୧୬୯୨ ମସିହାର ଶୀତଦିନ। "ମାସାଚୁସେଟ୍ସ୍ ବେ କଲୋନି"ର ଉତ୍ତର ସୀମାରେ ଥିଵା ଏକ ଛୋଟ ଗାଁ ଥିଲା — ସେଲମ୍ ଵିଲେଜ୍। ଚାରିପଟକୁ ଘଞ୍ଚ ଜଙ୍ଗଲ, ସଂକୀର୍ଣ୍ଣ ପଥ, ଏଵଂ ଲମ୍ଵା ଲମ୍ଵା ଶୀତ ରାତି। ଦିନରେ ମଧ୍ୟ ସୂର୍ଯ୍ୟକିରଣ ଗଛର ଘଞ୍ଚ ପତ୍ର ମଧ୍ୟରେ ଛାଣି ହୋଇ ଭୂମିରେ ପଡ଼ିଲା ବେଳେ, ଲାଗୁଥିଲା ସତେ ଯେପରି କେହି ଆଲୋକ ଉପରେ ପରଦା ପକାଇ ଦେଇଛି। ଏହି ଗାଁରେ ପ୍ୟୁରିଟାନ୍ ଲୋକମାନେ ରହୁଥିଲେ । ଏଠାକାର ସ୍ଥାନୀୟ ଲୋକମାନେ ନୈଷ୍ଠିକ ଖିରସ୍ତାନୀ ଏଵଂ ଏହି ରିଲିଜନର କଠୋର ନିୟମ ମଧ୍ୟରେ ବାନ୍ଧି ହୋଇ ଜୀଵନ ନିର୍ଵାହ କରୁଥିଲେ । ନୈଷ୍ଠିକ ଖିରସ୍ତାନୀ ହୋଇଥିଵାରୁ God ଓ Devil ମଧ୍ୟରେ ସଦାସର୍ଵଦା ଚାଲିଥିଵା ସେହି ତଥାକଥିତ ଅଦୃଶ୍ୟ ଯୁଦ୍ଧରେ ପୂର୍ଣ୍ଣ ଵିଶ୍ୱାସ ରଖୁଥିଲେ। ସେମାନଙ୍କ ପାଇଁ ଦୁନିଆ ଦୁଇଟି ଭାଗରେ ଵିଭକ୍ତ ଥିଲା — ଆଲୋକ ଓ ଅନ୍ଧକାର,God ଓ Devil, ପଵିତ୍ର ଓ ଶାପିତ।
ତେବେ ସେହିଦିନିଆ ଏହି ଗାଁରେ ଗୋଟିଏ ରାତିରେ, ଏମିତି କିଛି ଘଟିଲା ଯାହା ସବୁକିଛି ବଦଳାଇ ଦେଲା। ଫେବୃଆରୀ ମାସର ଏକ ଶୀତଳ ରାତିରେ, ପାଷ୍ଟର ସାମୁଏଲ୍ ପାରିଙ୍କ ଘରେ ଅଜବ ଚିତ୍କାର ଶୁଣାଗଲା। ତାଙ୍କ ନଅ ଵର୍ଷର ଝିଅ ବିଟି ପାରି ଏଵଂ ଏଗାର ଵର୍ଷର ଭାଣିଜୀ ଆବିଗେଲ୍ ୱିଲିୟମ୍ସ୍ ହଠାତ୍ ଅଜବ ଵ୍ୟଵହାର କରିଵାକୁ ଲାଗିଲେ। ସେମାନେ ବିଛଣାରେ ଛଟପଟ ହେଵାକୁ ଲାଗିଲେ, ସେମାନଙ୍କ ଶରୀର ବଙ୍କା ହେଵାକୁ ଲାଗିଲା, ମୁହଁରୁ ଅସ୍ପଷ୍ଟ ଓ ଭୟଙ୍କର ଶବ୍ଦ ବାହାରିଲା ଏଵଂ ବେଳେବେଳେ ସେମାନେ ଚେତା ହରାଇଲେ।
ଘର ଲୋକମାନେ ଭୟଭୀତ ହୋଇଗଲେ। ପାଷ୍ଟର ପାରି ପ୍ରଥମେ ଭାବିଲେ ଯେ ହୁଏତ ଏହା କୌଣସି ରୋଗ। ସେ ଗାଁ ଡାକ୍ତର ୱିଲିୟମ୍ ଗ୍ରିଗ୍ସ୍ଙ୍କୁ ଡାକିଲେ।
ଡାକ୍ତର ଉଭୟ ଝିଅଙ୍କୁ ପରୀକ୍ଷା କଲେ, ସେମାନଙ୍କ ନାଡ଼ି ପରକ୍ଷୀଲେ, ଆଖି ପରୀକ୍ଷା କଲେ, ଜ୍ୱର ଯାଞ୍ଚ କଲେ।
ତା’ପରେ ଧୀରେ କହିଲା —
"ଏହା କୌଣସି ସାଧାରଣ ରୋଗ ନୁହେଁ। ଏହା... ଶାପ ଵା କଳାଯାଦୁର ପ୍ରଭାବ ହୋଇଥାଇପାରେ।"
ଏହି ଗୋଟିଏ ଵାକ୍ୟ। ଏଵଂ ଏହି ଗୋଟିଏ ଵାକ୍ୟ ଗାଁରେ ନିଆଁ ଲଗାଇ ଦେଲା।
ପ୍ୟୁରିଟାନ୍ ସମାଜରେ ଡାହାଣୀମାନଙ୍କ ଭୟ ପୂର୍ଵରୁ ଥିଲା। ଚର୍ଚ୍ଚରେ ପାଷ୍ଟରମାନେ ଶିକ୍ଷା ଦେଉଥିଲେ ଯେ ଡେଵିଲ୍ ନିଜର ସେଵକ ଡାହାଣୀମାନଙ୍କୁ ପଠାଇ ଭଗଵାନଙ୍କ ଭକ୍ତମାନଙ୍କର କ୍ଷତି କରେ। ବାଇବେଲର ପୁରାତନ ନିୟମ Book of Exodus—22:18ରେ ଲେଖାଅଛି “Thou shalt not suffer a witch to live.” ଅର୍ଥାତ୍ ଡାହାଣୀମାନଙ୍କୁ ଵଞ୍ଚିଵାକୁ ଦେଵା ଉଚିତ୍ ନୁହେଁ।
ଏଵଂ ଏବେ — ଡାକ୍ତର ନିଜେ କହିଦେଲେ ଯେ ଏହା କଳାଯାଦୁ। ଗାଁରେ ଗୁଜବ ଵ୍ୟାପିଗଲା। ସ୍ଥାନୀୟ ଲୋକମାନେ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖିଵାକୁ ଲାଗିଲେ। ଘରେ ରାତିରେ କଵାଟ ଵନ୍ଦ ହେଵାକୁ ଲାଗିଲା।
ସେହି witch କିଏ? ସେ କେଉଁଠି ଲୁଚିଛି?
କିଛି ଦିନ ମଧ୍ୟରେ ବିଟି ଓ ଆବିଗେଲ୍ ଭଲ ହୋଇଗଲା ପରେ ତିନି ଜଣ ମହିଳାଙ୍କ ନାଆଁ କହିଲେ।
ପ୍ରଥମ ନାମ ଥିଲା — Tituba (ଟିଟୁବା)।
ଟିଟୁବା, ପାଷ୍ଟର ପାରିଙ୍କ ଦାସୀ ଥିଲେ, ଯିଏ ବାର୍ବାଡୋସ୍ ଦ୍ୱୀପରୁ ଆସିଥିଲେ। ଗାଁରେ ଶୁଣିଵାକୁ ମିଳୁଥିଲା ଯେ ସେ ପିଲାମାନଙ୍କୁ ଅତୃପ୍ତ ଆତ୍ମାମାନଙ୍କ ଵିଷୟରେ, ଅଦୃଶ୍ୟ ଶକ୍ତି ଵିଷୟରେ,ପିଶାଚ-ପିଶାଚୁଣୀ ଓ କଳାଯାଦୁର କାହାଣୀ କହୁଥିଲେ ।
ଝିଅମାନେ କହିଲେ — "ଟିଟୁବା ଆମକୁ Devilର ସେଵା କରିଵାକୁ କହୁଛି।"
ଦ୍ୱିତୀୟ ନାମ ଥିଲା — ସାରା ଗୁଡ୍। ଜଣେ ଗରିବ ଭିକାରୀ ମହିଳା, ଯାହାକୁ ଗାଁ ଲୋକେ ପୂର୍ଵରୁ ପସନ୍ଦ କରୁନଥିଲେ।
ତୃତୀୟ ନାମ ଥିଲା — ସାରା ଓସବର୍ଣ୍ଣ୍। ଜଣେ ମହିଳା ଯିଏ ସମାଜର ପାରମ୍ପରିକ ନିୟମ ମାନୁନଥିଲେ।
ଏହି ତିନି ଜଣଙ୍କୁ ଗିରଫ କରାଗଲା।
କୋର୍ଟରେ ଟିଟୁବାଙ୍କୁ ପଚରାଉଚରା କରାଗଲା।
ପ୍ରଥମେ ସେ ମନା କଲେ। ତା’ପରେ — ହୁଏତ ଭୟରୁ, ହୁଏତ ବଞ୍ଚିଵା ପାଇଁ — ସେ ଏକ ଭୟଙ୍କର କାହାଣୀ କହିଲେ।
ସେ କହିଲା —"ହଁ, ମୁଁ ଡେଵିଲ୍କୁ ଦେଖିଛି। ସେ ଏକ କଳା ବହି ଧରି ଆସିଥିଲା। ସେ କହିଲା — ଏଥିରେ ଦସ୍ତଖତ କର ଏଵଂ ମୁଁ ଦସ୍ତଖତ କରି ଦେଇଛି।" ସେ ଏହା ମଧ୍ୟ କହିଲା ଯେ ୟେ ଗାଁରେ ଆହୁରି ଅନେକ witch ଅଛନ୍ତି। ସେ ନାମ କହିଲା ନାହିଁ, କିନ୍ତୁ ତାହା ଯଥେଷ୍ଟ ଥିଲା।
ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି ତାଙ୍କୁ ଫାଶୀରୁ ଵଞ୍ଚାଇଲା, କାରଣ କୋର୍ଟ "ସହଯୋଗୀ ସାକ୍ଷୀ" ମାନଙ୍କୁ କ୍ଷମା କରୁଥିଲା। Tituba ଆଦାଲତରେ witchcraft କଥା ସ୍ଵୀକାର କରିଥିଵାରୁ ତାଙ୍କୁ ସହଜରେ ମାରି ଦିଆଯାଇନଥିଲା, କିନ୍ତୁ ତାଙ୍କୁ ଜେଲ୍ରେ ରଖାଗଲା। ସେ ୧୬୯୨ରୁ ୧୬୯୩ ପର୍ଯ୍ୟନ୍ତ ପ୍ରାୟ ଏକ ଵର୍ଷ ଜେଲ୍ରେ ରହିଥିଲେ। ସେ ସମୟରେ ଜେଲ୍ର ଖର୍ଚ୍ଚ ମଧ୍ୟ ବନ୍ଦୀଙ୍କ ମାଲିକଙ୍କୁ ଦେଵାକୁ ପଡୁଥିଲା। ତାଙ୍କ ମାଲିକ Samuel Parris ଜେଲ୍ ଖର୍ଚ୍ଚ ଦେଵାକୁ ଇଚ୍ଛା କଲେ ନାହିଁ।
ତେଣୁ ସେ ଜେଲ୍ରେ ରହିଗଲେ। ୧୬୯୩ରେ ଜଣେ ଅଜଣା ବ୍ୟକ୍ତି ଜେଲ୍ର ଖର୍ଚ୍ଚ ଦେଇ Titubaଙ୍କୁ କିଣିନେଲେ। ତାପରେ ସେ କେଉଁଠି ଗଲେ, କେମିତି ଜୀଵନ କଟାଇଲେ ଇତିହାସରେ ଏହାର ନିଶ୍ଚିତ ତଥ୍ୟ ମିଳେନି। ତେଣୁ ଐତିହାସିକମାନେ କହନ୍ତି
Titubaଙ୍କ ଜୀବନର ପରଵର୍ତ୍ତୀ ଅଧ୍ୟାୟ ଇତିହାସରେ ଅଦୃଶ୍ୟ ହୋଇଯାଇଛି। ହୋଇପାରେ
ଅନ୍ୟତ୍ର Tituba ଦାସୀ ଭାବେ ଜୀଵନ କଟାଇଥିବେ
କିମ୍ବା କୌଣସି ଅନ୍ୟ ଦ୍ୱୀପ କିମ୍ବା ଉପନିଵେଶକୁ ନେଇଯାଇଥିବେ କିନ୍ତୁ ତାହାର ପ୍ରମାଣ ମିଳିନାହିଁ।
