ବ୍ରାହ୍ମଣୀ ନଦୀକୂଳରେ ଛୋଟିଆ ଗାଆଁଟିଏ ଶ୍ରୀମନ୍ତପୁ୍ର । ଗାଆଁର ନାଆଁ ସିନା ଶ୍ରୀମନ୍ତପୁର କିନ୍ତୁ ଏ ଗାଆଁରେ ଅଧିକାଂଶ ଲୋକ ଦରିଦ୍ର ଓ ଅଳ୍ପଶିକ୍ଷିତ । ଗାଆଁକୁ ଲାଗି ଗୋଟିଏ ଛୋଟିଆ ବୁଦୁବୁଦୁକିଆ ଜଙ୍ଗଲ ଏଵଂ ସେହି ଗାଆଁର ପୂର୍ଵପାର୍ଶ୍ଵରେ ବ୍ରାହ୍ମଣୀ ନଦୀ ପ୍ରଵାହିତ ହେଉଛି । ସେ ଗାଆଁର ଗୋଟିଏ ପରିଵାରରେ ଚାରିଜଣ ସଦସ୍ୟ ରହନ୍ତି । ଦିନକର ଘଟଣା । ଉକ୍ତ ପରିଵାରର ଜଣେ ସଦସ୍ୟ ରାତି ଅଧରେ ଘରଠାରୁ ତିନିଶହ ମିଟର ଦୂରରେ ଥିଵା ପାଇଖାନାକୁ ଯାଇଥାଏ । ସେ ପାଇଖାନା ଉପରେ କଙ୍କ୍ରୀଟ୍ ଛାତ ନଥିଲେ ବି ଆଜବେଷ୍ଟସ ପଡି଼ଥିଲା ଏଵଂ ପଵନ ଯାଆ ଆସ ପାଇଁ ତିନିପଟ କାନ୍ଥର ଉପରେ ଏକହାତ ଲମ୍ବ ଓ ଅଧହାତ ପ୍ରସ୍ତର ଏକ ଏକ କଣା ରହିଥିଲା । ପାଇଖାନାର କବାଟଟି ପୁରୁଣା ଶାଳକାଠରେ ତିଆରି ହୋଇ ଲଗାଯାଇଥିଲା ।
ଲୋକଟି ଉକ୍ତ ପାଇଖାନାକୁ ଝାଡା଼ଯାଇ ବସିଛି ଏତିକିବେଳେ ଗୁଡା଼ଏ କୁକୁର ଭୁକିଵା ଆରମ୍ଭ କରିଦେଲେ । ପାଇଖାନାକୁ ଝାଡା଼ଯାଇଥିଵା ଲୋକଟି ଅସମୟରେ ବାଡି଼ପଟେ କୁକୁର ଭୁକିଵା ଶୁଣି ଭୟଭୀତ ହେଲା । ସେ ଗାଆଁରେ ରାତିଅଧରେ ଦାଣ୍ଡପଟେ କୁକୁର ଭୁକିଵା ଆଦୌ ନୂଆକଥା ନଥିଲା କିନ୍ତୁ ବାଡି଼ପଟରେ କୁକୁର ଭୁକିଵା ତାପାଇଁ ନୂଆ ଥିଲା ।
କିନ୍ତୁ ହଠାତ୍ କୁକୁରମାନଙ୍କ ଭୁକା ବନ୍ଦ ହୋଇଗଲା ଏଵଂ
କୁକୁରମାନେ କାଉଁ କାଉଁ ଶବ୍ଦକରି ପଳାଇଯାଉଥିଵାର ମଧ୍ୟ ଲୋକଟି ଶୁଣିଵାକୁ ପାଇଲା ।
ସମ୍ଭଵତଃ ପ୍ରଧାନ ଘରର କେହି ଲୋକ ଉଠି କୁକୁରମାନଙ୍କୁ ଘଉଡି଼ ଦେଇଥିଵ ଏହା ମନରେ ଵିଚାରକରି ସେ ଲୋକଟି ନିଶ୍ଚିତ ହୋଇ ଝାଡ଼ା ବସିଲା ।
ଲୋକଟା ପାଇଖାନା ଭିତରେ ଝାଡା଼ ବସିଥାଏ ଏଣେ ମୋବାଇଲରେ ଫେସବୁକ ଖୋଲି ଦେଖୁଥାଏ । ହଁ ଏମିତି ଅନେକେ କରନ୍ତି ଖାଇଲାବେଳେ ଫୋନ୍ ଶୋଇଲାବେଳେ ଫୋନ୍ ଗାଡ଼ିରେ ଚଢ଼ି ଗଲାବେଳେ ହେଲମେଟ୍ ଭିତରେ ଫୋନ୍ ଏମିତିରେ ସେ ଲୋକଟି ଵା ଏଥିରୁ ଵାଦ୍ କେମିତି ଯାଆନ୍ତା ଯେ ?
