My Blog List

Friday, October 1, 2021

ଉତ୍ତର ଓଡ଼ିଶା ଵିଚ୍ଛିନ୍ନାଞ୍ଚଳର ଭାଷା ଓ ସଂସ୍କୃତି (ଲେଖକ ଦୀନବନ୍ଧୁ ମିଶ୍ର)


‘ପୋଡାହାଟ’ ର ରାଜାକୁ ସିଂହଭୂମର ରାଜା ବୋଲି କୁହାଯାଏ, କାରଣ ପୋଡାହାଟର ଓଡ଼ିଆ ରାଜାଙ୍କର କୁଟୁମ୍ବମାନେ ଯାଇ ସିଂହଭୂମର ଵିଭିନ୍ନ ଅଞ୍ଚଳରେ ରାଜ୍ୟସ୍ଥାପନ କରି ଆଦିଵାସୀମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତିର ପ୍ରତିଷ୍ଠା କରିଥିଲେ । ଭକ୍ତ ରାଜ୍ୟମାନଙ୍କର ପୁରାତନ ନଥିପତ୍ର ଯାଞ୍ଚକଲେ ତାହା ଓଡ଼ିଆଭାଷାରେ ଲେଖାହୋଇଥିଵା ଦେଖିଵାକୁ ମିଳିଛି ।

‘ପୋଡାହାଟ’ର ଶେଷ ସ୍ବାଧନ ଓଡିଆରାଜା ଥିଲେ ଅର୍ଜୁନ ସିଂହ । ସେ ଜଣେ ଦେଶପ୍ରେମୀ ଓ ସ୍ୱାଭିମାନୀ ଵ୍ୟକ୍ତି ଥିଲେ । ୧୮୫୮ ମସିହାରେ ଜାତୀୟଭାବରେ ଉଦ୍‌ବୁଦ୍ଧ ହୋଇ ସେ ଇଂରାଜିଦ୍ରୋହୀ ହେଇଉଠିଵାରୁ ଇଂରାଜିସରକାର ତାଙ୍କର ସମସ୍ତ ସମ୍ପରି ବାଜ୍ୟାପ୍ତ କରିଥିଲେ । ‘ପୋଡାହାଟ’ର ରାଜାମାନଙ୍କର ସମ୍ବଲପୁର ଓ ମୟୂରଭଞ୍ଜ ରାଜାମାନଙ୍କ ସହିତ ଵିଵାହସୂତ୍ରରେ ବନ୍ଧୁ ବାନ୍ଧଵ ସମ୍ପର୍କ ରହିଥିଲା । ୧୭୭୬ ମସିହାରେ ମେଦିନୀପୁରର ଇଂରାଜୀ ସରକାରଙ୍କର ପ୍ରତିନିଧି (Resident) ଜର୍ଜ ଵାନ୍ସିଟାର୍ଟ (Gorge Vansittart) ସିଂହଭୂମ (ପୋଡାହାଟ) ର ରାଜା ଜଗନ୍ନାଥ ସିଂହଙ୍କ ଵିଷୟରେ କଲିକତାରେ ଥିଵା ଇଂରାଜି ସରକାରୀ ମୁଖ୍ୟ ଵେରେଲ୍‌ଷ୍ଟ (Verelst) ଙ୍କୁ ଜଣାଇ ଲେଖି ଥିଲେ,

"This Raja is by marriage a distant relation of Sambalpur Raja; there is a constant correspondence between the two districts and an uninterrupted intercourse of merchants."

ରାଜା ଵିଵାହସୂତ୍ରରେ ସମ୍ବଲପୁର ରାଜାଙ୍କର ଦୂରସମ୍ପକୀୟ; ଏହି ଦୁଇଟି ଜିଲ୍ଲାମଧ୍ୟରେ ନିରଵିଛିନ୍ନ ସମ୍ପର୍କ ଓ ଅଵାଧ ଵାଣିଜ୍ୟ ରହିଅଛି।’’

ଆଦିବାସୀମାନଙ୍କ ମଧ୍ୟରେ ସିଂହଭୂମରେ ‘ହୋ’ ଆଦିଵାସୀମାନେ ସଂଖ୍ୟାଗରିଷ୍ଠ । ଏହି ‘ହୋ’ ଆଦିଵାସୀ ମାନେ ଛୋଟନାଗପୁରର ଅନ୍ୟ ଅଞ୍ଚଳ ମାନଙ୍କରେ ଦେଖାଯାଆନ୍ତି ନାହିଁ । କିନ୍ତୁ ସେମାନେ ବହୁସଂଖ୍ୟାରେ ଓଡିଶାର ଗଡ଼ଜାତ ରାଜ୍ୟ ଯଥା, ମୟୂରଭଞ୍ଜ, ବଣାଇ, ଗାଙ୍ଗପୁର, କେଉଁଝର, ଷଢେଇକଳା ଓ ଖରସୁଆଁରେ ଦେଖାଯାଆନ୍ତି। ଏମାନେ ସାଧାରଣତଃ ଓଡିଆଭାଷାରେ ଶିକ୍ଷିତ ହୋଇଥାଆନ୍ତି । ପ୍ରତ୍ନତତ୍ତ୍ଵଵିତ୍ ତଥା ଐତିହାସିକମାନେ ପ୍ରମାଣ କରିଛନ୍ତି ଯେ ‘ହୋ’ ମାନେ ଯଦି କୌଣସି ପ୍ରଥମ ଆର୍ଯ୍ୟଜାତି ସଂସ୍ପର୍ଶରେ ଆସିଥାଆନ୍ତି, ସେମାନେ ହେଲେ ଓଡି଼ଆ। ଏଠାର ଆଦିଵାସୀମାନେ ଓଡିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ଙ୍କୁ ଛାଡି଼ଦେଲେ ଅନ୍ୟ କୌଣସି ବାହାରର ଲୋକଙ୍କୁ ସହିପାରନ୍ତି ନାହିଁ । ଏମାନଙ୍କର ଗ୍ରାମମାନଙ୍କରେ ଓଡ଼ିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ମାନେ ବାସ କରନ୍ତି ।

ପୌରାଣିକ ଯୁଗରେ ମଧ୍ୟ ଆମେ ଏ ଵିଷୟର ସଂକେତ ପାଉ । ସ୍କନ୍ଦପୁରାଣ ଉତ୍କଳଖଣ୍ଡ ୬ଷ୍ଠ ଅଧ୍ୟାୟର ୨୭ ଶ୍ଲୋକ ଓ କାଳିଦାସଙ୍କର ରଘୁବଂଶ ୪ର୍ଥ ସର୍ଗର ୩୬, ୩୭, ଓ ୩୮ ଶ୍ଳୋକରେ ସିଂହଭୂମକୁ ଉତ୍କଳର ଏକ ଅଂଶ ରୂପେ ଵର୍ଣ୍ଣନା କରାଯାଇଛି ।

ସିଂହଭୂମ ଅଞ୍ଚଳର ଲୋକମାନେ ପାରମ୍ପରିକ ପୂଜା ସମୟରେ ସଂକଳ୍ପ ପାଠରେ କହିଥାଆନ୍ତି - ''ଜମ୍ବୁଦ୍ୱୀପେ, ଭାରତବର୍ଷେ, ଉତ୍କଳଦେଶେ - ଇତ୍ୟାଦି'’।

ଏହି ଅଞ୍ଚଳର ଅଧିଵାସୀମାନେ ଓଡିଆଙ୍କ ପରି ସୁଦଶାଵ୍ରତ, ଗହ୍ମାପୂର୍ଣ୍ଣିମା, ଚିତଉ ଅମାଵାସ୍ୟା, ସୁନିଆଁ, ଇନ୍ଦ୍ରଯାତ୍ରା, ଦୁର୍ଗାପୂଜା, କୁମାରପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଗୁରୁବାର ଓଷା, ଶାମ୍ବଦଶମୀ, ଆଦି ଓଡ଼ିଆ ପର୍ଵମାନ ପାଳନ କରନ୍ତି।

ଏମାନଙ୍କର ଵିଵାହ ଉତ୍ସଵ ଓ ଅନ୍ୟାନ୍ୟ ସାମାଜିକ କର୍ମ ଓଡିଆ ପୁରୋହିତ ଦ୍ବାରା ସମ୍ପାଦିତ ହୁଏ।

ବଙ୍ଗୀୟମାନଙ୍କର ପରି ଏକାଦିନେ ‘କୁଶଣ୍ଡିକ ହୋମ’ ନ କରି ଏମାନେ ଓଡିଆଙ୍କ ପରି ଅନ୍ୟଦିନ ହୋମ କରିଥାନ୍ତି ।

