Saturday, March 14, 2026

“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”

1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ 
ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ ସିନା କିନ୍ତୁ ମହାଵିଦ୍ୟାଳୟ ପରୀକ୍ଷାରେ ସେ ଇଂରାଜୀ ଵିଷୟରେ ଫେଲ୍ ହୋଇଯାଇଥିଲେ। କେହି ବି ରସିପୂରମଙ୍କୁ ସେତେ ଗୁରୁତ୍ଵ ଦେଉନଥିଲେ । ସମସ୍ତେ କହୁଥିଲେ ଯେ ତାଙ୍କର କାହାଣୀଗୁଡ଼ିକ ବହୁତ ସରଳ। ସବୁ ପ୍ରକାଶକ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିଲେ। କିନ୍ତୁ ରସିପୂରମଙ୍କୁ ନିଜର ସୃଷ୍ଟ ଦୁନିଆ ଉପରେ ଏଵଂ ନିଜ ଲେଖା ଉପରେ ବହୁତ ଵିଶ୍ୱାସ ଥିଲା। ଜଣେ ଲେଖକକୁ ଦୁନିଆରୁ ପୂର୍ଵରୁ ଜଣାଥାଏ ଯେ ଦୁନିଆକୁ କେଉଁ କାହାଣୀର ଆଵଶ୍ୟକତା ଅଛି।

ତାଙ୍କର ଜଣେ ବନ୍ଧୁ କିଟ୍ଟୁ ପୂର୍ଣ୍ଣ ସେତେବେଳେ ଅକ୍ସଫୋର୍ଡ ଵିଶ୍ୱଵିଦ୍ୟାଳୟରେ ପଢୁଥିଲେ। ରସିପୂରମ ନିଜର ଏକ ପାଣ୍ଡୁଲିପି କିଟ୍ଟୁ ପୂର୍ଣ୍ଣକୁ ପଠାଇଲେ, ଯେମିତି ସେ ତାହା ପଢି଼ପାରିବେ ଏବଂ ଯଦି ସମ୍ଭବ ହୁଏ, କୌଣସି ପ୍ରକାଶକଙ୍କୁ ଦେଖାଇଦେବେ। ବନ୍ଧୁଙ୍କୁ ପାଣ୍ଡୁଲିପି ପଠାଇଵା ସହିତ ସାଥିରେ ପଠାଇଥିଵା ଚିଠିରେ ରସିପୂରମ ଲେଖିଥିଲେ ଯଦିଏହାକୁ ପ୍ରକାଶନ ପାଇଁ କୌଣସି ପ୍ରକାଶକ ନ ମିଳିଲେ ତାହାକୁ Thames ନଦୀରେ ଫୋପାଡ଼ି ଦେଵ । 

କିଟ୍ଟୁ ଭାଇ ଜଣକ ଏକ ଵିଚକ୍ଷଣ କାମ କଲେ! ଅକ୍ସଫୋର୍ଡରେ ପଢିଵାର କିଛି ନା କିଛି ସୁଵିଧା ତ ଥାଏ। ଜଣେ ବଡ଼ ଲେଖକ କିମ୍ବା ଚିନ୍ତକଙ୍କ ସହ ପରିଚିତ ହେଵାର ସୁଯୋଗ ନିଶ୍ଚୟ ମିଳେ । ତେଣୁ ସେ ସେହି ପାଣ୍ଡୁଲିପିଟିକୁ କୌଣସି ପ୍ରକାରେ ଜଣେ ଲେଖକ ଗ୍ରାହାମ ଗ୍ରୀନ୍‌ଙ୍କ ପାଖକୁ ପଢ଼ିଵା ପାଇଁ ପଠାଇ ଦେଲେ।

ଗ୍ରାହାମ ଗ୍ରୀନ୍ ସେତେବେଳେ ବହୁତ କମ୍ ଵୟସରେ 1930 ମସିହାରେ ହିଁ ଜଣେ ବଡ଼ ଲେଖକ ଭାବରେ ପ୍ରତିଷ୍ଠିତ ହୋଇସାରିଥିଲେ। ସେ ମନୋରଞ୍ଜନ ଶୈଳୀକୁ ପରିଶୀଳିତ କରିଥିଲେ। ତାଙ୍କ କଥାକୁ ପ୍ରକାଶକମାନେ ଅଣଦେଖା କରିପାରୁନଥିଲେ। କିନ୍ତୁ ଜଣେ ବଡ଼ ଵ୍ୟକ୍ତି ବଡ଼ ଵ୍ୟକ୍ତି ହିଁ ହୋଇଥାଏ। ତାଙ୍କର ଚାରି ପ୍ରକାରର କାମ ଥାଏ। ଯଦି ସେ ଚାହିଁନଥାନ୍ତେ, ତେବେ ଜଣେ ଅଜଣା ଵ୍ୟକ୍ତିଙ୍କ ପାଣ୍ଡୁଲିପିକୁ ପଢ଼ି ନଥାନ୍ତେ। କିନ୍ତୁ ସେ ରସିପୂରମଙ୍କ ଅପ୍ରକାଶିତ ଉପନ୍ୟାସ ପଢ଼ିଵା ଆରମ୍ଭ କଲେ ଏଵଂ କିଛି ପୃଷ୍ଠା ପରେ ହିଁ ସେ ବୁଝିଗଲେ ଯେ ଏହା ଲେଖିଥିଵା ଲେଖକ କୌଣସି ସାଧାରଣ ଲେଖକ ନୁହଁନ୍ତି। ଏ ଉପନ୍ୟାସର ନିଜସ୍ୱ ଏକ ଦୁନିଆ ଅଛି। ଏକ ଏଭଳି ଦୁନିଆ ଯାହା ଇଂରାଜୀଭାଷୀ ଦୁନିଆ ଏପର୍ଯ୍ୟନ୍ତ ଦେଖି ନଥିଲା।

ଗ୍ରାହାମ ଗ୍ରୀନ୍ ତୁରନ୍ତ ନିଜର ପ୍ରକାଶକଙ୍କୁ ଯୋଗାଯୋଗ କଲେ ଏଵଂ କହିଲେ ଯେ ଏହି ବହିଟି ଆପଣଙ୍କୁ ପ୍ରକାଶ କରିଵାକୁ ହିଁ ପଡ଼ିଵ। କାରଣ ଏହା ଆଗାମୀ ସମୟର ଜଣେ ବଡ଼ ଲେଖକଙ୍କ ଉପନ୍ୟାସ । ଏହାକୁ ପ୍ରକାଶ କରି ଆପଣ ଅନେକ ଟଙ୍କା ମଧ୍ୟ ରୋଜଗାର କରିବେ । ଏହିପରି ଭାବେ ଗ୍ରାହାମ ଗ୍ରୀନ୍ ଏବଂ ରସିପୂରମଙ୍କ ବନ୍ଧୁତାର ଆରମ୍ଭ ହେଲା। ଦୁହେଁ ପରସ୍ପରକୁ ଚିଠି ଲେଖିଲେ ଏଵଂ ଏହି କ୍ରମ ଆଗାମୀ ଅନେକ ଵର୍ଷ ଧରି ଚାଲିଲା।
ଗ୍ରାହାମ ଗ୍ରୀନ୍ ଅନ୍ୟ ଏକ ଅତି ଗୁରୁତ୍ୱପୂର୍ଣ୍ଣ କାମ କଲେ। ସେ ରସିପୂରମଙ୍କୁ କହିଲେ ଯେ, ଭାଇ, ତୁମର ନାମ ବହୁତ ଲମ୍ବା। "ରସିପୂରମ୍ କୃଷ୍ଣ ସ୍ୱାମୀ ଅୟର୍ ନାରାୟଣ ସ୍ୱାମୀ" ଇଂରାଜୀ ଭାଷୀ ପାଠକଙ୍କ ପାଇଁ ଏତେ ବଡ଼ ନାମ ମନେ ରଖିଵା ଓ ବୋଲିଵା ବହୁତ କଷ୍ଟକର ହେଵ। ତେଣୁ ପ୍ରକାଶନ ପାଇଁ ଏହାକୁ ଛୋଟ କରି ଯାହା ଅଛି, ତାହା କର। ସେଇଠୁ ରସିପୂରମଙ୍କୁ ଦୁନିଆ "ଆର୍.କେ. ନାରାୟଣ" ନାମରେ ଜାଣିଲା ଏଵଂ 1935 ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ "ସ୍ୱାମୀ ଆଣ୍ଡ ଫ୍ରେଣ୍ଡସ୍" ପ୍ରକାଶିତ ହେଲା। ଆଜି ସେହି ନାମ ଭାରତୀୟ ସାହିତ୍ୟ ଏଵଂ ଵିଶ୍ୱ ସାହିତ୍ୟର ବଡ଼ ନାମଗୁଡ଼ିକ ମଧ୍ୟରେ ଗଣାଯାଏ। "ମାଲଗୁଡ଼ି ଡେଜ୍" ସହିତ କୋଟି କୋଟି ଭାରତୀୟଙ୍କ ସ୍ମୃତି ଜଡ଼ିତ।

ଗ୍ରାହାମ ଗ୍ରୀନ୍, ଆର୍.କେ. ନାରାୟଣଙ୍କ ମାର୍ଗଦର୍ଶକ ଏଵଂ ବନ୍ଧୁ ହୋଇ ରହିଲେ, କିନ୍ତୁ ଅନେକ ଵର୍ଷ ଧରି ଦୁହେଁ ପରସ୍ପରକୁ ଭେଟି ପାରିଲେ ନାହିଁ। ଶେଷରେ 1956 ମସିହାରେ ଦୁହିଁଙ୍କର ପ୍ରଥମ ଓ ଶେଷ ସାକ୍ଷାତ ଲଣ୍ଡନରେ ହେଲା ଏଵଂ ଏହି ସାକ୍ଷାତକାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା କାରଣ ସେହି ସମୟରେ ଆର୍.କେ. ନାରାୟଣ ନିଜର "ଗାଇଡ୍" ଉପନ୍ୟାସ ଉପରେ କାମ କରୁଥିଲେ। ଗ୍ରାହାମ ଗ୍ରୀନ୍ ତାଙ୍କୁ ପରାମର୍ଶ ଦେଲେ ଯେ ଏହି ଉପନ୍ୟାସର ଶେଷରେ ରାଜୁଙ୍କର ମୃତ୍ୟୁ ହେଵା ଉଚିତ୍ ‌।

ଗ୍ରାହାମ ଗ୍ରୀନ୍ ମଧ୍ୟ ଲେଖିଛନ୍ତି ଯେ "ଆର୍.କେ. ନାରାୟଣ ହେଉଛନ୍ତି ସେହି ଔପନ୍ୟାସିକ ଯାହାଙ୍କୁ ମୁଁ ସବୁଠାରୁ ଅଧିକ ପ୍ରଶଂସା କରେ।"

କେବେ କେବେ ଇତିହାସ ବଡ଼ ମଞ୍ଚରେ ତିଆରି ହୁଏ ନାହିଁ। କେବେ କେବେ ଦୁଇଜଣ ଲେଖକଙ୍କ ମଧ୍ୟରେ ଲେଖାଯାଇଥିଵା ଚିଠିଗୁଡ଼ିକ ମଧ୍ୟ ଦୁନିଆ ବଦଳାଇ ଦିଏ। ନୁହେଁ କି?

Friday, March 13, 2026

Salem witch trials : ଆମେରିକୀୟ ଇତିହାସର ଏକ କଳା ଅଧ୍ୟାୟ

୧୬୯୨ ମସିହାର ଶୀତଦିନ। "ମାସାଚୁସେଟ୍ସ୍‌ ବେ କଲୋନି"ର ଉତ୍ତର ସୀମାରେ ଥିଵା ଏକ ଛୋଟ ଗାଁ ଥିଲା — ସେଲମ୍ ଵିଲେଜ୍। ଚାରିପଟକୁ ଘଞ୍ଚ ଜଙ୍ଗଲ, ସଂକୀର୍ଣ୍ଣ ପଥ, ଏଵଂ ଲମ୍ଵା ଲମ୍ଵା ଶୀତ ରାତି। ଦିନରେ ମଧ୍ୟ ସୂର୍ଯ୍ୟକିରଣ ଗଛର ଘଞ୍ଚ ପତ୍ର ମଧ୍ୟରେ ଛାଣି ହୋଇ ଭୂମିରେ ପଡ଼ିଲା ବେଳେ, ଲାଗୁଥିଲା ସତେ ଯେପରି କେହି ଆଲୋକ ଉପରେ ପରଦା ପକାଇ ଦେଇଛି। ଏହି ଗାଁରେ ପ୍ୟୁରିଟାନ୍ ଲୋକମାନେ ରହୁଥିଲେ । ଏଠାକାର ସ୍ଥାନୀୟ ଲୋକମାନେ ନୈଷ୍ଠିକ ଖିରସ୍ତାନୀ ଏଵଂ ଏହି ରିଲିଜନର କଠୋର ନିୟମ ମଧ୍ୟରେ ବାନ୍ଧି ହୋଇ ଜୀଵନ ନିର୍ଵାହ କରୁଥିଲେ । ନୈଷ୍ଠିକ ଖିରସ୍ତାନୀ ହୋଇଥିଵାରୁ God ଓ Devil ମଧ୍ୟରେ ସଦାସର୍ଵଦା ଚାଲିଥିଵା ସେହି ତଥାକଥିତ ଅଦୃଶ୍ୟ ଯୁଦ୍ଧରେ ପୂର୍ଣ୍ଣ ଵିଶ୍ୱାସ ରଖୁଥିଲେ। ସେମାନଙ୍କ ପାଇଁ ଦୁନିଆ ଦୁଇଟି ଭାଗରେ ଵିଭକ୍ତ ଥିଲା — ଆଲୋକ ଓ ଅନ୍ଧକାର,God ଓ Devil, ପଵିତ୍ର ଓ ଶାପିତ।

ତେବେ ସେହିଦିନିଆ ଏହି ଗାଁରେ ଗୋଟିଏ ରାତିରେ, ଏମିତି କିଛି ଘଟିଲା ଯାହା ସବୁକିଛି ବଦଳାଇ ଦେଲା। ଫେବୃଆରୀ ମାସର ଏକ ଶୀତଳ ରାତିରେ, ପାଷ୍ଟର ସାମୁଏଲ୍ ପାରିଙ୍କ ଘରେ ଅଜବ ଚିତ୍କାର ଶୁଣାଗଲା। ତାଙ୍କ ନଅ ଵର୍ଷର ଝିଅ ବିଟି ପାରି ଏଵଂ ଏଗାର ଵର୍ଷର ଭାଣିଜୀ ଆବିଗେଲ୍ ୱିଲିୟମ୍ସ୍ ହଠାତ୍ ଅଜବ ଵ୍ୟଵହାର କରିଵାକୁ ଲାଗିଲେ। ସେମାନେ ବିଛଣାରେ ଛଟପଟ ହେଵାକୁ ଲାଗିଲେ, ସେମାନଙ୍କ ଶରୀର ବଙ୍କା ହେଵାକୁ ଲାଗିଲା, ମୁହଁରୁ ଅସ୍ପଷ୍ଟ ଓ ଭୟଙ୍କର ଶବ୍ଦ ବାହାରିଲା ଏଵଂ ବେଳେବେଳେ ସେମାନେ ଚେତା ହରାଇଲେ।

ଘର ଲୋକମାନେ ଭୟଭୀତ ହୋଇଗଲେ। ପାଷ୍ଟର ପାରି ପ୍ରଥମେ ଭାବିଲେ ଯେ ହୁଏତ ଏହା କୌଣସି ରୋଗ। ସେ ଗାଁ ଡାକ୍ତର ୱିଲିୟମ୍ ଗ୍ରିଗ୍ସ୍‌ଙ୍କୁ ଡାକିଲେ।
ଡାକ୍ତର ଉଭୟ ଝିଅଙ୍କୁ ପରୀକ୍ଷା କଲେ, ସେମାନଙ୍କ ନାଡ଼ି ପରକ୍ଷୀଲେ, ଆଖି ପରୀକ୍ଷା କଲେ, ଜ୍ୱର ଯାଞ୍ଚ କଲେ।

ତା’ପରେ ଧୀରେ କହିଲା —

"ଏହା କୌଣସି ସାଧାରଣ ରୋଗ ନୁହେଁ। ଏହା... ଶାପ ଵା କଳାଯାଦୁର ପ୍ରଭାବ ହୋଇଥାଇପାରେ।"

ଏହି ଗୋଟିଏ ଵାକ୍ୟ। ଏଵଂ ଏହି ଗୋଟିଏ ଵାକ୍ୟ ଗାଁରେ ନିଆଁ ଲଗାଇ ଦେଲା।

ପ୍ୟୁରିଟାନ୍ ସମାଜରେ ଡାହାଣୀମାନଙ୍କ ଭୟ ପୂର୍ଵରୁ ଥିଲା। ଚର୍ଚ୍ଚରେ ପାଷ୍ଟରମାନେ ଶିକ୍ଷା ଦେଉଥିଲେ ଯେ ଡେଵିଲ୍ ନିଜର ସେଵକ ଡାହାଣୀମାନଙ୍କୁ ପଠାଇ ଭଗଵାନଙ୍କ ଭକ୍ତମାନଙ୍କର କ୍ଷତି କରେ। ବାଇବେଲର ପୁରାତନ ନିୟମ Book of Exodus—22:18ରେ ଲେଖାଅଛି “Thou shalt not suffer a witch to live.” ଅର୍ଥାତ୍ ଡାହାଣୀମାନଙ୍କୁ ଵଞ୍ଚିଵାକୁ ଦେଵା ଉଚିତ୍ ନୁହେଁ।

ଏଵଂ ଏବେ — ଡାକ୍ତର ନିଜେ କହିଦେଲେ ଯେ ଏହା କଳାଯାଦୁ। ଗାଁରେ ଗୁଜବ ଵ୍ୟାପିଗଲା। ସ୍ଥାନୀୟ ଲୋକମାନେ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖିଵାକୁ ଲାଗିଲେ। ଘରେ ରାତିରେ କଵାଟ ଵନ୍ଦ ହେଵାକୁ ଲାଗିଲା।

ସେହି witch କିଏ? ସେ କେଉଁଠି ଲୁଚିଛି?

କିଛି ଦିନ ମଧ୍ୟରେ ବିଟି ଓ ଆବିଗେଲ୍ ଭଲ ହୋଇଗଲା ପରେ ତିନି ଜଣ ମହିଳାଙ୍କ ନାଆଁ କହିଲେ। 

ପ୍ରଥମ ନାମ ଥିଲା — Tituba (ଟିଟୁବା)।
ଟିଟୁବା, ପାଷ୍ଟର ପାରିଙ୍କ ଦାସୀ ଥିଲେ, ଯିଏ ବାର୍‌ବାଡୋସ୍ ଦ୍ୱୀପରୁ ଆସିଥିଲେ। ଗାଁରେ ଶୁଣିଵାକୁ ମିଳୁଥିଲା ଯେ ସେ ପିଲାମାନଙ୍କୁ ଅତୃପ୍ତ ଆତ୍ମାମାନଙ୍କ ଵିଷୟରେ, ଅଦୃଶ୍ୟ ଶକ୍ତି ଵିଷୟରେ,ପିଶାଚ-ପିଶାଚୁଣୀ ଓ କଳାଯାଦୁର କାହାଣୀ କହୁଥିଲେ ।

ଝିଅମାନେ କହିଲେ — "ଟିଟୁବା ଆମକୁ Devilର ସେଵା କରିଵାକୁ କହୁଛି।"

ଦ୍ୱିତୀୟ ନାମ ଥିଲା — ସାରା ଗୁଡ୍। ଜଣେ ଗରିବ ଭିକାରୀ ମହିଳା, ଯାହାକୁ ଗାଁ ଲୋକେ ପୂର୍ଵରୁ ପସନ୍ଦ କରୁନଥିଲେ।

ତୃତୀୟ ନାମ ଥିଲା — ସାରା ଓସବର୍ଣ୍ଣ୍। ଜଣେ ମହିଳା ଯିଏ ସମାଜର ପାରମ୍ପରିକ ନିୟମ ମାନୁନଥିଲେ।

ଏହି ତିନି ଜଣଙ୍କୁ ଗିରଫ କରାଗଲା।

କୋର୍ଟରେ ଟିଟୁବାଙ୍କୁ ପଚରାଉଚରା କରାଗଲା।
ପ୍ରଥମେ ସେ ମନା କଲେ। ତା’ପରେ — ହୁଏତ ଭୟରୁ, ହୁଏତ ବଞ୍ଚିଵା ପାଇଁ — ସେ ଏକ ଭୟଙ୍କର କାହାଣୀ କହିଲେ।

ସେ କହିଲା —"ହଁ, ମୁଁ ଡେଵିଲ୍‌କୁ ଦେଖିଛି। ସେ ଏକ କଳା ବହି ଧରି ଆସିଥିଲା। ସେ କହିଲା — ଏଥିରେ ଦସ୍ତଖତ କର ଏଵଂ ମୁଁ ଦସ୍ତଖତ କରି ଦେଇଛି।" ସେ ଏହା ମଧ୍ୟ କହିଲା ଯେ ୟେ ଗାଁରେ ଆହୁରି ଅନେକ witch ଅଛନ୍ତି। ସେ ନାମ କହିଲା ନାହିଁ, କିନ୍ତୁ ତାହା ଯଥେଷ୍ଟ ଥିଲା।

ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି ତାଙ୍କୁ ଫାଶୀରୁ ଵଞ୍ଚାଇଲା, କାରଣ କୋର୍ଟ "ସହଯୋଗୀ ସାକ୍ଷୀ" ମାନଙ୍କୁ କ୍ଷମା କରୁଥିଲା। Tituba ଆଦାଲତରେ witchcraft କଥା ସ୍ଵୀକାର କରିଥିଵାରୁ ତାଙ୍କୁ ସହଜରେ ମାରି ଦିଆଯାଇନଥିଲା, କିନ୍ତୁ ତାଙ୍କୁ ଜେଲ୍‌ରେ ରଖାଗଲା। ସେ ୧୬୯୨ରୁ ୧୬୯୩ ପର୍ଯ୍ୟନ୍ତ ପ୍ରାୟ ଏକ ଵର୍ଷ ଜେଲ୍‌ରେ ରହିଥିଲେ। ସେ ସମୟରେ ଜେଲ୍‌ର ଖର୍ଚ୍ଚ ମଧ୍ୟ ବନ୍ଦୀଙ୍କ ମାଲିକଙ୍କୁ ଦେଵାକୁ ପଡୁଥିଲା। ତାଙ୍କ ମାଲିକ Samuel Parris ଜେଲ୍ ଖର୍ଚ୍ଚ ଦେଵାକୁ ଇଚ୍ଛା କଲେ ନାହିଁ।
ତେଣୁ ସେ ଜେଲ୍‌ରେ ରହିଗଲେ। ୧୬୯୩ରେ ଜଣେ ଅଜଣା ବ୍ୟକ୍ତି ଜେଲ୍‌ର ଖର୍ଚ୍ଚ ଦେଇ Titubaଙ୍କୁ କିଣିନେଲେ। ତାପରେ ସେ କେଉଁଠି ଗଲେ, କେମିତି ଜୀଵନ କଟାଇଲେ ଇତିହାସରେ ଏହାର ନିଶ୍ଚିତ ତଥ୍ୟ ମିଳେନି। ତେଣୁ ଐତିହାସିକମାନେ କହନ୍ତି 
Titubaଙ୍କ ଜୀବନର ପରଵର୍ତ୍ତୀ ଅଧ୍ୟାୟ ଇତିହାସରେ ଅଦୃଶ୍ୟ ହୋଇଯାଇଛି। ହୋଇପାରେ
ଅନ୍ୟତ୍ର Tituba ଦାସୀ ଭାବେ ଜୀଵନ କଟାଇଥିବେ
କିମ୍ବା କୌଣସି ଅନ୍ୟ ଦ୍ୱୀପ କିମ୍ବା ଉପନିଵେଶକୁ ନେଇଯାଇଥିବେ କିନ୍ତୁ ତାହାର ପ୍ରମାଣ ମିଳିନାହିଁ।

ତେବେ Titubaଙ୍କ ବୟାନ ପରେ କୋର୍ଟ ଉତ୍ସାହିତ ହୋଇଗଲା। ଲୋକମାନେ ଭୟଭୀତ ହୋଇଗଲେ ଏଵଂ ଅଭିଯୋଗର ଶୃଙ୍ଖଳା ଆରମ୍ଭ ହେଲା।

ସେତେବେଳେ ଏହି ଵିଚାରରେ ଏକ ପ୍ରକାରର "ପ୍ରମାଣ" ଵ୍ୟଵହାର କରାଯାଉଥିଲା ଯାହା ଆଜିର କୌଣସି କୋର୍ଟରେ ଗ୍ରହଣୀୟ ହେଵ ନାହିଁ —

"ସ୍ପେକ୍ଟ୍ରାଲ୍ ଏଭିଡେନ୍ସ ଵା ଆତ୍ମାର ପ୍ରମାଣ।" 

ମେ ୧୬୯୨ ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ ଏକ ସ୍ୱତନ୍ତ୍ର କୋର୍ଟ — କୋର୍ଟ ଅଫ୍ ଓୟର୍ ଆଣ୍ଡ୍ ଟର୍ମିନର୍ — ଗଠନ କଲେ।

ଏହି କୋର୍ଟର ସବୁଠାରୁ ବଡ଼ ଓ ମାରାତ୍ମକ ଵୈଶିଷ୍ଟ୍ୟ ଥିଲା — ସ୍ପେକ୍ଟ୍ରାଲ୍ ଏଭିଡେନ୍ସ୍‌କୁ ସ୍ୱୀକୃତି।

ଏହାର ଅର୍ଥ ଥିଲା — ଯଦି କେହି ଦାବି କରେ ଯେ ସେ କୌଣସି ଅଭିଯୁକ୍ତର "ଆତ୍ମା" କିମ୍ବା "ଛାୟା" ଦେଖିଛି ଯିଏ ତାକୁ କଷ୍ଟ ଦେଉଥିଲା — ତେବେ ଏହାକୁ କୋର୍ଟରେ ଵୈଧ ପ୍ରମାଣ ବୋଲି ମାନୁଥିଲେ।
ଏହି ପ୍ରମାଣ ଯାଞ୍ଚ କରାଯାଇପାରୁନଥିଲା, କାଟି ହେଉନଥିଲା। ଅଭିଯୁକ୍ତର ରକ୍ଷା ପାଇଁ କୌଣସି ପନ୍ଥା ନଥିଲା। ଏହି ନିୟମ ସମ୍ପୂର୍ଣ୍ଣ ଵିଚାରକୁ ଏକ ଯୁକ୍ତିହୀନ, ନିର୍ଦ୍ଦୟ ପ୍ରକ୍ରିୟାରେ ପରିଣତ କଲା।

ଅର୍ଥାତ୍ — ଯଦି କେହି କହେ, "ମୁଁ ରାତିରେ କାହାର ଆତ୍ମା ଦେଖିଲି ଯିଏ ମୋତେ କଷ୍ଟ ଦେଉଥିଲା" — ତେବେ କୋର୍ଟ ଏହାକୁ ପ୍ରମାଣ ବୋଲି ମାନୁଥିଲା।
ଏହି ନିୟମ ଶହ ଶହ ନିରୀହ ଲୋକଙ୍କୁ ଅଭିଯୁକ୍ତ କରିଦେଲା।

ଥରେ ପ୍ରକ୍ରିୟା ଆରମ୍ଭ ହେଵା ପରେ ଅଭିଯୋଗ କରିଵା ସହଜ ହୋଇଗଲା। ଯେଉଁମାନେ ଅଭିଯୋଗ କରୁଥିଲେ, ସେମାନଙ୍କୁ ସମାଜରେ "ପୀଡ଼ିତ" ର ମାନ୍ୟତା ମିଳୁଥିଲା। ଯେଉଁମାନେ ମନା କରୁଥିଲେ, ସେମାନେ ସନ୍ଦେହୀ ହୋଇଯାଉଥିଲେ। ଯେଉଁମାନେ ସ୍ୱୀକାର କରୁଥିଲେ ଏଵଂ ଅନ୍ୟମାନଙ୍କ ନାମ ନେଉଥିଲେ, ସେମାନେ ଵଞ୍ଚିଯାଉଥିଲେ। ଏହି ଵ୍ୟଵସ୍ଥା ଏକ ଭୟଙ୍କର ଚକ୍ର ସୃଷ୍ଟି କଲା।

ବାର ଵର୍ଷ ଵୟସ୍କା ଆନ୍ ପୁଟନମ୍ ଜୁନିୟର ସର୍ଵାଧିକ ଲୋକଙ୍କ ଵିରୋଧରେ ଡାହାଣୀ ଅଭିଯୋଗ କରିଥିଲା। ସେ ନିଜକୁ 'ଡାହାଣୀ ଵା Witch'ଦ୍ଵାରା ପୀଡ଼ିତ ଦେଖାଇ ଡଜନ ଡଜନ ଲୋକଙ୍କ ଉପରେ ଅଭିଯୋଗ ଆଣିଥିଲା । 

ଜୁନ୍ ୧୬୯୨ରେ ପ୍ରଥମ ଫାଶୀ ହେଲା।

ବ୍ରିଜେଟ୍ ବିଶପ୍‌ଙ୍କୁ ଗ୍ୟାଲୋସ୍ ହିଲ୍‌ରେ ଫାଶୀ ଦିଆଗଲା। ତାଙ୍କର "ଅପରାଧ" ଥିଲା — ଅଜବ ପୋଷାକ ପିନ୍ଧିଵା ଏଵଂ ରାତିରେ ଘରେ ନରହି ବାହାରେ ବୁଲିଵା। ତା’ପରେ ଜଣକ ପରେ ଜଣେ ଏହିପରି ୧୯ ଲୋକଙ୍କୁ ଏହିପରି ଫାଶୀ ମିଳିଲା।
୨୦୦ ଲୋକଙ୍କୁ witch ସନ୍ଦେହରେ ଅଭିଯୁକ୍ତ କରାଯାଇଥିଲା । ପାଞ୍ଚଜଣ ପୁରୁଷ ଓ ଚଉଦ ଜଣ ମହିଳାଙ୍କୁ ଫାଶୀ ଦିଆଗଲା । ଜଣେ ପୁରୁଷକୁ ପଥର ତଳେ ଚାପି ଦିଆଗଲା । ଅନ୍ୟ ପାଞ୍ଚଜଣ ଜେଲ୍ ମଧ୍ୟରେ ଅନାହାର ଓ ରୋଗ ଯୋଗୁଁ ମରିଥିଲେ । କେତେକଙ୍କୁ witch ସନ୍ଦେହ କରାଯାଇ ଘର ଜଳେଇ ଦିଆଗଲା । ଅନେକଙ୍କୁ ଅସଦାଚରଣ କରାଗଲା । ଛୋଟ ପିଲାମାନଙ୍କୁ witch ସନ୍ଦେହ କରାଯାଉଥିଵା ମହିଳାମାନଙ୍କ ଉପରକୁ ପଥର ଫିଙ୍ଗିଵାକୁ ଉତ୍ସାହିତ କରାଗଲା । 
ରେବେକା ନର୍ସ ୭୧ ଵର୍ଷୀୟା ମହିଳା ଥିଲେ, ଗାଁରେ ତାଙ୍କର ବହୁତ ସମ୍ମାନ ଥିଲା। ତାଙ୍କ ପରିଵାର ତାଙ୍କ ପାଇଁ ଏକ ଆଵେଦନରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ୩୯ ଜଣ ଲୋକ ସ୍ୱାକ୍ଷର କରିଥିଲେ। ପ୍ରଥମ ଜୁରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଯେତେବେଳେ କୋର୍ଟର ଵିଚାରପତି ୱିଲିୟମ୍ ଷ୍ଟୋଟନ ଜୁରିଙ୍କୁ ପୁନଃ ଵିଚାର କରିଵାକୁ କହିଲେ, ସେତେବେଳେ ନିଷ୍ପତ୍ତି ବଦଳାଇ ଦିଆଗଲା। ଜୁଲାଇ ୧୬୯୨ ରେ ରେବେକା ନର୍ସଙ୍କୁ ଫାଶୀ ଦିଆଗଲା।

ଜର୍ଜ୍ ବରୋଜ୍‌ଙ୍କ ମାମଲା ଵିଶେଷ ଭାଵରେ ଉଲ୍ଲେଖନୀୟ ଅଟେ। ସେ ଜଣେ ପୂର୍ଵତନ ପାଷ୍ଟର ଥିଲେ। ଫାଶୀ ଘାଟିକାରେ ସେ Lord's Prayer ସମ୍ପୂର୍ଣ୍ଣ ଭାବେ ଏଵଂ ଵିନା କୌଣସି ଭୁଲ୍‌ରେ ପଢ଼ିଲେ । ସେହି ସମୟରେ ଏହା ଵିଶ୍ୱାସ କରାଯାଉଥିଲା ଯେ କୌଣସି Witch ଏହା କରିପାରିଵ ନାହିଁ। ଭିଡ଼ ଦ୍ୱିଧାବୋଧ କଲା। କିନ୍ତୁ କଟନ ମାଥର ନାମକ ଜଣେ ପ୍ରଭାଵଶାଳୀ ପାଷ୍ଟର୍ ଘୋଡ଼ା ପିଠିରେ ବସି ଭିଡ଼କୁ ବୁଝାଇଲେ ଯେ ଏହା ଡେଵିଲ୍‌ର ଏକ କୌଶଳ। ତାଙ୍କ କଥାରେ ପ୍ରଭାଵିତ ହୋଇ ଜର୍ଜ୍ ବରୋଜ୍‌ଙ୍କୁ ଫାଶୀ ଦିଆଗଲା।

ସବୁଠାରୁ ଦୁଃଖଦାୟକ କାହାଣୀ ଥିଲା ଜାଇଲ୍ସ କୋର୍‌ଙ୍କର। ଜାଇଲ୍ସ କୋର ଜଣେ ୮୦ ଵର୍ଷୀୟ ଚାଷୀ ଥିଲେ। ତାଙ୍କ ଉପରେ ମଧ୍ୟ ଅଭିଯୋଗ ଲାଗିଥିଲା। କିନ୍ତୁ ସେ କୋର୍ଟରେ plea ଦେଵାକୁ ମନା କରିଦେଲେ।

ସେହି ସମୟର ଆଇନ ଅନୁଯାୟୀ ଯେଉଁମାନେ ପ୍ଲି ଦେଉନଥିଲେ, ସେମାନଙ୍କୁ peine forte et dure ଅର୍ଥାତ୍ ଛାତିରେ ପଥର ରଖି ସ୍ୱୀକାରୋକ୍ତି କରାଇଵା ଭଳି ନିର୍ଦ୍ଦୟ ଦଣ୍ଡ ଦିଆଯାଇପାରୁଥିଲା। ୧୭ ସେପ୍ଟେମ୍ଵର ୧୬୯୨ ରେ ଜାଇଲ୍ସ କୋରଙ୍କୁ ଭୂଇଁରେ ଶୁଆଇ ତାଙ୍କ ଛାତିରେ ପଥର ରଖାଗଲା। ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିଲା। ଲୋକମାନେ କହିଲେ ଯେ ଯେତେବେଳେ ପଥର ରଖିଥିଵା ଶେରିଫ୍ ପଚାରିଲେ — "ତୁମେ Plea ଦେଉଛ କି?" — ଜାଇଲ୍ସ କୋର ପ୍ରତିଥର ସମାନ ଉତ୍ତର ଦେଲେ —

"ଆହୁରି ପଥର ରଖ।" 

ତାଙ୍କର ମୃତ୍ୟୁ ଏକ ଶାନ୍ତ ଵିଦ୍ରୋହ ଥିଲା — ସେ କୋର୍ଟକୁ ନିଜର ସମ୍ପତ୍ତି ଜଵତ କରିଵାର ସୁଯୋଗ ଦେଲେ ନାହିଁ, କାରଣ ବିନା ଵିଚାରରେ ଦୋଷୀ ସାଵ୍ୟସ୍ତ ହେଲେ ସମ୍ପତ୍ତି ପରିଵାରକୁ ମିଳୁଥିଲା।

ଏମିତି ଅନେକ ଲୋକଙ୍କୁ witch ସନ୍ଦେହ କରି ଫାଶୀ ଦିଆଗଲା । ଶେଷରେ ଅକ୍ଟୋଵର ୧୬୯୨ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ ହସ୍ତକ୍ଷେପ କଲେ।
କାରଣ ତାଙ୍କ ନିଜ ସ୍ତ୍ରୀଙ୍କୁ witch ସନ୍ଦେହ କରି ଅଭିଯୋଗ ଆସିଥିଲା। ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ କୋର୍ଟ ବନ୍ଦ କଲେ। ସ୍ପେକ୍ଟ୍ରାଲ୍ ଏଭିଡେନ୍ସକୁ ଅଵୈଧ ଘୋଷଣା କଲେ। ୧୬୯୩ରେ ବାକି ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରାଗଲା।

୧୭୦୨ରେ ମାସାଚୁସେଟ୍ସ ଵିଧାନସଭା ଏହି ଵିଚାରଗୁଡ଼ିକୁ ଅଵୈଧ ଘୋଷଣା କଲେ। ୧୭୧୧ରେ ପୀଡ଼ିତ ପରିଵାରଗୁଡ଼ିକୁ କିଛି କ୍ଷତିପୂରଣ ଦିଆଗଲା।
୧୯୫୭ରେ ମାସାଚୁସେଟ୍ସ ସରକାର ଆନୁଷ୍ଠାନିକ ଭାବେ କ୍ଷମା ମାଗିଲେ। ୨୦୦୧ରେ ଆନୁଷ୍ଠାନିକ ଭାବେ ବାକି ସମସ୍ତ ଅଭିଯୁକ୍ତଙ୍କ ନାମ ନିର୍ଦ୍ଦୋଷ ଘୋଷଣା କରାଗଲା।

ଆନ୍ ପୁଟନମ ଜୁନିୟର — ଯିଏ ସବୁଠାରୁ ଅଧିକ ଅଭିଯୋଗ ଆଣିଥିଲେ — ୧୭୦୬ରେ ଚର୍ଚ୍ଚରେ ସର୍ଵସାଧାରଣରେ କ୍ଷମା ମାଗିଲେ। ସେ କହିଲେ —

