Friday, September 10, 2021

ଭଗଵାନ ଶ୍ରୀଗଣେଶ ଓ ତାଙ୍କର ଵିଭିନ୍ନ ନାମ


ସାରା ଭାରତରେ ଭଗଵାନ ଗଣେଶଙ୍କର ପୂଜାର୍ଚ୍ଚନା ହେଉଥିଲେ ହେଁ ପଶ୍ଚିମ ଭାରତରେ ତାଙ୍କର ଆଗମନ ଉତ୍ସଵ ଧୁମ୍‌ଧାମରେ ପାଳିତ ହୋଇଥାଏ । 

ପୂର୍ଵେ ଓଡ଼ିଶାର ଵିଦ୍ୟାଳୟଗୁଡି଼କରେ କେବଳ ମାତ୍ର ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କର ପୂଜା ହେଉଥିଲା ଏଵଂ ଦୁଇ ତିନି ଦିନ ପରେ ଶୁଭଦିନ ଦେଖି ମୂର୍ତ୍ତି ଵିସର୍ଜନ କରାଯାଉଥିଲା ।  କ୍ରମେ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା ହେତୁକ ପୂଜା ମଣ୍ଡପମାନ କରାଯିଵା ଆରମ୍ଭ ହୋଇଛି । 




ପଶ୍ଚିମ ଭାରତର ପ୍ରଭାଵ ଯୋଗୁଁ ଆଜି ଓଡ଼ିଶାରେ ଗଣେଶ ପୂଜା ସମୟରେ ଵଣପତି ଗଜଵନ୍ଦନରେ “ମୋରୟା ମୋରୟା” ର  ନାଦ ଶୁଣିଵାକୁ ମିଳିଥାଏ । 

ଲୋକେ ଭକ୍ତିପୂତ ଭାବେ ଗାଆନ୍ତି...
“ମୋରୟା ମୋରୟା,ଗଣପତି ବପ୍ପା ମୋରୟା”

ଅଧୁନା ଦେଶରେ  ଗଣେଶ ଚତୁର୍ଥୀ ଠାରୁ ଗଣେଶ ବିସର୍ଜନ ଯାଏଁ ଏହି “ମୋରୟା” “ମୋରୟା” ଗୁଞ୍ଜରଣରେ ଗଗନ ପବନ ପ୍ରତିଧ୍ୱନିତ ହେଉଅଛି !

ତେବେ ଏହା ମୂଳତଃ ମରାଠୀ ଭାଷାର ଶବ୍ଦ ଏଵଂ ମରାଠୀମାନେ ଗୀତ ମାଧ୍ୟମରେ ଗାଇକରି ଶ୍ରୀଗଣେଶଙ୍କୁ 
ଜଣାନ୍ତି...

“ଗଣପତି ବପ୍ପା ମୋରୟା,ମଙ୍ଗଳମୂର୍ତ୍ତି ମୋରୟା,ପୁଢ଼ଚ୍ୟାଵର୍ଷୀ ଲବକରୟା"

ଅର୍ଥାତ୍ “ହେ ମଙ୍ଗଳକାରୀ ପିତା,ଆର ଥର କୁ ଆହୁରି ଶିଘ୍ର ଆସିଵ !”



କୁହାଯାଏ ଗଣପତି ବପ୍ପା ସହ ଯୋଡ଼ା ଯାଉଥିଵା ଏହି ମୋରୟା ନାମ ପଛରେ ଅଛି ଜନୈକ ଗଣେଶ ଭକ୍ତଙ୍କ କାହାଣୀ । 

କୁହନ୍ତି,୧୪ଶହ ଶତାବ୍ଦୀରେ ପୁଣେ ସହର ସମୀପସ୍ଥ
ଚିଞ୍ଚଵଡ଼୍ ଅଞ୍ଚଳରେ  “ମୋରୟା ଗୋସାଵୀ” ନାମଧେୟ ଜଣେ ଗଣେଶ ଭକ୍ତ ରହୁଥିଲେ । ଚିଞ୍ଚଵଡ଼୍‌ରେ ସେ କଠୋର ଗଣେଶସାଧନା କରି ଶେଷରେ ଜୀଵନ୍ତ ସମାଧୀ ନେଇ ଯାଇଥିଵା ଜଣାଯାଏ । ସେହିଦିନଠାରୁ ଚିଞ୍ଚଵଡ଼୍‌ର ଗଣେଶ ମନ୍ଦିର ପଶ୍ଚିମ ଭାରତରେ ଵିଖ୍ୟାତ ହେଲା ଏବଂ ଗଣପତିଙ୍କର ନାମ ସହ ମୋରୟା ନାମ ଯୋଡା଼ଯାଇ ଭକ୍ତ ଏଵଂ ଭଗଵାନଙ୍କର ଜୟଘୋଷ ପ୍ରଚଳିତ ହେଲା !

