My Blog List

Saturday, May 23, 2020

ପ୍ରହରାଜ ସୂକ୍ତି ସଂଗ୍ରହ ୧

ଓଡ଼ିଆ ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର  ବିଶୁ ମହାରଣା ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଏକ ପ୍ରବନ୍ଧରୁ ସଂଗୃହୀତ କେତେକ ମୁଖ୍ୟ ମୁଖ୍ୟ ସୂକ୍ତି ...

୧)ଭାରତର ପ୍ରାଦେଶିକ ଭାଷା ମାନଙ୍କ ମଧ୍ୟରେ ଓଡ଼ିଆ ଗୋ ପୁରାତନ ଓ ଶବ୍ଦବହୁଳ ଭାଷା ଅଟେ

୨)ହିନ୍ଦୀ ଓ ବଙ୍ଗାଳୀଭାଷାରେ ଶବ୍ଦ ଶେଷରେ ଥିଵା ଅକାରାନ୍ତ ଵର୍ଣ୍ଣର ଉଚ୍ଚାରଣ ଵିଷୟରେ ଵିଭ୍ରାଟ ଦେଖାଯାଏ ପୁନଶ୍ଚ ଏହି ନିୟମ ତତ୍ତତ୍ ଭାଷାରେ ସର୍ଵତ୍ର ପାଳିତ ହୁଏ ନାହିଁ । ହିନ୍ଦୀରେ ଅନସ୍ଵାର ଓ ଚନ୍ଦ୍ରଵିନ୍ଦୁର ଵ୍ଯଵହାର ଓ ଉଚ୍ଚାରଣରେ ଵିଭ୍ରାଟ ଦେଖାଯାଏ । ହିନ୍ଦୀରେ ଓ ବଙ୍ଗାଳୀରେ ଳ ଓ ଣ ଉଚ୍ଚାରଣର ଅସ୍ତିତ୍ୱ ନାହିଁ । ହିନ୍ଦୀରେ ଯ ଓ ୟ ର ପୃଥକ୍ ଉଚ୍ଚାରଣ ପରିଲକ୍ଷିତ ହୁଏ ନାହିଁ । ଓଡ଼ିଆ ଭାଷାରେ ଏସବୁ ଦୋଷ ପରିଲକ୍ଷିତ ହୁଏନାହିଁ  ।

୩)ମୋର ସମସ୍ତଙ୍କଠାରେ ନିଵେଦନ ଏହିକି,ଆମ ମାତୃଭାଷାର (ଏହି) ଵୈଶିଷ୍ଟ୍ଯଗୁଡ଼ିକୁ ଆମ୍ଭେମାନେ ଛାଡି଼ଵା ନାହିଁ ଓ ଯଥାଶକ୍ତି ଉଚ୍ଚାରଣ ସାଙ୍ଗେ  ଲେଖାର ସମତା ରକ୍ଷା କରିଵା ।

୪)ସଂସ୍କୃତ ସଙ୍ଗେ ଓଡ଼ିଆ ଭାଷାର ଦୃଢ଼ ସମ୍ବନ୍ଧ ଥିଵା କଥା କେହି ଅସ୍ଵୀକାର କରିଵେ ନାହିଁ । ଏପରି ସ୍ଥଳରେ  ଅନେକ ଵିଷୟରେ ସଂସ୍କୃତ ଵ୍ଯାକରଣର ନିୟମଗୁଡି଼କୁ ବରାବର ଵର୍ଜନ କରି ଓଡ଼ିଆ ଭାଷା ଵ୍ଯଵହାର କରିଵା
ଉଚିତ୍ ନୁହେଁ ବୋଲି ମୋ ମତ ।

୫)ଅନସ୍ଵାର ପ୍ରେମର ପ୍ରଗତି ପହଞ୍ଚିଲାଣି ମାନସିଂହ ସ୍ଥଳରେ ମାନସିଂ ଵ୍ଯଵହାରରେ...
       (ଵର୍ଣ୍ଣହତ୍ଯାକାରୀଙ୍କ ପ୍ରତି କଟାକ୍ଷ 😂)

୬)କେତେକ ଆଧୁନିକ କଵିତା ରଚକ ଯେଉଁ ଛନ୍ଦରେ ଓ ଭାଷାରେ କଵିତା ରଚନା କରୁଅଛନ୍ତି ତାହା ଓଡ଼ିଆ ସଂସ୍କୃତି ଭିତ୍ତି ଉପରେ ପ୍ରତିଷ୍ଠିତ ନହେଵାରୁ ଲେଖକମାନଙ୍କର କେଵଳ ମନବୋଧ ହେଉଅଛି ,କିନ୍ତୁ ତାହା ସାଧାରଣଙ୍କ ସୁଖସେଵ୍ଯ ହେଉନାହିଁ (କାଳଜୟୀ 🤗)  ।

୭)"ଵାସଃ ପ୍ରଧାନଂ ଖଳୁ ଯୋଗ୍ଯତାୟାଃ" ! ଯୋଗ୍ଯତା ଵିଚାରରେ ପରିଧାନ ପ୍ରଥମ ସ୍ଥାନ ଅଧିକାର କରିଥାଏ । ଭାଷା ଓ ଛନ୍ଦ କଵିତାର ପରିଧାନ; ଏ ଦୁଇଟି ଚିତ୍ତାକର୍ଷକ ନହେଲେ ପାଠକ ଓ ଶ୍ରୋତାଙ୍କ ମନୋରଞ୍ଜନ କରିଵାକୁ ଅସମର୍ଥ ହୁଏ ଓ ଫଳତଃ ପତ୍ରିକାରେ ପ୍ରକାଶିତ କଵିତା ପୃଷ୍ଠାଗୁଡ଼ିକ ପୋଟଳି ବଣିଆଙ୍କ ଗୁଜରାଣ ଚଳାଇଵାରେ ଲାଗେ ...

୮)ଆମ୍ଭମାନଙ୍କୁ ଅଵଶ୍ଯ ଏହା ସ୍ଵୀକାର କରିଵାକୁ ହେଵ ଯେଉଁ ଯେଉଁ ଶବ୍ଦ ନାହିଁ, ଵିଜ୍ଞାନ ଆଦିର ଆଲୋଚନା ତଥା ଶିକ୍ଷାଵିସ୍ତାର ଫଳରେ ଯେଉଁ ଯେଉଁ ଵୈଜ୍ଞାନିକ ଏଵଂ ପାରିଭାଷିକ ଶବ୍ଦମାନ ହାବୁଡେ଼ ପଡି଼ଛି ତାକୁ ସବୁ ଅନ୍ୟ ଭାଷାରୁ ନ ଆଣିଲେ ଚରିଵ ନାହିଁ ।  କିନ୍ତୁ ଏ ଯୁକ୍ତିର ଦ୍ଵାହି ଦେଇ ବିନା ଆଲୋଚନାରେ ଓ ବିନା ଵିଚାରରେ  ଯେଚ୍ଛାତା ଆଣି ଆମ ଭାଷାରେ ପୂରାଇଵା ଉଚିତ୍ ଵା ସୁନ୍ଦର ନୁହେଁ ।

୯)ଯେଉଁ ଯେଉଁ ଵୈଦେଶିକ ଶବ୍ଦ ଓଡ଼ିଆ ଭାଷାରେ ଵ୍ଯଵହାର ନକଲେ ନଚଳେ ତତ୍ତଦ୍ ଶବ୍ଦଗୁଡ଼ିକର ଵୈଦେଶିକ ଆକାରକୁ କଥାରେ ଓ ଲେଖାରେ ସମାନ ରଖିଵା ଉଚିତ୍ ।

୧୦)ଓଡ଼ିଆ ଭାଷାରେ ଅଵର୍ଗ୍ଯ ‛ଵ’ ପାଇଁ ଗୋଟିଏ ସ୍ଵତନ୍ତ୍ର ଅକ୍ଷର ନପୂରାଇଲେ କାମ ଚଳିଵ ନାହିଁ ...

