Thursday, January 23, 2025

ବୋଉ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ

କିଛି ଵର୍ଷ ତଳେ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ମହାକଵି ଦାଣ୍ଡ ମଝିରେ ଡାକବାଜି ଲଗାଇ କଟକିଆଙ୍କୁ ପ୍ରଶ୍ନ କରୁଥାନ୍ତି... “ଗାଈ ହମ୍ମା ହମ୍ମା କରେ,ଅନେକ ମଣିଷ ବି ମାଁ କୁହନ୍ତି। ସଂସ୍କୃତରେ ମାତା, ଇଂରାଜୀରେ ମଦର ଅଛି । ଆମେ ବି ଆମ ମାଆଙ୍କୁ ମାଁ ଡାକୁ । ଇ କଟକିଏ ଉପକୂଳିଏ ବୋଉ ଶବ୍ଦ କେନୁ ଆନଲେ ବୋ ? ଆମେ ତ ଆମର ଫାଲେ ଦାଦାର କନିଆଁକେ ଆର୍ ଵହକେ ଵଊ ଡାକୁଛୁଁ । ଵହ ଲାଗି ଆମେ ଯେନ୍ ଵଊ ଶବ୍ଦ କହୁଛେଁ ହେଟା ଧରିକରିଁ ଇ କଟକିଏ ନିଜ ମାଁକେ କାଣା ବୋଉ ଡାକୁଛନ୍ ? 

ଆପଣା ବଳପଣ ଲାଗି ପିଲାମାନେ ଯେମିତି ଗୁରଦୁ ପ୍ରଶ୍ନ କରନ୍ତି ଠିକ୍ ସେହିପରି ମହାକଵି ନିଜର ବୃଦ୍ଧ ଵୟସରେ ଅଜ୍ଞାନତା ହେତୁ ଜାତ ବାଳପଣ ଯୋଗୁଁ ଏଭଳି ପ୍ରଶ୍ନ କରିଥିଲେ । ଗାଈ ଗୟଳ ମଇଁଷି ଆଦି bos ଵା ଗୋ-ଜାତୀୟ ଜୀଵ ହମା ହମା କରନ୍ତି,ଗାଈଛୁଆ ମାଁ ମାଁ କରେ,ଛେଳି ମେଁ ମେଁ କରେ,ଜିରାଫ୍ ହମ୍ ହମ୍ ଶବ୍ଦ କରେ ଆଉ ବିଲେଇ ଓ ଚିତା ମିଆଁଉ ମିଆଁଉ ଶବ୍ଦ କରନ୍ତି । ଏଥିରେ କିଛି ଵିଶେଷତା ନାହିଁ। ମ ଧ୍ଵନି ଉଚ୍ଚାରଣ ବଡ଼ ସହଜ । ତେବେ ମେଣ୍ଢା ଏମିତି ଏକ ଜୀଵ ଯିଏ ବା ବା କରେ ।‌ ବା ବା ବୋଲିଵା ଯୋଗୁଁ ମେଣ୍ଢା ଗୋଟେ ଦୀନ ହୀନ ଜୀଵ ପ୍ରମାଣିତ ହୁଏ ନାହିଁ କି କାଉ‌ କା କା କିମ୍ବା କୋଇଲି କୁ଼ହୁ କୁହୁ ଶବ୍ଦ କରିଵା ଯୋଗୁଁ ଛୋଟ ହୋଇଯାଏ ନାହିଁ । ଝେଳୀ ମେଁ ମେଁ କରି ହଣା ହୁଏ,ମେଣ୍ଢା ବା ବା ବୋଵାଳି ଛାଡ଼ି ରୋମ ଦେଇ ହଣା ହୁଏ । ଗାଈ ହମା ହମା କରି ,ବିଲେଇ ମିଆଁଉ ମିଆଁଉ କରି, ଛେଳି ମେଁ ମେଁ କରି ମନୁଷ୍ୟ ଦ୍ଵାରା ପୋଷା ହୋଇଛନ୍ତି ପଛେ ମନୁଷ୍ୟ ସହିତ ରହି ବି ନୂତନ ଭାଷା ସୃଷ୍ଟି କରିନାହାନ୍ତି । ପୃଥିଵୀର ଅନେକ ଜୀଵ ନିର୍ଦ୍ଧିଷ୍ଟ ଶବ୍ଦକୁ ଧରି କେଵଳ ବୋଵାଅନ୍ତି କିନ୍ତୁ ଏ ଜୀଵଜଗତ ମଧ୍ୟରେ କେଵଳ ମଣିଷ ହିଁ ଏକମାତ୍ର ଜୀଵ ଯିଏ ସହସ୍ରାଧିକ ଭାଷା ସୃଷ୍ଟି କରିଛି ‌।‌ ମଣିଷ ଭାଷା ସୃଷ୍ଟି କରିପାରିଛି ଯେହେତୁ ସେ କେଵଳ ମା ମା କି ବା ବା ରେ ସୀମିତ ହୋଇ ରହିଯାଇନାହିଁ । ଦା ଦା ,ନା ନା, ପା ପା ,ଭା ଭା ,ତା ତା ଇତ୍ୟାଦି ଶବ୍ଦ ବି ମାନଵ ଉଚ୍ଚାରଣ କରିଛି । ଏହି ସବୁ ଶବ୍ଦ ଅନୁକରଣରେ ପୃଥିଵୀର କୋଣ ଅନୁକୋଣର ଵିଭିନ୍ନ ଭାଷାରେ ନାନା ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ସୃଷ୍ଟି ହୋଇଛି । 

ତେବେ ସେ ମହାକଵି ଅଜ୍ଞାନଵଶତଃ ବୋଉ ଓ ଵୋହୂ ଶବ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିନଥିଲେ ବୋଲି ସ୍ପଷ୍ଟ। ସଂସ୍କୃତ 'ଵଧୂ' ଶବ୍ଦରେ ଅଵର୍ଗ୍ୟ 'ଵ' ଥିଲା । ପ୍ରାକୃତ ଭାଷାର ଵହୂ ଶବ୍ଦରେ ବି ଅଵର୍ଗ୍ୟ 'ଵ' ଥିଲା । ଏହି ମୂଳରୁ ଜାତ ହୋଇଥିଵା ଓଡ଼ିଆ ଭାଷାର ଵଧୂ ଅର୍ଥଜ ଵହ,ଵହୂ,ଵଊ ଓ ଵୋହୂ ଶବ୍ଦଗୁଡ଼ିକର ଉଚ୍ଚାରଣରେ ଆଜି ବି ଅଵର୍ଗ୍ୟ 'ଵ' ଓ ଦୀର୍ଘ 'ଊ'ର ଆଭାସ ମିଳେ । ଆଜି ବି ମାଆକୁ ପିଲାଏ ବୋଉ ଡାକିଲାବେଳେ ବୋଉ ଶବ୍ଦରେ ଥିଵା 'ଉ'କୁ ହର୍ସ୍ଵ ଉଚ୍ଚାରଣ କରନ୍ତି କିନ୍ତୁ ଶାଶୁଶଶୁର ଯେତେବେଳେ ନିଜ ଵୋହୂକୁ ଵୋଊ ଡାକନ୍ତି 'ଊ'କୁ ଦୀର୍ଘ ଉଚ୍ଚାରଣ କରନ୍ତି । କିନ୍ତୁ ଅତି ମହାପଣ୍ଡିତ ମହାକଵି ସାଧାରଣ ଲୋକଙ୍କ ସହିତ ରହି ବୋଉ ଓ ଵୋଊ ଶବ୍ଦ ମଧ୍ୟରେ ଥିଵା ଏହି ଧ୍ଵନିତତ୍ତ୍ଵ ଭିତ୍ତିକ ପ୍ରଭେଦକୁ କେବେ ଅନୁଭଵ ହିଁ କରିନଥିଲେ ବୋଲି ତାଙ୍କ ଭାଷଣରୁ ଜଣାପଡି଼ଯାଏ। 
 