ବଙ୍ଗୀୟମାନେ ୩୧ ଦିନରେ ଶ୍ରାଦ୍ଧକଲାବେଳେ ଏମାନେ ଓଡିଆଙ୍କ ପରି ଦଶଦିନରେ (ଦଶାହ) ଶ୍ରାଦ୍ଧ କରିଥାଆନ୍ତି । ଏଠାରେ ଅଣ-ବ୍ରାହ୍ମଣମାନେ ଓଡି଼ଆକରଣ ଗୋସାଇଁମାନଙ୍କୁ କୁଳଗୁରୁ କରିଥାନ୍ତି । କିନ୍ତୁ ଏମାନଙ୍କର ସମସ୍ତ କର୍ମକର୍ମାଣି ଓଡିଆ ବ୍ରାହ୍ମଣଙ୍କ ଦ୍ଵାରା ସମ୍ପାଦିତ ହୁଏ ।

ଏହି ପୂଜାର ମନ୍ତ୍ରଗୁଡିକ ତାଳପତ୍ରପୋଥିରେ ଓଡ଼ିଆ ଅକ୍ଷରରେ ଲିପିବଦ୍ଧ ହୋଇଥାଏ । ମାନଵ ଜାତିତତ୍ତ୍ୱଜ୍ଞମାନେ (Ethnologists) ସିଂହଭୂମରେ ଥିଵା ହୋ, ସାନ୍ତାଳ, କୋହ୍ଲ ପ୍ରଭୃତି ଆଦିଵାସୀମାନଙ୍କର ଭାଷାରେ ଓଡ଼ିଆଭାଷାର ପ୍ରଭାଵ ସୂଚାଇଛନ୍ତି ।

ଆମେମାନେ ଓଡିଆରେ ‘ଆରେ', 'କିରେ', 'ଯାରେ' ଆଦିରେ ‘ରେ’ ଵ୍ୟଵହାର କଲାପରି ସେମାନେ ମଧ୍ୟ କଥିତଭାଷାରେ ‘ରେ’ ର ସେହିପ୍ରକାର ଵ୍ୟଵହାର କରିଥାନ୍ତି । ଆମେ ଓଡିଆରେ ‘ଆଲୋ’, ‘ହଇଲୋ’ ଆଦି ଵ୍ଯଵହାର କଲାପରି ସେମାନେ ମଧ୍ୟ ‘ଲୋ’ ର ଵ୍ୟଵହାର କରିଥାଆନ୍ତି । ଏମାନେ ଛେଳିକୁ ‘ମେରୋମ’ ବୋଲି କହିଥାଆନ୍ତି । କିନ୍ତୁ ମାଇଛେଳିକୁ ‘ପେଣ୍ଠି ମେରୋମ’ ବୋଲି କହିଥାଆନ୍ତି। ‘ପେଣ୍ଠି’ ଏକ ଓଡି଼ଆ ଦେଶଜ
  ଶବ୍ଦ । ଜଳାଶୟକୁ ଏମାନେ ଓଡ଼ିଆଙ୍କପରି ପୋଖରୀ ବୋଲି କହିଥାଆନ୍ତି। ସାନ୍ତାଳିଭାଷାରେ ଓଡ଼ିଆର ପ୍ରଭାଵରେ ‘ଲୁଗା’ କୁ ‘ଲୁଗ୍ରି’ ବୋଲି କହିଥାଆନ୍ତି। ଏମାନେ ‘ଚାଉଳ’କୁ ‘ଚାଉଳି’ ବୋଲି କହନ୍ତି। ‘ଚାର’, ‘ସହଜ’, ‘କେନ୍ଦୁ’ ଆଦି ଗଛର ନାମ ଗୁଡିକ ସିଂହଭୂମର ଅଧିଵାସୀମାନେ ଵ୍ୟଵହାର କରୁଥିଵା ବେଳେ ଏହି ନାମ ଗୁଡିକ କେଵଳ ଓଡିଶାରେ ପ୍ରଚଳିତ ଥିଵା ଦେଖାଯାଏ । ‘ହୋ’ ମାନେ କେନ୍ଦ୍ରକୁ ‘କେନ୍ଦ' ଓ ସାନ୍ତାଳମାନେ ‘ହେଲେ’ ବୋଲି କହିଥାଆନ୍ତି । ସେହିପରି ଆମେ କେଶଶୂନ୍ୟ ମସ୍ତିଷ୍କକୁ ‘ଚନ୍ଦା' କହିଲାବେଳେ ଏମାନେ ମଧ୍ୟ ‘ଚନ୍ଦା’ ବୋଲି କହିଥାଆନ୍ତି । ଏହିପରି ବହୁ ଓଡିଆ ଦେଶଜ ଶବ୍ଦର ଵ୍ୟଵହାର ସିଂହଭୂମଵାସୀଙ୍କର କଥିତଭାଷାରେ ରହି ସେଠାରେ ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ ଭାଷାର ପ୍ରତିଷ୍ଠା କଥା ସୂଚାଇ ଦିଏ ।
 
ପ୍ରସିଦ୍ଧ ଭାଷାତତ୍ତ୍ୱବିତ୍ ଜନ୍ ବିମସ୍ (John Beams) ତାଙ୍କର 'Comparative Grammer of modem Aryan Languages of India' Vol I, ରେ ଓଡିଆ ଭାଷାର ଭୌଗୋଳିକ ଅଵସ୍ଥିତି ସୂଚାଇଵାକୁ ଯାଇ କହିଛନ୍ତି, ‘‘ଏହି ଭାଷା କେଵଳ ଉପକୂଳଵର୍ତ୍ତୀ ଶିକ୍ଷିତ ଲୋକମାନଙ୍କଦ୍ୱାରା ଵ୍ୟଵହାର କରାଯାଏ ନାହିଁ ପରନ୍ତୁ ଶହ ଶହ ମାଇଲ ଧରି ପଶ୍ଚିମରେ ନାଗପୁର ଓ ଦକ୍ଷିଣରେ ତେଲେଙ୍ଗାନା ପର୍ଯ୍ୟନ୍ତ ଥିଵା ଅଞ୍ଚଳରେ ରହୁଥିଵା ଆଦିଵାସୀମାନଙ୍କ ଦ୍ବାରା ମଧ୍ୟ ଵ୍ୟଵହୃତ ହୁଏ ।ଉପରୋକ୍ତ ପୁସ୍ତକର ୧୦୫ ପୃଷ୍ଠାରେ ଲେଖକ ମତ ଦେଇ କହିଛନ୍ତି ଯେ ଉପକୂଳଵର୍ତ୍ତୀ ଅଞ୍ଚଳର ଓଡି଼ଆମାନଙ୍କ ଉଚ୍ଚାରଣ ଅସ୍ପଷ୍ଟ ଓ ତରବରିଆ ହୋଇଥିଲାବେଳେ ପାହାଡି଼ ଅଞ୍ଚଳର ଓଡିଆମାନଙ୍କର ଉଚ୍ଚାରଣ ସ୍ପଷ୍ଟ । ଏହିସବୁ କାରଣରୁ ୧୮୦୩ ମସିହାରେ ‘ହୋ’ ଆଦିଵାସୀମାନେ ,ଇଂରେଜମାନେ ଓଡିଆକୁ ଏ ଅଞ୍ଚଳ ଯୋଗସୂତ୍ରକାରୀ ତଥା ଆଞ୍ଚଳିକ ଭାଷାରୂପେ ସ୍ବୀକୃତି ଦେଵାକୁ ଦାବୀଜଣାଇଥିଲେ । ଏହି ‘ହୋ’ ମାନେ ସିଂହଭୂମର ଆଦିଵାସୀମାନଙ୍କ ମଧ୍ୟରେ ସଂଖ୍ୟା ଗରିଷ୍ଠ । ସାଧାରଣତଃ ‘ହୋ’ ଆଦିଵାସୀମାନେ ଓଡିଶାରେ ବହୁସଂଖ୍ୟାରେ ଥିଵାବେଳେ ଅନ୍ୟ ଅଞ୍ଚଳରେ ପ୍ରାୟ ଦେଖାଯାଆନ୍ତି ନାହିଁ ।

‘‘ ଭାଷାତତ୍ତ୍ୱଵିତ୍ ଡଃ ଗ୍ରୀଅରସନ୍ (Dr. Grerson) ତାଙ୍କର 'Linguistic survey of India' ପୁସ୍ତକରେ କହିଛନ୍ତି. "Oriya is also the language of the most of the district of Singbhum.

“ଓଡ଼ିଆ ଭାଷା ଛୋଟନାଗପୁର ଡିଭିଜନର ସିଂହଭୂମର ଅଧିକାଂଶ ଅଞ୍ଚଳର ତଥା ଅନ୍ୟାନ୍ୟ ସୀମାନ୍ତ ରାଜ୍ୟମାନଙ୍କରେ କଥିତ ହୁଏ ।’’

୧୯୧୯ ମସିହାରେ ସିଂହଭୂମର ଡେପୁଟି କମିଶନର ଏ. ଗାରେଟ୍ (Mr. A. Garret) ତାଙ୍କର ଚିଠିନମ୍ବର ୫୭-ଟି.ସି. (Letter N.O. 57-TC, Chaibasa, 1st & 10th March) ରେ ଲେଖିଛନ୍ତି,

"That Porhat and Dhalbhum are essentially Oriya, when they are not aboriginal is undeniable; that Oriya is not taught in the school of these Estates is a great wrong to the people concerned".

