My Blog List

Sunday, April 11, 2021

ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଓ ପ୍ରଥମ ରଥଯାତ୍ରା

୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା ।

କଳାପାହାଡ଼ର ଲୋକକଥାକୁ ଆଧାର କରି ଐତିହାସିକମାନେ ଅନେକ ଥିସିସ୍ ଦେଇଛନ୍ତି । କେହି ତାକୁ ଗୋଟେ କ୍ରୁର ହିନ୍ଦୁଦ୍ଵେଷୀ ଆଫଗାନ୍ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରିଛି ତ ଆଉ କେହି ତତ୍କାଳୀନ ଓଡ଼ିଆ ରାଜାଙ୍କର ରାୟ ଉପନାମଧାରୀ ସେନାପତି ଭାବେ ପ୍ରତିପାଦିତ କରିଛି । ତେବେ କଳାପାହାଡ଼ ଵିଷୟକ ଉତ୍ତର ଓଡ଼ିଶାରେ ପ୍ରଚଳିତ  କିମ୍ବଦନ୍ତୀ ଅନୁସାରେ କାଳାଚାନ୍ଦ ରାୟ ନାମକ ଜଣେ ମେଦିନୀପୁରିଆ ବଙ୍ଗୀୟ ବ୍ରାହ୍ମଣ (ମତାନ୍ତରରେ କରଣ) ଜନୈକା ଦୁଲିଆ ନାମ୍ନୀ ମୁସଲମାନ କନ୍ୟାର ପ୍ରେମରେ ପଡି଼ ତା ହସ୍ତରୁ ଅନ୍ନ ଭୁଞ୍ଜିଥିଵାରୁ ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜ ତାକୁ ଵାସନ୍ଦ କରି ପୁରୀ ବ୍ରାହ୍ମଣସଭା ପାଖକୁ ହିନ୍ଦୁତ୍ଵ ଫେରି ପାଇଵା ପାଇଁ ପଠାଇଥିଲା ।

ସେତେବେଳର ବ୍ରାହ୍ମଣ ସମାଜ ଅତ୍ୟନ୍ତ ଜାତିଆଣଭାଵ ଓ କୁସଂସ୍କାରରେ ବୁଡ଼ି ରହିଥିଲା ତେଣୁ ପୁରୀ ମୁକ୍ତି ମଣ୍ଡପର ବ୍ରାହ୍ମଣମାନେ କାଲାଚାନ୍ଦ ଲକ୍ଷେ ନେହୁରା ହେଲେ ସୁଦ୍ଧା ତା କଥାକୁ ଶୁଣିଲେ ନାହିଁ ଵରଂ ଅପମାନିତ କରି ତା ଉପରେ ତତଲା ପେଜ ଛାଟି ତାକୁ ବଡ଼ ଦେଉଳରୁ ତଡି଼ଦେଲେ ।

କାଲାଚାନ୍ଦ ରାୟ ଏ ଅପମାନ ସହିପାରିଲା ନାହିଁ । ସେ ଦୁଲିଆର ପିତା ଓ ବଙ୍ଗର ତୁର୍କ ମୁସଲମାନ ନଵାବ ସୁଲେମାନ କରାନୀଙ୍କ ସହାୟତା ପାଇ ମୁସଲମାନ ଧର୍ମରେ ଦୀକ୍ଷିତ ହୋଵା ଉତ୍ତାରୁ ଓଡ଼ିଆ ଲୋକ ଓ ଓଡ଼ିଶାର ମାଟି ପ୍ରତି ପ୍ରତିଶୋଧ ପରାୟଣ ହୋଇ ସୈନ୍ୟ ଆକ୍ରମଣ କରିଵାକୁ ଉଦ୍ୟୋଗ କରିଵାକୁ ଲାଗିଲା । ସେ ଵିଚ୍ଛିନ୍ନ ଉତ୍ତର ଓଡ଼ିଶାର ମାଟିରେ ଅର୍ଥାତ୍ ମେଦିନୀପୁର ଅଞ୍ଚଳରେ ଜନ୍ମ ଲଭିଥିଲେ ହେଁ ହୃଦୟରୁ କେବେ ବି ଓଡ଼ିଆ ନଥିଲା । ତା ରକ୍ତରେ କଳିଙ୍ଗ ଦେଶର ଜାତୀୟତା ଓ ସ୍ବାଭିମାନ ନଥିଲା । ସ୍ଵାଭାଵିକତଃ କୌଣସି ଦେଶ ଵା ରାଜ୍ୟର ସୀମାରେ ଵସଵାସ କରୁଥିଵା ଵ୍ୟକ୍ତି ବିଶେଷଙ୍କର ଆପଣା ମାତୃଦେଶ ପ୍ରତି ସେତେଟା ଆନ୍ତରିକତା ନଥାଏ । ପଶ୍ଚିମ ଓଡିଶାରେ ଵିଚ୍ଛନ୍ନତାଵାଦୀଙ୍କ ଉତ୍ତରୋତ୍ତର ଅଭିବୃଦ୍ଧି ଏହାର ଏକ ଉଦାହରଣ ଅଟେ ।

ତେଣୁ ବହୁତ ସମ୍ଭଵ କାଲାଚାନ୍ଦ ରାୟ ବଙ୍ଗାଳୀ ବଂଶୋଦ୍ଭଵ ଥିଲା କାରଣ କୌଣସି ଓଡ଼ିଆ ସନାତନୀ ନିଜ ଉପରେ ଯେତେ ବି ଅତ୍ୟାଚାର ହେଉ ଆପଣାର ଦେଶର ଅମୂଲ୍ୟ ଗୌରଵଚିହ୍ନଗୁଡି଼କୁ କ୍ଷତି ପହଞ୍ଚାଇଵା ପୂର୍ଵରୁ ଶହେ ଥର ଭାଵିଵ ।

କାଲାଚାନ୍ଦ ରାୟ ମୁସଲମାନ ସେନାର ସେନାପତିତ୍ଵ କରି ଆପଣାର ନାମ କଳାପାହାଡ଼ ରଖି ଓଡ଼ିଶା ଆକ୍ରମଣ କରିଦେଲା । କଟକ ଇତ୍ୟାଦି ଅନେକ ବଡ଼ ନଗରର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କରିଦେଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିଵା ପଛରେ ବି ଏହି ଦ୍ଵେଷାନ୍ଧ ଵ୍ୟକ୍ତିର ହାତ ଥିଵା କିଛି ଲୋକଙ୍କର ମତ । ପୁରୁଷୋତ୍ତମ ପୁରୀକୁ ଆସି କଳାପାହାଡ଼ ଶ୍ରୀମନ୍ଦିର ଓ ବେଢା଼ର ଅନେକ ମୂର୍ତ୍ତି ଭାଙ୍ଗି ପକାଇଲା । ଶ୍ରୀମନ୍ଦିର ଭିତରେ ଵିଗ୍ରହ ନପାଇଵାରୁ ରାଗ ତମତମ ହୋଇ ଘୋଡ଼ା ନେଣ୍ଡି,ଘସି ଓ ଚଷୁ ପକେଇ ନିଆଁ ଲଗାଇ ଦେଇଥିଲା ।

ପୁରୀର ଶହ ଶହ ବ୍ରାହ୍ମଣଙ୍କୁ ହତ୍ୟାକଲା ସେମାନଙ୍କ କନ୍ୟା ପତ୍ନୀ ଆଦିଙ୍କ ସହିତ ମୁସଲମାନୀ ସେନା ଦ୍ଵାରା ଅତ୍ୟାଚାର କଲା । ଅନେକ ବ୍ରାହ୍ମଣ ସେ ସମୟରେ କଳାପାହାଡ଼ ଓ ମୁସଲମାନ ସୈନ୍ୟଙ୍କର ଅମାନୁଷିକ ଅତ୍ୟାଚାର ଅପେକ୍ଷା ଆତ୍ମହତ୍ୟା ଶତଗୁଣ ଶ୍ରେଷ୍ଠ ବୋଲି ଵିଚାର କରି ପ୍ରାଣବଳି ଦେଇଥିଲେ ।

