ରାମହରି ପଟ୍ଟନାୟକେ ଥିଲେ ପୋଲିସ୍ର ଦାରୋଗା । ସାଲେପୁର୍ ପ୍ରଗନା ଗୋପୀନାଥପୁର ଗାଁରେ ଜଣେ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡ଼ିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକ ପରାମର୍ଶ ଲୋଡ଼ିବାକୁ ତାଙ୍କ ପାଖକୁ ଧାଇଁ ଆସନ୍ତି । ପଞ୍ଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରି ବାବୁ ଆସିବେ, ତେବେ କଥା ପଡ଼ିବ । ବାବୁ ପେନ୍ସନ୍ ପାଇ ପାଞ୍ଚ ବର୍ଷଯାଏ ଘରେ ବସିଥିଲେ । ତାଙ୍କ ବିଯୋଗ ବେଳକୁ ପୁତ୍ର ଶିବସୁନ୍ଦରର ବୟସ ଦଶ । କନ୍ୟା ଚମ୍ପା ଦେଇକୁ ପାଞ୍ଚ ବର୍ଷ ପଶିଥିଲା । ବିଧବା ବିମଳା ଦେଈ ବଡ଼ ଦୟାବତୀ, ବଡ଼ ହେଙ୍ଗ୍ଲୀ, ବଡ଼ ସରଳା ଥିଲେ । ଏବେ ବଡ଼ ଦୁଃଖରେ ପଡ଼ି ବଡ଼ ଘରଣୀ ହଇ ପଡ଼ିଲେଣି । ପିଲା ଦିଓଟି ଆଉ ଘରକରଣା ସମ୍ଭାଳି ସମ୍ଭୁଳି ରଖିଥିଲେ । ରାମହରି ବାବୁଙ୍କର ଦରମା ଉପୁରି ସୁପୁରି ମିଶାଇ ବେଶ ଦଶଟଙ୍କା ରୋଜଗାର ଥିଲା । ହେଲେ କ’ଣ ହେଲା, ମଣିଷଟା ଥିଲେ ବଡ଼ ସାହାଖର୍ଚ୍ଚୀ, ତୁଚ୍ଛା ହାତରେ ମରିଛନ୍ତି । ବିମଳା ଦେଇ ଲୁଚାଛପା କରି ହାତରେ ଯେ ଦଶଟଙ୍କା ରଖିଥିଲେ, ଆଉ ଦେହର ଗହଣାଗାଣ୍ଠି ଦି’ଖଣ୍ଡ ବିକାବିକି କରି ଆଜିଯାଏଁ ଘର ଚଳାଇ ନେଲେ । ଆଉ ଆଉ ଖରଚ ଟାଣୁଟୁଣ କରି ପୁଅଟିର ପାଠ ପଢ଼ାରେ ସବୁ ସାରିଛନ୍ତି । ସବୁବେଳେ ବୋଲୁଥାନ୍ତି, ଶିବୁ ଦି’ଅକ୍ଷର ପଢୁ, ଦେହରେ ଗୁଣ ଥିଲେ କାଲି ସକାଳେ ଘରକରଣା କରି ବସିବ ଯେ ।
ଝିଅ ଚମ୍ପାଟି ଦେଖିବାକୁ ବେଶ ଡୌଲଡ଼ାଉଲ । ନାକଟି ଖଣ୍ଡଧାର ପରି ସିଧା । କଳା କଳା ବଡ଼ ବଡ଼ ଆଖି ଯୋଡ଼ିକ ଢଳ ଢଳ ଦିଶୁଥାଏ । ମୁଣ୍ଡର ଅଳକା ଆଉ ଦାନ୍ତଗୁଡ଼ିକ ସୁନ୍ଦର, ମୁହଁଟିକୁ ସୁନ୍ଦରମାନେ । କୁଙ୍କୁମ ବୋଳି ହେଲା ପରି ଦେହଟିର ରଙ୍ଗ । ଯିମିତି ରୂପ, ସିମିତି ଗୁଣ । ମା’ପାଖରୁ ବେଶ ରନ୍ଧାବଢ଼ା ଶିଖିଛି । ଆଉ ଗୁଣରେ ତାକୁ କେହି ବାରି ପାରିବ ନାହିଁ । ଶିବୁଭାଇ ଶ୍ରଦ୍ଧା କରି କିଛି ପାଠ ପଢ଼ାଇ ଦେଇଛନ୍ତି । ହାତରେ କାମ ପାଇଟି ନ ଥିଲେ ସଞ୍ଜବେଳେ ମା’ପାଖରେ ବସି “କୃପାସିନ୍ଧୁ ଭଜନ” ଆଉ “ଛାନ୍ଦମାଳା”ରୁ କେତେ ଗୀତ ବୋଲେ ।
ଶିବୁବାବୁ କଚେରିରେ କିରାଣୀଗିରି କାମ କରନ୍ତି । ଚାକିରି ଖଣ୍ଡିକ ପାଇଲା ଦିନରୁ ତାଙ୍କର ଇଚ୍ଛା, ଅଳ୍ପସଳ୍ପ ଦରମା ଦେଇ ପିଲାଭଳିଆ ଗୋଟିଏ ରୋଷେୟା ରଖିଲେ ମା’ ଟିକିଏ ଆରାମରେ ରହିବେ । ବିମଳା ଦେଈ ଶୁଣି ନିହାତି ନାରାଜ । ଚାଉଳ ଅଧସେରେ ଫୁଟାଇ ଦେଲେ ପାଇଟି ଛିଡ଼ିଲା, ପିଲାଟା କେତେ ଦରମା ପାଏ ଯେ ଖର୍ଚ୍ଚଟାଏ ବଢ଼ାଇ ବସିବ ।
ଦିନ ପାଣି ପରି ବହି ଯାଉଛି । ଆସନ୍ତା ବିଛା ଛ’ଦିନକୁ ଚମ୍ପାର ବାର ପୂରି ଯାଇ ତେର ବର୍ଷ ପଶିବ । ତେଣିକି ଚଉଦ ଯୋଡ଼ା ବୟସ ପଶିଲେ ବାହା ମନା । ଏହି ବର୍ଷ ବିଭା ନ ହେଲେ ନୁହେଁ । କରଣ ଘର ବୋଲି ଝିଅଟାକୁ ଥୁବୁଡ଼ୀ କରି ଘରେ ରଖିବା, ସେହିଟା ନିହାତି ନିଲଜପଣିଆ କଥା । ଘର ଭଲ, କନ୍ୟାଟି ସୁଲକ୍ଷଣୀ, ଭଲ ଭଲ ଜାଗାରୁ ଜବାବ୍ ଆସିଲାଣି । ବିମଳା ଦେଈଙ୍କର ତୁରନ୍ତ ଜବାବ୍, ନା । ଯେ ଯେତେ ବୁଝାଉ, ଏକା ରା-ନା ।
ଦିନେ ସଞ୍ଜବେଳେ ବିମଳା ଦେଈ ଅନୀ ପିଉସୀ ଆଉ ଶିବୁବାବୁଙ୍କୁ ପାଖରେ ବସାଇ ଆପଣା ମନ କଥା ଫିଟାଇ କହିଲେ, “ଦେଖ ପିଉସୀ, ଝିଅକୁ ଜୁଆଇଁ ନେଲେ ଗଲା, ଯମ ନେଲେ ମଲା । ବଡ଼ ଲୋକ ଦେଖି ଦୂରଦୂରାନ୍ତରକୁ ଝିଅଟାକୁ ପେଲି ଦେବି, ଆଉ ତ ଆଖିସୁଲଭ ଦେଖି ପାରିବି ନାହିଁ । କରଣକୁଳ, ଯେ ଗଲା, ଏକମୁହଁ । ସେହି ଗଲା । ମୋର ଦି’ଓଟି ଆଖି, ଗୋଟିଏ ଗଲେ କାଣୀ ହୋଇ ମରିଯିବି ଯେ । ଇମିତି ଆଖ ପାଖରେ ଦେବି ଯେ ଯିମିତି ଡାକି ଦେଲେ ଓ କରୁଥିବ । ଏ ତ ଗଲା ଗୋଟାଏ ବାଡ଼ । ଅସଲ କଥା ମୁଁ ସତ୍ୟ ଲଙ୍ଘିବି ନାହିଁ । ବାବୁମାନେ ଆଉ ବଉଳ ଚାଲି ଯାଇ ସ୍ୱର୍ଗରେ ଅଛନ୍ତି, ମୁଁ ନରକରେ ଘାଣ୍ଟି ହେଉଛି । ସତ୍ୟ ଲଙ୍ଘିଲେ ମୋତେ ନରକରେ ବି ଠାବ ହେବ ନାହିଁ ।