(ଶ୍ରୀପ୍ରହରାଜଙ୍କ ଆଶା ପୂରଣ ହୋଇଛି; ଆଜି ଅଵର୍ଗ୍ଯ ଵ ଵର୍ଣ୍ଣ ପାଇଁ ପାଇଁ ଆମ ପାଖରେ “ଵ” ଅକ୍ଷର ରହିଛି)

୧୧)ସାହିତ୍ୟ ଓ ପତ୍ରିକା କ୍ଷେତ୍ରରେ ଯେଉଁମାନେ ପ୍ରତିଷ୍ଠା ଲାଭ କରିଅଛନ୍ତି ସେମାନଙ୍କ ଉପରେ ଦେଶର ନଵ୍ଯ ଲେଖକମାନଙ୍କ ଲେଖାର ରୀତି ଓ ଶୁଦ୍ଧି ଅନେକ ପରିମାଣରେ ନିର୍ଭର କରୁଅଛି । ସେମାନେ ଅସଂଯତ ହେଲେ ଭାଷାର ନିୟାମକ ହେଵ କିଏ ?
(ଵର୍ଣ୍ଣହତ୍ଯାକାରୀ ଦଳଙ୍କୁ ଉପଦେଶ 😉)

୧୨)ପ୍ରଥମରେ ଭାଷାର,ତାପରେ ଲେଖାର ସୃଷ୍ଟି ,ଏହା ଭାଷାତତ୍ତ୍ଵଵିଦ୍'ମାନେ ସ୍ଥିର କରିଅଛନ୍ତି ।  ଵ୍ଯାକରଣକାର ତୁଳନାମୂଳକ ଗଵେଷଣା ସାହାଯ୍ୟରେ ଭାଷାରୁ ଓ ଲେଖାରୁ ଵ୍ଯାକରଣ ପାଇଁ ନିୟମମାନ ସଙ୍କଳନ କରନ୍ତି ।  ଵ୍ଯାକରଣ ସଂକଳନ ପରେ ଭାଷା ଓ ସାହିତ୍ୟ ଛାଞ୍ଚରେ ପଡି଼ଯାଏ ।  ଵ୍ଯାକରଣଦ୍ଵାରା (ଭାଷାରେ) ଉଚ୍ଛୃଙ୍ଖଳତାର  ବାଟବୁଜା ହୋଇଯାଏ; ଵିଵାକ୍ ବୁଜା ହୋଇନଗଲେ ମଧ୍ୟ ସେ ବାଟରେ ଡିଆଁ(style) ବସିଯାଏ ।

୧୩)ସମାଲୋଚକଙ୍କ ଆସନ  ଅତି ଉଚ୍ଚ ଓ ପଵିତ୍ର । ସମାଲୋଚକଙ୍କ ଲେଖନୀ ଜିଘାଂସୁର ଅସି ନୁହେଁ,କିଂଵା ରଡ଼ ସାଧିଵାର ଠେଙ୍ଗଣୀ ନୁହେଁ । ଉଚ୍ଛୃଙ୍ଖଳତା ନିଵାରଣ କରିଵା ଓ ସୁଲେଖକଙ୍କୁ ସମୁତ୍ସାହିତ କରିଵା ସମାଲୋଚକଙ୍କ କାର୍ଯ୍ୟ । ସମାଲୋଚନାର ସୌରଭ ଭାଷାକୁ ଓ ସାହିତ୍ୟକୁ ଆମୋଦିତ କରେ ।

୧୪)ଚାଲନ୍ତୁ ସମସ୍ତେ ମିଶି ମାତୃଭାଷାର ଉନ୍ନତି କରିଵା ଦିନେ ଆମ ମାତୃଭାଷା―ପ୍ରତିଵେଶୀଙ୍କ ଦ୍ଵାରା ଅଵହେଳିତ ଓଡ଼ିଆ ଭାଷା , ଆନ୍ତର୍ଜାତୀୟ ଭାଷା ସଂସଦରେ ଵିଶିଷ୍ଟ ଓ ମହନୀୟ ଆସନ ଅଧିକାର କରିଵ । ଭଗଵାନ୍ ଏ ଦିନ ଚଞ୍ଚଳ ଆଣନ୍ତୁ ଓ ତାଙ୍କ ମଙ୍ଗଳମୟ ପ୍ରେରଣା ଦ୍ଵାରା ଆମ ଦେଶ ,ଆମ ଜାତି,ଆମ ଭାଷା ଓ ସାହିତ୍ୟ ଗୌରଵମଣ୍ଡିତ ହେଉ...

............................
.....................................
...............................................
.........................................................
...................................................................

Saturday, May 16, 2020

କେହି ବି ନୁହେଁ ଏଠି ସର୍ଵଜ୍ଞ

ସର୍ଵ ସର୍ଵଂ ନଜାନାତି ସର୍ଵଜ୍ଞାେ ନାସ୍ତି କଶ୍ଚନ ।
ନୈକତ୍ର ପରିନିଷ୍ଠାସ୍ତି ଜ୍ଞାନସ୍ଯ ପୁରୂଷେ କ୍ଵଚିତ୍ ।।(ମହାଭାରତ)


"ସରଵେ ସରଵ ଜାଣିନଥାନ୍ତି

                          ନାହିଁ ଯେ କେହି ସର୍ଵଜ୍ଞ,

ସମ୍ପୂର୍ଣ୍ଣ ଜ୍ଞାନ କା ଆୟତ୍ତେ ଥିଵ

                             ଏମନ୍ତ ନାଇଁ କେ ଵିଜ୍ଞ"


ମହାଭାରତର "ନଳଦମୟନ୍ତୀ ଉପାଖ୍ୟାନ"ରେ ଆମେ ଏହି ଶ୍ଲୋକଟି ପାଇଥାଉ ।

ଏଥିରେ ସ୍ପଷ୍ଟ ଭାଵେ କୁହାଯାଇଛି ଯେ ସଂସାରରେ ଏମିତି କେହି ବି ନାହିଁ ଯେ ସର୍ଵଜ୍ଞ ହୋଇଥିଵ କି କେହି ବି ସମ୍ପୂର୍ଣ୍ଣ ଜ୍ଞାନ ଉପରେ ଆୟତ୍ତ କଲା ଭଳି ଆଜିଯାଏଁ ଜନ୍ମ ହୋଇନାହିଁ

Thursday, May 14, 2020

କେଉଁମାନେ ଵିଶ୍ଵାସଯୋଗ୍ଯ ନୁହନ୍ତି ?

"ଅନମିତ ବିଶୋଇ ଅଵରଣେ ମଧ୍ଯପାତ୍ର,
ଅଥାପନ ଛତ୍ରୀ ଅଭାଵୀ ମଇତ୍ର ।

ଅଭାଵି ଭାରିଯା ଯେ ଵିଵାଦପ୍ରିୟ ଆଇ,
ୟେତକ ଲୋକନ୍ତ ଵିଶ୍ଵାସ ନ ଯାଇ ।। ୮୪।।"
(ଭୀଷ୍ମପର୍ଵ,ସାରଳା ମହାଭାରତ)

ସାରଳା ମହାଭାରତ ରଚନା ସମୟର ଓଡ଼ିଆ ଭାଷାରେ ଅନେକ ନିଆରା ଶବ୍ଦ ଚଳୁଥିଲା ତନ୍ମଧ୍ୟରୁ ଆଜି ଅନେକ ଶବ୍ଦ ଆଉ ଵ୍ଯଵହୃତ ହେଉନାହିଁ ।

ସାରଳାମହାଭାରତରୁ ଉଦ୍ଧୃତ ପ୍ରୋକ୍ତ ପଦରେ ଆମେ କେତୋଟି ପ୍ରାଚୀନ ଓଡ଼ିଆ ଶବ୍ଦ ଦେଖୁ ଯେଉଁଗୁଡ଼ିକ ଆଜି ପ୍ରାୟତଃ ଅପ୍ରଚଳିତ

ଯଥା―

■ଅନମିତ
ଅନମିତ ଶବ୍ଦଟି ଅନିମିତ୍ତର ଓଡ଼ିଆ ରୂପ । ଅନିମିତ୍ତର ସାଧାରଣ ଅର୍ଥ ଅକାରଣ,ଲକ୍ଷ୍ୟହୀନ,ପ୍ରୟୋଜନହୀନ ଓ ଅଦରକାରୀ ଇତ୍ୟାଦି ହୋଇଥିଲେ ହେଁ ଏଠାରେ ଅନମିତ ଶବ୍ଦ ଲକ୍ଷ୍ଯହୀନ = ଵିଶୃଙ୍ଖଳିତ ଅର୍ଥରେ ଵ୍ଯଵହୃତ ହୋଇଅଛି ।

■ଵିଶୋଇ
ଓଡ଼ିଶାରେ ଆଗେ ରାଜକର୍ମଚାରୀମାନଙ୍କୁ ଵିଶୋଇ ଉପାଧି ପ୍ରାପ୍ତ ହେଉଥିଲା ଅଧୁନା ଏହା ଏକ ଉପନାମରେ ପରିଣତ ହୋଇଅଛି ।

■ଅଵରଣ
ଯାହାକୁ ଵରଣ ଵା ନିମନ୍ତ୍ରଣ କରାଯାଇନାହିଁ ସେ ଅଵରଣ ଅଟେ ।

■ମଧ୍ଯପାତ୍ର
ମଧ୍ଯସ୍ଥି ଲୋକଙ୍କୁ ଆମ ଭାଷାରେ ମଧ୍ଯପାତ୍ର ମଧ୍ୟ କୁହାଯାଇଥାଏ

■ଅଥାପନ
ଏ ଶବ୍ଦଟି ସମ୍ଭଵତଃ ଅସ୍ଥାପନ ସହିତ ସମଦ୍ଧୃତ ।  ସ୍ଥାପନ ଵା ଥାପନ ଶବ୍ଦର ମୂଳ ସ୍ଥା ଧାତୁ ଏଵଂ ଏଥିରେ ସ୍ଥିର ହୋଇ ରହିଵାର ଭାଵ ଲୁଚି ରହିଛି । ତେଣୁ ନାହିଁ ଅର୍ଥରେ 'ଅ' ପ୍ରତ୍ଯୟ ଲାଗି ସୃଷ୍ଟ ଅଥାପନ ଶବ୍ଦ ଏଠାରେ  ଅସ୍ଵୀକୃତ,ଅସ୍ଥିରମତି,ଵିଶୃଙ୍ଖଳିତ ଅର୍ଥରେ ପ୍ରୟୋଗ ହୋଇଥିଵା ସହଜେ ଅନୁମେୟ ।

■ଛତ୍ରୀ
ଛତ୍ରୀ ଶବ୍ଦ କ୍ଷତ୍ରିୟ ଶବ୍ଦର ଓଡ଼ିଆ ରୂପ ଵିଶେଷ । ସମ୍ଭଵତଃ ଏଠାରେ ଛତ୍ରୀ ଶବ୍ଦ ଯୋଦ୍ଧା ଅର୍ଥରେ ଵ୍ଯଵହୃତ ହୋଇଅଛି ।

■ମଇତ୍ର

ଓଡ଼ିଆ ଭାଷାରେ ମିତ୍ର ଶବ୍ଦ ମଇତ୍ର ହୋଇ ଆଜି ବି ଚଳୁଅଛି ତେଵେ ସାରଳାମହାଭାରତରେ ଏ ଶବ୍ଦର ଵ୍ଯଵହାର ଏହାର ପ୍ରାଚୀନତା ପ୍ରମାଣ କରିଥାଏ ।

■ଭାରିଯା

ତତ୍ସମ ଭାର୍ଯ୍ୟା ଶବ୍ଦ ଓଡ଼ିଆ ଭାଷାରେ ଭାରିଯା ହୋଇ ପ୍ରଚଳିତ । ତେଵେ ଏଠାରେ "ଅଭାଵି ଭାରିଯା" ଶବ୍ଦ ଦୁର୍ଵଳମନା,ଗୁଣସଂକୀର୍ଣ୍ଣ ଵା କପଟାଚାରୀ ପତ୍ନୀ ଅର୍ଥରେ ଵ୍ଯଵହାର ହୋଇଅଛି

■ଆଈ
ପ୍ରାଚୀନ ଓଡ଼ିଶାରେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥ ଵ୍ଯଵହୃତ ହେଉଥିଲା । ଅଧୁନା ଏହା ମାତାଙ୍କ ମାଆଙ୍କୁ ସମ୍ବୋଧନାର୍ଥ ଵ୍ଯଵହୃତ ହେଉଅଛି । ଆଈ ଶବ୍ଦ ସାରଳାମହାଭାରତ ପରି ଅନେକ ପ୍ରାଚୀନ କାଵ୍ଯରେ ମାତା ଅର୍ଥରେ ବହୁଳ ଭାଵେ ଵ୍ଯଵହୃତ । ଆଜି ବି ସାନ୍ତାଳୀ ଆଦି ଓଡ଼ିଶାର ଅନେକ ଜନଜାତୀୟ ଭାଷାରେ ଆଈ ଶବ୍ଦ ସହ ସମସାଦୃଶ୍ଯ ମାତାଅର୍ଥଜ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି । ଏଠାରେ  କଳିହୁଡି ମାଆକୁ ଵିଵାଦପ୍ରିୟ ଆଇ କୁହାଯାଇଛି ।

ସାରଳାମହାଭାରତର ଭୀଷ୍ମପର୍ଵରେ ଥିଵା ଏଇ ପଦଟିର ସଂକ୍ଷେପରେ ଅର୍ଥ ହେଵ

●ଅନମିତ ଵିଶୋଇ = ଵିଶୃଙ୍ଖଳିତ ରାଜକର୍ମଚାରୀ

●ଅଵରଣ ମଧ୍ଯପାତ୍ର = ଵରଣ ଵା ନିୟନ୍ତ୍ରିତ ହୋଇନଥିଵା  ମଧ୍ଯସ୍ଥି

●ଅଥାପନ ଛତ୍ରୀ = ଅସ୍ଵୀକୃତ,ଅସ୍ଥିରମତି,ଵିଶୃଙ୍ଖଳିତ ଯୋଦ୍ଧା

●ଅଭାଵୀ ମଇତ୍ର = ଦୁଃଖୀ ମିତ୍ର

●ଅଭାଵି ଭାରିଯା = ଦୁର୍ଵଳମନା,ଗୁଣସଂକୀର୍ଣ୍ଣ ଵା କପଟାଚାରୀ ପତ୍ନୀ

●ଵିଵାଦପ୍ରିୟ ଆଇ = କଳିହୁଡି ମାଆ
ଏମାନେ ଵିଶ୍ଵାସଯୋଗ୍ଯ ନୁହନ୍ତି ।

Friday, May 8, 2020

ସୁରତଵାସୀ ଓଡ଼ିଆଙ୍କୁ ଏତେ ଘୃଣାର କାରଣ କ’ଣ ?

ସୁରତଵାସୀ ଓଡ଼ିଆଙ୍କୁ ବହୁ ଆଗରୁ ଲୋକେ ଘୃଣା କରୁଛନ୍ତି ଏଟା ଆଜିର କଥା ନୁହେଁ । ଗଞ୍ଜାମ ଅଞ୍ଚଳ କଥା ମୁଁ ଜାଣିନି କିନ୍ତୁ ଅନ୍ୟ ଉପକୂଳିଆ ଜିଲ୍ଲାର ଲୋକେ ସୁରତରେ ରହୁଥିଵା ଓଡ଼ିଆଙ୍କୁ ଝିଅ ଦିଅନ୍ତି ନାହିଁ । ଖଡ଼ଗପୁରରେ ବସ୍ତା ବୋହୁଥିଵା ଯୁଵକକୁ ଝିଅ ଦେଇଦିଅନ୍ତି ପଛେ ଏମ୍ରୋଡରୀ,ହୀରାକଟା ଭଳି ଧୂଳି ବାଲି ଲାଗୁନଥିଵା କାମ କରୁଥିଵା ଲୋକଙ୍କୁ ଝିଅ ଦିଅନ୍ତି ନାହିଁ ।

ତେଵେ ଏହି ଘୃଣାର ଅନେକ ପୁରୁଣା କାରଣ ରହିଛି । ନିମ୍ନରେ ଈଶ୍ବରଙ୍କ ଦ୍ଵାରା ପ୍ରେରିତ ହୋଇ ତନ୍ମଧ୍ୟରୁ କେତୋଟିର ଉଲ୍ଲେଖ କରୁଅଛି ।

୧)ସୁରତଵାସୀ ଓଡ଼ିଆ ଲକ୍ଷ୍ମୀଛଡ଼ା

ଟ୍ରେନରେ ଆସିଲାଵେଳେ ଵସ୍ତ୍ର ମଇଳା ହେଇନଯାଉ ସେଥିପାଇଁ ସୁରତରୁ ଆସୁଥିଵା ଶ୍ରମିକମାନେ ସୁପରଫାଷ୍ଟ ଟ୍ରେନରେ ଆସୁଥିଵା ସମୟରେ ପୁରୁଣା ଵସ୍ତ୍ର ଓ ପାଣ୍ଡୋଇ ପିନ୍ଧି ଆସିଥାଆନ୍ତି । ଗାଆଁପାଖ ହେଲେ ସେମାନେ ପୁରୁଣା ପୋଷାକ ଓହ୍ଲେଇ ନୂଆ ଵସ୍ତ୍ର ପରିଧାନ କରିଥାଆନ୍ତି । ତେଵେ ଯେଉଁ ନଗରଵାସୀ ପାଠପଢୁ଼ଆ ବାବୁମାନେ ଟିକେଟ୍ ଖର୍ଚ୍ଚ ବଞ୍ଚେଇଵା ପାଇଁ ସୁରତାଗତ ଟ୍ରେନରେ ସମ୍ବଲପୁରଠାରୁ ଖୋର୍ଦ୍ଧାଯାଏଁ ଚଢ଼ନ୍ତି ସେମାନେ ଏମାନଙ୍କ ଭିକାରୀ ସମ ରୂପ ଦେଖି ଏମାନଙ୍କୁ ଲକ୍ଷ୍ମୀଛଡ଼ା ଭାଵିନିଅନ୍ତି । ଈହୁଦୀମାନଙ୍କୁ ଏକଦା ଏଇଭଳି ୟୁରୋପୀୟ ଦେଶଗୁଡି଼କରେ ଘୃଣା କରାଯାଉଥିଲା ।

