Monday, June 27, 2022
ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା କିଏ ?
Thursday, June 16, 2022
କଳିଙ୍ଗ ଦେଶରେ ଦୋଳି,ଦୋଳିଗୀତ ଓ ଲୋକଵିଶ୍ଵାସ
Wednesday, June 15, 2022
ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"
Tuesday, June 14, 2022
“ରଜ ପର୍ଵ ସହିତ ସାମଞ୍ଜସ୍ୟ ଥିଵା କିଛି ଭାରତୀୟ ପର୍ଵ”
Sunday, June 12, 2022
“ବାଥୁଡ଼ୀ ଜନଜାତିରେ ରଜୋତ୍ସଵ ଓ ଦୋଳିଗୀତ”
ବାଥୁଡି ଓଡ଼ିଶାର ଅନ୍ୟତମ ଜନଜାତି ।
ଏମାନଙ୍କର ମୂଳ ମାତୃଭାଷା ବାଥୁଡ଼ୀ ଓଡ଼ିଆ । ଓଡିଶାର ଉତ୍ତର ପଶ୍ଚିମାଞ୍ଚଳର ଏମାନେ ଅଧିଵାସୀ । କେଵଳ ଓଡ଼ିଶା ନୁହେଁ ଵରଂ ବାଥୁଡି ସମ୍ପ୍ରଦାୟର ଲୋକେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ଵସଵାସ କରୁଥିଵା ଜଣାଯାଏ ।
୨୦୧୧ ମସିହା ଜନଗଣନା ଅନୁସାରେ ସେମାନଙ୍କ ଜନସଂଖ୍ୟା ପ୍ରାୟ ୨୨୦,୮୫୯ ବୋଲି ଦର୍ଶାଯାଇଛି । ସେମାନଙ୍କୁ ଭାରତ ସରକାର ଏକ ଅନୁସୂଚିତ ଜନଜାତି ଭାଵରେ ଶ୍ରେଣୀଭୁକ୍ତ କରିଛନ୍ତି ।
ଵିଶେଷତଃ ବାଥୁଡି ସମ୍ପ୍ରଦାୟ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ପଞ୍ଚପୀର ମାଳଭୂମି ଓ ଶିମିଳିପାଳର ଜଙ୍ଗଲ ପରିସର , ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳ ତଥା କେନ୍ଦୁଝର ଜିଲ୍ଲାରେ ଵସଵାସ କରନ୍ତି ।
ବାଥୁଡ଼ୀମାନେ ଵିଶ୍ୱାସ କରନ୍ତି ଯେ,ସେମାନେ ବ୍ରହ୍ମାଙ୍କ ବାହୁରୁ ଉତ୍ପନ୍ନ । ତେଣୁ ଏମାନେ ବାଥୁଡ଼ୀ ବୋଲାଇଲେ ।
ବାଥୁଡି ସଂପ୍ରଦାୟର ଆଉ କେତେକ ଲୋକ ମତ ଦିଅନ୍ତି ଯେ , ବାସୁଳି ଵା ଵସୁମାତାଙ୍କର ବାର ପୁତ୍ର ଥିଲେ , ସେହି ପୁତ୍ରଙ୍କ ନାମ ଅନୁସାରେ ବାରଟି ବଂଶ ରହିଥିଲା । ଵସୁମାତା ଵା ବାସୁଳିଙ୍କ ସନ୍ତାନ ହୋଇଥିଵାରୁ ଏମାନେ କାଳକ୍ରମେ ବାଥୁଡ଼ୀ ଵିଦିତ ହେଲେ ।
କଥିତ ହୁଏ ପରଵର୍ତ୍ତୀ ସମୟରେ ବଂଶ ବୃଦ୍ଧି ହେଵାରୁ ବାଥୁଡି ବାର ଭାଇ ପୁଣି ୫୨ ବଂଶରେ ବିଭକ୍ତ ହେଲେ ।
ବାଥୁଡି ସଂପ୍ରଦାୟର ଲୋକମାନଙ୍କର ଆରାଧ୍ୟ ଦେଵତାଙ୍କ ମଧ୍ୟରେ ବଡାମ,ମହାଵୀର , ବାରଖଣ୍ଡା ବାଉନାଵୀର , ବାସୁଳି , ବାଉଳାଶୁଣି , ବଡ଼ପାଟ , ଵନଦୁର୍ଗା ଆଦି ଦେଵାଦେଵୀ ପ୍ରଧାନ ।
ନିମ୍ନରେ ବାଥୁଡ଼ୀ ଜନଜାତିର କେତେକ ଜଣାଶୁଣା ବଂଶ ଓ ବନ୍ଧନୀ ମଧ୍ୟରେ ଗୋତ୍ରର ନାମୋଲ୍ଲେଖ କରାଗଲା...
