ଯାଜପୁର ଜିଲ୍ଲାର ନରହରିପୁର ଅଞ୍ଚଳରେ ଅଵସ୍ଥିତ କୋଦଣ୍ଡପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ସେ
"କାହାଣୀ ନୁହେଁ" (୧୯୫୧),"ଅଶୁଭ ପୁତ୍ରର କାହାଣୀ" (୧୯୭୩),"ଉଗ୍ରସେନ ଉବାଚ" (୧୯୭୬)
,"ସ୍ନାୟୁ ଓ ସନ୍ୟାସୀ" (୧୯୮୧),"ଚାରି ସଙ୍ଗାତ କଥା" (୧୯୮୩),'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ" (୨୦୦୮) ଓ "ସିକ୍ତ ସୈକତ" ଆଦି କଵିତା ଓ ଗଳ୍ପ ସଂକଳନ ରଚନା କରିଛନ୍ତି ।
ତନ୍ମଧ୍ୟରେ ତାଙ୍କର ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାଵ୍ୟ ଆଦି ଓଡ଼ିଶାରେ ଜନପ୍ରିୟ ହୋଇଅଛି ।
ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏତଦଵ୍ୟତୀତ ସେ ୨୦୦୨ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ,୧୯୮୩ରେ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ରେ ଝଙ୍କାର ପୁରସ୍କାର,୨୦୧୭ରେ
ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ, ୧୯୯୮ରେ ସାରଳା ସମ୍ମାନ,୨୦୧୯ରେ
ଶିଖର ସମ୍ମାନ ତଥା ଗୋକର୍ଣ୍ଣିକା ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।
ସେ ଥରେ ଏକ ସାକ୍ଷାତକାରରେ ପରପିଢି଼କୁ ଅଦବୋଧନ ଦେଵାକୁ ଯାଇ କହିଥିଲେ
“କିଛି ବି ଲେଖିବି ଯେ କ’ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । “
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମୁଖବନ୍ଧ ସହ ୧୯୫୧ ରେ ତାଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ ”ପ୍ରକାଶିତ ହୋଇଥିଲା । ତାପରେ ସେହି ସାହିତ୍ୟର କାଳଜୟୀ ଯାତ୍ରା ଏଯାଵତ୍ ଅଵିଶ୍ରାନ୍ତ ଚାଲିଛି ।
'ସମ୍ବାଦ' ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କୁ ଦେଇଥିଵା ଏକ ସାକ୍ଷାତକାରରେ ଲେଖକ ଅଚ୍ୟୁତାନନ୍ଦ ପତି ତାଙ୍କର "ସାହିତ୍ୟ ଜୀବନ କିପରି ଆରମ୍ଭ ହୋଇଥିଲା" ତାହା ଏମନ୍ତ ଉଲ୍ଲେଖ କରିଛନ୍ତି...
