Sunday, January 28, 2024

ତିନୋଟି ସରଳ ପ୍ରଶ୍ନ

ମୋହନ ଘଞ୍ଚ ବଣ ଜଙ୍ଗଲ ପାର କରି ରାଜଧାନୀରେ ଆସି ପହଞ୍ଚିଲା । ବାପା ମାଆ ଛେଉଣ୍ଡ ହେଵାରୁ ଜଣେ ଗ୍ରାମ ପ୍ରଧାନ ମୋହନକୁ ନିଜ ଘରେ ଆଶ୍ରୟ ଦେଇଥିଲେ । ପ୍ରଧାନ ଘରେ ରହିଵାରୁ ନିତି ନୂଆ ନୂଆ କଥା ଜାଣିଲା ଶିଖିଲା , ଗାଆଁ ପଣ୍ଡିତେ ସନ୍ଧ୍ୟାରେ ଯେତେବେଳେ ପ୍ରଧାନଙ୍କ ଘରେ ଶାସ୍ତ୍ର ଆଲୋଚନା କରନ୍ତି ମୋହନ ସେସବୁ ଶୁଣି ମନେ ରଖେ । କିନ୍ତୁ ଯୁଵାଵସ୍ଥାରେ ପହଞ୍ଚି ମୋହନଟା ପ୍ରଧାନଙ୍କ ଝିଅ ରମା ପ୍ରେମରେ ପଡ଼ିଗଲାରୁ ପ୍ରଧାନ ତାକୁ ଘରୁ ବାହାର କରିଦେଲେ । ମୋହନ ବାହୁଡ଼ି ଗଲାବେଳେ ପ୍ରଧାନେ ତାକୁ କହିଲେ “ନଗ୍ରକୁ ଯାଅ ଧନ ଓ ଯଶ ପ୍ରାପ୍ତି କର ତାହେଲେ ତୁମେ ମୋର ଜାମାତା ହୋଇପାରିଵ । ଯେତେ ଯୋଗ୍ୟ ହୋଇଥିଲେ ମଧ୍ୟ ଵ୍ୟକ୍ତି ପାଖରେ ଯଦି ଯଶ ଓ ଧନ ନାହିଁ ତାହେଲେ ସେ ଯେଡ଼େ ବଡ଼ ଉଚ୍ଚ କଥାମାନ କହୁ ପଛେ ତା କଥାର ମୂଲ୍ୟ ଏ ସମାଜ କେବେ ବି ସ୍ଵୀକାର କରେ ନାହିଁ।”

ଏଇସବୁ କଥା ମନେ ପକାଇ ମୋହନ ମନଦୁଃଖରେ ରାଜଧାନୀରେ ବୁଲୁଥାଇ । ଗଡ଼ିଆ ଲୋକଙ୍କଠାରୁ ଜାଣିଵାକୁ ପାଇଲା ଯେ
 ରାଜାଙ୍କ ଛାମୁରେ ଭୀଷଣ ତର୍କସଭା ହେଉଛି । ଯିଏ ତର୍କରେ ଜିଣିଵ ତାକୁ ରାଜା ଧନ, ଉପାଧି ଓ ସମ୍ମାନ ଦେବେ । କେତେ କୂଆଡ଼ୁ ଵିଦ୍ଵାନମାନେ ଆସି ରାଜବାଟୀରେ ଅଛନ୍ତି କିନ୍ତୁ କେହି ମଧ୍ୟ ତର୍କସଭାରେ ଅଧିକକାଳ ତିଷ୍ଠି ପାରୁନାହାଁନ୍ତି। ସପ୍ତମ ଦିନ ଶେଷ ହୁଅନ୍ତେ ତର୍କରେ କେହି ଜିତି ନପାରିଵାରୁ ରାଜା ଦର୍ଶକ ଓ ଶ୍ରୋତାମାନଙ୍କୁ ସମ୍ବୋଧନ କରି ସେମାନଙ୍କ ମଧ୍ୟରୁ ଯଦି କେହି କିଛି ପ୍ରଶ୍ନ କରିଵାକୁ ଚାହୁଁଥାନ୍ତି ତେବେ ତର୍କସଭାରେ ଭାଗ ନେଇ ପାରନ୍ତି ବୋଲି ନିର୍ଦ୍ଦେଶ ଦେଲେ । ଯୋଉଠି ଏଡ଼େ ବଡ଼ ବଡ଼ ଵିଦ୍ଵାନମାନେ ସଭାରେ ତିଷ୍ଠିପାରୁନାହାନ୍ତି ସେଠି ସାଧାରଣ ଜନତା ଵା କିସ କରିପାରିବେ ? ତେଣୁ ପ୍ରାୟ ସଭିଏଁ ନିରୁତ୍ତର ରହିଲେ କିନ୍ତୁ ମୋହନ ପ୍ରଶ୍ନ କରିଵ ବୋଲି ଜଣାଇଦେଲା । ରାଜା ତାକୁ କହିଵାକୁ ନିର୍ଦ୍ଦେଶ ଦିଅନ୍ତେ ମୋହନ କହିଲା ସାଆନ୍ତେ ମୁଁ ସରଳ ଗାଉଁଲି ଲୋକ ତେଣୁ ସରଳ ଗାଉଁଲି ପ୍ରଶ୍ନ ତିନୋଟି କରିବି,କେହି ଵିଦ୍ଵାନ ସେହି ପ୍ରଶ୍ନଗୁଡ଼ିକର ଉପଯୁକ୍ତ ଉତ୍ତର ନିଶ୍ଚୟ ଦେବେ ବୋଲି ମୁଁ ଆଶାଵାଦୀ । ରାଜ ଆଦେଶ ପରେ ମୋହନ ପଣ୍ଡିତସଭାରେ ନିଜର ସେହି ତିନିଟା ପ୍ରଶ୍ନ କହି ଶୁଣେଇଲା...

"ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଦୁଇ ପଟରୁ ପରସ୍ପରର ଵିପରୀତ ଦିଗରୁ ଆସୁଛନ୍ତି ସେମାନେ ପରସ୍ପରର କ'ଣ ହେବେ ? ସେ ଦୁଇଜଣ ପରସ୍ପରର ନିକଟରେ ପହଞ୍ଚିଲାପରେ କ'ଣ ହେବେ ଏଵଂ ସେମାନେ ପରସ୍ପରଠାରୁ ଦୂରେଇଗଲାପରେ କ'ଣ ହେବେ ? 

ଘଣ୍ଟା ଘଣ୍ଟା ଧରି ଵିଦ୍ଵାନମାନେ ଏହା ଉପରେ ଵିଚାର ଵିମର୍ଷ କଲେ ହେଲେ କେହି ମଧ୍ୟ ଠିକ୍ ଉତ୍ତରଟିଏ ଦେଇ ପାରିଲେ ନାହିଁ । ତହୁଁ ଵିରକ୍ତ ହୋଇ କଳିଙ୍ଗ ରାଜା ମୋହନକୁ କହିଲେ “ଗ୍ରାମଵାସୀ,ତୁମେ ଏଭଳି ତିନୋଟି ସରଳ ପ୍ରଶ୍ନ ପଚାରିଲ ଯେ କେହି ଵିଦ୍ଵାନ ବି ତାହାର ଯଥାଯଥ ଉତ୍ତର ଦେଇ ପାରିଲେ ନାହିଁ ତେଣୁ ତୁମେ ଏବେ ନିଜ ପ୍ରଶ୍ନର ଉତ୍ତର କହି ଏ ପ୍ରହେଳିକାର ଗୁମର ଫେଡ଼ିଦିଅ । କେଵଳ ପ୍ରଶ୍ନ ପଚାରିଦେଲେ ଚଳିଵ ନାହିଁ ତାହାର ଉତ୍ତର ବି ଜାଣିଥିଵା ଆଵଶ୍ୟକ ଅନ୍ୟଥା ତୁମେ ଭୀଷଣ ରାଜଦଣ୍ଡରେ ଦଣ୍ଡିତ ହେଵ ।”

