Sunday, November 17, 2024

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି...

“ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ବର ଯୋଡ଼ାକର ବୟସ ଷାଠିଏ ଷାଠିଏ ହୋଇଥିଲା, ଦୁହେଁଯାକ ଥିଲେ ଦୋଜବର । କନ୍ୟା ଯୋଡ଼ିକ ରାଣ୍ଡ ହୋଇ କିପରି ଦୁଃଖରେ ଅଛନ୍ତି, ଦେଖୁ ନାହାନ୍ତି ? ଏଣେ ଦେଖନ୍ତୁ, ବୀରେଇ କାଲିକା ପିଲା ।"

ପାତ୍ରେ ଖପାଟା ହୋଇ କହିଲେ, "ହୋଇ ହେ ମିଶ୍ରେ ! ତୁମେ ପାଠୁଆ ଲୋକଟା ହୋଇ ଏପରି ଅନ୍ୟାୟ କଥା କିମିତି କହିଲ ହେ ? ଆରେ ସେମାନଙ୍କ କପାଳରେ ଥିଲା, ରାଣ୍ଡ ହେଲେ । ମୁଁ କଣ କହି ଦେଇଥିଲି, ରାଣ୍ଡ ହୁଅ ? ବାପ ଜନ୍ମ ଦେଇଛି ବୋଲି କଣ କର୍ମ ଦେଇଛି ?”

ଏଠି ରାଣ୍ଡ ଶବ୍ଦର ଅର୍ଥ ଵିଧଵା ‌। ଓଡ଼ିଆ ଭାଷାରେ ଓ ପ୍ରାକୃତ ଭାଷାରେ ରାଣ୍ଡ ଶବ୍ଦର ମୂଳ ଓ ପ୍ରାଚୀନ ଅର୍ଥ ଵିଧଵା ହିଁ ଅଟେ । ସେଥିପାଇଁ ଅନେକ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦଦ୍ଵୟର ଵିଧଵା ଅର୍ଥରେ ପ୍ରୟୋଗ ହୋଇଛି । 

ଗଞ୍ଜାମ ଭୂମିର କଵି କୃଷ୍ଣସିଂହ ଆଜକୁ ପାଞ୍ଚ ଶହ ଵର୍ଷ ତଳେ ରାଣ୍ଡୀ ଶବ୍ଦକୁ ଵିଧଵା ଅର୍ଥରେ ପ୍ରୟୋଗ କରି କୃଷ୍ଣ ମହାଭାରତରେ ପଦେ ଲେଖିଯାଇଛନ୍ତି 

“ତୁମ୍ଭ କୁଳନାରୀଏ ହୋଇ କରି ରାଣ୍ଡୀ, ଆମ୍ଭପରି କାନ୍ଦିବେ ହୋଇଣ ଦରାଣ୍ଡି ।” (କୃଷ୍ଣସିଂହ, ମହାଭାରତ, ସ୍ତ୍ରୀ)

ସେହିପରି କୃଷ୍ଣ ସିଂହ ସେଇ କୃଷ୍ଣ ମହାଭାରତର ଆଦି ପର୍ଵରେ ରାଣ୍ଡ ଶବ୍ଦକୁ ମଧ୍ୟ ଵିଧଵା ଅର୍ଥରେ ହିଁ ପ୍ରୟୋଗ କରି ଲେଖିଛନ୍ତି 

“ସେ କାଳରେ କ୍ଷତ୍ରିୟ ସ୍ତିରୀଏ ରାଣ୍ଡ ହେଲେ !”

ଆମେ ଖୁଦୁରୁକୁଣୀ ଵ୍ରତକଥାରେ ଗୋଟିଏ ରାଣ୍ଡୀ ବାହ୍ମୁଣୀର କାହାଣୀ ଶୁଣିଛନ୍ତି ଏଵଂ ଉକ୍ତ କଥାନୁସାରେ ସିଏ ବି ଵିଧଵା ଥିଲା ତେଣୁ ତାକୁ ରାଣ୍ଡୀ ବାହ୍ମୁଣୀ କହୁଥିଲେ । ତେଣୁ ଖୁଦୁରୁକୁଣୀ ଵ୍ରତକଥାରେ ଉକ୍ତ ଵିଧଵା ବାହ୍ମୁଣୀକୁ ରାଣ୍ଡୀ ବାହ୍ମୁଣୀ ହିଁ କୁହାଯାଇଛି ...

