Monday, September 5, 2022

ତିନିଜଣ ଯାତ୍ରୀଙ୍କ କଥା


ତିନିଜଣ ଯାତ୍ରୀ କଳିଙ୍ଗଦେଶକୁ ଯାଉଥାନ୍ତି । ଜଣେ ବଙ୍ଗ ଦେଶର ଆନ ଜଣେ ପୁଣ୍ଟ୍ର ଦେଶର(ଆଧୁନିକ ବଙ୍ଗଳାଦେଶର ଉତ୍ତରାଂଶ) ଏଵଂ ତୃତୀୟ ଜଣକ କୁଣ୍ଡଳା ଦେଶଵାସୀ(ବାଲେଶ୍ଵର ଜିଲ୍ଲାର ଏକ ପ୍ରାଚୀନ ରାଜ୍ୟ) । 


ବଙ୍ଗ ଦେଶୀୟ ଵ୍ୟକ୍ତିର ନାଆଁ ମୋହନ ଏଵଂ ସେ ଧନୀଘରର ପିଲା କିନ୍ତୁ ଭୁଲ୍ ବାଟରେ ଧନ ଉଡ଼େଇଲା ପରେ କାଙ୍ଗାଳ ‌ହୋଇଯାଇଥାଏ ‌।

 ଦ୍ଵିତୀୟ ଯାତ୍ରୀ ପୁଣ୍ଡ୍ରଦେଶଵାସୀ ଏଵଂ ତାହାର ନାମ ରମେଶ,ସେ ମଧ୍ୟ ତା ସ୍ତ୍ରୀ ମଲାପରେ ମଦ୍ଯପ ତଥା ଦ୍ୟୁତକ୍ରୀଡ଼ା ଆସକ୍ତ ହୋଇଗଲାରୁ ଅର୍ଥାଭାଵ ଯୋଗୁଁ ଦରିଦ୍ର ହୋଇଯାଇଥାଏ । 
 
ତୃତୀୟ ଵ୍ୟକ୍ତିଜଣକ ଏକ ଛୋଟିଆ ରାଜ୍ୟ କୁଣ୍ଡଳା ଦେଶର ଅଧିଵାସୀ ଏଵଂ ତାଙ୍କର ନାମ ଗଣେଶ ତଥା ସେ ବଡ଼ ଈଶ୍ଵରଵିଶ୍ଵାସୀ ଓ କର୍ମଵାଦୀ ମଣିଷ । 

ବଙ୍ଗ ଓ ପୁଣ୍ଡ୍ର ଦେଶର ଅଧିଵାସୀଦ୍ଵୟ ପଡ଼ୋଶୀ ରାଜ୍ୟ କଳିଙ୍ଗ ଦେଶର ରାଜା ମହେନ୍ଦ୍ରଵର୍ମାଙ୍କୁ ଦାନୀ ଜାଣି ତାଙ୍କ ପାଖକୁ ଯାଉଥାନ୍ତି । ସେମାନେ କଳିଙ୍ଗ ଦେଶର ଏକ ପାନ୍ଥଶାଳାରେ ରାତ୍ରିଯାପନ କଲେ । ସେତେବେଳକୁ କଳିଙ୍ଗ ରାଜା ମହେନ୍ଦ୍ର ଵର୍ମା ଛଦ୍ମବେଶରେ ସେହି ପାନ୍ଥନିଵାସ ମଧ୍ୟରେ ଉପସ୍ଥିତ ଥାଆନ୍ତି । 

ତିନିଜଣ ଆଗନ୍ତୁକ ପରସ୍ପର ମଧ୍ୟରେ କଥାଵାର୍ତ୍ତା କରୁଥାନ୍ତି । ବଙ୍ଗନିଵାସୀ ଜଣକ କହିଲେ ମୁଁ ଶୁଣିଛି କଳିଙ୍ଗ ରାଜା ବଡ଼ ଦାନୀ ତେଣୁ ମୁଁ ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଵାକୁ ଅନୁରୋଧ କରିବି । ଅର୍ଥ ଥିଲାବେଳେ ମୁଁ ବାବୁ ରଁକ ଜୀଵନ ଵିତାଉଥିଲି ଏବେ ଟଙ୍କା ଚାଲିଗଲା ପରେ ବୁଝୁଛି ଏକ ଏକ ଟଙ୍କା କେତେ ମୂଲ୍ୟଵାନ । ରାଜାଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇଲେ ସିଂହଳ ଲବଙ୍ଗ କି ବାଲି ଦ୍ଵୀପକୁ ବୋଇତରେ ଯାଇ ବେପାର କରିବି ଆଉ ପୂର୍ଵ ପରି ଧନିକ ହୋଇଯିବି ସୁଖରେ ରହିବି । 

