Queensland ସଂଗ୍ରହାଳୟର ସହଯୋଗୀ ପ୍ରାଧ୍ୟାପକ Dr. Andrew Rozefeldsଙ୍କୁ ଅତି ପ୍ରାଚୀନ କାଳର ଏକ ଅଦ୍ଭୁତ ଜୀଵାଶ୍ମ ମିଳିଥିଲା । ଜୀଵାଶ୍ମର ଆକାରରୁ ଏହା ଏକ କଙ୍କଡ଼ାବିଚ୍ଛା ବୋଲି ଜଣାଗଲା । ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ଵିଷୟ ଥିଲା ଯେ ଏହା ଆଜିର କଙ୍କଡ଼ାବିଚ୍ଛାଠାରୁ ଅନେକଗୁଣ ବଡ଼ ଅର୍ଥାତ୍ ୧ ମିଟରୁ ଅଧିକ ଲମ୍ବ ଏକ କଙ୍କଡ଼ାବିଛାର ଜୀଵାଶ୍ମ ଥିଲା । ପରେ ଏହାର ଵୈଜ୍ଞାନିକ ନାମ Woodwardopterus freemanorum ରଖାଯାଇଥିଲା ।
ଏହି ଜୀଵାଶ୍ମ ପ୍ରାୟ ୨୫୨ ନିୟୁତ ଵର୍ଷ ପୁରୁଣା ଥିଲା ବୋଲି ଗଵେଷଣାରୁ ଜଣାଗଲା ଯାହା Late Permian Periodର ଶେଷ ଭାଗରେ ଅସ୍ତିତ୍ୱରେ ଥିଵା ଏକ ପ୍ରାଚୀନ ଜାତିର ଜୀଵାଶ୍ମ ଥିଲା। ପରଵର୍ତ୍ତୀକାଳରେ ସେହି ପ୍ରାଚୀନ ପ୍ରସ୍ତର ମଧ୍ୟସ୍ଥ ଅନ୍ୟ ଅଂଶଗୁଡ଼ିକରେ
ଵିଶାଳ କୀଟ ଏଵଂ ଅନ୍ୟାନ୍ୟ ଵିଶାଳ ଆର୍ଥ୍ରୋପୋଡ୍ସ୍ ଜାତିର ଜୀଵଙ୍କ ଜୀଵାଶ୍ମ ମଧ୍ୟ ମିଳିଥିଲା । କିନ୍ତୁ ଏହି ଜୀଵାଶ୍ମଗୁଡ଼ିକର ଵୟସ ନିର୍ଦ୍ଧାରଣ ପାଇଁ କାର୍ଵନ ଡେଟିଂ ଵଦଳରେ ରେଡିଓମେଟ୍ରିକ୍ ଡେଟିଂ ଵ୍ୟଵହାର କରାଯାଇଥିଲା ଯାହା ଅତିପ୍ରାଚୀନ ଜୀଵାଶ୍ମ ପାଇଁ ଅଧିକ ଉପଯୁକ୍ତ ହୋଇଥାଏ ।
(Meganeuraର ଜୀଵାଶ୍ମ)
ଏହି ଜୀଵାଶ୍ମଗୁଡ଼ିକ ଡାଇନୋସରଙ୍କ ଯୁଗ ଆରମ୍ଭ ହେଵା ପୂର୍ଵରୁ ଏକ ଅଜଣା ସମୟର ଥିଲା ଏଵଂ ସେହି ସମୟରେ ଵିଶାଳ ଆର୍ଥ୍ରୋପୋଡ୍ସ୍ ଜାତୀୟ ଜୀଵ ପୃଥିଵୀରେ ଆଧିପତ୍ୟ ଵିସ୍ତାର କରିଥିଲେ । ଏହାର ଆଵିଷ୍କାର ୧୯୯୦ ଦଶକରେ ନିକ୍ ଫ୍ରିମାନ୍ଙ୍କ ଦ୍ୱାରା କରାଯାଇଥିଲା ଏଵଂ ୨୦୧୩ରେ ମ୍ୟୁଜିଅମରେ ପହଞ୍ଚିଥିଲା ଯାହା ଜୀଵାଶ୍ମ ଅଧ୍ୟୟନର ଦୀର୍ଘ ପ୍ରକ୍ରିୟାକୁ ଦର୍ଶାଉଛି । ଏହା ଵ୍ୟତୀତ, Permian Periodରେ ଅନ୍ୟାନ୍ୟ ଵିଶାଳ ଆର୍ଥ୍ରୋପୋଡ୍ସ୍ ଯେପରିକି Pterygotus ଏଵଂ Jaekelopterus ମଧ୍ୟ ଥିଲେ ତଥା ଏମାନଙ୍କ ଆକାର ୨ ମିଟରରୁ ଅଧିକ ଥିଲା ଏଵଂ ଏମାନେ ଜଳଚର ଶିକାରୀ ଥିଲେ । ଏହି ଯୁଗରେ ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କମିଵାକୁ ଆରମ୍ଭ କରିଥିଲା, କିନ୍ତୁ ତଥାପି ଏହି ଜୀଵମାନେ ଵିକଶିତ ହୋଇଥିଲେ ।
ଏହି ଜୀଵାଶ୍ମଗୁଡ଼ିକ ଡାଇନୋସରଙ୍କ ଯୁଗ ଆରମ୍ଭ ହେଵା ପୂର୍ଵରୁ ଏକ ଅଜଣା ସମୟର ଥିଲା ଏଵଂ ସେହି ସମୟରେ ଵିଶାଳ ଆର୍ଥ୍ରୋପୋଡ୍ସ୍ ଜାତୀୟ ଜୀଵ ପୃଥିଵୀରେ ଆଧିପତ୍ୟ ଵିସ୍ତାର କରିଥିଲେ । ଏହାର ଆଵିଷ୍କାର ୧୯୯୦ ଦଶକରେ ନିକ୍ ଫ୍ରିମାନ୍ଙ୍କ ଦ୍ୱାରା କରାଯାଇଥିଲା ଏଵଂ ୨୦୧୩ରେ ମ୍ୟୁଜିଅମରେ ପହଞ୍ଚିଥିଲା ଯାହା ଜୀଵାଶ୍ମ ଅଧ୍ୟୟନର ଦୀର୍ଘ ପ୍ରକ୍ରିୟାକୁ ଦର୍ଶାଉଛି । ଏହା ଵ୍ୟତୀତ, Permian Periodରେ ଅନ୍ୟାନ୍ୟ ଵିଶାଳ ଆର୍ଥ୍ରୋପୋଡ୍ସ୍ ଯେପରିକି Pterygotus ଏଵଂ Jaekelopterus ମଧ୍ୟ ଥିଲେ ତଥା ଏମାନଙ୍କ ଆକାର ୨ ମିଟରରୁ ଅଧିକ ଥିଲା ଏଵଂ ଏମାନେ ଜଳଚର ଶିକାରୀ ଥିଲେ । ଏହି ଯୁଗରେ ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କମିଵାକୁ ଆରମ୍ଭ କରିଥିଲା, କିନ୍ତୁ ତଥାପି ଏହି ଜୀଵମାନେ ଵିକଶିତ ହୋଇଥିଲେ ।
