ତେବେ ପ୍ରଶ୍ନ ଆସେ ଏ ଘୋଡ଼ାମୁହାଁ କ'ଣ ? ସାଧାରଣ ଶବ୍ଦରେ କହିଲେ ଘୋଡ଼ାମୁହାଁ ଅର୍ଥ ଘୋଡ଼ା ପରି ମୁହଁ ଯାହାର ସେ ଘୋଡ଼ାମୁହାଁ ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଘୋଡ଼ାମୁହାଁ ଶବ୍ଦର ତିନୋଟି ଅର୍ଥ ଉଲ୍ଲେଖ ଅଛି । ଲମ୍ବମୁଖଵିଶିଷ୍ଟ ଅସୁନ୍ଦର ଵ୍ୟକ୍ତି,ନିର୍ଲଜ୍ଜ ଵ୍ୟକ୍ତି ଓ ଅଯୋଗ୍ୟ ଵ୍ୟକ୍ତିକୁ ଘୋଡ଼ାମୁହାଁ କୁହନ୍ତି । ଏହି ଅର୍ଥରେ ଅଶ୍ଵମୁଖା ଶବ୍ଦ ବି ପ୍ରଚଳିତ।
ଅଶ୍ଵ ପରି ମୁଖ ଯୁକ୍ତ ଜୀଵ ଓ ଦେଵତାଙ୍କର ଉଲ୍ଲେଖ ଵିଭିନ୍ନ ଦେଶର ପୁରାଣ ଓ ଲୋକଗାଥାରେ ରହିଛି । ଭାରତୀୟ ପୁରାଣଗାଥାରେ ହୟଗ୍ରୀଵ,ତୁମ୍ବୁରୁ ଓ ଅଶ୍ଵିନୀକୁମାରଦ୍ଵୟଙ୍କ ମୁଣ୍ଡ ଅଶ୍ଵ ଵା ଘୋଡ଼ା ପରି ବୋଲି କଥା ଅଛି । ପୁରାଣୋକ୍ତ ଦେଵଗାୟକ କିଂପୁରୁଷମାନଙ୍କର ଅଶ୍ଵ ପରି ମୁଖ ଥିଵାର ଜଣାଯାଏ ତେଣୁ ସେମାନଙ୍କୁ ଅଶ୍ଵମୁଖ ବି କୁହାଯାଏ। ଭାରତ ଛଡ଼ା ଫିଲପାଇନ୍ସ ଦେଶର ଲୋକଗାଥାରେ ମଧ୍ୟ Tikbalang ନାମକ ଏକ କାଳ୍ପନିକ ଜୀଵର ଵର୍ଣ୍ଣନା ମିଳେ ଯାହାର ମୁଣ୍ଡ ଓ ଲାଞ୍ଜ ଘୋଡ଼ା ପରି ଏଵଂ ଶରୀର ମଣିଷ ଭଳି ହୋଇଥାଏ । ମଧ୍ୟ ଆମେରିକାର ଜନଜାତୀୟ ରେଡ୍ ଇଣ୍ଡିଆନ୍ମାନଙ୍କ ମଧ୍ୟରେ ବି Siguanaba ନାମ୍ନୀ ଏକ ଘୋଡ଼ୀମାନଵୀର କାହାଣୀ ପ୍ରଚଳିତ ଥିଲା । ଏହାର ଶରୀର ମାନଵୀ ଭଳି ଓ ମୁଣ୍ଡ ଘୋଡ଼ୀ ପରି କଳ୍ପିତ ହୋଇଅଛି ।
ଵିଷ୍ଣୁ ଅଵତାର ହୟଗ୍ରୀଵଙ୍କର ଘୋଡ଼ା ପରି ମୁଖ ଥିଲା ତାହେଲେ ଓଡ଼ିଶାରେ ଅଯୋଗ୍ୟ ପୁଅକୁ ଘୋଡ଼ାମୁହାଁ କୁହାଯିଵାର କାରଣ କ'ଣ?
