Sunday, November 17, 2024

••••••ଗୋଟିଏ ଶୁଆର ଅସ୍ମିତା••••••

ଲକ୍ଷ ଲକ୍ଷ ଵର୍ଷ ତଳେ ତା ପୂର୍ଵଜ ଛଞ୍ଚାଣ ପରି ପକ୍ଷୀ ଥିଲେ କିନ୍ତୁ ସେ ଏବେ ଗୋଟେ ସାମାନ୍ୟ ଶୁଆ ଛଡ଼ା ଆଉ କିଛି ନୁହେଁ। ତା ପୂର୍ଵଜଙ୍କ ପରି ସେ କାହାକୁ ମାରି ପାରେ ନାହିଁ ସତ କିନ୍ତୁ ମଣିଷ ପରି କଥା କହିପାରେ । ଏହି ଗୁଣ ଯୋଗୁଁ ମଣିଷମାନେ ତାହାର ଜାତି ଭାଇଙ୍କୁ ଧରି ନିଅନ୍ତି ଓ ନାନା ନିର୍ଯାତନା ଦେଇ ବନ୍ଦି କରି ରଖନ୍ତି । କିନ୍ତୁ ତା'ର ଦୂର ସମ୍ପର୍କୀୟ କୁଟୁମ୍ବପକ୍ଷୀ ଛଞ୍ଚାଣ(Falcon)ର ଗୁଣ ପୂରା ଭିନ୍ନ। ଛଞ୍ଚାଣ କାହାକୁ ଡରେ ନାହିଁ, ସମସ୍ତଙ୍କ ସହିତ ଲଢ଼େ । ଶୁଆଟି ଜଣେ ଵୈଜ୍ଞାନିକର ଘରେ ବନ୍ଦୀ ଜୀଵନ କଟାଉଥିଲା । ଦିନେ ଵୈଜ୍ଞାନିକର ଝିଅ ଆଉ ଵୈଜ୍ଞାନିକ ମଧ୍ୟରେ ଛଞ୍ଚାଣ ,ଶୁଆ,ଲିଟି,ଦଇଆଳ, କାଉ ଓ ଘରଚଟିଆ କେମିତି ଦୂର ସମ୍ପର୍କୀୟ ଓ Eufalconimorphae କ୍ଲେଡ୍‌ର ସଦସ୍ୟ ସେକଥା ଆଲୋଚନା ହେଉଥିଲା । ଏହି ଅଜଣା ସତ୍ୟ ଜାଣି ବନ୍ଦୀ ଶୁଆଟି ଆଶ୍ଚର୍ଯ୍ୟ ଅଭିଭୂତ ହୋଇଗଲା । ହଠାତ ତା'ର ନିରାଶ ହୃଦୟରେ ହର୍ଷ,ଗର୍ଵ,ଦୁଃଖ ଆଦି ନାନାଦି ଭାଵ ଜାତ ହେଲା । ନିଜକୁ ଓ ନିଜ ଜାତିକୁ ଦୀନ ହୀନ କରିଥିଵାରୁ ଶୁଆଟି ଭଗଵାନଙ୍କୁ ବହେ ଗାଳି ମନ୍ଦ କଲା । କିନ୍ତୁ ତାପରେ ବନ୍ଦୀ ଶୁଆର ମନରେ ଅସ୍ମିତାଭାଵ ବଢ଼ିଗଲା । ସେ ନିଜକୁ ଆଉ ଶୁଆ ନଭାବି ଛଞ୍ଚାଣ ପରି ଶକ୍ତିଶାଳୀ,କାଉ ପରି ବୁଦ୍ଧିମାନ ତଥା ଘରଚଟିଆ ପରି ପରିଶ୍ରମୀ ମନେ କଲା । ଆଜିଠୁ ସେ ଆଉ ଶୁଆ ନୁହେଁ ଵରଂ ଛଞ୍ଚାଣ ନହେଲେ କାଉ ଅଥଵା ଘରଚଟିଆଙ୍କ ରାଜା । ତା ମନରେ ଵିଦ୍ରୋହର ଭାଵ ଉତ୍ପନ୍ନ ହେଲା । ଅତ୍ୟାଚାରୀ ମନୁଷ୍ୟ ଦ୍ଵାରା ନିର୍ମିତ ପଞ୍ଜୁରୀ ଭାଙ୍ଗି ଦେଵାକୁ ସେ ପ୍ରଥମେ ନିଜ ଥଣ୍ଟକୁ ବାରମ୍ବାର ଘସିଲା । ଅନେକ ଥର ଥଣ୍ଟ ଘସିଵା ପରେ ଶୁଆଟି ସେଇ ମୁନିଆ ଥଣ୍ଟରେ ପଞ୍ଜୁରୀ ବାଟରେ ଲଗାଯାଇଥିଵା ପତଳା ତାର ଫାସକୁ ବଳ ଲଗେଇ ଛିଣ୍ଡେଇ ଦେଲା । ଏବେ ସେ ମୁକ୍ତ, ସ୍ଵାଧୀନ ! ସଗର୍ଵେ ଶୁଆଟି ପଞ୍ଜୁରୀ ଭିତରୁ ବାହାରି ନିଜ ପକ୍ଷକୁ ଝାଡ଼ିଲା ଆଉ ଝରକା ବାଟ ଦେଇ ବାହାରକୁ ଉଡ଼ିଗଲା । 

