Friday, December 31, 2021

ନଵଵର୍ଷ ରହସ୍ୟ(ଫକୀରମୋହନ ସେନାପତି)


କୈଳାସରେ ବସି ଗୌରୀ ଶିଵେ ପଚାରିଲେ ନଵଵର୍ଷ ଫଳାଫଳ କୁହ ଆହେ ଭଲେ । 

ଶଙ୍କର ଉଵାଚ
ଶୁଣ ଦେଵୀ, କହୁଅଛି ନଵଵର୍ଷ ଫଳ, ଶୁଣିଵା ମାତ୍ରକେ ଦିଵ୍ୟ ଜ୍ଞାନ ଲଭେ ନର । 

ଅସ୍ମିନଵର୍ଷେ 
ରାଜା, ସ୍ତ୍ରୀ; –

 କାରଣ ନଵଵର୍ଷ ଆରମ୍ଭରୁ ପୁରୁଷମାନଙ୍କଠାରୁ ସ୍ବାଧୀନତା ବାହାରକରି ନିଆଯାଇ ସ୍ତ୍ରୀମାନଙ୍କୁ ଦିଆ ଯାଇଅଛି ।

 ପୁରୁଷମାନେ ସେମାନଙ୍କ ଶାସନାଧୀନରେ ରହିବେ, ଫଳ ସ୍ତ୍ରୀମାନେ କଏଦରୁ ମୁକ୍ତ ହେଲେ, ଏବେ ମନମାଫିକ ଚଳିବେ – 

ପ୍ରଜା, ପୁରୁଷମାନେ । 

କାରଣ ନାକଫୋଡ଼ା’ ବଳଦର କୌଣସି କଥାରେ ପାଟି ଫିଟାଇଵାର ଅକ୍ତିଆର ନାହିଁ, ସ୍ତ୍ରୀମାନଙ୍କ ବଶୀଭୂତରେ ରହି ହୁକୁମ ତାମିଲ କରିବେ; ନ କଲେ, ଫଳ – ହୁକୁମ ଅମାନ୍ୟରେ ନଵଵର୍ଷର ସ୍ତ୍ରୀ-ଦଣ୍ଡଵିଧି-ଆଇନାନୁସାରେ ଦଣ୍ଡିତ ହେବେ ।

ଶସ୍ଯାଧିପ, ବୋମ୍ବାଇଵାସୀ ନାଖୋଦା 

କାରଣ ଧାନଚାଉଳର ଭାଉ ସେମାନଙ୍କ ହସ୍ତରେ, ଫଳ ଚାଉଳସେର ଦୁଇପଇସାରୁ ତିନି ପଇସା ଆଉ ଅଢ଼େଇ ପଇସା ଓ ଗରିବ ଲୋକମାନଙ୍କର ଓଳିଏ ପେଟପୂରା ଓଳିଏ ଉପଵାସ । 

ଚିକିତ୍ସକ, ଡିପ୍ଲୋମାପ୍ରାପ୍ତ ଡାକ୍ତର ବାବୁ, 
କାର୍ଯ୍ୟ ମୁଣ୍ଡଵ୍ୟଥା ରୋଗରେ ଏକଡୋଜ୍ ମଦ୍ୟପାନର ଵ୍ୟଵସ୍ଥା, । ରୋଗୀ ଅଚେତ ହୋଇ ପଡ଼ିଲେ ଫଳ ନିଜର ଅର୍ଥ ସାଧନ । 

ଇତିଭାଗ କଥନ । 
ସତ୍ୟ ପନ୍ଦରପଣ ଉଣାଇଶ ଗଣ୍ଡା ତିନିକଡ଼ା ଇନିସ୍ପେକ୍ଟିଂ ପଣ୍ଡିତଙ୍କ ଡାଇରିରେ। ଫଳ ପ୍ରମୋଶନ । ବ୍ୟୟ - ଅମାପ । ଶୁଣ୍ଢି ଖାତାରେ ଦରଜ ଅଛି, ଫଳ ଗୌରୀଆ । ଶୁଣ୍ଢିପୁଅ ବଡ଼ଲୋକ ହୋଇଅଛି ।

 ଦାନ ଷୋଳଅଣା ସତ୍‌ପାତ୍ରରେ – କାରଣ ଅମୁକ ବେଶ୍ୟାଝିଅ ଖୁବ୍ କୋଠାବାଡ଼ି କରି ପ୍ରାୟ ନଅ ଦଶ ହଜାର ଟଙ୍କାର ଗହଣା ଓ ଵିଷୟ କରିଅଛି । ଫଳ ଦାନକର୍ତ୍ତାର ନାମ ।