"ମୁଁ ମାମୁଁଘରେ ରହି ପାଠ ପଢିଵା ଆରମ୍ଭ କରିଥିଲି । ମୋ ମାମୁଁ ଉପେନ୍ଦ୍ର ପଣ୍ଡା ମହତାବଙ୍କ ସହ କଲେଜରେ ଥିଲେ । ଯେତେବେଳେ ପ୍ରଜାତନ୍ତ୍ର ସାପ୍ତାହିକୀ ବାଲେଶ୍ୱରରୁ ପ୍ରକାଶିତ ହେଲା । ମୋ ମାମୁଁ ତା’ର ପ୍ରଥମ ସମ୍ପାଦକ ଥିଲେ । ଆମ ସ୍କୁଲରେ ହେଉଥିଵା ସବୁ ଉତ୍ସଵରେ ମାମୁଁ ଗୀତ ଲେଖି ଶିଖାଉଥିଲେ । ନାଚ ମଧ୍ୟ ଶିଖାଉଥିଲେ । ସେସବୁ ଦେଖି ମୁଁ ଲେଖିଵା ପାଇଁ ଆଗ୍ରହୀ ହେଲି । ପଞ୍ଚମ ଶ୍ରେଣୀରେ ପଢ଼ୁଥିଵା ବେଳେ ପ୍ରଥମ କଵିତା ଲେଖିଥିଲି । ଅଷ୍ଟମ ଶ୍ରେଣୀରେ ଯାଜପୁରରେ ପଢିଲା ବେଳେ ‘ବିରଜା ପ୍ରଦୀପ’ରେ ମୋର ପ୍ରଥମ କଵିତା ପ୍ରକାଶ ପାଇଥିଲା । ଯାହାର ପ୍ରଥମ ପଦ ଥିଲା :
ନୂଆ ସୁଆଗ ବଢାଏ ଝୁଙ୍କ
ସଭିଙ୍କି ଦିଏ ମୋହି,
ଅଢେଇ ଦିନିଆ ପୀରତି ପାଇଁ
ବାଟ ଅବାଟ ନାହିଁ ।
ସେତିକି ବେଳେ ବମ୍ବେରୁ ହାତଲେଖା ପତ୍ରିକା ‘କୁଙ୍କୁମ’ ପ୍ରକାଶିତ ହେଉଥିଲା । ଦେଵ ମହାପାତ୍ର ତା’ର ସମ୍ପାଦକ ଥିଲେ । ତାଙ୍କ ସ୍ତ୍ରୀ ନିଲୁ ମହାପାତ୍ର ସେଥିରେ ଚିତ୍ର କରୁଥିଲେ । ମହାପାତ୍ର ନୀଳମଣି ସାହୁ ମୋର ସାଙ୍ଗ ଥିଲେ । ଆମେ ଏକାଵର୍ଷରେ ମାଟ୍ରିକ ପାସ କରିଥିଲୁ । କୁଙ୍କୁମ ପତ୍ରିକାରେ ଏକାସାଙ୍ଗରେ ଆମର କବିତା ପ୍ରକାଶ ପାଇଥିଲା । ସେହି ଦିନଠାରୁ ମୋର ସାହିତ୍ୟ ଜୀବନ ଆରମ୍ଭ ହୋଇଥିଲା ।”
ସେ ନିୟମିତ ଭାବରେ କବିତା ଲେଖୁଥିଲେ । ପ୍ରଜାତନ୍ତ୍ର ସାପ୍ତାହିକୀ ଓ ଝଙ୍କାରରେ ତାଙ୍କର ସେ କଵିତା ସବୁ ପ୍ରକାଶ ପାଉଥିଲା । ୧୯୫୧ରେ ତାଙ୍କର ପ୍ରଥମ କଵିତା ସଙ୍କଳନ ‘ କାହାଣୀ ନୁହେଁ ‘ ପ୍ରକାଶ ପାଇଥିଲା । ଯାହାର ମୁଖବନ୍ଧ କାନ୍ତକଵି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଥିଲେ । କଵି ଵିନୋଦ ଚନ୍ଦ୍ର ନାୟକ ହଠାତ୍ ଦିନେ ତାଙ୍କୁ କହିଲେ “କଵିତା ବହୁତ ଲେଖାହେଲା ଏବେ ଗପ ଲେଖିଵା ଆରମ୍ଭ ହେଉ । ”