ରାମହରିବାବୁଙ୍କ ଚାରି ଘର ଛଡ଼ା ପଡ଼ୋଶୀ ନବଘନ ଦାସେ ପୋଲିସର ଜମାଦାର ଥିଲେ । ଗୋଟିଏ ଥାନ୍ତାରେ ଏକ ସଙ୍ଗରେ ଚାକିରୀରେ ତେରଦିନ ବିତି ଯାଇଥିଲା । ନବଘନବାବୁଙ୍କ କୁଟୁମ୍ୱ ମଧ୍ୟରେ ଭାର୍ଯ୍ୟା କମଳା ଦେଈ ଆଉ ଗୋଟିଏ ପୁଅ ଦିବାକର । ଦୁଇବାବୁଙ୍କ ମଧ୍ୟରେ ଯିମିତି ମନ ମିଳେ, ଖୁବ୍ ଭାବ, ଏଣେ ଘରଆଡ଼େ ବିମଳା ଦେଈ ଆଉ କମଳା ଦେଈଙ୍କ ମଧ୍ୟରେ ସିମିତି ମିଳାପ, ସିମିତି ଏକ ମନ । ଦୁଇଜଣ୍ ଯେତେବେଳେ ଭୁଆସୁଣୀ ଥିଲେ, ରୋଜ ସକାଳେ ବାଡ଼ି ଆଡ଼େ ପୋଖରୀ ତୁଠରେ ଘଡ଼ିଏ ଯାଏ ବସି ଦାନ୍ତ ଘଷନ୍ତି, ଆଉ ଦୁଃଖ ସୁଖ କଥା, ହସି ଖୁସି କଥା, ରନ୍ଧବଢ଼ା କଥା, ଘରକରଣା କଥା ହୁଅନ୍ତି । ଦୋଳପୂର୍ଣ୍ଣମୀ ଦିନ ଦୁଇ ଜଣ ଆମ୍ୱ ବଉଳ ବସିଲେ । ଚମ୍ପା ଯେତେବେଳେ ପେଟରେ ଥାଏ, କମଳା ଦେଈ କହିଲେ, “ବଉଳ, ତମର ଯେବେ ଗୋଟିଏ ଝିଅ ହେବ, ମୋ ଦିବୁକୁ ଦେବ ।” ବିମଳା ଦେଈ କହିଲେ, “ହଁ ବଉଳ, ଦେବି । କମଳା ଦେଈ, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ ।” ତିନି ସତ୍ୟ ଉତ୍ତାରେ ଆଉ କ’ଣ କଥା ଥାଏ । ନବଘନ ବାବୁ, କମଳା ଦେଈ ଚାଲି ଯାଇଛନ୍ତି । ପୁଅ ଦିବାକର ଘରକୁ ଏକୁଟିଆ, ପିଲାଟା ଯୋଗ୍ୟ, ଇଂରାଜୀ ବି ଦି’ଅକ୍ଷର ଜାଣେ, ଯୁବା ବୟସ, ଦେଖିବାକୁ ସୁନ୍ଦର, କାକଟପୁର ଜମିଦାର ସିରସ୍ତାର ନାଏବ । ବିମଳା ଦେଈ ସେ ସତ୍ୟକୁ ହୃଦରେ ଲେଖି ରଖିଛନ୍ତି । କହିଲେ ମୁଁ ସତ୍ୟ ଲଙ୍ଘିବି ନାହିଁ, ଛେଉଣ୍ଡ ପିଲାଟିକି ଥାଏ କରିବି । ବିଭା ହୋଇଗଲା । ଦିବାକର ଚମ୍ପା ମାଣିକଯୋଡ଼ା ପରି ପରମ ସୁଖରେ ଘରେ ଥାନ୍ତି । ଦୁଇ ଜଣଙ୍କର ଏକ ମନ, ଏକ କଥା, ଏକ ଇଚ୍ଛା । ପୃଥିବୀରେ ସ୍ୱର୍ଗୀୟ ସୁଖ ଯଦି କିଛି ଥାଏ, ସେହିଟା ହେଲା ଦାମ୍ପତ୍ୟପ୍ରେମ ।
ମା’ ବିମଳା ଦେଈ ଏଣିକି ଅଡ଼ି ବସିଲେଣି, ଘରକୁ ବୋହୂଟିଏ ଆଣିବାକୁ ହେବ । ଦିନେ ରବିବାର, କଚେରି ବନ୍ଦ, ପୁଅ ଘରେ ଅଛି । ଶିବୁବାବୁ ବସି ଖଣ୍ଡିଏ ପୋଥି ପଢୁଥିଲେ । ବୁଢ଼ୀ ଧୀରେ ଧୀରେ ଯାଇ ପାଖରେ ବସିଲେ । କଅଁଳେଇ କଅଁଳେଇ କହିଲେ, “ଆରେ ବାପା ଶିବୁ । ଆଜିକି ପାଞ୍ଚ ବର୍ଷ ହେଲା ତୋ ସାଙ୍ଗରେ ଲାଗିଛି, କେତେ ଥର କହିଲି, ଶୁଣିଲୁ ନାହିଁ । ପହିଲୁ ପହିଲୁ କହିଲୁ, ପାଠ ପଢ଼ି ସାରିଲେ ବାହା ହେବୁ । ପଢ଼ା ସରିଲା ।
ଫେର୍ ଧରିଲୁ, ଚାକିରୀ କଲେ ବାହାଘର ହେବ । ଚାକିରୀ ବି ହେଲା । କାହିଁ, ବାହାଘରର ନା ଚର୍ଚ୍ଚା ବି ନାହିଁ । ମୋର କ’ଣ ଆଉ ବଳ ବୟସ ଆସୁଛିରେ । ମୁଁ କ’ଣ ଆଉ କାମ ପାଇଟିକି ପାରିବିକିରେ । ବିଦ୍ୟା ମା’ ସିନା ବାହାରଘର କାମ ପାଇଟି କରି ଦେଇଗଲା, ଭିତର ପାଇଟି ରନ୍ଧାବଢ଼ା କରୁଛି କିଏ ? ଏଣିକି ସଞ୍ଜ ହେଲା ତ ଆଖିକି କିଛି ଦିଶିବ ନାହିଁ, ପାଞ୍ଚ ଜାଗା ହାବୁଡ଼ି ପଡ଼ିବି, କାମ ପାଇଟି ହାତକୁ ଲାଗିବ ନାହିଁ । ଦିନେ ଦିନେ ଦିହପା’କୁ ଲାଗିଲେ ଚମ୍ପା ଆସି ଦି’ଟା ସିଝାସିଝି କରି ଦେଇଯାଏ, ସେ କ’ଣ ସବୁଦିନେ ଆସୁଥିବ ? ଯେତେ ହେଲେ ସେ ହେଲା ପରଘରୀ, ତା’ର ଫେର ଘରକରଣା ଅଛି ନା ! ପୁଣି ଘରକୁ ଏକୁଟିଆ, ଶାଶୁ ନଣନ୍ଦ କେହି ନାହିଁ ବୋଲି ସିନା ଯେତେବେଳେ ପାରେ ଧାଇଁ ଆସେ, ନୋହିଲେ କ’ଣ ଆସି ପାରନ୍ତା ? ଆଉ ଦେଖ, ତିନି ପ୍ରସ୍ତ ଘର, ମୁଁ ଗୋଟାଏ କଣରେ କେଉଁଠି ପଡ଼ି ରହିଥାଏ, ତୁ କଚେରିକୁ ବାହାରିଗଲେ ଘରଗୁଡ଼ାକ କିମିତିକା ଖାଁ ଖାଁ ଗୋଡ଼ାଏ । ଏଇ ଘର କ’ଣ ଥିଲା, କ’ଣ ହେଲା ! ହାଇରେ- ହା ! ମୁଁ ଆଉ କେତେ କାଳ ବଞ୍ଚି ରହିବି ରେ ? ମତେ ଟିକିଏ ଅନାରେ ଭଲା । ସେ ନାହାନ୍ତି ବୋଲି ସିନା, ତୁ କ’ଣ ଆଜିଯାଏ ଅଭିଆଡ଼ା ବସିଥାନ୍ତୁ ?” ବୁଢ଼ୀ ଆଉ କିଛି କହି ପାରିଲେ ନାହିଁ, ଧକେଇ ଧକେଇ କାନ୍ଦି ବସିଲେ, ସୁଁ ସୁଁ କରି ନାକ ପୋଛି ପକାଉଥାନ୍ତି ।