•ଗୋତ୍ର(ବଂଶ )
•ଶଙ୍ଖିଆଳ(ପାଣିପୋକ)
•ପଧୁରିଆ(ହସ୍ତୀ,ପରାଶର)
•ଖଣ୍ଡେଇ(ସାଲୁକ, କୁଶ , ନାଗେଶ୍ବର) •ମଢେଇ(ଗଣେଷ , ନାଗେଶ୍ବର)
•ପରିହାଳ (ଧାନଫୁଲ)
•ନାଇକ (ନାଗେଶ୍ବର)
•ଗାଆଣ (ପାଣିପୋକ)
•ରଣଶିଆ(ସାଲୁକ)
•କୁଅଁର(କୁଶ)
•ବିଶ୍ବାଳ(କୁଶ)
•ପାତ୍ର(ପାର୍ଷିଆଳ , ପାଣିପୋକ)
•ଜାମୁଡ଼ିଆ(ସାଲୁକ)
•କୁମ୍ଭାରିଆ(ଧାନଫୁଲ)
•ଗିରି (ଧାନଫୁଲ)
•ଝରିଆଳ (ନେତ)
•ମାଟିଆଣ (ନାଗେଶ୍ବର)
ବାଥୁଡ଼ୀମାନଙ୍କ ମଧ୍ୟରେ ଅଧିକାଂଶ "ବାଥୁଡ଼ୀ ଓଡ଼ିଆ ଶୈଳୀ"ରେ କଥାଭାଷା ହୋଇଥାନ୍ତି ଏଵଂ କିଛି ବାଥୁଡ଼ୀ ଲୋକ ହୋ ତଥା କୁଡ଼ମଲୀ ଶୈଳୀରେ ଭାଷାରେ ମଧ୍ୟ କଥାଵାର୍ତ୍ତା କରିଥାନ୍ତି ।
ବାଥୁଡି ସଂପ୍ରଦାୟରେ ପାଳନ କରାଯାଉଥିଵା ଵିଭିନ୍ନ ପର୍ଵପର୍ଵାଣି ମଧ୍ୟରୁ ରଜ ପର୍ଵ ଅନ୍ୟତମ । ବାଥୁଡି ସମ୍ପ୍ରଦାୟ ପକ୍ଷରୁ ରଜ ପର୍ଵକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ରଜପର୍ଵରେ ସେମାନେ ବାସୁକୀ ଵସୁମତାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ରଜ ପର୍ଵ ସାଧାରଣତଃ ତିନିଦିନ ଧରି ପାଳନ କରାଯାଇଥାଏ ।
ବାଥୁଡ଼ୀ ଭାଷାରେ ରଜପର୍ଵର ପ୍ରଥମ ଦିନକୁ ପାଣି ବୁହା ରଜ, ଦ୍ଵିତୀୟ ଦିନକୁ ରଜ ଓ ଶେଷ ଦିନକୁ ରଜ ବାସୀ କୁହାଯାଏ । ଏହି ତିନି ଦିନ ବାଥୁଡ଼ୀମାନେ ଅନ୍ୟ ଓଡ଼ିଆମାନଙ୍କ ପରି କୃଷି କାର୍ଯ୍ୟରୁ ନିଜକୁ ନିଵୃତ୍ତ ରଖିଥାନ୍ତି। ଏହା ପରେ ଆରମ୍ଭ ହୁଏ କୃଷି କାମ।
ବାଥୁଡି ସଂପ୍ରଦାୟର ରଜ ପର୍ଵରେ ବୋଲାଯାଉଥିଵା ରଜ ଦୋଳିଗୀତ ହେଉଛି ମୁଖ୍ୟ ଆକର୍ଷଣ । ଦୋଳି ଖେଳ ସମୟରେ ସେମାନେ ଢାଙ୍ଗୁଆ - ଢାଙ୍ଗୁଳି, ସାଙ୍ଗସାଥି , ପ୍ରେମିକ-ପ୍ରେମିକାମାନଙ୍କୁ ଲକ୍ଷ୍ୟକରି ବିଭିନ୍ନ ପ୍ରକାର ଗୀତ ବୋଲିଥାନ୍ତି । ଏମାନଙ୍କର ରଜ ଦୋଳିଗୀତ ଗୁଡିକ ବହୁ ରାଗରାଗିଣୀ ଯୁକ୍ତ, ସ୍ବର ମଧୁର ଓ ଭାବ ସରସ ।
