Tuesday, January 14, 2025

ଓଡ଼ିଆ ଜାତିକୁ ଓଡ଼ ନାମ କିଏ ଦେଇଥିଲା ?

ଐତିହାସିକମାନେ ପ୍ରଥମେ ଲେଖିଲେ, ଓଡ଼ିଶାର ନାମକରଣ ପଠାଣ କରିଥିଲେ । ଅନେକ ଵର୍ଷ ଯାଏଁ ଏହି କଥାକୁ ଆନ ଲୋକେ ବି ଘୋଷିଲେ । ପ୍ରକୃତରେ କେତେକ ପ୍ରାଚୀନ ପାରସ୍ୟ ଵିଦ୍ଵାନ ନିଜ ପୁସ୍ତକରେ ଓଡ଼ିଶାର ନାମୋଲ୍ଲେଖ କରିଥିଵାରୁ ଏଭଳି ଭ୍ରମ ଧାରଣା ଜାତ ହୋଇଅଛି । ପାରସ୍ୟ ଵିଦ୍ଵାନ Ibn Khurdadhbih ୮୪୬ ଖ୍ରୀଷ୍ଟାବ୍ଦରେ Kitāb al Masālik w’al Mamālik ପୁସ୍ତକ ଲେଖିଥିଲେ। ସେଥିରେ ଭାରତର Kudafarid, Kaylkan, Kanja, Samundar ଓ Ursfin ଆଦି ଅଞ୍ଚଳର ଉଲ୍ଲେଖ ଅଛି । ଋଷୀୟ ଗଵେଷକ V.Minorisky ତାଙ୍କ ପୁସ୍ତକରେ Kudafaridକୁ ଗୋଦାଵରୀ, Kaylkanକୁ କଳିଙ୍ଗ, Kanjaକୁ କଙ୍ଗୋଦ ଓ Ursfinକୁ ଓଡ଼ିଶା ସହିତ ଚିହ୍ନଟ କରିଥିଲେ ଏଵଂ ଐତିହାସିକ ଡକ୍ଟର ନଵୀନ କୁମାର ସା‌ହୁ ମଧ୍ୟ ଏହି ମତକୁ ନିଜ ପୁସ୍ତକରେ ସମର୍ଥନ କରିଛନ୍ତି । ଦଶମ ଶତାବ୍ଦୀର ଆଉ ଏକ ପାରସ୍ୟ ପୁସ୍ତକ Ḥudūd al-ʿĀlam (ଲେଖକ ସମ୍ଭଵତଃ Shaʿyā ibn Farīghūn)ରେ ଓଡ଼ିଶାର ନାମ Urshin ଲେଖା ହୋଇଛି । Alberuni (1025 A.D.)ଙ୍କ ପୁସ୍ତକ Kitab al-Hindରେ ଓଡ଼ିଶାର ନାଆଁ Urdabishau ଉଲ୍ଲେଖ ଅଛି । କିନ୍ତୁ Ziau- D Din Barni Shams -I- Siraj Afif ତାଙ୍କ ପୁସ୍ତକ Tarikh-I Firoz Shahiରେ ଯାଜନଗର ଉଡ଼ିଶା ଓ ଉଡ଼ିଶାର ଉଲ୍ଲେଖ ଚଉଦଶହ ଶତାବ୍ଦୀରେ କରିଥିଵାରୁ ଐତିହାସିକମାନେ ଲେଖି ଦେଲେ ଯେ ପଠାଣମାନେ ଓଡ଼ିଶାର ନାମକରଣ କରିଛନ୍ତି । 

ପରେ ଆହୁରି ଗଵେଷଣା ହେଲା । ଜଣାପଡ଼ିଲା, କପିଳେନ୍ଦ୍ର ଦେଵଙ୍କ ସମୟରେ 'ଓଡ଼ିଶା' ନାଆଁଟି ପ୍ରଥମେ ଵ୍ୟଵହୃତ ହୋଇଥିଲା । ସାରଳା ଦାସଙ୍କ ମହାଭାରତରେ ବି ଏହି ଉଡ୍ରରାଷ୍ଟ୍ରର ଉଲ୍ଲେଖ ଥିଵାର ପରେ ଜଣାଗଲା । 

“ଜମ୍ବୁ ଦ୍ୱୀପ ଭ୍ରଥଖଣ୍ଡ ଓଡ଼ିଶା ମଣ୍ଡଳେ 
ବ୍ରହ୍ମାଙ୍କର କୁଶସ୍ଥଳୀ ବୈତରଣୀ କୂଳେ।” 