“ସାଧଵ ଦ୍ୱାରେ ସେ ମିଳିଲା । 
କପଟେ ଭିକ୍ଷା ସେ ମାଗିଲା ॥
ରାଣ୍ଡୀ ବ୍ରାହ୍ମଣୀ ରୂପଧାରୀ । 
ଦେଖିଲେ ସାଧଵର ନାରୀ ॥”

ପୁଣି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣରେ ଲକ୍ଷ୍ମୀଙ୍କ ମୁହଁରେ କଵି କୁହାଇଛନ୍ତି 
“ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁଁ ଯେ ନୁହଁଇ । ପିତାର ଘରକୁ ମୁଁ ଯେ ବାହାରି ଯିବଇ ।”
ଏଠି ମଧ୍ୟ ରାଣ୍ଡୀ ଶବ୍ଦର ଅର୍ଥ ଵିଧଵା ହିଁ ଅଟେ । 

ସବୁଠାରୁ ବଡ଼ କଥା ହେଲା ଓଡ଼ିଆ ଭାଷାର ପ୍ରଥମ ମହାଭାରତ ସାରଳା ମହାଭାରତରେ ବି ସାରଳା ଦାସ ରାଣ୍ଡ ଶବ୍ଦଟିକୁ ଵିଧଵା ଅର୍ଥରେ ହିଁ ପ୍ରୟୋଗ କରି ଲେଖିଛନ୍ତି 

“ରଥ ଗଜ ଅଶ୍ୱ ପାଦାନ୍ତି ବଳ ତାର କେତେ ସର୍ବେ ମାଆ ରାଣ୍ଡ ପାଞ୍ଚ ଗୋଟି ପୁତ୍ରେ”

ଏଠାରେ ଵିଧଵା କୁନ୍ତୀଙ୍କୁ ରାଣ୍ଡ ବୋଲାଯାଇଛି । 

Sir Ralph Lily Turnerଙ୍କ A comparative dictionary of Indo-Aryan languages ଵ୍ୟୁତ୍ପତ୍ତି କୋଷର ୬୧୩ ନମ୍ବର ପୃଷ୍ଠାରେ raṭṭa(ରଟ୍ଟ),raḍḍa(ରଡ୍ଡ),raṇṭa(ରଣ୍ଟ),raṇṭha(ରଣ୍ଠ) ଓ raṇḍa(ରଣ୍ଡ) ଆଦି ମୂଳ ଭାରୋ ଆର୍ଯ୍ୟ ଶବ୍ଦଗୁଡ଼ିକରୁ ସୃଷ୍ଟି ହୋଇଥିଵା ପରଵର୍ତ୍ତୀ କାଳର ଶବ୍ଦଗୁଡ଼ିକର ଉଲ୍ଲେଖ ଅଛି । 

ଏହି କ୍ରମରେ ରଣ୍ଡ ମୂଳର raṁḍā(ରଣ୍ଡା) ଶବ୍ଦର ଉଲ୍ଲେଖ ଏହାର ପରଵର୍ତ୍ତୀକାଳୀନ ରୂପଗୁଡ଼ିକର ଵିସ୍ତୃତ ଉଲ୍ଲେଖ ସହିତ ରହିଛି । 

ସାର୍ ରାଲ୍ଫ୍ ଲିଲି ଟର୍ନରଙ୍କ ଅନୁସାରେ ପ୍ରାକୃତ ଭାଷାର ରଣ୍ଡା ଶବ୍ଦର ମୂଳ ଓ ଏକମାତ୍ର ଅର୍ଥ ଥିଲା ଵିଧଵା । ସେହି ମୂଳ ପ୍ରାକୃତ ରଣ୍ଡା(ଵିଧଵା) ଶବ୍ଦରୁ ଦାର୍ଦିକ୍ ଭାଷା ତୋର୍ଵାଲୀରେ žon('widower') ଓ žem('widow') ଶବ୍ଦ ସୃଷ୍ଟି ହୋଇଛି । କାଶ୍ମୀରୀ ଭାଷାରେ ranḍ ଶବ୍ଦର ଅର୍ଥ ଵିଧଵା ଓ ronᵘ ଶବ୍ଦର ଅର୍ଥ ହସ୍ତ ଵା ପଦହୀନ ଵ୍ୟକ୍ତି । ଏ ଦୁଇଟି ଶବ୍ଦ ବି ପ୍ରାକୃତ ମୂଳର ରଣ୍ଡା ଶବ୍ଦରୁ ସୃଷ୍ଟି ହୋଇଛି । ସିନ୍ଧୀରେ ବି ଏହି ମୂଳରୁ rana, ranaṛa ଶବ୍ଦ ଅଛି ଓ °ṛi ଯୁକ୍ତ ହେଲେ ସ୍ତ୍ରୀଵାଚକରେ ଵିଧଵା ଓ ଵୈଶ୍ୟା ଆଦି ଅର୍ଥରେ ପ୍ରୟୋଗ ହେଉଛି । ପୁଣି ସିନ୍ଧୀ ଭାଷାରେ ranaṛu ଓ ranoṛuର ଅର୍ଥ ଵିପତ୍ନୀକ ଅଟେ । ପଶ୍ଚିମୀ ପଞ୍ଜାବୀ ନାମରେ ଜଣାଶୁଣା Lahndā ଭାଷାରେ ଵିଦଵା ଅର୍ଥଜ ପ୍ରାକୃତ ଶବ୍ଦ ରଣ୍ଡା ଯାଇ rann ହୋଇଛି କିନ୍ତୁ ନାରୀ ଓ ସ୍ତ୍ରୀ(ପିଲା ଜନ୍ମିନଥିଵା) ଅର୍ଥରେ ପ୍ରୟୋଗ ହେଉଛି ‌ 