‘‘ଆଦିବାସୀମାନଙ୍କୁ ଛାଡିଦେଲେ ପୋଡା଼ହାଟ ଓ ଧଳଭୂମ ମୁଖ୍ୟତଃ ଓଡି଼ଆ । ଏହି ଅଞ୍ଚଳର ଵିଦ୍ୟାଳୟମାନଙ୍କରେ ଓଡ଼ିଆ ଶିକ୍ଷା ଦିଆଯାଉନଥିଵା, ସେଠାର ଲୋକଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ।

ଛୋଟନାଗପୁର ଡିଭିଜନର କମିଶନର ବି. ଫୋଲେ (Mr. B. Foley, I.C.S.) ବିହାର ଓଡିଶା ସରକାରଙ୍କର ଵିଚାର ଵିଭାଗର ସେକ୍ରେଟାରୀଙ୍କୁ ଚିଠି ନମ୍ବର ୮୬୮-ଜେ (868-J, dated Ranchi 26th March 1919) ରେ ଜଣାଇଛନ୍ତି :

"On the otherhand when touring through the west of Dhalbhum, Kolhan, Sareikala and Kharsuan I have always been struck with the Oriya look of the villages. The houses seem to be built in the same way as in Balasore, Cuttack, Puri and the Orissa Tributary states."

‘‘ଅନ୍ୟପକ୍ଷରେ ଧଳଭୂମ, କୋହ୍ଲାନ, ଷଢେଇକଳା ଏବଂ ଖରସୁଆଁ ମଧ୍ୟଦେଇ ଗସ୍ତରେ ଯିଵା ସମୟରେ ମୁଁ ସବୁବେଳେ ଗ୍ରାମମାନଙ୍କରେ ଓଡ଼ିଆ ଢାଞ୍ଚ ଦେଖିଵାକୁ ପାଇଛି, ବାଲେଶ୍ୱର, କଟକ, ପୁରୀ ଏଵଂ ଓଡି଼ଶାର ଅନ୍ୟାନ୍ୟ ରାଜ୍ୟରେ ଥିଵା ଘରଗୁଡି଼କର ଗଠନ ଶୈଳୀ ଏଠାରେ ଦେଖିଵାକୁ ମିଳେ’’ ।

ଆନନ୍ଦପୁର, କେରା, ବଡଗାଓଁର ଜମିଦାରମାନେ ‘ପୋଡହାଟ’ ରାଜାଙ୍କର ବଂଶଧର ହୋଇଥିଵାରୁ ଓଡି଼ଆ। ଐତିହାସିକ ବି.ସି.ମଜୁମଦାରଙ୍କ ମତରେ ରାଞ୍ଚି, ସିଂହଭୂମ ଓ ମାନଭୂମର ରାଜା ଓ ଜମିଦାରମାନେ ମୁଖ୍ୟତଃ ଓଡ଼ିଆ ରାଜା ଓ ଜମିଦାରମାନଙ୍କ ସହିତ ଵୈଵାହିକ ଏଵଂ ସାମାଜିକ ସୂତ୍ରରେ ଆଵଦ୍ଧ ଥିଲେ । ଧଚ୍ଚଭୂମର ଜମିଦାର ଜଣେ ଓଡିଆ କ୍ଷତ୍ରିୟ। କାରଣ ‘ଧଳ’ ସାଙ୍ଗିଆ କେବଳ ଓଡିଶାରେ ବ୍ୟବହାର କରାଯାଏ । ଏହି ରାଜା ଓ ଜମିଦାର ମାନେ ଓଡ଼ିଆ ବ୍ରାହ୍ମଣଙ୍କୁ କୁଳଗୁରୁ କରିଥାଆନ୍ତି ଓ ବିଧିମତେ ସୁନିଆଁ ଓ ଗହ୍ମାପୂର୍ଣିମା ପାଳନ କରନ୍ତି । କହିବାକୁ ଗଲେ ଭାଷା ରୀତିନୀତି ଓ ଆଚାର ଆଦିରେ ଏମାନେ ଓଡିଆ । ଧଳଭୂମରେ ଓଡିଶାପରି ରାଜାବସାଇଥିବା ବ୍ରାହ୍ମଣଶାସନମାନ ଦେଖାଯାଏ । ୧୯୧୬ ମସିହାରେ ପୋଡାହାଟ, ଧଳଭୂମ, କେରା, ଆନନ୍ଦପୁର, ଚଇନପୁର ଏବଂ ବଡଗାଓଁର ଜମିଦାରମାନେ ଏକ ତତ୍କାଳୀନ ବିହାର-ଓଡିଶା ଗଭର୍ଣ୍ଣର ଏଡୱାର୍ଡ ଗେଟ୍‌ଙ୍କୁ ଜଣାଇଥିଲେ ଯେ ସ୍କୁଲ ଓ କଚେରୀମାନଙ୍କରେ ଓଡିଆ ଭାଷାର ପ୍ରଚଳନ ରହୁ । ଏଠାର ରାଜା, ଜମିଦାର ଓ ପ୍ରଜାମାନେ ଓଡିଆମାନଙ୍କ ପରି ‘ମିତାକ୍ଷର’ ପରମ୍ପରାର ଅନ୍ତର୍ଭୁକ୍ତ । ଏହିସବୁ ଅଞ୍ଚଳରେ ଲୋକମାନେ ମାଦଳାପାଞ୍ଜି ମାନନ୍ତି । ଗ୍ରାମମୁଖ୍ୟମାନଙ୍କୁ ଏଠାରେ ଓଡିଆଙ୍କ ପରି ‘ପ୍ରଧାନ’ କୁହାଯାଏ । କେତେକ ଜାଗାରେ ‘ଠିକାଦାର ମଧ୍ୟ କୁହାଯାଏ । ଓଡିଶାର ପୁରାତନ ଆଇନର ‘ଖୁଣ୍ଟାକାଟି’ ଅଧିକାର ପ୍ରଚଳନ ଏହି ଅଞ୍ଚଳମାନଙ୍କର ପୁରାତନ ଜମିଜମା ରେକର୍ଡରୁ ମିଳେ । ତହିଁରେ ‘ଖୁଣ୍ଟାକାଟି’ ଶବ୍ଦର ଵ୍ୟଵହାର ମଧ୍ୟ ମିଳେ। ପୂର୍ଵରେ ଓଡି଼ଆରାଜାମାନଙ୍କର ରାଜତ୍ୱରେ ଯେଉଁ ଜଙ୍ଗଲ ଅଞ୍ଚଳମାନଙ୍କରେ ଓଡି଼ଆ ରାଜାମାନେ ରାଜ୍ୟସ୍ଥାପନ କରୁଥିଲେ, ସେଠାରେ ଜମିଜମା ସଂକ୍ରାନ୍ତୀୟ ବିବାଦରେ, ‘ଖୁଣ୍ଟାକାଟି ଅଧିକାର’ ର ସୁରକ୍ଷା କରାଯାଉଥିଲା । ‘ଖୁଣ୍ଟାକାଟି ଅଧିକାର’ ର ଅର୍ଥ ଏହି ଯେ ଯେଉଁ ଵ୍ୟକ୍ତି ସର୍ଵପ୍ରଥମେ ଜଙ୍ଗଲ ଓ ଅନାବନା ସଫାକରି ସେଠାରେ ଵାସ କରିଥିଲା ତାକୁ ଜମିର ସତ୍ତ୍ଵାଧିକାର ଦିଆଯାଉଥିଲା । ଉପରୋକ୍ତ ଆଲୋଚନାରୁ ସିଂହଭୂମ କିପରି ଭାଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଵହମାନକାଳରୁ ଓଡ଼ିଶା ସହ ଅଙ୍ଗାଙ୍ଗୀଭାବରେ ଜଡିତ ରହିଛି ତାହା ବୁଝାଯାଏ ।

କ୍ରମଶଃ...

