Monday, November 9, 2020

ଓଡି଼ଆ ଭାଗବତର କଥା ୧

ଭାଗବତର ଏକାଦଶ ସ୍କନ୍ଧର ପ୍ରଥମ ଅଧ୍ଯାୟରେ ଜାତୀୟକବି ଶ୍ରୀଜଗନ୍ନାଥ ଦାସ ପଦେ ରଚିଲେ "ସେ କଥା ପ୍ରାକୃତେ ପ୍ରକାଶ,ଆରମ୍ଭେ ଜଗନ୍ନାଥ ଦାସ !!" ଏଠାରେ ବ୍ଯବହୃତ ପ୍ରାକୃତେ ଶବ୍ଦଟି କେଉଁ ଅର୍ଥରେ ପ୍ରୟୋଗ ହୋଇଅଛି ? ଶ୍ରୀଜଗନ୍ନାଥ ଦାସ କେଉଁ ଭାଷାରେ ଭାଗବତ ରଚିଥିଲେ ? ପ୍ରାକୃତ ଶବ୍ଦର ଅର୍ଥ କଣ ? ଆମ ଭାଷାରେ ପ୍ରାକୃତ ଶବ୍ଦର ନିମ୍ନୋକ୍ତ ଅର୍ଥ ରହିଛି -- (ସକାରାତ୍ମକ ଅର୍ଥ)- ଅକୃତ୍ରିମ,ପ୍ରାକୃତିକ,ସହଜ,ସ୍ବାଭାବିକ,ପ୍ରଜାସମ୍ବନ୍ଧୀୟ,ସାଧାରଣ                            (ନକାରାତ୍ମକ ଅର୍ଥ)- ଇତର,ଅଶିଷ୍କ,ଅଶିକ୍ଷିତ,ଭୌତିକ,ମାୟାମୟ ଓ ହେୟ ଇତ୍ଯାଦି ! ଭାଷା କ୍ଷେତ୍ରରେ ପ୍ରୟୋଗ ସମୟରେ 'ପ୍ରକୃତ ଭାଷା' ଶବ୍ଦଟି ମାଗଧୀ ଭାଷା,ପ୍ରଚଳିତଭାଷା,ପାଲୀ ଭାଷା,ଅସଂସ୍କୃତ ଭାଷା,ସାଧାରଣଜନଙ୍କ ଭାଷା,ସହଜ ଭାଷା,ପ୍ରାଦେଶିକ ଭାଷା ଓ ଲୌକିକ ଭାଷା ଅର୍ଥରେ ପ୍ରୟୋଗ ହୋଇଥାଏ ! ସଂସ୍କୃତ ଈଶ୍ବରଙ୍କ ଭାଷା ଏବଂ ପ୍ରାକୃତ ଲୌକିକ ଭାଷା ସେତେବେଳେ ଏଭଳି ବିଚାର ପ୍ରଚଳିତ ଥିଲା ! 

ପ୍ରାକୃତ ଭାଷା ବା ଲୌକିକ ଭାଷାକୁ ହୀନ ମନେ କରାଯାଉଥିଲା କିନ୍ତୁ ଆଜି ଆମେ ଜାଣିଛୁ ଯେ ଆମ ପ୍ରାକୃତ ଓଡ଼ିଆ ଭାଷା ଅନେକ କ୍ଷେତ୍ରରେ ଆଧୁନିକ ସଂସ୍କୃତଠାରୁ ଶ୍ରେଷ୍ଠ ! ବୈଦିକ ସଂସ୍କୃତ ଓ ପ୍ରାଚୀନ ଆର୍ଯ୍ଯଭାଷାର ଅନେକ ଗୁଣ ଓଡ଼ିଆ ଭାଷାରେ ଏବେ ମଧ୍ଯ ଦୃଶ୍ଯ ହୋଇଥାଏ ! 

ଗୋଟିଏ ଲୌକିକ ଭାଷା ବି ସଂସ୍କୃତକୁ ନିଜ ମଧ୍ଯରେ ସମାହିତ କରିନେଇ ଶାସ୍ତ୍ରୀୟ ବିବେଚିତ ହୋଇପାରେ ବୋଧହୁଏ ଏକଥା ତତ୍କାଳୀନ ଯୁଗର ଅହଂକାରୀ ପଣ୍ଡିତ ସ୍ବପ୍ନରେ ସୁଦ୍ଧା ଭାବିନଥିବେ ! ଯେଉଁ ଭାଷାର ଭାଗବତକୁ ଏକଦା ତେଲୀ ଭାଗବତ କହି ଅପମାନ କରାଯାଉଥିଲା ସେ ପ୍ରାକୃତ ଭାଷା ଆଜି ଭାରତର ଏକ ବଡ଼ଭାଷା ପୁଣି ଶାସ୍ତ୍ରୀୟ ବିଦିତ ହେଉଅଛି ! ଏହା ସାମାନ୍ଯ କଥା ନୁହେଁ ଏହା ଓଡ଼ିଆ ପ୍ରାକୃତର ଜୟଯାତ୍ରାର ଅବିସ୍ମରଣୀୟ କାହାଣୀ ! ଏ ଜାତି, ଓଡ଼ିଆ ଭାଗବତ ଓ ଭାଗବତଟୁଙ୍ଗିରୁ ଆରମ୍ଭ ହୋଇଥିବା ଭାଷା ଆନ୍ଦୋଳନରୁ ଶିକ୍ଷା ନେବା ଉଚିତ୍ ! 