ସେ ଯାହାହେଉ ଫୋନ୍ ଧରି ୟେ ଲୋକ ପାଇଖାନା ଭିତରେ ବସିଥାଏ । କେଇ କ୍ଷଣ ପରେ କୌଣସି ଗୋଟିଏ ଅଜଣା ଜୀଵ ଆସି ପାଇଖାନା କବାଟକୁ ନଖରେ ରାମ୍ପୁଡି଼ଵାକୁ ଲାଗିଲା ।
ଲୋକଟି କୁକୁର ଭାବି ଛେଇ ଛେଇ ଶବ୍ଦ କରି ତାକୁ ଘଉଡା଼ଇଵାକୁ ଚେଷ୍ଟା କଲା ଏଵଂ ନିଜ ମୋଵାଇଲର ଆଲୋକ ମାରି ତାକୁ ଡରାଇଵାକୁ ମଧ୍ୟ ଚେଷ୍ଟା କଲା । ତେବେ ସେ ଜୀଵଟି କୁଆଡେ଼ ନଯାଇ ପୂର୍ଵ ଭଳି ପାଇଖାନା କବାଟକୁ ରାମ୍ପୁଡୁ଼ଥାଏ ଓ ଆପଣା ପାଦଦ୍ଵାରା ଆଘାତ କରୁଥାଏ ।
ଏବେ ସେ ଲୋକ ବହୁତ ଡରିଗଲା । ସେ ପାଇଖାନାକୁ ନେଇଥିଵା ବାଲ୍ଟିରୁ ପାଣି ଢାଳେ ନେଇ ପାଇଖାନା କବାଟ ଉପରେ ଥିଵା ଅଧ ହାତ ଫାଙ୍କା ଗଳିବାଟରେ ବାହାରକୁ ଫିଙ୍ଗିଲା କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ ।
ଇଏ ଆଉ ସେ ମିଶ୍ରଘରର କାଳିଆକୁକୁର ଟିପୁ ନୁହେଁ ତ ? ମିଶ୍ରବାବୁଙ୍କ କୁକୁରର ବୁଦ୍ଧି ଠିକ୍ ନୁହେଁ ସେ ଲୋକଙ୍କୁ ବଡ଼ ହଇରାଣ କରେ । ବଡ଼ ଦୁଷ୍ଟ ସେଇଟା । ହେଇ ଦୁଇମାସ ତଳେ ଏଇ ମେଞ୍ଚଡ଼ କୁକୁରଟା ରାଧା ଅପା ପଛରେ ପଡ଼ିଯାଇଥିଲା । ରାଧା ଅପାଙ୍କ ଘରେ ପସିଯିଵାରୁ ଅପା ପାହାରେ ପିଟିଦେଇଥିଲେ । ସେଦିନଠୁ ଏଇଟା ତାଙ୍କ ପଛରେ ଲାଗିଗଲା । ସେ ଯୁଆଡ଼େ ଯାଆନ୍ତି ଇଏ ପଛେ ପଛେ ଥାଏ । ସତେ ଯେମିତି ଏକେଲା ପାଇଲେ କାମୁଡ଼ି ଗୋଡା଼ନ୍ତା । ରାଧାଅପା କିନ୍ତୁ ଭାଆରି ଗାଲେଇ । ଟିପୁ କୁକୁରକୁ ପାଖରେ ଦେଖିଲେ ଦାନ୍ତ କଡମଡ କରନ୍ତି ତା ଉପରକୁ ବୋଲୁଅ ଛାଡ଼ନ୍ତି । ୟେ କୁକୁର କିନ୍ତୁ ସହଜେ ଛାଡ଼ିଵା ଜନ୍ତୁ ନୁହେଁ । ଦିନେ ରାଧାଅପା ଆଉ ପାଖ ଗାଆଁର ମୋହନ ଭାଇ ତୋଟାରେ ଲୁକି ଲୁକି କ'ଣ ସବୁ କରୁଥିଲେ । ଟିପୁଟା ଯେମିତି ଦେଖିଲା ପାଖ ବାହାଳିରେ ତା ଭାଇକି ଧରି ଆଇଁଲା । ଏମିତି କ'ଣ କୋଉ କୁକୁର କରିପାରେ ଏଇଟା ନିଶ୍ଚେ ଗୋଟେ ଯୋଗଜନ୍ମା ।
ଲୋକଜଣକ ଟିପୁକୁକୁରର ଗୁଣ ସୁମରି ପାଇଖାନାରେ ଥାଇ ମିଶ୍ରଘର ଲୋକଙ୍କୁ ଶୋଦିଲା ଏଵଂ ଟିପୁ ତୋର ଅମକ ଟିପୁ ତୋର ସମକ କହି ବହେ ଗାଳି ମଧ୍ୟ ଦେଲା କିନ୍ତୁ କବାଟରେ ପଦାଘାତ ଓ ନଖାଘାତ ବନ୍ଦ ହେଲାନାହିଁ ।
ଲୋକଟା ଭୀଷଣ ରାଗିଗଲା । ସେ ବଡ଼ପାଟିକରି ପଡି଼ଶାଘରର ରାମ ପରିଡ଼ାପୁଅ ଚନ୍ଦକୁ ଡାକିଲା,ଶାମ ବେହେରା ମଉସାଙ୍କୁ ବି ଡାକିଲା କିନ୍ତୁ କେହି ଉତ୍ତର ଦେଲେନି । ରାତି ଅଧରେ ତ ସବୁ ଶୋଇଯାଇଛନ୍ତି କିଏ ଵା କାହିଁକି ତା କଥା ଶୁଣିଵ ଯେ ?
ସେଇଠୁ ଲୋକଟି ନିଜ ଫୋନରେ ତାଙ୍କ ଘର ଫୋନ୍'କୁ କଲ୍ କଲା କିନ୍ତୁ କେହି ଫୋନ୍ ଉଠାଇଲେ ନାହିଁ । ୟା ଭିତରେ ପାଇଖାନା କବାଟରେ ନଖମରା ବନ୍ଦ ହୋଇଯାଇଥାଏ । ସିଏ ମନେ କଲା ବୋଧହୁଏ ମିଶ୍ରବାବୁଙ୍କ କୁକୁରଟା ଚାଲିଗଲା । ରକ୍ଷା ହେଲା ! ଲୋକଟି ଶୌଚକର୍ମ ସାରି କବାଟ ଫାଙ୍କବାଟେ ପଦାକୁ ଅନାଇ ଦିଅନ୍ତେ ପୂର୍ଵୋକ୍ତ ଅଜ୍ଞାତ ଜୀଵଟି ସେଇ ପାଇଖାନା କବାଟ ଉପର ଫାଙ୍କବାଟ ଦେଇ ପାଇଖାନା ଭିତରକୁ ଡେଇଁଵାକୁ ଚେଷ୍ଟା କଲା ।
ଶକ୍ତ ଶାଳକାଠ ଓ ଲୁହା ଶିକୁଳି ଯୋଗୁଁ କବାଟର ସିନା କିଛି ହେଲାନାହିଁ କିନ୍ତୁ ପାଇଖାନା ଭିତରେ ଥିଵା ଲୋକଟି ସେତେବେଳକୁ ଭୟରେ ବରଡା଼ ପତ୍ରଭଳି ଥରିଵାକୁ ଲାଗିଥାଏ ।
