Monday, April 27, 2026

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ ମୋଡ଼ରେ ପହଞ୍ଚି ଯାଇଛନ୍ତି। କିଏ ସହରରେ ବଡ଼ ଚାକିରିଆ ତ ଆଉ କିଏ ଗାଁ ମାଟିକୁ ଆଉଜି ବଞ୍ଚିଛି। ହେଲେ ହଠାତ୍ ଦିନେ ସ୍ମୃତିର ପେଡ଼ି ଖୋଲିଗଲା 'WhatsApp'ର ଏକ ଗୋଷ୍ଠୀ ମାଧ୍ୟମରେ। ସ୍ଥିର ହେଲା ଏପ୍ରିଲ ମାସର ଶେଷ ସପ୍ତାହରେ "ବନ୍ଧୁମିଳନ" ହେଵ । ଅଵଶ୍ୟ ଆଜିର ନଵ୍ୟ ଆଧୁନିକ ଓଡ଼ିଆମାନେ ଏହାକୁ Reunion କହୁଛନ୍ତି । ବନ୍ଧୁମିଳନର ସବୁ ପ୍ରସ୍ତୁତି ସରିଥାଏ। ଖିଆପିଆର ସୂଚୀ ମଧ୍ୟ ପ୍ରସ୍ତୁତ ହୋଇଅଛି। ସାଙ୍ଗ ସାଥିଙ୍କ ଚିତ୍ର ସହିତ ଏକ ଫଳକଟିଏ ମଧ୍ୟ ପ୍ରସ୍ତୁତ। 

ହେଲେ ଶେଷ ମୁହୂର୍ତ୍ତରେ ରମେଶ ଗୋଟିଏ ପ୍ରଶ୍ନ ପଚାରିଲା, "କେକ୍ କାଟିଵା କି Reunionରେ?"
ଦିଲିପ ଆଲୋଚନା ପାଇଁ ସନ୍ଧ୍ୟାରେ ଷ୍ଟାଡିୟମକୁ ଆସିଵାକୁ ଡାକରା ଦେଲା। ମନୁ ରେଳରେ ଆସୁଥିଵାରୁ ମଠ ହେଵ ବୋଲି ଜଣାଇଲା। ଶଙ୍କର ସନ୍ଧ୍ୟା ୭.୦୦ଟାରେ ଆସିଵାର ସମୟ ନିର୍ଘଣ୍ଟ କଲା। ମୋହନ କହିଲା, "ବହୁ ଵର୍ଷ ପରେ ପ୍ରଥମ ଥର ପାଇଁ ସାମୁହିକ ଭୋଜି ହେଉଛି, କେକ୍ କାଟିଲେ ଖୁସିଟା ଜମିଯାନ୍ତା।"

whatsapp ଗ୍ରୁପ୍‌ରେ ଥିଵା ସମସ୍ତେ ଏହି ପାଶ୍ଚାତ୍ୟ ଶୈଳୀର ଉତ୍ସଵକୁ ସମର୍ଥନ କରୁଥିଵା ବେଳେ ଜଣେ ସହପାଠୀର ମନ ହଠାତ୍ ଵିଦ୍ରୋହୀ ହୋଇ ଉଠିଲା । 

 ସରୋଜ ଦଶମପରେ ଆଉ ପାଠ ନପଢ଼ି ଗାଁରେ ଅଟୋ ଚଳାଇ ଦିନରାତି ନିଜ ଝାଳବୁହା ଧନରେ ପରିଵାର ପୋଷେ। ତା' ପାଇଁ ସଂସ୍କୃତି ଓ ପରମ୍ପରା ହିଁ ସବୁକିଛି। ସେ ନିଜକୁ ଆଉ ସମ୍ଭାଳି ପାରିଲାନି।
ତା’ର ଆଙ୍ଗୁଠି ଗୁଡ଼ିକ କିପ୍ୟାର୍ଡରେ ଖୁବ୍ ଜୋରରେ ଚାଲିଲା—

 "ତମ ବୋପା ଅଜା ତିନି ପୁରୁଷରେ କିଏ କେକ୍ କାଟିଥିଲା ନା? ଶଳେ ଛୁଆ ଜନ୍ମ ହେଲେ କେକ୍, ବାହାଘର ଚତୁର୍ଥୀରେ କେକ୍, ଵିଵାହ ଵାର୍ଷିକୀରେ କେକ୍... ଏବେ ବନ୍ଧୁମିଳନରେ ବି ସେଇଆ! ଆଉ କେତେ ଦିନ ପରେ କ'ଣ ବାପା-ମାଆଙ୍କ ଶୁଦ୍ଧିକ୍ରିୟାରେ ବି କେକ୍ କାଟିଵ ? ନିଜସ୍ୱ ବୋଲି କିଛି ଅଛି ନା ଖାଲି ହନୁକରଣ କରିଵା ଶିଖିଛ?"

ସରୋଜର ଏହି କଠୋର ସତ୍ୟ ବୋଧହୁଏ ଆଧୁନିକତାର ରଙ୍ଗରେ ରଙ୍ଗେଇ ହୋଇଥିଵା ରମେଶକୁ ଭାରି ବାଧିଲା। ସେ ଉତ୍କ୍ଷିପ୍ତ ହୋଇ କହିଲା, "ହଇରେ ତୁ ସେଇ ଗେରୁଆବାଲାଟି ମୋଟେ ସୁଧୁରିବୁନି ହୋ ! ଆମ ଇଚ୍ଛା ଆମେ କେକ୍ କାଟିବୁ ନହେଲେ ମଦ ପିଇବୁ, ତୋ ବୋପାର କ'ଣ ଯାଉଛି? ତୁ ତ ବନ୍ଧୁମିଳନକୁ ଆସିବୁନି କି ଚାରଣାଟେ ଭେଦା ଦେବୁନି, ତୋର ଏ ତୁଚ୍ଛା ଉପଦେଶ କିଆଁ ଦେଉଛୁ ଏଠି ?"
ସରୋଜର ସ୍ୱାଭିମାନୀ ମନକୁ ଗଭୀର ଆଘାତ ଲାଗିଲା। ସେ ଗରିବ ହୋଇପାରେ, କିନ୍ତୁ କାହାର ଦାନରେ ବଞ୍ଚେନା। ସେ ସ୍ପଷ୍ଟ ଭାବେ ଲେଖିଦେଲା— "ହଁ, ତମର ଯାହା ଇଚ୍ଛା କର। ମୁଁ ଖଟିଲେ ଖାଏ। ମୋ ଝାଳବୁହା ଧନକୁ ମନ୍ଦିରରେ ଦାନ କରିଦେବି ପଛକେ ପରମ୍ପରାହୀନ ଅନ୍ଧ ଅନୁକରଣରେ ବ୍ୟୟ କରିବି ନାହିଁ।"

ଏତିକି ଲେଖି ସେ ସେହି 'WhatsApp' ଗୋଷ୍ଠୀକୁ ତ୍ୟାଗ କଲା। ମୋବାଇଲ୍ ସ୍କ୍ରିନରେ "Saroj left" ଲେଖାଟି ଭାସି ଉଠିଲା। ସମସ୍ତେ ଚୁପ୍ ହୋଇଗଲେ। କୋଡ଼ିଏ ବର୍ଷର ସେହି ପୁରୁଣା ସମ୍ପର୍କ ଆଜି ଆଧୁନିକତା ଓ ପରମ୍ପରାର ଲଢ଼େଇରେ ଫାଟ ସୃଷ୍ଟି କରିଥିଲା।

ସରୋଜ ଅଟୋ ନେଇ ଷ୍ଟାଣ୍ଡ ଅଭିମୁଖେ ବାହାରିଲା। ତା' ମନରେ ଦୁଃଖ ଥିଲା ସତ, କିନ୍ତୁ ଗର୍ଵ ଥିଲା ଯେ ସେ ଅନ୍ଧ ଅନୁକରଣର ଭିଡ଼ରେ ନିଜ ସଂସ୍କୃତିର ପକ୍ଷ ରଖିଵାରେ ପଛେଇ ନାହିଁ। ଯେଉଁଠି ନିଜ ସଂସ୍କୃତିର ସମ୍ମାନ ନାହିଁ, ସେଠାରେ ସମ୍ପର୍କର କୌଣସି ମୂଲ୍ୟ ନଥାଏ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...