‌ଅଵଶ୍ୟ ଏହା ସତ୍ୟ ଯେ ପୃଥିଵୀରେ ପ୍ରାୟ ଅନେକ ଭାଷାରେ ମାଆଙ୍କୁ ମ ଵା ମା ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ପିଲାଏ ଡାକନ୍ତି। ଉପକୂଳିଆମାନେ ବି ଅଧିକାଂଶ ନିଜ ମାତାଙ୍କୁ ମାଆ ‌ହିଁ ସମ୍ବୋଧନ କରନ୍ତି । ଗଞ୍ଜାମଵାସୀ ସମାଜର ଵୃଦ୍ଧା ମହିଳାମାନଙ୍କୁ ସମ୍ମାନ ସହକାରେ ମାଆ ସମ୍ବୋଧନ କରନ୍ତି । ଉପକୂଳରେ ଛୋଟ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରାଯାଏ ‌। ଠାକୁରାଣୀଙ୍କୁ ମଧ୍ୟ ଉପକୂଳିଏ ମାଆ ହିଁ ସମ୍ବୋଧନ କରନ୍ତି । ଅଧିକାଂଶ ପିଲା କଥା କହିଵା ଶିଖିଲାବେଳେ ସାଧାରଣତଃ ଶବ୍ଦଗୁଡ଼ିକର ଆନୁନାସିକ ଉଚ୍ଚାରଣ କରନ୍ତି ।‌ ଜନ୍ମରୁ ଏକ ମାସ ପର୍ଯ୍ୟନ୍ତ ଶିଶୁମାନେ ମୁଖ୍ୟତଃ ଆନନ୍ଦିତ ହେଲେ, ଆଶ୍ଚର୍ଯ୍ୟ, ଭୟଭୀତ ଓ ଦୁଃଖି ହେଲେ ହସନ୍ତି ଵା କାନ୍ଦନ୍ତି । ଜନ୍ମର ଦୁଇ ଓ ତିନି ମାସ ମଧ୍ୟରେ ପିଲାଏ ଆଁ ଆଁ ଉ ଉ ଭଳି ଶବ୍ଦ ଉଚ୍ଚାରଣ କରିଵାକୁ ଲାଗନ୍ତି। ଜନ୍ମରୁ ଚତୁର୍ଥ ଓ ପଞ୍ଚମ ମାସ ମଧ୍ୟରେ ପିଲାଏ ବଡ଼ମାନଙ୍କ ଦ୍ଵାରା ବୋଲାଯାଉଥିଵା ଭାଷାର ଶବ୍ଦ ଅନୁକରଣରେ ଆଉ କେତେକ ଅସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରିଵା ଆରମ୍ଭ କରି ଦିଅନ୍ତି । ଛମାସ ବେଳକୁ ପିଲାଏ ସ୍ଵରତନ୍ତ୍ର ଉପରେ ନିୟନ୍ତ୍ରଣ କରିଵା ଶିଖନ୍ତି ଏଵଂ ଏହି ସମୟରେ ହିଁ ସେମାନେ ବା ବା,ବୋ ବୋ,ବୁ ବୁ ଭଳି ଶବ୍ଦ ଉଚ୍ଚାରଣ କରନ୍ତି । ବ ବ ବୁ ବୁ ବୋ ବୋ ଭଳି ଶବ୍ଦ ଉଚ୍ଚାରଣ କରୁଥିଵାରୁ ଆଧୁନିକ ଭାଷାଵିଦମାନେ ଶିଶୁମାନଙ୍କର ଏହି ଉଚ୍ଚାରଣ ପ୍ରକ୍ରିୟାକୁ Child babbling ନାମ ଦେଇଛନ୍ତି। ତେଣୁ ପିଲାମାନଙ୍କର ଵର୍ଗ୍ୟ 'ବ' ଧ୍ଵନି ଉଚ୍ଚାରଣ ମୌଳିକ ଅଟେ କିନ୍ତୁ ଯେତେବେଳେ ଏହି ଧ୍ଵନି ଅନୁନାସିକ ହୁଏ ତାହା ମ'ମା,ମେ,ନ,ନା,ନେ ଇତ୍ୟାଦି ହୋଇଥାଏ । ଏ ଦୃଷ୍ଟିରୁ ପିଲାମାନଙ୍କର ମାଆ,ମାଉସୀ,ନନା,ନାନୀ ଇତ୍ୟାଦି ଉଚ୍ଚାରଣ ଅପେକ୍ଷା ବା,ବବା,ବୁଆ,ବୋଉ,ବେଈ,ବୋଈ,ବାଈ ଆଦି ଉଚ୍ଚାରଣ ମୌଳିକ ଅଟେ । ଆଧୁନିକ ଭାଷାଵିଦମାନେ କୁହନ୍ତି ଯେ 
ପୃଥିଵୀର ଅଧିକାଂଶ ଭାଷାରେ ଯେତେ ସମ୍ବନ୍ଧଵାଚକ ସମ୍ବୋଧନ ଶବ୍ଦ ସ୍ଵାଭାଵିକ ଭାବେ ସୃଷ୍ଟି ହୋଇଛି ସେସବୁର ମୂଳ Child babblingରୁ ଜାତ ପିଲାମାନଙ୍କ ଦ୍ଵାରା ଉଚ୍ଚାରଣ କରାଯାଇଥିଵା ଏହା ବା ବା,ବୁ ବୁ,ମା ମା,ନା ନା,ତା ତା,ଦା ଦା ଇତ୍ୟାଦି ଧ୍ଵନିଗୁଡ଼ିକ ହିଁ ଅଟଇ । କିନ୍ତୁ ମହାକଵି ଜଣକ Child babbling ସମ୍ବନ୍ଧିତ ଏହି ଧ୍ଵନିତତ୍ତ୍ଵ ଭିତ୍ତିକ ତଥ୍ୟ କାହୁଁ ଜାଣିବେ ? ସେ ଏତେ ପାଠ ପଢ଼ିନାହାନ୍ତି କି ଜାଣିଵାକୁ ଅଧ୍ୟଵସାୟ କରିନାହାନ୍ତି ।

ନାକରେ କଥା କହୁଥିଵା ଲୋକ,ନାକକାନ୍ଦୁରା ପିଲା ତ ଜଗତରେ ଅନେକ ହୁଅନ୍ତି ଓ ହୋଇଛନ୍ତି ତେବେ ଆଶ୍ଚର୍ଯ୍ୟର ଵିଷୟ ଯେ ପୃଥିଵୀର କେତେକ ଵୀରଜାତିରେ ମାଆଙ୍କୁ 'ବ' ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ପିଲାଏ ଡାକୁଥିଵା ଦେଖାଯାଏ । 

