Sunday, September 25, 2022

ପ୍ରତିଶୋଧ

ଏକ ସମାନ୍ତରାଳ ବ୍ରହ୍ମାଣ୍ଡର ଭିନ୍ନ ଏକ ପୃଥିଵୀରେ ଓଡ଼ିଶା ରାଜ୍ୟର ଘଟଣା...

ଵର୍ଷ ୨୦୨୩ ଜୁଲାଇ ୨୫ ।
ତନ୍ମୟ ପାଇକରାୟ ନାମକ ଜଣେ ଯୁଵକ ନୟାଗଡ଼ ଜିଲ୍ଲାରୁ ଯାଇ ସମ୍ବଲପୁର ଵିଶ୍ଵଵିଦ୍ୟାଳୟରେ ପାଠ ପଢୁ଼ଥାନ୍ତି । ପାଠପଢ଼ାରୁ ସମୟ ମିଳିଲେ ଵନଭୂମି ମଧ୍ୟରେ ଵୃକ୍ଷ ଓ ଜୀଵଜନ୍ତୁଙ୍କ ଵିଷୟରେ ଜାଣିଵା ହେତୁ ବୁଲାବୁଲି କରିଵା ତାଙ୍କୁ ବହୁତ ସୁଖବୋଧ ହୋଇଥାଏ । ଦିନେ ଜଙ୍ଗଲରେ ଏକ ଛୋଟିଆ ପାହାଡ଼ିଆ ନଦୀ ପାଖରେ ବୁଲୁଥିଵା ବେଳେ ହଠାତ୍ ତନ୍ମୟବାବୁଙ୍କ ପାଦ ଖସିଗଲା ଏଵଂ ସେ ସେହି ନଦୀରେ ଅନେକ ଦୂର ଯାଏଁ ଭାସିଗଲେ । ସୌଭାଗ୍ୟକୁ ଆଗରେ ବିନଝାଲ୍ ଜାତିର କନ୍ୟାଟିଏ ତାଙ୍କୁ ଆସନ୍ନ ଵିପଦରୁ ରକ୍ଷା କରିଲା । 

ତନ୍ମୟ ବାବୁ ସେ ବିନଝାଲ କନ୍ୟାକୁ ତାଙ୍କ ଜୀଵନ ବଞ୍ଚାଇଵା ପରିଵର୍ତ୍ତେ କିଛି ଦେଵାକୁ ଚାହୁଁଥିଲେ କିନ୍ତୁ ସେ ମନା କରିଦେଲା । ଶେଷରେ ବହୁତ ଵାଧ୍ୟ କରିଵାରୁ ବିନଝାଲ କନ୍ୟା ତନ୍ମୟ ବାବୁଙ୍କୁ କହିଲା "ବାବୁ ! ମୋର କିଛି ଲୋଡା଼ ନାହିଁ ସବୁ ଧରଣୀମାତା ଦେଇଛି,ହଉ ଆଗକୁ ଯଦି ଲୋଡ଼ା ପଡ଼େ ଜଣାଇବି" । ଏତିକି କହି ସେ ବିନଝାଲ କନ୍ୟା ନିଜ ଗ୍ରାମକୁ ପଡି଼ଥିଵା ଚଲାବାଟେ ଆଗକୁ ଚଳିଗଲା । 

ଇତି ମଧ୍ୟରେ ଦଶ ଏଗାର ଵର୍ଷ ଵିତିଯାଇଛି । ତନ୍ମୟବାବୁ ଅନୁଗୋଳ ଜିଲ୍ଲାର ଏକ ଚିକିତ୍ସାଳୟରେ ଡାକ୍ତର ହୋଇଯାଇଛନ୍ତି ସେପଟେ ତାଙ୍କୁ ନଈରୁ ବଞ୍ଚାଇଥିଵା ବିନଝାଲ କନ୍ୟା ମଧ୍ୟ ଵିଵାହ କରି ଅନ୍ୟ ଏକ ଗ୍ରାମର ଵଧୂ ହୋଇଅଛି ।‌

ଵର୍ଷ ୨୦୩୨ ମାର୍ଚ୍ଚ ୧୮ । 
ସେ ଵର୍ଷ ଦେଶରେ ଭୀଷଣ ଗୃହ ଯୁଦ୍ଧ ଲାଗିଥାଏ । ଵିଚ୍ଛିନ୍ନତାଵାଦୀଙ୍କୁ ଵିଗତ କୋଡ଼ିଏ ତିରିଶ ଵର୍ଷ ଧରି ଭାରତର ଵିଭିନ୍ନ ରାଜନୈତିକ ଦଳଗୁଡ଼ିକର ଭିତିରିଆ ଅର୍ଥ ପ୍ରଦାନ ତଥା ରାଜନୈତିକ ସମର୍ଥନ ଯୋଗୁଁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଵିଚ୍ଛିନ୍ନତାଵାଦ ଦିନୁଁ ଦିନ ଉଗ୍ରରୂପ ଧାରଣ କରି ଶେଷରେ ଗୃହଯୁଦ୍ଧର କାରଣ ହୋଇଛି । 

