Tuesday, October 29, 2024

•ପିଜୁଳିର ଗୋଟିଏ ଓଡ଼ିଆ ନାଆଁ ସଇତମ୍ବା ଵା ସୈତାମ୍ଵ କାହିଁକି ରଖାଯାଇଥିଲା ?•

ଓଡ଼ିଶାର ସିଂହଭୂମି ଓ ଷଡ଼ୈକଳା ଖରସୁଆଁ ବିଚ୍ଛିନ୍ନାଞ୍ଚଳ ତଥା ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପିଜୁଳିକୁ ସଇତାମ୍ବ,ସଇତମ୍ବା,ସୈତାମ୍ବ ଓ ସୋଇତାମ୍ବ ଆଦି କୁହାଯାଏ ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ କଥିତ ଓଡ଼ିଆ ଭାଷାରେ ସତ୍ୟ ଶବ୍ଦଟି ସଇତ,
ସଇତା,ସଇତୀ,ସଇତୁ,ସତେଈ,ସଇତିଆ ଓ ସଇତୁଆ ଆଦି ନାନାରୂପ ହୋଇଅଛି। ତାହେଲେ କ'ଣ ବାଜାଆମ୍ଵ ଵା ବାଦମ,ଲଙ୍କାଆମ୍ବ ଵା ଲକାମ ଭଳି ଶବ୍ଦ ପରି ଆମ୍ବ ଶବ୍ଦରେ ସତ୍ୟ ଶବ୍ଦଟି ଯୁକ୍ତ ହୋଇ ସତ୍ୟଆମ୍ବ ଶବ୍ଦଟି ସୃଷ୍ଟି ହୋଇଥିଲା ଯାହା ପରେ ଓଡ଼ିଶାର ଉତ୍ତର ବିଚ୍ଛିନ୍ନାଞ୍ଚଳ ସଇତମ୍ବା,ସୈତାମ୍ବ ଵା ସୋଇତାମ ହୋଇଯାଇଛି ? 

ତେବେ ପୁଣି ପ୍ରଶ୍ନ ଉଠେ ପିଜୁଳିକୁ କାହିଁକି କେଉଁ କାରଣରୁ ଲୋକେ ସତ୍ୟଆମ୍ବ କହୁଥିଲେ ଯେ ପରେ ତାହା ସଇତମ୍ବା ଵା ସୈତାମ୍ବ ହୋଇଅଛି ? 

ପିଜୁଳିର "ସତ୍ୟଆମ୍ବ" ନାମକରଣର ସମ୍ବନ୍ଧ ସାରଳା ମହାଭାରତର “ସତ୍ୟଆମ୍ବ କଥା” ସହିତ ଜଡି଼ତ ବୋଲି ଅନୁମାନ କରାଯାଏ । ସାରଳା ମହାଭାରତର ଏହି କଥାନୁସାରେ ପାଣ୍ଡଵମାନଙ୍କର ଅଜ୍ଞାତ ଵନଵାସ ସ୍ଥାନର ପରିଚୟ ପାଇଵା ସକାଶେ ଦିନେ ଦୁର୍ଯ୍ୟୋଧନ ମାମୁ ଶକୁନିଙ୍କ ସହିତ ମନ୍ତ୍ରଣା କଲେ ଏଵଂ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ପାଣ୍ଡଵମାନଙ୍କୁ ଅନୁସନ୍ଧାନ ନିମିତ୍ତ ପଠାଇଦେଲେ ।

“ପୁରଞ୍ଜନ ପଣ୍ଡାର ପୁତ୍ର ଗୋଉରମୁଖ ବୋଲି,
ତାହାକୁ ପଠିଆଅ ମୋହୋର ଵିଚାରେ କହିଲି ।
ଶକୁନି ଵଚନ ଶୁଣିକରି ରାଜା ଦ୍ରିଯୋଧନ,
ସନ୍ନିଧକୁ ହକାରିଲେ ପୁରଞ୍ଜନର ନନ୍ଦନ ।”