ସେଇଠୁ ମୋହନ କହିଲା “ମଣିମା, ମୋ ପ୍ରଶ୍ନତ୍ରୟ ଅତି ସରଳ ଥିଲା କିନ୍ତୁ ଵିଦ୍ଵାନମାନେ ସେଗୁଡି଼କର ଉତ୍ତର ଜାଣିଵାକୁ ପୋଥି ଜ୍ଞାନ ଖଟେଇଲେ ।‌ ତେବେ ଉତ୍ତରଗୁଡ଼ିକ କହୁଛି ଛାମୁ ଓ ଵିଦ୍ଵାନମାନେ ଦୟାକରି ଧ୍ୟାନ ଦେଵା ହେବେ :

“ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଯେତେବେଳେ ଦୁଇ ବିପରୀତ ଦିଗରେ ଦୁଇପଟରୁ ଆସୁଥାନ୍ତି ସେମାନେ ନିଜର 
'ମୁହାଁମୁହିଁ' ହୁଅନ୍ତି । ଏଥିପାଇଁ ଅନ୍ୟ ଶବ୍ଦଗୁଡ଼ିକ ହେଲା 'ମୁଖାମୁଖି','ସାମନାସାମନି',
'ସମୁଖାସମୁଖି' ଵା 'ସମ୍ମୁଖାସମ୍ମୁଖୀ'
,'ଭେଟାଭେଟି' ଓ 'ହାବୁଡ଼ାହାବୁଡ଼ି' ଇତ୍ୟାଦି । ଏହାକୁ ଶାସ୍ତ୍ରରେ 'ସାକ୍ଷାଦ୍ଦର୍ଶନ' ଓ 'ସାକ୍ଷାଦୃଷ୍ଟି' ବୋଲି ମଧ୍ୟ ଅଭିହିତ କରାଯାଇଛି। ତାପରେ ଯେତେବେଳେ ପରସ୍ପରର ଵିପରୀତ ଦିଗରୁ ଆସୁଥିଵା ଦୁଇଜଣ ଲୋକ ପରସ୍ପରର ପାଖରେ ପହଞ୍ଚିଯାଆନ୍ତି ସେମାନେ ପରସ୍ପରର 'ନିକଟାନିକଟି' ହୁଅନ୍ତି, ପରସ୍ପରର 'ଆଖପାଖ'ରେ ହୁଅନ୍ତି । ଆଉ ଯେତେବେଳେ ସେଇ ଦୁଇ ଲୋକ ପୁଣି ପରସ୍ପରଠାରୁ ଦୂରେଇ ଯିବେ ସେତେବେଳେ ସେମାନେ ପରସ୍ପରଠାରୁ 'ଦୂର ହେବେ','ଅନ୍ତର ହେବେ','ଆଡ଼ ହେବେ' ଵା 'ଆଡ଼େ ହେବେ' ଓ 'ପଛ ହେବେ' । ସେହିପରି ଏ ସଂସାରକୁ ମଧ୍ୟ ଆମେ ଯେତେବେଳେ ଆସନ୍ତି ଆମେ ଅନ୍ୟମାନଙ୍କ ପାଇଁ ପ୍ରଥମେ ଅପରିଚିତ ଥାଆନ୍ତି, ତାପରେ ଆମ ଗୁଣ ଜାଣି ଆମ ସହିତ ରହି ଅନ୍ୟମାନେ ଆମର ନିକଟତର ହୁଅନ୍ତି ପୁଣି ଶେଷରେ ସ୍ଵାର୍ଥଲାଭ ପରେ ତନ୍ମଧ୍ୟରେ ଅନେକ ଆମଠାରୁ ଦୂରେଇ ଯାଆନ୍ତି କିମ୍ବା ମୃତ୍ୟୁ ସେମାନଙ୍କୁ ଆମଠାରୁ ଦୂରେଇ ଦିଏ । ଏ ସଂସାର ରୂପକ ଗାଆଁ ଦାଣ୍ଡରେ ଆମେ ଜନ୍ମ ନେଵା ସମୟରେ ମାଆଙ୍କ ପାଇଁ ଅଜଣା ଥାଆନ୍ତି କିନ୍ତୁ ଥରେ ମାଆ ଆମକୁ ନିଜ କୋଳରେ ଧରି ଗେଲ କଲାପରେ ତଥା ଦୁଗ୍ଧପାନ ପରେ ଯୋଉ ସମ୍ପର୍କ ଯୋଡ଼ି ହୋଇଯାଏ ତାହା ମୃତ୍ୟୁପରେ ଯାଇ ତୁଟେ । ଆମ ଵିଵାହ ଵୟସ ହେଲାପରେ ଯେତେବେଳେ କନ୍ୟା ଦେଖିଵାକୁ ଯାଆନ୍ତି ଉକ୍ତ କନ୍ୟା ସହିତ ଆମର ମୁହାଁମୁହିଁ ସମୟରେ ଉଭୟେ ପରସ୍ପର ପାଇଁ ଅପରିଚିତ ଥାଆନ୍ତି କିନ୍ତୁ ଥରେ ଵିଵାହ ବନ୍ଧନରେ ବାନ୍ଧି ହୋଇ ଘରସଂସାର କଲାପରେ ପରସ୍ପରର ନିକଟାନିକଟି ହୋଇ ଆଖପାଖରେ ରହି ଅହରହ ଜୀଵନଯୁଦ୍ଧରେ ଯୁଝିଥାନ୍ତି ଏଵଂ ଶେଷରେ ତନ୍ମଧ୍ୟରୁ କେହି ଜଣେ ଦୂରେଇ ଯାଏ ଵା ମୃତ୍ୟୁ ତାକୁ ଦୂରେଇ ଦିଏ । ଆମେ ଜନ୍ମ ପରେ ପ୍ରଥମେ ଆମ ମାଆ ମୁଖରୁ ଯେଉଁ ଭାଷାକୁ ଶିଖନ୍ତି ସେଇ ଭାଷାକୁ ଆମେମାନେ ଆମର ମାତୃଭାଷା ମଣନ୍ତି ।‌ ଜନ୍ମ ସମୟରେ ଆମେ ଆମ ମାତୃଭାଷା ସହିତ ସମ୍ପୂର୍ଣ୍ଣ ଅପରିଚିତ ଥାଆନ୍ତି । ମାଆ ଆମକୁ ଯୋଉ ଭାଷାରେ କହୁଥାଏ ଆମେ ତାହା ମନ ଧ୍ୟାନ ଦେଇ ଶୁଣୁଥାଉ ଏଵଂ ଧୀରେ ଧୀରେ ତାକୁ ବୋଲିଵାକୁ ଚେଷ୍ଟା କରୁ । ପ୍ରଥମେ ପ୍ରଥମେ ଅପରିଚିତ ଥିଵା ଭାଷା ସହିତ କ୍ରମଶଃ ଆମେ ଅଭ୍ୟସ୍ତ ହୋଇଯାଉ ଆଉ ମାଆ ଶିଖାଇଥିଵା ସେଇ ମାତୃଭାଷା ଆମେ ମଲାପରେ ଯାଇ ଆମଠାରୁ ଦୂର ହୁଏ । ପୁନଶ୍ଚ ଯୋଉ ଦେଶରେ ମାଆ ଆମକୁ ଜନ୍ମ ଦିଅନ୍ତି ସେ ଦେଶକୁ ଆମେ ଆମର ମାତୃଭୂମି ଅଭିହିତ କରିଥାଉ ‌‌। ଆମ ମାତୃଭୂମି ଆମପାଇଁ ପ୍ରଥମେ ପ୍ରଥମେ ଅପରିଚିତ ଥାଏ କିନ୍ତୁ ଚାଲି ଶିଖିଵା ପରେ ଓ ବୁଦ୍ଧି ଵିଵେକ ଲଭିଲା ପରେ ଆମେ ଆମ ମାତୃଭୂମିର ପରିସୀମା କିପରି ଘର,ସାହି,ଗାଆଁ,ପଞ୍ଚାୟତ,ପ୍ରଗଣା,ଉପଖଣ୍ଡ,ମଣ୍ଡଳ,ରାଜ୍ୟ,ଦେଶ, ମହାଦେଶ,ପୃଥିଵୀ ଓ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିଵ୍ୟାପ୍ତ ତାହା ହୃଦୟଙ୍ଗମ କରିଥାଉ । କିନ୍ତୁ ଦୁର୍ଯୋଗରେ ପଡ଼ି ଆମକୁ ଆମ ମାତୃଭୂମିଠାରୁ ଦିନେ ନା ଦିନେ ଦୂରେଇ ଯିଵାକୁ ହିଁ ହୁଏ ଆଉ ଏମିତି ବି ଗୋଟିଏ ଦିନ ଆସେ ଆମକୁ ଆମ ଦେହ ଏହି ମାତୃଭୂମିରେ ଛାଡ଼ି ଯିଵାକୁ ହୁଏ । ଏହି ଚକ୍ର ଏହିପରି ସବୁବେଳେ ଚାଲୁଛି ଆଗକୁ ବି ଯେତେ ଦିନ ଯାଏଁ ସଂସାର ଥିଵ ଚାଲୁରହିଥିଵ । ମୋର ତିନୋଟି ସରଳ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରୋକ୍ତ ପ୍ରଶ୍ନଗୁଡ଼ିକ ପରି ଅତି ସରଳ ହିଁ ଥିଲା ।”