"ମୁଁ ଯାହା କରିଥିଲି ତାହା ଡେଵିଲ୍‌ର କୌଶଳରୁ ନୁହେଁ, ଵରଂ ମୋର ନିଜର ଅଜ୍ଞତା ଏଵଂ ଭ୍ରମରୁ ହୋଇଥିଲା। ଏଵଂ ମୁଁ ସେମାନଙ୍କୁ କ୍ଷମା ମାଗୁଛି ଯେଉଁମାନେ ମୋ ଯୋଗୁଁ କଷ୍ଟ ପାଇଛନ୍ତି।"

ଆଜି ସେଲମ୍, ମାସାଚୁସେଟ୍ସଠାରେ ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଅଛି — ଯେଉଁଠାରେ ପ୍ରତ୍ୟେକ ମୃତ ଵ୍ୟକ୍ତିଙ୍କ ନାମ ପାଇଁ ଏକ ପଥରର ବେଞ୍ଚ୍ ଅଛି। ଏହା ପାଖରେ ୱିଚ୍ ହାଉସ୍ ଅଛି — ଵିଚାରପତି ଜୋନାଥନ୍ କୋରୱିନ୍‌ଙ୍କ ଘର, ଯାହା ସେହି ସମୟର ଏକମାତ୍ର ଵଞ୍ଚିଯାଇଥିଵା ଘର ଅଟେ। ପ୍ରତିଵର୍ଷ ହଜାର ହଜାର ଲୋକ ସେଠାକୁ ଆସନ୍ତି।କିଛି ଇତିହାସ ଜାଣିଵାକୁ, କିଛି ଶ୍ରଦ୍ଧାଞ୍ଜଳି ଦେଵାକୁ।

ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଏକ ଶାନ୍ତ ଏଵଂ ମର୍ଯ୍ୟାଦାସମ୍ପନ୍ନ ସ୍ଥାନ। ଏଠାରେ ୧୯ଟି ପଥରର ବେଞ୍ଚ୍ ଅଛି, ଯେଉଁଥିରେ ପ୍ରତ୍ୟେକ ପୀଡ଼ିତଙ୍କ ନାମ ଖୋଦିତ ହୋଇଛି। ଲୋକମାନେ ସେଠାରେ ଫୁଲ ରଖନ୍ତି, ମହମଵତୀ ଜଳାନ୍ତି। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଅତୀତର ଯନ୍ତ୍ରଣାକୁ ମନେ ରଖାଯାଏ। ଏହି ସ୍ମାରକୀ କେଵଳ ସେହି ଲୋକମାନଙ୍କୁ ସମ୍ମାନ ଦିଏ ନାହିଁ ଯେଉଁମାନେ ପ୍ରାଣ ହରାଇଛନ୍ତି, ଵରଂ ଏହା ସେହି ସମୟର ପ୍ରତିଫଳନ ପାଇଁ ମଧ୍ୟ ଉଦ୍ଦିଷ୍ଟ — ଯେପରି କେବେ ପୁଣି ଏପରି କିଛି ନଘଟୁ।

ଆଜି ସେଲମ୍ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଲୋକମାନେ ସେଠାକୁ କେଵଳ ଭୂତ କାହାଣୀ ଶୁଣିଵା ପାଇଁ ନୁହେଁ, ଵରଂ ପ୍ରକୃତ ଇତିହାସ ବୁଝିଵା ପାଇଁ ଆସନ୍ତି। ସେଲମ୍ ୱିଚ୍ ମ୍ୟୁଜିୟମ୍‌ରେ ପୁରୁଣା ଦଲିଲ, କଳାକୃତି ଏଵଂ ପ୍ରଦର୍ଶନୀ ଅଛି। ଲୋକମାନେ ସେହି witch trialଗୁଡ଼ିକର ଵାସ୍ତଵତା ଵିଷୟରେ ଜାଣନ୍ତି — କିପରି ଭୟ ଅହିଂସାକୁ ନଷ୍ଟ କରିଦେଇଥିଲା। ସ୍କୁଲ୍‌ର ପିଲାମାନେ ଫିଲ୍ଡ୍ ଟ୍ରିପ୍‌ରେ ଆସନ୍ତି, ଐତିହାସିକମାନେ ଗଵେଷଣା କରନ୍ତି, ଲେଖକମାନେ ପ୍ରେରଣା ଖୋଜନ୍ତି।

ପ୍ରତି ଅକ୍ଟୋଵର ମାସରେ ସେଲମ୍‌ରେ ସେଲମ୍ ୱିଚ୍ ଟ୍ରାୟଲ୍ସ ରି-ଏନେକ୍ଟ୍‌ମେଣ୍ଟ୍ ଆୟୋଜନ କରାଯାଏ। ସ୍ଥାନୀୟ ଲୋକମାନେ ସେହି ସମୟର ପୋଷାକ ପିନ୍ଧି ସେହି ଘଟଣାଗୁଡ଼ିକୁ ପୁନର୍ଵାର ଦେଖାନ୍ତି। କିନ୍ତୁ ଏହା କେଵଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଏକ ଶିକ୍ଷା — ଯେପରି ଲୋକମାନେ ସେହି ଦୁଃଖଦ ଘଟଣାର ଗୁରୁତ୍ୱ ବୁଝିପାରନ୍ତୁ।


Salem Witch Trials ଘଟଣାର ପ୍ରକୃତ କାରଣ ଵିଷୟରେ ଆଜି ପର୍ଯ୍ୟନ୍ତ ଅନେକ ଗଵେଷଣା ହୋଇଛି । ଐତିହାସିକ ଓ ଗଵେଷକମାନେ ଏହି ଘଟଣା ପଛରେ ଅନେକ କାରଣ ଖୋଜି ପାଇଛନ୍ତି । 

ସେଲ୍‌ମ ଘଟଣାର ଏକ ପ୍ରସିଦ୍ଧ ବୈଜ୍ଞାନିକ ବ୍ୟାଖ୍ୟା 1976 ମସିହାରେ ମିଳିଥିଲା। ଵୈଜ୍ଞାନିକ ଲିଣ୍ଡା ଆର. କାପୋରାଲ୍ ଏହି ତତ୍ତ୍ୱ ପ୍ରସ୍ତାବ କରିଥିଲେ ଯେ "Salem Witch Trials"ର ମୁଖ୍ୟ କାରଣ ଥିଲା ergot fungus ଵା କବକର ସଂକ୍ରମଣ। ଏହି କବକ rye ଶସ୍ୟ(Secale cereale) ଏବଂ ଅନ୍ୟାନ୍ୟ ଶସ୍ୟରେ ବଢ଼ିଥାଏ ତଥା ଏଥିରେ ergotamine ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହା LSD ସହିତ ସମାନ। LSDର ପୂରା ନାମ Lysergic Acid Diethylamide ଅଟେ । ଏହା ଏକ ଶକ୍ତିଶାଳୀ psychedelic drug — ଅର୍ଥାତ୍ ଏହା ମସ୍ତିଷ୍କ ଉପରେ ଏତେ ଗଭୀର ପ୍ରଭାଵ ପକାଏ ଯେ ଵ୍ୟକ୍ତି ଅସଲ ଜଗତ ଏଵଂ କଳ୍ପନା ମଧ୍ୟରେ ପ୍ରଭେଦ କରିପାରେ ନାହିଁ। LSD ପ୍ରଥମ ଥର 1938 ମସିହାରେ ସ୍ୱିସ୍ ରସାୟନ ଵିଜ୍ଞାନୀ Albert Hofmann ପ୍ରସ୍ତୁତ କରିଥିଲେ। ଏହା ପ୍ରଥମେ ଏକ ଔଷଧ ଭାବେ ତିଆରି ହୋଇଥିଲା, କିନ୍ତୁ ପରୀକ୍ଷା ସମୟରେ ଏହାର ତୀଵ୍ର ମନଃ-ପ୍ରଭାବ ଜଣାପଡ଼ିଲା। ଏହା ଅର୍ଗଟ୍ ଫଙ୍ଗସ୍‌ରୁ ମିଳୁଥିଵା Lysergic Acidରୁ ତିଆରି — ଏଣୁ Salem Witch Trials ସହ ଏହାର ଯୋଗସୂତ୍ର ଅଛି।

LSD ମସ୍ତିଷ୍କର serotonin receptor ଉପରେ କାର୍ଯ୍ୟ କରେ। ଏହା ଖାଇଲେ—ଅଵାସ୍ତଵ ଦୃଶ୍ୟ ଦେଖାଯାଏ ଵା visual hallucinations ହୁଏ । ରଙ୍ଗ, ଶବ୍ଦ, ସ୍ପର୍ଶ ଅଲଗା ଅନୁଭୂତ ହୁଏ । ସମୟ ଓ ସ୍ଥାନ ର ବୋଧ ନଷ୍ଟ ହୁଏ । ଗଭୀର ଭ୍ରମ ଓ ଭୟ ଆସିପାରେ । LSDର ଏକ ଛୋଟ ଡୋଜ୍ ୮–୧୨ ଘଣ୍ଟା ପର୍ଯ୍ୟନ୍ତ ମନକୁ ପ୍ରଭାଵିତ କରିଥାଏ। 

ଠିକ୍ ସେହିପରି Convulsive ergotismର ଲକ୍ଷଣଗୁଡ଼ିକ ହେଲା: ମାନସିକ ବିକୃତି ଵା Psychosis,ଭ୍ରମ ଵା Hallucinations,ଶରୀରର ମାଂସପେଶୀ ହଲଚଲ ହେଵା ଵା Muscle spasms ଏଵଂ ଚର୍ମରେ କିଛି ପୋକ ଵା ବିଛା ଚାଲୁଥିଵା ଭଳି ଲାଗିଵା ଇତ୍ୟାଦି। ଏହି ସବୁ ଲକ୍ଷଣ 1692 ମସିହାର ସେଲ୍‌ମର ଐତିହାସିକ ରେକର୍ଡରେ ଦେଖିଵାକୁ ମିଳିଛି। 

ଲିଣ୍ଡା କାପୋରାଲ୍, ସେଲ୍‌ମର ତତ୍କାଳୀନ ଲୋକଙ୍କ ଡାଏରୀରେ ଦେଖିଲେ ଯେ 1691 ମସିହାର ପାଣିପାଗ ଗରମ, ଆର୍ଦ୍ର ଓ ଵର୍ଷାଯୁକ୍ତ ଥିଲା, ଯାହା ଏର୍ଗଟ୍ କବକ ବଢ଼ିଵା ପାଇଁ ସବୁଠାରୁ ଉପଯୁକ୍ତ ଥିଲା। ପ୍ରାୟ ସମସ୍ତ ଅଭିଯୋଗ କରିଥିଵା ଝିଅମାନେ ପଶ୍ଚିମ ସେଲମ୍ ଵିଲେଜ୍ ଅଞ୍ଚଳର ଥିଲେ, ଯେଉଁଠାରେ କବକ ବଢ଼ିଵା ପାଇଁ ଉପଯୁକ୍ତ ପରିଵେଶ ଥିଲା। ସେହି ସମୟରେ Rye ଶସ୍ୟ ସେଲମ୍‌ର ମୁଖ୍ୟ ଖାଦ୍ୟ ଶସ୍ୟ ଥିଲା।
Rye ଏକ ଶକ୍ତ cereal grain ଯାହା Poaceae ପରିଵାରର ଅନ୍ତର୍ଭୁକ୍ତ ଏଵଂ ଏହା ଗହମ ଓ ବାର୍ଲି ସହିତ ଘନିଷ୍ଠ ଭାବେ ଜଡ଼ିତ। ସମଶୀତୋଷ୍ଣ ଅଞ୍ଚଳରେ ଵିଶେଷ କରି Europe ଓ Russiaରେ ଚାଷ କରାଯାଉଥିବା rye, ଅଳ୍ପ ଉର୍ଵର ମାଟି ତଥା ଶକ୍ତ ପାଗକୁ ସହ୍ୟ କରିଵା ପାଇଁ ଜଣାଶୁଣା।

ଏହାର ପତ୍ରଗୁଡ଼ିକ ଗହମ ଅପେକ୍ଷା ଲମ୍ବା ଏଵଂ ଏହାର ଦାନାଗୁଡ଼ିକ ଛୋଟ ଓ ଗାଢ଼ ରଙ୍ଗର ହୋଇଥାଏ ‌। ଏହା -30°C ପର୍ଯ୍ୟନ୍ତ ତାପମାତ୍ରା ଏଵଂ ଅମ୍ଳୀୟ ମାଟିକୁ ସହ୍ୟ କରିପାରେ । ଏହାର ଚେରଗୁଡ଼ିକ ବହୁତ ଗଭୀର ଭାବେ ଵିସ୍ତାରିତ ହୋଇଥାଏ, ଯାହା ଏହାକୁ ମୃତ୍ତିକା ସଂରକ୍ଷଣ ପାଇଁ ଉତ୍କୃଷ୍ଟ କରିଥାଏ । ଐତିହାସିକ ଭାବେ, ଯେଉଁ ଅଞ୍ଚଳରେ ଗହମ ଭଲ ଭାବେ ହେଉନଥିଲା, ସେହି ଶକ୍ତ ମାଟିରେ rye ଏକ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ହୋଇ ରହିଥିଲା। ଏହା Russian rye bread (ଯାହାକୁ "black bread" କୁହାଯାଏ) ଏଵଂ Polish rye whiskey ଭଳି ପାରମ୍ପରିକ ଖାଦ୍ୟର ମୁଖ୍ୟ ଆଧାର। ଏହାର ଅଧିକ fiber ଓ protein ଯୋଗୁଁ ଏହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ମନେ କରାଯାଏ।

Rye ପ୍ରଥମେ ସପ୍ତଦଶ ଶତାବ୍ଦୀର ଆରମ୍ଭରେ ଆମେରିକାକୁ ୟୁରୋପୀୟମାନଙ୍କ ଦ୍ଵାରା ଆସିଥିଲା। Dutch ଲୋକମାନଙ୍କ ଦ୍ବାରା ୧୬୨୫ ଅଗଷ୍ଟ ମାସରେ Manhattan Island (New Amsterdam)ରେ ପ୍ରଥମ American-grown rye ଅମଳ କରାଯାଇଥିଲା। ଏହି ଶସ୍ୟ Lynn, Massachusetts (1633) ଓ Jamestown, Virginia (1628)ରେ ମଧ୍ୟ ଚାଷ କରାଗଲା। Rye ମୁଖ୍ୟତଃ "ଅମ୍ଳୀୟ ବାଲୁକାମୟ ହିମନଦୀୟ ମାଟି" ଵା acidic sandy glacial soils ପାଇଁ ଉପଯୁକ୍ତ ଥିଲା, ଯାହା ଆମେରିକୀୟ ପୂର୍ଵ ଉପକୂଳର ଅନେକ ଅଞ୍ଚଳରେ ଦେଖିଵାକୁ ମିଳେ। ଏହା ଶୀତ ଋତୁରେ ବହୁତ ଭଲ ଭାବରେ ବଢ଼େ ଏଵଂ ରୋଗ ପ୍ରତିରୋଧକ ଶକ୍ତି ରଖୁଥିଵାରୁ ଏହା ଏକ ଭଲ ଶୀତକାଳୀନ ଫସଲ ଥିଲା । ଅଵଶ୍ୟ ଆଧୁନିକତାର ଚାପରେ ପଡ଼ି ୧୯୫୦ ଦଶକରୁ ଆମେରିକାରେ ryeର ଵ୍ୟଵହାର ବହୁତ କମିଯାଇଛି। ଯଦିଓ rye କେବେ ବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ଵିଶେଷ କରି ଉତ୍ତର ଓ ପୂର୍ଵ ୟୁରୋପରେ ଏହା ଏକ ମୁଖ୍ୟ ଖାଦ୍ୟ ଭାବରେ ଆଜି ବି ଚାଷ କରାଯାଉଛି, କିନ୍ତୁ ଆମେରକୀୟ ଚାଷକ୍ଷେତ୍ରରେ ଓ ରୋଷେଇ ଘରେ ଏହାର ଵ୍ୟଵହାର ବହୁତ କମିଯାଇଛି । 
Salem Witch Trials ସମୟରେ, rye ପ୍ରକୃତରେ Massachusetts Bay Colonyର ଅନେକ ଗୋରା ଲୋକଙ୍କ ପାଇଁ ଏକ ମୁଖ୍ୟ ଶସ୍ୟ ଥିଲା, କିନ୍ତୁ ଏହା ସେମାନଙ୍କର ଏକମାତ୍ର ଵା ସବୁଠାରୁ ଭଲ ଵିକଳ୍ପ ନଥିଲା।

Rye ଥିଲା Massachusetts Bay Colonyର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଶସ୍ୟ ଵିଶେଷ କରି ସେହି ଗୋରା ଵସତିଵାସୀଙ୍କ ପାଇଁ ଯେଉଁମାନେ ଗହମ କିଣିଵା ପାଇଁ ସକ୍ଷମ ନଥିଲେ। Purdueର ଗଵେଷଣା ଅନୁଯାୟୀ, rye "ଗହମ ଅପେକ୍ଷା ଏକ ଶସ୍ତା ଶସ୍ୟ ଥିଲା ଏବଂ ergot ଭଳି ରୋଗ ଦ୍ୱାରା ଏହା କମ୍ ପ୍ରଭାଵିତ ହେଉଥିଲା," ଯାହା ଏହାକୁ ସୀମିତ ଆର୍ଥିକ ସମ୍ବଳ ଥିଵା ସମୁଦାୟଗୁଡ଼ିକ ପାଇଁ ଏକ ସୁଲଭ ବିକଳ୍ପ ଭାବରେ ଗଢ଼ି ତୋଳିଥିଲା । 
Salemର ସାମାଜିକ ଓ ଅର୍ଥନୈତିକ ସଂରଚନା ଏହି ଶସ୍ୟ ଵ୍ୟଵହାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଦାନ କରେ। Salem Town, ଯେଉଁଠି ଧନୀ ଵ୍ୟଵସାୟୀ ଏଵଂ ବନ୍ଦର ସହରର ଲୋକ ରହୁଥିଲେ, ସେଠାରେ ଲୋକମାନେ ଗହମ ଭଳି ଭଲ ଶସ୍ୟ କିଣିଵାକୁ ସକ୍ଷମ ଥିଲେ। କିନ୍ତୁ, Salem Village - ଯାହା ଏକ "ଦରିଦ୍ର, ଗ୍ରାମାଞ୍ଚଳ କୃଷି କ୍ଷେତ୍ର" ଥିଲା ଏଵଂ "ଅଧିକାଂଶ ଚାଷୀ ଓ ସେଵକ" ମାନେ ରହୁଥିଲେ - ସେଠାରେ ଖାଦ୍ୟର ମୁଖ୍ୟ ଉତ୍ସ rye ଥିଲା ‌। ଅର୍ଥାତ୍ Salem Villageର ଗରିବ ଗୋରା ବସତିଵାସୀମାନେ ସେମାନଙ୍କର "କେଵଳ rye କିଣିଵା" କ୍ଷମତା ଯୋଗୁଁ , ସେମାନଙ୍କ ଖାଦ୍ୟର ମୁଖ୍ୟ ଅଂଶ ଭାବରେ rye ଵ୍ୟଵହାର କରୁଥିଲେ।

ଏହା କେଵଳ ଖାଦ୍ୟର ଏକ ଉତ୍ସ ନଥିଲା ଵରଂ ବସତିଵାସୀଙ୍କ ଵିଭିନ୍ନ ଅର୍ଥନୈତିକ ଶ୍ରେଣୀ ମଧ୍ୟରେ ଥିଵା ସାମାଜିକ ଓ ଆର୍ଥିକ ଅସମାନତାର ଏକ ସୂଚକ ଥିଲା। ଏହି ଦରିଦ୍ର ସମୁଦାୟଗୁଡ଼ିକ ଦ୍ୱାରା ଅଧିକ rye ଵ୍ୟଵହାରକୁ ଐତିହାସିକ ଭାବେ "ଈଶ୍ୱର ଗରିବ ଶ୍ରେଣୀକୁ ଦଣ୍ଡ ଦେଉଛନ୍ତି" ବୋଲି ଵ୍ୟାଖ୍ୟା କରାଯାଇଥିଲା । 

Salem Townର ଧନୀ ଗହମ ଵ୍ୟଵହାରକାରୀ ଏଵଂ Salem Villageର rye ଶସ୍ୟ ଉପରେ ନିର୍ଭରଶୀଳ ଲୋକଙ୍କ ମଧ୍ୟରେ ଥିଵା ଏହି ଅର୍ଥନୈତିକ ପାର୍ଥକ୍ୟ, ergot theory ଭଳି ଵ୍ୟାଖ୍ୟାଗୁଡ଼ିକ ସହିତ ସମାନ ଅଟେ, ଯାହା ଦର୍ଶାଏ ଯେ କିପରି ଖାଦ୍ୟ ଶସ୍ୟ Salem Witch Trials ସମୟରେ ସାମାଜିକ ଉତ୍ତେଜନା ଓ ମାନସିକ ଚାପ ସହିତ ଜଡ଼ିତ ହୋଇଥାଇପାରେ। ଅଵଶ୍ୟ ergot theoryକୁ କେତେକ ଗଵେଷକ ଗ୍ରହଣ କରନ୍ତି ନାହିଁ । 

Ergot fungus ଵା କବକ ଥିଵା ଶସ୍ୟ ଯଦି ଗାଁର ଖାଦ୍ୟରେ ଥାନ୍ତା, ତେବେ ଗାଁର ଅନେକ ଲୋକ ଏକେ ପ୍ରକାର ଲକ୍ଷଣ ଦେଖାଇଵା ଉଚିତ୍ ଥିଲା।
କିନ୍ତୁ Salem Witch Trials ସମୟରେ ଲକ୍ଷଣ ମୁଖ୍ୟତଃ କେଵଳ କିଛି ଝିଅଙ୍କ ମଧ୍ୟରେ ଦେଖାଯାଇଥିଲା। ଗାଁର ଅନ୍ୟ ଲୋକମାନେ ସେହିପରି ଲକ୍ଷଣ ଦେଖାଇନଥିଲେ। ଏହା ergot poisoning ସହ ସମ୍ପୂର୍ଣ୍ଣ ମେଳ ଖାଉନାହିଁ।

Ergot poisoning ସାଧାରଣତଃ ଦୁଇ ପ୍ରକାର । 
Convulsive ergotism (ଝଟକା, ଭ୍ରମ) ଓ 
Gangrenous ergotism (ହାତ-ପାଦ ସ୍ଥିର ନରହିଵା ) । 

ଐତିହାସିକ ରେକର୍ଡରେ Salemର ଲୋକମାନଙ୍କ ମଧ୍ୟରେ gangrene, ଅଙ୍ଗ ଶୁଷ୍କ ହେଵା ଵା ଶରୀର କଳା ହେଵା ଭଳି ଲକ୍ଷଣ ମିଳେନାହିଁ। ତେଣୁ ଅନେକ ଗଵେଷକ କହନ୍ତି ଯେ ergot poisoning ହେଲେ ଏହି ଲକ୍ଷଣ ମଧ୍ୟ ଦେଖାଯିଵା ଉଚିତ୍ ଥିଲା।

Ergot poisoning ସାଧାରଣତଃ ଖାଦ୍ୟ ଖାଇଲା ପରେ ନିୟମିତ ଭାବେ ହୁଏ। କିନ୍ତୁ Salemର ରେକର୍ଡ ଅନୁସାରେ ଝିଅମାନଙ୍କର ଲକ୍ଷଣ କେବେ ଆସୁଥିଲା କେବେ ହଠାତ୍ ଥମିଯାଉଥିଲା ।‌ ପୁଣି କେବେ ନୂଆ ଅଭିଯୋଗ ଆସିଲେ ଆଉଥରେ ଆରମ୍ଭ ହୋଇଯାଉଥିଲା ତେଣୁ ଏହା ବହୁତ ସମ୍ଭଵ ମନୋଵୃତ୍ତିକ ଅଥଵା ସାମାଜିକ ପ୍ରତିକ୍ରିୟା ଭଳି ହୃଦବୋଧ ହୁଏ ।

Ergot fungus ସାଧାରଣତଃ ଗରମ ଓ ଆର୍ଦ୍ର ସମୟରେ ବଢ଼େ। କିନ୍ତୁ Salemର ପ୍ରଥମ ଲକ୍ଷଣ ଶୀତକାଳ (February 1692)ରେ ଦେଖାଯାଇଥିଲା। ଏହା ମଧ୍ୟ ergot theory ପାଇଁ ଏକ ସନ୍ଦେହ ସାଵ୍ୟସ୍ତ ହୋଇଅଛି ।

ଅନେକ ଅଭିଯୋଗ ସଚେତନ ଭାବେ କରାଯାଇଥିଵା ସମ୍ଭାଵନା ଅଧୀକ । ଝିଅମାନେ ହୁଏତ ଧ୍ୟାନ ଆକର୍ଷଣ କରିଵାକୁ ଏଭଳି କରିଥାଇପାରନ୍ତି । ତାପରେ ସୁଯୋଗ ଦେଖି 
କିଛି ଲୋକ ଵ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଆଉ 
କିଛି ଲୋକ ସମ୍ପତ୍ତି ଦଖଲ କରିଵା ପାଇଁ
ଅଭିଯୋଗ କରିଥିଲେ। 

ଐତିହାସିକ ଓ ଗଵେଷକମାନେ ତେଣୁ Salem Witch Trials ଘଟଣାର ସାମାଜିକ-ରାଜନୈତିକ ମୂଳ କାରଣ ମଧ୍ୟ ଖୋଜିଵାକୁ ଚେଷ୍ଟା କରିଛନ୍ତି । ମୁଖ୍ୟ ସଂଘର୍ଷ ଥିଲା ପାରମ୍ପରିକ ପ୍ୟୁରିଟାନ ଜୀଵନଶୈଳୀ (ଧର୍ମପରାୟଣତା ଓ ସରଳ ଚାଷୀ ଜୀଵନ) ବନାମ ଦ୍ରୁତ ଗତିରେ ବଢ଼ୁଥିଵା ପୁଞ୍ଜିଵାଦୀ ଵ୍ୟଵସାୟିକ ଚିନ୍ତାଧାରା ମଧ୍ୟରେ। ଐତିହାସିକ ପଲ୍ ବଏର୍ ଓ ଷ୍ଟିଫେନ୍ ନିସେନବମ୍‌ଙ୍କର ବହି Salem Possessedରେ ଦର୍ଶାଇଛନ୍ତି ଯେ ଅଧିକାଂଶ ଅଭିଯୋଗକାରୀ ପୁଟନମ୍ ଗୋଷ୍ଠୀର ଥିଲେ ଯେଉଁମାନେ କୃଷି କରୁଥିଲେ। କିନ୍ତୁ ଅଧିକାଂଶ ଅଭିଯୁକ୍ତ ପୋର୍ଟର ଗୋଷ୍ଠୀର ଥିଲେ ଯେଉଁମାନେ ଵ୍ୟଵସାୟ କରୁଥିଲେ। ଏହା ଏକ ଗଭୀର ଅର୍ଥନୈତିକ ଓ ସାଂସ୍କୃତିକ ସଂଘର୍ଷର ପ୍ରତିଫଳନ ଥିଲା, ଯାହା "ଡାହାଣୀ" ଅଭିଯୋଗ ମାଧ୍ୟମରେ ସାମ୍ନାକୁ ଆସିଥିଲା।

ଏହି ଵିଚାରଗୁଡ଼ିକ ସେତେବେଳେ ହୋଇଥିଲା ଯେତେବେଳେ ଔପନିବେଶିକ ଚାର୍ଟର ସାମୟିକ ଭାବେ ବନ୍ଦ ଥିଲା ଏଵଂ ଇଂଲଣ୍ଡ ଓ ଔପନିବେଶିକ ଅଞ୍ଚଳ ମଧ୍ୟରେ ରାଜନୈତିକ ଓ ଧାର୍ମିକ ତିକ୍ତତା ଥିଲା। ୧୬୯୨ ମସିହାରେ ସେଲମ୍ ଵିଲେଜ୍‌ରେ କୌଣସି ସ୍ପଷ୍ଟ ରାଜନୈତିକ ନେତୃତ୍ୱ ନଥିଲା। ଗ୍ରାମର ନୂତନ ପାଳକ ସାମୁଏଲ୍ ପ୍ୟାରିସ୍‌ଙ୍କ ଅନୁଗାମୀ ଓ ଵିରୋଧୀଙ୍କ ମଧ୍ୟରେ ଵିଵାଦ ଥିଲା।
୧୬୮୯ ମସିହାରେ ମାସାଚୁସେଟ୍ସର ପୁରୁଣା ଚାର୍ଟର ରଦ୍ଦ ହୋଇଯାଇଥିଲା। ଦୁଇ ଵର୍ଷ ଧରି ସେଠାରେ କୌଣସି ସରକାରୀ ନିୟନ୍ତ୍ରଣ ନଥିଲା। ଏହି ଆଇନଶୂନ୍ୟତା ମଧ୍ୟରେ ସ୍ୱତନ୍ତ୍ର ଅଦାଲତଗୁଡ଼ିକ "spectral evidence" ଵା ସ୍ୱପ୍ନ ଓ ଦର୍ଶନକୁ ଆଧାର କରି ନିଷ୍ପତ୍ତି ନେଉଥିଲେ। 

ସେଲ୍‌ମ ଵିଲେଜ୍‌ର କଠୋର ଵାସ୍ତଵତା ମଧ୍ୟରେ ଥିଲା 1689 ମସିହାର King Philip's Warର ପ୍ରଭାଵ, ଯାହା Salem Witch Trials ଘଟଣା ସମୟରେ ଚାଲିଥିଲା। 

Wabanaki Confederacyର ଯୋଦ୍ଧାମାନେ ଓ ଫରାସୀ ସୈନ୍ୟମାନେ ସେ ସମୟରେ Maine, New Hampshire ଓ ଉତ୍ତର Massachusetts ଅଞ୍ଚଳରେ ବ୍ରିଟିଶ୍ ଔପନିବେଶିକମାନଙ୍କ ଗ୍ରାମ ଓ ସୀମାନ୍ତ ବସତିଗୁଡ଼ିକୁ ଆକ୍ରମଣ କରୁଥିଲେ। ଏହି ଆକ୍ରମଣ ଯୋଗୁଁ ଅନେକ ପରିଵାର ନିଜ ପ୍ରିୟଜନଙ୍କୁ ହରାଇଲେ, ଅନେକ ଘରବାଡ଼ି ଧ୍ୱଂସ ହେଲା ଏଵଂ ଅନେକ ଲୋକ ଭୟଭୀତ ଅଵସ୍ଥାରେ ଅନ୍ୟ ସୁରକ୍ଷିତ ଗ୍ରାମକୁ ପଳାଇ ଆସିଲେ।

ଏହି ପରିସ୍ଥିତି ସମାଜରେ ଏକ ସାମୂହିକ ଆଘାତ ଓ ଅସ୍ଥିରତା ସୃଷ୍ଟି କରିଥିଲା। ଲୋକମାନଙ୍କ ମନରେ ପୂର୍ଵରୁ ଭୟ, ଅନିଶ୍ଚିତତା ଓ ଆତଙ୍କ ବସା ବାନ୍ଧିଥିଲା। ଏହିପରି ଦୁର୍ଵଳ ମାନସିକ ପରିଵେଶରେ ଯେତେବେଳେ Salem Witch Trials ସମୟରେ “ଡାହାଣୀ” ଅଭିଯୋଗର କଥା ଉଠିଲା, ସେହି ଭୟ ଓ ଅସ୍ଥିରତା ତାହାକୁ ଆହୁରି ତୀଵ୍ର କରିଦେଲା। ଫଳସ୍ୱରୂପ, ସମାଜର ଏହି ଦୁର୍ଵଳ ମାନସିକ ଅଵସ୍ଥା Witch ଅଭିଯୋଗର ଵିଶୃଙ୍ଖଳାକୁ ଅତିଶୟ ଉତ୍ତେଜିତ କରିଦେଲା।

Salem Witch Trialsଗୁଡ଼ିକ ୟୁରୋପର ପଞ୍ଚଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଚାଲିଥିଵା Witch Hunts ପରମ୍ପରାର ଶେଷ ସମୟ ଥିଲା। ଇଂରେଜ ଔପନିଵେଶିକମାନେ Witch ସମ୍ବନ୍ଧୀୟ ଵିଚାରଧାରାକୁ ନିଜ ସହିତ ଆମେରିକାକୁ ନେଇ ଆସିଥିଲେ। Salem Witch Trials ପୂର୍ଵରୁ ମଧ୍ୟ ନିଉ ଇଂଲଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକରେ ଅନେକ ଲୋକଙ୍କ ଉପରେ Witch ହେଵାର ଅଭିଯୋଗ ଆସିଥିଲା।

Devil ଵା ସଇତାନ କିଛି ଲୋକଙ୍କୁ "Witch" କରି ଅନ୍ୟମାନଙ୍କୁ କଷ୍ଟ ଦେଵାର ଶକ୍ତି ଦିଏ - ଏହା ଚତୁର୍ଦ୍ଦଶ ଶତାବ୍ଦୀରୁ ୟୁରୋପରେ ଆରମ୍ଭ ହୋଇଥିଲା ଏଵଂ ନିଉ ଇଂଲଣ୍ଡର ଉପନିଵେଶଗୁଡ଼ିକରେ ଵ୍ୟାପକ ଭାବେ ଵ୍ୟାପିଥିଲା। 
ସେହି ଵିଚାରଧାରା ପରେ ଆମେରିକୀୟ ଉପନିଵେଶଗୁଡ଼ିକରେ ୟୁରୋପୀୟ ଲୋକେ ପ୍ରଚାର କଲେ । 

ଆମେରିକାରେ ଥିଵା ନ୍ୟୁ ଇଂଲ୍ୟାଣ୍ଡ ଉପନିଵେଶର ପ୍ୟୁରିଟାନ୍ ସମାଜ ଭାବୁଥିଲା ଯେ ପୃଥିଵୀରେ ଭଲ ଓ ମନ୍ଦ ଶକ୍ତିର ନିରନ୍ତର ସଂଘର୍ଷ ଚାଲିଛି। ସେମାନଙ୍କ ଵିଶ୍ୱାସ ଅନୁସାରେ Godଙ୍କ ସହିତ Devil ମଧ୍ୟ ମଣିଷମାନଙ୍କ ଜୀଵନରେ ହସ୍ତକ୍ଷେପ କରିଥାଏ। ଏହି ଧାରଣା ସେ ସମୟର ଧର୍ମପ୍ରଚାରକ ଓ ଲେଖକମାନଙ୍କ ଲେଖା ଓ ଉପଦେଶ ମାଧ୍ୟମରେ ସମାଜରେ ଆଉ ଶକ୍ତିଶାଳୀ ହୋଇଥିଲା।

ଏହି ପ୍ରଭାଵଶାଳୀ ଧର୍ମଗୁରୁମାନଙ୍କ ମଧ୍ୟରୁ ଜଣେ ଥିଲେ Cotton Mather। ସେ ନ୍ୟୁ ଇଂଲ୍ୟାଣ୍ଡର ଜଣେ ପ୍ରସିଦ୍ଧ ପ୍ୟୁରିଟାନ୍ ପାଦ୍ରୀ ଓ ଲେଖକ ଥିଲେ। ସେ ଅନେକ ଧାର୍ମିକ ପୁସ୍ତକ ଓ ଲେଖା ରଚନା କରିଥିଲେ, ଯେଉଁଥିରେ ସେ Devil ଵା ସଇତାନର ଅସ୍ତିତ୍ୱ ଓ Witch ତଥା ପିଶାଚମାନଙ୍କ କାର୍ଯ୍ୟକଳାପକୁ ଵାସ୍ତଵ ଘଟଣା ଭାବରେ ଵର୍ଣ୍ଣନା କରୁଥିଲେ। ତାଙ୍କ ଲେଖାରେ ଏହି ଧାରଣା ଦେଖାଯାଏ ଯେ କିଛି ଲୋକ ସଇତାନ ଵା Devil ସହ ଚୁକ୍ତି କରି ଅତିପ୍ରାକୃତିକ ଶକ୍ତି ପାଇଥାନ୍ତି ଏଵଂ ସେମାନେ ଅନ୍ୟ ଲୋକଙ୍କୁ କ୍ଷତି କରିପାରନ୍ତି।

ଏପରି ଲେଖା ଓ ଧାର୍ମିକ ଉପଦେଶର ପ୍ରଭାବରେ ସମାଜର ସାଧାରଣ ଲୋକମାନଙ୍କ ମନରେ ଏକ ପ୍ରକାରର ଭୟ ଓ ସନ୍ଦେହର ପରିଵେଶ ଗଢ଼ିଉଠିଲା। ଯଦି କାହାର ହଠାତ୍ ରୋଗ ହେଉଥିଲା, ଅଜଣା ଭାବରେ ଶରୀର ଯନ୍ତ୍ରଣା ହେଉଥିଲା ଵା ମହାମାରୀ ଵ୍ୟାପୁଥିଲା, ପଶୁମାନେ ମରିଯାଉଥିଲେ କିମ୍ବା ଫସଲ ନଷ୍ଟ ହେଉଥିଲା, ତେବେ ଲୋକମାନେ ସେଥିର ପ୍ରାକୃତିକ କିମ୍ବା ଵୈଜ୍ଞାନିକ କାରଣ ନଖୋଜି ବହୁତ ସମୟରେ ପିଶାଚର କାର୍ଯ୍ୟକଳାପ କିମ୍ବା “witchର ପ୍ରଭାବ” ବୋଲି ଭାବୁଥିଲେ। କାରଣ ସେମାନେ ଆଗରୁ ଧାର୍ମିକ ଶିକ୍ଷାରେ ଏହି କଥା ଶୁଣିଥିଲେ ଯେ Devil ମଣିଷମାନଙ୍କ ମଧ୍ୟରେ ପିଶାଚ ଓ ଡାହାଣୀମାନଙ୍କ ମାଧ୍ୟମରେ କାମ କରିଥାଏ।

