା ସହିତ କେତେକାଂଶରେ ସମାନତା ରହିଛି ।‌

କିନ୍ତୁ ମିଶରର ସଂସ୍କୃତି ଗ୍ରୀକ୍ ଓ ମେସୋପୋଟାମିଆ ଅପେକ୍ଷା ଅଧିକ ପୁରୁଣା ଥିଲା। ମିଶରୀୟ ସଭ୍ୟତା ପ୍ରାୟ ୩୫୦୦ରୁ ୩୧୦୦ ଖ୍ରୀଷ୍ଟପୂର୍ବରେ ଗଢ଼ି ଉଠିଥିଲା । ତେଣୁ ମିଶରୀୟ ଗାଥାରେ ଉଣ୍ଡିଲେ ଆମକୁ ଅଧିକ ଜାଣିଵାକୁ ମିଳିଵ ।‌
ମିଶରୀୟ ପୁରାଣଗାଥାରେ ଆକାଶର ଦେଵ ହୋରସଙ୍କ ଗାଥା ସହିତ ମଧ୍ୟ ଜିଉସଙ୍କ ଜନ୍ମ ଗାଥାର କିଛିଟା ସମାନତା ରହିଛି ।‌ ହୋରସଙ୍କ ପିତା ଓସିରିସ, ମିଶରର ପୂଜ୍ୟ ରାଜା ଥିଲେ ଓ ସେତଙ୍କ ହାତରେ ନିଷ୍ଠୁର ହତ୍ୟାର ଶିକାର ହେଲେ।
ମିଶରୀୟ ପୌରାଣିକ କଥା ଅନୁସାରେ, ସେତ ହୋରସଙ୍କର ମାମୁଁ ଥିଲେ । ସେତ ଥିଲେ ଅଶାନ୍ତି ଓ ମରୁଭୂମିର ଦେଵତା, ମିଶରର ସିଂହାସନ ହଡ଼ପ କରି ସେ ଅନ୍ଧକାର ଶାସନ ଆରମ୍ଭ କଲେ। ହୋରସ, ତାଙ୍କ ମାତା ଆଇସିସଙ୍କ ସୁରକ୍ଷାରେ ବଢ଼ି, ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେଵାକୁ ପ୍ରତିଜ୍ଞା କଲେ। ଦୀର୍ଘ ଓ ଭୟଙ୍କର ସଂଗ୍ରାମରେ ସେ ସେତଙ୍କ ଵିରୁଦ୍ଧରେ ଲଢ଼ିଲେ । ଅନେକ ପରୀକ୍ଷା ଓ ଯୁଦ୍ଧ ପରେ, ହୋରସ , ସେତଙ୍କୁ ପରାସ୍ତ କରି ମିଶରର ସିଂହାସନ ଲାଭ କଲେ। 