ଏଇଟା କ'ଣ ସେଇ ଲୁପ୍ତପ୍ରାୟ ଜୀଵ? ସେ ନିଜକୁ ନିଜେ ପ୍ରଶ୍ନ କରିଵାକୁ ଲାଗିଲା ।
କାରଣ ଲୋକଟା ମୋବାଇଲ ଆଲୁଅରେ ସେହି ଜୀଵର ସାମାନ୍ୟ ଝଲକ ପାଇ ଜାଣି ଯାଇଥିଲା ଯେ ଆଜି ତା'ର ଜୀଵନ ଯାଇପାରେ । ଥରିଥରି ଲୋକଟା ମୋବାଇଲରେ ଟିପାଟିପି କରି କ'ଣ ସବୁ ଉଣ୍ଡିଵାକୁ ଲାଗିଲା । ବହୁତ ଖୋଜାଖୋଜି କଲାରୁ ଗୋଟିଏ ଜୀଵର ଚିତ୍ର ବାହାରିଲା । ସେ ଜୀଵକୁ ସେ ଛୋଟବେଳେ ଟିଵିରେ ଦେଖିଥିଲା ହଁ ଆଜି ଏଇ ଜୀଵଟି ହାବୁଡ଼ରେ ସେ ପଡ଼ିଯାଇଛି । ମାତ୍ର ୨୦୩୦ପରେ ୟେ ଜୀଵ ସଂସାରରୁ ଲୁପ୍ତ ସୋଇସାରିଛନ୍ତି ବୋଲି ଅନ୍ତର୍ଜାଲରେ ଲେଖା ହୋଇଛି !!! ଆଉ କ'ଣ ସାକ୍ଷାତ ଯମରାଜ ସେ ଜୀଵର ରୂପଧରି ତାର ପ୍ରାଣ ନେଇଯିଵାକୁ ଚାଲି ଆସିଛନ୍ତି କି ?
ଇତିମଧ୍ୟରେ ପାଇଖାନା ମଧ୍ୟରେ ଥିଵା ଲୋକଟିର ଫୋନ୍ ରିଙ୍ଗ୍ ହେଵାକୁ ଲାଗିଲା । ସେପଟରୁ ତା ସାନଭାଇ କ'ଣ ହେଲା ବୋଲି ଉକ୍ତ ଲୋକକୁ ପଚାରିଲା ।
ଲୋକଟି ଡରି ଡରି କହିଲା , ମୁଁ ପାଇଖାନା ଭିତରେ ଅଛି ଆଉ ଆମ ପାଇଖାନା କବାଟ ଆଗରେ ଗୋଟେ ହିଂସ୍ରଜନ୍ତୁ ମୋତେ ମାରି ଖାଇଵାକୁ ଜଗି ବସିଛି ।”
ଲୋକଟାର ସାନଭାଇ କହିଲା ମୁଁ ଯାଉଛି କିନ୍ତୁ ସେ ତାକୁ ମନାକଲା କହିଲା “ଭୁଲରେ ବି ଏକେଲା ଆସିବୁ ନାହିଁ ଏ ଜୀଵ ବଡ଼ ଶକ୍ତିଶାଳୀ ଓ ବୁଦ୍ଧିଆ । ତୁ ଏକାକୀ ତାକୁ ପାରିବୁନିରେ !ଅନେକ ଲୋକ ନହେଲେ ଆକୁ ଏଠୁ ତଡି଼ଵା ସହଜ ନୁହେଁ ।”
ତା ସାନ ଭାଇ ପଚାରିଲା ତାହେଲେ କ'ଣ କରିଵା ?