ମତାନ୍ତରେ 'ମୋରୟା' ଶବ୍ଦ  ମୋରଗାଁଵ୍‌ର ଗଣେଶଙ୍କର ଯୋଗୁଁ ପ୍ରସିଦ୍ଧ ହୋଇଅଛି ! ମୋରୟା ଗୋସାଵୀଙ୍କର ପିତା ବାମନଭଟ ଏବଂ ମାତା ପାର୍ଵତୀବାଈ ୧୪ଶହ ଶତାବ୍ଦୀରେ (କେହି କେହି ମୋରୟା ଗୋସାଵୀ ୧୬ଶହ ଶତାବ୍ଦୀର ଲୋକ ବୋଲି ମତ ଦିଅନ୍ତି) କର୍ଣ୍ଣାଟକରୁ ଚାଲି ଆସି ପୁଣେ ନିକଟସ୍ଥ ମୋରଗାଁଵ ଅଞ୍ଚଳରେ ରହିଵାକୁ ଲାଗିଲେ ।

ମୋରଗାଁଵ୍ ପ୍ରାଚୀନ କାଳରୁ ଗାଣପତ୍ୟ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ଭାବରେ ଜଣାଶୁଣା ଥିଲା ।  ବାମନଭଟ ମଧ୍ଯ ଗାଣପତ୍ଯ ସମ୍ପ୍ରଦାୟର ଲୋକ ଥିଲେ ତେଣୁ ଏ ଅଞ୍ଚଳରେ ତାଙ୍କ ପରିଵାରକୁ ଅଧିକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ିନଥିଲା  । ଆଗେ ମୋରଗାଁଵ୍‌ରେ ବହୁତ ମୟୁର ଥିଲେ ତେଣୁ ଏ ଅଞ୍ଚଳର ଏଭଳି ନାମକରଣ ହୋଇଅଛି ।  ଏଠାରେ ଗଣେଶଙ୍କର ସିଦ୍ଧ ପ୍ରତିମା ମଧ୍ଯ ଅଛି ଏଵଂ ସେ ପ୍ରଭୁ ମୟୁରେଶ୍ବର ନାମରେ ଖ୍ୟାତ । 

ମୋରଗାଁଵ୍‌ର ମୟୁରେଶ୍ବରଙ୍କ ଭଳି ଥେରୁର, ସିଦ୍ଧଟେକ,ରାଂଜଣଗାଂଵ,ଓଝର,ଲେଣ୍ୟାଦ୍ରି,ମହଡ଼ ଏବଂ ପାଲୀ ଆଦି ଆଠଟି ମୁଖ୍ୟ ଗାଣପତ୍ୟ ପୀଠଗୁଡ଼ିକୁ ଅଷ୍ଟଵିନାୟକ ପୀଠ କୁହାଯାଏ । 

ଗଣେଶ ପୁରାଣ ଅନୁଯାୟୀ ଦାନଵ ସିନ୍ଧୁର ଅତ୍ୟାଚାରରୁ  ରକ୍ଷାହେତୁ ଦେଵତାମାନେ ଶ୍ରୀଗଣେଶଙ୍କର ଆହ୍ୱାନ କଲେ । ଶ୍ରୀଗଣେଶ ମୟୂରକୁ ନିଜ ଵାହନ କରି ଷଡଭୂଜଯୁକ୍ତ ଅଵତାର ନେଇ ଦୁଷ୍ଟ ସିନ୍ଧୁକୁ ନିପାତ କରିଥିଲେ । ମୋରଗାଁଵ୍‌ରେ ସେହି ମୟୁରେଶ୍ବରଙ୍କର ପ୍ରତିକାତ୍ମକ ପ୍ରତିମାକୁ ପୂଜା କରାଯାଇଥାଏ । 
ସେହି ମୟୁରେଶ୍ବରଙ୍କୁ ଆଜି ସ୍ଥାନୀୟ ଲୋକେ ମୋରେଶ୍ବର କହୁଛନ୍ତି । କୁହାଯାଏ ବାମନଭଟ ଏବଂ ପାର୍ଵତୀ ଦେଈଙ୍କୁ ଏହି ମୋରେଶ୍ବରଙ୍କ କୃପାରୁ ପୁତ୍ରଲାଭ ହୋଇଥିଲା । ପରମ୍ପରା ଅନୁସାରେ​ ନିଜ ଆରାଧ୍ୟ ଦେଵତାଙ୍କ ନାମନୁଯାୟୀ ବାମନଭଟ ନିଜ ପୁତ୍ରର​ ନାମ ମୋରୟା ରଖିଲେ । ମୋରୟା ମଧ୍ଯ ଵାଲ୍ୟକାଳରୁ ଗଣପତି ଭକ୍ତ ହେଲେ ! ସେ ଥେରୁର ଅଞ୍ଚଳକୁ ଯାଇ ସେଠାରେ କଠୋର​ ତପ କରି ଶେଷରେ ସିଦ୍ଧାଵସ୍ଥା ଲାଭକଲାରୁ ତାଙ୍କୁ ଶ୍ରୀଗଣେଶଙ୍କର ପ୍ରତ୍ୟକ୍ଷ ଅନୁଭୂତି ହେଲା । ସେଇଦିନଠାରୁ ତାଙ୍କର ମୋରୟା ଵା ମୋରୋବା ଗୋସାଵୀ ନାମରେ ଖ୍ୟାତି ହୋଇଗଲା ।