ଉତ୍ତର ଶୁଣି ସମସ୍ତେ ଅଵାକ୍ ହୋଇଗଲେ । ଉଷତ ହୋଇ ରାଜା ମୋହନକୁ ପୁରସ୍କାର ସ୍ଵରୂପ ଉପାଧି,ପଗଡ଼ି ଓ ଧନ ପ୍ରଦାନ କଲେ । ଘୋଡ଼ାରେ ଚଢ଼ି ମୋହନ ଘର ଅଭିମୁଖେ ବାହୁଡ଼ିଲା । ମୋହନ ଗଲା ଦିନୁ ରମା ତାକୁ ଝୁରି ଝୁରି କଣ୍ଟା ହୋଇଯାଇଥାଏ ‌ । ପ୍ରଧାନେ ବାଧ୍ୟ ହୋଇ ଉଭୟଙ୍କର ଵିଵାହ କରାଇଦେଇ । 
(ଗଳ୍ପଟି ୧୯୭୦ ଜୁନ ମାସର ହିନ୍ଦୀ ଜହ୍ନମାମୁଁରେ ପ୍ରକାଶିତ ସୁରେନ୍ଦ୍ର କୁମାରଙ୍କ ଗଳ୍ପ 'ମାମୁଲି ସଵାଲ'କୁ ସାମାନ୍ୟ ପରିଵର୍ତ୍ତିତ କରି ଭିନ୍ନ ଶୈଳୀରେ ଲେଖାଯାଇଛି । ମୂଳ ଲେଖାରେ ଏତେ ଶବ୍ଦ ସମ୍ବନ୍ଧୀୟ ଉଲ୍ଲେଖ ନଥିଲା କି ଜୀଵନ,ମାତୃଭଷା ଓ ମାତୃଭୂମି ସମ୍ବନ୍ଧିତ ଟିପ୍ପଣୀ ନଥିଲା)





Sunday, January 7, 2024

•ଅଗ୍ନି ଚୋରୀ ଓ ଅଗ୍ନି ଆଵିଷ୍କାରର କାହାଣୀ•


ଲକ୍ଷ ଲକ୍ଷ ଵର୍ଷ ଧରି ମନୁଷ୍ୟ ଵା Homo Sapiens ଓ ତାଙ୍କର ପୂର୍ଵଜ Homo eroctosମାନେ ଅଗ୍ନିର ଉପଯୋଗ କରୁଅଛନ୍ତି । କେତେକ ଗଵେଷକଙ୍କ ଅନୁସାରେ ପ୍ରାୟ ୧.୮ ନିୟୁତ ଵର୍ଷରୁ ୧.୦ ନିୟୁତ ଵର୍ଷ ମଧ୍ୟରେ ମନୁଷ୍ୟମାନଙ୍କ ପୂର୍ଵଜମାନେ ଅଗ୍ନିର ଵ୍ୟଵହାର କରିଥିଲେ । ମନୁଷ୍ୟମାନେ ଅଗ୍ନିର ଉପଯୋଗ ପ୍ରଥମେ ଉତ୍ତାପ, ହିଂସ୍ରଜନ୍ତୁଠାରୁ ସୁରକ୍ଷା ତଥା ଖାଦ୍ୟ ପୋଡ଼ିଵା ଆଦି କ୍ଷେତ୍ରରେ କରିଲେ ଏଵଂ ଧୀରେ ଧୀରେ ଏ କ୍ଷେତ୍ରରେ ଦକ୍ଷତା ମଧ୍ୟ ଲଭିଲେ । ବହୁତ ପରେ ମାନଵ ସଭ୍ୟତା ଉନ୍ନତ ହେଲା କିନ୍ତୁ ତଥାପି ଅଗ୍ନିର ଆଵଶ୍ୟକତା ତଥା ଉପଯୋଗ ଊଣା ହେଲା ନାହିଁ ଵରଂ ଦିନକୁ ଦିନ ବଢ଼ି ବଢ଼ି ଗଲା । ମୂଳ ପଞ୍ଚତତ୍ତ୍ଵ ମଧ୍ୟରେ ମନୁଷ୍ଯର ଅତ୍ୟାଵଶ୍ୟକ ଭୂମି,ଜଳ,ଵାୟୁ ଛଡ଼ା ଅଗ୍ନିକୁ ସେଥିପାଇଁ ଯୋଡ଼ାଯାଇଛି । ପ୍ରାଚୀନ କାଳରେ ଏହି ପଞ୍ଚତତ୍ତ୍ୱକୁ ଵିଭିନ୍ନ ସଂସ୍କୃତିରେ ଦେଵତା ଭାବେ କଳ୍ପନା କରାଯାଇଥିଲା ତେଣୁ ନାନା ଦେଶରେ ଅନ୍ୟ ପ୍ରାକୃତିକ ଶକ୍ତି ଭଳି ଅଗ୍ନିକୁ ମଧ୍ୟ ପୂଜା କରାଗଲା । ଇଜିପ୍ଟରେ ସୂର୍ଯ୍ୟ, ଵିକାଶ,ଉଷ୍ମତା ତଥା ଅଗ୍ନିର ଦେଵତା ରୂପେ 'ରା'ଙ୍କର ଆରାଧନା କରାଗଲା । ଚୀନ ଦେଶରେ Zhurong ଅଗ୍ନିଦେଵ ତଥା  
Huilu ଅଗ୍ନିର ଅଧିଷ୍ଠାତ୍ରୀ ଦେଵୀ ରୂପେ ପୂଜିତ ହେଲେ । ଜାପାନରେ Kōjin ଦେଵ ଚୂଲି, ରୋଷେଇଶାଳ ତଥା ଅଗ୍ନିର ଦେଵ ଭାବେ ଉପାସିତ ହେଲେ । ପାରସ୍ୟର ଜୋରାଷ୍ଟିଅନମାନଙ୍କ ଦ୍ଵାରା ଅଗ୍ନି, Atar ଦେଵ ରୂପେ ପୂଜା ପାଇଲେ ‌। ଗ୍ରୀସରେ 
Helios,Hephaestus,Hestia ଓ
Prometheus ଆଦି ଅଗ୍ନିର ଦେଵତା ରୂପେ ପୂଜା ପାଉଥିଲେ । ନୋରସ୍ ଦନ୍ତକଥାରେ Logi, ରୋମାନ ଲୋକଗାଥାର Sol,ମେସୋପୋଟାମିଆର Gibil,Nusku,Ishum ଓ Girra ଆଦି ଦେଵତା ଅଗ୍ନିର ଅଧିଷ୍ଠାତା ଦେଵତା ଘୋଷିତ ହେଲେ । ଭାରତରେ ମଧ୍ୟ ନିଆଁକୁ ଅଗ୍ନି ଦେଵ ରୂପେ ପୂଜା କରାଗଲା । 