ଲୋକକଥା ଅନୁଯାୟୀ ସେହି କଳାପାହାଡ଼କୁ ସମ୍ବଲପୁର ରାଜ୍ୟରେ ତାହାର ଜଘନ୍ୟ କୁକୃତ୍ୟର ଉଚିତ୍ ଦଣ୍ଡ ଶେଷରେ ମୃତ୍ୟୁ ରୂପେ ମିଳିଯାଇଥିଲା । ଲୋକକଥାରେ ମାଆ ସମଲେଈଙ୍କ ଦ୍ଵାରା କଳାପାହାଡ଼ ଓ ତାହାର ସୈନ୍ୟବଳ ଧ୍ଵଂସ ହୋଇଯାଇଥିଵା କୁହାଯାଇଛି ।  ଏମନ୍ତ ମଧ୍ୟ ସମ୍ଭଵ ଯେ ଦୈଵୀ ଶକ୍ତି ଆଳରେ ତତ୍କାଳୀନ ସମ୍ବଲପୁରର ସାହସୀ ଯୋଦ୍ଧାମାନେ ଗରିଲା ଯୁଦ୍ଧକରି ଅତର୍କିତ ଆକ୍ରମଣ ପୂର୍ଵକ କଳାପାହାଡ଼ ଓ ତାହାର ସୈନ୍ୟସାମନ୍ତଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିଵେ ଏଵଂ ପରେ ବଙ୍ଗ ନଵାବ ସମ୍ବଲପୁର ଆକ୍ରମଣ ନକରନ୍ତୁ ସେଥିପାଇଁ ସମଲେଶ୍ଵରୀ ହିଁ ସେମାନଙ୍କ ଅନ୍ତ'ର କାରଣ ବୋଲି ପ୍ରଚାର କରାଯାଇଥିଵ ।

ସେ ଯାହା ହେଉ ମୁସଲମାନମାନଙ୍କର ଘୃଣ୍ୟ ଅତ୍ୟାଚାର ଯୋଗୁଁ ୧୫୬୮ରୁ ୧୫୮୦ ମସିହା ଯାଏଁ ଓଡ଼ିଶାରେ ଓଡ଼ିଆଙ୍କର ଜାତି ଏକତାର ଚିହ୍ନ ଶ୍ରୀମନ୍ଦିର ଭଙ୍ଗାରୁଜା ହୋଇ ପଡି଼ରହିଥିଲା । ତତ୍କାଳୀନ “ସନାତନୀ ଓଡ଼ିଆ” ଅତ୍ୟାଚାର ଭୟରେ ପ୍ରାୟ ବାର ପନ୍ଦର ଵର୍ଷକାଳ ପ୍ରକାଶ୍ୟ ଭାବେ ଧର୍ମ ସମ୍ବନ୍ଧୀୟ ପର୍ଵ ପାଳନ କରିଵାକୁ ଡରୁଥିଲା । ଶ୍ରୀମନ୍ଦିର କ'ଣ ସେତେବେଳେ ଓଡ଼ିଶାର କେଉଁଠି ବି ରଥଯାତ୍ରା ହେଉନଥିଲା କିନ୍ତୁ ୧୫୭୫ରେ ପ୍ରଥମେ ମୟୂରଭଞ୍ଜ ରାଜ୍ୟରେ ରଥଯାତ୍ରା ପାଳନ କରଗଲା । ତତ୍କାଳୀନ ମୟୂରଭଞ୍ଜ ରାଜା ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ତଥା ପ୍ରତାପରୁଦ୍ର ଦେବଙ୍କ ରାଜଜେମା 'ନମାତ'ଙ୍କ ପ୍ରେରଣାରେ ୧୫୬୮ ମସିହାରେ ବାରିପଦାଠାରେ ଏକ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ଏଵଂ ଏହା ପୂର୍ଣ୍ଣାଙ୍ଗ ହେଵାକୁ ଦୀର୍ଘ ସାତଵର୍ଷ ସମୟ ଲାଗିଥିଲା । ୧୫୭୫ ମସିହାର ଆଷାଢ଼ ଦ୍ଵିତୀୟା ତିଥିରେ ବାରିପଦାର ଶ୍ରୀମନ୍ଦିର ମନ୍ଦିର ପ୍ରତିଷ୍ଠା ହେଵା ସହ ସେହିଦିନ ହିଁ ରଥଯାତ୍ରାର ଆୟୋଜନ ମଧ୍ୟ କରାଯାଇଥିଲା । ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ସେହି ରଥଯାତ୍ରା ଦେଖିଵାକୁ ହିଁ ସତେ ଯେମିତି ବଞ୍ଚି ରହିଥିଲେ ଏଵଂ ତାଙ୍କ ଜୀଵନର ଏହି ଇଚ୍ଛା ପୂର୍ତ୍ତି ସହ ସେ ଶାନ୍ତିରେ ଚିରନିଦ୍ରା ଲଭିଥିଲେ ।

ତତ୍କାଳୀନ ଓଡ଼ିଶା, ପଠାଣଙ୍କ ଅଧିନରେ ଥିଵାରୁ ଭୟରେ ଲୋକେ ଅନେକ ଵର୍ଷ ପର୍ଵପର୍ଵାଣୀ ପାଳୁନଥିଲେ କିନ୍ତୁ ଓଡ଼ିଶାରେ ସେସମୟରେ କେଵଳ ବାରିପଦାରେ ରଥଯାତ୍ରା ହେଉଥିଵାରୁ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିରକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆଖ୍ୟା ପ୍ରାପ୍ତ ହୋଇଅଛି ।

ବାରିପଦାର ପ୍ରଥମ ରଥଯାତ୍ରା କେଵଳ ଧାର୍ମିକ ଅନୁଷ୍ଠାନ ନଥିଲା ଵରଂ ଏହା ଥିଲା ତତ୍କାଳୀନ ମୁସଲମାନ ଶାସନ ଵିପକ୍ଷରେ ଏକ ଶାନ୍ତିପୂର୍ଣ୍ଣ ସଶକ୍ତ ଜାତୀୟତାଵାଦୀ ଅଭିଯାନ । ଅତ୍ୟାଚାରୀ ମୁସଲମାନମାନଙ୍କ ଦାଉ ସହି ସହି ଶେଷରେ ମୟୂରଭଞ୍ଜର ଶାସକ ଵୈଦ୍ୟନାଥ ଭଞ୍ଜଙ୍କ ନେତୃତ୍ୱରେ ସେସମୟର ସ୍ଵାଭିମାନୀ ଓଡ଼ିଆମାନେ ଏକପ୍ରକାରର ଵିପ୍ଳଵର ସୂତ୍ରପାତ କରିଥିଲେ । ଏହା ହିନ୍ଦୁ-ମୁସ୍ଲିମ୍ ଧର୍ମ ଯୁଦ୍ଧ ନଥିଲା କି ଏ ଯୁଦ୍ଧରେ ଅସ୍ତ୍ରଚାଳନା ମଧ୍ୟ ହୋଇନଥିଲା ମାତ୍ର ଏହି ଯୁଦ୍ଧ ମୁସଲମାନ ଶାସକଙ୍କ ଶାସନ ଵିପକ୍ଷରେ ସମ୍ଭଵତଃ ଭାରତର ପ୍ରଥମ ଅହିଂସା ଆନ୍ଦୋଳନ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ ।