ମିଶରୀୟ ଗାଥାରେ ହୋରସ ନିଜ ମାମୁଁ ସେତଙ୍କ ଵିପକ୍ଷରେ ଯୁଦ୍ଧ କରିଥିଲେ । ଠିକ୍ ସେହିପରି ଶ୍ରୀକୃଷ୍ଣ ନିଜ ମାମୁଁ କଂସ ଵିପକ୍ଷରେ ଲଢ଼ିଥିଲେ ।‌ ଯେହେତୁ ମିଶରର ସଂସ୍କୃତି ଅଧିକ ପୁରୁଣା ତେଣୁ ବହୁତ ସମ୍ଭଵ ହୋରସଙ୍କର କାହାଣୀ ପରେ ଗ୍ରୀସରେ ଯାଇ ନୂତନ ରୂପ ଧାରଣ କରିଥାଇପାରେ ।‌ ପ୍ରାଚୀନ ଭାରତୀୟମାନଙ୍କର ଵାଣିଜ୍ୟିକ ସମ୍ପର୍କ ମିଶର ଓ ମେସୋପୋଟାମିଆ ସହିତ ୫୦୦୦ ଵର୍ଷରୁ ରହିଥିଵା ଜଣାଯାଏ ।‌ ଶ୍ରୀକୃଷ୍ଣଙ୍କ ସମୟକାଳ ଖ୍ରୀଷ୍ଟପୂର୍ଵ ୩୫୦୦ ବୋଲି ଗଵେଷକମାନେ କୁହନ୍ତି ।‌ ଠିକ୍ ଏହି ସମୟ ବେଳକୁ ମିଶର ଓ ମେସୋପୋଟାମିଆର ସଂସ୍କୃତି ଗଢ଼ିଉଠିଥିଲା । ତେଣୁ ଅନୁମାନ କରାଯାଇପାରେ ଯେ ଶ୍ରୀକୃଷ୍ଣଙ୍କ ଜନ୍ମ ଵୃତ୍ତାନ୍ତ ହୁଏତ ଭାରତୀୟ ଵଣିକମାନଙ୍କ ଦ୍ଵାରା ମିଶର ଓ ମେସୋପୋଟାମିଆରେ ଵ୍ୟାପିଥିଵ ଯାହା ପରେ ସ୍ଥାନୀୟ ଲୋକଗାଥାରେ ନାନା ରୂପ ହୋଇଅଛି । ହୁଏତ ଗ୍ରୀକମାନେ ଖ୍ରୀଷ୍ଟପୂର୍ଵ ନଵମ ଶତାବ୍ଦୀ ସମୟରେ ମେସୋପୋଟାମିଆ କି ମିଶରରେ ଭାରତୀୟ ଵଣିକଙ୍କ ସମ୍ପର୍କରେ ଆସି ସେମାନଙ୍କଠାରୁ ଶ୍ରୀକୃଷ୍ଣଙ୍କର ଜନ୍ମଗାଥା ଶୁଣିଥିବେ ଯାହା ପରେ ଗ୍ରୀସ ଦେଶରେ ଜିଉସଙ୍କ ଜନ୍ମଗାଥା ରୂପେ ଗୃହୀତ ହୋଇଛି । ଏମନ୍ତ ହୋଇଥାଇପାରେ ହୋଇ ବି ନଥାଇପାରେ କିନ୍ତୁ ଏହି ସବୁ ପୌରାଣିକ ଗାଥା ମଧ୍ୟରେ ସମାନତା ନିଶ୍ଚୟ ରହିଛି ଯାହା ଏ ଦିଗକୁ ଆମ୍ଭମାନଙ୍କର ଧ୍ୟାନ ଆକର୍ଷଣ କରୁଛି । 
•••••••••

Thursday, May 8, 2025

ଥେସିଅସ୍ ଓ ମିନୋଟର୍"ର କାହାଣୀ

ଆଜକୁ ପ୍ରାୟ ବାରଶହ ଖ୍ରୀଷ୍ଟପୂର୍ଵରେ Athensର ରାଜା Pandionଙ୍କର ଜଣେ ପୁତ୍ର Aegeus ହୋଇ ଥିଲେ। Aegeus ଦୁଇଥର ଵିଵାହ କରିଥିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ହୋଇନଥିଲା। ଏହି ଚିନ୍ତାରେ ସେ Delphic Oracleଙ୍କ ପାଖକୁ ପରାମର୍ଶ ନେଵାକୁ ଗଲେ। Oracle ତାଙ୍କୁ ଏକ ରହସ୍ୟମୟ ଉତ୍ତର ଦେଲେ: "ତୁମେ ଘରେ ନ ପହଞ୍ଚିଵା ପର୍ଯ୍ୟନ୍ତ ତୁମର ମଦର ଥଳି ଖୋଲିଵ ନାହିଁ।" ଏହାର ଗୁଢ଼ ଅର୍ଥ ନବୁଝିପାରିଵାରୁ Aegeus ତାଙ୍କ ବନ୍ଧୁ Troezenର ଶାସକ Pittheusଙ୍କୁ ତହିଁର ଭେଦ ପଚାରିଵାକୁ ଗଲେ।

