Wednesday, July 29, 2020

ଅଷ୍ଟ୍ରେଲିଆର ସେଇ ଜଣାଶୁଣା ଉଡା଼ଜାହଜ ଦୂର୍ଘଟଣା

ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାଧାକୃଷ୍ଣ​ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ବିପନ୍ନର_ଉଦ୍ଧାର .....!!!!

ଏହି ପ୍ରବନ୍ଧଟିରେ ୧୯୩୭ ମସିହା ଫେବୃଆରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବା ଏକ ବିମାନ ଦୁର୍ଘଟଣା ବିଷୟରେ ଉଲ୍ଲେଖ ଅଛି ।

ବିଶ୍ବ ଇତିହାସରେ ସେହି ଦୂର୍ଘଟଣାଟି
"1937 Airlines of Australia Stinson crash"  ନାମରେ ପରିଚିତ ।

ବ୍ରିସବେନରୁ ପାଞ୍ଚଜଣ ଯାତ୍ରୀଙ୍କୁ ନେଇ  Stinson model A ପ୍ରକାରର ଏକ ଉଡାଜାହାଜ ସିଡନୀ ଅଭିମୁଖେ ଯାତ୍ରା କରୁଥିବା ବେଳେ McPherson Range  ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଯାଇଥିଲା ।

McPherson Range ଗିରିଶୃଙ୍ଖଳା  Queensland ଏବଂ New South Wales
ମଧ୍ୟରେ ଅବସ୍ଥିତ ।

ବିମାନରେ ମୋଟ ପାଞ୍ଚଜଣ ଯାତ୍ରୀ ତଥା ଦୁଇଜଣ ବିମାନ ଚାଳକ ଥିଲେ ।  ଦୁଇଜଣ ପାଇଲଟ୍ ସହ ଦୁଇଜଣ ଯାତ୍ରୀଙ୍କର ଦୂର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ବର୍ତ୍ତିଯାଇଥିବା ବାକି ତିନିଜଣ ଗୁରୁତର ଆହାତ ହୋଇଥିଲେ ।

ତନ୍ମଧ୍ୟରୁ
ଜଣେ ବ୍ରିଟିଶ୍ ନାଗରିକ ନିଜେ ଗୁରୁତର ଆହାତ ହୋଇଥିବା ସତ୍ତ୍ବେ ପାର୍ବାତ୍ଯାଞ୍ଚଳରୁ ସାହାଯ୍ୟ ଆଣିବାକୁ ଯାଇ ବାଟରେ ହିଁ ମୃତ୍ୟୁ ମୁଖରେ ପଡିଥିଲେ! !!!!!

ନିଖୋଜ ଜାହାଜକୁ ଠାବକରିବା ହେତୁ ତତ୍କାଳୀନ ସରକାର ୨୮ ଟି ଉଡାଜାହାଜ ଅନୁସନ୍ଧାନ କାର୍ଯ୍ୟରେ ଲଗାଇ ମଧ୍ଯ ବିଫଳ ହୋଇଥିଲେ ।

ଦୂର୍ଘଟଣାକୁ ପାଞ୍ଚଦିନ ହୋଇଯାଇଥିଲା ହେଲେ ହେଲେ ଜାହାଜକୁ ତଥାପି ଠାବ କରିପାରିନଥିଲେ ସରକାର......

ଏମିତିରେ ଜଣେ ଅଷ୍ଟ୍ରେଲିଆନ୍ ବୁସମ୍ୟାନ୍
Alfonso Bernard O'Reilly (1903–1975) ଦୂର୍ଘଟଣାଗ୍ରସ୍ଥ ଉଡାଜାହାଜଟିକୁ ଖୋଜିବା ପାଇଁ ଅଣ୍ଟା ଭିଡିଲେ ।

ଦୁଇଦିନ ମଧ୍ୟରେ ସେ ଦୂର୍ଗମ ପର୍ବତାଦିରେ ଖୋଜିି ଖୋଜି
Lamington Nat ସାଇଟରେ ନିଖୋଜ ବିମାନକୁ ଠାବ କଲେ । ସେତେବେଳକୁ
ଜୀବିତ ବ୍ୟକ୍ତି ଦ୍ବୟ ମୂର୍ମୁଷପ୍ରାୟ ମୃତ୍ୟୁ ସହ ଲଢୁଥାନ୍ତି ।

ବର୍ଣ୍ଣାଢ଼ ଓରିଲି ତାଙ୍କୁ ଖାଦ୍ୟପେୟାଦି ଯୋଗାଇ ପୁଣି ପର୍ବତ ତଳକୁ ଓହ୍ଲେଇଲେ । ନିକଟସ୍ଥ ଜନବସତିରେ ପହଞ୍ଚିବା ମାତ୍ରେ ଘୋଡାଟିଏ ଯୋଗାଡ଼ କରି ପାଖ ସହରରେ ଜଣାଇଲାରୁ ଦୁଇଟି ଜୀବନ ବର୍ତ୍ତିଗଲା ।

ଓରିଲିଙ୍କ ଠାରୁ ସୁଚନା ପାଇ ୮୦ରୁ ଅଧିକ ସ୍ବେଚ୍ଛାକର୍ମୀ ପର୍ବତ ଉପରକୁ ଯାଇ ଜୀବିତ ଯାତ୍ରୀଦ୍ବୟଙ୍କୁ ରକ୍ଷା କରିଥିଲେ ।

Tuesday, July 28, 2020

ପାକିସ୍ଥାନ ଭଳି ଦଶଟି ଦେଶ କରିଵାକୁ ଚାହୁଁଥିଲା ମୁସଲିମ ଲିଗ୍

ପରାଧୀନ ଭାରତରେ ମୁସଲିମ ଲିଗ୍ ର ସଦସ୍ୟ ଚୌଧରୀ ରେହମତ୍ ଅଲି ଅଖଣ୍ଡ ଭାରତରେ ମୁସଲିମ ଜନବହୁଳତା ଦୃଷ୍ଟିରୁ
୧୯୪୦ରେ ଏହି ମାନଚିତ୍ରରେ ସମ୍ଭାଵିତ ମୁସଲିମ ଦେଶଗୁଡ଼ିକର ସ୍ଵପ୍ନକୁ ଆଙ୍କିଦେଇଥିଲା । ଯଦି କେଵଳ ପାକିସ୍ତାନ ହିଁ ମୁସଲିମ ଲିଗ୍ ର ଦାବିଥିଲା ଭାବୁଛନ୍ତି ତେବେ ଆପଣ ଭୁଲ୍ ଅଟନ୍ତି ।
ମୁସଲିମ ଲିଗ୍ କେଵଳ ପାକିସ୍ତାନ ନୁହେଁ ଵରଂ ଦଶଗୋଟି “pak common wealth nation” ର ପ୍ରସ୍ତାଵ ତତ୍କାଳୀନ  ଇଂରେଜ ସରକାର ସମ୍ମୁଖରେ ରଖିଥିଲା । 

ମୁସ୍ଲିମ୍ ଲିଗ୍ ମୁସଲମାନଙ୍କ ପାଇଁ ନିମ୍ନଲିଖିତ ଦେଶ ଦାଵି କରିଥିଲା...

🔴ସିନ୍ଧୁ ଦେଶ,ସୌରାଷ୍ଟ୍ର ସମେତ ଗୁଜରାଟର ଅଧିକାଂଶ ଅଞ୍ଚଳ ଓ ପଞ୍ଜାଵକୁ ନେଇ ପାକିସ୍ତାନ
🔴ରାଜସ୍ଥାନରେ ମୋଇନ୍’ସ୍ତାନ
🔴ଉତ୍ତର ପ୍ରଦେଶରେ ହୈଦରୀସ୍ତାନ
🔴ଅଵିଭକ୍ତ ଵିହାରରେ ଫାରୁକ୍କୀସ୍ତାନ
🔴ଅଵିଭକ୍ତ ବଙ୍ଗଦେଶ ଓ ଵର୍ତ୍ତମାନର ସମସ୍ତ ଉତ୍ତର ପୂର୍ଵ ଭାରତୀୟ ରାଜ୍ଯକୁ ନେଇ ବଙ୍ଗିସ୍ତାନ
🔴ମଧ୍ଯପ୍ରଦେଶ ଅଞ୍ଚଳରେ ସିଦ୍ଦିକୀସ୍ତାନ
🔴ମହାରାଷ୍ଟ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକର କେତେକ ଅଞ୍ଚଳକୁ ନେଇ ଉସମାନୀସ୍ତାନ
🔴କେରଳରେ ମପଲୀସ୍ତାନ
🔴ଉତ୍ତର ପୂର୍ଵ ଶ୍ରୀଲଙ୍କାରେ ନାସାରୀସ୍ତାନ
🔴 ଉତ୍ତର ପଶ୍ଚିମ ଶ୍ରୀଲଙ୍କାରେ ସାଫୀସ୍ତାନ

ଦେଶ ତ ଛାଡ଼ନ୍ତୁ ଏମାନେ ତ ସାଗରର ନାମ ବି ବଦଳେଇ ଦେଵାକୁ ଯୋଜନା ରଖିଥିଲେ ।
ଯଥା
🔴ଆରଵ ସାଗରକୁ ପାକ୍ ସାଗର
🔴 ବଙ୍ଗ ଉପସାଗରକୁ ବଙ୍ଗସାଗର
🔴ମହୋଦଧି ଵା କଳିଙ୍ଗ ସାଗରକୁ ଉସମାନିଆସାଗର

ତେଵେ ଆଜି ଯଦି ମୁସଲମାନଙ୍କର ଏତେ ଦେଶ ଭାରତୀୟ ଉପଦ୍ବୀପରେ ଥାଆନ୍ତା ତା'ହେଲେ କ'ଣ ହୁଅନ୍ତା ?