ଗୌରମୁଖକୁ ଦୁର୍ଯ୍ୟୋଧନ ଆଦେଶ ଦେଇଥାନ୍ତି ଯେ ଯେଉଁମାନେ ଆଶ୍ୱିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡଵ ବୋଲି ଚିହ୍ନି ଆମ୍ଭକୁ ଆସି ଜଣାଅ । 

“ଦ୍ରିଯୋଧନ ବୋଇଲା ତୁହି ଖୋଜିବୁ ତାହାଙ୍କୁ
ସେହି ନ ଚିହ୍ନିଲେ ଭଲ ହୋଇଵ ଆମ୍ଭକୁ
ଯହିଁ ରହିଅଛନ୍ତି ପାଣ୍ଡଵ ପଞ୍ଚ ଵୀରେ
ଅନେକ ଋଷି ତପୋଧନେ ଥିବେ ସଙ୍ଗତରେ
ସରୂପ ଜାଣିବୁ ତୁ ଵିଚାରି ପରିମଳ
ଆଶ୍ୱିନ ମାସରେ ତୁ ମାଗିବୁ ପକ୍ବଚୂତ ଫଳ
ଖୋଜିଣ ସେ ଵନେ ଯଦି ଆମ୍ବ ନ ପାଇବେ
ସତ୍ୟଆମ୍ବ ହୋଇଵଟି ବୋଇଲେ ପାଣ୍ଡଵେ”

ଚାରିମାସ ପର୍ଯ୍ୟନ୍ତ ପାଣ୍ଡଵଙ୍କୁ ଉଣ୍ଡିଵା ପରେ ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ ଅସ୍କନ୍ଦ ଵନରେ ଠାବ କରି ତାଙ୍କର ଅତିଥି ହେଲେ । 

“ଗଉରମୁଖ ବୋଲି ସେ ପୁରଞ୍ଜନ ପଣ୍ଡାର ବଳା,
ଚାରିମାସେ ଯାଇ ସେ ପାଣ୍ଡେଵନ୍ତ ଠାବକଲା‌।‌
ପାଣ୍ଡଵ ରହିଛନ୍ତି ଅସ୍କନ୍ଦ ନାମେ ଵନେ,
ମୁକତ ଗଙ୍ଗା ବହଇ ଯେ ଉତ୍ତର ଵାହାନେ ।
ସେ ଉତ୍ତରାଂକୁରେ ଅଛି ରାମଘାଟ ତୀର୍ଥ,
ତହିଂ ସେ ପାଣ୍ଡଵ ରହିଛନ୍ତି ପଞ୍ଚୁ ଭ୍ରାଥ ‌।”

ଗୋପ୍ୟାନ ରୂପ ଧରି ପୁରଞ୍ଜନ ପଣ୍ଡାର ପୁଅ ଗଉରମୁଖ ଜଣେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇଵା ପାଇଁ ମାଗିଲେ । ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡି଼ଲେ । ଅସମୟରେ ଆମ୍ବ ମିଳିଵନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିଵାକୁ ପଠାଇଦେଲେ କିନ୍ତୁ ସମସ୍ତେ ନିରାଶ ହୋଇ ଫେରିଲେ । ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ ଓ ତାଙ୍କୁ ପାଣ୍ଡଵମାନେ ସତକଥା କହିଲେ । 