ମୋରୟା ଗୋସାଵୀ ଵେଦ-ଵେଦାଙ୍ଗ,
ପୁରାଣୋପନିଷଦର ଗହନ ଶିକ୍ଷାପ୍ରାପ୍ତ କରି ଯୁଵାଵସ୍ଥାରେ ହିଁ ଗୃହସ୍ଥ-ସନ୍ଥ ହୋଇଗଲେ ।
ମାତା-ପିତାଙ୍କ ସ୍ଵର୍ଗଵାସ ପରେ ସେ ପୁଣେ ସନ୍ନିକଟ ପଵନା ନଦୀ କୂଳେ ଚିଞ୍ଚଵଡ୍‌ରେ ଆଶ୍ରମ ସ୍ଥାପନ କରି ଶ୍ରୀଗଣେଶଙ୍କର ଆରାଧନା ଆରମ୍ଭ କଲେ ।

ଦେଶରେ ତାଙ୍କର ଖ୍ୟାତି ଆହୁରି ବଢି଼ଲା ।
ସମର୍ଥ ରାମଦାସ ଏଵଂ ସନ୍ଥ ତୁକାରାମ ବହୁତ ଥର ଚିଞ୍ଚଵଡ୍ ଆସି ମୋରୟା ଗୋସାଵୀଙ୍କ ସହ ସମ୍ମିଳିତ ଧର୍ମଚର୍ଚ୍ଚା କରୁଥିଵା ପ୍ରଵାଦ ରହିଛି ।

ପ୍ରଶିଦ୍ଧ ଗଣପତି ଭଜନ
“ସୂଖକର୍ତ୍ତା-ଦୁଃଖହର୍ତ୍ତା ଵାର୍ତ୍ତା ଵିଘ୍ନାଚୀ”ର ରଚନା କଵି ସମର୍ଥ ରାମଦାସ ଚିଞ୍ଚଵଡ୍‌ର ଏହି ସିଦ୍ଧକ୍ଷେତ୍ରରେ ମୋରୟା ଗୋସାଵୀଙ୍କ ସାନ୍ନିଧ୍ୟରେ ହିଁ କରିଥିଲେ !!!

ମୋରୟା ଗୋସାଵୀ ହିଁ ଅଷ୍ଟଵିନାୟକ ଯାତ୍ରାର ପ୍ରଵର୍ତ୍ତକ ବୋଲି ଲୋକବିଶ୍ବାସ ରହିଛି । ସେ ଅଷ୍ଟଵିନାୟକ ଯାତ୍ରା ମୋରଗାଁଵର ମୟୁରେଶ୍ବର ମନ୍ଦିରରୁ ଆରମ୍ଭ କରିଥିଲେ,ଆଜି  ମଧ୍ଯ ସେହି ଧାରା ଅଵଲମ୍ବନ ପୂର୍ଵକ ସେହିଠାରୁ ଅଷ୍ଟଵିନାୟକ ଯାତ୍ରା ହୋଇଥାଏ ।

ଆଉ ଏକ ମତ ଅନୁଯାୟୀ ମୋରୟା ଶବ୍ଦଟି ମୋରୟା ଗୋସାଵୀଙ୍କ ନାମରୁ ନୁହେଁ ଵରଂ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟ ବୋଲି କୁହାଯାଏ  । ମୋର୍ ଏଵଂ ୟା 
ଶବ୍ଦ ଯୁକ୍ତ ହୋଇ ମୋରୟା ହୋଇଛି ବୋଲି କିଛି ଲୋକ ମତ ଦିଅନ୍ତି ।

ସେମାନଙ୍କ ଅନୁସାରେ ମରାଠୀ ଭାଷାରେ 
 ମୋରୟା ଅର୍ଥ ହେଉଛି come ahead(And bless us) ଆଉ କିଛି ଭାଷାବିଦ ମରାଠୀ ଶବ୍ଦ “ମ୍ହୋର୍ ୟା” ଅପଭ୍ରଂଶ ହୋଇ ମୋରୟା ହୋଇଥିଵା ଅନୁମାନ କରନ୍ତି ! ମ୍ହୋର ୟା ର ଶବ୍ଦିକ ଅର୍ଥ ହେଉଛି Go ahead  ( ଯାଉଛ ଯଦି ଯା ....ଆର ବରଷକୁ ଜଲଦୀ ଆ)

ସେ ଯାହା ହେଉ ଆଜି ଗଣପତିଙ୍କ ସହ ମୋରୟା ଶବ୍ଦ ଟି ଯୋଡ଼ି ହୋଇସାରିଛି ଏଵଂ ବୋଧହୁଏ ଆଗକୁ ମଧ୍ଯ ରହିବ । 


ଏଣେ ଓଡ଼ିଶାରେ ଆମର ଅନେକ ଲୋକେ ଗଣେଶଙ୍କ ନାମକୁ କେମିତି ଲେଖିଵେ ତାହା ଠିକ୍‌ରେ ଜାଣିନାହାନ୍ତି । 
କିଏ ଗଣେସ ଲେଖୁଛି ତ କିଏ ଗଣେଷ କିନ୍ତୁ ପ୍ରକୃତରେ 
ଗଣେଶ,ଗଣେଷ ଓ ଗଣେସ କେଉଁ ଶବ୍ଦଟି ଠିକ୍ ?