ତେବେ Titubaଙ୍କ ବୟାନ ପରେ କୋର୍ଟ ଉତ୍ସାହିତ ହୋଇଗଲା। ଲୋକମାନେ ଭୟଭୀତ ହୋଇଗଲେ ଏଵଂ ଅଭିଯୋଗର ଶୃଙ୍ଖଳା ଆରମ୍ଭ ହେଲା।
ସେତେବେଳେ ଏହି ଵିଚାରରେ ଏକ ପ୍ରକାରର "ପ୍ରମାଣ" ଵ୍ୟଵହାର କରାଯାଉଥିଲା ଯାହା ଆଜିର କୌଣସି କୋର୍ଟରେ ଗ୍ରହଣୀୟ ହେଵ ନାହିଁ —
"ସ୍ପେକ୍ଟ୍ରାଲ୍ ଏଭିଡେନ୍ସ ଵା ଆତ୍ମାର ପ୍ରମାଣ।"
ମେ ୧୬୯୨ ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ ଏକ ସ୍ୱତନ୍ତ୍ର କୋର୍ଟ — କୋର୍ଟ ଅଫ୍ ଓୟର୍ ଆଣ୍ଡ୍ ଟର୍ମିନର୍ — ଗଠନ କଲେ।
ଏହି କୋର୍ଟର ସବୁଠାରୁ ବଡ଼ ଓ ମାରାତ୍ମକ ଵୈଶିଷ୍ଟ୍ୟ ଥିଲା — ସ୍ପେକ୍ଟ୍ରାଲ୍ ଏଭିଡେନ୍ସ୍କୁ ସ୍ୱୀକୃତି।
ଏହାର ଅର୍ଥ ଥିଲା — ଯଦି କେହି ଦାବି କରେ ଯେ ସେ କୌଣସି ଅଭିଯୁକ୍ତର "ଆତ୍ମା" କିମ୍ବା "ଛାୟା" ଦେଖିଛି ଯିଏ ତାକୁ କଷ୍ଟ ଦେଉଥିଲା — ତେବେ ଏହାକୁ କୋର୍ଟରେ ଵୈଧ ପ୍ରମାଣ ବୋଲି ମାନୁଥିଲେ।
ଏହି ପ୍ରମାଣ ଯାଞ୍ଚ କରାଯାଇପାରୁନଥିଲା, କାଟି ହେଉନଥିଲା। ଅଭିଯୁକ୍ତର ରକ୍ଷା ପାଇଁ କୌଣସି ପନ୍ଥା ନଥିଲା। ଏହି ନିୟମ ସମ୍ପୂର୍ଣ୍ଣ ଵିଚାରକୁ ଏକ ଯୁକ୍ତିହୀନ, ନିର୍ଦ୍ଦୟ ପ୍ରକ୍ରିୟାରେ ପରିଣତ କଲା।
ଅର୍ଥାତ୍ — ଯଦି କେହି କହେ, "ମୁଁ ରାତିରେ କାହାର ଆତ୍ମା ଦେଖିଲି ଯିଏ ମୋତେ କଷ୍ଟ ଦେଉଥିଲା" — ତେବେ କୋର୍ଟ ଏହାକୁ ପ୍ରମାଣ ବୋଲି ମାନୁଥିଲା।
ଏହି ନିୟମ ଶହ ଶହ ନିରୀହ ଲୋକଙ୍କୁ ଅଭିଯୁକ୍ତ କରିଦେଲା।
ଥରେ ପ୍ରକ୍ରିୟା ଆରମ୍ଭ ହେଵା ପରେ ଅଭିଯୋଗ କରିଵା ସହଜ ହୋଇଗଲା। ଯେଉଁମାନେ ଅଭିଯୋଗ କରୁଥିଲେ, ସେମାନଙ୍କୁ ସମାଜରେ "ପୀଡ଼ିତ" ର ମାନ୍ୟତା ମିଳୁଥିଲା। ଯେଉଁମାନେ ମନା କରୁଥିଲେ, ସେମାନେ ସନ୍ଦେହୀ ହୋଇଯାଉଥିଲେ। ଯେଉଁମାନେ ସ୍ୱୀକାର କରୁଥିଲେ ଏଵଂ ଅନ୍ୟମାନଙ୍କ ନାମ ନେଉଥିଲେ, ସେମାନେ ଵଞ୍ଚିଯାଉଥିଲେ। ଏହି ଵ୍ୟଵସ୍ଥା ଏକ ଭୟଙ୍କର ଚକ୍ର ସୃଷ୍ଟି କଲା।
ବାର ଵର୍ଷ ଵୟସ୍କା ଆନ୍ ପୁଟନମ୍ ଜୁନିୟର ସର୍ଵାଧିକ ଲୋକଙ୍କ ଵିରୋଧରେ ଡାହାଣୀ ଅଭିଯୋଗ କରିଥିଲା। ସେ ନିଜକୁ 'ଡାହାଣୀ ଵା Witch'ଦ୍ଵାରା ପୀଡ଼ିତ ଦେଖାଇ ଡଜନ ଡଜନ ଲୋକଙ୍କ ଉପରେ ଅଭିଯୋଗ ଆଣିଥିଲା ।
ଜୁନ୍ ୧୬୯୨ରେ ପ୍ରଥମ ଫାଶୀ ହେଲା।
ବ୍ରିଜେଟ୍ ବିଶପ୍ଙ୍କୁ ଗ୍ୟାଲୋସ୍ ହିଲ୍ରେ ଫାଶୀ ଦିଆଗଲା। ତାଙ୍କର "ଅପରାଧ" ଥିଲା — ଅଜବ ପୋଷାକ ପିନ୍ଧିଵା ଏଵଂ ରାତିରେ ଘରେ ନରହି ବାହାରେ ବୁଲିଵା। ତା’ପରେ ଜଣକ ପରେ ଜଣେ ଏହିପରି ୧୯ ଲୋକଙ୍କୁ ଏହିପରି ଫାଶୀ ମିଳିଲା।
୨୦୦ ଲୋକଙ୍କୁ witch ସନ୍ଦେହରେ ଅଭିଯୁକ୍ତ କରାଯାଇଥିଲା । ପାଞ୍ଚଜଣ ପୁରୁଷ ଓ ଚଉଦ ଜଣ ମହିଳାଙ୍କୁ ଫାଶୀ ଦିଆଗଲା । ଜଣେ ପୁରୁଷକୁ ପଥର ତଳେ ଚାପି ଦିଆଗଲା । ଅନ୍ୟ ପାଞ୍ଚଜଣ ଜେଲ୍ ମଧ୍ୟରେ ଅନାହାର ଓ ରୋଗ ଯୋଗୁଁ ମରିଥିଲେ । କେତେକଙ୍କୁ witch ସନ୍ଦେହ କରାଯାଇ ଘର ଜଳେଇ ଦିଆଗଲା । ଅନେକଙ୍କୁ ଅସଦାଚରଣ କରାଗଲା । ଛୋଟ ପିଲାମାନଙ୍କୁ witch ସନ୍ଦେହ କରାଯାଉଥିଵା ମହିଳାମାନଙ୍କ ଉପରକୁ ପଥର ଫିଙ୍ଗିଵାକୁ ଉତ୍ସାହିତ କରାଗଲା ।
ରେବେକା ନର୍ସ ୭୧ ଵର୍ଷୀୟା ମହିଳା ଥିଲେ, ଗାଁରେ ତାଙ୍କର ବହୁତ ସମ୍ମାନ ଥିଲା। ତାଙ୍କ ପରିଵାର ତାଙ୍କ ପାଇଁ ଏକ ଆଵେଦନରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ୩୯ ଜଣ ଲୋକ ସ୍ୱାକ୍ଷର କରିଥିଲେ। ପ୍ରଥମ ଜୁରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଯେତେବେଳେ କୋର୍ଟର ଵିଚାରପତି ୱିଲିୟମ୍ ଷ୍ଟୋଟନ ଜୁରିଙ୍କୁ ପୁନଃ ଵିଚାର କରିଵାକୁ କହିଲେ, ସେତେବେଳେ ନିଷ୍ପତ୍ତି ବଦଳାଇ ଦିଆଗଲା। ଜୁଲାଇ ୧୬୯୨ ରେ ରେବେକା ନର୍ସଙ୍କୁ ଫାଶୀ ଦିଆଗଲା।
ଜର୍ଜ୍ ବରୋଜ୍ଙ୍କ ମାମଲା ଵିଶେଷ ଭାଵରେ ଉଲ୍ଲେଖନୀୟ ଅଟେ। ସେ ଜଣେ ପୂର୍ଵତନ ପାଷ୍ଟର ଥିଲେ। ଫାଶୀ ଘାଟିକାରେ ସେ Lord's Prayer ସମ୍ପୂର୍ଣ୍ଣ ଭାବେ ଏଵଂ ଵିନା କୌଣସି ଭୁଲ୍ରେ ପଢ଼ିଲେ । ସେହି ସମୟରେ ଏହା ଵିଶ୍ୱାସ କରାଯାଉଥିଲା ଯେ କୌଣସି Witch ଏହା କରିପାରିଵ ନାହିଁ। ଭିଡ଼ ଦ୍ୱିଧାବୋଧ କଲା। କିନ୍ତୁ କଟନ ମାଥର ନାମକ ଜଣେ ପ୍ରଭାଵଶାଳୀ ପାଷ୍ଟର୍ ଘୋଡ଼ା ପିଠିରେ ବସି ଭିଡ଼କୁ ବୁଝାଇଲେ ଯେ ଏହା ଡେଵିଲ୍ର ଏକ କୌଶଳ। ତାଙ୍କ କଥାରେ ପ୍ରଭାଵିତ ହୋଇ ଜର୍ଜ୍ ବରୋଜ୍ଙ୍କୁ ଫାଶୀ ଦିଆଗଲା।
ସବୁଠାରୁ ଦୁଃଖଦାୟକ କାହାଣୀ ଥିଲା ଜାଇଲ୍ସ କୋର୍ଙ୍କର। ଜାଇଲ୍ସ କୋର ଜଣେ ୮୦ ଵର୍ଷୀୟ ଚାଷୀ ଥିଲେ। ତାଙ୍କ ଉପରେ ମଧ୍ୟ ଅଭିଯୋଗ ଲାଗିଥିଲା। କିନ୍ତୁ ସେ କୋର୍ଟରେ plea ଦେଵାକୁ ମନା କରିଦେଲେ।
ସେହି ସମୟର ଆଇନ ଅନୁଯାୟୀ ଯେଉଁମାନେ ପ୍ଲି ଦେଉନଥିଲେ, ସେମାନଙ୍କୁ peine forte et dure ଅର୍ଥାତ୍ ଛାତିରେ ପଥର ରଖି ସ୍ୱୀକାରୋକ୍ତି କରାଇଵା ଭଳି ନିର୍ଦ୍ଦୟ ଦଣ୍ଡ ଦିଆଯାଇପାରୁଥିଲା। ୧୭ ସେପ୍ଟେମ୍ଵର ୧୬୯୨ ରେ ଜାଇଲ୍ସ କୋରଙ୍କୁ ଭୂଇଁରେ ଶୁଆଇ ତାଙ୍କ ଛାତିରେ ପଥର ରଖାଗଲା। ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିଲା। ଲୋକମାନେ କହିଲେ ଯେ ଯେତେବେଳେ ପଥର ରଖିଥିଵା ଶେରିଫ୍ ପଚାରିଲେ — "ତୁମେ Plea ଦେଉଛ କି?" — ଜାଇଲ୍ସ କୋର ପ୍ରତିଥର ସମାନ ଉତ୍ତର ଦେଲେ —
"ଆହୁରି ପଥର ରଖ।"
ତାଙ୍କର ମୃତ୍ୟୁ ଏକ ଶାନ୍ତ ଵିଦ୍ରୋହ ଥିଲା — ସେ କୋର୍ଟକୁ ନିଜର ସମ୍ପତ୍ତି ଜଵତ କରିଵାର ସୁଯୋଗ ଦେଲେ ନାହିଁ, କାରଣ ବିନା ଵିଚାରରେ ଦୋଷୀ ସାଵ୍ୟସ୍ତ ହେଲେ ସମ୍ପତ୍ତି ପରିଵାରକୁ ମିଳୁଥିଲା।
ଏମିତି ଅନେକ ଲୋକଙ୍କୁ witch ସନ୍ଦେହ କରି ଫାଶୀ ଦିଆଗଲା । ଶେଷରେ ଅକ୍ଟୋଵର ୧୬୯୨ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ ହସ୍ତକ୍ଷେପ କଲେ।