ପଞ୍ଜାବୀରେ ସ୍ତ୍ରୀକୁ rann ଓ ଵିଧଵାକୁ ranḍī କୁହନ୍ତି । ପଶ୍ଚିମୀ ପାହାଡ଼ି ଭାଷାର ଭାଲେସୀ ଶୈଳୀରେ ଵିଧଵାକୁ raṇḍ ତଥା ଵିପତ୍ନୀକକୁ raṇḍo କୁହନ୍ତି । 
କୁମାୟୁନୀରେ rān ଶବ୍ଦର ଅର୍ଥ ଵିଧଵା ଓ rāno ଶବ୍ଦର ଅର୍ଥ ଵିପତ୍ନୀକ ଅଟେ । ନେପାଳୀ ଭାଷାରେ ପ୍ରାକୃତ ଶବ୍ଦ ରଣ୍ଡା ଯାଇ rā̃ṛo ହୋଇଛି ଓ ଵିପତ୍ନୀକ ଅର୍ଥରେ ପ୍ରୟୋଗ ହେଉଛି ସେହି ମୂଳରୁ rā̃ṛi ଶବ୍ଦ ବି ସୃଷ୍ଟି ହୋଇ ଵିଧଵା ଅର୍ଥରେ ଚଳୁଅଛି । ଅହମିଆର rāṇḍī ଶବ୍ଦ ଵିଧଵା ଅର୍ଥରେ ଚଳୁଥିଲାବେଳେ ବଙ୍ଗାଳୀର rā̃ṛ, rā̃ṛī ଅଦି ଶବ୍ଦ ଵିଧଵା,ଉପପତ୍ନୀ ଓ ବାଞ୍ଝ ଆଦି ଅର୍ଥରେ ଚଳୁଅଛି । ଓଡ଼ିଆ ଭାଷାରେ ବି ରାଣ୍ଡ ଶବ୍ଦର ଅର୍ଥ ଵିଧଵା ଓ ସମ୍ବଲପୁର ଅଞ୍ଚଳରେ rā̃ṛa ଓ raṇḍī ଶବ୍ଦଦ୍ଵୟର ଅର୍ଥ ଯଥାକ୍ରମେ ଵିଧଵା ଓ ମହିଳା ଅର୍ଥରେ ଚଳୁଅଛି ବୋଲି ସାର୍ ରାଲ୍ଫ୍ ଲିଲି ଟର୍ନରଙ୍କ ଵ୍ୟୁତ୍ପତ୍ତି କୋଷରେ ଲେଖା ହୋଇଛି । 
ଆହୁରି ମଧ୍ଯ ବିହାରୀ ଭାଷାରେ rā̃ṛର ଅର୍ଥ ଵିଧଵା, ମୈଥିଳୀରେ ବି rā̃ṛ ଓ rā̃ṛi ଶବ୍ଦର ଅର୍ଥ ଵିଧଵା ବୋଲି କୁହାଯାଇଛି । ଭୋଜପୁରୀର rā̃ṛ; ହିନ୍ଦୀର rā̃ḍ ଓ rā̃ṛ ର ଅର୍ଥ ଵିଧଵା,ଵୈଶ୍ୟା,ବାଞ୍ଝ ଇତ୍ୟାଦି ଲେଖା ହୋଇଛି । ଗୁଜରାଟୀରେ rā̃ḍ ଶବ୍ଦର ଅର୍ଥ ଵିଧଵା,ଝିଅ ଓ ଵୈଶ୍ୟା ବୋଲି ଉଲ୍ଲେଖ ଅଛି । ମରାଠୀରେ ମଧ୍ୟ rā̃ḍ f. ଶବ୍ଦର ଅର୍ଥ ଵିଧଵା ଓ ମହିଳା ଲେଖାଅଛି ‌।  
ସଂକ୍ଷେପରେ କହିଲେ ସାର୍ ରାଲ୍ଫ୍ ଲିଲି ଟର୍ନରଙ୍କ ଵ୍ୟୁତ୍ପତ୍ତି କୋଷରେ ରାଣ୍ଡ ଓ ରାଣ୍ଡୀ ସମାର୍ଥକ ସମସାଦୃଶ୍ୟ ଯେତେ ଶବ୍ଦ ଅଛି ତନ୍ମଧ୍ୟରେ ଅଧିକାଂଶର ଅର୍ଥ ଵିଧଵା ହିଁ ଲେଖାଅଛି । ଯେହେତୁ ମୂଳ ପ୍ରାକୃତ ଶବ୍ଦ ରଣ୍ଡାର ପ୍ରଥମ ଓ ମୁଖ୍ୟ ଅର୍ଥ ଵିଧଵା ଥିଲା ତେଣୁ ପରଵର୍ତ୍ତୀ କାଳର ଵିଭିନ୍ନ ଭାରତୀୟ ଭାଷାରେ ବି ସେହି ମୂଳ ଵିଧଵା ଅର୍ଥଟି ଏଯାଵତ୍ ବଞ୍ଚି ରହିଛି । 

