ହୁଏତ ହନୁକରଣ ଶବ୍ଦ ଛୋଟବେଳେ ସଂଵାଦପତ୍ର ପତ୍ରିକାଦିରେ କେବେ କ୍ଵଚିତ୍ ପଢି଼ଥିବି ତାହା ମନେ ନାହିଁ । ତେବେ ଏ ଶବ୍ଦ ଆଡ଼କୁ ୨୦୧୪ କିଂଵା ୨୦୧୫ ମସିହା ସମୟରେ ଶ୍ରୀସୁଵ୍ରତ ପୃଷ୍ଟି ମହାଶୟଙ୍କର “ଭାଷା ଓ ଜାତୀୟତା” ପୁସ୍ତକ ପାଠ କଲାପରେ ମୋହର ଧ୍ୟାନ ଯାଇଥିଲା ।
ଶ୍ରୀପୃଷ୍ଟି ତାଙ୍କର ଏହି ଜାତୀୟତାଵାଦୀ ପୁସ୍ତକରେ ଉଭୟ ଅନୁକରଣ ଓ ହନୁକରଣ ଶବ୍ଦ ଵ୍ୟଵହାରରେ ଲେଖିଛନ୍ତି ...
“ଇଂରେଜୀଭାଷା ଶିଖି ଏହା ମାଧ୍ୟମରେ କିଛି ଅର୍ଥ ରୋଜଗାର କରିଵାର ନିଶା ପ୍ରଥମେ ସ୍ୱଚ୍ଛଳଵର୍ଗ ଏଵଂ ପରେ ଏମାନଙ୍କୁ ‘ଅନୁକରଣ ନାମରେ ହନୁକରଣ’ କରୁଥିଵା କିଛି ସାଧାରଣଵର୍ଗ ଓ ତାଙ୍କ ସନ୍ତାନଙ୍କଠାରେ ଖୋଲେ । ଏବେ ଏହା ଓଡ଼ିଶାର ପ୍ରତ୍ୟେକ ଅଵିଭାଵକଙ୍କର ଏକ ସୌଖିନ ଖିଆଲରେ ପରିଣତ ହୋଇଛି ।”
କିନ୍ତୁ ଓଡ଼ିଶାରେ ଅନେକ ଲୋକ ଅଛନ୍ତି ଯୋଉମାନେ ‘ହନୁକରଣ’ ଶବ୍ଦ ସହିତ ସେତେ ପରିଚିତ ନୁହନ୍ତି । ସେମାନେ ଏ ଶବ୍ଦର ଵ୍ୟଵହାର ଦେଖିଲେ ଭାଵନ୍ତି ଵା ଅନୁମାନ କରନ୍ତି ଯେ ଏହା ସମ୍ଭଵତଃ ‘ଅନୁକରଣ’ ଶବ୍ଦ ଲେଖାଯିଵା ସମୟରେ ହୋଇଥିଵା ଏକ ଟଙ୍କଣନ ତ୍ରୁଟିର ଫଳ । ମାତ୍ର ସେମାନଙ୍କର ଏଭଳି ଧାରଣାକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭୁଲ୍ ପ୍ରମାଣ କରିଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୮୯୩୨ତମ ପୃଷ୍ଠାରେ ହନୁକରଣ ଶବ୍ଦ ସ୍ଥାନ ଲଭିଛି । ଶବ୍ଦଗୁରୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ଏହି ଶବ୍ଦ ଵିଷୟକ ଦ୍ରଷ୍ଟଵ୍ୟରେ ଲେଖିଛନ୍ତି
“ହନୁକରଣ ହେଉଛି ଏକ ଵ୍ୟଙ୍ଗ୍ଯାତ୍ମକ(Ironical) ଆଧୁନିକ ପ୍ରୟୋଗ । ଯେଉଁମାନେ ହାସ୍ୟାସ୍ପଦ ଭାବରେ ଅନୁକରଣ କରନ୍ତି, ତାଙ୍କ କର୍ମକୁ ଵ୍ୟଙ୍ଗୋକ୍ତିରେ ହନୁକରଣ ବୋଲାଯାଏ ।”
