ଜଣେ ଲୋକ ମରିକି ଯମଲୋକରେ ଯାଇ ପହଞ୍ଚିଲା ଏଵଂ ତାହାର ନ୍ୟାୟ ପାଇଁ ତାକୁ ଯମରାଜାଙ୍କ ଛାମୁରେ ଉପସ୍ଥିତ କରାଗଲା ।
ଧର୍ମରାଜ ତାଙ୍କ ସଚିଵ ଚିତ୍ରଗୁପ୍ତଙ୍କୁ ନିର୍ଦେଶ ଦେଲେ — “ଏହି ଵ୍ୟକ୍ତିର କର୍ମ ଓ ଫଳର ଚିଠା ପ୍ରସ୍ତୁତ କରି ଆମ୍ଭଙ୍କୁ ଜଣାଅ” !
ଚିତ୍ରଗୁପ୍ତ କହିଲେ— ଭୋ ଦେଵ ! ଏ ଵ୍ୟକ୍ତି ଭୂଲୋକରେ ଅତ୍ୟନ୍ତ ପାପୀ ଓ ଅତ୍ୟାଚାରୀ ଥିଲା । ସମାଜ ଦ୍ଵାରା ଆକୁ ନର—ପିଶାଚର ଆଖ୍ୟା ମିଳିଥିଲା । ଏ ପାପିଷ୍ଠ ତା ଜୀଵନ କାଳ ମଧ୍ୟରେ କେତେ ଯେ ଲୋକଙ୍କ ଜୀଵନ ନଷ୍ଟ କରିଅଛି ତାହାର ଇୟତ୍ତା ନାହିଁ । ଏହା ଭଳି ମାନଵ-ପୀଡ଼କ ମର୍ତ୍ତ୍ୟଲୋକରେ କ୍ଵଚିତ ହିଁ ହୋଇଥିଵେ । ଏ ଲୋକ ଅତ୍ୟନ୍ତ କ୍ରୂର,କପଟୀ,ଦୂରାଚରୀ ଓ ଅତ୍ୟାଚାରୀ ଥିଲା ।
ସେଇଠୁ ଧର୍ମରାଜ ପଚାରିଲେ — ଆଚ୍ଛା ଏ ଲୋକର ମୃତ୍ୟୁ କେମନ୍ତ କାରଣରୁ ହୋଇଥିଲା ?
ଚିତ୍ରଗୁପ୍ତ ଉତ୍ତର ଦେଲେ— ହେ ଦେଵ ! ଏ ଲୋକ ଆତ୍ମହତ୍ୟା କରିଥିଲା ଆଜ୍ଞା !
ଧର୍ମରାଜ କିଛି ସମୟ ଚିନ୍ତା କରି ଆଦେଶ ଦେଲେ “ଆକୁ ସ୍ୱର୍ଗଲୋକରେ ସ୍ଥାନ ପ୍ରଦାନ କରାଯାଉ” !
ଚିତ୍ରଗୁପ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ଧର୍ମରାଜଙ୍କୁ କେତେକ କ୍ଷଣ ନିର୍ନିମେଷ ନୟନରେ ଅନାଇ ରହିଲେ ଏଵଂ ତାପରେ କହିଲେ —“ହେ ଦେଵ ! ଆପଣ ଏ କ'ଣ କହୁଛନ୍ତି ? ଏ ପାପିଷ୍ଠ ଵ୍ୟକ୍ତି ପୁଣି ସ୍ଵର୍ଗସୁଖ ଭୋଗିଵ ? ତାହାଲେ ସମସ୍ତ କର୍ମ ଫଳ ଵିଧାନ ହିଁ ମିଥ୍ୟା ଵିଵେଚିତ ହୋଇ ଯିଵନାହିଁ କି ? ଏ ଵ୍ୟକ୍ତି ତ ଭୀଷଣ ରୌରଵ ନର୍କରେ ଵାସ କରିଵା କଥା ? ଇଏ ଏମିତି କି ପୁଣ୍ଯ କରିଅଛି ଯେ ତାକୁ ସ୍ବର୍ଗ ଲୋକ ପ୍ରାପ୍ତ ହେଲା ? ପ୍ରଭୋ ! ଦୟାକରି ମୋ ମନର ଏ ଶଙ୍କା ଦୂର କରିଵା ହେବେ ” !
ଧର୍ମରାଜ ବୋଇଲେ — ଏହାର ଅନ୍ତିମ କର୍ମ ସବୁଠାରୁ ପୁଣ୍ୟଦାୟୀ ଥିଲା !
ଚିତ୍ରଗୁପ୍ତ ଵିସ୍ମିତ ହୋଇ ପଚାରିଲେ — ଅର୍ଥାତ୍ ?
ଧର୍ମରାଜ କହିଲେ — “ଅର୍ଥାତ୍ , ଆତ୍ମହତ୍ୟା !!! ଆତ୍ମହତ୍ୟା କରି ଏ ଲୋକ ସମାଜର କେତେ ବଡ଼ ହିତ ନକଲା ! ଯଦି ଇଏ ଜୀଵତ ରହିଥାନ୍ତା ଆହୁରି କେତେ ଯେ ଅତ୍ୟାଚାର କରିନଥାନ୍ତା ? ଆହୁରି ସହସ୍ର ସହସ୍ର ଲୋକେ ଆ ଯୋଗୁଁ ଦୁଃଖ ଭୋଗିଥାଆନ୍ତେ । ନିଜେ ନିଜକୁ ମାରି ଏ ଵ୍ୟକ୍ତି ସଂସାରକୁ ଅନେକାନେକ ଅତ୍ୟାଚାରରୁ ବଞ୍ଚାଇ ଦେଇଅଛି । ଅତଃ ଆତ୍ମହତ୍ୟା କରିଵା ହିଁ ଏହାର ସବୁଠାରୁ ବଡ଼ ସତ୍କର୍ମ ଓ ପୁଣ୍ୟ ଅଟଇ” !!
ଚିତ୍ରଗୁପ୍ତ ପୁଣି ଆଶ୍ଚର୍ଯ୍ୟ ହୋଇ କହିଲେ “ପ୍ରଭୋ ! ଏହା ତ ସମ୍ପୂର୍ଣ୍ଣ ନଵୀନ ନୂତନ ଵିଧାନ ଅଟେ, ସଂସାରରେ ଏହାର ଘୋଷଣା ହୋଇଗଲେ ଅଵଶ୍ୟ ଅନେକ ପାପୀ ନିର୍ଵାଣ ପ୍ରାପ୍ତି କରନ୍ତେ ।
ତହୁଁ ଧର୍ମରାଜ କହିଲେ “ହଁ ହଁ ଘୋଷଣା କରିଦିଅ ଯିଏ ବି ପାପୀ ଅତ୍ୟାଚାରୀ ଆତ୍ମହତ୍ୟା କରିଵ ତାକୁ ସ୍ଵର୍ଗ ଲୋକ ପ୍ରାପ୍ତ ହେଵ ”
(ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈଙ୍କର ଏକ କାହାଣୀ “पुण्य”ର ଓଡ଼ିଆ ଭାଵାନୁଵାଦ)