ଲୋକଙ୍କ ମନରେ ବଡ଼ ଶଙ୍କା ଯେ ଗଣପତିଙ୍କର ନିମ୍ନଲିଖିତ ନାମ ମଧ୍ୟରେ କେଉଁଟି
ଠିକ୍ ...

🔵ଗଣେଶ
🟡ଗଣେସ
🟤ଗଣେଷ

ପ୍ରାୟ ସମସ୍ତ ଶବ୍ଦକୋଷରେ ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ “ଗଣ+ଈଶ=ଗଣେଶ”
ହୋଇଥିବା ଉଲ୍ଲେଖ ରହିଛି
କିନ୍ତୁ ଏହି ଉତ୍ତର ଶୁଣିଲାପରେ କିଛି ଲୋକ ପ୍ରଶ୍ନ କରିପାରନ୍ତି 

ଗଣ ଶବ୍ଦରେ ଈଶ ହିଁ କାହିଁକି ଲାଗିପାରିବ ?
ଯେହେତୁ ଆମ ଭାଷାରେ ତଥାକଥିତ ତିନୋଟି “ଶଷସ” ଵର୍ଣ୍ଣ ହୋଇଯାଇଛି ତେବେ ‘ଗଣ’ ଶବ୍ଦ ସହ ଇସ,ଈସ୍,ଇଷ,ଈଷ,ଇଶ ଓ ଇଶ୍
ଆଦି ଶବ୍ଦ ଯୋଡାଯାଇ ଗଣେଷ କି ଗଣେସ
ଶବ୍ଦ ନିଷ୍ପନ୍ନ ହୋଇପାରିଵ ନାହିଁ କି ?

ପ୍ରୋକ୍ତ ସମସ୍ତ ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦି ଶବ୍ଦ ଗୁଡିକର ଅର୍ଥ ତର୍ଜମା କରି ଦେଖାଯାଉ ଯେ ପ୍ରକୃତରେ ତନ୍ମଧ୍ୟରୁ କେଉଁଟି
ଗଣେଶ ଶବ୍ଦ ମଧ୍ୟରେ ଲୁକ୍କାୟିତ ରହିଛି ...

⚫ଇଶ୍
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଏକ କ୍ରିୟାଶବ୍ଦ “ଇଶ୍ ଇଶ୍ କରିଵା” ର ଅର୍ଥ ଘୃଣାକରିଵା,ଦେହ ଅସୁସ୍ଥ ଜନିତ କଷ୍ଟବୋଧ ପ୍ରକାଶକ ଧ୍ଵନି,ସିଟି ମାରିଵା ଇତ୍ୟାଦି

⚫ଇଶ→
ଇଶ ବୋଲି ଏକ ପ୍ରାଦେଶିକ ଶବ୍ଦର ଭାଷାକୋଷରେ ଉଲ୍ଲେଖ ରହିଛି ଯାହାର ଅର୍ଥ ପରିହାସ, ଇଙ୍ଗିତ ଓ ଥଟ୍ଟା ଅଟେ ।

⚫ଈଶ୍
ତତ୍ସମ ଈଶ୍ ମୂଳଶବ୍ଦର ଅର୍ଥ ଈଶ୍ଵର ଏଵଂ ଏହା 
ଈଶ୍ ଧାତୁରୁ  ଆଧିପତ୍ୟ କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି । 

⚫ଈଶ
“ଈଶ”  ଵିଶେଷ୍ୟ ଶବ୍ଦର ଅର୍ଥ
ପତି;ସ୍ଵାମୀ,ପ୍ରଭୁ,ଈଶ୍ଵର,ଶିଵ,ରାଜା,ନିୟନ୍ତା,ରକ୍ଷକ
ସେହିପରି “ଈଶ” ଶବ୍ଦର ଵିଶେଷଣ ଅର୍ଥ ଶ୍ରେଷ୍ଠ ଓ ସମର୍ଥ

⚫ଇଷ୍
 ଓଡ଼ିଆ ଭାଷାରେ ଇଷ୍ ବୋଲି କୌଣସି ଶବ୍ଦ ନଥିଵା ଜଣାଯାଏ ତେବେ ଏକ ସଂସ୍କୃତ ଧାତୁଶବ୍ଦ “ଇଷ୍ ଧାତୁ” ରହିଛି ଯହିଁରୁ ଗମନ କରିଵା, ବାଞ୍ଛା କରିଵା, ଇଛା କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଅଛି । 

⚫ଇଷ
ଆଶ୍ଵିନ ମାସକୁ ଇଷ କୁହାଯାଏ ଏହା ଇଷ୍ ଧାତୁରୁ ନିଷ୍ପନ୍ନ ହୋଇଅଛି ।  ଏ ସମୟରେ ଜିଗୀଷୁମାନେ ଯୁଦ୍ଧ ଵିରୋଧ ରେ ଯୁଦ୍ଧଯାତ୍ରା କରୁଥିଲେ ତେଣୁ ମାସର  ଏଭଳି ନାମକରଣ  । ଲଙ୍ଗଳ କୁ ଜୁଆଳି ସଙ୍ଗେ ଲଗାଇଵାର ଲମ୍ଵ କାଠକୁ ମଧ୍ୟ ଇଷ କୁହାଯାଏ । 