ରୁଷିଆର Avarianମାନେ ପାର୍ଵତ୍ୟଵାସୀ ଯୋଦ୍ଧାଜାତି ସେମାନେ ନିଜ ମାଆଙ୍କୁ баба (baba) ସମ୍ବୋଧନ କରନ୍ତି। ଏକଦା ନିଜ ବାହୁବଳରେ ଚୀନଦେଶର ଉପକୂଳ ଅଞ୍ଚଳ ତଥା ଦକ୍ଷିଣପୂର୍ଵ ଏସିଆ ଓ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଆଧିପତ୍ୟ ଵିସ୍ତାର କରିଥିଵା ଚୀନଦେଶୀୟ Hokkien ଜାତି ନିଜ ମାଆଙ୍କୁ 阿母 (a-bú), 阿娘 (a-niâ) ଓ 老母 (lāu-bú) ସମ୍ବୋଧନ କରନ୍ତି। ମାଲେସିଆର ମାଳୟଭାଷୀ ଲୋକେ ମଧ୍ୟ ନିଜ ମାଆଙ୍କୁ 
ibu ଓ bu ସମ୍ବୋଧନ କରନ୍ତି। ଏହି ଭାଷାର ଏକ କଥିତ ଶୈଳୀ Brunei Malay ଶୈଳୀରେ ମାଆଙ୍କୁ ପିଲାଏ babu ଓ mama ସମ୍ବୋଧନ କରନ୍ତି । 
ମାଳୟଭାଷୀଙ୍କୁ ହରାଇ ପରାଧୀନ କରିଵାକୁ ଇଂରେଜମାନେ ନାକେଦମ୍ ହୋଇଯାଇଥିଵାର ଇତିହାସ ଖୁବ ଜଣାଶୁଣା। ସେହିପରି 
Austronesian ଭାଷାପରିଵାରର Sundanese ଭାଷାରେ ମାଆଙ୍କୁ biang ଓ indung ସମ୍ବୋଧନ କରାଯାଏ । ଏହି ଭାଷାପରିଵାରର Javanese ଓ ମାଳୟ ଭାଷାରେ ମାଆଙ୍କୁ ପିଲାଏ ibu ଡାକିଥାନ୍ତି । ଅନ୍ୟ ଏକ Austronesian ଭାଷା Indonesianରେ ମାଆଙ୍କୁ ibu ଓ bunda ସମ୍ବୋଧନ କରାଯାଏ । ଭାରତୀୟଙ୍କ ପରି ଇଣ୍ଡୋନେସିଆର ଲୋକେ ବି ୟୁରୋପୀୟ ଜାତିମାନଙ୍କ ଵିପକ୍ଷରେ ଦୀର୍ଘକାଳ ଧରି ସ୍ଵାଧୀନତା ସଂଗ୍ରାମ ଚଳାଇଥିଲେ । ଆମେରିକାରେ କଥିତ ଲୋହିତ ଭାରତୀୟମାନଙ୍କର Na-Dene ଭାଷା ପରିଵାରର Apache ଭାଷାର ଅନେକ କଥିତ ଶୈଳୀ ରହିଛି ତନ୍ମଧ୍ୟରୁ Chiricahuaରେ ମାଆଙ୍କୁ -má ସମ୍ବୋଧନ କରାଯାଏ କିନ୍ତୁ Western Apache ଭାଷାରେ ମାଆଙ୍କୁ ପିଲାଏ bimaa ଓ bąą ସମ୍ବୋଧନ କରିଥାନ୍ତି । ଏହି Apache ଜନଜାତିର ଲୋକମାନେ ଦୁର୍ଦ୍ଧାନ୍ତ ଯୋଦ୍ଧା ଥିଵାର ଇତିହାସ ଵିଶ୍ଵପ୍ରସିଦ୍ଧ। ୟୁରୋପୀୟମାନେ ଆମେରିକାରେ ଉପନିଵେଶ ସ୍ଥାପନ କରି ହଜାର ହଜାର ସ୍ଥାନୀୟ ଜନଜାତୀୟ ଲୋକଙ୍କୁ ମାରୁଥିଵାବେଳେ Apacheମାନେ ସେମାନଙ୍କର ଭୀଷଣ ଵିରୋଧ କରିଥିଲେ । ୟୁରୋପୀୟମାନେ Apache ଜନଜାତି ରହୁଥିଵା ଅଞ୍ଚଳରେ ପାଦ ଦେଵାକୁ ବି ଭୟ କରୁଥିଲେ । ଫଳତଃ ଆମେରିକାର ଅନେକ ଜନଜାତି ଓ ସେମାନଙ୍କ ଭାଷା ସଂସ୍କୃତି ଲୋପ ପାଇଯାଇଥିଵାବେଳେ Apacheମାନେ ଏବେ ବି ନିଜର ଅସ୍ତିତ୍ବ ବଜାୟ ରଖିପାରିଛନ୍ତି । ବ୍ରାଜିଲର mura ଭାଷାପରିଵାରର Pirahã ଭାଷାରେ ମାଆଙ୍କୁ baíxi ସମ୍ବୋଧନ କରାଯାଏ । ଏ ଭାଷାକୁ ବୋଲୁଥିଵା ଲୋକେ ଏବେ ପୃଥିଵୀରେ ୪୦୦ରୁ କମ୍ ଲୋକ ଅଛନ୍ତି । mura ଲୋକମାନଙ୍କ ମଧ୍ୟରୁ କେଵଳ Pirahãମାନେ ହିଁ ବ୍ରାଜିଲ ଦେଶର ଜଙ୍ଗଲ ମଧ୍ୟରେ ପ୍ରକୃତି ସହିତ ସଂଘର୍ଷ କରି ବଞ୍ଚି ପାରିଛନ୍ତି। Austroasiatic ଭାଷା ପରିଵାରର ଵିଏତନାମୀ ଭାଷାରେ ମାଆଙ୍କୁ mẹ , má , mạ , mệ , mợ , bầm, u, nạ , đẻ ଓ cái ଇତ୍ୟାଦି ସମ୍ବୋଧନ କରାଯାଇଥାଏ । ଵିଶେଷତଃ ଉତ୍ତର ଵିଏତନାମରେ ପ୍ରଚଳିତ ଉତ୍ତର ଵିଏତନାମୀ ଵା Tonkinese କଥିତ ଶୈଳୀରେ ମାଆମାନଙ୍କୁ bầm ସମ୍ବୋଧନ କରାଯାଇଥାଏ । ଭାରତ ସିନା ଦିଭାଗ ହୋଇ ୧୯୪୭ରେ ସ୍ଵାଧୀନ ହୋଇଗଲା କିନ୍ତୁ ଵିଏତନାମୀଙ୍କୁ ନିଜର ସ୍ଵାଧୀନତା ଲାଭ ପାଇଁ ଆହୁରି ପଚିଶ ଵର୍ଷ ରକ୍ତାକ୍ତ ସଂଗ୍ରାମ କରିଵାକୁ ପଡ଼ିଥିଲା । ଏକ ନଵେମ୍ବର ୧୯୫୫ରୁ ତିରିଶ ଏପ୍ରିଲ ୧୯୭୫ ଯାଏଁ ଵିଏତନାମ ଯୁଦ୍ଧ ହୋଇଥିଲା ‌। ଯେତେବେଳେ ଦକ୍ଷିଣ ଵିଏତନାମର ଲୋକେ ୟୁରୋପୀୟ ଶକ୍ତି ଆଗରେ ନତମସ୍ତକ ହୋଇଯାଇଥିଲେ ସେତେବେଳେ ଉତ୍ତର ଵିଏତନାମର ଲୋକେ ‌ହିଁ ତୁମୁଳ ସଂଗ୍ରାମ କରି ଦିଭାଗରେ ଵିଭକ୍ତ ହୋଇଯାଇଥିଵା ଦେଶକୁ ଏକାଠି କରିଥିଲେ । ଆମେରିକାକୁ ହରାଇ ଵିଏତନାମୀମାନେ ଜଣେଇ ଦେଲେ ଯେ କେଵଳ ଅସ୍ତ୍ରଶସ୍ତ୍ର ନୁହେଁ ଯୁଦ୍ଧ କ୍ଷେତ୍ରରେ ଵୀରତ୍ୱ ଓ ନିଜ ଜାତି ମାଟି ପାଇଁ ପ୍ରାଣବଳି ଦେଵାର ସାହସର ମଧ୍ୟ ଆଵଶ୍ୟକତା ରହିଛି। ଅଷ୍ଟ୍ରେଲିଆ ମହାଦେଶର ଏକ ଜନଜାତୀୟ ଭାଷାପରିଵାର Pama–Nyunganରେ ଵର୍ଗୀକୃତ urrbal ଭାଷାର ଗୋଟିଏ ଶୈଳୀ Yagaraରେ ମାଆଙ୍କୁ budang ସମ୍ବୋଧନ କରାଯାଉଥିଲା । Niger–Congo ଭାଷାପରିଵାର ମୂଳର ଜାମ୍ବିଆ ଦେଶରେ କଥିତ ହେଉଥିଵା ଏକ ଭାଷା Bemba ଭାଷାରେ ମାଆଙ୍କୁ Bamama [Bamaa] ସମ୍ବୋଧନ କରାଯାଏ ।‌ ପୃଥିଵୀର ଏହିପରି ଶତାଧିକ ଭାଷାରେ ମାଆଙ୍କୁ 'ବ' ଆଦ୍ୟ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ତେବେ ଉକ୍ତ ଭାଷାଗୁଡ଼ିକୁ ବୋଲୁଥିଵା ଅଧିକାଂଶ ମାନଵଜାତି ଵୀରଜାତି ଭାବେ ଖ୍ୟାତ।