⚫⚫⚫⚫⚫⚫⚫⚫⚫⚫⚫⚫
ପୁସ୍ତକ—ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ପ୍ରସଙ୍ଗ
ଲେଖକ— ଦୀନବନ୍ଧୁ ମିଶ୍ର
⚫⚫⚫⚫⚫⚫⚫⚫⚫⚫⚫⚫

Wednesday, September 29, 2021

“ଶୂନ୍ୟ ‘୦” ସଂଖ୍ୟା”

ଆଜଟେକ୍ସ, ଇନକା ଓ ଇଜିପ୍ଟର ପ୍ରାଚୀନ ମାନଵ ସଭ୍ୟତାରେ ମଧ୍ୟ ଶୂନ୍ୟ ଆକାରର ଵିଭିନ୍ନ ଚିହ୍ନ ଆଵିଷ୍କାର ହୋଇଥିଲା । ପ୍ରାଚୀନ ଇଜିପ୍ଟରେ nfr (𓄤) ବୋଲି ଏକ ଚିହ୍ନ ଵ୍ୟଵହାର ହେଉଥିଲା । ପ୍ରାଚୀନ ଇଜିପ୍ଟରେ ଏହାକୁ Nefertiti, Nefertari ଓ Neferhotep ଆଦି ଵିଭିନ୍ନ ନାମରେ ଜଣାଯାଉଥିଲା ।  ଏହା ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଲା କି ନାହିଁ ସ୍ପଷ୍ଟ ନୁହେଁ ତେବେ କେତେକ ଗଵେଷକ କୁହନ୍ତି  ପ୍ରାଚୀନ ଇଜିପ୍ଟରେ ଗୃହନିର୍ମାଣ ସମୟରେ 'nfrw' ଶବ୍ଦ 'level zero'  ଓ  'nfr'  zero balance ଅର୍ଥରେ ପ୍ରୟୋଗ ହେଉଥିଲା । nfr (𓄤)ର ଅର୍ଥ ଉଦାରହୃଦୟ , ସୁନ୍ଦର,ଭଲ ଓ ଉତ୍କୃଷ୍ଟ ବୋଲି କେତେକ ଅଭିଧାନରେ ଉଲ୍ଲେଖ ରହିଛି । ଆମେରିକାର ପ୍ରାଚୀନ ମାୟା ସଭ୍ୟତାର ଗଣନ ପଦ୍ଧତିରେ 𝋠 ବୋଲି ଏକ ଚିହ୍ନ ଯାହା ଦେଖିଵାକୁ ଖାଲି ଶଙ୍ଖ 🐚 ଶାମୁକା 🦪 ଵା 🐌 ଘୁଲି ଆକାରର ,ଏହାକୁ ଶୂନ୍ୟ ଅର୍ଥରେ ଵ୍ୟଵହାର କରାଯାଉଥିଵା ଜଣାଯାଏ । ଗଵେଷକମାନେ କୁହନ୍ତି ଆମେରିକାର ପ୍ରାଚୀନ ଅଧିଵାସୀ ଲୋହିତ ଭାରତୀୟମାନେ ମଧ୍ୟଏସିଆ ଓ ସାଇବେରିଆକୁ ପାରକରି ଆଲାସ୍କା ଦେଇ ଆମେରିକାରେ ପଦାର୍ପଣ କରିଥିଲେ । ସେଠାରୁ ସେମାନେ ସାରା ଆମେରିକାରେ ଵ୍ୟାପି ଯାଇଥିଲେ ଏଵଂ ହଜାର ହଜାର ଵର୍ଷ ଵସଵାସ କଲାପରେ ସେମାନଙ୍କର ମାୟା,ଇନକା ଓ ଆଜଟେକ୍ସ ଆଦି ସଭ୍ୟତା ଗଢିଉଠିଥିଲା । ଭାରତୀୟ ପୁରାଣକଥାରେ ସପ୍ତଦ୍ଵୀପ ଵା ସାତଗୋଟି ମହାଦେଶର କଥା ରହିଛି । ପୁରାଣକୁ ଇତିହାସ ମନେକରୁଥିଵା ଲୋକେ ଵିଶ୍ଵାସ କରନ୍ତି ଯେ ଏମାନେ ପୁରାଣୋକ୍ତ ସେହି ସପ୍ତଦ୍ଵୀପ ମଧ୍ୟରେ ଦୁଇ ଦ୍ଵୀପରେ ଵାସକରୁଥିଵା ଅଧିଵାସୀ । ହୁଏତ ପ୍ରାଚୀନ କାଳରେ ଲୋହିତ ଭାରତୀୟମାନଙ୍କ ସହିତ ପୁରୁଣା ଵିଶ୍ଵର ଲୋକଙ୍କର  କୌଣସି ପ୍ରକାରେ ସମ୍ପର୍କ ରହିଥିଲା ଫଳତଃ ସେମାନେ ଶୂନ୍ୟ ତଥା ସଂଖ୍ୟାଗଣନର ଵ୍ୟଵହାର ଜାଣିଥିଲେ । ଅଦ୍ୟପି ପାଶ୍ଚାତ୍ୟ ଗଵେଷକମାନେ କୁହନ୍ତି ଯେ ସେମାନେ ଆପେ ଖାଲି  ଘୁଲି ଵା ଶଙ୍ଖର ଖୋଳପକୁ ଶୂନ୍ୟର ସଂଜ୍ଞା ଦେଇ ଏଭଳି ଏକ ଆଵିଷ୍କାର କରିଥିଲେ ।

କିଛି ଵର୍ଷ ତଳେ ଭାରତଵର୍ଷର ଗ୍ଵାଲିୟର ଦୁର୍ଗ ମଧ୍ୟରେ ଅଵସ୍ଥିତ ଏକ ଛୋଟିଆ ମନ୍ଦିର କାନ୍ଥରେ ଶୂନ୍ଯ (୦) ଅଙ୍କିତ ହୋଇଥିଵା ଜଣାପଡି଼ଲା ।  ଏହାକୁ ଶୂନ୍ଯ  ଲିଖନର ଦ୍ଵିତୀୟ ପୁରାତନ ଜ୍ଞାତ ଉଦାହରଣ ବୋଲି ଅଭିହିତ କରାଯାଇଛି । ଗଵେଷକଙ୍କ ମତରେ ଉକ୍ତ ମନ୍ଦିରରେ ସେହି ଶୂନ୍ଯକୁ ଆଜକୁ ପ୍ରାୟ ୧୫୦୦ ଵର୍ଷ ପୂର୍ଵେ ଅଙ୍କିତ କରାଯାଇଥିଲା ।

ସେହିପରି ପ୍ରାଚୀନ ବକ୍ଷାଳୀ ପାଣ୍ଡୁଲିପିରେ ଶୂନ୍ଯର ପ୍ରୟୋଗ କରାଯିଵା ସହ ସେଥିରେ ତହିଁର ସଂକେତ ମଧ୍ୟ  ନିଶ୍ଚିତ ହୋଇଥିଲା । ବକ୍ଷାଳୀ ପାଣ୍ଡୁଲିପି କେବେ ଲେଖାଯାଇଥିଲା ତାହା ଆଜି ବି ଅସ୍ପଷ୍ଟ କିନ୍ତୁ ଆର୍ଯ୍ୟଭଟ୍ଟଙ୍କ ପୂର୍ଵରୁ ଏହା ଲେଖାଯାଇଥିଵା ଜଣାଯାଏ ।

ବକ୍ଷାଳୀ ପାଣ୍ଡୁଲିପି ମଧ୍ୟରେ ଶୂନ୍ଯକୁ  ଏକ ବିନ୍ଦୁ (Dot) ରୂପରେ ନିରୂପିତ କରାଯାଇଛି ଏଵଂ ତାହାକୁ  'ଶୂନ୍ଯସ୍ଥାନ' କୁହାଯାଇଛି। ପରେ  ନାଟ୍ୟକାର ସୁବନ୍ଧୁ ତାଙ୍କର ଵାସଵଦତ୍ତା ନାଟକରେ 'ଶୂନ୍ଯବିନ୍ଦୁ' ଶବ୍ଦ ଵ୍ୟଵହାର କରିଛନ୍ତି । ଗଣିତର ଇତିହାସ ଦୃଷ୍ଟିରୁ ଵାସଵଦତ୍ତା ନାଟକ  ମହତ୍ଵପୂର୍ଣ୍ଣ କାରଣ ଏଥିରେ ସୁବନ୍ଧୁ  "ଶୂନ୍ଯବିନ୍ଦୁ" ଶବ୍ଦର ପ୍ରୟୋଗ କରିଛନ୍ତି ।   ଶୂନ୍ଯର ସ୍ଵରୂପ (ଆକାର) ଵିଷୟରେ ଉଲ୍ଲେଖ ଏହି ଗ୍ରନ୍ଥରେ ମିଳିଥାଏ ।‌

ଵିଶ୍ଵଂ ଗଣୟତୋ ଵିଧାତୁଃ ଶଶିକଠିନୀଖଣ୍ଡେନ ତମୋମଷୀଶ୍ଯାମେଽଜିନ ଇଵ ଵିୟତି ସଂସାରସ୍ଯାତିଶୂନ୍ଯତ୍ଵାତ୍ ଶୂନ୍ଯବିନ୍ଦଵ ଇଵ ଵିତତାସ୍ ତାରା ଵ୍ଯରାଜନ୍ତେତି।”