⚫ଈଷ୍ ଧାତୁ
ସଂସ୍କୃତ ଧାତୁ ଶବ୍ଦ ଈଷ୍ ଧାତୁକୁ ଆଘାତ କରିଵା, ଗତି କରିଵା, ଯିଵା ଆଦି ଅର୍ଥ ଘେନି ଶବ୍ଦ ନିଷ୍ପନ୍ନ ହୋଇଥାଏ । 

⚫ଈଷ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଈଷ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୮ ଦେଖ) 
କିନ୍ତୁ କଳ୍ପଦ୍ରୁମ ଓ ହିନ୍ଦୀ ଶବ୍ଦ ସାଗରରେ
ଏହି ଶବ୍ଦର ତିନି ଗୋଟିଏ ଅର୍ଥର ଉଲ୍ଲେଖ ରହିଛି
ଆଶ୍ଵିନ ମାସ,ମନୁଙ୍କର ଦଶପୁତ୍ରଙ୍କ ମଧ୍ୟରେ ଜଣେ,ଶିଵଙ୍କର ଏକ ଗଣର ନାମ । 

⚫ଇସ୍
୧.କଷ୍ଟ,ଘୃଣା ଓ କ୍ଳାନ୍ତି ସୂଚକ ଅଵ୍ୟୟ
୨.ରୋଗ ଵା ପରିଶ୍ରମ ଜନିତ କ୍ଲେଶ ସୂଚକ ଧ୍ଵନି
୩.ଵିଦୃପ ଵା ଵ୍ୟଙ୍ଗ ସୂଚକ ଧ୍ଵନି

⚫ଇସ
ଭାଷାକୋଷରେ ଇସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୨ ଦେଖ)

⚫ଈସ
ଭାଷାକୋଷ କିମ୍ବା କଳ୍ପଦ୍ରୁମ ଆଦି ଶବ୍ଦକୋଷରେ ଈସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ

ଉପରୋକ୍ତ ସମସ୍ତ  ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦିର ଅର୍ଥ ଗୁଡି଼କୁ ଅନୁଧ୍ୟାନ କରି ଦେଖିଲାପରେ
ଆମକୁ ତନ୍ମଧ୍ୟରୁ କେଵଳ ଗୋଟିଏ “ଈଶ”
ହିଁ “ଗଣ” ଶବ୍ଦ ସହିତ ଜଡି଼ତ ରହିଥିଵାର ସ୍ପଷ୍ଟ ଵିଶ୍ଵାସ ହେଉଅଛି ।

ଚାଲନ୍ତୁ ଏବେ ଗଣେଶ ଶବ୍ଦକୁ ଆମେ ସୂକ୍ଷ୍ମଭାବେ ଵ୍ୟାଖ୍ୟା କରି ଦେଖିଵା ଯେ ପ୍ରକୃତରେ ଭଗଵାନଙ୍କର ଏକନାମ ଗଣେଶ କାହିଁକି ରଖାଗଲା ।  ଆମ୍ଭମାନେ ଜାଣନ୍ତି ଯେ ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ ‘ଗଣ’ ଶବ୍ଦ ସହ ‘ଈଶ’ ଯୋଡି଼ହୋଇ ଗଣେଶ ଶବ୍ଦ ହେଲା ।

ଗଣ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୁପ ଗଣ୍ ଧାତୁ ଯାହାର―ଗଣିବଳଵା,ଵିଵେଚନା କରିଵା,ସୁମାରି କରିଵା,ମିଶାଇଵା ଇତ୍ୟାଦି ଅର୍ଥରେ ଵ୍ୟଵହାର କରଯାଇ ଅନ୍ୟ ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଣ ଶବ୍ଦର ଅନେକ ଅର୍ଥ ଉଲ୍ଲେଖ କରାଯାଇଛି ଯଥା— 

🔵ସମୂହ,ପଞ୍ଝା;ଦଳ;ପଲ
🔵ପାଟକ;ଜାତି
🔵ଏକଜାତୀୟ ବହୁସଂଖ୍ୟକ ଜୀଵ(Flock)
🔵ଶ୍ରେଣୀ
🔵ଚତୁରଙ୍ଗ ସେନାଵିଶେଷ(୨୭ ହସ୍ତୀ,୨୭–ରଥ, ୮୧-ଅଶ୍ୱ,୧୩୫-ପଦାଦିକ[ସୈନିକ] ସମ୍ୱଳିତ ସେନା)
🔵ସ୍ୱପକ୍ଷ; ସ୍ୱଜାତୀୟ ବହୁଲୋକ
🔵ଅନୁଚରଙ୍କ ଦଳ
🔵ଗଣନା
🔵(ଗଣିତ) ସଂଖ୍ୟା
🔵ଦେଵତା ଓ ରାଜାଦିଙ୍କ ଅନୁଚରବର୍ଗ,
🔵ପ୍ରମଥଗଣ; ଶିଵଙ୍କ ଅନୁଚର ସେନାଦଳ(ଏମାନଙ୍କ ସେନାପତି ଗଣେଶ)
🔵ସଂସ୍କୃତ ଧାତୁମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ଵା ପୁଞ୍ଜ(ଯଥା—ଭ୍ୱାଦିଗଣ, ଅଦାଦି ଓ ତାନାଦି/ସଂସ୍କୃତ ଧାତୁମାନଙ୍କର ଆଦର୍ଶ ଧାତୁ ନାମରେ ଗଣମାନଙ୍କର ନାମକରଣ ହୁଏ)
🔵ଏକ ଉଦ୍ଦେଶ୍ୟରେ ଗଠିତ ଦଳ, ସମାଜ ଵା ସଭା,କମ୍ପାନୀ; ସଂଘ,ପ୍ରଥମ ସମ ଵା ତାଳଠାରୁ କୌଣସି ରାଗର ମିଶ୍ରଣକୁ ପୃଥକ୍ କରିଵା ତିନୋଟି ସ୍ୱରର ସମଷ୍ଟି(ସଙ୍ଗୀତ)
🔵ଦେଵ, ମନୁଷ୍ୟ ଓ ଅସୁର ଏହିପରି ତିନି ଶ୍ରେଣୀରେ ଵିଭକ୍ତ ହୋଇଥିଵା ନକ୍ଷତ୍ରମାନଙ୍କର ଏକ ଶ୍ରେଣୀ,
🔵ଗଣେଶଙ୍କର ନାମ ଵିଶେଷ
🔵ଶ୍ଳୋକର ପାଦ ଇତ୍ୟାଦି

