ଓଡ଼ିଶାରେ ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଅର୍ଥାତ୍ ମାର୍ଗଶୀର ଵା ମାର୍ଗଶୀର୍ଷ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ଛାଡ଼ଖାଇ ପାଳିତ ହୋଇଥାଏ । କାର୍ତ୍ତିକ ମାସଯାକ ଵ୍ରତ ପାଳନ କରି ମାର୍ଗଶୀର ମାସର କୃଷ୍ଣ ପ୍ରତପଦାରେ ମାସଯାକ ମଧ୍ୟରେ ଛଡ଼ା ଯାଇଥିଵା ଖାଦ୍ୟ ଏହିଦିନ କାର୍ତ୍ତିକ ଵ୍ରତ ପାଳିଥିଵା ଲୋକଙ୍କ ଦ୍ଵାରା ଖିଆଯାଏ ବୋଲି ଛାଡ଼ଖାଇ ନାମକରଣ କରାଯାଇଛି l
କାର୍ତ୍ତିକ ମାସରେ କେଵଳ ହବିଷାନ୍ନ ଗ୍ରହଣ କରି ଵ୍ରତ ପାଳିତ ହୋଇଥାଏ । ହବିଷ କରିଵା ଵ୍ୟକ୍ତିମାନେ ସୂର୍ଯ୍ୟାସ୍ତ ସମୟରେ ଅରୁଆ ଅନ୍ନ, ମୁଗ ଡ଼ାଲି ,ସାରୁ, ଅଦା ଓଉ, ନଡ଼ିଆ କଦଳୀ, ଅଗସ୍ତୀଶାଗ, ଗଇଁଠା ପିଠା, ବେତକନ୍ଦା ଆଦି ସାତ୍ତ୍ଵିକ ଵସ୍ତୁ ଖାଇ ହବିଷ କରନ୍ତି । କେହି କେହି ଏଥି ସଙ୍ଗେ କଇଁଥ, କମଳାଲେମ୍ବୁ, କନ୍ଦମୂଳ ଖାଆନ୍ତି । ଓଡ଼ିଶାର କେତେକ ଅଞ୍ଚଳରେ ଆମ୍ବିଳ ଦ୍ରଵ୍ୟ,ପିଆଜ ,ରସୁଣ ,ପୋଇ,ଛତୁ ଓ ଲାଉ ଆଦି କାର୍ତ୍ତିକ ଵ୍ରତ କରିଵା ଲୋକେ ଖାଆନ୍ତି ନାହିଁ । ହବିଷରେ ଲଙ୍କା ମରିଚ ଖାଇଵା ନିଷିଦ୍ଧ ଏଵଂ ହବିଷ ତିଅଣ ଫୁଟାଯାଏ ନାହିଁ ଵା ବଘରା ହୁଏନାହିଁ। ତେଣୁ ହବିଷ ତୈଳ ବାଟଣାହୀନ ସାତ୍ତ୍ୱିକ ଖାଦ୍ୟ ହୋଇଥାଏ ।
କାର୍ତ୍ତିକ ଵ୍ରତ ଶେଷପରେ ମାର୍ଗଶିର ମାସର ପ୍ରଥମ ଦିନରେ ଓଡ଼ିଶାର ନରନାରୀ ବାଟଣା ଓ ମାଲପା ଯୁକ୍ତ ରାଜସିକ ଖାଦ୍ୟ ଭକ୍ଷଣ କରୁଥିଲେ । ରାଜସିକ ଖାଦ୍ୟ କହିଲେ କେଵଳ ଆମିଷ ଖାଦ୍ୟ ନୁହେଁ । ଅତ୍ୟଧିକ ବାଟଣାଯୁକ୍ତ ଯେକୌଣସି ଗୁରୁପାକ ତିଅଣ ଓ ରନ୍ଧାଖାଦ୍ୟ ରାଜସିକ ଖାଦ୍ୟ ପଦଵାଚ୍ୟ ।
ଚାରିଶତଵର୍ଷର ପରାଧୀନତା ଓ ଵୈଦେଶିକ ଜାତୀୟ ଲୋକଙ୍କ ସଂସ୍ପର୍ଶରେ ଆସି ଅଧୁନା ଓଡ଼ିଶାର ଲୋକେ ଅଧିକ ପରିମାଣରେ ମାଂସ ମାଛ ଭକ୍ଷଣ କରୁଅଛନ୍ତି ଏଵଂ ଛାଡ଼ଖାଇ ଅଧୁନା ହୋଇଯାଇଛି ଆମିଷ ଭକ୍ଷଣର ଉତ୍ସଵ ।