ଭାରତରେ ମଧ୍ୟ ଅନେକ ଵୀର ଜାତିରେ ମାଆଙ୍କୁ ‘ବ’ ଆଦ୍ୟରେ ସମ୍ବୋଧନ କରାଯାଉଥିଵାର ଜଣାଯାଏ । ଭାରତରେ ପଞ୍ଜାବୀ ଗୋଟିଏ ଵୀର ଜାତି ଭାବେ ଵିଶ୍ଵଵିଖ୍ୟାତ । ପଞ୍ଜାଵୀମାନେ ମାତା ଭଗିନୀ ଆଦି ସମ୍ମାନୀୟ ମହିଳାମାନଙ୍କୁ ବେବେ ଓ ବିବୋ ଇତ୍ୟାଦି ସମ୍ବୋଧନ କରନ୍ତି । ଵିଶେଷକରି ମାଆଙ୍କୁ ପଞ୍ଜାଵୀମାଳେ ବେବେ ସମ୍ବୋଧନ କରୁଥିଵାର ଦେଖାଯାଏ ।‌ ଭାରତ ଉପରେ ଯଵନମାନେ ଯେବେ ଯେବେ ବି ଆକ୍ରମଣ କରିଛନ୍ତି ପଞ୍ଜାଵୀମାନେ ଯୁଦ୍ଧ କ୍ଷେତ୍ରରେ ସେମାନଙ୍କର ସର୍ଵାଗ୍ରେ ସାମ୍ନା କରିଛନ୍ତି। ମରାଠୀମାନେ ମଧ୍ୟ ଵୀରଜାତି ବୋଲି ଖ୍ୟାତି ଲଭିଛନ୍ତି । ମରାଠୀମାନେ ତାଙ୍କ ମାଆଙ୍କୁ ସାଧାରଣତଃ आई ଓ मां ସମ୍ବୋଧନ କରନ୍ତି । ତେବେ ମହାରାଷ୍ଟ୍ର ଶବ୍ଦକୋଷ(୧୯୩୨-୫୦)ରେ 'ब' ଓ 'बई' ଶବ୍ଦର ଦେଶୀୟ ମରାଠୀ ଅର୍ଥ ମାଆ ଵା ମାତା ଲେଖା ହୋଇଛି । ମହାରାଷ୍ଟ୍ର ଶବ୍ଦକୋଷର ୨୧୯୯ତମ ପୃଷ୍ଠାରେ 'ब' ଶବ୍ଦର ଦ୍ଵିତୀୟ ଅର୍ଥ ଲେଖା ହୋଇଛି “स्त्री. लहान मुलाचा आईस हांक मारण्याचा शब्द” ଅର୍ଥାତ୍ ”ପିଲାମାନଙ୍କ ଦ୍ଵାରା ମାଆଙ୍କୁ କରାଯାଉଥିଵା ସମ୍ବୋଧନ” 
। ପୁଣି ଏହି ଶବ୍ଦକୋଷର ୨୨୦୦ତମ ପୃଷ୍ଠାରେ बई —ଶବ୍ଦର ଦୁଇଗୋଟି ଅର୍ଥ ଲେଖାଅଛି । (କ)लहान मुलांच्या भाषेंत आई(ଶିଶୁମାନଙ୍କ ଭାଷାରେ ମାଆଙ୍କୁ କରାଯାଉଥିଵା ସମ୍ବୋଧନ) ଓ (ଖ) वयांत आल्या- वर आईस लडिवाळपणानें संबोधण्याचा शब्द[बाई] (ଅର୍ଥାତ୍ ଵୟସ୍କ ହେଲାପରେ ମାଆଙ୍କୁ ଓ ମାତୃସ୍ଥାନୀୟା ମହିଳାଙ୍କ ପ୍ରତି ସମ୍ବୋଧନ) । ତେଣୁ ମହାରାଷ୍ଟ୍ର ଶବ୍ଦକୋଷରୁ ସ୍ପଷ୍ଟ ହୋଇଯାଏ ଯେ ମରାଠୀ ଭାଷାରେ ବି ମାଆଙ୍କୁ 'ब' ଓ 'बई' ସମ୍ବୋଧନ କରନ୍ତି । ହୁଏତ ଏବେବି ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଏହି ଦୁଇଟି ଶବ୍ଦ ପ୍ରଚଳିତ ଥିଵ । ଗୁଜରାଟର ଗ୍ରାମାଞ୍ଚଳରେ ଏବେବି ଅନେକେ ମାଆଙ୍କୁ ବା ସମ୍ବୋଧନ କରନ୍ତି। କେହି କେହି ଜେଜେମାଆଙ୍କୁ 'ବା' ସମ୍ବୋଧନ କରନ୍ତି । ଶ୍ରୀରତିଲାଲ ଚନ୍ଦରିଆଙ୍କ Gujarati lexicon ભગવદ્ગોમંડલ(ଭଗଵଦ୍ଗୋମଣ୍ଡଳ) ଜ୍ଞାନକୋଷର
૬૨૮૭(6287)ତମ ପୃଷ୍ଠାରେ ବା’ ଶବ୍ଦର ଅର୍ଥ ଜେଜେବାପା,ବାପା(ସିନ୍ଧୀ ଗୁଜରାଟୀ),ରାଜା ଓ ବାପା ଆଦ ଵୟସ୍କ(କଚ୍ଛୀ ଗୁଜରାଟୀ), ଝିଅ,ବଡ଼ନଣନ୍ଦ, ବଡ଼ଭଉଣୀ, ଚାକରାଣୀ, ଜେଜେମାଆ,ପୁଅ ଓ ମାଆଙ୍କ ପ୍ରତି ସ୍ନେହ ସମ୍ବୋଧନ ପାଇଁ ଵ୍ୟଵହାର କରାଯାଏ ବୋଲି ଉଲ୍ଲେଖ ଅଛି ।‌ ତେବେ ଆଧୁନିକ ଯୁଗରେ ଗୁଜରାଟୀମାନେ ଆଉ ନିଜ ମାଆଙ୍କୁ ବା’ ସମ୍ବୋଧନ କରୁନଥିଵା ଦେଖାଯାଉଛି। ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରଵାଙ୍କୁ ସେ ସମୟର ଲୋକେ ସ୍ନେହ ଆଦରରେ ବା’ ସମ୍ବୋଧନ କରୁଥିଲେ ତେଣୁ ସର୍ଵଭାରତୀୟ ସ୍ତରରେ ସେ କସ୍ତୁରଵା ନାମରେ ଖ୍ୟାତ ହୋଇଛନ୍ତି ।