ସେହିପରି “ଈଶ”[ଈଶ୍ ଧାତୁ(ଆଧିପତ୍ୟ କରିବା)] ଵିଶେଷ୍ୟ ଶବ୍ଦର ଅର୍ଥ

⚫ପତି;ସ୍ଵାମୀ
⚫ପ୍ରଭୁ
⚫ଈଶ୍ଵର
⚫ଶିବ
⚫ରାଜା
⚫ନିୟନ୍ତା
⚫ରକ୍ଷକ
⚫ଶ୍ରେଷ୍ଠ
⚫ସମର୍ଥ

ତାହେଲେ ଗଣେଶ ଶବ୍ଦଟିକୁ ଉପର ଵର୍ଣ୍ଣିତ ଅର୍ଥ ଆଧାରରେ ଵ୍ୟାଖ୍ୟା କଲେ କେମିତି କେମିତି ଅର୍ଥ ମିଳିଵ...

🟠ମାନବ ଜାତି,ସମୂହ,ଦଳଙ୍କର ଯେ ରକ୍ଷକ, ସେ ପ୍ରଭୂ ଇଶ୍ଵର ଶ୍ରୀଗଣେଶ
🟠ଶିଵଙ୍କର ଅନୁଚର ସେନାଦଳ ପ୍ରମଥଗଣଙ୍କର ଯେ ପ୍ରଭୂ ପ୍ରଭୂ,ସ୍ଵାମୀ,ରାଜା ଓ ନିୟନ୍ତା
🟠ଯେ ଶିଵଙ୍କ ପରି, ଶିଵଙ୍କର ଉତ୍ତରାଧିକାରୀ ଶକ୍ତି ପ୍ରାପ୍ତ ଦେଵ ସେ ହିଁ ଗଣନାଥ ଗଣେଶ ଅଟନ୍ତି

ହେଲେ ଶ୍ରୀଗଣେଶଙ୍କର ଗଣପତି ,ଗଣେଶ ଭଳି ଆହୁରି ସହସ୍ରାଧିକ ନାମ ରହିଛି । ନିମ୍ନରେ ଭଗଵାନ ଶ୍ରୀଗଣେଶଙ୍କର କେତେକ ଜଣାଶୁଣା ନାମ ଉଲ୍ଲେଖ କରାଗଲା । 