ଛାଡ଼ଖାଇ ନାଆଁରେ ଦୁଇଗୋଟି ଶବ୍ଦ ରହିଛି ଛାଡ଼ ଓ ଖାଇ । ଓଡ଼ିଆ ଭାଷାରେ ଛାଡ଼ ଶବ୍ଦଟି ଛାଡି଼ଵା କ୍ରିୟାର ଏକ ରୂପ ଏଵଂ ଏହି ଛାଡି଼ଵା କ୍ରିୟାର ଆମ ଭାଷାରେ ଚାଳିଶରୁ ଅଧିକ ଅର୍ଥରେ ଵ୍ୟଵହାର ରହିଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ ଶବ୍ଦର ପନ୍ଦରଗୋଟି ଅର୍ଥ ଲେଖାଅଛି ଯଥା— ଵିଚ୍ଛେଦ, ଵର୍ଜନ ଵା ତ୍ଯାଗ,ଦୂରୀକରଣ,ମୁକ୍ତି,ଦେଯ ଆଦି ଦେଵା ଦାୟିତ୍ବରୁ ମୁକ୍ତି(Remission), ଆଦେଶପତ୍ର, ଜ୍ବର ଆଦି ଦେହରୁ ଛାଡ଼ିଯିଵା, ମୁକ୍ତି ଦେଵାର ପତ୍ର ଵା ପାଉଣା ଆଦି ଦାଯିତ୍ବ ସମ୍ବନ୍ଧୀୟ ମୁକ୍ତିପତ୍ର(ଫରାକତି),ଛାଡ଼ ଚିଠି, କୌଣସି ଵ୍ୟକ୍ତିଙ୍କୁ କୌଣସି ଦେଶର ସୀମା ଟପିଵା ଵା ଅନ୍ୟ ଦେଶରେ ବିଚରଣ କରିଵା ନିମନ୍ତେ ଦିଆଯିଵା ଅନୁମତିପତ୍ର ଵା Pass, ଭଟା(ପଡ଼ିଆ ଜୁଆର),ଵିରତି; ଵିରାମ, ଵିଶ୍ରାମ,ଵ୍ୟଵଧାନ, କାର୍ଯ୍ୟ ବନ୍ଦ ଓ ନାମ ସୂଚୀ ଆଦିରେ ଅନ୍ତର୍ଭୁକ୍ତ ନ ହେଵା ଇତ୍ୟାଦି । ଛାଡ଼ ଶବ୍ଦଟି ଏକ ଭାରୋପୀୟ ଭାଷାପରିଵାର ମୂଳର ଶବ୍ଦ ଏଵଂ ଭାଷାଵିଦ୍ ଏହାର ସଂସ୍କୃତ ତତ୍ସମ ସମୋଦ୍ଧୃତ ରୂପକୁ ନେଇ ସହମତ ନୁହନ୍ତି । ଯଥାକ୍ରମେ କ୍ଷୋଟ(କାଟିଵା),ସାରଣ(Remove) ଓ ଛୋରଣ(ପରିତ୍ୟାଗ) ଦି ଶବ୍ଦ ସହିତ ଛାଡି଼ଵା କ୍ରିୟାର ସଗୋତ୍ରୀୟ ସମ୍ପର୍କ ଥିଵା ଭାରତର ଵିଭିନ୍ନ ଭାଷାଵିଦ୍ ମତ ଦେଇଛନ୍ତି ।
ତେବେ ଛାଡ଼ଖାଇ କ୍ଷେତ୍ରରେ ଛାଡ଼ ଶବ୍ଦଟି ଏହାର ମୂଳ ଅର୍ଥ ଵର୍ଜନ ଓ ତ୍ୟାଗ ଆଦି ଅର୍ଥରେ ଖାଇଵା କ୍ରିୟାର ମୂଳ ରୂପ ଖାଇ ସହିତ ଯୁକ୍ତ ହୋଇଅଛି । ଏଣୁ ଛାଡ଼ଖାଇର ଆକ୍ଷରିକ ଅର୍ଥ ହେଲା “ମାସକ ପାଇଁ ଛଡ଼ା ଯାଇଥିଵା ଖାଦ୍ୟ ଖାଇଵା” ।
ଅଧୁନା ଲୋକେ ମାର୍ଗଶିର ମାସର ପ୍ରଥମ ଦିନରେ ଆୟୋଜିତ ଛାଡ଼ଖାଇ ଦିନ ମାଛମାଂସ ଭକ୍ଷଣ କରୁଥିଵା ହେତୁରୁ ଶନିଵାର,ସୋମଵାର,ମଙ୍ଗଳଵାର ଓ ଗୁରୁଵାରରେ ଛାଡ଼ଖାଇ ପଡି଼ଥିଲେ ଅନ୍ୟ ଦିନରେ ଏହା ପାଳନ କରିଥାନ୍ତି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିଵା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତ୍କାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିଵା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା କରିଵା ପାଇଁ ଏହି ଭଳି ପୁରୁଣା ପୁରୁଣା ପୁସ୍ତକର ଅଧ୍ଯୟନ କରିବାକୁ ହୋଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ଘରେ ଘରେ ପରିଚିତ ଛାଡ଼ଖାଇ ଵିଷୟରେ ଜାଣିଵାକୁ ଉଣ୍ଡିଲାରୁ ଏହି ଵିଶାଳକାୟ ଶବ୍ଦଗ୍ରନ୍ଥର ପୃ-୨୭୯୫ ତଥା ପୃ-୮୧୫୦ ରେ ଏହି ପର୍ଵ ସମ୍ଵନ୍ଧିତ ଦୁଇଗୋଟି ଶବ୍ଦ ମିଳିଲା
🟠(କ)ଛାଡ଼ଖାଇ
🟠(ଖ)ସଭାଖାଈ(ସଵାଖାଇ,ସଵାଖାଈ)
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଓ ସଭାଖାଈ ତଳେ ଦ୍ରଷ୍ଟଵ୍ୟ ପ୍ରାୟ ସମାନ ରହିଛି । ସଭାଖାଈ ଶବ୍ଦଟି ଅଵିଭକ୍ତ ଗଞ୍ଜାମ ଅଞ୍ଚଳର ତଥା ଏହା ସଵାଖାଇ ଶବ୍ଦ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ ଉଲ୍ଲେଖ ରହିଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରେ ଉଲ୍ଲେଖ ଅଛି ଯେ
“ହବିଷିଆଳିମାନେ କାର୍ତ୍ତିକମାସ ଯାକ ଵ୍ରତ କରିଥିଵା ଯୋଗୁଁ ଯେଉଁ ଯେଉଁ ଖାଦ୍ଯ ଛାଡ଼ିଥାଆନ୍ତି ତାହା 'ଛାଡ଼ଖାଇ' ଦିନ ଖାଆନ୍ତି ।”
ସେହିପରି ଭାଷାକୋଷରେ ‛ସଭାଖାଇ’ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରେ ଲେଖାଅଛି
“ସଭାଖାଇ ଵା ସଵାଖାଇ ହେଉଛି ଛାଡ଼ଖାଇର ନାମାନ୍ତର । କାର୍ତ୍ତିକ ମାସରେ ହବିଷ୍ଯ (ନିରାମିଷ କିନ୍ତୁ ଅଣ ଉତ୍ତେଜକ ଭୋଜନ) କରୁଥିଵା ଵ୍ଯକ୍ତିମାନେ କାର୍ତ୍ତିକ ପୁର୍ଣ୍ଣିମା ବାସୀ ଦିନ ହବିଷ୍ଯ ଵ୍ରତ ଉଦ୍ୟାପନ କରିଵା ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ସମସ୍ତ ପ୍ରକାର ଖାଦ୍ଯ ଖାଇଵା ରୂପକ ଉତ୍ସଵ”
ଉଭୟ ଦ୍ରଷ୍ଟଵ୍ୟର ସୂକ୍ଷ୍ମ ଵିଚାର କରିଵାରୁ କେତେକ ନିଷ୍କର୍ଷ ପ୍ରାପ୍ତ ହେଵାରୁ ତାହା ନିମ୍ନରେ ପ୍ରଦାନ କରାଗଲା ।
■କ■