ଏହିପରି ଭୟ, ଖିରସ୍ତାନୀ ଅନ୍ଧଵିଶ୍ୱାସ ଓ ସାମାଜିକ ସନ୍ଦେହ ମିଶି ଏକ ଏମିତି ପରିସ୍ଥିତି ସୃଷ୍ଟି କଲା ଯେ ଅନେକ ଲୋକ ଅନ୍ୟମାନଙ୍କ ଉପରେ ପିଶାଚ ଓ Witch ଵା Witch ହେଵାର ଅଭିଯୋଗ କରିଵାକୁ ଲାଗିଲେ। ଶେଷରେ ଏହା ଆମେରିକାର ଇତିହାସରେ ପ୍ରସିଦ୍ଧ ଓ ଦୁଃଖଦ ଘଟଣା ଭାବରେ ପରିଚିତ Salem Witch Trialsକୁ ଜନ୍ମ ଦେଲା। ଏହି ଅଭିଯୋଗ ଓ ଭୟର ପରିଣାମରେ ଅନେକ ନିର୍ଦୋଷ ଲୋକଙ୍କୁ ଗିରଫ କରାଗଲା, ଆଦାଲତରେ ଚାଲାଣ ହେଲା ଏଵଂ କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଗଲା।
ସାମୁଏଲ୍ ପ୍ୟାରିସ୍‌ଙ୍କ ଦାସୀ ଟିଟୁବା(Tituba) ନିଜ ସ୍ୱାମୀ ଜନ୍ ଏଵଂ ପଡ଼ୋଶୀ ମେରୀ ସିବଲଙ୍କ ସହିତ ମିଶି Rye ଅଟା ଏଵଂ "ପୀଡ଼ିତା" ଝିଅମାନଙ୍କ ପରିସ୍ରା ଦ୍ୱାରା ଏକ "witch Cake" ତିଆରି କରିଥିଲେ ଏଵଂ ତାକୁ ଏକ କୁକୁରକୁ ଖୁଆଇଥିଲେ, ଯାହାଫଳରେ ଝିଅମାନଙ୍କ ଉପରେ କିଏ Witch ପ୍ରଭାବ ପକାଉଛି ତାହା ଜଣାପଡ଼ିପାରିଵ। 

ଟିଟୁବା ଗିରଫ ହେଲେ ଏଵଂ ତାଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରାଗଲା। ତାଙ୍କର ଯେଉଁ ସ୍ୱୀକାରୋକ୍ତି ସାମ୍ନାକୁ ଆସିଲା, ତାହା ସମ୍ପୂର୍ଣ୍ଣ ପରିସ୍ଥିତିକୁ ବଦଳାଇ ଦେଲା। ସେ କେଵଳ ନିଜ ଉପରେ ଥିବା ଅଭିଯୋଗ ସ୍ୱୀକାର କଲେ ନାହିଁ, ଵରଂ ଅନ୍ୟ ଅନେକ ଲୋକଙ୍କ ନାମ ମଧ୍ୟ କହିଲେ। ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି - ଯେଉଁଥିରେ ସେ କହିଲେ ଯେ ସେ ସଇତାନ ପାଇଁ କାମ କରୁଛନ୍ତି - ବୋଧହୁଏ ସମ୍ପୂର୍ଣ୍ଣ ଘଟଣାକୁ ଏକ ଭିନ୍ନ ଦିଗକୁ ନେଇଗଲା। ଯାହା ଏକ ଛୋଟ ଘଟଣା ଭାବେ ଆରମ୍ଭ ହୋଇଥିଲା, ତାହା ଏକ ମହାମାରୀ ରୂପ ନେଇଗଲା।

ତେବେ ଯଦି "ସ୍ପେକ୍ଟ୍ରାଲ୍ ଏଭିଡେନ୍ସ" ଭଳି କାନୁନ୍ ଏଵଂ ଆଇନଗତ ଵିଫଳତା ନଥାନ୍ତା ତେବେ କେବେହେଲେ ବି Salam witch trial ହୋଇନଥାନ୍ତା । ଏହି ଵିଚାରଗୁଡ଼ିକର ଵିଶୃଙ୍ଖଳିତ ପ୍ରକୃତି ଆମେରିକୀୟ ନ୍ୟାୟିକ ପ୍ରକ୍ରିୟାରେ ଅନେକ ପରିଵର୍ତ୍ତନ ଆଣିଲା, ଯେଉଁଥିରେ ଓକିଲ ପାଇଵାର ଅଧିକାର, ଅଭିଯୋଗକାରୀଙ୍କଠାରୁ ପ୍ରଶ୍ନ କରିଵାର ଅଧିକାର ଏଵଂ "ଦୋଷୀ ସାବ୍ୟସ୍ତ ନହେଵା ପର୍ଯ୍ୟନ୍ତ ନିର୍ଦ୍ଦୋଷ" ନୀତି ଅନ୍ତର୍ଭୁକ୍ତ ଥିଲା। 

ସ୍ୱପ୍ନ ଏଵଂ ଦର୍ଶନକୁ ପ୍ରମାଣ ଭାବେ ଗ୍ରହଣ କରିଵା ମୂଳତଃ ଏକ ତ୍ରୁଟିପୂର୍ଣ୍ଣ ଵ୍ୟଵସ୍ଥା ଥିଲା। ଯେତେବେଳେ ଜଣେ କହିପାରିଵ ଯେ ସେ "କାହାର ଆତ୍ମାକୁ" ନିଜ ସ୍ୱପ୍ନରେ କଷ୍ଟ ଦେଉଥିଵାର ଦେଖିଛି, ଏଵଂ ଏହାକୁ ଅଦାଲତରେ ପ୍ରମାଣ ଭାବେ ଗ୍ରହଣ କରାଯିଵ - ତେବେ ନ୍ୟାୟ ଅସମ୍ଭଵ ହୋଇଯାଏ। 

ପୁଣି ଆଧୁନିକ ଗଵେଷକମାନେ ଵିଶ୍ୱାସ କରନ୍ତି ଯେ ପୀଡ଼ିତମାନେ Mass Conversion Disorderର ଶିକାର ଥିଲେ - ଯାହାକୁ ସାମୂହିକ ମାନସିକ ରୋଗ କିମ୍ବା ସାମୂହିକ ହିଷ୍ଟେରିଆ କୁହାଯାଏ ।ଯେତେବେଳେ କୌଣସି ଗୋଷ୍ଠୀରେ ରୋଗର ଲକ୍ଷଣ ଶୀଘ୍ର ଵ୍ୟାପିଥାଏ, ଯାହାର କୌଣସି ଜୈଵିକ କାରଣ ନଥାଏ, ତାହା ଏହି କାରଣରୁ ହୋଇଥାଏ। 

ଯେତେବେଳେ ଏକ ସମାଜରେ ଭୟ, ଅନ୍ଧଵିଶ୍ୱାସ ଏଵଂ ପରସ୍ପର ପ୍ରତି ଅବିଶ୍ୱାସ ଏକାଠି ଥାଏ ଏଵଂ ଯେତେବେଳେ ଜଣେ ଝିଅର ଲକ୍ଷଣ ଦେଖି ଅନ୍ୟ ଜଣକର ସମାନ ଲକ୍ଷଣ ଦେଖାଯାଏ ସେତେବେଳେ ଏହି ମାନସିକ ସଂକ୍ରମଣ ସତ୍ୟ ଭଳି ଅନୁଭଵ ହୁଏ। କୌଣସି ଗୋଟିଏ ଵ୍ୟାଖ୍ୟା କେବେ ବି ଏହି ଭ୍ରମର ସମ୍ପୂର୍ଣ୍ଣ ହିସାବ ଦେଇପାରିଵ ନାହିଁ। 

କିନ୍ତୁ ପ୍ରଶ୍ନ ଉଠେ ଏମିତି କ’ଣ ହେଲା ଯେ ୟୁରୋପ ଓ ଆମେରିକାରେ ପଞ୍ଚଦଶରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ Witch Hunt ହୋଇଥିଲା ଏଵଂ ମହିଳାମାନେ ହିଁ କାହିଁକି ଏହାର ସର୍ଵାଧିକ ଶିକାର ହୋଇଥିଲେ ?

ଐତିହାସିକ ଓ ଵୈଜ୍ଞାନିକମାନେ କୁହନ୍ତି ଏହାର ଏକ କାରଣ Little Ice Age ହୋଇଥାଇପାରେ ଯାହା ୧୩୦୦ରୁ ୧୮୫୦ ମଧ୍ୟରେ ଦେଖାଯାଇଥିଲା । ଏହି ସମୟକାଳ ମଧ୍ୟରେ ପୃଥିଵୀର ଅନେକ ଅଞ୍ଚଳ ସାଧାରଣ ତୁଳନାରେ ଅଧିକ ଥଣ୍ଡା ହୋଇଥିଲା। 

ଏହି Little Ice Age ଏକ ଛୋଟ ଶୀତଯୁଗ ନୁହେଁ, ଵରଂ ଏକ ଦୀର୍ଘ ଥଣ୍ଡା ଜଳବାୟୁ ଅଵଧି ଥିଲା।ଉତ୍ତର ଗୋଲାର୍ଦ୍ଧର ତାପମାତ୍ରା କମିଗଲା । ଗ୍ଲେସିଅର୍ ବଢ଼ିଗଲା । ବହୁତ ଦେଶରେ ଶୀତକାଳ ବହୁତ କଠିନ ହୋଇଗଲା । ସାଧାରଣତଃ ତାପମାତ୍ରା ପ୍ରାୟ 0.6°C ପର୍ଯ୍ୟନ୍ତ କମିଥିଲା। 

Little Ice Age ସମୟରେ ଵିଶ୍ୱର ଅନେକ ଅଞ୍ଚଳରେ ବଡ଼ ପରିଵର୍ତ୍ତନ ଦେଖାଗଲା। ଶୀତକାଳ ବହୁତ ଲମ୍ବା ଓ ଥଣ୍ଡା ହୋଇଥିଲା । ଗ୍ରୀଷ୍ମ ଋତୁ ମଧ୍ୟ କମ୍ ଉଷ୍ମ ଓ ଥଣ୍ଡା ଥିଲା। ବହୁତ ସ୍ଥାନରେ ବରଫ ଓ ଝଡ଼ ବଢ଼ିଗଲା । ଫସଲ ନଷ୍ଟ ହେଉଥିଲା । ଭାରତ ଭଳି ଉଷ୍ମପ୍ରଧାନ ଦେଶରେ ଵର୍ଷା କମ୍ ହେଲା, ଦୁର୍ଭିକ୍ଷ ଓ ମହାମାରୀ ଵ୍ୟାପିଲା । ପ୍ରାୟ ସର୍ଵତ୍ର ଖାଦ୍ୟ ଅଭାଵ ବଢ଼ିଥିଲା । ଆଲ୍ପସ୍ ପାହାଡ଼ର ଗ୍ଲେସିଅର୍ ଗାଁ ଓ ଜମିକୁ ଢାଙ୍କିଦେଇଥିଲା ।
ସମୁଦ୍ରର ବରଫ ବଢ଼ିଗଲା । ଭାରତ ଓ ଚୀନ ଭଳି ଦେଶର କେତେକ ସ୍ଥାନରେ ଦୀର୍ଘ ଖରା ମଧ୍ୟ ହୋଇଥିଲା । 

ଵୈଜ୍ଞାନିକମାନେ ଏହା ପଛରେ sunspot activity କମିଵା,ବଡ଼ ଆଗ୍ନେୟ ଉଦ୍ଗିରଣ, ସମୁଦ୍ରିକ ସ୍ରୋତରେ ପରିଵର୍ତ୍ତନ,ପ୍ରାକୃତିକ ଜଳଵାୟୁ ଚକ୍ରରେ ଅସନ୍ତୁଳନ ଏହାର କେତେକ ମୁଖ୍ୟ କାରଣ ଥିଲା ବୋଲି ଵିଭିନ୍ନ ପ୍ରମାଣ ଆଧାରରେ ମତ ଦିଅନ୍ତି । 

Little Ice Age ସମୟରେ ଇଉରୋପ୍ ଓ ଉତ୍ତର ଆମେରିକାର ଜଳଵାୟୁ ସାଧାରଣତଃ ଥଣ୍ଡା ହୋଇଯାଇଥିଲା। ଏହି ଦୀର୍ଘ ଥଣ୍ଡା ଅବଧି କେଵଳ ପ୍ରକୃତିକୁ ନୁହେଁ, ମାନଵସମାଜ ଓ ଲୋକମାନଙ୍କ ମନୋଭାବକୁ ମଧ୍ୟ ପ୍ରଭାଵିତ କରିଥିଲା। ଅନେକ ଐତିହାସିକ ଓ ସମାଜଶାସ୍ତ୍ରୀ କହନ୍ତି ଯେ ଏହି ଜଳଵାୟୁ ପରିଵର୍ତ୍ତନ ଏକ ପ୍ରକାର ଭୟ ଓ ଅନିଶ୍ଚିତତାର ପରିଵେଶ ସୃଷ୍ଟି କରିଥିଲା, ଯାହା Witch ଶିକାର ଵା witch hunts ବଢ଼ିଵାରେ ମଧ୍ୟ ଭୂମିକା ନେଇଥିଲା।

Little Ice Age ସମୟରେ ୟୁରୋପ ଓ ଆମେରିକାରେ ଗ୍ରୀଷ୍ମ ଋତୁ ଥଣ୍ଡା ହୋଇଯାଉଥିଲା । 
ଵର୍ଷା ଓ ବରଫ ବଢ଼ିଯାଇଥିଲା । ଶୀତକାଳ ବହୁତ କଠିନ ହୋଇଯାଇଥିଲା । ଏହାର ପରିଣାମରେ ଅନେକ ସ୍ଥାନରେ ଫସଲ ନଷ୍ଟ ହେଇଥିଲା ଓ ଖାଦ୍ୟ ଅଭାବ ଦେଖାଯାଇଥିଲା। ଯେତେବେଳେ ଲୋକମାନେ ବାରମ୍ବାର ଦୁର୍ଭିକ୍ଷ, ରୋଗ ଓ ଦୁର୍ଭାଗ୍ୟ ଦେଖୁଥିଲେ, ସେମାନେ ଏହାର କାରଣ ବୁଝିପାରୁନଥିଲେ। ସେ ସମୟରେ ଆଧୁନିକ ଵିଜ୍ଞାନ ଏତେ ଉନ୍ନତ ନଥିଲା। ଖରାପ ଜଳଵାୟୁ,ଫସଲ ନଷ୍ଟ,ହଠାତ୍ ରୋଗ ଓ ପଶୁମାନଙ୍କ ମୃତ୍ୟୁ ଆଦିର
ଵୈଜ୍ଞାନିକ କାରଣ ଲୋକମାନେ ଜାଣୁନଥିଲେ। ଅତଃ ଅନେକେ ଭାବୁଥିଲେ ଯେ Devil ବା Witchମାନେ ଏହାର ପଛରେ ଅଛନ୍ତି। ଭାରତରେ ମଧ୍ୟ ଏହି ସମୟରେ ଦୁର୍ଭିକ୍ଷ ଓ ମହାମାରୀ ବହୁତ ବଢ଼ିଵାରୁ ସମାଜରେ ଗୁଣିଗାରେଡ଼ି, ଭୂତ ପ୍ରେତ ଓ ଠାକୁରାଣୀ ରୁଷ୍ଟ ହେଵା ଯୋଗୁଁ ମହାମାରୀ ଵ୍ୟାପିଵା ଇତ୍ୟାଦି ଆନ୍ଧଵିଶ୍ଵାସ ବଢ଼ିଥିଲା । 
ତେବେ ୟୁରୋପରେ ଏହି ଭୟ ଓ ଅସୁଵିଧା ଦୀର୍ଘ ସମୟ ଚାଲିଥିଵାରୁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ବଢ଼ିଗଲା।ଯଦି କାହାର ଫସଲ ନଷ୍ଟ ହୋଇଯାଉଥିଲା,ଘରେ ରୋଗ ହୋଇଯାଉଥିଲା,ପଶୁମାନେ ମରିଯାଉଥିଲେ
ତେବେ ସେମାନେ କାହାକୁ Witch ଵା witchର କାମ ବୋଲି ଅଭିଯୋଗ କରୁଥିଲେ ।‌
୧୬ଶତାବ୍ଦୀ ଓ ୧୭ଶତାବ୍ଦୀରେ ଇଉରୋପ୍‌ର ଅନେକ ଦେଶରେ Witch ଶିକାର ଵା Witch hunts ବହୁତ ବଢ଼ିଗଲା। ହଜାର ହଜାର ଲୋକଙ୍କୁ Witch ବୋଲି ଅଭିଯୋଗ କରାଗଲା ଓ ଅନେକଙ୍କୁ ମାରି ଦିଆଗଲା। ଈହୁଦୀ,ରୋମା ତଥା ପଠାଣ ଆଦି ଅଣଖିରସ୍ତାନୀ ଏଥିର ଶିକାର ହେଲେ । ସବୁ ସମ୍ପ୍ରଦାୟର ମହିଳାମାନେ ସର୍ଵାଧିକ କ୍ଷତିଗ୍ରସ୍ତ ହେଲେ । ଏହି ପରିସ୍ଥିତିର ପ୍ରଭାବ ଆମେରିକାରେ ମଧ୍ୟ ଦେଖାଗଲା, ଯାହା ପରେ Salem Witch Trials (୧୬୯୨) ଭଳି ଘଟଣାକୁ ଜନ୍ମ ଦେଲା।

ସେଲମ୍ ଵିଲେଜ୍‌ରେ ମଧ୍ୟ ସାମାଜିକ-ଅର୍ଥନୈତିକ ତିକ୍ତତା ଥିଲା। ଅର୍ଥନୀତିଜ୍ଞ ଏମିଲି ଓଷ୍ଟର ଗଵେଷଣା କରିଥିଲେ ଯେ ଯେତେବେଳେ ଫସଲ ନଷ୍ଟ ହୁଏ ଏଵଂ ଖାଦ୍ୟର ଅଭାବ ଦେଖାଦିଏ, ସମାଜ ଏହାର ଦୋଷ କାହାର ମୁଣ୍ଡରେ ଲଦି ଦେଵାକୁ ସୁଯୋଗ ଉଣ୍ଡୁଥାଏ ଯାହାକୁ ହିନ୍ଦୀ ଭାଷାରେ बलि का बकरा ଆଉ ଇଂରାଜୀ ଭାଷାରେ scapegoats କୁହାଯାଏ। ତେଣୁ କିଛି ଲୋକଙ୍କୁ ଏଥିପାଇଁ Witch ଆଖ୍ୟା ଦେଇ ମାରିଦିଆଗଲା । ଭାରତରେ ମଧ୍ୟ ଏହି ସମୟରେ ଖରା ବଢ଼ିଵା,ଵର୍ଷା ନହେଵା,ଦୁର୍ଭିକ୍ଷ ଓ ମହାମାରୀର ଦୋଷୀ କୋକୁଆ ନାମକ ଏକ ଅଜ୍ଞାତ ପକ୍ଷୀକୁ କରାଯାଇଥିଲା ଏଵଂ କୋକୁଆ ନାଆଁରେ ଅନେକ ଅଜଣା ପକ୍ଷୀଙ୍କୁ ମାରି ଦିଆଯାଇଥିଲା । 

ମଧ୍ୟଯୁଗୀୟ ୟୁରୋପରେ Witch ଓ ପିଶାଚ ସନ୍ଦେହ କରି ହଜାର ମହିଳା ଓ ଈହୁଦୀମାନଙ୍କ ହତ୍ୟା କରାଯାଇଥିଲା । ବିଲେଇମାନଙ୍କୁ ମଧ୍ୟ ଡାହାଣୀର ଛଦ୍ମରୂପ କିମ୍ବା Witch ସହାୟକ ଵିଚାର କରି ଅତ୍ୟା କରାଯାଉଥିଲା । ଏହି ଚିନ୍ତାଧାରା ୟୁରୋପୀୟ ଔପନିଵେଶିକମାନଙ୍କ ସହିତ ଆମେରିକା ଆସିଲା ଯାହା Salem Witch Trials (୧୬୯୨–୧୬୯୩) ସମୟରେ ଦେଖିଵାକୁ ମିଳିଥିଲା । 
କିନ୍ତୁ Salem Witch Trialsରେ ଯେତେ ଲୋକ ଅଭିଯୁକ୍ତ ହେଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ଐତିହାସିକମାନେ କହନ୍ତି ଯେ ଏହାର ପଛରେ କେଵଳ ଖିରସ୍ତାନୀ ଵିଚାର ନୁହେଁ ଵରଂ ବହୁ ପରିମାଣରେ ସାମାଜିକ ଓ ସାଂସ୍କୃତିକ କାରଣ ମଧ୍ୟ ଜଡ଼ିତ ଥିଲା।

୧୭ଶତାବ୍ଦୀର ପ୍ୟୁରିଟାନ୍ ସମାଜରେ ମହିଳାଙ୍କ ସାମାଜିକ ସ୍ଥିତି ଅତ୍ୟନ୍ତ ନିମ୍ନ ଥିଲା। ସେମାନଙ୍କୁ ସାଧାରଣତଃ ପୁରୁଷଙ୍କ ଅଧୀନ ରହିଵାକୁ ପଡୁଥିଲା । ସମ୍ପତ୍ତି ଅଧିକାର କମ୍ ଥିଲା । ସମାଜିକ ନିଷ୍ପତ୍ତିରେ ଭୂମିକା ନଥିଲା । ଏହି କାରଣରୁ ମହିଳାମାନେ ସହଜରେ ସନ୍ଦେହର ଲକ୍ଷ୍ୟ ହୋଇଯାଉଥିଲେ।

ସେ ସମୟରେ ଖିରସ୍ତାନୀ ସମାଜରେ ଵିଶ୍ୱାସ ଥିଲା ଯେ ମହିଳାମାନେ ସଇତାନଙ୍କ ପ୍ରଭାବରେ ଶୀଘ୍ର ପଡ଼ନ୍ତି । ମହିଳାମାନେ ଭାବୁକ ଓ ଦୁର୍ଵଳ । ଏହି ପ୍ରକାରର ଧାରଣା ଡାଏନ୍ ଅଭିଯୋଗକୁ ମହିଳାଙ୍କ ଉପରେ ବଢ଼ାଇଦେଲା।

ଵିଧଵା,ନିର୍ଦ୍ଧନ ମହିଳା,ସମାଜ ସହ ମିଶିନଥିଵା ମହିଳା,ଵିଵାଦ କରୁଥିଵା ମ‌ହିଳାମାନଙ୍କୁ ଅଧିକ ସନ୍ଦେହ କରାଯାଉଥିଲା। Sarah Good ଗରିବ ଭିକ୍ଷୁକୀ ଥିଲେ । Sarah Osborne ସମାଜର ପ୍ରଥା ଭଙ୍ଗ କରିଥିଲେ । Tituba ଦାସୀ ଏଵଂ ଵିଦେଶୀ ମୂଳର ଥିଲେ । ଏହି କାରଣରୁ ସେମାନେ ସହଜରେ ଅଭିଯୁକ୍ତ ହେଲେ।

କେତେକ ସମୟରେ witch ଅଭିଯୋଗ ଵ୍ୟକ୍ତିଗତ ଵିଵାଦ ସହିତ ମଧ୍ୟ ଜଡିତ ଥିଲା । ପଡ଼ୋଶୀ ସହ ଝଗଡ଼ା,ଜମି ଵିଵାଦ ଓ ପରିଵାରିକ ଶତ୍ରୁତା ଯୋଗୁଁ 
ଲୋକେ ମହିଳାଙ୍କ ଵିପକ୍ଷରେ Witch ଅଭିଯୋଗ କରୁଥିଲେ । Salem Witch Trials ସମୟରେ ଗାଁରେ ଭୟ ଓ ଗୁଜବ ଦ୍ରୁତ ଭାବେ ପ୍ରସାରିତ ହେଉଥିଲା। ଯେତେବେଳେ କେହି ଜଣେ ଅଭିଯୋଗ କରୁଥିଲେ, ଅନ୍ୟମାନେ ମଧ୍ୟ ସେହି କଥାକୁ ସମର୍ଥନ କରୁଥିଲେ। ଏଭଳି ଭାବରେ ଅନେକ ନିର୍ଦୋଷ ମହିଳା ଅଭିଯୁକ୍ତ ହୋଇଗଲେ।

ଏତଦଵ୍ୟତୀତ Salem Witch Trials ସମ୍ବନ୍ଧରେ ଅନ୍ୟ ଏକ ବିବାଦୀୟ ତତ୍ତ୍ୱ ଅନୁସାରେ ପୀଡ଼ିତ ଝିଅମାନେ Encephalitis Lethargica ରୋଗରେ ପୀଡ଼ିତ ଥିଲେ ଯାହା ପୋକ ଓ ପକ୍ଷୀଙ୍କ ଦ୍ୱାରା ବ୍ୟାପିପାରେ। ଏହାର ଲକ୍ଷଣଗୁଡ଼ିକ ହେଲା ଜ୍ଵର,ମୁଣ୍ଡବିନ୍ଧା,ଅଳସୁଆମି,ଦ୍ୱିଗୁଣ ଦୃଷ୍ଟି,ବେକରେ ଜଡ଼ତା,ଵ୍ୟଵହାରରେ ପରିଵର୍ତ୍ତନ ଓ ହାତ ଗୋଡ଼ ହଲଚଲ ହେଵା ଇତ୍ୟାଦି । ଲୌରୀ ୱିନ୍ କାର୍ଲସନ ତାଙ୍କର ୧୯୯୯ରେ ପ୍ରକାଶିତ ବହି A Fever in Salemରେ ଯୁକ୍ତି କରିଥିଲେ ଯେ ଅଭିଯୋଗକାରୀଙ୍କ ମଧ୍ୟରୁ କିଛି ଲୋକ ୧୬୯୧ ଵର୍ଷର ଶୀତଦିନ ଏଵଂ ୧୯୯୨ ଵର୍ଷର ଵସନ୍ତ ସମୟରେ ଏହି ଲକ୍ଷଣଗୁଡ଼ିକ ଦେଖାଇଥିଲେ। ତଥାପି ଅନେକ ଐତିହାସିକ ଏହି ମତକୁ ଗ୍ରହଣ କରିନାହାନ୍ତି। 

ମୋଟ୍ ଉପରେ କହିଵାକୁ ଗଲେ Salem Witch Trials କୌଣସି ଗୋଟିଏ କାରଣରୁ ହୋଇନଥିଲା। ଏକ ଦୃଢ଼ ସଇତାନ-ବିଶ୍ୱାସ, ସେଲମ୍ ଵିଲେଜ୍‌ର ପରିଵାରଗୁଡ଼ିକ ମଧ୍ୟରେ କଳହ, ନିକଟସ୍ଥ ସେଲମ୍ ଟାଉନ୍ ସହିତ ଵିଭାଜନ, ସାମ୍ପ୍ରତିକ ଵସନ୍ତ ମହାମାରୀ ଏଵଂ ଯୁଦ୍ଧର ଭୟ ମିଶି ଏପରି ଏକ ପରିଵେଶ ସୃଷ୍ଟି କଲା ଯେ ଭୟ ଓ ଅଵିଶ୍ବାସ ମାତ୍ରାଧିକ ବଢ଼ିଗଲା। 

ଆଜି ଏହି ଘଟଣାକୁ ଜାତିଗତ ଅଜ୍ଞତା, ଖିରସ୍ତାନୀ ଅନ୍ଧଵିଶ୍ୱାସ ଏଵଂ ଦୀର୍ଘଦିନରୁ ବଢ଼ିଥିଵା ସାମାଜିକ ତିକ୍ତତାର ପରିଣାମ ଭାବେ ଦେଖାଯାଏ ।‌ଆମେରିକୀୟ ଇତିହାସରେ ଏହା ସାମାଜିକ ଵିଭାଜନ, ଖିରସ୍ତାନୀ ମୌଳିଵାଦ, ମିଥ୍ୟା ଅଭିଯୋଗ ତଥା ନ୍ୟାୟିକ ପ୍ରକ୍ରିୟାର ଵିଫଳତା ଵିଷୟରେ ଏକ ସ୍ଥାୟୀ ଶିକ୍ଷା।

ଜୁଲାଇ ୨୦୨୨ରେ, ମାସାଚୁସେଟ୍ସର ଅପିଲ୍ ଅଦାଲତ ଶେଷରେ ଏଲିଜାବେଥ୍ ଜନସନ ଜୁନିୟରଙ୍କୁ ଆଧିକାରିକ ଭାବେ ନିର୍ଦ୍ଦୋଷ ଘୋଷଣା କଲେ । ୧୬୯୨ ମସିହାରେ Witch ଭାବେ ଦୋଷୀ ସାଵ୍ୟସ୍ତ ହୋଇଥିଵା ଏଲିଜେବେଥ୍ ଜନସନ୍, ମାସାଚୁସେଟ୍ସର ଶେଷ ଵ୍ୟକ୍ତି ଥିଲେ। 

Salem Witch Trials ଆମକୁ ମନେ ପକାଇଦିଏ ଯେ ଯେତେବେଳେ ଭୟ ସତ୍ୟ ଉପରେ ଵିଜୟୀ ହୁଏ, ଯେତେବେଳେ ସାମାଜିକ ଵିଭାଜନ ନ୍ୟାୟକୁ ଅତିକ୍ରମ କରେ ଏଵଂ ଯେତେବେଳେ ଆଇନ ଦୁର୍ଵଳ ପଡ଼ିଯାଏ ସେତେବେଳେ କୌଣସି ବି ସମାଜ ଏପରି ଭୟଙ୍କର ଭୁଲ କରିପାରେ। 

ସେଲମ୍‌ର ଏହି Salem Witch Trials ଘଟଣା ଆମକୁ ଶିଖାଏ ଯେ ଭୟ ଓ ଗୁଜବ କେବେ କେବେ ସତ୍ୟଠାରୁ ଅଧିକ ଶକ୍ତିଶାଳୀ ହୋଇଯାଏ। ଯେତେବେଳେ ସମାଜରେ ସନ୍ଦେହ, ଅନ୍ଧଵିଶ୍ୱାସ ଓ ଘୃଣା ବଢ଼ିଯାଏ, ସେତେବେଳେ ସର୍ଵଧିକ କ୍ଷତି ନିର୍ଦ୍ଦୋଷ ଓ ଦୁର୍ଵଳ ଲୋକମାନଙ୍କର ହିଁ ହୋଇଥାଏ ।

ଇତିହାସର ଏହି ଦୁଃଖଦ କାହାଣୀ ଆମକୁ ସତର୍କ କରେ—ଯଦି ସମାଜ ଵିଵେକ, ସହାନୁଭୂତି ଓ ନ୍ୟାୟକୁ ହରାଇଦିଏ, ତେବେ ସମାଜ ଵିଭାଜିତ ହୋଇପାରେ ଏଵଂ ତହିଁର ଗମ୍ଭୀର ପରିଣତି ଅନେକଙ୍କୁ ଭୋଗିଵାକୁ ପଡ଼ିଥାଏ । ସେହିପାଇଁ ସେଲମ୍‌ର ସ୍ମୃତି କେଵଳ ଇତିହାସ ନୁହେଁ; ଏହା ଆଗାମୀ ପିଢ଼ି ପାଇଁ ଏକ ସତର୍କ ସନ୍ଦେଶ।



Thursday, March 5, 2026

ବମ୍ବେରୁ ବାଙ୍ଗାଲୋର(ସୁଧା ମୂର୍ତ୍ତିଙ୍କର ପୁସ୍ତକରୁ)

ଗ୍ରୀଷ୍ମ ଋତୁର ଆରମ୍ଭ ଥିଲା। ସୁଧା ମୂର୍ତ୍ତି ଗୁଲବର୍ଗା ରେଳ ଷ୍ଟେସନରେ ଉଦୟନ ଏକ୍ସପ୍ରେସ୍ ଚଢ଼ୁଥିଲେ। ତାଙ୍କର ଗନ୍ତଵ୍ୟ ସ୍ଥଳ ବେଙ୍ଗାଲୁରୁ ଥିଲା। ଟ୍ରେନ୍ ଚଢ଼ିଵା ସମୟରେ,ସୁଧା ମୂର୍ତ୍ତି ଦେଖିଲେ ଯେ ଦ୍ୱିତୀୟ ଶ୍ରେଣୀର ସଂରକ୍ଷିତ କମ୍ପାର୍ଟମେଣ୍ଟଟି ଲୋକଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଇଥିଲା। ସେ ବସିଲେ ଏଵଂ ତାଙ୍କୁ ବର୍ଥ୍‌ର କୋଣକୁ ଠେଲି ଦିଆଗଲା। ଯଦିଓ ଏହା ତିନି ଜଣଙ୍କ ପାଇଁ ଥିଲା, କିନ୍ତୁ ସେଠାରେ ପୂର୍ଵରୁ ଛଅ ଜଣ ବସିଥିଲେ।

ଟିକେଟ୍ ପରୀକ୍ଷକ ଆସିଲେ ଏଵଂ ଲୋକଙ୍କ ଟିକେଟ୍ ତଥା ସଂରକ୍ଷିତ ଟିକେଟ୍ ଯାଞ୍ଚ କରିଵା ଆରମ୍ଭ କଲେ। ହଠାତ୍, ସେ ସୁଧା ମୂର୍ତ୍ତିଙ୍କ ଦିଗକୁ ଚାହିଁଲେ ଏଵଂ ପଚାରିଲେ, 'ତୁମର ଟିକେଟ୍ କେଉଁଠି?' 

'ମୁଁ ଆଗରୁ ତୁମକୁ ମୋର ଟିକେଟ୍ ଦେଖାଇଛି,' ସୁଧା ମୂର୍ତ୍ତି କହିଲେ।

 'ତୁମ ପାଇଁ ନୁହେଁ, ମ୍ୟାଡାମ, ତୁମ ବର୍ଥର ତଳୁ ଲୁଚୁଥିଵା ଝିଅ ପାଇଁ। ହେ, ବାହାରକୁ ଆସ, ତୁମ ପାଖରେ ଟିକେଟ୍ ନାହିଁ କି?' ସୁଧା ମୂର୍ତ୍ତି ଅନୁଭବ କଲେ ଯେ କେହି ଜଣେ ତାଙ୍କ ବର୍ଥ୍‌ର ତଳେ ବସିଛନ୍ତି। ଯେତେବେଳେ ପରୀକ୍ଷକ ତାଙ୍କୁ ଗାଳି ଦେଲେ, ଝିଅଟି ଲୁଚି ରହିଵା ସ୍ଥାନରୁ ବାହାରି ଆସିଲା।

ସେ ପତଳା ଥିଲା, କଳା ଥିଲା, ଭୟଭୀତ ଥିଲା ଏଵଂ କାନ୍ଦି କାନ୍ଦି ତା' ଆଖି ଫୁଲି ଯାଇଥିଲା। ତା'ର ଵୟସ 13 କିମ୍ବା 14 ଵର୍ଷ ହୋଇଥିଵ। ତା'ର କେଶ ଅସଜଡ଼ା ଥିଲା ଏଵଂ ସେ ଚିରା ସ୍କର୍ଟ ଓ ବ୍ଲାଉଜ୍ ପିନ୍ଧିଥିଲା। ସେ ଥରୁଥିଲା ଆଉ ଉଭୟ ହାତ ଯୋଡ଼ି ଠିଆ ହୋଇଥିଲା। ପରୀକ୍ଷକ ତାଙ୍କୁ ଜୋର୍ କରି କମ୍ପାର୍ଟମେଣ୍ଟରୁ ବାହାରକୁ ଟାଣିଵାକୁ ଲାଗିଲେ। ହଠାତ୍, ସୁଧା ମୂର୍ତ୍ତିଙ୍କ ମନରେ ଏକ ଅଜବ ଭାବ ଜାତ ହେଲା। ସେ ଠିଆ ହୋଇ ପରୀକ୍ଷକଙ୍କୁ ଡାକିଲେ ଆଉ କହିଲେ — “ସାର୍, ମୁଁ ତା'ର ଟିକେଟ୍ ଦେୟ ଦେବି”।

ଟିକେଟ୍ ପରୀକ୍ଷକ ସୁଧା ମୂର୍ତ୍ତିଙ୍କୁ ଚାହିଁ କହିଲେ, “ମ୍ୟାଡାମ, ଯଦି ଆପଣ ତାଙ୍କୁ ଦଶ ଟଙ୍କା ଦେବେ, ତେବେ ସେ ଟିକେଟ୍ ଅପେକ୍ଷା ସେହି ଟଙ୍କାରେ ବହୁତ ଖୁସି ହେଵ।”

ସୁଧା ମୂର୍ତ୍ତି ତାଙ୍କ କଥା ଶୁଣିଲେ ନାହିଁ। ସେ ଟିକେଟ୍ ପରୀକ୍ଷକଙ୍କୁ କହିଲେ ଯେ ତାଙ୍କୁ ଶେଷ ଗନ୍ତଵ୍ୟ ସ୍ଥଳ ବେଙ୍ଗାଲୁରୁ ପାଇଁ ଟିକେଟ୍ ଦିଅନ୍ତୁ, ଯେପରି ଝିଅଟି ଯେଉଁଠି ଚାହିଁଵ ସେଠି ଓହ୍ଲାଇ ପାରିଵ।
ଧୀରେ ଧୀରେ, ସେ ଝିଅଟି କଥା କହିଵା ଆରମ୍ଭ କଲା। ସେ କହିଲା ଯେ ତା'ର ନାମ ଚିତ୍ରା। ସେ ବିଦର ନିକଟସ୍ଥ ଏକ ଗାଁରେ ରହୁଥିଲା। ତା'ର ବାପା ଜଣେ ଶ୍ରମିକ ଥିଲେ ଏବଂ ସେ ଜନ୍ମରୁ ମା'କୁ ହରାଇଥିଲା। ତା'ର ବାପା ପୁଣି ବିବାହ କରିଥିଲେ ଏବଂ ସେହି ସାବତ ମା'ଙ୍କଠାରୁ ତାଙ୍କର ଦୁଇଟି ପୁଅ ଥିଲେ। କିନ୍ତୁ କିଛି ମାସ ପୂର୍ବରୁ ତା'ର ବାପାଙ୍କର ମୃତ୍ୟୁ ହୋଇଥିଲା। ତା'ର ସାବତ ମା' ତାଙ୍କୁ ପ୍ରାୟତଃ ମାଡ଼ ମାରୁଥିଲେ ଏବଂ ଖାଦ୍ୟ ଦେଉନଥିଲେ। ସେ ସେହି ଜୀବନରୁ କ୍ଳାନ୍ତ ହୋଇଯାଇଥିଲା। ତା'ର କୌଣସି ସାହାଯ୍ୟକାରୀ କି ବନ୍ଧୁବାନ୍ଧବ ନଥିବାରୁ ସେ ଭଲ କିଛି ଖୋଜିଵା ପାଇଁ ଘର ଛାଡ଼ି ଚାଲିଆସିଛି ।

ତେବେ ସେହି ସମୟରେ ଟ୍ରେନ୍ ବେଙ୍ଗାଲୁରୁ ପହଞ୍ଚି ସାରିଥିଲା। ସୁଧା ମୂର୍ତ୍ତି ତହୁଁ ଚିତ୍ରାଙ୍କୁ ବିଦାୟ କହି ଟ୍ରେନରୁ ଓହ୍ଲାଇଲେ। ତାଙ୍କର ଡ୍ରାଇଭର ଆସିଲା ଏଵଂ ବ୍ୟାଗ୍ ନେଲେ। ସୁଧା ମୂର୍ତ୍ତିଙ୍କର ଅନୁଭବ ହେଲା ଯେ ସତ ଯେମିତି କେହି ଜଣେ ତାଙ୍କୁ ଦେଖୁଛି। ସେ ପଛକୁ ଚାହିଁଲେ, ଦେଖିଲେ ଚିତ୍ରା ସେଠାରେ ଠିଆ ହୋଇ ତାଙ୍କୁ ଦୁଃଖ ମନରେ ଚାହିଁଥିଲା। କିନ୍ତୁ ସେ ଆଉ କିଛି କରିପାରିଲେ ନାହିଁ। ସୁଧା ମୂର୍ତ୍ତି ଝିଅଟିର ଟିକେଟ୍ ଦୟାଭାବରେ କିଣିଥିଲେ, କିନ୍ତୁ ସେ କେବେ ବି ଭାବି ନଥିଲେ ଯେ ସେ ତାଙ୍କର ଦାୟିତ୍ୱ ହୋଇଯିଵ !