ଭାଷା ଆନ୍ଦୋଳନ ଆଜି ବି ବଳବତ୍ତର ରହିଛି ! ଓଡ଼ିଆ ପ୍ରାକୃତକୁ ସମ୍ପୂର୍ଣ୍ଣ ପ୍ରଶାସନିକ ମାନ୍ଯତା ,କେନ୍ଦ୍ରରେ ଏକ ଜାତୀୟ ଭାଷାର ମାନ୍ଯତା ଆଜିର ଭାଷା ଆନ୍ଦୋଳନର ଆଭିମୁଖ୍ଯ ହେବା କଥା ! 

ସବୁବେଳେ ମନେ ରଖିବା ଉଚିତ୍ ଯେ ଓଡ଼ିଆ ଭାଷା ଆନ୍ଦୋଳନ ଆଜିର ନୁହେଁ ସାରଳା ମହାଭାରତ ଓ ଭାଗବତ ରଚନା ଆରମ୍ଭ କାଳରୁ ଏହା ହୋଇ ଆସିଛି ଏବଂ ଯେତେ ଦିନ ଯାଏଁ ଏ ମହାନ ଦେଶର ମହାନ ଭାଷାକୁ ତାହାର ସମ୍ମାନ ମିଳିନାହିଁ ତାହା ଏମିତି ଚାଲିଥିବ ! ଜୟ ଓଡ଼ିଆ ,ଜୟ ଓଡ଼ିଶା , ଜୟ ଜଗନ୍ନାଥ !!!

ବଡ଼ଜାତିଆ ଝିଅ

ଝିଅଟି ଜାତିରେ ଗୁଡ଼ିଆ କିନ୍ତୁ ରାଜଜେମା ପରିକା ସୁନ୍ଦର ! କାର୍ଯ୍ଯାଳୟରେ କାର୍ଯ୍ଯ କରୁଥିଲେ ହେଁ ବାପଛେଉଣ୍ଡ ଝିଅଟି ମାଆର ଦୃଢ଼ ଆକଟରେ ବଡ଼ ହୋଇଛି ! ବିଧବା ମାଆ ସହିତ ରହି ଝିଅଟି ଟୋକାଙ୍କଠୁ ବର୍ତ୍ତିବାକୁ ନାନା ଉପାୟ ଶିଖିଯାଇଛି ! କାର୍ଯ୍ଯାଳୟରେ ବିଭିନ୍ନ ଜାତିର ଯୁବକ କାମ କରୁଛନ୍ତି ତେବେ ସେହି କାର୍ଯ୍ଯାଳୟରେ ପ୍ରିୟବ୍ରତ ପଣ୍ଡା ବ୍ଯତିତ ଅନ୍ଯ ସମସ୍ତ ବ୍ରାହ୍ମଣ ଜାତିର ବ୍ଯକ୍ତିମାନଙ୍କର ବିବାହ ହୋଇ ସାରିଛି ! 

ଓଡ଼ିଶାରେ ଜାତି ନଦେଖି ବି ପ୍ରେମ ହୁଏ କିନ୍ତୁ ବିବାହ ବେଳେ ଜାତି ପ୍ରସଙ୍ଗ ନିଶ୍ଚୟ ଉଠି ହିଁ ଥାଏ !  ସାଧାରଣତଃ ଏଇଥିପାଇଁ ଆମ ରାଜ୍ଯର ଅନେକ ଯୁବକ ଯୁବତୀ ନିଜ ଜାତିମଧ୍ଯରେ ମନ ଦିଆ ନିଆକୁ ଅଧିକ ସୁଖ ମଣନ୍ତି ! ଝିଅଟି ଓଡ଼ିଆଙ୍କର ଏହି ଜାତୀୟ ଗୁଣକୁ ଠିକ୍ ଠାଉରେଇ ପାରିଥିଲା ତେଣୁ ସେ କାର୍ଯ୍ଯାଳୟରେ ଯୋଗ ଦେବା ଦିନ ହିଁ ନିଜକୁ ବ୍ରାହ୍ମଣ ଜାତିର ବୋଲି କିଛି ଲୋକଙ୍କୁ ପରିଚୟ ଦେଇଦେଲା ! 