⚫ପୃଥିବୀର ଜନସଂଖ୍ୟା ୯୦୦ କୋଟି ଛୁଇଁ ସାରନ୍ତାଣି ‌ ।
⚫ଵର୍ତ୍ତମାନର ଅର୍ଦ୍ଧାଧିକ ଭାରତୀୟ ସନାତନୀ ମୁସ୍ଲିମ୍ ହୋଇ ସାରନ୍ତେଣି
⚫ଅନେକ ସନାତନୀ ମନ୍ଦିର ଭଙ୍ଗାହୋଇ ସେଠାରେ କେଉଁ ମୁଲ୍ଲାର ମଢ଼ ପୋତି ନମାଜ ପଢ଼ା ହୁଅନ୍ତାଣି
⚫ଭାରତର ଵିକାଶ ଵର୍ତ୍ତମାନ ଭଳି ହୋଇନପାରି ଏଵେ ର ଭିକମଗା ପାକିସ୍ତାନ ଭଳି ହୋଇଥାନ୍ତା ।
⚫ ସମସ୍ତ ଭାରତୀୟ ଉପମହାଦେଶରେ ହତ୍ଯା, ବଳାତ୍କାର,ଆତଙ୍କଵାଦ ଓ ଆମେରିକାର ଗୋଳା ବାରୁଦ ଵର୍ଷଣ ଆଜିର ଠିକ୍ ସିରିଆ ତଥା ଗାଜାପଟ୍ଟୀ ଭଳି ହେଉଥାନ୍ତା ।
⚫ସନାତନ ଧର୍ମ ଓ ମୂଳ ଭାରତୀୟ ସଂସ୍କୃତିର ପ୍ରାୟ ଧ୍ବଂସ ସାଧନ ହୋଇ ସାରନ୍ତାଣି ।

ଏଵେ ବି ଭାରତରେ ରହୁଥିଵା କିଛି ମୁସଲମାନ ଏହି ଧାର୍ମିକ ଵିଭାଜନର ସ୍ଵପ୍ନକୁ ନେଇ ରହୁଛନ୍ତି । ପାକିସ୍ତାନର ସରକାର ଏଇ ସ୍ଵପ୍ନକୁ ସାକାର ଖରିଵା ପାଇଁ ଭାରତ ସହିତ ଚାରି ଚାରି ଥର ଯୁଦ୍ଧ କରିସାରିଲାଣି । ସମସ୍ତ ଭାରତକୁ ମୁସଲମାନମୟ କରିଦେଵା ହିଁ ମୁସଲିମଲିଗ୍ ର ସ୍ଵପ୍ନ ଥିଲା ଯାହା ଆଜି ପ୍ରତ୍ୟେକ ମୂର୍ଖ କିନ୍ତୁ ଧୂର୍ତ୍ତ ଆତଙ୍କଵାଦୀଙ୍କୁ ଶିକ୍ଷା ଦିଆଯାଏ ଆଉ ମଲାଵେଳେ ସେ ଆତଙ୍କଵାଦୀ କହିକି ମରେ ମୁଁ ଇସ୍ଲାମ୍ ପାଇଁ ଶହୀଦ ହେଉଛି  ପ୍ରକୃତରେ ସେ ସେତେବେଳେ କହୁଥାଏ ମୁଁ ଭାରତୀୟ ସଂସ୍କୃତିର ସମୂଳର ଵିନାଶ ଲକ୍ଷ୍ୟ ପାଇଁ ଆତ୍ମଵଳୀ ଦେଉଛି,ଗଜ୍ବେ ଏ ହିନ୍ଦ ପାଇଁ ମରୁଅଛି ‌...

Friday, July 24, 2020

ପରୀକ୍ଷା

ଲିମ୍ବ ଓ ତେନ୍ତୁଳି ଗଛକୁ ନେଇ ଗୋଟିଏ ଲୋକକଥା ଓଡ଼ିଶା, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ପ୍ରଚଳିତ । କାହାଣୀଟି ସଂକ୍ଷେପରେ ଏହିପରି..

ପୁରାତନ କାଳରେ ରାଜାମାନେ ପରସ୍ପରକୁ ପରୀକ୍ଷା କରୁଥିଲେ |  ଥରେ ଜଣେ ରାଜା ଏକ ସୁସ୍ଥ ଵ୍ଯକ୍ତିକୁ ଚିକିତ୍ସା ପାଇଁ ପଡୋଶୀ ରାଜ୍ଯକୁ ପଠାଇଲେ କିନ୍ତୁ ତାକୁ ଗଲାଵେଳେ କହିଥିଲେ ତୁ ବାଟ ଯାକ କେଵଳ  କଇଁଆ ଗଛ ତଳେ ରାତ୍ରୀ ଵିଶ୍ରାମ କରିବୁ ...

ଲୋକଟା ରାଜଆଦେଶ ମାନି ଅନ୍ୟ ରାଜ୍ୟକୁ ଗଲା ଓ ବାଟରେ କେଵଳ ତେନ୍ତୁଳି ଗଛ ମୂଳରେ ଶୋଉଥିଲା । ତେବେ ଏହିକାରଣରୁ ସେ ରୋଗରେ ପଡି଼ଗଲା ...

ଯେତେବେଳେ ସେ ପଡୋଶୀ ରାଜ୍ଯର ଦରଵାରରେ ପହଞ୍ଚି ଚିକିତ୍ସା ପାଇଁ ପ୍ରାର୍ଥନା କଲା, ସେହି ସ୍ଥାନର ରାଜଵୈଦ୍ଯ ତାଙ୍କୁ କେବଳ ଲିମ୍ଵ ଗଛ  ତଳେ ଶୋଇଵାକୁ ପରାମର୍ଶ ଦେଇ ବିଦା କରିଦେଲେ ।


ବାଟରେ ସେ ଲୋକଟି ନିମ୍ଵଗଛ ମୂଳେ ଶୋଇ ଶୋଇ ଗଲା । ଫଳତଃ ଲିମ୍ବ ଗଛର ଔଷଧୀୟ ଗୁଣ ଯୋଗୁଁ ତେନ୍ତୁଳିଜନିତ ରୋଗ ଦୂର ହେଲା ଏବଂ ସେ ସୁସ୍ଥସଵଳ ହୋଇ ତାଙ୍କ ରାଜାଙ୍କ ନିକଟରେ ଯାଇ ଉପସ୍ଥିତ ହେଲା ।

ପ୍ରୋକ୍ତ କାହାଣୀ ମାଧ୍ୟମରେ ଶ୍ରୋତାକୁ ନିମ୍ନୋକ୍ତ ସାମାଜିକ ଶିକ୍ଷା ମିଳିଲା ...

୧)ଖଟାମିଠା ଖାଦ୍ୟ ଅଧିକ ଖାଇଲେ ଦେହରେ ରୋଗ ଜନ୍ମେ କିନ୍ତୁ ଅଳ୍ପ ଉପକାରୀ ପିତାସ୍ଵାଦର ଖାଦ୍ୟ ଦେହ ପାଇଁ ଉପକାରୀ ।

୨)ମିଛ ଯେତେ ମିଠା ହେଲେ ମଧ୍ୟ ଦିନେ ନା ଦିନେ  ଵିପଦରେ ପକାଏ । ସତ ଯେତେ ପିତା ହେଲେ ବି ଜୀଵ ପାଇଁ ଉପକାରୀ ।

୩) ଅନ୍ଯର କଥାକୁ ଆଖିବୁଜି ମାନିଯିଵା ଅନୁଚିତ୍ ତେଣିକି ସିଏ ରାଜା ହୁଅନ୍ତୁ କି ଆପଣାର ସଙ୍ଗୀ ସାଥି ।

Wednesday, July 22, 2020

ଉଦନ୍ତୀ ନଦୀ ; କିମ୍ବଦନ୍ତୀ ଓ ନାମକରଣ

ଓଡ଼ିଶା ମଧ୍ୟରେ ଇବ୍, ଓଙ୍ଗ୍  ତେଲ୍,ସୁରାବାଲୀ ଓ ସାଲୁଙ୍କି, ଆଦି ମହାନଦୀର ଅନେକ ଉପନଦୀ ରହିଛି ।  ମହାନଦୀର ଏଇଭଳି ଏକ ଉପନଦୀ ତେଲନଦୀର  ଏକ ସହାୟକ ନଦୀର ନାମ ଉଦନ୍ତୀ ଅଟେ ।





ଉଦନ୍ତୀ ନଦୀ , ଛୋଟନାଗପୁର ମାଳାଞ୍ଚଳରୁ ପ୍ରଵାହିତ ହୋଇ ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକର ପଶ୍ଚିମ ଦିଗରେ ସିନ୍ଦୂରସିଲ ନିକଟରେ ଓଡ଼ିଶା ସୀମା ମଧ୍ୟକୁ ପ୍ରଵେଶ ହୋଇଛି । ଉଦନ୍ତୀ ନଦୀ ଛତିଶଗଡ଼ ଓ ଓଡ଼ିଶାର ନୂଆପଡ଼ା ତଥା କଳାହାଣ୍ଡି ଜିଲ୍ଲାରେ ପ୍ରଵାହିତ ହେଉଅଛି । କଳାହାଣ୍ଡି ଜିଲ୍ଲାର ସେଁପୁରଠାରେ ଏ ନଦୀ ତେଲ୍ ନଦୀରେ ଆସି ମିଶିଅଛି ।

ଉଦନ୍ତି ଵା ଉଦନ୍ତୀ ନଦୀକୁ ଓଡ଼ିଶାର "free-flowing river" ଭାବେ ଅଭିହିତ କରାଯାଇଥାଏ ।  ଯେଉଁ ନଦୀଗୁଡ଼ିକ ମନୁଷ୍ୟକୃତ ପରିଵର୍ତ୍ତନ ହେତୁ ସେତେଟା ପ୍ରଭାଵିତ ହୋଇନଥାନ୍ତି ସେଗୁଡ଼ିକୁ "free-flowing river" କୁହାଯାଏ । ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଏ ନଦୀ ପ୍ରଵାହିତ ହେଉଅଛି ।




  ଉଦନ୍ତୀ ନଦୀକୁ ନେଇ କଳାହାଣ୍ଡି ଅଞ୍ଚଳରେ ଏକ କିମ୍ବଦନ୍ତୀ ରହିଛି । ଏଠାକାର ଵନର ପୁଷ୍ପାଦି ଯୋଗୁଁ ସବୁଆଡେ ସୁବାସ ମହକି ଉଠୁଥିଲା । ସେହି ମହକରେ ଆକୃଷ୍ଟ ହୋଇ ସ୍ୱର୍ଗର ଇନ୍ଦ୍ର ଇନ୍ଦ୍ରାଣୀ ମର୍ତ୍ତ୍ଯକୁ ଓହ୍ଲାଇ ଏଠାରେ ଅନେକ ଦିନ ଵିହାର କରିଵାକୁ ଲାଗିଲେ । ସ୍ଥାନୀୟ ଜନଜାତୀୟ ଲୋକେ ସେମାନଙ୍କ ପାଇଁ ମାଟି ଝାଟିର ସୁନ୍ଦର ଘରଟିଏ ତିଆରି କରିଦେଲେ ।

ପାଖ ପାହାଡ ତଳେ ରହିଥିଲା ଆଉ ଗୋଟେ ଉପତ୍ୟକା । ଥରେ ଇନ୍ଦ୍ର ବୁଲୁ ବୁଲୁ ସେହି ଉପତ୍ୟକାରେ ପହଞ୍ଚିଲେ । ଉପତ୍ୟକାରେ ବସିଥିଲା ଫୁଲର ହାଟ । ଉଡି ବୁଲୁଥିଲେ ଅସଂଖ୍ୟ ପକ୍ଷୀ ଓ ପ୍ରଜାପତି । ସେମାନଙ୍କ ସହିତ ଘୁରି ବୁଲୁଥିଲା ଜଣେ ଅସାମାନ୍ୟ ସୁନ୍ଦରି ନାରୀଟିଏ ।




ନାମ ତାର ଉଦନ୍ତି । ତାର ସୈାନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଇନ୍ଦ୍ର ତାକୁ ପ୍ରେମ ନିଵେଦନ କଲେ । ତହୁଁ ପ୍ରେମିକ ପ୍ରେମିକା ହୋଇ ସେମାନେ ଫୁଲ ବଗିଚାରେ ଘୁରି ବୁଲିଲେ । ଉଦନ୍ତିକୁ ପାଇ ଇନ୍ଦ୍ର ଭୁଲି ଗଲେ ଇନ୍ଦ୍ରାଣୀଙ୍କ କଥା । ଏଇମିତିରେ କଟିଗଲା ଅନେକ ଦିନ ।

ଏଣେ ଇନ୍ଦ୍ର ଦେବତାଙ୍କ ବାଟ ଚାହିଁ ଚାହିଁ ଇନ୍ଦ୍ରାଣୀ ଆଖିରେ ଲୁହ ଝରାଇଲେ । ଜନଜାତୀୟ ଲୋକମାନେ ଧାଇଁ ଯାଇ ଇନ୍ଦ୍ରଙ୍କର ଠାଵ ଠିକଣା ଉଣ୍ଡି ଆସିଲେ ।

ଉଦନ୍ତି—ଇନ୍ଦ୍ର ପ୍ରଣୟ କଥା ଜାଣି ଇନ୍ଦ୍ରାଣୀ ଦୁଃଖରେ ଭାଙ୍ଗି ପଡି଼ଲେ । ନଖାଇ ନପିଇ ବସି କାନ୍ଦିଲେ । ଆଦିବାସୀ ଲୋକମାନେ ତାଙ୍କୁ ଜଗି ବସିଲେ । ବଣରୁ ଫଳ ମୂଳ ଆଣି ଖାଇଵାକୁ ଦେଲେ ।




ଶେଷରେ ଦିନେ ଅସହ୍ଯ ହେଲାରୁ ଇନ୍ଦ୍ରାଣୀ ଅଭିଶାପ ଦେଲେ...