୨)ସୁରତଵାସୀଙ୍କର ଅଶ୍ଳୀଳ ଭାଷା

ସାଧାରଣତଃ ସୁରତରେ ଗଞ୍ଜାମ ଜିଲ୍ଲାର ଲୋକଙ୍କ ସଂଖ୍ୟା ଅଧିକ । ସେମାନଙ୍କ ଭାଷାଶୈଳୀ କଟକୀ ଭାଷା ଶୈଳୀ ତୁଳନାରେ ସାମାନ୍ୟ ୧୮+ ଭଳି ଲାଗେ ତେଵେ ଉକ୍ତ ଜିଲ୍ଲାରେ ଏହା ସାଧାରଣ କଥା । ଏଭଳି ଭାଷାଶୈଳୀ କଟକିଆ ଓ ବାଲେଶରିଆଙ୍କୁ କର୍ଣ୍ଣକଟୁ ଲାଗିପାରେ କିନ୍ତୁ ଏହା ସେ ଜିଲ୍ଲାର ସ୍ଵାଭାଵିକ କଥିତ ଭାଷା ବୋଲି ସେମାନଙ୍କୁ ଜଣାନଥିଵାରୁ ସେମାନେ ସୁରତଵାସୀ ଓଡ଼ିଆଙ୍କୁ ଘୃଣା କରିଵା ଆରମ୍ଭ କରନ୍ତି ।  ଆମେରିକାରେ ବି କଥିତ ଇଂରାଜୀ ବହୁତ ଅଶ୍ଳୀଳ କିନ୍ତୁ ଟଙ୍କା ଯୋଗୁଁ ତାଙ୍କୁ କେହି ଘୃଣା କରନ୍ତି ନାହିଁ ।

୩)ଏଡ୍ସରୋଗ ଘୃଣା ବଢେ଼ଇଛି
୧୯୮୦ ମସିହାପରେ ଏଡ୍ସରୋଗ ନିଜର କାୟା ଵିସ୍ତାର କରି ଆମେରିକାରୁ ଆସି ଭାରତରେ ଆସିପହଞ୍ଚିଲା । ସେତେଵେଳେ ସୁରତରେ ଅନେକ ଦେହଵେପାରୀ ରୋଗଗ୍ରସ୍ତ ହେଲେ ଏଵଂ ଯେଉଁ ହାତଗଣତି କିଛି ଓଡିଆ ଲୋକ ସେମାନଙ୍କ ପାଖକୁ ଯାଉଥିଲେ ସେମାନେ ବି ସେ ରୋଗରେ ପଡି଼ ତାକୁ ଓଡ଼ିଶା ଆଣିଲେ । କିଛି ଦିନରେ ସାରା ଗଞ୍ଜାମରେ ଏଡ୍ସରୋଗୀ ହିଁ ଏଡ୍ସରୋଗୀ ହୋଇଯାଇଥିଲେ । ଏକଥା ଯେତେଵେଳେ ଟିଵିରେ ଆସିଲା , ସମ୍ବାଦପତ୍ରରେ ଛପିଲା ଲୋକେ କେତେଟା ଲୋକଙ୍କ ପାଇଁ ସବୁ ସୁରତଵାସୀ ଓଡ଼ିଆଙ୍କୁ ଲମ୍ପଟ ଵିଚାର କରି ଘୃଣା କରିଵା ଆରମ୍ଭ କରିଦେଲେ ।

୪)ମଦ ,ଗଞ୍ଜେଇ ଓ ଜୁଆ ଘୃଣାର ଗୌଣ କାରଣ

ସୁରତରେ ଅନେକ ଭଲପିଲା ବି ଆସିକି ମଦୁଆ,ଗଞ୍ଜେଇଆ ଓ ଜୁଆଡି଼ ହେଇଯାଇଛନ୍ତି । ଏଭଳି ଲୋକଙ୍କୁ ଓଡ଼ିଶାରେ ସଭ୍ଯ ଲୋକେ ଘୃଣା କରିଵା ସ୍ଵାଭାଵିକ କଥା । ସୁରତଫେରନ୍ତା ଟ୍ରେନରେ ସଭ୍ଯଲୋକେ ବିନା ଟିକେଟ୍ ଯାତ୍ରା କଲା ସମୟରେ ଏମାନେ ଗଞ୍ଜେଇ ପିଉଥିଵେ,ମଦ ପିଉଥିଵେ ଓ ଜୁଆ ଖେଳୁଥିଵେ ତ ସେମାନେ ଏମାନଙ୍କୁ ଅସାମାଜିକ ଭାଵିଵେ ହିଁ ଭାଵିଵେ...

୫)ଈର୍ଷ୍ୟା ଓ ଦ୍ଵେଷ ବି ଘୃଣା ବଢା଼ଏ

ସୁରତରେ ବହୁତ ଭଲ ଲୋକ ବି ଅଛନ୍ତି ସେମାନେ ଵ୍ଯସନ ପଛରେ ନପଡି଼ ନିଜ ମାଆବାପାଙ୍କ ପାଇଁ ,ପିଲାଛୁଆଙ୍କ ପାଇଁ ଦିନରାତି ଖଟନ୍ତି । ଏଭଳି ଲୋକେ ଗାଆଁରେ ଭଲ ଘର ଗାଡ଼ି କରିଦେଲେ ଗାଆଁର ଵେକାରିଆମାନଙ୍କ ମନରେ ଈର୍ଷ୍ୟା ଜାତ ହୁଏ । ସେ ଈର୍ଷ୍ୟା ଆଗକୁ ଦ୍ଵେଷ ଓ ଘୃଣାରେ ବଦଳିଯାଏ ।

୬)ଭୟ ହିଁ ଘୃଣାର ଜନନୀ

ସାମ୍ପ୍ରତିକ ସମୟରେ କରୋନା ସଂକ୍ରମଣ ଜନିତ ଭୟ ନିକଟରେ ବହୁଦିନ ଧରି ସୁରତଵାସୀଙ୍କ ପ୍ରତି ଥିଵା ଘୃଣା ଶହ ଶହ ଗୁଣ ଵୃଦ୍ଧିପାଇଛି । ଆଗେ ଗଞ୍ଜାମର ଲୋକେ ସୁରତଵାସୀ ଓଡ଼ିଆଙ୍କ ପ୍ରତି ସେତେ ଘୃଣା କରୁନଥିଲେ କିନ୍ତୁ ଵର୍ତ୍ତମାନ ସମୟରେ ନିଜ ଅଞ୍ଚଳର ଲୋକ ହୋଇ ବି ସେମାନେ ସୁରତଫେରନ୍ତାଙ୍କ ଉପରକୁ ପଥର ମାରୁଛନ୍ତି ସେମାନଙ୍କୁ ଗାଳୀ କରୁଛନ୍ତି । ଏହା ପଛରେ ରହିଛି କରୋନା ଜନିତ ସଂକ୍ରମଣ ହେଵାର ଭୟ । ଭୟ ଯୋଗୁଁ ମନୁଷ୍ୟ ଘୃଣା କରିଥାଏ

Tuesday, April 28, 2020

ଦାସତ୍ବପ୍ରଥା ଵିରୋଧୀ ଅଶ୍ଵେତ ମହିଳାଯୋଦ୍ଧା ହାରିଏଟ୍ ଟବମେନ୍

ଏ କାହାଣୀ ଗୋଟିଏ ଅଶ୍ଵେତ ଝିଅ Mintyର...

ସେ ଦାସତ୍ବ ପ୍ରଥାରେ କଵଳିତ ଇଂରେଜମାନଙ୍କ ଦ୍ଵାରା ପରାଧୀନ ଆମେରିକାରେ ଜନମିଥିଲା । ସେଇ ଝିଅକୁ ଯେତେଵେଳେ ମାତ୍ର ୧୩ ଵର୍ଷ ହୋଇଥାଏ ତା ମୁଣ୍ଡ ଉପରେ ତାହାର ମାଲିକର ପୁଅ ଶକ୍ତ ଲୁହା ଦଣ୍ଡରେ ପିଟି ଦେଇଥିଲା ।

ତେଵେ ସେ ଝିଅ ଜୀଵନଯୁଦ୍ଧରେ ହାରିଯାଇନଥିଲା । ସେ ଲଢି଼ଥିଲା ଆଉ ବଞ୍ଚିଯାଇଥିଲା କାରଣ ଭଵିଷ୍ଯତରେ ସେ ଅନେକ ଅଶ୍ଵେତ ଦାସଙ୍କୁ ଦାସତ୍ବରୁ ମୁକୁଳେଇଵାର ଲକ୍ଷ୍ୟ ନେଇ ସଂସାରକୁ ଆସିଥିଲା ନା...