Pittheus କିନ୍ତୁ ଶୁଣିଵା ମାତ୍ରେ Oracleଙ୍କର ଭବିଷ୍ୟତଵାଣୀ ବୁଝିପାରିଥିଲେ ଯେ Aegeusଙ୍କ ଔରସରୁ ଏକ ଵୀର ପୁତ୍ର ଜନ୍ମ ନେଵ। ଏହି ଵୀରଙ୍କୁ ନିଜ ରାଜ୍ୟ ପାଇଁ ସୁରକ୍ଷିତ କରିଵାକୁ ଚାହିଁ, Pittheus ଏଜିଅସଙ୍କୁ ମଦ ପିଆଇ ମତୁଆଳା କରିଦେଲେ ଓ ତାଙ୍କୁ ନିଜ ଝିଅ Aethraଙ୍କ ସହ ରାତି କଟାଇଵାକୁ ଛାଡ଼ିଦେଲେ। ସକାଳେ Aegeus ଘଟଣା ବୁଝିପାରି Aethraଙ୍କୁ କହିଲେ, "ଯଦି ତୁମେ ଏକ ପୁତ୍ର ଜନ୍ମ ଦିଅ, ତେବେ ତାକୁ ଏହି ଵିଶାଳ ପଥର ତଳେ ରଖାଯାଇଥିଵା ମୋ ଖଡ଼ଗ ଓ ଜୋତା ଆଣିଵାକୁ କହିଵ। ଯେତେବେଳେ ସେ ଯୁଵକ ହେଵ, ତାକୁ ଏହା ସହ Athensରେ ମୋ ପାଖକୁ ପଠାଇଵ।" କିଛି କାଳ ପରେ Theseus ଜନ୍ମ ହେଲେ ଓ Athensକୁ ଯାଇ ନିଜ ପିତା Aegeusଙ୍କୁ ଭେଟିଲେ । 

ଇତିମଧ୍ୟରେ Aegeus ଜାଦୁଗରୀ Medeaଙ୍କୁ ଵିଵାହ କରିଥିଲେ, ଯାହାଙ୍କ ଜାଦୁ ଶକ୍ତି ଦ୍ୱାରା ତାଙ୍କର ଆଉ ଏକ ପୁତ୍ର Medus ଜନ୍ମ ହୋଇଥିଲା। Medea କିନ୍ତୁ Theseusଙ୍କୁ ପସନ୍ଦ କରୁ ନ ଥିଲେ ଓ ତାଙ୍କୁ Athensରୁ ଦୂରେଇ ରଖିଵାକୁ ଚେଷ୍ଟା କରୁଥିଲେ। ତାଙ୍କ ପରାମର୍ଶରେ Theseusଙ୍କୁ Marathonର ଜଙ୍ଗଲୀ ଷଣ୍ଢକୁ ଧରିଵାକୁ ପଠାଯାଇଥିଲା। Theseus ସେହି ଷଣ୍ଢକୁ ଜୀଅନ୍ତା ଧରି ଆଣିଲେ। ଶେଷରେ Aegeus ନିଜ ପୁତ୍ର Theseusଙ୍କୁ ଚିହ୍ନିଲେ, ଆଉ Medea ରାଗରେ ନିଜ ଦେଶ Colchisକୁ ଫେରିଗଲେ।

କିନ୍ତୁ Aegeusଙ୍କ ଦୁର୍ଭାଗ୍ୟ ତାଙ୍କୁ ଛାଡ଼ି ନଥିଲା । 
Crete ଦ୍ଵୀପକୁ ରାଜା Minosଙ୍କ ନିକଟକୁ ବଳି ରୂପେ Athensରୁ ଯୁଵକ-ଯୁଵତୀମାନଙ୍କୁ ପଠାଯାଉଥିଲା ।‌ 
Minosଙ୍କ ପୁତ୍ର Androgeus ଏଥେନ୍ସରେ ହତ୍ୟା ହେଵା ପରେ, Minos ପ୍ରତିଶୋଧ ନେଇ ଏଥେନ୍ସକୁ ଯୁଦ୍ଧରେ ପରାସ୍ତ କରିଥିଲେ। ଶାନ୍ତି ବଜାୟ ରଖିଵା ପାଇଁ ଏଥେନ୍ସକୁ ପ୍ରତି ନଅ ଵର୍ଷରେ ସାତ ଯୁଵକ ଓ ସାତ ଯୁଵତୀଙ୍କୁ Minotaurର ଖାଦ୍ୟ ଭାବେ କ୍ରୀଟକୁ ପଠାଇଵାକୁ ବାଧ୍ୟ କରାଯାଇଲା।
ଏହା ଜାଣିପାରି ନଗରଵାସୀଙ୍କୁ ରକ୍ଷା କରିଵା ନିମିତ୍ତ Theseus ସ୍ୱେଚ୍ଛାକୃତ ଭାବେ Crete ଦ୍ଵୀପକୁ ଯାତ୍ରା କରିଥିଲେ ‌।