"ଇନ୍ଦ୍ର ଓ ଉଦନ୍ତି ବିହାର କରୁଥିଵା ସୁନ୍ଦର ଉପତ୍ୟକାରେ ମରୁଭୁମିର ଵିଭିଷିକା ସୃଷ୍ଟି ହେଵ, ଆଉ ଵର୍ଷା ହେଵ ନାହିଁ । ଇନ୍ଦ୍ର ଓ ଉଦନ୍ତି ହୋଇଯିବେ ଦୁଇଟି ସୁଖା ନଈ । ପରସ୍ପର ଵିପରୀତ ଦିଗରେ ଗତି କରିଵେ । କେବେ ମିଶି ପାରିଵେ ନାହିଁ ।"

ଅଭିଶାପ ଫଳିଲା । ଇନ୍ଦ୍ର ଓ ଉଦନ୍ତି ନଈ ଦୁଇଟି ଵିପରୀତ ଦିଗରେ ବହି ଚାଲିଲେ ।  ଏଣେ ଇନ୍ଦ୍ରାଣି ମଧ୍ୟ ଇନ୍ଦ୍ରାବତି ନଈ ହୋଇ ବହିଗଲେ, ଅନ୍ୟ ଦିଗକୁ ମୁହଁ କରି ।

ଆଜି ନୂଆପଡ଼ା ଜିଲ୍ଲାର କାର୍ଲାକୋଟ ନିକଟରେ ଯେଉଁ ତିଖାଲି ଡ୍ଯାମ୍ ରହିଛି ତାକୁ lower indra dam ବି କୁହାଯାଏ । ସେଇଠି ଇନ୍ଦ୍ର ନଦୀ ଓ ସୁନ୍ଦର ନଦୀ ମିଶିଛି ଏଵଂ ସେ ନଦୀ ସୁନ୍ଦର ନଦୀ ନାମ ବହି ତେଲ୍ ନଦୀରେ ଯାଇ ମିଶିଅଛି ।

କିମ୍ବଦନ୍ତୀ କୁହେ ଇନ୍ଦ୍ର ଓ ଉଦନ୍ତି ନଦୀ କେବେ ମିଶିପାରିଲେ ନାହିଁ ତେବେ ଉଦନ୍ତି ଓ ଇନ୍ଦ୍ର ଉଭୟ ନଦୀର ଜଳ କିନ୍ତୁ ତେଲ୍ ନଦୀରେ ମିଶିଥାଏ ।

ଏ ନଦୀର ନାମ ଉଦନ୍ତି କାହିଁକି ହେଲା ? ସମ୍ଭଵତଃ ଉଦନ୍ତି ନଦୀର ଗୁଣ ଯୋଗୁଁ ଏ ନଦୀର ଏଭଳି ନାମକରଣ ହୋଇଥାଇପାରେ ।

ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି ଅଟେ ।
ଏକ ସଂସ୍କୃତ ଇଂରାଜୀ ଅଭିଧାନରେ ଉଦନ୍ତ ଶବ୍ଦର ଅନେକ ଅର୍ଥ ରହିଛି ଯଥା_

ଉଚ୍ଛୁଳିଵା(flowing over),ଭଲ,ଧାର୍ମିକ(virtuous),ଅତି ଉତ୍ତମ, କାହାକୁ ଛାଡ଼ି ପଳାୟନ(running over), କାର୍ଯ୍ୟର ସମାପ୍ତି,ସମ୍ଵାଦ ଵା ଵାର୍ତ୍ତା,ଵ୍ୟାପାର ଦ୍ଵାରା ଜୀଵିକାନିର୍ଵାହ କରୁଥିଵା ଵ୍ଯକ୍ତି,ଵିଶ୍ରାମ, ବୁଦ୍ଧିମାନ,ଵଳିଦାନ,ଅମଳକାଳ, ଇତିହାସ,ଶେଷ ଯାଏଁ  କହିଵା ଇତ୍ୟାଦି ଇତ୍ୟାଦି

ଉଦନ୍ତି ନଦୀରେ ପ୍ରତିଵର୍ଷ ଵନ୍ଯା ହୋଇଥାଏ ଅର୍ଥାତ୍ ଏ ନଦୀର ଜଳ କୂଳ ଲଙ୍ଘନ କରେ ବୋଲି ଵନ୍ଯା ହୋଇଥାଏ । ଏଠାରେ ଉଦନ୍ତ ଶବ୍ଦର flowing over ଵା କୂଳ ଲଙ୍ଗି ଉଚ୍ଛୁଳିଵା ଅର୍ଥଟି ପ୍ରକାଶ ପାଇଛି । ତେବେ ସବୁନଦୀରେ ଆଗେ ଵନ୍ଯା ହିଁ ହେଉଥିଲା ଏଥିରେ ନୂଆ କ'ଣ ରହିଗଲା ?





ସମ୍ଭଵତଃ ଉଦନ୍ତ ଶବ୍ଦର running over ଵା ଅନ୍ଯକୁ ଛାଡି଼ ପଳାୟନ କରିଵା ଅର୍ଥରେ ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି କରି ଏ ନଦୀର ନାମ ରଖାଯାଇଅଛି । କିମ୍ବଦନ୍ତୀ ଅନୁସାରେ  ଉଦନ୍ତି ନାମକ କନ୍ଯା ଓ ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଅଭିଶାପ ଦେଇଥିଲେ ଯେ ସେମାନେ କେବେ ମିଶିପାରିବେ ନାହିଁ । ସମ୍ଭଵତଃ ଇନ୍ଦ୍ରଙ୍କୁ ଛାଡ଼ି ଅନ୍ଯ ଏକ ଦିଗକୁ ପଳାୟନ କରି ନଦୀ ଭାବେ ପ୍ରଵାହିତ ହୋଇଥିଵା ହେତୁ ଏ ନଦୀର ନାମ ଉଦନ୍ତି ରଖାଯାଇଥିଲା ।

ଓଡ଼ିଆ ସାହିତ୍ୟରେ ଉଦନ୍ତ ଶବ୍ଦର ଅନେକ ସ୍ଥାନରେ ଵ୍ଯଵହାର ହୋଇଅଛି । ଏ ଶବ୍ଦର ଵିଶେଷତଃ ସମ୍ବାଦ,ଵାର୍ତ୍ତା ଓ ସମାଚାର ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖାଯାଏ ।

✓ଏବେ ହୋ ଶୁଣ ପରୀକ୍ଷିତ ।
ଋଷଭ ଉତ୍ତାରେ ଯେମନ୍ତ ।। ୧।।
କହିବା ତହିଁର ଉଦନ୍ତ ।
ରାଜନ ହୁଅ ଏକଚିତ୍ତ ।। ୨।।
(ପଞ୍ଚମ ସ୍କନ୍ଧ,ଭାଗଵତ, ଜଗନ୍ନାଥ ଦାସ)

✓ବେଗରେ ବେତ୍ର କର ଗତି ମତ୍ସ୍ୟ ଚହଟ।
ବୋଲିବାର ମଣିମାଭେକରଟ,
         ବାଟେ ଦ୍ବିବିତ କହିଲା ଏ ଉଦନ୍ତ ।
ସୁଦନ୍ତଶୋଭୀ ଶୁଣି ଭାଳେ ,
             ବିଭୁ ବିରାଗୀ ମୋହଠାରେ ହେଲେ ।୨।
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

✓କୁକ୍କୁଟକୁ ମୁକୁଟ ସେ ଗିରିକୂଟେ ଦେଇ
ଲଭି ବଲ୍ଲଭୀ ଉଦନ୍ତ ଦୂତ ପଠିଆଇ ଯେ ।
ଜଳେ ସେତୁ କଲେ ଶିଳେ ନଳେ ଦେଇ ଯଶ ।
ଲଙ୍କା ବେଢ଼ି ଶଙ୍କା କରାଇଲେ ଦୈତ୍ୟବଂଶ ଯେ ।
(ଲାଵଣ୍ଯଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

✓ସେ ଭଵନୁ ଜେମା ହେଲେ ନିରୁଦ୍ଦେଶ
                                          ବ‌ହୁ ଅନ୍ୱେଷଣ କରି,
ନ ଭବି ଉଦନ୍ତ ଅଵଶେଷେ କ୍ଷାନ୍ତ  ହେଲେ
                                             ଉତ୍କଳ କେଶରୀ । (ପାର୍ଵତୀ,କଵିଵର ରାଧାନାଥ ରାୟ)

✓ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।
କହ କହ ତପୀବର ଏ କିସ ଚରିତ ।୧୫।
(ମାଣବସା ଲକ୍ଷ୍ମୀ ପୁରାଣ, ବଳରାମ ଦାସ)

ସେହିପରି ଵିପ୍ଳଵୀ ଵୀର ସୁରେନ୍ଦ୍ର ସାଏଙ୍କ ଭାଇମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଉଦନ୍ତ ସାଏ ।ସୁରେନ୍ଦ୍ର,ଉଦନ୍ତ, ଧ୍ରୁଵ, ଉଜ୍ଜ୍ୱଳ, ଛଵିଳ, ଜାଜ୍ଜ୍ୱଳ ଓ ମେଦିନୀ ଇତ୍ୟାଦି ସେମାନେ ଛଅଭାଇ ।





ଉଦନ୍ତୀ ନଦୀର ଉଭୟ ପାର୍ଶ୍ଵରେ ପ୍ରସ୍ତରଯୁଗୀୟ ଜନଵସତି ଗଢି଼ଉଠିଥିଵାର ପ୍ରମାଣ ନିକଟରେ ଗଵେଷକମାନଙ୍କୁ ମିଳିଅଛି । ନଙ୍ଗଲବୋଡ଼ ଅଞ୍ଚଳରୁ ଆଵିଷ୍କୃତ ପ୍ରସ୍ତର ଯୁଗର ଵିଶାଳ ଲଙ୍ଗଳ ପଥର  ହେଉ କି ସାନବେହେଲି ଓ ଲୁଠାଗଡ଼ ଅଞ୍ଚଳର ପ୍ରାଚୀନ ରାଜପ୍ରସାଦର ଧଂସାଵଶେଷ ଏ ନଦୀକୂଳରେ ଭରି ରହିଛି ଏମିତି ଅନେକ ପ୍ରାଚୀନ ମାନଵ ସଭ୍ଯତାର ସ୍ମୃତି ଚିହ୍ନ । ସମ୍ଭଵତଃ ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ଘଟଣାଵଳୀର ଉଦାନ୍ତ ପ୍ରଚାର କରିଆସୁଥିଵାରୁ ଏ ନଦୀର ନାମ ଉଦନ୍ତୀ କରାଯାଇଥାଇପାରେ ।