ମା’ଙ୍କ ଦୁଃଖ ଦେଖି ଶିବୁବାବୁଙ୍କ ମନରେ ଭାରି ଦୁଃଖ ହେଲା, ପୋଥି ଖଣ୍ଡିକ ମେଜ ଉପରେ ଥୋଇ ଦେଇ ଅନୀ ଆଈ ଦୁଆରକୁ ଚାଲିଗଲେ । ଅନୀ ଆଈ ଲେଖାଯୋଖାରେ ବିମଳା ଦେଈଙ୍କ ପିଉସୀ, ଶିବୁ ଆଉ ଚମ୍ପାକୁ କୋଳରେ କାଖରେ କରି ବଢ଼ାଇଛି । ବିମଳା ଦେଈ ତାକୁ ମା’ ପରି ମାନନ୍ତି, ଅନୀ ବି ବିମଳା ଦେଈଙ୍କୁ ଝିଅ ପରି ମଣେ, ଭଲ ପାଏ, ସବୁ କଥାରେ ସାହା ହୁଏ । ଅନୀ ଘର ଆଉ ବିମଳା ଦେଈଙ୍କର ପାଚିରୀ ଲଗାଲଗି, ଦୁଆର ଅଲଗା ଅଲଗା । ଅନୀ ଆଈ ବଂଶଲତା ଆମ୍ଭେମାନେ ପାଇ ନାହୁଁ, ଏଥକୁ ଉପର ପୁରୁଷର କାହାରି ପରିଚୟ ଦେବାକୁ ଅକ୍ଷମ । ବିଭାପ୍ରସଙ୍ଗରେ ଆଈ ନାତି ମଧ୍ୟରେ ଢେର କଥାଭାଷା ହେଲା । ଆଈ କହିଲେ, “ଆଚ୍ଛା ଶିବୁ, ତତେ ଗୋଟିଏ ଭଲ ସୁନ୍ଦରୀ ବୋହୂ ଆଣି ଦେବି, ମାଣିଆବନ୍ଧି ଲୁଗାଟିଏ ପିନ୍ଧାଇବୁ ଏକା ।”
ବୟସ ଥିବାବେଳେ ଅନୀ ଆଈ ବଡ଼ କଳିହୁଡ଼ି ଥିଲା । ପର ଉପକାର କରିବାକୁ, ଭାବ କରିବାକୁ ବି ଆଗ । ବୁଦ୍ଧିମତୀ, ଦରକାର ପଡ଼ିଲେ ଗୋଟାଏ ଠିକ୍ ବୁଦ୍ଧି ଫାନ୍ଦି ଦେବାକୁ ବି ଖୁବ୍ ପାରେ । ରାଣ୍ଡ ମାଇ-କନିଆଟିଏ ହେଲେ କ’ଣ ହେଲା, ଭୁଲ ଭଟକାରେ ଗାଁ ଲୋକେ ତାକୁ ପରାମର୍ଶ ପଚାରନ୍ତି ଉଛୁଣି ଆଈ ବଡ଼ ବୁଢ଼ୀ ହୋଇଗଲାଣି । ବାଡ଼ି ଖଣ୍ଡିଏ ଧରି ଠୁକୁର ଠୁକୁର କରି ବାହାରିଲା । ଦାଣ୍ଡ ଦୁଆରୁ “ରେ ବିମଳା ! ରେ ମା’ ବିମଳା !” ଡାକି ଡାକି ଯାଇ ଝିଆରୀ ପାଖରେ ବସିଲା । ଏ କଥା, ସେ କଥା, ଦୁଇଟା କଥା ବାଦେ କହିଲା, “ଆରେ ମା’ ! ଶିବୁ କହିଛି, ବାହା ହେବ । ହଁ, ଭଲଲୋକ ଘର ଝିଅଟିଏ ହୋଇଥିବ, ଦି’ଅକ୍ଷର ପଢ଼ିଥିବ, ଇମିତିକା କନ୍ୟାଟିଏ ପାଇଲେ ବାହା ହେବ ।” ଶିବୁ ବାବୁଙ୍କର ଆଉ ଗୋଟିଏ କଥା, କନ୍ୟାଟି ସୁନ୍ଦରୀ ହୋଇଥିବ, ଆଈ କିନ୍ତୁ ଏ କଥାଟା ଝିଆରୀକୁ କହିଲେ ନାହିଁ । ଏକା ଶିବୁ କିଆଁ, ସୁନ୍ଦରୀ କନ୍ୟା ବିଭା ହେବାକୁ କାହାର ଇଚ୍ଛା ନ ବଳେ । ପାଠକ ପାଠିକା ବୋଲନ୍ତୁ ଭଲା, କଥାଟା କ’ଣ ମିଛ ? ବିମଳା ଦେଈ ଆନନ୍ଦରେ ପିଉସୀକୁ କୁଣ୍ଢାଇ ପକାଇ କହିଲେ, “ପିଉସି, ତୁ ଟିକିଏ ଲାଗି ଯା’, ମୋର ଆଉ କିଏ ଅଛି ? ବାପଛେଉଣ୍ଡଟି ଲାଗି କିଏ ଧାଇଁବ ? ଯାହା କରିବେ ଜୁଆଇଁ ବାବୁ । ମୁଁ ତ କହିବି ନାହିଁ, ତୁ ଯା’ ତାଙ୍କୁ କହିବୁ, ସେ ଖୋଜା ଲୋଡ଼ା କରି ଘଟଣା କରି ଦିଅନ୍ତୁ । ଚମ୍ପାକୁ କହିବି, ସେ ବି ଜୁଆଇଁ ବାବୁଙ୍କୁ କହିବ । ଯେତେ ହେଲେ ସେଇଟା ହେଲା ପିଲାଲୋକ । କହି ଜାଣିବ ନାହିଁ, ତୁ ଯା’, ତାଙ୍କୁ ବୁଝେଇ ବନେଇ ବନେଇ କହିବୁ ।”
ଶିବୁବାବୁ ବର୍ତ୍ତମାନ ମହା ହଇରାଣରେ ପଡ଼ିଲେଣି । ଉଠୁଣୁ ବସୁଣୁ ଚମ୍ପା ତାଙ୍କ ସଙ୍ଗରେ ଲାଗିଛି ମୋ ଭାଇ ପାଇଁ ଗୋଟିଏ କନ୍ୟା ଠିକଣା କରି ଦିଅ । ଦିବୁବାବୁ ବାହାରୁ କୁଆଡୁ ବୁଲି ଆସି ଘରେ ଗୋଡ଼ ଦେଇଥିବେ କି ନାହିଁ, ଚମ୍ପା ଧାଇଁ ଆସି ପଚାରିବ “କ’ଣ, କନ୍ୟା ଠିକଣା ହେଲା ?” ମଲା ଯା’ । କନ୍ୟାଟାଏ କ’ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।