Creteକୁ ଗଲାବେଳେ Theseusଙ୍କୁ ତାଙ୍କ ପିତା Aegeus କହିଥିଲେ ଯଦି ସେ ସଫଳ ହୁଅନ୍ତି, ତେବେ ତାଙ୍କ ବୋଇତ ଫେରିଵା ବେଳେ ବୋଇତରେ ଧଳା ପାଲ ଲଗାଇବେ; ଆଉ ଯଦି ଅସଫଳ ହୁଅନ୍ତି, ତେବେ କଳା ପାଲ ଲଗାଯିଵ ।
 
ଷଣ୍ଢମୁଣ୍ଡଯୁକ୍ତ ମଣିଷ୍ୟ ଆକାରର ଜୀଵ Minotaur ପାଇଁ ହିଁ Athensରୁ ବଳି Crete ଦ୍ଵୀପକୁ ପଠାଯାଉଥିଲା ।

ଥେସିଅସ୍ Creteରେ ପହଞ୍ଚିଵା ପରେ, ରାଜା Minosଙ୍କ ଝିଅ Ariadne ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କୁ ସାହାଯ୍ୟ କରିଵାକୁ ନିଷ୍ପତ୍ତି ନେଇଥିଲେ। Ariadne ତହୁଁ Theseusଙ୍କୁ ଏକ ସୂତାର ଗୁଣ୍ଡ (thread) ଦେଇଥିଲେ, ଯାହାକୁ ସେ Labyrinthରେ ପ୍ରଵେଶ କରିଵା ସମୟରେ ବାନ୍ଧି ରଖିଥିଲେ। ଏହି ସୂତା ତାଙ୍କୁ ଜଟିଳ ଲାବିରିନ୍ଥ୍‌ରୁ ବାହାରିଵା ପାଇଁ ପଥ ଦେଖାଇଥିଲା। ମିନୋଟର୍‌କୁ ହତ୍ୟା କରିଵା ପରେ, ଥେସିଅସ୍ ଏହି ସୂତା ଅନୁସରଣ କରି ନିରାପଦରେ Labyrinthରୁ ବାହାରି ଆସିଥିଲେ।


Ariadne , Theseusଙ୍କୁ Minotaurକୁ ହତ୍ୟା କରିଵାରେ ସାହାଯ୍ୟ କରିଵା ପରେ ତାଙ୍କ ସହ Crete ଛାଡ଼ି ପଳାଇଥିଲେ, କାରଣ ସେ Theseusଙ୍କୁ ଭଲ ପାଉଥିଲେ ଓ ତାଙ୍କ ପିତା Minosଙ୍କ କ୍ରୋଧରୁ ବର୍ତ୍ତିଵାକୁ ଚାହୁଁଥିଲେ ।‌ କିନ୍ତୁ 
ଦେଵତା Dionysus (ମଦ୍ୟ ଓ ଉତ୍ସଵର ଦେଵତା) ଆସି Ariadneଙ୍କୁ ନିଜର ପତ୍ନୀ ଭାବେ ଦାବି କରିଥିଲେ। ଥେସିଅସ୍‌ଙ୍କୁ Dionysusଙ୍କ ଆଦେଶ କିମ୍ବା ଦୈଵୀୟ ହସ୍ତକ୍ଷେପ ଯୋଗୁଁ ଆରିଆଡ୍‌ନେଙ୍କୁ Naxosରେ ଛାଡ଼ିଵାକୁ ପଡ଼ିଥିଲା। ପରେ ଆରିଆଡ୍‌ନେ Dionysusଙ୍କୁ ଵିଵାହ କରିଥିଲେ ଓ ଦୈଵୀୟ ମର୍ଯ୍ୟାଦା ପାଇଥିଲେ। 

Ariadneଙ୍କୁ ହରାଇ ଥେସିଅସ୍‌ ଭଗ୍ନ ମନରେ ଏଥେନ୍ସ ଫେରିଲେ କିନ୍ତୁ ଏହି ଘଟଣା ଯୋଗୁଁ ଅନ୍ୟମନସ୍କ ହୋଇ ଦୁର୍ଭାଗ୍ୟଵଶତଃ ସେ ଧଳା ପାଲ ଲଗାଇଵାକୁ ଭୁଲିଗଲେ, ଆଉ ଜାହାଜରେ କଳା ପାଲ ହିଁ ରହିଲା। ଦୂରରୁ କଳା ପାଲ ଦେଖି Aegeus ଭାବିଲେ Theseus ମରିଗଲେ। ଦୁଃଖରେ ସେ Athensର Acropolisରୁ ଡେଇଁ ଆତ୍ମହତ୍ୟା କଲେ।