ସେଇ ଝିଅଟି ଆମେରିକାର ଜଣେ ଲୋକପ୍ରିୟ ମହିଳା  Harriet Tubman  । ସେ ଥିଲେ ଜଣେ ଦାସପ୍ରଥା ଵିରୋଧୀ ଅଶ୍ବେତ ଆମେରିକୀୟ ମହିଳା ଯୋଦ୍ଧା ।

ସେ ଆମେରିକାର ମେରିଲ୍ଯାଣ୍ଡ୍ ଅଞ୍ଚଳରେ ୧୮୨୨ ମସିହାରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରାରମ୍ଭିକ ନାମ Araminta Ross ଥିଲା ଓ ଏହାଙ୍କର ପରିଵାର ଅଶ୍ଵେତ ଦାସ ଥିଲେ ।  ୧୮୪୯-୫୦ ସମୟରେ ସେ ମେରିଲ୍ଯାଣ୍ଡ୍ ରୁ ଲୁଚିକି ଵଣ ଜଙ୍ଗଲ ଦୁର୍ଗମ ପଥ ପାରକରି ପ୍ରାୟ ୧୦୦ କି.ମି ଦୂର  ଫିଲେଡେଲ୍ଫିଆକୁ ଚାଲି ଚାଲି ଯାଇଥିଲେ ।

ଫିଲେଡେଲ୍ଫିଆରେ ଏକ ଵର୍ଷ ରହି ସେ ପୁଣି ମେରିଲ୍ଯାଣ୍ଡ୍ ଫେରିଥିଲେ ଏଵଂ ନିଜ ପରିଵାରର ୯ ଲୋକଙ୍କୁ ସାଙ୍ଗରେ ଫିଲେଡେଲ୍ଫିଆ ନେଇ ଆସି ସେମାନଙ୍କୁ ଦାସତ୍ବରୁ ମୁକୁଳାଇ ଥିଲେ ।

ନିଜ ଜୀଵନକାଳରେ ମହିୟସୀ ହାରିଏଟ୍ ୧୩ଟି ମିସନ୍ ରେ ପ୍ରାୟ ୭୦ଜଣ ଅଶ୍ଵେତ ଦାସଙ୍କୁ ମୁକୁଳାଇଥିଲେ ।

ସେତେଵେଳେ ସାରା ଆମେରିକାରେ ତାଙ୍କୁ moses ନାମରେ ଜଣାଯାଉଥିଲା ଏଵଂ ଏହାଙ୍କୁ ଧରିଵାକୁ ଅନେକ ଚେଷ୍ଟା ମଧ୍ୟ ହୋଇଥିଲା । ତତ୍କାଳୀନ ଇଂରେଜ ସରକାର ଏହାଙ୍କୁ ଧରାଇଦେଲେ ୩୦୦ ଡଲାର ପ୍ରଦାନ କରାଯିଵ ବୋଲି ଘୋଷଣା କରିଥିଲେ । ତେଵେ ତାଙ୍କୁ ଧରିଵାର ସବୁ ଯୋଜନା ଅସଫଳ ହୋଇଥିଲା ।

ଆମେରିକାର ଗୃହଯୁଦ୍ଧ ସମୟରେ ହାରିଏଟ୍ ସ୍କାଉଟ୍ ରେ ଯୋଗ ଦେଇଥିଲେ ଏଵଂ ପ୍ରାୟ ୧୫୦ଜଣ ଅଶ୍ଵେତ ସୈନିକଙ୍କର ନେତୃତ୍ୱ ବି କରିଥିଲେ । ଉକ୍ତ ସୈନିକ ଦଳ ଦ୍ଵାରା ହାରିଏଟ୍' ଙ୍କ ନେତୃତ୍ୱରେ ପ୍ରାୟ ୭୦୦ରୁ ଅଧିକ ଅଶ୍ଵେତଙ୍କୁ ଦାସତ୍ବରୁ ମୁକ୍ତି ମିଳିଥିଲା ।  ଗୃହଯୁଦ୍ଧ ସମୟରେ ହାରିଏଟ୍ civil army ପାଇଁ ଜଣେ spy ଭାବେ କାର୍ଯ୍ୟ କରିଥିଲେ ।

ଗୃହଯୁଦ୍ଧ ପରେ ହାରିଏଟ୍ ନିଜ ଘରକୁ ଫେରି ଆସି ନିଜ ପରିଵାରଜନଙ୍କ ସହିତ ରହିଵାକୁ ଲାଗିଲେ ଓ ଆଜୀଵନ ମାନଵ ତଥା ମହିଳା ଅଧିକାର ପାଇଁ ଲଢିଥିଲେ ।

କୁହାଯାଏ ଏହାଙ୍କୁ ଭଵିଷ୍ଯତରେ ହେଵାକୁ ଥିଵା ଘଟଣାର ପୂର୍ଵାଭାସ ହେଇଯାଉଥିଲା ଏଵଂ ୟେ ମାର୍ଚ୍ଚ ମାସରେ ଜନ୍ମ ହୋଇ ସେଇ ମାର୍ଚ୍ଚ ମାସର ଦଶ ତାରିଖ ୧୯୧୩ ମସିହାରେ ସ୍ଵର୍ଗଵାସୀ ହୋଇଥିଲେ ।

୨୦ ଏପ୍ରିଲ ୨୦୧୬ରେ ଆମେରିକାର ଟ୍ରେଜରୀ ଵିଭାଗ ଦ୍ଵାରା ହାରିଏଟ୍'ଙ୍କର ସମ୍ମାନାର୍ଥେ ୨୦ ଡଲାରର ନୋଟରେ ଏହାଙ୍କ ଫୋଟୋ ସ୍ଥାନ ପାଇଵାର ଘୋଷଣା କରିଥିଲେ ।

ଆମେରିକୀୟ ନୋଟରେ ସ୍ଥାନ ଲାଭ କରିଥିଵା ପ୍ରଥମ ଆଫ୍ରିକୀୟ ଆମେରିକୀୟ ଵ୍ଯକ୍ତି ଅଟନ୍ତି ହାରିଏଟ୍ ।

ହାରିଏଟ୍'ଙ୍କ ନାମରେ ମୁକ୍ତିଲାଭ କରିଥିଵା ହାରିଏଟ୍ ଚଳଚ୍ଚିତ୍ରରେ ଏହାଙ୍କ ଜୀଵନୀ ଓ ସଂଘର୍ଷକୁ ସୁନ୍ଦର ଭାଵେ ଚିତ୍ରଣ କରାଯାଇଛି ।

ସେ କହିଯାଇଥିଵା କେତେକ ସୂକ୍ତି ଆଜି ବି ଆମେରିକାରେ ସ୍ମରଣୀୟ,  ନିମ୍ନରେ ତହିଁରୁ କେତୋଟି ଏଠାରେ ପ୍ରଦତ୍ତ ହେଲା...

"Every great dream begins with a dreamer. Always remember, you have within you the strength, the patience, and the passion to reach for the stars to change the world."

"I had reasoned this out in my mind, there was one of two things I had a right to, liberty or death; if I could not have one, I would have the other.
I grew up like a neglected weed - ignorant of liberty, having no experience of it."

"I had crossed the line. I was free; but there was no one to welcome me to the land of freedom. I was a stranger in a strange land."

"Twant me, ’twas the Lord. I always told him, “I trust to you. I don’t know where to go or what to do, but I expect you to lead me,” and he always did."

"I would fight for my liberty so long as my strength lasted, and if the time came for me to go, the Lord would let them take me."

"Quakers almost as good as colored. They call themselves friends and you can trust them every time."

Saturday, April 11, 2020

ଚୋରର ହାତ ଓ ମନ୍ତ୍ରୀର ଜିଭ

ଜଣେ ରାଜା ସାଧାରଣ ଵେଶ ପୋଷାକ ପିନ୍ଧି ଦେଶରେ ଗୁପ୍ତରୂପେ ବୁଲୁଥାଆନ୍ତି ।

ଯାଉ ଯାଉ ବାଟରେ ଦେଖିଲେ ବହୁତ ଗଧ ଶୃଙ୍ଖଳିତ ଭାଵେ ଚାଲୁଥାଆନ୍ତି ଆଉ ଜଣେ ଧୋବା ଲୋକ ତାକୁ ଅଡେ଼ଇ ନେଉଥାଏ ।

ରାଜା ସେ ଲୋକକୁ ପଚାରିଲେ,
ଏ ଗଧମାନେ ତମକଥା  କେମିତି ମାନି ସିଧା  ଚାଲୁଛନ୍ତି ଏଣେତେଣେ ଯାଉନାହାନ୍ତି ?

ଧୋବାଜଣକ ଉତ୍ତର ଦେଲା,
"ଯୋଉ ଗଧଟା ଅନ୍ୟ ଆଡେ଼ ଯିଵାକୁ ଚେଷ୍ଟା କରୁଛି ତାକୁ ମୁଁ ଏଇ ଠେଙ୍ଗିଣିରେ ପାହାରେ ଦଉଚି,ତେଣୁ ସମସ୍ତେ ଗୋଟାଏ ଦାଣ୍ଡିବାଟରେ ସଳଖ ଚାଲୁଛନ୍ତି,ଅମାନିଆ ହେଉନାହାନ୍ତି”

ରାଜା ନିଜର ପ୍ରକୃତ ପରିଚୟ ଦେଇ କହିଲେ, "ମୁଁ ଏ ଦେଶର ରଜା ତମେ ଏ ଦେଶରେ ଵିଶୃଙ୍ଖଳା କରୁଥିଵା ଲୋକଙ୍କୁ ଏଇଭଳି ସାବାଡ଼ କରିପାରିଵ କି ?”