ଆଜକୁ ପ୍ରାୟ ୬୫୦ ନିୟୁତ ଵର୍ଷ ପୂର୍ଵର ପୃଥିଵୀ ଆଜିର ପୃଥିଵୀଠାରୁ ଭିନ୍ନ ଏକ ଅଜଣା ରୂପରେ ଥିଲା । ସମସ୍ତ ମହାଦେଶ ଏକତ୍ର ମିଶି ଏକ ଵିଶାଳ ମହାଖଣ୍ଡ(Supercontinent) ଗଠନ ହୋଇଥିଲା, ଯାହାର ନାମ ରଖାଯାଇଛି Pannotia ।
ଏହା ପାଞ୍ଜିଆ ମହାଖଣ୍ଡ ଗଠନର ପୂର୍ଵରୁ ଭୂଚଳନ ଯୋଗୁଁ ଗଠିତ ହୋଇଥିଲା ଏଵଂ ପ୍ରାୟ ୬୫୦ରୁ ୫୦୦ ନିୟୁତ ଵର୍ଷ ପୂର୍ଵରୁ ଅସ୍ତିତ୍ୱରେ ଥିଲା । Pannotia ମହାଖଣ୍ଡ ଦକ୍ଷିଣ ଧ୍ରୁଵ ନିକଟରେ କେନ୍ଦ୍ରିତ ଥିଲା ଏଵଂ ଆଧୁନିକ ଆଫ୍ରିକା ଏହାର କେନ୍ଦ୍ରରେ ଥିଲା । ଏହି ମହାଖଣ୍ଡ Rodiniaର ଵିଭାଜନ ପରେ ଗଠନ ହୋଇଥିଲା ଏଵଂ ଏହାର ଅସ୍ତିତ୍ୱ ଵିଷୟରେ କିଛି ଵିଵାଦ ରହିଛି କିନ୍ତୁ ଏହା Ediacaran Periodରେ(୬୩୫ ନିୟୁତ-୫୪୧ ନିୟୁତ ଵର୍ଷ ପୂର୍ଵେ) ଭୂଗୋଳିକ ପରିଵର୍ତ୍ତନର ଏକ ମୁଖ୍ୟ ଅଂଶ ଥିଲା ବୋଲି ସାଧାରଣତଃ ଗ୍ରହଣ କରାଯାଏ।
ଗଵେଷକ ଡାମିଆନ୍ ନାନ୍ସ (R.D. Nance) ତାଙ୍କର ୨୦୧୯ ପ୍ରବନ୍ଧ "Supercontinents and the case for Pannotia"ରେ ଲେଖିଛନ୍ତି
"The existence of Pannotia serves to define the episodicity of the supercontinent cycle and provides a temporal framework for the tectonic, climatic, and biogeochemical events associated with its amalgamation and breakup.("ପାନୋଟିଆର ଅସ୍ତିତ୍ୱ ମହାଖଣ୍ଡ ଚକ୍ରର ଆଵର୍ତ୍ତନୀୟ ପ୍ରକୃତିକୁ ନିର୍ଦ୍ଧାରଣ କରେ ଏଵଂ ଏହାର ସଂଗଠନ ଓ ଵିଭାଜନ ସହିତ ଜଡ଼ିତ ଟେକ୍ଟନିକ୍, ଜଳଵାୟୁଗତ ଏବଂ ଜୈଵରସାୟନିକ ଘଟଣାଗୁଡ଼ିକ ପାଇଁ ଏକ ସମୟଗତ ଆଧାର ପ୍ରଦାନ କରେ।")
ଏହି ସମୟରେ ପୃଥିଵୀ ପାହାଡ଼ିଆ ଓ ଉଦ୍ଭିଦଶୂନ୍ଯ ଟାଙ୍ଗର ଭୂମି ଥିଲା,କୌଣସି ଜୀଵଜନ୍ତୁ କି ଗଛପତ୍ର ନଥିଲା । ଜୀଵମାନଙ୍କ ଵଞ୍ଚିଵା ପାଇଁ ପୃଥିଵୀରେ ଏକ ଵାୟୁମଣ୍ଡଳ ଥିଲା, କିନ୍ତୁ ଏହା ମିଥେନ୍, ଆମୋନିଆ, ଜଳଵାଷ୍ପ ଏଵଂ ନିଅନ୍ ପରି ଗ୍ୟାସରେ ପୂର୍ଣ୍ଣ ଥିଲା ଏଵଂ ସେ ସମୟର ଵାୟୁମଣ୍ଡଳରେ ଅମ୍ଳଜାନ ନଥିଲା । ଏହି କାରଣରୁ ସୂର୍ଯ୍ୟରୁ ଆସୁଥିଵା କ୍ଷତିକାରକ ଅତିବାଇଗଣୀ ରଶ୍ମି ସିଧାସଳଖ ପୃଥିଵୀରେ ପହଞ୍ଚୁଥିଲା, ଯାହା ଜୀଵନ ସୃଷ୍ଟିର ସମ୍ଭାଵନାକୁ ନଷ୍ଟ କରୁଥିଲା । Pannotia ମହାଖଣ୍ଡର ଵିଭାଜନ ପରେ Gondwana, Laurentia, Baltica ଏଵଂ Siberia ପରି ମହାଦେଶଗୁଡ଼ିକ ସୃଷ୍ଟି ହେଲା, ଯାହା ପରଵର୍ତ୍ତୀ ଜୀଵନ ଵିକାଶ ପାଇଁ ମଞ୍ଚ ପ୍ରସ୍ତୁତ କଲା । Pannotiaର ଅସ୍ତିତ୍ୱ ମହାଖଣ୍ଡ ଚକ୍ର(Supercontinent cycle)ର ଏକ ଅଂଶ ଥିଲା, ଯାହା ପ୍ରତ୍ୟେକ ୪୫୦-୬୦୦ ନିୟୁତ ଵର୍ଷରେ ହୁଏ । ଏହି ଚକ୍ରରେ ଟେକ୍ଟୋନିକ୍ ପ୍ଲେଟ୍ସ୍ର ଗତିଵିଧି ମୁଖ୍ୟ ଭୂମିକା ନିର୍ଵାହ କରେ, ମହାଦେଶଗୁଡ଼ିକୁ ମିଶାଏ ଏଵଂ ଵିଭାଜିତ କରେ । Pannotia ମହାଖଣ୍ଡର ଵିଭାଜନ କାରଣରୁ ନୂଆ ସମୁଦ୍ର ଗଠନ ହେଲା, ଯାହା ଜୀଵନର ଵିଵିଧତାକୁ ଵଢ଼ାଇଲା । ଏହି ସମୟରେ Ediacaran ଵାୟୋଟା ନାମକ ପ୍ରଥମ ଵହୁକୋଷୀ ଜୀଵମାନେ ଦେଖାଦେଲେ, ସେମାନେ ଡିସ୍କ୍ ଆକାରର ଥିଲେ ଏଵଂ ସମୁଦ୍ରରେ ଵାସ କରୁଥିଲେ । ଏହି ଜୀଵମାନେ କୌଣସି ହାଡ଼ ଵା ଖୋଳପାଯୁକ୍ତ ନଥିଲେ, କିନ୍ତୁ ସେମାନେ ଜୀଵନର ପ୍ରାଥମିକ ଜଟିଳ ରୂପ ମଧ୍ୟରେ ଅନ୍ୟତମ ଥିଲେ । ଗଵେଷକମାନେ ଏହି ଯୁଗର ଜୀଵାଶ୍ମ ଅଷ୍ଟ୍ରେଲିଆର Ediacara Hillsରୁ ପାଇଛନ୍ତି । Pannotia ମହାଖଣ୍ଡର ଅସ୍ତିତ୍ୱ ଵିଷୟରେ ଵିଵାଦ ଅଛି, କାରଣ କିଛି ଗଵେଷକ କହନ୍ତି ଯେ ଏହା ଏକ ପୂର୍ଣ୍ଣ ମହାଖଣ୍ଡ(Supercontinent) ନଥିଲା ଵରଂ କିଛି ମହାଦେଶର ସମୂହ ଥିଲା । କିନ୍ତୁ ଏହାର ପ୍ରଭାଵ ପରଵର୍ତ୍ତୀ ଯୁଗଗୁଡ଼ିକରେ ଦେଖାଯାଏ, ଯେପରିକି Cambrian ଯୁଗରେ ଜୀଵନର ଵିସ୍ଫୋରଣ । ଏହି ସମୟରେ ପୃଥିଵୀର ଜଳଵାୟୁ ଶୀତଯୁଗରେ ଥିଲା ଯାହା ମହାଦେଶର ଅଵସ୍ଥାନ ଯୋଗୁଁ ହୋଇଥିଲା । ଏହି ଶୀତଯୁଗ ଶେଷ ହେଵା ପରେ ଜୀଵନର ଵିକାଶ ତ୍ୱରାନ୍ୱିତ ହେଲା ।
ଜୀଵନ ସଵୁଵେଳେ ନିଜର ପଥ ଖୋଜି ବାହାର କରିଥାଏ । ଭୂମିରେ ଜୀଵନ ସମ୍ଭଵ ନଥିଲେ ମଧ୍ୟ ଜଳରେ ଜୀଵନ ଵିକାଶ ପାଇଵାକୁ ଲାଗିଲା । ପ୍ରାୟ ୩୭୦ କୋଟି ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଵା ଏହି ପ୍ରକ୍ରିୟାରେ ଜଳରେ କ୍ଲୋରୋଫିଲ ନ ଥାଇ ମଧ୍ୟ ଜୀଵନ ଏକକୋଷୀ ଜୀଵ ରୂପରେ ଆରମ୍ଭ ହେଲା, ଯାହା ପରେ ଜଟିଳ ରୂପ ଧାରଣ କଲା ।
ଏହି ଜୀଵମାନେ ଶକ୍ତି ଉତ୍ପାଦନ ପାଇଁ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ଵ୍ୟଵହାର କଲେ, ଯାହାର ଉପଜାତ ଦ୍ରଵ୍ୟ ରୂପେ ଥିଲା ଅମ୍ଳଜାନ୍ । Cyanobacteria ପରି ଏକକୋଷୀ ଜୀଵମାନେ ଏହି ପ୍ରକ୍ରିୟାର ମୁଖ୍ୟ ଭୂମିକା ନିର୍ଵାହ କଲେ ଫଳତଃ ପୃଥିଵୀର ଵାୟୁମଣ୍ଡଳକୁ ଅମ୍ଳଜାନରେ ପୂର୍ଣ୍ଣ ହେଵାକୁ ଲାଗିଲା । ଏହି ଘଟଣାକୁ Great Oxidation Event କୁହାଯାଏ ଏଵଂ ଏହା ଆଜକୁ ପ୍ରାୟ ୨୪୦ କୋଟି ଵର୍ଷ ପୂର୍ଵେ ଘଟିଥିଲା ତଥା ଅନେକ ଅଵାୟଵୀୟ(anaerobic) ଏକକୋଷୀ ଜୀଵଙ୍କ ଵିଲୁପ୍ତିର କାରଣ ହୋଇଥିଲା । ଜଳରେ ଜୀଵନର ଵିକାଶ ସହିତ ଅମ୍ଳଜାନର ମାତ୍ରା ଵୃଦ୍ଧି ପାଇଲା ଯାହା ଵାୟୁମଣ୍ଡଳରେ ମିଶି ଜୀଵନକୁ ଆଗେଇ ନେଲା । ଯେଉଁ ଏକକୋଷୀ ଜୀଵମାନେ ଅମ୍ଳଜାନ ବହୁଳ ନୂତନ ଵାୟୁମଣ୍ଡଳରେ ଅନୁକୂଳିତ ହୋଇଗଲେ ସେହି ଏକକୋଷୀ ଜୀଵମାନେ ପରଵର୍ତ୍ତୀ କାଳରେ ଵହୁକୋଷୀ ଜୀଵରେ ପରିଣତ ହେଲେ ଏଵଂ ପ୍ରାୟ ୫୪୧ ନିୟୁତ ଵର୍ଷ ପୂର୍ଵେ ପୃଥିଵୀ ଵିଭିନ୍ନ ଜୀଵଜନ୍ତୁରେ ପୂର୍ଣ୍ଣ ହେଲା, ଯଥା Arthropoda, Mollusca, Porifera ଇତ୍ୟାଦି । ଏହି ସମୟକୁ ଗଵେଷକମାନେ “Cambrian Explosion” ନାମ ଦେଇଥିଲେ ଏଵଂ ଏହି ସମୟରେ ଶିକାରୀ ଓ ଶିକାର ଉଭୟଙ୍କର ଜନ୍ମ ହୋଇଥିଲା ଫଳରେ ପୃଥିଵୀରେ ଏକ ଜାତୀୟ ପ୍ରାରମ୍ଭିକ ପର୍ଯ୍ୟାୟର ଖାଦ୍ୟଶୃଙ୍ଖଳା ଗଢ଼ି ଉଠିଥିଲା ।
ପ୍ରସିଦ୍ଧ ଜୀଵାଶ୍ମଵିଜ୍ଞାନୀ(paleontologist) ଷ୍ଟିଫେନ୍ ଜେ ଗୁଲ୍ଡ୍ ଏହି ଘଟଣାକୁ ଵର୍ଣ୍ଣନା କରି ଥରେ କହିଥିଲେ, “Consider the magnitude of this … Taxonomists have described almost a million species of arthropods, and all fit into four major groups; one quarry in British Columbia, representing the first explosion of multicellular life, reveals more than twenty additional arthropod designs!”
