Saturday, February 29, 2020
ଓଡ଼ିଶାରେ ରହୁଥିଵା ଉଚ୍ଚଶିକ୍ଷିତ କଳିଙ୍ଗୀମାନଙ୍କ ଭ୍ରମଧାରଣା ଓ ପ୍ରକୃତ ସତ୍ଯ
Wednesday, February 5, 2020
ଲଵଣକର ଵିପକ୍ଷରେ ଓଡ଼ିଶାରେ ହୋଇଥିଲା ପ୍ରଥମ ଶଙ୍ଖନାଦ
ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା ।
କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ―
୧)ଲଵଣ ସତ୍ୟାଗ୍ରହ ର ବହୁପୂର୍ଵରୁ ଓଡ଼ିଆ ଲୋକେ ସର୍ଵପ୍ରଥମେ ଲଵଣକର ଵିରୋଧରେ ଆନ୍ଦୋଳନ କରିଥିଲେ । ଆଉ ସେହି ପ୍ରଥମ ଶଙ୍ଖନାଦ କଟକନଗରରୁ ସାରା ଵିଶ୍ଵକୁ ପ୍ରତିଧ୍ବନିତ ହୋଇଥିଲା ।
୨)କଟକନଗରର ଓଡ଼ିଆ ସ୍ଵାଭିମାନୀ ବୁଦ୍ଧିଜୀଵୀମାନେ ପ୍ରାୟତଃ କଟକ ପ୍ରିଣ୍ଟିଙ୍ଗ କମ୍ପାନୀଠାରେ କୌଣସି ସଭାର ଆୟୋଜନ କରୁଥିଲେ । କିନ୍ତୁ ଲଵଣକର ସମ୍ଵନ୍ଧୀୟ ସଭାର ଆୟୋଜନ କଟକ ମ୍ଯୁନିସିପାଲିଟି ପଡି଼ଆରେ ହୋଇଥିଲା ।
୨୩)୧୮୮୧ରୁ ବଙ୍ଗରୁ ଓଡ଼ିଶା ଲେଉଟିଵା ପରଠୁଁ ୧୮୮୮ ଯାଏଁ ଉତ୍କଳ ଗୌରଵ ମଧୁସୂଦନ ଦାସ ଓଡ଼ିଶାର ସମସ୍ୟା ଵିଷୟରେ ଯେଉଁସବୁ ଭାଷଣ ଦେଇଥିଲେ ତାହା ଇଂରାଜୀ ଭାଷାରେ ହେଉଥିଲା । ତେଵେ ଏହି ସଭାରେ ପ୍ରଥମକରି ମଧୁବାବୁ ଓଡ଼ିଆ ଭାଷାରେ ଭାଷଣ ଦେଇଥିଲେ ।
ସେଦିନ ମଧୁବାବୁ ଯେଉଁ ଭାଷଣ ଦେଇଥିଲେ ତାହା ଏଠାରେ ପ୍ରଦାନ କରାଗଲା...