ତତ୍ପରେ ପୁଣ୍ଡ୍ରଦେଶରୁ ଆସିଥିଵା ଵ୍ୟକ୍ତି କହିଲା ମୋ ସ୍ତ୍ରୀ ଭୁଵନ ସୁନ୍ଦରୀ ଥିଲା । ତା ଭଳି ରୂପମତି ଗୁଣମତି ସ୍ତ୍ରୀ ସଂସାରରେ ଅତ୍ୟନ୍ତ ଦୁର୍ଲଭ । ତାକୁ ପାଇ ମୁଁ ବଡ଼ ସୁଖରେ କାଳାତିପାତ କରୁଥିଲି । କିନ୍ତୁ ଦୈଵ ଵିଧାନ ଭିନ୍ନ ଥିଲା । କି ବାଡି଼ରୋଗ ଵ୍ଯାପିଲା ଯେ ମହାସ୍ଥାନଗଡ଼ର ଲକ୍ଷ ଲକ୍ଷ ଲୋକ ପୋକମାଛି ଭଳି ମରିଗଲେ । ସେ ପୋଡ଼ାମୁହାଁ ବାଡ଼ି ରୋଗ ଯୋଗୁଁ ମୋ ସ୍ତ୍ରୀ ମୋତେ ଛାଡ଼ି ଆରପାରିକୁ ଚାଲିଗଲା । ମୁଁ କଳିଙ୍ଗ ରାଜାଙ୍କୁ ଦାନୀ ଜାଣି ତାଙ୍କ ପାଖକୁ ଯାଉଅଛି । ମୋତେ ସିଏ ଏକ ସୁନ୍ଦରୀ କନ୍ୟାଦାନ କଲେ ମୁଁ ତାକୁ ନେଇ ନୂଆ ସଂସାର ଗଢି଼ବି । 

ଦୁଇଜଣ ଆଗନ୍ତୁକଙ୍କ କଥାଶୁଣି କୁଣ୍ଡଳାଦେଶଵାସୀ ତୃତୀୟ ଵ୍ୟକ୍ତିଜଣକ କହିଲା ଭାଇମାନେ ତୁମ୍ଭ ଦୁହିଁଙ୍କୁ ଶୁଭ ସୁନ୍ଦର ସମ୍ପନ୍ନ ଉଜ୍ଵଳ ଭଵିଷ୍ୟତର ଶୁଭକାମନା ତେବେ ମୋ କଥା ସମ୍ପୂର୍ଣ୍ଣ ଭିନ୍ନ । ମୁଁ ତ କଳିଙ୍ଗ ଦେଶସ୍ଥ ନୀଳଚାଳଧାମ ଗମନ କରୁଛି । ଶୁଣିଛି କଳିଙ୍ଗ ଦେଶର ପ୍ରକୃତ ରାଜା କୁଆଡେ଼ ସେହି ଏଵଂ ତାଙ୍କ ଇଚ୍ଛା ଵିନା ସଂସାରରେ ପତ୍ରଟିଏ ବି ହଲେ ନାହିଁ । ଛନ୍ଦ୍ମବେଶରେ ରାଜା ସେ ତିନିଜଣଙ୍କ କଥା ଶୁଣୁଥାନ୍ତି ତହୁଁ ସେ ସେହି ତିନିଜଣ ଆଗନ୍ତୁକଙ୍କୁ ଧରି ରାଜନଗରକୁ ନେଇ ଆସିଵାକୁ ସ୍ଥାନୀୟ କଟୁଆଳଙ୍କୁ ଆଜ୍ଞା ଦେଇ ସେଠାରୁ ଚାଲି ଆସିଲେ । 

