Tuesday, September 7, 2021

ଓଡ଼ିଶାର ନିଆରା ବାଡି଼ଡିଆଁ, ବାଡି଼ ଡେଗେନ୍ ,ଦହିବାଡି଼ ଵା ବାଡି଼ ଡେଙ୍ଗାନୀ ଖେଳ

ବାଡି଼ଡିଆଁ ଖେଳ ଓଡ଼ିଶାର ଏକ ପାରମ୍ପରିକ ମୁକ୍ତପ୍ରାଙ୍ଗଣର କ୍ରୀଡ଼ା। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବାଡି଼ଡିଆଁ ଖେଳକୁ ବାଡ଼ିଡେଗେନ୍ କୁହାଯାଉଥିଵା ବେଳେ ନୂଆପଡ଼ା ଜିଲ୍ଲାରେ ଏ ଖେଳକୁ ବାଡି଼ ଡେଙ୍ଗାନୀ କୁହାଯାଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।‌ ପୂର୍ଵାଞ୍ଚଳରେ
 ଏ ଖେଳକୁ ଦହିବାଡି଼ କୁହାଯାଉଥିଵା ଜଣାଯାଏ ।  ତେବେ ଢେଙ୍କାନାଳରେ ଏହି ଖେଳକୁ ବାଡି଼ଡିଆଁ କୁହାଯାଏ । 

ସାଧାରଣତଃ ଏହି ଖେଳଟି ପିଲାମାନଙ୍କର ଖେଳ ଏଵଂ ପାଞ୍ଚ ଵର୍ଷରୁ ଆରମ୍ଭ କରି ତେର ଚଉଦ ଵର୍ଷ ଵୟସ ପର୍ଯ୍ୟନ୍ତ ଉଭୟ ପୁଅପିଲା ଓ ଝିଅପିଲା ବାଡି଼ଡିଆଁ , ବାଡି଼ଡେଗେନ୍ ଵା ବାଡି଼ ଡେଙ୍ଗାନୀ ଖେଳରେ ଅଂଶଗ୍ରହଣ କରିଥାନ୍ତି । ଏହି ଖେଳ ଗାଁ ଦାଣ୍ଡ ଓ ପଡି଼ଆ ଆଦିରେ ଖେଳାଯାଏ । 

 ଏହି ଖେଳରେ ଖେଳାଳୀ ସଂଖ୍ୟାରେ କୌଣସି ନିର୍ଦ୍ଧିଷ୍ଟତା ନଥାଏ ଏଵଂ ଅତିକମରେ ପାଞ୍ଚ ଛଜଣ ଖେଳାଳି ନେହେଲେ ଖେଳରେ ମଜା ଆସେନାହିଁ । ଏହି ଖେଳରେ ଖେଳାଳୀମାନେ କ୍ରୀଡ଼ା ଉପକରଣ ଭାବରେ ପ୍ରତ୍ୟେକେ ଗୋଟିଏ ଗୋଟିଏ ବାଡ଼ି ଵ୍ୟଵହାର କରିଥାନ୍ତି। ଫଳତଃ ଏହାର ନାମ ବାଡ଼ି ଡିଆଁ ,ବାଡ଼ି ଡେଗେନ୍ ଵା ବାଡି଼ ଡେଙ୍ଗାନୀ ହୋଇଅଛି ।

 ବାଡ଼ି ଶବ୍ଦ ସହ ଡିଆଁ , ଡେଗେନ୍ ତଥା ଡେଙ୍ଗାନୀ ଶବ୍ଦ ଯୁକ୍ତ କରାଯାଇ ଏହି ଖେଳର ନାମ ବାଡି଼ଡିଆଁ , ବାଡି଼ଡେଗେନ୍ ଓ ବାଡି଼ଡେଙ୍ଗାନୀ ରଖାଯାଇଛି । 
 