ଓଡ଼ିଶା ପରାଧୀନ ହେଲାପରେ ମୁସଲମାନମାନେ ଵିଭିନ୍ନ ଉପାୟରେ ଓଡ଼ିଶାରୁ ସନାତନୀ ସଂସ୍କୃତିର ଲୋପ କରିଦେଵାକୁ ପ୍ରଯତ୍ନ କରିଥିଲେ । ସେମାନେ ପ୍ରଥମେ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କଲେ ଏଵଂ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ କରି ତା ଭିତରେ ନିଆଁ ଲଗାଇ ଦେଲେ । ଅନେକ ଲୋକଙ୍କୁ କଳେ ବଳେ କୌଶଳେ ମୁସଲମାନ ଧର୍ମରେ ଦୀକ୍ଷିତ କଲେ । ଜଳେଶ୍ଵର ମନ୍ଦିର ଆଦି ଅନେକ ଦେଵାଳୟ ଭାଙ୍ଗି ଉକ୍ତ ସ୍ଥାନରେ ମସଜିଦ୍ ନିର୍ମାଣ କଲେ । ପୁଣି ନୂଆ ମନ୍ଦିର ନଗଢି଼ ଉଠୁ ସେଥିପାଇଁ ଓଡ଼ିଶାର ଧନୀକମାନଙ୍କୁ ଲୁଟିଲେ ଓ ଗରିବ ଜନଙ୍କ ଉପରେ କର ଲଦି ଦେଇ ସେମାନଙ୍କୁ କାଙ୍ଗାଳ କରିପକାଇଲେ । ଓଡ଼ିଶାରେ ଏଥିଯୋଗୁଁ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ନୌଵାଣିଜ୍ୟ ବନ୍ଦ ହୋଇଯାଇଥିଲା । ମନ୍ଦିର ଭାଙ୍ଗିଦେଲାପରେ କାଳେ ଓଡ଼ିଆମାନେ ଘରେ ଦିଅଁ ପୂଜାର୍ଚ୍ଚନା କରି ଧର୍ମ ରକ୍ଷା କରିଵେ ସେଥିପାଇଁ ଓଡ଼ିଶାରେ କେହି ଯେମିତି ହିନ୍ଦୁ ପର୍ଵପର୍ଵାଣୀ ନପାଳନ୍ତି ତେଣୁ ସୁଲତାନଙ୍କ ପକ୍ଷରୁ ହିନ୍ଦୁ ପର୍ଵ ପାଳନର ନିଷେଧାଦେଶ ଜାରି ହୋଇଥିଲା  । ଯିଏ ସୁଲତାନଙ୍କ ଆଦେଶ ନପାଳି ଦଣ୍ଡ ଦୀପାବଳୀ ଉତ୍ସଵ ପାଳିଲା ତାକୁ ଵିଭିନ୍ନ ପ୍ରକାରରେ ଦଣ୍ଡିତ କରାଯାଉଥିଲା ।

ମାତ୍ର ମୟୂରଭଞ୍ଜ ରାଜ୍ୟର ରାଜା ବାରିପଦାଠାରେ ଦ୍ଵିତୀୟ ଶ୍ରୀମନ୍ଦିର ନିର୍ମାଣ କରି ଏହି ନିଷେଧାଦେଶର ତୀଵ୍ର ଵିରୋଧ କରିଥିଲେ । ମୟୂରଭଞ୍ଜ ରାଜାଙ୍କୁ ତାଙ୍କର ଅନେକ ପାଖ ଲୋକ କହିଲେ ଲୋକେ ଭୟରେ ଏ ରଥଯାତ୍ରାରେ ଯୋଗ ଦେଵେ ନାହିଁ । ତେଣୁ ରାଜା ଏହି ସମସ୍ୟାର ସମାଧାନ ପାଇଁ ଗୁଡି଼ଏ ପଦକ୍ଷେପ ଗ୍ରହଣ କରିଥିଲେ ।

୧) ମୟୂରଭଞ୍ଜ ରାଜ୍ୟର ଯେଉଁ ପ୍ରଜା ରଥଯାତ୍ରାକୁ ଆସିଵାକୁ ଅମଙ୍ଗ ହେଲା ତା ଉପରେ ଆର୍ଥିକ ଓ ସାମାଜିକ ତଣ୍ତ ଲଗାଗଲା

୨)ସେ ସମୟରେ ଧଳଭୂମି,ଷଡୈକଳା,ଚାଇଁବସା,ଝାଡ଼ଗ୍ରାମ ଓ ମେଦିନୀପୁର ଆଦି ରାଜ୍ୟଗୁଡ଼ିକ ମୟୂରଭଞ୍ଜ ରାଜ୍ୟର କରଦ ରାଜ୍ୟ ଥିଲେ ତେଣୁ ଉକ୍ତ ରାଜ୍ୟର ରାଜାମାନଙ୍କୁ ବାରିପଦାର ରଥଯାତ୍ରାରେ ଯୋଗ ଦେଵାକୁ ଵୈଦ୍ୟନାଥ ଭଞ୍ଜ ଚିଟାଉ ପଠାଇଥିଲେ । କୁହାଯାଏ ଏସବୁ ରାଜ୍ୟରୁ ସ୍ଥାନୀୟ ରାଜାମାନଙ୍କ ସହିତ ଶହ ଶହ ଲୋକ ଆସି ରଥଯାତ୍ରାରେ ଯୋଗ ଦେଉଥିଲେ ।

୩) ଲୋକଙ୍କୁ ଆକୃଷ୍ଟ କରିଵାପାଇଁ ରଥ ଉପରୁ ଗୁଡ଼ମୁଢି଼ଲଡୁ଼ ଫିଙ୍ଗାଯିଵାର ଵ୍ୟଵସ୍ଥା କରାଯାଇଥିଲା ଏଵଂ ଏ ପରମ୍ପରା ଆଜି ମଧ୍ୟ ରହିଛି ।

୪)ମନ୍ଦିର ସୁରକ୍ଷା ପାଇଁ ମାଙ୍କଡ଼ା ପଥରରେ ଅତି ଶକ୍ତ ଚାରି ହାତ ଓସାରର ମେଘନାଦ ପାଚେରୀ ନିର୍ମାଣ କରାଯିଵା ସହ ଶ୍ରୀମନ୍ଦିରର  ସିଂହଦ୍ଵାର ସମ୍ମୁଖରେ ଏକ ଓ୍ଵାଚଟାଓ୍ଵାରର ମଧ୍ୟ ନିର୍ମାଣ କରାଯାଇଥିଲା । ଏହି ଓ୍ଵାଚ୍ ଟାୱାରକୁ ଆଜିକାଲି ନାଗରାଭାଡି଼ କୁହାଯାଉଛି କିନ୍ତୁ ପୂର୍ଵେ ଏଠାରେ ଧନୁର୍ଦ୍ଧର ଓ ବର୍ଚ୍ଛାଧାରୀ ପାଇକମାନେ ଶତ୍ରୁ ଆକ୍ରମଣକୁ ପ୍ରତିହତ କରିଵାକୁ ସଜାଗ ହୋଇ ରହୁଥିଲେ । ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କ ନିମନ୍ତେ ଅତ୍ୟନ୍ତ ସୁରକ୍ଷିତ ଥିଵାରୁ ଲୋକଙ୍କ ମନରେ ଵିଶ୍ଵାସ ବଢି଼ଥିଲା ।

