ସତୁରୀଦଶକ ସମୟର କଥା । ଯାହାଙ୍କ କାହାଣୀ କୁହାଯାଉଛି ସେ ଲୋକ ପୁରୀର ଏକ ଉପକୂଳଵର୍ତ୍ତୀ ଗ୍ରାମର ଅଧିଵାସୀ । ନୂଆ ନୂଆ ସମ୍ବଲପୁର ଜିଲ୍ଲାରେ ସରକାରୀ ଚାକିରୀଟିଏ ପାଇଥାନ୍ତି । ସପ୍ତାହକୁ ଥରେ ଶନିଵାର ସନ୍ଧ୍ୟାରେ ସମ୍ବଲପୁରରୁ ପୁରୀ ଯାଆନ୍ତି ପୁଣି ରଵିଵାର ଦିନ ସମ୍ବଲପୁର ଫେରନ୍ତି ।
ତେବେ କେବେକେବେ ସୁଵିଧା ନହେଲେ ଗାଆଁକୁ ଯାଆନ୍ତି ନାହିଁ ଵରଂ ସମ୍ବଲପୁର ନଗରରେ ଛୁଟି କଟାଇ ଦିଅନ୍ତି । ଥରେ ସେ ବାବୁ ସମ୍ବଲପୁରରୁ ପୁରୀକୁ ରେଳ ଯୋଗେ ଯାଉଥାନ୍ତି । କୌଣସି କାରଣରୁ ସେଦିନ ଉକ୍ତ ଟ୍ରେନରେ ସେତେ ଲୋକ ଯାଉନଥିଲେ ।
ବାଟରେ ଗାଡ଼ି କ'ଣ ଅଖଞ୍ଜ ହେଲା କେଜାଣି ଗାଡି଼କୁ ଏକ ଛୋଟିଆ ଷ୍ଟେସନରେ ରଖିଵାକୁ ହେଲା । ଉକ୍ତ ଛୋଟିଆ ଷ୍ଟେସନଟି ଯେମିତି ପାଖ ହେଵାକୁ ଲାଗିଲା ରେଳଗାଡ଼ି ଧୀର ହେଵାକୁ ଲାଗିଲା । ଷ୍ଟେସନରେ ପହଞ୍ଚିଵାରୁ ରେଳଗାଡ଼ି ଭିତରେ ଥାଇ ବାବୁଜଣକ ବାହାରକୁ ଅନାଇ ଥାଆନ୍ତି ।
ଦେଖିଲେ ବାହାରେ ସୁନ୍ଦରିଆ ବଡ଼ ବିଲେଇଟିଏ ଲାଙ୍ଗୁଡ଼ ହଲାଇ ହଲାଇ ବଡ଼ ସ୍ନେହମୟ ନୟନରେ ତାଙ୍କ ଆଡ଼କୁ ଅନାଉଅଛି । ବାବୁ ତ ୟା ପୂର୍ଵରୁ କେବେ ଏଡେ଼ ବଡ଼ ବିଲେଇ ଦେଖିନଥିଲେ । ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ସେ ତାହାର ରୂପରେ ମୋହିତ ହେଲେ । ତାଙ୍କ ହୃଦୟ ସ୍ନେହ ପ୍ରେମ ରୂପ ଦୈଵୀଗୁଣରେ ପୂର୍ଣ୍ଣ ହୋଇଗଲା । ବାବୁଜଣକ ସେହି ବଡ଼ ବିଲେଇଟାକୁ ଗେଲ କରିଵାକୁ ରେଳଗାଡ଼ି କବାଟ ଖୋଲି ଦେଇ ପଦାକୁ ବାହାରିଗଲେ ।