କାରଣ ତାଙ୍କ ନିଜ ସ୍ତ୍ରୀଙ୍କୁ witch ସନ୍ଦେହ କରି ଅଭିଯୋଗ ଆସିଥିଲା। ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ କୋର୍ଟ ବନ୍ଦ କଲେ। ସ୍ପେକ୍ଟ୍ରାଲ୍ ଏଭିଡେନ୍ସକୁ ଅଵୈଧ ଘୋଷଣା କଲେ। ୧୬୯୩ରେ ବାକି ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରାଗଲା।
୧୭୦୨ରେ ମାସାଚୁସେଟ୍ସ ଵିଧାନସଭା ଏହି ଵିଚାରଗୁଡ଼ିକୁ ଅଵୈଧ ଘୋଷଣା କଲେ। ୧୭୧୧ରେ ପୀଡ଼ିତ ପରିଵାରଗୁଡ଼ିକୁ କିଛି କ୍ଷତିପୂରଣ ଦିଆଗଲା।
୧୯୫୭ରେ ମାସାଚୁସେଟ୍ସ ସରକାର ଆନୁଷ୍ଠାନିକ ଭାବେ କ୍ଷମା ମାଗିଲେ। ୨୦୦୧ରେ ଆନୁଷ୍ଠାନିକ ଭାବେ ବାକି ସମସ୍ତ ଅଭିଯୁକ୍ତଙ୍କ ନାମ ନିର୍ଦ୍ଦୋଷ ଘୋଷଣା କରାଗଲା।
ଆନ୍ ପୁଟନମ ଜୁନିୟର — ଯିଏ ସବୁଠାରୁ ଅଧିକ ଅଭିଯୋଗ ଆଣିଥିଲେ — ୧୭୦୬ରେ ଚର୍ଚ୍ଚରେ ସର୍ଵସାଧାରଣରେ କ୍ଷମା ମାଗିଲେ। ସେ କହିଲେ —
"ମୁଁ ଯାହା କରିଥିଲି ତାହା ଡେଵିଲ୍ର କୌଶଳରୁ ନୁହେଁ, ଵରଂ ମୋର ନିଜର ଅଜ୍ଞତା ଏଵଂ ଭ୍ରମରୁ ହୋଇଥିଲା। ଏଵଂ ମୁଁ ସେମାନଙ୍କୁ କ୍ଷମା ମାଗୁଛି ଯେଉଁମାନେ ମୋ ଯୋଗୁଁ କଷ୍ଟ ପାଇଛନ୍ତି।"
ଆଜି ସେଲମ୍, ମାସାଚୁସେଟ୍ସଠାରେ ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଅଛି — ଯେଉଁଠାରେ ପ୍ରତ୍ୟେକ ମୃତ ଵ୍ୟକ୍ତିଙ୍କ ନାମ ପାଇଁ ଏକ ପଥରର ବେଞ୍ଚ୍ ଅଛି। ଏହା ପାଖରେ ୱିଚ୍ ହାଉସ୍ ଅଛି — ଵିଚାରପତି ଜୋନାଥନ୍ କୋରୱିନ୍ଙ୍କ ଘର, ଯାହା ସେହି ସମୟର ଏକମାତ୍ର ଵଞ୍ଚିଯାଇଥିଵା ଘର ଅଟେ। ପ୍ରତିଵର୍ଷ ହଜାର ହଜାର ଲୋକ ସେଠାକୁ ଆସନ୍ତି।କିଛି ଇତିହାସ ଜାଣିଵାକୁ, କିଛି ଶ୍ରଦ୍ଧାଞ୍ଜଳି ଦେଵାକୁ।
ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଏକ ଶାନ୍ତ ଏଵଂ ମର୍ଯ୍ୟାଦାସମ୍ପନ୍ନ ସ୍ଥାନ। ଏଠାରେ ୧୯ଟି ପଥରର ବେଞ୍ଚ୍ ଅଛି, ଯେଉଁଥିରେ ପ୍ରତ୍ୟେକ ପୀଡ଼ିତଙ୍କ ନାମ ଖୋଦିତ ହୋଇଛି। ଲୋକମାନେ ସେଠାରେ ଫୁଲ ରଖନ୍ତି, ମହମଵତୀ ଜଳାନ୍ତି। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଅତୀତର ଯନ୍ତ୍ରଣାକୁ ମନେ ରଖାଯାଏ। ଏହି ସ୍ମାରକୀ କେଵଳ ସେହି ଲୋକମାନଙ୍କୁ ସମ୍ମାନ ଦିଏ ନାହିଁ ଯେଉଁମାନେ ପ୍ରାଣ ହରାଇଛନ୍ତି, ଵରଂ ଏହା ସେହି ସମୟର ପ୍ରତିଫଳନ ପାଇଁ ମଧ୍ୟ ଉଦ୍ଦିଷ୍ଟ — ଯେପରି କେବେ ପୁଣି ଏପରି କିଛି ନଘଟୁ।
ଆଜି ସେଲମ୍ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଲୋକମାନେ ସେଠାକୁ କେଵଳ ଭୂତ କାହାଣୀ ଶୁଣିଵା ପାଇଁ ନୁହେଁ, ଵରଂ ପ୍ରକୃତ ଇତିହାସ ବୁଝିଵା ପାଇଁ ଆସନ୍ତି। ସେଲମ୍ ୱିଚ୍ ମ୍ୟୁଜିୟମ୍ରେ ପୁରୁଣା ଦଲିଲ, କଳାକୃତି ଏଵଂ ପ୍ରଦର୍ଶନୀ ଅଛି। ଲୋକମାନେ ସେହି witch trialଗୁଡ଼ିକର ଵାସ୍ତଵତା ଵିଷୟରେ ଜାଣନ୍ତି — କିପରି ଭୟ ଅହିଂସାକୁ ନଷ୍ଟ କରିଦେଇଥିଲା। ସ୍କୁଲ୍ର ପିଲାମାନେ ଫିଲ୍ଡ୍ ଟ୍ରିପ୍ରେ ଆସନ୍ତି, ଐତିହାସିକମାନେ ଗଵେଷଣା କରନ୍ତି, ଲେଖକମାନେ ପ୍ରେରଣା ଖୋଜନ୍ତି।
ପ୍ରତି ଅକ୍ଟୋଵର ମାସରେ ସେଲମ୍ରେ ସେଲମ୍ ୱିଚ୍ ଟ୍ରାୟଲ୍ସ ରି-ଏନେକ୍ଟ୍ମେଣ୍ଟ୍ ଆୟୋଜନ କରାଯାଏ। ସ୍ଥାନୀୟ ଲୋକମାନେ ସେହି ସମୟର ପୋଷାକ ପିନ୍ଧି ସେହି ଘଟଣାଗୁଡ଼ିକୁ ପୁନର୍ଵାର ଦେଖାନ୍ତି। କିନ୍ତୁ ଏହା କେଵଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଏକ ଶିକ୍ଷା — ଯେପରି ଲୋକମାନେ ସେହି ଦୁଃଖଦ ଘଟଣାର ଗୁରୁତ୍ୱ ବୁଝିପାରନ୍ତୁ।
Salem Witch Trials ଘଟଣାର ପ୍ରକୃତ କାରଣ ଵିଷୟରେ ଆଜି ପର୍ଯ୍ୟନ୍ତ ଅନେକ ଗଵେଷଣା ହୋଇଛି । ଐତିହାସିକ ଓ ଗଵେଷକମାନେ ଏହି ଘଟଣା ପଛରେ ଅନେକ କାରଣ ଖୋଜି ପାଇଛନ୍ତି ।
ସେଲ୍ମ ଘଟଣାର ଏକ ପ୍ରସିଦ୍ଧ ବୈଜ୍ଞାନିକ ବ୍ୟାଖ୍ୟା 1976 ମସିହାରେ ମିଳିଥିଲା। ଵୈଜ୍ଞାନିକ ଲିଣ୍ଡା ଆର. କାପୋରାଲ୍ ଏହି ତତ୍ତ୍ୱ ପ୍ରସ୍ତାବ କରିଥିଲେ ଯେ "Salem Witch Trials"ର ମୁଖ୍ୟ କାରଣ ଥିଲା ergot fungus ଵା କବକର ସଂକ୍ରମଣ। ଏହି କବକ rye ଶସ୍ୟ(Secale cereale) ଏବଂ ଅନ୍ୟାନ୍ୟ ଶସ୍ୟରେ ବଢ଼ିଥାଏ ତଥା ଏଥିରେ ergotamine ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହା LSD ସହିତ ସମାନ। LSDର ପୂରା ନାମ Lysergic Acid Diethylamide ଅଟେ । ଏହା ଏକ ଶକ୍ତିଶାଳୀ psychedelic drug — ଅର୍ଥାତ୍ ଏହା ମସ୍ତିଷ୍କ ଉପରେ ଏତେ ଗଭୀର ପ୍ରଭାଵ ପକାଏ ଯେ ଵ୍ୟକ୍ତି ଅସଲ ଜଗତ ଏଵଂ କଳ୍ପନା ମଧ୍ୟରେ ପ୍ରଭେଦ କରିପାରେ ନାହିଁ। LSD ପ୍ରଥମ ଥର 1938 ମସିହାରେ ସ୍ୱିସ୍ ରସାୟନ ଵିଜ୍ଞାନୀ Albert Hofmann ପ୍ରସ୍ତୁତ କରିଥିଲେ। ଏହା ପ୍ରଥମେ ଏକ ଔଷଧ ଭାବେ ତିଆରି ହୋଇଥିଲା, କିନ୍ତୁ ପରୀକ୍ଷା ସମୟରେ ଏହାର ତୀଵ୍ର ମନଃ-ପ୍ରଭାବ ଜଣାପଡ଼ିଲା। ଏହା ଅର୍ଗଟ୍ ଫଙ୍ଗସ୍ରୁ ମିଳୁଥିଵା Lysergic Acidରୁ ତିଆରି — ଏଣୁ Salem Witch Trials ସହ ଏହାର ଯୋଗସୂତ୍ର ଅଛି।
LSD ମସ୍ତିଷ୍କର serotonin receptor ଉପରେ କାର୍ଯ୍ୟ କରେ। ଏହା ଖାଇଲେ—ଅଵାସ୍ତଵ ଦୃଶ୍ୟ ଦେଖାଯାଏ ଵା visual hallucinations ହୁଏ । ରଙ୍ଗ, ଶବ୍ଦ, ସ୍ପର୍ଶ ଅଲଗା ଅନୁଭୂତ ହୁଏ । ସମୟ ଓ ସ୍ଥାନ ର ବୋଧ ନଷ୍ଟ ହୁଏ । ଗଭୀର ଭ୍ରମ ଓ ଭୟ ଆସିପାରେ । LSDର ଏକ ଛୋଟ ଡୋଜ୍ ୮–୧୨ ଘଣ୍ଟା ପର୍ଯ୍ୟନ୍ତ ମନକୁ ପ୍ରଭାଵିତ କରିଥାଏ।
ଠିକ୍ ସେହିପରି Convulsive ergotismର ଲକ୍ଷଣଗୁଡ଼ିକ ହେଲା: ମାନସିକ ବିକୃତି ଵା Psychosis,ଭ୍ରମ ଵା Hallucinations,ଶରୀରର ମାଂସପେଶୀ ହଲଚଲ ହେଵା ଵା Muscle spasms ଏଵଂ ଚର୍ମରେ କିଛି ପୋକ ଵା ବିଛା ଚାଲୁଥିଵା ଭଳି ଲାଗିଵା ଇତ୍ୟାଦି। ଏହି ସବୁ ଲକ୍ଷଣ 1692 ମସିହାର ସେଲ୍ମର ଐତିହାସିକ ରେକର୍ଡରେ ଦେଖିଵାକୁ ମିଳିଛି।