●●●●●●●●●●●●●●●●●●●●●●●●●●●●
ଭାରତଵାସୀ ସମସ୍ତ ଏକ ଦେଶୀୟ ହେଵାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାଵ ରହିଵା ଉଚିତ । ଧନୀ ଓ ଗରିଵ ମଧ୍ୟରେ କିଛି ପ୍ରଭେଦ ନାହିଁ ।
ବାସ୍ତଵରେ ଗରିଵମାନେ ଦେଶର ଖୁଣ୍ଟ ଅଟନ୍ତି ଏବଂ ଯେ ସ୍ଥଳେ ସେ ଦିଏ ଯେ ଧନୀ ଓ ଯେ ନିଏ ସେ ନିର୍ଦ୍ଧନ ; ସେ ସ୍ଥଳେ ଗରିଵମାନେ କର ଦେଉଥିଵା ଓ ଜମିଦାର ଓ ରାଜା ପ୍ରଭୃତି ତାହା ନେଇ ବଡ଼ଲୋକ ହେଉଥିଵାରୁ ପ୍ରକୃତରେ ସେହିମାନେ ଧନୀ ଅଟନ୍ତି ଓ ତାହାଙ୍କର ଯେଉଁ ଶକ୍ତି ଅଛି ତାହା ସେମାନେ ଜାଣୁ ନ ଥିଵାରୁ ଆପଣାକୁ ଗରିଵ ଓ ଅସହାୟ ଭାଳୁ ଅଛନ୍ତି ।
ଇଂରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ । ପ୍ରଜାମାନେ ସମଵେତ ହୋଇ ଆପଣା ଦୁଃଖ ଜଣାଇଲେ ସେ ଅଵଶ୍ୟ ତହିଁର ପ୍ରତିକାର କରିବେ । ଏକତ୍ର ହୋଇ ଦୁଃଖ ଜଣାଇଵା ଓ ରାଜନୈତିକ ଵିଷୟରେ ମତାମତ ପ୍ରକାଶ କରିଵା ପ୍ରଜାମାନଙ୍କର ଗୋଟିଏ ଭାରି ଅଧିକାର । ଏହି ଅଧିକାର ରାଜଭକ୍ତି ଅଥଚ ଦମ୍ଭ ଭାଵରେ ପ୍ରକାଶ କଲେ କଦାଚ ଵ୍ଯର୍ଥ ହେବ ନାହିଁ । ରୋଗୀ ଆପଣାର ପୀଡ଼ାର ବୃତ୍ତାନ୍ତ ନ ଜଣାଇଲେ ଯେମନ୍ତ ବୈଦ୍ୟ ତହିଁର ପ୍ରତିକାର କରି ନ ପାରେ ପ୍ରଜାମାନେ ଆପଣା ଦୁଃଖ ନ ଜଣାଇଲେ ରାଜାଙ୍କ ଦ୍ୱାରା ତହିଁର ପ୍ରତିକାର ହୋଇ ନ ପାରେ । ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି ।…
ଭାରତଵାସୀମାନେ ବିଲାତ ତୁଳନାରେ ବିଲାତର ଵାର୍ଷିକ ଆୟ ହାରାହାରିରେ ଜଣ ପ୍ରତି ଟ୩୦୦ଙ୍କା ମାତ୍ର ଭାରତଵର୍ଷରେ ଟ୨୦ଙ୍କା ଅଟଇ ଅଥଚ ବିଲାତରେ କରର ସମଷ୍ଟି ଶତକଡ଼ା ଟ୮ଙ୍କା ସ୍ଥଳେ ଭାରତଵର୍ଷରେ ଟ୧୬ଙ୍କା ଲେଖାଏଁ ପଡ଼ିଅଛି । ଭାରତଵାସୀମାନେ ଗରିଵ ହୋଇ ଏତେ ଅଧିକ କର ଦେଉଥିଵା ସ୍ଥଳେ ସେମାନଙ୍କ ଉପରେ ଆଉ ଗୋଟିଏ କର ଭିଡ଼ିଵା ନିତାନ୍ତ ଅନ୍ୟାୟ ।