କାଳେ ସେ ନିରାଶ୍ରୟୀ ଝିଅ ଟି ଅବାଟରେ ଚାଲିଯିଵ କିମ୍ବା ତାହା ସହିତ କୌଣସି ଅଘଟଣ ଘଟିଵ ଏହି ଆଶଙ୍କା ମଧ୍ୟ ସୁଧା ମୂର୍ତ୍ତିଙ୍କ ମନରେ ଜାତ ହେଲା । ଅନ୍ୟ କୌଣସି ଉପାୟ ନପାଇ ସେ ଝିଅଟିକୁ
କାର୍ ଭିତରକୁ ଯିବାକୁ କହିଲେ। ସୁଧା ମୂର୍ତ୍ତିଙ୍କର ଡ୍ରାଇଭର ଝିଅଟିକୁ କୌତୂହଳରେ ଚାହିଁଲେ। 

ସେଇଠୁ ସୁଧା ମୂର୍ତ୍ତି ତାଙ୍କ ବନ୍ଧୁ ରାମବାବୁଙ୍କ ଘରକୁ ଚିତ୍ରାକୁ ଯିଵାକୁ କହିଲେ । ରାମ ପୁଅ ଓ ଝିଅମାନଙ୍କ ପାଇଁ ପୃଥକ ଆଶ୍ରୟସ୍ଥଳ ଚଲାଉଥିଲେ। ଉଭୟ ରାମବାବୁ ଓ ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନ୍‌ରେ ନିରାଶ୍ରୟ ଅନାଥ ପିଲାଙ୍କୁ ଆର୍ଥିକ ସହାୟତା କରୁଥିଲେ। ସୁଧା ମୂର୍ତ୍ତି ଭାବିଲେ ଚିତ୍ରା କିଛି ସମୟ ପାଇଁ ସେଠାରେ ରହିପାରିବ।

ସୁଧା ମୂର୍ତ୍ତି କିନ୍ତୁ ନିଶ୍ଚିତ ନଥିଲେ ଯେ ଚିତ୍ରା ସେଠାରେ ଥିବ କି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ, ସୁଧା ମୂର୍ତ୍ତି ଦେଖିଲେ ଯେ ଚିତ୍ରା ପୂର୍ଵ ଅପେକ୍ଷା ବହୁତ ଅଧିକ ଖୁସି ଦେଖାଯାଉଛନ୍ତି। ରାମବାବୁ ପରାମର୍ଶ ଦେଲେ ଯେ ଚିତ୍ରା ନିକଟସ୍ଥ ଏକ ହାଇସ୍କୁଲରେ ପଢ଼ିପାରିବେ। ସୁଧା ମୂର୍ତ୍ତି ତୁରନ୍ତ ରାଜି ହୋଇଗଲେ ଏବଂ କହିଲେ ଯେ ସେ ପାଠ ପଢ଼ା ଜାରି ରଖିଵା ପର୍ଯ୍ୟନ୍ତ ସେ ଚିତ୍ରାର ଖର୍ଚ୍ଚ ଵହନ କରିବେ। ଆଶ୍ରୟସ୍ଥଳରୁ ବାହାରିବା ବେଳେ ସୁଧା ମୂର୍ତ୍ତି ଜାଣିଲେ ଯେ ଚିତ୍ରା ଏକ ଘର ଏଵଂ ଜୀଵନର ଏକ ନୂଆ ଦିଗ ପାଇଲେ।

ତାପରେ ସୁଧା ମୂର୍ତ୍ତି ନିଜ କାର୍ଯ୍ୟରେ ଵ୍ୟସ୍ତ ହୋଇଗଲେ ଏଵଂ ତାଙ୍କର ସେହି ଅନାଥାଶ୍ରମକୁ ଯିଵା ବହୁତ କମ୍ ହୋଇଗଲା। କିନ୍ତୁ ସେ ଫୋନ୍ ମାଧ୍ୟମରେ ସବୁବେଳେ ଚିତ୍ରାଙ୍କ ଭଲମନ୍ଦ ଵିଷୟରେ ପଚାରି ବୁଝୁଥିଲେ। ସୁଧା ମୂର୍ତ୍ତି ଜାଣିଥିଲେ ଯେ ଚିତ୍ରା ଭଲ ପାଠ ପଢ଼ୁଛି ଏଵଂ ତା'ର‌ପ୍ରଗତି ଭଲ ହେଉଛି। ଯେତେବେଳେ ଚିତ୍ରାର କଲେଜ ପାଠପଢ଼ା ଆରମ୍ଭ ହେଲା ସେତେବେଳେ ସୁଧା ମୂର୍ତ୍ତି ପାଠପଢ଼ା ପାଇଁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲେ, କିନ୍ତୁ ଚିତ୍ରା କହିଲା, 'ନାହିଁ ଆକ୍କା। ମୁଁ ମୋର ସାଙ୍ଗମାନଙ୍କ ସହ କଥା ହୋଇଛି ଏଵଂ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଵାକୁ ଚାହୁଁଛି ଯେପରି ତିନି ବର୍ଷ ପରେ ତୁରନ୍ତ ଚାକିରି ପାଇପାରିବି।' ଚିତ୍ରା ଯଥାଶୀଘ୍ର ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେଵାକୁ ଚାହୁଁଥିଲା।

ଚିତ୍ରା ବହୁତ ଭଲ ଫଳାଫଳରେ ତାଙ୍କ ଡିପ୍ଲୋମା ସମାପ୍ତ କଲା। ସେ ଏକ ସଫ୍ଟୱେର୍ କମ୍ପାନୀରେ ଆସିଷ୍ଟାଣ୍ଟ ଟେଷ୍ଟିଂ ଇଞ୍ଜିନିୟର ଭାବରେ ଚାକିରି ପାଇଲା। ଯେତେବେଳେ ତାକୁ ପ୍ରଥମ ଦରମା ମିଳିଲା, ସେ ସୁଧା ମୂର୍ତ୍ତିଙ୍କ ପାଇଁ ଏକ ଶାଢ଼ୀ ଏଵଂ ମିଠା ବାକ୍ସ ଧରି ଅଫିସକୁ ଆସିଲା।

ଦିନେ,ସୁଧା ମୂର୍ତ୍ତି ଦିଲ୍ଲୀରେ ଥିଲାବେଳେ ତାଙ୍କ ପାଖକୁ ଏକ କଲ୍ ଆସିଲା,ସେ କଲ୍ ଚିତ୍ରା କରିଥିଲା। ସେ ବହୁତ ଖୁସି ଥିଲା। 'ଆକ୍କା, ମୋ କମ୍ପାନୀ ମୋତେ ଆମେରିକାକୁ ପଠାଇଵାକୁ ସ୍ଥିର କରିଛି! ମୁଁ ଆପଣଙ୍କୁ ଭେଟିଵାକୁ ଏଵଂ ଆପଣଙ୍କ ଆଶୀର୍ଵାଦ ନେଵାକୁ ଚାହୁଁଥିଲି କିନ୍ତୁ ଆପଣ ବେଙ୍ଗାଲୁରୁରେ ନାହାନ୍ତି।'

ବହୁ ଵର୍ଷ ଗଡ଼ିଗଲା। ସୁଧା ମୂର୍ତ୍ତି ବେଳେବେଳେ ଚିତ୍ରାଙ୍କଠାରୁ ଏକ ଇମେଲ୍ ପାଉଥିଲେ। ଚିତ୍ରା ତା କ୍ୟାରିୟରରେ ବହୁତ ଭଲ କରୁଥିଲା। ସେ ଆମେରିକାର ଅନେକ ସହରରେ ନିୟୋଜିତ ଥିଲା ଏଵଂ ଜୀଵନକୁ ଉପଭୋଗ କରୁଥିଲା। ସୁଧା ମୂର୍ତ୍ତି ସବୁବେଳେ ପ୍ରାର୍ଥନା କରୁଥିଲେ ଯେ ଚିତ୍ରା ଯେଉଁଠି ଥାଉ ସବୁବେଳେ ଖୁସି ରହୁ ।

ଏହାର କିଛି ଦିନ ପରେ ସାନ ଫ୍ରାନ୍ସିସ୍କୋର Kannada Koota of Northern California (KKNC) ସଂଗଠନର ଏକ ସଭାରେ ଭାଷଣ ଦେଵାକୁ ସୁଧା ମୂର୍ତ୍ତିଙ୍କୁ ନିମନ୍ତ୍ରଣ କରାଗଲା। ଭାଷଣଟି ଏକ ହୋଟେଲ କନଭେନସନ ହଲରେ ଥିଲା ଏଵଂ ସୁଧା ମୂର୍ତ୍ତି ସେହି ସମାନ ହୋଟେଲରେ ରହିଵାକୁ ନିଷ୍ପତ୍ତି ନେଲେ। ଭାଷଣ ପରେ, ସୁଧା ମୂର୍ତ୍ତି ବିମାନବନ୍ଦର ପାଇଁ ବାହାରୁଥିଲେ। ହୋଟେଲ ରୁମ୍ ଚେକ୍ ଆଉଟ୍ କରିଵା ପରେ, ଯେତେବେଳେ ସେ ବିଲ୍ ପୈଠ କରିଵାକୁ ରିସେପ୍ସନ କାଉଣ୍ଟର ପାଖକୁ ଗଲେ ତାଙ୍କୁ ରିସେପ୍ସନିଷ୍ଟ କହିଲେ, ”ମ୍ୟାମ୍, ଆପଣଙ୍କ ବିଲ୍ ଆଗରୁ ପୈଠ କରି ଦିଆଯାଇଛି। ଜଣେ ମହିଳା ଆପଣଙ୍କ ବିଲ୍ ପୂର୍ଵରୁ ଦେଇ ସାରିଛନ୍ତି। ସେ ବୋଧହୁଏ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଥିବେ।” ସୁଧା ମୂର୍ତ୍ତି ଚାରିପାଖକୁ ଚାହିଁଲେ ଏଵଂ ଚିତ୍ରାକୁ ଦେଖିଲେ।

ଚିତ୍ରା ଜଣେ ଯୁଵ ଗୋରାଲୋକଙ୍କ ସହ ଠିଆ ହୋଇଥିଲା ଏଵଂ ଏକ ସୁନ୍ଦର ଶାଢ଼ୀ ପିନ୍ଧିଥିଲା। ସେ ଛୋଟ କେଶ ସହିତ ବହୁତ ସୁନ୍ଦର ଦେଖାଯାଉଥିଲା। ତାର କଳା ଆଖି ଆନନ୍ଦ ଓ ଗର୍ଵରେ ଚମକୁଥିଲା। ତାକୁ ଦେଖିଵା ମାତ୍ରେ, ସେ ସୁଧା ମୂର୍ତ୍ତିଙ୍କ ପାଖକୁ ଆନନ୍ଦ ମନରେ ଦୌଡ଼ି ଆସି ପ୍ରଣାମ କଲେ ଏଵଂ ପାଦ ଛୁଇଁଲେ। ସୁଧା ମୂର୍ତ୍ତି ବହୁତ ଖୁସି ହେଲେ ଏଵଂ କ'ଣ କହିବେ ବୁଝିପାରିଲେ ନାହିଁ। ଚିତ୍ରାର ଜୀଵନ ଉନ୍ନତ ହୋଇଯାଇଛି ଦେଖି ସୁଧା ମୂର୍ତ୍ତି ବହୁତ ଖୁସି ହେଲେ। କିନ୍ତୁ ସୁଧା ମୂର୍ତ୍ତି ସେଇ ପ୍ରଶ୍ନଟି ଚିତ୍ରାକୁ ପଚାରିଲେ — 

“ଚିତ୍ରା, ତୁମେ ମୋର ହୋଟେଲ ବିଲ୍ କାହିଁକି ଦେଲ? ତାହା ଠିକ୍ ନୁହେଁ।”

ହଠାତ୍, କାନ୍ଦି ପକାଇ ଚିତ୍ରା ସୁଧା ମୂର୍ତ୍ତିଙ୍କୁ ଜାବୁଡ଼ି ଧରି କହିଲେ, 'ଆକ୍କା ଆପଣ ବମ୍ବେରୁ ବେଙ୍ଗାଲୁରୁ ପାଇଁ ମୋର ଯେଉଁ ରେଳ ଟିକେଟ୍‌ଟି କରି ଦେଇଥିଲେ ତା ଆଗରେ ୟେ କିଛି ବି ନୁହେଁ !”
••••••••••••••••••••••••••••••••••••••
ସୁଧା ମୂର୍ତ୍ତିଙ୍କ ପୁସ୍ତକ :
The Day I Stopped Drinking Milkର କ୍ଷୁଦ୍ର ଗଳ୍ପ Bombay to Bangaloreର ଓଡ଼ିଆ ଭାଵାନୁଵାଦ । 
•••••••••••••••••••••••••••••••••••••••

Sunday, March 1, 2026

ଝଡ଼ର ଢାଲ — Tordenskjold

୨୬ ଜୁଲାଇ ୧୭୧୫ ଦିନ ଉତ୍ତର ସାଗରର Lindesnes ତଟ ନିକଟସ୍ଥ ଜଳରେ ଏକ ଅଦ୍ଭୁତ ଘଟଣା ଘଟିଥିଲା। ଯେପରି ସମୁଦ୍ରର ପ୍ରତ୍ୟେକ ଲହଡ଼ି କୌଣସି ରହସ୍ୟକୁ ନିଜ ଗଭୀରତାରେ ଲୁଚାଇ ରଖିଥିଲା। ଯେପରି ଆକାଶର ମେଘମାଳା କୌଣସି ଅକଥିତ କାହାଣୀର ସାକ୍ଷୀ ହେଵାକୁ ଆସିଥିଲେ। ଯେପରି ପଵନ ନିଜେ ରହି ଦେଖିଵାକୁ ଚାହୁଁଥିଲା ଯେ ଆଜି କ’ଣ ଘଟିଵ।

୨୬ ଜୁଲାଇ, ସନ୍ ୧୭୧୫ ଦିନ Norwayର ସବୁଠାରୁ ଦକ୍ଷିଣ ମୁଣ୍ଡରେ ଅଵସ୍ଥିତ Lindesnes ତଟ। ଏଠାରେ ଦୁଇଟି ସମୁଦ୍ର ଉତ୍ତର ସାଗର ଓ Skagerrak ସାଗର ମିଶନ୍ତି, ଆଉ ଯେତେବେଳେ ସେମାନେ ମିଶନ୍ତି, ଲହଡ଼ିଗୁଡ଼ିକ ଉଚ୍ଚ ହୋଇଯାଏ, ପଵନ ତୀକ୍ଷ୍ଣ ହୋଇଯାଏ, ଆଉ ପାଣିର ସ୍ରୋତଗୁଡ଼ିକ ପରସ୍ପର ସହ ମିଶି ନାଵିକମାନଙ୍କ ପାଇଁ ଜାଲ ବିଛାଇଦିଏ। ଏହି ଵିପଦପୂର୍ଣ୍ଣ, ଏହି ଅନିଶ୍ଚିତ ଜଳରେ ସେହି ସକାଳେ ଏକ ଜାହାଜ ଧୀରେ ଧୀରେ ଆଗକୁ ବଢ଼ୁଥିଲା। ତାହାର ନାଁ ଥିଲା — Løvendals Galej। ଡେନମାର୍କ-Norway ନୌସେନାର ଏକ ଛୋଟ 'ଗାଲେ' ଜାହାଜ।ଆକାରରେ ଛୋଟ, ତୋପରେ କମ୍, ଚାଳକଦଳ ମଧ୍ୟ ସୀମିତ। କିନ୍ତୁ ତାହାର ଡେକ୍ ଉପରେ ଯେଉଁ ଵ୍ୟକ୍ତି ଠିଆ ହୋଇଥିଲେ — ସେ କୌଣସି ଅର୍ଥରେ ଛୋଟ ନ ଥିଲେ। ତାଙ୍କର ଵୟସ ତେଇଶ ଚବିଶ ଵର୍ଷରୁ ଅଧିକ ନ ଥିଲା। କିନ୍ତୁ ସେ ଅତ୍ୟନ୍ତ ଉତ୍ସାହୀ,ନିଡର ଓ ଚତୁର ଥିଲେ ଏଵଂ ତାଙ୍କର ନାଁ ଥିଲା — Peter Wessel।

ଆଉ ସେହିଦିନ ସେ ଯାହା କଲେ, ତାହା ଇତିହାସର ପୁସ୍ତକରେ ଚିରକାଳ ପାଇଁ ଲିଖିତ ହୋଇଗଲା। ଏମନ୍ତ ନୁହେଁ ଯେ ସେ ୟା ପୂର୍ଵରୁ କୌଣସି ବଡ଼ ଯୁଦ୍ଧ ଜିତିଥିଲେ। ଏପରି ନୁହେଁ ଯେ ସେ କୌଣସି ବଡ଼ ଶତ୍ରୁକୁ ପରାସ୍ତ କରିଥିଲେ। ଵରଂ ସେ ଏପରି କିଛି କଲେ ଯାହା ବୋଧହୁଏ ଆଉ କେହି ଭାବିଵାକୁ ମଧ୍ୟ ଚିନ୍ତା କରି ନ ଥିଲେ। Peter Wesselଙ୍କ ଜନ୍ମ ଏକ ଵ୍ୟଵସାୟୀ ପରିଵାରରେ ୧୬୯୧ ମସିହାରେ Trondheimରେ ହୋଇଥିଲା। ପିତା ଚାହୁଁଥିଲେ ପୁଅ ଵ୍ୟଵସାୟ ଶିଖୁ, ହିସାବ-ନିକାଶ କରୁ, ଦୋକାନ ଚଳାଉ। କିନ୍ତୁ Peterଙ୍କ ଦୃଷ୍ଟି ସର୍ଵଦା ଦୂର କ୍ଷିତିଜ ଉପରେ ଥିଲା — ଯେଉଁଠାରେ ଆକାଶ ଓ ସମୁଦ୍ର ପରସ୍ପର ସହ ମିଶନ୍ତି। ବାଲ୍ୟାଵସ୍ଥାରୁ ସେ ବନ୍ଦରରେ ଘଣ୍ଟାଏ ବିତାଉଥିଲେ। ଜାହାଜଗୁଡ଼ିକୁ ଦେଖୁଥିଲେ। ନାଵିକମାନଙ୍କର କଥା ଶୁଣୁଥିଲେ। ସେମାନଙ୍କର କାହାଣୀ ଶୁଣି ସେ ଅଜଣା ବନ୍ଦର ଓ ଦୂର ଦେଶ ଦେଖିଵାକୁ ଆଗ୍ରହୀ ହେଉଥିଲେ । ଏହି ଆଗ୍ରହ ଏତେ ବଢ଼ିଲା ଯେ ଯେତେବେଳେ ସେ ମାତ୍ର ବାର ଵର୍ଷର ଥିଲେ, ଘର ଛାଡ଼ି ପଳାଇଗଲେ।

ଏକ ଵ୍ୟଵସାୟୀ ଜାହାଜରେ ସେ ଛୋଟମୋଟ କାମ କରିଵାକୁ ଲାଗିଲେ। ଵର୍ଷ ପରେ ଵର୍ଷ ବିତିଗଲା। ସେ ସମୁଦ୍ରର ଭାଷା ଶିଖିଲେ — ଲହଡ଼ିକୁ ପଢ଼ିଵା, ପଵନକୁ ବୁଝିଵା, ତାରାରୁ ରାସ୍ତା ଖୋଜିଵା ଇତ୍ୟାଦି ଜାଣିଲେ । ଆଉ ତା ସହିତ ଯୁଦ୍ଧର କଳା ମଧ୍ୟ ଶିଖିଲେ — ତୋପ ଚଳାଇଵା, ଶତ୍ରୁକୁ ଚିହ୍ନିଵା, ସଙ୍କଟରେ ଶାନ୍ତ ରହିଵା ଇତ୍ୟାଦି । ତାଙ୍କର ଵୀରତ୍ୱର ଚର୍ଚ୍ଚା ଶୀଘ୍ର ନୌସେନା ପର୍ଯ୍ୟନ୍ତ ପହଞ୍ଚିଲା। Denmark-Norwayର ରାଜା ତାଙ୍କୁ ନିଜ ନୌସେନାରେ ସ୍ଥାନ ଦେଲେ। ଆଉ ଧୀରେ ଧୀରେ, ନିଜର ଯୋଗ୍ୟତା ବଳରେ, ସେ ଏକ ଜାହାଜର ଅଧିନାୟକ ହୋଇଗଲେ।


ସେହି ସମୟରେ ଇଉରୋପରେ ଡେନମାର୍କ-Norway ଓ Sweden ମଧ୍ୟରେ ମହାନ ଉତ୍ତରୀୟ ଯୁଦ୍ଧ ଵା Great Northern War ଚାଲିଥିଲା । ସମୁଦ୍ରର ଏହି ଲଢ଼େଇ ଦୈନନ୍ଦିନ ଘଟଣା ଥିଲା। ଆଉ Peter Wessel ପ୍ରତ୍ୟେକ ଲଢ଼େଇରେ କିଛି ନୂଆ, କିଛି ଅପ୍ରତ୍ୟାଶିତ ଘଟଣା ଘଟାଉଥିଲେ। କିନ୍ତୁ ୨୬ ଜୁଲାଇ, ୧୭୧୫ର ଦିନଟି ସବୁଠାରୁ ଭିନ୍ନ ଥିଲା।

ସେଦିନ ସନ୍ଧ୍ୟା ହେଵାକୁ ଆଉ କିଛି ବେଳ ବାକି ଥାଏ ଠିକ୍ ସେହି ସମୟରେ ଦୂରରେ ଏକ ଵିଶାଳ ବୋଇତ ଦେଖାଗଲା । ସେହି ବୋଇତଟିର ନାଆଁ Løvendals Galej ଥିଲା ଏଵଂ ତାହା ଧୀରେ ଧୀରେ Lindesnes ତଟ ନିକଟକୁ ଆସୁଥିଲା। Peter Wessel ଡେକ୍ ଉପରେ ଠିଆ ହୋଇଥିଲେ ଏଵଂ ତାଙ୍କର ଦୃଷ୍ଟି କ୍ଷିତିଜ ଉପରେ ଥିଲା । ପଵନ ତୀଵ୍ର ଥିଲା, ଲହରୀ ଉଚ୍ଚ ଥିଲା। ଜାହାଜ ହଲୁଥିଲା, କିନ୍ତୁ Wesselଙ୍କ ପାଦ ଦୃଢ଼ ଥିଲା — ଯେପରି ସେ ଜାହାଜର ଅଂଶ, ଜାହାଜ ତାଙ୍କର ଅଂଶ।
ସେହିସମୟରେ — ମାସ୍ତୁଲ ଉପରେ ଵସିଥିଵା ପ୍ରହରୀ ଚିତ୍କାର କଲା।
“ଜାହାଜ! ଉତ୍ତର-ପୂର୍ଵ ଦିଗରୁ ଆସୁଛି!”
Wessel ଦୂରଵୀକ୍ଷଣ ଉଠାଇଲେ। ଆଖିରେ ଲଗାଇଲେ। ଧ୍ୟାନ ଦେଇ ଦେଖିଲେ।
ଦୂର — ବହୁତ ଦୂର — କିନ୍ତୁ ଜାହାଜଟି ସ୍ପଷ୍ଟ ଦେଖାଯାଉଥିଲା। ସେ ଏକ ଵିଶାଳ ଜାହାଜ। ତାହାର ପାଲ ପଵନରେ ଖୋଲି ରହିଥିଲା, ଯେପରି ଗର୍ଵରେ ଛାତି ଟାଣି ଚାଲୁଥିଲା। ତାହାର ମାସ୍ତୁଲ ଉପରେ ହଲୁଥିଲା ନୀଳ ଓ ସୁନେଲି ପତକା । ସିଏ
Swedenର ପତକା । Wesselଙ୍କ ଆଖି ଏକ କ୍ଷଣ ପାଇଁ ସଙ୍କୁଚିତ ହେଲା। ସେ ଜାହାଜର ଆକାର ଦେଖିଲେ, ତୋପଗୁଡ଼ିକ ଦେଖିଲେ, ଡେକ୍ ଉପରେ ସୈନିକମାନଙ୍କର ହଲଚଲ ଦେଖିଲେ। ସେହିଟିର ନାଆଁ ଜାହାଜ ଥିଲା — Hvita Örn। ଅର୍ଥାତ୍ “ଧଳା ଛଞ୍ଚାଣ”।

Sweden ନୌସେନାର ଏକ ଶକ୍ତିଶାଳୀ ଫ୍ରିଗେଟ୍। Løvendals Galej ବୋଇତଠାରୁ ଅନେକ ଗୁଣ ବଡ଼। ତାହାରେ ଅଧିକ ତୋପ, ଅଧିକ ସୈନିକ, ଅଧିକ ବାରୁଦ ଥିଲା। ଅନ୍ୟ କୌଣସି ଅଧିନାୟକ ବୋଧହୁଏ ପଛକୁ ହଟିଵାର ଆଦେଶ ଦେଇଦେଇଥାନ୍ତା। Wessel ଦୂରଵୀକ୍ଷଣ ତଳକୁ କଲେ। ତାଙ୍କ ଓଠରେ ସ୍ମିତହାସ୍ୟ ଥିଲା।
“ଯୁଦ୍ଧ ପାଇଁ ପ୍ରସ୍ତୁତି କର।” 

ଜଣେ ପୁରାତନ ଅଭିଜ୍ଞ ଯୋଦ୍ଧା Reinhold von Segebaden ସ୍ଵିଡେନର Hvita Örn ଜାହାଜର ଅଧିନାୟକ ଥିଲେ । ସେ ଡଜନରୁ ଅଧିକ ଲଢ଼େଇ ଲଢ଼ିଥିଲେ। ତାଙ୍କ କେଶ ଧଳା ହେଵାକୁ ବସିଥିଲା, ମୁଖରେ ସମୁଦ୍ରିକ ପଵନର ରେଖା ଟାଣି ହୋଇଯାଇଥିଲା, ଆଉ ଆଖିରେ ସେହି ଥଣ୍ଡା, ଗଣନାତ୍ମକ ଚମକ ଥିଲା ଯାହା କେଵଳ ଦୀର୍ଘ ଅଭିଜ୍ଞତାରୁ ଆସିଥାଏ ।

ଯେତେବେଳେ ସେ "ଡାନିଶ୍ ଗାଲେ" କୁ ଦେଖିଲେ, ଏକ କ୍ଷଣ ପାଇଁ ତାଙ୍କ ଓଠରେ ହାଲୁକା ହସ ଆସିଲା। ହ୍ୟାକ୍ ଏତେ ଛୋଟ ଜାହାଜ।
ତଥାପି — Segebaden ନିଜ ସାଥୀମାନଙ୍କୁ କହିଥିଲେ — “ଛୋଟ ଶତ୍ରୁକୁ କଦାପି ତୁଚ୍ଛ କର ନାହିଁ। କାରଣ ଛୋଟ ସାପର ଵିଷ ବହୁତ” ସେ ନିଜ ତୋପଗୁଡ଼ିକୁ ପ୍ରସ୍ତୁତ କରାଇଲେ। ନିଜ ସୈନିକମାନଙ୍କୁ ସତର୍କ କଲେ। କିନ୍ତୁ ତାଙ୍କ ମନରେ ଏକ ଆତ୍ମଵିଶ୍ୱାସ ଥିଲା — ଆମେ ନିଶ୍ଚୟ ଜିତିବୁ। ଆକାର, ଶକ୍ତି, ହତିଆର — ସବୁ ଆମ ପକ୍ଷରେ ଅଛି । ଦୁଇ ଜାହାଜ ପରସ୍ପର ନିକଟତର ହେଲା। ପଵନ ତୀଵ୍ର ହେଲା।ଷଲହରୀ ଆହୁରି ଉଚ୍ଚ ହେଲା।
ଆଉ ତା’ପରେ ଯୁଦ୍ଧର ଆରମ୍ଭ ହୋଇଗଲା ‌। 
Hvita Örnରୁ ପ୍ରଥମ ତୋପ ଗର୍ଜିଲା। ଧମାକା ହେଲା। ଧୂଆଁ ଉଠିଲା। ଗୋଳା ସନସନ କରି ଆସି Løvendals Galejରୁ କିଛି ଦୂରରେ ପାଣିରେ ପଡ଼ିଲା। ପାଣିରୁ ଏକ ଉଚ୍ଚ ରେଖା ଉଠି ଛପ୍ କରି ପଡ଼ିଲା। Wessel ଝଟକାରେ ଜାହାଜର ମୁହଁ ବଦଳାଇଲେ।
“ଦୁଇ ତୋପ — ଏକାଠି — ଏବେ!” ଡାନିଶ୍ ତୋପଗୁଡ଼ିକ ଗର୍ଜିଲା। ଏକ ଗୋଳା Hvita Örnର ଡେକ୍ ସହ ଧକ୍କା ହେଲା। କାଠ ଉଡ଼ିଲା। ଧୂଆଁ ଉଠିଲା। କୋଉଠି ଏକ ଚିତ୍କାର ଶୁଣାଗଲା। ଯୁଦ୍ଧ ଆରମ୍ଭ ହୋଇଗଲା। ପ୍ରକୃତ, ନିଷ୍ଠୁର, ଭୀଷଣ ଯୁଦ୍ଧ ହେଲା । ଜାହାଜଗୁଡ଼ିକ ପରସ୍ପର ଆଖପାଖରେ ଘୁରୁଥିଲା ସତେ ଯେପରି ଦୁଇଟି ଶିକାରୀ ପଶୁ ପରସ୍ପରକୁ ଆକ୍ରମଣ କରୁଛନ୍ତି । ପ୍ରତ୍ୟେକ ମୋଡ଼ରେ ତୋପ ଦାଗ ହେଉଥିଲା। ପ୍ରତ୍ୟେକ ଗୋଳା ସହ କାଠ ଭାଙ୍ଗୁଥିଲା, ଧୂଆଁ ଉଠୁଥିଲା, ନିଆଁ ଲାଗୁଥିଲା। ଡେକ୍ ଉପରେ ସୈନିକମାନେ ଦୌଡ଼ୁଥିଲେ, ତୋପ ପୁଣି ଭରୁଥିଲେ, ଆହତ ସାଥୀମାନଙ୍କୁ ତଳକୁ ନେଉଥିଲେ। Peter Wessel ସର୍ଵତ୍ର ଥିଲେ — ଡେକ୍‌ରେ, ପାଲ ନିକଟରେ, ତୋପଖାନା ନିକଟରେ । ସେ ଚିତ୍କାର କରୁଥିଲେ, ନିର୍ଦ୍ଦେଶ ଦେଉଥିଲେ, ନିଜେ ମୋର୍ଚ୍ଚାରେ ରହୁଥିଲେ। ତାଙ୍କ ସ୍ୱର ତୋପର ଘଡ଼ଘଡ଼ ଶବ୍ଦ ମଧ୍ୟରେ ମଧ୍ୟ ଶୁଣାଯାଉଥିଲା।
ସୈନିକମାନଙ୍କ ପାଇଁ ସେ କେଵଳ ଅଧିନାୟକ ନ ଥିଲେ — ସେ ଉତ୍ସାହ ଥିଲେ,ସାହସ ଥିଲେ, ଆଶା ଥିଲେ। ଘଣ୍ଟାଏ ଵିତିଗଲା। ଦୁଇ ଜାହାଜ ପରସ୍ପରକୁ ବହୁତ ଆଘାତ କରିଥିଲେ। Hvita Örnର ଏକ ପାଲ ଫାଟିଗଲା। Løvendals Galejର ଡେକ୍‌ରେ ଏକ ସ୍ଥାନରେ ନିଆଁ ଲାଗିଥିଲା — ଯାହାକୁ କୌଣସି ମତେ ଲିଭାଇ ଦିଆଗଲା। ଦୁଇ ପକ୍ଷରୁ ସୈନିକ ଆହତ ହୋଇଥିଲେ। କିନ୍ତୁ ଯୁଦ୍ଧ ଏବେ ମଧ୍ୟ ସମାନ ସ୍ଥିତିରେ ଥିଲା। ବଡ଼ ଜାହାଜର ଶକ୍ତି ଓ ଛୋଟ ଜାହାଜର ଚଞ୍ଚଳତା ଉଭୟ ପରସ୍ପରକୁ ଗମ୍ଭୀର ଚ୍ୟାଲେଞ୍ଜ ଦେଇଥିଲେ। 

ତେବେ ତୋପଖାନାର ଜଣେ ବୁଢ଼ା ମୁଖ୍ୟ ଭୟ ମିଶା ମୁଖରେ ଦୌଡ଼ି ଆସି Wesselଙ୍କ ପାଖରେ ପହଞ୍ଚିଲା। ସେ ନଇଁକରି କିଛି କହିଲା।
Wesselଙ୍କ ଭ୍ରୁଲତା ଏକ କ୍ଷଣ ପାଇଁ ସଙ୍କୁଚିତ ହେଲା।
“କେତେ ବଳିଛି?” ବୃଦ୍ଧଙ୍କୁ Wessel ପଚାରିଲେ ‌। 
“ଅଧା ଘଣ୍ଟାର। ଅଧିକ ହେଲେ ଅଧିକ। ତା’ପରେ ଏକ ଗୋଳା ଵି ନାହିଁ।” ନିରାଶ ହୋଇ ଵୃଦ୍ଧ ଜଣକ ଉତ୍ତର ଦେଲେ । 

ଏହି ଖବର ଅନ୍ୟ କୌଣସି ଅଧିନାୟକ ପାଇଁ ଏକ ଵାକ୍ୟରେ ପରାଜୟର ଘୋଷଣା ହୋଇଥାନ୍ତା।
ବାରୁଦ ଶେଷ। ଗୋଳା ଶେଷ। ତେଣେ ଶତ୍ରୁ ଏବେବି ପୂରା ଉତ୍ସାହରେ ଲଢ଼ୁଛି । ଅର୍ଥାତ୍ ଏବେ ଦୁଇଗୋଟି ବାଟ ବଞ୍ଚିଯାଆଛି — ଯୁଦ୍ଧରୁ ପଳାୟନ ନହେଲେ ଆତ୍ମସମର୍ପଣ ।

କିନ୍ତୁ ଏହାପରେ Peter Wessel ଯାହା କଲେ, ତାହା ତାଙ୍କୁ Peter Wesselରୁ Tordenskjold କରିଦେଲା। ସେ ଏକ କ୍ଷଣ ପାଇଁ କିଛି ଭାବିଲେ।
ସମୁଦ୍ରକୁ ଦେଖିଲେ। Hvita Örnକୁ ଦେଖିଲେ। ତା’ପରେ ଆକାଶକୁ ଅନାଇଲେ ।

ଆଉ ତାପରେ ତାଙ୍କ ମୁହଁରେ ସେହି ଭୀଷଣ ଯୁଦ୍ଧ ମଧ୍ୟରେ, ସେହି ସଙ୍କଟର ମୁହୂର୍ତ୍ତରେ ଏକ ହସ ଆସିଲା। ଏପରି ହସ ଦେଖି କେହି ବୁଝି ପାରୁ ନ ଥିଲେ ଯେ ଏ ଵ୍ୟକ୍ତି ପାଗଳ ନା ଅତ୍ୟନ୍ତ ଚତୁର।
ବୋଧହୁଏ ଉଭୟ । Wessel ଆଦେଶ ଦେଲେ
“ଧଳା ପତକା ଉଠାଅ।”

ସମସ୍ତେ ସ୍ତଵ୍ଧ ହୋଇଗଲେ । ଡେକ୍‌ରେ ଏକ କ୍ଷଣ ପାଇଁ ନିରଵତା ଦେଖାଗଲା । ତୋପର ଘଡ଼ଘଡ଼ ଶବ୍ଦ ବନ୍ଦ ହେଲା। ସୈନିକମାନେ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । ଜଣେ ଯୁଵ ସୈନିକ ଆଗକୁ ଆସିଲା, ତାର ସ୍ୱରରେ ଦ୍ୱିଧା ଥିଲା ସେ ପଚାରିଲା —“ଅଧିନାୟକ… ଧଳା ପତକାର ଅର୍ଥ ତ ଆତ୍ମସମର୍ପଣ—”
“ଜାଣେ।” Wesselଙ୍କ ସ୍ୱର ଶାନ୍ତ ଥିଲା। ସମ୍ପୂର୍ଣ୍ଣ ଶାନ୍ତ। ଯେପରି ତୋଫାନ ପୂର୍ଵର ନିସ୍ତଵ୍ଧତା।
“କିନ୍ତୁ ଆଜି ଆମେ ଭିନ୍ନ ଖେଳ ଖେଳିଵା।”

Wessel ନିଜର ସବୁଠାରୁ ଵିଶ୍ୱସ୍ତ ଦୂତକୁ ଡାକିଲେ। ଜଣେ ଲମ୍ଵା, ମଜବୁତ ଶରୀରର ଵ୍ୟକ୍ତି — ଯିଏ ବହୁ ଵର୍ଷ ଧରି Wesselଙ୍କ ସହ ଥିଲା, ଯିଏ ତାଙ୍କର ପ୍ରତ୍ୟେକ ଲଢ଼େଇ ଦେଖିଥିଲା। Wessel ତା’ର କାନ ପାଖରେ ନଇଁ କିଛି କହିଲେ। ଦୂତ ଏକ କ୍ଷଣ ପାଇଁ Wesselଙ୍କୁ ଦେଖିଲା — ଯେପରି ଵିଶ୍ୱାସ ହେଉ ନାହିଁ ଯେ ସେ ଠିକ୍ ଶୁଣିଛି କି ନାହିଁ ।
ତା’ପରେ — ତା’ର ମୁହଁରେ ମଧ୍ୟ ସେହି ହସ ଆସିଲା। ସେ ସଂକ୍ଷେପରେ ଉତ୍ତର ଦେଲା “ଆଜ୍ଞା, ଅଧିନାୟକ। ଆପଣଙ୍କ ଆଦେଶ ମୁତାବକ ସବୁ କରାଯିଵ । ”

ଏକ ଛୋଟ ଡଙ୍ଗା ପାଣିରେ ଓହଳାଗଲା। ଧଳା କପଡ଼ା — ଧଳା ପତକା ପରି — ଉପରକୁ କରାଗଲା।
ଆଉ ଦୂତ Hvita Örn ଆଡ଼କୁ ଯାତ୍ରା କଲା।
Hvita Örnରେ Sweden ଜାହାଜରେ ଧଳା ପତକା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ। Segebaden ଦୂରବୀନରୁ ଦେଖିଲେ। ସତରେ ଧଳା ପତକା ଥିଲା। ଡାନିଶ୍ ଡଙ୍ଗା ସେମାନଙ୍କ ଆଡ଼କୁ ଆସୁଥିଲା।
ସେ ନିଜ ଅଧିକାରୀମାନଙ୍କୁ ଦେଖିଲେ। “ଏତେ ଶୀଘ୍ର ଏମାନେ ପରାଜୟ ସ୍ଵୀକାର କରିନେଲେ ?”
ତାଙ୍କର ଆଶା ନ ଥିଲା। ଲଢ଼େଇ ତ ଏବେବି ସମାନ ସ୍ଥିତିରେ ଥିଲା। ସେ ଭାବିଥିଲେ — ଆଉ କିଛି ଘଣ୍ଟା ଲାଗିଵ। କିନ୍ତୁ ନାହିଁ। ଯୁଦ୍ଧ ତାହେଲେ ଶେଷ ହୋଇଗଲା । ସ୍ଵୀଡେନର ଛୋଟ ଡଙ୍ଗାଟି ଆସି Hvita Örnର କଡ଼ରେ ପହଞ୍ଚିଲା। ଦୂତକୁ ଉପରକୁ ଟାଣି ଣାଗଲା। Segebaden ସାମ୍ନାରେ ଆସିଲେ। ସେ ଦୂତକୁ ଗମ୍ଭୀର ଦୃଷ୍ଟିରେ ଦେଖିଲେ।
“ତୁମର ଅଧିନାୟକ ଆତ୍ମସମର୍ପଣ କରୁଛନ୍ତି କି?”
ଦୂତ ମସ୍ତକ ସିଧା କଲା। ତା’ର ସ୍ୱରରେ ଏକ ଅଦ୍ଭୁତ ଔପଚାରିକତା ଥିଲା — ଯେପରି ସେ କୌଣସି ଅତ୍ୟନ୍ତ ଗମ୍ଭୀର ସନ୍ଦେଶ ଦେଉଛି। 

“ମହୋଦୟ, ଆମର ଅଧିନାୟକ Peter Wessel ଆପଣଙ୍କୁ ଵିନମ୍ର ନିଵେଦନ କରୁଛନ୍ତି।”

“—ହଁ—?”