(ଅର୍ଥ - ଵିଧାତା ଵିଶ୍ଵର ଗଣନା କରନ୍ତି । ତାଙ୍କ ପାଖରେ ଚନ୍ଦ୍ରରୂପୀ ସୁଧାଖଣ୍ଡ  ଅଛି । ଅନ୍ଧକାରରୂପୀ ସ୍ଯାହୀଯୁକ୍ତ କଳା ଆକାଶରୂପୀ ମୃଗଚର୍ମ ଅଛି । ଗଣନା କରି ଵିଧାତାଙ୍କର ମନେ ହେଉଛି ଯେ ଏ ସଂସାର ଶୂନ୍ଯ ଅଟଇ ।  ଏଥିରେ କିଛି ବି ନାହିଁ ‌ । ତହୁଁ ସେହି ସୁଧାଖଣ୍ଡ ସାହାଯ୍ୟରେ ସେ ମୃଗଚର୍ମ ଉପର ତାରା ରୂପକ ଶୂନ୍ଯବିନ୍ଦୁ ସୃଷ୍ଟି କରିଅଛନ୍ତି । ସେହି ତାରା ଉକ୍ତ କାଳଵିଶେଷରେ ପ୍ରକାଶିତ ହେଉ ଥିଲେ ।)

ତେବେ ୨୦୧୭ରେ, ଵକ୍ଷାଳୀ ପାଣ୍ଡୁଲିପିରୁ  ତିନୋଟି ନମୁନା ନେଇ ତହିଁର ରେଡିଓକାର୍ବନ ଵିଶ୍ଲେଷଣ କରାଗଲା । ପରୀକ୍ଷଣରୁ ପ୍ରାପ୍ତ ପରିଣାମ ଆଶ୍ଚର୍ଯ୍ୟଜନକ ଥିଲା । କାରଣ ସେହି ତିନିଗୋଟି  ନମୁନାର ସମୟକାଳ ତିନୋଟି ଭିନ୍ନ ଭିନ୍ନ ଶତାବ୍ଦିର ବୋଲି ଜଣାପଡି଼ଥିଲା । ପ୍ରଥମ ନମୁନାଟି ୨୨୪CEରୁ  ୩୮୩CE,
ଦ୍ଵିତୀୟଟି  ୬୮୦CEରୁ–୭୭୯CE, ତଥା ତୃତୀୟ ନମୁନାଟି ୮୮୫CEରୁ–୯୯୩CEର ହୋଇଥିଵା ଜଣାପଡି଼ଲା । ଏହି ପ୍ରଶ୍ନର  ଉତ୍ତର ଆଜି ବି ମିଳିପାରିନାହିଁ ଯେ ଭିନ୍ନ ଭିନ୍ନ ଶତାବ୍ଦୀରେ ରଚିତ ଭୋଜପତ୍ର ଲିଖିତ ପୃଷ୍ଠା କେମିତି, କିପରି ,କିଏ ଓ କାହିଁକି ଏକାଠି ଯୋଡି଼ଥିଲା ।

ଵିଭିନ୍ନ ସଭ୍ୟତାରେ ଶୂନ୍ୟ ସମସାଦୃଶ୍ୟ ଚିହ୍ନ ଥିଲେ ହେଁ ଭାରତରେ ଆର୍ଯ୍ୟଭଟ୍ଟଙ୍କ ଦ୍ଵାରା ଏହାର ଵିଶେଷ ଵ୍ୟଵହାର ଵିଧିର ଆଲୋଚନା କରାଯାଇଥିଲା ।

ଗଣିତରେ ଶୂନ୍ଯ, ପ୍ରଥମ ପ୍ରାକୃତିକ ପୂର୍ଣାଙ୍କ ସଂଖ୍ଯା ଅଟେ । ଏହା ଅନ୍ଯ ସମସ୍ତ ସଂଖ୍ଯାଦ୍ଵାରା ଵିଭାଜିତ ହୋଇ ଯାଏ  । କେଵଳ ଶୂନ୍ଯ ହିଁ ଏକମାତ୍ର ସଂଖ୍ଯା ଅଟେ ଯାହା ଵାସ୍ତଵିକ, ଧନାତ୍ମକ, ଋଣାତ୍ମକ, ଏଵଂ ପୂର୍ଣତଃ କାଳ୍ପନିକ ବି ଅଟଇ ‌ ।

ଆରବୀୟମାନେ ଭାରତୀୟମାନଙ୍କ ସହିତ ଵ୍ୟାପାର ଵାଣିଜ୍ୟ କରୁଥିଵାରୁ ସୁମାରି କରିଵା ହେତୁକ ସେମାନଙ୍କୁ ଉନ୍ନତ ଗଣନ ପଦ୍ଧତିର ଆଵଶ୍ୟକତା ହୋଇଥିଲା । ଫଳତଃ ସେମାନେ ଭାରତୀୟ ଗଣନ ପଦ୍ଧତିକୁ ଅଙ୍ଗୀକାର କଲେ । ସେମାନେ ଶୂନ୍ୟ ଶବ୍ଦକୁ ନେଇ   صِفْر‎ (ṣifr, “nothing, cipher”)କହିଲେ, ପରେ ତାହା ଲାଟିନ୍ ଭାଷାରେ zephirum ହେଲା ଏଵଂ
ସ୍ପେନ, ଇଟାଲୀ ଓ ଫ୍ରାନ୍ସର ଲୋକେ ଉକ୍ତ ଶବ୍ଦକୁ ନେଇ zero ଭାବେ ଵ୍ୟଵହାର କଲେ ।

ଭାରତୀୟ ଶୂନ୍ୟ ଶବ୍ଦର ଦୁଇଗୋଟି ସମ୍ଭାଵିତ ନିରୁକ୍ତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଲେଖାଅଛି...
⚫ସୁ(ଅତିଶୟ)+ଊନ(ନ୍ଯୂନ)+ଯ => ଶୂନ୍ୟ
⚫ଶୂନା(ପ୍ରାଣୀଵଧ)+ହିତାର୍ଥେ. ଯ => ଶୂନ୍ୟ

ତେବେ ପାଶ୍ଚାତ୍ୟ ଭାଷାଵିଦମାନେ ଏହି ଶୂନ୍ୟ ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଧାତୁ *ḱewh₁- (“to swell”) ସହିତ ସମୋଦ୍ଧୃତ ବୋଲି ମତ ଦିଅନ୍ତି ।
Avestan ଭାଷାର  𐬯𐬏𐬭𐬀‎ (sūra) ଶବ୍ଦର ଅର୍ଥ ଗାତ,ଛିଦ୍ର ଏଵଂ ଗୋଟିଏ ସମତଳ ସ୍ଥାନରୁ କିଛି ଦ୍ରଵ୍ୟ ଖାଲି କରିଦେଲେ ଶୂନ୍ୟ କରିଦିଆଗଲେ ତାହା ଗାତ ଅଭିହିତ ହୋଇଥାଏ । ସେହିପରି Armenian ଭାଷାର սոր (sor) ଶବ୍ଦର ଅର୍ଥ ମଧ୍ୟ ଗାତ ଵା ଛିଦ୍ର । ହିନ୍ଦୀରେ ମଧ୍ୟ सुराख़ ବୋଲି ଏକ ଵୈଦେଶିକ ମୂଳର ଶବ୍ଦ ଛିଦ୍ର ଵା କଣା ଅର୍ଥରେ ଚଳୁଅଛି ।  ପାଶ୍ଚାତ୍ୟ ଭାଷାଵିଦମାନେ କୁହନ୍ତି ଶୂନ ସହିତ ଗ୍ରୀକ୍ ଭାଷାର κύλα (kúla, “holes under the eyelids”) ଓ κοῖλος (koîlos, “hollow”) ମଧ୍ୟ ସଗୋତ୍ରୀୟ ସମ୍ବନ୍ଧ ରହିଛି ‌ । ଏହିପରି ଲାଟିନ୍ cavus (“hollow”) ମୂଳର cave(ଗୁମ୍ଫା) ଶବ୍ଦଟି ମଧ୍ୟ ଶୂନ୍ୟ ଶବ୍ଦ ସହିତ ସମୋଦ୍ଧୃତ ଅର୍ଥାତ୍ ସମ ମୂଳରୁ ଉଦ୍ଧୃତ । *ḱewh₁, ଏହି ଗୋଟିଏ ମୂଳ ଭାରୋପୀୟ ଶବ୍ଦରୁ ଏହିପରି ଆହୁରି ସହସ୍ର ସହସ୍ର ଶବ୍ଦ ଵିଭିନ୍ନ ଭାରୋପୀୟ ସୃଷ୍ଟି ହୋଇଅଛି ଏଵଂ ପାଶ୍ଚାତ୍ୟ ଭାଷାଵିଦମାନେ ସେହି ମୂଳ ଶବ୍ଦଟିକୁ Proto Indo European root ଆଖ୍ୟା ଦେଇଛନ୍ତି ।