‌ ଗୁଜରାଟ ନାମଟି ଵୀର ଗୁଜ୍ଜରମାନଙ୍କ ନାମରେ ନାମିତ ହୋଇଛି ।‌ଚାଲୁକ୍ୟମାନେ ମଧ୍ୟ ଗୁଜରାଟର ଅନ୍ୟତମ ଵୀରଜାତି ଥିଲେ । ଗୁଜରାଟୀମାନେ ଆତତାୟୀ ଘୋରୀକୁ ପରାଜିତ କରିଥିଲେ । ଭୀନଦେଵ ଚାଲୁକ୍ୟ ୧୧୭୮ରେ ପ୍ରଥମେ ଆତତାୟୀ ଘୋରୀକୁ ପରାଜିତ କରିଥିଲେ କିନ୍ତୁ ସେ ଦୁଷ୍ଟକୁ ଛାଡ଼ି ଦେଵା ଯୋଗୁଁ ସେ ପୁଣି ଆକ୍ରମଣ କଲା ଓ ଗୁଜରାଟର ଅନେକ ଅଞ୍ଚଳ ଛଡ଼େଇ ନେଲା । ସେ ଯାହାହେଉ ଗୁଜରାଟର ଲୋକେ ଆଜି ସିନା ମାଆଙ୍କୁ ବା’ ଡାକିଵା ଛାଡ଼ି ଦେଇଛନ୍ତି କିନ୍ତୁ ସହସ୍ରାଧିକ ଵର୍ଷ ଯାଏଁ ସେମାନେ ଏହି ସ୍ନେହ ସମ୍ବୋଧନ ଦ୍ଵାରା ମାଆଙ୍କୁ ଡାକି ଆସୁଥିଲେ କହିଲେ ଅତ୍ୟୁକ୍ତି ହେଵ ନାହିଁ । ଅହମିଆ ଆସାମର ରାଜଭାଷା । ଆସାମର ନାମଟି ପ୍ରକୃତରେ କ୍ରା ଦାଈ ଭାଷାପରିଵାରର ଅହୋମ ଭାଷା ବୋଲୁଥିଵା ଅହୋମ ଜାତିର ଅହୋମ ରାଜ୍ୟର ନାମାନୁସାରେ ନାମିତ ହୋଇଛି । ଏହି ଵୀର ଜାତି ଷୋଡ଼ଶ ସପ୍ତଦଶ ଶତାବ୍ଦୀରେ ଆସାମରେ ଶାସନ କରି ଅନେକ ଥର ତତ୍କାଳୀନ ମୋଗଲ ସାମ୍ରାଜ୍ୟ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଇଥିଲେ । ତେବେ ଅହୋମମାନଙ୍କର ଶାସନ ପୂର୍ଵରୁ କାମରୂପରେ ୧୨୦୬ ସମୟରେ ମହାରାଜା ପୃଥୁ ଶାସନ କରୁଥିଲେ । ଏହି ରାଜା ବକ୍ତିଆର ଖିଲିଜିକୁ ସେହି ଵର୍ଷ ହରାଇ ଦେଇଥିଲେ ଏଵଂ ଏହା ହିନ୍ଦୁମାନଙ୍କର ପଠାଣ ଆକ୍ରାନ୍ତାଙ୍କ ଵିପକ୍ଷରେ ଏକ ବଡ଼ ଵିଜୟ ଥିଲା । ଏହି ଅହମିଆ ଲୋକମାନେ ନିଜ ମାଆଙ୍କୁ বৌ(ବୌ) ଓ ଭାଉଜଙ୍କୁ(ৱৌ) ସମ୍ବୋଧନ କରନ୍ତି । ତେବେ ଗୌହାଟୀ ଵିଶ୍ଵଵିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଚନ୍ଦ୍ରକାନ୍ତା ଅଭିଧାନ(୧୯୩୩)ର ୭୦୪ତମ ପୃଷ୍ଠାରେ বৌ(ବୌ) ଶବ୍ଦକୁ ଦୁଇଥର ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ଦର୍ଶାଇଵା ପାଇଁ ତଳ ଉପର କରି ଲେଖା ହୋଇଛି । ପ୍ରଥମ বৌ(ଉଚ୍ଚାରଣ ତଥା ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵୌ ଵା ৱৌ) ଶବ୍ଦଟି ଵଧୂ ଶବ୍ଦ ମୂଳର ଏଵଂ ଏହାର ଅର୍ଥ ককাইৰ ভাৰ্য্যা(କକାଇର ଭାର୍ଯ୍ୟା) ଵା ବଡ଼ଭାଇର ସ୍ତ୍ରୀ ଲେଖା ହୋଇଛି । ଦ୍ଵିତୀୟ বৌ(ବୌ) ଶବ୍ଦର କୌଣସି ଵ୍ୟୁତ୍ପତ୍ତି ଉଲ୍ଲେଖ ନାହିଁ କିନ୍ତୁ ଏହାର ଅର୍ଥ আই; পুত্ৰই মাকক কৰা সম্বোধন(ଆଇ; ପୁତ୍ରଇ ମାକକ କରା ସମ୍ବୋଧନ) ଆଈ;ପୁତ୍ରର ମାଙ୍କୁ କରାଯିଵା ସମ୍ବୋଧନ ଲେଖା ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ଯେମିତି ଅହମିଆ ଓ ମରାଠୀମାନେ ନିଜ ମାଆଙ୍କୁ ଆଈ ସମ୍ବୋଧନ କରନ୍ତି ଆଗେ ସେହିପରି ଓଡ଼ିଆମାନେ ବି ନିଜ ମାଆଙ୍କୁ ଆଈ ସମ୍ବୋଧନ କରୁଥିଲେ । ଵିଚିତ୍ର ରାମାୟଣରେ 
ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରାଯାଇଛି । 
“ଦଶରଥ ସୂତ, ଜଗତେ ଵିଦିତ, କୈକେୟୀ ମୋହର ଆଈ।”(ଵିଶ୍ୱନାଥ—ଵିଚିତ୍ରରାମାୟଣ) 