ପୁଣି ମନୁଷ୍ୟମାନଙ୍କ ପାଇଁ ଅଗ୍ନି ପ୍ରାଚୀନ କାଳରୁ ଏଯାଵତ୍ ଏକ ଅତ୍ୟାଵଶ୍ୟକ ତତ୍ତ୍ଵ ହୋଇଥିଵାରୁ ପୃଥିଵୀର କୋଣେ ଅନୁକୋଣେ "ଜଳ ପ୍ରଳୟ" ଭଳି "ଅଗ୍ନି ଚୋରୀ" ତଥା "ଅଗ୍ନି ଆଵିଷ୍କାର"ର ମଧ୍ୟ ଅନେକ କାହାଣୀ ଶୁଣିଵାକୁ ମିଳେ । ଉତ୍ତର ତଥା ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଏସିଆର ପ୍ରାୟ ଅଧିକାଂଶ ପ୍ରାଚୀନ ସଭ୍ୟତାରେ ଅଗ୍ନି ସମ୍ବନ୍ଧୀୟ କାହାଣୀମାନ ଶୁଣିଵାକୁ ମିଳିଥାଏ ।

ଗ୍ରୀସ ଦେଶର ପୁରାଣ ଗାଥା ଅନୁସାରେ ଲାପେତୁସ୍(Iapetus) ଓ କ୍ଲେମେନେ(Clymene) ଵା Asiaଙ୍କ ପୁତ୍ର ତଥା ଆଟଲାସ୍(Atlas)ଙ୍କ ଭାଇ "ପ୍ରୋମେଥିୟସ୍(Prometheus)" ସ୍ଵର୍ଗରୁ ଅଗ୍ନି ଚୋରେଇ ଆଣି ମନୁଷ୍ୟମାନଙ୍କୁ ପ୍ରଦାନ କରିଥିଲେ ଫଳତଃ ଏଥିରେ ସ୍ଵର୍ଗର ଦେଵତା ଜିୟସ(Zeus) କ୍ରୋଧାନ୍ୱିତ ହୋଇ ତାଙ୍କୁ ଅନିଶ୍ଚିତ କାଳଯାଏଁ ଦଣ୍ଡିତ କରିଥିଲେ । ଦଣ୍ଡଵିଧାନ ଅନୁସାରେ ଏଲବ୍ରୁସ୍(Elbrus) ପର୍ଵତ ମତାନ୍ତରେ କାଜ଼ବେକ୍(Kazbek) ପର୍ଵତ ଉପରେ ପ୍ରୋମେଥିୟସ୍ ବନ୍ଧା ହେଲେ ଏଵଂ ପ୍ରତିଦିନ ତାଙ୍କର ଯକୃତକୁ ଗୋଟିଏ ଇଗଲ୍ ପକ୍ଷୀ ଆସି ଖାଉଥିଲା । ରାତିରେ ପୁଣି ପ୍ରୋମେଥିୟସଙ୍କ ଯକୃତଟି ବୃଦ୍ଧି ଲାଭ କରି ପୂର୍ଵଵତ୍ ‌ହୋଇଯାଉଥିଲା । ପ୍ରଥମେ ପ୍ରଥମେ Zeus ମାନଵମାନଙ୍କୁ ପସନ୍ଦ କରୁନଥିଲେ ପରେ ତାଙ୍କର ମନ ପରିଵର୍ତ୍ତନ ଘଟିଲା । ଶେଷରେ ଜିୟସଙ୍କ ପ୍ରେରଣାରେ ପ୍ରୋମେଥିୟସ୍, ପ୍ରସିଦ୍ଧ ଗ୍ରୀକ୍ ନାୟକ ହରକେଲସ୍(Heracles)ଙ୍କ ଦ୍ୱାରା ମୁକ୍ତ ହୋଇଥିଲେ । ଜର୍ଜିଆ ଦେଶରେ ସାମାନ୍ୟ ପରିଵର୍ତ୍ତନ ସହିତ ଏହି ସମଧରଣର କଥା ପ୍ରଚଳିତ କେଵଳ ସେ ଦେଶର ପୁରାଣ ଗାଥାରେ କଥିତ ଅଗ୍ନି ପ୍ରଦାୟକ ନାୟକ ହେଉଛନ୍ତି Amirani ଯିଏ ଦେଵତାମାନଙ୍କଠାରୁ ଅଗ୍ନି ଆଣି ମାନଵମାନଙ୍କୁ ଦେଇଥିଲେ । ପରଵର୍ତ୍ତୀ କାଳରେ Norse ଲୋକଗାଥାର ଅନ୍ୟତମ ନାୟକ Loki ଅଗ୍ନି ଚୋରୀ କରିଥିଵାର କାହାଣୀ ମଧ୍ୟ ନରୱେ ଓ ଏହାର ଆଖପାଖ ଅଞ୍ଚଳରେ ଶୁଣାଗଲା ତେବେ ଏହି ଲୋକଗାଥା ଅପେକ୍ଷାକୃତ ଅର୍ଵାଚୀନ ବୋଲି ଅନେକ ଗଵେଷକଙ୍କ ମତ । 

'ଚେଚେନୟା' ଅଞ୍ଚଳର ଵୈନାଖ୍ ଜାତୀୟ ଲୋକଙ୍କ ପ୍ରାଚୀନ ପୁରାଣରେ ଅଗ୍ନିଚୋରୀର କାହାଣୀ ସାମାନ୍ୟ ଭିନ୍ନ ।‌ Pkharmat ବୋଲି ଜଣେ ଉପଦେଵତା ଵା Nart ଥିଲେ ଯିଏ ସମସ୍ତଙ୍କୁ ଭଲ ପାଉଥିଲେ ଏଵଂ କାହା ପ୍ରତି ତାଙ୍କର ଘୃଣା ଦ୍ଵେଷ ଭାଵ ନଥିଲା ଯେହେତୁ ସେମାନଙ୍କ ମନରେ ଏହିସବୁ ଭାଵ ଉତ୍ପନ୍ନ କରିଵାକୁ ଅଗ୍ନି ନଥିଲା । ସେତେବେଳେ ସମସ୍ତ ଅଗ୍ନି ଜଣେ ନୃଶଂସ ଦେଵତା selaଙ୍କ ପାଖରେ ଥିଲା ଯିଏ ବିଜୁଳି ,ତାରକା ,ନର୍କ'ର ଅଧିଷ୍ଠାତା ଦେଵ ଅଟନ୍ତି । Sela ନିଜ ଦୁଷ୍ଟ ସ୍ଵଭାଵ ଯୋଗୁଁ nartମାନଙ୍କ ଉପରେ ମଝିରେ ମଝିରେ ଵିଜୁଳି ଦ୍ଵାରା ଆଘାତ କରି ବଡ଼ ସୁଖ ପାଉଥିଲେ । ଏହି ଦେଵତାଙ୍କ ପତ୍ନୀ sata କିନ୍ତୁ Nartମାନଙ୍କର ଲୁଚିଛପି ଅନେକ ଉପକାର କରୁଥିଲେ । Nartମାନେ ଅଗ୍ନି ଵିନା କଞ୍ଚାଦୁଗ୍ଧ ଓ କଞ୍ଚାଫଳ ଖାଇ ବଡ଼ କଷ୍ଟରେ ଜୀଵନଯାପନ କରୁଥିଲେ । Pkharmat ଜାଣିଥିଲେ ଯେ Bashlam ପର୍ଵତ 
ଶିଖରରେ ନର୍କର ନିଆଁ ଜଳୁଛି । ଦିନେ ସେ ଏହାକୁ ଚୋରି କରିଵାକୁ ସ୍ଥିର କଲେ। ସେ ଏହି ଅଗ୍ନି ଚୋରୀ ପାଇଁ ଗୋଟିଏ ଶୀତଵସ୍ତ୍ର, ଖଣ୍ଡା, ପିତ୍ତଳର ଢାଲ ସହିତ ନିଜ ସାହସୀ ଘୋଡ଼ା Turpal ଉପରେ ବସି ଯାତ୍ରା ଆରମ୍ଭ କରିଦେଲେ ।‌
ଏ କାର୍ଯ୍ୟରେ ପକ୍ଷୀରୂପ ଧରି ଦେଵୀ Sata ସାହାଯ୍ୟ କଲେ ଏଵଂ Pkharmatଙ୍କୁ ଯାତ୍ରାପଥର ସବୁ ବାଧାଵିଘ୍ନରୁ ସୁରୁଖୁରୁରେ ବାଟ କଢ଼େଇ ନେଲେ । ପର୍ଵତଶିଖରରେ ସ୍ଥିତ ନର୍କକୁ ଡେଇଁ ତହିଁରେ ଜଳୁଥିଵା ଅଗ୍ନିକୁ ଚୋରାଇ ଫେରିଵା ବେଳେ ଦୁଷ୍ଟ ଦେଵତା sela ନିଜର ଐଶ୍ଵରୀୟ ଶକ୍ତି ବଳରେ Pkharmatଙ୍କ ପଥରେ ନାନା ପ୍ରାକୃତିକ ବାଧାଵିଘ୍ନ ସୃଷ୍ଟି କଲେ । ସବୁ ଵିପତ୍ତିକୁ ପାର କରି Pkharmat ଚୋରାଇ ଆଣିଥିଵା ଅଗ୍ନିକୁ ପର୍ଵତ ଗୁହାରେ ରହୁଥିଵା nartମାନଙ୍କୁ ପ୍ରଦାନ କଲେ ଏଵଂ ଏହି ଅଗ୍ନି ବଳରେ ଚାଷକାର୍ଯ୍ୟ କରି ଚଳିଵାକୁ ଉପଦେଶ ଦେଲେ । ଇତିମଧ୍ୟରେ sela ନିଜ cyclops ଅନୁଚର Ujaକୁ Pkharmatଙ୍କୁ ଦଣ୍ଡିତ କରିଵାକୁ ପଠାଇଲେ । Uja ନିଜର ଶକ୍ତିବଳରେ Pkharmatଙ୍କୁ Bashlam ପର୍ଵତରେ ପିତ୍ତଳ ଶୃଙ୍ଖଳରେ ବାନ୍ଧି ଆଜୀଵନ ଦଣ୍ଡଭୋଗ କରିଵାକୁ ଛାଡ଼ିଗଲେ । ଆଜି ବି ସ୍ଥାନୀୟ ଲୋକଙ୍କ ଵିଶ୍ଵାସ ଯେ Pkharmat ସେହି Bashlam ପର୍ଵତ ଉପରେ ବନ୍ଧା ହୋଇଛନ୍ତି ଏଵଂ ପ୍ରତିଦିନ falcon ଵା ଛଞ୍ଚାଣଟିଏ ଆସି ତାଙ୍କ କଲିଜା ଖାଉଛି । ଚେଚେନୟା ଅଞ୍ଚଳର ଏହି ଲୋକକଥାର ଗ୍ରୀକ୍ ଵୀର Prometheusଙ୍କ ଅଗ୍ନିଚୋରୀ କାହାଣୀ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ ଏ କାହାଣୀରୁ ଅନୁମାନ କରାଯାଇପାରେ ଯେ ହୁଏତ ସ୍ଥାନୀୟ ଅଞ୍ଚଳର ମନୁଷ୍ୟମାନେ ଆଗ୍ନେୟଗିରିରୁ ଅଗ୍ନି ଆଵିଷ୍କାର କରିଥିଲେ । 