ଏହିପରି Aegeusଙ୍କ ଜୀଵନୟ ଏକ ଦୁଃଖଦ ଅନ୍ତ ପାଇଲା, କିନ୍ତୁ ତାଙ୍କ ପୁତ୍ର Theseus ଏକ ମହାନ ଵୀର ଭାବେ ଇତିହାସରେ ଅମର ହୋଇ ରହିଲେ।

("ଥେସିଅସ୍ ଓ ମିନୋଟର୍" ଗାଥା ସାହସ, ଦୃଢ଼ତା, ବୁଦ୍ଧି, ଓ କୌଶଳର ମହତ୍ତ୍ୱ ଦର୍ଶାଏ, ଯେପରି ଥେସିଅସ୍‌ଙ୍କ ମିନୋଟର୍‌କୁ ମୁକାବିଲା ଓ ଆରିଆଡ୍‌ନେଙ୍କ ସୂତା ଵ୍ୟଵହାର ଇତ୍ୟାଦି। ଏହି କାହାଣୀଟି ପ୍ରତିଶ୍ରୁତି ପାଳନର ଗୁରୁତ୍ୱ ଶିଖାଏ, କାରଣ ଥେସିଅସ୍‌ଙ୍କ ଧଳା ପାଲ ଲଗାଇଵାର ପ୍ରତିଶ୍ରୁତି ଭୁଲିଯିଵା ଯୋଗୁଁ ଏଜିଅସ୍‌ ଦୁଃଖରେ ଭାଙ୍ଗିପଡି଼ ଆତ୍ମହତ୍ୟା କରିଥିଲେ । ଏହି କାହାଣୀ ମାନଵୀୟ ଭୁଲ୍, ଦୈଵୀୟ ନିୟତିର ପରିଣାମ ଏବଂ ମିନୋସ୍‌ଙ୍କ ପ୍ରତିଶୋଧ ତଥା ଏଥେନ୍ସର ବଳି ପ୍ରଥା ମାଧ୍ୟମରେ ଅନ୍ୟାୟ ଵିରୁଦ୍ଧରେ ନ୍ୟାୟ ପାଇଁ ସଂଘର୍ଷର ଆଵଶ୍ୟକତା ପ୍ରକାଶ କରେ)


••••••••••••••
ଅଧିକ ତଥ୍ୟ: 
••••••••••••••
Delphic Oracle : ଡେଲ୍‌ଫିରେ ଅପୋଲୋ ମନ୍ଦିରରେ ପୂଜାରିଣୀ । ୟେ ଦୈଵୀ ଭଵିଷ୍ୟତଵାଣୀ କରୁଥିଲେ ।

Athens : ଗ୍ରୀସ୍ ଦେଶର ରାଜଧାନୀ 

Troezen : ଗ୍ରୀସ୍ ଦେଶର ଦକ୍ଷିଣରେ ଅଵସ୍ଥିତ Argolid ଅନ୍ତରୀପର ଆଧୁନିକ tri'zina ନଗରର ପ୍ରାଚୀନ ନାମ