ଅସ୍ତୁ ଶୂନ୍ୟ ଶବ୍ଦଟି ଭାରତୀୟ ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତ ତଥା ଓଡ଼ିଆରେ ରିକ୍ତତାସୂଚକ ବିନ୍ଦୁ 'ଠ' ସଂଖ୍ଯା ଵା ନଥିଵାର ପରିଚାୟକ ମୁଣ୍ଡଳା ଵ୍ୟତୀତ ଆହୁରି ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଆକାଶକୁ ଶୂନ୍ୟ କୁହାଯାଏ ପୁନଶ୍ଚ ଶୂନ୍ୟ ମଣ୍ଡଳ ଶବ୍ଦର ମଧ୍ୟ ଆମ୍ଭ ଭାଷାରେ ଵ୍ୟଵହାର ରହିଛି । ବାୟୁ ଵା ଅନ୍ଯଵସ୍ତୁ ରହିତ ରିକ୍ତ ସ୍ଥାନ ଯଥା ଅନ୍ତରୀକ୍ଷକୁ ଶୂନ୍ୟ କୁହାଯାଏ । ଅଭାଵ, ରିକ୍ତତା,ନିର୍ଜ୍ଜନସ୍ଥାନ,ଅନଵସ୍ଥିତି ଆଦି ଅର୍ଥରେ ଶୂନ୍ୟ ଶବ୍ଦଟି ଏକ ଵିଶେଷ୍ୟ ଶବ୍ଦ ପରି ପ୍ରୟୋଗ ହେଉଥିଵା ବେଳେ ଏ ଶବ୍ଦ ଵିଶେଷଣ ଭାବେ  ରିକ୍ତ,ଖାଲି, ଫମ୍ପା,ନିର୍ଜ୍ଜନ,ନିସ୍ତଵ୍ଧ,ତୁଚ୍ଛ, ଅନଵସ୍ଥିତ ଵା ସ୍ଥିତିରହିତ,ଵିଷର୍ଣ୍ଣ, ଅପକ୍ଷାପାତ,କପଟତା ହୀନ ଓ ନିରର୍ଥକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ହୀନ ଅର୍ଥରେ
ଅନ୍ୟ ଶବ୍ଦ ସଙ୍ଗେ ଶୂନ୍ୟ ଶବ୍ଦ ଯକ୍ତ ହୋଇଥାଏ ଯଥା—ଧନଶୂନ୍ୟ; ପ୍ରାଣଶୂନ୍ୟ ଇତ୍ୟାଦି ।

ଓଡ଼ିଆ ଭାଷାରେ ଶୂନ୍ୟ ଶବ୍ଦଟି ଚାରିଗୋଟି ସ୍ବତନ୍ତ୍ର ଅର୍ଥରେ ଵ୍ୟଵହୃତ ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

ଓଡ଼ିଆ ଭାଷାରେ ଵିଶେଷ୍ୟ ଭାବେ ବିନ୍ଦୁ ଅର୍ଥରେ ଶୂନ୍ୟ ଶବ୍ଦର ଵ୍ୟଵହାର ହୋଇଛି ।

ତୋ ଵର୍ଣ୍ଣ ବେଦରୁ ବାହାର,
ଠୁଳ ଶୂନ୍ୟରୁ ଅଭ୍ଯନ୍ତର।”
( ଭୂପତି ରାୟ, ପ୍ରେମ ପଞ୍ଚାମୃତ)

ଵିଶେଷଣ ଶବ୍ଦ ଭାବେ ଶୂନ୍ୟ ଶବ୍ଦଟି ଓଡ଼ିଆ ଭାଷାରେ ତିନୋଟି ଅର୍ଥରେ ଵ୍ୟଵହାର ହୋଇଥାଏ ।
(କ)ଯହିଁରେ କୌଣସି କାରଣ ନିର୍ଣ୍ଣୟ କରାୟାଇ ନ ପାରେ ସେ ସ୍ଥିତିକୁ ଆମ ଭାଷାରେ ଶୂନ୍ୟ କୁହାଯାଏ । ସାଧାରଣତଃ ଏ ଅର୍ଥରେ ଶୂନ୍ୟ ଶବ୍ଦଟି ଅନ୍ୟ ଶବ୍ଦ ସହିତ ଯୁକ୍ତ ହୋଇଥାଏ ଯଥା—ଶୂନ୍ୟଫୋଟକା, ଶୂନ୍ୟଫୁଲା।

(ଖ)ଆକାଶରୁ ଶୁଣାଯିଵାକୁ ଶୂନ୍ୟ କୁହାଯାଏ ।
  ଯଥା — ଶୂନ୍ୟଵାଣୀ,ଶୂନ୍ୟଶବଦ ଇତ୍ୟାଦି
  । ଶୂନ୍ୟ ଶବଦ ଏହା ଶୁଣି ।
   ଆନନ୍ଦେ କର୍ଣ୍ଣ ବୀରମଣି ।
   ଦାଢ୍ୟତା ଭକ୍ତି,କର୍ଣ୍ଣରାଜା ସମ୍ବାଦ

(ଗ)ଯନ୍ତ୍ର ପରିଚାଳିତ, ଯାହା ଦୃଶ୍ଯମାନ ଜୀଵଜନ୍ତୁଙ୍କଦ୍ବାରା ଚାଳିତ ନୁହେଁ ତାକୁ ଶୂନ୍ୟ କୁହାଯାଏ
ଯଥା—ଶୂନ୍ୟଗାଡ଼ି ଵା ଶୂନଗାଡି଼

ଭାରତ ଓ ଵିଶ୍ଵର ଵିଭିନ୍ନ ଭାଷାରେ ଭାରତୀୟ ଶୂନ୍ୟ ଶବ୍ଦ ସହିତ ସମୋଦ୍ଧୃତ ସମ ଅର୍ଥଜ ପ୍ରତିଶବ୍ଦ ପ୍ରଚଳିତ ହୋଇଅଛି । ନିମ୍ନରେ ସେହିପରି କିଛି ଶବ୍ଦର ସୂଚୀ ପ୍ରଦାନ କରାଗଲା ।

ସଂସ୍କୃତ—ଶୂନ୍ୟ
ଓଡ଼ିଆ— ଶୂନ,ଶୁ‘ଉ’ନୁ(କଥିତ ଓଡ଼ିଆ),ଶୂନ୍ୟ
ଅହମିଆ— সূঞ (xuñ)
ବଙ୍ଗାଳୀ— শূন্য (śunjô)
ଧୀଵେଶୀ—ސުން‎ (sun̊)
ପାଲୀ— suñña
ଵର୍ମୀ—သုည (su.nya)
ମୋନ(Mon)—သုည
ଥାଇ— สูญ (sǔun, “ଶୂନ,ଖାଲି, ଅଦୃଶ୍ୟ”),ศูนย์ (sǔun)
ଲୂ(Lü)—ᦉᦳᧃ (ṡun, “ଶୂନ୍ୟ , ଅଦୃଶ୍ୟ”)
ପଞ୍ଜାବୀ— ਸੁੰਨ (sunn)
ସିଂହଳୀ— ශුන්යය (śunyaya)
ଆରବିକ୍— صِفْر‎ (ṣifr)
ଲାଓ—ສູນ (sūn)
କନ୍ନଡ଼ —ಸುನ್ನ (sunna) ଓ ಸೊನ್ನೆ (sonne)
ତେଲୁଗୁ—శూన్యము (śūnyamu),సున్న  (sunna)
ସ୍ଵାହିଲୀ —sifuri(ଆରବୀ ଦେଇ)
ଆର୍ମାଇକ୍— ציפר‎ m (ṣīpar) ଓ ܨܺܝܦܰܪ‎ (ṣīpar)
ଅଜରବୈଜାନୀ— sıfır
ଆର୍ମେନୀୟ—զրո(zro; ଲାଟିନ୍ ଦେଇ)
ଅଷ୍ଟୀୟ—cero
କବର୍ଡୀୟ— зыри (zəri)
ଲାଟିନ୍—,zerum ,zephirum, cifra
ମାଳୟୀ(ରୁମୀ ଶୈଳୀ)— kosong, sifar
ପସ୍ତୋ—صفر‎(séfәr)
ପାର୍ସୀ—صِفر‎(sefr)
ସାମୋଆନ୍— selo

