Monday, November 9, 2020

ଓଡି଼ଆ ଭାଗବତର କଥା ୧

ଭାଗବତର ଏକାଦଶ ସ୍କନ୍ଧର ପ୍ରଥମ ଅଧ୍ଯାୟରେ ଜାତୀୟକବି ଶ୍ରୀଜଗନ୍ନାଥ ଦାସ ପଦେ ରଚିଲେ "ସେ କଥା ପ୍ରାକୃତେ ପ୍ରକାଶ,ଆରମ୍ଭେ ଜଗନ୍ନାଥ ଦାସ !!" ଏଠାରେ ବ୍ଯବହୃତ ପ୍ରାକୃତେ ଶବ୍ଦଟି କେଉଁ ଅର୍ଥରେ ପ୍ରୟୋଗ ହୋଇଅଛି ? ଶ୍ରୀଜଗନ୍ନାଥ ଦାସ କେଉଁ ଭାଷାରେ ଭାଗବତ ରଚିଥିଲେ ? ପ୍ରାକୃତ ଶବ୍ଦର ଅର୍ଥ କଣ ? ଆମ ଭାଷାରେ ପ୍ରାକୃତ ଶବ୍ଦର ନିମ୍ନୋକ୍ତ ଅର୍ଥ ରହିଛି -- (ସକାରାତ୍ମକ ଅର୍ଥ)- ଅକୃତ୍ରିମ,ପ୍ରାକୃତିକ,ସହଜ,ସ୍ବାଭାବିକ,ପ୍ରଜାସମ୍ବନ୍ଧୀୟ,ସାଧାରଣ                            (ନକାରାତ୍ମକ ଅର୍ଥ)- ଇତର,ଅଶିଷ୍କ,ଅଶିକ୍ଷିତ,ଭୌତିକ,ମାୟାମୟ ଓ ହେୟ ଇତ୍ଯାଦି ! ଭାଷା କ୍ଷେତ୍ରରେ ପ୍ରୟୋଗ ସମୟରେ 'ପ୍ରକୃତ ଭାଷା' ଶବ୍ଦଟି ମାଗଧୀ ଭାଷା,ପ୍ରଚଳିତଭାଷା,ପାଲୀ ଭାଷା,ଅସଂସ୍କୃତ ଭାଷା,ସାଧାରଣଜନଙ୍କ ଭାଷା,ସହଜ ଭାଷା,ପ୍ରାଦେଶିକ ଭାଷା ଓ ଲୌକିକ ଭାଷା ଅର୍ଥରେ ପ୍ରୟୋଗ ହୋଇଥାଏ ! ସଂସ୍କୃତ ଈଶ୍ବରଙ୍କ ଭାଷା ଏବଂ ପ୍ରାକୃତ ଲୌକିକ ଭାଷା ସେତେବେଳେ ଏଭଳି ବିଚାର ପ୍ରଚଳିତ ଥିଲା ! 

ପ୍ରାକୃତ ଭାଷା ବା ଲୌକିକ ଭାଷାକୁ ହୀନ ମନେ କରାଯାଉଥିଲା କିନ୍ତୁ ଆଜି ଆମେ ଜାଣିଛୁ ଯେ ଆମ ପ୍ରାକୃତ ଓଡ଼ିଆ ଭାଷା ଅନେକ କ୍ଷେତ୍ରରେ ଆଧୁନିକ ସଂସ୍କୃତଠାରୁ ଶ୍ରେଷ୍ଠ ! ବୈଦିକ ସଂସ୍କୃତ ଓ ପ୍ରାଚୀନ ଆର୍ଯ୍ଯଭାଷାର ଅନେକ ଗୁଣ ଓଡ଼ିଆ ଭାଷାରେ ଏବେ ମଧ୍ଯ ଦୃଶ୍ଯ ହୋଇଥାଏ ! 

ଗୋଟିଏ ଲୌକିକ ଭାଷା ବି ସଂସ୍କୃତକୁ ନିଜ ମଧ୍ଯରେ ସମାହିତ କରିନେଇ ଶାସ୍ତ୍ରୀୟ ବିବେଚିତ ହୋଇପାରେ ବୋଧହୁଏ ଏକଥା ତତ୍କାଳୀନ ଯୁଗର ଅହଂକାରୀ ପଣ୍ଡିତ ସ୍ବପ୍ନରେ ସୁଦ୍ଧା ଭାବିନଥିବେ ! ଯେଉଁ ଭାଷାର ଭାଗବତକୁ ଏକଦା ତେଲୀ ଭାଗବତ କହି ଅପମାନ କରାଯାଉଥିଲା ସେ ପ୍ରାକୃତ ଭାଷା ଆଜି ଭାରତର ଏକ ବଡ଼ଭାଷା ପୁଣି ଶାସ୍ତ୍ରୀୟ ବିଦିତ ହେଉଅଛି ! ଏହା ସାମାନ୍ଯ କଥା ନୁହେଁ ଏହା ଓଡ଼ିଆ ପ୍ରାକୃତର ଜୟଯାତ୍ରାର ଅବିସ୍ମରଣୀୟ କାହାଣୀ ! ଏ ଜାତି, ଓଡ଼ିଆ ଭାଗବତ ଓ ଭାଗବତଟୁଙ୍ଗିରୁ ଆରମ୍ଭ ହୋଇଥିବା ଭାଷା ଆନ୍ଦୋଳନରୁ ଶିକ୍ଷା ନେବା ଉଚିତ୍ ! 

ଭାଷା ଆନ୍ଦୋଳନ ଆଜି ବି ବଳବତ୍ତର ରହିଛି ! ଓଡ଼ିଆ ପ୍ରାକୃତକୁ ସମ୍ପୂର୍ଣ୍ଣ ପ୍ରଶାସନିକ ମାନ୍ଯତା ,କେନ୍ଦ୍ରରେ ଏକ ଜାତୀୟ ଭାଷାର ମାନ୍ଯତା ଆଜିର ଭାଷା ଆନ୍ଦୋଳନର ଆଭିମୁଖ୍ଯ ହେବା କଥା ! 

ସବୁବେଳେ ମନେ ରଖିବା ଉଚିତ୍ ଯେ ଓଡ଼ିଆ ଭାଷା ଆନ୍ଦୋଳନ ଆଜିର ନୁହେଁ ସାରଳା ମହାଭାରତ ଓ ଭାଗବତ ରଚନା ଆରମ୍ଭ କାଳରୁ ଏହା ହୋଇ ଆସିଛି ଏବଂ ଯେତେ ଦିନ ଯାଏଁ ଏ ମହାନ ଦେଶର ମହାନ ଭାଷାକୁ ତାହାର ସମ୍ମାନ ମିଳିନାହିଁ ତାହା ଏମିତି ଚାଲିଥିବ ! ଜୟ ଓଡ଼ିଆ ,ଜୟ ଓଡ଼ିଶା , ଜୟ ଜଗନ୍ନାଥ !!!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...