“Cambrian Explosion”ର କାରଣ ଅମ୍ଳଜାନର ମାତ୍ରାଧିକ ଵୃଦ୍ଧି, ଜେନେଟିକ୍ ପରିଵର୍ତ୍ତନ ଏଵଂ ପରିଵେଶଗତ ଚାପ ଥିଲା ଯାହା ଫଳରେ ଜୀଵନର ଵିଵିଧତା ସୃଷ୍ଟି ହେଲା । ଏହି Explosion ମାତ୍ର ୧୦-୨୫ ମିଲିଅନ୍ ଵର୍ଷ ମଧ୍ୟରେ ଘଟିଥିଲା ।ଏହି ସମୟରେ Hox ଜିନ୍ସ୍ର ଵିକାଶ ହୋଇଥିଲା ଯାହା ଶରୀରର ଯୋଜନାକୁ ନିୟନ୍ତ୍ରଣ କରି ଵିଭିନ୍ନ ଜୀଵର ରୂପ ସୃଷ୍ଟି କରିଥିଲା । ଫଳତଃ ପ୍ରଥମ ଖୋଳପା ଏଵଂ ହାଡ଼ ଥିଵା ଜୀଵମାନେ ଦେଖାଦେଲେ ଏଵଂ ଏହା ଶିକାର ଏଵଂ ରକ୍ଷା ପାଇଁ ଉପଯୋଗୀ ଥିଲା । Cambrian periodର Burgess Shale ଏଵଂ Chengjiang ଆଦି ଜୀଵାଶ୍ମଭୂମିରୁ ଏହି ଜୀଵମାନଙ୍କର ଅନେକ ଉଦାହରଣ ମିଳିଛି ଯାହା ଏହି ଯୁଗର ଜଟିଳତାକୁ ପ୍ରଦର୍ଶନ କରେ । Cambrian Explosion ଵିକାଶର ଏକ ଅଦ୍ଭୁତ ଉଦାହରଣ, ଯେଉଁଥିରେ ଜୀଵନର ଵିଭିନ୍ନ ରୂପ ଅଭୂତପୂର୍ଵ ବେଗରେ ଵିକଶିତ ହେଲା ।
ଏହି ଘଟଣା ପରେ ଜୀଵନ ଧୀରେ ଧୀରେ ଜଳରୁ ସ୍ଥଳଭାଗକୁ ଵ୍ୟାପିଲା । Cambrian Explosion ଯୋଗୁଁ ପ୍ରଥମ ଇକୋସିଷ୍ଟମ୍ ଗଠନ ହେଲା ଏଵଂ ଏଥିରେ Anomalocaris ଭଳି ଶିକାରୀ ଜୀଵମାନେ ପ୍ରଭାଵଶାଳୀ ଥିଲେ । ଏହି ଜୀଵର ଆକାର ପ୍ରାୟ ୧ ମିଟର ଥିଲା ଏଵଂ ଏହା କାମ୍ଵ୍ରିଆନ୍ ସମୁଦ୍ରର ଶୀର୍ଷ ଶିକାରୀ ଥିଲା । ଏହାର ଅନ୍ୟାନ୍ୟ ଉଦାହରଣ ଯେପରିକି Opabinia ଏଵଂ Hallucigenia ଅଦ୍ଭୁତ ରୂପର ଥିଲେ ଏଵଂ ଆଧୁନିକ ଜୀଵ ଯଥାକ୍ରମେ tardigrades ଓ water bears ତଥା velvet worms ଓ onychophorans ଆଦିଙ୍କ ପ୍ରାଚୀନ ସମ୍ପର୍କୀୟ ଅଟନ୍ତି ।
Cambrian Explosion କାରଣରୁ ପୃଥିଵୀର ଜୈଵ ଵିଵିଧତା ଵଢ଼ିଲା ଏଵଂ ପରଵର୍ତ୍ତୀ ଯୁଗଗୁଡ଼ିକରେ ଅଧିକ ଵିକାଶିତ ହେଲା । ଏହି ଯୁଗରେ Haikouichthys, Myllokunmingia ଓ Zhongjianichthys ଭଳି ପ୍ରଥମ ମେରୁଦଣ୍ଡୀ(Vertebrates) ମଧ୍ୟ ଦେଖାଦେଲେ । ଏହି ପ୍ରାଚୀନ ମେରୁଦଣ୍ଡୀ ଜୀଵଙ୍କର ପରଵର୍ତ୍ତୀ ପିଢ଼ି ଉଭୟଚର(Amphibians) ହେଲେ ଏଵଂ ତାଙ୍କଠାରୁ ସରୀସୃପ(Reptiles) ଓ ପକ୍ଷୀ(Birds) ତଥା ଶେଷରେ ସ୍ତନ୍ୟପାୟୀ(Mammals)ମାନେ ଜାତ ହେଲେ । ଅର୍ଥାତ୍ Cambrian Explosionରେ ଜୈଵ ଵିଵିଧତା ଯୋଗୁଁ ଆଜି ଆମେ ମଣିଷମାନେ ଧରାପୃଷ୍ଠରେ ଅଛନ୍ତି।