୫)ରଥଯାତ୍ରାରେ ଲୋକଙ୍କ ଉପରେ ଯେମିତି ଵିଧର୍ମୀ ଆକ୍ରମଣ ନହୁଏ ସେଥି ସକାଶେ ହଜାର ହଜାର ପାଇକ ଵୀରଙ୍କ ଦ୍ଵାରା ସୁରକ୍ଷା ବଳୟ ମଧ୍ୟରେ ରଥଯାତ୍ରାର ଆୟୋଜ କରାଯାଉଥିଲା । ଏହି ରଥଯାତ୍ରାରେ ମୟୂରଭଞ୍ଜ ରାଜା ସ୍ଵୟଂ  ହାତୀପିଠିରେ ବସି ରଥ ଆଗେ ଆଗେ ଯାଉଥିଲେ ଓ ତାଙ୍କ ପଛକୁ ଧଳଭୂମି,ଷଡୈକଳା ଓ ନୀଳଗିରି ଆଦି ରାଜ୍ୟର ରାଜାମାନେ ଘୋଡ଼ା ଉପରେ ଚଢ଼ି ଯାଉଥିଲେ । ରାଜାମାନଙ୍କ ପଛରେ ଭୂୟାଁମାନଙ୍କ ଦଳ ଖୋଳକୀର୍ତ୍ତନ ବଜାଇ ନାଚି ନାଚି ଯାଉଥିଲେ ।
ଭୂୟାଁଙ୍କ ପଛରେ ବାଥୁଡି଼ ସମ୍ପ୍ରଦାୟର ଲୋକେ ଚାଙ୍ଗୁ ବଜାଇ ନୃତ୍ୟଗୀତ ପରିଵେଷଣ କରି କରି ଯାଉଥିଲେ । ତାଙ୍କ ପଛକୁ ସାନ୍ତାଳମାନେ ଧୁମସା ନାଗରା ଓ ମୁଣ୍ଡା ଓ ଭୂମିଜମାନେ ମାଦର ବଜାଇ ବଜାଇ ରଥ ଆଗରେ ଯାଉଥିଲେ । ରଥର ଆଗରେ ଓ ପଛରେ , ବଡ଼ଦାଣ୍ଡର ଦୁଇପାର୍ଶ୍ଵରେ ତଥା ରଥ ସହିତ ହଜାର ହଜାର ପାଇକ ଖଣ୍ଡା ଢାଲ ବର୍ଚ୍ଛା ଧରି ଜଗି ରହୁଥିଲେ । କୌଣସି ଵିଧର୍ମୀ ଦ୍ଵାରା ହଠାତ୍ ଶ୍ରୀମନ୍ଦିର କିଂଵା ରଥ ଉପରେ ଆକ୍ରମଣ ନହେଵ ସେଥିପାଇଁ ଵିଭିନ୍ନ ଉଚ୍ଚ ସ୍ଥାନରେ ଗୁପ୍ତ ଭାଵରେ ଧନୁର୍ଦ୍ଧରମାନଙ୍କୁ ମୁତୟନ କରାଯାଇଥିଲା ।  ଫଳତଃ ଓଡ଼ିଶାର ଵିଭିନ୍ନ ଅଞ୍ଚଳରୁ କ୍ରମେ ଅନେକ ଲୋକ ନିର୍ଭୟରେ ରଥଯାତ୍ରାରେ ଯୋଗଦେଵାକୁ ଆସିଵାକୁ ଲାଗିଲେ।

ବାରିପଦାର ଏହି ରଥଯାତ୍ରା କେତେକ ଵର୍ଷଯାଏଁ ସୁରୁଖୁରୁରେ ଅନୁଷ୍ଠିତ ହୋଵାକୁ ଲାଗିଵାରୁ ଓଡ଼ିଶାରେ ସାଧାରଣ ଲୋକଙ୍କ ସାହସ କିଛି ପରିମାଣରେ ବୃଦ୍ଧି ପାଇଥିଲା ଏଵଂ କିଛି ଵର୍ଷପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ପୁନଃ ପ୍ରତିଷ୍ଠା ପାଇଥିଲେ  । ବାରିପଦାରେ ଶ୍ରୀମନ୍ଦିର ନିର୍ମାଣ ଓ ରଥଯାତ୍ରାର ଆୟୋଜନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପୁନଃ ପ୍ରତିଷ୍ଠା ନିମନ୍ତେ ପ୍ରେରଣା ଯୋଗାଇଥିଲା । ତେଣୁ ଯଥାର୍ଥରେ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ କହିଲେ ଭୁଲ୍ ହେଵ ନାହିଁ ।


Saturday, April 3, 2021

ଧନ୍ୟ ଉତ୍କଳ ଭୂଇଁ (ଅକ୍ଷି ତୃତୀୟା)

ମା ଗୋ ମା ଗୋ

ଶସ୍ୟ ଶାଳିନୀ ପଲ୍ଲୀ ମାଳିନୀ
ମା ଗୋ ମମତାମୟୀ
କୋଟି ଚାରୁକଳା କଳାରେ କୁଶଳା
ଧନ୍ୟ ଉତ୍କଳ ଭୂଇଁ

ଧନ୍ୟ ଉତ୍କଳ ଭୂଇଁ ୨

ଲା - ଲା ଲା ଲା ଲା..

ଚନ୍ଦ୍ରଭାଗା ତୀରେ ଏଇ କୋଣାରକ
ପାଷାଣ ବି ଗାଏ ଧରମାର ଗୀତ

ହସି ହସି ଦିନେ ଦେଲା ସେ ଜୀଵନ
ଜାତିର ଗରଵ ପାଇଁ

ଜାତିର ଗୌରଵ ପାଇଁ
ଧନ୍ୟ ଉତ୍କଳ ଭୂଇଁ

ମରାଳମାଳିନୀ ରୂପସୀ ଚିଲିକା
ଶୁଣାଏ ଅତୀତ ଗଉରଵ ଗାଥା
ଭାଲେରୀ ସଲେରୀ ପାହାଡ ଉପରେ କାନ୍ଦି ବୁଲେ କାଳିଜାଇ

କାନ୍ଦି ବୁଲେ କାଳିଜାଇ

ଏଇ ସେ ଧଉଳୀ ଶାନ୍ତିର ପୀଠ
ଚଣ୍ଡାଶୋକ ଯେ ହେଲେ ଧର୍ମାଶୋକ

ଵୀର ଖାରବେଳ କୀରତି ଅତୁଳ
ଇତିହାସ ଯାଏ କହି

ଇତିହାସ ଯାଏ କହି
ଧନ୍ୟ ଉତ୍କଳ ଭୂଇଁ ୨

ଲା - ଲା ଲା ଲା ଲା..

ଏହି ନୀଳାଚଳେ ବିଜେ ଚକାଡୋଳା
ଚଉବାହା ଟେକି ଲଗାଇଛି ଲୀଳା
ପତିତପାବନ ବାନା ଉଡ଼େ ଅନା ଭକତଜନକୁ ଚାହିଁ
ଭକତଜନକୁ ଚାହିଁ

ଧନ୍ୟ ଉତ୍କଳ ଭୂଇଁ ...

©ଅକ୍ଷି ତୃତୀୟା ଚଳଚ୍ଚିତ୍ରର ଗୀତ

Sunday, March 28, 2021

ଦୋଳ ପୂର୍ଣ୍ଣିମା

ସଵୁଜ ଯୁଗର ପ୍ରଖ୍ୟାତ କଵି ଵୈକୁଣ୍ଠନାଥ ପଟ୍ଟନାୟକଙ୍କ କଵିତା
“ଦୋଳ ପୂର୍ଣ୍ଣିମା” ମଧ୍ୟରେ ଚିତ୍ରିତ ହୋଇଅଛି ପୃଥିଵୀର ସବୁଠାରୁ ସୁନ୍ଦର ଋତୁ ଵସନ୍ତ ଋତୁର ଚିତ୍ର ! ଦୋଳ ପର୍ଵ ସହିତ ହୋଲୀ ସହ ଵସନ୍ତ ଋତି କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତାହା ଏହି କଵିତା ପାଠକଲେ ହୃଦୟଙ୍ଗମ କରି ହୁଏ । ଵସନ୍ତ ଋତୁ ବିନା ଦୋଳ ଓ ହୋଲିଖୋଳର ରଙ୍ଗ ଫିକା ପଡି଼ଯିଵ । ପୃଥିଵୀରେ ପ୍ରତିଵର୍ଷ  ଵସନ୍ତ ଋତୁ ନ ଆସିଲେ ଆମେ କୋଇଲି,ଆମ୍ବ ଠାରୁ ଶହ ଶହ ପୁଷ୍ପ ଯାଏଁ ସବୁକିଛି ହରେଇ ଦେଵା ...