ତେବେ ୧୯୩୩ ମସିହାରେ ପ୍ରକାଶିତ ଚନ୍ଦ୍ରକାନ୍ତା ଅଭିଧାନରେ ଅହମିଆ বৌ ଶବ୍ଦର ଗୋଟିଏ ଅର୍ଥ ମାଆ ଲେଖାଥିଵା ସ୍ପଷ୍ଟ କରେ ଯେ କେଵଳ ଓଡ଼ିଆ ହିଁ ନୁହେଁ ଵରଂ ଅହମିଆମାନେ ବି ନିଜ ମାଆଙ୍କୁ ବୋଉ ନହେଲେ ମଧ୍ୟ ବୌ/বৌ ସମ୍ବୋଧନ କରୁଥିଲେ । ଉତ୍ତର ପୂର୍ଵ ଭାରତର ବୋଡୋମାନେ ବି ନିଜ ମାଆଙ୍କୁ ବିମା ସମ୍ବୋଧନ କରିଥାନ୍ତି । ଆସାମ ଓ ନାଗାଲାଣ୍ଡର ଦିମସାଭାଷାଭାଷୀ ବି ନିଜ ମାଆଙ୍କୁ ବୁମା ସମ୍ବୋଧନ କରନ୍ତି। Thomas Burrow ଓ M. B. Emeneauଙ୍କ ଦ୍ରାଵିଡ଼ ଭାଷା ଵ୍ୟୁତ୍ପତ୍ତିକୋଷ A Dravidian etymological dictionaryର ୩୯୨ତମ ପୃଷ୍ଠାରେ ଉଲ୍ଲେଖ ଅଛି ଯେ ତାମିଲନାଡୁର ନୀଳଗିରି ଅଞ୍ଚଳରେ ରହୁଥିଵା କୋଟା ଲୋକେ ନିଜ ମାଆଙ୍କୁ ବେ(Be) ତଥା ମାଉସୀଙ୍କୁ 
ଦୋବେ'କ(Dobe.k) ସମ୍ବୋଧନ କରିଥାନ୍ତି। ଏମନ୍ତକି ଆଗେ ହିନ୍ଦୀଭାଷାଭାଷୀ ଅଞ୍ଚଳରେ ବି ମାଆଙ୍କୁ 'बा' ସମ୍ବୋଧନ କରୁଥିଲେ। ତେଣୁ ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷର ୩୪୩୭ତମ ପୃଷ୍ଠାରେ ‘बा’ ଶବ୍ଦର ଅର୍ଥ 
माता , मा ଓ श्रेष्ठ या बड़ी स्त्रियों के लिये आदरार्थक शब्द ଆଦି ଲେଖା ହୋଇଛି। ଉତ୍ତର ତଥା ପଶ୍ଚିମ ଭାରତରେ ସମ୍ମାନନୀୟା ମହିଳାମାନଙ୍କୁ बाई ସମ୍ବୋଧନ କରନ୍ତି । ଓଡ଼ିଶାର ପଶ୍ଚିମାଞ୍ଚଳରେ ଜେଜେମାଆ ତଥା ବଡ଼ଭଉଣୀଙ୍କୁ ବାଈ ସମ୍ବୋଧନ କରାଯାଏ । ଓଡ଼ିଶାର କେନ୍ଦୁଝରର କେତେକ ଅଞ୍ଚଳରେ ଜେଜେମାଆଙ୍କୁ ବୋଈ ସମ୍ବୋଧନ କରାଯାଉଥିଲା ବେଳେ କଳାହାଣ୍ଡି ଓ ଏହାର ଆଖପାଖରେ କେତେକ ଅଞ୍ଚଳର ଜେଜେମାଆ ଓ ଆଈଙ୍କୁ ବେଈ ସମ୍ବୋଧନ କରନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୯୧ତମ ପୃଷ୍ଠାରୁ ଜଣାଯାଏ ଯେ ଆଗେ ବାଲେଶ୍ୱର ଓ ବାଙ୍କି ଅଞ୍ଚଳର କରଣଙ୍କ ଗୋଷ୍ଠୀରେ ଆବୋଉ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା । ଏହି ଅଞ୍ଚଳରେ ସାଧାରଣତଃ ଖୁଡୀ ଵା ଦେଠେଇଙ୍କୁ ଆବୋଉ ଡାକୁଥିଲେ । ପୁଣି ତହୁଁ ଉଲ୍ଲେଖ ଅଛି ଯେ ଏହି ଅଞ୍ଚଳରେ ପିତୃମାତୃହୀନ ଶିଶୁଙ୍କୁ ପିଲାଦିନୁ ପାଳିଥିଵା ପିଉସୀ, ମାଉସୀ, ମାଇଁ ଆଦିଙ୍କ ପ୍ରତି ଉକ୍ତ ଶିଶୁମାନଙ୍କର ସ୍ନେହ ସମ୍ବୋଧନ ଥିଲା ଆବୋଉ । କେତେକ ଅଞ୍ଚଳରେ ଏହି ଆବୋଉ ଶବ୍ଦ ଆଉବୋଉ ହୋଇ ମଧ୍ୟ ଚଳୁଥିଲା ବୋଲି ଭାଷାକୋଷର ୬୮୧ତମ ପୃଷ୍ଠାରୁ ଜଣାଯାଏ। ଅତି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବୋଉ ଶବ୍ଦ ଅପେକ୍ଷା ମାତା ଓ ଆଈ ଶବ୍ଦର ପ୍ରୟୋଗ ଅଧିକ ହୋଇଥିଵାର ଦେଖିଵାକୁ ମିଳେ। ଏହାର ଅର୍ଥ ଏଇଆ ନୁହେଁ ଯେ ସେତେବେଳେ ବୋଉ ଶବ୍ଦ ଚଳୁନଥିଲା । ପୁରୁଣା ଯୁଗର ଅନେକ ଓଡ଼ିଆ ଢଗରେ ବୋଉ ଶବ୍ଦ ଦେଖାଯାଏ । ଯଥା —
“ଶାଶୁ ମଲା ବୋଉ ବେଇଲା,
ଯେଉଁ ତିନି ପ୍ରାଣୀ କି 
ସେହି ତିନି ପ୍ରାଣୀ ହେଲା”