ତେବେ ଏହି ଜୈଵଵିଵିଧତା କ୍ଷେତ୍ରରେ ଅମ୍ଳଜାନର ଭୂମିକା ମହତ୍ତ୍ୱପୂର୍ଣ୍ଣ ଥିଲା । ପୃଥିଵୀର ପ୍ରାରମ୍ଭିକ ଵାୟୁମଣ୍ଡଳରେ ଅମ୍ଳଜାନ ନଥିଲା । ବହୁକାଳ ପରେ ଆଜକୁ ପ୍ରାୟ ୨.୭-୨.୪ ନିୟୁତ ଵର୍ଷ ପୂର୍ଵେ ଅମ୍ଳଜାନ ଗ୍ୟାସ୍ ସାୟାନୋବ୍ୟାକ୍ଟେରିଆଦ୍ୱାରା ଆଲୋକସଂଶ୍ଳେଷଣ ମାଧ୍ୟମରେ କୋଟି କୋଟି ଵର୍ଷ ଧରି ନିରନ୍ତର ଉତ୍ପାଦିତ ହେଲା । ଏହି ଅମ୍ଳଜାନ ଧୀରେ ଧୀରେ ଵାୟୁମଣ୍ଡଳରେ ଜମା ହେଵାକୁ ଲାଗିଲା। ଆଗେ ଅତି ବାଇଗଣୀ ରଶ୍ମି ବୁଲା ଷଣ୍ଢ ଭଳି ପୃଥିଵୀପୃଷ୍ଠକୁ ଚାଲି ଆସୁଥିଲା କିନ୍ତୁ ଵାୟୁମଣ୍ଡଳରେ ଅମ୍ଳଜାନ (O₂) ର ମାତ୍ରା ବୃଦ୍ଧି ପାଇବା ପରେ ଅତିବାଇଗଣୀ ରଶ୍ମି (Ultraviolet rays, UV)କୁ ଅମ୍ଳଜାନ ବାଧା ଦେଲା । ଅତି ବାଇଗଣୀ ରଶ୍ମି କୋଉ ଛାଡ଼ିଵା ଜନ୍ତୁ ସେ ଅମ୍ଳଜାନ ଅଣୁ (O₂) କୁ ଦୁଇଟି ପରମାଣୁ ଅମ୍ଳଜାନ (O) ରେ ଭାଙ୍ଗି ଦେଲା । ଭାବିଥିଲା ଦିଗଡ଼ କରିଦେବି କଥା ଶେଷ । ହେଲେ ଅମ୍ଳଜାନ ଭିନ୍ନ ଖେଳ ଖେଳିଲା । ଗୋଟିଏ ଏକକ ଅମ୍ଳଜାନ ପରମାଣୁ (O) ଅନ୍ୟ ଏକ ଅମ୍ଳଜାନ ଅଣୁ(O₂) ସହ ମିଶି ଓଜୋନ (O₃) ଗଠନ କଲା । ଏହି ଓଜୋନ କ୍ରମଶଃ ଵାୟୁମଣ୍ଡଳର ସ୍ଟ୍ରାଟୋସ୍ଫିୟରରେ (ପ୍ରାୟ ୧୫-୩୫ କି.ମି. ଉଚ୍ଚତା) ଜମା ହେଵାକୁ ଲାଗିଲା ଫଳରେ ଓଜୋନ ସ୍ତର (ozone layer) ଗଠିତ ହେଲା । ସାୟନୋବ୍ୟାକ୍ଟ୍ରିଆ ନିରନ୍ତର ଅମ୍ଳଜାନ ଉତ୍ପାଦନ କଲା,ଅତି ବାଇଗଣୀ ରଶ୍ମି ନିରନ୍ତର ଅମ୍ଳଜାନ ଅଣୁ ଭାଙ୍ଗି ଚାଲିଲା ଏଵଂ ଅତି ବାଇଗଣୀ ରଶ୍ମି ଯୋଗୁଁ ଵିଭାଜିତ ଏକକ ଅମ୍ଳଜାନ ପରମାଣୁ ନିରଵଚ୍ଛିନ୍ନ ଭାବରେ ଅମ୍ଳଜାନ ଅଣୁ ସହିତ ମିଶିଵା ଯୋଗୁଁ ଓଜୋନ ଉତ୍ପାଦିତ ହୋଇ ଚାଲିଲା । ଅତି ବାଇଗଣୀ ରଶ୍ମି ଭାବିଥିଲା ମୁଁ ଅମ୍ଳଜାନ ଅଣୁକୁ ହାଣି ଦେଲେ ମୋତେ ପୃଥିଵୀପୃଷ୍ଟରେ ପହଞ୍ଚିଵାକୁ କେହି ଅଟକାଇ ପାରିବେ ନାହିଁ କିନ୍ତୁ ତାହାର ସେ କୃତ୍ୟ ଓଲଟା ତାହାରି ପାଇଁ ବୁମେରାଂ ସାଵ୍ୟସ୍ତ ହେଲା । ଓଜୋନ ସ୍ତର ଯୋଗୁଁ ଅତି ବାଇଗଣୀ ରଶ୍ମି ଆଉ ପୃଥିଵୀପୃଷ୍ଟରେ ସହଜରେ ପହଞ୍ଚି ପାରିଲା ନାହିଁ ।
ଓଜୋନ ସ୍ତର ଗଠନ ଯୋଗୁଁ ସ୍ଥଳଭାଗ ସୁରକ୍ଷିତ ହେଲା । ଫଳରେ ଏହି ସମୟରେ Arthropoda ଓ ଅନ୍ୟାନ୍ୟ ଜୀଵ ସ୍ଥଳଭାଗକୁ ଆସି ନୂଆ ଜଗତ ଗଢ଼ିଵାକୁ ଲାଗିଲେ । ଏକକୋଷୀ ଜୀଵ ଫଙ୍ଗସ୍, ଫଙ୍ଗସ୍ରୁ ଛୋଟ ଗଛ ଏଵଂ ଛୋଟ ଗଛରୁ ୧୦୦ ଫୁଟ ଉଚ୍ଚ ଵୃକ୍ଷରେ ପରିଣତ ହେଲେ । Devonian Period (ପ୍ରାୟ ୪୧୯ରୁ ୩୫୮ ମିଲିଅନ୍ ଵର୍ଷ ପୂର୍ଵେ)ରେ ଏହି ସମୟର ଗଛମାନେ ଭୂମିରେ ଵ୍ୟାପକ ଵଂଶଵିସ୍ତାର କଲେ ଫଳତଃ ଭୀଷଣ ଘନ ଜଙ୍ଗଲ ପୃଥିଵୀକୁ ଆଚ୍ଛାଦିତ କରିଦେଲା ।