“ଆମ ଜାହାଜର ବାରୁଦ ଓ ଗୋଳା ଶେଷ ହେଵାକୁ ଯାଉଛି। ଯଦି ଆପଣ ଯୁଦ୍ଧ ଜାରି ରଖିଵାକୁ ଚାହୁଁଛନ୍ତି ତେବେ ଦୟାକରି ଆମକୁ କିଛି ବାରୁଦ ଓ ଗୋଳା ଉଧାର ଦେଇଦିଅନ୍ତୁ।”

ଏକଥା ଶୁଣିଵା ମାତ୍ରକେ ସେହି ମୁହୂର୍ତ୍ତରେ Hvita Örnର ଡେକ୍‌ରେ ଏକ କ୍ଷଣ ପାଇଁ ସମ୍ପୂର୍ଣ୍ଣ ନିସ୍ତଵ୍ଧତା ଵ୍ୟାପିଗଲା। କେହି କହିଲେ ନାହିଁ। ପଵନ ବହୁଥିଲା। ଲହରୀ ଉଠୁଥିଲା-ପଡ଼ୁଥିଲା। ଦୂରରେ ଡାନିଶ୍ ଜାହାଜ ହଲୁଥିଲା।
ଆଉ ତା’ପରେ —
କୌଣସି ଏକ ସୈନିକଠାରୁ ହସ ଆରମ୍ଭ ହେଲା।
ତା’ପରେ ଦ୍ୱିତୀୟଠାରୁ। ତା’ପରେ ତୃତୀୟଠାରୁ।
ଆଉ ଚାହୁଁ ଚାହୁଁ Hvita Örnର ସମ୍ପୂର୍ଣ୍ଣ ଡେକ୍ ହସରେ ଭରିଗଲା। ଅଭିଜ୍ଞ ସୈନିକ, ଆଘାତପ୍ରାପ୍ତ ନାଵିକ, କଡ଼ା ଅଧିକାରୀ — ସମସ୍ତେ ହସୁଥିଲେ। 

ଯୁଦ୍ଧ ମଧ୍ୟରେ ଶତ୍ରୁପକ୍ଷକୁ ବି ବାରୁଦ ମାଗି ଯୁଦ୍ଧ ଜାରି ରଖିଵାକୁ ଅନୁରୋଧ କରାଯିଵ ବୋଲି କିଏ ଭାବିଥିଲା? Segebaden ମଧ୍ୟ ହସି ପଡ଼ିଲେ।
ପ୍ରଥମେ ହାଲୁକା ହସ। ତା’ପରେ ଖୋଲାଖୋଲି।
ସେ ଏହା କଦାପି ଭୁଲି ପାରିବେ ନାହିଁ ।ଯେତେବେଳେ ହସ କିଛି କମିଲା, ସେ ଦୂତ ଆଡ଼କୁ ଦେଖିଲେ। ଏବେବି ତାଙ୍କ ମୁହଁରେ ହସ ଥିଲା, କିନ୍ତୁ ଆଖି ଗମ୍ଭୀର ଥିଲା।

“ଫେରି ଯାଅ। ତୁମର ଅଧିନାୟକଙ୍କୁ କୁହ —”
ସେ ଏକ କ୍ଷଣ ରହି ଭାବିଲେ।
“— ଆମେ ଯୁଦ୍ଧ ମଧ୍ୟରେ ବାରୁଦ ଵିକ୍ରି କରୁନା।”

ସେଠାରୁ ଫେରି ଆସି ଦୂତଟି ସେ ଆସିଥିଵା ଛୋଟ ଡଙ୍ଗାରେ ଵସିଲା ଏଵଂ Løvendals Galej ଆଡ଼କୁ ଲେଉଟି ଗଲା । Wessel ଡେକ୍‌ରେ ଠିଆ ହୋଇଥିଲେ। ସେ ଦୂରରୁ ଦୂତର ମୁହଁ ଦେଖିଲେ — ତା’ର ହସୁଥିଵା ଆଖି। ସେମାନେ ଉତ୍ତର ବୁଝିଗଲେ। ଦୂତ ଉପରକୁ ଆସି Segebadenଙ୍କ କଥା ପୁନରାଵୃତ୍ତି କଲା। Wessel ହସିଲେ।
“ଭଲ ଉତ୍ତର।” ସେ ଏକ କ୍ଷଣ ପାଇଁ Hvita Örn ଆଡ଼କୁ ଦେଖିଲେ। ଦୂରରେ — Segebaden ଡେକ୍‌ରେ ଠିଆ ହୋଇଥିଲେ। ସେ ନିଜ ହାତ ଉଠାଇଲେ। ଯୁଦ୍ଧ ମଧ୍ୟରେ ଶତ୍ରୁପ୍ରତି ଏହା ଏକ ଅଭିଵାଦନ ଥିଲା। ଏହାର ଉତ୍ତରରେ Wessel ମଧ୍ୟ ନିଜ ଟୋପି ଖୋଲିଲେ ଏଵଂ ନଇଁ କରି ଅଭିଵାଦନ କଲେ। ସେହି ଦୁଇ ଅଧିନାୟକ ଦୁଇ ଶତ୍ରୁ ହୋଇ ବି ଏକ କ୍ଷଣ ପାଇଁ ସବୁ ଶତ୍ରୁତା ଭୁଲି ପରସ୍ପରକୁ ସମ୍ମାନ ଜଣାଇଲେ ‌ । ସେହିଦିନର ଲଢ଼େଇ କୌଣସି ନିଷ୍କର୍ଷରେ ପହଞ୍ଚି ନ ଥିଲା। Løvendals Galejରେ ଯେତିକି ବାରୁଦ ଵଳିଥିଲା, ତାହାକୁ ସତର୍କତାରେ ଵ୍ୟଵହାର କଲେ। କିଛି ଗୋଳା ଦାଗ ହେଲା। Hvita Örn ମଧ୍ୟ ଜବାବ ଦେଲା। କିନ୍ତୁ ଧୀରେ ଧୀରେ — ଦୁଇ ଜାହାଜ ପରସ୍ପରଠାରୁ ଦୂର ହେଵାକୁ ଲାଗିଲେ। ସନ୍ଧ୍ୟା ହେଵାକୁ ଯାଉଥିଲା।
ଆକାଶର ରଙ୍ଗ ବଦଳୁଥିଲା — ଧୂସରରୁ ନାଲିଆ, ନାଲିଆରୁ ଗାଢ଼ ଲାଲ୍। ଉତ୍ତର ସାଗରର ଲହରୀଗୁଡ଼ିକ ସେହି ରଙ୍ଗର ହୋଇଯାଇଥିଲା।
ତୋପଗୁଡ଼ିକ ଥଣ୍ଡା ହୋଇଗଲା। ବାରୁଦର ଗନ୍ଧ ପଵନରେ ମିଶି ଗଲା । ଆଉ ଦୁଇ ଜାହାଜ ନିଜ ନିଜ ଦିଗରେ ଆଗକୁ ବଢ଼ିଗଲା। ଇତିହାସର ପୁସ୍ତକରେ ଲେଖାଗଲା ଯେ ସେହିଦିନର ଲଢ଼େଇ ଅନିର୍ଣ୍ଣୟକ ରହିଲା। କେହି ଜିତିଲେ ନାହିଁ। କେହି ହାରିଲେ ନାହିଁ। କିନ୍ତୁ ଯାହା ଘଟିଲା ତାହା ଜୟଠାରୁ ବଡ଼ ଥିଲା।

ଏ ଘଟଣାର ଖବର ଚାରିଆଡ଼େ ଵ୍ୟାପିଗଲା।
ନାଵିକରୁ ନାଵିକ ପର୍ଯ୍ୟନ୍ତ। ବନ୍ଦରରୁ ବନ୍ଦର ପର୍ଯ୍ୟନ୍ତ। ଦରଵାରରୁ ଦରଵାର ପର୍ଯ୍ୟନ୍ତ।
“ଶୁଣିଛ କି? Peter Wessel ଯୁଦ୍ଧ ମଧ୍ୟରେ ଶତ୍ରୁଠାରୁ ବାରୁଦ ମାଗିଥିଲେ।” ପ୍ରଥମେ ଲୋକେ ହସୁଥିଲେ। ତା’ପରେ ଭାବୁଥିଲେ। ତା’ପରେ ମୁଣ୍ଡ ହଲାଉଥିଲେ।କାରଣ ଏଥିରେ କେଵଳ ହାସ୍ୟ ନ ଥିଲା। ଏଥିରେ ଥିଲା — ଅସାଧାରଣ ସାହସ। ଯେତେବେଳେ ଗୋଳା ଶେଷ ହୋଇଯାଏ ଏଵଂ ଶତ୍ରୁ ଶକ୍ତିଶାଳୀ ହୁଏ, ସେତେବେଳେ ପଳାଇଵା ସହଜ। କିନ୍ତୁ ପଛଘୁଞ୍ଚା ନଦେଇ ଯୁଦ୍ଧକ୍ଷେତ୍ରରେ ଥାଇ ବାରୁଦ ମାଗିଵା ୟୁରୋପର ଇତିହାସରେ ଅତି ଵିରଳ‌ ଥିଲା । Wesselଙ୍କ ଅଦମ୍ୟ ମନୋଵଳ ଓ ସାହସର ଚର୍ଚ୍ଚା ହେଲା। ଯୁଦ୍ଧ ସମୟରେ Wesselଙ୍କ ସୈନିକମାନେ ତାଙ୍କର କୁଟିଳ ହସ ଦେଖି ଭୟଭୀତ ହେଲେ ନାହିଁ। ସେମାନେ ଭାବିଲେ, ଯେତେବେଳେ ଆମର ଅଧିନାୟକ ଏହି ଅଵସ୍ଥାରେ ମଧ୍ୟ ହସିପାରନ୍ତି, ତେବେ ଆମେ କାହିଁକି ଭୟଭୀତ ହେବୁ? ଏଥିରେ ଥିଲା ଅଦ୍ଭୁତ ଚାତୁରୀ। ଧଳା ପତକା ଉଠାଇ ସମୟ କିଣିଲେ। ଶତ୍ରୁକୁ ଆଶ୍ଚର୍ଯ୍ୟଚକିତ କଲେ। ଆଉ ଯେତେବେଳେ ଉତ୍ତର ମିଳିଲା ସେତେବେଳେ ବଳିଥିଵା ବାରୁଦକୁ ଆହୁରି ଵିଚାରପୂର୍ଵକ ଵ୍ୟଵହାର କଲେ। Peter Wesselଙ୍କ ଏହି କାହାଣୀ — Denmark, Norway, Sweden — ସବୁଠାକୁ ପହଞ୍ଚିଲା।
ଆଉ ତା’ ସହିତ ପହଞ୍ଚିଲା ଏକ ନାଆଁ "Tordenskjold" । କିଛିଦିନ ପରେ Denmark-Norwayର ରାଜା Frederick IV Peter Wesselଙ୍କୁ ଦରଵାରକୁ ଡାକିଲେ। ରାଜା ତାଙ୍କର ଵୀରତ୍ୱର କାହାଣୀ ଶୁଣିଥିଲେ। ସେହିଦିନର ବାରୁଦ ଘଟଣା ମଧ୍ୟ ଶୁଣିଥିଲେ। ରାଜା ତାଙ୍କୁ ଏକ ଏକ ଉପାଧି ଦେଲେ "Tordenskjold" ।
Norwayର ଭାଷାରେ ଏହାର ଅର୍ଥ “ଵଜ୍ରର ଢାଲ” ଵା Thunder Shield ଅଟେ। ଆଉ Peter Wessel ଯିଏ ଜଣେ ଵ୍ୟଵସାୟୀଙ୍କ ପୁଅ ଥିଲେ, ଯିଏ ଵାର ଵର୍ଷ ଵୟସରେ ଘର ଛାଡ଼ିଥିଲେ, ଯିଏ ସମୁଦ୍ରକୁ ଭଲପାଉଥିଲେ ସେ ହୋଇଗଲେ Tordenskjold। ଏକ ନାଁ ଯାହା ଇତିହାସରେ ଚିରକାଳ ପାଇଁ ଗୁଞ୍ଜରିଵ। ପ୍ରକୃତ ତୋଫାନ
କିନ୍ତୁ ସେହିଦିନ ପରେ ମଧ୍ୟ Tordenskjoldଙ୍କ କାହାଣୀ ରହିଲା ନାହିଁ। ସେ ଲଢ଼ିଵାକୁ ଲାଗିଲେ। ଜିତିଵାକୁ ଲାଗିଲେ। ଆଉ କେତେକ ସମୟରେ ହାରିଵାକୁ ମଧ୍ୟ ଲାଗିଲେ — କିନ୍ତୁ ସର୍ଵଦା ନିଜର ଢଙ୍ଗରେ। Great Northern War ସମୟରେ ସେ ଅନେକ ଏପରି ଲଢ଼େଇ ଲଢ଼ିଲେ ଯାହା ଅସମ୍ଭଵ ଲାଗୁଥିଲା। Marstrandର ଲଢ଼େଇରେ ସେ ଏକ ସଶକ୍ତ Swedish କିଲ୍ଲା ଉପରେ ଏପରି ଛଳ କଲେ ଯେ କମ୍ ସୈନିକ ସହିତ ମଧ୍ୟ ଜୟ ଲାଭ କଲେ। ସେ ରାତିସାରା ନିଜ ସୈନିକମାନଙ୍କୁ ଵିଭିନ୍ନ ରାସ୍ତାରେ ଘୁରାଇଥିଲେ — ଯାହାଦ୍ୱାରା ଶତ୍ରୁକୁ ଲାଗିଲା ଯେ ତାଙ୍କ ପାଖରେ ବଡ଼ ସୈନ୍ୟଵାହିନୀ ଅଛି। Dynekilenର ଲଢ଼େଇରେ ସେ Swedish ଜାହାଜଗୁଡ଼ିକର ଏକ ସମ୍ପୂର୍ଣ୍ଣ ବହର(Fleet)କୁ ଏପରି ସ୍ଥାନରେ ଘେରିଲେ ଯେଉଁଠାରୁ ସେମାନେ ପଳାଇ ପାରିବେ ନାହିଁ। ପ୍ରତ୍ୟେକ ଲଢ଼େଇରେ Tordenskjold ଏକ କଥା ପ୍ରମାଣ କଲେ ଯେ ଶକ୍ତି କେଵଳ ଅସ୍ତ୍ରଶସ୍ତ୍ରରେ ନୁହେଁ ଶକ୍ତି ଥାଏ ଚିନ୍ତାଧାରା,ସାହସ ଓ ମନୋଵଳରେ। 
କିନ୍ତୁ Tordenskjoldଙ୍କ ଜୀଵନ ଦୀର୍ଘ ନ ଥିଲା।
ସନ୍ ୧୭୨୦ରେ ମାତ୍ର ତିରିଶ ଵର୍ଷ ଵୟସରେ — Hannoverରେ ଵ୍ୟକ୍ତିଗତ ଵିଵାଦ ଯୋଗୁଁ ଦ୍ୱନ୍ଦ୍ୱଯୁଦ୍ଧରେ ତାଙ୍କର ମୃତ୍ୟୁ ହେଲା। 
ଯେଉଁ ଵ୍ୟକ୍ତି ଶହ ଶହ ତୋପ ଯୋଗୁଁ ମରିଲେ ନାହିଁ — ସେ ଏକ ଖଣ୍ଡା ଆଘାତ ଯୋଗୁଁ ମରିଗଲେ।
କହାଯାଏ ସେହିଦିନ Norwayର ସମ୍ପୂର୍ଣ୍ଣ ସମୁଦ୍ର କାନ୍ଦିଥିଲା। କିନ୍ତୁ ମୃତ୍ୟୁ ଯାହା କରି ପାରିଲା ନାହିଁ, ସମୟ ମଧ୍ୟ ତାହା କରି ପାରିଲା ନାହିଁ — Tordenskjoldଙ୍କ ନାଁ ଅମର ହୋଇଗଲା।
Norwayରେ ଆଜି ବି ତାଙ୍କର ମୂର୍ତ୍ତି ଅଛି। ତାଙ୍କ ନାଆଁରେ ଜାହାଜ, ରାସ୍ତା, ଵିଦ୍ୟାଳୟ ଅଛି।
ଆଉ ଯେତେବେଳେ Norwayର ପିଲାମାନେ ସମୁଦ୍ର ଆଡ଼କୁ ଦେଖନ୍ତି — ତେବେ କୋଉଠି ନା କୋଉଠି ସେମାନଙ୍କୁ ଲାଗେ —କୋଉଠି ଦୂରରେ, ସମୁଦ୍ର ଲହରୀଗୁଡ଼ିକ ମଧ୍ୟରେ, ଏକ ଛୋଟ ଜାହାଜ ଅଛି। ତାହାର ଡେକ୍ ଉପରେ ଏକ ଯୁଵକ ଠିଆ ହୋଇଛନ୍ତି ଆଉ ସେ ହସୁଛନ୍ତି। ସେହି ଏକ ମୁହୂର୍ତ୍ତ ଯାହା ସବୁଠାରୁ ବଡ଼ ଥିଲା କିନ୍ତୁ ଏହି ସବୁ ଲଢ଼େଇ ମଧ୍ୟରେ — ଏହି ସବୁ ଜୟ ମଧ୍ୟରେ — ଏକ ମୁହୂର୍ତ୍ତ ସବୁଠାରୁ ଭିନ୍ନ ଥିଲା। ୨୬ ଜୁଲାଇ, ୧୭୧୫।
Lindesnesର ତଟର ସେହି ଘଟଣା ।
ଯେତେବେଳେ ଗୋଳା ଶେଷ ହୋଇଯାଇଥିଲା। ଯେତେବେଳେ ପରାଜୟ ନିକଟତର ଥିଲା। ଯେତେବେଳେ କୌଣସି ରାସ୍ତା ଦେଖାଯାଉ ନ ଥିଲା।
ଆଉ Peter Wessel ହସି କହିଥିଲେ — “ଧଳା ପତକା ଉଠାଅ। ଆଉ ଶତ୍ରୁଠାରୁ ବାରୁଦ ମାଗ।”
ଏହି ଏକ ମୁହୂର୍ତ୍ତରେ — ଏହି ଏକ ଵାକ୍ୟରେ — Peter Wessel ଵିଶ୍ୱକୁ କହିଦେଇଥିଲେ ଯେ ପ୍ରକୃତ ନେତୃତ୍ୱ କ’ଣ ହୁଏ। ପ୍ରକୃତ ନେତୃତ୍ୱ ତାହା ନୁହେଁ ଯାହା ସବୁ ଠିକ୍ ଥିଵା ସମୟରେ ଆଗକୁ ବଢ଼େ। ପ୍ରକୃତ ନେତୃତ୍ୱ ତାହା ଯାହା ସବୁ ଭୁଲ୍ ହେଵା ସତ୍ତ୍ୱେ ମଧ୍ୟ — ହସେ। ଚିନ୍ତା କରେ। ଆଉ ରାସ୍ତା ବାହାର କରେ। ପରାଜୟର ସବୁଠାରୁ ନିକଟରେ ପହଞ୍ଚି ମଧ୍ୟ ହସି ପାରିଵା — ଏହା ହିଁ Tordenskjoldଙ୍କର ପ୍ରକୃତ ଢାଲ ଥିଲା।
ତୋପଗୁଡ଼ିକରେ ଜଙ୍ଗ୍ ଲାଗିଯାଏ। ଜାହାଜଗୁଡ଼ିକ ଭାଙ୍ଗିଯାଏ। ବାରୁଦ ଶେଷ ହୁଏ।
କିନ୍ତୁ ସାହସ — ସାହସ କଦାପି ଶେଷ ହୁଏ ନାହିଁ।
ଆଜି ବି ଯେତେବେଳେ ଉତ୍ତର ସାଗରରେ ଝଡ଼ ଆସେ। ଯେତେବେଳେ Lindesnesର ଚଟ୍ଟାଣରୁ ଲହରୀଗୁଡ଼ିକ ଧକ୍କା ଖାଏ। ଯେତେବେଳେ ରାତିର ଅନ୍ଧାରରେ ପଵନ ସନସନ କରେ। ସେତେବେଳେ ଲାଗେ — କୋଉଠୁ ଏକ ସ୍ୱର ଆସୁଛି। ଧୀରେ। ବହୁତ ଧୀରେ। କିନ୍ତୁ ସ୍ପଷ୍ଟ। Tordenskjold ! Tordenskjold ! ଝଡ଼ର ଢାଲ। ଯାହା ଭାଙ୍ଗି ନାହିଁ। ଯାହା ନଇଁ ନାହିଁ। ଯାହା ଭୀଷଣ ଝଡ଼ ତୋଫାନ ମଧ୍ୟରେ ବି ହସୁଥିଲା। ଆଉ ଇତିହାସ — ଯିଏ ସତ୍ୟକୁ ମନେ ରଖେ ସିଏ ଆଜି ବି କହୁଛି:
ସେହିଦିନ Lindesnes ନିକଟରେ ଯାହା ଘଟିଥିଲା, ତାହା କୌଣସି ସାଧାରଣ ସାମୁଦ୍ରିକ ଲଢ଼େଇ ନ ଥିଲା। ତାହା ଜଣେ ମଣିଷର କାହାଣୀ ଥିଲା — ଯିଏ ଦେଖାଇଦେଲେ ଯେ ଯେତେବେଳେ ଅସ୍ତ୍ରଶସ୍ତ୍ର ଶେଷ ହୋଇଯାଏ ସେତେବେଳେ ବୁଦ୍ଧି ଓ ସାହସ ହିଁ ସବୁଠାରୁ ବଡ଼ ହତିଆର ହୁଏ।

Wednesday, February 25, 2026

ଏକ ନିଏଣ୍ଡରଥାଲ୍ ବାଳକର କାହାଣୀ

ଭଵିଷ୍ୟତର ଏକ ଆଧୁନିକ ଗଵେଷଣା କେନ୍ଦ୍ର — Stasis Incorporated। ବଡ଼ ବଡ଼ କାଚର ଘର, ଆଲୋକ ଝଲମଲ କରୁଥିଵା ପ୍ୟାନେଲ୍, ମୃଦୁ ଯନ୍ତ୍ରଧ୍ୱନିରେ ପରିପୂର୍ଣ୍ଣ ସେ ସ୍ଥାନ । ଏଠାରେ ସମୟକୁ ଅସ୍ଥାୟୀଭାବେ ଅଲଗା କରିବା ପାଇଁ ଉଦ୍ଭାଵିତ ହୋଇଛି ଏକ ଅଦ୍ଭୁତ ଯନ୍ତ୍ର —Stasis Field Generator। ଏହି ପ୍ରଯୁକ୍ତି “time travel” ପାଇଁ ଵ୍ୟଵହୃତ ହେଵାକୁ ଯାଉଛି । ଏହାର ସିଦ୍ଧାନ୍ତ ହେଉଛି “temporal isolation” — ଅତୀତର ଗୋଟିଏ ସୀମିତ ଅଂଶକୁ ଶକ୍ତି କ୍ଷେତ୍ରରେ ଆଵୃତ କରି ଵର୍ତ୍ତମାନ ସମୟର ସହିତ ଏଥାରେ ସଂଯୁକ୍ତ କରାଯାଏ। ଏହି ଯନ୍ତ୍ର ଦ୍ୱାରା ଗତ ସମୟର ଗୋଟିଏ ଅଂଶକୁ ଆଲଗା କରି ଵର୍ତ୍ତମାନକୁ ଆଣିଵା ସମ୍ଭଵ। ମାନେ, ଅତୀତରୁ କିଛିକୁ ଜୀଵନ୍ତ ଅଵସ୍ଥାରେ ୟେ ଯନ୍ତ୍ର ଆଣିପାରିଵ। ଏହି ପ୍ରକଳ୍ପର ମୁଖ୍ୟ ବୈଜ୍ଞାନିକ Dr. Hoskins। ସେ ଉତ୍ସାହୀ ଏଵଂ ନିଜ କାମକୁ ନେଇ ଅତ୍ୟଧିକ ଗର୍ବଵତ।

ଉତ୍ସାହିତ ହୋଇ Dr. Hoskins ଏକ ସରକାରୀ ପ୍ରତିନିଧି ଦଳକୁ ବୁଝାଉଥାନ୍ତି ଯେ ଏହି ପ୍ରଣାଳୀ Einsteinଙ୍କ space-time continuity ଧାରଣାର ଉପରେ ଆଧାରିତ। ସମୟ ଏକ ଚତୁର୍ଥ ମାତ୍ରା, ଯାହାକୁ ସୂତ୍ରତଃ ଵକ୍ର କରାଯାଇପାରେ। ଏହି ପ୍ରକଳ୍ପର ନାମ — Mesozoic Project । 

ସରକାରୀ ଲୋକେ ସୁଦୂର ଅତୀତରୁ ଡାଇନୋସର କିମ୍ବା ତହିଁର ଅଣ୍ଡା ଆଣିଵାକୁ ଚାହୁଁଥିଲେ କିନ୍ତୁ ଵୈଜ୍ଞାନିକମାନେ ଏହାର ନକାରାତ୍ମକ ଓ ଭୟାଵହ ପରିଣାମ ଘଟିପାରେ ବୋଲି ବୁଝାଇଥିଲେ ।

ପ୍ରାଚୀନ ଜୀଵ ମାନଵସମାଜ ପାଇଁ ଵିପଜ୍ଜନକ ହୋଇପାରନ୍ତି ତେବେ ପ୍ରାଚୀନ ମଣିଷଙ୍କୁ ଅତୀତରୁ ଅଣାଗଲେ ତାହା ସେତେଟା କ୍ଷତିକାରକ ହେଵ ନାହିଁ । ତେଣୁ ପ୍ରଥମ ସଫଳ ପରୀକ୍ଷାରେ ଏକ ପ୍ରାଚୀନ ମାନବ ଶିଶୁକୁ ଅଣାଗଲା। ଵୈଜ୍ଞାନିକମାନଙ୍କ ଲକ୍ଷ୍ୟ ଥିଲା ପ୍ରାୟ ୪୦,୦୦୦ ଵର୍ଷ ପୂର୍ଵର Late Pleistocene epoch। ସେହି ସମୟରେ ଵୈଶ୍ଵିକ ଜଳଵାୟୁ ଶୀତଳ ଏଵଂ ବରଫାଚ୍ଛାଦିତ ଅଞ୍ଚଳ ଵିସ୍ତୃତ ଥିଲା । ସେତେବେଳେ ୟୁରୋପ ଓ ପଶ୍ଚିମ ଏସିଆରେ ଵାସ କରୁଥିଲେ Homo neanderthalensis। Neanderthalମାନେ ଶକ୍ତିଶାଳୀ ଦେହଠାରୁ, ଚଉଡ଼ା ଛାତି, ମୋଟା ହାଡ଼, ଓ ଉଚ୍ଚ ଭ୍ରୂଲତା ପାଇଁ ପରିଚିତ। ସେମାନଙ୍କ ମସ୍ତିଷ୍କର ଆୟତନ ପ୍ରାୟ ୧୪୦୦–୧୬୦୦ କ୍ୟୁବିକ୍ ସେଣ୍ଟିମିଟର ଥିଲା । ସେମାନେ ଆମଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅର୍ଦ୍ଧମାନଵ କି ଅସୁର ନଥିଲେ ଵରଂ ଭିନ୍ନ ଏକ ମାନଵ ଜାତି ଥିଲେ।

Stasis Incorporatedରେ ଅନେକ ଦିନ ଯାଏଁ ଗଵେଷଣା ଜାରି ରହିଲା । ହଠାତ୍ ଦିନେ ଵିଳମ୍ଵିତ ରାତିରେ Dr. Hoskinsଙ୍କୁ ଅଦ୍ଭୁତପୂରରଵ ସଫଳତା ମିଳିଲା। ପାଖରେ ଥିଲେ ନର୍ସ Edith Fellowes ସେ ତାଙ୍କୁ ଡାକି କହିଲେ “Miss Fellowes,” “ଆମେ ସଫଳ ହୋଇଛୁ। ଆମେ ୪୦,୦୦୦ ଵର୍ଷ ପୂର୍ଵରୁ ଏକ Neanderthal ଶିଶୁକୁ ଆଣିଛୁ। ସେ ଜୀଵିତ। ଆପଣ ତାଙ୍କ ଯତ୍ନ ନେବେ।”

Neanderthal — ଵୈଜ୍ଞାନିକ ନାମ Homo neanderthalensis। ସେମାନେ ଆଧୁନିକ ମାନଵ Homo sapiens ଠାରୁ ଅଲଗା ଥିଲେ, କିନ୍ତୁ ସେମାନେ ମଧ୍ୟ ମଣିଷ ଥିଲେ। Edith Fellowes ମଧ୍ୟଵୟସ୍କା ଓ ଅଵିଵାହିତା। ସେ ଶାନ୍ତ ଓ ନିୟମିତ ଜୀଵନ ଜିଅଁନ୍ତି । ଏହି ଖବର ଶୁଣି ସେ ଚମକିଗଲେ।

ଏକ ପ୍ରାଚୀନ ମଣିଷ ଶିଶୁ? ସେ ତାହାର ଦେଖାଶୁଣା କରିବେ? କିନ୍ତୁ Edithଙ୍କ ମନରେ ଏକ ଅନ୍ୟ ପ୍ରଶ୍ନ ଉଙ୍କି ମାରିଲା — ଏକ ସଜୀଵ ଶିଶୁକୁ ଆମେ କିପରି କେଵଳ ‘ପରୀକ୍ଷାଗାର’ ମୂଷା ବୋଲି ଭାବିପାରିବୁ ?

ଶିଶୁଟିକୁ Stasis Chamberରୁ ବାହାର କରାଗଲା। Edith ଯେତେବେଳେ ତା’କୁ ଦେଖିଲେ, ସେ ଅବାକ୍ ହୋଇଗଲେ।
ତା’ର ଖପୁରି ଗଠନ ସ୍ପଷ୍ଟଭାବେ Neanderthal ଲକ୍ଷଣ ଦେଖାଉଥିଲା — ଭାରି supraorbital ridge (ଭ୍ରୂଲତା ଉପର ହାଡ଼), ପଛକୁ ଅଳ୍ପ ଲମ୍ବା skull ଆଉ ଦୃଢ଼ ହନୁହାଡ଼ ଥିଲା । ଏକ X-ray ଓ CT scan ଦ୍ୱାରା ତା’ର ହାଡ଼ର ଘନତା ମପାଗଲା। ଆଧୁନିକ ମାନଵ ଶିଶୁମାନଙ୍କ ଠାରୁ ତା’ର ହାଡ଼ ଅଧିକ ଘନ ଓ ଦୃଢ଼ ଥିଲା। ଏହା ଆଦ୍ର ଓ ଶୀତଳ ଜଳଵାୟୁରେ ଅନୁକୂଳନର ଫଳ। ରକ୍ତ ପରୀକ୍ଷାରୁ ତା’ର DNA ଵିଶ୍ଳେଷଣ କରାଗଲା। 

ଵୈଜ୍ଞାନିକମାନେ ଜାଣିଥିଲେ ଯେ ଆଧୁନିକ ମାନଵମାନଙ୍କ ଜିନୋମରେ ୧–୨% Neanderthal DNA ରହିଛି। ଏହା ପ୍ରମାଣ ଯେ ପୂର୍ଵକାଳରେ Homo sapiens ଓ Homo neanderthalensis ମଧ୍ୟରେ ସଂକର୍ଷଣ ହୋଇଥିଲା।

ଵୈଜ୍ଞାନିକମାନେ ତା’ର ମସ୍ତିଷ୍କ ଉନ୍ନତି ଵିଷୟରେ ଅନୁମାନ କରୁଥିଲେ। Neanderthalମାନଙ୍କର ଭାଷା କ୍ଷମତା ନେଇ ଅନେକ ଗଵେଷଣା ହୋଇଛି। ସେମାନଙ୍କର hyoid bone ଗଠନ ଭାଷା ଉଚ୍ଚାରଣକୁ ସମ୍ଭଵ କରୁଥିଲା। ତେବେ ଲାବରେଟରୀର ଆଲୋକ, ଅଜଣା ଗନ୍ଧ ଓ ଯନ୍ତ୍ରର ଧ୍ୱନି ଯୋଗୁଁ ନିଏଣ୍ଡରଥାଲ୍ ଶିଶୁଟି ଭୟଭୀତ ହୋଇଗଲା। ତା’ର stress response ବଢ଼ିଗଲା। ହୃଦ୍‌ଗତି ବି ବଢ଼ିଲା।

ସେହି ଆଦିମାନଵର ଶିଶୁଟି ଦେଖିଵାକୁ ଆଧୁନିକ ଶିଶୁମାନଙ୍କ ଭଳି ସେତେ ସୁନ୍ଦର ନୁହେଁ। ସେଥିପାଇଁ କେତେକ ଵୈଜ୍ଞାନିକ ଚୁପଚାପ ତା’କୁ “ugly little boy” ବୋଲି କହୁଥିଲେ। କିନ୍ତୁ Edithଙ୍କ ମନରେ ସେ କଥା ନଥିଲା। ସେ ଦେଖିଲେ କେଵଳ ଏକ ଭୟଭୀତ ଶିଶୁ ଯିଏ ଅଜଣା ସ୍ଥାନରେ ଅଜଣା ଲୋକ ଓ ଦରଵ ଦେଖି ଡରିଯାଇଛି ।

Edith Fellowes ତା’ ପାଖରେ ବସିଲେ। ସେ ନିଜ ହାତ ଆଗକୁ ବଢ଼ାଇଲେ। ଧୀରେ କହିଲେ।
ଶିଶୁଟି ଭାଷା ବୁଝୁନଥିଲା, କିନ୍ତୁ ସ୍ପର୍ଶ ବୁଝୁଥିଲା।
ଶିଶୁଟିର ପୁରୁଣା ନାମ କେହି ଜାଣିନଥିଲେ। Edith ତା’କୁ ନାମ ଦେଲେ — Timmie। ପ୍ରଥମ କିଛି ଦିନ Timmie ଖୁବ୍ ଭୟ ପାଉଥିଲା। ଲାବରେଟରୀର ଆଲୋକ, ଯନ୍ତ୍ରର ଧ୍ୱନି, ଅଜଣା ଲୋକ — ସବୁ ତା’ ପାଇଁ ଭୟଙ୍କର ଥିଲା । ସେ କାନ୍ଦୁଥିଲା। କିଛି ଖାଉନଥିଲା । Edith ଧୀରେ ଧୀରେ ତା’ ପାଖରେ ବସୁଥିଲେ। ମୃଦୁ ସ୍ୱରରେ କହୁଥିଲେ। ହାତ ଧରୁଥିଲେ। ଭାଷା ଅଲଗା ଥିଲା, କିନ୍ତୁ ସ୍ନେହ ବୁଝିଵାକୁ ଭାଷା ଲୋଡ଼ା ହୁଏନାହିଁ। କିଛି ସପ୍ତାହ ପରେ Timmie Edithଙ୍କୁ ଭରସା କରିଲା। ଡରିଗଲେ ସେ ତା’ଙ୍କ ପଛରେ ଲୁଚୁଥିଲା। ତା’ଙ୍କୁ ଦେଖି ହସୁଥିଲା।

Timmie ଧୀରେ ଧୀରେ ଲାବରେଟରୀ ପରିଵେଶକୁ ଅନୁଭଵ କରିଵା ଆରମ୍ଭ କଲା। ତା’ର ଆଚରଣ ଲିପିବଦ୍ଧ ହେଉଥିଲା। ସେ ଖେଳନା ଧରୁଥିଲା, ପଥର ଦେଖିଲେ ଆଗ୍ରହୀ ହେଉଥିଲା। ଏହା Neanderthalମାନଙ୍କର tool-using ସ୍ୱଭାଵକୁ ସୂଚିତ କରୁଥିଲା କାରଣ ସେମାନେ Mousterian stone tools ଵ୍ୟଵହାର କରୁଥିଲେ।

Dr. Hoskins ଓ ଅନ୍ୟ ଵୈଜ୍ଞାନିକମାନେ Timmie ଉପରେ ଅନେକ ପରୀକ୍ଷା କରୁଥିଲେ। ତା’ର ହାଡ଼ ମାପ ହେଉଥିଲା। ରକ୍ତ ପରୀକ୍ଷା ହେଉଥିଲା। ଵ୍ୟଵହାର ଲେଖାଯାଉଥିଲା। ତା’ର cognitive test କରାଗଲା। ସରଳ ଆକୃତି ଚିହ୍ନଟ କରିଵା, ସ୍ମୃତି ପରୀକ୍ଷା, ଧ୍ୱନି ପ୍ରତିକ୍ରିୟା ଇତ୍ୟାଦି ଜାଞ୍ଚ୍ କରାଯାଉଥିଲା । ତା’ର ପ୍ରତିକ୍ରିୟା ଆଧୁନିକ ଶିଶୁମାନଙ୍କ ଠାରୁ ଧୀର ହେଲେ ମଧ୍ୟ ସ୍ପଷ୍ଟ ଭାବେ ବୁଦ୍ଧିମତା ଥିଲା। Timmie ଏହା ଭଲ ପାଉନଥିଲା। ସେ Edithଙ୍କୁ ଧରି ରହୁଥିଲା।

Edithଙ୍କ ଏସବୁ ଆଚରଣ ଦେଖି ଦିନେ Dr. Hoskins ତାଙ୍କୁ କହିଲେ —“Miss Fellowes, ଆପଣ ଅଧିକ ଆଵେଗିକ ହେଉଛନ୍ତି। ସେ ଗଵେଷଣାର ଵିଷୟ।”

Edith ଚୁପ୍ ରହିଲେ। କିନ୍ତୁ ତା’ର ମନରେ ପ୍ରଶ୍ନ ଜନ୍ମିଲା — ଏକ ଶିଶୁ କିପରି କେଵଳ ଗବେଷଣାର ଵିଷୟ ହୋଇପାରେ? ସେ କ’ଣ ଲାବୋରେଟୋରୀର ମୂଷା ?