ପୁରାତନ ଵିଶ୍ଵରେ(ଆଫ୍ରିକା,ୟୁରେସିଆ) ଶୂନ୍ୟ ଵା “କିଛି ନଥିଵା”କୁ ପ୍ରକାଶ କରିଵାପାଇଁ କୌଣସି
ଚିହ୍ନ ନଥିଲା । ଲୋହିତ ଭାରତୀୟମାନେ ଖାଲି ଘୁଲି ଵା ଗେଣ୍ଡା ଅଥଵା ଶଙ୍ଖର ଖୋଳାପାକୁ ଶୂନ୍ୟର ସଂଜ୍ଞା ଦେଇଥିଲେ ବି ତାହା ପୁରାତନ ଵିଶ୍ଵରେ ପହଞ୍ଚିପାରିନଥିଲା । କିନ୍ତୁ ଭାରତୀୟମାନେ  “କିଛି ନାହିଁ” ସଂଜ୍ଞାକୁ ସୂଚାଇଵା ହେତୁକ  ‘୦’ ର ଵ୍ୟଵହାର କଲେ । ଫଳତଃ ଶୂନ୍ୟର ‘୦’ ପ୍ରତୀକ ହେତୁ ଗଣିତର ଚରମ ଵିକାଶ ସମ୍ଭଵପର ହୋଇପାରିଛି  ।

ଓଡ଼ିଆଭାଷାର ଅନେକ ପୁରାତନ ସାହିତ୍ୟରେ ଶୂନ୍ୟ ଶବ୍ଦଟି ଵିଶେଷ ଭାବେ ଵ୍ୟଵହାର ହୋଇଅଛି ।

ଓଡ଼ିଶାର ମହାକଵି ସାରଳା ଦାସ ଅନ୍ତରୀକ୍ଷ ଓ ଶ୍ରୀଭଗଵାନଙ୍କୁ ଶୂନ୍ୟ ଵିଚାର କରି ଲେଖିଛନ୍ତି

“ଆଦି ହୁଂ ଶୂନ୍ୟ
ଶୂନ୍ୟହୁଂ ଜାତ ପବନ
ପବନ ହୁଂ ଜାତ ହୋଇଲେ
ଯୋଗପୁରୁଷ ଶୂନ୍ୟ ।”

ସେହିପରି ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତର ଵିଭିନ୍ନ ସ୍ଥାନରେ ନାନା ଅର୍ଥରେ ଶୂନ୍ୟ ଶବ୍ଦ ଵ୍ୟଵହୃତ ହୋଇଅଛି ...
ଯଥା—

“ଯେ ଶୁକ ଏକାନ୍ତ ଗମନ ।
କରିଣ ଦେହ କଲେ ଶୂନ୍ୟ ॥”
(ପ୍ରଥମ ସ୍କନ୍ଧ,ଭାଗଵତ)

“ନାଭିରୁ ପ୍ରକାଶେ ଗଗନ ।
ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ ।”
(ତୃତୀୟ ସ୍କନ୍ଧ,ଭାଗଵତ)

“କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ଵହି । ସର୍ବ-ଶୂନ୍ୟ-ମାର୍ଗେ ଯାଇ ତେତେମାତ୍ର ରହି ।”
(ଚତୁର୍ଥ ସ୍କନ୍ଧ,ଭାଗଵତ)

“କେମନ୍ତେ ଧରିବୁ ଜୀଵନ ।
ଦିଶଇ ଦଶଦିଗ ଶୂନ୍ୟ । ”
(ସପ୍ତମ ସ୍କନ୍ଧ,ଭାଗଵତ)

“ଶୂଳ ଆସନ୍ତେ ଶୂନ୍ୟ ପଥେ ।
ଵାସଵ ଧନୁ ଧରି ହସ୍ତେ ।”
(ଅଷ୍ଟମ ସ୍କନ୍ଧ,ଭାଗଵତ)

“ଧୂମ ପୂରିତ ଶୂନ୍ୟ ମଧ୍ୟେ ।
ବେଗେ ଧାଇଁଲା ଘୋରନାଦେ ॥”
(ନବମ ସ୍କନ୍ଧ,ଭାଗଵତ)

“ରୋହିଣୀ ନାମ ଵିଦ୍ୟମାନ ।
ତାହାର ଗର୍ଭ ଅଛି ଶୂନ୍ୟ ॥”
(ଦଶମ ସ୍କନ୍ଧ,ଭାଗଵତ)

“ଶୂନ୍ୟ ମଣ୍ଡଳେ ରଥେ ଥାଇ ।
କପୋଳେ ଵେନିକର ଦେଇ ॥”
(ଏକାଦଶ ସ୍କନ୍ଧ,ଭାଗଵତ)

ଜଗନ୍ନାଥ ଦାସଙ୍କ ପରେ ନିଜର ସହ ସହ ଗୀତିକଵିତାରେ ଭୀମଭୋଇ, ଅଚ୍ୟୁତାନନ୍ଦ ଦାସ ଓ ଵନମାଳୀ ଦାସ ଆଦି ଅନେକ କଵି ଶୂନ୍ୟ ଶବ୍ଦର ଵ୍ୟଵହାର କରିଯାଇଛନ୍ତି । ଯଥା—

“ଗୁରୁୟେ ବୋଇଲେ ତୋର ପିତା ମାତା ଶୂନ୍ୟ ।
ଆଜ‌ହୁଂ ହୋଇଲ ମୋର ଧର୍ମର ନନ୍ଦନ ହେ । ”
(ଵନମାଳୀ ଦାସ)

“ଶୂନ୍ୟ କୁଞ୍ଜରୁ ଏ ବାଜଇ ଵୀଣା ।
କେଉଁଠାରେ ଅଛି ଗୋପ ପାଟଣା ।
(ଗୋପ)ଧ୍ୟାନ ଲାଗିଛିରେ
ଅନାହତ ଧ୍ୱନି-ଘରେ ।
ନିଶବଦ ଘରୁ ଶବଦ ହୋଇଲା
ରାତ୍ର ତିନି ଘଡ଼ିଠାରେ ॥”
( କଵି ଗୋଵିନ୍ଦ)

“ଶୂନ୍ୟ ସ୍ୱରୂପ ହେ,
ଘୋଟିଅଛ ତ୍ରିଭୁଵନ ମହୀ,
ସୁଜ୍ଞାନୀ ଜନଙ୍କୁ ଚିତ୍ତରେ ଅଦୃଶ
କୁଜ୍ଞାନୀକି ପଥ ଦିଶୁନାହିଁ ।”
( ଭୀମଭୋଇ)

“ଶୂନ୍ୟ ବ୍ରହ୍ମକୁ ହେ,
ଦେଖିଵ ଯେମନ୍ତେ ଜ୍ଞାନ ଡୋଳେ ।
କଳ୍ପନାକୁ କାଟି ଜନ୍ମ ମୃତ୍ୟୁ ମେଣ୍ଟି
ଏକ୍ୱୈଶ ପୁରକୁ ଜିଣିଗଲେ ।”
(ଭୀମଭୋଇ)

“ଅଶୂନ୍ୟ ହୋଇଣ ଯେ ଥିଲାକ ଏକ ସ୍ଥାନ
ଅଦଭୁତ ସ୍ୱରୂପେ ହୋଇଲା ଏକ ଶୂନ୍ୟ ।
ସେହି ଶୂନ୍ୟ ମଧ୍ୟରେ ଯେ ନିରାକାର ସ୍ଥିତି
ନିରାକାର ଅଙ୍ଗରୁ ପରମ ବ୍ରହ୍ମମୂର୍ତ୍ତି ।”
(ଅଚ୍ୟୁତାନନ୍ଦ ଦାସ)

ଏ ମାଟି ପଥର ଏ ଜଳ ପଵନ
ଏମାନେ ନ ଥିଲେ କେହି,
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
  ଅନ୍ଧକାର ଥିଲା ନିଶବଦ ହୋଇ ।”
(ଅଠସ୍ତରୀ ବୋଲି, ଭୀମଭୋଇ)

ତେବେ ପୃଥିଵୀରେ ଏମିତି ଅନେକ ଭାଷା ରହିଛି ଯେଉଁଥି ଶୂନ୍ୟପାଇଁ ମୌଳିକ ଶବ୍ଦ ପ୍ରଚଳିତ ଅଛି ।

ଓଡ଼ିଆ ଭାଷାରେ ଶୂନ୍ୟ , ଶୂନ୍,ଶୂନ ଓ ଶୂନୁ ଛଡ଼ା ଆଳୁ,ଗୋଲ ଆଳୁ ଓ ମୁଣ୍ଡୁଳା ଆଦି ଶବ୍ଦ ମଧ୍ୟ ଶୂନ୍ୟ ଅର୍ଥରେ ଵ୍ୟଵହାର ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଓଡି଼ଆ ଭାଷାରେ ନାସ୍ତି ଶବ୍ଦର ମଧ୍ୟ ଶୂନ୍ୟ ଅର୍ଥରେ ଵ୍ୟଵହାର ରହିଛି । ଯଥା —
“ଟଙ୍କା ଶୁନ୍ ଅଣା ନାସ୍ତି ତିନି ପାହୁଲା।”  ପୁନଶ୍ଚ ଆକାଶ,ଖ,ଗଗନ,ଗୋଳ,ଅମ୍ବର,ହ ଓ ଵିନ୍ଦୁ ଆଦି ଶବ୍ଦ ଶୂନ୍ୟସଂଖ୍ୟା ଅର୍ଥରେ ମଧ୍ୟ ପୁରାତନ ଭାରତୀୟ ଗଣିତଜ୍ଞମାନେ ଵ୍ୟଵହାର କରିଛନ୍ତି । ସମ୍ଭଵତଃ “ଫଳ” ଶବ୍ଦପରି ଶୂନ୍ୟ ଶବ୍ଦର ଭାରତରେ “୦ ସଂଖ୍ୟା” ଅର୍ଥରେ ବହୁଳ ଵ୍ୟଵହାର ଯୋଗୁଁ ଏହାର ଅନ୍ୟ ପ୍ରତିଶବ୍ଦ ସୃଷ୍ଟି କରିଵାର ଆଵଶକ୍ୟତା ପଡ଼ିନଥିଲା ।