ପରେ ପରେ ତାଙ୍କୁ ହରେକୃଷ୍ଣ ମହତାବ ମଧ୍ୟ ଝଙ୍କାର ପତ୍ରିକା ପାଇଁ ଗପ ଲେଖିଵାକୁ କହିଲେ । ସେମାନଙ୍କର ପ୍ରେରଣାରେ ଅଚ୍ୟୁତାନନ୍ଦ ପତି ଗପ ଲେଖିଵା ଆରମ୍ଭ କଲେ ।
ଜଣେ ଗଣିତ ଶିକ୍ଷକର ଜୀଵନକୁ ନେଇ ସେ ତାଙ୍କର ପ୍ରଥମ ଗପ ‘ପ୍ଲସ ମାଇନସ’ ଲେଖିଥିଲେ । ଛାତ୍ରଛାତ୍ରୀଙ୍କୁ ସରଳ ଓ ସୁନ୍ଦର ଭାବରେ ଗଣିତ ପଢ଼େଇ ପାରୁଥିଵା ଜଣେ ଶିକ୍ଷକ କେମିତି ନିଜର ଵ୍ୟକ୍ତିଗତ ଜୀଵନର ସୂତ୍ର ସମାଧାନରେ ହାରି ଯାଉଛି, ତାହା ହିଁ ଗପଟିର ବିଷୟବସ୍ତୁ ଥିଲା । ତାଙ୍କର ଏ ଗପଟି ମହତାବଙ୍କୁ ବହୁତ ଭଲ ଲାଗିଥିଲା ।
ଗଳ୍ପର ସଂଜ୍ଞା ଵିଷୟରେ ଅଚ୍ୟୁତାନନ୍ଦ ପତି କୁହନ୍ତି
"ମୁଁ ଗଳ୍ପର ଵ୍ୟାକରଣକାର ନୁହେଁ କି ଗଳ୍ପମୁଣ୍ଡି ନୁହେଁ । ଆଜି ପର୍ଯ୍ୟନ୍ତ ଯାହା ଗପ ଲେଖାଯାଇଛି ସେଥିରେ ଗଳ୍ପର ସମ୍ପୂର୍ଣ୍ଣ ସଂଜ୍ଞା ନିରୂପିତ ହୋଇପାରିଵ ବୋଲି ମୁଁ ଭାବୁନାହିଁ । ପ୍ରକୃତରେ କୌଣସି ଏକ ଵିଶେଷ ସଂଜ୍ଞାକୁ ନେଇ ଗପ ଲେଖା ଯାଇପାରେ ନାହିଁ । ଭିନ୍ନ ଭିନ୍ନ ସମୟର ଭିନ୍ନ ଭିନ୍ନ ପୃଷ୍ଠଭୂମି ଉପରେ ଗଳ୍ପର ସଂଜ୍ଞା ନିର୍ଭର କରେ । ନାରୀ ଜାଗରଣକୁ ନେଇ ଗପ ଲେଖାହେଲା କି ନକ୍ସଲପ୍ରଵଣ ଅଞ୍ଚଳ ଵିଷୟ ଉପରେ ଗପ ଲେଖା ହେଲା ପୁଣି ଶ୍ରୀମନ୍ଦିରକୁ ନେଇ ଗପ ଲେଖାହେଲା । ସବୁ ଗଳ୍ପର ପୃଷ୍ଠଭୂମି ସ୍ୱତନ୍ତ୍ର, ତେବେ ତାର କିଛି ସଂଜ୍ଞା ନାହିଁ । ସାମ୍ପ୍ରତିକ ପରିସ୍ଥିତି ଗଳ୍ପର ସଂଜ୍ଞାକୁ ବାରମ୍ବାର ବଦଳାଉଥାଏ ।”
ଲେଖକ ଅଚ୍ୟୁତାନନ୍ଦ ପତି ଓଡ଼ିଆ ସାହିତ୍ୟର ଉନ୍ନତି ସମ୍ବନ୍ଧରେ ଏକ ସାକ୍ଷାତକାରରେ କହିଥିଲେ