ଵୈଜ୍ଞାନିକମାନେ ଭଲ ଭାବରେ ଜାଣିଥିଲେ ଯେ Timmie ବାହାର ଦୁନିଆରେ ବଞ୍ଚିପାରିଵ ନାହିଁ । ତା’ର immune system ଆଧୁନିକ ଜୀଵାଣୁ ପାଇଁ ପ୍ରସ୍ତୁତ ନୁହେଁ। ସେଥିପାଇଁ ତା’କୁ sterile environmentରେ ରଖାଯାଉଥିଲା। ଅନେକ ଦିନ ବିତିଗଲା। Timmie କିଛି ସରଳ ଶବ୍ଦ କହିଵା ଶିଖିଲା। ଦିନେ ସେ Edithଙ୍କୁ ଦେଖି ଧୀରେ କହିଲା —
“ମା…” ଏହି ପଦକୁ ଶୁଣିଵା ମାତ୍ରକେ Edithଙ୍କ ଆଖିରେ ଲୁହ ଆସିଗଲା।

ସେ ବୁଝିଲେ — ସେ ଏବେ କେଵଳ ନର୍ସ ନୁହେଁ। ସେ Timmie ପାଇଁ ମା’ ହୋଇଗଲେ। ଅଵଶ୍ୟ ଵୈଜ୍ଞାନିକମାନେ ଏହାକୁ ରିପୋର୍ଟ ଫାଇଲ୍‌ରେ language imitation ବୋଲି ଲେଖିଲେ। କିନ୍ତୁ Edithଙ୍କ ପାଇଁ ଏହା ଥିଲା ଏକ ମାନଵୀୟ ସ୍ନେହ ସମ୍ବୋଧନ ।

କିଛି ମାସ ପରେ ପ୍ରକଳ୍ପ ଶେଷ ହେଵାକୁ ଆସିଲା।
Dr. Hoskins ଘୋଷଣା କଲେ —“Timmieକୁ ତା’ର ନିଜ ସମୟକୁ ଫେରାଇ ଦିଆଯିଵ।” Edith ଦୁଃଖିତ ହେଲେ।

ସେ ଜାଣିଥିଲେ ଯେ ଏଠାରେ Timmie ସାଧାରଣ ଜୀଵନ କାଟିପାରିଵ ନାହିଁ। ସେ ସଦା ଗଵେଷଣାର ଵସ୍ତୁ ହେଇ ରହିଵ । କିନ୍ତୁ ତା’କୁ ଛାଡ଼ିଵା ମଧ୍ୟ ସହଜ ନୁହେଁ। Stasis Chamber ପୁଣି ପ୍ରସ୍ତୁତ କରାଗଲା। କ'ଣ ହେଉଛି ବୋଲି Timmie କିଛି ବୁଝିପାରୁନଥିଲା। ସେ Edithଙ୍କ ହାତ ଧରିଥିଲା।

“ମା…”

ସେ ଶବ୍ଦ Edithଙ୍କ ହୃଦୟକୁ ଭାଙ୍ଗିଦେଲା। ହଠାତ୍ Edith ନିଷ୍ପତ୍ତି ନେଲେ। ସେ Timmieକୁ ବାହୁରେ ଧରି Stasis Field ଭିତରକୁ ପସିଗଲେ। ଯନ୍ତ୍ର ଚାଲିଗଲା। ଆଲୋକ ଚମକିଲା ଏଵଂ ଦୁଇଜଣ ଅଦୃଶ୍ୟ ହୋଇଗଲେ।

ଲାବରେଟରୀ ନିରଵ ହେଇଗଲା। Dr. Hoskins ହତବାକ୍ ହୋଇଗଲେ । ଏକ ଵୈଜ୍ଞାନିକ ପ୍ରକଳ୍ପ ଶେଷ ହେଲା। କିନ୍ତୁ ଏକ ମା’ର ପ୍ରେମ ଜିତିଲା। କେଉଁଠି ଦୂରରେ ଭିନ୍ନ ଏକ ଅତୀତର ସମୟକୁ ଜନୈକା Homo sapiens ମାଆ ସହିତ ଏକ Himo neanderthalensis ଶିଶୁ ଚାଲିଗଲେ । 
 ୪୦,୦୦୦ ଵର୍ଷ ପୂର୍ଵର ଜଙ୍ଗଲରେ, ଏକ Neanderthal ଶିଶୁ ଏଵଂ ଏକ ଆଧୁନିକ ମହିଳା ଏବେ ଏକା ନୁହେଁ କିନ୍ତୁ ସେମାନେ କ’ଣ ସେ ସମୟର ଭୀଷଣ ପରିସ୍ଥିତିରେ ବଞ୍ଚିପାରିବେ ? 
ଏହାର ଉତ୍ତର ଖୋଜି ପାଇଵାକୁ ଵୈଜ୍ଞାନିକମାନଙ୍କ ପାଖରେ କୌଣସି ଉପାୟ ନଥିଲା । 

ଆଲୋକ ଚମକିଵା ପରେ ଯେତେବେଳେ ସବୁ ଶାନ୍ତ ହୋଇଗଲା ସେତେବେଳେ Edith Fellowes ଓ Timmie ପ୍ରାଚୀନ ଜଙ୍ଗଲର ଏକ ଘଞ୍ଚ ଅଞ୍ଚଳରେ ପଡ଼ିଲେ । ବରଫ ଯୁଗର ଶୀତଳ ଵାୟୁ ତାଙ୍କ ଶରୀରକୁ ସ୍ପର୍ଶକଲା । ଚାରିଆଡ଼େ ଉଚ୍ଚ ଵୃକ୍ଷରାଜି, ଦୂରରେ ପଶୁମାନଙ୍କର ଡାକ ଓ ପଵନର ଶବ୍ଦ ମାତ୍ର ଶୁଣାଯାଉଥିଲା । Edith ତାଙ୍କ ପୋଷାକ ପିନ୍ଧି ରହିଥିଲେ ଯାହା ଏଠାରେ ଅତ୍ୟନ୍ତ ଅଜବ ଲାଗୁଥିଲା । Timmie ଭୟରେ ତାଙ୍କୁ ଜାବୁଡ଼ି ଧରିଥିଲା କିନ୍ତୁ ସେ ଚିହ୍ନିପାରିଲା ଯେ ଏହି ସ୍ଥାନ ତାଙ୍କର ପୂର୍ଵ ଜଗତ । ସେ ଧୀରେ ଧୀରେ ଚାରିଆଡ଼େ ଦେଖିଲା ଓ କିଛି ପରିଚିତ ଗନ୍ଧ ପାଇଲା । ପ୍ରଥମ କିଛି ଦିନ କଷ୍ଟକର ଥିଲା । Edith ଆଧୁନିକ ଜୀଵନରୁ ଆସିଥିଵାରୁ ଶୀତ, ଭୋକ ଓ ପଶୁମାନଙ୍କର ଭୟ ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଇଥିଲା । ସେ ନିଜର ଜ୍ଞାନ ଵ୍ୟଵହାର କରି ନିଆଁ ଜଳାଇଵାକୁ ଚେଷ୍ଟା କଲେ ଯାହା ସେ ପୂର୍ଵରୁ Timmieକୁ ଶିଖାଇଥିଲେ । ଏହି କାର୍ଯ୍ୟ ସେମାନଙ୍କୁ ଗରମ ରଖିଲା ଓ ପଶୁମାନଙ୍କୁ ଦୂରରେ ରଖିଵାରେ ସାହାଯ୍ୟ କଲା । Timmie ନିଜର ପୂର୍ଵ ଜୀଵନର କିଛି ସ୍ମୃତି ମନେ ପକାଇଲା । ସେ ପଥରରୁ ହାତିଆର ତିଆରି କରିଵା ଜାଣିଥିଲା ଓ ଜଙ୍ଗଲରେ ଖାଦ୍ୟ ଖୋଜିଵାରେ ଦକ୍ଷ ଥିଲା । ସେ କୋଳି, ଫଳ ଓ ଛୋଟ ପଶୁ ଧରି ଆଣିଥିଲା । Edith ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଯେ କିପରି ଏକ ଛୋଟ ବାଳକ ଏତେ କୌଶଳ ଜାଣିଛି ।

ଧୀରେ ଧୀରେ ସେମାନେ ଏକ ଗୁମ୍ପା ଖୋଜି ପାଇଲେ ଯାହା ସେମାନଙ୍କୁ ଵର୍ଷା ଓ ଶୀତରୁ ରକ୍ଷା ଦେଇଥିଲା । Edith ନିଜର ଜ୍ଞାନରୁ ଗଛର ପତ୍ର ଓ ଚର୍ମ ଵ୍ୟଵହାର କରି ପୋଷାକ ତିଆରି କଲେ । ସେ Timmieକୁ ଆହୁରି ଅଧିକ ଶିଖାଇଲେ — କିପରି ଫାନ୍ଦ ପକାଇବେ, କିପରି ନିଆଁକୁ ରକ୍ଷା କରିବେ ଓ କିପରି ଏକାଠି ରହିବେ । Timmie ମଧ୍ୟ ତାଙ୍କୁ ନିଜର ଜଗତର କଥା ବୁଝାଇଵାକୁ ଚେଷ୍ଟା କଲା । ସେ ଚିତ୍ର ଆଙ୍କି ଦେଖାଇଲା ଯେ ତାଙ୍କ ଗୋଷ୍ଠୀରେ କିପରି ସମସ୍ତେ ଏକାଠି ରହୁଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ ଏକ ଗଭୀର ବନ୍ଧନ ଗଢ଼ି ଉଠିଲା । Edith ବୁଝିଲେ ଯେ ତାଙ୍କର ସ୍ନେହ କେଵଳ ମାତୃତ୍ୱ ନୁହେଁ ଵରଂ ଏକ ନୂଆ ଜୀଵନର ଆରମ୍ଭ ଅଟେ ।

କିଛି ମାସ ପରେ ସେମାନେ ଏକ ଛୋଟ ନିଏଣ୍ଡରଥାଲ୍ (Neanderthal) ଗୋଷ୍ଠୀର ସମ୍ପର୍କରେ ଆସିଲେ । ସେମାନେ ପ୍ରଥମେ ଭୟ ପାଇଲେ କାରଣ Edithଙ୍କର ଆଧୁନିକ ଚେହେରା ଓ ପୋଷାକ ଅଜବ ଲାଗୁଥିଲା । କିନ୍ତୁ Timmie ସେମାନଙ୍କୁ ଚିହ୍ନିଲା ଓ ହାତ ଧରି କହିଲା ଯେ ଏ ତାଙ୍କର ମା’ । ଗୋଷ୍ଠୀର ଲୋକେ ଧୀରେ ଧୀରେ ସେମାନଙ୍କୁ ଗ୍ରହଣ କଲେ । Edith ତାଙ୍କର ଜ୍ଞାନ ବାଣ୍ଟିଲେ — କିପରି ବେଶୀ ଭଲ ନିଆଁ ଜଳାଇବେ, କିପରି ଘାଆ ଚିକିତ୍ସା କରିବେ ଓ କିପରି ଛୋଟ ଛୋଟ ଉପକରଣ ତିଆରି କରିବେ ଇତ୍ୟାଦି । ଏହା ଗୋଷ୍ଠୀର ଜୀଵନକୁ ସହଜ କଲା । ସେମାନେ ତାଙ୍କୁ ଗୋଷ୍ଠୀରେ ଏକ ଵିଶେଷ ସ୍ଥାନ ଦେଲେ ଓ ସମ୍ମାନ କଲେ ।

ଏହି ନୂଆ ଜୀଵନରେ Edith ବୁଝିଲେ ଯେ ସମୟର ପାର୍ଥକ୍ୟ କେଵଳ ବାହାରେ ଥାଏ କିନ୍ତୁ ମନୁଷ୍ୟର ସ୍ନେହ ଓ ବୁଦ୍ଧି ସର୍ଵତ୍ର ସମାନ । Timmie ବଡ଼ ହେଲା ଓ ସେ ନିଜର ଗୋଷ୍ଠୀରେ ଏକ ନେତା ହେଲା । ସେ ନିଜ Homo sapiens ମାଆଙ୍କ ଶିକ୍ଷାକୁ ସମସ୍ତଙ୍କୁ ଶିଖାଇଲା । ସେମାନଙ୍କର ଜୀଵନ କଷ୍ଟମୟ ଥିଲା କିନ୍ତୁ ସନ୍ତୋଷଜନକ ଥିଲା । 

ଦିନେ ଦୂରରେ ଏକ ଅଜଣା ଧ୍ୱନି ଶୁଣାଗଲା । Edith ଓ Timmie ଗୁମ୍ଫାର ମୁହଁରେ ବସି ଚାରିପାଖ ଦେଖୁଥିଲେ । ଥଣ୍ଡା ପଵନ ବହୁଥିଲା ଓ ବରଫ ଢାଙ୍କିଥିଵା ଜଙ୍ଗଲରୁ ଏକ ନୂଆ ଗନ୍ଧ ଆସିଥିଲା । ଟିମି ହଠାତ୍ ଉଠି ନାକ ଉଚ୍ଚା କରି ଶୁଣିଲା । ସେ ଜାଣିଥିଲା ଯେ ଏହା ଅନ୍ୟ ମଣିଷଙ୍କ ଗନ୍ଧ । Edith ମଧ୍ୟ ଦେଖିଲେ ଦୂରରେ ଧୂଆଁ ଉଠୁଥିଵା ଓ ଛୋଟ ଛୋଟ ସ୍ଥାନରେ ଜଳୁଥିଵା ଅଗ୍ନିର ଆଵଳି । ଏହା ଥିଲା ଆଧୁନିକ ମାନଵ Homo sapiensଙ୍କ ଆଗମନର ପ୍ରଥମ ସଂକେତ । ନିଏଣ୍ଡରଥାଲ୍‌ମାନେ ସତର୍କ ହୋଇଗଲେ ଏଵଂ ନିଜର ଜଗତକୁ ରକ୍ଷା କରିଵାକୁ ପ୍ରସ୍ତୁତ ହେଲେ । 

ଗୋଷ୍ଠୀର ନିଏଣ୍ଡରଥାଲ୍ (Neanderthal) ଲୋକେ ପଥର ହାତିଆର ଧରି ସତର୍କ ହୋଇଗଲେ । Edith, Timmieକୁ କୋଳରେ ଧରି କହିଲେ ଯେ ସେମାନେ ଶାନ୍ତିରେ ରହିବେ କିନ୍ତୁ ଆଵଶ୍ୟକ ହେଲେ ଆତ୍ମରକ୍ଷା କରିବେ ।

ପ୍ରଥମେ ଖାଦ୍ୟକୁ ନେଇ ଉଭୟ ମାନଵଜାତି ମଧ୍ୟରେ ସଂଘର୍ଷ ହେଲା । Homo sapiensମାନେ ଅଧିକ ସଂଖ୍ୟାରେ ଆସିଥିଲେ ଓ ବଡ଼ ବଡ଼ ଶିକାର ଯେମିତି ମାମଥ୍ ଓ ବାଇସନ୍ ଧରି ମାରିଵାରେ ଦକ୍ଷ ଥିଲେ । ସେମାନଙ୍କର ଉନ୍ନତ ଅସ୍ତ୍ର ଓ ସମୂହରେ ଶିକାର କରିଵାର କୌଶଳ ନିଏଣ୍ଡରଥାଲ୍‌ମାନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଲା । କେତେକ ସ୍ଥାନରେ ଖାଦ୍ୟ ସଂଗ୍ରହ ପାଇଁ ଝଗଡ଼ା ହେଲା ।ନିଏଣ୍ଡରଥାଲ୍‌ମାନଙ୍କ ସଂଖ୍ୟା କମ୍ ଥିଲା ଏଵଂ ସେମାନଙ୍କ ମଧ୍ୟରେ କେତେକ ଗୋଷ୍ଠୀ ନରଭକ୍ଷକ ମଧ୍ୟ ଥିଲେ । ଏଥିପାଇଁ ହୋମୋ ସାପିଏନ୍ସମାନେ ଏମାନଙ୍କୁ ଵିଶ୍ଵାସ କରୁନଥିଲେ ଏଵଂ ଵିଵାଦ ବଢ଼ିଥିଲା । 

 ନିଏଣ୍ଡରଥାଲମାନେ ନିଜ ଗୁମ୍ଫା ଓ ଶିକାର କ୍ଷେତ୍ର ରକ୍ଷା କରିବାକୁ ଚେଷ୍ଟା କଲେ କିନ୍ତୁ Homo sapiensମାନେ ଅଧିକ ଚତୁର ଓ ସଂଗଠିତ ଥିଲେ । Edith ଏହି ସଂଘର୍ଷ ଦେଖି ଦୁଃଖିତ ହେଲେ । ସେ Timmieକୁ କହିଲେ ଯେ ସମସ୍ତେ ଏକାଠି ରହିବା ଉଚିତ୍ । Edith ନିଜର ଆଧୁନିକ ଜ୍ଞାନ ଵ୍ୟଵହାର କରି ନିଏଣ୍ଡରଥାଲ୍‌ ଗୋଷ୍ଠୀକୁ ଅଧିକ ଫଳ ଓ କୋଳି ସଂଗ୍ରହ କରିଵା ତଥା ତାକୁ ଵନ୍ୟଜୀଵ ଓ ମୂଷା ଆଦି ଅନ୍ୟାନ୍ୟ ଜୀଵଙ୍କ ଦାଉରୁ ସଂରକ୍ଷଣର ଉପାୟ ଶିଖାଇଲେ ଯାହା ସଂଘର୍ଷ କମାଇଲା ।
ତାପରେ ଧୀରେ ଧୀରେ ପରିସ୍ଥିତି ବଦଳିଲା । Homo sapiensମାନେ ନିଏଣ୍ଡରଥାଲମାନଙ୍କର ବରଫାଞ୍ଚଳରେ ଶିକାର କରିଵାର ତଥା ଜୀଵନ କାଟିଵାର କୌଶଳ ଦେଖି ଆକର୍ଷିତ ହେଲେ । ନିଏଣ୍ଡରଥାଲମାନେ ଶୀତଳ ପରିଵେଶରେ ଅନୁକୂଳିତ ଥିଲେ ଓ ମୋଟା ହାଡ଼ ଓ ଶକ୍ତିଶାଳୀ ଦେହ ସହିତ ଭାରି ଶିକାର ଧରିଵାରେ ନିପୁଣ ଥିଲେ । ସେମାନେ ଗୁମ୍ଫାରେ ଅଗ୍ନି ଜାଳି ରହିଵାରେ ଏଵଂ ପଥରରୁ ଉପକରଣ ତିଆରି କରିଵାରେ ଦୀର୍ଘ ଅଭ୍ୟାସ ରଖିଥିଲେ । Homo sapiensମାନେ ଏହି କୌଶଳ ଶିଖିଵାକୁ ଆଗ୍ରହୀ ହେଲେ । କେତେକ ସମୟରେ ଦୁଇ ଗୋଷ୍ଠୀ ଏକାଠି ଶିକାର କଲେ । Edith ନିଜର ଜ୍ଞାନ ବାଣ୍ଟିଲେ ଏଵଂ ଉଭୟ ମାନଵଜାତି ମଧ୍ୟରେ ସେତୁ ହେଲେ । Timmie ନିଜ ପୂର୍ଵଜମାନଙ୍କ ସହିତ ମିଶି ହସୁଥିଲା ଓ ସେମାନଙ୍କୁ Edithଙ୍କ ଦ୍ଵାରା ଶିଖା ଯାଇଥିବା ନୂଆ ଉପାୟ ଦେଖାଉଥିଲା । ଧୀରେ ଧୀରେ ମିଶ୍ରଣ ଆରମ୍ଭ ହେଲା । ଦୁଇ ଗୋଷ୍ଠୀର ଯୁଵକ ଯୁଵତୀମାନେ ପରସ୍ପରକୁ ଦେଖି ଆକର୍ଷିତ ହେଲେ । ସଂକର୍ଷଣ ହେଲା ଓ ନୂଆ ସନ୍ତାନ ଜନ୍ମ ହେଲେ ଯେଉଁମାନଙ୍କରେ ଦୁଇ ଜାତିର ଲକ୍ଷଣ ମିଶିଗଲା । ଏହି ମିଶ୍ରଣ ଗୋଷ୍ଠୀକୁ ଅଧିକ ଶକ୍ତିଶାଳୀ କଲା । ନିଏଣ୍ଡରଥାଲ୍‌ମାନଙ୍କର ଶାରୀରିକ ଶକ୍ତି ଓ Homo sapiensଙ୍କର ଚତୁରତା ଏକାଠି ହୋଇ ନୂଆ ସଭ୍ୟତା ଗଢ଼ିଲା । Edith ବୃଦ୍ଧା ହେବା ସମୟରେ ଦେଖିଲେ ଯେ ତାଙ୍କର ପୁଅ Timmie ଏକ ନୂଆ ପିଢ଼ିର ପିତା ହୋଇଛି । ସେମାନେ ଏକାଠି ରହି ବରଫ ଯୁଗର କଷ୍ଟ ସହି ଜୀଵନ କାଟିଲେ । ଏହି ମିଶ୍ରଣ ପରେ ନିଏଣ୍ଡରଥାଲମାନଙ୍କର ଵିଶେଷ ଲକ୍ଷଣ ଧୀରେ ଧୀରେ କମିଗଲା କିନ୍ତୁ ସେମାନଙ୍କର ଜିନ୍ ଆଧୁନିକ ମାନଵଙ୍କ ମଧ୍ୟରେ ରହିଗଲା । Edithଙ୍କ ପ୍ରେମ ଓ ସାହସ ଏକ ନୂଆ ଇତିହାସ ରଚିଲା ଏଵଂ ଦୁଇ ମାନଵଜାତି ସଂଘର୍ଷରୁ ସହଯୋଗକୁ ଆସି ଏକାକାର ହୋଇଗଲେ । 

ଏହାର ୪୦୦୦୦ ଵର୍ଷ ପରେ ୟୁରୋପର ଏକ ଗୁମ୍ଫାରେ ଖୋଳାଖୋଳି କରୁଥିଵାବେଳେ ଆଧୁନିକ ପ୍ରତ୍ନତତ୍ତ୍ୱଵିତମାନେ ଏକ ଅସମ୍ଭଵ ଜିନିଷ ପାଇଲେ । ଏକ ଛୋଟ ଧାତୁର ପତଳା ପ୍ଲେଟ୍, ଯହିଁରେ ସ୍ପଷ୍ଟ ଆଧୁନିକ ଅକ୍ଷରରେ ଲେଖା ଥିଲା — “Timmie ମୋର ପୁଅ । ମୁଁ ତାଙ୍କୁ ଏକାକୀ ଛାଡ଼ିବି ନାହିଁ । Edith Fellowes” । ପାଖରେ ଏକ ଛୋଟ ପ୍ଲାଷ୍ଟିକ୍ କଣ୍ଢେଇ ଥିଲା, ଯାହାର ରଙ୍ଗ ମଳିନ ହୋଇଗଲେ ମଧ୍ୟ ଏକ ଛୋଟ ବାଳକର ମୁହଁ ସ୍ପଷ୍ଟ ଦେଖାଯାଉଥିଲା । ଏହି ଦୁଇଟି ଵସ୍ତୁ ୪୦,୦୦୦ ଵର୍ଷ ପୂର୍ଵର ବୋଲି ଅନୁସନ୍ଧାନରୁ ଜଣାଗଲା । ଯେଉଁ ସ୍ଥାନରୁ କେଵଳ ପଥର ଉପକରଣ ଓ ହାଡ଼ ମିଳିଵା କଥା ସେଠାରୁ, ଏହି ଆଧୁନିକ ଦରଵ ମିଳିଵା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କଲା ।

Dr. Hoskins ଯେତେବେଳେ ଏହି ଖବର ପାଇ ସେହି ଗୁମ୍ଫାକୁ ଗଲେ, ସେଠାରେ ସେ ୪୦୦୦୦ ଵର୍ଷ ତଳର ସେହି ଵସ୍ତୁ ଦେଖି ସ୍ତବ୍ଧ ହୋଇ ରହିଗଲେ । ସେ ପ୍ଲେଟ୍‌ଟି ହାତରେ ଧରି ଦୀର୍ଘ ସମୟ ଚାହିଁ ରହିଲେ । ତାଙ୍କର ହାତ କମ୍ପୁଥିଲା । ସେ ମନେ ପକାଇଲେ ସେହି ଦିନକୁ ଯୋଉଦିନ Timmieକୁ ଧରି Edith,Stasis Field Generator ଯନ୍ତ୍ର ଭିତରକୁ ପଶିଯାଇଥିଲେ । ସେତେବେଳେ ସେ ଭାବିଥିଲେ ଯେ ତାହା କେଵଳ ଏକ ପ୍ରକଳ୍ପର ଶେଷ ଥିଲା । କିନ୍ତୁ ଏବେ ସେହି ପ୍ଲେଟ୍ ତାଙ୍କୁ ପଚାରୁଥିଲା — ଆମେ କ’ଣ କରିଥିଲୁ ? ଏକ ମାଆର ପ୍ରେମକୁ କ’ଣ ଆମେ ଗଵେଷଣା ନାମରେ ବଳି ଦେଇଥିଲୁ ?
ସେ ପ୍ଲେଟ୍‌ଟି ଆଖି ସମ୍ମୁଖରେ ଧରି ଚୁପ୍ ରହିଲେ । ତାଙ୍କର ମନରେ ଏକ ପ୍ରଶ୍ନ ବାରମ୍ବାର ଘୁରି ବୁଲୁଥିଲା — ଯଦି ଏକ ମାଆ ସମୟର ସୀମା ଅତିକ୍ରମ କରି ମାତୃସ୍ନେହ ଲାଗି ଜୀଵନ ଦାନ କରିପାରେ, ତେବେ ଆମେ ଵୈଜ୍ଞାନିକମାନେ କାହିଁକି ଏତେ ଛୋଟ ହୋଇ ରହିଗଲୁ ? ଏହି ଛୋଟ ପ୍ଲେଟ୍ ଓ କଣ୍ଢେଇ କେଵଳ ଏକ ପ୍ରମାଣ ନୁହେଁ, ଏହା ଏକ ଆଇନା । ଯାହା ଆମକୁ ଦେଖାଇ ଦେଉଛି ଯେ ଜ୍ଞାନର ନାମରେ ଆମେ କେତେ ବଡ଼ ଭୁଲ୍ କରିପାରିଛୁ । Edith ଅତୀତକୁ ଚାଲିଯାଇଥିଲେ କିନ୍ତୁ ତାଙ୍କର ସନ୍ଦେଶ ରହିଗଲା — ଜଣେ ମାଆର ପ୍ରେମ ସମୟକୁ ମଧ୍ୟ ଜିତିପାରେ । ଆଉ ଆମେ ? ଆମେ କ’ଣ କେବଳ ଦେଖୁଛୁ ନା ସେଥିରୁ କିଛି ଶିଖୁଛୁ ?
•••••••••••••••••••••••••••••••••••••••
Isaac Asimovଙ୍କ କାହାଣୀ “The Ugly Little Boy(୧୯୫୮)” ଅଵଲମ୍ବନରେ ଏହି କାହାଣୀଟି ଲେଖା ଯାଇଛି । ମୂଳ କାହାଣୀରେ ଏଡିଥ୍ ଓ ଟମୀ ଉଭୟ ଅତୀତକୁ ଚାଲିଯାଇଛନ୍ତି କିନ୍ତୁ ତାପରେ କ’ଣ ହେଲା ତାହା କୁହାଯାଇନାହିଁ । ପରଵର୍ତ୍ତୀ କାହାଣୀ କ’ଣ ହୋଇପାରେ ତାହା ଅନୁମାନ କରି ଏ ଅକିଞ୍ଚନ ନିଜର ସ୍ବଳ୍ପ ଜ୍ଞାନ ଆଧାରରେ ଯୋଡ଼ିଛି । 
••••••••••••••••••••••••••••••••••••••






Sunday, February 22, 2026

•ସତ୍ୟଵଚନର ଫଳ: ସତ୍ୟଆମ୍ବ•

Garcinia xanthochymus ଗଛକୁ ଓଡ଼ିଶାରେ ସତ୍ୟଆମ୍ଵ କୁହାଯାଏ। ଏହା ଏକ ଚିରହରିତ ଉଷ୍ଣମଣ୍ଡଳୀୟ ଗଛ ଏଵଂ Clusiaceae ଉଦ୍ଭିଦ କୁଳ ଅନ୍ତର୍ଗତ। ଏହା ଦକ୍ଷିଣ ଏସିଆର ଭାରତ, ଶ୍ରୀଲଙ୍କା, ମାଲେସିଆ, ମିଆଁମାର, ଥାଇଲ୍ୟାଣ୍ଡ, ଓ ଭିଏତନାମ ଆଦି ଦେଶରେ ଦେଖାଯାଏ। ଭାରତରେ ଏହା ଓଡ଼ିଶା, ଆସାମ, ଚଟ୍ଟଗ୍ରାମ, ପଶ୍ଚିମଵଙ୍ଗ, ଓ ଦକ୍ଷିଣାତ୍ୟ ରାଜ୍ୟଗୁଡ଼ିକରେ ମିଳିଥାଏ। ଏହାର ଫଳ ଅମ୍ଳଯୁକ୍ତ, ସ୍ୱାଦିଷ୍ଟ, ଓ ଔଷଧୀୟ ଗୁଣଯୁକ୍ତ, ଯାହା ଏହାକୁ ଖାଦ୍ୟ ଓ ଔଷଧ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ କରିଛି।
ଏହାର ସାଧାରଣ ଇଂରାଜୀ ନାମ ମଧ୍ୟରେ false mangosteen, gamboge, yellow mangosteen, Himalayan Garcinia ଓ sour mangosteen ଅନ୍ୟତମ। ଭାରତରେ ଏହା ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଵଙ୍ଗାଳୀରେ ଏହାକୁ ଡେଫଳ କୁହାଯାଏ ଏଵଂ ସମ୍ଭଵତଃ ଏହା ଦେଫଳ ଵା ଦେଵଫଳର ପରିଵର୍ତ୍ତିତ ରୂପ ହୋଇଥାଇପାରେ। ଆସାମୀୟାରେ ଏହାର ନାମ ଟେପର ଟେଙା, ମଣିପୁରୀରେ heirangoi, ତାମିଳରେ பசும்பிடி (ପଚୁମ୍ପିଟି), ତୁଲୁରେ ಜಾರಿಗೆ ಪುಳಿ (ଜାରିଗେ ପୁଳି) ଓ ମଳୟାଳମ ଭାଷାରେ പിണമ്പുളി (ପିଣମ୍ପୁଳି) କୁହାଯାଏ ।

ତେବେ Garcinia xanthochymus ଗଛଟି ଓଡ଼ିଶାରେ ସାଧାରଣତଃ ସତ୍ୟଆମ୍ଵ ଵା ସତ୍ୟାମ୍ଵ ନାମରେ ପରିଚିତ। ଵିଶେଷତଃ ଓଡ଼ିଶାର ଗଡ଼ଜାତ ଅଞ୍ଚଳ, ଉତ୍ତରାଞ୍ଚଳ, ଓ ଜଙ୍ଗଲମୟ ଅଞ୍ଚଳରେ ସତ୍ୟଆମ୍ଵ ଗଛ ଦେଖାଯାଏ। ଏହାର ଫଳ ଦରିଦ୍ରଜନଙ୍କ ଦ୍ୱାରା ଖାଦ୍ୟ ଓ ଆଚାର ତିଆରିରେ ଵ୍ୟଵହୃତ ହୁଏ ଏଵଂ ଏହାର ଔଷଧୀୟ ଗୁଣ ଆୟୁର୍ଵେଦ ଓ ଲୋକଔଷଧ ଭାବେ ଵ୍ୟଵହୃତ ହୋଇଥାଏ ।
Garcinia xanthochymus ମୂଳତଃ Clusiaceae ନାମକ ଏକ ପୁରୁଣା ଉଦ୍ଭିଦ କୁଳର ଵଡ଼ ଗଛ ଅଟେ। ଏହି ଗଛ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଆଦ୍ର ଉଷ୍ଣ ଵନରେ ଵଢ଼ିଥାଏ ।Clusiaceae ଉଦ୍ଭିଦ କୁଳର ଗଛମାନେ ବହୁତ ପୁରୁଣା । ଆଜକୁ ପ୍ରାୟ ୫୦-୬୦ ନିୟୁତ ଵର୍ଷ ଆଗରୁ ଅର୍ଥାତ୍ Cretaceous ଓ Paleogene ଯୁଗରେ Clusiaceae କୁଳର ଵିଵର୍ତ୍ତନ ଇତିହାସ ଆରମ୍ଭ ହୋଇଥିଲା। ଏହି କୁଳରେ ଫଳ ଦେଉଥିଵା, ଫୁଲ ଦେଉଥିଵା ଓ ଔଷଧୀୟ ଗୁଣ ଥିଵା ଅନେକ ଜାତୀୟ ଗଛ ରହିଛି। ଆମେରିକାର New Jerseyରୁ ମିଳିଥିଵା Clusiaceae କୁଳ ସମ୍ଵନ୍ଧୀୟ ଏକ ପ୍ରାଚୀନ ଗଛର ଜୀଵାଶ୍ମରୁ ଜଣାପଡ଼ିଛି ଯେ ପ୍ରାରମ୍ଭିକ କାଳରେ ହିଁ ଏହି କୁଳର ଗଛମାନେ ମହୁମାଛି ଓ ଅନ୍ୟ କୀଟଙ୍କ ସାହାଯ୍ୟରେ ଫୁଲରୁ ପରାଗ ଵିସ୍ତାର କରୁଥିଲେ। ଵର୍ତ୍ତମାନ Clusiaceae କୁଳରେ ପ୍ରାୟ ୧୩ଟି ଵଂଶ ଓ ୭୫୦ରୁ ଅଧିକ ଜାତି ଅଛି ଏଵଂ Clusiaceae କୁଳର ଅଧିକାଂଶ ଗଛ ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆର ଉଷ୍ଣ ଓ ଆଦ୍ର ଅଞ୍ଚଳରେ ମିଳେ। 

ପ୍ରାୟ ୬୬ ନିୟୁତ ଵର୍ଷ ପୂର୍ବେ ଏକ ବଡ଼ ଗ୍ରହାଣୁ ପୃଥିଵୀକୁ ଧକ୍କା ଦେଇଥିଲା, ଯାହା ଅନେକ ପ୍ରାଣୀ ଓ ଗଛକୁ ନଷ୍ଟ କରିଦେଇଥିଲା। ଏହା ପରେ, Clusiaceae କୁଳର ଗଛମାନେ ନୂଆ ନୂଆ ଜାଗାରେ ବଢ଼ିଵାକୁ ଲାଗିଲେ। ଉଷ୍ଣ ଓ ଆଦ୍ର ଜଙ୍ଗଲରେ ଏମାନେ ଅନେକ ପ୍ରକାରର ଫୁଲ ଓ ଫଳ ଦେଵା ଆରମ୍ଭ କଲେ। ଏହାର ଫୁଲରେ ମଧୁ ଥାଏ, ଯାହା ପକ୍ଷୀ ଓ କୀଟଙ୍କୁ ଆକର୍ଷିତ କରେ। ଏହି ପରାଗଣ ପ୍ରକ୍ରିୟା ଏମାନଙ୍କୁ ଵିଭିନ୍ନ ଜାଗାରେ ଵିସ୍ତାର କରିଵାରେ ସାହାଯ୍ୟ କଲା।