ଏହି ପ୍ରଶ୍ନର ଅନେକ ସମ୍ଭାଵିତ ଉତ୍ତର ଦିଆଯାଇପାରେ । ନିମ୍ନରେ କେତେକ ସମ୍ଭାଵିତ ଉତ୍ତରର ଉଲ୍ଲେଖ କରାଗଲା !
ଘୋଡ଼ା ମୁହଁ ଭଳି କୌଣସି ଵ୍ୟକ୍ତିର ଯଦି ମୁହଁ ଲମ୍ବାଳିଆ ହୋଇଥାଏ ତେବେ ସେ ଵ୍ୟକ୍ତି ଦେଖିଵାକୁ ଅସୁନ୍ଦର ଲାଗେ । ସମାଜର ଏକ ବଡ଼ ଵର୍ଗ ସୌନ୍ଦର୍ଯ୍ୟକୁ ଯୋଗ୍ୟତା ସମ୍ବନ୍ଧୀୟ ଗୁଣ ବୋଲି ଵିଶ୍ଵାସ କରନ୍ତି । ଏହା ଅତି ନିଷ୍ଠୁର ସତ୍ୟ ଯେ ଅତିପତଳା, ଅତିମୋଟା, ବୁଟୁକା,ଲମ୍ବା, ଛୋଟା କେମ୍ପା, କଣା ଓ ଟେରା ଇତ୍ୟାଦି ଇତ୍ୟାଦି ସମାଜ ଦୃଷ୍ଟିରେ ଅସୁନ୍ଦର ଅଯୋଗ୍ୟର ଲକ୍ଷଣ । ତେଣୁ ଏ ସମାଜରେ ହୁଏତ ମୁହଁ ଘୋଡ଼ା ପରି ଲମ୍ବାଳିଆ ହୋଇଥିଵା ଅସୁନ୍ଦର ଲୋକଙ୍କୁ କେବେ କୌଣସି କାଳରେ ଘୋଡ଼ାମୁହାଁ କୁହାଯାଇଥିଵ ଯାହା ପରେ ଅଯୋଗ୍ୟ ଵ୍ୟକ୍ତି ଅର୍ଥରେ ପ୍ରୟୋଗ ହୋଇଥିଵା ସମ୍ଭଵ ।
ପୁଣି ଅଯୋଗ୍ୟ ଵ୍ୟକ୍ତିକୁ ଘୋଡ଼ା ପରି ମୁଖ ଓ ମଣିଷ ପରି ଶରୀରଯୁକ୍ତ ଘୋଡ଼ାମୁହାଁ ସହିତ ତୁଳନା କରିଵା ପଛରେ ଲକ୍ଷଣାର୍ଥ ତାକୁ ଅଜରା, ଜାରଜ ଵା ଦୁଇଗୋଟି ଜୀଵର ମିଶ୍ରଣ ପରି ଦୁଇଗୋଟି ଭିନ୍ନ ଜାତିର ମିଶ୍ରଣରେ ଜାତ ସଂକର/Hybrid ପୁରୁଷ ସହିତ ତୁଳନା କରାଯାଇଥିଵା ସମ୍ଭଵପର । ଦୁଇ ଜାତିର ଲୋକମାନଙ୍କ ସଂସର୍ଗରୁ ଜାତ ମନୁଷ୍ୟମାନଙ୍କୁ ମାନଵସମାଜ ସହସ୍ରାଧିକ ଵର୍ଷ ଧରି ଘୃଣା ଚକ୍ଷୁରେ ଦେଖି ଆସିଛି । ଵ୍ୟକ୍ତିଟି ଯେତେ ଯୋଗ୍ୟ ହୋଇଥାଉ,ଯଦି ସେ ସଂକର ତେବେ ତାକୁ ସମାଜର ଏକ ବଡ଼ ଵର୍ଗ ଅଯୋଗ୍ୟ ମନେ କରେ ।