ଫଳତଃ ଅଧିକାଂଶ ନିମ୍ନ ଜାତିର ଯୁବକ ତା'କୁ ପଟେଇବାର ଚେଷ୍ଟାରୁ ବିରତ ତହିଲେ ! ଏଣେ ପ୍ରିୟ ପଣ୍ଡାବାବୁ ଯେମିତି ବି ହେଉ ଏହି ନବାଗତା କନ୍ଯାକୁ ପ୍ରେମ ଫାସରେ ଫସେଇବାର ନାନାଦି ଉପାୟମାନ ଅବଲମ୍ବନ କଲେ !  ଜଣେ ଗଡ଼ଜାତିଆ ପିଲାକୁ କିନ୍ତୁ ଝିଅ ଉପରେ କାହିଁକି କେଜାଣି ଭାରି ସନ୍ଦେହ ହେଲା ! ଝିଅର ଉପନାମ ଯଦି "ସାହୁ"  ସେ ପୁଣି ବ୍ରାହ୍ମଣ କେମିତି ହେବ ତେବେ ଅନୁସନ୍ଧାନ କରି ଜାଣିଲା ଯେ କେତେକ ସାହୁ ଉପନାମଧାରୀ ବ୍ରାହ୍ମଣ ବି ଅଛନ୍ତି ! 

ଗୋଟାଏ ପଟେ ବ୍ରାହ୍ମଣ ଟୋକା ଝିଅକୁ ପଟେଇବାର ଚେଷ୍ଟାରେ ଲାଗିଥିବା ବେଳେ ଏପଟେ ଗଡ଼ଜାତିକା ଟୋକାଟା ଝିଅର ସତ କାଢ଼ିବାକୁ ଲାଗିପଡ଼ିଲା ! ପ୍ରାୟ ତିନିମାସ ପରେ ଝିଅର ବାହାଘର ଠିକ୍ ହେଲା ! ପଣ୍ଡାବାବୁ ମନ ଦୁଃଖରେ କେବଳ  ଭୋଜିଟା ପାଇଁ ଝିଅର ବାହାଘର ଦିନ ତା' ଗାଆଁକୁ ଯାଇଥିଲେ ! ଭୋଜି ଖାଇ ପଣ୍ଡେ ଘରକୁ ବାହୁଡ଼ୁଥାନ୍ତି ଜଣେ ଗାଆଁଲୋକ କହୁଥିବାର ଶୁଣିଲେ "ଜାଣିଲ ! ବଡ଼ ଘରେ ବାହାଘର ହୋଇଛି କି ସୌଭାଗ୍ଯ ଦେଖ ! ପିଲାଟା ଜାତିରେ ଗୁଡ଼ିଆ ସିନା କିନ୍ତୁ ସରକାରଙ୍କ ପାଖ ଲୋକ ! କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ! ଆମ ଗୁଡ଼ିଆ ଜାତିରେ ଏମିତି ବରଟେ ଯୁଟିବା ଏତେ ସହଜ କି ନା ?" 

ପଣ୍ଡାବାବୁ ଏସବୁ ଦେଖି ଶୁଣି ହତବାକ୍ ହୋଇଗଲେ ! ସେ ରାଗିବେ ନା ହସିବେ କିଛି ବୁଝିପାରିଲେ ନାହିଁ ! ଏତିକି ବେଳେ କାର୍ଯ୍ଯାଳୟର ସେହି ଗଡ଼ଜାତିଆ ଟୋକାଟା ସହ ପଣ୍ଡାବାବୁଙ୍କର ଦେଖା ହେଲା ! ପଣ୍ଡେ ଝିଅ କଥା କହିଲାରୁ ଇଏ କହିଲା କିହୋ ଗୋସେଇଁ ସେକଥା ମୁଇଁ ଆଘରୁ ଜାଣିଥିଲି ହୋ ହେଲେ ତମେ ତ ପ୍ରେମରେ ଭୋଳ ଥିଲ ମୋ କଥାକୁ ଆରମିନ୍ତି ଭାବିଥାନ୍ତ ନା ଆଉ ! ହଉ ମ ଯାହା ହେଲା ଅଏନ୍ ହେଲା ବୋ ମିଛେଇ ଝିଅକୁ ବାହା ହେଇନ ଭଲ କରିଛ ଯେ ! "  
(ଏହା ସତ୍ଯ ଘଟଣା ସହ କଳ୍ପନାର ସମ୍ମିଶ୍ରଣ ମାତ୍ର,)

ପ୍ରେମ ଓ ଘୃଣା


*ସ୍ତ୍ରୀଟେ ଜଣେ ପୁରୁଷକୁ କହିଲା "ମୁଁ ତମକୁ  ଭଲ ପାଏ"
*ପୁରୁଷଟି ଉତ୍ତର ଦେଲା "ତୁମେ ମୋତେ ପ୍ରେମ କରିବାଟା ମୋର ବହୁତ ବଡ଼ ସୌଭାଗ୍ଯ
*ସ୍ତ୍ରୀଟି ପୁଣି କହିଲା- "ମୋତେ ବି ତମେ ପସନ୍ଦ କର କି ?"
*ପୁରୁଷଟି ସ୍ତ୍ରୀ ଆଡ଼କୁ ଗମ୍ଭୀର ହୋଇ ଘଡ଼ିଏ ଚାହିଁଲା କିନ୍ତୁ କିଛି କହିଲା ନାହିଁ !
*ନିଜ ପ୍ରଶ୍ନର କୌଣସି ଉତ୍ତର ନପାଇଲାରୁ ସ୍ତ୍ରୀଟି ରାଗି ଯାଇ ବଡ଼ପାଟିରେ କହିଲା - "ଯଦି ତୁମେ ମୋତେ ସୁଖ ପାଉନ ତାହେଲେ ମୁଁ ବି ଆଜିଠୁ ତୁମକୁ ଘୃଣା କରିବି !"
*ତାକଥା ଶୁଣି ପୁରୁଷଟି କହିଲା- " ତୁମଠାରୁ ଘୃଣାପାଇବା ବି ମୋ ପାଇଁ ବଡ଼ ସୌଭାଗ୍ଯର କଥା ଯେ...
(ଖଲୀଲ ଜୀବ୍ରାନଙ୍କର ଏକ ଲେଖାର ଓଡ଼ିଆ ଭାବାନୁବାଦ)