ହନୁ ସହିତ କରଣ ଶବ୍ଦ ଯୁକ୍ତ କରାଯାଇ ସୃଷ୍ଟି ହୋଇଅଛି ହନୁକରଣ ଶବ୍ଦ । ଏହା ପ୍ରାଚୀନ ସଂସ୍କୃତ ସାହିତ୍ୟରେ ପ୍ରାୟତଃ ଵ୍ୟଵହୃତ ହୋଇନାହିଁ । ଓଡ଼ିଆ ଭାଷାରେ କଳାମୁଖ ଧଵଳ ଲୋମଯୁକ୍ତ ଅପେକ୍ଷାକୃତ ଅଳ୍ପ ଉଦ୍ଧତ ହନୁମତ୍ ଵାନର ଵା ହନୁମାଙ୍କଡ଼ଙ୍କୁ କେଵଳ ହନୁ ମଧ୍ୟ କୁହାଯାଏ । ସେହିପରି କରଣ ଶବ୍ଦର ଅନେକ ଅର୍ଥ ଥିଲେ ହେଁ ହନୁକରଣ ଓ ଅନୁକରଣ ଭଳି ଶବ୍ଦରେ ଏ ଶବ୍ଦ କାର୍ଯ୍ୟ ଅର୍ଥରେ ଯୁକ୍ତ ହୋଇଅଛି ।
ଵର୍ତ୍ତମାନରେ ପ୍ରଚଳିତ କଥିତ ଓଡ଼ିଆ ଭାଷାରେ ହନୁ ଶବ୍ଦର ଵ୍ୟଵହାର ହୋଇଥାଉଛି ପୁଣି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଏ ଶବ୍ଦର ପ୍ରୟୋଗ ହୋଇଥିଵା ଦୃଶ୍ୟ ହୋଇଥାଏ । ବିଶି ରାମାୟଣରେ ହନୁ ଶବ୍ଦର ଵ୍ୟଵହାର ହନୁମାନଙ୍କ ପାଇଁ ହୋଇଅଛି...
ହନୁ ! ତୁ କାହିଁ ଅଇଲୁ,
ଶ୍ରୀରାମ ନାମ ଧଇଲୁ।
(ବିଶି ରାମାୟଣ)
ସେହିପରି ଓଡ଼ିଆ ଭାଗଵତର ପଞ୍ଚମ ସ୍କନ୍ଧରେ ମଧ୍ୟ ହନୁ ଶବ୍ଦଟି ହନୁମାନଙ୍କ ପାଇଁ ଵ୍ୟଵହାର ହୋଇଛି...
“ସୀତାରମଣ ପ୍ରଭୁ ରାମ ।
ତାହାଙ୍କ କନିଷ୍ଠ ଲକ୍ଷ୍ମଣ ॥
ପରମ ପ୍ରଭୁ ଯେ ଈଶ୍ୱର ।
ତାହାଙ୍କୁ ହନୁ ମହାଵୀର ॥
ପରମ ଭାଗଵତ ସେହି ।
ନିଶ୍ଚଳେ ଭକ୍ତିଯୋଗ ଲଇଁ ॥”
ହନୁମାନଙ୍କ ପରି ଦେଖାଯାଆନ୍ତି ବୋଲି କିଂଵା ଏମାନଙ୍କର ହନୁହାଡ଼ ଥିଵାରୁ ଏହି କଳା ମୁଖ ମର୍କଟମାନଙ୍କୁ ହନୁମାଙ୍କଡ଼ କୁହାଯାଏ ।
ହନୁମାଙ୍କଡ଼ ଓ ପାତିମାଙ୍କଡ଼ମାନେ ଅନୁକରଣପ୍ରିୟ
ଵସ୍ତୁତଃ ମହାଵାନର କୁଟୁମ୍ବର ସବୁ ଜାତୀୟ ଜୀଵଙ୍କର ଏହି ଗୁଣ ଅଳ୍ପ ବହୁତେ ରହିଛି ।
ତେଣୁ କେହି ଆଗ ପଛ ଵିଚାର ନକରି ଅନ୍ଧ ଭଳି କାହାର ଅନୁକରଣ କଲେ ଵ୍ୟଙ୍ଗୋକ୍ତି ପ୍ରୟୋଗ କରି କୁହାଯାଏ ଅମୁକ ଵା ସମୁକ ତାହାର ହନୁକରଣ କରୁଛି ।
କେଵଳ ହନୁକରଣ ହିଁ ନୁହେଁ ଆମ ଭାଷାରେ ହନୁମାନ ଶବ୍ଦଟି ମଧ୍ୟ ଲୋକେ ଵ୍ୟଙ୍ଗାର୍ଥକ ପ୍ରୟୋଗ କରନ୍ତି । ସାଧାରଣତଃ ହନୁମାଙ୍କଡ଼ ପରି ଅସୁନ୍ଦରମୁହାଁ ଵ୍ୟକ୍ତିପ୍ରତି ଏହି ହନୁମାନ ଶବ୍ଦ କେଵଳ ଓଡ଼ିଆ ଭାଷାରେ ଵ୍ୟଵହାର କରାଯାଏ ।