🔴ଗଣାଧ୍ଯକ୍ଷ – ସବୁ ଗଣଙ୍କ ଅଧକ୍ଷ
🔴ଗଣପତି – ସବୁ  ଗଣଙ୍କ ପତି
🔴ଗୌରୀସୁତ – ମାତା ଗୌରୀଙ୍କ ପୁତ୍ର
🔴ଲମ୍ବକର୍ଣ୍ଣ – ବଡ଼ କାନ ଥିଵା ଦେଵ
🔴ଲମ୍ବୋଦର – ବଡ଼ ପେଟ ଯାହାଙ୍କର
🔴ମହାବଳ – ଅତ୍ଯଧିକ ବଳଶାଳୀ
🔴ମହାଗଣପତି – ଦେଵାଦିଦେଵ
🔴ମଙ୍ଗଳମୂର୍ତ୍ତି – ସବୁ ଶୁଭ କାର୍ଯ୍ୟର ଦେଵ
🔴ମୂଷକଵାହନ – ଯାହାଙ୍କର ଵାହନ ମୂଷା
🔴ବୁଦ୍ଧିନାଥ – ବୁଦ୍ଧିର  ଭଗଵାନ
🔴ଧୂମ୍ରଵର୍ଣ୍ଣ – ଯାହାଙ୍କର ଵର୍ଣ୍ଣ ଧୂମ୍ରର‌ ରଙ୍ଗ ଭଳି
🔴ଏକାକ୍ଷର – ଏକ ଅକ୍ଷର
🔴ଏକଦନ୍ତ – ଏକ ଦନ୍ତ ଯୁକ୍ତ ଦେଵ
🔴ଗଜକର୍ଣ୍ଣ –ଗଜ ଵା  ହାତୀ ପରି କର୍ଣ୍ଣ ଯାହାଙ୍କର
🔴ଗଜାନନ – ହାତୀ ପରି ମୁଖ ଯାହାଙ୍କର
🔴ଗଜଵକ୍ତ୍ର – ହାତୀଙ୍କ ପରି ମୁଖ ଯୁକ୍ତ ଦେଵ
🔴ଦେଵାଦେଵ – ସବୁ ଭଗଵାନଙ୍କ ମଧ୍ୟରେ ସର୍ଵୋପରି
🔴ଦେଵାନ୍ତକନାଶକାରୀ – ଦେଵତାଙ୍କୁ ରାକ୍ଷସଠାରୁ ରକ୍ଷା କରିଥିଵାରୁ
🔴ଦେଵଵ୍ରତ – ସମସ୍ତଙ୍କର ତପସ୍ଯା ସ୍ଵୀକାର କରୁଥିଵା ଦେଵ
🔴ଦେଵେନ୍ଦ୍ରାଶିକ – ସବୁ ଦେଵତାଙ୍କ ରକ୍ଷାକର୍ତ୍ତା
🔴ଏକଦଂଷ୍ଟ୍ର – ଏକ ଦନ୍ତଧାରୀ ଦେଵ
🔴ଈଶାନପୁତ୍ର – ଭଗଵାନ ଶିଵଙ୍କ ପୁତ୍ର
🔴ଅମିତ – ଅତୁଳନୀୟ ପ୍ରଭୁ
🔴ଅନନ୍ତଚିଦରୁପମ – ଅନ୍ତତ ଚିଦ୍ ଵା ଚେତନା ରୂପ ଯାହାଙ୍କର
🔴ଅଵନୀଶ – ସାରା ଅଵନୀ ଵିଶ୍ଵର ପ୍ରଭୁ
🔴ଅଵିଘ୍ନ – ବାଧା ହରଣକାରୀ ଈଶ୍ଵର
🔴ବୁଦ୍ଧିପ୍ରିୟ – ବୁଦ୍ଧି ଦାତା ଭଗଵାନ
🔴ବୁଦ୍ଧିଵିଧାତା – ବୁଦ୍ଧିର ଵିଧାତା ଦେଵ
🔴ନିଦୀଶ୍ଵରମ – ଧନ ଓ ନିଧିର ଦାତା
🔴ପ୍ରଥମେଶ୍ଵର – ସବୁ ଦେଵଙ୍କ ମଧ୍ୟରେ ପ୍ରଥମ
🔴ଶୂପକର୍ଣ୍ଣ – ବଡ଼ କାନ ଯେଉଁ ଦେଵଙ୍କର
🔴ସିଦ୍ଧିଦାତା – ଇଚ୍ଛା ପୂରଣକାରୀ ଓ ଅଵସର ପ୍ରଦାତା ଦେଵ
🔴ସିଦ୍ଧିଵିନାୟକ – ସଫଳତାଦାତା ଦେଵ 
🔴ସୁରେଶ୍ଵରମ – ଦେଵଙ୍କର ଦେଵ
🔴ଵକ୍ରତୁଣ୍ଡ – ତୁଣ୍ଡ ଯେଉଁ ଦେଵଙ୍କର ଵକ୍ର
🔴ଅଖୂରଥ – ଯାହାଙ୍କର ସାରଥୀ ମୂଷା
🔴ଗଣାଧ୍ଯକ୍ଷିଣ – ସବୁ ଗଣଙ୍କ ନେତା
🔴କଵୀଶ – କବିମାନଙ୍କର  ସ୍ଵାମୀ
🔴ଵରଦଵିନାଯକ – ସଫଳତାର  ସ୍ଵାମୀ
🔴ଵୀରଗଣପତି – ଵୀର ପ୍ରଭୁ
🔴ଵିଦ୍ଯାଵାରିଧି – ବୁଦ୍ଧିର ଦେଵ
🔴ଵିଘ୍ନହର – ବାଧାଗୁଡି଼କୁ ଦୂର କରୁଥିଵା ଦେଵ
🔴ଵିଘ୍ନହର୍ତ୍ତା – ଵିଘ୍ନ ହରଣକାରୀ ଈଶ୍ଵର 
🔴ଵିଘ୍ନଵିନାଶନ – ବାଧାଗୁଡି଼କର ନାଶ କରିପାରୁଥିଵା ଦେଵ
🔴ଵିଘ୍ନରାଜ – ସବୁ ବାଧାଵିଘ୍ନର ସ୍ଵାମୀ
🔴ଵିଘ୍ନରାଜେନ୍ଦ୍ର – ସବୁ ବାଧାଗୁଡି଼କର  ଭଗଵାନ
🔴ଵିଘ୍ନଵିନାଶାୟ – ବାଧା ନାଶକ ଠାକୁର
🔴ଵିଘ୍ନେଶ୍ଵର – ଵିଘ୍ନଗୁଡି଼କର ଭଗଵାନ
🔴ସିଦ୍ଧିପ୍ରିୟ – ଇଚ୍ଛାପୂର୍ତି କରୁଥିଵା ଭଗଵାନ
🔴ଉମାପୁତ୍ର – ପାର୍ବତୀଙ୍କ ପ୍ରିୟ ପୁତ୍ର
🔴ଵରଗଣପତି – ଅଵସରପ୍ରଦାତା ସ୍ଵାମୀ
🔴ରୁଦ୍ରପ୍ରିଯ – ଭଗଵାନ ଶିଵଙ୍କ ପ୍ରିୟପୁତ୍ର
🔴ଵିନାୟକ – ସମସ୍ତଙ୍କ ନାୟକ, ଭଗଵାନ
🔴ଵିଶ୍ଵମୁଖ – ବ୍ରହ୍ମାଣ୍ଡର ଗୁରୁ