ଦିବୁବାବୁ ଜମିଦାର ନାଏବ । ମଫସଲର ଖବର ଜଣା । ପାଞ୍ଚ ଜାଗାକୁ ଖବର ପଠାଇଲେ । ଦୁଇପକ୍ଷରୁ ଲୋକ ଯା’ ଆସ କଲେ । କଥା ପଟିଲା ନାହିଁ, ଭାଙ୍ଗିଗଲା । ଶେଷରେ ପ୍ରସଙ୍ଗ ଚଳିଲା । ଦୁମଦୁମପୁରରେ କନ୍ୟାଟି ଘରଯୋଗା ହେଲାଣି । ବୟସ ସତର ବରଷ ଚାଲିଛି । ବିଧବାର ଝିଅ, ବଡ଼ଭାଇ ବଳରାମ ଦାସେ ଗାଁର ଅବଧାନ ।
ସବୁ ପ୍ରସଙ୍ଗ ଶିବୁବାବୁ ଟିକିଏ ମୋଡ଼ ମାଡ଼ ହେଉଥିଲେ । କନ୍ୟାଟି ବଡ଼ ଲୋକର ଝିଅ, ଆଉ ସୁନ୍ଦରୀ ହୋଇଥିବ, ଏଇଟା କିଏ ନ ଲୋଡ଼େ ? ହେଲେ, ସେଇଟା କ’ଣ ସମସ୍ତଙ୍କ କପାଳକୁ ଘଟିଥାଏ ? ବିଭା କଥାଟା ଜାଣ ପ୍ରଜାପତି ଘଟସୂତ୍ର କଥା, ତାଙ୍କ ନିର୍ବନ୍ଧକୁ କିଏ ମେଣ୍ଟିବ, କନ୍ୟା ଯେ ଈଶାଣରେ ଚାଉଳ ଦେଇଛି, ଧରି ବାନ୍ଧି ସେଇଠି କି ଯିବ । ଶିବୁବାବୁ ଆଖି ଫେରାଇ ଦେଖିଲେ, ଆଉ କେଉଁଠି ଠିକଣା ନାହିଁ । ଏଣେ ମା’ ହେଲେଣି ଅଥୟ । କ’ଣ କରିବେ, ରାଜି ହୋଇଗଲେ । ବିମଳା ଦେଈଙ୍କ ଆନନ୍ଦ ଦେଖେ କିଏ, ଭୋକିଲା ଲୋକକୁ ପେଜ ମନ୍ଦାକ ବି ଅମୃତ । ବୋହୂ ବୋହୂ ଭଜି ହେଉଥିଲେ, ବୋହୂ ଠିକଣା ହେଲା, ଆଉ କ’ଣ ? ଚମ୍ପା ମନରେ କଲା, ପାରିଲା ବୋହୂ ଆସିବ, ଏକାବେଳକେ ହାଣ୍ଡିଶାଳରେ ପଶିଯିବ, ମା’ ଖଲାସ ପାଇଲେ, ଭଲ ହେଲା ।
ଦିବୁବାବୁ ଖବର ଆଣିଲେ, କନ୍ୟା ଦେହ ବର୍ଣ୍ଣ ଟିକିଏ କଳା, ନାମ- ନିମା ! ନାମଟା ବିଚିକିଟିଆ କିଆଁ, ସେଥିର ମଧ୍ୟ ଖବର ଆସିଲା । କନ୍ୟାର ଉପର ଦୁଇ ଭାଇ ଲାଗ ଲାଗ ବାହୁଡ଼ିବା ବାଦେ କନ୍ୟାଟି ଜନ୍ମ ହେଲା । ମା’ ଦେଖିଲେ, କନ୍ୟାଟି ବଡ଼ ସୁନ୍ଦର, ଚମକି ପଡ଼ିଲେ, ଉପର ଦିଓଟି ସୁନ୍ଦର ପୁଅଙ୍କୁ ଯମ ନେଇ ଯାଇଛି, ଏ କନ୍ୟାଟିକୁ କାଳେ ଘେନିଯିବ, ନାମ ଦେଲେ ନିମ । ଅର୍ଥାତ୍ ନିମ ଭାରି ପିତା, ଯମକୁ ରୁଚିବ ନାହିଁ ।
ସେସବୁ କଥା ଯାଉ, ନିମା ସଙ୍ଗରେ ଶିବୁର ବିଭା ହୋଇଗଲା । ବଡ଼ ପ୍ରେମରେ, ବଡ଼ ଆନନ୍ଦରେ ଶାଶୁ ବୋହୂଟିକୁ ଘରକୁ ନେଲେ ।
ନୂଆବୋହୂଟି ଘରେ ପଶିଛି, ତାକୁ ହଠାତ୍ କିମିତି କିଏ କହିବ, ତୁ ଏ କାମ କର, ସେ କାମ କର । ବୋହୂଟି ଢାଙ୍କିଢୁଙ୍କି ହୋଇ ଘରେ ପଶିଥାଏ । ଚମ୍ପା ଆପଣା ଘର ବାସିପାଇଟି ସାରି ଆସି ବୋହୂକୁ ଉଠାଏ । ସାଙ୍ଗରେ ଘେନି ଯାଇ ଗାଧୁଆପାଧୁଆ କରାଇ ଆଣେ । ବିମଳା ଦେଈ ରନ୍ଧାବଢ଼ା କରି ଭାତ ପରଷି ଦିଅନ୍ତି, ବୋହୂ ଖାଇ ହାତ ଧୋଇ ଶୋଇପଡ଼େ । ବିଦାମା ଆସି ସଙ୍ଖୁଡ଼ି ବାସନ ଖଣ୍ଡ ଧୋଇ ପକାଏ ।
ପନ୍ଦର ଦିନ ଗଲା, ମାସେ ଗଲା, ଦି’ମାସ ବି ଗଲାଣି । କାହିଁ, ବୋହୂ ତ ଗମ୍ଭୀରାରୁ ବାହାରୁ ନାହିଁ । କାମ ପାଇଟି କିଛି କରୁ ନାହିଁ । ଚମ୍ପା ଦି’ଥର, ଚାରିଥର କହିଲାଣି, “ବୋହୂ ଉଠ, କାମ ପାଇଟିରେ ଲାଗ, ରନ୍ଧାବଢ଼ା କର, ତୁଚ୍ଛାଟା ବିଛଣାରେ ପଡ଼ିଛୁ କିଆଁ !” ବୋହୂ ଘାଲେଇ ଦିଏ, ଶୁଣି ନ ଶୁଣିଲା ପରି କିଛି କଥା କହେ ନାହିଁ । ମନରେ କଲା, କ’ଣ ? ମା’ କହିଛି, ମୋ ଗେରସ୍ତ ରୋଜଗାରିଆ, ମୁଁ ଏ ଘରେ ସାନ୍ତାଣୀ ! ଏ ଗୁଡ଼ାକ ମୋ ଘରେ ଖାଇବେ, କାମ ପାଇଟି କରିବେ ସିନା, ମୁଁ କିଆଁ ଗତର ଖଟାଇବି । ମା’ ଯେତିକି ଉପଦେଶ ଦେଇଥିଲା, ବୋହୂ ଭଲ କରି ମନରେ ରଖିଛି । ମା’ କହିଛି, ଶାଶୁକୁ ଅନାଇ କଥା କହିବୁ ନାହିଁ, ଠାରି ଠାରି ଦେବୁ । ବୋହୂ ଖାଇ ବସିଥାଏ, ଭାତ ତିଅଣ ଲୋଡ଼ା ହେଲେ କଂସା କି ଗିନାଟା ମାଟିରେ ଠୁକ୍ ଠୁକ୍ ମାରି ଠାରି ଦିଏ । ବୋହୂଟି ଟିକିଏ ଭୋକ କାଉଳି, ଭାତ ରନ୍ଧାରେ ଶାଶୁ ଟିକିଏ ଡେରି କଲେ ବୋହୂ ରୋଷେଇ ଘରକୁ ଯାଇ ହୁଁ ହୁଁ କରି ପେଟରେ ହାତ ହୁଲାଇ ଠାରି ଦିଏ । ବିମଳା ଦେଈ ବି ବୁଝିପାରନ୍ତି ବୋହୂଟିକୁ ଭୋକ ଲାଗିଲାଣି ।