 ଅନ୍ତତଃ ପଞ୍ଚଦଶରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଶା ନାମ ଚଳୁଥିଵାର ସ୍ପଷ୍ଟ ହୋଇଗଲା । ଆଗେ କିଛି ଗଵେଷକ କହୁଥିଲେ ଉଡ୍ରରାଷ୍ଟ୍ର ଶବ୍ଦରୁ ପରେ ଓଡ଼ିଶା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । କିନ୍ତୁ ଆଉ କେତେକଙ୍କ ଅନୁସାରେ ଉଡ୍ରଵିଷୟ ଶବ୍ଦ କାଳକ୍ରମେ ଓଡ଼ିଶାରେ ପରିଣତ ହୋଇଛି ଯେହେତୁ Lama Taranath(Kun-dga'-snying-po)ଙ୍କ ଏକ ପୁସ୍ତକରେ ଓଡ଼ିଶାର ନାଆଁ Odivisa ଵା Udivisa ରହିଛି ତେଣୁ ବହୁତ ସମ୍ଭଵ ଓଡ଼ଵିଷୟ ନାମଟି ଓଡ଼ଵିଶ ହୋଇ ଶେଷରେ ଏହାର ରୂପ ଓଡ଼ିଶା ହୋଇଥିଵାର ସମ୍ଭାଵନା ଅଧିକ । 

ତାହେଲେ କ'ଣ ପାରସ୍ୟ ଵିଦ୍ଵାନମାନଙ୍କ ପୂର୍ଵରୁ ଓଡ଼ିଶାର ଉଡ୍ର ଓଡ଼ିଶା ଆଦି ନାମୋଲ୍ଲେଖ କୋଉଠି କେହି କରିନଥିଲା ? 

ପାରସ୍ୟ ଵିଦ୍ଵାନମାନଙ୍କର ଓଡ଼ିଶା ଵିଷୟରେ କିଛି ଲେଖିଵା ପୂର୍ଵରୁ,ପଠାଣମାନଙ୍କ ଦ୍ଵାରା ଭାରତ କଵଳିତ ହେଵା ପୂର୍ଵରୁ ଖ୍ରୀଷ୍ଟାବ୍ଦ ୬୩୬ରେ ଚୀନ ପରିବ୍ରାଜକ Hiuen Tsang ଓଡ଼ିଶା ଆସିଥିଲେ ଏଵଂ ସେ ଏହି ଦେଶର ନାମ ନିଜର ପୁସ୍ତକରେ ‘Wu-cha’ ଲେଖିଛନ୍ତି ଯାହା ଓଡ଼ିଶା କିମ୍ବା ଉଡ୍ର ଶବ୍ଦର ପରିଵର୍ତ୍ତିତ ରୂପ ଅଟେ । ଏହାର ତିନି ଚାରି ଶତାବ୍ଦୀ ପୂର୍ଵରୁ ବି ଏ ଦେଶର ନାଆଁ ଉଡ୍ର ଥିଵାର ପ୍ରମାଣ Pliny The Elder ନାମରେ ଜଣାଶୁଣା Gaius Plinius Secundus (AD 23/24–79)ଙ୍କ Naturalis Historia ଗ୍ରନ୍ଥରୁ ଜଣାପଡ଼ିଲା । ପ୍ଲିନୀ Naturalis Historia ଗ୍ରନ୍ଥରେ ଓଡ଼ିଆ ଜାତିକୁ Oretes ଓ ମଳୟଗିରିକୁ Meleus ଭାବେ ଉଲ୍ଲେଖ କରିଛନ୍ତି । ମଳୟଗିରି ପର୍ଵତ ପାଲଲହଡ଼ା(ଅନୁଗୋଳ)ରେ ଅଵସ୍ଥିତ ତେଣୁ ଆଜକୁ ପ୍ରାୟ ଦୁଇ ହଜାର ଵର୍ଷ ତଳେ ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳରେ ଉଡ୍ରମାନେ ଵାସ କରୁଥିଵାର ପ୍ରମାଣ ପ୍ଲିନୀଙ୍କ Naturalis Historia ଗ୍ରନ୍ଥରୁ ସ୍ପଷ୍ଟ ହୋଇଯାଏ । 