=>ମୁଁ ତୁମକୁ ଭଲ ପାଏ
=>ମୁଁ ତୁମକୁ ପ୍ରେମ କରୁଛି
=>ମୁଁ ତୁମକୁ ପସନ୍ଦ କରେ
=>ମୁଁ ତୁମକୁ ସୁଖପାଏ  
=>ତୁମ ପ୍ରତି ମୋର ଅନୁରାଗ ଜନ୍ମିଛି
=>ତୁମ ପିରତୀରେ ମୁହିଁ ବନ୍ଧା ପଡ଼ିଛି
=>ତୁମେ ହିଁ ମୋ ମନର ମଣିଷ
=>ତୁମ ପ୍ରେମରେ ମୁଁ ଉବୁଡୁବୁ ହେଉଛି 
ଇତ୍ଯାଦି ଇତ୍ଯାଦି-

ହେ ତଥାକଥିତ ଆଧୁନିକ ଓଡ଼ିଆମାନେ ତମେ ପ୍ରେମ କଲେ ବିଦେଶୀ ଭାଷାରେ "ଆଇ ଲଭ ୟୁ" କି ହିନ୍ଦୀରେ "ମୁଝେ ତୁମସେ ପ୍ଯାର୍ ହୈ" କହିବା ଆଗରୁ ନିଜର ଏହି ପଦକ କଥାକୁ ବାକ୍ଯଗଠନ କରି ଦେଖ--- ଏମିତି ସହସ୍ରାଧିକ ପଦ ମୋ ଭାଷାରେ , ତୁମ ଭାଷାରେ ସୃଷ୍ଟି ହୋଇପାରେ ...
ଯଦି ପ୍ରେମିକ ପ୍ରେମିକା ଉଭୟ ଓଡ଼ିଆ ତେମେ  ପ୍ରେମ ପ୍ରକାଶ ପାଇଁ ଆନ ଭାଷାର ପଦ କାହିଁକି ବ୍ଯବହାର କରୁଛ ?