Polynesian ଅଞ୍ଚଳରେ Māui ଅଗ୍ନି ଚୋରୀ କରିଥିଵାର ଅନେକ ଆଖ୍ୟାନ ପ୍ରଚଳିତ । ଗୋଟିଏ କଥା ଅନୁସାରେ Māuiଙ୍କର ଜଣେ ପୂର୍ଵପୁରୁଷ ଅଗ୍ନିରକ୍ଷକ ଥିଲେ ଏଵଂ ତାଙ୍କଠାରୁ ଅଗ୍ନି ଲାଭ କରିଵାକୁ ନାନା ରୂପେ ପ୍ରତାରିତ ହେଲାପରେ ସେ ନିଜକୁ ଲୁଚାଇ ରଖିଥିଵା ଅଗ୍ନି ଦ୍ଵାରା ଜଳାଇଦେଇଥିଲେ ଏଵଂ ସେ ଅଗ୍ନି ଯୋଗୁଁ Māui ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥିଲେ । Māui ସମ୍ବନ୍ଧୀୟ ଏହି ଲୋକକଥା ଅଗ୍ନିର ଭୟାଵହତାକୁ ଦର୍ଶାଇଥାଏ । 

ଅଷ୍ଟ୍ରେଲିଆରେ ୟୁରୋପୀୟମାନେ ପାଦ ଦେଵା ପୂର୍ଵରୁ ସେଠାରେ Wurundjeri ଜନଜାତିର ଲୋକେ ସେମାନଙ୍କର Kulin ନାମକ ଦେଶରେ ରହୁଥିଲେ । ଏହି Wurundjeri ଜନଜାତିର ପୁରାଣଗାଥା ଅନୁସାରେ ପୂର୍ଵେ ସାତଭଉଣୀ Karatgurkଙ୍କ ପାଖରେ ହିଁ ଅଗ୍ନି ଥିଲା । ଏହି ସାତଭଉଣୀ ଅଗ୍ନି ଦ୍ଵାରା ଅଷ୍ଟ୍ରେଲିଆରେ ମିଳୁଥିଵା Murnong(Microseris walteri) ନାମକ ଏକ ଜାତୀୟ ମାଟିଆଳୁକୁ ପୋଡ଼ି ମହା ଆନନ୍ଦରେ ଖାଉଥିଲେ ହେଲେ ସେମାନେ କାହାକୁ ବି ଅଗ୍ନି ଦେଉନଥିଲେ । ଥରେ ଗୋଟିଏ କୁଆ ସେମାନଙ୍କୁ ଠକି ଅଗ୍ନି ଚୋରାଇ ନେଵାକୁ ଯୋଜନା କରି ସାତ ଭଉଣୀ Karatgurkଙ୍କୁ ଗୋଟିଏ ଉଈ ବସା ଦେଖେଇ କହିଲା ଏହାକୁ ପୋଡ଼ିଲେ Murnong ଆଳୁ ଅପେକ୍ଷା ଅତି ସ୍ଵାଦିଷ୍ଟ ଖାଦ୍ୟ ପାଇଵ । ଊଈ ବସାକୁ ସାତ ଭଉଣୀ ନିଆଁ ଦ୍ଵାରା ଜଳାଇଵାକୁ ଉଦ୍ୟତ ହୁଅନ୍ତେ ସେଥିରୁ ସର୍ପମାନେ ବାହାରି ସେମାନଙ୍କୁ କାମୁଡ଼ି ଗୋଡ଼ାଇଲେ । ଇତ୍ୟଵସରରେ କୁଆଟି ନିଆଁକୁ ଚୋରାଇ ମଣିଷକୁ ଦେଇଦେଲା । ସ୍ଥାନୀୟ ଲୋକକଥା ଅନୁସାରେ Karatgurk ସାତ ଭଉଣୀ ପରେ କୃତ୍ତିକା ନକ୍ଷତ୍ରପୁଞ୍ଜ (Pleiades star cluster) ଭାବେ ମହାକାଶରେ ଅଵସ୍ଥାନ କଲେ । 

ଆଫ୍ରିକାର Botswana, Namibia 
 South Africa ,Angola, ଓ 
 Zimbabwe ଜିମ୍ବାୱେରେ San ବୋଲି ଏକ ଜନଜାତି ରୁହନ୍ତି । ଏମାନଙ୍କ ଲୋକକଥାରେ ǀKaggen ନାମକ ଜଣେ ନାୟକଙ୍କ କାହାଣୀ ରହିଛି ଯିଏ କାଠିପୋକ(mantis) ରୂପରେ ostrichମାନଙ୍କଠାରୁ(ostrichମାନେ ତାଙ୍କର ପରରେ ଅଗ୍ନି ଲୁଚାଇ ରଖିଥିଲେ)ଅଗ୍ନି ଚୋରାଇ ଆଣି ମନୁଷ୍ୟମାନଙ୍କୁ ଦେଇଥିଲେ ।
 