ଵିଦ୍ରୋହୀ ଵିଚ୍ଛିନ୍ନତାଵାଦୀମାନେ ବନ୍ଧୁକ ବଳରେ ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ ରଖିଥାନ୍ତି । ଦିନେ ଵିଦ୍ରୋହୀମାନେ 
 ଗୋଟିଏ ବିନଝାଲ ଗ୍ରାମକୁ ଘେରିଯାଇ ସେଠାକାର ଲୋକଙ୍କୁ ଧମକାଇଵା ଆରମ୍ଭ କରିଦେଲେ । ସେହି ଗ୍ରାମରେ ତନ୍ମୟବାବୁଙ୍କୁ ଏକଦା ନଈରେ ଭାସି ଯାଉଥିଵା ବେଳେ ତାଙ୍କୁ ବଞ୍ଚାଇଥିଵା ବିନଝାଲ କନ୍ୟାଟି ବିବାହ କରିଥାଏ । ଵିଦ୍ରୋହୀ ଵିଚ୍ଛିନ୍ନତାଵାଦୀଙ୍କ ମୁଖିଆର ଆଖି ସେହି ବିନଝାଲ କନ୍ୟା ଉପରେ ପଡ଼ିଲା । ସେ ତାକୁ ହାତ ଟାଣି ଘିଞ୍ଚି ନେଵାକୁ ଉଦ୍ୟତ ହୁଅନ୍ତେ ସ୍ଵାଭିମାନୀ ଵନଵାସିନୀ ମହିଳା ଜଣକ ଵନ ମଧ୍ୟକୁ ଅଵିଳମ୍ଭେ ଧାଇଁ ଗଲା ଆଉ ପାଖରେ ବହି ଯାଉଥିଵା ଗିରିନଦୀ ଉପରକୁ ଲମ୍ଫ ପ୍ରଦାନ କଲା । 

କିଛି ଦିନ ପରେ ଅନୁଗୋଳର ଏକ ଡାକ୍ତଖାନାରେ ବିନଝାଲ୍ କନ୍ୟାର ଆଖି ଖୋଲିଲା । ସମ୍ମୁଖରେ ଵିସ୍ମୟ ଚିନ୍ତିତ ମୁଦ୍ରାରେ ଛିଡ଼ା ହୋଇଥାନ୍ତି ଡାକ୍ତର ତନ୍ମୟ ପାଇକରାୟ । ବିନଝାଲ୍ କନ୍ୟାଟି ଡାକ୍ତରବାବୁଙ୍କୁ ପୂର୍ଵ ଘଟିତ ଘଟଣା ସବୁ କହି ଶୁଣେଇଲା । 

ତନ୍ମୟବାବୁଙ୍କୁ ସମ୍ବଲପୁରରେ ଘଟୁଥିଵା ହିଂସାକାଣ୍ଡ ଵିଷୟରେ ଜଣାଥିଲା । ବିନଝାଲ୍ କନ୍ୟାଟି ମରିଵା ପୂର୍ଵରୁ ତନ୍ମୟବାବୁଙ୍କୁ କହିଲା "ବାବୁ ମନେ ଅଛି ତୁମେ ଦିନେ ମୋତେ କହିଥିଲ ଯାହା ମାଗିବୁ ଦେବି, ବାବୁ ମୁଁ ଏବେ ତୁମକୁ ମାଗୁଛି ତୁମେ ସେଇମାନଙ୍କୁ ମାରିଦିଅ ଯୋଉମାନେ ମୋ ଭାଇମାନଙ୍କୁ ,ମୋ ସ୍ଵାମୀକୁ ମୋହରି ଆଗରେ ମାରି ମୋ ଗାଆଁ ଭଉଣୀଙ୍କର ଅସ୍ମତ ଲୁଟିଲେ !!!” ଏତିକି କହି ବିନଝାଲ୍ କନ୍ୟାଟି ସବୁଦିନ ପାଇଁ ଆଖି ବୁଜିଦେଲା । 

ତନ୍ମୟବାବୁଙ୍କ ହୃଦୟରେ ଭୀଷଣ ଆଘାତ ଲାଗିଲା । କ୍ରୋଧ,ଦୁଃଖ ତାଙ୍କ ହୃଦୟକୁ କଵଳିତ କଲା ସତ କିନ୍ତୁ ସେ ପ୍ରତିଶୋଧ ନେଵା ପାଇଁ ସୁଯୋଗ ଉଣ୍ଡି ରହିଥାନ୍ତି । 

ତିନି ଵର୍ଷ ପରେ ...