Tuesday, July 21, 2020

ଅତି ସର୍ଵତ୍ର ଵର୍ଜୟେତ୍

ଇଂଲଣ୍ଡରେ ହେନେରୀ ନାମକ ଵୃଦ୍ଧ ଶହେ ଵର୍ଷର ହୋଇଯାଇଥିଲେ ହେଁ ତାଙ୍କ ଦେହରେ ଯୁଵତୁଲ୍ୟ ବଳ ଥିଲା । ସେ କେଵଳ ଫଳ ଖାଇ ବଞ୍ଚିଥିଲେ । ସ୍ଥାନୀୟ ରାଜା ଯେତେଵେଳେ ଜାଣିଲେ ତାଙ୍କ ରାଜ୍ୟରେ ଏମିତି ଜଣେ ଵୃଦ୍ଧ ଅଛନ୍ତି ସେ ତାଙ୍କୁ ଲୋକ ପଠେଇ ଡକେଇଲେ ।

ତାଙ୍କ ପାଇଁ ଶହ ଶହ ପ୍ରକାରର ଖାଦ୍ୟ ଦ୍ରଵ୍ଯ ଆସିଲା । ଵୃଦ୍ଧଙ୍କର ଅଭାଵ ଥିଵାରୁ ସେ କିଛି ଖାଇଵାକୁ ପାଉନଥିଲେ । ଜଙ୍ଗଲରୁ ଫଳମୂଳ ଆଣି ଚଳୁଥାନ୍ତି ଏବେ ଭୂରିଭୋଜନ ମିଳିଵାରୁ ସେ କୋଉ ଛାଡୁଛନ୍ତି । ପେଟ ଫାଟିଲାଯାଏଁ ଖାଇଲେ । ଏତେ ଖାଇଲେ ଏତେ ଖାଇଲା ଯେ...
ତାହା ଶବ୍ଦରେ ଵର୍ଣ୍ଣନାତୀତ ...

ହେଲେ ତା ପରଦିନ ଜଣାଗଲା ଯେ ଦେଶର ସବୁଠାରୁ ଵୃଦ୍ଧ ଵ୍ଯକ୍ତି ସେହି ଵୟୋଵୃଦ୍ଧ ହେନେରୀ ଆଉ ନାହାନ୍ତି  ମରି ସାରିଛନ୍ତି

ତେଣୁ ଶାସ୍ତ୍ରରେ କୁହାଯାଇଛି ଅତି ସବୁଵେଳେ ଘାତକ ଏଵଂ  ଅତିକୁ ସଵୁଵେଳେ ଵର୍ଜନ କରିଵା ଵିଧେୟ

“ଅତିରୂପେଣ ଵୈ ସୀତା ଅତିଗର୍ଵେଣ ରାଵଣଃ ।
ଅତିଦାନାଦ୍ ବଳିର୍ବଦ୍ଧୋ ହ୍ଯତି ସର୍ଵତ୍ର ଵର୍ଜୟେତ୍ ।।”

Thursday, July 16, 2020

ଦୟାର ସାଗର ପ୍ରଭୁ ଦୟାମୟ

ଦୟାର ସାଗର ତୁମେ କରୁଣାମୟ
କର ହେ ଦୟା ପ୍ରଭୁ ତୁମେ ଦୟମୟ ।।

ନଜାଣେ ମୁଁ ପୂଜା ମନ୍ତ୍ର ନଜାଣେ ମୁଁ ସ୍ତୁତି
ତୁମକୁ ମୁଁ ଜାଣେ ପ୍ରଭୁ ହେ ଯଦୁପତି !

ମାୟାର ସାଗରେ ପ୍ରଭୁ ଦୟାଟି କରି
ଉଦ୍ଧାରି ଆଣ ଆମକୁ ତୁମେ ଶ୍ରୀହରି !!

ନଜାଣେ ମୁଁ ପୂଜା ମନ୍ତ୍ର ନଜାଣେ ମୁଁ ସ୍ତୁତି
ତୁମକୁ ମୁଁ ଜାଣେ ପ୍ରଭୁ ହେ ଯଦୁପତି !

ଯେତେ ଜୀଵ ତରୁ ତୃଣ ସବୁ ତୁମ ମାୟା,
ତୁମ୍ଭ ଇଛା ବିନା ନୋହେ ଆଲୋକ କି ଛାୟା ‌।।

ତୁମ୍ଭର ପାଦପଦ୍ମେ  ପ୍ରଥନା ହେ ହରି
ଜନମେ ଜନମେ ରହୁ ହୃଦେ ଭକ୍ତି ଭରି ।।

ନଜାଣେ ମୁଁ ପୂଜା ମନ୍ତ୍ର ନଜାଣେ ମୁଁ ସ୍ତୁତି
ତୁମକୁ ମୁଁ ଜାଣେ ପ୍ରଭୁ ହେ ଯଦୁପତି !

ଜାମଶେଦପୁରେ

ଜାମଶେଦପୁର ଆଜି ଏକ ଶିଳ୍ପ ନଗରୀ ଭାବେ ଵିଖ୍ଯାତ ତେବେ ଆଗେ ଏମନ୍ତ ନଥିଲା । କାଳିମାଟି ,ସାକ୍ନୀ ଆଦି ଅନେକ ଓଡ଼ିଆ ଗାଆଁ  ଏଠାରେ ରହିଥିଲା ।

ଟାଟା କମ୍ପାନୀ ଦ୍ଵାରା ସ୍ଥାନୀୟ ଲୋକଙ୍କ ପୈତୃକ ସମ୍ପତ୍ତି ଅଧିଗ୍ରହଣ ଓ କାରଖାନା ସ୍ଥାପନ ପରେ  ଏ ଅଞ୍ଚଳର ନାମ ଜାମଶେଦ ଟାଟାଙ୍କ ନାଆଁରେ ଜମଶେଦପୁର ରଖା ଯାଇଛି ।

ଏ ଵିଷୟରେ ଏକ ଓଡ଼ିଆ ଗୀତିକଵିତା ଏକ ପୁସ୍ତକରେ ଥରେ ପାଇଥିଲି କିନ୍ତୁ ଏ କଵିତାର କଵି କିଏ ତାହା ସେଠାରେ ଉଲ୍ଲେଖ ନଥିଲା ।

କଵିତାର ନାମ #ଜାମସେଦପୁରେ...

ଏହି ଯେ ନଗରୀ ଆଜି ମୁଁ ଦେଖେ ନୟନେ ଚାହିଁ
ଧନ ଦଉଲତେ ଡଉଲ ସରି ଏହାର କାହିଁ ?

ସଉଧୁ ସଉଧ ଗଗନେ ଶିର ଉଠିଛି ଟେକି,
ମରତୁ ରଖିଵା ପାହାଚ ବାନ୍ଧି ସରଗେ ନିକି !

ସୁଖ ସଉଭାଗ୍ଯେ ନିରତେ ହସି ରହନ୍ତି ଜନେ ।
ମର ଦୁଃଖ ଶୋକ ନାହାନ୍ତି ସତେ ଦେଖି ନୟନେ ।

କଳେ ନିତି ଧନ ସଂପଦ ଶିରୀ ଗଢ଼ନ୍ତି କରେ
ଲୁହାରେ କରନ୍ତି ସୁନା ସେ କର ପରଶେ ଖରେ ।

କି ଅଛି ଅପୂର୍ଵ ମର୍ତ୍ତ୍ଯେ ଯା ଧରି ନାହାନ୍ତି ବସି ?
ମନାସନ୍ତି ସତେ ଭୂଞ୍ଜିଵେ ସ୍ଵର୍ଗ ସମ୍ପଦ ହସି ।

ଏହି ଯେ ସମ୍ଭାର ନୟନେ ଦିନେ ଦେଖିଵା ପାଇଁ
ନିଖିଳ ଭୂଵନୁ ସରାଗେ ଜନେ ଆସନ୍ତି ଧାଇଁ ।

ମାଡି଼ ଯେ ଯାଅନ୍ତି ଚରଣେ ଶିଳା
ସରଣୀ ପରେ,
ଅଜାଣିତେ କେତେ ଦରିଦ୍ର ଆଶା ଵିଲୁପ୍ତ ଭାଲେ ।

କଳ ଘନ ମନ୍ଦ୍ର ଗର୍ଜନେ କର୍ଣ୍ଣେ ଶୁଣନ୍ତି ମିଶା
ଦୁଃଖିହୃଦ ଵୃଥା ଗୁପତ ଧୀର ନୀରଵ ଭାଷା ।

କେତେ ଆହା ପଲ୍ଲୀ କୃଷକେ ଚିତ୍ତ ଉଲ୍ଲାସ ତାନେ .
ହଳ ବାହି ଏହି ପ୍ରାନ୍ତର ଭରି ନ ଥିଵେ ଦିନେ ।

କେତେ ତ କୃଷକ ଘରଣୀ ଭୋକେ ଗିରସ୍ତ ଲାଗି
ଭାତ ଘେନି ବିଲେ ଥିଵଟି ଆସି ସରମେ ଭାଗୀ ।

ପ୍ରାଣପତି ପେଟୁ ବଳିଲେ ଲତା ଉଢ଼ାଳେ ବସି ,
ନିଜ ପେଟ ଅଳ୍ପେ ମଉନେ ଭରିଥିଵଟି ହସି ।

ଫେରନ୍ତେ କୁଟୀରେ ଚରଣ ଲାଗିଥିଵ ତା ଭାରି ,
ଗିରସ୍ତ ସଙ୍ଗରେ ନଥିଲେ ,କିଵା କୁଟୀର ଶିରୀ ?

ସେହୀ ଶିରୀମାନ ଭାଙ୍ଗି ତ ଗଢ଼ା ଏ ପୁରୀ ଆଜି ,
ସେହି ପଲ୍ଲୀ ସୁଖଶରଧା ଏଥି ରହିଛି ଭାଜି ।

ଖୋଳିଲେ ମୃତ୍ତିକା ପାଇଵ ହଳ ଲଙ୍ଗଳ ଗାର ,
ଦୁଃଖୀ ହୃଦେ ଦେଖି ପାରିଵ ଧନ ପେଷଣ ଭାର ।

ଗଛ ଲତା ମୂଳ ନିକାଶେ ଆଜି ନଥିଵ ଶୁଖି ,
ଦିନେ ଯହିଁ କାଟି ଫସଲ ଚଷା ଥିଵଟି ରଖି ।

କେଦାର କନକ ସମ୍ଭାରେ ଭରିଥିଵ ତା ମନ,
ତୋଷେ ବରଷଟି ଖାଇ ,ସେ ଯାପିପାରିବ ଦିନ ।

ଆଜି ଏବେ ଯାଇ କେଵଣ ଦୂର ଦୁର୍ଗମ ପଥେ ,
ଧରି ସ୍ତିରୀ ପୁତ୍ର ଅନ୍ଦୁଟି ଥିବ ନିଶୂନ୍ଯ ପେଟେ ।

ସୁମରୁ ଥିବ ତା ଅତୀତ ଭଵ ସମ୍ପଦ କଥା
ଶମନ ଜୀଵନ୍ତ ପୀଡନେ ନୋଇଁ ଦଇନେ
ମଥା ।

ନିଦାରୁଣ ଏହି ଛଵି କେ ଯେବେ ଦେଖିଵ ଲୋଡ଼ି ,
ଏ କୁଵେର ପୁରେ କିପାଇଁ ବାରେ ଆସିଵ ବରି ?