ଆମେରିକା ମହାଦେଶ ଦ୍ଵୟରେ ମଧ୍ୟ ଅଗ୍ନିଚୋରୀର ଅନେକ ଉପାଖ୍ୟାନ ନାନା ଆମେରକୀୟ ଜନଜାତି ମଧ୍ୟରେ ପ୍ରଚଳିତ ।‌
କେତେକ ଆମେରିକୀୟ ଜନଜାତିରେ Coyote(ଏକ ଜାତୀୟ କୋକିଶିଆଳୀ), Beaver(ଏକ ଜାତୀୟ ମୂଷା) କିମ୍ବା ଶ୍ଵାନମାନଙ୍କ ଦ୍ଵାରା ମନୁଷ୍ୟମାନଙ୍କୁ ଅଗ୍ନି ଲାଭ ହୋଇଥିଵାର କାହାଣୀ ଥିଲାବେଳେ Algonquin ପୁରାଣଗାଥା ଅନୁସାରେ ଗୋଟିଏ ଠେକୁଆ ଏକ ଵୃଦ୍ଧ ଓ ତାହାର ଦୁଇ କନ୍ୟାଙ୍କଠାରୁ ଅଗ୍ନି ଚୋରାଇ ଆଣି ପ୍ରଥମେ ସ୍ଥାନୀୟ ମନୁଷ୍ୟମାନଙ୍କୁ ପ୍ରଦାନ କରିଥିଲା । ଆମେରିକାରେ ରହୁଥିଵା Cherokeeମାନଙ୍କ ପୁରାଣଗାଥା ଅନୁଯାୟୀ Opossum(ମୂଷା ଭଳି ଦେଖାଯାଉଥିଵା ଜୀଵ ଏଵଂ କଙ୍ଗାରୁର ଦୂର ସମ୍ପର୍କୀୟ ) ଓ ଛଞ୍ଚାଣ ଅଗ୍ନି ଚୋରୀ କରିଵାରେ ଅସଫଳ ହେଵାପରେ ଗୋଟିଏ ଵୃଦ୍ଧା ବୁଢ଼ୀଆଣୀ ନିଜର ଜାଲ ଦ୍ଵାରା ଅଗ୍ନି ଚୋରାଇଵାରେ ସଫଳ ହୋଇଥିଲା । 
ଆମେରିକୀୟ Mazatec ଲୋକଗାଥା ଅନୁସାରେ ତାରକାରୁ ଅଗ୍ନି ପାଇ ଗୋଟିଏ ବୁଢ଼ୀ ନିଜ ପାଖରେ ତାକୁ ଲୁଚାଇ ରଖିଥିଲା । opossum(ଆମେରକୀୟ ମୂଷିକ) ମୂଷା ତାକୁ ନିଜ ଲାଙ୍ଗୁଡ଼ ଦ୍ଵାରା ଚୋରାଇ ଅନ୍ୟ ମନୁଷ୍ୟମାନଙ୍କୁ ପ୍ରଦାନ କରିଥିଲା ଫଳତଃ ସେହିଦିନଠାରୁ ତାହାର ଲାଞ୍ଜ କେଶହୀନ ହୋଇଗଲା ‌। ସେହିପରି ଆମେରିକାର Yukon ଜନଜାତିରେ କାଉ ଦ୍ଵାରା ଆଗ୍ନେୟଗିରିରୁ ଅଗ୍ନି ଆଣି ମନୁଷ୍ୟମାନଙ୍କୁ ଦେଵାର ଲୋକକଥା ପ୍ରଚଳିତ ।

Paraguayରେ Gran Chaco 
 Lengua ଵା Enxet ବୋଲି ଏକ ଜନଜାତି ଵସଵାସ କରନ୍ତି ଏଵଂ ଅଧୁନା ଏମାନଙ୍କ ମୋଟ ଜନସଂଖ୍ୟା ୧୭୦୦୦ ଥିଵା ଜଣାଯାଏ । ଏମାନଙ୍କର ଲୋକକଥା ଅନୁସାରେ ଜଣେ ମଣିଷ କେତେକ ଚମତ୍କାରୀ ପକ୍ଷୀମାନଙ୍କଠାରୁ ଅଗ୍ନି ଚୋରାଇ ନେଇଥିଲା । ମନୁଷ୍ୟଟି ସେହି ପକ୍ଷୀମାନଙ୍କୁ ଶାମୁକାରେ କାଠି ଜଳାଇ ଖାଦ୍ୟ ରନ୍ଧନ କରୁଥିଵା ଦେଖି ସେଠାରୁ ଅଗ୍ନି ଚୋରାଇ ନେଇ ନିଜ ଗ୍ରାମରେ ସମସ୍ତଙ୍କୁ ବାଣ୍ଟି ଦେଲା । ଚମତ୍କାରୀ ପକ୍ଷୀମାନେ ଏହା ଦେଖି କ୍ରୋଧାନ୍ୱିତ ହେଲେ ଏଵଂ ସେହି ଗାଆଁ ଉପରେ ଵିଜୁଳିପାତ କରି ଧନ ଜୀଵନ କ୍ଷୟକ୍ଷତି ଘଟାଇଲେ। 

ଚୀନ ଦେଶର ଲୋକକଥା ଅନୁସାରେ Suiren ନାମକ ଜଣେ ଅତି ପ୍ରାଚୀନ ଵ୍ୟକ୍ତି ପ୍ରଥମେ ଚୀନଦେଶୀୟ ଲୋକମାନଙ୍କୁ ଅଗ୍ନିର ଆଵିଷ୍କାର କରି ଜଣାଇଥିଲେ । ଏହା ଚାଇନିଜ୍ ଭାଷାର ପୌରାଣିକ ଜଗତରେ ଅଗ୍ନିର ଉତ୍ପତ୍ତି ଵିଷୟରେ ଵର୍ଣ୍ଣନା ଥିଵା ସବୁଠାରୁ ପ୍ରସିଦ୍ଧ ଗାଥା । Suiren ଶବ୍ଦର ଆକ୍ଷରିକ ଅର୍ଥ ଅରଣିପୁରୁଷ ଵା flintman ଅଟେ । Flintstoneକୁ ଚୀନ ଦେଶରେ ସୁଇ କୁହାଯାଉଥିଲା ବେଳେ ଓଡ଼ିଆ ଭାଷାରେ ଆମେ ତାକୁ ଚକମକି ପଥର କହିଥାଉ । ଆଉ କେହି କେହି କୁହନ୍ତି ସୁଇ ପ୍ରକୃତରେ ଏକ ଜାତୀୟ ଗଛ ତଥା ଏହାର କାଠର ନାମ । ଚୀନ ଦେଶର ଲୋକଗାଥା ଅନୁସାରେ ଅଗ୍ନିର ଆଵିଷ୍କାର ପାଇଁ ସୁଇରେନ୍ ଦେଶାଟନ କରୁଥିଵାବେଳେ ସୁଇମିଙ୍ଗ ନାମକ ସ୍ଥାନରେ ଏକ ପକ୍ଷୀଙ୍କ ଠାରୁ ପ୍ରେରଣା ପାଇଥିଲେ ଯିଏ ସୁଇ ନାମକ ଏକ ବିଶାଳ ଗଛକୁ ନିଜ ଥଣ୍ଟଦ୍ଵାରା ଖୁମ୍ପୁଥିଲା। ଫଳତ ଉକ୍ତ କାଠରୁ ଅନେକ ନିଆଁ ଝୁଲ ସୃଷ୍ଟି ହେଉଥାଇ । ଏହାକୁ ଅନୁକରଣ କରି ସୁଇରେନ୍ ସେହି ସୁଇଗଛର କାଠର ଏକ ଛୋଟ ଡାଳ ନେଇ ତାକୁ ସୁଇଗଛରେ ଘସିଵାରୁ ନିଆଁ ଝୁଲ ସୃଷ୍ଟି ହେଲା । ଚିନଦେଶୀୟ ଲୋକଗାଥା ଅନୁସାରେ ଏଠାରୁ ହିଁ ଅଗ୍ନି ଆଵିଷ୍କାର ତଥା ଏହାର ଵ୍ୟଵହାର ଆରମ୍ଭ ହୋଇଥିଲା । ସେବେଠାରୁ ମଣିଷ ରୋଷେଇ କରିଵା ଆରମ୍ଭ କଲା ଏଵଂ ଏହିପରି ସେ ପଶୁମାନଙ୍କଠାରୁ ଅଲଗା ହୋଇଗଲା ।