ଆଗେ କାର୍ତ୍ତିକମାସ ଯାକ ଵ୍ରତ କରି ମାର୍ଗଶିର ମାସରେ ଏକ ମାସ ପାଇଁ ଛାଡ଼ କରିଥିଵା ଖାଦ୍ୟ ଭକ୍ଷଣ କରିଥିଲେ ହବିଷିଆଳି । ହବିଷିଆଳିମାନେ ପିଆଜ,ରସୁଣ,ପୋଇ,ଲାଭ,ଲଙ୍କାମରିଚ ଭଳି କେତେକ ଦ୍ରଵ୍ୟ କାର୍ତ୍ତିକ ମାସରେ ଵ୍ରତ କରୁଥିଵାରୁ ଖାଉନଥିଲେ ଯାହା ମାର୍ଗଶିର ମାସର ପ୍ରାତପଦାରେ ଭକ୍ଷଣ କରୁଥିଲେ ।
■ଖ■
ଆଜକୁ ପ୍ରାୟ ୧୦୦ଵର୍ଷ ତଳେ ଓଡ଼ିଶାର ଘରେ ଘରେ ଛାଡ଼ଖାଇ ଦିନ ନିରାମିଷ କିନ୍ତୁ ଵିଭିନ୍ନ ରାଜସିକ ଭୋଜନ ପ୍ରସ୍ତୁତ ହେଉଥିଲା । ସେତେଵେଳେ ନୂଆଖାଇରେ ସବୁ ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ଯେମିତି ପର୍ଵ ପାଳନ ହେଉଥିଲା ତଦନୁରୂପ ଛାଡ଼ଖାଇ ଦିନ ବି ଏହି ଵ୍ରତର ଉଦ୍ୟାପନ ବନ୍ଧୁଜନଙ୍କ ସହିତ ମିଳିମିଶି କରାଯାଉଥିଲା ଯାହା ଆଜିକାଲି ଆଉ ଅଧିକାଂଶ ସ୍ଥାନରେ ହେଉନାହିଁ ।
■ଗ■
ବହୁତ ସମ୍ଭଵ ଛାଡ଼ଖାଇ ଦିନ ନିରାମିଷ ଖାଦ୍ୟ ଭକ୍ଷଣ ଯାଏଁ ଲୋକମାନେ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ଏ ପର୍ଵ ପାଳୁଥିବେ ଏଵଂ ପରଵର୍ତ୍ତୀକାଳରେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଆଧୁନିକତା ନାମରେ ‛ଅତି ମାଂସ ମତ୍ସ୍ୟ ଭକ୍ଷକ’ ହେଲାରୁ ସ୍ଵ ସ୍ଵ ଗୃହରେ ଆମିଷ କରି ଭକ୍ଷଣ କରିଵା ଆରମ୍ଭ କରିଦେଇଥିବେ ।
■ଘ■
ଉଭୟ ଦ୍ରଷ୍ଟଵ୍ୟରେ ଜାଣିଶୁଣି ହେଉ କି ଅନ୍ୟ କାରଣଵଶତଃ ମାଂସ କି ମାଛର ଉଲ୍ଲେଖ
କରାଯାଇନାହିଁ ।
■ଘ■
ହବିଷିଆଳମାନେ ତତ୍କାଳୀନ କାଳରେ ଆଜି ଅପେକ୍ଷା ଅଧିକ ଧାର୍ମିକ ହୃଦୟ ଵିଶେଷତଃ ବ୍ରାହ୍ମଣ ଆଦି ଉଚ୍ଚପରିଵାରର ହେଉଥିଵା ହେତୁରୁ ନିଶ୍ଚିତ ମାଂସ ମାଛ ଭକ୍ଷଣ କରୁନଥାଇପାରନ୍ତି ଏଵଂ ମାଂସ ମାଛ ପରି ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିଵା ତଥା ଲାଳୁଆ ଖାଦ୍ୟପଦାର୍ଥ(ପିଆଜ, ରସୁଣ, ପୋଈ ଓ ଲାଉ ଆଦି )ଏହି ମାସରେ ତ୍ୟାଗ କରିଦେଉଥିଲେ (ଵର୍ତ୍ତମାନ ବହୁ ସଂଖ୍ୟକ ସନାତନୀ ମାଂସଭକ୍ଷକ ହୋଇଯାଇଛନ୍ତି ଏମନ୍ତ କି ଉଚ୍ଚକୁଳର ଲୋକେ ସୁଦ୍ଧା ଵର୍ଜିତ ହୋଇଥିଵା ଜୀଵଙ୍କର ମାଂସଭକ୍ଷଣ କରିଵାକୁ ସୁଦ୍ଧା କୁଣ୍ଠାବୋଧ କରୁନାହାନ୍ତି) ।