Devonian କାଳରେ ପ୍ରଥମ ବୀଜଧାରୀ ଉଦ୍ଭିଦ ଦେଖାଦେଇ Carboniferous periodରେ କୋଇଲା ଗଠନର ଆଧାର ହେଲେ। ଉଦ୍ଭିଦ ଵୃଦ୍ଧି ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳ ହ୍ରାସ କରି ଅମ୍ଳଜାନ ବଢ଼ାଇଲା ଓ କାର୍ବନ ସଞ୍ଚୟ ଦ୍ୱାରା କୋଇଲା ଜମା ହେଲା। ସେସମୟର ଜଙ୍ଗଲ କ୍ଲବମୋସ, ହର୍ସଟେଲ ଓ ଫର୍ନରେ ପୂର୍ଣ୍ଣ ଥିଲା। Devonian Periodରେ ଟେଟ୍ରାପୋଡ୍ ଵିକଶିତ ହୋଇ ମାଛରୁ ଉଭୟଚର ଜୀଵଙ୍କ ପରିଵର୍ତ୍ତନ ଦେଖାଗଲା। Archaeopteris ଭଳି ଗଛ ମାଟିକୁ ସ୍ଥିର କଲେ, ନଦୀ ଓ ତ୍ରିକୋଣଭୂମି ଗଠନ କରି ନୂଆ ଆଵାସସ୍ଥଳୀ ସୃଷ୍ଟି କଲେ। Devonian Periodର ଶେଷ ଆଡ଼କୁ Hangenberg Event ଜଳଚର ଜୀଵଙ୍କୁ ପ୍ରଭାଵିତ କଲା। ଉଦ୍ଭିଦ ଵୃଦ୍ଧି ଯୋଗୁଁ ଜଳଵାୟୁ ଥଣ୍ଡା ହେଲା ଏଵଂ ଏହା ପରଵର୍ତ୍ତୀ କାଳର ପରିଵେଶକୁ ପ୍ରଭାଵିତ କଲା।
Devonian Periodରେ ଗଛମାନେ ବହୁ ସଂଖ୍ୟାରେ ଵୃଦ୍ଧି ପାଉଥିଲେ, କିନ୍ତୁ ମରିଵା ପରେ କିମ୍ବା ଏହାର ଝଡ଼ିପଡ଼ୁଥିଵା ଶୁଖିଲା ଡାଳ ପତ୍ରାଦି ଆଜି ଭଳି ପଚି ସଢ଼ି ପାରୁନଥିଲା । ଗଛକୁ ଠାଣୁଆ ଓ ଶକ୍ତ କରୁଥିଵା Lignin ଯୌଗିକ
ସେସମୟରେ ପରିଵେଶରେ ଭାଙ୍ଗି ପାରୁଥିଵା ଜୀଵାଣୁ (microorganisms) କିମ୍ବା ଉଈ ଭଳି ଜୀଵ ନଥିଲେ । Devonian Periodରେ କିଛି ମୌଳିକ ଛତୁ ଥିଲେ ଯେଉଁମାନେ ମୃତ ଜୈଵ ପଦାର୍ଥରେ ବଢୁଥିଲେ କିନ୍ତୁ ଲିଗ୍ନିନ୍ ଭାଙ୍ଗି ଗଛର ପତ୍ର ଓ କାଠକୁ ପଚାଇ ସଢ଼ାଇଵାରେ ସକ୍ଷମ white-rot fungi ଭଳି ଛତୁ ସେତେବେଳେ ସୃଷ୍ଟି ହୋଇନଥିଲେ। ତେଣୁ ଗଛର ମୃତାଂଶମାନ ମାଟି ତଳେ ଚାପି ହୋଇ ହୋଇ ଉଚ୍ଚ ତାପ ଓ ଚାପ ଯୋଗୁଁ କୋଇଲାରେ ପରିଣତ ହେଲା । ଆଜି ଆମେ ଯେଉଁ କୋଇଲା ଵ୍ୟଵହାର କରୁଛୁ, ତାହା ଏହି ୩୬୦ ନିୟୁତ ଵର୍ଷ ପୂର୍ଵେ ମରିଥିଵା ଗଛର ଅଵଶେଷ । ୩୫୮ରୁ ୨୯୯ ନିୟୁତ ଵର୍ଷ ପୂର୍ଵର Carboniferous କାଳରେ ଏହି ପ୍ରକ୍ରିୟା ଚରମରେ ପହଞ୍ଚିଥିଲା । ପାଞ୍ଜିଆ ମହାଖଣ୍ଡ(Supercontinent)ର ଗଠନ ଜଳାଜଙ୍ଗଲ(Swamp Forest) ଵିକାଶରେ ସାହାଯ୍ୟ କଲା । ପାଞ୍ଜିଆର ଗଠନ ଏଵଂ କୋଇଲା ସୃଷ୍ଟି ମଧ୍ୟରେ ଏକ ସମ୍ପର୍କ ରହିଛି ବୋଲି ଭୂଵିଜ୍ଞାନୀମାନେ ଆଲୋଚନା କରିଛନ୍ତି। ପାଞ୍ଜିଆ ପ୍ରାୟ 300 ନିୟୁତ ବର୍ଷ ପୂର୍ଵେ ଏକ ମହାଖଣ୍ଡ ଥିଲା, ଏହାର ଅନୁକୂଳ ଜଳଵାୟୁ ଓ ଭୌଗୋଳିକ ଅଵସ୍ଥା ଯୋଗୁଁ ବୃହତ୍ ଜଳାଶୟ ଅଞ୍ଚଳ ସୃଷ୍ଟି ହୋଇଥିଲା, ଯାହା କାର୍ବନିଫେରସ୍ ପିରିୟଡ଼ରେ କୋଇଲା ଗଠନରେ ସହାୟକ ହୋଇଥିଲା।