ଲିଣ୍ଡା କାପୋରାଲ୍, ସେଲ୍ମର ତତ୍କାଳୀନ ଲୋକଙ୍କ ଡାଏରୀରେ ଦେଖିଲେ ଯେ 1691 ମସିହାର ପାଣିପାଗ ଗରମ, ଆର୍ଦ୍ର ଓ ଵର୍ଷାଯୁକ୍ତ ଥିଲା, ଯାହା ଏର୍ଗଟ୍ କବକ ବଢ଼ିଵା ପାଇଁ ସବୁଠାରୁ ଉପଯୁକ୍ତ ଥିଲା। ପ୍ରାୟ ସମସ୍ତ ଅଭିଯୋଗ କରିଥିଵା ଝିଅମାନେ ପଶ୍ଚିମ ସେଲମ୍ ଵିଲେଜ୍ ଅଞ୍ଚଳର ଥିଲେ, ଯେଉଁଠାରେ କବକ ବଢ଼ିଵା ପାଇଁ ଉପଯୁକ୍ତ ପରିଵେଶ ଥିଲା। ସେହି ସମୟରେ Rye ଶସ୍ୟ ସେଲମ୍ର ମୁଖ୍ୟ ଖାଦ୍ୟ ଶସ୍ୟ ଥିଲା।
Rye ଏକ ଶକ୍ତ cereal grain ଯାହା Poaceae ପରିଵାରର ଅନ୍ତର୍ଭୁକ୍ତ ଏଵଂ ଏହା ଗହମ ଓ ବାର୍ଲି ସହିତ ଘନିଷ୍ଠ ଭାବେ ଜଡ଼ିତ। ସମଶୀତୋଷ୍ଣ ଅଞ୍ଚଳରେ ଵିଶେଷ କରି Europe ଓ Russiaରେ ଚାଷ କରାଯାଉଥିବା rye, ଅଳ୍ପ ଉର୍ଵର ମାଟି ତଥା ଶକ୍ତ ପାଗକୁ ସହ୍ୟ କରିଵା ପାଇଁ ଜଣାଶୁଣା।
ଏହାର ପତ୍ରଗୁଡ଼ିକ ଗହମ ଅପେକ୍ଷା ଲମ୍ବା ଏଵଂ ଏହାର ଦାନାଗୁଡ଼ିକ ଛୋଟ ଓ ଗାଢ଼ ରଙ୍ଗର ହୋଇଥାଏ । ଏହା -30°C ପର୍ଯ୍ୟନ୍ତ ତାପମାତ୍ରା ଏଵଂ ଅମ୍ଳୀୟ ମାଟିକୁ ସହ୍ୟ କରିପାରେ । ଏହାର ଚେରଗୁଡ଼ିକ ବହୁତ ଗଭୀର ଭାବେ ଵିସ୍ତାରିତ ହୋଇଥାଏ, ଯାହା ଏହାକୁ ମୃତ୍ତିକା ସଂରକ୍ଷଣ ପାଇଁ ଉତ୍କୃଷ୍ଟ କରିଥାଏ । ଐତିହାସିକ ଭାବେ, ଯେଉଁ ଅଞ୍ଚଳରେ ଗହମ ଭଲ ଭାବେ ହେଉନଥିଲା, ସେହି ଶକ୍ତ ମାଟିରେ rye ଏକ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ହୋଇ ରହିଥିଲା। ଏହା Russian rye bread (ଯାହାକୁ "black bread" କୁହାଯାଏ) ଏଵଂ Polish rye whiskey ଭଳି ପାରମ୍ପରିକ ଖାଦ୍ୟର ମୁଖ୍ୟ ଆଧାର। ଏହାର ଅଧିକ fiber ଓ protein ଯୋଗୁଁ ଏହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ମନେ କରାଯାଏ।
Rye ପ୍ରଥମେ ସପ୍ତଦଶ ଶତାବ୍ଦୀର ଆରମ୍ଭରେ ଆମେରିକାକୁ ୟୁରୋପୀୟମାନଙ୍କ ଦ୍ଵାରା ଆସିଥିଲା। Dutch ଲୋକମାନଙ୍କ ଦ୍ବାରା ୧୬୨୫ ଅଗଷ୍ଟ ମାସରେ Manhattan Island (New Amsterdam)ରେ ପ୍ରଥମ American-grown rye ଅମଳ କରାଯାଇଥିଲା। ଏହି ଶସ୍ୟ Lynn, Massachusetts (1633) ଓ Jamestown, Virginia (1628)ରେ ମଧ୍ୟ ଚାଷ କରାଗଲା। Rye ମୁଖ୍ୟତଃ "ଅମ୍ଳୀୟ ବାଲୁକାମୟ ହିମନଦୀୟ ମାଟି" ଵା acidic sandy glacial soils ପାଇଁ ଉପଯୁକ୍ତ ଥିଲା, ଯାହା ଆମେରିକୀୟ ପୂର୍ଵ ଉପକୂଳର ଅନେକ ଅଞ୍ଚଳରେ ଦେଖିଵାକୁ ମିଳେ। ଏହା ଶୀତ ଋତୁରେ ବହୁତ ଭଲ ଭାବରେ ବଢ଼େ ଏଵଂ ରୋଗ ପ୍ରତିରୋଧକ ଶକ୍ତି ରଖୁଥିଵାରୁ ଏହା ଏକ ଭଲ ଶୀତକାଳୀନ ଫସଲ ଥିଲା । ଅଵଶ୍ୟ ଆଧୁନିକତାର ଚାପରେ ପଡ଼ି ୧୯୫୦ ଦଶକରୁ ଆମେରିକାରେ ryeର ଵ୍ୟଵହାର ବହୁତ କମିଯାଇଛି। ଯଦିଓ rye କେବେ ବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ଵିଶେଷ କରି ଉତ୍ତର ଓ ପୂର୍ଵ ୟୁରୋପରେ ଏହା ଏକ ମୁଖ୍ୟ ଖାଦ୍ୟ ଭାବରେ ଆଜି ବି ଚାଷ କରାଯାଉଛି, କିନ୍ତୁ ଆମେରକୀୟ ଚାଷକ୍ଷେତ୍ରରେ ଓ ରୋଷେଇ ଘରେ ଏହାର ଵ୍ୟଵହାର ବହୁତ କମିଯାଇଛି ।
Salem Witch Trials ସମୟରେ, rye ପ୍ରକୃତରେ Massachusetts Bay Colonyର ଅନେକ ଗୋରା ଲୋକଙ୍କ ପାଇଁ ଏକ ମୁଖ୍ୟ ଶସ୍ୟ ଥିଲା, କିନ୍ତୁ ଏହା ସେମାନଙ୍କର ଏକମାତ୍ର ଵା ସବୁଠାରୁ ଭଲ ଵିକଳ୍ପ ନଥିଲା।
Rye ଥିଲା Massachusetts Bay Colonyର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଶସ୍ୟ ଵିଶେଷ କରି ସେହି ଗୋରା ଵସତିଵାସୀଙ୍କ ପାଇଁ ଯେଉଁମାନେ ଗହମ କିଣିଵା ପାଇଁ ସକ୍ଷମ ନଥିଲେ। Purdueର ଗଵେଷଣା ଅନୁଯାୟୀ, rye "ଗହମ ଅପେକ୍ଷା ଏକ ଶସ୍ତା ଶସ୍ୟ ଥିଲା ଏବଂ ergot ଭଳି ରୋଗ ଦ୍ୱାରା ଏହା କମ୍ ପ୍ରଭାଵିତ ହେଉଥିଲା," ଯାହା ଏହାକୁ ସୀମିତ ଆର୍ଥିକ ସମ୍ବଳ ଥିଵା ସମୁଦାୟଗୁଡ଼ିକ ପାଇଁ ଏକ ସୁଲଭ ବିକଳ୍ପ ଭାବରେ ଗଢ଼ି ତୋଳିଥିଲା ।
Salemର ସାମାଜିକ ଓ ଅର୍ଥନୈତିକ ସଂରଚନା ଏହି ଶସ୍ୟ ଵ୍ୟଵହାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଦାନ କରେ। Salem Town, ଯେଉଁଠି ଧନୀ ଵ୍ୟଵସାୟୀ ଏଵଂ ବନ୍ଦର ସହରର ଲୋକ ରହୁଥିଲେ, ସେଠାରେ ଲୋକମାନେ ଗହମ ଭଳି ଭଲ ଶସ୍ୟ କିଣିଵାକୁ ସକ୍ଷମ ଥିଲେ। କିନ୍ତୁ, Salem Village - ଯାହା ଏକ "ଦରିଦ୍ର, ଗ୍ରାମାଞ୍ଚଳ କୃଷି କ୍ଷେତ୍ର" ଥିଲା ଏଵଂ "ଅଧିକାଂଶ ଚାଷୀ ଓ ସେଵକ" ମାନେ ରହୁଥିଲେ - ସେଠାରେ ଖାଦ୍ୟର ମୁଖ୍ୟ ଉତ୍ସ rye ଥିଲା । ଅର୍ଥାତ୍ Salem Villageର ଗରିବ ଗୋରା ବସତିଵାସୀମାନେ ସେମାନଙ୍କର "କେଵଳ rye କିଣିଵା" କ୍ଷମତା ଯୋଗୁଁ , ସେମାନଙ୍କ ଖାଦ୍ୟର ମୁଖ୍ୟ ଅଂଶ ଭାବରେ rye ଵ୍ୟଵହାର କରୁଥିଲେ।
ଏହା କେଵଳ ଖାଦ୍ୟର ଏକ ଉତ୍ସ ନଥିଲା ଵରଂ ବସତିଵାସୀଙ୍କ ଵିଭିନ୍ନ ଅର୍ଥନୈତିକ ଶ୍ରେଣୀ ମଧ୍ୟରେ ଥିଵା ସାମାଜିକ ଓ ଆର୍ଥିକ ଅସମାନତାର ଏକ ସୂଚକ ଥିଲା। ଏହି ଦରିଦ୍ର ସମୁଦାୟଗୁଡ଼ିକ ଦ୍ୱାରା ଅଧିକ rye ଵ୍ୟଵହାରକୁ ଐତିହାସିକ ଭାବେ "ଈଶ୍ୱର ଗରିବ ଶ୍ରେଣୀକୁ ଦଣ୍ଡ ଦେଉଛନ୍ତି" ବୋଲି ଵ୍ୟାଖ୍ୟା କରାଯାଇଥିଲା ।
Salem Townର ଧନୀ ଗହମ ଵ୍ୟଵହାରକାରୀ ଏଵଂ Salem Villageର rye ଶସ୍ୟ ଉପରେ ନିର୍ଭରଶୀଳ ଲୋକଙ୍କ ମଧ୍ୟରେ ଥିଵା ଏହି ଅର୍ଥନୈତିକ ପାର୍ଥକ୍ୟ, ergot theory ଭଳି ଵ୍ୟାଖ୍ୟାଗୁଡ଼ିକ ସହିତ ସମାନ ଅଟେ, ଯାହା ଦର୍ଶାଏ ଯେ କିପରି ଖାଦ୍ୟ ଶସ୍ୟ Salem Witch Trials ସମୟରେ ସାମାଜିକ ଉତ୍ତେଜନା ଓ ମାନସିକ ଚାପ ସହିତ ଜଡ଼ିତ ହୋଇଥାଇପାରେ। ଅଵଶ୍ୟ ergot theoryକୁ କେତେକ ଗଵେଷକ ଗ୍ରହଣ କରନ୍ତି ନାହିଁ ।
Ergot fungus ଵା କବକ ଥିଵା ଶସ୍ୟ ଯଦି ଗାଁର ଖାଦ୍ୟରେ ଥାନ୍ତା, ତେବେ ଗାଁର ଅନେକ ଲୋକ ଏକେ ପ୍ରକାର ଲକ୍ଷଣ ଦେଖାଇଵା ଉଚିତ୍ ଥିଲା।