“ସତ୍ୟଆମ୍ବ କେମନ୍ତ ଯୁଝେଷ୍ଠି ପଚାରିଲେ
ଗୋବିନ୍ଦେ ବୋଇଲେ,
ଆମ୍ବେକ ଫଳିଵ ଦେଵ ସତ୍ୟ ଵଚନ କହିଲେ ।
ତୁମ୍ଭେ ପାଞ୍ଚଜଣ ସଙ୍ଗେ ଅଛନ୍ତି ଦ୍ରୋପତୀ ,
ନିରୁତାନ୍ତ ସତ୍ୟ କହିଵ ଛାଡ଼ିଵ ଯେ ମିଥ୍ୟା ପ୍ରକୃତି । 
ସତ୍ୟ କହିଲେ ଆମ୍ବ ଫଳିଵ ଵିଦ୍ୟମାନ
ଵ୍ୟାସଂକ ମୁଖ ଚାହିଂ କହନ୍ତି ଜନାର୍ଦ୍ଦନ । 
ଆମ୍ବ ମଞ୍ଜି ଗୋଟିୟେ ପ୍ରସନ୍ନେ ଦିଲେ ତପୋଧନ,
ଛାମୁରେ ଥୋଇ ଯେ ରୁନ୍ଧିଲେ ପଞ୍ଚୁମନ ।‌
ସେ ଚୂତମଞ୍ଜିକି ଯୁଝେଷ୍ଠି ଚାହିଂଲେ ପ୍ରଥମେ
ସତ୍ୟଵାକ୍ୟହିଂ ଉଚ୍ଚାରନ୍ତି ଦେବ ଧର୍ମେ ।‌
ଶ୍ରୀହରି ବୋଇଲେ କିଞ୍ଚିତ ମିଥ୍ୟା କହିଲେ ନୁହଇ ଚୂତପଂକୁ,
ହୃଦଗତେ ତତ୍ତୁକର ହୋ ସମସ୍ତ ଆତ୍ମାକୁ ।”

ପାଞ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହେଲା, ଫୁଲ ଫୁଟିଲା, କଷି ଧରିଲା ।
ପାଞ୍ଚ ପାଣ୍ଡବ ନିଜ ନିଜର ଗୋଚର ଅଗୋଚର ସତ୍ୟ କହିଵାପରେ ଦ୍ରୌପଦୀଙ୍କ ପାଳି ପଡ଼ିଲା । ସେ ସତ୍ୟ କରି କହିଲେ

“ଯୁଗତେ ୟେ ମୋହୋର ଅଟନ୍ତି ପଞ୍ଚୁପତି,
ୟେକାମାତ୍ର ଅର୍ଜୁନରେ ମୋହୋର ଅଧିକ ପୀରତି ।
ମୋତେ ଯେ କଉରୋବେ ସଭାତଳେ କଲେ ଅପମାନ,
କେଶଧରି କୋପେଣ ମୋତେ ଆଣିଲା ଧୁଶାସନ ‌।
ଆଣନ୍ତେ ଚରଣ ମୋର ନ ପଡ଼ଇ ତଳ,
ଆକ୍ରେଷି ଝିଙ୍କନ୍ତେ ସେ ଫିଟିଲାକ ମୋହୋର ବାଳ ।‌
ସେହିଦିନୁ କେଶ ମୋହୋର ନ କଲି ବନ୍ଧନ,
ସେ ଧୁଶାସନର ଭୁଜ ଉପାଡ଼ିବେ ଭୀମସେନ ।
ତାହାର ରୁଧିରେ ମୋର କେଶ ପଖାଳିବି,
ତେବେ ସେ କେଶ ହରି ମୋହୋର ବନ୍ଧନ କରିବି ।‌
ମୋହରେଣ ନାଶ ଯିବେ ଧୃତିରାଷ୍ଟ ଶତେପୁତ୍ର,
ତେବେ ସେ ପାଣ୍ଡଵେ ଭ୍ରଥା ମୋର କହିଲି ସତ୍ୟ ସତ୍ୟ । 
ୟେ ମୋହୋର ଆତ୍ମାର ଵିଚାର ଵାସୁଦେଵ
ସତ୍ୟ ସତ୍ୟ କହିଲି ମୁ ମିଥ୍ୟା ନୁହଇ ଦେଵ ।”

ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡି଼ଗଲା । ଯୁଧିଷ୍ଠିର ଉଷତ ହୋଇ ବ୍ରାହ୍ମଣଙ୍କୁ ସେ ଅଦିନିଆ ଆମ୍ବଟି ପ୍ରଦାନ କଲେ । ଏକଥାକୁ ସାରଳା ଦାସ ଏମନ୍ତ ଲେଖିଲେ