ଏହାର ବହୁ ପୂର୍ଵରୁ ଆଜକୁ ପ୍ରାୟ ପାଞ୍ଚ ହଜାର ଵର୍ଷ ତଳେ ମହାଭାରତ କାଳରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଭାଗ ନେଵାକୁ ଉଡ୍ରଦେଶର ରାଜା ଯାଇଥିଵାର ଉଲ୍ଲେଖ ମହାଭାରତ ଗ୍ରନ୍ଥରେ ଉଲ୍ଲେଖ ଅଛି । ପୁଣି ଵିଭିନ୍ନ ପୁରାଣରେ କଥା ଅଛି ଯେ ଉଡ୍ର ଓ କଳିଙ୍ଗ ଦୁଇ ଭାଇ ପ୍ରଥମେ ଆଧୁନିକ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ନିଜ ନାମରେ ଦୁଇଗୋଟି ରାଜ୍ୟ ସ୍ଥାପନ କରିଥିଲେ । ଓଡ଼ିଆ ଭାଗଵତରେ ନଵମ ସ୍କନ୍ଦର ତ୍ରୟୋବିଂଶ ଅଧ୍ୟାୟରେ ଏହି ଵିଷୟକୁ ସରଳ କରି ଉଲ୍ଲେଖ କରାଯାଇଛି 

“ବଳିର କ୍ଷେତ୍ରେ ଷଡ଼ାତ୍ମଜେ । 
ଜନ୍ମିଲେ ଦୀର୍ଘତମା ବୀର୍ଯ୍ୟେ ॥୧୫॥
ଅଙ୍ଗବଙ୍ଗ କଳିଙ୍ଗ ତିନି । 
ସୁହ୍ମ ପୁଣ୍ତ୍ର ଯେ ଉଡ୍ର ଘେନି ॥୧୬॥
ଆପଣା ନାମେ ରାଜ୍ୟ କରି ।
ସୁଖେ ପାଳିଲେ ବସୁନ୍ଧରୀ ॥୧୭॥
ଏ ଷଡ଼ଦେଶେ ହୋଇ ରାଜା । 
ଧର୍ମେ ପାଳିଲେ ଜନପ୍ରଜା ॥୧୮॥”

ସେହିପରି ଉଡ୍ରମାନଙ୍କୁ ଅନାର୍ଯ୍ୟ,ପତିତ କ୍ଷତ୍ରିୟ ଵା ମ୍ଳେଚ୍ଛ କୁହନ୍ତୁ ପଛେ ଵୈଵସ୍ଵତ ମନୁ ତାଙ୍କର ମନୁସ୍ମୃତି ଗ୍ରନ୍ଥରେ ଅନ୍ତତଃ ଓଡ଼ିଆ ଜାତିର ନାମକୁ ପୌଣ୍ଡ୍ର ଓ ଦ୍ରାଵିଡ଼ଙ୍କ ସହିତ ଉଲ୍ଲେଖ କରି କହିଛନ୍ତି 

“ପୌଣ୍ଡ୍ରକାଶ୍ଚୌଡ୍ରଦ୍ରଵିଡାଃ କାମ୍ବୋଜା ଯଵନାଃ ଶକାଃ ।
ପାରଦାପହ୍ଲଵାଶ୍ଚୀନାଃ କିରାତା ଦରଦାଃ ଖଶାଃ ॥୧୦.୪୪॥
ମୁଖବାହୂରୁପଜ୍ଜାନାଂ ଯା ଲୋକେ ଜାତୟୋ ବହିଃ ।
ମ୍ଲେଚ୍ଛଵାଚଶ୍ଚାର୍ଯ୍ୟଵାଚଃ ସର୍ଵେ ତେ ଦସ୍ଯଵଃ ସ୍ମୃତାଃ ॥୧୦.୪୫॥
ଯେ ଦ୍ଵିଜାନାଂ ଅପସଦା ଯେ ଚାପଧ୍ଵଂସଜାଃ ସ୍ମୃତାଃ ।
ତେ ନିନ୍ଦିତୈର୍ଵର୍ତୟେୟୁର୍ଦ୍ଵିଜାନାଂ ଏଵ କର୍ମଭିଃ ॥୧୦.୪୬॥”

ଅତଃ ଏଥିକୁ କୁହାଯାଇପାରେ ଯେ ଵୈଵସ୍ଵତ ମନୁଙ୍କ ସମୟରେ ବି ଉଡ୍ରଜାତି ଥିଲା ସେଥିପାଇଁ ତ ମନୁ ଏ ଦେଶର ନାମ ପୌଣ୍ଡ୍ର ଓ ଦ୍ରାଵିଡ଼ ଦେଶ ସହିତ ଉଡ୍ରଜାତିର ନାଆଁ ଉଲ୍ଲେଖ କରିଛନ୍ତି ।‌