ଆଉ କେହି କେହି କୁହନ୍ତି ପ୍ରୋକ୍ତ ଓଡ଼ିଆ ପ୍ରଵାଦ କ୍ଷେତ୍ରରେ ଵ୍ୟଵହୃତ ଘୋଡ଼ାମୁହାଁ ଶବ୍ଦର ଅର୍ଥ ଘୋଡ଼ା ପରି ମୁଖଯୁକ୍ତ ମଣିଷ ନୁହେଁ ଵରଂ ମୁହଁ ଘୋଡ଼ାଇ ଲୋକଙ୍କୁ ଲୁଣ୍ଠନ କରୁଥିଵା ସମାଜ ଦୃଷ୍ଟିରୁ ଅଯୋଗ୍ୟ ଅସାମାଜିକ ଅମାନଵମାନଙ୍କ ଅର୍ଥରେ ପ୍ରୟୋଗ ହୋଇଛି । ସମାଜରେ ଯୋଉମାନେ ନିଜ ଯୋଗ୍ୟତା ବଳରେ ଧନ ଲାଭ କରିନପାରନ୍ତି ସେମାନେ ଅନୀତି ବଳରେ ମୁହଁ ଘୋଡ଼ାଇ ବାଟରେ ଘାଟରେ ହାଟରେ ଏମନ୍ତକି ଘରେ ପଶି ଲୁଣ୍ଠନ କରନ୍ତି । ତେଣୁ ଅଯୋଗ୍ୟ ସନ୍ତାନମାନଙ୍କୁ ସେହିପରି ଅସମାଜିକ ମୁହଁ ଘୋଡ଼ା ଲୁଣ୍ଠନକାରୀଙ୍କ ସହିତ ତୁଳନା କରାଯାଇଛି ।
ଅନ୍ୟ କେତେକଙ୍କ ମତରେ ଭାରତୀୟ ପୁରାଣରେ କିଂପୁରୁଷ ଵା କିନ୍ନରମାନଙ୍କର ଅଶ୍ଵମୁଖ ପରି ମୁଖ ଥିଵାରୁ ସେମାନଙ୍କୁ ଅଶ୍ଵମୁଖ କୁହାଯାଇଛି ଓ ଏମାନଙ୍କୁ ଦେଵଯୋନୀ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ସେହିପରି ମର୍ତ୍ତ୍ୟଲୋକର ଅର୍ଦ୍ଧ ନର ଓ ଅର୍ଦ୍ଧ ନାରୀ ତୃତୀୟ ଲିଙ୍ଗିମାନଙ୍କୁ ବି କିନ୍ନର କୁହନ୍ତି । ଯେହେତୁ କିନ୍ନରମାନେ ଆଗେ ସମାଜ ଦୃଷ୍ଟିରେ ପୁରୁଷ ପରି ବଂଶ ବଢ଼ାଇ ପାରୁନଥିଲେ କି ନାରୀ ପରି ସନ୍ତାନ ଉତ୍ପତ୍ତି କରିପାରୁନଥିଲେ ତେଣୁ ହୁଏତ ଏଇ କାରଣରୁ ଅଯୋଗ୍ୟ ପୁରୁଷକୁ ଅଶ୍ଵମୁଖ କିନ୍ନର ଦେଵତା ଵା ମର୍ତ୍ତ୍ୟଲୋକର କିନ୍ନର ସହିତ ତୁଳନା କରାଯାଇଛି । ହଜାର ହଜାର ଵର୍ଷ ଧରି ଆମ ସମାଜରେ କିନ୍ନରମାନଙ୍କୁ ଯୋଗ୍ୟ ମନେ କରାଯାଇ ନାହିଁ। ନବେ ଦଶକ ଯାଏଁ ଅନେକ ମାତାପିତା ଲୋକଲଜ୍ଜା ଭୟରେ ଛୋଟ ବେଳୁ ହିଁ ମାଇଚିଆ ଓ କିନ୍ନରମାନଙ୍କୁ ଘରୁ ଵିତାଡ଼ିତ କରିଦେଉଥିଲେ । ଫଳତଃ ସମାଜରେ ଵିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ନହୋଇପାରି