“ପଞ୍ଚୁପାଣ୍ଡଵ ଦ୍ରୋପତୀଙ୍କ ସତ୍ୟ ଵଚନେ
ପାଚିଲା ଚୂତଫଳ ହୋଇଲା କୁଙ୍କୁମ ଵର୍ଣ୍ଣେ
ସତ୍ୟଆମ୍ବ ପକ ଦେଖିଣ ସାନନ୍ଦ ଵନମାଳୀ
ଆପଣେ ନାରାୟେଣ ସତ୍ୟଵାକ୍ଯେଣ ଆମ୍ବତୋଳି
ଆପଣେ ଗୋଟିୟେକ ଘେନିଲେ ଦେଵହରି
ଦୁଇ ଆମ୍ବଗୋଟିକୁ ଵାସେବି କର ଯେ ପ୍ରସାରି
ତିଜଗୋଟି ନେଇ ଦିଲେ ତପୋଧନକୁ
ଚଉଠେ ଚାରିଗୋଟି ଦିଲେ ପାଣ୍ଡେଵଙ୍କୁ
ସତ୍ୟଆମ୍ବ କରେ ଘେନିଲେ ତପୋଧନି
ଯୁଝେଷ୍ଠୀଙ୍କି ପ୍ରଶଂସନ୍ତି ଜୀଵନ ତୋର ଧନି ଧନି
ସତ୍ୟ ଭାଦ୍ରମାସେ ଫଳିଲା ଚୂତଫଳ
ୟେସନେକ ଦୁରାପଦ ମହିମାଂ ନାହିଂନା ରଵିତଳ ।”

ସତ୍ୟଆମ୍ବ ଗଛରେ ଫଳ ଫଳି ପାଚିଵାରୁ ନିଜେ ଶ୍ରୀକୃଷ୍ଣ ସତ୍ୟ କରି ଗୋଟିଏ ଆମ୍ବ ନେଲେ । ପାଣ୍ଡବମାନେ ବି ଆମ୍ବ ରଖିଲେ ଓ ଗୋଟିଏ ସତ୍ୟ ଆମ୍ବ କପଟୀ ବ୍ରାହ୍ମଣବେଶୀ ପୁରଞ୍ଜନ ପୁତ୍ର ଗଉରମୁଖକୁ ଦେଲେ । ଛଦ୍ମବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ସତ୍ୟଆମ୍ବଟି ନେଇ ସେଠାରୁ ପଳାଇଗଲେ । ତହୁଁ ଶ୍ରୀକୃଷ୍ଣ ସହଦେଵଙ୍କୁ ସେ ବ୍ରାହ୍ମଣଙ୍କ ଭେଦ ପଚାରନ୍ତେ ସେ କହିଲେ “

“ସହଦେଵ ବୋଇଲା ସେ ଯେ ପୁରଞ୍ଜନ ବ୍ରାହ୍ମଣ,
ଜଉ ସଜଳସ ଘର ଯେ କପଟେ କଲା ନିରିବାଣ । 
ଜଉର ଘରେ କପଟେ ଆମ୍ଭନ୍ତ କଲାକ ଦହନ,
କଉରବ ବଂଶକୁ ସେ ଅଟଇ ଧାରଣ । 
ତାହାର ପୁତ୍ର ୟେ ଗଉରମୁଖ ପଣ୍ଡା
ୟେହାକୁ ରାଇଣ ପେଷିଲା କୁରୁଷଣ୍ଢା । 
ଛଦ୍ରମେ ଅଇଲା ଆମ୍ଭନ୍ତ ଖୋଜିଵା ନିମନ୍ତେ,
ଆମ୍ବ ନ ପାଇଲେ ଶାପ ଦେଇଯାନ୍ତା ଆତଂକୁଇଂ ୟେଥେ ।
ଯେବେ ସତ୍ୟଆମ୍ବ ପ୍ରିଯୋଧନ ଛାମୁରେ ନେଇଣ ଦେବ,
ଦେଖିଣ କୁରୁପତି ଚାର ଯେ ବରଗିଵ । 
ୟେସନେକ ମାୟାରେ ଦେଵ ଯେ ଆସିଥିଲେ ସେହି,
ମୋତେ ନ ପଚାରିଲ ଭେଦ ନ ଜାଣିଲ କେହି ‌।”