ଓଡ଼ିଆ ଛଡ଼ା ବଙ୍ଗାଳୀରେ ମଧ୍ୟ ଆଜିକାଲି ଏ ଶବ୍ଦ ଵ୍ୟଵହାର ହେଉଛି କିନ୍ତୁ ସଂସ୍କୃତ, ହିନ୍ଦୀ,ମରାଠୀ କିଂଵା ଅନ୍ୟ କୌଣସି ଉତ୍ତର ଭାରତୀୟ ଭାଷାରେ ଏହାର ଵ୍ୟଵହାର ପ୍ରାୟତଃ ହୋଇନଥିଵା ଜଣାଯାଏ । ଫଳତଃ ସ୍ପଷ୍ଟ ହୁଏ ଯେ ଏହା ଏକ ଆଧୁନିକ ପୂର୍ଵ ଭାରତୀୟ ଶବ୍ଦ ଏଵଂ କେଵଳ ଓଡ଼ିଆ ତଥା ବଙ୍ଗଳା ଭାଷାରେ ଏହାର ସୀମିତ ଵ୍ୟଙ୍ଗାର୍ଥକ ଵ୍ୟଵହାର ହିଁ ହୋଇଥାଏ।
ହନୁକରଣ ପାଇଁ ଇଂରାଜୀରେ aping ଶବ୍ଦ ଵ୍ୟଵହାର ହେଉଥିଲା । ୧୮୫୭ରେ ଲେଖିକା Augusta Johnstone ତାଙ୍କର “A woman's preachings for woman's practice” ପୁସ୍ତକର ୧୫୯ତମ ପୃଷ୍ଠାରେ aping ଶବ୍ଦର “foolish imitation ଵା mimicry ଅର୍ଥରେ ପ୍ରୟୋଗ କରି ଲେଖିଥିଲେ “harmful apings' of the better, and empty-headed ' apings of the worse .”
ଅସ୍ତୁ, ଇଂରାଜୀର aping ଶବ୍ଦରୁ ପ୍ରଭାଵିତ ହୋଇ ହନୁକରଣ ଭଳି ଏକ ଭାରତୀୟ ଶବ୍ଦ ସୃଷ୍ଟି ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରେ ନାହିଁ । ହନୁରୁ ହନୁକରଣ ହେଉ କି apeରୁ aping ଉଭୟ ଶବ୍ଦରେ ଅନୁକରଣର ଭାଵ ଲୁକ୍କାୟିତ ରହିଛି । ଏହି ଅନୁକରଣ ଗୁଣ ସର୍ଵାଧିକ ଥିଵାରୁ Primates ଵର୍ଗର,Hominidae ପରିଵାରର Homo ଜାତିର ଜୀଵ ଏତେ ଉନ୍ନତି କଲେ ଯେ ଆଜି ସେମାନଙ୍କର ଵର୍ତ୍ତମାନ ଵଂଶଜ ଆମେ Homo sapiens ମାନେ ଏତେ ଵାସ୍ତୁଵାଦୀ ଓ ବୌଦ୍ଧିକ ଵିକାଶ କରିପାରିଛେ ।