ଶୁଆଟି କାଉ ଭଳି ବୋବାଉଥାଏ, ଘରଚଟିଆ ପରି ଉଡ଼ୁଥାଏ ଆଉ ଛଞ୍ଚାଣ ସଦୃଶ ରଙ୍ଗ ଢଙ୍ଗ ଦେଖାଉଥାଏ । ଶୁଆକୁ ଏ ଅଵସ୍ଥାରେ ଦେଖି କିଛି ପକ୍ଷୀ ତାକୁ ପାଗଳ ଭାବିଲେ ଆଉ କିଛି ପକ୍ଷୀ ଅହଂକାରୀ ମନେ କଲେ । କଜଳପାତି କେତେ ବୁଝେଇଲା ହେଲେ ଶୁଆ କୋଉ ମାନୁଛି ? ଶୁଆଟା ଆହୁରି ଉଗ୍ର ଅସ୍ମିତା ଭାଵ ପୋଷଣ କଲା । 

ଘରଚଟିଆମାନେ ଦେଖିଲେ ଶୁଆଟେ ତାଙ୍କ ପରି ଉଡ଼ୁଛି,ବୋବାଉଛି ଆଉ ଖାଉଛି ବୁଲୁଛି ‌। ସେମାନେ ତାକୁ ଭାଇ ଡାକିଲେ । ଫଳମୂଳ ଆଣି ଦେଲେ । ଗୋଟିଏ ଶୁଆ ଯଦି ଘରଚଟିଆଙ୍କ ଭାଷା ବୋଲିଲାଣି, ଘରଚଟିଆଙ୍କ ପରି ଚଳିଲାଣି ତେବେ ଆହୁରି ଶୁଆ ବି ସେଭଳି କରିପାରିବେ । ଘରଚଟିଆଙ୍କ ଛାମୁଆ ନେତା ଶୁଆକୁ ଫଳମୂଳ ଯାଚିଲେ । ଶୁଆଟା ହଟାତ କରି ଏତେ ଭଲ ପାଇଵା ପାଇ ଭୋଳ ହୋଇଗଲା । ଦିନ କେଇଟାରେ ସେ ଆଉ କେତେଟା ଶୁଆଙ୍କୁ ତାହାର ଚେଲା କଲା ଓ ତାକୁ ଜଣା ଅଜଣାଜ୍ଞାନ ଦେଲା । ଅଜଣାଜ୍ଞାନ ପାଇ ଚେଲାଶୁଆମାନେ ଜ୍ଞାନୀ ହେଲେ ଓ ନିଜକୁ ଗୋଟେ ଗୋଟେ ଘରଚଟିଆ ମନେ କଲେ । ଘରଚଟିଆମାନେ ଏତା ଦେଖି ବହେ ଉଷତ ହେଲେ ‌। କିନ୍ତୁ ଦିନେ ଶୁଆଟା ତା ଦୂର ସମ୍ପର୍କୀୟ କୁଟୁମ୍ବଭାଇ ଛଞ୍ଚାଣକୁ ଦେଖିଲା । ପ୍ରଥମ ଦେଖାରେ ହିଁ ଶୁଆଟାର ଛଞ୍ଚାଣ ଜାତି ପ୍ରତି ଆଦର ବଢ଼ିଗଲା । ତହୁଁ ସେ ଛଞ୍ଚାଣଙ୍କ ପରି ବଞ୍ଚିଵାକୁ ଲାଗିଲା । ଜୀଵ ଶିକାର କଲା,ପକ୍ଷୀଜଗତରେ ଦାଦାଗିରି କଲା । ଛଞ୍ଚାଣମାନେ ଦେଖିଲେ ଶୁଆଟେ ପାଗଳ ହୋଇଯାଇଛି ଆଉ ତାଙ୍କ ପରି ହେଵାକୁ ଚେଷ୍ଟା କରୁଛି । ଛଞ୍ଚାଣମାନେ ଶୁଆଟାର