ଏହା ଶୁଣି ଯୁଧିଷ୍ଠିରଙ୍କୁ ଚକ୍ରପାଣି କହିଲେ ଭୀମକୁ ପଠାଇ ସତ୍ୟଆମ୍ବକୁ ବାହୁଡ଼େଇ ଆଣିଵା ! କିନ୍ତୁ ଧର୍ମ ଅଵତାର ଯୁଧିଷ୍ଠିର ମନା କରି ଉତ୍ତର ଦେଲେ

“ଯୁଝେଷ୍ଠି ଦେଵେ ବୋଇଲେ ହରି ମୁଂ ସତ୍ୟେଣ ଦିଲି ଯାହା,
ଧର୍ମ ନାଶଯିଵ କେମନ୍ତେ ହରିବଇଂ ତାହା।”

ତହୁଁ ପାଣ୍ଡଵମାନଙ୍କଠାରୁ ଵିଦାୟ ନେଇ ଶ୍ରୀକୃଷ୍ଣ ଗରୁଡ଼ଙ୍କ ସହିତ ଦ୍ଵାରିକା ନଗରକୁ ବାହୁଡ଼ିଲେ । ବାଟରେ ଦେଖିଲେ କପଟ ବ୍ରାହ୍ମଣ ଗଉରମୁଖ ଗନ୍ଧର୍ଵ ନଦୀ କୂଳେ କୂଳେ ହସ୍ତିନାକୁ ଫେରୁଛି । ପ୍ରଭୁ ମାୟା ଯୋଗୁଁ ତାହାର ନଦୀରେ ସ୍ନାହାନ କରିଵାର ଇଚ୍ଛା ଜାଗ୍ରତ ହେଲା । ଶ୍ରୀକୃଷ୍ଣ ମଧ୍ୟ ମାୟାରୂପ ଧରି କପଟୀ ଗଉରମୁଖକୁ ନଦୀ ତଟରେ ଭେଟିଲେ । ଏତିକିବେଳେ ନଦୀକୁ ଗାଧୋଇଵାକୁ ଯାଉଥିଵାବେଳେ ଗଉରମୁଖ ଅଣ୍ଟିରେ ସତ୍ୟଆମ୍ବ ଦେଖି ସନ୍ୟାସୀ ରୂପୀ ଶ୍ରୀକୃଷ୍ଣ ତାହା କ'ଣ ବୋଲି ପୁଚ୍ଛାକଲେ । ଗଉରମୁଖ ସତ୍ୟଆମ୍ବର ପୂର୍ଵ ଘଟଣାମାନ କହିଲା । ଛଦ୍ମରୂପୀ ଶ୍ରୀକୃଷ୍ଣ କହିଲେ ଏହା କେମିତି ସମ୍ଭଵ ? ଭାଦ୍ରଵ ମାସରେ ପୁଣି ଚୂତଫଳ ବା ଆମ୍ବ କାହୁଁ ଫଳିଵ ? ଗଉରମୁଖ କହିଲା ପାଣ୍ଡଵମାନେ ସତ୍ୟ କରିଲାରୁ ଏ ଫଳ ଫଳିଲା । ଛନ୍ଦ୍ମବେଶୀ ଶ୍ରୀକୃଷ୍ଣ କିନ୍ତୁ ସହଜେ ଛାଡ଼ିଵା ଲୋକ ନୁହେଁ । ସେ କହିଲେ ନା ମ ସତ୍ୟ କରି ପୁଣି ଆମ୍ବ ଟାକୁଆରୁ ଗଛ ହୋଇ କ୍ଷଣକେ ଫଳ ହେଵ ? କାଇଁ ମୁଁ ବି ବଡ଼ ତପସ୍ଵୀ ପରମଧାର୍ମିକ ସତ୍ୟ କରିବି ଦେଖିଆ କେମିତି ଏ ଫଳରୁ ପୁଣି ଗୋଟିଏ ଗଛ ଉତ୍ତୁରିଯିଵ ? ସେଇଠୁ ଶ୍ରୀକୃଷ୍ଣ ଗଉରମୁଖଠାରୁ ସତ୍ୟଆମ୍ବଟି ନେଇ ସତ୍ୟ କରି କହିଲେ 