ବାଡ଼ି ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଛୋଟ ବଗିଚା, କ୍ଷେତ,କିଆରି,ଗୃହସଂଲଗ୍ନ ଭୂମି,ଗୃହର ପଛପଟରେ ଥିଵା ଗୃହସଂଲଗ୍ନ ଭୂମି ଆଦି ଅର୍ଥରେ ଵ୍ୟଵହୃତ ବାଡି଼ ଵା ବାରି ଶବ୍ଦଟି ତତ୍ସମ ଵାଟିକା ସହିତ ସମୋଦ୍ଧୃତ । ହଇଜା ଵା ଓଲାଉଠାକୁ ଆମ ଭାଷାରେ ବାଡ଼ି କୁହାଯାଉଥିଲା ବୋଧହୁଏ ପୂର୍ଵକାଳରେ 
ଲୋକେ ବାରିଆଡୁ଼ ଝାଡା଼ ଫେରିଵାପରେ ଏ ରୋଗ ଧରୁଥିଵାରୁ ଏଭଳି ନାମକରଣ ହୋଇଥିଲା । ଏହିପରି ବାଡ଼ି ଶବ୍ଦ ଆହୁରି ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । 
ମାତ୍ର ଯଷ୍ଟି ଅର୍ଥରେ ଵ୍ୟଵହୃତ ବାଡ଼ି 
ଶବ୍ଦଟି ତତ୍ସମ “ବାଟ” ଶବ୍ଦ ସହ ସମ୍ବନ୍ଧିତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ତତ୍ସମ ବାଟ ଶବ୍ଦର ଏକ ଅର୍ଥ ବାଡ଼,ଵେଷ୍ଟନ । ଓଡ଼ିଆ ଭାଷାରେ ମଧ୍ୟ ବାଡ଼ ଶବ୍ଦଟି ଵିଶେଷ ଭାବେ ଏହି ଅର୍ଥରେ ଵ୍ୟଵହୃତ ହୋଇଥାଏ । ଯାହା ବାଡ଼ରେ ଵ୍ୟଵହାର କରାଯାଇ ପାରେ ତାକୁ ବାଡ଼ି କୁହାଯାଇଥିଵା ସମ୍ଭଵ । 

ସେହିପରି ଓଡ଼ିଆ ଭାଷାର ଡେଗିଵା,ଡେଙ୍ଗିଵା,ଡେଇଁଵା ଆଦି ଦେଶଜ କ୍ରିୟା ସାଧାରଣତଃ ଲମ୍ଫପ୍ରଦାନ କରିଵା,କୁଦିଵା ଅର୍ଥରେ ଵ୍ୟଵହାର ହୋଇଥାଏ ।

ଖେଳାଳିମାନେ ନିଜ ନିଜର ବାଡ଼ିକୁ କିଛି ଦୂର ଏକ ସିଧାରେ ରଖି ଦୂରରୁ ଦୌଡ଼ି ଆସି ନିଜ ବାଡ଼ି ଉପରେ ପାଦ ପକାଇ ଡେଉଁଥିଵାରୁ ଏହି ଖେଳର ନାମ ବାଡି଼ଡିଆଁ,ବାଡି଼ଡେଗେନ୍ ଓ ବାଡି଼ ଡେଙ୍ଗାନୀ ଆଦି ହୋଇଅଛି ।

 ଏ ଖେଳର ନିୟମ ସହଜ ହେଲେହେଁ ସ୍ଥଳଵିଶେଷରେ ସାମାନ୍ୟ ଭିନ୍ନ ଭିନ୍ନ ହୋଇଥାଏ । 
 
ପ୍ରଥମେ ସରିଗାରଟିଏ ଟାଣି ତାହାଠୁ ପଚାଶ ଷାଠିଏ ଫୁଟ ଦୂରତାରେ ଆଉ ଗୋଟିଏ ଗାର ‘‘ପାଟ୍ ଗାର’’ ଵା ମୁଖ୍ୟ ଗାର ଟାଣିଥାନ୍ତି, ତେବେ, ଏହି ଦୂରତା ଖେଳାଳୀଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ । ଜଣେ ଖେଳାଳୀ ସରିଗାର ଉପରେ ଠିଆ ହୋଇ ପାଟ୍ ଗାର ଅଡକୁ ପଛ କରି ସମସ୍ତଙ୍କ ବାଡ଼ିକୁ ଫିଙ୍ଗିଥାଏ । ବାଡ଼ି ଗୁଡ଼ିକ ଯେଉଁ କ୍ରମାନ୍ଵୟରେ ପଡ଼େ ସେହି କ୍ରମାନ୍ଵୟରେ ସରିଗାରକୁ ଲାଗି ଗୋଟିଏ ପରେ ଗୋଟିଏ ବାଡ଼ି ସଜେଇ ରଖାଯାଏ। ଯାହାର ବାଡ଼ି ସବା ଆଗରେ ଥାଏ ସିଏ ପ୍ରଥମେ ଡେଇଁଥାଏ । ଖେଳାଳୀଙ୍କୁ ନିଜ ବାଡ଼ିକୁ ପାଦ ସ୍ପର୍ଶ କରି ଡେଇଁଵାକୁ ହୁଏ, ଯିଏ ଯେତେଦୂର ଡେଇଁଥାନ୍ତି ତାଙ୍କ ବାଡ଼ି ସେଇଠି ରଖାଯାଏ । ଖେଳାଳୀ ଯଦି ଡେଇଁଲା ବେଳେ ନିଜ ବାଡ଼ିକୁ ପାଦରେ ମାଡ଼ିପାରନ୍ତି ନାହିଁ ତେବେ ତାଙ୍କ ବାଡ଼ି ସବା ପଛକୁ ଚାଲିଯାଏ । ଏହିପରି ସମସ୍ତ ଖେଳାଳୀ ଡେଇଁ ଡେଇଁ ନିଜ ବାଡ଼ିକୁ ‘ପାଟଗାର’ ପାରି କରାଇଥାନ୍ତି । ଶେଷରେ କେଉଁ ଖେଳାଳୀଙ୍କ ବାଡ଼ି ରହିଯାଏ ସେହି ଖେଳାଳୀ ‘ମାଇ’ ହୁଏ । ‘ମାଇ’ ଖେଳାଳୀର ବାଡ଼ିକୁ ଅନ୍ୟ ଖେଳାଳୀମାନେ ସରିଗାରଠାରୁ ନିଜ ନିଜ ବାଡ଼ିରେ ଖସେଇ ଖସେଇ ଦୂରକୁ ନେଇଥାନ୍ତି। ଏହି ସମୟରେ ‘ମାଇ’ ଯଦି ବାଡ଼ି ଖସେଇ ନେଉଥିଵା କୌଣସି ଖେଳାଳୀଙ୍କୁ ଛୁଇଁଦିଏ ତେବେ ସେ ମରିଯାଏ । ସେହି ଖେଳାଳୀଜଣକ ଆଉ ଗତି ଅନାଇ ପାରେ ନାହିଁ ।
  ଶେଷରେ ‘ମାଇ’ର ବାଡ଼ି ଯେତେଦୂର ଯାଏ ସେଇଠୁ ଗୋଟିଏ ଗୋଡ଼ରେ ପାଟଗାର ଯାଏଁ ଦୌଡ଼ି ଦୌଡ଼ି ବାଡ଼ି ଆଣିଥାଏ । ଏହିପରି ଏହି ଖେଳ ଘଣ୍ଟାଏରୁ ଦୁଇଘଣ୍ଟା ଯାଏଁ ଖେଳାଯାଇଥାଏ । 
  
ଏ ଖେଳରେ ଵ୍ୟଵହୃତ ବାଡ଼ି ସିଧା ହେଵା ଆଵଶ୍ୟକ ବୋଲି କେତେକ ଅଞ୍ଚଳରେ ପିଲାଏ ଵୈଦୈଶିକ ଅମରି ଗଛର ଶାଖା ଵ୍ୟଵହାର କରିଥାନ୍ତି । ଜଙ୍ଗଲିଆ ଅଞ୍ଚଳରେ ଅଵଶ୍ୟ ସଳଖ ବାଡ଼ି ମିଳିଵାରେ କୌଣସି ଅସୁଵିଧା ହୋଇନଥାଏ । 

ନବେ ଦଶକ ଯାଏଁ ଏ ଖେଳ ଓଡ଼ିଶାରେ ଵିଶେଷତଃ ଗଡ଼ଜାତ ଅଞ୍ଚଳରେ ଵିଶେଷ ଭାବରେ ଖେଳାଯାଉଥିଲା । ଆଧୁନିକ ଯୁଗରେ ଓଡ଼ିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ଓ ଵିଡି଼ଓ ଗେମ୍ସ ଆଦିର ପ୍ରଚଳନ ବଢି଼ଵା ଯୋଗୁଁ ଅଧୁନା ଏ ଖେଳକୁ ପିଲାଏ ଆଉ ସେତେ ଖେଳୁନାହାନ୍ତି । 

🔵🔵🔵🔵🔵🔵🔵🔵🔵🔵🔵🔵🔵
ତଥ୍ୟ ଆଧାର—
୧) ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ଗୋପାଳ ଚନ୍ଦ୍ର ପ୍ରହରାଜ)
୨) କଥିତ ଓଡ଼ିଆ ଶବ୍ଦକୋଷ(ଓଡ଼ିଆ ଭାଷା ପ୍ରତିଷ୍ଠାନ)
ଚିତ୍ର ଓ ଖେଳର ନିୟମ ସମ୍ବନ୍ଧୀୟ ତଥ୍ୟ 
୩)ପଶ୍ଚିମ ଓଡ଼ିଶାର ପାରମ୍ପରିକ କ୍ରୀଡ଼ା(ସଞ୍ଜୟ କୁମାର ବାଗ)
🔵🔵🔵🔵🔵🔵🔵🔵🔵🔵🔵🔵🔵

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...