ଭଗଵାନ ଶ୍ରୀଗଣେଶଙ୍କର ଏହିପରି ଆହୁରି ସହସ୍ରାଧିକ ନାମ ରହିଛି । ସେହି କଵୀଶ - ଶ୍ରୀଗଣେଶ ଯିଏ କବିମାନଙ୍କର  ସ୍ଵାମୀ ତାଙ୍କର ବନ୍ଦନା ହଜାର ହଜାର କଵି କରିଯାଇଛନ୍ତି । ଓଡ଼ିଆ ଭାଷାର ଆଦିକଵି ସାରଳା ଦାସ ମଧ୍ୟ ସାରଳା ମହାଭାରତର ଉଦଯୋଗ ପର୍ଵରେ ଭଗଵାନଙ୍କର ଏମନ୍ତ ବନ୍ଦନା କରିଅଛନ୍ତି ...

                  ●ଗଣେଶ ବନ୍ଦନା●
ଜୟତୁ ଦଧିବାମନ ପ୍ରସନ୍ନେ ରୁଦ୍ର ଦେଵତା
ମଙ୍ଗଳ ଵିଘ୍ନରାଜ ଭୂତ ଭଵିଷ୍ୟ ଜ୍ଞାତା ।୧।

ମଙ୍ଗଳ ସଦାନନ୍ଦ ଦେଵ ଲମ୍ଵୋଦର
ସପତ ସିନ୍ଧୁ ଗୋପ୍ୟଗଲା ଯାହାର ଉଦର ।୨।

ମଙ୍ଗଳ ପରମବ୍ରହ୍ମ ସରୂପ ଵୀଣାୟେକ
ପାଶ ଅଂକୁଶ ଗଜଵଦନ ଅଟ ତ୍ରିୟମ୍ଵକ ।୩।

ମେରୁ ତତ୍ତୁଲ୍ୟ ଯାହାର କିଞ୍ଚିତ ଵେନି ଆଖି
ଅଵନିକେ ଚାହିଁଲେ ତୁ ଯେ କୋଟି ବ୍ରହ୍ମାଣ୍ଡ ଦେଖି ।୪।

ଡିବି ଡିବି ବଜାଇ ଯାହାର ଡାକି ଡମ୍ବୁରୁ
ହୃଦେ ପଇତା ଯାହାର ଅନନ୍ତ ନାଗ ଫେରୁ ।୫।

ସ୍ଵାମୀ ତ୍ରିପୁର ଵଧଗଲା ଯାହାର ବୁଦ୍ଧିବଳେ
ଵିନୟେ ଅନୁଵ୍ରତେ ନାଥ ମୁଁ ତୁମ୍ଭର ପାଦତଳେ ।୬।

ଲଙ୍ଗଟ ଭ୍ରୁଙ୍ଗଟ ଯେ ଵିକଟ ଵକ୍ରନାଟେ
ମହାଭରହ ତାଣ୍ଡଵ ଆରୋପଣ ସଙ୍କଟେ ।୭।

ଶ୍ରୀ ବିଘ୍ନରାଜ ଶ୍ରୀ ଚରଣ କମଳେ
ମମ ଚିତ୍ତ ଭଜି ହୋ ତହିଁ ରହୁ ଭ୍ରସଳେ ।୮।

ଵ୍ୟାସଙ୍କର ସ୍ରିଜନେ ଦେଵ ପ୍ରସନ୍ନ ଵିଘ୍ନରାଜ
କରଣ ହୋଇ ଲେଖନ କଲୁଟି ଅଇଶୁର୍ଯ୍ୟ ।୯।

ୟେ ସଂସାର ମଧ୍ୟେ ମୁହିଁ ଦେଖିଲି ସେ ସରୂପ
ତୁହି ସେ ହରନ୍ତା ଦେଵ କଳିକାଳ ଦର୍ପ ।୧୦।

କଳିଯୁଗ ବଞ୍ଚନ୍ତା ନାଥ ପ୍ରସନ୍ନେ ପରମଯୋଗୀ
ଦିନକର ଵିଵାଦେଣ ତୁ କାଳସର୍ପ ଭାଞ୍ଜି ।୧୧।

ସଦୟେ ନାରାୟଣ ତୁ ପ୍ରସନ୍ନେ ରୁଦ୍ରକାଶୀ
ଶୁଦ୍ରମୁନି ସାରଳା ଦାସ ତଲୟେ ଅଭ୍ୟାସି ।୧୨।

                        -----×-----

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...