ଲୋକଟି ତା ଭାଇକୁ କହିଲା "ଗାଆଁ ଲୋକେ କେହି ଆସିବେ ନାହିଁ । ଏକେ ତ ଶୀତରାତି ପୁଣି ରାତିଅଧ ସବୁ ଶୋଇଛନ୍ତି ଵରଂ ତୁ ପାଖ ଚିଡି଼ଆଖାନା ଓ ପୋଲିସ ଷ୍ଟେସନକୁ ଫୋନ କରିଦେ , ସେ ପର୍ଯ୍ୟନ୍ତ ମୁଁ ପାଇଖାନା ଭିତରେ ରହିଥିଵି ।
ସକାଳ ଯାଇ ପାହାନ୍ତା ହେଲା କିନ୍ତୁ ଉକ୍ତ ହିଂସ୍ର ଜୀଵଟି ପାଇଖାନା ଛାଡ଼ି କୁଆଡେ଼ ଗଲାନାହିଁ କି ପାଇଖାନା ଭିତରେ ଥିଵା ଲୋକ ମଧ୍ୟ ବାହାରକୁ ବାହାରିଵାକୁ ସାହସ କଲା ନାହିଁ ।
ସବୁଦିନ ଚାରିଟା ସମୟରେ ପ୍ରଧାନଘର ବୁଢ଼ା ଜୟ ଶ୍ରୀରାମ ଜୟଶ୍ରୀରାମ ଡାକି ଡାକି ନିତ୍ୟକର୍ମ ସମ୍ପାଦନ କରନ୍ତି ଆଜି କିନ୍ତୁ ତାଙ୍କର ଶୋର୍ ଶବଦ ଶୁଣାଯାଉନାହିଁ । ପଡି଼ଶାଘରର ଚେମି ମାଉସୀ ରାତି ନପାହୁଣୁ ବାଡି଼ଘର ଚାରିପାଖ ପହଁରା ଧରି ଝାଟେଇଥାଏ ଆଉ ଗୀତ ବୋଲି ବୋଲି ଛରାପାଣି ପକାଏ କିନ୍ତୁ ଆଜି ତାହାର ପାଟି ମଧ୍ୟ ଶୁଣାଯାଉନାହିଁ । ଏସବୁ ଦେଖି ସିଏ ବୁଝିଗଲା ଯେ ଗାଆଁଟା ଯାକର ଲୋକ ତାଙ୍କ ଗାଆଁକୁ ଗୋଟେ ହିଂସ୍ର ଜନ୍ତୁ ଆସିଥିଵା କଥା ଜାଣିସାରିଲେଣି ତେଣୁ ସମସ୍ତେ ଘର ଭିତରେ ରହିଛନ୍ତି କେହି ପଦାକୁ ବାହାରୁ ନାହାଁନ୍ତି ।
ବଡି଼ଭୋରରୁ ପୋଲିସ ଦଳ ସହ ଵନରକ୍ଷୀ ଆସି ଉକ୍ତ ଜୀଵକୁ ଧରିଵାପରେ ଯାଇ ପାଇଖାନାରୁ ଲୋକଟି ବାହାରିଲା । ଲୋକଟି ଵନରକ୍ଷୀ ଓ ଆରକ୍ଷୀମାନଙ୍କୁ ଧନ୍ୟଵାଦ ଜଣାଇଲା । ପଚାରିଵାରୁ ଆରକ୍ଷୀଜଣକ କହିଲେ "ଏ ଜୀଵଟି ଲୁପ୍ତପ୍ରାୟ ବୋଲି ଆମେ ଭାବୁଥିଲୁ । ପୃଥିଵୀ ପୃଷ୍ଠରେ ଆଉ ମାତ୍ର ହାତଗଣତି କେତୋଟି ବଞ୍ଚିଯାଇଛନ୍ତି । ଏ ଜୀଵଟି ପାଖ ଜଙ୍ଗଲରୁ ଏଠାକୁ ଆସିଛି ପଦଚିହ୍ନରୁ ଜଣାପଡି଼ଛି । ବୋଧହୁଏ ଆଖପାଖ ଗାଆଁର ଅନେକ ଲୋକ ଓ ତାଙ୍କର ଗୃହପାଳିତ ପଶୁମାନଙ୍କୁ ଇଏ ମାରି ଖାଇଯାଇଛି କିନ୍ତୁ ଲୋକେ ଏଲିଏନଙ୍କ ଯୋଗୁଁ ସେମାନେ ନିରୁଦ୍ଧିଷ୍ଟ ହେଇଛନ୍ତି ବୋଲି ଭାବୁଥିଲେ ।”