ଧୋବାଜଣକ ରାଜାଙ୍କ ପ୍ରସ୍ତାଵରେ ରାଜି ହେଇଗଲା ।

ଧୋବାଲୋକଟି ରାଜଧାନୀକୁ ଅଇଲାରୁ ରାଜା ତାକୁ ଦେଶର ମୁଖ୍ୟ ନ୍ଯାୟାଧୀଶ ବନେଇ ଦେଲେ ।

ଦିନେ ଗୋଟାଏ ଚୋରର ଦଣ୍ଡଵିଚାର ହେଵାକୁ ଆସିଲା । ନୂଆ ମୁଖ୍ୟ ଵିଚାରପତି ଆଦେଶ ଦେଲେ ଏ ଚୋରର ଦୁଇ ହାତ କାଟି ଦିଆଯାଉ ...

ରାଜଘାତକଜଣକ ମନ୍ତ୍ରୀଙ୍କ ଆଡ଼କୁ ଅନେଇଲେ ଆଉ ନୂଆ ଵିଚାରପତିଙ୍କ କାନପାଖରେ ଯାଇ କହିଲେ,

ଆଜ୍ଞା,"ଏ ଲୋକଟା ମନ୍ତ୍ରୀଙ୍କର ଜଣେ ଵିଶ୍ଵସ୍ତ ଲୋକ” !

ନୂଆ ଵିଚାରପତି ଆହୁରି ଦୃଢ଼ ସ୍ଵରରେ କହିଲେ,
“ଏହି ଚୋରର ଶୀଘ୍ର ହାତ କଟାଯାଉ, ଏ ଆଦେଶ ପାଳନରେ ଏତେ ଵିଳମ୍ଵ କାହିଁକି ହେଉଛି ଯେ ?

ଏତେ ସମୟ ଚୁପ୍ ବସିଥିଵା ମନ୍ତ୍ରୀ ଏଵେ ଆସନରୁ ଉଠିପଡ଼ି ତାଉ ଦେଇ କହିଲେ, “ଏ ଲୋକ ଆମ୍ଭର ପାଖଲୋକ ତାକୁ ଶୀଘ୍ର ଆର୍ଥିକ ଦଣ୍ଡ ଦେଇ ଛାଡ଼ି ଦିଆଯାଉ”

ନୂଆ ଵିଚାରପତି ଆଉଥରେ କହିଲେ ,
" ଏ ଚୋରର ହାତ ଓ ମନ୍ତ୍ରୀର ଜିଭ କାଟି ଦିଆଯାଉ"
😂😂😂
ଆଉ ତାପରେ ସେଇ ଗୋଟିଏ ନ୍ଯାୟ ଯୋଗୁଁ ଦେଶରେ ସବୁଲୋକ ସିଧା ହେଇଗଲେ ।

ଆମ ଦେଶରେ ଵର୍ତ୍ତମାନ ଏଇଭଳି ନିୟମ ହେଵା ଉଚିତ୍ । ଯୋଉ ବାୟୋ ଟେରିରିଷ୍ଟ ଛେପ ପକାଉଛି ତା ଜିଭ କାଟିଦିଆଯାଉ ଯୋଉ ଵିଶୃଙ୍ଖଳିତ ଲୋକମାନେ, ସମାଜର ହିତପାଇଁ ଅହରହ ଜଗି ରହୁଥିଵା ପୋଲିସ ଓ ଅକ୍ଳାନ୍ତ ପରିଶ୍ରମ କରୁଥିଵା ଡାକ୍ତରଙ୍କୁ ପଥର ମାରୁଛନ୍ତି,ସେମାନଙ୍କ ଉପରେ ହାତ ଉଠାଉଛନ୍ତି ସେମାନଙ୍କ ହାତ କାଟିଦିଆଯାଉ ।

ଦେଖିଵେ ବହୁତ ଲୋକ ସିଧା ବାଟକୁ ଚାଲିଆସିଵେ...

Thursday, April 9, 2020

ଅୟଂ କଃ

ଦିନେ ପଣ୍ଡିତ ସଦାଶିବ  ଶିରୋମଣିଙ୍କ ଗୃହରେ ସଂସ୍କୃତ ଜାଣିନଥିବା ଜଣେ  ବ୍ରାହ୍ମଣ ଙ୍କ ସହ କଥୋପକଥନ କରୁଥାନ୍ତି ।

ଏମନ୍ତ ସମୟରେ ଗଦାଧର ଭାରତୀ ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ”(ଏ କିଏ)  !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ​ କଥା ହେଲା ଏବଂ ବିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର  ଅର୍ଥ ବୁଝି ନପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣି ଙ୍କୁ
ପଚାରିଲେ,

ପଣ୍ଡିତେ “ଅୟଂ କଃ” କଥା ର ଅର୍ଥ କଣ କି ?

ଶିରୋମଣି- ସେ କଥାରୁ କଣ୍ ମିଳିବ ତୁନି ହୁଅ,ଯା !

ହଳଧର-କାହିଁକି ?

ଶିରୋମଣି- ସେ ବଡ଼ ମନ୍ଦକଥା । ଏପରି ଖରାପ ଗାଳି ଆଉ ନାହିଁ । କିନ୍ତୁ ପଣ୍ଡିତ ଲୋକ କହିତ ପକେଇଲେଣି,ସେ କଥା ଧଇଲେ ଆଉ କଣ୍ ହେବ ?

ହଳଧର - ଚୋପା ନା ! ତା ପଣ୍ଡିତପଣିଆ  ତା ଘରେ । ମୁଁ ତାକୁ ଛାଡ଼ିବି ?

ଏହା କହି ହଳଧର ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼ଗଲେ ଆଉ ତାଙ୍କ ପାଖରେ ପହଞ୍ଚି ତାଙ୍କୁ କହିଵା ଆରମ୍ଭ କରିଦେଲେ...

“ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!”

ଆମ ଦେଶରେ ହଳଧରଙ୍କ ଭଳି ବହେ ଲୋକ ଅଛନ୍ତି । ସେମାନେ ସତ୍ଯ ନଜାଣି ଏଵଂ କଥାର ମର୍ମ ନବୁଝି ଝଗଡା଼କରିଵାକୁ ବାହାରି ପଡ଼ନ୍ତି ।

Sunday, April 5, 2020

ହନୁ ଚାପୁଡ଼ା

ବୟସ ବଢ଼ିଵା ସହ ମଣିଷର ଦୃଷ୍ଟିଶକ୍ତି ଯେ କେଵଳ କମିଯାଏ ତାହା ନୁହେଁ ଵରଂ ଏହା ଅନେକ ସମୟରେ ଏପରି ଭ୍ରମ ସୃଷ୍ଟି କରେ ଯାହା ଜୀଵନର ସବୁଠାରୁ ମଜାଳିଆ କାହାଣୀରେ ପରିଣତ ହୁଏ । ଗାଁର ଵିଶ୍ୱାଳ ପରିଵାରର ବୟୋଜ୍ୟେଷ୍ଠା ମହିଳା ଖତୀ ବୁଢ଼ୀଙ୍କ କ୍ଷେତ୍ରରେ ଠିକ୍ ଏମିତି କିଛି ଘଟିଥିଲା । ସେତେବେଳେ ଆଜିକାଲି ପରି ଘରେ ଘରେ ପାଇଖାନା ନଥିଲା, ଆଉ ଗାଁର ପ୍ରାକୃତିକ ପରିଵେଶ ହିଁ ସମସ୍ତଙ୍କର ନିର୍ଭରଯୋଗ୍ୟ ସ୍ଥାନ ଥିଲା । ଖତୀ ବୁଢ଼ୀଙ୍କର ଆଖିକୁ ଟିକିଏ କମ୍ ଦିଶୁଥିଲା, ଯେମିତି ସଞ୍ଜ ନଇଁଲେ ଦୁନିଆଟା ତାଙ୍କ ପାଇଁ ଏକ ଅସ୍ପଷ୍ଟ ଚିତ୍ରପଟରେ ପରିଣତ ହୋଇଯାଏ । ପ୍ରତ୍ୟେକ ଦିନ ପରି ସେଦିନ ମଧ୍ୟ ସନ୍ଧ୍ୟା ସମୟରେ ସେ କଟାକୁ(ଏକ ଜାତୀୟ ପୋଖରୀ) ଶୌଚ ଓ ସ୍ନାନାଦି କର୍ମ ପାଇଁ ଯାଇଥିଲେ । କଥାରେ ଅଛି, ଅନ୍ଧାର ଆଉ ଅସ୍ପଷ୍ଟ ଦୃଷ୍ଟି ମିଶିଲେ ମଣିଷ ବାଘକୁ ବି ଛେଳି ଭାବି ବସେ । ଆଉ ଆମ ଖତୀ ବୁଢ଼ୀଙ୍କ ଭାଗ୍ୟରେ ସେଦିନ ଏକ ନିଆରା ନାଟକ ଲେଖା ସରିଥିଲା ।