“ଆହେ ପଣ୍ଡାୟେ ଆମ୍ଭେ ଦେଖିଲୁଂ ଜଳେ ପଥର ଉପୁଚିଆଇ,
ସୋଲଭେଳା ଗୋଟାୟେ ଯେ ଜଳରେ ବୁଡ଼ଇ । 
ପୁରୁଷକୁ ବଳେ ଜିଣିଲା ସ୍ତିରୀମାତ୍ର ହୋଇ,
ସ୍ତିରୀବନ୍ଧ୍ୟା ହୋଇଲା ପୁରୁଷ ପ୍ରସଵଇ । 
ଵୃଷ ଦିଅଇ କ୍ଷୀର ଗାଵ ଷଣ୍ଢ ହୋଇ
ଗିରି ଶିଖରେ ଦେଖିଲୁ ପଦ୍ମ ଫୁଟିଣ ଅଛଇ ।‌
ପଦ୍ମର ବାସନା ନାହିଂ ନାହିଁ ପୁଷ୍ୟ ତେଜ,
କାଇଂଶ ପୁଷ୍ୟକୁ ଚୁମ୍ବୁଅଛି ଶୃଙ୍ଗରାଜ ।‌
ଆଦିତ୍ୟ ଦେଵତା ଉଦେ ହୋଇଲେ ପଛିମେ,
ପୂର୍ଵେ ଅସ୍ତଗଲେ କାଳ ଅନୁକ୍ରମେ
ଅନ୍ଧ ଧାମଇଂ ଯେ ଲଉଡ଼ି ବୁଲାଇ,
ଚକ୍ଷୁଥିଲା ପ୍ରାଣୀ ବୁଲଇ ବାଟବଣା ହୋଇ ।‌
ନିଶାୟେ ଉଦୟେ ହୋଇଲେକ କରତାର
ଦିଵସେ ଉଦେ ହୋଇଲେ ଶଶଧର
।”

ସେ ଦେଵ ମାୟାଧର ଚକ୍ରକୂଟ ବୁଦ୍ଧି ଲଗାଇ
ଅନେକ ମିଥ୍ୟାଵାକ୍ୟକୁ ସତ୍ୟଵାକ୍ୟ ବୋଲିଵାରୁ କ'ଣ ହେଲା ନା

“ସତ୍ଯେଣ ସତ୍ୟଆମ୍ବ ଉତପତ୍ତି ହୋଇଥିଲା,
ମିଥ୍ୟା କହିଲାରୁ ସେହିଠାରେ ଭସ୍ମଗଲା ।”

ତେଣୁ ଏହିପରି ଭାବେ ପୁରଞ୍ଜନ ପଣ୍ଡା ପୁତ୍ର ଗଉରପଣ୍ଡାର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ଣ ଉକ୍ତ ସତ୍ୟଆମ୍ବଟିକୁ କୌଶଳ କ୍ରମେ ହରଣ କରି ନେଲେ ଓ ଦୁର୍ଯୋଧନ ଆଉ ପାଣ୍ଡବମାନଙ୍କ ସମ୍ବନ୍ଧରେ ପ୍ରମାଣ ପାଇ ପାରିଲେ ନାହିଁ । 

ସାରଳା ମହାଭାରତରେ ଥିଵା ସତ୍ଯଆମ୍ବ କଥାରୁ ଏତିକି ସ୍ପଷ୍ଟ ହୋଇଯାଏ ଯେ ଶ୍ରୀକୃଷ୍ଣଙ୍କ ଉପଦେଶରେ ପାଞ୍ଚପାଣ୍ଡଵ ଓ ଦ୍ରୌପଦୀ ସତ୍ୟ କରି ଆମ୍ବଟାଙ୍କୁଆରୁ ଆମ୍ବଫଳ ହିଁ ଫଳାଇଥିଲେ, ପିଜୁଳି କି ଲଙ୍କାଆମ୍ବ ନୁହେଁ । ସେହିପରି ଶ୍ରୀକୃଷ୍ଣ ପରେ କପଟସନ୍ୟାସୀକୁ ଛଦ୍ମବ୍ରାହ୍ମଣ ବେଶରେ ଭେଟି ସତ୍ଯ କରିଵା ନାଆଁରେ କୂଟମିଥ୍ୟାଵାକ୍ୟମାନ ବୋଲିଵାରୁ ତାହା ଅଦୃଶ୍ୟ ହୋଇଯାଇଥିଲା ।‌ ଏଥିରୁ ପ୍ରମାଣିତ ହୋଇଯାଏ ଯେ ଅନ୍ତତଃ ସାରଳା ମହାଭାରତରେ ପିଜୁଳି ଫଳର କୌଣସି ଉଲ୍ଲେଖ ନାହିଁ । 