କିନ୍ତୁ Salem Witch Trials ସମୟରେ ଲକ୍ଷଣ ମୁଖ୍ୟତଃ କେଵଳ କିଛି ଝିଅଙ୍କ ମଧ୍ୟରେ ଦେଖାଯାଇଥିଲା। ଗାଁର ଅନ୍ୟ ଲୋକମାନେ ସେହିପରି ଲକ୍ଷଣ ଦେଖାଇନଥିଲେ। ଏହା ergot poisoning ସହ ସମ୍ପୂର୍ଣ୍ଣ ମେଳ ଖାଉନାହିଁ।
Ergot poisoning ସାଧାରଣତଃ ଦୁଇ ପ୍ରକାର ।
Convulsive ergotism (ଝଟକା, ଭ୍ରମ) ଓ
Gangrenous ergotism (ହାତ-ପାଦ ସ୍ଥିର ନରହିଵା ) ।
ଐତିହାସିକ ରେକର୍ଡରେ Salemର ଲୋକମାନଙ୍କ ମଧ୍ୟରେ gangrene, ଅଙ୍ଗ ଶୁଷ୍କ ହେଵା ଵା ଶରୀର କଳା ହେଵା ଭଳି ଲକ୍ଷଣ ମିଳେନାହିଁ। ତେଣୁ ଅନେକ ଗଵେଷକ କହନ୍ତି ଯେ ergot poisoning ହେଲେ ଏହି ଲକ୍ଷଣ ମଧ୍ୟ ଦେଖାଯିଵା ଉଚିତ୍ ଥିଲା।
Ergot poisoning ସାଧାରଣତଃ ଖାଦ୍ୟ ଖାଇଲା ପରେ ନିୟମିତ ଭାବେ ହୁଏ। କିନ୍ତୁ Salemର ରେକର୍ଡ ଅନୁସାରେ ଝିଅମାନଙ୍କର ଲକ୍ଷଣ କେବେ ଆସୁଥିଲା କେବେ ହଠାତ୍ ଥମିଯାଉଥିଲା । ପୁଣି କେବେ ନୂଆ ଅଭିଯୋଗ ଆସିଲେ ଆଉଥରେ ଆରମ୍ଭ ହୋଇଯାଉଥିଲା ତେଣୁ ଏହା ବହୁତ ସମ୍ଭଵ ମନୋଵୃତ୍ତିକ ଅଥଵା ସାମାଜିକ ପ୍ରତିକ୍ରିୟା ଭଳି ହୃଦବୋଧ ହୁଏ ।
Ergot fungus ସାଧାରଣତଃ ଗରମ ଓ ଆର୍ଦ୍ର ସମୟରେ ବଢ଼େ। କିନ୍ତୁ Salemର ପ୍ରଥମ ଲକ୍ଷଣ ଶୀତକାଳ (February 1692)ରେ ଦେଖାଯାଇଥିଲା। ଏହା ମଧ୍ୟ ergot theory ପାଇଁ ଏକ ସନ୍ଦେହ ସାଵ୍ୟସ୍ତ ହୋଇଅଛି ।
ଅନେକ ଅଭିଯୋଗ ସଚେତନ ଭାବେ କରାଯାଇଥିଵା ସମ୍ଭାଵନା ଅଧୀକ । ଝିଅମାନେ ହୁଏତ ଧ୍ୟାନ ଆକର୍ଷଣ କରିଵାକୁ ଏଭଳି କରିଥାଇପାରନ୍ତି । ତାପରେ ସୁଯୋଗ ଦେଖି
କିଛି ଲୋକ ଵ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଆଉ
କିଛି ଲୋକ ସମ୍ପତ୍ତି ଦଖଲ କରିଵା ପାଇଁ
ଅଭିଯୋଗ କରିଥିଲେ।
ଐତିହାସିକ ଓ ଗଵେଷକମାନେ ତେଣୁ Salem Witch Trials ଘଟଣାର ସାମାଜିକ-ରାଜନୈତିକ ମୂଳ କାରଣ ମଧ୍ୟ ଖୋଜିଵାକୁ ଚେଷ୍ଟା କରିଛନ୍ତି । ମୁଖ୍ୟ ସଂଘର୍ଷ ଥିଲା ପାରମ୍ପରିକ ପ୍ୟୁରିଟାନ ଜୀଵନଶୈଳୀ (ଧର୍ମପରାୟଣତା ଓ ସରଳ ଚାଷୀ ଜୀଵନ) ବନାମ ଦ୍ରୁତ ଗତିରେ ବଢ଼ୁଥିଵା ପୁଞ୍ଜିଵାଦୀ ଵ୍ୟଵସାୟିକ ଚିନ୍ତାଧାରା ମଧ୍ୟରେ। ଐତିହାସିକ ପଲ୍ ବଏର୍ ଓ ଷ୍ଟିଫେନ୍ ନିସେନବମ୍ଙ୍କର ବହି Salem Possessedରେ ଦର୍ଶାଇଛନ୍ତି ଯେ ଅଧିକାଂଶ ଅଭିଯୋଗକାରୀ ପୁଟନମ୍ ଗୋଷ୍ଠୀର ଥିଲେ ଯେଉଁମାନେ କୃଷି କରୁଥିଲେ। କିନ୍ତୁ ଅଧିକାଂଶ ଅଭିଯୁକ୍ତ ପୋର୍ଟର ଗୋଷ୍ଠୀର ଥିଲେ ଯେଉଁମାନେ ଵ୍ୟଵସାୟ କରୁଥିଲେ। ଏହା ଏକ ଗଭୀର ଅର୍ଥନୈତିକ ଓ ସାଂସ୍କୃତିକ ସଂଘର୍ଷର ପ୍ରତିଫଳନ ଥିଲା, ଯାହା "ଡାହାଣୀ" ଅଭିଯୋଗ ମାଧ୍ୟମରେ ସାମ୍ନାକୁ ଆସିଥିଲା।
ଏହି ଵିଚାରଗୁଡ଼ିକ ସେତେବେଳେ ହୋଇଥିଲା ଯେତେବେଳେ ଔପନିବେଶିକ ଚାର୍ଟର ସାମୟିକ ଭାବେ ବନ୍ଦ ଥିଲା ଏଵଂ ଇଂଲଣ୍ଡ ଓ ଔପନିବେଶିକ ଅଞ୍ଚଳ ମଧ୍ୟରେ ରାଜନୈତିକ ଓ ଧାର୍ମିକ ତିକ୍ତତା ଥିଲା। ୧୬୯୨ ମସିହାରେ ସେଲମ୍ ଵିଲେଜ୍ରେ କୌଣସି ସ୍ପଷ୍ଟ ରାଜନୈତିକ ନେତୃତ୍ୱ ନଥିଲା। ଗ୍ରାମର ନୂତନ ପାଳକ ସାମୁଏଲ୍ ପ୍ୟାରିସ୍ଙ୍କ ଅନୁଗାମୀ ଓ ଵିରୋଧୀଙ୍କ ମଧ୍ୟରେ ଵିଵାଦ ଥିଲା।
୧୬୮୯ ମସିହାରେ ମାସାଚୁସେଟ୍ସର ପୁରୁଣା ଚାର୍ଟର ରଦ୍ଦ ହୋଇଯାଇଥିଲା। ଦୁଇ ଵର୍ଷ ଧରି ସେଠାରେ କୌଣସି ସରକାରୀ ନିୟନ୍ତ୍ରଣ ନଥିଲା। ଏହି ଆଇନଶୂନ୍ୟତା ମଧ୍ୟରେ ସ୍ୱତନ୍ତ୍ର ଅଦାଲତଗୁଡ଼ିକ "spectral evidence" ଵା ସ୍ୱପ୍ନ ଓ ଦର୍ଶନକୁ ଆଧାର କରି ନିଷ୍ପତ୍ତି ନେଉଥିଲେ।
ସେଲ୍ମ ଵିଲେଜ୍ର କଠୋର ଵାସ୍ତଵତା ମଧ୍ୟରେ ଥିଲା 1689 ମସିହାର King Philip's Warର ପ୍ରଭାଵ, ଯାହା Salem Witch Trials ଘଟଣା ସମୟରେ ଚାଲିଥିଲା।
Wabanaki Confederacyର ଯୋଦ୍ଧାମାନେ ଓ ଫରାସୀ ସୈନ୍ୟମାନେ ସେ ସମୟରେ Maine, New Hampshire ଓ ଉତ୍ତର Massachusetts ଅଞ୍ଚଳରେ ବ୍ରିଟିଶ୍ ଔପନିବେଶିକମାନଙ୍କ ଗ୍ରାମ ଓ ସୀମାନ୍ତ ବସତିଗୁଡ଼ିକୁ ଆକ୍ରମଣ କରୁଥିଲେ। ଏହି ଆକ୍ରମଣ ଯୋଗୁଁ ଅନେକ ପରିଵାର ନିଜ ପ୍ରିୟଜନଙ୍କୁ ହରାଇଲେ, ଅନେକ ଘରବାଡ଼ି ଧ୍ୱଂସ ହେଲା ଏଵଂ ଅନେକ ଲୋକ ଭୟଭୀତ ଅଵସ୍ଥାରେ ଅନ୍ୟ ସୁରକ୍ଷିତ ଗ୍ରାମକୁ ପଳାଇ ଆସିଲେ।
ଏହି ପରିସ୍ଥିତି ସମାଜରେ ଏକ ସାମୂହିକ ଆଘାତ ଓ ଅସ୍ଥିରତା ସୃଷ୍ଟି କରିଥିଲା। ଲୋକମାନଙ୍କ ମନରେ ପୂର୍ଵରୁ ଭୟ, ଅନିଶ୍ଚିତତା ଓ ଆତଙ୍କ ବସା ବାନ୍ଧିଥିଲା। ଏହିପରି ଦୁର୍ଵଳ ମାନସିକ ପରିଵେଶରେ ଯେତେବେଳେ Salem Witch Trials ସମୟରେ “ଡାହାଣୀ” ଅଭିଯୋଗର କଥା ଉଠିଲା, ସେହି ଭୟ ଓ ଅସ୍ଥିରତା ତାହାକୁ ଆହୁରି ତୀଵ୍ର କରିଦେଲା। ଫଳସ୍ୱରୂପ, ସମାଜର ଏହି ଦୁର୍ଵଳ ମାନସିକ ଅଵସ୍ଥା Witch ଅଭିଯୋଗର ଵିଶୃଙ୍ଖଳାକୁ ଅତିଶୟ ଉତ୍ତେଜିତ କରିଦେଲା।
Salem Witch Trialsଗୁଡ଼ିକ ୟୁରୋପର ପଞ୍ଚଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଚାଲିଥିଵା Witch Hunts ପରମ୍ପରାର ଶେଷ ସମୟ ଥିଲା। ଇଂରେଜ ଔପନିଵେଶିକମାନେ Witch ସମ୍ବନ୍ଧୀୟ ଵିଚାରଧାରାକୁ ନିଜ ସହିତ ଆମେରିକାକୁ ନେଇ ଆସିଥିଲେ। Salem Witch Trials ପୂର୍ଵରୁ ମଧ୍ୟ ନିଉ ଇଂଲଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକରେ ଅନେକ ଲୋକଙ୍କ ଉପରେ Witch ହେଵାର ଅଭିଯୋଗ ଆସିଥିଲା।
Devil ଵା ସଇତାନ କିଛି ଲୋକଙ୍କୁ "Witch" କରି ଅନ୍ୟମାନଙ୍କୁ କଷ୍ଟ ଦେଵାର ଶକ୍ତି ଦିଏ - ଏହା ଚତୁର୍ଦ୍ଦଶ ଶତାବ୍ଦୀରୁ ୟୁରୋପରେ ଆରମ୍ଭ ହୋଇଥିଲା ଏଵଂ ନିଉ ଇଂଲଣ୍ଡର ଉପନିଵେଶଗୁଡ଼ିକରେ ଵ୍ୟାପକ ଭାବେ ଵ୍ୟାପିଥିଲା।
ସେହି ଵିଚାରଧାରା ପରେ ଆମେରିକୀୟ ଉପନିଵେଶଗୁଡ଼ିକରେ ୟୁରୋପୀୟ ଲୋକେ ପ୍ରଚାର କଲେ ।