“ନଈ ଭିତରେ ଯାଉଥିଲି ମୁହିଁ,
ମାଡ଼ିଲି ମୁଣ୍ଡା ଗାଗର,
ବୋଉକୁ କହିବ କାନ୍ଦିବେ ନାହିଁ,
ଜୋଇଁତ ଗୁଣ ସାଗର”

ଢଗଗୁଡ଼ିକ ଶତାଧିକ ଵର୍ଷରୁ ଲୋକ ମୁଖରେ ପ୍ରଚଳିତ ଥାଏ ତେଣୁ ଏ ଦୃଷ୍ଟିରୁ ଫକୀରମୋହନ ସେନାପତିଙ୍କ ପାଠୋଇଵୋହୂ, ଗୋପବନ୍ଧୁ ଦାସଙ୍କ ଧର୍ମପଦ, ଗୋଦାଵରୀଶ ମିଶ୍ରଙ୍କ କାଳିଜାଈ ଆଦିରେ ବୋଉ ଶବ୍ଦ ଵ୍ୟଵହାରର ବହୁତ ପୂର୍ଵରୁ ଓଡ଼ିଶାରେ , ଓଡ଼ିଆ ଭାଷାରେ ବୋଉ ଶବ୍ଦ ଚଳୁଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୯୩୧ତମ ପୃଷ୍ଠାରେ ବୋଉ ଶବ୍ଦ ସମ୍ବନ୍ଧୀୟ ଦ୍ରଷ୍ଟଵ୍ୟରେ ଉଲ୍ଲେଖ ଅଛି ଯେ “ସାଧାରଣତଃ ପୁରୀ ଓ କଟକ ଜିଲ୍ଲାର ବ୍ରାହ୍ମଣ, କେତେକ କରଣ ଓ ଖଣ୍ଡାୟତ ଵା କ୍ଷତ୍ରିୟ ପରିଵାରରେ ମାତାଙ୍କୁ 'ବୋଉ' ଓ ପିତାମହୀଙ୍କୁ 'ମା' ବୋଲି ଡାକନ୍ତି । ଶୂଦ୍ରମାନେ ମାତାଙ୍କୁ 'ମା' ଓ ପିତାମହୀଙ୍କୁ 'ବୁଢ଼ୀ ମା' ବା 'ଆଈ' ବୋଲି ଡାକନ୍ତି।” ଏଥିରୁ ଜଣାଯାଏ ଯେ ବୋଉ ଶବ୍ଦଟି ଆଗେ ସାରା ଓଡ଼ିଶାରେ କିମ୍ବା ସବୁ ଜାତିର ଲୋକମାନଙ୍କର ମଧ୍ୟରେ ଓ ଓଡ଼ିଶାର ସବୁ ପରିଵାରରେ ମାଆଙ୍କୁ ସମ୍ବୋଧନ କରିଵା ହେତୁ ଵ୍ୟଵହୃତ ହେଉନଥିଲା। ଏହା ଅଵିଭକ୍ତ ପୁରୀ ଓ ଅଵିଭକ୍ତ କଟକ ତଥା ଏହାର ଆଖପାଖରେ ରହୁଥିଵା କେତେକ ବ୍ରାହ୍ମଣ, କ୍ଷତ୍ରିୟ , ଖଣ୍ଡାୟତତଥା ଅନ୍ୟାନ୍ୟ ଚଷା ଓ କରଣ ପରିଵାର ମଧ୍ୟରେ ହିଁ ସୀମିତ ଥିଲା । ପୂର୍ଵେ ଓଡ଼ିଶାର ସବୁ ଅଞ୍ଚଳରେ ସବୁ ପରିଵାରରେ ସବୁ ଜାତିରେ ବୋଉ ଶବ୍ଦ ଵ୍ୟଵହାର ହେଉନଥିଲା ଫଳତଃ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ପ୍ରୟୋଗ ହୋଇନଥିଵା ସମ୍ଭଵ ।‌ କିନ୍ତୁ ଆଗେ ପ୍ରାକୃତ ଭାଷାରେ ମଧ୍ୟ ଵର୍ଗ୍ୟ ‘ବ’ ଆଦ୍ୟରେ ମାତୃ ସମ୍ବୋଧନାର୍ଥକ ଦୁଇଗୋଟି ଶବ୍ଦ ଚଳୁଥିଲା ବୋଲି ଅନେକେ ଜାଣିନଥିବେ ‌। ହିନ୍ଦୀର बा ଓ बाई, ମରାଠୀର ब ଓ बई, ଗୁଜରାଟୀର બા,ଅହମିଆର বৌ ପରି ଆଗେ ପ୍ରାକୃତ ଭାଷାରେ ବି ମାଆଙ୍କୁ 𑀩𑀸𑀈(ବାଈ) ଓ 𑀩𑀸𑀈𑀬𑀸(ବାଈଯା) ତଥା ବାପାଙ୍କୁ 𑀩𑀸(ବା) ସମ୍ବୋଧନ କରାଯାଉଥିଲା । ଏହି ପ୍ରାକୃତ ଭାଷାର 𑀩𑀸𑀈(ବାଈ) ଶବ୍ଦଟି ହିଁ ଆଜି ଓଡ଼ିଶାରେ ବାଈ(ଜେଜେମା, ବଡ଼ଭଉଣୀ),ବେଈ(ଆଈ,ଜେଜେମାଆ),ବୋଈ(ଜେଜେମାଆ),ବୋଉ(ମାଆ) ଓ ଆବୋଉ(ଖୁଡ଼ି) ରୂପେ ନାନା ଅର୍ଥରେ ଚଳୁଅଛି। ପୁଣି ମୂଳ ପ୍ରାକୃତ 𑀩𑀸(ବା) ଶବ୍ଦରୁ ବାଆ,ବାବା,ବାବୁ,ବୁବା(>ବୁଆ),ବବା,ବାପା ଓ ବୋପା ଇତ୍ୟାଦି ଶବ୍ଦ କାଳକ୍ରମେ ସୃଷ୍ଟି ହୋଇଛି। 