ସେମାନେ କେଵଳ ନୃତ୍ୟ ଗୀତ ମଧ୍ୟରେ ସୀମିତ ହୋଇ ରହିଯାଉଥିଲେ ଓ ପରେ ସେହି ସମାଜ ଦ୍ଵାରା ହିଁ ଅଯୋଗ୍ୟ ପରିଗଣିତ ହେଉଥିଲେ । ସମାଜରେ ରହୁଥିଵା ପ୍ରତ୍ୟେକ ମନୁଷ୍ୟ ପାଖରେ କିଛି ନା କିଛି ଯୋଗ୍ଯତା ରହିଛି ସେହିପରି ଦୋଷ ମଧ୍ୟ ସମସ୍ତଙ୍କ ପାଖରେ ଥାଏ । ସମାଜରେ କେହି ବି ସବୁ ଦିଗରୁ ଯୋଗ୍ୟ ହୋଇନପାରେ। କାହାର ରୂପ ସୁନ୍ଦର ହୋଇଥିଵ କିନ୍ତୁ ମନ ଅସୁନ୍ଦର ଥିଵ ତାହେଲେ ତାକୁ ଯୋଗ୍ୟ କେମିତି କହିଵା ? ଅମୁକେଇ ଖାଇ ପିଇ ଦେହ କାଢ଼ିଛି କିନ୍ତୁ ଝିଟିପିଟି ଦେଖିଲେ ଡରୁଛି ତାକୁ ଯୋଗ୍ୟ କେମିତି ମାନିଵା ?
ସେ ଯାହାହେଉ ଏହିପରି ଭାବେ ଘୋଡ଼ାମୁହାଁ ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଏକାଧିକ ସମ୍ଭାଵିତ ଵ୍ୟୁତ୍ପତ୍ତି ମତ ଦିଆଯାଇପାରେ । ତେବେ ଓଡ଼ିଆ ଭାଷାରେ ଘୋଡ଼ାମୁହାଁ ଶବ୍ଦ ପରି ଅନେକ ଶବ୍ଦରେ ଘୋଡ଼ା ଶବ୍ଦ ଯୁକ୍ତ ହୋଇଥିଵା ଦେଖାଯାଏ ।
ସର୍ପର ନାଆଁ ନେଵା ଅଶୁଭ ବୋଲି ଆଗେ ଓଡ଼ିଆମାନେ ତାକୁ ଘୋଡ଼ାଗୋଡ଼ କହୁଥିଲେ। ସଂସ୍କୃତ ଭାଷାରେ ବି ସର୍ପର ଗୂଢ଼ପାଦ ନାଆଁଟିଏ ପ୍ରଚଳିତ। ଘୋଡ଼ା ହୋଇଛି ଗୋଡ଼ ଯାହାର ସେ ଘୋଡ଼ାଗୋଡ଼ ଅର୍ଥାତ ସର୍ପ ଵା ସାପ । ସେହିପରି ଘୋଡ଼ା ଓ ଡିମ୍ବ ଶବ୍ଦ ମିଶି ଘୋଡ଼ାଡିମ୍ବ ଶବ୍ଦ ସୃଷ୍ଟି ହୋଇଛି । ଘୋଡ଼ା ଏକ ସ୍ତନ୍ୟପାୟୀ ଜୀଵ ତେଣୁ ସେ ଅଣ୍ଡଜ ନୁହେଁ କି ଅଣ୍ଡା ଦିଏ ନାହିଁ । ଅତଏଵ ଘୋଡ଼ାର ଅଣ୍ଡା ଅଵାସ୍ତଵ କଥା ଠିକ୍ ସେହିପରି ଅଵାସ୍ତଵ ଦରଵ ସମ୍ବନ୍ଧରେ କହିଲା ବେଳେ ଏ ଶବ୍ଦ ପ୍ରୟୋଗ ହୋଇଥାଏ । ଅତି ବାରବୁଲା ଲୋକଙ୍କୁ ଓଡ଼ିଆ ଲୋକେ ଘୋଡ଼ାଦଣ୍ଡା