୫ ଫେବୃଆରୀ ୨୦୩୫...
ସେଦିନ ଵିଦ୍ରୋହୀମାନେ ଅନୁଗୋଳ ଜିଲ୍ଲାକୁ ଘେରାଉ କଲେ ‌ । ସେମାନଙ୍କୁ ପ୍ରତିହତ କରିଵାକୁ ସାରା ଓଡ଼ିଶାରେ ଆପ୍ରାଣ ଉଦ୍ୟମ ଚଳାଇଥାଏ ନଵଗଠିତ ସଂଗଠନ "କଳିଙ୍ଗ ମୁକ୍ତି ଵାହିନୀ" । ତେବେ ଵିଦ୍ରୋହୀ ଵିଚ୍ଛନ୍ନତାଵାଦୀମାନେ ଦିଲ୍ଲୀ ସରକାରଠାରୁ ଭିତିରିଆ ସାହାଯ୍ୟ ପାଇ ବନ୍ଧୁକ ବଳରେ ଗୋଟି ଗୋଟି କରି ଓଡ଼ିଶାର ଏକ ଏକ ଜିଲ୍ଲାକୁ ପରାଧୀନ କରିଵା ଆରମ୍ଭ କରିଦେଇଥାନ୍ତି । 

ଅନୁଗୋଳ ଜିଲ୍ଲାରେ ଵିଚ୍ଛନ୍ନତାଵାଦୀ ଵିଦ୍ରୋହୀ ଓ କଳିଙ୍ଗ ମୁକ୍ତିଵାହିନୀ ଯୋଦ୍ଧାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଯାଇଥିଲା । ଵିଦ୍ରୋହୀମାନଙ୍କର ମୁଖ୍ୟ ନେତା ଏହି ଲଢ଼େଇରେ ଗମ୍ଭୀର ଭାବରେ କ୍ଷତାକ୍ତ ହୋଇପଡି଼ଲା । ଵିଦ୍ରୋହୀମାନେ ଅନୁଗୋଳ ନଗର ଭିତରକୁ ଯାଇ କେତେଜଣ ଡାକ୍ତରକୁ ଯୋର୍ କରି ନେଇ ଆସିଲେ । ସେହି ଡାକ୍ତରମାନଙ୍କ ମଧ୍ୟରେ ତନ୍ମୟବାବୁ ବି ଥାଆନ୍ତି । ଵିଚ୍ଛିନ୍ନତାଵାଦୀମାନଙ୍କ ଶିବିର ମଧ୍ୟରେ ଶତ ଶତ କ୍ଷତାକ୍ତ ଵିଦ୍ରୋହୀ ଚିକିତ୍ସିତ ହେଉଥାନ୍ତି । ତନ୍ମୟବାବୁ ନିଜ ଟିପେଇ ମୁଣାରୁ ଗୋଟିଏ ଛୋଟିଆ ଶିଶି ବାହାର କଲେ ଏଵଂ ସେଠାକାର ଏକ ରୋଗୀକୁ ସିରିଞ୍ଜ ଦ୍ଵାରା ସେଇ ଶିଶିରେ ଥିଵା ଜଳୀୟ ଦ୍ରଵ୍ୟକୁ ଦେଇ ଚୁପ୍ ଚାପ୍ ସେଠାରୁ ଦୂରକୁ ଚାଲିଗଲେ । 

ଦୁଇଦିନ ପରେ ଗୋଟିଏ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ମୁଖ୍ୟ ସମ୍ବାଦ ଶୀର୍ଷକ ଥିଲା...

"ଫେରିଲା କରୋନା !!! ଦୁଇ ଦିନ ମଧ୍ୟରେ ସଂକ୍ରମିତ ହେଲେ କୋଡ଼ିଏ ହଜାର ଲୋକ”

(ସଂସାରରେ ଯେତେ ହିଂସ୍ର ଆନ୍ଦୋଳନ,ଦଙ୍ଗା, ଗୃହଯୁଦ୍ଧ ଓ ଯୁଦ୍ଧ ଘଟିଛି ସେଥିରେ ସର୍ଵାଧିକ ପ୍ରଭାଵିତ ହୁଅନ୍ତି ଛୁଆ ଓ ମହିଳାମାନେ । ଆଜି ଓଡ଼ିଶାରେ ଯେମିତି ରାଜନୈତିକ ଦଳଗୁଡ଼ିକ ଵିଚ୍ଛିନ୍ନତାଵାଦୀଙ୍କୁ ଭିତିରିଆ ସମର୍ଥନ କରୁଛନ୍ତି ଭଵିଷ୍ୟତରେ କେଜାଣେ ହୁଏତ ଏଭଳି ଘଟଣା ଆମ ବ୍ରହ୍ମାଣ୍ଡର ପୃଥିଵୀରେ ବି ନହେଵ ? )

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...