ବିଦେଶୀ ବିଲୁଆ,ବନ୍ଯଶ୍ବାନ ଓ କୁକୁରଙ୍କର ଇତିହାସ କଥା


ଲକ୍ଷ ଲକ୍ଷ ବର୍ଷ ତଳେ ହିମାଳୟର ପାଦଦେଶରେ ବନ୍ଯଶ୍ବାନ ଓ ଶ୍ବାନ ଏକାଠି ରହୁଥିଲେ ! ସେତେବେଳେ ଉଭୟଙ୍କ ମଧ୍ଯରେ ସେତେ ଭେଦାଭେଦ ନଥିଲା ! ଶ୍ବାନଙ୍କ ପୂର୍ବଜମାନେ କୌଶଳୀ ଥିଲେ ତେଣୁ ହିମାଳୟର ଗୁମ୍ଫାରେ ବାସ କରୁଥିବା ଆମ ପୂର୍ବଜଙ୍କ ଖାଦ୍ଯ ମଧ୍ଯ ଚୋରୀ କରିନେଉଥିଲେ ! ଏଣେ ବନ୍ଯଶ୍ବାନମାନେ ଏମନ୍ତ କରିବାକୁ ପସନ୍ଦ କରୁନଥିଲେ ! ସେମାନେ ଜଙ୍ଗଲ ମଧ୍ଯରେ ଶିକାର କରି ହିଁ ବଞ୍ଚିରହୁଥିଲେ  ! କ୍ରମେ ବିଶ୍ବରେ ଭୀଷଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶେଷ ଶୀତ ଯୁଗର ଆରମ୍ଭ ହେଲା ! ଆମେରିକାର ବୃହତ୍ତ ହ୍ରଦ ଅଞ୍ଚଳର ଥଣ୍ଡା ଜଳ ଆଟଲାଣ୍ଟିକ ମହାସାଗରରେ ମିଶିବାରୁ ଏହି ମହାସମୁଦ୍ରର ମଧ୍ଯଭାଗରୁ ୟୁରୋପ ଯାଏଁ ପ୍ରବାହିତ ହେଉଥିବା ଏକ ଉଷ୍ମ ସାଗରସ୍ରୋତ ଶୀତଳ ହୋଇଗଲା ! ଫଳତଃ ୟୁରୋପର ଅନେକ ଜୀବଙ୍କ ଭଳି ବିଭିନ୍ନ ଜାତୀୟ ୟୁରୋପୀୟ ବିଲୁଆ ବି ଏସିଆ ମହାଦେଶକୁ ପଳାଇ ଆସିଲେ ! କିଛି ବୈଦେଶିକ ବିଲୁଆ ହିନ୍ଦକୁଶ୍ ପର୍ବତ ପାର ହୋଇ ଭାରତକୁ ପଶି ଆସିଲେ ! ସେମାନେ ଏଠାରେ କେତେକ ଦିନ ରହି ଦେଶୀୟ ବନ୍ଯଶ୍ବାନଙ୍କୁ ଘୃଣା କଲେ ! ସେତେବେଳକୁ ବନ୍ଯଶ୍ବାନମାନେ ବିଲୁଆଙ୍କଠାରୁ କେତେକାଂଶରେ ଭିନ୍ନ ଦେଖାଯାଉଥାନ୍ତି ! ବିଲୁଆଙ୍କ ଲାଞ୍ଜ ରୋମମୟ କିନ୍ତୁ ବନ୍ଯଶ୍ବାନଙ୍କର ଲାଞ୍ଜ ଅପେକ୍ଷାକୃତ ଛୋଟ ଥିଲା ! ତେବେ ଶ୍ବାନଙ୍କ ଲାଞ୍ଜରେ ଲୋମ ନଥିବାରୁ ସେମାନେ ଆହୁରି ଆକର୍ଷଣୀୟ ଥିଲେ ! ଶ୍ବାନମାନେ ବିଦେଶୀ ବିଲୁଆ ଓ ବନ୍ଯଶ୍ବାନଙ୍କ ଅପେକ୍ଷା ଅଳ୍ପ ହିଂସ୍ର ଥିଲେ ଏବଂ ଏହା ତାଙ୍କୁ ଭବିଷ୍ଯତରେ ମନୁଷ୍ଯର ପ୍ରଥମ ବନ୍ଧୁ କରିପାରିଥିଲା ! ତେବେ ବିଦେଶୀ ବିଲୁଆ ଶହ ଶହ ବର୍ଷ ଭାରତରେ ରହି କ୍ରମେ ନିଜକୁ ଦେଶୀୟ ବନ୍ଯଶ୍ବାନ ବୋଲି ବିଚାର କରିବା ଆରମ୍ଭ କରିଦେଇଥାନ୍ତି ! ସେମାନଙ୍କ ମଧ୍ଯରେ ସାମାଜିକ ପାରିବାରିକ ସମ୍ପର୍କ ସ୍ଥାପନ ହେବା ଆରମ୍ଭ ହେଲା ! ଏହା ଭିତରେ କିଛି ବିଦେଶୀ ବିଲୁଆଙ୍କ ବଂଶଜ ଦେଖିଲେ ବନ୍ଯଶ୍ବାନ ଓ ଶ୍ବାନ ଭିନ୍ନ ଦେଖାଯାଉଛନ୍ତି ! ଏହି ଲୋମହୀନ ଶ୍ବାନମାନେ ଇତିମଧ୍ଯରେ ଅବାନ୍ତର ଓ ଶାନ୍ତିପ୍ରିୟ ହରଣ କୌଶଳ ବି ଶିଖିଗଲେଣି ! ଏଇଭଳି କେତେ ଅଞ୍ଚଳରେ ବିଦେଶୀ ବିଲୁଆଙ୍କ ବଂଶଜ ବନ୍ଯଶ୍ବାନଙ୍କ ଦଳର ମୁଖିଆ ହେଲେ ! ସେମାନେ କୁକୁରଙ୍କ ପ୍ରତି ବଣୁଆ କୁକୁରଙ୍କ ମନରେ ବିଷ ମଞ୍ଜି ପୋତିବା ଆରମ୍ଭ କରିଦେଲେ ! ଏହି ଘୃଣାରୂପି ବିଷ କ୍ରମେ ଏକ ଛୋଟିଆ ଅଞ୍ଚଳରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ବନ୍ଯଶ୍ବାନ ଜାତିରେ ବସା ବାନ୍ଧି ରହିଗଲା ! ବନ୍ଯଶ୍ବାନମାନେ ୟୁରୋପୀୟ ବିଲୁଆଙ୍କ ସ୍ଥାନୀୟ ନାମ କୁହ୍ଲିଆକୁ ଗ୍ରହଣ କରିନେଇ ଆପଣା ଜାତିର ନୂଆ ନାମକରଣ କଲେ ! ସେମାନେ ଶ୍ବାନମାନଙ୍କୁ ଭୀଷଣ ଅପମାନ ଓ ନିର୍ଯାତନା ଦେଲେ ତଥାପି ଶ୍ବାନମାନେ ବନ୍ଯଶ୍ବାନଙ୍କୁ ଆପଣ ଭାଇ ବୋଲି ଜାଣିଥିବାରୁ ସେମାନଙ୍କ ସହିତ ମିଳିମିଶି ରହୁଥାନ୍ତି ! ବିଦେଶୀ ବିଲୁଆ ଯେଉଁମାନେ ଶ୍ବାନ ଓ ବନ୍ଯଶ୍ବାନଙ୍କ ଦଳର ମୁଖିଆ ଥିଲେ ସେମାନେ ଏ ଉଭୟ ଜାତିକୁ ଭିନ୍ନେ କରିବା ପାଇଁ ପାରୁ ପର୍ଯ୍ଯନ୍ତ ଚେଷ୍ଟାକଲେ ! ଫଳରେ ଉକ୍ତ ଶ୍ବାନଦେଶରେ ଭୀଷଣ ଗୃହଯୁଦ୍ଧ ହେଲା ଓ ବିଦେଶୀମାନେ ଶ୍ବାନଜାତିକୁ ବାଣ୍ଟିବାରେ ସଫଳ ହେଲେ ! ବିଲୁଆ ଓ ବନ୍ଯଶ୍ବାନ ଏବେ ନିଜ ଜାତିକୁ କୁହ୍ଲିଆ ପରିଚୟ ଦେଉଥାନ୍ତି ଏବଂ ଜଙ୍ଗଲରେ ତାଙ୍କର ସମ୍ପୂର୍ଣ୍ଣ ଶାସନ ହୋଇଗଲା ! ଏପଟେ ସାଧାରଣ ଶ୍ବାନମାନେ ନିଜ ଆତ୍ମୀୟଙ୍କ ବର୍ବରତାକୁ ଅଙ୍ଗେ ନିଭେଇ ମନୁଷ୍ଯ ରହୁଥିବା ନିମ୍ନ ପାହାଡ଼ିଆ ଅଞ୍ଚଳରେ ରହିବାକୁ ଲାଗିଲେ ! ଧୀରେ ଧୀରେ ମନୁଷ୍ଯମାନେ ଏହି ସାଧାରଣ ଶ୍ବାନଙ୍କୁ ପାଳି ପୃଥ୍ବୀ ଜୟୀ ହୋଇପାରିଛନ୍ତି ! କିନ୍ତୁ ବନ୍ଯଶ୍ବାନ ? ହାୟ ! ସେମାନେ ଅଧୁନା ବିଦେଶୀ ବିଲୁଆଙ୍କ ଶିକାର ହେଉଛନ୍ତି ଏବଂ ଜଙ୍ଗଲରେ ଏହି ବିଦେଶୀ ବିଲୁଆମାନେ ଏମାନଙ୍କୁ ଡରେଇ ରଖିଛନ୍ତି ! ଶ୍ବାନମାନେ କିନ୍ତୁ ବିଲୁଆ ତଥା ବନ୍ଯଶ୍ବାନଙ୍କ ଦଗା ଓ ସେ ଭୀଷଣ ଗୃହଯୁଦ୍ଧର କାହାଣୀ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଶୁଣେଇ ଆସିଛନ୍ତି ! ସେଇଥିପାଇଁ ତ କୁହ୍ଲିଆଟିଏ କି କୋକିଟିଏ ଗାଁରେ ପଶିଗଲେ ପଞ୍ଝାଏ କୁକୁର ତାକୁ ମାରିଦେବାକୁ ଚେଷ୍ଟା କରନ୍ତି ! ଯୁଗ ବଦଳିଛି କିନ୍ତୁ ବିଲୁଆ ଓ ବନ୍ଯଶ୍ବାନ ନିଜକୁ କୁହ୍ଲିଆ ବୋଲି ଭିନ୍ନ ପରିଚୟ ଦେଉଥିଲେ ହେଁ ମନୁଷ୍ଯମାନେ ସେ ସମସ୍ତଙ୍କୁ dog family ବା ଶ୍ବାନ ପରିବାରରେ ରଖିଛନ୍ତି ! ବିଲୁଆମାନେ ଶତଚେଷ୍ଟା କରି ମଧ୍ଯ ଏ ମହାନ ଶ୍ବାନପରିବାରକୁ ମନୁଷ୍ଯର ବୈଜ୍ଞାନିକ ଦୃଷ୍ଟିରେ ବାଣ୍ଟିପାରିନାହାନ୍ତି କାରଣ