ଲୁଣକର ନୂତନ କର ନ ହେଲେ ହେଁ ଯେତେଵେଳେ ପୁରୁଣା ଘା ଉପରେ ଆଉ ଚୋଟେ ବସିଲା ସେତେଵେଳେ ଅନାୟାସ ନୂତନ ପୀଡ଼ା ବୋଲାଯାଇପାରେ ।
ଲଵଣ ସମସ୍ତ ଲୋକଙ୍କର ନିତ୍ୟ ପ୍ରୟୋଜନୀୟ ପଦାର୍ଥ ପୁଣି ଓଡ଼ିଶାରେ ପଖାଳଖିଆଟି ଅଧିକ ଥିଵାରୁ ବହୁତ ଲୁଣ ଲୋଡ଼ା ହୁଅଇ ।
ଏପରି ଦେଶପ୍ରତି ଲଵଣକର ଅଳପ ବଢ଼ିଲେ ସୁଧା ଅଧିକ ବାଧିଵାର କଥା ।
ଏଥର ଓଡ଼ିଶାର ନିମକ ମାହାଲ ବଙ୍ଗଳାରୁ ମାନ୍ଦ୍ରାଜକୁ ବଦଳି ହେବାରୁ ଏଠା ଲୁଣ ପ୍ରୋକ୍ତାନ ବନ୍ଦ ହୋଇ ଅନେକ ଲୋକଙ୍କର ରୋଜଗାର ବନ୍ଦ ହୋଇଅଛି ।
©ଉତ୍କଳ ଗୌରଵ ମଧୁସୂଦନ ଦାସ
●●●●●●●●●●●●●●●●●●●●●●●●●●●●●
◆◆◆◆ଭାଷଣ ସମ୍ବନ୍ଧରେ ଵିଶେଷ ଦ୍ରଷ୍ଟଵ୍ୟ◆◆◆◆
୧୮୮୮ରେ ପୂର୍ଵ ଭାରତରୁ ନିମକ ମାହାଲ ଉଠିଯାଇ ତାହା ମାନ୍ଦ୍ରାଜକୁ ମିଳିଥିଲା । ଏହାର ପ୍ରତିଵାଦରେ ସର୍ଵପ୍ରଥମେ ଓଡ଼ିଶାରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଲଵଣ ସତ୍ଯାଗ୍ରହର ବହୁପୂର୍ଵରୁ, ଗାନ୍ଧୀଙ୍କ ବହୁ ପୂର୍ଵରୁ ଓଡ଼ିଶାର ଜନସାଧାରଣ ପ୍ରଥମେ ଇଂରେଜ ସରକାରଙ୍କ ଵିପକ୍ଷରେ ଦ୍ଵେଷ ରହିତ ଶାନ୍ତିପୂର୍ଣ୍ଣ ପ୍ରତିଵାଦ ସଭା କରିଥିଲେ । ଏହି ସଭାରେ ଜନ ଅସନ୍ତୋଷ ନହେଉ ସେଥିପାଇଁ ଚତୁରତାର ସହ ଉତ୍କଳ ଗୌରଵ ଇଂରେଜ ସରକାରଙ୍କ ପ୍ରଥମେ ପ୍ରଶଂସା କରୁଥିଲେ
ଯଥା—
“ଇଂରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ”
ଓ
“ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି !”
କିନ୍ତୁ ତାପରେ ସେ ତଥ୍ୟ ସହ ଇଂରେଜ ସରକାର ଭାରତୀୟଙ୍କ ଉପରେ କେମିତି ଅଧିକ କର ବସେଇ ଶୋଷଣ କରୁଛି ତାହା ପ୍ରକାଶ କରିଛନ୍ତି ।
ଯଥା—
“ବିଲାତରେ ଵାର୍ଷିକ ହାରାହାରି ଆୟ
ଟ୩୦୦.୦୦ଙ୍କା ହୋଇଥିଵାଵେଳେ ଭାରତରେ ହାରାହାରି ଆୟ ଟ୨୦.୦୦ଙ୍କା କିନ୍ତୁ ଭାରତୀୟମାନେ ଟ୧୬.୦୦ଙ୍କା କର ଦେଉଥିଲାଵେଳେ ଇଂଲଣ୍ଡଵାସୀ ମାତ୍ର ଟ୮.୦୦ଙ୍କା ଦିଅନ୍ତି ।”
ଏଇ ତଥ୍ୟ ଦେଇ ଉତ୍କଳ ଗୌରଵ ପରୋକ୍ଷରେ ଇଂରେଜ ସରକାରଙ୍କୁ ପ୍ରଜାପୀଡ଼କ ପ୍ରମାଣିତ କରିଛନ୍ତି ।
ଉତ୍କଳ ଗୌରଵ ପ୍ରକୃତରେ ଭାରତ ଗୌରଵ ଅଟନ୍ତି । କିଛି ଉତ୍ତର ଭାରତୀୟ ମଧୁବାବୁଙ୍କୁ ଆଞ୍ଚଳିକ ନେତା ମନେ କରନ୍ତି । ଓଡ଼ିଶାର କେତେକ ଶିକ୍ଷିତ ସୀମାନ୍ତଵାସୀ ଅଞ୍ଚଳ—ଅଞ୍ଚଳ ମଧ୍ୟରେ ମିଛକଥା ପ୍ରେରଣକରି ଘୃଣା ଵୃଦ୍ଧି କରୁଛନ୍ତି କିନ୍ତୁ ତତ୍କାଳୀନ ଭାରତରେ ସବୁଠାରୁ ନିମ୍ନସ୍ତରରେ ଥିଵା, ବଙ୍ଗାଳୀ-ମରାଠୀ-ହିନ୍ଦିଆ-ତେଲେଙ୍ଗାଙ୍କ ଦ୍ଵାରା ୩୦୦ ଵର୍ଷ ଧରି ଶୋଷଣର ଶିକାର ହୋଇଥିଵା ଓଡ଼ିଆ ଜାତୀୟ ଲୋକଙ୍କ ଅଗ୍ରନେତା ମଧୁବାବୁ ମହାଭାରତୀୟ ଏକ ଜାତି ଓ ଭାଇ ବୋଲି ଭାଷଣ ଆରମ୍ଭରେ ଘୋଷଣା କରିଛନ୍ତି ।
■★★★★★★★★★★★★★★★★★■
(ଲଵଣକର ସମ୍ବନ୍ଧୀୟ ସଭା ଵିଷୟରେ ଵିଶଦ ଭାଵେ ଜାଣିଵାପାଇଁ ସୁରେନ୍ଦ୍ର ମହାନ୍ତିଙ୍କ ପୁସ୍ତକ “ଶତାବ୍ଦୀର ସୂର୍ଯ୍ୟ” ପାଠକରନ୍ତୁ)
Saturday, February 1, 2020
ରାଜଧାନିଆ ଷଣ୍ଢ
ଷଣ୍ଢ ଏକ ସ୍ଵାଭିମାନୀ ଜୀଵ । ତା ସମ୍ପୂର୍ଣ୍ଣ ଜୀଵନ ନାଚି ଖେଳି ଶିଙ୍ଘ ମରାମରିରେ କଟେ । ରାଜଧାନୀ ଭୂଵନେଶ୍ଵର ଅନାଦିକାଳରୁ ଷଣ୍ଢମାନଙ୍କର ଚରାଭୂଇଁ, ଲୀଳାଭୂଇଁ ରହିଆସିଛି । ଭାରତରେ ଭୂଵନେଶ୍ୱର ଵ୍ଯତୀତ ଅନ୍ୟ କୌଣସି ରାଜଧାନୀ ନାହିଁ ଯେଉଁଠି ଷଣ୍ଢମାନେ ସ୍ଵାଧୀନ ଵିଚରଣ କରିଥାଆନ୍ତି । ନିଶ୍ଚିତ ଭାଵେ ଏହା ସମଗ୍ର ଓଡ଼ିଶା ପାଇଁ ଗର୍ଵ ଓ ଗୌରଵର ଵିଷୟ ।
ତେଵେ ଓଡ଼ିଆ ଲୋକେ ନିଜର ସ୍ଵାଭିମାନକୁ ସର୍ଵଦା ହେୟ ଦୃଷ୍ଟିରେ ଦେଖନ୍ତି । ସେଇଥିପାଇଁ ତ ଏଠାକାର ନୃସଂଶ ପ୍ରଶାସନ ଷଣ୍ଢ ଭଳି ଏକ ସ୍ବାଭିମାନୀ ପ୍ରାଚୀନ ପ୍ରାଣୀକୁ ରାଜଧାନୀରୁ ତଡି଼ପାର କରିବାଦେଵାକୁ ଯୋଜନା କରିଛନ୍ତି । ତାହେଲେ ଏ ଵିଚରା ଷଣ୍ଢମାନେ କୁଆଡ଼େ ଯିଵେ ? କ'ଣ କଂସେଇ ହାତକୁ ଟେକିଦେବେନି ତ ସରକାର ?
ସରକାରଙ୍କୁ ଏ ସଂକ୍ରାନ୍ତରେ ପଚାରିଲେ କହୁଛନ୍ତି ଏ ଜୀଵଗୁଡା଼ ଆମର ଅନେକ କ୍ଷତି କଲେଣି । ବାଟରେ ଘାଟରେ ଗୁଣ୍ଡା ଭଳି ବୁଲୁଛନ୍ତି,ଯାହାକୁ ମନ ତାକୁ ଶିଙ୍ଘେଇ ଦେଉଛନ୍ତି । ଆଇନ୍ କାନୁନ୍ କ'ଣ ସେମାନେ କିଛି ବୁଝୁନାହାନ୍ତି । ଗାଈମାନଙ୍କୁ ଲାଇନ୍ ମାରିଵା ହେଉ କି ଅଯଥା ବାଟ ଓଗାଳି ଯାନଵାହନ ଚଳାଚଳରେ ଵ୍ଯାଘାତ ଉତ୍ପନ୍ନ କରିଵା ହେଉ ସବୁଥିରେ ଏଇ ଷଣ୍ଢମାନଙ୍କୁ ଦୋଷ ଦିଅନ୍ତି ଗଡି଼ଆଲୋକେ । ଏଣେ ଷଣ୍ଢମାନଙ୍କର ଏଭଳି ପ୍ରକୃତିର ଅନୁକରଣ କରୁଛନ୍ତି ଆଜିର ରାଜଧାନିଆ ଯୁଵଗୋଷ୍ଠୀ ।
ଆଗେ ଆମ ରାଜଧାନୀର ଲୋକେ ବହୁତ ସରଳ ସୁନ୍ଦର ଥିଲେ ତାଙ୍କର କୋଉଠେ ବି ଗୋଟାଏ ‛କେଁ’ ନଥିଲା କିନ୍ତୁ ଯୋଉଦିନଠୁ ଏ ଗଡି଼ଆ ଷଣ୍ଢମାନେ ଉଦୁରୁମତା ହେଲେଣି ସେବେଠାରୁ ତାଙ୍କ ଦେଖାଦେଖି ଏଠାକାର ସ୍ଥାନୀୟ ଅଧିଵାସୀ ବି ସରକାରଙ୍କୁ ଶିଙ୍ଘେଇଵା ଶିଖିଗଲେଣି ।
ସେମାନେ ଶିଙ୍ଘେଇଵା ଦିନଠୁ ସରକାର ଆଉ ଅଣ୍ଟା ସଳଖି ଚାଲିପାରୁନାହାନ୍ତି । ତେଣୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।
ତେଵେ ଗାଈଙ୍କର ପ୍ରିୟତମମାନେ କେଉଁ ଦେଶକୁ ଯିଵେ ?
ସରକାର କୁହନ୍ତି ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ହେଲା ଢେଙ୍କାନାଳ । ଢେଙ୍କାନାଳଟା ଏମିତି ଯାଗା ଯେ ସେଠାକୁ ଷଣ୍ଢମାନଙ୍କୁ ଛଡା଼ଗଲେ ସରକାରଙ୍କର କେହି ଵିରୋଧ କରିଵେ ନାହିଁ । ଢେଙ୍କାନାଳରେ ହାତୀ, ପାତିମାଙ୍କଡ଼ ଓ ହନୁମାଙ୍କଡ଼ ବହେ ଅଛନ୍ତି ଏଵଂ ସ୍ଥାନୀୟ ଲୋକେ ତାଙ୍କୁ ଆପଣେଇଲେଣି ତେଣୁ ଆନ ଜୀଵ ଭଳି ଷଣ୍ଢମାନେ ବି ଏଠାରେ କଷ୍ଟେମଷ୍ଟେ ଚଳିଯିଵେ ।
ଢେଙ୍କାନାଳ ହିଁ କାହିଁକି ଓଡ଼ିଶାରେ ଆହୁରି କେତେ ଜିଲ୍ଲା ଅଛି , ଯେଉଁଠି ଇଛା ସେଇଠି ଛାଡି଼ପାରନ୍ତେ ?
ଢେଙ୍କାନାଳ ଭଳି ଅନ୍ୟ କୌଣସି ଜିଲ୍ଲା ଷଣ୍ଢମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଉତ୍ତର ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଵା ନିରାପଦ ନୁହେଁ । ଯଦି ସେଠାକୁ ସେମାନେ ଯାଆନ୍ତି ତେଵେ ତାଙ୍କର ମାଉଁସମୁଢି଼ ଖାଇଵା ବଦଭ୍ଯାସ ହୋଇଯିଵ । ଗୋଟିଏ ନିରାମିଷାସି ଜୀଵକୁ ଆମେ କାହିଁକି ଆମିଷାସି କରିଵାକୁ ଯିଵା ? ପୁଣି ଉତ୍ତର ଓଡ଼ିଶା ଗଲେ କଦାଚ ସେମାନେ ସାହିତ୍ଯିକ କି ବୁଦ୍ଧିଜୀଵୀ ହୋଇଗଲେ ତ ରାଜଧାନୀକୁ ଆସି ଉଠେଇ ପକେଇ ଦେଵେ । ଏମିତି ଏମିତି ସାହିତ୍ୟ ଲେଖିଵେ ଯେ ସବୁ ଗାଈ ଗୋରୁ ଶିକ୍ଷିତ ହୋଇ ସରକାରଙ୍କର ଦୁର୍ଦ୍ଦଶା କରିପକେଇଵେ ।
ପଶ୍ଚିମ ଓଡ଼ିଶାରେ ନିର୍ଵାସିତ ଷଣ୍ଢମାନଙ୍କୁ ଛାଡି଼ଵା ପରମ ମୂର୍ଖତା ହେଵ । ପୂର୍ଵରୁ ଏ ଅଞ୍ଚଳରେ ଅନେକ ଵିଚ୍ଛିନ୍ନତାଵାଦୀ ଅଛନ୍ତି । ନିର୍ଵାସିତ ଷଣ୍ଢମାନେ ସେଠାକୁ ଗଲେ ତାଙ୍କ ସହିତ ମିଶି ସରକାରଙ୍କୁ ନଚେଇ ନଚେଇ ପ୍ରାଣ ନେଵେ । ନା ନା ଷଣ୍ଢମାନଙ୍କୁ ସେଭଳି କୌଣସି ମଉକା ଦେଵା ଅର୍ଥ ଆପଣା ହସ୍ତେ ଜିହ୍ଵା ଛେଦି କା ସଙ୍ଗେ ହେଵା ପ୍ରତିଵାଦୀ ଭଳି କଥା ହୋଇଯିଵ ।
ଆଉ ଦକ୍ଷିଣ ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଦେଲେ କିୟଣ ଅସୁଵିଧା ହଵ କି ?