ଆମେରିକାରେ ଥିଵା ନ୍ୟୁ ଇଂଲ୍ୟାଣ୍ଡ ଉପନିଵେଶର ପ୍ୟୁରିଟାନ୍ ସମାଜ ଭାବୁଥିଲା ଯେ ପୃଥିଵୀରେ ଭଲ ଓ ମନ୍ଦ ଶକ୍ତିର ନିରନ୍ତର ସଂଘର୍ଷ ଚାଲିଛି। ସେମାନଙ୍କ ଵିଶ୍ୱାସ ଅନୁସାରେ Godଙ୍କ ସହିତ Devil ମଧ୍ୟ ମଣିଷମାନଙ୍କ ଜୀଵନରେ ହସ୍ତକ୍ଷେପ କରିଥାଏ। ଏହି ଧାରଣା ସେ ସମୟର ଧର୍ମପ୍ରଚାରକ ଓ ଲେଖକମାନଙ୍କ ଲେଖା ଓ ଉପଦେଶ ମାଧ୍ୟମରେ ସମାଜରେ ଆଉ ଶକ୍ତିଶାଳୀ ହୋଇଥିଲା।
ଏହି ପ୍ରଭାଵଶାଳୀ ଧର୍ମଗୁରୁମାନଙ୍କ ମଧ୍ୟରୁ ଜଣେ ଥିଲେ Cotton Mather। ସେ ନ୍ୟୁ ଇଂଲ୍ୟାଣ୍ଡର ଜଣେ ପ୍ରସିଦ୍ଧ ପ୍ୟୁରିଟାନ୍ ପାଦ୍ରୀ ଓ ଲେଖକ ଥିଲେ। ସେ ଅନେକ ଧାର୍ମିକ ପୁସ୍ତକ ଓ ଲେଖା ରଚନା କରିଥିଲେ, ଯେଉଁଥିରେ ସେ Devil ଵା ସଇତାନର ଅସ୍ତିତ୍ୱ ଓ Witch ତଥା ପିଶାଚମାନଙ୍କ କାର୍ଯ୍ୟକଳାପକୁ ଵାସ୍ତଵ ଘଟଣା ଭାବରେ ଵର୍ଣ୍ଣନା କରୁଥିଲେ। ତାଙ୍କ ଲେଖାରେ ଏହି ଧାରଣା ଦେଖାଯାଏ ଯେ କିଛି ଲୋକ ସଇତାନ ଵା Devil ସହ ଚୁକ୍ତି କରି ଅତିପ୍ରାକୃତିକ ଶକ୍ତି ପାଇଥାନ୍ତି ଏଵଂ ସେମାନେ ଅନ୍ୟ ଲୋକଙ୍କୁ କ୍ଷତି କରିପାରନ୍ତି।
ଏପରି ଲେଖା ଓ ଧାର୍ମିକ ଉପଦେଶର ପ୍ରଭାବରେ ସମାଜର ସାଧାରଣ ଲୋକମାନଙ୍କ ମନରେ ଏକ ପ୍ରକାରର ଭୟ ଓ ସନ୍ଦେହର ପରିଵେଶ ଗଢ଼ିଉଠିଲା। ଯଦି କାହାର ହଠାତ୍ ରୋଗ ହେଉଥିଲା, ଅଜଣା ଭାବରେ ଶରୀର ଯନ୍ତ୍ରଣା ହେଉଥିଲା ଵା ମହାମାରୀ ଵ୍ୟାପୁଥିଲା, ପଶୁମାନେ ମରିଯାଉଥିଲେ କିମ୍ବା ଫସଲ ନଷ୍ଟ ହେଉଥିଲା, ତେବେ ଲୋକମାନେ ସେଥିର ପ୍ରାକୃତିକ କିମ୍ବା ଵୈଜ୍ଞାନିକ କାରଣ ନଖୋଜି ବହୁତ ସମୟରେ ପିଶାଚର କାର୍ଯ୍ୟକଳାପ କିମ୍ବା “witchର ପ୍ରଭାବ” ବୋଲି ଭାବୁଥିଲେ। କାରଣ ସେମାନେ ଆଗରୁ ଧାର୍ମିକ ଶିକ୍ଷାରେ ଏହି କଥା ଶୁଣିଥିଲେ ଯେ Devil ମଣିଷମାନଙ୍କ ମଧ୍ୟରେ ପିଶାଚ ଓ ଡାହାଣୀମାନଙ୍କ ମାଧ୍ୟମରେ କାମ କରିଥାଏ।
ଏହିପରି ଭୟ, ଖିରସ୍ତାନୀ ଅନ୍ଧଵିଶ୍ୱାସ ଓ ସାମାଜିକ ସନ୍ଦେହ ମିଶି ଏକ ଏମିତି ପରିସ୍ଥିତି ସୃଷ୍ଟି କଲା ଯେ ଅନେକ ଲୋକ ଅନ୍ୟମାନଙ୍କ ଉପରେ ପିଶାଚ ଓ Witch ଵା Witch ହେଵାର ଅଭିଯୋଗ କରିଵାକୁ ଲାଗିଲେ। ଶେଷରେ ଏହା ଆମେରିକାର ଇତିହାସରେ ପ୍ରସିଦ୍ଧ ଓ ଦୁଃଖଦ ଘଟଣା ଭାବରେ ପରିଚିତ Salem Witch Trialsକୁ ଜନ୍ମ ଦେଲା। ଏହି ଅଭିଯୋଗ ଓ ଭୟର ପରିଣାମରେ ଅନେକ ନିର୍ଦୋଷ ଲୋକଙ୍କୁ ଗିରଫ କରାଗଲା, ଆଦାଲତରେ ଚାଲାଣ ହେଲା ଏଵଂ କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଗଲା।
ସାମୁଏଲ୍ ପ୍ୟାରିସ୍ଙ୍କ ଦାସୀ ଟିଟୁବା(Tituba) ନିଜ ସ୍ୱାମୀ ଜନ୍ ଏଵଂ ପଡ଼ୋଶୀ ମେରୀ ସିବଲଙ୍କ ସହିତ ମିଶି Rye ଅଟା ଏଵଂ "ପୀଡ଼ିତା" ଝିଅମାନଙ୍କ ପରିସ୍ରା ଦ୍ୱାରା ଏକ "witch Cake" ତିଆରି କରିଥିଲେ ଏଵଂ ତାକୁ ଏକ କୁକୁରକୁ ଖୁଆଇଥିଲେ, ଯାହାଫଳରେ ଝିଅମାନଙ୍କ ଉପରେ କିଏ Witch ପ୍ରଭାବ ପକାଉଛି ତାହା ଜଣାପଡ଼ିପାରିଵ।
ଟିଟୁବା ଗିରଫ ହେଲେ ଏଵଂ ତାଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରାଗଲା। ତାଙ୍କର ଯେଉଁ ସ୍ୱୀକାରୋକ୍ତି ସାମ୍ନାକୁ ଆସିଲା, ତାହା ସମ୍ପୂର୍ଣ୍ଣ ପରିସ୍ଥିତିକୁ ବଦଳାଇ ଦେଲା। ସେ କେଵଳ ନିଜ ଉପରେ ଥିବା ଅଭିଯୋଗ ସ୍ୱୀକାର କଲେ ନାହିଁ, ଵରଂ ଅନ୍ୟ ଅନେକ ଲୋକଙ୍କ ନାମ ମଧ୍ୟ କହିଲେ। ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି - ଯେଉଁଥିରେ ସେ କହିଲେ ଯେ ସେ ସଇତାନ ପାଇଁ କାମ କରୁଛନ୍ତି - ବୋଧହୁଏ ସମ୍ପୂର୍ଣ୍ଣ ଘଟଣାକୁ ଏକ ଭିନ୍ନ ଦିଗକୁ ନେଇଗଲା। ଯାହା ଏକ ଛୋଟ ଘଟଣା ଭାବେ ଆରମ୍ଭ ହୋଇଥିଲା, ତାହା ଏକ ମହାମାରୀ ରୂପ ନେଇଗଲା।
ତେବେ ଯଦି "ସ୍ପେକ୍ଟ୍ରାଲ୍ ଏଭିଡେନ୍ସ" ଭଳି କାନୁନ୍ ଏଵଂ ଆଇନଗତ ଵିଫଳତା ନଥାନ୍ତା ତେବେ କେବେହେଲେ ବି Salam witch trial ହୋଇନଥାନ୍ତା । ଏହି ଵିଚାରଗୁଡ଼ିକର ଵିଶୃଙ୍ଖଳିତ ପ୍ରକୃତି ଆମେରିକୀୟ ନ୍ୟାୟିକ ପ୍ରକ୍ରିୟାରେ ଅନେକ ପରିଵର୍ତ୍ତନ ଆଣିଲା, ଯେଉଁଥିରେ ଓକିଲ ପାଇଵାର ଅଧିକାର, ଅଭିଯୋଗକାରୀଙ୍କଠାରୁ ପ୍ରଶ୍ନ କରିଵାର ଅଧିକାର ଏଵଂ "ଦୋଷୀ ସାବ୍ୟସ୍ତ ନହେଵା ପର୍ଯ୍ୟନ୍ତ ନିର୍ଦ୍ଦୋଷ" ନୀତି ଅନ୍ତର୍ଭୁକ୍ତ ଥିଲା।
ସ୍ୱପ୍ନ ଏଵଂ ଦର୍ଶନକୁ ପ୍ରମାଣ ଭାବେ ଗ୍ରହଣ କରିଵା ମୂଳତଃ ଏକ ତ୍ରୁଟିପୂର୍ଣ୍ଣ ଵ୍ୟଵସ୍ଥା ଥିଲା। ଯେତେବେଳେ ଜଣେ କହିପାରିଵ ଯେ ସେ "କାହାର ଆତ୍ମାକୁ" ନିଜ ସ୍ୱପ୍ନରେ କଷ୍ଟ ଦେଉଥିଵାର ଦେଖିଛି, ଏଵଂ ଏହାକୁ ଅଦାଲତରେ ପ୍ରମାଣ ଭାବେ ଗ୍ରହଣ କରାଯିଵ - ତେବେ ନ୍ୟାୟ ଅସମ୍ଭଵ ହୋଇଯାଏ।
ପୁଣି ଆଧୁନିକ ଗଵେଷକମାନେ ଵିଶ୍ୱାସ କରନ୍ତି ଯେ ପୀଡ଼ିତମାନେ Mass Conversion Disorderର ଶିକାର ଥିଲେ - ଯାହାକୁ ସାମୂହିକ ମାନସିକ ରୋଗ କିମ୍ବା ସାମୂହିକ ହିଷ୍ଟେରିଆ କୁହାଯାଏ ।ଯେତେବେଳେ କୌଣସି ଗୋଷ୍ଠୀରେ ରୋଗର ଲକ୍ଷଣ ଶୀଘ୍ର ଵ୍ୟାପିଥାଏ, ଯାହାର କୌଣସି ଜୈଵିକ କାରଣ ନଥାଏ, ତାହା ଏହି କାରଣରୁ ହୋଇଥାଏ।
ଯେତେବେଳେ ଏକ ସମାଜରେ ଭୟ, ଅନ୍ଧଵିଶ୍ୱାସ ଏଵଂ ପରସ୍ପର ପ୍ରତି ଅବିଶ୍ୱାସ ଏକାଠି ଥାଏ ଏଵଂ ଯେତେବେଳେ ଜଣେ ଝିଅର ଲକ୍ଷଣ ଦେଖି ଅନ୍ୟ ଜଣକର ସମାନ ଲକ୍ଷଣ ଦେଖାଯାଏ ସେତେବେଳେ ଏହି ମାନସିକ ସଂକ୍ରମଣ ସତ୍ୟ ଭଳି ଅନୁଭଵ ହୁଏ। କୌଣସି ଗୋଟିଏ ଵ୍ୟାଖ୍ୟା କେବେ ବି ଏହି ଭ୍ରମର ସମ୍ପୂର୍ଣ୍ଣ ହିସାବ ଦେଇପାରିଵ ନାହିଁ।
କିନ୍ତୁ ପ୍ରଶ୍ନ ଉଠେ ଏମିତି କ’ଣ ହେଲା ଯେ ୟୁରୋପ ଓ ଆମେରିକାରେ ପଞ୍ଚଦଶରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ Witch Hunt ହୋଇଥିଲା ଏଵଂ ମହିଳାମାନେ ହିଁ କାହିଁକି ଏହାର ସର୍ଵାଧିକ ଶିକାର ହୋଇଥିଲେ ?