ହନୁକରଣ ଵ୍ୟଙ୍ଗୋକ୍ତି ପ୍ରକାଶ ହେତୁକ ଵ୍ୟଵହୃତ ହେଉଥିଲେ ହେଁ ଏହା ଯେ ଏକ ପ୍ରକାରର ଅନୁକରଣ ଏଥିରେ କେହି ଦ୍ଵିମତ ହେଵେ ନାହିଁ । ପାରସ୍ପରିକ ଅନୁକରଣ ଯୋଗୁଁ ମନୁଷ୍ୟ ଜାତିର ଏତେଟା ଉନ୍ନତି ସାଧନ ହୋଇଅଛି । ସିଲିକନ୍ ପଥରରେ ନଡ଼ିଆ ଭାଙ୍ଗି ଖାଇଵାଠାରୁ ଆରମ୍ଭ କରି ସେଇ ସିଲକନ୍ ପଥରର ଆଧୁନିକ ଯୁଗରେ ସଙ୍ଗଣକ ଓ ଦୂରଚଳଭାଷର ଵ୍ୟଵହାର ଯାଏଁ ସବୁଠିଁ ସବୁଠାରେ ଅନୁକରଣର କାହାଣୀ ହିଁ ଲୁଚି ରହିଛି ।
ପୁନଶ୍ଚ ଆମ ଭାଷାରେ ହନୁକରଣ ଓ ଅନୁକରଣ ପାଇଁ ରହିଛି ଅନେକ ଶବ୍ଦ । ଅନୁକରଣ କରିଵାକୁ ଓଡ଼ିଆ ଭାଷାରେ କେଵଳ ଅନୁକରିଵା ମଧ୍ୟ କୁହାଯାଏ । କଵିଵର ରାଧାନାଥ ଲେଖିଛନ୍ତି
“ ଅନୁକରେ ଵଜ୍ରଧ୍ୱନି ଅଵିକଳ”
ଯିଏ ଅନୁସରଣ କରେ ତାକୁ ଅନୁକାରୀ ଓ ଅନୁକାରିଣୀ କୁହାଯାଏ । ଅନୁକୃତି ମଧ୍ୟ ଅନୁକରଣ ଅର୍ଥରେ ପ୍ରୟୋଗ କରାଯାଏ । ଅନୁକରଣ କରିଵାର ଇଚ୍ଛା ଵା ଅନୁକରଣ ପ୍ରଵୃତ୍ତିକୁ ଅନୁଚିକୀର୍ଷା କୁହନ୍ତି ।
ଅଭିନୟକରିଵା କ୍ରିୟା ଶବ୍ଦର ଏକ ଅର୍ଥ ମଧ୍ୟ ଅନ୍ୟର ଅନୁକରଣ କରିଵା ଅଟଇ । ଯେଉଁ ଲୋକ ଭଲ କରି ନ ଦେଖି କାର୍ଯ୍ୟ କରେ ଵା ଯେଉଁ ବ୍ୟକ୍ତି ଦୋଷଗୁଣ ଓ ଆଗପଛ ଉତ୍ତମରୂପେ ନ ବୁଝି କେଵଳ ଅନ୍ୟର ଦେଖାଦେଖି କାର୍ଯ୍ୟ କରେ ବା ଅନ୍ୟର ଅନୁକରଣ କରେ ତାକୁ ଅସମୀକ୍ଷ୍ୟକାରୀ ଓ ଅଵିଵେଚକ ମଧ୍ୟ କୁହାଯାଏ ।
ଯେ ନିଜେ ଆଗପଛ ବିଚାର ନ କରି ଅନ୍ଯର ଦୃଷ୍ଟାନ୍ତକୁ ଅନୁକରଣ କରେ ତାକୁ ଗତାନୁଗତିକ କୁହାଯାଏ । ସେହିପରି ଦେଖାଶିଖା ଅନୁସାରେ କାର୍ଯ୍ୟ କରିଵା ନ୍ୟାୟକୁ ଗତାନୁଗତିକ ନ୍ୟାୟ କୁହାଯାଏ । ନିଜେ ଆଗପଛ ଵିଚାର ନ କରି କିମ୍ବା କୌଣସି ଵିଷୟରେ ଯଥାର୍ଥ ଵିଵେଚନା ନକରି ଅନ୍ଯର ପ୍ରଵର୍ତ୍ତିତ କଥା ଵା କାର୍ଯ୍ୟ ଅନୁସାରେ ଚଳିଲେ ଏହି ନ୍ୟାୟର ଉଲ୍ଲେଖ ଦିଆଯାଏ । ଚୋରାଇଵା କ୍ରିୟାର ସାଧାରଣ ଅର୍ଥ ଚୋରି କରିଵା କିନ୍ତୁ ଏହି କ୍ରିୟା ଶବ୍ଦର ଲକ୍ଷଣାର୍ଥ ଏହା ଅନୁକରଣ କରିଵା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଅଛି । ଉଦାହରଣ ସ୍ୱରୂପ କଵିସୂର୍ଯ୍ୟ ଵଳଦେଵ ରଥ ଲେଖିଛନ୍ତି ...