“ଆମ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଏକ ଗୌରଵର ବିଷୟ । ତଥାପି କହିବି ପ୍ରାଚୀନ ଶବ୍ଦମାନଙ୍କୁ ନେଇ ସାହିତ୍ୟ ସୃଷ୍ଟି ହେଉ । ଗାଁର ଭାଷାକୁ ନେଇ ଗପ ଲେଖାଯାଉ । ଅନେକ ଶବ୍ଦ ଏବେ ଲୋପ ପାଇଗଲାଣି । ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ଵ୍ୟଵହାର କମ୍ କରାଯାଉ । ଲେଖକ କି କଵି ହେଵା ସହଜ ନୁହେଁ । ଶବ୍ଦ ଓ ରକ୍ତ ମିଶିଲେ ଯାଇ ସାହିତ୍ୟ ହୁଏ । ସେକଥା ପିଲାମାନେ ବୁଝନ୍ତୁ । ବହିଥାକ ପାଖରେ ଛିଡ଼ାହୋଇ ଫଟୋ ଉଠେଇ କି ପୁରସ୍କାରର ଲମ୍ବା ତାଲିକା ନେଇ କେହି ସାହିତ୍ୟିକ ହେବେ ନାହିଁ । ବହି ପଢନ୍ତୁ । ପୁରାଣ ଶାସ୍ତ୍ର ବି ପଢ଼ନ୍ତୁ । ସେ ଵିଷୟରେ ବୌଦ୍ଧିକ ଚର୍ଚ୍ଚା ହେଉ । ସାହିତ୍ୟର ସ୍ରୋତ ତ ଆମ ପୁରାଣରୁ ଆରମ୍ଭ । ଵୃତ୍ତିଗତ ପଦ ମର୍ଯ୍ୟାଦା , ପ୍ରକାଶିତ ପୁସ୍ତକର ସଂଖ୍ୟା ଵା ଵୟସ ନଦେଖି ସୃଷ୍ଟିର ଗଭୀରତାକୁ ମପାଯାଉ। ସାହିତ୍ୟ ଆପେ ଆପେ ଉନ୍ନତ ହୋଇଯିଵ । ଲେଖକ ବୋଲି ପରିଚିତ ହେଵାପାଇଁ ନୁହେଁ, ହୃଦୟର ଅତଳ ଗର୍ଭରେ ଉଠୁଥିଵା ଉତ୍ତାଳ ଢ଼େଉକୁ ଅନୁଭୂତି ଓ ଅଭିଜ୍ଞତାର ସ୍ପର୍ଶ ଦେଇ ସାହିତ୍ୟ ରଚିତ ହେଉ” ।
ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ‘ଅଶୁଭ ପୁତ୍ରର କାହାଣୀ’ ଓଡ଼ିଆ ଗଳ୍ପ ପରମ୍ପରାରେ ଏକ ମାଇଲଖୁଣ୍ଟ । 'ଅଶୁଭପୁତ୍ରର କାହାଣୀ' ଗଳ୍ପଟି ଗାଳ୍ପିକ ପତିଙ୍କ ଏକ ସଫଳ କ୍ଷୁଦ୍ରଗଳ୍ପ । ଏ ଗଳ୍ପଟି ୧୯୫୬ ମସିହା 'ଡଗର' ପତ୍ରିକାର ବିଂଶବର୍ଷ ପଞ୍ଚମ ସଂଖ୍ୟାରେ ପ୍ରକାଶ ପାଇଥିଲା । ୧୯୭୩ ମସିହାରେ ଅଚ୍ୟୁତାନନ୍ଦ ପତିଙ୍କ ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଲା, ସେ ସଂକଳନର ନାମ 'ଅଶୁଭପୁତ୍ରର କାହାଣୀ' ଶିରୋନାମରେ ରହିଥିଲା ।
ମାନବେତର ପେଚାକୁ ନେଇ 'ଅଶୁଭପୁତ୍ରର କାହାଣୀ' ଗଳ୍ପଟି ରଚିତ । ଅନ୍ଧାରରୁ ଆଲୁଅକୁ ଆସିଵାର ଇଚ୍ଛା ଓ ନିଜକୁ ଅମଙ୍ଗଳର କୁତ୍ସିତ ପ୍ରତୀକରୁ ମୁକୁଳାଇବାର ପ୍ରଵଣତା ପେଚାକୁ ଏକ ଵିପ୍ଲଵୀ ରୂପରେ ଠିଆ କରାଯାଇଛି ଯାହାର ପରିଣତି ଖୁବ୍ ଦାରୁଣ ।