ଚମ୍ପା ଆଉ ସହି ପାରିଲା ନାହିଁ । ବୋହୂକୁ ବକାବକି କଲାଣି । ବୋହୂ ବି କେତେ ସହିବ । କିଆଁ ସହିବ । ସେ ଯେ ଘରର ସାନ୍ତାଣୀ । ପହିଲୁ ପହିଲୁ ରାଗରେ ଗୁଇଁ ଗାଇଁ ହେଉଥିଲା, ଏଣିକି ସାଫ ଜବାବ୍ ଦେଲାଣି । ଦିନେ ଚମ୍ପା ଭାରି ରାଗି ଯାଇ ବୋହୂକୁ ଗାଳିଦେଲା । ବୋହୂ ବି ଗାଳି ଆରମ୍ଭ କଲା । ବିମଳା ଦେଈ ଧାଇଁ ଆସି କହିଲେ, “ନା ରେ ମା’ ଚମ୍ପା ! ଛୁଆଟା ମା’କୁ ଛାଡ଼ି ଆସି ମନ ଦୁଃଖରେ ଅଛି, ସବୁ କାମ ପାଇଟି ପଛେ କରିବ ଯେ । ଢୋଲ କାନ୍ଧରେ ପଡ଼ିଲେ ଆପେ ବଜାଇବ ।” ଚମ୍ପା କହିଲା, “ନାହିଁ ମା’ ! ଯେ ବୋହୂ ଦେଖୁଛି, ଢୋଲ ତ ଢୋଲ, ଢେଙ୍କି କାନ୍ଧରେ ପଡ଼ିଲେ ବି ହଲଚଲ ହେବାର ନୁହଁ ।”
ଦିନେ ଅନୀ ଆଈ ନାତୁଣୀକୁ ପଚାରିଲା, “କି ଲୋ ଚମ୍ପି । ତୁ ତ ବୋହୂକୁ ଏତେ ବୁଝାଉଛୁ, ଏଣିକି ଉଠି କାମ ପାଇଟି କଲାଣି ନା ।”
ଚମ୍ପା କହିଲା, “ନାହିଁ ଲୋ ଆଈ, ତୁ ଯେତେ ମାଠିବୁ ମାଠ, ସେ ତ ସେଇ ଦରପୋଡ଼ା କାଠ ।”
ରନ୍ଧା ବଢ଼ାରେ ଟିକିଏ ଉଛୁର ହେଲେ ବା ଆଉ କିଛି କଥାରେ ବୋହୂଟା ଶାଶୁ ସଙ୍ଗରେ ଭଟ୍ ଭଟ୍ ଲଗାଇଲାଣି । ହେଲେ, ବୋହୂ ତା’ ମା’ କଥା ଭୁଲି ନାହିଁ । ଶାଶୁ ମୁହଁକୁ ଚାହିଁ ଗାଳି ଦିଏ ନାହିଁ, ଓଢ଼ଣା ପଡ଼ିଥାଏ । ପଛ କରି ବରବର କରି ବକିଯାଏ ।
ବୋହୂର ଯେ ଏତେ ଗୁଣ, ଶିବୁବାବୁ ସବୁ ଜାଣନ୍ତି ନାହିଁ । ମା’ ତ କିଛି କହିବେ ନାହିଁ, ଚମ୍ପା ବି କିଛି କହେ ନାହିଁ । ହେଲେ ଘର କଥା ବାବୁ କ’ଣ ବୁଝି ପାରିବେ ନାହିଁ । ସବୁ ନ ଶୁଣନ୍ତୁ, କେତେ କେତେ କଥା ବୁଝିଲେଣି । ଏଣିକି ଚମ୍ପାକୁ ବଳେଇଲାଣି । ଭାଇଙ୍କୁ ସବୁ କଥା ନ କହିଲେ ନୁହେଁ । ଘରେ ଯେବେ କହେ, ମା’ ଧାଇଁ ଆସି ପାଟି ବନ୍ଦ କରାଇବ, ସବୁ କଥା କୁହାଇ ଦେବ ନାହିଁ ।
ଦିନେ ସଞ୍ଜବେଳେ ଅନୀ ଆଈ ଦୁଆରେ ନାତି ନାତୁଣୀ ଆଈ ତିନିହେଁ ବସି ଢେର ବେଳଯାଏ କ’ଣ ପରାମର୍ଶ କଲେ । ଅର୍ଥାତ୍ ସାଧୁଭାଷାରେ ଲେଖାଯିବ, କମିଟି ବସିଲା । ଏତେ ତୁନି ତୁନି କଥା ହେଲେ ଯେ, କେହି କିଛି ଜାଣିପାରିଲେ ନାହିଁ । ଶେଷରେ ଶିବୁ ବାବୁ କହିଲେ, ଅର୍ଥାତ୍ ରିଜଲ୍ୟୁଶନ୍ ପାସ୍ ହେଲା- ଦେଖ ଚମ୍ପା । ଆସନ୍ତା ଶୁକ୍ରବାର କତିରୁ ସୋମବାର ଯାଏ ଗୁଡ଼ଫ୍ରାଇଡ଼େ, ଚାରିଦିନ କଚେରି ବନ୍ଦ ହେବ, ସେହି ସମୟରେ ସବୁ କଥା ଠିକ୍ ଠିକଣା କରିବା ।
ଆଜି ଶୁକ୍ରବାର । ଜୁଆଇଁ ଦିବୁବାବୁ ସକାଳୁ ଉଠି କାକଟପୁର ଜମିଦାର ଘରକୁ ଗଲେଣି, ଦୁଇ ଦିନ ଆସିବେ ନାହିଁ । ଚମ୍ପା ଦୁଆରେ କଞ୍ଚି ଲଗାଇ ଦେଇ ମା’ ଘରକୁ ଅଇଲା । ଭାଇ ପିଣ୍ଡାରେ ବସିଥିଲେ, ଚମ୍ପାକୁ ଦେଖି ଟିକିଏ ହସି ଦେଇ ଦାଣ୍ଡପଟକୁ ଚାଲିଗଲେ । ଚମ୍ପା ଏକାବେଳକେ ବୋହୂ ବିଛଣା ପାଖକୁ ଚାଲିଗଲା । ବୋହୂର ନିଦ ଭାଙ୍ଗିଲାଣି, ତୁଚ୍ଛାଟାରେ ବିଛଣାରେ ପଡ଼ି ଏକଡ଼ ସେକଡ଼ ଗଡ଼େଇ ପଡ଼େଇ ହେଉଛି । ଚମ୍ପା ଭାରି ଖପା ହେଲାପରି ଗର୍ଜନ କରି କହିଲା, “କି ଲୋ ବୋହୂ । କିମ୍ଭୀରଟା ପରି ପେଟେ ଖାଇ ବିଛଣାରେ ପଡ଼ି ଗଡ଼େଇ ହେଉଛୁ, ଘରେ ପାଇଟି କରିବ କିଏ ଲୋ ? ତୁ ସାଙ୍ଗରେ କ’ଣ ଗୋଟାଏ ପୋଇଲୀ ଆଣିଛୁ କି ଲୋ ?” ଆଉ କ’ଣ ସମ୍ଭଳା ଯାଏ । ବୋହୂଟା ତ ସହଜରେ ଥିଲା ବଦ୍ରାଗୀ, ପୁଣି ତା’ର ବିଶ୍ୱାସ, ସେ ହେଲା ଘରେ ସାନ୍ତାଣୀ, ଏମାନେ କେହି ନୁହଁନ୍ତି । ଏଇଟା ପୁଣି ଆସି ଗାଳି ଦବ । କୋପରେ ଧଡ଼ପଡ଼ ହୋଇ ଉଠିଲା, ଲୁଗାଖଣ୍ଡ ସଜାଡ଼ି ପିନ୍ଧିବାକୁ ବେଳ ନାହିଁ, ମୁଣ୍ଡ ମୁକୁଳା, ଗର୍ଜନ କରି ଏକାବେଳକେ ଆରମ୍ଭ କରିଦେଲା, “ପୋଇଲି ! ନିଆଁ ଲଗି, ଦୂର ହୋ ! ମୋ ଘରୁ ଦୂର ହୋ ! ମୁଁ ତ ସାନ୍ତାଣୀ, ତୁ କିଏ ଲୋ ?” ଗାଳି ଦେଉଛି ତ ଦେଉଛି, ସେଇ କଥା ସେଇ କଥା ବାରବାର କହୁଛି । ଏଣେ ଚମ୍ପା ହସି ହସି ଯାଇ ମା’ ହାତରୁ ଛାଞ୍ଚୁଣିଟା ଛଡ଼ାଇ ନେଇ ଘର ପହଁରି ବସିଲା ।