ଏହିସବୁ ଦୋଳୀଗୀତରେ ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଜୀଵନର ପ୍ରେମ-ଵିରହ , ଆନନ୍ଦ-ଉଲ୍ଲାସ , ଆମୋଦ-ପ୍ରମୋଦ , ଅଭାଵ-ଅନଟନ , ଦୁଃଖ ଦାରିଦ୍ର୍ୟର ଚିତ୍ର ପ୍ରସ୍ଫୁଟିତ ହୋଇଥାଏ ।
ନିମ୍ନରେ ବାଥୁଡ଼ୀ ଓଡ଼ିଆର କେତେକ ରଜଦୋଳୀ ଗୀତ ପ୍ରଦତ୍ତ ହେଲା...
"କବାଟରେ ଦୁଇକାନି
ତୋ ଦେହ ଛୁଇଁଲେ ପାତଳି ଲୋ
ମୋ ଦେହ ହାନି
ବାଜିଯିବ ନୁଗା କାନି ।"
"ବାଟରେ ଡେଙ୍ଗା କୁଳୁଚି
ନ ପାଇ ଭାଇ ତତେ ମରୁଛି ,
ତତେ ମରୁଛି ହେ
ନଯାଇ ପ୍ରାଣ ରହିଛି ।"
"ଦାଣ୍ଡେ ଦାଣ୍ଡେ ହଂସ ,
ମତେ ଦେଖି ପାତଳି ଲୋ
କି ନାଗି ହଁସ
ନାଗିଯିଵ ତିରି ଦୋଷ ।”
"ବାଡ଼ରେ ରୋଇଲି ବେତ
ପ୍ରଥମେ ବନ୍ଦିଲି ଗ୍ରାମ ଦେବତୀଙ୍କୁ
ଏ ଦଣ୍ଡବତ
ଅନୁକୂଳ ହେଲା ଏ ଗୀତ ।"
"ଆହାରେ ସଙ୍ଗାତ ମିତ
ଓଡ଼ିଶାର ଠାକୁର ଜଗତର ନାଥ
ଜଗତର ନାଥ ହୋ
ସଭିଏଁ ଗାଆନ୍ତି ଗୀତ ।"
"ଗୋଡରେ ଲେଖିଲି ହଂସ
ମୋତେ ଛାଡି଼ କାନ୍ତ ଯିବେ ଵିଦେଶ
ଯିବେ ଵିଦେଶ ହୋ
ସବୁ ହେବ ମୋର ଵିଷ ।”
"ଶୂନ୍ୟରେ ଉଡ଼ଇ ଶାରୀ
ଦୁଇଚାରି ଦିନେ ଆସିବି ଫେରି
ଆସିବି ଫେରି ହୋ
ରହିଥିବୁ ଦେହ ଧରି ।"
"ବେଲ ଗଡେ଼ ରାଇ ଗଡେ଼
ତତେ ଯେତେବେଳେ ମନରେ ପଡେ଼ ମନରେ ପଡେ଼ ହୋ
ଦୁଇ ଆଖି ଲୁହ ଗଡେ଼ ।"
"ଛାଇନି ପତର ଛତା
ରହ କହିଦେବି ଦୁଃଖର କଥା
ଦୁଃଖର କଥା ହୋ
ଶୁଣିନେ ଖାଇଵ ମଥା ।"
"ବାଳିରି ବାଳିଆ ଗେବ
ଦିନୁ ଦିନୁ ଭାଇରେ ହେନୁ ଗରିବ
ହେନୁ ଗରିବ ହୋ
ଆଉ କି ରଖିବ ଭାବ ।"
ନିଜକୁ ଵସୁମାତା ବାସୁଳିଙ୍କର ସନ୍ତାନ ମନେ କରୁଥିଵାରୁ ପ୍ରକୃତି ମାତାଙ୍କର ଆରାଧନର ପର୍ଵ 'ରଜପର୍ଵ'କୁ ବାଥୁଡ଼ୀ ଜନଜାତିରେ ଏକ ମହତ୍ତ୍ୱପୂର୍ଣ୍ଣ ପର୍ଵ ଭାବେ ଵିଚାର କରାଯାଏ ।
ପୂର୍ଵ , ଦକ୍ଷିଣ ଓ ମଧ୍ୟ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରଜ ପର୍ଵ ଅନ୍ୟତମ ପ୍ରଧାନ ପର୍ଵ ଅଟଇ ଏଵଂ କେଵଳ ଓଡ଼ିଆମାନେ ହିଁ ନୁହେଁ ଏହାର ବାଥୁଡ଼ୀ ,କୁଡ଼ମଲୀ ଆଦି ଵିଭିନ୍ନ ଜନଜାତି ତଥା ଜୁଆଙ୍ଗ ଓ ଭୂୟାଁ ପରି କଳିଙ୍ଗୀ ଜନଜାତିଙ୍କ ମଧ୍ୟରେ ବି ରଜପର୍ଵ ପାଳନ କରିଵାର ପରମ୍ପରା ରହିଛି ।
Saturday, June 11, 2022
ଢେଲାପିଟାଣି ଓ ରଜୋତ୍ସଵ
କୁହାଯାଏ ବାରମାସର ତେର ପରଵ କିନ୍ତୁ ସମଗ୍ର ଓଡ଼ିଶାରେ ବାର ମାସରେ ଶତାଧିକ ପର୍ଵ ପାଳିତ ହୋଇଥାଏ ।
ସେହିପରି ଏକ ପର୍ଵ ହେଉଛି ଢେଲାପିଟାଣି ପରଵ୍ । ଏହା ଦେଶିଆ ସମାଜ ମଧ୍ୟରେ ସୀମିତ ଏକ ପର୍ଵ ଵିଶେଷ । ଵର୍ଷାମାସ ପୂର୍ଵରୁ ଏହା ପାଳନ କରାଯାଏ ।
ଢେଲାପିଟାଣି ପରଵ୍ରେ ଗାଁର ଧାଙ୍ଗଡ଼ା ଧାଙ୍ଗିଡ଼ୀମାନେ ନୂତନ ଵସ୍ତ୍ର ପରିଧାନ କରି ଜମିକୁ ଯାଇ ଚାଷ କରାଯାଇଥିଵା ଜମିକୁ ପୂଜାର୍ଚ୍ଚନା କରନ୍ତି । ପୂଜାପରେ ଜମିର ମାଟିକୁ କୋଡ଼ଣ ଦ୍ବାରା ଗୁଣ୍ଡ କରାଯାଏ । ଲଟାବୁଟା କଟାଯାଏ । ମାଟିକୁ ଗୁଣ୍ଡ କରିଵାବେଳେ ସେମାନେ ସେମାନଙ୍କର ଗୋଷ୍ଠୀ ନୃତ୍ୟର ଆଶ୍ରା ନିଅନ୍ତି । ମାଟିର ଉର୍ଵରତା କାମନା କରନ୍ତି ଓ ଆନନ୍ଦରେ ଢୋଲ ମହୁରୀର ତାଳେତାଳେ ଗାଇ ଉଠନ୍ତି
“ମାଟିମା ମାଟିମା ଜୁହାର ଆମର ଢୋକେ ପରୁର୍ କାଜେ, ଶାଗ୍ ଭାତ ଦେ’ ନଇଲେ ମରିବୁ ଭୁକେ ।”
ପୂର୍ଵ, ଦକ୍ଷିଣ, ମଧ୍ୟ ତଥା ଉତ୍ତର ଓଡ଼ିଶାରେ ପାଳିତ ହେଉଥିଵା ରଜପର୍ଵ ସହିତ ଏହି ଢେଲାପିଟାଣି ପରଵ୍ର ସମ୍ପର୍କ ଥାଇପାରେ କାରଣ...