 "ସତକୁ ଲୁଚାଯାଇପାରେ,ଅର୍ଦ୍ଧସତ୍ଯ କରାଯାଇପାରେ କିନ୍ତୁ ନଷ୍ଟ କରାଯାଇପାରେନା"
©ଶିଶିର ସାହୁ ମନୋଜ

ରାଜଦଣ୍ଡ



ଜଣେ ରାଜା କୌଣସି କଥାରେ ଚିଡିଯାଇ ତାଙ୍କ ପତ୍ନୀକୁ କହୁଥାନ୍ତି 
"ପ୍ରକୃତରେ ତମେ ରାଣୀ ହେବାର ଯୋଗ୍ଯ ନୁହେଁ ! ତମେ ଜଣେ ଅସୁନ୍ଦରୀ କଳିହୁଡ଼ି ମାଇକିନା ! ତୁମକୁ ନିଜର ରାଣୀ କହିବାକୁ ମୋତେ ଲାଜ ଲାଗେ"

ରାଣୀ ବି ଛାଡ଼ିବା ଯନ୍ତୁ ନୁହନ୍ତି ସେ କହିଲେ
 "ତୁମେ ନିଜକୁ ରାଜା କହୁଛ କିନ୍ତୁ ତୁମେ ଜଣେ ବଡ଼ ବଡ଼ କଥା କହୁଥିବା କୁହାମୁଣ୍ଡା କପିଳା ଛଡ଼ା କିଛି ବି ନୁହେଁ"

ଏହା ଶୁଣି ରାଜା ଭୀଷଣ ରାଗିଯାଇ ରକ୍ତ ଚାଉଳ ଚୋବେଇଲେ ! ରାଗରେ ସେ ନିଜର ସ୍ବର୍ଣ୍ଣ ଶାସନ ଦଣ୍ଡରେ ରାଣୀଙ୍କ ମୁଣ୍ଡକୁ ପାହାରେ ପିଟିଦେଲେ !  