ପୋଖରୀରୁ ଫେରିଲା ବେଳକୁ ଚାରିଆଡ଼େ ଅନ୍ଧାର ମାଡ଼ି ଆସିଲାଣି । ଘର ବାଡ଼ିମୁଣ୍ଡରେ ପହଞ୍ଚିଵା କ୍ଷଣି ବୁଢ଼ୀଙ୍କ ଆଖି ଖୋସି ହୋଇଗଲା । ବାଡ଼ି ପଛପଟେ ଗୋଟାଏ ବଡ଼ ଆକାରର କଳା ଛାଇ ବସିଥିଵାର ସେ ଦେଖିଲେ । ପ୍ରକୃତରେ ସେଠାରେ ଗୋଟାଏ ଵିରାଟକାୟ ହନୁମାଙ୍କଡ଼ ନିଶ୍ଚିନ୍ତରେ ଆସନ ଜମାଇ ବସିଥିଲା । କିନ୍ତୁ ବୁଢ଼ୀଙ୍କ ଦୁର୍ଵଳ ଦୃଷ୍ଟିଶକ୍ତି ଆଉ ସନ୍ଦେହୀ ମନ ତାଙ୍କୁ କହିଲା ଯେ, ନିଶ୍ଚୟ ଗାଁର କେହି ଜଣେ ଅଭଦ୍ର ଲୋକ ସେମାନଙ୍କ ବାଡ଼ିରେ ପଶି ଅତି ନିର୍ଲଜ୍ଜ ଭାବରେ ମଳତ୍ୟାଗ କରୁଛି । ପୃଥିଵୀର ବିଭିନ୍ନ ପ୍ରାନ୍ତରେ ଏମିତି ଅନେକ ଘଟଣା ଶୁଣିବାକୁ ମିଳେ ଯେଉଁଠି ଲୋକେ ନିଜର ଦୃଷ୍ଟିହୀନତା ଯୋଗୁଁ ଖୁଣ୍ଟକୁ ଚୋର ବା କୁକୁରକୁ ନେଉଳ ଭାବି ଆକ୍ରମଣ କରନ୍ତି । ଖତୀ ବୁଢ଼ୀ ମଧ୍ୟ ସେହି ଭ୍ରମର ଶିକାର ହୋଇଥିଲେ । ମହିଳା ଜଣକ ପାଖକୁ ଆସିଵା ଦେଖି ମଧ୍ୟ ସେ "ଲୋକଟି" ନଉଠିଵା ବୁଢ଼ୀଙ୍କ ରାଗକୁ ପଞ୍ଚମକୁ ନେଇଗଲା ।

ରାଗରେ ତମ୍‌ତମ୍ ହୋଇ ବୁଢ଼ୀ ପାଟି କରିଵା ଆରମ୍ଭ କଲେ, “କିଏ ରେ ତୁ ବାଡ଼ିପଡ଼ା, ସବାଖିଆ? ଟିକିଏ ବି ଲାଜ ସରମ ନାହିଁ, ସ୍ତ୍ରୀ ଲୋକଙ୍କ ଆଗରେ ଅଲଜ୍ୟାଙ୍କ ପରି ବସି ଶଉଚ କରୁଚୁ!” କିନ୍ତୁ ହନୁମାଙ୍କଡ଼ ଵା କ'ଣ ବୁଝିଵ ? ସେ ନିଜର ମର୍କଟ-ସୁଲଭ ଶାନ୍ତ ସ୍ୱଭାଵରେ ସେମିତି ବସିରହିଲା, ଟିକିଏ ବି ଘୁଞ୍ଚିଲା ନାହିଁ । ଏଥର ଖତୀ ବୁଢ଼ୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ସେ ଆହୁରି ପାଖକୁ ଯାଇ ତାକୁ ଏକ ମଣିଷ ଭାବି ତା' ଦେହରେ ହାତ ପକେଇ ଦେଲେ, ବୋଧହୁଏ ତାକୁ ଉଠାଇ ବାହାର କରିଦେଵା ଉଦ୍ଦେଶ୍ୟରେ । ସେପଟେ ହନୁମାନଙ୍କର ବି ଗୋଟେ ଆତ୍ମସମ୍ମାନ ଅଛି! ଏତେ ସମୟ ଧରି ନିରଵରେ ଗାଳି ଶୁଣିଵା ପରେ ଅଚାନକ ଆକ୍ରମଣକୁ ସେ ସହିପାରିଲା ନାହିଁ । କିଛି ନଭାବି ନଚିନ୍ତି, ସେ ସିଧା ବୁଢ଼ୀଙ୍କ ଗାଲରେ ଏକ ଶକ୍ତ କର୍ଣ୍ଣମୂଳିଆ ଚାପୁଡ଼ା ବସେଇ ଦେଲା ।

ଆଖି ପିଛୁଳାକେ ସବୁ ଓଲଟପାଲଟ ହୋଇଗଲା । ବୁଢ଼ୀ ଚାପୁଡ଼ା ଖାଇ ସ୍ତବ୍ଧ । ତାଙ୍କର ସବୁ ରାଗ କୁଆଡ଼େ ଉଭେଇଗଲା ଆଉ ସେ କାନ୍ଦି କାନ୍ଦି ଘରକୁ ଫେରିଲେ । ପୁଅ ନାତିଙ୍କୁ କାନ୍ଦୁଣୁ ମାନ୍ଦୁଣୁ ହୋଇ ନିଜର ଅପମାନର କାହାଣୀ କହିଲେ । ପରିଵାର ଲୋକେ କଥା ଶୁଣି ରାଗରେ ନିଆଁ ବାଣ ହୋଇଗଲେ । ତୁରନ୍ତ ଠେଙ୍ଗା, ବାଡ଼ି, ଲାଇଟ୍ ଧରି ପୁଅ ନାତିମାନେ ଯୁଦ୍ଧଂଦେହି ଡାକରା ଦେଇ ବାଡ଼ିମୁଣ୍ଡକୁ ଦୌଡ଼ିଲେ । 

ମଣିଷମାନଙ୍କର ଏହି ହୋ-ହଲ୍ଲା ଶୁଣି ଚାଲାକ୍ ହନୁଟି ଆଗରୁ ଯାଇ ପାଖ ଗଛ ଉପରେ ସୁରକ୍ଷିତ ଆଶ୍ରୟ ନେଇସାରିଥିଲା । ପୁଅ ଯେତେବେଳେ ଟର୍ଚ୍ଚ ପକାଇ ଖୋଜିଲା, ଦେଖିଲା କୌଣସି ଅଭଦ୍ର ଲୋକ ନାହିଁ ଵରଂ ଗଛ ଡାଳରେ ଗୋଟାଏ ଖଣ୍ଡିଆ ଦଣ୍ଡିଆ ହନୁମାଙ୍କଡ଼ ବିଜୟୀ ଵୀର ପରି ବସିଛି । ସତ୍ୟର ଉନ୍ମୋଚନ ହେଵା ପରେ ପରିଵାର ଲୋକଙ୍କ ଅଵସ୍ଥା ଦେଖିଵା ଭଳି ଥିଲା । ରାଗ ଆଉ ଲଜ୍ଜାର ମିଶ୍ରିତ ଭାବନାରେ ସେମାନେ ମାଙ୍କଡ଼କୁ ଗୁଡ଼ାଏ ଅଶ୍ରାଵ୍ୟ ଭାଷାରେ ଗାଳିଗୁଲଜ କଲେ ଏଵଂ ଦୁଇ ଚାରିଟା ଟେକା ପଥର ଫୋପାଡ଼ି ନିଜ ନିଜର ଵୀରତ୍ୱ ପ୍ରଦର୍ଶନ କରି ଘରକୁ ବାହୁଡ଼ିଲେ ।

Friday, April 3, 2020

ଚିରସବୁଜ ସମ୍ବଲପୁରୀ ଗୀତ - ଲବଙ୍ଗଲତା

ପୁରୁଣା ସମ୍ବଲପୁରୀ ଓଡ଼ିଆ ଗୀତ ଲବଙ୍ଗଲତା ।
ସମ୍ପୂର୍ଣ୍ଣ ଗୀତର ପଦ ଓ ତହିଁରେ ଥିଵା  ଗଡ଼ଜାତିଆ ଶବ୍ଦଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା । ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ,ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା କଥିତ ଓଡ଼ିଆ ଶବ୍ଦକୋଷରେ ଯେଉଁ କେତୋଟି ଶବ୍ଦ ମିଳିଲା ନାହିଁ ସେଗୁଡ଼ିକର ସମ୍ଭାଵିତ ଅର୍ଥ ପ୍ରଶ୍ନଵାଚକ ଚିହ୍ନ ସହ ଉଲ୍ଲେଖ ହୋଇଅଛି ।

■■■■■■■■■ପଦ■■■■■■■■■■
ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି―ଉଁ ହୁଁ !!!