କୁହନ୍ତି । ସମ୍ଭଵତଃ ଏ ଶବ୍ଦ କ୍ଷେତ୍ରରେ ଘୋର ଶବ୍ଦଟି ଘୋଡ଼ା ହୋଇଅଛି କିମ୍ବା ଘୋଡ଼ା ପରି ଏଣେ ତେଣେ ଦୌଡ଼ି ବୁଲିଵାରୁ ବାରବୁଲା ଲୋକଙ୍କୁ ଘୋଡ଼ାଦଣ୍ଡା କୁହାଯାଇଥିଵ । ଯେଉଁ ନନ୍ଦ ଜାତୀୟ ମାଟିପାତ୍ର ଘୋଡ଼ା ହୁଏ ତାକୁ ଓଡ଼ିଆ ଲୋକେ ଘୋଡ଼ାନନ୍ଦ କୁହନ୍ତି। ବଡ଼ ଵା ଡେଙ୍ଗା ଆକାରର ଗଛ ଵା ଜୀଵଙ୍କୁ ମଧ୍ୟ ଘୋଡ଼ା ଶବ୍ଦ ଯୁକ୍ତ କରି ନାମକରଣ କରାହୋଇଛି । ଯେମିତି ପଙ୍ଗପାଳର ଗୋଟିଏ ଓଡ଼ିଆ ନାଆଁ ଘୋଡ଼ାପୋକ ଏଵଂ ଆହୁରି ଅନେକ ପୋକଙ୍କର ଡେଙ୍ଗା ଆକାର ଯୋଗୁଁ ସେମାନଙ୍କୁ ଘୋଡ଼ାପୋକ ନାମ ଦିଆହୋଇଛି । ଘୋଡ଼ାଲିମ୍ବ,ଘୋଡ଼ାବଚ,ଘୋଡ଼ାମାଛି,ଘୋଡ଼ାଛାଟିଆ, ଘୋଡ଼ାଲାଞ୍ଜି ଓ ଘୋଡ଼ାଶୁଣ୍ଠି ଇତ୍ୟାଦି ଏହି ଧରଣର ଶବ୍ଦ ଅଟେ । ସେହିପରି ଅତିଶୟ ମଦ୍ୟପାନ କରୁଥିଵା ମଦ୍ୟପମାନଙ୍କୁ ଓଡ଼ିଆମାନେ ଘୋଡ଼ାମଦୁଆ କୁହନ୍ତି । ବହୁତ ସମ୍ଭଵ ଘୋର ଶବ୍ଦଟି ଏଠି ଅତି ଅର୍ଥରେ ଘୋଡ଼ା ହୋଇ ମଦୁଆ ଶବ୍ଦ ସହିତ ଯୁକ୍ତ ହୋଇଅଛି।
ନିଶ୍ଚୟ ଭାବେ ଅନେକଙ୍କ ପାଇଁ ଘୋଡ଼ାମୁହାଁ ଏକ ଵ୍ୟଙ୍ଗ୍ୟାତ୍ମକ ଓ ଅପମାନଜନକ ଶବ୍ଦ କିନ୍ତୁ ଏହା ଅଶ୍ଳୀଳ ଶବ୍ଦ ନୁହେଁ । ଅଶ୍ଳୀଳ ଶବ୍ଦ ସମାଜରେ ଚାରିଜଣଙ୍କ ଆଗରେ କହିହୁଏ ନାହିଁ କିନ୍ତୁ ଘୋଡ଼ାମୁହାଁ ଶବ୍ଦ ସହିତ ସେଭଳି ସମସ୍ୟା ଦେଖାଯାଏ ନାହିଁ । ଅସ୍ତୁ ଆଲୋଚନାରୁ ସ୍ପଷ୍ଟ ଯେ ଏହି ଘୋଡ଼ାମୁହାଁ ଶବ୍ଦଟି ଓଡ଼ିଆ ଭାଷାର ଶବ୍ଦ ଏଵଂ ଓଡ଼ିଆ ଭାଷାର ଶବ୍ଦ ସମ୍ଭାର ଆଧାରରେ ସୃଷ୍ଟି ହୋଇଛି । ଓଡ଼ିଆ ଵ୍ୟତୀତ ଭାରତର ଅନ୍ୟ କୌଣସି ଇଣ୍ଡିକ୍ ଭାଷାରେ ଏହାର ପ୍ରତିରୂପ ନାହିଁ ।
No comments:
Post a Comment