ଐତିହାସିକ ଓ ଵୈଜ୍ଞାନିକମାନେ କୁହନ୍ତି ଏହାର ଏକ କାରଣ Little Ice Age ହୋଇଥାଇପାରେ ଯାହା ୧୩୦୦ରୁ ୧୮୫୦ ମଧ୍ୟରେ ଦେଖାଯାଇଥିଲା । ଏହି ସମୟକାଳ ମଧ୍ୟରେ ପୃଥିଵୀର ଅନେକ ଅଞ୍ଚଳ ସାଧାରଣ ତୁଳନାରେ ଅଧିକ ଥଣ୍ଡା ହୋଇଥିଲା।
ଏହି Little Ice Age ଏକ ଛୋଟ ଶୀତଯୁଗ ନୁହେଁ, ଵରଂ ଏକ ଦୀର୍ଘ ଥଣ୍ଡା ଜଳବାୟୁ ଅଵଧି ଥିଲା।ଉତ୍ତର ଗୋଲାର୍ଦ୍ଧର ତାପମାତ୍ରା କମିଗଲା । ଗ୍ଲେସିଅର୍ ବଢ଼ିଗଲା । ବହୁତ ଦେଶରେ ଶୀତକାଳ ବହୁତ କଠିନ ହୋଇଗଲା । ସାଧାରଣତଃ ତାପମାତ୍ରା ପ୍ରାୟ 0.6°C ପର୍ଯ୍ୟନ୍ତ କମିଥିଲା।
Little Ice Age ସମୟରେ ଵିଶ୍ୱର ଅନେକ ଅଞ୍ଚଳରେ ବଡ଼ ପରିଵର୍ତ୍ତନ ଦେଖାଗଲା। ଶୀତକାଳ ବହୁତ ଲମ୍ବା ଓ ଥଣ୍ଡା ହୋଇଥିଲା । ଗ୍ରୀଷ୍ମ ଋତୁ ମଧ୍ୟ କମ୍ ଉଷ୍ମ ଓ ଥଣ୍ଡା ଥିଲା। ବହୁତ ସ୍ଥାନରେ ବରଫ ଓ ଝଡ଼ ବଢ଼ିଗଲା । ଫସଲ ନଷ୍ଟ ହେଉଥିଲା । ଭାରତ ଭଳି ଉଷ୍ମପ୍ରଧାନ ଦେଶରେ ଵର୍ଷା କମ୍ ହେଲା, ଦୁର୍ଭିକ୍ଷ ଓ ମହାମାରୀ ଵ୍ୟାପିଲା । ପ୍ରାୟ ସର୍ଵତ୍ର ଖାଦ୍ୟ ଅଭାଵ ବଢ଼ିଥିଲା । ଆଲ୍ପସ୍ ପାହାଡ଼ର ଗ୍ଲେସିଅର୍ ଗାଁ ଓ ଜମିକୁ ଢାଙ୍କିଦେଇଥିଲା ।
ସମୁଦ୍ରର ବରଫ ବଢ଼ିଗଲା । ଭାରତ ଓ ଚୀନ ଭଳି ଦେଶର କେତେକ ସ୍ଥାନରେ ଦୀର୍ଘ ଖରା ମଧ୍ୟ ହୋଇଥିଲା ।
ଵୈଜ୍ଞାନିକମାନେ ଏହା ପଛରେ sunspot activity କମିଵା,ବଡ଼ ଆଗ୍ନେୟ ଉଦ୍ଗିରଣ, ସମୁଦ୍ରିକ ସ୍ରୋତରେ ପରିଵର୍ତ୍ତନ,ପ୍ରାକୃତିକ ଜଳଵାୟୁ ଚକ୍ରରେ ଅସନ୍ତୁଳନ ଏହାର କେତେକ ମୁଖ୍ୟ କାରଣ ଥିଲା ବୋଲି ଵିଭିନ୍ନ ପ୍ରମାଣ ଆଧାରରେ ମତ ଦିଅନ୍ତି ।
Little Ice Age ସମୟରେ ଇଉରୋପ୍ ଓ ଉତ୍ତର ଆମେରିକାର ଜଳଵାୟୁ ସାଧାରଣତଃ ଥଣ୍ଡା ହୋଇଯାଇଥିଲା। ଏହି ଦୀର୍ଘ ଥଣ୍ଡା ଅବଧି କେଵଳ ପ୍ରକୃତିକୁ ନୁହେଁ, ମାନଵସମାଜ ଓ ଲୋକମାନଙ୍କ ମନୋଭାବକୁ ମଧ୍ୟ ପ୍ରଭାଵିତ କରିଥିଲା। ଅନେକ ଐତିହାସିକ ଓ ସମାଜଶାସ୍ତ୍ରୀ କହନ୍ତି ଯେ ଏହି ଜଳଵାୟୁ ପରିଵର୍ତ୍ତନ ଏକ ପ୍ରକାର ଭୟ ଓ ଅନିଶ୍ଚିତତାର ପରିଵେଶ ସୃଷ୍ଟି କରିଥିଲା, ଯାହା Witch ଶିକାର ଵା witch hunts ବଢ଼ିଵାରେ ମଧ୍ୟ ଭୂମିକା ନେଇଥିଲା।
Little Ice Age ସମୟରେ ୟୁରୋପ ଓ ଆମେରିକାରେ ଗ୍ରୀଷ୍ମ ଋତୁ ଥଣ୍ଡା ହୋଇଯାଉଥିଲା ।
ଵର୍ଷା ଓ ବରଫ ବଢ଼ିଯାଇଥିଲା । ଶୀତକାଳ ବହୁତ କଠିନ ହୋଇଯାଇଥିଲା । ଏହାର ପରିଣାମରେ ଅନେକ ସ୍ଥାନରେ ଫସଲ ନଷ୍ଟ ହେଇଥିଲା ଓ ଖାଦ୍ୟ ଅଭାବ ଦେଖାଯାଇଥିଲା। ଯେତେବେଳେ ଲୋକମାନେ ବାରମ୍ବାର ଦୁର୍ଭିକ୍ଷ, ରୋଗ ଓ ଦୁର୍ଭାଗ୍ୟ ଦେଖୁଥିଲେ, ସେମାନେ ଏହାର କାରଣ ବୁଝିପାରୁନଥିଲେ। ସେ ସମୟରେ ଆଧୁନିକ ଵିଜ୍ଞାନ ଏତେ ଉନ୍ନତ ନଥିଲା। ଖରାପ ଜଳଵାୟୁ,ଫସଲ ନଷ୍ଟ,ହଠାତ୍ ରୋଗ ଓ ପଶୁମାନଙ୍କ ମୃତ୍ୟୁ ଆଦିର
ଵୈଜ୍ଞାନିକ କାରଣ ଲୋକମାନେ ଜାଣୁନଥିଲେ। ଅତଃ ଅନେକେ ଭାବୁଥିଲେ ଯେ Devil ବା Witchମାନେ ଏହାର ପଛରେ ଅଛନ୍ତି। ଭାରତରେ ମଧ୍ୟ ଏହି ସମୟରେ ଦୁର୍ଭିକ୍ଷ ଓ ମହାମାରୀ ବହୁତ ବଢ଼ିଵାରୁ ସମାଜରେ ଗୁଣିଗାରେଡ଼ି, ଭୂତ ପ୍ରେତ ଓ ଠାକୁରାଣୀ ରୁଷ୍ଟ ହେଵା ଯୋଗୁଁ ମହାମାରୀ ଵ୍ୟାପିଵା ଇତ୍ୟାଦି ଆନ୍ଧଵିଶ୍ଵାସ ବଢ଼ିଥିଲା ।
ତେବେ ୟୁରୋପରେ ଏହି ଭୟ ଓ ଅସୁଵିଧା ଦୀର୍ଘ ସମୟ ଚାଲିଥିଵାରୁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ବଢ଼ିଗଲା।ଯଦି କାହାର ଫସଲ ନଷ୍ଟ ହୋଇଯାଉଥିଲା,ଘରେ ରୋଗ ହୋଇଯାଉଥିଲା,ପଶୁମାନେ ମରିଯାଉଥିଲେ
ତେବେ ସେମାନେ କାହାକୁ Witch ଵା witchର କାମ ବୋଲି ଅଭିଯୋଗ କରୁଥିଲେ ।
୧୬ଶତାବ୍ଦୀ ଓ ୧୭ଶତାବ୍ଦୀରେ ଇଉରୋପ୍ର ଅନେକ ଦେଶରେ Witch ଶିକାର ଵା Witch hunts ବହୁତ ବଢ଼ିଗଲା। ହଜାର ହଜାର ଲୋକଙ୍କୁ Witch ବୋଲି ଅଭିଯୋଗ କରାଗଲା ଓ ଅନେକଙ୍କୁ ମାରି ଦିଆଗଲା। ଈହୁଦୀ,ରୋମା ତଥା ପଠାଣ ଆଦି ଅଣଖିରସ୍ତାନୀ ଏଥିର ଶିକାର ହେଲେ । ସବୁ ସମ୍ପ୍ରଦାୟର ମହିଳାମାନେ ସର୍ଵାଧିକ କ୍ଷତିଗ୍ରସ୍ତ ହେଲେ । ଏହି ପରିସ୍ଥିତିର ପ୍ରଭାବ ଆମେରିକାରେ ମଧ୍ୟ ଦେଖାଗଲା, ଯାହା ପରେ Salem Witch Trials (୧୬୯୨) ଭଳି ଘଟଣାକୁ ଜନ୍ମ ଦେଲା।
ସେଲମ୍ ଵିଲେଜ୍ରେ ମଧ୍ୟ ସାମାଜିକ-ଅର୍ଥନୈତିକ ତିକ୍ତତା ଥିଲା। ଅର୍ଥନୀତିଜ୍ଞ ଏମିଲି ଓଷ୍ଟର ଗଵେଷଣା କରିଥିଲେ ଯେ ଯେତେବେଳେ ଫସଲ ନଷ୍ଟ ହୁଏ ଏଵଂ ଖାଦ୍ୟର ଅଭାବ ଦେଖାଦିଏ, ସମାଜ ଏହାର ଦୋଷ କାହାର ମୁଣ୍ଡରେ ଲଦି ଦେଵାକୁ ସୁଯୋଗ ଉଣ୍ଡୁଥାଏ ଯାହାକୁ ହିନ୍ଦୀ ଭାଷାରେ बलि का बकरा ଆଉ ଇଂରାଜୀ ଭାଷାରେ scapegoats କୁହାଯାଏ। ତେଣୁ କିଛି ଲୋକଙ୍କୁ ଏଥିପାଇଁ Witch ଆଖ୍ୟା ଦେଇ ମାରିଦିଆଗଲା । ଭାରତରେ ମଧ୍ୟ ଏହି ସମୟରେ ଖରା ବଢ଼ିଵା,ଵର୍ଷା ନହେଵା,ଦୁର୍ଭିକ୍ଷ ଓ ମହାମାରୀର ଦୋଷୀ କୋକୁଆ ନାମକ ଏକ ଅଜ୍ଞାତ ପକ୍ଷୀକୁ କରାଯାଇଥିଲା ଏଵଂ କୋକୁଆ ନାଆଁରେ ଅନେକ ଅଜଣା ପକ୍ଷୀଙ୍କୁ ମାରି ଦିଆଯାଇଥିଲା ।
ମଧ୍ୟଯୁଗୀୟ ୟୁରୋପରେ Witch ଓ ପିଶାଚ ସନ୍ଦେହ କରି ହଜାର ମହିଳା ଓ ଈହୁଦୀମାନଙ୍କ ହତ୍ୟା କରାଯାଇଥିଲା । ବିଲେଇମାନଙ୍କୁ ମଧ୍ୟ ଡାହାଣୀର ଛଦ୍ମରୂପ କିମ୍ବା Witch ସହାୟକ ଵିଚାର କରି ଅତ୍ୟା କରାଯାଉଥିଲା । ଏହି ଚିନ୍ତାଧାରା ୟୁରୋପୀୟ ଔପନିଵେଶିକମାନଙ୍କ ସହିତ ଆମେରିକା ଆସିଲା ଯାହା Salem Witch Trials (୧୬୯୨–୧୬୯୩) ସମୟରେ ଦେଖିଵାକୁ ମିଳିଥିଲା ।