ହିନ୍ଦୀ ଓ ବଙ୍ଗାଳୀ ଆଦି ଭାଷାରେ ହିଁ ଵିଧଵା ଅର୍ଥଜ ପ୍ରାକୃତ ଶବ୍ଦ ରଣ୍ଡାର ଅର୍ଥ ଵିଭ୍ରାଟ ଘଟି ଭିନ୍ନ ଅର୍ଥ ପ୍ରକଟ ହେଲା ଯାହା ଆଜି Hindi Imperialism ଯୋଗୁଁ ମନୋଜ ମିଶ୍ରାଙ୍କ ପରି ମୂର୍ଖଙ୍କ ମୁଣ୍ଡ ବିଗାଡ଼ି ଦେଇଛି । ପ୍ରୋକ୍ତ ଆଲୋଚନା ଦ୍ଵାରା ଏ ଅକିଞ୍ଚନ ସ୍ପଷ୍ଟ ପ୍ରମାଣ କରି ସାରିଛି ଯେ ମୂଳ ପ୍ରାକୃତ ଶବ୍ଦଟି ଅଶ୍ଳୀଳ ନଥିଲା ଵରଂ ହିନ୍ଦୀ ବଙ୍ଗଳା ଭଳି କିଛି ବାଳ-ଭାଷାରେ ଏହାର ଅର୍ଥ ଵିଭ୍ରାଟ ଘଟିଵା ଯୋଗୁଁ ଏହି ଶବ୍ଦ ଅଶ୍ଳୀଳ ପଦଵାଚ୍ୟ ହୋଇଛି । ହିନ୍ଦୀ ଭଳି ବାରବୀଜା ଭାଷା ଯୋଗୁଁ ହିଁ ତ ଆଜି ଅହଂକାର ଅର୍ଥଜ ଅସ୍ମିତା ଶବ୍ଦକୁ ଲୋକେ ସ୍ଵାଭିମାନ ଅର୍ଥରେ ପ୍ରୟୋଗ କଲେଣି ।‌ ହିନ୍ଦୀରେ ଲୌଡ଼ା ଗୋଟିଏ ଅଶ୍ଳୀଳ ଶବ୍ଦ ବୋଲି ଓଡ଼ିଆ ଭାଷାର ଲୋଡ଼ା ଶବ୍ଦକୁ ଆଜି ଅନେକେ କହିଵାକୁ ପଶ୍ଚାତପଦ ହେଉଛନ୍ତି। ତେଣୁ ଏଥିରୁ ଓଡ଼ିଆ ଅଞ୍ଚଳରେ ହିନ୍ଦୀ ଭାଷାର ପ୍ରଭାଵ କେତେ ଵିପଜ୍ଜନକ ତାହା ସହଜେ ଅନୁମେୟ ! 
•••••••••

•ତଥ୍ୟ ଉତ୍ସ•

•A comparative dictionary of Indo-Aryan languages (Sir Ralph Lily Turner)
•ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...