“ଭଗ୍ନ ଚକ୍ର ମନମଥ ଵିଜୟୀ ମଙ୍ଗଳ
ରଥ ଗତିରୀତି ଚୋରାଇଛି ଚାଲି।”
ଛାୟା ଶବ୍ଦର ଅର୍ଥ ମଧ୍ୟ ଅନୁକରଣ ଓ ନକଲ ବୋଲି ଵିଭିନ୍ନ ଶବ୍ଦକୋଷରେ କୁହାଯାଇଛି ।
ଗଡ଼ଜାତ ଓଡ଼ିଶାରେ ଛିନି ଆନଵା, ଛିନିନେଵା ଆଦି କ୍ରିୟା ଶବ୍ଦର ସାଧାରଣ ଅର୍ଥ ଉପରୁ ପିଙ୍ଗାଯିଵା କୌଣସି ଵସ୍ତୁକୁ ଶୂନ୍ୟେ ଶୂନ୍ୟେ ଧରିନେଵା ତେବେ ଏହି କ୍ରିୟା ଶବ୍ଦର ଲକ୍ଷଣାର୍ଥ ଵ୍ୟଵହାର ମଧ୍ୟ ପ୍ରଚଳିତ । ଜଣେ ଗାଉଥିବା ସଙ୍ଗୀତକୁ ଶୁଣିଵା ସଙ୍ଗେ ସଙ୍ଗେ ଅଵିକଳ ଗାଇଵା ତଥା କୌଣସି ଵ୍ୟକ୍ତିର ଵାକ୍ ଚାତୁରୀ ଵା ଵଚନଭଙ୍ଗୀକୁ ପୂର୍ଣ୍ଣରୂପେ ଅନୁକରଣ କରିଵାକୁ ବି ଛିନିଆନଵା ଓ ଛିନିନେଵା କୁହାଯାଏ ।
ପୂର୍ଵାଞ୍ଚଳରେ ପୂର୍ଵେ ଧରିନେଵା ଶବ୍ଦ ଅନୁକରଣ କରିଵା ଭାବରେ ଵ୍ୟଵହାର ହେଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ଭାଷାକୋଷରେ ଧରି ନେଵା କ୍ରିୟାର — ବିବେଚନା କରିଵା,ସ୍ଥିର କରିଵା,କଳ୍ପନା କରିଵା, ଅନୁମାନରେ ସ୍ଥିର କରିଵା,କୌଣସି ଜୀଵା ମନୁଷ୍ଯକୁ ଆୟତ୍ତ ଵା ଗିରଫ କରି କୌଣସି ସ୍ଥାନକୁ ଜବରଦସ୍ତି ନେଵା ଆଦି ଅର୍ଥ ଲେଖାଅଛି । ତେବେ ଧରିନେଵାର ଅନ୍ୟତମ ଅର୍ଥ ଅନୁକରଣ କରିଵା ଵା ଅନୁକରଣ କରିଵାରେ କୃତକାର୍ଯ୍ୟ ହେଵା ଅର୍ଥଟି ସବା ଶେଷରେ ଏକ ଵାକ୍ୟ ଉଦାହରଣ ସହ ଦିଆଯାଇଛି
“ସେ ଥରେ ମାତ୍ର ଶୁଣିକରି ଗୀତ ପଦକ ଧରି ନେଲା।”
ଦେଖାଦେଖି ଶବ୍ଦଟି ଜଣକର କାର୍ଯ୍ୟକୁ ଅନୁକରଣ କରିଵା ଅର୍ଥରେ ପ୍ରାଚୀନ ଶ୍ରୀ ଗୁରୁଭକ୍ତି ଗୀତାରେ ଅର୍ଥରେ ପ୍ରୟୋଗ କରାଯାଇଛି
“ତୁମ୍ଭ ଦେଖାଦେଖି ଥୋକେ ଶିଖିବେ ଯେ ନର।”
ଓଡ଼ିଶାରେ ଅଧୁନା ବହୁ ପ୍ରଚଳିତ
ଦେଖାଶିଖା ଶବ୍ଦ ମଧ୍ୟ ଏହିଧରଣର ଶବ୍ଦ ।
ତେବେ ଦେଖାଶିଖା ଏକ ସହଚର ଵିଶେଷଣ ଶବ୍ଦ ଏଵଂ ଯେ ଅନ୍ଯର ଅନୁକରଣକାରୀ ଵା ଅନ୍ୟ ବ୍ୟକ୍ତିର କାର୍ଯ୍ୟକଳାପ ଦେଖି ଯେ ତାହା ଅନୁକରଣ କରେ ତାକୁ ଦେଖାଶିଖା କୁହାଯାଏ । ଏଥିପାଇଁ ଆମ ଓଡ଼ିଶାରେ ଏହି ଶବ୍ଦ ଆଧାରରେ ଦେଖାଶିଖା ଓଡ଼ିଶା ଢଗ ଚଳୁଅଛି ।
ନକ୍ସା ଏକ ଵୈଦେଶିକ ଶବ୍ଦ କିନ୍ତୁ ଏ ଶବ୍ଦ ସହିତ କାଢି଼ଵା ତଥା କରିଵା କ୍ରିୟାକୁ ଯୁକ୍ତ କରି ଲୋକମୁଖରେ ନକସା କାଢିଵା ଓ ନକ୍ସା କରିଵା ଶବ୍ଦ ସୃଷ୍ଟି ହୋଇଅଛି । କାହାର ଗତିଵିଧି ଓ କଥାଵାର୍ତ୍ତାର ରୀତିକୁ ଅନୁକରଣ କରି ଉପହାସ କରିଵା ଵା ଛଇ ବାହାର କରିଵାକୁ ନକ୍ସା କାଢି଼ଵା ତଥା ନକ୍ସା କରିଵା କୁହାଯାଏ ।
ବିଡ଼ମ୍ବିଵା କ୍ରିୟା ଶବ୍ଦଟି ତତ୍ସମ ଵିଡ଼ମ୍ବନ ଓ ଵିଡ଼ମ୍ଵ ସହିତ ସମୋଦ୍ଧୃତ । ଏହାକୁ ଅନୁକରଣ କରିଵା ଅର୍ଥରେ କଵିଵର ରାଧାନାଥ ରାୟ ଵ୍ୟଵହାର କରି ଉର୍ଵଶୀ କାଵ୍ୟରେ ଲେଖିଛନ୍ତି
“ପ୍ରତି ଶୃଙ୍ଗ ବିଡ଼ମ୍ବିଲା ମାହେଶ୍ବରୀ ଅର୍ଦ୍ଧ ନାରୀଶ୍ବର ଛବି”
ରବେଇ ଖବେଇ ହେଵା କ୍ରିୟା ଶବ୍ଦର ଅନେକ ଅର୍ଥ ଥିଵା ଦେଖାଯାଏ ତେବେ ଏହାର ଏକ ଅର୍ଥ ଅନ୍ଯର ଅନୁକରଣ କରିବାର ବଳଵତୀ ଇଚ୍ଛା ବୋଲି ଭାଷାକୋଷରେ କୁହାଯାଇଛି । ଏହି ଅର୍ଥରେ ଆମ ଭାଷାରେ ଢଗଟିଏ ଚଳୁଥିଵା ମଧ୍ୟ ସେଠାରେ କହିଦିଆଯାଇଛି
“ପଡ଼ଶୁଣୀ ଘର ପିଠା ଦେଖି ମନ ରବେଇ ଖବେଇ
ଘସି ଫଡ଼ାକରେ ଗୁଡ଼ ଲଗେଇ ଭଡ଼ ଭଡ଼ ଚୋବେଇ”
ଏହିପରି ଉଣ୍ଡିଲେ ଓଡ଼ିଆ ଭାଷାରେ ଅନୁକରଣ ଓ ହନୁକରଣ ଅର୍ଥଜ ଆହୁରି ଅନେକ ଶବ୍ଦ ମିଳିଯାଇପାରେ । ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଅନୁକରଣ ଭଳି ହନୁକରଣ ଶବ୍ଦ ଓ ଏହିପରି ଅନ୍ୟ ଅନେକ ଶବ୍ଦ ଆମ ଭାଷାରେ ଚଳୁଅଛି ଏମନ୍ତ କି ପ୍ରାଚୀନ ସାହିତ୍ୟରେ ମଧ୍ୟ ପ୍ରୟୋଗ ହୋଇଛି ।
🟦🟦🟦🟦🟦🟦🟦🟦🟦🟦🟦🟦🟦
No comments:
Post a Comment