ବେଳେବେଳେ ହଟାତ୍ ଗୋଟେ ଗୋଟେ ଶବ୍ଦ ମାଆଙ୍କଠାରୁ ମିଳିଯାଏ । ସତରେ ମାଆ ଆମର ପ୍ରଥମଗୁରୁ ପ୍ରଥମ ଶବ୍ଦଗୁରୁ । ମାଆ ଆମର ପ୍ରଥମ ଅଭିଧାନ । ଆଜି ସେ ମୋତେ ଅଭିଧାରେ ସ୍ଥାନ ପାଇପାରିନଥିଵା ଓ ହଜିଵାକୁ ବସିଥିଵା ଆଉ ଏକ ଓଡ଼ିଆ ଶବ୍ଦ ସହିତ ପରିଚିତ କରାଇଲେ ଏଵଂ ସେହି ଶବ୍ଦଟି ହେଉଛି ‘ସେକ୍ସେକିଆ’ ।
ସେକ୍ସେକିଆ ଗୋଟିଏ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦ । ଓଡ଼ିଆ ଭାଷାକୋଷ କି ସାହିତ୍ୟ ସମୂହରେ ଏହି ଶବ୍ଦ କି ଏହାର ଆଖପାଖ କୌଣସି ସମାର୍ଥକ ଶବ୍ଦ ଥିଵା ଜଣାଯାଏ ନାହିଁ । କେହି କଵି କି ଲେଖକ ଏହି ସେକ୍ସେକିଆ ଶବ୍ଦକୁ ନିଜ ସାହିତ୍ୟରେ ସ୍ଥାନ ଦେଇନାହିଁ କିନ୍ତୁ ଆମ କଥିତ ଓଡ଼ିଆ ଭାଷାରେ ସେକ୍ସେକିଆ ଶବ୍ଦ ମୁର୍ମୂଷୁପ୍ରାୟ ବଞ୍ଚି ରହିଛି ।
ତେବେ ଆମ ମାଆ ଜେଇମାନଙ୍କ ମୁଖରୁ ବେଳେ ବେଳେ ବାହାରି ପଡ଼େ ଏହି ସେକ୍ସେକିଆ ଶବ୍ଦ।
ଢେଙ୍କାନାଳର କଥିତ ଶୈଳୀରେ ଏହି ଶବ୍ଦ ପ୍ରୟୋଗ କରି ଲୋକେ କୁହନ୍ତି...
“ଏ ଯାଗାଟା କେତେ ସେକ୍ସେକିଆ,
ଘରକୁ ଯା’ହାରି”
ସେକ୍ସେକିଆ ପରି ନୂଆ ଶବ୍ଦଟିଏ ପାଇଲେ ଆମେ ପୁଲକିତ ହୁଅନ୍ତି । ୟୁରେକା ୟୁରେକା ବୋଲି ଶବ୍ଦ କର୍ଣ୍ଣରେ ଗୁଞ୍ଜରିତ ହେଵାକୁ ଲାଗେ ।
କିନ୍ତୁ ହାୟ୍ !
ପୂର୍ଣ୍ଣଚନ୍ଦ୍ର ଭାଷାକୋଷଠାରୁ କୌଣସି କଥିତ ଓଡ଼ିଆ ଶବ୍ଦକୋଷ ଯାଏଁ କୋଉଠି ବି ଏଭଳି କୌଣସି ସ୍ଥାନିତ ହୋଇନାହିଁ । ଅଵଶ୍ୟ ମାଆମାନଙ୍କ ପାଖକୁ ଯାଇ ପଚାରିଲେ ସେମାନେ “ଓଦାଳିଆ ସନ୍ତସନ୍ତିଆ ସ୍ଥାନକୁ ସେକ୍ସେକିଆ କୁହାଯାଏ ବୋଲି କହିଥାନ୍ତି ।
ହେଲେ ଆମ ଭାଷାରେ ସେକ୍ସେକିଆ ଭଳି ଗୋଟିଏ ଶବ୍ଦ ଅଛି “ସେକିଵା” କିନ୍ତୁ ଏହା ପ୍ରୋକ୍ତ ସେକ୍ସେକିଆ ଶବ୍ଦର ସମ୍ପୂର୍ଣ୍ଣ ଵିପରୀତ ଅର୍ଥ ଘେନି ଵ୍ୟଵହାର ହେଉଅଛି ।
ସେକିଵା କ୍ରିୟା ଶବ୍ଦ ତତ୍ସମ ଶ୍ରେଷ୍ ଧାତୁରୁ ନିଷ୍ପନ୍ନ ତଥା ଜଳାଇଵା ତତାଇଵା ଅର୍ଥରେ ପ୍ରୟୋଗ ହେଉଥିଵା ଶ୍ରେଷଣ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ଏହି ସେକିଵା କ୍ରିୟାଟି ସିଧାସଳଖ ଶ୍ରେଷଣ ଶବ୍ଦରୁ ନିଆଯାଇନାହିଁ ଵରଂ ଏହା ମୂଳ ପ୍ରାକୃତ ଭାଷାରୁ ତତ୍ସମ ଶ୍ରେଷ୍ ଧାତୁ ଭଳି ସମୁତ୍ପନ୍ନ ହୋଇଅଛି । ସୌରସେନୀ ପ୍ରାକୃତର *𑀲𑁂𑀓𑁆𑀓𑀤𑀺 (*sekkadi), ପୂର୍ଵୀ ପ୍ରାକୃତର *𑀲𑁂𑀓𑀢𑀺 (*sekati),ନେପାଳୀ सेक्नु (seknu), ପଞ୍ଜାବୀ ਸੇਕਣਾ (sekṇā) / سیکݨا (sekṇā), ସିନ୍ଧୀ سيڪَڻُ / सेकणु, سيڪو / सेको, سيڪُ / सेकु, ଗୁଜରାଟୀ શેકવું (śekvũ),ମରାଠୀ शेकणे (śekṇe), ହିନ୍ଦୀ सेंकना , ବଙ୍ଗାଳୀ সেকা (śeka), ଓ ଅହମିଆ সেকা (xeka) ଇତ୍ୟାଦି ଏ ଶବ୍ଦର ଭାରତଵର୍ଷର ଭିନ୍ନ ଭିନ୍ନ ଭାଷାରେ ଵିଭିନ୍ନ ରୂପେ ପ୍ରୟୋଗ ହେଇଥାଉଛି ।
ତେବେ ସେକିଵା କ୍ରିୟା ଶବ୍ଦ ସହିତ ଆମ ଢେଙ୍କାନାଳର ସେକ୍ସେକିଆ ଶବ୍ଦର ଵାହ୍ୟ ରୂପସାମ୍ୟ ଥିଲେ ହେଁ ଅର୍ଥଗତ ଭିନ୍ନତା ଦୃଷ୍ଟିରୁ କୌଣସି ସମ୍ପର୍କ ନଥାଇପାରେ ।
ଅସ୍ତୁ ସଂସ୍କୃତ ଭାଷାରେ ସିଚ୍ ଧାତୁ(ସିଞ୍ଚନ କରିଵା)ରୁ ନିଷ୍ପନ୍ନ ସେକ ଶବ୍ଦ ସହିତ ଏହାର ସମୋଦ୍ଧୃତଗତ ସମ୍ପର୍କ ଥିଵା ନିଶ୍ଚୟ ଅନୁମାନ କରାଯାଇପାରେ ।
ସେକିଵା କର୍ମାର୍ଥକ ଦେଶଜ ସେକ ଶବ୍ଦଠାରୁ ଭିନ୍ନ ତତ୍ସମ ସେକ ଶବ୍ଦଟି ସେଚନ କରିଵା , ଜଳ ଆଦି ଛିଞ୍ଚିଵା ଅର୍ଥରେ ପ୍ରୟୋଗ ହୋଇଥାଏ ।