କିନ୍ତୁ Salem Witch Trialsରେ ଯେତେ ଲୋକ ଅଭିଯୁକ୍ତ ହେଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ଐତିହାସିକମାନେ କହନ୍ତି ଯେ ଏହାର ପଛରେ କେଵଳ ଖିରସ୍ତାନୀ ଵିଚାର ନୁହେଁ ଵରଂ ବହୁ ପରିମାଣରେ ସାମାଜିକ ଓ ସାଂସ୍କୃତିକ କାରଣ ମଧ୍ୟ ଜଡ଼ିତ ଥିଲା।
୧୭ଶତାବ୍ଦୀର ପ୍ୟୁରିଟାନ୍ ସମାଜରେ ମହିଳାଙ୍କ ସାମାଜିକ ସ୍ଥିତି ଅତ୍ୟନ୍ତ ନିମ୍ନ ଥିଲା। ସେମାନଙ୍କୁ ସାଧାରଣତଃ ପୁରୁଷଙ୍କ ଅଧୀନ ରହିଵାକୁ ପଡୁଥିଲା । ସମ୍ପତ୍ତି ଅଧିକାର କମ୍ ଥିଲା । ସମାଜିକ ନିଷ୍ପତ୍ତିରେ ଭୂମିକା ନଥିଲା । ଏହି କାରଣରୁ ମହିଳାମାନେ ସହଜରେ ସନ୍ଦେହର ଲକ୍ଷ୍ୟ ହୋଇଯାଉଥିଲେ।
ସେ ସମୟରେ ଖିରସ୍ତାନୀ ସମାଜରେ ଵିଶ୍ୱାସ ଥିଲା ଯେ ମହିଳାମାନେ ସଇତାନଙ୍କ ପ୍ରଭାବରେ ଶୀଘ୍ର ପଡ଼ନ୍ତି । ମହିଳାମାନେ ଭାବୁକ ଓ ଦୁର୍ଵଳ । ଏହି ପ୍ରକାରର ଧାରଣା ଡାଏନ୍ ଅଭିଯୋଗକୁ ମହିଳାଙ୍କ ଉପରେ ବଢ଼ାଇଦେଲା।
ଵିଧଵା,ନିର୍ଦ୍ଧନ ମହିଳା,ସମାଜ ସହ ମିଶିନଥିଵା ମହିଳା,ଵିଵାଦ କରୁଥିଵା ମହିଳାମାନଙ୍କୁ ଅଧିକ ସନ୍ଦେହ କରାଯାଉଥିଲା। Sarah Good ଗରିବ ଭିକ୍ଷୁକୀ ଥିଲେ । Sarah Osborne ସମାଜର ପ୍ରଥା ଭଙ୍ଗ କରିଥିଲେ । Tituba ଦାସୀ ଏଵଂ ଵିଦେଶୀ ମୂଳର ଥିଲେ । ଏହି କାରଣରୁ ସେମାନେ ସହଜରେ ଅଭିଯୁକ୍ତ ହେଲେ।
କେତେକ ସମୟରେ witch ଅଭିଯୋଗ ଵ୍ୟକ୍ତିଗତ ଵିଵାଦ ସହିତ ମଧ୍ୟ ଜଡିତ ଥିଲା । ପଡ଼ୋଶୀ ସହ ଝଗଡ଼ା,ଜମି ଵିଵାଦ ଓ ପରିଵାରିକ ଶତ୍ରୁତା ଯୋଗୁଁ
ଲୋକେ ମହିଳାଙ୍କ ଵିପକ୍ଷରେ Witch ଅଭିଯୋଗ କରୁଥିଲେ । Salem Witch Trials ସମୟରେ ଗାଁରେ ଭୟ ଓ ଗୁଜବ ଦ୍ରୁତ ଭାବେ ପ୍ରସାରିତ ହେଉଥିଲା। ଯେତେବେଳେ କେହି ଜଣେ ଅଭିଯୋଗ କରୁଥିଲେ, ଅନ୍ୟମାନେ ମଧ୍ୟ ସେହି କଥାକୁ ସମର୍ଥନ କରୁଥିଲେ। ଏଭଳି ଭାବରେ ଅନେକ ନିର୍ଦୋଷ ମହିଳା ଅଭିଯୁକ୍ତ ହୋଇଗଲେ।
ଏତଦଵ୍ୟତୀତ Salem Witch Trials ସମ୍ବନ୍ଧରେ ଅନ୍ୟ ଏକ ବିବାଦୀୟ ତତ୍ତ୍ୱ ଅନୁସାରେ ପୀଡ଼ିତ ଝିଅମାନେ Encephalitis Lethargica ରୋଗରେ ପୀଡ଼ିତ ଥିଲେ ଯାହା ପୋକ ଓ ପକ୍ଷୀଙ୍କ ଦ୍ୱାରା ବ୍ୟାପିପାରେ। ଏହାର ଲକ୍ଷଣଗୁଡ଼ିକ ହେଲା ଜ୍ଵର,ମୁଣ୍ଡବିନ୍ଧା,ଅଳସୁଆମି,ଦ୍ୱିଗୁଣ ଦୃଷ୍ଟି,ବେକରେ ଜଡ଼ତା,ଵ୍ୟଵହାରରେ ପରିଵର୍ତ୍ତନ ଓ ହାତ ଗୋଡ଼ ହଲଚଲ ହେଵା ଇତ୍ୟାଦି । ଲୌରୀ ୱିନ୍ କାର୍ଲସନ ତାଙ୍କର ୧୯୯୯ରେ ପ୍ରକାଶିତ ବହି A Fever in Salemରେ ଯୁକ୍ତି କରିଥିଲେ ଯେ ଅଭିଯୋଗକାରୀଙ୍କ ମଧ୍ୟରୁ କିଛି ଲୋକ ୧୬୯୧ ଵର୍ଷର ଶୀତଦିନ ଏଵଂ ୧୯୯୨ ଵର୍ଷର ଵସନ୍ତ ସମୟରେ ଏହି ଲକ୍ଷଣଗୁଡ଼ିକ ଦେଖାଇଥିଲେ। ତଥାପି ଅନେକ ଐତିହାସିକ ଏହି ମତକୁ ଗ୍ରହଣ କରିନାହାନ୍ତି।
ମୋଟ୍ ଉପରେ କହିଵାକୁ ଗଲେ Salem Witch Trials କୌଣସି ଗୋଟିଏ କାରଣରୁ ହୋଇନଥିଲା। ଏକ ଦୃଢ଼ ସଇତାନ-ବିଶ୍ୱାସ, ସେଲମ୍ ଵିଲେଜ୍ର ପରିଵାରଗୁଡ଼ିକ ମଧ୍ୟରେ କଳହ, ନିକଟସ୍ଥ ସେଲମ୍ ଟାଉନ୍ ସହିତ ଵିଭାଜନ, ସାମ୍ପ୍ରତିକ ଵସନ୍ତ ମହାମାରୀ ଏଵଂ ଯୁଦ୍ଧର ଭୟ ମିଶି ଏପରି ଏକ ପରିଵେଶ ସୃଷ୍ଟି କଲା ଯେ ଭୟ ଓ ଅଵିଶ୍ବାସ ମାତ୍ରାଧିକ ବଢ଼ିଗଲା।
ଆଜି ଏହି ଘଟଣାକୁ ଜାତିଗତ ଅଜ୍ଞତା, ଖିରସ୍ତାନୀ ଅନ୍ଧଵିଶ୍ୱାସ ଏଵଂ ଦୀର୍ଘଦିନରୁ ବଢ଼ିଥିଵା ସାମାଜିକ ତିକ୍ତତାର ପରିଣାମ ଭାବେ ଦେଖାଯାଏ ।ଆମେରିକୀୟ ଇତିହାସରେ ଏହା ସାମାଜିକ ଵିଭାଜନ, ଖିରସ୍ତାନୀ ମୌଳିଵାଦ, ମିଥ୍ୟା ଅଭିଯୋଗ ତଥା ନ୍ୟାୟିକ ପ୍ରକ୍ରିୟାର ଵିଫଳତା ଵିଷୟରେ ଏକ ସ୍ଥାୟୀ ଶିକ୍ଷା।
ଜୁଲାଇ ୨୦୨୨ରେ, ମାସାଚୁସେଟ୍ସର ଅପିଲ୍ ଅଦାଲତ ଶେଷରେ ଏଲିଜାବେଥ୍ ଜନସନ ଜୁନିୟରଙ୍କୁ ଆଧିକାରିକ ଭାବେ ନିର୍ଦ୍ଦୋଷ ଘୋଷଣା କଲେ । ୧୬୯୨ ମସିହାରେ Witch ଭାବେ ଦୋଷୀ ସାଵ୍ୟସ୍ତ ହୋଇଥିଵା ଏଲିଜେବେଥ୍ ଜନସନ୍, ମାସାଚୁସେଟ୍ସର ଶେଷ ଵ୍ୟକ୍ତି ଥିଲେ।
Salem Witch Trials ଆମକୁ ମନେ ପକାଇଦିଏ ଯେ ଯେତେବେଳେ ଭୟ ସତ୍ୟ ଉପରେ ଵିଜୟୀ ହୁଏ, ଯେତେବେଳେ ସାମାଜିକ ଵିଭାଜନ ନ୍ୟାୟକୁ ଅତିକ୍ରମ କରେ ଏଵଂ ଯେତେବେଳେ ଆଇନ ଦୁର୍ଵଳ ପଡ଼ିଯାଏ ସେତେବେଳେ କୌଣସି ବି ସମାଜ ଏପରି ଭୟଙ୍କର ଭୁଲ କରିପାରେ।
ସେଲମ୍ର ଏହି Salem Witch Trials ଘଟଣା ଆମକୁ ଶିଖାଏ ଯେ ଭୟ ଓ ଗୁଜବ କେବେ କେବେ ସତ୍ୟଠାରୁ ଅଧିକ ଶକ୍ତିଶାଳୀ ହୋଇଯାଏ। ଯେତେବେଳେ ସମାଜରେ ସନ୍ଦେହ, ଅନ୍ଧଵିଶ୍ୱାସ ଓ ଘୃଣା ବଢ଼ିଯାଏ, ସେତେବେଳେ ସର୍ଵଧିକ କ୍ଷତି ନିର୍ଦ୍ଦୋଷ ଓ ଦୁର୍ଵଳ ଲୋକମାନଙ୍କର ହିଁ ହୋଇଥାଏ ।
ଇତିହାସର ଏହି ଦୁଃଖଦ କାହାଣୀ ଆମକୁ ସତର୍କ କରେ—ଯଦି ସମାଜ ଵିଵେକ, ସହାନୁଭୂତି ଓ ନ୍ୟାୟକୁ ହରାଇଦିଏ, ତେବେ ସମାଜ ଵିଭାଜିତ ହୋଇପାରେ ଏଵଂ ତହିଁର ଗମ୍ଭୀର ପରିଣତି ଅନେକଙ୍କୁ ଭୋଗିଵାକୁ ପଡ଼ିଥାଏ । ସେହିପାଇଁ ସେଲମ୍ର ସ୍ମୃତି କେଵଳ ଇତିହାସ ନୁହେଁ; ଏହା ଆଗାମୀ ପିଢ଼ି ପାଇଁ ଏକ ସତର୍କ ସନ୍ଦେଶ।
No comments:
Post a Comment