ୟୁରୋପର ଵିଭିନ୍ନ ଭାଷାରେ ଶୂନ୍ୟ ସଂଖ୍ୟା ପାଇଁ ନିମ୍ନଲିଖିତ ଶବ୍ଦମାନ ଵ୍ୟଵହାର ହୋଇଥାଏ ।

ବେଲାରୁଷି— нуль(nulʹ)
ବୁଲଗେରୀ— ну́ла(núla)
ଚେଜ୍— nula
ଡନିଶ୍— nul
ଡଚ୍— nul
ଫିନ୍ନିଶ୍—nolla
ଇଉରୋଜୀୟ— ნული (ଜର୍ଜିଆ)
ଜର୍ମାନ— null (de), Null (de)
ଆଇରିଶ୍— neamhní, nialas, náid
ରୁଷିଭାଷା—нуль (nul), ноль (nolʹ)

ଏ ସବୁ ଶବ୍ଦ  Proto-Italic *ne oinolos ମୂଳର ବୋଲି ପାଶ୍ଚାତ୍ୟ ଭାଷାଵିଦମାନେ ମତ ଦିଅନ୍ତି ।

ne (“ନାହିଁ”) ଓ  *oinos (“ଏକ”) କିଂଵା
ūllus (“କୌଣସି”) ଯୁକ୍ତ କରାଯାଇ ଶବ୍ଦଟି ଅତୀତରେ ସୃଷ୍ଟି ହୋଇଥିଲା । ପ୍ରାକ୍ ଇଟାଲିକ୍ ଶବ୍ଦ oinosର
ପ୍ରାଚୀନ ଗ୍ରୀକ୍ οἶος (oîos) ଓ ସଂସ୍କୃତ ଏକ (éka) ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । ସେହିପରି ପ୍ରାକ୍ ଇଟାଲିକ୍ ne ର ମଧ୍ୟ ଇଂରାଜୀ No ,ସଂସ୍କୃତ ନାସ୍ତି ତଥା ଓଡ଼ିଆ ନାହିଁ ସହିତ ସମୋଦ୍ଧୃତଗତ ସମ୍ପର୍କ ଥିଵା ଜଣାଯାଏ ।

ଚୀନ ଦେଶରେ ଶୂନ୍ୟ ସଂଖ୍ୟକୁ ଶବ୍ଦରେ ପ୍ରକାଶ କରିଵା ପାଇଁ କାଣ୍ଟୋନିଜ୍‌ରେ 零 (ling4),ଡୁଂଗାନ୍‌ରେ лин (lin),ଗାନ୍ ଭାଷାରେ 零 (lin4 / liang4),ହାକ୍କାରେ
零 (làng),ଜିନ୍ ଭାଷାରେ Jin 零 (ling1), ମାଣ୍ଡାରିନରେ 零 (líng),ମିନ୍ ବେଇରେ 零 (lâing),ମିନ୍ ଡଙ୍ଗ୍‌ରେ 零 (lìng),ମିନ୍ ନାନ୍‌ରେ 空 (zh-min-nan) ଓ 零 (lêng / lân),ତିଓଚେଓରୈ空 (kang3) ଓ 零 (lêng5),ୱୁ(Wu) ଭାଷାରେ  零 (lin) ତଥା ଜି଼ଆଙ୍ଗ୍‌ଭାଷାରେ(Xiang) 零 (lin2)
କୁହାଯାଇଥାଏ ଏଵଂ ଚୀନରେ “〇” ଚିହ୍ନଦ୍ଵାରା ଶୂନ୍ୟକୁ ପ୍ରକାଶ କରାଯାଏ ।

କୋରିଆରେ yeong ,ryeong ଓ gong ଆଦି ଶବ୍ଦ ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଲାବେଳେ ଜାପାନରେ
零(れい, rei) ଓ  ゼロ (zero) ଶବ୍ଦର ଵ୍ୟଵହାର ରହିଛି ।

ଏତଦଵ୍ୟତୀତ ପୃଥିଵୀରେ ଅନେକ ଭାଷା ମଧ୍ୟ ଅଛି ଯହିଁରେ ଶୂନ୍ୟକୁ ପ୍ରକାଶ କରିଵାପାଇଁ ମୌଳିକ ଶବ୍ଦ ସୃଷ୍ଟି ହୋଇଅଛି
ଯଥା—
ଚାମ୍ମୋରେ— tåya’
ଚେରୋକି— ᎧᏂᎩᏛ (kanigidv) ଓ Ꮭ ᎪᎱᏍᏗ (tla gohusdi)
ହିବ୍ରୁ—אֶפֶס‎(éffes)
ହୱାଇ ଭାଷା— ʻole
ଇଗାଲା— òfo
ଇଗବୁ— efu
ଲକୋଟା— tákuni
ମାଲାଗାସୀ— aotra (mg)
ମଳୟାଳ଼ମ—പൂജ്യം (pūjyaṃ)
ମଙ୍ଗୋଲୀୟ—тэг (teg) ଓ бинт(bint)
ଖ୍ଵେ଼ଚୁଆ(Quechua)—ch'usaq
ସିନ୍ଧି—ٻُڙِي‎(buri)
ଅମହାରିକ୍: ባዶ (bado)

ଓଡ଼ିଶାରେ ଷାଠିଏରୁ ଅଧିକ ଜନଜାତୀୟ ଭାଷା ପ୍ରଚଳିତ ଅଛି ତେବେ  ହୋ ଭାଷାରେ ‘ଟଂ’ ,ସଉରା ଭାଷାରେ ‘ତେଡେର୍’ ତଥା ବଣ୍ଡା ଭାଷାରେ ‘ମାସାଆରାଗ୍’ ଆଦି ଶବ୍ଦ ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଵା ପ୍ରୋକ୍ତ ଭାଷାଗୁଡି଼କର ଅଭିଧାନରୁ ଜଣାଯାଏ । ଏତଦଵ୍ୟତୀତ ଓଡ଼ିଶାରେ ପ୍ରାୟତଃ ଏଠାକାର ଅଧିକାଂଶ ଅଧିଵାସୀ ସେମାନଙ୍କ କଥିତ ଭାଷାରେ ଶୂନ୍, ଶୂନ,ଶୁଏନ୍ ,ଶୂଇନ୍ ଓ ଶୂନୁ ଆଦି ଶବ୍ଦ ଵ୍ୟଵହାର କରୁଥିଵା ଦୃଶ୍ୟ ହୋଇଥାଏ ।

ଅସ୍ତୁ,ଵିଶ୍ଵର ଅନେକ ପ୍ରାଚୀନ ସଭ୍ୟତାରେ “ନାସ୍ତି” ଵା “Nothing”କୁ ପ୍ରକାଶ କରିଵା ପାଇଁ ଚିହ୍ନ ଥିଲା କିନ୍ତୁ ଭାରତରେ ପ୍ରଥମେ ଶୂନ୍ୟର ଗଣିତରେ ପ୍ରୟୋଗ ହୋଇଥିଲା । ମାୟା ସଭ୍ୟତାର ଘୁଲି ଖୋଳପାରୁ କଳ୍ପିତ ଶୂନ୍ୟ ଚିହ୍ନ ଆଶ୍ଚର୍ଯ୍ୟଜନକ ଭାବେ ଭାରତର ଶୂନ୍ୟ ସହିତ ମିଶିଯାଏ । ମାତ୍ର ଲୋହିତ ଭାରତୀୟମାନଙ୍କର ୟୁରେସିଆ ତଥା ଆଫ୍ରିକାର ଲୋକଙ୍କ ସହିତ ପ୍ରାଚୀନ କାଳରେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସମ୍ବନ୍ଧ ନଥିଲା ବୋଲି ପାଶ୍ଚାତ୍ୟ ଗଵେଷକ ମତ ଦିଅନ୍ତି  । ଫଳତଃ ଵର୍ତ୍ତମାନକାଳରେ ପ୍ରଚଳିତ ଶୂନ୍ୟ ଚିହ୍ନ ଵିଶ୍ଵକୁ ଭାରତଠାରୁ ମିଳିଥିଲା ବୋଲି କୁହାଯାଇଥାଏ  ।