Sir Ralph lily Turner ତାଙ୍କ ସଂକଳିତ ଵ୍ୟୁତ୍ପତ୍ତି କୋଷ A comparative dictionary of Indo-Aryan languagesର 519ତମ ପୃଷ୍ଠାରେ ପ୍ରାକ୍ ଇଣ୍ଡିକ୍ ଭାଷାର ମୂଳ ଶବ୍ଦ *bāର ଅର୍ଥ ବାପା ତଥା *bāī-' ଶବ୍ଦର ଅର୍ଥ ମାତା ଲେଖିଅଛନ୍ତି । ସେହିପରି ସେଠ୍ ହରଗୋଵିନ୍ଦ ଦାସଙ୍କ ଦ୍ଵାରା ସଂକଳିତ ପ୍ରାକୃତ ଅଭିଧାନ Paia-sadda-mahannavo; a comprehensive Prakrit Hindi dictionaryର ୬୩୩ତମ ପୃଷ୍ଠାରେ 𑀩𑀸𑀇𑀬𑀸(बाइया/ବାଇଯା/bāiyā) ଶବ୍ଦର ଅର୍ଥ ମାଁ,ମାତା ଲେଖା ହୋଇଛି । ଯେମିତି Child babbling ଯୋଗୁଁ ପ୍ରାକୃତ ଭାଷାରେ ମାତୃଵାଚକ ବାଈ ଓ ବାଈଯା ଶବ୍ଦ ସୃଷ୍ଟି ହୋଇଥିଲା ଠିକ୍ ସେହିପରି *bā,*buba, *bābba ଓ *bāppa ଭଳି ପିତୃଵାଚକ ଶବ୍ଦ ବି ସୃଷ୍ଟି ହୋଇଛି ।‌ ମୂଳ ଭାରତୀୟ ପିତୃଵାଚକ ଶବ୍ଦ *bā ସାମାନ୍ୟ ପରିଵର୍ତ୍ତନ ଯୋଗୁଁ*buba ହୋଇଛି ଏଵଂ ଏହି ଶବ୍ଦରୁ ପରେ କୁମାୟୁନୀ ଭାଷାରେ buwā(ପିତା), bubo-jyu(ସ୍ବାମୀଙ୍କ ପିତା;ଶଶୁର) ଓ bubu(ପିଉସୀ) ଶବ୍ଦ ସୃଷ୍ଟି ହୋଇଛି । ନେପାଳୀରେ ଏହି ମୂଳରୁ bubā(ପିତା) ଓ buwā(ପିତା) ଶବ୍ଦ ସୃଷ୍ଟି ହୋଇଛି ।‌ 
ଓଡ଼ିଆରେ ଵିଶେଷତଃ ସମ୍ବଲପୁରୀ ଓଡ଼ିଆରେ ଏହି ମୂଳ ଶବ୍ଦଟି buā(ପିତା) ଓ buiε(ଝିଅମାନଙ୍କୁ ସ୍ନେହ ସମ୍ବୋଧନ) ହୋଇଅଛି । ମରାଠୀରେ ମୂଳ ଭାରତୀୟ ଶବ୍ଦ *buba ଆହୁରି ପରିଵର୍ତ୍ତିତ ହୋଇ buvā ହୋଇ ଵୟସ୍କ ପିତୃତୁଲ୍ୟ ଲୋକଙ୍କୁ ସମ୍ବୋଧନାର୍ଥ ଵ୍ୟଵହୃତ ହେଉଛି ।‌ ପଶ୍ଚିମ ପାହାଡ଼ୀରେ ଏହି ମୂଳରୁ bvi, bui ଓ buiε ଶବ୍ଦ ସୃଷ୍ଟି ହୋଇ ପିତାଙ୍କ ଭଗିନୀ ଵା ପିଉସୀଙ୍କୁ ସମ୍ବୋଧନ କରିଵା ହେତୁକ ଵ୍ୟଵହାର ହେଉଛି ।‌ ପିତୃଵାଚକ ମୂଳ ଆର୍ଯ୍ୟଶବ୍ଦ *bā ଆହୁରି ପରିଵର୍ତ୍ତିତ ହୋଇ କାଳକ୍ରମେ *bāppa(ବାପ୍ପା) ଓ *bābba(ବାବ୍ବା) ହୋଇଥିଲା ଯାହା ପରେ ଵିଭିନ୍ନ ଇଣ୍ଡିକ୍ ଭାଷାରେ ଭିନ୍ନ ଭିନ୍ନ ରୂପରେ ଓ ନାନା ଅର୍ଥରେ ପରିଵର୍ତ୍ତିତ ହୋଇ ଚଳୁଅଛି । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଭାରତର ଦଶରୁ ଅଧିକ ଓ ଵିଶ୍ଵର କୋଡ଼ିଏ, ତିରିଶ ଵା ତତୋଽଧିକ ଭାଷାରେ ଵର୍ଗ୍ୟ 'ବ' ଆଦ୍ୟରୁ ମାତାଙ୍କୁ ସମ୍ବୋଧନ କରାଯାଉଥିଵା ସମ୍ବନ୍ଧଵାଚକ ଶବ୍ଦ ଚଳୁଅଛି ଵା ପୂର୍ଵେ ଚଳୁଥିଲା। ଅଧିକାଂଶ ଇତିହାସ ପ୍ରସିଦ୍ଧ ଵୀରଜାତିର ଶିଶୁମାନେ ହିଁ ମାଆଙ୍କୁ ଵର୍ଗ୍ୟ 'ବ' ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ଡାକିଥାନ୍ତି । 

ଆଜି ଗୁଜରାଟୀମାନେ ନିଜ ମାଆଙ୍କୁ બા ଡାକିଵା ଛାଡ଼ି ଦେଇଛନ୍ତି,ମରାଠୀମାନେ ବି ଆଉ ତାଙ୍କ ମାଆଙ୍କୁ ସେତେ ब ଓ बई ଡାକୁ ନାହାନ୍ତି। ଅହମିଆମାନେ ବି বৌ ଶବ୍ଦ ଛାଡ଼ି ସାରିଛନ୍ତି କିନ୍ତୁ ମାତା ଅର୍ଥଜ ପ୍ରାକ୍ ଇଣ୍ଡିକ୍
*bāī-' ଶବ୍ଦଟି ଆଜି ବି ଓଡ଼ିଶାରେ ବୋଉ ରୂପେ ପରିଵର୍ତ୍ତିତ ହୋଇ ମାତାଙ୍କୁ ସମ୍ବୋଧନ କରିଵା ହେତୁକ ପ୍ରୟୋଗ କରାଯାଉଛି ‌। କେଵଳ ଭାରତରେ ହିଁ ହିନ୍ଦୀ(बा),ମରାଠୀ(ब, बई), ଗୁଜରାଟୀ(બા),ଅହମିଆ(বৌ),ପଞ୍ଜାଵୀ(ਬੇਬੇ),ବୋଡ଼ୋ(बिमा),ଦିମସା(बुमा),କୋଟା(Be), ପ୍ରାକ୍ ଇଣ୍ଡିକ୍ ଭାଷା(*bāī) ଓ ପ୍ରାକୃତ ଭାଷାରେ 𑀩𑀸𑀈𑀬𑀸(ବାଈଯା) ଇତ୍ୟାଦି ଶବ୍ଦ ବୋଉ ଶବ୍ଦ ପରି ମାତାଙ୍କୁ ସମ୍ବୋଧନ ପାଇଁ କରାଯାଉଛି ଵା ପୂର୍ଵେ କରାଯାଉଥିଲା । 

ଅଜ୍ଞାନମାନେ ପଦ୍ମଶ୍ରୀ,ପଦ୍ମଭୂଷଣ କି ଭାରତରତ୍ନ ପାଇଗଲେ ପଣ୍ଡିତ ହୋଇଗଲେ । ଵିଶ୍ଵ ଓ ଭାରତର ଅନେକ ଭାଷାରେ 'ବ' ଆଦ୍ୟର ବୋଉ ଭଳି ଶବ୍ଦ ଥାଇ ବି ଗାଈ ହମ୍ମା ହମ୍ମା କରେ କଟକିଏ କାହିଁକି ବୋଉ ବୋଉ କରନ୍ତି ବୋଲି ଦାଣ୍ଡ ମଝିରେ ଡାକବାଜି ଲଗାଇ ପଚାରି ଦେଇ ଆପଣାର ପାଣ୍ଡିତ୍ୟ ନୁହେଁ ଵରଂ ସେ ଜାତୀୟ ପୁରସ୍କାର ପ୍ରାପ୍ତ ଫଡି଼ତମାନେ କିଛି ଜାଣନ୍ତି ନାହିଁ,ଅଜ୍ଞାନ ବୋଲି ହିଁ ପ୍ରମାଣ କରିଦେଲେ । କାହାର ଆକ୍ଷେପ ଦ୍ଵାରା ବୋଉ ଶବ୍ଦର ମହତ ଲୋପ ହେଵ ନାହିଁ କି ଓଡ଼ିଆ ଭାଷାର ଅପମାନ ହେଵ ନାହିଁ । ଆକାଶକୁ ପଥର ମାରିଲେ ପଥରଟା କେବେ ସୂର୍ଯ୍ୟ ଓ ଚନ୍ଦ୍ରଠି ଯାଇ ବାଜେ ନାହିଁ । ସେହିପରି ଅଜ୍ଞାନଲୋକେ ତିନି ହଜାର ଵର୍ଷ ପୂର୍ଵର ଓଡ଼ିଆ ଭାଷା ଓ ଏହାର ଶବ୍ଦ ସମ୍ଭାରକୁ ଆକ୍ଷେପ କରି କିଛି ଲାଭ ପାଇବେ ନାହିଁ । 
...............................................................

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...