ବହେ ଉପହାସ କଲେ ଛିଛାକର କଲେ । ଶୁଆର ମନୋବଳ ଊଣା ହୋଇଗଲା । ମନଦୁଃଖରେ ଗୋଟିଏ ଜାମୁରୋଳ ଗଛ ଉପରେ ବସିଥାଏ। ଏତିକିବେଳେ କାଉମାନଙ୍କର ଦଳଟିଏ କାଉ କାଉ ହୋଇ ସେଇ ପଟ ଦେଇ ଗଲେ । ପକ୍ଷୀ ଜଗତରେ କାଉ ବଡ଼ ଗାଲୁଆ ପକ୍ଷୀ। ସେମାନେ ଦଳବଳ ଘେନି ଯେକୌଣସି ଜୀଵ ଉପରେ ଆକ୍ରମଣ କରି ଦିଅନ୍ତି । ଗୃଧ,ଛଞ୍ଚାଣ ବି କାଉଙ୍କ ତୁଲେ ବଇରି ସାଜିଵାକୁ ଡରନ୍ତି । କାଉଙ୍କ ସଂଖ୍ୟାବଳ ଦେଖି ଶୁଆର ପୁଣି ଉତ୍ସାହ ବଢ଼ିଗଲା । ସେ ଏବେ ତାହାର ଦୂର ସମ୍ପର୍କୀୟ କୁଟୁମ୍ବଭାଇ କାଉଙ୍କ ପରି ହେଵ ବୋଲି ମନସ୍ତ କରି ଆପଣା ପରରେ କଳା ରଙ୍ଗ ମାଖିଲା,ନଖ ଓ ଥଣ୍ଟକୁ ଘସି ଘସି ଗୋଜିଆ କଲା ଆଉ କାଆ କାଆ ବୋବାଳି ଛାଡ଼ି ଉଡ଼ିବୁଲିଲା । କାଉମାନେ ଦେଖିଲେ ଗୋଟେ ମୂର୍ଖ ଶୁଆ ତାଙ୍କୁ ଚିଡ଼େଇଵା ପାଇଁ ତାଙ୍କ ଭଳି ରୂପ ଭେକ ହୋଇ ଉଡ଼ୁଛି । କାଉମାନେ କୋଉ ସହୁଛନ୍ତି ସେମାନେ ଶୁଆଟାକୁ କାମୁଡ଼ି ଗୋଡ଼େଇଲେ । ଵିଚରା ଶୁଆଟା କିଛି ବୁଝି ପାରୁନଥାଏ । ସେ ପ୍ରାଣ ଵିକଳରେ ଏଣେ ତେଣେ ଉଡ଼ି ବୁଲୁଥାଇ ଏତିକିବେଳେ ଦେଖିଲା ଜଣକ ଘରେ ପିଞ୍ଜରାର ବାଟ ମେଲା ହୋଇଛି । ଶୁଆଟି ଏକା ରାହାକେ ଉଡ଼ିଯାଇ ସେ ପିଞ୍ଜରା ଭିତରେ ପଶିଗଲା ।  

(✓ତମ ପୂର୍ଵଜ ଵୀର କଳିଙ୍ଗୀ ଥିଲେ ତମେ ଗୋଟିଏ ମହାନ ଜାତିରେ ଜନ୍ମ ହୋଇ ହାଣ୍ଡିଆଙ୍କ ହନୁକରଣ କାହିଁକି କରୁଛ ? ପର ହନୁକରଣ କରି ଦିନେ ଶୁଆ ଭଳି ଦିନେ ମାଟି କାମୁଡ଼ି ପଡ଼ିଵ ! ସାଵଧାନ !!! )

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...