ପୁଣି ଉଡ୍ରଦେଶ ଓ ଜାତି ସମ୍ବନ୍ଧରେ ନୀଳକଣ୍ଠ ଦାସ ତାଙ୍କ ଖାରବେଳ ଗ୍ରନ୍ଥପ୍ରଵେଶରେ ଲେଖିଛନ୍ତି -“ଵର୍ତ୍ତମାନ ଆମ୍ଭେମାନେ ଯାହାକୁ ଓଡ଼ିଶା ବୋଲି କହୁ ଅଛୁଁ ତାହା ପ୍ରାଚୀନ କାଳରେ ତିନି ଗୋଟି ରାଜ୍ୟର ପ୍ରଧାନ ଅଂଶ ଥିଲା ।

(୧)ମେଦିନୀପୁର, ମୟୂରଭଞ୍ଜ, କେନ୍ଦୁଝର, ସିଂହଭୂମ ମାନଭୂମ ପ୍ରଭୃତି ଘେନି ମେଦିନୀପୁର ସମୁଦ୍ର କୂଳଠାରୁ ଗୟା ଜିଲ୍ଲା ପର୍ଯ୍ୟନ୍ତ ପ୍ରାଚୀନ ଉତ୍କଳ ଦେଶ
(୨)ଵର୍ତ୍ତମାନ ଓଡ଼ିଶାର ମହାନଦୀର ଦକ୍ଷିଣ ଗଡ଼ଜାତମାନ ଢେଙ୍କାନାଳ, ଅନୁଗୁଳ, ହିନ୍ଦୋଳ, ସମ୍ବଲପୁର ଓ ରାୟପୁର ପ୍ରଭୃତି ଘେନି ପ୍ରାଚୀନ ଉଡ଼ ଦେଶ; ଏଠାରେ ବହୁକାଳ ଵ୍ୟାଘ୍ର ରାଜବଂଶ ରାଜପଣ କରୁଥିଲେ।
(୩)ବାଲେଶ୍ୱର,କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାମାନଙ୍କୁ ଘେନି ଅତି ପ୍ରାଚୀନ କଳିଙ୍ଗ ଦେଶ।

ତେବେ ନୀଳକଣ୍ଠଙ୍କ ଅନୁସାରେ ଆଗେ ଯଦି ଢେଙ୍କାନାଳ ଅନୁଗୁଳ ରାୟପୁର ଓ ସମ୍ବଲପୁର ଆଦି ଗଡ଼ଜାତ ଅଞ୍ଚଳରେ ପ୍ରାଚୀନ ଓଡ଼ଦେଶ ଥିଲା ତାହେଲେ ପ୍ରଶ୍ନ ଆସେ; ପ୍ରାଚୀନ ଓଡି଼ଶାର ସମୁଦ୍ର ଉପକୂଳସ୍ଥ ଗୋଲରା, ମରିଚପୁର, ହରିଶପୁର, ବିଷୁନପୁର, କୁଜଙ୍ଗ, ପାରାଦେଇ ପୁର (ପାରାଦୀପ), ଆଳି ଓ କନିକା ଏହି ଆଠଟି ରାଜ୍ୟର ପ୍ରାଚୀନ ନାମ ମଧ୍ୟ ଓଡ଼ରାଷ୍ଟ୍ର(ଵା ଉଡ୍ରଵିଷୟ) କେମିତି ହେଲା ? 