ବିମଳା ଦେଈଙ୍କୁ କିଛି ଜଣାନାହିଁ । କଳି ଶୁଣି ଅଥୟ ହେଲେ । କଳିକୁ ସେ ବଡ଼ ଡରନ୍ତି, କଳି ଜାଗାରୁ ପଳାନ୍ତି । ଦାଣ୍ଡରେ କେହି କଳି କଲେ କବାଟ କିଳି ପକାନ୍ତି । ବୋହୂକୁ ତୁନି କରାଇବାକୁ ଆସୁଥିଲେ, ଚମ୍ପା ହାତ ଧରି ଭିଡ଼ି ଘେନିଗଲା ।
ବୋହୂଟା ଗର୍ଜି ଗର୍ଜି ଥକି ଯାଇ ଦୁଲକରି ବିଛଣାରେ ପଡ଼ିଗଲା । ତେତିକି ବେଳେ ଚମ୍ପା ପାଇଟି ଛାଡ଼ି ହସି ହସି ଆସି ଖୁବ୍ ଗୋଟାଏ କ୍ରୋଧ କଲା ପରି କହିଲା, “କାହିଁ ଗଲା ସେ ପୋଇଲୀ ନିଆଁଲଗୀ । ଛାଞ୍ଚୁଣିରେ ତା’ ମୁଣ୍ଡରେ ଦଶପାହାର ପିଟିବି । ଅଳପାଇସିଆଁ ନିଆଁ ଲଗା ତା’ ଭାଇକୁ ଧରି ଆଣି ଗୋଟି ଗୋଟି ଗଣି ଗଣି ତା’ ମୁଣ୍ଡରେ ବୋଡ଼ିଏ ଛାଞ୍ଚୁଣି ପିଟିବି ।” ପୁଣି ବୋହୂ ରାଗି ଉଠିଲା, ଚମ୍ପାକୁ ଗାଳି ଦେବାକୁ ଲାଗିଲା । ବିମଳା ଦେଈ ଧାଇଁ ଆସି କହିଲେ, “ନାହିଁରେ ମା’, ନାହିଁରେ, ତାକୁ ଗାଳି ଦେ ନାରେ ମା’, ତା’ ମା’ କତିରେ ନାହିଁରେ, ଶୁଣିଲେ କାନ୍ଦିବରେ ।” ଚମ୍ପା କହିଲା, “ତା’ ମା’ କାନ୍ଦୁ, ଏ ନିଆଁ ଝିଅକୁ କିଆଁ ମାରି ନ ପକାଇ ଏଠିକି ପଠାଇଛି । ଏଇ ଛାଞ୍ଚୁଣିରେ ଏ ପୋଇଲୀଟାକୁ ମାରି ପକାଇବି । ଗୋଟିଏ ବଡ଼ ସୁନ୍ଦର ବୋହୂ ଠିକ୍ ହେଲାଣି, ଆଜି ବାହାଘରର ସବୁ ଠିକ୍ ହୋଇଯିବ ।”
ଶିବୁବାବୁ ଦାଣ୍ଡପଟରେ ଥିଲେ, ଧାଇଁ ଆସି ଚମ୍ପା ହାତ ଧରି ଭିଡ଼ି ଭିଡ଼ି ନେଇ ଚାଲିଗଲେ, ଆ’, ଚମ୍ପା ଆ’, ମା’ ତାଙ୍କ ସୁନାବୋହୂକୁ ନେଇ ଘରେ ଥା’ନ୍ତୁ, ଆମେ ଦୁଇଜଣ ଘରୁ ବାହାରିଯିବା । ଦୁଇଜଣ ମୁହଁରେ ଲୁଗା ଦେଇ ଟିକିଏ ହସି ହସି ଦାଣ୍ଡକୁ ଚାଲି ଅଇଲେ । ବୁଢ଼ୀ ନସରପସର ହୋଇ ପଛରେ ଧାଇଁଛନ୍ତି, “ଆରେ ତୁମ୍ଭେମାନେ ଯାଅ ନାହିଁରେ, ଆରେ ଶିବୁ, ଢେର ବେଳ ହେଲାଣିରେ, ଚମ୍ପା ଭାତ ବସାଇଛି, ଦି’ଟା ମୁହଁରେ ଦେଇ ଯା’ରେ ।”
ଶିବୁ- “ଆଚ୍ଛା, ତୁ ଏଇ ଝିଅ ରାଣ ପକା, କିଛି କହିବୁ ନାହିଁ । ନୋହିଲେ, ଆମେ ଦୁହେଁ ଖାଇବା ପିଇବା ନାହିଁ, ଘରୁ ବାହାରିଯିବା ।”
ବିମଳା ଦେଈ- “ମୋ ମା’ ରାଣ ପକାଉଛି, ଆଖି ଛୁଉଁଛି, କିଛି କହିବି ନାହିଁ ।”
ଏଣିକି ପୁଅ ଝିଅ ଡରରେ ବିମଳା ଦେଈ କିଛି କହି ପାରୁନାହାନ୍ତି, ଖାଲି ବାଡ଼ିଘର ହେଉଛନ୍ତି । ପୁଅ ଝିଅ ନ ଥିବାବେଳେ ଟିକିଏ ବୋହୂ ଦୁଆରକୁ ଚାହିଁ ଦେଉଛନ୍ତି ।
ଚମ୍ପା ଭାତ ଗାଳି ପକାଇ ଫେର ବୋହୂ ଦୁଆରକୁ ଗଲା । ପୁଣି ଗାଳି ଆରମ୍ଭ କଲା । ଦେଖିଲା, ବୋହୂର ଆଉ ଉଠିବାର ଶକ୍ତି ନାହିଁ । ବାଛୁରୀ ତତଲା ଲୁହା ଦାଗ ଦେବାବେଳେ ଯିମିତି ଗଁ, ଗଁ ଗର୍ଜେ ସେହିପରି ଗର୍ଜୁଛି ।
ବୋହୂ ବିଛଣାରେ ପଡ଼ି ପଡ଼ି ମନରେ କଲାଣି, ମୁଁ ଆଉ କ’ଣ ସାନ୍ତାଣୀ ? ନଣନ୍ଦଟା ଏତେ ଗାଳି ଦେଉଛି, ମୋ ଲାଗି କେହି ପଦେ କହୁ ନାହିଁ । ପୁଣି ଭାଇ ଭଉଣୀ ମିଳି ଗଲେଣି । କ’ଣ, ସେ ପୁଣି ଆଉ ଗୋଟାଏ ବିଭା ହେବେ ? ମୋ ଦଶା କ’ଣ ହେବ ? ଶାଶୁ ତ ପାଖ ପଶୁ ନାହାନ୍ତି । ମୁଁ କ’ଣ କରିବି ? ତୁନି ହୋଇ ବିଛଣାରେ ପଡ଼ିଥାଏ, ବାହାରେ କ’ଣ କଥା ହେଉଛି, କାନ ଡେରି ଶୁଣୁଥାଏ ।
ତେତିକିବେଳେ ଚମ୍ପା ଭୋଁ, ଭୋଁ କରି ଶଙ୍ଖଟାଏ ବଜାଇ ଦେଲା । ଆଲୋ ବାରିକାଣି । ଯା’, ଦୁବ ବରକୋଳିପତ୍ର ଚନ୍ଦନ ସିନ୍ଦୂର ଆଉ ଆଉ ଚିଜ ସବୁ ସଜିଲ କରି ରଖିଦେ । ଏ ବାରିକପୁଅ, ବଡ଼ ଘର ଝାଡ଼ିଝୁଡ଼ି ଆସନ ପକାଇ ରଖ, ପାଣିପଣା ସବୁ ଠିକ୍ କର, ଆଉ କ’ଣ ବେଳ ଆସୁଛି । ସେତେବେଳକୁ ସାନ୍ତମାନେ ଆସିଗଲେ କ’ଣ କରିବୁ ? (ଭୋଁ, ଭୋଁ, ଭୋଁ ଶଙ୍ଖ ବାଜିଲା) ଆରେ ଶାମା । ମିଠାଇ ଥାଳିଟା ଭିତରେ ରଖିଦେ । କ’ଣ କହିଲୁ ରାଧିକା ? ଦହି ସର ବିଲେଇ ଖାଇଗଲା । ମଲା ଯା’ । ସାନ୍ତମାନେ ଜଳଖିଆ କରିବେ କ’ଣ ?