ଧର୍ମ ସଭ୍ୟତା ସଂସ୍କୃତି ଓ ପରମ୍ପରାକୁ ଵୈଜ୍ଞାନିକ ଦୃଷ୍ଟିକୋଣରେ ଦେଖୁଥିଵା ଲୋକ କୁହନ୍ତି ପୂର୍ଵେ ମଧ୍ୟ ଏ ଦେଶରେ ଅନେକ ଲୋକ ଥିଲେ ଯୋଉମାନେ ମାଛ ମାଂସ ଖାଉଥିଲେ କିନ୍ତୁ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ କଲେ ଵସନ୍ତ ଭଳି ଭୟଙ୍କର ରୋଗରେ ପଡ଼ି ମରିଯିଵାର ଭୟ ରହୁଥିଲା ଫଳତଃ ଆମିଷାସୀ ଲୋକେ ମଧ୍ୟ ବାରଣ ମାନି ଚଳୁଥିଲେ । ଯେଉଁମାନେ ମାନୁନଥିଲେ ସେମାନେ ରୋଗରେ ପଡ଼ି ମରୁଥିଲେ । ଏଭଳି ଅମାନିଆ ଆମିଷ ଭକ୍ଷକମାନେ ମହାମାରୀରେ ପଡ଼ି ମରୁଥିଲେ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହି ମାରି ଵା ମହାମାରୀକୁ ଆଗେ “ଛାଡ଼ଖାଇ ବାଡ଼ି” କୁହାଯାଉଥିଲା । ଆଜି ଔଷଧ ତଥା ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିଵାରୁ ମାନଵମାନେ ଵସନ୍ତ ଆଦି ରୋଗରେ ସେତେ ଆକ୍ରାନ୍ତ ହେଉନାହାନ୍ତି କିନ୍ତୁ ଅତୀତରେ ଏ ରୋଗ ମରାତ୍ମକ ଥିଲା ଫଳତଃ ଆମ ପୂର୍ଵଜମାନେ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ନିଷେଧ କରିଵା ହେତୁକ ତାକୁ ଵ୍ରତ ରୂପେ ପାଳନ କରିଵାକୁ ଲାଗିଲେ ।
ଛାଡ଼ଖାଇର ସୃଷ୍ଟି ଓ ଏହାର ଇତିହାସ ସମ୍ବନ୍ଧିତ କୌଣସି ଯୁକ୍ତିଯୁକ୍ତ ଓ ପ୍ରାମାଣିକ ତଥ୍ୟ ମିଳେନାହିଁ । ଅସ୍ତୁ ସାଧାରଣତଃ ଓଡ଼ିଶାର ଉଭୟ ଆମିଷ ଓ ନିରାମିଷ ଭୋଜନ କରୁଥିଵା ଲୋକେ କାର୍ତ୍ତିକ ମାସରେ ଆମିଷ ଓ ରସୁଣ ଭଳି ଉତ୍ତେଜକ ଖାଦ୍ୟ ଦ୍ରଵ୍ୟ ଖାଉନଥିଲେ । କାର୍ତ୍ତିକ ମାସରେ ଛାଡ଼ିଦେଇ ଥିଵା ଖାଦ୍ୟ ମାର୍ଗଶିର ପ୍ରାତିପଦାରେ ଭକ୍ଷଣ କରାଯାଉଥିଵାରୁ ଏହାକୁ କାଳକ୍ରମେ ଛାଡ଼ଖାଇ ଓ ସବାଖାଇ କୁହାଗଲା । ଛାଡ଼ଖାଇ ଆମିଷ ଓ ନିରାମିଷ ଉଭୟ ଜାତୀୟ ରାଜସିକ ଖାଦ୍ୟ ଭକ୍ଷଣର ଉତ୍ସଵ ଥିଲା ଯାହାକୁ ଆଜିର ଆଧୁନିକ ଓଡ଼ିଆ ଜାତୀୟ ଲୋକେ କେଵଳ ଆମିଷ ଭକ୍ଷଣୋତ୍ସଵରେ ପରିଣତ କରିଅଛନ୍ତି ।