କୃପାସିନ୍ଧୁ ମିଶ୍ରଙ୍କ ଉତ୍କଳ ଇତିହାସ ପୁସ୍ତକରେ ଏ ପ୍ରଶ୍ନର ଉତ୍ତର ଦେଵାକୁ ଯାଇ କୁହାଯାଇଛି ଯେ ଆଗେ “ଓଡ୍ର ନାମରେ ଏକ ଆର୍ଯ୍ୟ ଜାତି ପ୍ରାଚୀନ କାଳରୁ ଆସି କଳିଙ୍ଗର ପଶ୍ଚିମ ପ୍ରାନ୍ତରେ ବାସ କରୁଥିଲେ(ଗଡ଼ଜାତ ଓଡ଼ିଶା) ଏଵଂ ମନୁସଂହିତାରେ ଏମାନଙ୍କୁ ପତିତ କ୍ଷତ୍ରିୟ ବୋଲି କୁହା ଯାଇ ଅଛି। ପରେ ପୁଣି ନୂତନ ଆର୍ଯ୍ୟମାନେ ଆସି ଓଡ୍ରମାନଙ୍କୁ ଗଞ୍ଜାମ, ବିଶାଖାପାଟଣା, ଜୟପୁର ଓ ବସ୍ତର ଆଦି ପାର୍ଵତୀୟ ଅଞ୍ଚଳକୁ ତଡ଼ି ଦେଲେ । ବହୁକାଳ ପରେ ସେହି ସବୁ ଅଞ୍ଚଳକୁ 'ଓଡ଼ବାଦି' ବା 'ଓଡ୍ରଦେଶ' କୁହାଗଲା। ଵର୍ତ୍ତମାନ ଜୟପୁର ଅଞ୍ଚଳର ପାଇକମାନଙ୍କୁ 'ଓଡ଼' ବୋଲି କହନ୍ତି। ଗଙ୍ଗବଂଶର ରାଜତ୍ୱକାଳରେ ଏହି ଓଡ଼ମାନେ ଉତ୍କଳରାଜାଙ୍କ ସେନାଭୁକ୍ତହୋଇ ଖୋରଧା ପ୍ରଭୃତି ଅଞ୍ଚଳରେ ଵାସ କଲେ। ମୁସଲମାନମାନେ ଯେଉଁ ସୈନ୍ୟଙ୍କ ସଙ୍ଗେ 300 ଵର୍ଷ ପର୍ଯ୍ୟନ୍ତ ଯୁଦ୍ଧ କରି ଵାରମ୍ବାର ପରାସ୍ତ ହୋଇ ଫେରୁଥିଲେ ସେମାନେ ସାଧାରଣତଃ 'ଓଡ଼' ଥିଵାରୁ ସେମାନଙ୍କ ନାମାନୁସାରେ ମୁସଲମାନମାନେ କଳିଙ୍ଗ ଵା ଉତ୍କଳକୁ ଓଡ଼ିଶା ନାମ ଦେଲେ। ଖୋରଧାରେ ଓଡ଼ ପାଇକମାନେ ବହୁ ସଂଖ୍ୟାରେ ଵାସ କରି ରହିଥିଵାରୁ ଖୋରଧା ଅଦ୍ୟାପି ଲୋକମୁଖରେ ଓଡ଼ିଶାନାମରେ ପରିଚିତ।” 

ଜଗବନ୍ଧୁ ସିଂ ପ୍ରାଚୀନଉତ୍କଳରେ ଓଡ଼ିଶା ନାମକରଣ ସମ୍ବନ୍ଧରେ ଲେଖିଛନ୍ତି : “ତ୍ରିବିଡ଼ରୁ ପ୍ରାପ୍ତ ମତ୍ସ୍ୟବଂଶୀୟ ରାଜା ଅର୍ଜୁନଙ୍କ ତାମ୍ରଶାସନରୁ ଜଣାଯାଏ ଯେ ତଦାନୀନ୍ତନ ଉତ୍କଳର ରାଜା ତାଙ୍କର ଏକମାତ୍ର କନ୍ୟା ପଦ୍ମାଵତୀଙ୍କୁ ମୃତ୍ୟୁମାର୍ତ୍ତଣ୍ଡଙ୍କ ସହ ବିବାହ ଦେଇଥିଲେ ଏବଂ ଜାମାତାଙ୍କୁ 'ଉଡ଼ବାଡ଼ି' ଵା 'ଉଡ଼ଦେଶ' ନାମକ ଅଞ୍ଚଳର ରାଜା କରାଇଥିଲେ। ଉତ୍କଳର ରାଜା ଅପୁତ୍ରିକ ହୋଇ ମଲା ପରେ ସତ୍ୟ ମାର୍ତ୍ତଣ୍ଡ ଉତ୍କଳମଣ୍ଡଳର ଶାସନକର୍ତ୍ତା ହେଲେ। 'ଉତ୍କଳ' ଓ 'ଉଡ଼ବାଡ଼ି' ମଣ୍ଡଳ ଓଡ଼ିଶା ନାମରେ କଥିତ ହେଲା।”