ଚମ୍ପା ରନ୍ଧା ବଢ଼ା କରି ଭାଇଙ୍କୁ ମା’ଙ୍କୁ ଖୁଆଇଲା । ମା’ କହିଲେ, “ତୁ ଦି’ଟା ଖା’, ଆଉ ବୋହୂ- ପୁଅ ଉପରେ ନଜର ପଡ଼ିଗଲା- ଡରି ଯାଇ କହିଲେ, ନାହିଁ, ନାହିଁ ମୁଁ କହୁଛି, ଚମ୍ପୀ ଏକା ଖାଇବ ।” ଶିବୁବାବୁ କହିଲେ, “ହଁ ଖବରଦାର, ବୋହୂ ନାମ ଧର ନା ।” ମା’ ବାଡ଼ି ଦୁଆରକୁ ପଳାଇଲେ ।
ବେଳ ବୁଡ଼ ବୁଡ଼ ହେଲାଣି । ଅନୀ ଆଈ ବାଡ଼ି ଖଣ୍ଡିଏ ଧରି ଅଇଲେ । ବୋହୂକୁ ଶୁଣାଇ ଶୁଣାଇ କହିଲେ, “କିଲୋ ଚମ୍ପି ! କ’ଣ ହେଉଛି ? ଏ ଫୁଲମାଳ ଚନ୍ଦନ ସିନ୍ଦୂର ସବୁ କ’ଣ ହେବ ?”
ଚମ୍ପା- ଏଇ ଦେଖୁନାହୁଁ, ଭାଇ ସାନ୍ତ ଆଉ ଗୋଟିଏ ବିଭା ହେବେ ପରା । ଆଜି ମହାପ୍ରସାଦ ଉଠା ପରା । ତୁ ଯା’, ସେଇ ଘରେ ମିଠାଇ ଦହି ଅଛି, ଆଣ, ଖା’ ଯା’, ତତେ ବାଢ଼ି ଦେବାକୁ ମୋର ବେଳ ନାହିଁ ।
ଭୋଁ-ଭୋଁ-ଭୋଁ ଶଙ୍ଖ ବାଜିଲା । ସାଙ୍ଗେ ସାଙ୍ଗେ ହୁଳହୁଳି ।
ଆଈ- ଆଚ୍ଛା, ନୂଆବୋହୂ ଆସିବ, ଏ ବୋହୂଟା କ’ଣ କରିବ ?
ଚମ୍ପା- ମଲା ଯା’ । ଏଇଟା କି ବୋହୂ ମ ! ଘର ଦୂଆର ପାଇଟି କରିବ, ରନ୍ଧାବଢ଼ା କରିବ, ଏଇଥିଲାଗି ସିନା ଭାଇ ଏଟାକୁ ଆଣିଥିଲେ- ଏଟା ତ କିଛି କଲା ନାହିଁ, ବୋହୂ କ’ଣ ?
ଆଈ- ଆଚ୍ଛା ଏ ବୋହୂଟା ଖାଇବ କ’ଣ ?
ଚମ୍ପା- କ’ଣ ଖାଇବ ? ସେ ବୋହୂ ଖାଇଲେ ଯାହା ଛାଡ଼ିଯିବ, ଏଟା ତା’ ଅଇଁଠା ଖାଇ ବାସନ ମାଜି ପକାଇବ ।
ଆଈ- ଆଚ୍ଛା, ମୁଁ ଟିକିଏ ବୋହୂଟାକୁ ଦେଖି ଆସେ ।
ଚମ୍ପା- ନା ଲୋ ଆଈ, ନା- ନା, ତା’ ପାଖକୁ ଯା’ ନା । ସେଟା ସିମିତି ପଡ଼ି ପଡ଼ି ଉପାସରେ ମରି ଯାଉ ।
ଚମ୍ପା ମୁରୁକି ମୁରୁକି ହସି କ’ଣ ଠାରି ଦେଲା । ଆଚ୍ଛା ଆଚ୍ଛା ଥରେ ଦେଖେ, କହି ଅନୀ ଆଈ ଯିମିତି ପାଖକୁ ଯାଇଛି, ବୋହୂ ଉଠିପଡ଼ି ବୁଢ଼ୀର ଦୁଇ ଗୋଡ଼ ଜାବୁଡ଼ି ଧରିଲା । କଥା କହିପାରୁ ନାହିଁ, ଗୋଡ଼ ଯୋଡ଼ାକ ଧରି ଧକେଇ ଦେଉଛି । ବହୁତ କଷ୍ଟରେ କହିଲା, “ଆଈ- ତା-ଙ୍କୁ-କ-ଅ-ବା-ଏ-ବେ-ନା-ଇଁ ।”
ଅନୀ ଆଈ- ମୋ କଥା କ’ଣ ସେ ଶୁଣିବ ? ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ସବୁ କଥାରେ କଳି କରିବୁ, ସେଥିଲାଗି ଆଉ ଗୋଟାଏ ବୋହୂ ଆସୁଛି ।
ବୋହୂ- ମୁଁ-ସ-ବୁ-କ-ରି-ବି ।
ଅନୀ ଆଈ- ଆଚ୍ଛା, ତୁ ଶିବୁକୁ କହ । ଆରେ ଶିବୁ, ଏଠିକି ଆ’ ତ, ବୋହୂ କ’ଣ କହୁଛି, ଶୁଣ ।
ଶିବୁ ନା, ନା, ମୁଁ ଯାଇ ପାରିବି ନାହିଁ ।
ଏଣେ ବୋହୂର ଯେତେ ବଳ ଅନୀ ଆଈର ଗୋଡ଼ ଜାବୁଡ଼ି ଧରିଛି । କେଜାଣି ଗୋଡ଼ ଯୋଡ଼ାକ ଭାଙ୍ଗି ପକାଇବ । ସେହି ଆଈ ପଦ୍ମପାଦ ଛଡ଼ା ଯେ ବର୍ତ୍ତମାନ ନିମା ଦେଈଙ୍କର ସଂସାରରେ ଆଉ ଭରସା ନାହିଁ । ଅନୀ ଆଈ ପାଟି କରି ଡାକିଲେ, “ଆରେ ଶିବୁ, ଆ’, ମୋ ଗୋଡ଼କୁ ବଡ଼ କାଟିଲାଣିରେ ।”
ଶିବୁ ବାବୁ ଯିମିତି ପାଖକୁ ଆସିଛନ୍ତି, ଅନୀ ଆଈ ତ ତାଙ୍କ ଗୋଡ଼ ଯୋଡ଼ିକ ବୋହୂ ଜିମା କରିଦେଇ ଅଲଗା ହୋଇଗଲେ । ବୋହୂ ଭଲ କରି ସ୍ୱାମୀର ଗୋଡ଼ ଜାବୁଡ଼ି ଧଇଲା । ଗୋଡ଼ ଛାଡ଼ିଲେ ସିନା କୁଆଡ଼େ ଯିବେ । ସଂସାରଯାକ ସବୁ ଅନ୍ଧାର- ପଦ୍ମପାଦ ଯୋଡ଼ିକ ଭରସା । ଅନୀ ଆଈ ବୋହୂ ଲାଗି ସୁପାରିସ କରି କହିଲା, “ଆରେ ଶିବୁ ! ବୋହୂ ଏଣିକି ଘର କାମ ପାଇଟି ସବୁ କରିବ, ତୁ ବାହା ହୋ ନା ।” ଶିବୁ ବାବୁ କହିଲେ, “କାହିଁ ସେ ତ ଆପେ କହୁ ନାହିଁ । ଏହି କଥା ପଦକ ଶୁଣି ବୋହୂର ବଡ଼ ଭରସା ହୋଇଗଲାଣି । ଚଞ୍ଚଳ କହି ପକାଇଲା, ହୁଁ-ହୁଁ-ଉଁ-ଉଁ ।”