Garcinia xanthochymus ଏହି Clusiaceae କୁଳର Garcinia ଉଦ୍ଭିଦଵଂଶର ଏକ ଵିଶିଷ୍ଟ ଉଦ୍ଭିଦ ଜାତି ଅଟେ। ଗଵେଷକମାନେ କୁହନ୍ତି ଯେ ଏହାର ଉତ୍ପତ୍ତି ହିମାଳୟ ଓ ଦକ୍ଷିଣ-ପୂର୍ଵ ଏସିଆର ଜଙ୍ଗଲରେ ହୋଇଥିଲା। Garcinia xanthochymus ସାଧାରଣତଃ ସମୁଦ୍ର ପତ୍ତନରୁ ୧୪୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଵଢ଼େ। ଏହାର ଫଳ ଅମ୍ଳଯୁକ୍ତ ଓ ମିଠା, ଯାହା ପଶୁ ଓ ପକ୍ଷୀଙ୍କୁ ଆକର୍ଷିତ କରେ। ଏହାର ଵୀଜ ପହର୍ନବିଲ୍ ଓ ବୁଲବୁଲ୍ ଭଳି ପକ୍ଷୀ ତଥା ହାତୀ, ହରିଣ, ଵାନର ଆଦି ପଶୁମାନେ ଖାଇ ଦୂର ଦୂର ଜାଗାକୁ ନେଇଯାଆନ୍ତି। ଏହି ପ୍ରକ୍ରିୟା ଦ୍ୱାରା Garcinia xanthochymusର ଵୀଜ ଅନେକ ଜାଗାରେ ଵିସ୍ତାର ହୁଏ, ଯାହା ଏହାର ଵଂଶ ଵଢ଼ିଵାରେ ସାହାଯ୍ୟ କରେ। ସେହିପରି ଚୀନର Xishuangbanna ଜଙ୍ଗଲରେ ଏକ ଜାତୀୟ ସ୍ଥାନୀୟ ମୂଷା ଏହାର ଵୀଜ ଖାଇ ଜମା କରେ, ଯାହା ନୂଆ ଗଛ ହେଵାରେ ସହାୟକ ହୁଏ।

Garcinia xanthochymus ର ଫଳ, ଛାଲ, ପତ୍ର ଓ ଵୀଜରେ ଔଷଧୀୟ ଗୁଣ ଅଛି। ଏହି ଗଛରେ xanthones ନାମକ ରାସାୟନିକ ପଦାର୍ଥ ମିଳେ ଯାହା ଜୀଵାଣୁ ନାଶକ, ମ୍ୟାଲେରିଆ ରୋଧକ ଓ ମସ୍ତିଷ୍କରେ ନୂଆ କୋଷ ତିଆରି କରିଵାରେ ସାହାଯ୍ୟ କରେ। ଏହାର ଫଳରେ phenolic acids ଓ flavonoids ଅଛି, ଯାହା ଶରୀରରେ ରୋଗ ସହ ଲଢ଼ିଵା କ୍ଷେତ୍ରରେ ଶକ୍ତି ବଢ଼ାଏ, ସୁଗାର ରୋଗ ଓ କର୍କଟ ରୋଗକୁ ରୋକିଵାରେ ସାହାଯ୍ୟ କରେ। 
ଜାନ୍ଥୋନ୍ (xanthones) ଵ୍ୟତୀତ Garcinia xanthochymus ଗଛରେ ଫ୍ଲାଵୋନଏଡ୍ (flavonoids), ବେଞ୍ଜୋଫେନୋନ୍ (benzophenones) ଭଳି ଫାଇଟୋକେମିକାଲ୍ ଥାଏ ଯାହା ଏହାକୁ ଶକ୍ତିଶାଳୀ ଔଷଧୀୟ ଗୁଣ ପ୍ରଦାନ କରେ । ଏହାର ମୁଖ୍ୟ ଔଷଧୀୟ ଗୁଣଗୁଡ଼ିକ ହେଉଛି ଆଣ୍ଟିଅକ୍ସିଡାଣ୍ଟ (antioxidant) ଗୁଣ ଯାହା ଶରୀରରେ ମୁକ୍ତ ରାଡିକାଲ୍‌କୁ ନିୟନ୍ତ୍ରଣ କରି ଅକ୍ସିଡେଟିଵ୍ ଷ୍ଟ୍ରେସ୍ କମାଏ । ଏହା ଡାଏବେଟିସ୍ (antidiabetic) ନିୟନ୍ତ୍ରଣରେ ସାହାଯ୍ୟ କରେ ତଥା Nerve Growth Factor ବଢ଼ାଇଵାରେ ସହାୟକ ହୁଏ । ଏହାର ପତ୍ର ଓ ଫଳରେ anti-inflammatory ଗୁଣ ଅଛି ଯାହା ଯାହା ପ୍ରଦାହ କମାଇଵାରେ ଉପକାରୀ ଅଟେ। ପାରମ୍ପରିକ ଭାବେ ଏହାକୁ diarrhea,dysentery,ଵାନ୍ତି, ଉଦ୍‌ଗାର ଓ ପେଟ ରୋଗରେ ଵ୍ୟଵହାର କରାଯାଏ । ଏହା ଆଣ୍ଟିମାଇକ୍ରୋବାଇଆଲ୍ (antimicrobial) ଗୁଣ ଯୋଗୁଁ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ଵିରୋଧରେ କାମ କରେ । କିଛି ଅଧ୍ୟୟନରେ ଏହାର ଆଣ୍ଟିକ୍ୟାନ୍ସର୍ (anticancer) ସମ୍ଭାଵନା ଦେଖାଯାଇଛି ଯେଉଁଥିରେ ବିଭିନ୍ନ କ୍ୟାନ୍ସର ସେଲ୍ ଲାଇନ୍ ଉପରେ ଏହାର ପ୍ରଭାଵ ପରୀକ୍ଷା କରାଯାଇଛି । ଏହାର ଛାଲ ଓ ଫଳ elastase inhibitor ଭାବେ କାମ କରି ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ଉପକାରୀ ହୋଇପାରେ । ପାରମ୍ପରିକ ଚୀନ ଦେଶୀୟ ଔଷଧରେ ଏହାକୁ କୃମି ନିଵାରଣ, ଖାଦ୍ୟ ଵିଷ ହଟାଇଵା ଓ ଅନ୍ୟାନ୍ୟ ରୋଗରେ ଵ୍ୟଵହାର କରାଯାଏ । ଏହାର ଫଳ ଆୟୁର୍ଵେଦ ଅନୁସାରେ ପାଚନ ଶକ୍ତି ବଢ଼ାଇଵା, ଲିଭର୍ ସଫା କରିଵା ଓ ରୋଗ ପ୍ରତିରୋଧ କ୍ଷମତା ବଢ଼ାଇଵାରେ ଉପଯୋଗୀ । ଏହି ଗୁଣଗୁଡ଼ିକ ଏହାର ଵିଵର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରିଥିଲା। Garcinia xanthochymusର ଛାଲରୁ ନିର୍ଗତ ହେଉଥିଵା ହଳଦିଆ ରସକୁ "ଗାମ୍ବୋଜ୍" କୁହାଯାଏ ଏଵଂ ଏ ରସ ପୁରୁଣା କାଳରେ ରଙ୍ଗ ଓ ଔଷଧ ରୂପେ ଵ୍ୟଵହାର ହେଉଥିଲା। 

Garcinia xanthochymusର ଏହି ସବୁ ଗୁଣ ମଣିଷଙ୍କୁ ଆକର୍ଷିତ କରି ଏହାର ଵିସ୍ତାରରେ ସାହାଯ୍ୟ କରିଛି। ପୂର୍ଵେ ମଣିଷମାନେ ଏହାର ଫଳକୁ ଖାଦ୍ୟ ଓ ଔଷଧ ରୂପେ ଵ୍ୟଵହାର କରୁଥିଲେ, ଯାହା ଏହାର ଵଂଶ ଵଢ଼ାଇଵାରେ ମଧ୍ୟ ସହାୟକ ହୋଇଛି। ମଣିଷମାନେ Garcinia xanthochymusକୁ ଅନେକ ଜାଗାରେ ଚାଷ କରିଛନ୍ତି। ଉଦାହରଣ ସ୍ୱରୂପ, ୧୯୦୦ ମସିହାରେ ଏହାକୁ Hawaiiରେ ଲଗାଯାଇଥିଲା। ମଣିଷମାନଙ୍କ ଦ୍ଵାରା ଏ ଗଛ ଏସିଆରୁ ଯାଇ ଉତ୍ତର ପୂର୍ଵ ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକା ମହାଦେଶର ଦକ୍ଷିଣାଞ୍ଚଳରେ ଲଗାଯାଇଛି । ଭାରତ, ଥାଇଲ୍ୟାଣ୍ଡ ଓ ଚୀନରେ Garcinia xanthochymusର ଫଳକୁ ଜାମ୍, ଅମ୍ଳ କିମ୍ଵା ଖାଦ୍ୟରେ ଵ୍ୟଵହାର କରାଯାଏ। କିନ୍ତୁ ଜଙ୍ଗଲ କଟା ଓ ଜଳଵାୟୁ ପରିଵର୍ତ୍ତନ ହେତୁ ଏ ଗଛ ଧିରେ ଧିରେ ଜଙ୍ଗଲରୁ ଅଦୃଶ୍ୟ ହୋଇ ଯାଉଅଛି।

Garcinia xanthochymus ଏକ ମଧ୍ୟମ ଆକାରର ଚିରହରିତ ଗଛ, ଯାହା 10-20 ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ। ଏହାର ସ୍କନ୍ଧ ଵା ଗଣ୍ଡି ସ୍ଥୂଳ ଓ ଡାଳଗୁଡ଼ିକ ଘନ ହୋଇଥାଏ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, ଏହି ଗଛ ତମାଳ ଗଛ ପରି ଚିରଶ୍ୟାମଳ ଓ ଘନସନ୍ନଦ୍ଧ। ଏହାର ପତ୍ରଗୁଡ଼ିକ ଆମ୍ଵଗଛର ପତ୍ରଠାରୁ ବଡ଼, ମୋଟା, ଓ ଚିକ୍କଣ। ପତ୍ରଗୁଡ଼ିକ ଲମ୍ଵା, ଅଣ୍ଡାକାର, ଓ ଚମକଦାର ଯାହା ଗଛକୁ ଏକ ଆକର୍ଷଣୀୟ ରୂପ ଦିଏ। ଏହାର ଘନ ପତ୍ରସମୂହ ଜଙ୍ଗଲରେ ଛାୟା ପ୍ରଦାନ କରେ। ଏହାର ଫୁଲ ଧଳା ଓ ସୁଗନ୍ଧଯୁକ୍ତ ଏଵଂ ଵସନ୍ତ ଋତୁରେ ଫୁଟେ। ଫୁଲଗୁଡ଼ିକ ଛୋଟ ଓ ସରଳ କିନ୍ତୁ ସୁନ୍ଦର ଓ ଆକର୍ଷଣୀୟ। ଏହାର ଫଳ ଗୋଲାକାର, ନେଙ୍ଗଡ଼ା ଆମ୍ଵ, କିମ୍ଵା କେନ୍ଦୁ ଫଳ ପରି ଦେଖାଯାଏ। କଞ୍ଚା ଫଳ ଖଟା, କିନ୍ତୁ ପାଚିଲେ ଈଷତ୍ ମିଠା ଓ ଖଟା ସ୍ୱାଦ ଧାରଣ କରେ। ପାଚିଲା ଫଳ ହଳଦିଆ ଵା ନାରଙ୍ଗୀ ରଙ୍ଗର ହୁଏ, ଯାହା ପାଚିଲା ଆମ୍ଵର କିମ୍ବା ହଳଦିଆ ପାଚିଲା ପିଜୁଳି ରଙ୍ଗ ସହ ସାମଞ୍ଜସ୍ୟ ରଖେ। ଫଳର ଭିତରେ ଏକ ଖୋସା ଵା ଚିରୁଡ଼ା ଥାଏ ଏଵଂ ବଉଳ ମଞ୍ଜିଠାରୁ ବଡ଼ ଓ କଳା ରଙ୍ଗର ଅନେକ ଲମ୍ଵା ମଞ୍ଜି ରହିଥାଏ। 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏସିଆର ଵିଭିନ୍ନ ଅଞ୍ଚଳରେ Garcinia xanthochymus ଗଛର ଫଳ ଵର୍ଷା ଓ ଶରତ ଋତୁରେ ପାଚେ। ପାଚିଲା ଫଳ ଗରିଵ ଲୋକେ ଖାଆନ୍ତି ଓ ଆମ୍ଵିଳ ତରକାରୀ ତିଆରି କରନ୍ତି। କଞ୍ଚା ଫଳକୁ କାଟି ଆଚାର ତିଆରି କରାଯାଏ। ଏହାର ଵୀଜରୁ ତୈଳ ନିଷ୍କାସିତ ହୁଏ, ଯାହା ତିକ୍ତ, ଅମ୍ଳମଧୁର, ପାଚକ, ରୁଚିକାରକ, ଵଳକର, ଓ ସାରକ। ଏହା କୃମି, କୁଷ୍ଠ, ଓ ଵ୍ରଣ ରୋଗରେ ଔଷଧୀୟ ଭାବେ ଉପକାରୀ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, Garcinia xanthochymus ର ଅପକ୍ୱ ଫଳ ଅମ୍ଳ, ଧାରକ, ଵାୟୁନାଶକ, ଉଷ୍ଣଵୀର୍ଯ୍ୟ, ଗୁରୁ, ଓ ପିତ୍ତଵର୍ଦ୍ଧକ। ପକ୍ୱ ଫଳ ଦୀପକ, ରୁଚିଜନକ, ଲଘୁ, ଉଷ୍ଣଵୀର୍ଯ୍ୟ, ଓ କଫ ଓ ଵାୟୁନାଶକ। ଏହାର ଵିଜରୁ ନିଷ୍କାସିତ ତୈଳ ଔଷଧୀୟ ଦୃଷ୍ଟିରୁ ଅତ୍ୟନ୍ତ ମୂଲ୍ୟଵାନ।

ଆମେ ଜାଣନ୍ତି ଯେ Garcinia xanthochymusକୁ ଓଡ଼ିଶାରେ ସତ୍ୟଆମ୍ବ କୁହାଯାଏ । ତେବେ ସାରଳା ଦାସ ଵିରଚିତ ସାରଳା ମହାଭାରତରେ ମଧ୍ୟ ସତ୍ୟଆମ୍ଵ ନାମରେ ଏକ ଗଛର ଉଲ୍ଲେଖ ଅଛି। ଉକ୍ତ ସତ୍ୟଆମ୍ବ ଗଛର ଉତ୍ପତ୍ତି ଓ ଫଳ ସମ୍ଵନ୍ଧୀୟ ଏକ ଆକର୍ଷଣୀୟ କାହାଣୀ ସାରଳା ଦାସ ତାଙ୍କ ମହାଭାରତରେ ଵର୍ଣ୍ଣନା କରିଛନ୍ତି। ଏହି କଥା ପାଣ୍ଡଵମାନଙ୍କର ଅଜ୍ଞାତଵାସ ସମୟରେ ଘଟିଥିଵା ଏକ ଘଟଣା ସହ ଜଡ଼ିତ।

ପାଣ୍ଡଵମାନଙ୍କର ଅଜ୍ଞାତ ଵନଵାସ ସ୍ଥାନର ପରିଚୟ ପାଇଵା ସକାଶେ ଦିନେ ଦୁର୍ଯୋଧନ ମାମୁ ଶକୁନିଙ୍କ ସହିତ ମନ୍ତ୍ରଣା କଲେ ଏଵଂ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ତାକୁ ପାଣ୍ଡଵମାନଙ୍କର ଅନୁସନ୍ଧାନ ନିମିତ୍ତ ପଠାଇଦେଲେ।

“ପୁରଞ୍ଜନ ପଣ୍ଡାର ପୁତ୍ର ଗୋଉରମୁଖ ବୋଲି ।
ତାହାକୁ ପଠିଆଅ ମୋହୋର ଵିଚାରେ କହିଲି ॥
ଶକୁନି ଵଚନ ଶୁଣିକରି ରାଜା ଦ୍ରିଯୋଧନ ।
ସନ୍ନିଧକୁ ହକାରିଲେ ପୁରଞ୍ଜନର ନନ୍ଦନ ॥”

ଗୌରମୁଖକୁ ଦୁର୍ଯୋଧନ ଆଦେଶ ଦେଇଥାନ୍ତି ଯେ ଯେଉଁମାନେ ଆଶ୍ୱିନ ମାସରେ ଆମ୍ଵଫଳ ଦେଇ ପାରିବେ, ସେମାନେ ପାଣ୍ଡଵ ବୋଲି ଚିହ୍ନି ଆମ୍ଭକୁ ଆସି ଜଣାଅ।

“ଦ୍ରିଯୋଧନ ବୋଇଲା ତୁହି ଖୋଜିବୁ ତାହାଙ୍କୁ ।
ସେହି ନ ଚିହ୍ନିଲେ ଭଲ ହୋଇଵ ଆମ୍ଭକୁ ॥
ଯହିଁ ରହିଅଛନ୍ତି ପାଣ୍ଡଵ ପଞ୍ଚ ଵୀରେ ।
ଅନେକ ଋଷି ତପୋଧନେ ଥିବେ ସଙ୍ଗତରେ ॥
ସରୂପ ଜାଣିବୁ ତୁ ଵିଚାରି ପରିମଳ ।
ଆଶ୍ୱିନ ମାସରେ ତୁ ମାଗିବୁ ପକ୍ଵଚୂତ ଫଳ ॥
ଖୋଜିଣ ସେ ଵନେ ଯଦି ଆମ୍ଵ ନ ପାଇବେ ।
ସତ୍ୟଆମ୍ଵ ହୋଇଵଟି ବୋଇଲେ ପାଣ୍ଡବେ ॥”

ଚାରିମାସ ପର୍ଯ୍ୟନ୍ତ ପାଣ୍ଡଵଙ୍କୁ ଉଣ୍ଡିଵା ପରେ ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ ଅସ୍କନ୍ଦ ଵନରେ ଠାଵ କରି ତାଙ୍କର ଅତିଥି ହେଲେ। 

“ଗଉରମୁଖ ବୋଲି ସେ ପୁରଞ୍ଜନ ପଣ୍ଡାର ଵଳା ।
ଚାରିମାସେ ଯାଇ ସେ ପାଣ୍ଡେଵନ୍ତ ଠାଵକଲା ॥
ପାଣ୍ଡଵ ରହିଛନ୍ତି ଅସ୍କନ୍ଦ ନାମେ ଵନେ ।
ମୁକତ ଗଙ୍ଗା ଵହଇ ଯେ ଉତ୍ତର ଵାହାନେ ॥
ସେ ଉତ୍ତରାଂକୁରେ ଅଛି ରାମଘାଟ ତୀର୍ଥ ।
ତହିଁ ସେ ପାଣ୍ଡଵ ରହିଛନ୍ତି ପଞ୍ଚୁ ଭ୍ରାତ ॥”

ଏଠାରେ ଜାଣିରଖିଵା ଉଚିତ୍ ଯେ ମୂଳ ମହାଭାରତରେ ପାଣ୍ଡଵମାନେ "କାମ୍ୟକ ଵନ ଓ ଦୈତଵନ" ଏହା ଦୁଇଟି ଵନରେ ବାରମାସ ଵନଵାସ କାଳଯାପନ କରିଥିଲେ । କାମ୍ୟକଵନ ହରିୟଣାରେ ପ୍ରଵାହିତ ସରସ୍ଵତୀ ନଦୀ କୂଳରେ ଥିଲା ଏଵଂ ଏହାର ଦକ୍ଷିଣ ଭାଗରେ ଦୈତଵନ ଅଵସ୍ଥିତ ଥିଲା । ଏହି ଵନର ନାମକରଣ ମତ୍ସ୍ୟ ରାଜ୍ୟର ରାଜା ଧ୍ୱସନ ଦ୍ୱୈତଵନଙ୍କ ନାମାନୁସାରେ ନାମିତ ହୋଇଥିଲା ବୋଲି ମହାଭାରତରେ ଉଲ୍ଲେଖ ଅଛି । ଏହି ରାଜା ଅଶ୍ୱମେଧ ଯଜ୍ଞ କରି ଇନ୍ଦ୍ରଙ୍କୁ ୧୪ଟି ଘୋଡ଼ା ଦାନ କରିଥିଲେ। ପ୍ରୋକ୍ତ ରାଜାଙ୍କ କୀର୍ତ୍ତି ଯୋଗୁଁ ପରେ ସେହି ଯଜ୍ଞ ସ୍ଥଳ ନିକଟରେ ଥିଵା ଏକ ପଵିତ୍ର ହ୍ରଦ (ଦ୍ୱୈତ ହ୍ରଦ) ଓ ଆଖପାଖର ଵନକୁ ତାଙ୍କ ନାମରେ "ଦ୍ୱୈତଵନ" କୁହାଗଲା। ଦୈତଵନ ହ୍ରଦ ଓ ଦୈତଵନ ଜଙ୍ଗଲ ଅତି ସୁନ୍ଦର, ପକ୍ଷୀମାନଙ୍କରେ ପରିପୂର୍ଣ୍ଣ, ଫୁଲ-ଫଳରେ ଭରା ଏଵଂ ଋଷି-ମୁନିମାନଙ୍କର ଵାସସ୍ଥାନ ଥିଲା। ଅର୍ଜୁନ ଏହି କାରଣରୁ ଏଠାକୁ ଵନଵାସ ପାଇଁ ପ୍ରସ୍ତାଵ ଦେଇଥିଲେ। ଏହା କୁରୁ ରାଜ୍ୟର ଦକ୍ଷିଣ-ପଶ୍ଚିମ ସୀମାନ୍ତରେ ଥିଲା ।‌ ଆଜିର ଆଧୁନିକ ଭାରତରେ ଏହା ଥାର ମରୁଭୂମିର ଉତ୍ତର ଵିସ୍ତାର ନିକଟରେ ଥିଵାରୁ ଏହା ହରିୟାଣାର ଦକ୍ଷିଣ-ପଶ୍ଚିମ ଭାଗ ଅର୍ଥାତ୍ ସିରସା, ଫତେହାଵାଦ, ହିସାର ଜିଲ୍ଲା ଆଦିର ଆଖପାଖ ଅଞ୍ଚଳ ସହ ଜଡ଼ିତ ବୋଲି ଅନେକ ଵିଦ୍ୱାନ ମତ ଦିଅନ୍ତି। କେତେକ ମତରେ ଏହା ଉତ୍ତର ପ୍ରଦେଶର ସହାରନପୁର ଵା ଦେଵବନ୍ଦ ଅଞ୍ଚଳ ସହ ମଧ୍ୟ ଜଡ଼ିତ ହୋଇପାରେ, କାରଣ ପ୍ରାଚୀନ ସରସ୍ୱତୀ ନଦୀର ପ୍ରଵାହ ସେଠାରେ ଥିଵା ଅନୁମାନ କରାଯାଏ। କିନ୍ତୁ ଅଧିକାଂଶ ସ୍ଥାନରେ ହରିୟାଣାର ଦକ୍ଷିଣ-ପଶ୍ଚିମ ଅଞ୍ଚଳକୁ ଅଧିକ ସମର୍ଥନ ମିଳେ। ଅଵଶ୍ୟ ପ୍ରାଚୀନ କାଳରେ ଯେଉଁ ଘନ ଵନ, ହ୍ରଦ,ଫୁଲ-ଫଳ, ପକ୍ଷୀ ଓ ହରିଣରେ ଭରା ଦ୍ୱୈତଵନ ଥିଲା, ତାହା ଏବେ ସମ୍ପୂର୍ଣ୍ଣ ରୂପେ ଵନ ଭାବରେ ଅଵଶିଷ୍ଟ ନାହିଁ। ସରସ୍ୱତୀ ନଦୀ ଶୁଖିଵା, କୃଷି, ନଗରୀକରଣ ଓ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ସେହି ଅଞ୍ଚଳ ଏବେ ଅଧିକାଂଶ କୃଷିଭୂମି, ଗାଁ ଓ ଅର୍ଦ୍ଧଶୁଷ୍କ ହୋଇଯାଇଛି। କିଛି ଛୋଟ ଛୋଟ ଜଙ୍ଗଲ ଵା ସଂରକ୍ଷିତ ଅଞ୍ଚଳ ଥାଇପାରେ, କିନ୍ତୁ ମହାଭାରତ କାଳର ଵିଶାଳ ଵନ ଏବେ ଆଉ ନାହିଁ ।‌ ସାରଳା ମହାଭାରତରେ ସମ୍ଭଵତଃ ଏହି ଦୈତଵନକୁ ଅସ୍କନ୍ଦ ଵନ କୁହାଯାଇଛି । ଅଖଞ୍ଜିଆ ଅସୁଵିଧାଜନକ ସ୍ଥାନକୁ ଓଡ଼ିଆ ଭାଷାରେ ଅସ୍କନ୍ଦ କୁହାଯାଏ ।‌ଯେଉଁ ସ୍ଥାନକୁ ସହଜେ କେହି ଯାଇ ପାରେ ନାହିଁ ସେଭଳି ଘଞ୍ଚ ଅସ୍କନ୍ଦ ଜଙ୍ଗଲରେ ପାଣ୍ଡଵମାନେ ଦୂର୍ଯ୍ୟୋଧନର ଗୁପ୍ତଚରଙ୍କଠାରୁ ଗୋପନରେ ରହୁଥିଲେ । ତେବେ 
ପୁରଞ୍ଜନ ପଣ୍ଡାର ପୁଅ ଗଉରମୁଖ ବହୁ କଷ୍ଟ ସ୍ଵୀକାର କରି ପାଣ୍ଡଵଙ୍କ ଠାଵ ଯେତେବେଳେ ପାଇଲା ସେ ଗୋପ୍ୟାନ ରୂପ ଧରି ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ଵ ଖାଇଵା ପାଇଁ ମାଗିଲା। ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡ଼ିଲେ। ଅସମୟରେ ଆମ୍ଵ ମିଳିଵନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ଵ ଆଣିଵାକୁ ପଠାଇଦେଲେ କିନ୍ତୁ ସମସ୍ତେ ନିରାଶ ହୋଇ ଫେରିଲେ। ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ ଓ ତାଙ୍କୁ ପାଣ୍ଡଵମାନେ ସତକଥା କହିଲେ।

ସତ୍ୟଆମ୍ଵ କେମନ୍ତ ଯୁଝେଷ୍ଠି ପଚାରିଲେ
ଗୋଵିନ୍ଦେ ବୋଇଲେ,
ଆମ୍ବେକ ଫଳିଵ ଦେଵ ସତ୍ୟ ଵଚନ କହିଲେ।
ତୁମ୍ଭେ ପାଞ୍ଚଜଣ ସଙ୍ଗେ ଅଛନ୍ତି ଦ୍ରୋପତୀ,
ନିରୁତାନ୍ତ ସତ୍ୟ କହିଵ ଛାଡ଼ିଵ ଯେ ମିଥ୍ୟା ପ୍ରକୃତି।
ସତ୍ୟ କହିଲେ ଆମ୍ଵ ଫଳିଵ ଵିଦ୍ୟମାନ
ଵ୍ୟାସଂକ ମୁଖ ଚାହିଁ କହନ୍ତି ଜନାର୍ଦ୍ଦନ।
ଆମ୍ଵ ମଞ୍ଜି ଗୋଟିୟେ ପ୍ରସନ୍ନେ ଦିଲେ ତପୋଧନ,
ଛାମୁରେ ଥୋଇ ଯେ ରୁନ୍ଧିଲେ ପଞ୍ଚୁମନ।
ସେ ଚୂତମଞ୍ଜିକି ଯୁଝେଷ୍ଠି ଚାହିଁଲେ ପ୍ରଥମେ
ସତ୍ୟଵାକ୍ୟହିଁ ଉଚ୍ଚାରନ୍ତି ଦେଵ ଧର୍ମେ।
ଶ୍ରୀହରି ବୋଇଲେ କିଞ୍ଚିତ ମିଥ୍ୟା କହିଲେ ନୁହଇ ଚୂତପଂକୁ,
ହୃଦଗତେ ତତ୍ତୁକର ହୋ ସମସ୍ତ ଆତ୍ମାକୁ।

ପାଞ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ଵ ଟାକୁଆରୁ ଗଜା ହୋଇ ଗଛ ହେଲା, ଫୁଲ ଫୁଟିଲା, କଷି ଧରିଲା।

ପାଞ୍ଚ ପାଣ୍ଡଵ ନିଜ ନିଜର ଗୋଚର ଅଗୋଚର ସତ୍ୟ କହିଵାପରେ ଦ୍ରୌପଦୀଙ୍କ ପାଳି ପଡ଼ିଲା। ସେ ସତ୍ୟ କରି କହିଲେ:

ଯୁଗତେ ଏ ମୋହୋର ଅଟନ୍ତି ପଞ୍ଚୁପତି,
ଏକାମାତ୍ର ଅର୍ଜୁନରେ ମୋହୋର ଅଧିକ ପୀରତି।
ମୋତେ ଯେ କଉରବେ ସଭାତଳେ କଲେ ଅପମାନ,
କେଶଧରି କୋପେଣ ମୋତେ ଆଣିଲା ଧୁଶାସନ।
ଆଣନ୍ତେ ଚରଣ ମୋର ନ ପଡ଼ଇ ତଳ,
ଆକ୍ରେଷି ଝିଙ୍କନ୍ତେ ସେ ଫିଟିଲାକ ମୋହୋର ଵାଳ।
ସେହିଦିନୁ କେଶ ମୋହୋର ନ କଲି ଵନ୍ଧନ,
ସେ ଧୁଶାସନର ଭୁଜ ଉପାଡ଼ିବେ ଭୀମସେନ।
ତାହାର ରୁଧିରେ ମୋର କେଶ ପଖାଳିଵି,
ତେବେ ସେ କେଶ ହରି ମୋହୋର ଵନ୍ଧନ କରିଵି।
ମୋହରେଣ ନାଶ ଯିବେ ଧୃତିରାଷ୍ଟ ଶତେପୁତ୍ର,
ତେବେ ସେ ପାଣ୍ଡବେ ଭ୍ରଥା ମୋର କହିଲି ସତ୍ୟ ସତ୍ୟ।
ଏ ମୋହୋର ଆତ୍ମାର ଵିଚାର ଵାସୁଦେଵ
ସତ୍ୟ ସତ୍ୟ କହିଲି ମୁ ମିଥ୍ୟା ନୁହଇ ଦେଵ।

ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ଵଟି ପାଚି ହଳଦିଆ ପଡ଼ିଗଲା। ଯୁଧିଷ୍ଠିର ଉଷତ ହୋଇ ଵ୍ରାହ୍ମଣଙ୍କୁ ସେ ଅଦିନିଆ ଆମ୍ଵଟି ପ୍ରଦାନ କଲେ। ଏକଥାକୁ ସାରଳା ଦାସ ଏମନ୍ତ ଲେଖିଲେ:

“ପଞ୍ଚୁପାଣ୍ଡଵ ଦ୍ରୋପତୀଙ୍କ ସତ୍ୟ ଵଚନେ ।
ପାଚିଲା ଚୂତଫଳ ହୋଇଲା କୁଙ୍କୁମ ଵର୍ଣ୍ଣେ ॥
ସତ୍ୟଆମ୍ଵ ପକ ଦେଖିଣ ସାନନ୍ଦ ଵନମାଳୀ । 
ଆପଣେ ନାରାୟେଣ ସତ୍ୟଵାକ୍ୟେଣ ଆମ୍ଵତୋଳି ॥
ଆପଣେ ଗୋଟିୟେକ ଘେନିଲେ ଦେଵହରି । 
ଦୁଇ ଆମ୍ଵଗୋଟିକୁ ଵାସେଵି କର ଯେ ପ୍ରସାରି ॥
ତିଜଗୋଟି ନେଇ ଦିଲେ ତପୋଧନକୁ ।
ଚଉଠେ ଚାରିଗୋଟି ଦିଲେ ପାଣ୍ଡେଵଙ୍କୁ ॥
ସତ୍ୟଆମ୍ଵ କରେ ଘେନିଲେ ତପୋଧନି । 
ଯୁଝେଷ୍ଠୀଙ୍କି ପ୍ରଶଂସନ୍ତି ଜୀଵନ ତୋର ଧନି ଧନି ॥
ସତ୍ୟ ଭାଦ୍ରମାସେ ଫଳିଲା ଚୂତଫଳ ‌।
ଏସନେକ ଦୁରାପଦ ମହିମାଁ ନାହିଁନା ରଵିତଳ ॥”

ସତ୍ୟଆମ୍ଵ ଗଛରେ ଫଳ ଫଳି ପାଚିଵାରୁ ନିଜେ ଶ୍ରୀକୃଷ୍ଣ ସତ୍ୟ କରି ଗୋଟିଏ ଆମ୍ଵ ନେଲେ। ପାଣ୍ଡଵମାନେ ଵି ଆମ୍ଵ ରଖିଲେ ଓ ଗୋଟିଏ ସତ୍ୟ ଆମ୍ଵ କପଟୀ ଵ୍ରାହ୍ମଣବେଶୀ ପୁରଞ୍ଜନ ପୁତ୍ର ଗଉରମୁଖକୁ ଦେଲେ। ଛଦ୍ମଵ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ସତ୍ୟଆମ୍ଵଟି ନେଇ ସେଠାରୁ ପଳାଇଗଲେ। ତହୁଁ ଶ୍ରୀକୃଷ୍ଣ ସହଦେଵଙ୍କୁ ସେ ଵ୍ରାହ୍ମଣଙ୍କ ଭେଦ ପଚାରନ୍ତେ ସେ କହିଲେ:

“ସହଦେଵ ବୋଇଲା ସେ ଯେ ପୁରଞ୍ଜନ ଵ୍ରାହ୍ମଣ ।
ଜଉ ସଜଳସ ଘର ଯେ କପଟେ କଲା ନିରିଵାଣ ॥
ଜଉର ଘରେ କପଟେ ଆମ୍ଭନ୍ତ କଲାକ ଦହନ।
କଉରଵ ଵଂଶକୁ ସେ ଅଟଇ ଧାରଣ॥
ତାହାର ପୁତ୍ର ଏ ଗଉରମୁଖ ପଣ୍ଡା ।
ଏହାକୁ ରାଇଣ ପେଷିଲା କୁରୁଷଣ୍ଢା ॥
ଛଦ୍ରମେ ଅଇଲା ଆମ୍ଭନ୍ତ ଖୋଜିଵା ନିମନ୍ତେ ।
ଆମ୍ଵ ନ ପାଇଲେ ଶାପ ଦେଇଯାନ୍ତା ଆତଂକୁଇଁ ଏଥେ ॥
ଯେବେ ସତ୍ୟଆମ୍ଵ ପ୍ରିଯୋଧନ ଛାମୁରେ ନେଇଣ ଦେଵ ।
ଦେଖିଣ କୁରୁପତି ଚାର ଯେ ଵରଗିଵ ।‌
ଏସନେକ ମାୟାରେ ଦେଵ ଯେ ଆସିଥିଲେ ସେହି ।
ମୋତେ ନ ପଚାରିଲ ଭେଦ ନ ଜାଣିଲ କେହି ॥”

ଏହା ଶୁଣି ଯୁଧିଷ୍ଠିରଙ୍କୁ ଚକ୍ରପାଣି କହିଲେ ଭୀମକୁ ପଠାଇ ସତ୍ୟଆମ୍ଵକୁ ଵାହୁଡ଼େଇ ଆଣିଵା! କିନ୍ତୁ ଧର୍ମ ଅଵତାର ଯୁଧିଷ୍ଠିର ମନା କରି ଉତ୍ତର ଦେଲେ:

“ଯୁଝେଷ୍ଠି ଦେବେ ବୋଇଲେ ହରି ମୁଁ ସତ୍ୟେଣ ଦିଲି ଯାହା ।
ଧର୍ମ ନାଶଯିଵ କେମନ୍ତେ ହରିଵଇଁ ତାହା‌ ॥”

ତହୁଁ ପାଣ୍ଡଵମାନଙ୍କଠାରୁ ଵିଦାୟ ନେଇ ଶ୍ରୀକୃଷ୍ଣ ଗରୁଡ଼ଙ୍କ ସହିତ ଦ୍ୱାରିକା ନଗରକୁ ଵାହୁଡ଼ିଲେ। ଵାଟରେ ଦେଖିଲେ କପଟ ଵ୍ରାହ୍ମଣ ଗଉରମୁଖ ଗନ୍ଧର୍ଵ ନଦୀ କୂଳେ କୂଳେ ହସ୍ତିନାକୁ ଫେରୁଛି। ପ୍ରଭୁ ମାୟା ଯୋଗୁଁ ତାହାର ନଦୀରେ ସ୍ନାହାନ କରିଵାର ଇଚ୍ଛା ଜାଗ୍ରତ ହେଲା। ଶ୍ରୀକୃଷ୍ଣ ମଧ୍ୟ ମାୟାରୂପ ଧରି କପଟୀ ଗଉରମୁଖକୁ ନଦୀ ତଟରେ ଭେଟିଲେ। ଏତିକିବେଳେ ନଦୀକୁ ଗାଧୋଇଵାକୁ ଯାଉଥିଵାବେଳେ ଗଉରମୁଖ ଅଣ୍ଟିରେ ସତ୍ୟଆମ୍ଵ ଦେଖି ସନ୍ୟାସୀ ରୂପୀ ଶ୍ରୀକୃଷ୍ଣ ତାହା କ'ଣ ବୋଲି ପୁଚ୍ଛାକଲେ। ଗଉରମୁଖ ସତ୍ୟଆମ୍ଵର ପୂର୍ଵ ଘଟଣାମାନ କହିଲା। ଛଦ୍ମରୂପୀ ଶ୍ରୀକୃଷ୍ଣ କହିଲେ ଏହା କେମିତି ସମ୍ଭଵ? ଭାଦ୍ରଵ ମାସରେ ପୁଣି ଚୂତଫଳ ଵା ଆମ୍ଵ କାହୁଁ ଫଳିଵ? ଗଉରମୁଖ କହିଲା ପାଣ୍ଡଵମାନେ ସତ୍ୟ କରିଲାରୁ ଏ ଫଳ ଫଳିଲା। ଛନ୍ଦ୍ମବେଶୀ ଶ୍ରୀକୃଷ୍ଣ କିନ୍ତୁ ସହଜେ ଛାଡ଼ିଵା ଲୋକ ନୁହେଁ। ସେ କହିଲେ ନା ମ ସତ୍ୟ କରି ପୁଣି ଆମ୍ଵ ଟାକୁଆରୁ ଗଛ ହୋଇ କ୍ଷଣକେ ଫଳ ହେଵ? କାଇଁ ମୁଁ ଵି ଵଡ଼ ତପସ୍ଵୀ ପରମଧାର୍ମିକ ସତ୍ୟ କରିବି ଦେଖିଆ କେମିତି ଏ ଫଳରୁ ପୁଣି ଗୋଟିଏ ଗଛ ଉତ୍ତୁରିଯିଵ? ସେଇଠୁ ଶ୍ରୀକୃଷ୍ଣ ଗଉରମୁଖଠାରୁ ସତ୍ୟଆମ୍ଵଟି ନେଇ ସତ୍ୟ କରି କହିଲେ:

ଆହେ ପଣ୍ଡାଏ ଆମ୍ଭେ ଦେଖିଲୁଁ ଜଳେ ପଥର ଉପୁଚିଆଇ,
ସୋଲଭେଳା ଗୋଟାଏ ଯେ ଜଳରେ ବୁଡ଼ଇ।
ପୁରୁଷକୁ ବଳେ ଜିଣିଲା ସ୍ତିରୀମାତ୍ର ହୋଇ,
ସ୍ତିରୀବନ୍ଧ୍ୟା ହୋଇଲା ପୁରୁଷ ପ୍ରସଵଇ।
ଵୃଷ ଦିଅଇ କ୍ଷୀର ଗାଵ ଷଣ୍ଢ ହୋଇ
ଗିରି ଶିଖରେ ଦେଖିଲୁ ପଦ୍ମ ଫୁଟିଣ ଅଛଇ।
ପଦ୍ମର ବାସନା ନାହିଁ ନାହିଁ ପୁଷ୍ୟ ତେଜ,
କାଇଁଶ ପୁଷ୍ୟକୁ ଚୁମ୍ବୁଅଛି ଶୃଙ୍ଗରାଜ।
ଆଦିତ୍ୟ ଦେଵତା ଉଦେ ହୋଇଲେ ପଛିମେ,
ପୂର୍ଵେ ଅସ୍ତଗଲେ କାଳ ଅନୁକ୍ରମେ।
ଅନ୍ଧ ଧାମଇଁ ଯେ ଲଉଡ଼ି ବୁଲାଇ,
ଚକ୍ଷୁଥିଲା ପ୍ରାଣୀ ବୁଲଇ ବାଟବଣା ହୋଇ।
ନିଶାଏ ଉଦଏ ହୋଇଲେକ କରତାର
ଦିଵସେ ଉଦେ ହୋଇଲେ ଶଶଧର।

ସେ ଦେଵ ମାୟାଧର ଚକ୍ରକୂଟ ବୁଦ୍ଧି ଲଗାଇ ଅନେକ
ମିଥ୍ୟାଵାକ୍ୟକୁ ସତ୍ୟଵାକ୍ୟ ବୋଲିଵାରୁ କ'ଣ ହେଲା ନା
“ସତ୍ୟେଣ ସତ୍ୟଆମ୍ଵ ଉତପତ୍ତି ହୋଇଥିଲା ।
ମିଥ୍ୟା କହିଲାରୁ ସେହିଠାରେ ଭସ୍ମଗଲା ॥”

ତେଣୁ ଏହିପରି ଭାବେ ପୁରଞ୍ଜନ ପଣ୍ଡା ପୁତ୍ର ଗଉରପଣ୍ଡାର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ଣ ଉକ୍ତ ସତ୍ୟଆମ୍ଵଟିକୁ କୌଶଳ କ୍ରମେ ହରଣ କରି ନେଲେ ଓ ଦୁର୍ଯୋଧନ ଆଉ ପାଣ୍ଡଵମାନଙ୍କ ସମ୍ଵନ୍ଧରେ ପ୍ରମାଣ ପାଇ ପାରିଲେ ନାହିଁ।
ଏହି କାହାଣୀ ସତ୍ୟର ଶକ୍ତି ଓ ଶ୍ରୀକୃଷ୍ଣଙ୍କ ଦିଵ୍ୟ ମାୟାକୁ ପ୍ରତିଫଳିତ କରେ । ତେବେ ମୂଳ ମହାଭାରତରେ ୟେ କାହାଣୀ ନାହିଁ ଏଵଂ ଏହା ସାରଳା ଦାସଙ୍କ ମୌଳିକ ସୃଷ୍ଟି। ହୁଏତ ସାରଳା ଦାସଙ୍କ ସମୟରେ ୟେ କାହାଣୀ ଲୋକ ସମାଜରେ ଏକ ନିର୍ଦ୍ଦିଷ୍ଟ ଵୃକ୍ଷ ସମ୍ବନ୍ଧରେ କଥିତ ହେଉଥିଲା ଯାହା ସାରଳା ଦାସ ଶୁଣି ଆପଣା ସାରଳା ମହାଭାରତରେ ଯୋଡ଼ିଛନ୍ତି। ତେବେ ସେଇ ଗଛଟି କେଉଁ ଗଛ ହୋଇଥାଇପାରେ ? 