ଆଜି ଓଡ଼ିଶାର ଦକ୍ଷିଣ ଭାଗରେ କୁପିଆ,କୋଟିଆ ଵା ଦେଶିଆ ଓ ରେଲି; ପଶ୍ଚିମ ଭାଗରେ ଭତ୍ରୀ,ହଲବୀ ଓ ଭୁୟାଁ ଓ ଉତ୍ତର ଭାଗରେ ବାଥୁଡ଼ି ଭଳି ଓଡ଼ିଆ ଜନଜାତିମାନ ଵସଵାସ କରୁଛନ୍ତି। ଏହି ଆର୍ଯ୍ୟଭାଷୀ ଜନଜାତୀୟ ଲୋକଙ୍କୁ ପ୍ରାଚୀନ ଉଡ୍ରଜାତୀୟ ଲୋକଙ୍କ ଵର୍ତ୍ତମାନ ବଂଶଧର ବୋଲି ଵିଵେଚନା କରାଯାଇପାରେ। ସେହିପରି ଓଡ଼ିଶାର ଉପକୂଳରେ ଵାସ କରୁଥିଵା ଓଡ଼ଚଷାମାନେ ପ୍ରାଚୀନ ଉଡ୍ରଜାତିର ଵର୍ତ୍ତମାନ ବଂଶଧର । ତେଣୁ ହୁଏତ ପ୍ରାଚୀନ କାଳରେ ଏହିପରି ଗୋଟିଏ ଓଡ଼ ଗୋଷ୍ଠୀ ଉପକୂଳରେ ରାଜ୍ୟ କରିଥିଵ ଓ ତାହାର ନାମ ଓଡ଼ଵିଷୟ ଦେଇଥିଵ । 

ଯୋଉ ଉଡ୍ର ଜାତି ନାମରେ ଓଡ଼ିଆ ଭାଷା ତଥା ଓଡ଼ିଶାର ନାମକରଣ ହୋଇଥିଲା ଏ ଜାତି ଏକ ପ୍ରାଚୀନ ଭାରତୀୟ ଜାତି ଏଵଂ ଏମାନେ ମୂଳତଃ ଗଡ଼ଜାତର ଵାସିନ୍ଦା ଥିଲେ । ତେବେ ଚାଷ ଯୋଗୁଁ ପରଵର୍ତ୍ତୀ କାଳରେ ଏହି ଜାତିଟି ମହାନଦୀ କୂଳେ କୂଳେ ନିଜର ଆଧିପତ୍ୟ ଵିସ୍ତାର କରି କ୍ରମଶଃ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ଵ୍ୟାପିଥିଲା ‌। 


ଅନେକେ ସଂସ୍କୃତ ଭାଷାର ଉଡ଼୍ର ନାମରୁ ଓଡ଼ ହୋଇଛି ବୋଲି ମତ ପୋଷଣ କରିଥାନ୍ତି କିନ୍ତୁ ପ୍ରକୃତରେ ଏହି ଓଡ଼ ଶବ୍ଦଟି ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଅଟେ । ଅତି ପ୍ରାଚୀନ କାଳରେ ମୂଳ ଦ୍ରାଵିଡ଼ ଭାଷାରେ *uẓV ବୋଲି ଗୋଟିଏ ଶବ୍ଦ To plough ଵା ହଳ କରିଵା(ଅଥଵା ଚଷିଵା) ଅର୍ଥରେ ପ୍ରୟୋଗ ହେଉଥିଲା । ଏହି ମୂଳ ଶବ୍ଦରୁ ତାମିଳ଼ରେ உழவு (uḻavu) ଓ உழு (uḻu) ,କୋଲାମି ଭାଷାରେ ఉర్ర (urra),ମଳୟାଳ଼ମ ଭାଷାରେ ഉഴുക (uḻuka) , କନ୍ନଡ଼ ଭାଷାରେ ಉೞ್ (ul̤.) ଓ ಉತ್(ut),ତୁଲୁ ଭାଷାରେ ಉರ(ura), ତେଲୁଗୁ ଭାଷାରେ ದುನ್ನು(ଦୁନ୍ନୁ), ଗଦଵାରେ ūḍ,ଗୋଣ୍ଡୀ ଭାଷାରେ uḍ ଓ uṛ,ନାଇକୀ ଭାଷାରେ ur,କୋଣ୍ଡା ଭାଷାରେ ṛū(-t-) ,ପେଙ୍ଗୁ ଭାଷାରେ ṛū- (-t-),ମାଣ୍ଡା ଭାଷାରେ ṛū,ପାରେଙ୍ଗା ଭାଷାରେ uṛ-,କୁରଖ ଭାଷାରେ uinā/uynā (ussas) ,କୁଈ ଭାଷାରେ ṛūva (ṛūt- ହଳକରିଵା) ,ūṛa (ūṛi-/ଖୋଳିଵା ଓ ଚେର ଓପାଡ଼ିଵା) ଓ କୁୱି ଭାଷାରେ ruiyali (rū-) lūnai,ṛū-(-t-) ତଥା ṛuki ଆଦି ଶବ୍ଦ ସୃଷ୍ଟି ହୋଇଛି । ଓଡ଼ିଆ ଭାଷାରେ ପ୍ରଚଳିତ ଉଡ଼ୁଚାଷ,ଓଡ଼ିଵା(ଏକ ଓଡ଼ ଚାଷ କରିଵା),ଓଡ଼ ପକାଇଵା(କ୍ଷେତରେ ଏକଥର ମାତ୍ର ହଳ ବୁଲାଇଵା),ଓଡ଼ଦେଵା(ଭୂମିକୁ ଥରେ ହଳ ଦ୍ୱାରା ଚଷିଵା) ଓ ଓରଦା କରିଵା(ଧାନ ରୋଇଵା ନିମନ୍ତେ କ୍ଷେତକୁ କାଦୁଆ ଚାଷ କରି ଵପନ ଵା ରୋପଣୋପଯୋଗୀ କରିଵା) ଆଦି ଶବ୍ଦ ମଧ୍ୟ ଦ୍ରାଵିଡ଼ ମୂଳର ଶବ୍ଦ ଅଟେ । 