କୁଲିବାର ଯାଇ ଆସେ ତ ମରୁ ପଦା କାନନେ ,
ଅନଶନେ ଯହିଁ ଉଦର ଜାଳି ଭ୍ରମନ୍ତି ଜନେ ।

ରହ , ହେ ନଗରନିବାସି ,ଅର୍ଦ୍ଧ ନୃପତିରାଜି;
ନ ଫେରିବି ଦିନେ ଏ ପୁରେ ,ତେଜି ଯାଉଛି ଆଜି ।

(ଦ୍ରଷ୍ଟଵ୍ଯ—ଏ କଵିତାଟିର କିଏ ରଚୟିତା ଜାଣିଥିଲେ ଏଠାରେ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା)

ବାଘ ଛେଳି ଖେଳ



ନବେ ଦଶକର ଛୁଆ ନିଶ୍ଚୟ ଏଇ ଖେଳ ଖେଳିଥିବେ । ଗାଆଁରେ ଆଜି ବି ପିଲାଏ ଏ ଖେଳ କାଁ ଭାଁ  ଖେଳିଥାଆନ୍ତି । ଢେଙ୍କାନାଳରେ ଏ ଖେଳକୁ "ବାଘ ଛେଳି ଖେଳ" କୁହାଯାଏ । କେଉଁଠି କେଉଁଠି ବାଘ ବଜାରି ମଧ୍ୟ କୁହାଯାଇଥାଏ । ବଡ଼ ଗୋଡ଼ିକୁ ବାଘ ଓ ଛୋଟ ଗୋଡ଼ିକୁ ଛେଳି କୁହାଯାଏ । କେତେକ ଅଞ୍ଚଳରେ ଏ ଖେଳକୁ ବାଘବକୁରି ତ ଆଉ କେତେକ ବାଗ୍'ଡି ମଧ୍ୟ କୁହାଯାଉଥିଲା । ଏକ ଵିଂଶ ଶତାବ୍ଦୀରେ ଏ ଖେଳ ଏବେ ବିଲୁପ୍ତ ହେଵାକୁ ବସିଛି । ଦୁଇ ଜଣ ଖେଳାଳି ମଧ୍ୟରେ ଜଣେ ବଡ଼ ଗୋଡ଼ି ଚଳାଉଥିଵା ବେଳେ ଆଉ ଜଣେ ସାନ ଗୋଡ଼ି ଚଳାଉଥିଲା । ଏ ଖେଳରେ ଦୁଇ ଜଣ ଖେଳାଳି ଖେଳୁଥିଲେ ।  ଖେଳ ଭେଦରେ ଭିନ୍ନ ଭିନ୍ନ ଆକାର ପ୍ରକାରର ଘାଇ କଟାଯାଉଥିଲା ।

🔵ଏ ଖେଳ ପ୍ରସ୍ତୁତି ପାଇଁ କ'ଣ କ'ଣ କରିଵାକୁ ହୁଏ... ?

୧)ସାଧାରଣତଃ ବାଘଛେଳି ଖେଳରେ (ଚିତ୍ର ୧) ଗୋଟିଏ ଵର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତ ଦ୍ବାରା ୧୬ଟି କ୍ଷୁଦ୍ର ଵର୍ଗକ୍ଷେତ୍ରରେ ବଵଭକ୍ତ କରାଯାଏ । ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ ୫ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ବାରା ୩୨ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ। କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ । ଛୋଟ ଛୋଟ ଉକ୍ତ ୧୬ ଵର୍ଗକ୍ଷେତ୍ର ଦ୍ବାରା ୨୫ଟି ଛକ ଉତ୍ପନ୍ନ ହୁଏ ।

🔵ଏ ଖେଳ କେମିତି ଖେଳାଯାଏ...?

ଜଣେ ଖେଳାଳି ୪ଟି ବାଘସୂଚକ ବଡ଼ ଗୋ଼ଡ଼ି ଵା କଉଡ଼ି ବା ମଞ୍ଜି ନିଏ । ଅନ୍ୟ ଜଣକ ୨୦ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ । ଖେଳାଳିମାନେ ନିଜ ନିଜର ସାରମାନଙ୍କୁ ୨୪ଟି ଛକରେ ବସାନ୍ତି ଓ ବାଘକୁ ଚଳିଵା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ।  ଖାଲି ଘରକୁ "ବାଘ ପାଣି ଖାଇବା ଘର" ବୋଲାଯାଏ । ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟଵର୍ତ୍ତୀ ଛକକୁ ଚଳା ଯାଆନ୍ତି ।

ଯେବେ ଯେଉଁ ଛକରେ ବାଘ ସାର ଥାଏ ଓ ତା ପରଵର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ କିନ୍ତୁ ତତ୍ପରଵର୍ତ୍ତୀ ଛକ ଶୂନ୍ୟ ଥାଏ , ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ ।  ଏହିପରି ଅତ୍ଯଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ କିମ୍ବା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରଵର୍ତ୍ତୀ ଦୁଇଟି ଛକ ଶୂନ୍ୟ ନ ରହେ ତେବେ ବାଘମାନେ ଆଵଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ।
ଭିନ୍ନ ଭିନ୍ନ ଜାତୀୟ ବାଘ ଛେଳି ପାଲୀରେ ନାନା ପ୍ରକାରର ନିୟମରେ ଏ ଖେଳ ଓଡ଼ିଶାରେ ଚଳୁଅଛି ।



ଧାଡ଼ି ଧୋକଡ଼ ନାମକ ଏକ ପ୍ରକାରର ବାଘବଜାରି ଜାତୀୟ ଖେଳ ବି ଚଳୁଥିଲା ବୋଲି ଭାଷାକୋଷରୁ ଜଣାଯାଏ (ଚିତ୍ର ୨) । ଏ ଖେଳରେ ମଧ୍ୟ ଦୁଇ ଜଣ ଖେଳାଳି ଖେଳନ୍ତି । ଜଣକର ସାର ଏକ ଵର୍ଣ୍ଣର ୧୧ ଟି ଗୋଡ଼ି ଅନ୍ୟ ଜଣକର ଅନ୍ୟ ଵର୍ଣ୍ଣର ୧୧ଟି ଗୋଡ଼ି ହୋଇଥାଏ ।

ଏକ ସୀମା ରେଖା ଉପରେ ୩ଟି ଵର୍ଗକ୍ଷେତ୍ର ଭୂମିରେ କଟାଯାଇ ତିହିଁରେ ୨୪ଟି ଘର ଵା ଛକ ଅଙ୍କିତ ହୁଏ ।  ଦୁଇ ଜଣଙ୍କର ୨୨ଟି ସାର ବସିଵା ପରେ ୨ଟି ଘର ବଧା ଵା ବହକା ରହେ। ଯେଉଁ ଖେଳାଳିର ୩ଟି ସାର ଗୋଟିଏ ଧାଡ଼ିରେ ରହିଯାଏ ସେଥର ପାଇଁ ସେ ଜିତେ ଏହା ଘଟିଲେ ଅନ୍ୟ ଖେଳାଳିର ଗୋଟିଏ ସାର ମରିଯାଏ। ଏହିପରି ଖେଳୁ ଖେଳୁ ଯାହାର ସବୁ ଗୋଡ଼ିଯାକ ମରିଯାଏ ସେ ହାରେ ।



ପଶ୍ଚିମ ଓଡ଼ିଶାରେ ବାଘଛେଳିକୁ "ବାଘଡି" କୁହାଯାଏ ଏଵଂ ଏ ଶବ୍ଦଟି ବାଘ+ଅଡି଼ = ବାଘଡି଼ ହୋଇଥିଵା ସମ୍ଭଵ । ଆମ ଭାଷାରେ ଛେଳିକୁ ଅଡି଼ ମଧ୍ୟ କୁହାଯାଏ ।  ସେଇଭଳି କଟକାଞ୍ଚଳରେ ଏ ଖେଳକୁ ବାଘମନ୍ଦାରୀ କୁହାଯାଇଥାଏ । ଏ ଖେଳ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଖେଳାଯାଉଥିଲେହେଁ ସବୁ ଜାତୀୟ ଖେଳରେ ଗୋଟିଏ ସାଧାରଣ କିନ୍ତୁ ମୁଖ୍ଯ ନିୟମ ସମାନ ତାହା ହେଲା ବାଘକୁ ଛେଳି ମାନେ ବାନ୍ଧିବା ପାଇଁ ଚେଷ୍ଟା କରିବେ ଓ ବାଘ ଛେଳି ଗୁଡାକୁ ଖାଇବା ପାଇଁ ଚେଷ୍ଟା କରିବ । ବାଘଛେଳି ଖେଳଦ୍ଵାରା କିଏ କେତେ ବୁଦ୍ଧିମାନ ତାହା ଜଣାଯାଉଥିଲା ପୁଣି  ଖେଳ ବଳ ଆଉ ବୁଦ୍ଧିର ଉପଦେଶ ଦିଏ । 


ଉତ୍କଳର ଗ୍ରାମାଞ୍ଚଳରେ ଆଜିକାଲି ଵିଡି଼ଓଗେମ୍ ,ମୋବାଇଲ ଗେମ୍ ଓ  କ୍ରିକେଟ ଭଳି ଵୈଦେଶିକ ଖେଳ ଅଧିକମାତ୍ରାରେ ଖେଳାଯିଵା ଯୋଗୁଁ ବାଘଛେଳି ବାଟି ବୋହୂଚୋରୀ,ଛୁରୀ ଓ ସେକା,ଡାଳୁଆ ଆଙ୍କୁଡି଼ ଓ ବାଡି଼ଡିଆଁ ଆଦି ଶହ ଶହ ଖେଳ କ୍ରମେ ଲୁପ୍ତ ହେଵାକୁ ବସିଛି । 


 



Sunday, July 12, 2020

ଢେଙ୍କାନାଳର ଅସରପା

ଉପକୂଳ ଓଡ଼ିଶାରେ Cockroach ଵା Blatta Orientalisକୁ ଅସରପା କୁହାଯାଏ । କେଉଁଠି କେଉଁଠି ଅସରପାକୁ ଅସରଲା,ଅସର୍ଲା,ଅସରଳା,ଅସରଡା଼ ଓ ଅସଲା ଇତ୍ୟାଦି ମଧ୍ୟ କୁହନ୍ତି ।

ଜୁର୍ଲା,ଝୁର୍ଲା,ଝୁରୁଲା,ଘରରଖା,ତଇଳପିଆ,ପର୍'ହା,ତେଲଚଟା, ସମ୍ବଲପୁରିଆ ପୋକ(ସିଂହଭୂମ) ଇତ୍ୟାଦି ଅସରପଆର ଆହୁରି ଅନେକ ନାମ ଵିଭିନ୍ନ ଅଞ୍ଚଳରେ ଚଳୁଅଛି ।




ତେବେ ଆମ ଢେଙ୍କାନାଳରେ ତେଲୁଣି ପୋକ, ତେନ୍ତୁଳିଆ ବିଚ୍ଛା  ଜାତୀୟ  house centipedeକୁ ଅସରପା କୁହାଯାଏ ।

             (house centipede—ମାଙ୍କଡ଼ସା)


ଏହି ଜୀଵଟି ଦେଖିଵାକୁ ସଁବାଳୁଆ ଓ ଗଉଡୁଣି ପୋକ ଭଳି କିନ୍ତୁ ଏହାର ଲମ୍ବା ଲମ୍ଵା ଗୋଡ଼ ଥାଏ cockroach ପରି ଏହାର ଦୁଇଗୋଟି ନିଶ ମଧ୍ୟ ରହିଥାଏ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିଵ ...
ଯଦି ଢେଙ୍କାନାଳରେ House centipedeକୁ ଅସରପା କହୁଛନ୍ତି ତାହାଲେ ଏ ଅଞ୍ଚଳରେ cockroachକୁ କ'ଣ କୁହନ୍ତି ?