ସେଣା(ସେଚନୀ)କୁ ସେକପାତ୍ର କୁହାଯାଏ । ଏହି ପାତ୍ରଦ୍ଵାରା ଏକ ସ୍ଥାନରୁ ପାଣିକୁ ଉଠାଇ ଦୂରକୁ ପକାଇଵାକୁ ହୁଏ ଵା କ୍ଷେତକୁ ପାଣି ବୁହାଯାଏ । ସେଣାର ଅନ୍ୟ ଦୁଇଟି ତତ୍ସମ ନାମ ସେକ ଭାଜନ ଓ ସେକ୍ତ୍ର ଅଟଇ । ସେହିପରି ସେଚନକାରୀ ତଥା ନିଷେକକାରୀକୁ ସେକ୍ତା କୁହାଯାଏ । ଏ ସମସ୍ତ ଶବ୍ଦର ମଧ୍ୟ ସେଚନାର୍ଥକ ତତ୍ସମ ସେକ ଶବ୍ଦ ସହିତ ସମ୍ପର୍କ ରହିଛି ।
ଜଳ ସିଞ୍ଜନ କରିଵାକୁ ସଂସ୍କୃତ ଭାଷାରେ ସେକ କୁହାଯାଏ ଏଵଂ ଯେଉଁ ସ୍ଥାନରେ ଜଳ ସିଞ୍ଜନ କରାଯାଏ ଉକ୍ତ ସ୍ଥାନ ଓଦା ହୋଇଯାଏ । ହୁଏତ ଏହି କାରଣରୁ କେହି ସେକ ଶବ୍ଦର ପ୍ରୟୋଗ କରିଥିଵ ଯାହା ପରେ ସେକ୍ସେକିଆ ଶବ୍ଦରୂପେ ଚଳିଵାକୁ ଲାଗିଥିଵ । ମତାନ୍ତରେ ସିକ୍ତ ଶବ୍ଦରୁ ମଧ୍ୟ ସେକ୍ସେକିଆ ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । ତତ୍ସମ ସେକ ଶବ୍ଦ ଭଳି ତତ୍ସମ ସିକ୍ତ ଶବ୍ଦ ମଧ୍ୟ ସଂସ୍କୃତ ଧାତୁଶବ୍ଦ ସିଚ୍ ଧାତୁରୁ ନିଷ୍ପନ୍ନ ହୋଇଅଛି । ସେକ୍ସେକିଆ ଭଳି ଆମ ଭାଷାରେ ସିକିସିକା,ସିକ୍ସିଗା,ସିଗ୍ସିଗା ,ସେଗ୍ସେଗା,ସିକିସିକିଆ ଆଦି ଏହି ଶବ୍ଦର ଅନେକ ରୂପ ଚଳୁଅଛି ଏଵଂ ତତ୍ସମ ସେକ ଶବ୍ଦ ଅପେକ୍ଷା ସିକ୍ତ ଶବ୍ଦ ଆଦ୍ର ଅର୍ଥରେ ସାହିତ୍ୟରେ ଅଧିକ ପରିମାଣରେ ଵ୍ୟଵହୃତ ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅନ୍ୟ ଏକ ଦିଗରୁ ସିକ୍ତ ଶବ୍ଦରୁ ସନ୍ତସନ୍ତିଆ ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛି ବୋଲି ମତ ପୋଷଣ କରାଯାଇଛି । ତେଣୁ ହୁଏତ ପୂର୍ଵେ ସିକ୍ତ ଶବ୍ଦରୁ ଏକ ଦିଗରେ ସନ୍ତସନ୍ତିଆ ଶବ୍ଦ ସୃଷ୍ଟି ହୋଇଥିଵା ବେଳେ ଅନ୍ୟ ଏକ ଦିଗରେ ସେକ୍ସେକା,ସେକ୍ସକିଆ,ସିକ୍ସିଗି ଓ ସିଗ୍ସିଗା ଆଦି ସୃଷ୍ଟି ହୋଇଅଛି ବୋଲି ଅନୁମାନ କରାଯାଇପାରେ ।
ସେଯାହା ହେଉ ନା କାହିଁକି ଓଡ଼ିଆ ଶବ୍ଦ ସମ୍ଭାରର ଏହି ଶବ୍ଦଟି ଏକ ଅଳ୍ପ ଆଲୋଚିତ ଓ ସାହିତ୍ୟ ତଥା ପୁସ୍ତକାଦିରେ କମ୍ ଵ୍ୟଵହୃତ ଓଡ଼ିଆ ଶବ୍ଦ । ଏହି ଶବ୍ଦକୁ କଵି ଲେଖକମାନେ ସାହିତ୍ୟରେ ସ୍ଥାନ ଦେଲେ
ଏହା ଵ୍ୟାପକ ଓ ସର୍ଵପରିଚିତ ହୋଇପାରନ୍ତା ।
No comments:
Post a Comment