 ଆହାର ବାରଅଣା ମଦ ଓ ମୁର୍ଗୀ, ଫଳ ମୁର୍ଗା ଗୋଟା ଦୁଇଅଣା ତିନିଅଣା ବଦଳରେ ପାଞ୍ଚଅଣା ଛଅଅଣା –
ମୁର୍ଗୀୱାଲା ଓ ମଦଵିକ୍ରେତାର ଲାଭ । ପରିଧାନ ଚାରିଭାଗରୁ ଭାଗେ । କୋଟ୍ ପେଣ୍ଟଲୁନ୍ କାର୍ଯ୍ୟ ଠିଆ ହୋଇ ପ୍ରସ୍ତାଵ କରିଵା – ପିଲା କାଳର କଥାକୁ ପୁନରାଵୃତ୍ତି କରି ଫଳ ଡବଲ ଖୁସି ହେଵା । ଶିକ୍ଷା, ଅଧାଅଧି ସ୍ତ୍ରୀ ଶିକ୍ଷା, ଵିଜାତୀୟ ରୀତି ନୀତି ଶିକ୍ଷା – ଫଳ ମେମ୍ ଓ ସାହେବ ସାଜି ବଗିଚାରେ ଯୁଗଳ ମୂର୍ତ୍ତି ବସି ହାଉଆ ଖାଇଵା ଓ ପିତାମାତା ପ୍ରଭୃତି ଗୁରୁଜନମାନଙ୍କୁ ମାଇଡିଅର ବୋଲି ନଵ୍ୟ ଆଖ୍ୟାନରେ ସମ୍ବୋଧନ । 

ପରୀକ୍ଷା ଷୋଳପଣ – କପିକରି ପାଶ୍ କରିଵାର ଫଳ ଵର୍ଷକୁ ଵର୍ଷ ପଣ ପଣ ଗାଡ଼ି ଗାଡ଼ି ପାଶ୍ କରି ଗୋଦାମଜାତ ହୋଇ ଚାକରି ଲାଗି ଦ୍ବାରେ ଦ୍ରାରେ ବୁଲି କେଵଳ ତୋଷାମଦ ଓ ପରିଶ୍ରମ ସାର 

ଜାତିଭେଦ କଣ୍ଠରୁ ମୁହଁଯାଏ କାର୍ଯ୍ୟ

– ନୀଚଜାତି ସଙ୍ଗରେ ବସି ଆହାର ଵ୍ୟଵହାର ବସା ଉଠା କରିଵା ଏଵଂ ‘‘ଜାନ ଯାଉ ମାନ ଥାଉ’’ ଏକଥାକୁ ଅଵହେଳା କରିଵା, ଫଳ – ଶେଷରେ ଉଚ୍ଚଜାତିମାନଙ୍କୁ ସ୍ଵହସ୍ତରେ ମୟଳା ସାଫ୍ କରିଵାକୁ ହେଵ ଏଵଂ ସମାଜ ବନ୍ଧନ ଶିଥିଳ । 

ପୂଝାରୀ – ଗଣ୍ଡା ଗଣ୍ଡା
 ପଣ୍ଡା ବଦଳରେ ଲଣ୍ଡା ବବୁର୍ଚି ତ ଖାନସମା, 
କାର୍ଯ୍ୟ - ମୁର୍ଗୀକବାବ ଭଲ ରାନ୍ଧି ପାରିଵ, ଫଳ ଜିହ୍ଵା ରୋଗ । 

ଅନୁକରଣ ପ୍ରିୟତା – ଚଉଦ ଅଣା ଶିକ୍ଷକ ଛାତ୍ର ଓ ଗୁରୁଶିଷ୍ୟ ସଙ୍ଗହୋଇ ଵେଶ୍ୟାଳୟକୁ ଯିଵା, ଏକସଙ୍ଗରେ ବସି ରଙ୍ଗ ତମାସା କରିଵା, ଇୟାକି ଦେବା, ଫଳ ସଭ୍ୟତାର ଵିସ୍ତାର ଓ ଗୁରୁଙ୍କ ଆଚରଣର ନମୁନା ଦେଖି ଛାତ୍ରର ଶିକ୍ଷା ଲାଭ – 

ଇତି ଶ୍ରୀ ହରପାର୍ଵତୀ ସମ୍ବାଦେ ନଵଵର୍ଷ ଫଳାଫଳ କଥନ ସମାପ୍ତ (ଭାଇ ପାଠକେ ! ଆପଣମାନେ ନଵଵର୍ଷର ଫଳାଫଳ ଶୁଣି ହୁଏତ ଵକ୍ତା ପ୍ରତି ଖଡ଼‌୍‌ଗହସ୍ତ ହୋଇପାର, ହୁଏତ ଖୁବ୍ ଖୁସି ହୋଇପାର – ସେଥିପାଇଁ ଆସେ ଯାଏ ନାହିଁ । ଯାହା ଯଥାର୍ଥ ତାହା ଵକ୍ତଵ୍ୟ –)

©ଉତ୍କଳ ଵ୍ୟାସ ଫକୀରମୋହନ ସେନାପତି

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...