Sunday, July 12, 2020

ଢେଙ୍କାନାଳର ଅସରପା

ଉପକୂଳ ଓଡ଼ିଶାରେ Cockroach ଵା Blatta Orientalisକୁ ଅସରପା କୁହାଯାଏ । କେଉଁଠି କେଉଁଠି ଅସରପାକୁ ଅସରଲା,ଅସର୍ଲା,ଅସରଳା,ଅସରଡା଼ ଓ ଅସଲା ଇତ୍ୟାଦି ମଧ୍ୟ କୁହନ୍ତି ।

ଜୁର୍ଲା,ଝୁର୍ଲା,ଝୁରୁଲା,ଘରରଖା,ତଇଳପିଆ,ପର୍'ହା,ତେଲଚଟା, ସମ୍ବଲପୁରିଆ ପୋକ(ସିଂହଭୂମ) ଇତ୍ୟାଦି ଅସରପଆର ଆହୁରି ଅନେକ ନାମ ଵିଭିନ୍ନ ଅଞ୍ଚଳରେ ଚଳୁଅଛି ।




ତେବେ ଆମ ଢେଙ୍କାନାଳରେ ତେଲୁଣି ପୋକ, ତେନ୍ତୁଳିଆ ବିଚ୍ଛା  ଜାତୀୟ  house centipedeକୁ ଅସରପା କୁହାଯାଏ ।

             (house centipede—ମାଙ୍କଡ଼ସା)


ଏହି ଜୀଵଟି ଦେଖିଵାକୁ ସଁବାଳୁଆ ଓ ଗଉଡୁଣି ପୋକ ଭଳି କିନ୍ତୁ ଏହାର ଲମ୍ବା ଲମ୍ଵା ଗୋଡ଼ ଥାଏ cockroach ପରି ଏହାର ଦୁଇଗୋଟି ନିଶ ମଧ୍ୟ ରହିଥାଏ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିଵ ...
ଯଦି ଢେଙ୍କାନାଳରେ House centipedeକୁ ଅସରପା କହୁଛନ୍ତି ତାହାଲେ ଏ ଅଞ୍ଚଳରେ cockroachକୁ କ'ଣ କୁହନ୍ତି ?

ପ୍ରକୃତରେ ଢେଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ cockroachକୁ ପେରପେରିଆ ଓ କବାଟକଣିଆ କୁହାଯାଏ ।


            (cockroach — କଟକୀ ଅସରପା)


House centipede ପୋକଟି Scutigeromorpha ଵର୍ଗର ଜୀଵ ଏଵଂ ତେନ୍ତୁଳିଆ ବିଛା ମଧ୍ୟ ଏହି ଵର୍ଗର ଅନ୍ତର୍ଭୁକ୍ତ ଅଟେ । House centipede ହେଉଛି Scutigeridae କୀଟ ପରିଵାର ଓ Scutigera କୀଟ ପ୍ରଜାତି ଅନ୍ତର୍ଗତ ଏକ ବହୁପଦ ଯୁକ୍ତ ଜୀଵ ।

ଏଇ ଜୀଵଟି ତେଲୁଣି ଓ ଗଉଡୁଣି ପୋକର ଦୂର ସମ୍ପର୍କୀୟ ଯେହେତୁ ଏମାନେ ସମସ୍ତେ "Myriapoda" "Subphylum"ର ଵର୍ଗୀକୃତ ହୋଇଅଛନ୍ତି ।

ଆଗକାଳରେ ଲୋକଙ୍କର ଝାଟିମାଟିର ଘର ହେଉଥିଲା ଵିଶେଷତଃ ବରଡା,ନଡା଼ ଓ ଛଣ ଛପର ହୋଇଥିଵା ଘରମାନଙ୍କରେ ଏମାନେ ଦେଖାଯାଉଥିଲେ । ଘର ଭିତରେ ରହୁଥିଵା ଝିଟିପିଟି,କବାଟକଣିଆ ଓ ବୁଢିଆଣୀଙ୍କ ପରି ଏମାନେ ମଧ୍ୟ ଛୋଟ ଛୋଟ କୀଟଗୁଡି଼କୁ ଖାଇ ମନୁଷ୍ଯର ଅଶେଷ ଲାଭ କରୁଥିଲେ ।

ତେବେ ଏମାନେ ଵିଷାକ୍ତ ଓ ବହୁପଦଯୁକ୍ତ ହେଉଥିଵା ହେତୁ ଭୟରେ ଲୋକେ ଏମାନଙ୍କୁ ଦେଖିଲା ମାତ୍ରେ ମାରିପକାଉଥିଲେ । ଓଡ଼ିଶାରେ ସାଧାରଣତଃ ଧଳା ରଙ୍ଗର House centipede ଦେଖାଯାଆନ୍ତି ଯୋଉମାନେ ମାନଵ ଦେହରେ ଚାଲିଗଲେ ଘାଆ ହୋଇଯାଏ । ଏମାନଙ୍କୁ ଓଡ଼ିଶାର କେତେକ ଅଞ୍ଚଳରେ ମାଙ୍ଡ଼ସା ମଧ୍ୟ କହିଥାନ୍ତି । କେହି କେହି କୁହନ୍ତି ଏଇ ଜୀଵଠାରୁ ନିର୍ଗତ ଏକ ପ୍ରକାରର ଲାଳ ଵା ରସ ଯୋଗୁଁ ଏଇ ଘାଆ ହୋଇଯାଏ । ଆମ ଅଞ୍ଚଳର କେତେକ ପୁରୁଖା ଲୋକଙ୍କ ଅନୁସାରେ ଶୋଇଥିଵା ମଣିଷଙ୍କ ଉପରେ ଅସରପା ଵା house centipede ମୁତିଦେଲେ ଏଇ ଘାଆ ହୋଇଥାଏ ।