ପ୍ରକୃତରେ ଢେଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ cockroachକୁ ପେରପେରିଆ ଓ କବାଟକଣିଆ କୁହାଯାଏ ।


            (cockroach — କଟକୀ ଅସରପା)


House centipede ପୋକଟି Scutigeromorpha ଵର୍ଗର ଜୀଵ ଏଵଂ ତେନ୍ତୁଳିଆ ବିଛା ମଧ୍ୟ ଏହି ଵର୍ଗର ଅନ୍ତର୍ଭୁକ୍ତ ଅଟେ । House centipede ହେଉଛି Scutigeridae କୀଟ ପରିଵାର ଓ Scutigera କୀଟ ପ୍ରଜାତି ଅନ୍ତର୍ଗତ ଏକ ବହୁପଦ ଯୁକ୍ତ ଜୀଵ ।

ଏଇ ଜୀଵଟି ତେଲୁଣି ଓ ଗଉଡୁଣି ପୋକର ଦୂର ସମ୍ପର୍କୀୟ ଯେହେତୁ ଏମାନେ ସମସ୍ତେ "Myriapoda" "Subphylum"ର ଵର୍ଗୀକୃତ ହୋଇଅଛନ୍ତି ।

ଆଗକାଳରେ ଲୋକଙ୍କର ଝାଟିମାଟିର ଘର ହେଉଥିଲା ଵିଶେଷତଃ ବରଡା,ନଡା଼ ଓ ଛଣ ଛପର ହୋଇଥିଵା ଘରମାନଙ୍କରେ ଏମାନେ ଦେଖାଯାଉଥିଲେ । ଘର ଭିତରେ ରହୁଥିଵା ଝିଟିପିଟି,କବାଟକଣିଆ ଓ ବୁଢିଆଣୀଙ୍କ ପରି ଏମାନେ ମଧ୍ୟ ଛୋଟ ଛୋଟ କୀଟଗୁଡି଼କୁ ଖାଇ ମନୁଷ୍ଯର ଅଶେଷ ଲାଭ କରୁଥିଲେ ।

ତେବେ ଏମାନେ ଵିଷାକ୍ତ ଓ ବହୁପଦଯୁକ୍ତ ହେଉଥିଵା ହେତୁ ଭୟରେ ଲୋକେ ଏମାନଙ୍କୁ ଦେଖିଲା ମାତ୍ରେ ମାରିପକାଉଥିଲେ । ଓଡ଼ିଶାରେ ସାଧାରଣତଃ ଧଳା ରଙ୍ଗର House centipede ଦେଖାଯାଆନ୍ତି ଯୋଉମାନେ ମାନଵ ଦେହରେ ଚାଲିଗଲେ ଘାଆ ହୋଇଯାଏ । ଏମାନଙ୍କୁ ଓଡ଼ିଶାର କେତେକ ଅଞ୍ଚଳରେ ମାଙ୍ଡ଼ସା ମଧ୍ୟ କହିଥାନ୍ତି । କେହି କେହି କୁହନ୍ତି ଏଇ ଜୀଵଠାରୁ ନିର୍ଗତ ଏକ ପ୍ରକାରର ଲାଳ ଵା ରସ ଯୋଗୁଁ ଏଇ ଘାଆ ହୋଇଯାଏ । ଆମ ଅଞ୍ଚଳର କେତେକ ପୁରୁଖା ଲୋକଙ୍କ ଅନୁସାରେ ଶୋଇଥିଵା ମଣିଷଙ୍କ ଉପରେ ଅସରପା ଵା house centipede ମୁତିଦେଲେ ଏଇ ଘାଆ ହୋଇଥାଏ ।

ଆଜକୁ ମାତ୍ର ଦଶ ବାର ଵର୍ଷ ତଳେ house centipede ଯୋଗୁଁ ଘାଆ ହେଲେ ଏଠାକାର ଲୋକେ ଡାକ୍ତରଙ୍କ ପାଖକୁ ନଯାଇ ଵରଂ   ଫୁଙ୍କେଇଵାକୁ(ଝାଡି଼ଵା) ଅଧିକ ପସନ୍ଦ କରୁଥିଲେ ।

ଆମ ସ୍ଵର୍ଗତ ବବା(ବଡବାପା) ଙ୍କୁ ସେଇ ଫୁଙ୍କେଇଵା ଵିଦ୍ଯା ଜଣାଥିଲା ଫଳରେ ଆଖପାଖ ତିନି ଚାରିଖଣ୍ଡ ଗାଆଁର ଲୋକେ ତାଙ୍କ ପାଖକୁ ଆସୁଥିଲେ । ବବା ମନ୍ତ୍ର ପଢି଼ ପ୍ରଥମେ ସଜନା ପତ୍ର ଓ ତତ୍ପରେ ନିମ ପତ୍ର ସେ ଘାଆରେ ଘସୁଥିଲେ ଫଳତଃ ଦିନେ ଦୁଇଦିନରେ ଏ ଘାଆ ଭଲ ହୋଇଯାଉଥିଲା ।

ପ୍ରକୃତରେ ସଜନା ଓ ନିମପତ୍ରର ଔଷଧୀୟ ଗୁଣ ଯୋଗୁଁ ଉକ୍ତ ଘାଆ ଭଲ ହେଉଥିଲା କିନ୍ତୁ ଆଵାହମାନ କାଳରୁ ମନୁଷ୍ୟ ମନରେ ଦୃଢ଼ ଵିଶ୍ଵାସ ଭରିଦେଵା ପାଇଁ ଔଷଧ ସହ ମନ୍ତ୍ରର ଵ୍ଯଵହାର ହେଉଥିଲା ତାହା ଗଵେଷଣା ସାପେକ୍ଷ ନିଶ୍ଚୟ ‌ ।

ଆଗେ cockroachଟା ଅସରପା ନା house centipedeଟା ଅସରପା ତାକୁ ନେଇ ଆମ ଅଞ୍ଚଳର ବଡ଼ ଲୋକଙ୍କ ମଧ୍ୟରେ ହେଉଥିଵା ଅନେକ ଯୁକ୍ତିତର୍କ ଦେଖିଥିଵା ମୋହର ମନେ ପଡୁଛି ।


             (house centipede - ମାଙ୍କଡ଼ସା)


ବାହାରେ ରହି ଵିଭିନ୍ନ ଜିଲ୍ଲାର ପିଲାଙ୍କୁ ଏ ଜୀଵ ଵିଷୟରେ କହିଛି କିନ୍ତୁ ସେମାନେ ଏହାର ଚିତ୍ର ମାଗିଲେ ଦେଇପାରୁନଥିଲି । ସେମିତି ବି ଏ ଜୀଵ କାଁ ଭାଁ ଦେଖାଯାଉଥିଵାରୁ ବହୁ ଚେଷ୍ଟା କରି ବି ସେଦିନିଆ ଚିତ୍ର ମିଳିପାରୁନଥିଲା ।

ଆଜି ଆଉ ଏତେ ଚାଳଘର ନାହିଁ କି ଏ ପ୍ରାଚୀନ ଜୀଵ ବି ସେତେ ଦେଖାଯାଆନ୍ତି ନାହିଁ । ଶେଷଥର ଏ ଅସରପାପୋକକୁ ଆଠ ଦଶଵର୍ଷ ତଳେ ତାହାର  ମୃତାଵସ୍ଥାରେ ଦେଖିଥିଲି । ସେବେଠାରୁ ଦୀର୍ଘ ଆଠ ଦଶ ଵର୍ଷ ହେଵ ଏହି ପୋକର ଇଣ୍ଟରନେଟରେ ଚିତ୍ର ଉଣ୍ଡୁଥିଲେ ହେଁ କେବେ ବି କୃତକାର୍ଯ୍ୟ ହୋଇନଥିଲି । କାଲି ତେନ୍ତୁଳିଆ ବିଛା ଵିଷୟରେ ଏଷଣା କରୁଥିଵା ସମୟରେ ହଠାତ୍ ଏହାର ଚିତ୍ର ମିଳିଯାଇଥିଲା ।




centipede ଶବ୍ଦଟି ଦୁଇଗୋଟି ଲାଟିନ୍ ଶବ୍ଦ ଯୁକ୍ତ ହୋଇ ଗଠିତ ହୋଇଅଛି । ଲାଟିନ୍ ରେ centiର ଅର୍ଥ ଶହେ,ସହସ୍ର ଓ pede ଵା podeର ଅର୍ଥ ପାଦ ଅଟଇ ।

Saturday, July 11, 2020

***"ଅତିଥି ! ତୁମେ କେବେ ଯିଵ ହେ ଅତିଥି ?"***

ତୁମର ଆଗମନର ଚତୁର୍ଥ ଦିନରେ, ଏହି ପ୍ରଶ୍ନ ମୋ ମନରେ ବାରମ୍ବାର ଉଭା ହେଉଛି, ତୁମେ କେବେ ଯିଵ ଅତିଥି ! ତୁମେ କେବେ ମୋ ଘରୁ ବାହାରି ସ୍ଵଗୃହକୁ ପ୍ରତ୍ଯାଗମନ କରିଵ ?

ଯେଉଁ ଖଟ ଉପରେ ତୁମେ ଗୋଡ ବିସ୍ତାରି ବସିଛ, ତା ’ ସାମ୍ନାରେ ଏକ କ୍ୟାଲେଣ୍ଡର ରଖାଯାଇଛି, ଯାହା ମୁଁ ପ୍ରତିଦିନ ବଦଳାଇ ଦେଇଥାଏ | ଆତିଥ୍ୟର ଏହା ଚତୁର୍ଥ ଦିନ, କିନ୍ତୁ ତୁମ ଯିଵାର କୌଣସି ସମ୍ଭାଵନା ଦୃଶ୍ଯ ହେଉନାହିଁ |

ଜ୍ୟୋତିର୍ଵିଜ୍ଞମାନେ ଲକ୍ଷାଧିକ ମାଇଲ ଲମ୍ବା ଯାତ୍ରାକରି ଚନ୍ଦ୍ରପୃଷ୍ଠାରେ ପହଞ୍ଚି ସୁଦ୍ଧା ଏତେ ସମୟ ରହିନଥିଲେ ଯେତିକି କାଳ ତୁମେ ଏଠାରେ ରହିଲଣି । ଏଇ ଚାରିଦିନ ମଧ୍ୟରେ  ତୁମେ ମୋ ଵିଷୟରେ ଯେତିକି ଅନୁସନ୍ଧାନ କରି ଜାଣିଲଣି ସେତିକି ତଥ୍ୟ ଆଜିଯାଏଁ ଚନ୍ଦ୍ର ଵିଷୟରେ ମଧ୍ୟ ସଂଗ୍ରହ ହୋଇନଥିଵ । ତୁମର କଣ୍ ନିଜ ଘର କଥା ଆଦୌ ମନେପଡେନି କିଂଵା ତୁମେ ନିଜ ଘରପରିଵାର ଵିଷୟରେ କେଵେ ଚିନ୍ତା କରନା ? 