ଵେଦରେ ଅଗ୍ନି ସମ୍ବନ୍ଧୀୟ ଅନେକ କଥା ରହିଛି ତନ୍ମଧ୍ୟରୁ ଋକଵେଦର ଗୋଟିଏ କଥା ଅନୁସାରେ ପୂର୍ଵେ ଦେଵତାମାନେ ହିଁ ଅଗ୍ନି ଵିଷୟରେ ଜାଣିଥିଲେ । ଅଗ୍ନି ଵିଜୁଳି ଆକାରରେ ସ୍ଵର୍ଗକୁ ତଳକୁ ଆସି ନିଜକୁ ଲୁଚାଇ ନେଉଥିଲେ । କିନ୍ତୁ ମାତରିଶ୍ଵନ୍ ପ୍ରଥମେ ସ୍ଵର୍ଗରୁ ଅଗ୍ନି ଆଣି ଭୃଗୁଙ୍କୁ ପ୍ରଦାନ କରିଥିଲେ । ତେବେ ଋକଵେଦୋକ୍ତ କେତେକ ମନ୍ତ୍ରର ଅଵତାରଣାରେ ଵୈଦେଶିକ ପଣ୍ଡିତମାନେ ଏଭଳି ଅନୁମାନ କରିଛନ୍ତି। ପ୍ରକୃତରେ ମାତରିଶ୍ଵା ସ୍ଵୟଂ ଅଗ୍ନିଙ୍କର ଏକ ନାମ । ଆକାଶରେ ସୃଷ୍ଟି ହେଉଥିଵା ଅଗ୍ନିକୁ ମାତରିଶ୍ଵା କୁହାଯାଏ ।‌ ମାତରିଶ୍ବାର ଦ୍ଵିତୀୟ ଅର୍ଥ ଵାୟୁ । ସମ୍ଭଵତଃ ଭାରତରେ ମନୁଷ୍ୟମାନେ ପ୍ରଥମେ ଅଗ୍ନିର ଆଵିଷ୍କାର ମହାକାଶରୁ ପୃଥିଵୀ ପୃଷ୍ଠରେ ଆସି ପଡ଼ିଥିଵା କୌଣସି ଉଲ୍‌କା ,ଗ୍ରହାଣୁ ଯୋଗୁଁ ସୃଷ୍ଟି ହୋଇଥିଵା ଅଗ୍ନିରୁ ଅଥଵା ଵିଜୁଳିପାତ ଯୋଗୁଁ ହଠାତ୍ ଜଳିଯାଇଥିଵା ଗଛ ଆଦିରୁ ଅଗ୍ନିର ଆଵିଷ୍କାର କରିଥିଲେ । 

ତେବେ ଅଗ୍ନି ଆଵିଷ୍କାର ସମ୍ବନ୍ଧୀୟ ଏକ ଲୋକକଥା ଵା ପୁରାଣଗାଥା ଆମ କଳିଙ୍ଗ ଦେଶର ସଉରା ଜନଜାତିରେ ମଧ୍ୟ ପ୍ରଚଳିତ ଅଛି । 

ସଉରାମାନେ ନିଜକୁ କିତୁଙ୍ଗ ଦେଵତାଙ୍କ ଦ୍ବାରା ସୃଷ୍ଟି ବୋଲି ଵିଶ୍ଵାସ କରିଥାନ୍ତି । କୁହାଯାଏ ଯେତେବେଳେ ପ୍ରଳୟ ହୋଇଥିଲା, ସେତେବେଳେ
ପ୍ରଳୟ ଅନ୍ତ କରି ମହାପ୍ରଭୁ ସୃଷ୍ଟି ସର୍ଜନା କରିଵାପାଇଁ ଚାହିଁଲେ । ସେ କେଞ୍ଚୁଆ ଦେହରୁ ମାଟି ଆଣି ପୃଥଵୀ ତିଆରି କଲେ ଓ ପ୍ରଳୟ ଜଳରେ ଏକ ମୁଦ୍ରିତ ପେଟି
ଭିତରେ ବନ୍ଦ ହୋଇ ଭାସୁଥିଵା ଭାଇଭଉଣୀକୁ ଆଣି ପତିପତ୍ନୀ ରୂପେ ସୃଷ୍ଟି ସର୍ଜନା କରିଵାପାଇଁ ଆଦେଶ ଦେଲେ । ସେମାନେ ମହାପ୍ରଭୁଙ୍କ ଆଦେଶ ନ ମାନିଵାରୁ ସେମାନଙ୍କୁ ବସନ୍ତ ରୋଗ ଦ୍ବାରା ଵିକଳାଙ୍ଗ କରିଦେଲେ । କିଛି କାଳ ପରେ ସେମାନେ ପରସ୍ପରକୁ ଚିହ୍ନି ନ ପାରି ପତିପନ୍ଥୀ ଭାବେ ବଞ୍ଚିଵାକୁ ଲାଗିଲେ । ସେମାନଙ୍କ ଗର୍ଭରୁ ଯେଉଁ କେତୋଟି ସନ୍ତାନ ଜନ୍ମ ନେଲେ ସେମାନଙ୍କ ମଧ୍ୟରେ ସବା ସାନଭାଇ ଥିଲା ଜଗନ୍ତା । ଏହି ଜଗନ୍ତାର ଅନ୍ୟ ଛଅଭାଇ ବିଭା ହୋଇଥିଲେ ଏଵଂ ସେମାନଙ୍କର ଛଅଟି ସ୍ତ୍ରୀ ଥିଲେ ।

ଜଗନ୍ତା ବାହା ହୋଇ ନଥିଲେ । ସେ କିନ୍ତୁ ଅନ୍ୟ ଛଅ ଭାଇଙ୍କ ଠାରୁ ଅଧିକ ସୁନ୍ଦର ଓ ଶକ୍ତିଶାଳୀ ଥିଲେ । ଜଗନ୍ତାର ରୂପ ଗୁଣରେ ମୁଗ୍ଧ ହୋଇ ତାର ଭାଉଜମାନେ ତା ସହ ପ୍ରେମ କରିଵା ପାଇଁ ଚେଷ୍ଟା କଲେ । କିନ୍ତୁ ଜଗନ୍ତା ସେମାନଙ୍କ ଫାନ୍ଦରେ ପଡ଼ିଲେ ନାହିଁ । ଏହି ଵିଷୟ ଭାଇମାନଙ୍କୁ କହିଦେଵେ, ଏଇ ଭୟରେ ଭାଉଜମାନେ ବାଳମୁକୁଳା କରି ଗାଲ, ନାକ ଓ ମୁହଁକୁ ନିଜ ନଖରେ ବିଦାରି, ସେମାନଙ୍କ ସ୍ଵାମୀମାନେ ଯେଉଁ ଡଙ୍ଗରରେ କାମ କରୁଥିଲେ ସେଠାକୁ ଯାଇ ଜଗନ୍ତାଙ୍କ ନାମରେ ନାନା କଥା କହିଲେ ।