ସକାଳେ ସେମାନଙ୍କୁ ରାଜାଙ୍କ ଛାମୁରେ ଉପସ୍ଥିତ କରାଗଲା । 


ବଙ୍ଗଦେଶଵାସୀ ଵ୍ୟକ୍ତି ଧନ ମାଗିଲାରୁ ରାଜା ତାକୁ ଦୁଇ ଥାଳି ସ୍ଵର୍ଣ୍ଣମୁଦ୍ରା ଦେଲେ । ପୁଣ୍ଡ୍ର ଦେଶୀୟ ଦ୍ଵିତୀୟ ଵ୍ୟକ୍ତି ଜଣକ ଏକ ସୁନ୍ଦରୀ କନ୍ୟା ମାଗିଵାରୁ ରାଜା ତାକୁ କନ୍ୟାଟିଏ ପ୍ରଦାନ କଲେ ‌ । 

କିନ୍ତୁ କୁଣ୍ଡଳା ଦେଶଵାସୀ ତୃତୀୟ କିଛି ନମାଗି ଜଗନ୍ନାଥଙ୍କ ସ୍ତୁତି କରିଵାକୁ ଲାଗିଲା । ରାଜା ତାଙ୍କୁ ଏମନ୍ତ କରିଵାର କାରଣ ଜିଜ୍ଞାସା କରିଵାରୁ ସେ କହିଲା ମୋ ପ୍ରଭୁ ତ ସ୍ଵୟଂ ଶ୍ରୀଜଗନ୍ନାଥ ସେ ହିଁ ସମସ୍ତ ଚରାଚର ଜଗତର ରାଜା । ସେ ଯଦି ଚାହିଁବେ ମୋତେ ପ୍ରାଣଦଣ୍ଡ ଦେବେ କିମ୍ବା ଅର୍ଥ ଓ କନ୍ୟା ଉଭୟ ପ୍ରଦାନ କରିବେ । କଳିଙ୍ଗ ରାଜା ମହେନ୍ଦ୍ର ଵର୍ମାଙ୍କର ଅହଂ ଥିଲା ଯେ ଅଧୁନା ଜଗତରେ ତାଙ୍କଠାରୁ ବଡ଼ ଦାନୀ କେହି ନାହିଁ । 

ଏ ତୃତୀୟ ଲୋକଟି ତାଙ୍କଠାରୁ ଧନ, ଜନ କି ସମ୍ମାନ କିଛି ବି ଦାନ ନନେଵାରୁ ସେ ବହୁତ ରାଗିଲେ । ତିନିଜଣ ଆଗନ୍ତୁକ ସେ ସ୍ଥାନରୁ ଚାଲିଯିଵା ପରେ ରାଜା କଟୁଆଳଙ୍କୁ କହିଲେ ଏହି ତିନିଜଣଙ୍କ ମଧ୍ୟରେ ସ୍ଵର୍ଣ୍ଣମୁଦ୍ରା ଥଳି ଧରିଥିଵା ଲୋକ ଆଉ ସାଥିରେ ସ୍ତ୍ରୀ ଥିଵା ଲୋକକୁ ଛାଡ଼ି ଯୋଉ ଲୋକ ଖାଲି ହାତରେ ଯାଉଥିଵ ତାହାର ମୁଣ୍ଡ କାଟି ଆଣିଵ ।

 ତିନିଜଣ ଆଗନ୍ତୁକ ଦିଅଁଦର୍ଶନ କରି ଆପଣା ଗୃହକୁ ବାହୁଡି଼ ଯିଵା ଉଦ୍ଦେଶ୍ୟରେ ପୁରୀ ଆଡ଼େ ଯାଉଥାନ୍ତି । ବାଟରେ କୁଣ୍ଡଳା ଦେଶର ଵ୍ୟକ୍ତିକୁ ବଙ୍ଗଦେଶର ଵ୍ୟକ୍ତି କିଛି ସମୟ ତାହାର ଓଜନିଆ ସ୍ଵର୍ଣ୍ଣମୁଦ୍ରା ଥଳି ଧରିଵାକୁ ଅନୁରୋଧ କଲା ‌ । ଏହାର କେତେକ କ୍ଷଣ ପରେ କଟୁଆଳର ଆରକ୍ଷୀମାନେ ଆସି ବଙ୍ଗଦେଶର ଲୋକ ହାତରେ କିଛି ନଥିଵା ଦେଖି ତା ମୁଣ୍ଡ କାଟି ରାଜାଙ୍କ ପାଖକୁ ନେଇଗଲେ । ରାଜା ସେ କଟା ମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଲେ କାରଣ ତାହା କୁଣ୍ଡଳା ଦେଶର ନୁହେଁ ଵରଂ ବଙ୍ଗ ଦେଶୀୟ ଵ୍ୟକ୍ତିର ମସ୍ତକ ଥିଲା । 