କିଛି ଅଵଶେଷ କୋଇଲାରେ ପରିଣତ ହୋଇ ନ ଥିଲା ଏଵଂ ସେଗୁଡ଼ିକରୁ ଜଣାପଡ଼ିଥିଲା ଯେ ସେହି ସମୟରେ ପୃଥିଵୀରେ ଗୋଟିଏ ମାତ୍ର ଋତୁ ଥିଲା କାରଣ ସେସମୟରେ ଥିଵା ଗଛର ଅଵଶେଷରେ କୌଣସି ଵର୍ଷଚକ୍ର ଦେଖାଯାଇ ନ ଥିଲା । ଏହି ସମୟକାଳରେ ଵିଶାଳ କୀଟପତଙ୍ଗ ପୃଥିଵୀରେ ପ୍ରଭାଵ ଵିସ୍ତାର କରିଥିଲେ । ଉଦାହରଣ ସ୍ୱରୂପ, ମିଲିପେଡ଼ର ଆକାର ଘୋଡ଼ା ପରି ଵଡ଼ ଥିଲା, ଏଵଂ କଙ୍କିର ଆକାର କାଉ ପରି ଥିଲା । ଏମାନେ ଅନ୍ୟ ଛୋଟ ଜୀଵଙ୍କୁ ଶିକାର କରୁଥିଲେ । ଏହା ଵିକାଶର ନୀତି “Survival of the fittest”କୁ ପ୍ରତିଫଳିତ କରୁଥିଲା । ଏହି ଵିଶାଳ ଜୀଵମାନଙ୍କର ଆକାର ଅମ୍ଳଜାନର ଉଚ୍ଚ ମାତ୍ରା ଵା ପରିମାଣ ଯୋଗୁଁ ସମ୍ଭଵ ହୋଇଥିଲା, କାରଣ ସେମାନେ ଫୁସଫୁସ୍ ପରିଵର୍ତ୍ତେ ଚର୍ମରେ ଥିଵା ଛିଦ୍ର ମାଧ୍ୟମରେ ଶ୍ୱାସକ୍ରିୟା କରୁଥିଲେ । ଅର୍ଥାତ୍ ଯେତେ ଅଧିକ ଅମ୍ଳଜାନ ସେତେ ବଡ଼ ଚର୍ମ । ତେଣୁ ସେ କାଳରେ କୀଟପତଙ୍ଗ ବଡ଼ ବଡ଼ ଆକାରର ହେଉଥିଲେ । ଆଜି ବି କୀଟପତଙ୍ଗମାନେ ମୁଖ୍ୟତଃ ସେମାନଙ୍କ ଚର୍ମରେ ଥିଵା ଛିଦ୍ର ମାଧ୍ୟମରେ ନିଃଶ୍ୱାସ ନିଅନ୍ତି। ଏହି ଛିଦ୍ରଗୁଡ଼ିକୁ ସ୍ପାଇରାକଲ୍ (spiracles) କୁହାଯାଏ, ଯାହା ଏକ ନଳୀ ତନ୍ତ୍ର (tracheal system) ମାଧ୍ୟମରେ ଅମ୍ଳଜାନକୁ ଶରୀରର ବିଭିନ୍ନ ଅଂଶକୁ ପହଞ୍ଚାଇଥାଏ। କୀଟପତଙ୍ଗମାନଙ୍କର ଫୁସଫୁସ ନଥାଏ, ତେଣୁ ସେମାନେ ଏହି ତନ୍ତ୍ର ଉପରେ ନିର୍ଭର କରି ଜୀଵନଯାପନ କରନ୍ତି।
୩୦୦ ନିୟୁତ ଵର୍ଷ ପୂର୍ଵେ ଅମ୍ଳଜାନର ମାତ୍ରା ଆଜିଠାରୁ ୫୦% ଅଧିକ ଥିଲା ଫଳତଃ ବଡ଼ ବଡ଼ ଆକାରର କୀଟ ପତଙ୍ଗ ହୋଇଯାଇଥିଲେ ।
ଏହି ସମୟରେ Meganeura ନାମକ କଙ୍କିର ପ୍ରାୟ ୭୦ ସେଣ୍ଟିମିଟର ଲମ୍ବା ପର ଥିଲା ଏଵଂ Arthropleura ନାମକ ତେଲୁଣୀ ପୋକ(millipede) ୨.୫ ମିଟର ଲମ୍ବା ହେଉଥିଲା । ଏହି ଜୀଵମାନେ ଜଙ୍ଗଲରେ ପ୍ରଭାବଶାଳୀ ଥିଲେ, କିନ୍ତୁ ସେମାନଙ୍କର ବଡ଼ ଆକାର ଅମ୍ଳଜାନର ପରିମାଣ ଉପରେ ନିର୍ଭର କରୁଥିଲା । ଏହି ଯୁଗରେ ଉଭୟଚର ଜୀଵଙ୍କଠାରୁ ଵିଵର୍ତ୍ତିତ ହୋଇ ପ୍ରଥମ ସରୀସୃପ(reptiles) ମଧ୍ୟ ଦେଖା ଦେଇଥିଲେ ଏଵଂ ସ୍ଥଳଭାଗରେ ଅଧିକ ଅନୁକୂଳିତ ହୋଇଥିଲେ । Carboniferous କାଳର ଜଳାଭୂମି(swamp) ବିଶାଳ କୋଇଲା ଭଣ୍ଡାର ସୃଷ୍ଟି କଲେ ଯାହା ଆଜିର ଶକ୍ତି ଉତ୍ସର ଆଧାର ।
କିନ୍ତୁ, ଏହି ଵିଶାଳ ଜୀଵମାନଙ୍କର ଅନ୍ତ ମଧ୍ୟ ନିକଟତର ହେଇ ଆସୁଥିଲା । ପୃଥିଵୀରେ ଟେକ୍ଟୋନିକ ପ୍ଲେଟର ଗତିଵିଧି ଯୋଗୁଁ ଵିଭିନ୍ନ ସ୍ଥାନରେ ଆଗ୍ନେୟ ଉଦ୍ଗିରଣ ହେଵାକୁ ଲାଗିଲା । Siberian Trapsରୁ ନିର୍ଗତ ଵିଶାଳ ଆଗ୍ନେୟ ଉଦ୍ଗିରଣ ଅଙ୍ଗାରକାମ୍ଳ ଏଵଂ ସଲଫର୍ ଗ୍ୟାସ୍ ନିର୍ଗତ କଲା ଯାହା ଵିଶ୍ଵତାପନ(Global