ଯେଉଁ ଦିନ ତୁମେ ଆମ୍ଭ ଘରକୁ ଆସିଲ,ମୁଣା ଭିତରେ ମୋ ଟଙ୍କା ଭୟରେ ଥରି ଉଠୁଥିଲା । ତଥାପି ମୁଁ ହର୍ଷ ଆନନ୍ଦରେ ତୁମର ସ୍ଵାଗତ କଲି । ମୋ ପତ୍ନୀ ବହୁତ ଦୟାଳୁ ସେ ତୁମର ଆଗମନକୁ ଈଶ୍ଵରଙ୍କ ଆଗମନ ଵିଚାର କରି ଵାରମ୍ଵାର ଯୁହାର ହେଉଥିଲା ।

ହେ  ଅତିଥି ! ତୁମର ସେଵା, ହେତୁ ଆମର ଜଳଖିଆଟା  ମଧ୍ୟାହ୍ନ ଭୋଜନରେ ପରିଣତ ହୋଇଗଲା ଆଉ ରାତ୍ରୀ ଭୋଜନରେ ମଧ୍ୟ ଆମେ ଗୁରୁପାକ ଖାଦ୍ଯ ଖାଇଵାକୁ ବାଧ୍ୟ ହେଲୁ । ନିଷ୍ଠାନ୍ନ ଯୁକ୍ତ ଖାଦ୍ୟ ଖାଇ ଖାଇ ଆମର ଅର୍ଶ ବାହାରି ଯିଵାର ସମ୍ଭାଵନା ଉପସ୍ଥିତ ହେଲାଣି କିନ୍ତୁ ତୁମ୍ଭେ ନିର୍ଭୟ ନିର୍ଵିକାର ନିଶ୍ଚିନ୍ତ୍ଯ ହୋଇ ସବୁ ଗେମ୍ଫି ଚାଲିଛ ।

ଆମେ ସେଦିନ ତୁମ ପାଇଁ ନଅ ତିଅଣ ଛଅ ଭଜାର ଆୟୋଜନ କରିଛୁ, କ୍ଷୀରି ତିଆରି କରି ବି କାଳେ ଅତିଥି ସନ୍ତୁଷ୍ଟ ନହେଵେ ସେଇ ଭୟରେ ରସଗୋଲା ମଧ୍ୟ ବନେଇଛୁ |

ଆମର ଆଶା ଥିଲା ତେମେ ଆପଣ  ଦ୍ୱିତୀୟ ଦିନର ଉତ୍କୃଷ୍ଟ ଆତିଥ୍ୟରେ ତୃପ୍ତି ଲଭି ଆପଣା ଗୃହ ଅଭିମୁଖେ ବାହୁଡି଼ଯିଵ । କିନ୍ତୁ ଆଜକୁ ଚାରିଦିନ ହୋଇଗଲାଣି ତୁମେ ଏଠାରେ ପଡି଼ରହିଛ ।

ଗତ ରାତ୍ରରେ ଆମ୍ଭ ଘରଣୀ ତୁମଲାଗି ଓଡ଼ିଆ ବାହାଘର ଭୋଜି ଭଳି ଖାଦ୍ୟ ରୋଷେଇ କରି ପରିଷିଥିଲେ,କାନିକା ପାଆସେ ଆମ୍ବୁଲ ଦହି ଖଟା ଘାଣ୍ଟ ତିଅଣର ବାସ୍ନା ବାରି ସାହି ପଡି଼ଶା ଲୋକେ ଦୁଇ ତିନିଥର ଛୁଆ ପଠେଇ ବୁଝିଲେଣି ।  ଭୋଜିର ଆୟୋଜନ କରି ଭାବିଥିଲୁ କାଳେ ଏଥିରେ ତୁମ୍ଭ ଆତ୍ମା ସନ୍ତୁଷ୍ଟ ହେଵ କିନ୍ତୁ ତଥାପି ତୁମେ ଏଠାରେ ଅଛ ।

ତୁମ ଯୋଗୁଁ ଆଜି ଗୃହଲକ୍ଷ୍ମୀ ମୋ ଉପରେ ରାଗି ପଞ୍ଚମ ତେଣୁ ଉପବାସ କରିଵାକୁ ହେଲା କିନ୍ତୁ ତୁମେ ଆଜି ବି ଗଲ ନାହିଁ କହିଲ ପେଟ କଟକଟ କରୁଥିଲା ସପ୍ତାହକୁ ଥରେ ଉପଵାସ କଲେ ଦେହ ଭଲ ରହିଵ  । ତୁମର ଉପସ୍ଥିତି ଆମକୁ ଏତେ ସରି କରିଵ , ଏ ନିଷ୍ପାପ ପୈତୃକ ପ୍ରାଣ ଭୋକରେ ଆଉଟୁପାଉଟୁ ହେଵ, ଏହା କେବେବି ଭାବି ନ ଥିଲୁ ।

"ସକାଳେ ତୁମେ ଆସି କହିଲ, ଧୋଇବାକୁ ପୋଷାକ ଦେଵାର ଅଛି !"

ମାନେ ?

ଏହାର ମାନେ ଟା ଆମେ ଏଇଆ ବୁଝିଲୁ ଯେ ତୁମ ମଇଳା ପୋଷାକ ଧୁଆହୋଇ ନ ଶୁଖିଵା ଯାଏଁ  ତୁମେ ଆମ ଘର ଛାଡ଼ିବ ନାହିଁ?

ଏ ଆଘାତ ସାଂଘାତିକ ଥିଲା,ଅପ୍ରତ୍ୟାଶିତ ଥିଲା । ମୁଁ ପ୍ରଥମ ଥର ବୁଝିଲି ଯେ ଜଣେ ଅତିଥି କେବଳ ଦେଵତା ନୁହନ୍ତି । ସେ ମଧ୍ୟ ମଣିଷ ଏଵଂ ବେଳେବେଳେ ରାକ୍ଷସ ବି ହୋଇପାରେ ।

ତୁମ କଥା ଶୁଣି ମୋ ପତ୍ନୀଙ୍କ ଆଖି ବଡ଼ ବଡ଼ ହୋଇଗଲା । ସେ ଢିମା ଆଖିକୁ ମୋର ବଡ଼ ଭୟ । ତୁମେ ଜାଣିନା, ଯେତେଵେଳେ ମୋ ପତ୍ନୀଙ୍କ ଆଖି ବଡ଼ ହୁଏ, ମୋର ହୃଦୟ ଛୋଟ ହେଵାକୁ ଲାଗେ |

ପୋଷାକ ଧୁଆହୋଇ ଆସିଗଲା କିନ୍ତୁ ତୁମେ ଏବେ ବି ଏଠାରେ ଅଛ । ତୁମ ଖଟର ଚାଦର ଦୁଇ ଦୁଇ ଥର ବଦଳା ଯାଇସାରିଛି  ତଥାପି ତୁମେ ଏଠାରେ ଅଛ ।

ଆଉ ଏ ଗୃହାକାଶରେ ହସର ରଙ୍ଗୀନ ବେଲୁନୁ ଉଡୁନାହିଁ | ମିଷ୍ଟ ମଧୁର ଶବ୍ଦଗୁଡି଼କର ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇଯାଇଛି । ଆଖିରେ ଆଖିରେ ଆମେ କେତେ ଯୁଗର ଅକୁହା କଥା ହୋଇଗଲୁଣି, ସବୁ ଵିଷୟରେ ତ କଥା ହୋଇସାରିଲୁଣି ଆଉ କିଛି କଥା ବାକି ନାହିଁ । କିଛି ନୂଆ କରିଵାର ଵିଚାର ମନକୁ ଯୁଟୁନାହିଁ କି ପରିବାର, ପିଲା, ଚାକିରି, ରାଜନୀତି, ସମ୍ପର୍କ, ପୁରୁଣା ବନ୍ଧୁ, ଚଳଚ୍ଚିତ୍ର, ସାହିତ୍ୟ ଇତ୍ୟାଦି କୌଣସି ଵିଷୟରେ ଆଳାପ ଆଲୋଚନାର ଇଛା ସୁଦ୍ଧା ହେଉନାହିଁ ।

ତୁମ ପ୍ରତି ମୋର ସମ୍ମାନ ଇତିମଧ୍ୟରେ ଦ୍ଵେଷରେ ପରିଣତ ହେଵାକୁ ଲାଗିଛି | ମୁଁ ବୁଝିଵାକୁ ଅସମର୍ଥ , ତୁମେ କେଉଁ ପ୍ରକାରର ଅଠା ବୋଳି ହୋଇ ଆମ ଘରକୁ ଆସିଛ ଯେ ଏହାକୁ ଛାଡ଼ି ପାରୁନା କି ନିଜଠାରୁ ଛଡ଼ାଇ ପାରୁନାହଁ ?

ମୋ ପତ୍ନୀ ପଚାରନ୍ତି, ଇଏ କେତେ ଦିନ ରହିବେ କି ? ଏହାର ଉତ୍ତରରେ ମୁଁ ଉପରକୁ ହାତ ଟେକିଦିଏ  । ଏହାର ଅର୍ଥ ! ସବୁ ସେଇ ଜଗାକୁ ଜଣା ! ସେଇ ପରମାତ୍ମା ଏଇ ମହାତ୍ମାଙ୍କୁ ଆମ୍ଭ ଘରକୁ ପଠାଇଛନ୍ତି, ଏହାଙ୍କ ବାହୁଡ଼ା ଦିନଟା ବି ସିଏ ଏକ୍କା ଜାଣିଥିଵେ । ମୋ ପତ୍ନୀ ଯେତେବେଳେ ବି ଏଇ ପ୍ରଶ୍ନ ପଚାରନ୍ତି, ମୁଁ ଉତ୍ତର ଦେଇ ନପାରି କେଵଳ କାଳିଆକୁ ମନେ ପକାଏ ।  ଆମ୍ଭ ଘରୁ ତୁମ୍ଭର କେବେ ଯିଵା ହେଵ ଅତିଥି ?