ଏହାର ଉତ୍ତରରେ ସରକାର କହିଲେ
ଆମେ ସେମିତି ଭୁଲ୍ କସ୍ମିନକାଳେ କରିବୁ ନାହିଁ । ଏ ନିର୍ଵାସିତ ଷଣ୍ଢମାନେ ଯଦି ଦକ୍ଷିଣ ଓଡ଼ିଶା ଚାଲିଯାଆନ୍ତି ତେଵେ ରାଜ୍ଯରେ ଗୋଟାଏ ଭୀଷଣ “ଷଣ୍ଢ ମହାଭାରତ” ସଂଘଟିତ ହୋଇଯିଵାର ସମ୍ଭାଵନା ରହିଛି । ଦକ୍ଷିଣ ଓଡ଼ିଶାର ଷଣ୍ଢମାନେ ଏଇ ରାଜଧାନିଆ ଷଣ୍ଢମାନଙ୍କଠାରୁ ଯହଗୁଣ ହୁରୁମା । ସେମାନେ ଏମାନଙ୍କ ସହ ମଲାଯାଏଁ ଶିଙ୍ଘ ଲଢେ଼ଇ କରିଵେ । ସେତେଵେଳେ ସରକାରଙ୍କୁ ସେମାନଙ୍କ ଝଗଡା଼ ରୋକିଵା ହେତୁ କର୍ଫ୍ୟୁ ଲଗେଇଵାକୁ ପଡି଼ପାରେ ।
ଢେଙ୍କାନାଳରେ ଏମନ୍ତ କିଛି ଅସଵିଧା ହେଲା ଭଳି ଅନୁଭୂତ ହେଉନାହିଁ । ଵିଗତ ଦୁଇ କି ତିନିଶତ ଵର୍ଷ ହେଵ ଢେଙ୍କାନାଳିଆମାନେ “ଢେଙ୍କାନାଳ ନିଜ କୀଳା ନିଜେ ସମ୍ଭାଳ” ନ୍ଯାୟରେ ସବୁ ସହିପାରିଵାର ଅପୂର୍ଵ କଳା ଵିକଶିତ କରିନେଇଛନ୍ତି ।
ଆମେ ଆଶାକରୁଛୁ ଯେ ସେଠାକାର ସରଳିଆ ଜନତାଙ୍କ ଭଳି ସ୍ଥାନୀୟ ଷଣ୍ଢମାନେ ବି ନୀରିହ ହୋଇଥିଵେ । ସେମାନେ ନିଶ୍ଚୟ ନିର୍ଵାସିତ ଷଣ୍ଢମାନଙ୍କୁ ଭାଇ ବନ୍ଧୁ ଭାଵି କୋଳେଇ ନେଵେ ଆଉ ନିଜ ଶିଙ୍ଘ ବଜେଇ ସେମାନଙ୍କର ଭଵ୍ଯ ସ୍ଵାଗତ କରିଵେ ।
ଦେଖନ୍ତୁ ଆମ ସରକାର ସାରା ଭାରତରେ ଏକମାତ୍ର ଏଵଂ କେଵଳ ଜନ ନୁହେଁ ଵରଂ ସର୍ଵଜୀଵ ହିତକାରୀ ସରକାରଟିଏ । ରାଜଧାନିଆ ଷଣ୍ଢମାନଙ୍କର ଓ ରାଜ୍ୟ ଜନତାଙ୍କ ମଙ୍ଗଳ ଚିନ୍ତାକରି ହିଁ ସେମାନଙ୍କୁ ଢେଙ୍କାନାଳରେ ଛଡା଼ଯାଉଛି ।
ତେଵେ ଆମ ୧ ନଂ ସରକାର ଯାହା କରନ୍ତୁ ନକରନ୍ତୁ ପଛେ କିନ୍ତୁ ଷଣ୍ଢମାନଙ୍କ ପାଇଁ ଏକଦା ଲୋକପ୍ରିୟ ଥିଵା ରାଜଧାନୀ ଭୂଵନେଶ୍ଵର ଵୃଷଭ ଵିହୀନ ହେଲେ ପୂର୍ଵେ ମୁକ୍ତିଲାଭ କରିଥିଵା ଗୋଟିଏ ଓଡ଼ିଆ ଡହରା ଗୀତ
“ଏଠି ଗାଈ ମାଳ ମାଳ ଷଣ୍ଢ ଦୁର୍ଵଳ” ମାଳିକା ଵଚନ ଭଳି ପ୍ରାମାଣିକ ଵାକ୍ଯ ହୋଇଯିଵ ନିଃସନ୍ଦେହ !!!
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...