warming) ଓ ଅମ୍ଳୀୟ ଵର୍ଷା(Acid rain)ର କାରଣ ହେଲା । ଏଥିରୁ ନିର୍ଗତ ସଲଫ୍ୟୁରିକ ଗ୍ୟାସ ଵାୟୁମଣ୍ଡଳରେ ମିଶି ସଲଫ୍ୟୁରିକ ଅମ୍ଳ ଵର୍ଷା ହେଲା । ଫଳରେ ଅମ୍ଳଜାନର ମାତ୍ରା ହ୍ରାସ ପାଇଲା ଓ କାର୍ଵନର ମାତ୍ରା ଵୃଦ୍ଧି ପାଇଲା । ଏହି ଵିପର୍ଯ୍ୟୟ ଏତେ ଭୟଙ୍କର ଥିଲା ଯେ ପୃଥିଵୀର ୯୦-୯୬% ଜୀଵ ଜାତି ଵିଲୁପ୍ତ ହୋଇଗଲେ । ଏହି ଘଟଣାକୁ ‘Permian-Triassic Extinction Event’ ଵା ‘Great Dying’ ନାମ ଦିଆଯାଇଛି, ଯାହା ପର୍ମିଆନ୍-ଟ୍ରାଇଆସିକ୍ କାଳସୀମାରେ ଘଟିଥିଲା ।
ଅମ୍ଳଜାନର ଅଭାଵରେ ଅନେକ ଵିଶାଳ ଜୀଵମାନେ ଵଞ୍ଚି ପାରିଲେ ନାହିଁ କିନ୍ତୁ ଛୋଟ ଜୀଵମାନେ ଅମ୍ଳଜାନ ବହୁଳ ସ୍ଥାନରେ ଆତ୍ମଗୋପନ କରି ତଥା ପରିଵେଶ ସହିତ ଅନୁକୂଳନ କରି ଵଞ୍ଚିଗଲେ । କଙ୍କି ଭଳି ଜୀଵ ନୂତନ ପରିଵେଶ ସହିତ ଖାପଖୁଆଇ ବଞ୍ଚିଗଲେ । ଯୋଉ ଛୋଟ ଜୀଵମାନେ ବଞ୍ଚିଗଲେ ସେମାନେ ପରଵର୍ତ୍ତୀ ଜାତିମାନଙ୍କର ପୂର୍ଵଜ ହେଲେ । ତେବେ ପୃଥିଵୀରେ ଗୋଟିଏ ଵିଲୁପ୍ତି ଘଟଣା ଆଉ ଏକ ନୂଆ ଯୁଗର ସୂତ୍ରପାତ କରିଥିଵାର ଅନେକ ଐତିହାସିକ ଉଦାହରଣ ରହିଛି ।ପର୍ମିଆନ୍-ଟ୍ରାଇଆସିକ୍ ମହାଵିଲୁପ୍ତି ଡାଇନୋସରଙ୍କ ଯୁଗର ଆରମ୍ଭର ପଥ ପ୍ରଶସ୍ତ କଲା । ଏହି ଘଟଣାର ଅନ୍ୟ କାରଣଗୁଡ଼ିକ ଯେପରିକି ସମୁଦ୍ରରେ ଆନୋକ୍ସିଆ ଏଵଂ ମିଥେନ୍ର ମିଶ୍ରଣ ମଧ୍ୟ ମଧ୍ୟ ଥିଲା ଯାହା ଜଳଵାୟୁକୁ ଵିଶେଷ ଭାବେ ଦୂଷିତ କରିଥିଲା । ଏହି ଵିଲୁପ୍ତି ପରେ ଟ୍ରାଇଆସିକ୍ ଯୁଗରେ ଜୀଵନ ପୁନର୍ଜୀଵିତ ହେଲା ଏଵଂ ଡାଇନୋସରଙ୍କ ଯୁଗ ଆରମ୍ଭ ହେଲା ।
ଡାଇନୋସରଙ୍କ ଯୁଗ ପୂର୍ବରୁ ଘଟିଥିବା ଏହି ଘଟଣାଗୁଡ଼ିକ ଜୀଵନର ଅଦ୍ଭୁତ ଯାତ୍ରାକୁ ଚିତ୍ରଣ କରେ। ଏକକୋଷୀ ଜୀଵରୁ ଜଟିଳ ପ୍ରାଣୀଙ୍କ ଉଦ୍ଭବ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଓ ସ୍ଥିତିସ୍ଥାପକତାର ନିଦର୍ଶନ। ବିପର୍ଯ୍ୟୟର ମୁହୂର୍ତ୍ତରେ ମଧ୍ୟ ଜୀଵନ ନିଜର ପଥ ଖୋଜି ଆଗେଇ ଚାଲିଛି, ଆଜିର ଜୈଵଵୈଚିତ୍ର୍ୟ ଏହି ପ୍ରାଚୀନ ସଂଘର୍ଷର ଫଳ। କିନ୍ତୁ ଆଜିର ଜଳଵାୟୁ ପରିଵର୍ତ୍ତନର ଏହି ପୁରାତନ ଵିପର୍ଯ୍ୟୟ ସହିତ ସାମଞ୍ଜସ୍ୟ ଦୃଶ୍ୟ ହୁଏ ।ଏହା ଆମକୁ ସତର୍କ କରେଇ ଦିଏ ଯେ ମଣିଷର କାର୍ଯ୍ୟ ପୃଥିଵୀର ସୁକ୍ଷ୍ମ ସନ୍ତୁଳନକୁ ନଷ୍ଟ କରିପାରେ। ତେଣୁ ଆମେ ସମସ୍ତେ ଏହି ପୃଥିଵୀର ରକ୍ଷଣାଵେକ୍ଷଣ ପାଇଁ ଦାୟିତ୍ୱ ନେଵା ଆଵଶ୍ୟକ ଯାହା ଦ୍ୱାରା ଆଗାମୀ ପିଢ଼ି ଏହି ଜୈଵଵୈଚିତ୍ର୍ୟର ସୌନ୍ଦର୍ଯ୍ୟ ଓ ସନ୍ତୁଳନକୁ ଉପଭୋଗ କରିପାରିବେ।
No comments:
Post a Comment