ଏବେ ବି ସମୟ ଅଛି ଚାଲନ୍ତୁ ପୃଥିଵୀର ଏହି ସବୁଜିମାର ରକ୍ଷାର ଶପଥ ନେଵା । ଜଙ୍ଗଲ ଜଳେଇ ଦେଲେ ଵସନ୍ତ ଋତୁର ଏହି ଅଲୌକିକ ସୌନ୍ଦର୍ଯ୍ୟ କେବେ ବି ଦେଖି ହେଵ ନାହିଁ ଵରଂ ଅଧିକରୁ ଅଧିକ ଗଛ ଲଗାଇ ଚାଲନ୍ତୁ ଆମେ ପୃଥିଵୀ ଓ ତାହାର ଏହି ମନୋହର ଵସନ୍ତ ଋତୁକୁ “ଵିଶ୍ଵତାପନ” ଠାରୁ ରକ୍ଷା କରିଵାର ମହନୀୟ କର୍ମରେ ଵ୍ରତୀ ହେଵା !!!

            ••••√“ଦୋଳ ପୂର୍ଣ୍ଣିମା”√••••

ଫଗୁଣ ପୂନିଅ ଚାନ୍ଦ !
ବାନ୍ଧ ସଜନି ବାନ୍ଧ,
ପୀରତି ନିଵିଡ଼ ଭୁଜ ବନ୍ଧନେ
ଲୟ ହେଉ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !

ଵିଶ୍ଵ କଣ୍ଠୁ ଆଜି ,
ସଙ୍ଗୀତ ଉଠେ ବାଜି !
ଏଇତ ଛନ୍ଦ ଗୀତି,
ଆଦର ମମତା ପ୍ରୀତି,
ଆଦର ମମତା ପ୍ରୀତି,
କଳ୍ପନା କାହିଁ ଧାଏଁ,
ଅନ୍ତରେ ପୁଣି
ବାହାରେ ଖେଳଇ
ଜୋଚ୍ଛନାର ଆହାଲଦ
ଫଗୁଣ ପୂନିଅ ଚାନ୍ଦ !

କେଉଁ ସଜେ ଆଜି ପରଶି ଗଲାଣି
ଚୋରା ମଳୟର ଵାଣୀ
ଶୂନ୍ୟେ ଭାସଇ ଅମୃତ ପରା
ପିଅ ଗୋ ସଜନୀ ଛାଣି ।

ଜୋଛନା ପ୍ଲାଵନେ ସରଗ ମର୍ତ୍ତ୍ୟ
ପଡ଼ ନାହିଁ କିଛି ବୁଝା
ମୁକ୍ତ ପଵନେ ଗଗନେ ଭୁଵନେ
ନଵ ଵସନ୍ତ ପୂଜା !

ଗୋଲାପ ମଦିରା-ରାଗେ,
ତୁମେ ନଵ ଅନୁରାଗେ,
ରଞ୍ଜିତ କର ପ୍ରାଣ,
ଆଣ ଗୋ ଅଵିର ଆଣ,
ଦିଅ ବୋଳି ମୋର ଦେହେ,
ନଵ ଵସନ୍ତ ସ୍ନେହେ !
ଅନ୍ତର ଭର ଵାସେ
ମନ୍ଦ ସୁନ୍ଦର ହାସେ !

ମାତି ଉଠୁ ପ୍ରାଣ ଵିଶ୍ଵ ସହିତେ
ଭୁଲି ସଂଶୟ ଵାଦ !
ଫଗୁଣ ପୂନିଅ ଚାନ୍ଦ !

ଆଜି ଜୋଛନାରେ ଫୁଟିଛି ଗୋଲାପ
ଫୁଟିଛି ମଧୁର ମଲ୍ଲୀ
ଯୌଵନ ଵନେ ନଵ-ଵସନ୍ତ
ଉତ୍ସଵ ନୁହେଁ କଳି ।

ଭୁଲ ଭୁଲ ସବୁ  ସଂଶୟ ଦୁଃଖ
ଆନନ୍ଦ ନିଅ ବାରି !
କ୍ଷଣକର ପ୍ରୀତି ପୁଲକେ ନିଅ ଗୋ
ଜୀଵନ ଅମର କରି

ଉଜାଡ଼ କର ଗୋ ମାଧଵୀ ଜୋଛନା
ନାହିଁ ଭୟ ପରମାଦ
ଫଗୁଣ ପୂନିଅ ଚାନ୍ଦ !

କୋକିଳ ଉଠଇ ଗାଇ,
ଵକୁଳ ଗନ୍ଧରେ ବାଇ,

ପରାଣେ ତା ଚପଳତା
ପୀରତି ମଧୁର ଵ୍ୟଥା
ଚାରୁ କିଶଳୟେ ଲତା—
ପାଦପର ମାଦକତା
ଅକଳନ ଆଜି
କିଂଶୁକ ଵନେ
ଗରଵେ ତୋଳିଛି ମଥା !
ନାହିଁ ନାହିଁ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !

ଵିଶ୍ଵର ନରନାରୀ
ସକଳେ ଆମେ ଗୋ ଆଳି !
ଵୃଦ୍ଧ ତରୁଣ ଯାତ୍ରୀ,
ଉଠ ଆନନ୍ଦେ ମାତି !
ନଵ ଵସନ୍ତେ କଵି,
ରଞ୍ଜିତ ଵାଳ ରଵି,
ଆହ୍ଵାନ କରେ ମଧୁ ଉତ୍ସଵେ
ଖୋଲ ଗୋ ଦୁଆର ଖୋଲ
ଆଜି ପିରତୀର ଦୋଳ !

ଆସ ଗୋ ଆସ ଗୋ ଶିଶୁ
ତୁମ ସଂଗୀତ ମିଶୁ,
ଏ ମୋର କ୍ଷୁଵ୍ଧ ପ୍ରାଣେ,
ଉଛୁଳି ଜୀଵନ ଗାନେ,
ପୌଷ ମରଣ ଭୟ
ଅଵହେଳେ ଆଜି ଜୟ !
ମୁକ୍ତ କର ଗୋ ପ୍ରାଣ;
ଭର ଵସନ୍ତ ଗାନ,

ମଞ୍ଜୁ କୁସୁମ ଗନ୍ଧ,
ମନ୍ଦ ମଳୟ ଛନ୍ଦ,
ଉଜ୍ବଳ ଦିଗ ଭାଗ,
ଜୀଵନ ଦେଵତା ଜାଗ !

ନଵୀନ କୁନ୍ଜେ ଶୁଭଇ କାହାର
ମନ୍ଦ ମୂରଲୀ ନାଦ
ଫଗୁଣ ପୂନିଅ ଚାନ୍ଦ !

©ଵୈକୁଣ୍ଠନାଥ ପଟ୍ଟନାୟକ








Monday, March 22, 2021

ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି ଦେଇଥିଲେ ?

ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା,ପଞ୍ଜାବୀଙ୍କୁ ପଞ୍ଜାଵୀ ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି ଦେଇଥିଲେ ?