ମୁଁ ବୁଝୁଛି ଯେ ତୁମକୁ ମୋ ଘର ବଡ଼ ଅଏନ୍ ଲାଗୁଛି ଆମ ଘରର ଖାଦ୍ଯରେ ତୁମ୍ଭ ମନ କେତେ ଯେ ଉଷତ ହେଉଛି । ସମସ୍ତେ ଅନ୍ୟମାନଙ୍କ ଘରେ ରହିବାକୁ ବହେ ସୁଖପାଆନ୍ତି । ଯଦି ସମ୍ଭଵ ହୁଅନ୍ତା ତେବେ ଲୋକମାନେ ଅନ୍ୟର ଘରେ ଯାଇ ରହନ୍ତେ, ଅନ୍ୟର ପତ୍ନୀଙ୍କୁ ଵିଭା ହୁଅନ୍ତେ । କିନ୍ତୁ ଘରକୁ ମନ୍ଦିର ଏଵଂ ହୋମ୍ କୁ ସ୍ଵିଟ୍ ହୋମ୍ ଏଇଥିପାଇଁ କୁହାଯାଇଛି  ଯେମିତି ଅତିଥିମାନେ ତାଙ୍କ ନିଜ ଘରକୁ ମନେ ପକାଇ ଲେଉଟିଯିଵେ   ।

ଆମର ଏତେଗୁଡିଏ ରାତ୍ରକୁ ତୁମ ଘୁଙ୍ଗୁଡ଼ି ଧ୍ଵନି ଗୁଞ୍ଜନ ଦ୍ଵାରା
ନଷ୍ଟ କଲା ପରେ ତୁମେ ଚାଲିଯାଅ ବନ୍ଧୁ ! ଦେଖ, ସଚ୍ଚୋଟ ହୋଇ ରହିଵାର ମଧ୍ୟ ଏକ ସୀମା ଅଛି ଏଵଂ ଗେଟ୍ ଆଉଟ୍ ମଧ୍ୟ ଏମିତି ପଦେ କଥା ଅଛି ଯାହା ବୋଲା ଯାଇପାରେ |

ଆସନ୍ତାକାଲିର ସୂର୍ଯ୍ୟ ତୁମର ଆଗମନର ଚତୁର୍ଥ ସୂର୍ଯ୍ୟ ହେବ ଏଵଂ ତାହା ମୋର ସହନଶୀଳତାର ଶେଷ ସକାଳ ହେବ | ୟା ପରେ ମୁଁ ଆଉ ସ୍ଥିର ହୋଇ ରହିପାରିବିନାହିଁ କି ତୁମ ଦୌରାତ୍ମ୍ଯ ସହି ପାରିବି ନାହିଁ  ।

ଏହା ସତ୍ୟ ଯେ ଅତିଥି ହୋଇ ଥିଵାରୁ ତମେ ସାକ୍ଷାତ ଈଶ୍ୱର, କିନ୍ତୁ ମୁଁ ମଧ୍ୟ ଜଣେ ମଣିଷ | ଜଣେ ମଣିଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେବତା ସହିତ ରହିପାରିଵ ନାହିଁ ।

ଦେବତାଙ୍କର କାମ ହେଉଛି ଦର୍ଶନ ଦେବେ ଏଵଂ ବାହୁଡ଼ି ଯିଵେ । ଶ୍ରୀଜଗନ୍ନାଥ ମଧ୍ୟ ତାଙ୍କ ମାଉସୀଘରେ ପ୍ରତିଵର୍ଷ ଅତିଥି ହୁଅନ୍ତି ହେଲେ ଧାର୍ଯ୍ୟ ଦିନ ଆପଣା ଗୃହକୁ ବାହୁଡ଼ି ଯାଆନ୍ତି ।  ତୁମେ ମଧ୍ୟ ଆପଣା ଗୃହାଭିମୁଖେ ବାହୁଡ଼ା ଯାତ୍ରା କର ଅତିଥି  । ମୁଁ ମୋ ଧୈର୍ଯ୍ୟ ହରାଇଵା ପୂର୍ଵରୁ ତୁମେ ତୁମ ଘରକୁ ବାହୁଡ଼ି ଯାଅ ଅତିଥି !

ଧେତ୍ ! ତୁମେ କେବେ ଯିଵ ହେ ଅତିଥି  !

(©ହିନ୍ଦୀ ଲେଖକ ଶରଦ ଯୋଶୀଙ୍କ ଵ୍ଯଙ୍ଗ "अतिथि तुम कब जाओगे" ର ଓଡ଼ିଆ ଭାଵାନୁଵାଦ ।)

Sunday, July 5, 2020

ଗୁରୁ ଶିଷ୍ଯ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର,
ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର ।

ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ,
ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ ।

ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ,
ମାନଵକୁ ଦେଇଥାଏ ନିତି ଉପଦେଶ ।

ଯାହା ଦେଖ ଅଛି ତହିଁ ଶିଖିଵାର କଥା,
ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା ।

ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ,
ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ ।

ଯାଵତ ନ ହେଵ ନର ଅଵନୀରେ ଲୀନ,
ଶିଖିଵା ଵିଷୟ ତାର ଅଛି ତେତେ ଦିନ ।

ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ,
ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ ।

ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ,
ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ ।

@ସ୍ଵଭାଵକଵି ଗଙ୍ଗାଧର ମେହେର

Friday, July 3, 2020

ଲୋକକଥାରେ ଚୀନ ଓ ଓଡ଼ିଶାର ଵୀରାଙ୍ଗନା

ଚୀନର ଜଣେ ଵୀରାଙ୍ଗନା 花木蘭(ହୁଆ ମୁଲାନ)ଙ୍କୁ ଅଳ୍ପବହୁତେ ସମସ୍ତେ ଜାଣିଥିଵେ ।  ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ
Guo Maoqian ପ୍ରଥମେ  ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ ।

ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ "ଉତ୍ତର ୱି(Wei) ଯୁଗ" ସମୟର ହୋଇଥିଵା ସମ୍ଭଵ । ଏହାର ସମୟକାଳ ଖ୍ରୀଷ୍ଟାବ୍ଦ ୩୮୬ରୁ ଖ୍ରୀଷ୍ଟାବ୍ଦ ୫୩୫ ମଧ୍ୟରେ  ବୋଲି ଐତିହାସିକ ମାନେ ଅନୁମାନ କରିଅଛନ୍ତି ।

ମାଣ୍ଡାରିନରେ mùlán ଏକ ଚୀନଦେଶୀୟ ଫୁଲ
Magnolia liliifloraର ନାମ ଏଵଂ ହୁଆ ଶବ୍ଦର ଅର୍ଥ ଫୁଲ ଅଟେ । ହୁଆ ଏକ ପ୍ରସିଦ୍ଧ ଚୀନଦେଶୀୟ ଉପନାମ ମଧ୍ୟ ଅଟଇ ।

ହୁଆମୁଲାନଙ୍କ କିମ୍ବଦନ୍ତୀ ଅନୁସାରେ ନିଜ ଦେଶ ଉପରେ ପଡୋ଼ଶୀରାଜ୍ଯର ସୈନ୍ୟ ଆକ୍ରମଣ ଯୋଗୁଁ ହୁଆ ମୁଲାନଙ୍କ ପିତା ସମେତ ଅଧିକାଂଶ ଯୋଦ୍ଧାଙ୍କୁ ଯୁଦ୍ଧକ୍ଷେତ୍ରରେ ଯୋଗ ଦେଵାକୁ ରାଜାଙ୍କ ଦ୍ଵାରା ଆଦେଶପତ୍ର ପ୍ରେରଣ କରାଗଲା ।

ହୁଆମୁଲାନଙ୍କର ପିତା ଅସୁସ୍ଥ ଥିଵାରୁ ସେ ପୁରୁଷ ବେଶ ଧାରଣପୂର୍ଵକ ଉକ୍ତ ଯୁଦ୍ଧରେ ଯୋଗ ଦେଇ ଦୃଶ ପାଇଁ ସଂଗ୍ରାମ କରିଥିଲେ । କେତେକ ଅଞ୍ଚଳର ଲୋକକଥା ଅନୁସାରେ ହୁଆମୁଲାନ ଯୁଦ୍ଧରେ ଵିଜୟୀ ହୋଇଥିଲେ ତ ଆଉ କେତେକ କିମ୍ବଦନ୍ତୀରେ ସେ ଯୁଦ୍ଧ କରି କରି ପ୍ରାଣଵଳି ଦେଇଥିଵା ଵର୍ଣ୍ଣିତ ହୋଇଅଛି ।

ଇଏ ତ ଗଲା ଚୀନ ଦେଶୀୟ ଵୀରାଙ୍ଗନା ହୁଆ ମୁଲାନଙ୍କ କାହାଣୀ କିନ୍ତୁ କ'ଣ ଆପଣ ଜାଣିଛନ୍ତି ଆମ ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ଏଭଳି ଜନୈକା ଵୀରାଙ୍ଗନାଙ୍କର ଵର୍ଣ୍ଣନା ରହିଛି ।

ଇଏ ହେଉଛନ୍ତି ପ୍ରଥମ ଶତାବ୍ଦୀର ଵୀରାଙ୍ଗନା ଓ ସମ୍ରାଟ ଖାରବେଳଙ୍କର ଦ୍ଵିତୀୟ ପତ୍ନୀ ଧୂସୀ ଓ ତାଙ୍କର  କାହାଣୀ । ପଂଡିତ ନୀଳକଂଠ ତାଙ୍କର "ଖାରବେଳ" କାଵ୍ଯରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି ।

ନୀଳକଂଠଙ୍କର "ଖାରବେଳ" କାଵ୍ଯର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅବସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା  ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ ।

ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି  ଅଞ୍ଚଳ ଭାବେ ଚିହ୍ନଟ କରାଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui ।

ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ ।

ଖାରବେଳ ପ୍ରଥମେ "ପଟଳ"ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥି କରିବାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ।

ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ  "ଧୂସି" । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି "ଧୂସି"ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା ।

ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ ଧ୍ଵଂସି ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯବାହିନୀରେ ଯୋଗ  ଦେଇଥିଲେ।

ଏହି ସମୟରେ ଦତ୍ତିମ(ଡିମେଟ୍ରିୟସ୍; କାଵ୍ଯରେ ନୀଳକଂଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ ।

ସେନାପତି "ଧୂସି" ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ।

ଏହାପରେ  ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାବ୍ୟର ମିଳନାତ୍ମକ ସମାପ୍ତି ଘଟିଛି ।

ଦତ୍ତିମ ଵା ଡିମେଟ୍ରିୟସ୍'ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାବଳୀରେ ଧୂସିଙ୍କର ଵୀରତାର କଥା ରହିଛି ।  ସମ୍ଭଵତଃ ପଂଡିତ ନୀଳକଂଠ ଏଇ ଚିତ୍ରାବଳୀ ସହ ଇତିହାସର ସମ୍ମିଶ୍ରଣରେ କାହାଣୀଟି ସୃଷ୍ଟି କରିଅଛନ୍ତି ।

ହୁଆ ମୁଲାନ ଚରିତ୍ରକୁ ନେଇ ଅନେକ ଚଳଚ୍ଚିତ୍ର ଆସି ସାରିଛି । ୨୦୦୯ର Mulan: Rise of a Warrior ଓ ଏ ଵର୍ଷର mulan ଚଳଚ୍ଚିତ୍ର ଛଡ଼ା Disney ଦ୍ଵାରା ଦୁଇଗୋଟି ଆନିମେସନ ମୁଵି ବି ତିଆରି ହୋଇଅଛି ।

ତେବେ ଦୁଃଖର ଵିଷୟ "ଖାରବେଳ ଓ ଧୂସି"ଙ୍କ ପ୍ରେମକାହାଣୀ ଓ ସଂଘର୍ଷକୁ ନେଇ ବଲିଉଡ କି ଓଲିଉଡରେ ଆଜିଯାଏଁ କୌଣସି ଚଳଚ୍ଚିତ୍ର ନିର୍ମାଣ ହେଵା ଶୁଣାଯାଏ ନାହିଁ ।

କଳିଙ୍ଗ ଦେଶରେ କଥା କାହାଣୀର ଅଭାଵ ନାହିଁ କିନ୍ତୁ କାହିଁକି କେଜାଣି ଏଠାକାର ଚଳଚ୍ଚିତ୍ର ନିର୍ମାତା ନିଜ ଅଞ୍ଚଳର ସହସ୍ରାଧିକ କାହାଣୀ ଥାଉ ଥାଉ ଆନ ଭାଷାର ଚଳଚ୍ଚିତ୍ରକୁ ଅଵିକଳ ନକଲ କରିଵାକୁ ସର୍ଵଦା ଚେଷ୍ଟା କରିଚାଲିଛନ୍ତି ?

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...