ସେହିକ୍ଷଣି ରାଜ୍ଯର ନ୍ଯାୟମନ୍ତ୍ରୀ ସେଠାରେ ପହଞ୍ଚି ରାଜାଙ୍କୁ ଅଭିବାଦନ ପୂର୍ବକ କହିଲେ

 " ଅତି ଉତ୍ତମ ଛାମୁ ! ଏହି ରାଜଦଣ୍ଡକୁ ରାଜ୍ଯର ସବୁଠୁଁ ବଡ଼ କାରିଗର ଗଢ଼ିଥିଲେ ! ଏହା କଟୁସତ୍ଯ ଯେ ଦିନେ ରାଣୀ ଓ ଆପଣଙ୍କୁ ଲୋକେ ଭୁଲିଯିବେ କିନ୍ତୁ ଏହି ରାଜଦଣ୍ଡ ସୌନ୍ଦର୍ଯ୍ଯର ପ୍ରତୀକ ଭାବେ ପିଢ଼ି ପିଢ଼ି ଧରି ସାଇତା ହୋଇ ରଖାଯିବ ! ମଣିମା ! ଏବେ ତ ଏହି ରାଜଦଣ୍ଡ ଆହୁରି ମହତ୍ତ୍ବପୂର୍ଣ୍ଣ ଏବଂ ରାଜ୍ଯର ଅମୂଲ୍ଯ ସମ୍ପଦ ବିବେଚିତ ହେବ କାରଣ ଆପଣ ରାଣୀଙ୍କ ମସ୍ତକର ରକ୍ତରେ ଏହାର ଅଭିଷେକ  କରିଦେଲେଣି ..."

(ଲେବାନନ୍ ର ପ୍ରଶିଦ୍ଧ ଲେଖକ ଖଲୀଲ୍ ଜୀବ୍ରାନଙ୍କ ଏକ ଗଳ୍ପର ଓଡ଼ିଆ ଭାବାନୁବାଦ)

ଭ୍ରମ



ପର୍ବତର ଶିଖରରେ "ଭଲ" ଓ "ମନ୍ଦ" ପରସ୍ପରକୁ ଭେଟିଲେ ! "ଭଲ" କହିଲା - "ଭାଇ ଆଜିର ଦିନଟି ତୁମପାଇଁ ଶୁଭଙ୍କର ହେଉ" !

"ମନ୍ଦ" କିଛି ବି କହିଲା ନାହିଁ !

ତହୁଁ "ଭଲ" ପଚାରିଲା - କଣ୍ ହେଇଛି କି ଭାଇ ଆଜି କିଛି ବି ଉତ୍ତର ଦେଉନା କଣ୍ ମନ ଭଲ ନାହିଁ ?"

ମନ୍ଦ ମୁହଁ ବିଷ କରି କହିଲା - ଠିକ୍ କହିଲୁରେ ଆଜିକାଲି ଲୋକେ ଭ୍ରମରେ ମୋତେ "ତୁ" ବୋଲି ଭାବୁ ଅଛନ୍ତି ! ମୋତେ ତୋ ନାଁ ଧରି ଡାକୁଛନ୍ତି ଆଉ ଏମିତି ବ୍ଯବହାର କରୁଛନ୍ତି ଯେମିତି ମୁଁ ମୁଁ ନୁହେଁ ତୁ ଅଟେ ! ଏସବୁ ମୋତେ ଆଦୌ ସୁଖ ଲାଗୁନି"

ସେଇଠୁ ଭଲ କହିଲା - "ମୋ ସହିତ ବି ଆଜିକାଲି ସେଇଆ ହେଉଛି ! ସେମାନେ ମୋତେ ତୁମ ନାମ ନେଇ ଡାକୁଛନ୍ତି"

ଏହା ଶୁଣି "ମନ୍ଦ" ବିଚରାଟା ଲୋକଙ୍କ ମୂର୍ଖତାକୁ ବୁଝି ବହେ ଶୋଦି ସେଠାରୁ ଚାଲିଗଲା ...

(ଲେବାନନ୍ ର ଲୋକପ୍ରିୟ ଲେଖକ ଖଲୀଲ୍ ଜୀବ୍ରାନଙ୍କର ଏକ କ୍ଷୁଦ୍ରଗଳ୍ପର ଓଡ଼ିଆ ଭାବାନୁବାଦ)

କାବ୍ଯ ଓ କବିତା



ଏଥେନ୍ସ(ଗ୍ରୀସ୍) ର ରାଜମାର୍ଗରେ ଦିଜଣ କବିଙ୍କର ଆକସ୍ମିକ ଭେଟ ହୋଇଗଲା ! ପରସ୍ପରକୁ ଭେଟି ଉଭୟ ବହୁତ ଖୁସି ହେଲେ ! 