ବଡ଼ ବିଲେଇଟି ସେତେବେଳକୁ ଲାଙ୍ଗୁଳ ଜାକି ବସିଥାଏ । ଯେମିତି ବାବୁଙ୍କୁ ଆସୁଥିଵାର ଦେଖିଲା ଉତ୍ସାହିତ ହେଲା ଭଳି ଲାଙ୍ଗୁଡ଼କୁ ଧିରେଧିରେ ହଲାଇଵାକୁ ଲାଗିଲା । ବାବୁ ତା ପାଖରେ ପହଞ୍ଚି ତା ମୁଣ୍ଡରେ ହାତ ଦେଵାକୁ ଯାଉଥିଵା ବେଳେ ହଠାତ୍ ବଡ଼ ବିଲେଇଟି ତାଙ୍କୁ ନିଜ ତୀକ୍ଷ୍ଣ ଦାନ୍ତରେ କାମୁଡ଼ି ଦେଵାକୁ ଚେଷ୍ଟା କଲା ।
ବାବୁଙ୍କ ହୃଦୟକୁ ଵିସ୍ମୟ, ଦୁଃଖ,ଭୟ ଆଦି ଭାଵ ଅଧିକାର କରିନେଲା । ଭୟରେ ଝଟ୍ ରେଳଗାଡ଼ି ଭିତରକୁ ପଶିଯାଇ ବାଟ କିଳିଦେଲେ ।
ବାବୁଙ୍କୁ ଉକ୍ତ ବଡ଼ ବିଲେଇଟି ଉତ୍ସୁକତାର ସହ ଅନାଇ ଥାଏ । ବାବୁ ୟେ କ'ଣ ହେଲା କିଛି ବୁଝିପାରିଲେ ନାହିଁ । ସେହି ରେଳଡବାରେ ଆଉ ଜଣେ ଲୋକ ବସି ଏସବୁ ଘଟଣା ଦେଖୁଥିଲା । ସେ ତହୁଁ ବାବୁଙ୍କ ପାଖକୁ ଆସି କହିଲା
— “ତମେ ବୋକା ନା ମୂର୍ଖ କିଓ ?”
—ମାନେ ? ଆପଣ କ'ଣ କହିଵାକୁ ଚାହୁଁଛନ୍ତି ?
— ଆହେ ! ତମେ କ'ଣ ତମ ଜୀଵନରେ କେଭେ ବାଘ ଦେଖିନା ନା କିୟଣ ଵା ?
— ନାହିଁ ଆଜ୍ଞା ! ଆମର ନିପଟ ମଫସଲ ଅଞ୍ଚଳ ! ବାଘ ନାଆଁ ଶୁଣିଛି ତା ଗପ ଛୋଟବେଳୁ ଶୁଣିଛି କିନ୍ତୁ ବାଘ କେବେ ଦେଖିନାଇଁ ତ !
ଲୋକଟି ଟିକିଏ ଗମ୍ଭୀର ହୋଇ ବାବୁଙ୍କୁ ପ୍ଲାଟଫର୍ମ ଉପରେ ବସିରହିଥିଵା ସେହି ବଡ଼ ବିଲେଇ ଆଡ଼କୁ ଆଙ୍ଗୁଠି ଦେଖେଇ କହିଲା “ହେଇ ଦେଖ ଏଇଟା ହେଉଛି ସେଇ ବାଘ,ଭାଗ୍ୟଭଲ ଆଜି ବଞ୍ଚିଗଲ ନୋହିଲେ ...”
ବାବୁ ବୁଝିଲେ ସବୁ ସୁନ୍ଦରିଆ ଆକର୍ଷଣୀୟ ଜୀଵ କି ଦରଵ ସମସ୍ତଙ୍କ ପାଇଁ ଭଲ , ଉତ୍ତମ କି ଶୁଭଙ୍କର ହୋଇନଥାଏ । ଅପରୂପା ସୁନ୍ଦରୀ ବାଘୁଣୀ ହୋଇ ଜୀଵନ ନେଇପାରେ ପୁଣି କେଶୋ ଦାସ ମାରୁ ଭଳି ସାଧୁବେଶଧାରୀ ଭଣ୍ଡଭକ୍ତ ବି ଶ୍ରୀମନ୍ଦିର ଲୁଟିପାରେ ।
No comments:
Post a Comment