ତେବେ ଏସବୁ ପଢ଼ି ଅନେକେ ପ୍ରଶ୍ନ କରିବେ ଯଦି ଓଡ଼ ଶବ୍ଦଟି ଦ୍ରାଵିଡ଼ ଭାଷା ମୂଳର ତାହେଲେ ଓଡ଼ ଲୋକଙ୍କୁ ଵା ଉଡ୍ରଦେଶର ଲୋକଙ୍କୁ କାହିଁକି ଓଡ଼ କୁହାଗଲା ? 

ଆମେ ସମସ୍ତେ ଜାଣନ୍ତି ଯେ ଓଡ଼ିଶାରେ କନ୍ଧ ଓ ଗଣ୍ଡ ଆଦି ଅନେକ ପ୍ରାଚୀନ ଦ୍ରାଵିଡ଼ ଜାତି ରୁହନ୍ତି। ସଉରା ଓ ମୁଣ୍ଡା ଭଳି ଆଷ୍ଟ୍ରୋଏସୀୟ ଜାତି ବି ଏଇ ଓଡ଼ିଶାର ପ୍ରାଚୀନ ଅଧିଵାସୀ । ସେମାନଙ୍କ ସହିତ ଆଗେ ପାର୍ଵତ୍ୟାଞ୍ଚଳରେ ଗୋଟିଏ ଭାରୋପୀୟ ଜାତି ମଧ୍ୟ ରହୁଥିଲା । ଏହି ପ୍ରାଚୀନ ଭାରୋପୀୟ ଜାତିଟି କ୍ରମେ ପର୍ଵତରେ ଓ ଏହାର ପାଦଦେଶରେ ଚାଷଵାସ ଆରମ୍ଭ କରିଥିଲା । ସେହି ପ୍ରାରମ୍ଭିକ କାଳର ପାର୍ଵତ୍ୟ ଚାଷର ଆଧୁନିକ ରୂପକୁ ଆଜି ଲୋକେ ଉଡ଼ୁଚାଷ କୁହନ୍ତି । ଏ ଜାତିଟି ଚାଷକାର୍ଯ୍ୟରେ ଏତେ ଧୁରନ୍ଧର ହେଲା ଓ ପର୍ଵତରୁ ଓହ୍ଲାଇ ନଦୀକୂଳରେ ଘରବାଡ଼ି କରି ସଭ୍ୟତା ଗଢ଼ି ଵ୍ୟାପିଗଲା ଯେ କନ୍ଧ ଓ ଗଣ୍ଡମାନେ ଏହି ଜାତିକୁ ଓଡ଼ ନାଆଁ ଦେଇଥିଲେ । କ୍ରମେ ଗଡ଼ଜାତ ପାର୍ଵତ୍ୟାଞ୍ଚଳରେ ଥିଵା ମହାନଦୀ ଓ ଏହାର ଶାଖାନଦୀ କୂଳରେ ଏହି ଚଷାଜାତି ଓଡ଼ମାନେ ଆଧିପତ୍ୟ ଵିସ୍ତାର କଲେ ଏଵଂ ଏହିପରି ଭାବେ ଗଡ଼ଜାତରେ ପ୍ରଥମେ ଓଡ଼ଦେଶର ସ୍ଥାପନା ହୋଇଥିଲା । ଓଡ଼ିଶାର ପଶ୍ଚିମ ସୀମାରେ ରହି ଵୈଦେଶିକ ଶକ୍ତି ସହିତ ନାନା ସଂଘର୍ଷ କରି ଏ ଜାତି କ୍ରମଶଃ ଲୋକପ୍ରିୟ ହେଲା । ପରେ ଓଡ଼ମାନେ ଦକ୍ଷିଣରେ ଗଞ୍ଜାମଠାରୁ ଉତ୍ତରରେ ବାଲେଶ୍ୱର ଓ ତାମ୍ରଲିପ୍ତି ପର୍ଯ୍ୟନ୍ତ ଵ୍ୟାପିଗଲେ । ସର୍ଵଭାରତୀୟ ସ୍ତରରେ ଓଡ଼ମାନେ ନିଜର ଚାଷ ଓ ଵୀରତ୍ବ ପାଇଁ ଜଣାଶୁଣା ହେଵାରୁ ଭାରତର ତତ୍କାଳୀନ ପଣ୍ଡିତମାନେ ଓଡ଼ମାନଙ୍କର ଏକ ସଂସ୍କୃତ ଶାସ୍ତ୍ରୀୟ ନାମ ସୃଷ୍ଟି କରିଵାକୁ ମନ ବଳାଇଲେ । ଦ୍ରାଵିଡ଼ ମୂଳର ଓଡ଼ ଶବ୍ଦକୁ ସଂସ୍କୃତ ଭାଷାର ନିଆରା ଓ ଵୈଜ୍ଞାନିକ ନିରୁକ୍ତ ପ୍ରଣାଳୀ ଦ୍ଵାରା ଧାତୁ ପ୍ରତ୍ୟୟ ପ୍ରୟୋଗ କରି ଉଡ୍ର ରୂପେ ନିଷ୍ପନ୍ନ କରାଗଲା । ସଂସ୍କୃତ ଭାଷାରେ ଉଡ୍ ଧାତୁରୁ ନାଶ କରିଵା ଓ ସ୍ତୁତି କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।‌ ସମ୍ଭଵତଃ ପଣ୍ଡିତମାନେ ଉଡ୍ରମାନଙ୍କ ବୀରତ୍ୱ ସହିତ ପରିଚିତ ଥିବେ ସେଥିପାଇଁ ସେମାନେ ସଂସ୍କୃତ ଭାଷାରେ ଉଡ୍ ଧାତୁରୁ ସ୍ତୁତି କରିଵା କିମ୍ବା ନାଶ କରିଵା ଅର୍ଥରେ ଉଡ୍ର ଶବ୍ଦ ନିଷ୍ପନ୍ନ କରିଅଛନ୍ତି ।‌
ଯେଉଁ ଓଡ଼ ଜାତି ଶତ୍ରୁ ନାଶନ ପାଇଁ ଖ୍ୟାତ ଥିଲା ଯେଉଁ ଓଡ଼ ଜାତି ଆଗରେ ମଥା ନୁଆଇଁ ପ୍ରତ୍ୟେକ ଆକ୍ରାନ୍ତା ସ୍ତୁତି କରିଵାକୁ ବାଧ୍ୟ ହୋଇଛି ଏହି ସେଇ ଓଡ଼ ଜାତି ଯାହାର ନାମାନୁସାରେ ଓଡ଼ିଆ ଭାଷା, ଓଡ଼ିଆ ଜାତି ତଥା ଓଡ଼ିଶା ଦେଶର ନାମକରଣ ହୋଇଅଛି । 

 ••••••••••••••••••••••••••••••••••••••••
ତଥ୍ୟ ଉତ୍ସ:-
(୧) ପୂର୍ଣ୍ଣଚନ୍ଦ୍ର ଭାଷାକୋଷ: ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ 
(୨)History of Orissa,Vol.I, p.75: Dr. N. K. Sahu
(୩)A Dravidian etymological dictionary: T. Burrow ଓ M. B. Emeneau
(୪) ଉତ୍କଳ ଇତିହାସ: କୃପାସିନ୍ଧୁ ମିଶ୍ର
(୫) ପ୍ରାଚୀନ ଉତ୍କଳ: ଜଗବନ୍ଧୁ ସିଂ 
••••••••••••••••••••••••••••••••••••••••••

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...