ପୋ― ଏ ଲବଙ୍ଗଲତା ମୋର୍ ଗଜମୁକତାଲୋ କହ ପଦେ ମିଠାକଥା ।

ପୋ― ଭିବ୍ ନିଆଲୀ ଚହଟମଲି ଭାଲି ଭାଲି କାଲି ନାଇଁ ମୁଁଜି ଆଖି ପତା

ଝି―ଯା ଯା !!!

ପୋ― ତୋର୍ ବିନା ଧନ ନାଇଁ ବୁଝେ ମନ(୨)
ତରା ଗଣେ ରାତି ସର୍'ତା ଲୋ

ଝି― ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା

ପୋ―ଆଚ୍ଛା !!!

ଝି―ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା ...

ତୋତେ ଝୁରି ଝୁରି ମନ୍ ହୁଏ ଘାରି
ସବୁର୍ ଲାଗେ ବିସ୍'ଵିତା..

ପୋ― ସତେ !!!

କରୁଛି କିରିଆ ଆରେ ଦଗାଦିଆ(୨)
ତୋଠାନେ ନାଇଁ ହୁଏ କଥାରେ...

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି― ଏ ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।

ପୋ―ମୁହୁଁ ଦରପନ ସୁରୁତା କରିରେ ରାତି ନାଇଁ ପଡେ଼ ଝୁମୁରା
ମୁହୁଁ ଦରପନ ସୁରୁତା କରିଲୋ ରାତି ନାଇଁ ପଡେ଼ ଝୁମୁରା
କିଏ ଆନି ଅମୁର୍ତ ଦେଲେ ବି(୨)
ତୋର୍  ବିନା ଲାଗେ ମହରା

ଝି―ବରପଲିଆ ମଠା ପରେ ଦେଉଥିଲୁ ମତେ
ତରଭା ହାଟର୍ ପାନପତରୀ ଦେମି ବୋଇଲୁ ସତେ

ପୋ―ମାନି ଯା ମାନୁ ଯା କହୁଛେ ବୁଝେଇ(୨)
ଆଉର୍ ନାଇଁ ମତେ ତୁଇ ସତା ଲୋ

ଝି― ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।

ପୋ― ଏ ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି―ଜନ୍ ସଙ୍ଗେ କଇଁ କାନ୍ହୁ ସଙ୍ଗେ ରାଇ
ସରଗେ ସୁନ୍ଦର ତାରା(୨)

ବଉଲି ମହୁଲୀ ପଵନ ହେଲେ ମୁଇଁ(୨)
ତୁଇ ମୋର୍ କହଁଲି ଖରା

ପୋ―ଝରା ଗୁନା ନାକପୁଟକି ଖୁସା କେ ଚାଉଁରି
ଆହା ! ଆନିଦେମି ନନୀ ଗା ତୋର୍ ଗୁଡ଼କେ ପଇଁରୀ

ଝି―ନାରି ନାରି ପିଲା ନାରିଙ୍ଗି ଖୁଆଲୁ(୨)
କହି କଅଁଲିଆ କଥାରେ

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି― ଏ ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।

ପୋ–ସବୁ ରୂପ ଗୁନ ଵିଧାତା ଗୁଟେଇ ତୋହର୍ ନେ କରିଚେ ଠୁଲ(୨)
ରୂପ ଆକାଶର ଚନ୍ଦର୍ମା ତୁଇ ଲୋ
ରୂପ ଆକାଶର ଚନ୍ଦର୍ମା ତୁଇ ଗା
କିଏ ହେଵା ତୋର୍ ତୁଲ

ଝି―ତୁଇ ଧନ ମୋର୍ ପିଞ୍ଜିରୀ ମୁଇଁ ତୋର୍ ଶାରୀ

ପୋ―ଆରେ ଆମେ ଦୁହେଁ ଉଡି଼ଯିମାଁ ହେଇ ଯୁରାଯୁରି

ପୋ,ଝି―ଯୁଗେ ଯୁଗେ ଧନ ଯୁଗଲ ମିଲନ(୨)
ଲୁକେ ହେଉଥିମେଁ କଥା ଏ...

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି―ଉଁ ହୁଁ !!!

ପୋ― ଏ ଲବଙ୍ଗଲତା ମୋର୍ ଗଜମୁକତାଲୋ କହ ପଦେ ମିଠାକଥା ।

ପୋ― ଭିବ୍ ନିଆଲୀ ଚହଟମଲି ଭାଲି ଭାଲି କାଲି ନାଇଁ ମୁଁଜି ଆଖି ପତା

ଝି―ଯା ଯା !!!

ପୋ― ତୋର୍ ବିନା ଧନ ନାଇଁ ବୁଝେ ମନ(୨)
ତରା ଗଣେ ରାତି ସର୍'ତା ଲୋ

ଝି― ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା

ପୋ―ଆଚ୍ଛା !!!

ଝି―ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା ...

ତୋତେ ଝୁରି ଝୁରି ମନ୍ ହୁଏ ଘାରି
ସବୁର୍ ଲାଗେ ବିସ୍'ଵିତା..

ପୋ― ସତେ !!!

କରୁଛି କିରିଆ ଆରେ ଦଗାଦିଆ(୨)
ତୋଠାନେ ନାଇଁ ହୁଏ କଥାରେ...

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି― ଏ ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।
■■■■■■■■■■■■■■■■■■■■■■

◆◆◆ପ୍ରୋକ୍ତ ଗୀତରେ ଥିଵା ଗଡ଼ଜାତିଆ ଶବ୍ଦ◆◆◆

●ଫୁଲ୍'ରସିଆ(ଭ୍ରମର)
●ମନ୍'ବସିଆ(ମନର ମଣିଷ)
●ଭାବ୍ ନିଆଲି(ପ୍ରଣୟ ମଲ୍ଲି ? ;ନିଆଳୀ = ବଣମଲ୍ଲି)
●ଚହଟମଲି(ମଲ୍ଲି ଫୁଲ ଭଳି ସୁନ୍ଦରୀ)
●ଭାଲି ଭାଲି(ଭାଳି ଭାଳି)
●ସରତା(ଗୁଆକାତି କିନ୍ତୁ ଏଠାରେ “ରାତି ସାରା”)
●ଘାରି(ଘୋରିଵା ?)
●ବିସ୍'ବିତା(ବିତବିତା;ଢେଙ୍କାନାଳୀ ?)
●କିରିଆ(ରାଣ,ଶପଥ)
●ସୁର୍'ତା(ସ୍ମରଣ,ଚେତା,ସ୍ମୃତି)
●ଝୁମୁରା(ନିଦ)
●ମହରା(ଵିଷ;ମହୁରୀ)
●ମଠା(ଏକ ପ୍ରକାର ମୋଟା ଵସ୍ତ୍ର)
●ପାନପତରୀ(ପାନ ପତ୍ର ?)
●ସତା(ସତେଇଵା ?;କଷ୍ଟ ଦେଵା)
●ଜନ୍(ଜହ୍ନ)
●ତରା(ତାରା;ଓଡ଼ିଆ ଭାଷାରେ ପ୍ରଥମ ଵର୍ଣ୍ଣରୁ ଆକାର ଲୋପ ହୁଏ । ଯଥା―ରାଜା―ରଜା)
●ବଉଲି ମହୁଲୀ ପଵନ(ବସନ୍ତ ଋତୁର ପଵନ;ଵାସନ୍ତୀ ପଵନ ! ସାଧାରଣତଃ ବସନ୍ତ ଋତୁରେ ବଉଳ ଓ ମହୁଲ ଵା ଟୁଲଗଛରେ ଫଲ ଧରେ)
●କହଁଲି(କଅଁଳ କଥା ?)
●ଝରା(ଜୁଡ଼ାର ଅଳଙ୍କାର ଵିଶେଷ; ଝରା କାଠିରୁ ଓହୋଳି ଥିବା ଘୁଙ୍ଗୁରଲଗା ଝଞ୍ଜିରମାଳ)
●ଗୁନା(ନାକଗୁଣା)
●ନାକପୁଟ୍'କି(ନାକପୁଡୁ଼କି;ନାକଫୁଲ)
●ଖୁସା(ଖୋସା)
●ଚାଉଁରି(ଚଉଁରୀ;କୃତ୍ରିମ କେଶ)
●ନାରୀ(ନାରିଵା=ପ୍ରତାରଣା କରିଵା,ଠକିଵା,ମିଛ କହିଵା ?)
●ନାରିଙ୍ଗୀ(ନାଲି ମିଶା ହଳଦିଆ ରଙ୍ଗ; କମଳା ?)
●ପଇଁରୀ(ପାଉଁଜି)
●ଖୁଆଲୁ(ଖିଆଲ;ମନର ଵିଚାର ?)
●ଠୁଲ(ଠୁଳ)
●ତୁଲ
●ପିଞ୍ଜ୍'ରୀ(ପିଞ୍ଜରା,ପଞ୍ଜୁରୀ)
●ଜୁରାଜୁରୀ(ଯୋଡା଼ଯୋଡି଼)
●ମୁଜି(ବୁଜି)

◆◆◆◆◆◆◆◆◆◆◆◆◆◆◆◆◆◆◆◆◆