ତହୁଁ ରାଜା ଆରକ୍ଷୀ ଦଳଙ୍କୁ ଆଉଥରେ ଆଦେଶ ଦେଲେ ପୂର୍ଵୋକ୍ତ ଦୁଇଜଣଙ୍କ ମଧ୍ୟରୁ ଯୋଉ ଲୋକ ସହିତ ସ୍ତ୍ରୀଟିଏ ଯାଉଥିଵ ତାକୁ ଛାଡ଼ି ଅନ୍ୟଜଣକର ମୁଣ୍ଡ କାଟି ନେଇ ଆସିଵ । ଆରକ୍ଷୀମାନେ ଘୋଡ଼ା ଝପଟାଇ ଦେଲେ । ଏଣେ ପଥ ମଧ୍ୟରେ ଆପଣା ସାଥିରେ ରାଜାଙ୍କଠାରୁ ପ୍ରାପ୍ତ କନ୍ୟାରତ୍ନ ଧରି ଯାଉଥିଵା ପୁଣ୍ଡ୍ର ଦେଶର ଅଧିଵାସୀଟି ଲଘୁଶଙ୍କା ଲାଗିଵାରୁ ଅଟକିଗଲା । ସେ ଲଘୁଶଙ୍କା କରୁଥିଵା ସମୟରେ ଏକ ହାତରେ ସ୍ବର୍ଣ୍ଣଥଳୀ ଧରି କୁଣ୍ଡଳା ଦେଶର ଅଧିଵାସୀଟି ସ୍ତ୍ରୀ ଲୋକ ସହିତ କିଛି ବାଟ ଚାଲି ଆସିଥାଏ । ଏତିକିବେଳେ ଆରକ୍ଷୀ ଦଳ ପୁଣ୍ଡ୍ରଦେଶର ଅଧିଵାସୀକୁ ଏକାକୀ ଦେଖି ତାକୁ ମାଡି଼ ବସିଲେ ଆଉ ତାହାର ମୁଣ୍ଡ କାଟି ରାଜାଙ୍କ ପାଖକୁ ନେଇ ଆସିଲେ। ରାଜା ଆହୁରି ଆଶ୍ଚର୍ଯ୍ୟ ହେଲେ । ନିଜର ଗର୍ଵ ଅହଙ୍କାର ଯୋଗୁଁ ଦୁଇଜଣ ମାନଵ ହତ ହେଵା ଦେଖି ସେ ବହୁତ ଅନୁତାପ କଲେ । ଇଆଡ଼େ "ସ୍ଵର୍ଣ୍ଣଧନ ଓ ସ୍ତ୍ରୀଧନ" ଧରି କୁଣ୍ଡଳା ଦେଶର ଅଧିଵାସୀଜଣକ ସୁରୁଖୁରୁରେ ନିଜ ଦେଶକୁ ବାହୁଡ଼ି ଗଲେ ...



(ହିନ୍ଦୀ चंदामामाର ୧୯୭୦ ଵର୍ଷ ମାର୍ଚ୍ଚ ମାସରେ ପ୍ରକାଶିତ ଗଳ୍ପ भाग्य का हाथର ଓଡ଼ିଆ ଭାଵାନ୍ତର ତଥା ସଂକ୍ଷିପ୍ତୀକରଣ ତଥା ଓଡ଼ିଶାକୁ ଦୃଷ୍ଟିରେ ରଖି ଲିଖିତ ଗଳ୍ପ । ମୂଳ ଗଳ୍ପରେ ମହେନ୍ଦ୍ର ଵର୍ମାଙ୍କ ନାମ ଵ୍ୟତୀତ ଅନ୍ୟ କୌଣସି ଦେଶ ଵା ଵ୍ୟକ୍ତି ଵିଶେଷଙ୍କ ନାମୋଲ୍ଲେଖ ନଥିଲା । ଏସବୁ ଏ ଅକିଞ୍ଚନ ଆପଣା ଅଳ୍ପଜ୍ଞାନ ଆଧାରରେ ଯୋଡି଼ଅଛି ।) 
 



No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...