ଏହି ପ୍ରଶ୍ନଟି କୌଣସି ଐତିହାସିକ କିଂଵା ଓଡ଼ିଶାର ଇତିହାସକୁ ଭଲଭାଵରେ ଜାଣିଥିଵା ଲୋକକୁ ପଚାରିଲେ ସେ ତହିଁର ଉତ୍ତର ଦେଵାକୁ ଯାଇ କହିଵ

“୧୭୫୭ର ଘୁମୁସର ଵିପ୍ଳଵଠାରୁ ୧୮୬୬ ମସିହାରେ ସୁରେନ୍ଦ୍ର ସାଏଙ୍କ ଶହୀଦ ହେଵାଯାଏଁ ଦୀର୍ଘ ଶତଵର୍ଷ ଧରି ଓଡ଼ିଆ ଜାତି ଇଂରେଜମାନଙ୍କ ଵିପକ୍ଷରେ ଵିଭିନ୍ନ ସଶସ୍ତ୍ର ଆନ୍ଦୋଳନ କରିଥିଲା । ଫଳତଃ ଇଂରେଜମାନଙ୍କର  ଓଡ଼ିଆ ଜାତି ଭାଷା ପ୍ରତି ଘୃଣା,ଦ୍ଵେଷ ବଢି଼ଯାଇଥିଲା ।

ତେଣୁ ସେମାନେ ଓଡ଼ିଆ ଜାତି ପ୍ରତି ଵିଦ୍ଵେଷ ରଖି

✓କଳିଙ୍ଗ ସାଗରର ନାମକୁ ବଙ୍ଗୋପସାଗର କରିଦେଲେ

✓ଓଡ଼ିଶାର କଉଡି଼ ମୁଦ୍ରା ଉଠେଇ ଦେଇ ଧନୀକ ଓଡ଼ିଆଙ୍କୁ ସୁଦ୍ଧା ଆଖି ପିଛୁଳାକେ ଦରିଦ୍ର କରିଦେଲେ

✓ ଓଡ଼ିଶାର ଜମିଦାରୀ ଓ ସରକାରୀ ପାହ୍ୟା ଆଦି ବଙ୍ଗାଳୀଙ୍କୁ ଦେଇଦେଲେ ।

✓ଓଡି଼ଶାର ଲୋକଙ୍କ ଲିଙ୍ଗୁଆଫ୍ରାଙ୍କା ଓଡ଼ିଆ ଜାଣି ସୁଦ୍ଧା ଓଡ଼ିଆ ଭାଷା ହତ୍ୟା ଉଦ୍ଦେଶ୍ୟରେ ସେମାନଙ୍କୁ ଏକାଠି ନରଖି ତିନି ରାଜ୍ୟରେ ତିନୋଟି ଭିନ୍ନ ଭାଷାଭାଷୀ ଅଞ୍ଚଳରେ ବାଣ୍ଟି ଦେଲେ ।

✓ପୂର୍ଵ ଭାରତର ମୁଖ୍ୟ ସାଂସ୍କୃତିକ କେନ୍ଦ୍ର ଓଡ଼ିଶା ହୋଇଥିଲେ ହେଁ ଇଂରେଜମାନେ ପୂର୍ଵ ଭାରତ କହିଲେ ବଙ୍ଗଦେଶ ଏହି ଵିଚାରର ଵୀଜରୋପଣ କରିଥିଲେ ।

✓ଓଡି଼ଶାର ଠାକୁର ରାଜାଙ୍କୁ ମିଛ ହତ୍ୟା କେଶ୍ ରେ ଫସାଇ କଳାପାଣିକୁ ପଠାଇ ଦେଲେ

✓ଶ୍ରୀମନ୍ଦିର ଦଖଲ କରିଵାକୁ ଚେଷ୍ଟା କରିଥିଲେ ଓ ମୁସଲମାନ ସୈନ୍ୟଙ୍କୁ ମନ୍ଦିର ସୁରକ୍ଷା ଦାୟିତ୍ବରେ ଲଗାଇ ସନାତନୀମାନଙ୍କୁ ଅପମାନିତ କରିଵାର ପ୍ରଯତ୍ନ କରିଥିଲେ

✓ଓଡ଼ିଶାର ଲୋକଙ୍କଠାରୁ କର ନେଲେ ସିନା କୌଣସି ଆଖିଦୃଶିଆ ଜନହିତକର କାର୍ଯ୍ୟ କଲେ ନାହିଁ ।

✓୧୮୬୬ରେ ଜାଣିଶୁଣି କୃତ୍ରିମ ଶସ୍ୟ ଅଭାଵ ଭିଆଇ ଥିଲେ ଏଵଂ ନ'ଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରି ଓଡ଼ିଆ ଜାତିର ସମୂଳ ନାଶ କରିଦେଵାର କୁଚେଷ୍ଟା କରିଥିଲେ
ଇତ୍ୟାଦି ଇତ୍ୟାଦି...”

ସେଇମିତି ଏ ପ୍ରଶ୍ନକୁ କୌଣସି ସାଧାରଣ ବୁଦ୍ଧିଜୀଵୀକୁ ପଚାରିଲେ ସେ ମତ ଦେଵ

“ଇଂରେଜ ଆଦି ୟୁରୋପୀୟ ଜାତିମାନେ ଡ଼ ସ୍ଵର ଉଚ୍ଚାରଣ କରିପାରନଥିଲେ ତେଣୁ ସେମାନେ ଓଡ଼ିଆ ଶବ୍ଦରେ ଥିଵା ‘ଡ଼’ କୁ ‘ର’ ଉଚ୍ଚାରଣ କରିଥାଆନ୍ତି ।”

ତେବେ ଯେଉଁମାନେ ଇଂରାଜୀ ଭିନ୍ନ ଇଟାଲିୟନ,ସ୍ପାନିସ୍ କି ଲାଟିନ୍ ଭାଷାର ଜ୍ଞାତା ସେମାନେ “Odia” ଶବ୍ଦର  ଅର୍ଥ ଏହି ଭାଷାଗୁଡି଼କରେ କ'ଣ ତାହା ଭଲ ଭାଵରେ ଜାଣିଥିଵେ ...

Catlan,Galician ଭାଷାରେ Odia ଶବ୍ଦଟି odiar ଶବ୍ଦର ଏକ ରୂପ ଏଵଂ ଗାଲସିଆନ୍ ଓ କାଟଲାନ ଭାଷାରେ odiarର ଅର୍ଥ ଘୃଣା କରିଵା ତେଣୁ ଏ ଉଭୟ ଭାଷାରେ odia ଶବ୍ଦର ଅର୍ଥ ହେଉଛି “ଘୃଣା କର” । ସ୍ପାନିଶ୍ ଓ ଇଟାଲିଆନ୍ ଭାଷାରେ odiare ଶବ୍ଦର ଏକ ରୂପ odia ଅଟଇ ! ଏ ଉଭୟ ଭାଷାରେ ମଧ୍ୟ odiare ଶବ୍ଦର ଅର୍ଥ ଘୃଣା କରିଵା ହିଁ ହୋଇଥାଏ ।

ଠିକ୍ ସେହିପରି ଲାଟିନ ଭାଷାରେ odia ଶବ୍ଦଟି odium ଶବ୍ଦର ଏକ ରୂପ ଅଟେ । ଲାଟିନ ଭାଷାରେ Odium ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ଅଛି
ଯଥା—
କ)ଘୃଣା
ଖ)ଅପସନ୍ଦ
ଗ) ଅସନ୍ତୋଷ,ଵିରକ୍ତି
ଘ)ଶତୃତା ଵା ତାର ଅଭିଵ୍ୟକ୍ତି;ଘୃଣା କରିଵାର ସର୍ତ୍ତ
ଙ)ଘୃଣା କରାଯିଵା ଵସ୍ତୁ
ଚ)କ୍ଲାନ୍ତି;ନିରସତା