Medea : ଜଣେ ଜାଦୁଗରୀ ଓ କୋଲଚିସ୍‌ର ରାଜକୁମାରୀ ଥିଲେ

Colchis : ଆଧୁନିକ ଜର୍ଜିଆର ପଶ୍ଚିମଭାଗରେ ଅଵସ୍ଥିତ Egrisi ଅଞ୍ଚଳର ପ୍ରାଚୀନ ଗ୍ରୀକ୍ ନାମ 

Crete : ଗ୍ରୀସ୍ ଦେଶର ଦକ୍ଷିଣରେ ଭୂମଧ୍ୟ ସାଗରର ମଧ୍ୟ ଭାଗରେ ଅଵସ୍ଥିତ ଏକ ଦ୍ଵୀଫ ଵିଶେଷ 

Minos : ଜିଉସ୍ ଓ ଇଉରୋପାଙ୍କ ପୁତ୍ର ଓ କ୍ରୀଟର ଶାସକ ଭାବେ ଜଣାଶୁଣା।

Minotaur : Minotaur ଏକ ଅର୍ଦ୍ଧ-ମନୁଷ୍ୟ ଅର୍ଦ୍ଧ-ଷଣ୍ଢ ଜୀଵ, କ୍ରୀଟର ରାଜା Minosଙ୍କ ପତ୍ନୀ Pasiphaë ଓ ଏକ ଦୈଵୀୟ ଷଣ୍ଢର ସନ୍ତାନ ଥିଲା। Minosଙ୍କ ପତ୍ନୀ Pasiphaë, ଗ୍ରୀକ୍ ପୁରାଣଗାଥା ଅନୁସାରେ ସୂର୍ଯ୍ୟ ଦେଵତା Heliosଙ୍କ ଝିଅ ଥିଲେ। Minos ଦୈଵୀୟ ଅଧିକାର ପାଇଁ Poseidonଙ୍କୁ ଏକ ଷଣ୍ଢ ବଳି ଦେଵାକୁ ପ୍ରତିଶ୍ରୁତି ଦେଇ ତାହା ପୂରଣ ନ କରିଵାରୁ, Poseidon କ୍ରୋଧିତ ହୋଇ Pasiphaëଙ୍କୁ Poseidon ପଠାଇଥିଵା ଏକ ଦୈଵୀୟ ଷଣ୍ଢ ପ୍ରତି ଆକର୍ଷିତ କରାଇଲେ। Daedalus ନିର୍ମିତ ଏକ କୃତ୍ରିମ ଗାଈ ଭିତରେ ଲୁଚି Pasiphaë ଷଣ୍ଢ ସହ ମିଳନ କଲେ, ଫଳରେ Minotaur ଜନ୍ମ ହେଲା। ତେବେ Minos Minotaurକୁ ଲୁଚାଇ ରଖିଵା ପାଇଁ Daedalusଙ୍କ ଦ୍ୱାରା ନିର୍ମିତ ଲାବିରିନ୍ଥ୍‌ରେ ରଖିଥିଲେ।

Knossos: ଗ୍ରୀକ୍ ଦ୍ୱୀପ କ୍ରୀଟରେ ଅଵସ୍ଥିତ ଏକ ପ୍ରାଚୀନ ମିନୋଆନ୍ ସଭ୍ୟତାର ପ୍ରମୁଖ ପ୍ରତ୍ନତାତ୍ତ୍ୱିକ ସ୍ଥାନ। ଏହା ରାଜା Minosଙ୍କ ରାଜପ୍ରାସାଦ ବୋଲି ମିଥୋଲୋଜିରେ କୁହାଯାଏ ଏବଂ ମିନୋଆନ୍ ସଂସ୍କୃତିର କେନ୍ଦ୍ର ଥିଲା। କ୍ରୀଟ ଦ୍ଵୀପର ଆଧୁନିକ Heraklion ନଗରରେ ଏହା ଅଵସ୍ଥିତ ଥିଲା । 

Labyrinth: Knossos ରାଜପ୍ରସାଦ ମଧ୍ୟରେ ଥିବା ଏକ ଜଟିଳ ଗଠନ, ଯାହାକୁ Daedalus ନିର୍ମାଣ କରିଥିଲେ ବୋଲି ଗ୍ରୀକ୍ ପୁରାଣରେ ଉଲ୍ଲେଖ ଅଛି। ଏହା Minotaurକୁ ବନ୍ଦୀ ରଖିଵା ପାଇଁ ଵ୍ୟଵହୃତ ହେଉଥିଲା। ଏହାର ଜଟିଳ ପଥଗୁଡ଼ିକରୁ ବାହାରିଵା ପ୍ରାୟତଃ ଅସମ୍ଭଵ ଥିଲା।

Naxos : ଭୂମଧ୍ୟସାଗରରେ ଗ୍ରୀସ୍ ଆଉ ତୁର୍କୀ ମଧ୍ୟ ଭାଗରେ ଅଵସ୍ଥିତ ଗ୍ରୀସ୍ ଦେଶର ଏକ ଦ୍ଵୀପର ନାମ 
••••••••••••••••••••••••••••••••••••••••

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...