(କ)ଉଭୟ ପର୍ଵ ଵର୍ଷା ଆଗମନ ପୂର୍ଵରୁ ହୋଇଥାଏ
(ଖ)ଉଭୟ ପର୍ଵରେ ଵର୍ଷା ଆଗମନ ପୂର୍ଵରୁ ଓଡ଼ିଶାଵାସୀମାନେ ପୃଥିଵୀ ମାତାଙ୍କୁ ଆରାଧନା କରନ୍ତି
(ଗ)ଉଭୟ ପର୍ଵରେ ଓଡ଼ିଶାଵାସୀ କୃଷକ କୃଷିକ୍ଷେତ୍ରକୁ ଯାଇ ଧରିତ୍ରୀମାତାର ପୂଜାର୍ଚ୍ଚନା କରେ ।
(ଘ) ରଜ ପରଵ ପୂର୍ଵରୁ ଭୂମିରେ ହଳ କରି ମାଟି ପିଟି ସମତୁଲ କରାଯାଏ ଏଵଂ ପର୍ଵ ପାଳନ ଉତ୍ତାରୁ ଵର୍ଷା ହେଵା ପରେ ପରେ ଵିହନ ଶୁଣାଯାଏ (ଅଵଶ୍ୟ ଆଜିକାଲି ଵିଶ୍ଵତାପନ ଯୋଗୁଁ ଵର୍ଷା ଅନିୟମିତତା ଲାଗି କୃଷକ ଵର୍ଷା ଅଧିକ ହେଵା ପରେ ହିଁ ମଞ୍ଜି ବୁଣନ୍ତି) ।
"ଢେଲାପିଟାଣି ପରଵ୍" ନାମକରଣ "ଢେଲା ଓ ପିଟିଵା" ଏହି ଦୁଇ ଶବ୍ଦକୁ ନେଇ କରାଯାଇଛି ।
ଆମ ଭାଷାରେ
ଢେଲା ଶବ୍ଦଟି ବଡ଼ ଟେକା ଵା ଟେଳା, ବଡ଼ ବଡ଼ ମାଟି ପିଣ୍ଡୁଳା ଓ ଢେଗା(ବର୍ତ୍ତୁଳ ଓ ବଡ଼, ଡିମ୍ବାକୃତି,ଗୋଟିକିଆ କାଠି, ବଡ଼ କଉଡ଼ି) ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ ସେହିପରି କୋବା(ଭୂଇଁ ପିଟି ସମତୁଲ କରିଵାର ମୁଗୁର) ତଥା ମାଡ଼ ଵା ପ୍ରହାରକୁ ପିଟଣା/ପିଟଣି କୁହାଯାଏ ।
ଢେଲାପିଟାଣି ଆଉ ରଜ ପର୍ଵ ଉଦାହରଣ ମାତ୍ର, ଏହିପରି ଅନେକ ପର୍ଵ ପର୍ଵାଣୀ ଚାଲିଚଳଣି ରହିଛି । ପାର୍ଵତ୍ୟାଞ୍ଚଳର କଳିଙ୍ଗୀଲୋକଙ୍କ ସହିତ ଉପକୂଳ ଓଡ଼ିଶାର କଳିଙ୍ଗୀମାନଙ୍କ ସାଂସ୍କୃତିକ ସମ୍ପର୍କ ପ୍ରାଚୀନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
Monday, June 6, 2022
ଓଡ଼ିଆ ଭାଷାରେ ଆଈ ଶବ୍ଦ ; ଅତୀତ ଓ ଵର୍ତ୍ତମାନ
ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀ ତଥା ପିତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ ।
ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି ।
ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି । ସେହିପରି ଅପଭ୍ରଂଶବୋଧିନୀ ଅଭିଧାନ ଅନୁସାରେ ଆଈ ଶବ୍ଦଟି ସଂସ୍କୃତ "ଆର୍ଯ୍ୟକୀ" ଶବ୍ଦର ଓଡ଼ିଆ ରୂପ ।
ମାତ୍ର ଓଡ଼ିଶାର ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାଗୁଡି଼କରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି
ଉଦାହରଣ ସ୍ୱରୂପ ...
🟣ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ ।
🟣ଓରାଓଁରେ ମାଆଙ୍କୁ ଆୟାଙ୍ କୁହାଯାଏ ।
🟣କିସାନ୍ ଵା କୁଣାହାଁରେ ମାଆଙ୍କୁ ଆୟା/ଆୟାଂ ଓ ଆୟାଙ୍ଗ ସମ୍ବୋଧନ କରାଯାଏ ।
🟣କୁଈ ତଥା କୁଭି ଭାଷାରେ ମାଆଙ୍କୁ "ଆଜି" ଡାକନ୍ତି ।
🟣କୋୟା ଭାଷାରେ ମାଆଙ୍କୁ ୟାୟା ଓ ୟାୱା କୁହନ୍ତି ।
🟣ଗୋଣ୍ଡୀ ଭାଷାରେ ୟାୟା ଶବ୍ଦଦ୍ଵାରା ମାତାଙ୍କୁ ସମ୍ବୋଧନ କରାଯାଏ ।
🟣ଦେଶିଆ ଓଡ଼ିଆରେ ମାଆଙ୍କୁ ଆୟା ଡକାଯାଏ ।
🟣ବଣ୍ଡା ଭାଷାରେ ୟଂ ଓ ଇୟଂ ଆଦି ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ ।
🟣ଭୁଂଜିଆରେ ଓୟା ଶବ୍ଦର ଅର୍ଥ ମାଆ ।
🟣ସଉରାରେ ମାଆଙ୍କୁ ୟାଙ୍ ଡକାଯାଏ ।
🟣ସାଦ୍ରୀରେ ଆୟୋ ଶବ୍ଦ ମାତା ଶବ୍ଦର ପ୍ରତିଶବ୍ଦ ।
🟣ସାନ୍ତାଳୀରେ ମାଆଙ୍କୁ ଏଙ୍ଗା ଓ ଅୟୋ କୁହାଯାଏ ।
🟣ଡିଡାୟୀରେ ଇଆଁଙ୍ଗ୍ ଶବ୍ଦ ଵ୍ୟଵହାର କରି ମାତାଙ୍କୁ ସମ୍ବୋଧନ କରାଯାଏ ।
🟣ପରଜୀ ଭାଷାରେ ମାଆଙ୍କୁ ଇୟ୍'ୟା କୁହାଯାଏ ।
🟣ଭତ୍ରୀ ଓ ହଲଵୀ ଓଡ଼ିଆରେ ମାଆଙ୍କୁ ଆୟା ଡକାଯାଏ ।
ଇତ୍ୟାଦି ଇତ୍ୟାଦି ...
ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି ।
ମତାନ୍ତରେ ଆଈ ଶବ୍ଦ ବୋଉ,ବେଇ,ବୁଆ,ବାବା,ବବା,ଦଦା,ମାମା,ମମା,ନାନୀ,ନନା ଆଦି ଶବ୍ଦ ଭଳି child babbling ଯୋଗୁଁ ସୃଷ୍ଟି ହୋଇଥିଵା ମଧ୍ୟ ସମ୍ଭଵ ।
ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା ।
ଉଦାହରଣ ସ୍ୱରୂପ...
ସାରଳା ଦାସ ତାଙ୍କର ସାରଳା ମହାଭାରତର ଭୀଷ୍ମପର୍ଵରେ ଆଇ/ଆଈ ଶବ୍ଦ ଏମନ୍ତ ପ୍ରୟୋଗ କରିଛନ୍ତି...
"ଅନମିତ ବିଶୋଇ ଅଵରଣେ ମଧ୍ଯପାତ୍ର,
ଅଥାପନ ଛତ୍ରୀ ଅଭାଵୀ ମଇତ୍ର ।
ଅଭାଵି ଭାରିଯା ଯେ ଵିଵାଦପ୍ରିୟ ଆଇ,
ୟେତକ ଲୋକନ୍ତ ଵିଶ୍ଵାସ ନ ଯାଇ ॥"
କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି
“ଦଶରଥ ସୂତ, ଜଗତେ ଵିଦିତ,
କୈକେୟୀ ମୋହର ଆଈ।”
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି ।
“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ ।
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ ।
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”
ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...
“ଏମନ୍ତେ ପାହିଲା ରଜନୀ
ଦେଵକୀ ମୁଖ ଚାହିଁ ଭଣି ॥
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ॥
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ॥
କଂସର ଭୟ ଛାଡ଼ ଆଈ ।
ଯାହାର ନାମେ ଦୁଃଖ ନାହିଁ ॥”
ଏହି ଆଈ ଶବ୍ଦଟି ଵିଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ପୂର୍ଵ ତଥା ମଧ୍ୟ ଓଡ଼ିଶାରେ ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଏ ସେହିପରି ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପିତାମହୀଙ୍କୁ ଆଈ ସମ୍ବୋଧନ କରାଯାଉଛି । କେତେକ ଅଞ୍ଚଳରେ ଆଈମା, ଗୋସେଇଁ ଆଈ ତଥା ଆଈଶାଶୁ(ପତି ଵା ପତ୍ନୀର ମାତାମହୀ) ଆଦି ଶବ୍ଦ ମଧ୍ୟ ପ୍ରଚଳିତ ।
ଅନୁମାନ କରାଯାଇପାରେ ଯେ ଆଜକୁ ପ୍ରାୟ ପାଞ୍ଚଶହ ଵର୍ଷ ତଳେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ ଏହି ଦୁଇଟି ଶବ୍ଦ ଚଳୁଥିଲା ଏଵଂ ପରେ ଏ ଶବ୍ଦଟି ମାତାମହୀ ଵା ମାଆଙ୍କ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ ହେଵାକୁ ଲାଗିଲା
ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ବାଳକ ବାଳିକାମାନେ "ମାଆ" ଡାକୁଛନ୍ତି ତଥା ନିଜ ମାତାମାନଙ୍କୁ ମମି,ମାମା ଓ ବୋଉ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆ ଓ ବାପାଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀ ତଥା ପିତାମହୀଙ୍କ ପ୍ରତି ସମ୍ବୋଧନ କରିଵା ହେତୁକ ଵ୍ୟଵହୃତ ହେଵାକୁ ଲାଗିଲା ।
.................................
ଅକିଞ୍ଚନ ଶିଶିର ସାହୁ ମନୋଜ
...........…...................
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...