ପ୍ରୋକ୍ତ ଏ ସମସ୍ତ ଶବ୍ଦର ମୂଳ ହେଉଛି ଗୋଟିଏ ଲାଟିନ୍ ଶବ୍ଦ ōdī  ଏଵଂ ଏହା ପ୍ରାକ୍ ଇଟାଲିକ୍ ଶବ୍ଦ *ōdai ର ୟୁରୋପୀୟ ମାନକ ରୂପ ଥିଲା । ପାଶ୍ଚାତ୍ୟ ଭାଷାଵିତମାନେ ପ୍ରାକ୍ ଭାରୋପୀୟ ଶବ୍ଦ  ରୂପ *h₃edକୁ ଏ ସମସ୍ତ ଶବ୍ଦର ମୂଳ ବୋଲି ନିର୍ଣ୍ଣୟ କରିଅଛନ୍ତି। ପ୍ରାକ୍ ଭାରୋପୀୟ ଶବ୍ଦ ସମ୍ବନ୍ଧୀୟ ଅଭିଧାନରେ ମୂଳ ଭାରୋପୀୟ ଶବ୍ଦ *h₃edର ଅର୍ଥ ଦୁର୍ଗନ୍ଧ ହେଵା,ଗନ୍ଧେଇଵା, ଦୁର୍ଗନ୍ଧ କରିଵା ଇତ୍ୟାଦି  ଉଲ୍ଲେଖ କରାଯାଇଛି  । ଜଣେ ଗନ୍ଧେଇଲେ ତା ପ୍ରତି ଘୃଣା ଭାଵ ଜାତ ହେଵା ସ୍ଵାଭାଵିକ କଥା ।

ତେଣୁ ୟୁରୋପର ତିନୋଟି ମୁଖ୍ୟ ଭାଷା ଲାଟିନ,ଇଟାଲିୟନ୍ ଓ ସ୍ପାନିଶ୍ ସମେତ କାଟଲାନ୍ ଓ  ଗାଲସିୟନ୍ ଆଦି ଅନେକ ୟୁରୋପୀୟ ଭାଷାରେ “odia” ବୋଲି ଶବ୍ଦ ରହିଛି ଯାହା ପ୍ରାୟତଃ ଘୃଣା ଵିରକ୍ତି ଦ୍ଵେଷ ନୀରସତା ଆଦି ନକାରାତ୍ମକ ଅର୍ଥରେ ପ୍ରୟୋଗ ହୋଇଥାଏ । ସମ୍ଭଵତଃ ଏହି କାରଣରୁ ଇଂରେଜ ଆଦି ୟୁରୋପୀୟ ଜାତିମାନେ ଓଡ଼ିଆ ଭାଷାକୁ odia ନକହି oriya କହିଛନ୍ତି ଏଵଂ oriya ଶବ୍ଦ ଆଧାରରେ ରାଜ୍ୟର ନାମ orissa ରଖା ହୋଇଥିଲା ।

କେଵଳ ଇଂରାଜୀ ନୁହେଁ ଵିଶ୍ଵର ଵିଭିନ୍ନ ଭାଷାରେ  ଓଡ଼ିଆ ଭାଷାକୁ ଉକ୍ତ ଭାଷାର ଉଚ୍ଚାରଣ ଶୈଳୀ ଓ ଶବ୍ଦ ଵିଭଵ ଆଧାରରେ ଵିଭିନ୍ନ ନାମରେ ଅଭିହିତ କରାଯାଇଛି । ଯଥା—

ଚୀନ ଦେଶର ମାଣ୍ଡାରିନ ଭାଷାରେ ଓଡ଼ିଆ ଭାଷାକୁ 奧里亞語, 奥里亚语 (àolǐyàyǔ) କୁହାଯାଏ । Finnish ଭାଷାରେ orija କୁହନ୍ତି ,Georgian ଭାଷାରେ ორია ენა (oria ena) କହିଥାନ୍ତି । ଜାପାନୀ ଲୋକେ ଓଡ଼ିଆ ଭାଷାକୁ オリヤー語 (oriyāgo) କହୁଥିଵା ବେଳେ ରୁଷ ଦେଶର ଲୋକେ о́рия (órija) ବୋଲି ଥାଆନ୍ତି । ସେହିପରି କୋରିଆ ଭାଷାରେ ଓଡ଼ିଆ ଭାଷାକୁ 오리야어 (oriya-eo) କୁହାଯାଇଥାଏ । ଉତ୍ତର ଭାରତର ଲୋକେ ମଧ୍ୟ ସେହିଭଳି ଭାଵେ ନିଜ ଭାଷାର ପ୍ରକୃତି ଅନୁଯାୟୀ ଆମ ଭାଷାକୁ उड़िया ଓ ओड़िया କହୁଥିଵା ଦୃଷ୍ଟିଗୋଚର ହୋଇଥାଏ । ତାମିଲ ଭାଷୀ ଆମ ଭାଷା ଓ ରାଜ୍ୟକୁ ஒட்டியம் (oṭṭiyam) କହିଥାନ୍ତି ।

ତେବେ ସାରା ପୃଥିଵୀର ଲୋକେ ଆମ ଭାଷା ,ଜାତି ଓ ରାଜ୍ୟକୁ ଯେଉଁ ନାମରେ ବି ଜାଣିଥାଆନ୍ତୁ ନା କାହିଁକି ଆମ୍ଭେମାନେ କିନ୍ତୁ ଓଡ଼ିଆ ଭାଷାକୁ Odia ଓ ଆମ ରାଜ୍ୟକୁ Odisha ଲେଖିଵା ହିଁ ଉଚିତ୍ ହେଵ !

କାହିଁକି ?

କାରଣ ଆମ ଭାଷାରେ “ଓଡ଼ିଆ” ତଥା “ଓରିଆ” ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ରହିଛି । “ଓଡ଼ିଆ” ଆମ ଭାଷା ଓ ଜାତିର ଆଧୁନିକ ନାମ ହୋଇଥିଵା ବେଳେ(ପ୍ରାଚୀନ ନାମ ଥିଲା ଓଡ଼,ଓଡ୍ର ଵା ଉଡ୍ର,ଓଡିସୁ/ଉଡ୍ର ଵିଭାଷା/ ଓଡ଼ରାଷ୍ଟ୍ର)ଅନ୍ନ ଵା ଭାତ ଅର୍ଥରେ ଵ୍ୟଵହୃତ ରାଜା ଓ ଦେଵତାଙ୍କ ସମ୍ବନ୍ଧିତ ଶବ୍ଦ ହେଉଛି ଓରିଆ ।

ମୂଳ ଦ୍ରାବିଡ଼ ଧାତୁ ଶବ୍ଦ ଓଡ଼ ଧାତୁର ଅର୍ଥ ଚାଷ କରିଵା । ଓଡ଼ ଜାତୀୟ ଲୋକେ ପ୍ରଥମେ ସମତଳ ଭୂମିରେ ଵ୍ଯାପକ ଚାଷ କରିଵା ଆରମ୍ଭ କରିଥିଵାରୁ ଦ୍ରାବିଡ଼ ଲୋକେ ସେମାନଙ୍କୁ ଓଡ଼ ଅଭିହିତ କରିଥିଲେ ।   ଏହି ଓଡ଼ମାନେ ପୁଣି ଵିଶ୍ଵରେ ସର୍ଵ ପ୍ରଥମେ ଧାନ ଚାଷ କରିଥିଲେ ବୋଲି ପ୍ରମାଣ ମିଳେ ତେଣୁ ସମ୍ଭଵତଃ ଭାତ ଅର୍ଥଜ ଓରିଆ ,ତବତ ଭାତର ଗରମ ପାଣି ଅର୍ଥରେ ଵ୍ୟଵହୃତ ଓରିଆଣି(ଓରିଆ+ପାଣି କିଵା ଅଣ ?) ଓ “ପଛ ଓରିଆ”(ବଡ଼ ଲୋକଙ୍କ ଘରେ ଚାକର ବାକରଙ୍କୁ ଯେଉଁ ମୋଟା ଭାତ ଖାଇବାକୁ ଦିଆଯାଏ) ଇତ୍ୟାଦି ଶବ୍ଦଗୁଡ଼ିକ ଏହି ଦ୍ରାବିଡ଼ ଧାତୁ ଶବ୍ଦ ଓଡ଼ ଧାତୁ ସହିତ ସମଦ୍ଧୃତ ହୋଇଥାଇପାରେ ।