ଶିଶୁବାବୁ କହିଲେ, “ମୁଁ ହୁଁ-ହୁଁ-ଉଁ-ଉଁ ବୁଝେ ନାହିଁ । ସଫା କରି ଗୋଟି ଗୋଟି କଥା କହୁ ।” ଶିବୁବାବୁ ଯେମିତି କହିଲେ, ବୋହୂ ଠିକ୍ ସିମିତି ଗୋଟି ଗୋଟି କରି ସବୁ କଥା ଜବାବ୍ କଲା ।
ଶିବୁ ବାବୁ ତାହା ବାଦେ କହିଲେ, “ଆଚ୍ଛା ଆଈ, ସେ କିଆଁ ଚମ୍ପା ସାଙ୍ଗରେ କଳି ଲଗାଇଲା । ଘଷୁ ଭୂଇଁରେ ନାକ । କିଛି ଓଜର ନାହିଁ”- ବୋହୂ ଭୂଇଁରେ ନାକ ଘଷିଲା । ଚମ୍ପା ଠିଆ ହୋଇ ହସୁଥିଲା, ବୋହୂ ନାକଘଷା ବେଳେ ପଳାଇଲା । ବୋହୂ ଆଈ ପାଖରେ ବି ନାକ ଘଷିଲା- ଶିବୁ କହିଲେ- “ଆଚ୍ଛା ଆଈ, ମା’ଙ୍କ ପାଖରେ ଏହିପରି କହୁ ।” ଗଲେ ସମସ୍ତେ ମା’ଙ୍କ ପାଖକୁ, ବୋହୂ ଗୋଟି ଗୋଟି କରି ସବୁ କଥା କହିଲା । ମାଟିରେ ନାକ ଘଷିବାବେଳେ ମା’ ଟିକିଏ ଦୁଃଖ କରି କହିଲେ, “ହଁ’ରେ ହେଲାଣିରେ, ବୋହୂ ସବୁ କରିବରେ । ଶିବୁବାବୁ କଟମଟ କରି ଚାହିଁବାରୁ ନା’ରେ-ନା’ରେ, କହି ବିମଳା ଦେଈ ବାଡ଼ିଆଡ଼କୁ ପଳାଇଲେ ।”
ଶିବୁ ବାବୁ କହିଲେ, “ଆଚ୍ଛା, ଏଥର ଚମ୍ପା ଗୋଡ଼ ଧର ।” ଚମ୍ପା ଧାଇଁ ଆସି ବୋହୂକୁ କୁଣ୍ଢାଇ ପକାଇଲା । ନା ନା, ଯେତେହେଲେ ମୋ ବଡ଼ ଭାଉଜ, ମା’ ପରି, ମୁଁ ସିନା ତା’ ଗୋଡ଼ ତଳେ ପଡ଼ିବି । ଚମ୍ପା ବୋହୂକୁ ଜୁହାରଟିଏ କରି କୁଣ୍ଢେଇ ପକେଇଲା । ନଣନ୍ଦ ଭାଉଜ ଦୁହେଁ ଟିକିଏ କନ୍ଦାକନ୍ଦି ହେଲେ । ଚମ୍ପା କିଆଁ କାନ୍ଦିଲା । ମାତ୍ର ସେ କାନ୍ଦିଛି । ଚମ୍ପା ବୋହୂକୁ ବାଡ଼ିଆଡ଼କୁ ଭିଡ଼ି ନେଇଗଲା । ଅଧଗିନାଏ ମାଲପା ଲଗାଇ ଦେଇ ଗାଧୋଇ ଆଣିଲା । ଚମ୍ପା ରନ୍ଧାବଢ଼ା କରି ମା’ ଭାଇଙ୍କୁ ଖୁଆଇଲା । ବୋହୂଟା ଉପାସ ଅଛି, ନିଜେ କିମିତି ଖା’ନ୍ତା । ନଣନ୍ଦ ଭାଉଜ ଏକ ସାଙ୍ଗରେ ବସି ଖାଇଲେ । ବୋହୂ ଟୁକୁଣାଏ ପାଣି ପିଇ ଲଥକରି ଭୂଇଁରେ ପଡ଼ିଗଲା ।
ତହିଁ ଆରଦିନ କାଉ କା’ କରିବାବେଳକୁ ବୋହୂ ବାସି ପାଇଟି ସାରି ବସିଛି । ଟିକିଏ ଖରା ଉଠିଲା ବେଳକୁ ଚମ୍ପା ଆସି ଦେଖିଲା, ସବୁ ବାସି ପାଇଟି ସରିଲାଣି । ମନ ମଧ୍ୟରେ ଟିକିଏ ଖୁସି ହେଲା । ନଣନ୍ଦ ଭାଉଜ ଦୁହେଁ ସାଙ୍ଗସୁଙ୍ଗା ହୋଇ ଗାଧୋଇ ଗଲେ । ପ୍ରଥମ ପ୍ରଥମ ବୋହୂ ରାନ୍ଧି ଜାଣୁ ନଥିଲା, ଚମ୍ପା ଶିଖାଇ ଦେବାରୁ ଏବେ ବେଶ୍ ରାନ୍ଧେ । ଶାଶୁ କିଛି ପାଇଟି କରିବାକୁ ଗଲେ ବୋହୂ ହାତରୁ ଛଡ଼ାଇ ନିଏ । ପୁଅ ଝିଅ ଡରରେ ବି ବୁଢ଼ୀ କିଛି ପାଇଟିରେ ହାତ ଦିଅନ୍ତି ନାହିଁ । ଏକ ଜାଗାରେ ବସି ବୋହୂକୁ କହି ଦେଉଥାନ୍ତି ।
ବିମଳା ଦେଈ ଏକ ଜାଗାରେ ବସି ଦିନରାତି ମାଳାଟିଏ ଗଡ଼ାଉଥାନ୍ତି । କେହି ଲୋକ ଗାଁରୁ ଆସିଲେ ତା’ ପାଖରେ ଖାଲି ବୋହୂର ପ୍ରଶଂସା । ଦିନକୁ କୋଡ଼ିଏ ଥର ଯାହା ତାହା ପାଖରେ ଖାଲି ବୋହୂର ପ୍ରଶଂସା । ଦିନକୁ କୋଡ଼ିଏ ଥର ଯାହା ତାହା ପାଖରେ କହନ୍ତି “ମୋର ତ ସୁନା ବୋହୂ”।
© ଫକୀର ମୋହନ ସେନାପତି