ଆଜକୁ ମାତ୍ର ଦଶ ବାର ଵର୍ଷ ତଳେ house centipede ଯୋଗୁଁ ଘାଆ ହେଲେ ଏଠାକାର ଲୋକେ ଡାକ୍ତରଙ୍କ ପାଖକୁ ନଯାଇ ଵରଂ   ଫୁଙ୍କେଇଵାକୁ(ଝାଡି଼ଵା) ଅଧିକ ପସନ୍ଦ କରୁଥିଲେ ।

ଆମ ସ୍ଵର୍ଗତ ବବା(ବଡବାପା) ଙ୍କୁ ସେଇ ଫୁଙ୍କେଇଵା ଵିଦ୍ଯା ଜଣାଥିଲା ଫଳରେ ଆଖପାଖ ତିନି ଚାରିଖଣ୍ଡ ଗାଆଁର ଲୋକେ ତାଙ୍କ ପାଖକୁ ଆସୁଥିଲେ । ବବା ମନ୍ତ୍ର ପଢି଼ ପ୍ରଥମେ ସଜନା ପତ୍ର ଓ ତତ୍ପରେ ନିମ ପତ୍ର ସେ ଘାଆରେ ଘସୁଥିଲେ ଫଳତଃ ଦିନେ ଦୁଇଦିନରେ ଏ ଘାଆ ଭଲ ହୋଇଯାଉଥିଲା ।

ପ୍ରକୃତରେ ସଜନା ଓ ନିମପତ୍ରର ଔଷଧୀୟ ଗୁଣ ଯୋଗୁଁ ଉକ୍ତ ଘାଆ ଭଲ ହେଉଥିଲା କିନ୍ତୁ ଆଵାହମାନ କାଳରୁ ମନୁଷ୍ୟ ମନରେ ଦୃଢ଼ ଵିଶ୍ଵାସ ଭରିଦେଵା ପାଇଁ ଔଷଧ ସହ ମନ୍ତ୍ରର ଵ୍ଯଵହାର ହେଉଥିଲା ତାହା ଗଵେଷଣା ସାପେକ୍ଷ ନିଶ୍ଚୟ ‌ ।

ଆଗେ cockroachଟା ଅସରପା ନା house centipedeଟା ଅସରପା ତାକୁ ନେଇ ଆମ ଅଞ୍ଚଳର ବଡ଼ ଲୋକଙ୍କ ମଧ୍ୟରେ ହେଉଥିଵା ଅନେକ ଯୁକ୍ତିତର୍କ ଦେଖିଥିଵା ମୋହର ମନେ ପଡୁଛି ।


             (house centipede - ମାଙ୍କଡ଼ସା)


ବାହାରେ ରହି ଵିଭିନ୍ନ ଜିଲ୍ଲାର ପିଲାଙ୍କୁ ଏ ଜୀଵ ଵିଷୟରେ କହିଛି କିନ୍ତୁ ସେମାନେ ଏହାର ଚିତ୍ର ମାଗିଲେ ଦେଇପାରୁନଥିଲି । ସେମିତି ବି ଏ ଜୀଵ କାଁ ଭାଁ ଦେଖାଯାଉଥିଵାରୁ ବହୁ ଚେଷ୍ଟା କରି ବି ସେଦିନିଆ ଚିତ୍ର ମିଳିପାରୁନଥିଲା ।

ଆଜି ଆଉ ଏତେ ଚାଳଘର ନାହିଁ କି ଏ ପ୍ରାଚୀନ ଜୀଵ ବି ସେତେ ଦେଖାଯାଆନ୍ତି ନାହିଁ । ଶେଷଥର ଏ ଅସରପାପୋକକୁ ଆଠ ଦଶଵର୍ଷ ତଳେ ତାହାର  ମୃତାଵସ୍ଥାରେ ଦେଖିଥିଲି । ସେବେଠାରୁ ଦୀର୍ଘ ଆଠ ଦଶ ଵର୍ଷ ହେଵ ଏହି ପୋକର ଇଣ୍ଟରନେଟରେ ଚିତ୍ର ଉଣ୍ଡୁଥିଲେ ହେଁ କେବେ ବି କୃତକାର୍ଯ୍ୟ ହୋଇନଥିଲି । କାଲି ତେନ୍ତୁଳିଆ ବିଛା ଵିଷୟରେ ଏଷଣା କରୁଥିଵା ସମୟରେ ହଠାତ୍ ଏହାର ଚିତ୍ର ମିଳିଯାଇଥିଲା ।




centipede ଶବ୍ଦଟି ଦୁଇଗୋଟି ଲାଟିନ୍ ଶବ୍ଦ ଯୁକ୍ତ ହୋଇ ଗଠିତ ହୋଇଅଛି । ଲାଟିନ୍ ରେ centiର ଅର୍ଥ ଶହେ,ସହସ୍ର ଓ pede ଵା podeର ଅର୍ଥ ପାଦ ଅଟଇ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...