ଜଣେ କବି ଆର ଜଣକୁ ପଚାରିଲା
 "ଆଉ ଆଜିକାଲି କିୟଣ ଚାଲିଛି କିହେ କବିବର !"

ଦ୍ବିତୀୟ କବି ଜଣକ ବଡ଼ ଗର୍ବରେ କହିଲା "ମୁଁ ଏଇ ନିକଟ ଅତୀତରେ ଏମିତି ଏକ କାବ୍ଯ ସମ୍ପୂର୍ଣ୍ଣ କରିଛି ଯାହା ମୋର ସବୁ କାବ୍ଯ ମଧ୍ଯରେ ଶ୍ରେଷ୍ଠ ଅଟେ ! ମୋ ମତରେ ଏହା ଗ୍ରୀକ୍ ଭାଷାରେ ଲେଖା ଯାଇଥିବା ସବୁ କାବ୍ଯ କବିତା ମଧ୍ଯରେ ଶ୍ରେଷ୍ଠତର ! ଏହି କାବ୍ଯଟି ମୋ ଗୁରୁଙ୍କ ସ୍ମୃତିରେ ଲେଖା ଯାଇଛି"

ସେଇଠୁ ସେ ନିଜ ଅଙ୍ଗି ଭିତରୁ ଏକ ପୋଥି କାଢ଼ି ଦେଖେଇ କହିଲା "ଆହେ ଦେଖ ତ ଏଇ କାବ୍ଯଟି ତ ମୋ ପାଖରେ ହିଁ ଅଛି ! ଏହା ପଢ଼ିଲେ ତୁମକୁ ବଡ଼ ପ୍ରସନ୍ନତା ହେବ ! ଚାଲ ସେହି ଗଛ ଛାଇ ତଳେ ବସିବା !"
କବି ନିଜ ରଚନା ପାଠ କରିବା ଆରମ୍ଭ କଲା ଯାହା ବହୁତ ଦୀର୍ଘ ଥିଲା !

ଦ୍ବିତୀୟ କବି ଜଣକ ନର୍ମତାପୂର୍ବକ ପ୍ରତିକ୍ରିରା ଦେଲା 
"ବାଃ ଏହା ତ ଏକ ମହାନ ରଚନା,କାଳଜୟୀ ରଚନା ଅଟେ" !!!

ତହୁଁ ପ୍ରଥମ କବି ଜଣକ ଟିକିଏ ପ୍ରଫୁଲ୍ଲିତ କଣ୍ଠରେ ବୋଇଲେ " ଆଜିକାଲି ତେମେ କିସ ଲେଖୁଛ ନା ନାଇଁ ମ ?"

ଦ୍ବିତୀୟ କବି ଜଣକ କହିଲା -
"ଛୋଟିଆ କବିତାଟିଏ ଲେଖିଛି ,ଏଇ କବିତାଟି ମାତ୍ର ଆଠଧାଡ଼ିର କବିତାଟିଏ ! ବଗିଚାରେ ଖେଳୁଥିବା ପିଲାଙ୍କୁ ଦେଖି ଏହି କବିତାଟି ରଚିଥିଲି !" ସେ ମଧ୍ଯ ନିଜ ରଚନା ଶୁଣେଇଲେ !

ଉକ୍ତ ଆଠ ଧାଡ଼ିଆ କବିତାଟି ଶୁଣି ପ୍ରଥମ କବି ଜଣକ କହିଲା "ଠିକ୍ ଠାକ୍ ଅଛି ,ସୃତିକଟୁ ହୋଇନି ଏଇଟା ବଡ଼କଥା ବା" !

ଆଜି ଦୁଇ ହଜାର ବର୍ଷ ବିତିଗଲା ପରେ ବି ସେହି କବିର ଆଠପଂକ୍ତି ବିଶିଷ୍ଟ କବିତାଟି ଅନେକ ଭାଷାରେ ଅନୁବାଦ ହୋଇ ଆଦରପୂର୍ବକ ପାଠ କରାଯାଉଛି ! ଆର କବି ଜଣକର ବିଶାଳ କାବ୍ଯଟି ଶତାବ୍ଦୀ ଶତାବ୍ଦୀ ଧରି ପୁସ୍ତକାଳୟ ଓ ବିଦ୍ବାନଙ୍କ ଆଲଣା - ଆଲମାରିରେ ସୁରକ୍ଷିତ ଅବଶ୍ଯ ରହିଛି ମାତ୍ର ତାକୁ କେହି ପଢ଼ୁନାହାନ୍ତି !!!

(ଲେବାନନ୍ ର ଜଣାଶୁଣା ଲେଖକ ଖଲୀଲ୍ ଜୀବ୍ରାନଙ୍କ ଏକ ଗଳ୍ପର ଓଡ଼ିଆ ଭାବାନୁବାଦ)

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...