ବହୁତ ସମ୍ଭଵ ସାରଳା ମହାଭାରତରେ ଯେଉଁ ସତ୍ୟଆମ୍ବ ଫଳ କଥା କୁହାଯାଇଛି ତାହା 
Garcinia xanthochymus ଗଛର ଫଳ ହୋଇଥାଇପାରେ । Garcinia xanthochymusର ପତ୍ର ଦେଖିଵାକୁ ଆମ୍ବ ପତ୍ର ପରି ହୋଇଥାଏ । ଏହାର ଫଳର ଆକାର ଓ ପାଚିଲା ବେଳର ରଙ୍ଗ ଦେଖିଵାକୁ ଆମ୍ବ ଭଳି ପୁଣି ସ୍ଵାଦ ମଧ୍ୟ ଖଟାଳିଆ । ଏହି ସମାନତା ଦେଖି ହୁଏତ ସାରଳା ମହାଭାରତର ଲେଖାଯିଵା ପୂର୍ଵରୁ Garcinia xanthochymusଗଛର ଫଳକୁ ନେଇ ଓଡ଼ିଶାରେ ଏ ଲୋକଗାଥା ଚଳୁଥିଵ ଏଵଂ ତତ୍ ଆଧାରରେ ଓଡ଼ିଆ ଲୋକେ ଏହାର ଫଳକୁ ସତ୍ୟଆମ୍ବ କହୁଥିବେ । ସେହି ଲୋକକଥାକୁ ସାରଳା ମହାଭାରତରେ ସାରଳା ଦାସ ଯୋଡ଼ି ଦେଇ ଏହାକୁ ରାଜ୍ୟଵ୍ୟାପୀ ଓ ଦେଶଵ୍ୟାପୀ ପରିଚିତ କରାଇଥିଲେ । 

କିନ୍ତୁ ସାରଳା ମହାଭାରତରେ ସାରଳା ଦାସ ଲେଖିଛନ୍ତି ଯେ ଭାଦ୍ରଵମାସରେ ପାଣ୍ଡଵମାନେ ସତ୍ୟ କଲାରୁ ସତ୍ୟଆମ୍ବ ଫଳିଥିଲା । ତାହେଲେ କ’ଣ ଭାଦ୍ରଵମାସରେ Garcinia xanthochymusଗଛର ଫଳ ପାଚେ କି ? ପୁଣି ଏ ଫଳ ଓଡ଼ିଶାରେ ବି ଏହି ସମୟରେ ପାଚିଥାଏ କି ? 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନୁଯାୟୀ, Garcinia xanthochymus (ସତ୍ୟଆମ୍ବ) ଫଳ ଵର୍ଷା ଓ ଶର ତ ଋତୁରେ ପାଚେ ଏଵଂ ଭାରତରେ ଭାଦ୍ରଵ ଓ ଆଶ୍ଵିନ ମାସରେ ଶରତ ଋତୁ ହୋଇଥାଏ । ସାରଳା ଦାସଙ୍କ ମହାଭାରତର ଉଲ୍ଲେଖ ଅନୁଯାୟୀ, ପାଣ୍ଡବମାନେ ଅଜ୍ଞାତଵାସ ପୂର୍ଵରୁ ଅସ୍କନ୍ଦଵନ (ଦୈତଵନ)ରେ ଥିଵାବେଳେ, ଆଶ୍ଵିନ ମାସରେ ଦୂର୍ଯ୍ୟୋଧନର ଗୁପ୍ତଚର ଗୌରମୁଖ (ପୁରଞ୍ଜନ ପଣ୍ଡାର ପୁଅ) ଗୋପ୍ୟାନ ଵେଶ ଧରି ପାଣ୍ଡଵଙ୍କୁ "ଅଦିନିଆ ଆମ୍ବ" ମାଗେ। ପାଣ୍ଡଵମାନଙ୍କ ସତ୍ୟଵାଦ ଦ୍ୱାରା ଫଳ ପାକେ, ଏବଂ ଏହାକୁ "ସତ୍ୟଆମ୍ବ" ନାମ ଦିଆଯାଏ। ଏହାର ପରେ ଗୁପ୍ତଚର କେମିତି ଫଳ ହରାଇଥାଏ ତହିଁର କାହାଣୀ ରହିଛି।

ସାରଳା ମହାଭାରତରେ ଉଲ୍ଲେଖିତ "ଅଦିନିଆ ଆମ୍ବ" କୁ ଅନେକ ପାରମ୍ପରିକ ଵିଦ୍ୱାନ ଓ ଗଵେଷକ Garcinia xanthochymus ସହିତ ଯୋଡ଼ିଥାଆନ୍ତି, କାରଣ ଏହାର ଫଳ ଆମ୍ବ ପରି (ମଧୁର-ଅମ୍ଳ) ସ୍ୱାଦ ଥାଏ ଏଵଂ ପାରମ୍ପରିକ ଭାବେ ଓଡ଼ିଶାରେ ଏହାକୁ "ସତ୍ୟଆମ୍ବ" କୁହାଯାଏ। ଆଶ୍ଵିନ ମାସରେ ଫଳ ମାଗିଵାର ଉଲ୍ଲେଖ ଏହାର ପକ୍ଵକାଳ ସହିତ ମେଳ ଖାଏ, କାରଣ ଏହି Garcinia xanthochymus ଗଛର ଫଳ ଵର୍ଷା-ଶରତ ଋତୁରେ (ଜୁନ୍-ଅକ୍ଟୋବର୍) ପାଚିଥାଏ। ଵାସ୍ତଵରେ Garcinia xanthochymus ଫଳର ପକ୍ଵକାଳ ସ୍ଥାନୀୟ ଜଳଵାୟୁ ଉପରେ ନିର୍ଭର କରେ। 

ଭାରତରେ Garcinia xanthochymus ଫଳର ପାକସମୟ ସାଧାରଣତଃ ଗ୍ରୀଷ୍ମ-ବର୍ଷା ଋତୁରେ ଵା ଜୁନ୍-ଅଗଷ୍ଟ ମଧ୍ୟରେ ହୁଏ, କିନ୍ତୁ ଉଚ୍ଚତା,ଵର୍ଷାପାତ ଓ ସ୍ଥାନୀୟ ପରିଵେଶ ଯୋଗୁଁ ଏହା ଭାରତର କେତେକ ଅଞ୍ଚଳରେ ସେପ୍ଟେମ୍ବର୍-ଅକ୍ଟୋବର୍ (ଆଶ୍ଵିନ)ରେ ମଧ୍ୟ ପାଚିଥାଏ ପାରେ ।‌ ଵିଶେଷକରି ଯେଉଁଠାରେ ଵର୍ଷା ଦୀର୍ଘଦିନ ଧରି ହୋଇଥାଏ କିମ୍ବା ପ୍ରାୟ ୭୦୦-୧୫୦୦ ମିଟର ଅଧିକ ଉଚ୍ଚତା ଵିଶିଷ୍ଟ ସ୍ଥାନ ହୋଇଥାଏ ସେଠାରେ Garcinia xanthochymus ଗଛର ଫଳ ଆଶ୍ଵିନ ମାସରେ ପାଚିଥାଏ । Garcinia xanthochymusର ଫୁଲ ଫେବ୍ରୁଆରି-ଏପ୍ରିଲରେ ଧରେ, ଏବଂ ଫଳ ୬-୮ ମାସ ପରେ ପାଚେ। କେରଳ, କର୍ଣ୍ଣାଟକ, ତାମିଳନାଡୁରେ Garcinia xanthochymusର ଫଳ ପ୍ରଧାନତଃ ଜୁନ୍-ଅଗଷ୍ଟରେ ପାଚେ, କିନ୍ତୁ ନେସର ଵନ୍ୟାପ୍ରାନ୍ତ (କେରଳ) ଭଳି ଉଚ୍ଚ ଵର୍ଷାପାତ ଅଞ୍ଚଳରେ ସେପ୍ଟେମ୍ବର୍-ଅକ୍ଟୋବର୍ (ଆଶ୍ଵିନ)ରେ ମଧ୍ୟ ପାଚେ।
ଆସାମ, ଆରୁଣାଚଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଜୁଲାଇ-ଅଗଷ୍ଟରେ ଆରମ୍ଭ ହୋଇ ସେପ୍ଟେମ୍ବର୍-ନଭେମ୍ବର୍ (ଆଶ୍ଵିନ-କାର୍ତ୍ତିକ)ରେ Garcinia xanthochymusର ଫଳ ପାଚିଥାଏ। ଆସାମର ଉତ୍ତର ପୂର୍ଵରେ ଆଶ୍ଵିନରେ ପାଚିଲା ଫଳ ସହଜରେ ମିଳେ, ଯାହା ସାରଳାଙ୍କ ସତ୍ୟଆମ୍ବ କାହାଣୀର ସମୟ ସହିତ ମେଳ ଖାଏ।
ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଝାଡ଼ଖଣ୍ଡର ପୂର୍ଵ ଘାଟ୍ ଅଞ୍ଚଳରେ ଜୁନ୍-ସେପ୍ଟେମ୍ବରରେ ପାଚେ ଏଵଂ ଆଶ୍ଵିନରେ (ସେପ୍ଟେମ୍ବର୍ ଅନ୍ତରୁ ଅକ୍ଟୋବର୍) ଉଚ୍ଚତାଯୁକ୍ତ ଅଞ୍ଚଳରେ ପାଚେ। ଏଠାରେ ମୌସୁମୀ ଵିଳମ୍ବରେ ହେଲେ ଆଶ୍ଵିନରେ ଫଳ ପାଚିଥାଏ।
ସିକ୍କିମ ଓ ନେପାଳ ସୀମାନ୍ତର ଉତ୍ତର-ପୂର୍ବ ହିମାଳୟ ଅଞ୍ଚଳରେ ଅକ୍ଟୋବର୍-ନଭେମ୍ବର୍ (ଆଶ୍ଵିନ-କାର୍ତ୍ତିକ)ରେ Garcinia xanthochymusର ଫଳ ପାଚିଥାଏ ।‌ ଶୀତଳ ଜଳଵାୟୁ ଯୋଗୁଁ ଏ ଅଞ୍ଚଳରେ ଵିଳମ୍ବରେ ୟେ ଫଳ ପକ୍ଵ ହୁଏ। ତେଣୁ ଭାରତରେ ଅନେକ ଅଞ୍ଚଳରେ ଭାଦ୍ରଵ ଆଶ୍ଵିନ ଓ କାର୍ତ୍ତିକ ମାସରେ Garcinia xanthochymusର ଫଳ ପାଚିଥାଏ ‌ । 

କିନ୍ତୁ ସାରଳା ଦାସ ତାଙ୍କ ସାରଳା ମହାଭାରତରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ମହାଭାରତର କାହାଣୀ ଲେଖିଛନ୍ତି । ତେଣୁ ସେ ନିଶ୍ଚୟ ଓଡ଼ିଶାରେ ସତ୍ୟଆମ୍ବ ଵା Garcinia xanthochymusର ଫଳ ପାଚିଵାର ସମୟ ଆଧାରରେ ସତ୍ୟଆମ୍ବର କାହାଣୀ ଲେଖିଥିବେ କିମ୍ବା ତାହା ପୂର୍ଵରୁ ଲୋକ ସମାଜରେ ପ୍ରଚଳିତ ଥିଲା ଯାହା ସାରଳା ମହାଭାରତରେ ସାରଳା ଦାସ ଯୋଡ଼ି ଅଛନ୍ତି । ହୁଏତ ଲୋକମାନେ ଓଡ଼ିଶାରେ ଭାଦ୍ରଵ ଓ ଆଶ୍ଵିନ ମାସରେ Garcinia xanthochymusର ଫଳ ପାଚୁଥିଵାରୁ ଏଵଂ ତହିଁର ଆମ୍ବ ସହିତ ସାଦୃଶ୍ୟ ଥିଵାରୁ ମହାଭାରତର କାହାଣୀ ସହିତ ଏହାର କାହାଣୀ ଯୋଡ଼ି ସତ୍ୟଆମ୍ଵ ନାଆଁ ଦେଇଥିବେ । 

ତେବେ ଓଡ଼ିଶାରେ କ’ଣ ପ୍ରକୃତରେ ଭାଦ୍ରଵ କିମ୍ବା ଆଶ୍ଵିନ ମାସରେ ସତ୍ୟଆମ୍ବ ଵା Garcinia xanthochymusର ଫଳ ପାଚେ କି ? 

ତଥ୍ୟ କହେ ଉତ୍ତର ଓଡ଼ିଶା (କେନ୍ଦୁଝର, ମୟୂରଭଞ୍ଜ)ରେ ଫୁଲ ଏପ୍ରିଲ୍-ମେରେ ହୁଏ ଏଵଂ ଫଳ ଜୁନ୍-ଜୁଲାଇରେ ଆରମ୍ଭ ହୋଇ ଅଗଷ୍ଟ-ସେପ୍ଟେମ୍ବର୍ (ଭାଦ୍ରଵ-ଆଶ୍ଵିନ)ରେ ପାଚିଥାଏ। ଏଠାକାର ଉଚ୍ଚତା ୮୦୦-୧୨୦୦ ମିଟର ଯୋଗୁଁ ଆଶ୍ଵିନରେ (ସେପ୍ଟେମ୍ବର୍ ଅନ୍ତରୁ ଅକ୍ଟୋବର୍ ଆରମ୍ଭ) ପାଚିଲା ଫଳ ମିଳେ। ସିମିଳିପାଳ ଅଞ୍ଚଳରେ ଏହା ପ୍ରାକୃତିକ ରୂପେ ଅଧିକ ଏଵଂ ସ୍ଥାନୀୟ ଲୋକମାନେ ଆଶ୍ଵିନରେ ଏହାକୁ ସଂଗ୍ରହ କରନ୍ତି।
ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ାରେ ଜୁନ୍-ଅଗଷ୍ଟରେ ପାଚେ, କିନ୍ତୁ ଅଧିକ ଵର୍ଷାପାତ ଯୋଗୁଁ ସେପ୍ଟେମ୍ବର୍-ଅକ୍ଟୋବର୍ (ଆଶ୍ଵିନ)ରେ ମଧ୍ୟ କେତେକ ଅଞ୍ଚଳରେ ପାଚିଥାଏ। ମୋଟ ଉପରେ କହିଵାକୁ ଗଲେ ଉତ୍ତର ଓଡ଼ିଶାରେ ଆଶ୍ଵିନ ମାସରେ Garcinia xanthochymusର ଫଳ ପାଚିଥାଏ ଏଵଂ ବହୁତ ସମ୍ଭଵ ସାରଳା ମହାଭାରତରେ ଥିଵା ସତ୍ୟଆମ୍ବର କାହାଣୀ ଏହି ଅଞ୍ଚଳରେ ସୃଷ୍ଟି ହୋଇଥିଵାର ସମ୍ଭାଵନା ଅଧିକ । ଏହାର ଏକ ବଡ଼ ପ୍ରମାଣ ହେଲା ସତ୍ୟଆମ୍ବ ଶବ୍ଦର ପିଜୁଳିର ଶବ୍ଦର ପ୍ରତିଶବ୍ଦ ରୂପେ ଉତ୍ତର ଓଡ଼ିଶା ତଥା ଉତ୍ତର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରେ ପରିଵୃତ୍ତ ହୋଇ ପ୍ରଚଳନ ।

ଓଡ଼ିଶାର ଉତ୍ତରାଞ୍ଚଳ ଓ ଵିଚ୍ଛିନ୍ନାଞ୍ଚଳ ଯଥା ସିଂହଭୂମି ଓ ଷଡ଼ୈକଳା ଖରସୁଆଁରେ, ପିଜୁଳି (Psidium guajava) ଫଳକୁ ସଇତାମ୍ଵ, ସୈତାମ୍ଵ, ସଇତମ୍ଵା, ଓ ସୋଇତାମ୍ଵ ଆଦି ନାମରେ ଡ଼କାଯାଏ। ଏହି ନାମକରଣ ସାରଳା ମହାଭାରତର ସତ୍ୟଆମ୍ଵ କଥା ସହିତ ଜଡ଼ିତ ବୋଲି ଅନୁମାନ କରାଯାଏ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, ଓଡ଼ିଆ ଭାଷାରେ ସତ୍ୟ ଶବ୍ଦଟି ସଇତ, ସଇତା, ସଇତୀ, ସଇତୁ, ସତେଈ, ସଇତିଆ, ଓ ସଇତୁଆ ଆଦି ରୂପରେ ପ୍ରଚଳିତ। ଏହି ଶବ୍ଦଗୁ ସହିତ ଆମ୍ଵ ଶବ୍ଦ ଯୋଗ ହୋଇ ସତ୍ୟଆମ୍ଵ ଶବ୍ଦ ସୃଷ୍ଟି ହୋଇଥିଲା, ଯାହା ପରେ ସଇତାମ୍ଵ, ସୈତାମ୍ଵ, ଓ ସୋଇତାମ୍ଵ ରୂପେ ପରିଣତ ହେଲା।
ସତ୍ୟଆମ୍ବ (Garcinia xanthochymus) ଓ ପିଜୁଳି (Psidium guajava) ଗଛ ମଧ୍ୟରେ ଅନେକ ସମାନତା ରହିଛି । ପ୍ରଥମତଃ ଗଛର ଆକାର ଦୃଷ୍ଟିରୁ ଉଭୟ ମଧ୍ୟମ ଆକାରର ଚିରସବୁଜ ଵୃକ୍ଷ ଅଟନ୍ତି ‌। ସତ୍ୟଆମ୍ବ ଗଛ ସାଧାରଣତଃ ଆଠରୁ ପନ୍ଦର ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ ଏଵଂ ପିଜୁଳି ଗଛ ତିନିରୁ ଦଶ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଉଭୟ ଗଛର ମୁଖ୍ୟ ଡାଳଗୁଡ଼ିକ ଅଧିକାଂଶ ସମୟରେ ସମାନ୍ତରାଳ ଵା ଵ୍ୟାପ୍ତ ହୋଇଥାଏ । ଉଭୟ ଗଛରେ ଛାଲର ଗଠନରେ ମଧ୍ୟ କିଛି ସାମ୍ୟତା ଦେଖାଯାଏ । ସତ୍ୟଆମ୍ବର ଛାଲ ଧୂସର-ବାଦାମୀ ରଙ୍ଗର ହୋଇଥାଏ ଏଵଂ ପିଜୁଳିର ଛାଲ ମୋଟା ହରିତ-ବାଦାମୀ ରଙ୍ଗର ହୋଇ ପତଳା ପତଳା ଫ୍ଲେକ୍ ଆକାରରେ ଖସିପଡ଼ିଥାଏ । ତେଣୁ ଉଭୟ ଗଛର ଛାଲର ମୋଟାପଣ ଓ ରଙ୍ଗରେ ଆଂଶିକ ସମାନତା ଦେଖାଯାଏ । ଉଭୟ ଗଛର ପତ୍ର ସରଳ ଓ ଵିପରୀତ ଭାବରେ ସଜେଇ ହୋଇ ରହିଥାଏ । ସତ୍ୟଆମ୍ବର ପତ୍ର ଲମ୍ବାଳିଆ ଵା ଭାଲାକାର (oblong to lanceolate) ହୋଇଥାଏ ଏଵଂ ତହିଁର ଲମ୍ବ ପନ୍ଦରରୁ ତିରିଶ ସେଣ୍ଟିମିଟର୍ ତଥା ଚଉଡ଼ା ଛଅରୁ ବାର ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇଥାଏ । ସତ୍ୟଆମ୍ବର ପତ୍ର ଚର୍ମଯୁକ୍ତ ମୋଟା ହୋଇଥାଏ ଆଉ ପିଜୁଳିର ପତ୍ର ଅଣ୍ଡାକାର ଵା ଲମ୍ବାଳିଆ (elliptic to oblong) ହୋଇଥାଏ ଯାହାର ଲମ୍ବ ପାଞ୍ଚରୁ ପନ୍ଦର ସେଣ୍ଟିମିଟର୍ ଏଵଂ ଚଉଡ଼ା ତିନିରୁ ସାତ ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇଥାଏ ।

ପିଜୁଳି ଗଛର ପତ୍ରର ନିମ୍ନଭାଗ ସୂକ୍ଷ୍ମ ଲୋମଯୁକ୍ତ ହୋଇଥାଏ ଯାହା ଉଭୟରେ ପତ୍ରର ସରଳତା ଓ ଵିପରୀତ ଵ୍ୟଵସ୍ଥାରେ ସମାନତା ରକ୍ଷା କରିଥାଏ । ଫୁଲ ଦୃଷ୍ଟିରୁ ଦେଖିଲେ ଉଭୟ ଗଛର ଫୁଲରେ ଅନେକ ପୁଂକେସର (stamens) ରହିଥାଏ ଯାହା ପରାଗଣ ପ୍ରକ୍ରିୟାରେ ସହାୟକ ହୋଇଥାଏ । ସତ୍ୟଆମ୍ବର ଫୁଲ ହରିତ-ଧଳା ରଙ୍ଗର ହୋଇ ଘନ ଗୁଚ୍ଛରେ ଥାଏ ଯାହାର ଵ୍ୟାସ ପ୍ରାୟ ଏକ ଦଶମିକ ତିନି ସେଣ୍ଟିମିଟର୍ ହୋଇଥାଏ ।‌ ପିଜୁଳିର ଫୁଲ ଧଳା ରଙ୍ଗର ହୋଇ ଏକା ଵା ଦୁଇ-ତିନିର ଗୁଚ୍ଛରେ ଥାଏ ଯାହାର ଵ୍ୟାସ ପ୍ରାୟ ଦୁଇରୁ ତିନି ସେଣ୍ଟିମିଟର୍ ହୋଇଥାଏ । ଫୁଲରେ ଏହି ଅନେକ ପୁଂକେସର ଥିଵା ଗୁଣ ଉଭୟଙ୍କୁ ସମାନ କରିଥାଏ । ଫଳ କ୍ଷେତ୍ରରେ ଉଭୟ ଗଛର ଫଳ ବେରୀ (berry) ପ୍ରକାରର ହୋଇଥାଏ ଯାହା ପାଚିଲା ବେଳେ ହଳଦିଆ ରଙ୍ଗର ହୋଇଥାଏ ଏଵଂ ଖାଦ୍ୟଯୋଗ୍ୟ ମାଂସଳ ଅଂଶ ରହିଥାଏ । ତେବେ ସତ୍ୟଆମ୍ବର ଫଳ ଗୋଲାକାର ଵା ଅଣ୍ଡାକାର ହୋଇ ପାଞ୍ଚରୁ ନଅ ସେଣ୍ଟିମିଟର୍ ଵ୍ୟାସର ହୋଇଥାଏ ଏଵଂ ହଳଦିଆ ମାଂସ ସହ ପ୍ରାୟ ପାଞ୍ଚଟି ଵୀଜ ରହିଥାଏ ।‌ ପିଜୁଳିର ଫଳ ଗୋଲାକାର ଵା ନାଶପାତି ଆକୃତିର ହୋଇ ଚାରିରୁ ବାର ସେଣ୍ଟିମିଟର୍ ଵ୍ୟାସର ହୋଇଥାଏ ଏଵଂ ଧଳା ଵା ଗୋଲାପୀ ମାଂସ ସହ ଅନେକ ଛୋଟ ଵୀଜ ରହିଥାଏ ଯାହା ଉଭୟରେ ଫଳର ରଙ୍ଗ ଏବଂ ଖାଦ୍ୟଗୁଣରେ ସମାନତା ଦର୍ଶାଏ । ଅନ୍ୟାନ୍ୟ ଗୁଣରେ ଉଭୟ ଗଛ ଆର୍ଦ୍ର ଉଷ୍ଣମଣ୍ଡଳୀୟ ପରିଵେଶରେ ବଢ଼ିଥାନ୍ତି ଏଵଂ ଫଳ ଔଷଧୀୟ ଓ ପୋଷଣୀୟ ଗୁଣରେ ଭରପୂର ହୋଇଥାଏ । ଉଭୟର ଫଳ ଆଣ୍ଟିଅକ୍ସିଡାଣ୍ଟ୍ ଓ ଆଣ୍ଟିଡାଇବେଟିକ୍ ଗୁଣ ଅଛି ଏଵଂ ପାରମ୍ପରିକ ଔଷଧରେ ଵ୍ୟଵହୃତ ହୋଇଥାଏ ଯାହା ସେମାନଙ୍କର ସାଧାରଣ ଉପଯୋଗିତାକୁ ଦର୍ଶାଏ । ଏହି ସମାନତାଗୁଡ଼ିକ ଉଭୟ ଗଛଙ୍କୁ ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ସମାନ ଭୂମିକା ଦେଇଥାଏ । 


ଉଦ୍ଭିଦକୁଳର ଭିନ୍ନ ହେଵା ସତ୍ତ୍ୱେ ଏହି ସାଧାରଣ ଲକ୍ଷଣଗୁଡ଼ିକ ସେମାନଙ୍କୁ ପରସ୍ପର ସହ ସାମଞ୍ଜସ୍ୟପୂର୍ଣ୍ଣ କରିଥାଏ ।

ତେଣୁ ସମ୍ଭଵତଃ ପ୍ରକୃତ ସତ୍ୟଆମ୍ବ - Garcinia xanthochymus ସହିତ ପିଜୁଳି ଵା Psidium guajavaର ଏହିସବୁ ସାମଞ୍ଜସ୍ୟ ଯୋଗୁଁ ଓଡ଼ିଶାର ଉତ୍ତରାଞ୍ଚଳରେ ଲୋକେ ପିଜୁଳିକୁ ପ୍ରଥମେ ଦେଖି ସତ୍ୟଆମ୍ଵ ନାମ ଦେଇଥିଲେ ଏଵଂ କାଳକ୍ରମେ ତାହା ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ରୂପେ ପରିଵୃତ୍ତ ହୋଇଅଛି। 

ସବୁଠାରୁ ବଡ଼ କଥା ହେଲା ପିଜୁଳି ଫଳର ତଳେ ଥିଵା persistent calyx ସତ୍ୟଆମ୍ବର ଭ୍ରମ ସୃଷ୍ଟି କରେ । ସତ୍ୟଆମ୍ବ ତଳ ଗୋଜିଆ ଭାଗ ଭଳି ଏହା ଦେଖାଯାଉଥିଵାରୁ ଦୂରରୁ ଦେଖିଲେ ଏହି ଭ୍ରମ ସୃଷ୍ଟି ହୁଏ । ହୁଏତ ଉତ୍ତର ଓଡ଼ିଶାରେ ଦୂରରୁ ଲୋକମାନେ ପିଜୁଳି ଫଳକୁ ଦେଖି ଭୁଲ୍ କ୍ରମେ ସତ୍ୟଆମ୍ବ ଭାବିଥିବେ ଏଵଂ ଏହି ନାମଟି ପିଜୁଳି ପାଇଁ ଚଳିଵାକୁ ଲାଗିଲା । ସାରଳା ମହାଭାରତରେ ଵର୍ଣ୍ଣିତ ସତ୍ୟଆମ୍ଵ କଥା ଏହି ନାମକରଣରେ ପ୍ରେରଣା ଯୋଗାଇଥାଇପାରେ। ଏହା ଵ୍ୟତୀତ, ଉତ୍ତର ଭାରତରେ ପିଜୁଳିକୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଫଳ ବୋଲି ମନେ କରାଯାଏ, ଯାହା ସତ୍ୟଆମ୍ଵ କଥାର ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରେ। ଏହି ଲୋକଵିଶ୍ୱାସ ଯୋଗୁଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପିଜୁଳି ଅର୍ପଣ କରାଯାଏ। ତେବେ, ସାରଳା ମହାଭାରତରେ ପିଜୁଳି ନୁହେଁ ଵରଂ Garcinia xanthochymus ଫଳକୁ ସତ୍ୟଆମ୍ଵ ବୋଲାଯାଇଛି । ପିଜୁଳିର ଆଗମନ ସାରଳା ମହାଭାରତ ଲେଖାଯିଵାର ଶହେ ଵର୍ଷ ପରେ ହୋଇଥିଲା। ତେଣୁ ସମ୍ଭଵତଃ ପିଜୁଳି ଓଡ଼ିଶାକୁ ଆସିଵା ପରେ, ଏହାର ସାମଞ୍ଜସ୍ୟ ଓ ସାରଳା ମହାଭାରତର ଲୋକପ୍ରିୟତା ଯୋଗୁଁ ଏହାକୁ ସତ୍ୟଆମ୍ଵ ନାମ ଦିଆଗଲା। ଏହା ପରେ ସଇତାମ୍ଵ, ସୈତାମ୍ଵ, ଓ ସୋଇତାମ୍ଵ ଆଦି ରୂପ ପାଇଛି।

ସତ୍ୟଆମ୍ବ(Garcinia xanthochymus) କେଵଳ ଏକ ଉଦ୍ଭିଦ ନୁହେଁ, ଏହା ପ୍ରକୃତିର ଔଷଧାଳୟ, ଲୋକଜୀଵନର ସହଚର ଏଵଂ ଓଡ଼ିଆ ସାହିତ୍ୟର ଏକ ଅମର ପ୍ରତୀକ । ଏହାର ଖଟା-ମିଠା ଫଳ ଶରୀରକୁ ସୁସ୍ଥ ରଖେ ପୁଣି ସତ୍ୟଆମ୍ବ ଵା Garcinia xanthochymus ସମ୍ବନ୍ଧୀୟ ମହାଭାରତ ସହିତ ଯୋଡ଼ା ଯାଇଥିଵା କାହାଣୀ ଜାଣିଲେ ମନକୁ ସତ୍ୟର ପଥରେ ଚାଲିଵାକୁ ପ୍ରେରଣା ମିଳିଥାଏ । ଆଜିର ଦ୍ରୁତ ପରିଵର୍ତ୍ତନଶୀଳ ଵିଶ୍ୱରେ ଏହି ପୁରାତନ ଗଛଟି ଆମକୁ ସ୍ମରଣ କରାଇଵାକୁ ଚାହୁଁଛି ଯେ ପ୍ରକୃତିର ସମ୍ପଦ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିଵା ଆମର ପରମ ଦାୟିତ୍ୱ ଅଟଇ। ଏହି ଦେଶୀ ଗଛର ଵଂଶ ରକ୍ଷା କରିଵା ଦ୍ୱାରା ଆମେ କେଵଳ ଜୈଵ ଵିଵିଧତା ନୁହେଁ ଵରଂ ନିଜ ପରିଚୟର ଏକ ଅଂଶକୁ ମଧ୍ୟ ବଞ୍ଚାଇ ରଖିପାରିଵା । ଯଦି ଆମେ ତାହାକୁ ସମ୍ମାନ ଦେଵା ଓ ସଂରକ୍ଷଣ କରିଵା ତେବେ ସତ୍ୟଆମ୍ବ ଆମ ଜଙ୍ଗଲ, ଆମ ଔଷଧ ଓ ଆମ ସାହିତ୍ୟରେ ଚିରକାଳ ବଞ୍ଚି ରହିଵ । 
•••••••••••••••••••••••••••••••••••••••
ତଥ୍ୟ ଉତ୍ସ :
୧. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ – ଗୋପାଳ ଚନ୍ଦ୍ର ପ୍ରହରାଜ।  
୨. ସାରଳା ମହାଭାରତ – ସାରଳା ଦାସ ।  
୩. The Flora of British India, Vol. 1 – J.D. Hooker ।  
୪. Indian Medicinal Plants, Vol. 3 – K.R. Kirtikar and B.D. Basu ।  
୫. Flora of Orissa, Vol. 1 – H.O. Saxena and M. Brahmam ।  
୬. Medicinal Plants of India – R.N. Chopra, S.L. Nayar and I.C. Chopra ।  
୭. Phytochemistry and Pharmacology of Garcinia species – (Journal of Ethnopharmacology) ।  
୮. Clusiaceae Family: Systematics and Evolution – P.F. Stevens (Angiosperm Phylogeny Website) ।  
୯. Antioxidant and Anticancer Properties of Xanthones from Garcinia – Research articles in Food Chemistry ।  
୧୦. Traditional Uses of Garcinia xanthochymus in Ayurveda and Folk Medicine – Journal of Medicinal Plants Research ।  
୧୧. Biodiversity of Eastern Ghats – Odisha Forest Department publications ।  
୧୨. Similipal Biosphere Reserve: Flora and Fauna – Wildlife Institute of India reports ।  
୧୩. Pharmacognosy of Garcinia Fruits – Indian Journal of Pharmaceutical Sciences ।  
୧୪. Ethnobotany of Odisha – S.K. Jain and ଅନ୍ୟାନ୍ୟ ।  
୧୫. The Genus Garcinia in Asia – A Taxonomic Revision – Botanical Journal of the Linnean Society ।
•••••••••••••••••••••••••••••••••••••
 

“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”

1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ  ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାର...