ଅଠରଶହ ଶତାବ୍ଦୀରେ ଇଂରେଜମାନେ ଭାରତରେ ବଳଶାଳୀ ହୋଇ ଭାରତୀୟ ପ୍ରଜାର ଏପରି ଶୋଷଣ କଲେ ଯେ ସେମାନେ ଖାଦ୍ଯ ଅଭାଵରୁ ପୋକମାଛି ଭଳି ମରିଵା ଆରମ୍ଭ କରିଦେଇଥିଲେ ।
ତାପରେ ଆରମ୍ଭ ହେଲା ଦାସତ୍ବପ୍ରଥା...
କିନ୍ତୁ ନିଗ୍ରୋମାନଙ୍କ ପରି ଭାରତୀୟମାନଙ୍କୁ ଲୁହା ଶୃଙ୍ଖଳରେ ବାନ୍ଧି ବୋଇତରେ ପୁରେଇ ଵିଦେଶକୁ ପଠାଯାଇନଥିଲା କାରଣ ଭାରତୀୟ ସଭ୍ୟ ଜାତି ହୋଇଥିଵାରୁ ଵିଵାଦ ଵିଦ୍ରୋହର ସମ୍ଭାଵନା ଥିଲା । ଅତଃ ଭାରତୀୟ ଶ୍ରମିକମାନଙ୍କୁ ଆଗତୁରା ଟଙ୍କା ଲୋଭ ଦେଇ ଏଗ୍ରିମେଣ୍ଟରେ ହସ୍ତାକ୍ଷର କରାଇ ଦାସ କରାଯାଇଥିଲା । ଫଳତଃ ଭାରତୀୟ ଶ୍ରମିକମାନେ ଲୁହା ଶୃଙ୍ଖଳ ନୁହେଁ ଵରଂ ଏଗ୍ରିମେଣ୍ଟ ରୂପ ଶୃଙ୍ଖଳରେ ବନ୍ଧା ହୋଇ ଦକ୍ଷିଣ ଆଫ୍ରିକା ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ଆଦିକୁ ପଠାଗଲେ ।
ପେଟପାଟଣା ପାଇଁ ଦେଶର କେତେକ
ଗରିବ ଲୋକେ ଇଂରେଜ ମାନଙ୍କ ସହ ଯେଉଁ ପ୍ରକାରର ଏଗ୍ରିମେଣ୍ଟ ସାଇନ୍ କଲେ
ତାହାକୁ “ଗିର୍ମିଟ୍” କୁହାଗଲା !
ଏହି ଗିର୍ମିଟ୍ ଶବ୍ଦଟି Agreement
ଶବ୍ଦର ପରିଵର୍ତ୍ତିତ ରୂପ । ଓଡ଼ିଶାରେ ଗିରମାଟିଆ ଶ୍ରମିକମାନଙ୍କୁ ଉଭୟ ଗିରମାଟିଆ ଓ ଦାଦନ କୁହାଯାଉଥିଲା ।ପୂର୍ଣ୍ଣଚନ୍ଦ୍ରଭାଷାକୋଷର ୨୨୧୫ତମ ପୃଷ୍ଠାରେ ଗିରମିଟ୍ ଶବ୍ଦ ଲିପିବଦ୍ଧ ଅଛି ...
ଇଂରେଜମାନଙ୍କ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିବା ଶ୍ରମିକମାନଙ୍କୁ ଓଡ଼ିଶାରେ ଗିରମିଟ୍ ଓ ଗିରମାଟିଆ କୁହାଯାଉଥିଲା ବେଳେ ହିନ୍ଦୀଭାଷୀ ସେମାନଙ୍କୁ ଗିରିମିଟିୟା କହୁଥିଲେ । ତେବେ ଉପକୂଳ ଓଡ଼ିଶାରେ ଗିରମାଟିଆ ଶବ୍ଦ ଅପେକ୍ଷା ଦାଦନ ଶବ୍ଦ ଵିଶେଷ ଭାବରେ ପ୍ରଚଳିତ ଥିଲା ।
କଳିଙ୍ଗ ଦେଶରେ ମୁସଲମାନ ଶାସନ ସହିତ ଦାଦନ ଶବ୍ଦ ମଧ୍ୟ ଚାଲିଆସିଥିଲା । ଦାଦନ ଏକ ପାର୍ସୀ ଶବ୍ଦ କିନ୍ତୁ ଏହା ଭାରୋପୀୟ ଭାଷା ପରିଵାର ମୂଳର ଶବ୍ଦ ଏଵଂ ଦେଵା,ଦଦାତି ଓ ଦାନ ସହିତ ସମୋଦ୍ଧୃତ । ଓଡ଼ିଆ ସାହିତ୍ୟରେ ଦାଦନ ଵା ଦାଦନୀ ଶବ୍ଦର ସେତେ ପ୍ରାଚୀନ ପ୍ରୟୋଗ ଦେଖାଯାଏ ନାହିଁ ତେବେ ପୁରୁଣା ହିନ୍ଦୀ ସାହିତ୍ୟରେ ଏ ଶବ୍ଦ କାଁ ଭାଁ ଦୃଶ୍ୟ ହୋଇଥାଏ ।
ଯଥା—
ଦାଦୂ ନୂର ଦାଦନୀ,
ଆସିକାଁ ଦୀଦାର ।
(ଦାଦୂ॰, ପୃ॰ ୬୭ )
ଵ୍ୟାସକଵି ଫକୀରମୋହନ ସେନାପତି ତାଙ୍କ “ବାଲେଶ୍ବରୀ ପଙ୍ଗାଲୁଣ” ପ୍ରବନ୍ଧରେ ଦାଦନ ଶ୍ରମିକ ଓ ଦାଦନୀ ସମ୍ବନ୍ଧରେ ଲେଖିଛନ୍ତି...
“ପ୍ରତି ଵର୍ଷ ଆଶ୍ୱିନ ମାସରେ ପୋକ୍ତାନକାରୀମାନଙ୍କୁ ସରକାର ତରଫରୁ ଦାଦନ ଦିଆଯାଉଥିଲା। ଦାଦନ ଟଙ୍କା ଗ୍ରହଣକାରୀର ଉପାଧି-ଗୁଲିଆ। ଗୁଲିଆମାନେ ସରକାରକୁ କବୁଲିୟତ ଲେଖିଦେଇ ଦାଦନ ଗ୍ରହଣ କରନ୍ତି। ଏହି ଦାଦନ ସମୟଟା ବାଲେଶ୍ୱର ସହର ମଧ୍ୟରେ ଉତ୍ସବ ସ୍ୱରୂପ ଥିଲା। ଅନେକ ଟଙ୍କା କାରବାର ହୁଏ। ସହର ମଧ୍ୟରେ ଦୋକାନୀମାନେ ଦୋକାନ ସଜେଇ ବସିଥାନ୍ତି। ବଜାରି, ହଟାରି, ଭିକାରୀ, ଅମଲା ଫଏଲା ସମସ୍ତଙ୍କର ଆଚ୍ଛା ଦୁଇ ପୈସା ହାତପୈଠ ହୁଏ। ଲକ୍ଷାଵଧି ଟଙ୍କା ଦାଦନ ଦିଆ ଯାଉଥିଲା। ମଫସଲଵାସୀ ସାଧାରଣ ଶ୍ରେଣୀ ଲୋକଙ୍କ ହାତରେ ଥୋକ କେତେଗୁଡି଼ଏ ଟଙ୍କା ପଡି଼ଗଲେ ଆନନ୍ଦ ମନରେ ସ୍ତ୍ରୀ ପୁତ୍ର ପରିଵାରମାନଙ୍କ ସକାଶେ ନାନା ପ୍ରକାର ଦ୍ରଵ୍ୟ କ୍ରୟ କରି ଘେନି ଯାନ୍ତି। ଗୁଲିଆ ଦାଦନ ଘେନି ଚାଟିକୁ ଚାଲିଯାଏ। ଲଵଣ ପୋକ୍ତାନ ସ୍ଥାନର ନାମ ଚାଟି। କେତେଗୁଡିଏ ଚାଟିର ଏକତ୍ରରେ ସାଧାରଣ ନାମ ଅଡ଼ଂ। ଅଵଶ୍ୟ ଚାଟି ଓ ଅଡ଼ଂଗୁଡି଼କ ସମୁଦ୍ରକୂଳଵର୍ତ୍ତୀ ସ୍ଥାନରେ ଅଵସ୍ଥିତ।”
ଫକୀରମୋହନ ସେନାପତିଙ୍କ ଉଲ୍ଲେଖରୁ ଜଣାଯାଏ ଯେ ଦାଦନ ଶବ୍ଦର ଅର୍ଥ ଆଗତୁରା ଟଙ୍କା ଏଵଂ ତାହା ଗ୍ରହଣ କରୁଥିଵା ଶ୍ରମିକକୁ ଗୁଲିଆ କୁହାଯାଉଥିଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦାଦନ ଶବ୍ଦର ପାଞ୍ଚୋଟି ଅର୍ଥ ଲେଖାଅଛି ।
•ପାଇଵା ଆଶାରେ ଧନ ଆଗତୁରା ଦେଵା ଅଗ୍ରିମ ଦାନ
••ଧନାଦି ଅଗ୍ରିମ ଦେଵାର ରୀତି
•ଧନ ଵା ଶସ୍ଯାଦି ସୁଧରେ ଖଟାଇଵା ଵା ଧାନ ଦେଢ଼ି ଲଗାଇଵା ରୀତି
••ଲାଭ ସହିତ ଧାନ ଵା ଶସ୍ଯାଦି ପାଇଵା ଆଶାରେ ଆଗତୁରା ଟଙ୍କା କାଢ଼ିଆ ଲଗାଇଵା
•ମୂଲିଆମାନେ ଭବିଷ୍ଯତରେ କାମ କରିବେ ବୋଲି ତାଙ୍କୁ ଆଗତୁରା ଟଙ୍କା ଦେଵା
ଅର୍ଥାତ୍ ଦାଦନ ଶବ୍ଦର ମୂଳ ଅର୍ଥ ଖଟିଖିଆ ଶ୍ରମିକ ଆଦୌ ନଥିଲା ଏଵଂ ଏହି ଅର୍ଥରେ ଦାଦନ ଶବ୍ଦ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଳୁଥିଲା । ଦାଦନ ଶବ୍ଦର ମୂଳ ଅର୍ଥ ଥିଲା ଲାଭ ଆଶାରେ ଆଗତୁରା ଟଙ୍କା ପ୍ରଦାନ କରିଵା କିନ୍ତୁ ପରେ ସେ ଅର୍ଥ ଗୌଣ ହୋଇ ବାହାର ରାଜ୍ୟ ଵା ଦେଶକୁ ଖଟିବାକୁ ଯାଉଥିଵା ଶ୍ରମିକମାନଙ୍କୁ ଦାଦନ କୁହାଗଲା ।
ଇଂରେଜ ଶାସନର ପ୍ରାରମ୍ଭିକ କାଳରେ ପ୍ରତିଵର୍ଷ ଦେଶର ୧୦୦୦୦ ରୁ ୧୫୦୦୦ ଭାରତୀୟ ଶ୍ରମିକମାନଙ୍କୁ ସାମାନ୍ଯ ଅର୍ଥ କିଛି ଆଗତୁରା ଦେଇ ଗୋଲାମ ଭଳି ଅନ୍ଯ ଦେଶକୁ ପଠେଇ ସେମାନଙ୍କ ଦ୍ବାରା ଦୁଇଗୁଣ ପରିଶ୍ରମ କରାଉଥିଲେ ଇଂରେଜ ।
ଵିଶେଷତଃ ଫିଜି,ବ୍ରିଟିଶ୍ ଗୁୟାନା,ଡଚ୍ ଗୁୟାନା ,ତ୍ରିନିଦାଦ୍ ଟୋବେଗୋ ଏବଂ ଦକ୍ଷିଣ ଆଫ୍ରିକାକୁ ଅଧିକାଂଶ ଭାରତୀୟମାନଙ୍କୁ
ଶ୍ରମିକ କମ୍ ଗୋଲାମ୍ ଭଳି ପଠାଯାଉଥିଲା । ଇଂରେଜମାନେ ଭାରତର କିଛି ଦେଶୀ
ଗୋଡ଼ଚଟା ଲୋକଙ୍କୁ ପାଳି ତାଙ୍କ ହାତରେ ଏଇ ଧନ୍ଦା କରାଉଥିଲେ । ତାଙ୍କ ସରକାରୀ କାଗଜପତ୍ରରେ ଏ ସବୁ ଧନ୍ଦାକୁ ମାନ୍ଯତା ପ୍ରଦାନ କରାଯାଇଥିଲା ଏଵଂ ଏ ଧନ୍ଦା କରୁଥିଵା ଚନ୍ଦାମାନେ ମଧ୍ଯ କମ୍ପାନୀ ସରକାରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ରଖିପାରୁଥିଲେ ।
ଗିରମାଟିଆ,ଗିରମିଟିଆ ଵା ଦାଦନୀ ପ୍ରଥା ଇଂରେଜ ମାନଙ୍କ ଦ୍ବାରା ସନ୍ ୧୮୩୪ ରେ ଆରମ୍ଭ ହୋଇ ୧୯୧୭ ଯାଏଁ ଚଳିଥିଲା । ଵିଭିନ୍ନ ରାଷ୍ଟ୍ରୀୟ ସଂଗଠନମାନଙ୍କ ପ୍ରଵଳ ଵିରୋଧ କାରଣରୁ ୧୯୧୭ରେ ଏହାକୁ ନିଶିଦ୍ଧ ଘୋଷଣା କରାଗଲା । ତେବେ ଗିରମାଟିଆ ପ୍ରଥା ହଟିଗଲେ ହେଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟ ଵା ଦେଶକୁ ଯାଉଥିଵା ଶ୍ରମିକମାନଙ୍କୁ ଅନେକ ଦିନଯାଏଁ ଗିରମାଟିଆ ଓ ଦାଦନ କୁହାଯାଉଥିଲା । ପରାଧୀନ ଭାରତରେ ଵିଭିନ୍ନ ଅଞ୍ଚଳର ଶ୍ରମିକମାନେ ଏଗ୍ରିମେଣ୍ଟରେ ସ୍ଵାକ୍ଷର କରି ତତ୍କାଳୀନ ଭାରତର ବଡ଼ ବଡ଼ ନଗରମାନଙ୍କୁ ଯାଉଥିଲେ ଏଵଂ ସେମାନଙ୍କୁ ଦାଦନ ଓ ଗିରମାଟିଆ କୁହାଯାଉଥିଲା ।
ଇଂରେଜ ଅମଳରେ ଗିର୍ମାଟିଆ ଵା ଦାଦନୀ ଚୁକ୍ତି ଅନୁସାରେ ଶ୍ରମିକମାନଙ୍କୁ ମାତ୍ର ପାଞ୍ଚବର୍ଷ ଯାଏଁ ଖଟିଵାକୁ ହେଉଥିଲା ଏଵଂ ତାପରେ ସେମାନେ ମୁକ୍ତ ହୋଇପାରନ୍ତି । କିନ୍ତୁ ଵିଦେଶକୁ ଯାଉଥିଵା ଗିର୍ମାଟିଆ ଵା ଦାଦନ ଶ୍ରମିକମାନଙ୍କ ପାଖରେ ଭାରତ ଫେରିଵା ପାଇଁ ଯଥେଷ୍ଟ ସମ୍ବଳ ନଥିଵା ତଥା ଉପଯୁକ୍ତ ଵୈଦେଶିକ ଜ୍ଞାନ ଅଭାଵରୁ ସେମାନେ ଆଜୀଵନ ଵିଦେଶ ମାଟିରେ ଖଟି ଖଟି ମରିଯିଵାକୁ ବାଧ୍ଯ ହେଉଥିଲେ ।
ବିଦେଶ ମାଟିରେ ଗିର୍ମାଟିଆ ଵା ଦାଦନ ଶ୍ରମିକଙ୍କ ପାଖରେ କେଵଳ ଦୁଇଟି ପନ୍ଥା ରହୁଥିଲା
(କ)ସେଇ ମାଲିକ ପାଖରେ ପଡିରହି ଆଜୀଵନ ଖଟିଵା
କିମ୍ବା
(ଖ)ଅନ୍ଯ ଗିର୍ମିଟ୍ ମାଲିକ ପାଖରେ କାମ କରିଵା !
ଏକ ଉନ୍ନତ ଦେଶର ମଣିଷ ମାନଙ୍କୁ ଇଂରେଜ ତଥା ତାଙ୍କ ତୋଷାମଦିଆ କୁକୁରମାନେ
ବଳଦ ଭଳି ଖଟେଇ ଖଟେଇ ମାରୁଦେଉଥିଲେ !
କାମ ନ କଲେ ବଳଦକୁ ଛାଟରେ ପିଟିଲା ଭଳି ଭାରତୀୟ ଶ୍ରମିକମାନଙ୍କୁ ସହିଵାକୁ ହେଉଥିଲା ମାଲିକର ଅକଥନୀୟ ଅତ୍ଯାଚାର !
ପୁଣି ଗିର୍ମାଟିଆକୁ ଵିଵାହ ବଂଶବୃଦ୍ଧି କରିଵାର ଅଧିକାର ନଥିଲା । କେହି ଗିର୍ମାଟିଆ ଯଦି ଵିଵାହ କରୁଥିଲା ତାହାର ସନ୍ତାନମାନଙ୍କ ସହ ମଧ୍ୟ ଗୋଲାମ ଭଳି ଵ୍ୟଵହାର କରାଯାଉଥିଲା ।
ସେମାନଙ୍କର ସ୍ତ୍ରୀ ପିଲାଙ୍କୁ ବିକ୍ରୀ କରିଵାର ଅଧିକାର ମାଲିକମାନଙ୍କୁ ଇଂରେଜ ସରକାର ଦେଉଥିଲେ । ଗିର୍ ମାଟିଆ ଶ୍ରମିକ ସେମାନଙ୍କ ସହ ପ୍ରାୟଃ ଚାଳିସ୍ ପ୍ରତିଶତ ସ୍ତ୍ରୀ ନେଇ ଵିଦେଶ ଯାଉଥିଲେ । ଯୁଵ ଵୟସର ସ୍ତ୍ରୀମାନଙ୍କୁ ମାଲିକ ମାନେ ରକ୍ଷିତା କରି ଖୁବ ଶୋଷଣ କଲାପରେ ଆକର୍ଷଣ କମ୍ ହେଲେ ଖାଲି ଟୁଥପେଷ୍ଟର ଖୋଳ କୁ ଅଳିଆକୁ ଫିଙ୍ଗିଦେଲା ଭଳି ଶ୍ରମିକମାନଙ୍କୁ ଦେଇଦେଉଥିଲେ ।
ଗିର୍ମିଟ୍ ଶ୍ରମିକମାନଙ୍କ ସନ୍ତାନ
ମାଲିକ ମାନଙ୍କ ସମ୍ପତ୍ତି ବୋଲି ଇଂରେଜ ବାହାଦୁର ସେମାନଙ୍କୁ ସରକାରୀ ସତ୍ତ୍ବ ପ୍ରଦାନ କରିଥିଲେ । ଶିକ୍ଷା ସ୍ବାସ୍ଥ୍ୟସେଵା ମନୋରଂଜନ ବହୁତ ଦୂରର କଥା ଦୁଇ ବକତ ଖାଦ୍ଯ ମଧ୍ଯ ଦେଉନଥିଲେ ଗିର୍ ମିଟ୍ ମାଲିକ । ଵିଦେଶ ମାଟିରେ ଅତ୍ଯାଚାର ସହି ନ ପାରି ଅନେକ ଶ୍ରମିକ ଏଇଭଳି ଅକାଳ ମୃତ୍ଯୁବରଣ କରୁଥିଲେ ।
ତୋତାରାମ ସନାଢ୍ଯଙ୍କର ଜନ୍ମ ୧୮୭୬ରେ ହିରନଗାଁବ୍ ଜିଲ୍ଲା ଫିରୋଜାବାଦ୍ ଉତ୍ତରପ୍ରଦେଶରେ ହୋଇଥିଲା । ତାଙ୍କୁ ଇଂରେଜମାନେ ଖଜଣା ପଇଠ
ନକରିପାରିଲାରୁ ଗିରମାଟିଆ ଶ୍ରମିକ କରି ଫିଜି ପଠାଇଦେଇଥିଲେ ।ଅନେକ ସଂଘର୍ଷ କରି ସେ ସେଠାରୁ ନିଜକୁ ମୁକୁଳେଇ ପାରିଥିଲେ ।
ଜଣେ ଗିର୍ମିଟ୍ ଶ୍ରମିକ ଭାବେ ସେ
ନିଜ ଜୀବନ ଅନୁଭଵ ତାଙ୍କ
ପୁସ୍ତକ
"फिजी में मेरे इक्कीस वर्ष"
ରେ ଵର୍ଣ୍ଣନା କରିଅଛନ୍ତି ।
ଦକ୍ଷିଣ ଆଫ୍ରିକାରେ ମହାତ୍ମାଗାନ୍ଧୀଙ୍କ ଅହିଂସା
ଆନ୍ଦୋଳନ ପରେ ଵିଦେଶରେ ରହୁଥିଵା ଭାରତୀୟ ଶ୍ରମିକମାନେ ତେଜିଲେ ।
ଏଣେ ଭାରତରେ ଗୋପାଳ କୃଷ୍ଣ ଗୋଖଲେ ,ଇମ୍ପେରିୟଲ୍ ଲେଜିସ୍ଲେଟିଭ୍ କାଉନସିଲ୍ରେ ମାର୍ଚ୍ଚ ୧୯୧୨
ଗିରମିଟିଆ ପ୍ରଥା ସମାପ୍ତ କରିଦେଵାକୁ ପ୍ରସ୍ତାଵ ଆଗତ କରିଥିଲେ । କାଉନସିଲ୍ର ୨୨ ଜଣିଆ ସଦସ୍ଯ ଠିକ୍ କଲେ ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେତେ
ଦିନ ଯାଏଁ ପ୍ରତିଵର୍ଷ ଏହି ପ୍ରସ୍ତାଵ ଉପସ୍ଥାପନ କରା ଯାଉଥିଵ ।
ଡିସେମ୍ବର ୧୯୧୬ କଂଗ୍ରେସ ଅଧିଵେଶନରେ ମହାତ୍ମାଗାନ୍ଧୀ, ଭାରତ ସୁରକ୍ଷା ଏବଂ ଗିର୍ମାଟିଆ ପ୍ରଥା ଅଧିନିୟମ ପ୍ରସ୍ତାଵ ରଖିଲେ । ଏହାର ଏକ ମାସ ପରେ ଫେବୃଆରୀ ୧୯୧୭
ଅହମଦାବାଦଠାରେ ଗିରମାଟିଆ ଵା ଦାଦନୀ ପ୍ରଥା ଵିରୋଧରେ ଏକ ଵିଶାଳ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ଗିରମିଟିଆ/ଦାଦନୀ ପ୍ରଥା ଵିରୋଧରେ
ସିଏଫ୍ ଆଣ୍ଡ୍ର୍ଯୁଜ୍ ତଥା ହେନେରୀ ପୋଲକ୍ ମଧ୍ଯ ଭାଷଣ ଦେଇଥିଲେ । ଗିର୍ମାଟିଆ ପ୍ରଥା ଵିରୋଧରେ ଧୀରେ ଧୀରେ ଜନସମାଜ ଅଧିକ ସମ୍ବେଦନଶୀଳ ହେବା ଆରମ୍ଭ କରିଦେଲେ ।
ମାର୍ଚ୍ଚ ୧୯୧୭ରେ ଗିରମିଟିଆ ପ୍ରଥା ଵିରୋଧୀ ସଂଗଠନ ମାନେ ଇଂରେଜ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଦେଲେ ଯେ ମଇ ମାସ ସୁଦ୍ଧା ଏ ପ୍ରଥା ବନ୍ଦ କରାଯାଉ ନହେଲେ ପରିସ୍ଥିତି ଅସମ୍ଭାଳ ହେବ । ଲୋକଙ୍କର ଉଗ୍ର ଆକ୍ରୋଷ ଆଗରେ ଶେଷରେ ପ୍ରଵଳ ପ୍ରତାପୀ ଇଂରେଜ ବାହାଦୁରଙ୍କୁ ନଇଁବାକୁ ହିଁ ହେଲା ଏଵଂ
୧୯୧୭ ମଇମାସ ପୂର୍ବରୁ ହିଁ ବନ୍ଦ ହୋଇଗଲା ଗିର୍ ମିଟିଆ ପ୍ରଥା ।
ହେଲେ ଆଜି ଭାରତର ଅନ୍ୟ ରାଜ୍ୟମାନଙ୍କରେ ଶ୍ରମିକମାନଙ୍କୁ କେହି ଗିରମିଟିଆ କି ଗରମାଟିଆ କିଂଵା ଦାଦନ କହିଵାର ଶୁଣାଯାଏ ନାହିଁ କେଵଳ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଲୋକେ ପୁରୁଣା ଗିରମାଟିଆ ଵା ଦାଦନୀ ପ୍ରଥାକୁ ମନେ ରଖିଵା ପାଇଁ ଆଜି ବି ଦାଦନ ଶବ୍ଦ ଵ୍ୟଵହାର କରିଥାନ୍ତି ।
ଆଜି ଆଉ ଆଗଭଳି ସବୁ ଶ୍ରମିକମାନେ ଏଗ୍ରିମେଣ୍ଟ କରି ନିଜର ଓ ନୀଜ ପିଲାଛୁଆଙ୍କ ମୁଣ୍ଡବିକି ଆଗତୁରା ଟଙ୍କା ନେଇ ଵିଦେଶକୁ ଯାଉନାହାନ୍ତି । ତଥାପି ଓଡ଼ିଶାରେ ସବୁ ଶ୍ରମିକମାନଙ୍କୁ ଏଠାକାର ଲୋକେ ଦାଦନ କହିଦିଅନ୍ତି ।
ଇଂରେଜ ଅମଳରେ ଗରିମାଟିଆ ଵା ଦାଦନୀ ଏକ ଅଭିଶାପ ଓ ଦାସତ୍ଵର ଚିହ୍ନ ଥିଲା । ଆଜିକାଲି ଓଡ଼ିଶାର ଲୋକେ ଶ୍ରମିକମାନଙ୍କୁ ଦାଦନ କହି ସେମାନଙ୍କୁ ଜାଣତରେ ହେଉ ଵା ଅଜାଣତରେ ହେଉ ଗୋଲାମ୍ ଵା ଦାସ ଅଭିହିତ କରୁଅଛନ୍ତି ।