ହଁ ଏମନ୍ତ ହୋଇପାରେ ଯେ ସାରଳା ମହାଭାରତ ଲେଖାଯିଵାର କିଛି ଶହ ବର୍ଷ ପରେ ଯେତେବେଳେ ଓଡ଼ିଶାକୁ ପିଜୁଳି ଓ କାଜୁଗଛ ଅଣାଯାଇ ଲଗାଗଲା ସେତେବେଳେ ଅନେକେ ସାରଳା ମହାଭାରତରେ ଵର୍ଣ୍ଣିତ ସତ୍ୟଆମ୍ବ କଥା ସହିତ ଏ ଦୁଇଗୋଟି ଗଛର ଫଳକୁ ଯୋଡ଼ି ଦେଇଥିବେ । ତେଣୁ ହୁଏତ 
ସାରଳା ମହାଭାରତରେ ଵର୍ଣ୍ଣିତ ଏହି ସତ୍ୟଆମ୍ବ କଥାକୁ ମୂଳ କରି ଓଡ଼ିଶାର ଉତ୍ତରାଞ୍ଚଳ ଓ ଉତ୍ତର ଵିଚ୍ଛିନ୍ନାଞ୍ଚଳରେ ପ୍ରଥମେ ସତ୍ୟଆମ୍ବ ନାମଟି ପ୍ରଚଳିତ ହୋଇଥିବ ଯାହା ପରେ ସୈତାମ୍ବ,ସଇତାମ୍ବ,ସଇତମ୍ବା,ସଇତମା ଓ ସୋଇତାମ୍ବ ଆଦି ନାନା ରୂପ ଲଭିଅଛି । ଉତ୍ତର ଭାରତରେ ବି ଲୋକେ ପିଜୁଳିକୁ ଶ୍ରୀକୃଷ୍ଣଙ୍କର ପ୍ରିୟଫଳ ମନେ କରନ୍ତି । ଆଜି ବି ଉତ୍ତର ଓଡ଼ିଶାର ମୟୂରଭଞ୍ଜ ତଥା ଓଡ଼ିଶାର ଉତ୍ତର ବିଚ୍ଛିନ୍ନାଞ୍ଚଳ ଷଡ଼ୈକଳା ଖରସୁଆଁ ଓ ସିଂହଭୂମିରେ ଅନେକେ ପିଜୁଳିକୁ ଓ କିଛି ଲୋକେ ଲଙ୍କାଆମ୍ବକୁ ସୈତାମ୍ବ,ସଇତମ୍ବା,ସାଇତାମ୍ବ ଓ ସୋଇତାମ୍ବ ଇତ୍ୟାଦି କହିଥାନ୍ତି । ତେବେ ସାରଳା ମହାଭାରତରୁ ପ୍ରେରିତ ହୋଇ ରଖାଯାଇଥିଵା ପିଜୁଳିର ଏହି ମୌଳିକ ଓଡ଼ିଆ ନାଆଁଟି କ୍ରମଶଃ ଵିସ୍ମୃତ ହେଵାକୁ ବସିଛି ।
••••••••••••••••••••••••••••••
ତଥ୍ୟ ଉତ୍ସ :
କ/ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ: ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ 
ଖ/ସାରଳା ମହାଭାରତ: ସାରଳା ଦାସ 
ଗ/କଥିତ ଓଡ଼ିଆ ଶବ୍ଦକୋଷ: ଓଡ଼ିଆ ଭାଷା ପ୍ରତିଷ୍ଠାନ 
••••••••••••••••••••••••••••••••

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...