ଭାଉଜମାନଙ୍କର ଖଚମିଛ କଥା ସବୁ ଶୁଣି ଭାଇମାନେ ରାଗିଯାଇ ଘରକୁ ଆସି ଜଗନ୍ତାଙ୍କର ହାତଗୋଡ଼ ବାନ୍ଧି କରି ନେଇ ତାଙ୍କୁ ପାହାଡ଼ ତଳେ ଏକ ବରଗଛ ମୂଳେ ପକାଇଦେଲେ । କିଛିଦିନ ବିତିଗଲା । ଜଗନ୍ତାଙ୍କର କିଛି କ୍ଷତି ହେଲା ନାହିଁ । ସମସ୍ତେ ଜଗନ୍ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କୁ କିନ୍ଦୁଙ୍ଗ୍ ମହାପ୍ରଭୁ ଭାବେ ପୂଜା କଲେ । ପରେ ଜଗନ୍ତା କିନ୍ତୁ ରାଵଣଗିରିରେ ପଥର ଫଟେଇ ସେଥିରୁ ନିଆଁ ବାହାର କଲେ ଓ ପଵନକୁ ଜନ୍ମଦେଲେ । ପଥର ଭାଙ୍ଗିଵା ବେଳେ ଖଣ୍ଡିଏ ପଥର ତାଙ୍କ ମୁହଁରେ ବାଜିଵାରୁ ତାଙ୍କ ମୁହଁ ଚେପ୍‌ଟା ହୋଇଗଲା ଓ ନିଆଁ ପ୍ରଵଳ ହୋଇ ପାହାଡ଼ରେ ଥିଵା ଅରଣ୍ୟରେ ଵ୍ୟାପିଯିଵାରୁ ନିଆଁରେ ଜଗନ୍ତା କିନ୍ଦୁଙ୍ଗ୍‌ଙ୍କ ଗୋଡ଼ହାତ ଜଳିଗଲା । ନିଆଁ ଧାସରେ ସିଝି ତାଙ୍କ ଦେହ କଳା ହୋଇଗଲା । ସେ ରାଵଣଗିରି ପାହାଡ଼ରେ ମାଦଳ ହୋଇ ପଡ଼ିରହିଲେ । ତାଙ୍କ ଦ୍ବାରା ସୃଷ୍ଟି ହୋଇଥିଵା ନିଆଁରେ ବହୁ ଜୀଵଜନ୍ତୁ ପୋଡ଼ି ହୋଇ ମଲେ । ମଣିଷମାନେ ପୋଡ଼ା ପଶୁପକ୍ଷୀମାନଙ୍କ ମାଂସ ଖାଇ ତା’ର ସ୍ଵାଦ ବାରିଵାରୁ ପରେ ନିଆଁକୁ ସାଇତି ରଖି ଖାଦ୍ୟ ରାନ୍ଧିକରି ଖାଇଵା ଶିଖିଲେ । ଲୋକମାନେ ନିମ୍ବକାଠ ଗଣ୍ଡିରେ ସେଇକାଳରୁ କିତୁଙ୍ଗଙ୍କ ହାତଗୋଡ଼ ଵିହୀନ ଦାରୁମୂର୍ତ୍ତି ନିର୍ମାଣ କରି ପୂଜା କରିଵା ଆରମ୍ଭ କଲେ । ଏହି ଜଗନ୍ତା ପରଵର୍ତ୍ତୀ କାଳରେ କେଵଳ ସଉରା ଜନଜାତି ହିଁ ନୁହେଁ ଓଡ଼,କୁଈ କନ୍ଧ, ସାନ୍ତାଳୀ ଆଦି ସମସ୍ତ କଳିଙ୍ଗୀ ପ୍ରଜାଙ୍କ ଦ୍ବାରା ରାଷ୍ଟ୍ରଦେଵତା ଶ୍ରୀଜଗନ୍ନାଥ ରୂପେ ପୂଜିତ‌ ହେଲେ । ସେହିପରି ଜଗନ୍ତା ଵା ଶ୍ରୀଜଗନ୍ନାଥଙ୍କ ଆନରୂପ ହେଉଛନ୍ତି ଜଙ୍ଗାଦେଓ । ଜଙ୍ଗାଦେଓ କନ୍ଧ,ଗଣ୍ଡମାନଙ୍କର ପ୍ରମୁଖ ଆରାଧ୍ୟ ଦେଵତା ଅଟନ୍ତି ।‌ ନବରଙ୍ଗପୁର ଜିଲ୍ଲା ଓ ଉପାନ୍ତ ଛତିଶଗଡ଼ରେ ରହୁଥିଵା ଦ୍ରାଵିଡ଼ ଜନଜାତୀୟ ଲୋକମାନଙ୍କ ମଧ୍ୟରେ ଜଙ୍ଗାଦେଓ ସର୍ଵଶ୍ରେଷ୍ଠ
ଦେଵତା ,ସୃଷ୍ଟିକର୍ତ୍ତା ଓ କୃଷିକାର୍ଯ୍ୟର ଉଦ୍ଭାଵକଭାବେ ପରିଚିତ । ଚୈତ୍ରମାସରେ ଏହି ଦେଵତାଙ୍କର ପୂଜା କରାଯାଏ । ଇଏ କୃଷିଭିତ୍ତିକ ପର୍ଵର ଦେଵତା । ପୂର୍ଵେ କନ୍ଧ,ଗଣ୍ଡ ଓ ସଉରାମାନେ ଜଗନ୍ତା କିତୁଙ୍ଗ୍‌କୁ ନିଜର ଆରାଧ୍ୟ ଭାବରେ ପୂଜାର୍ଚ୍ଚନା କରୁଥିଲେ ‌। ତେବେ ସେ ଭଗଵାନ ନୀଳକନ୍ଦରରେ ପୂଜା ପାଇଵାରୁ ଗଣ୍ଡମାନେ ଦେଵତାଙ୍କ ଆସ୍ଥାନ ପାଖରେ ଅଧିଆ ପଡ଼ିଲେ । ସର୍ଵଶକ୍ତିମାନ ଭଗଵାନ ଆଦେଶ ଦେଲେ ଯେ ମୁଁ ଅର୍ଦ୍ଧେକ ମାତ୍ର ପୁରୀରେ ପୂଜା ପାଉଛି । ବାକି ଅର୍ଦ୍ଧେକ ତୁମେ ପୂଜା କର । ସେହିଦିନଠାରୁ ଶ୍ରୀଜଗନ୍ନାଥଙ୍କ ଜଙ୍ଘ ପର୍ଯ୍ୟନ୍ତ ଅର୍ଦ୍ଧନିର୍ମିତ ସ୍ଵରୂପ ଜଙ୍ଗାଦେଓଙ୍କୁ ଗଣ୍ଡ ଓ କନ୍ଧମାନେ ପୂଜା କରି ଆସୁଛନ୍ତି ।

ଅଗ୍ନି ଚୋରୀ ଓ ଆଵିଷ୍କାରର ପ୍ରୋକ୍ତ ସମସ୍ତ ଲୋକଗାଥା ମଧ୍ୟରେ Prometheus,Pkharmat ଓ ଜଗନ୍ତା ଆଦିଙ୍କ କ୍ଷେତ୍ରରେ ଅଗ୍ନି ଚୋରୀ ତଥା ଆଵିଷ୍କାର ଯୋଗୁଁ ପ୍ରଥମେ ହୋଇଥିଵା କ୍ଷୟକ୍ଷତିର ଵର୍ଣ୍ଣନା ପରୋକ୍ଷରେ କାହାଣୀଗୁଡ଼ିକରେ କରାଯାଇଛି ‌ । Māui ମଧ୍ୟ ନିଜ ଅଗ୍ନିରକ୍ଷକ ପୂର୍ଵଜଠାରୁ ଜୋର୍ କରି ଅଗ୍ନି ଛଡ଼ାଇ ନେଵାକୁ ଚେଷ୍ଟା କରି ନିଜେ ଅଗ୍ନିରେ ଜଳି ମୃତ୍ୟୁ ମୁଖରେ ପଡ଼ିଛି । ଆମେରିକାର Opossum ମୂଷା ମଣିଷକୁ ଅଗ୍ନି ଦେଵାକୁ ଯାଇ ନିଜ ଲାଞ୍ଜର କେଶ ଜଳାଇ ଦେଇଛି । ଏସବୁ କାହାଣୀ ମଧ୍ୟରେ ଆମ ମାନଵ ପୂର୍ଵଜ ଆମକୁ ଅଗ୍ନିର ଭୟାଵହତା ଓ ତତ୍ ପ୍ରତି ସାଵଧାନତା ଅଵଲମ୍ବନର ଶିକ୍ଷା ପ୍ରଦାନ କରିଅଛନ୍ତି ପୁଣି ଅଗ୍ନିର ଚୋରୀ ନୁହେଁ ଵରଂ ସୁରକ୍ଷିତ ବଣ୍ଟନ ଦ୍ଵାରା ହିଁ ଲାଭ ବୋଲି ପରୋକ୍ଷରେ ଜଣାଇ ଦେଇ ଯାଇଛନ୍ତି । 
(ଆମ ଢେଙ୍କାନାଳର 'ଇନ୍ଦୁପ୍ରଭା' ପତ୍ରିକାର ଅଷ୍ଟମ ସଂସ୍କରଣ ୨୦୨୪ରେ ପ୍ରକାଶିତ ଲେଖା )

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...