କିଛି ଦିନ ପରେ ସମ୍ବାଦପତ୍ର ଓ ଦୂରଦର୍ଶନ କେନ୍ଦ୍ରଗୁଡି଼କରେ ସମ୍ବାଦ ବାହାରିଲା “ଶ୍ରୀମନ୍ତପୁର ଗାଆଁପାଖ ଜଙ୍ଗଲ ତଳୁ ମିଳିଲା ପାଞ୍ଚ ହଜାର ଵର୍ଷପୁରାତନ ରାଜପ୍ରସାଦ ଓ ଲୁପ୍ତପ୍ରାୟ ଜୀଵ ବାଘର ପରିଵାର” ।
🟣🟣🟣🟣🟣🟣🟣🟣🟣🟣🟣🟣🟣
(ଵି:ଦ୍ର— କଥାଵସ୍ତୁ ସମ୍ପୂର୍ଣ୍ଣ କାଳ୍ପନିକ ଏଵଂ ଢେଙ୍କାନାଳରେ ଶ୍ରୀମନ୍ତପୁର ବୋଲି କୌଣସି ଗ୍ରାମ ନାହିଁ । ଯେଉଁଭଳି ଭାବେ ବାଘଙ୍କ ସଂଖ୍ୟା ହ୍ରାସ ହୋଇ ଚାଲିଛି ୨୦୩୦ ପର୍ଯ୍ୟନ୍ତ ବାଘ ପୃଥିଵୀ ପୃଷ୍ଠରୁ ଲୁପ୍ତ ହୋଇଯାଇପାରନ୍ତି । କାହାଣୀର କଥାନକ ୨୦୩୦ ପର ସମୟର କିନ୍ତୁ ଵର୍ତ୍ତମାନ ପୃଥିଵୀ ତଥା ମାନଵଜାତିର ଯୋଉ ସ୍ଥିତି ୨୦୫୦ଯାଏଁ ମାନଵ ଓ ଵର୍ତ୍ତମାନର "Screen Age" ଥିଵ କି ନାହିଁ ତାହା ମଧ୍ୟ ସନ୍ଦେହପ୍ରଦ । ଥରେ ଡିସକଵରୀ ଚ୍ୟାନେଲରେ ଉତ୍ତର ପ୍ରଦେଶର ଵିଭିନ୍ନ ସ୍ଥାନରେ ଲୋକଙ୍କ ଉପରେ ବାଘ ଆକ୍ରମଣ ପ୍ରସଙ୍ଗରେ ଏକ ଵିଡି଼ଓ ଦେଖି ଶୋଇଵା ପରେ ପରେ ସେହି ରାତ୍ରରେ ସ୍ଵପ୍ନରେ ବାଘ ଦେଖିଲି । ତହୁଁ ରାତି ତିନିଟାରେ ପାଇଖାନାକୁ ଯାଇଥିଲି । କିଛି ସମୟପରେ ଗୋଟିଏ ଷଣ୍ଢ ଆସି ପାଇଖାନା କାନ୍ଥରେ ଦିହ ଘସିଵାକୁ ଲାଗିଲା । ମୋ ଦେହ ଶୀତେଇ ଗଲା । ଭାବିଲି ସତରେ କ'ଣ ପାହାନ୍ତିଆ ସପନ ସତ ହେଲା ?
କିଛି ସମୟପରେ ଷଣ୍ଢଟା ଚାଲିଯିଵାରୁ ମୁଁ ପାଇଖାନାରୁ ବାହାରି ଦେଖେ ତ ଖଣ୍ଡେ ଦୂରରେ ଵୃଷଭଦେଵ ଛିଡ଼ା ହୋଇ ଭୂମିକୁ ପୂରିଷ ଦାନ କରୁଅଛନ୍ତି । ସଙ୍ଗେ ସଙ୍ଗେ ଆସି ଏହା ଲେଖିପକାଇଲି କିନ୍ତୁ ସମ୍ପୂର୍ଣ୍ଣ କରିପାରିନଥିଲି । ସ୍ଵପ୍ନରେ ଦେଖିଥିଵା ବାଘର କାହାଣୀ ଆଉ କେବେ... )
🟣🟣🟣🟣🟣🟣🟣🟣🟣🟣🟣🟣🟣
No comments:
Post a Comment