କେଵଳ ଓଡ଼ ଵା ଉଡ୍ର ଶବ୍ଦ କାହିଁକି ଓଡ଼ିଶାର ତିନୋଟିଯାକ ମୁଖ୍ୟ ନାମ “ଓଡ଼ିଶା ଵା ଓଡ୍ରରାଷ୍ଟ୍ର, କଳିଙ୍ଗ ଓ ଉତ୍କଳ” ନାମର “ଚାଷ ଓ ଚାଷୀ” ସହିତ ସମ୍ପର୍କ ଥିଵା କେତେକ ଗଵେଷକଙ୍କ ମତ । କେମିତି ?

୧)ଓଡ଼ ଶବ୍ଦର ଚାଷ କରିଵା > ଯିଏ ଚାଷ କଲା ତାକୁ ଓଡ଼ କୁହାଗଲା । ଓଡ଼ ଜାତୀୟ ଲୋକେ ଭାରତଵର୍ଷରେ ଵିଶେଷ ଖ୍ୟାତି ଉନ୍ନତି ଲାଭ କଲାପରେ ସଂସ୍କୃତ ଭାଷାରେ ଉକ୍ତ ଶବ୍ଦକୁ ଗ୍ରହଣ କରାଯାଇ ଉଡ୍ର୍ ଧାତୁରୁ ଆଲିଙ୍ଗନ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇ ଉଡ୍ର ଓ ଉଡ୍ରରାଷ୍ଟ୍ର ଇତ୍ୟାଦି ଶବ୍ଦର ଵ୍ୟଵହାର ପ୍ରଚଳନ ହେଲା ।

୨)କଳିଙ୍ଗ ଭାଷା କୁଈରେ 'କୁଳିଙ୍ଗ' ଶବ୍ଦର ଅର୍ଥ ଧାନ, ତେଣୁ ଯେଉଁ ମାନେ କୃଷି କରି ଫସଲ ଆବାଦ କରନ୍ତି ସେମାନଙ୍କୁ 'କଳିଙ୍ଗ' ଵା କଳିଙ୍ଗୀ କୁହାଯାଉଥିଲା ‌। ସେହିପରି ଯେଉଁ ଦେଶରେ ଧାନ ଚାଷ ପ୍ରଥମେ ହୋଇଥିଲା ସେ ଦେଶକୁ କଳିଙ୍ଗ କୁହାଗଲା । ଆଜି ବି ଗଞ୍ଜାମ ଜିଲ୍ଲାରେ କାଳିଞ୍ଜୀ ଓ କାଳିଙ୍ଗୀ ବୋଲି ଦୁଇଗୋଟି ଚଷାଜାତି ଅଛନ୍ତି ଏହି ଦୁଇଗୋଟି ଜାତିଵାଚକ ନାମ ପ୍ରୋକ୍ତ ଶବ୍ଦ ନିରୁକ୍ତି ମତର ସମର୍ଥନ କରିଥାନ୍ତି ।

୩) କିଛି କୁହନ୍ତି ଉତ୍+କଳ = ଉତ୍କଳ ହୋଇଅଛି ଆଉ କେତେକଙ୍କ ଅନୁସାରେ ଉତ୍ତର+କଳିଙ୍ଗ = ଉତ୍କଳିଙ୍ଗ > ଉତ୍କଳୀ > ଉତ୍କଳ ହୋଇଅଛି । ତେବେ  ତାମିଲ୍ ଭାଷାରେ ଚଷାକୁ 'ଓକ୍କଳ' କହନ୍ତି । ସମ୍ଭଵତଃ ଓଡ଼ିଶାର ଲୋକେ ପ୍ରଥମେ( ଧାନ ଆଦି ଅନେକ ଖାଦ୍ୟ ଶସ୍ୟର ) ସମତଳ ଭୂମିରେ ଵ୍ୟାପକ ଚାଷ କରିଵା ଆରମ୍ଭ କରିଥିଵାରୁ ଦକ୍ଷିଣ ଭାରତୀୟ ଲୋକେ ଆମ ଜାତିକୁ ଏକ ଚାଷୀ ଜାତି ଭାବେ ଅଭିହିତ କରିଵାକୁ ଯାଇ ଓକ୍କଳ ନାମକରଣ କରିଛନ୍ତି । ପରଵର୍ତ୍ତୀ କାଳରେ ଭାରତଵର୍ଷରେ ଏହି ନାମଟି ଵିଶେଷ ଲୋକପ୍ରିୟ ହେଵାରୁ ଏହାର ସ୍ଵରୂପ ସଂସ୍କୃତ  ନିରୁକ୍ତି ନିର୍ଣ୍ଣୟ ପ୍ରକ୍ରିୟା ଦ୍ଵାରା ଉତ୍ +କଳ = ଉତ୍କଳ ହୋଇଥାଇପାରେ ।

ସେ ଯାହାହେଉ  ଆମ ଜାତି-ଭାଷାକୁ ଆମେ "ଓଡ଼ିଆ" ନକହି ଇଂରାଜୀ ଓ ହିନ୍ଦୀ ହନୁକରଣରେ ଯଥାକ୍ରମେ "ଉରିଆ ଓ "ଉଡି଼ଆ ଵା ଉଡି୍ୟା" କହିଵା ମଧ୍ୟ ଠିକ୍ ହେଵ ନାହିଁ ।

କାରଣ ଆମ ଭାଷାରେ "ଓରିଆ" ଶବ୍ଦର ଏକ ରୂପ ହେଉଛି ଉରିଆ । ସାଧାରଣତଃ  ଘୃତଲିପ୍ତ ପକାନ୍ନ ଓ ରାଜାମାନଙ୍କ ଖାଇବା ଯୋଗ୍ୟ ସରୁ ଓ ଉତ୍କୁଷ୍ଟ ଚାଉଳକୁ "ଉରିଆ" କୁହାଯାଏ । ହନ୍ଦୀଭାଷୀ ଆମ ଭାଷାକୁ "ଉଡି଼ୟା" କହୁଛନ୍ତି ବୋଲି ତାଙ୍କର ଅନୁକରଣରେ ଆମେ "ଉଡି଼ଆ" କହିଵା ବି ଅନୁଚିତ୍ ହେଵ କାରଣ ଆମ ଭାଷାରେ “ଉଡ଼ି ଆ” କହିଲେ "ଉଡ଼ି କରି ଆ" ଏହି ଅର୍ଥ ହୋଇଥାଏ ।

ଅସ୍ତୁ, କିଏ ଆମକୁ କେଉଁ ନାମ ଧରି ଡାକୁଛି ସେଇଟା ତା ନିଜସ୍ଵ ଵ୍ୟାପାର କିନ୍ତୁ ଆମ ଜାତିର ମାନକ ଭାଷା ଆଧାରରେ ଆମ ଭାଷା,ଜାତି ଓ ଦେଶର ଯେଉଁ ନାମକରଣ କରାଯାଇଛି ଆମକୁ ସେହି ନାମକୁ ହିଁ ପ୍ରାଥମିକତା ଦେଵାକୁ ହେଵ ।