ଆଖି ଫିଟାଇଲା ପରେ ପ୍ରଥମେ ଅନ୍ଧାର ଦେଖିଥିଵା ପେଚାକୁ ତା ମାଆ ଵାହ୍ଯ ଜଗତର ଯେଉଁ ତୋଫା ତୋଫା ଜହ୍ନ ଆଲୁଅ ଦେଖାଇଥିଲା ସେତକକୁ ସେ ଅହୋଭାଗ୍ୟ ମଣି ଜୀଵନର ଇପ୍ସିତ ସୌନ୍ଦର୍ଯ୍ୟକୁ ଅଣଦେଖା କରିପାରି ନଥିଲା ।
"ଆମେ ଅନ୍ଧାରର ବାସିନ୍ଦା । ଆମେ ଅଶୁଭର ସମ୍ପ୍ରଦାୟ । ଆମେ ଦୁନିଆର ଅଭିଶାପ । ଆମେ ଆଲୁଅ ଖୋଜିଲେ ମରିଵା ।"
ଅନାଦିକାଳରୁ ଉଚ୍ଚାରିତ ଏହି ପଦକୁ ଘୋଷା ନଧରି ନିଜ ଅଧିକାରକୁ ଜୋର୍ ଜବରଦସ୍ତି ଆଲୁଅ ରାଇଜରେ ରାଜୁତି କରୁଥିଵା ଆଲୁଅ ପୁଅଙ୍କଠୁ ଛଡାଇ ଆଣିଵାର ଦାମ୍ଭିକପଣରେ ସେ କହିଲା
"ମାଆ ତୁ ଟିକେ ଥୟ ଧର । ମୁଁ ବଡ ହୁଏ ଆଲୁଅ ରାଜ୍ୟକୁ ତୋତେ ଆଲବତ୍ ନେଇଯିବି, ମୁଁ ସବୁ ଶତ୍ରୁକୁ ମା ନିପାତ କରିଦେବି ।"
ପେଚା ବଡ ହେଲା ଆଲୋକ ରାଇଜକୁ ଜୟ କରିଵାକୁ ବାହାରିଲା । ସେ ଏକା ହିଁ ତା ପକ୍ଷର ବାକି ସବୁତକ ଵିପକ୍ଷର ।
ଆଲୁଅକୁ ଅକ୍ତିଆର କରି ରଖିଥିଵା ଦଳଦଳ କୁଆଙ୍କର ଆକ୍ରମଣରେ ସେ ଧୀରୁମଲ୍ଲର କୋଠାରେ ଆଶ୍ରୟ ନେଲା । ଜୀଵନଯାକ ପାପପଙ୍କରେ ଲିପ୍ତ ଧୀରୁମଲ୍ଲ ପେଚାକୁ ଅଶୁଭ ଲକ୍ଷଣ କହି ତଡିଦେଲା ।
ଅଧିକାର ଛଡାଇ ନେଇଥିଵା କୁଆ ଓ ଭାଗ୍ୟରେ କଳଙ୍କ ବୋଲିଥିଵା ମଣିଷ ଧୀରୁମଲ୍ଲର ଆକ୍ରମଣରେ ରକ୍ତଜୁଡୁବୁଡୁ ହୋଇ ପେଚା ଆଖି ବୁଜିଲା । ମରିଵା ପୂର୍ବରୁ ସେ ତା ମାଆକୁ କହିଗଲା
"ମାଆ, ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିଵାକୁ ଯାଇ ବୀର ପରି ମରିଛି ।"
ପୂର୍ଵେ ଏହି "ଅଶୁଭ ପୁତ୍ରର କାହାଣୀ" ଗଳ୍ପଟି ଵିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନିତ ହୋଇଥିଲା । ସେହି ଗପଟି ଏଠାରେ ପୁସ୍ତକ ପୃଷ୍ଠାଚିତ୍ର ଭାବେ ପ୍ରକାଶିତ ହେଲା...