ପଲ୍ବଳ ଗୋଟିଏ ନିରୋଳ ଶାସ୍ତ୍ରୀୟ ଭାରତୀୟ ଶବ୍ଦ ତେବେ ଅନେକେ ହୁଏତ ଏ ଶବ୍ଦ ସମ୍ବନ୍ଧରେ ସେତେଟା ଜାଣିନଥିବେ । ଅଵଶ୍ୟ ଛୋଟବେଳୁ ହିଁ ଆମେ ଓଡି଼ଆମାନେ 'ପଲ୍ବଳ' ଶବ୍ଦ ସହିତ ପରିଚିତ ହୋଇଯାଆନ୍ତି କିନ୍ତୁ ଏ ଶବ୍ଦଟିର ଵ୍ୟଵହାର କଥିତ ଭାଷାରେ କି ଲିଖିତ ଭାଷାରେ ସେତେ ନଥିଵାରୁ ଆମେ ଏହାକୁ ପରେ ପରେ ପୋଶୋରି ଦିଅନ୍ତି ।
ଆମେ ଓଡ଼ିଆମାନେ ଛୋଟବେଳୁ କେମିତି ପଲ୍ବଳ ଶବ୍ଦ ସହିତ ପରିଚିତ ହୁଅନ୍ତି କେହି କେହି ପଚାରି ପାରନ୍ତି। ତେବେ ଅନେକଙ୍କର ହୁଏତ ଆଜି ବି ମନେ ଥିଵ ଯେ ଵର୍ଣ୍ଣବୋଧରେ 'ଵ ଫଳା' ପାଇଁ “ସ୍ୱଭାଵ,ଉଦ୍ୱେଗ,ଈଶ୍ୱର,ନିଃଶ୍ୱାସ,ସମ୍ବଳ,ଗହ୍ୱର, ଵିହ୍ୱଳ,ରାଜତ୍ୱ,ଆଶ୍ୱିନ,ପଲ୍ୱଳ,ଆହ୍ୱାନ,ତେଜସ୍ୱୀ, ,ତପସ୍ୱୀ,ସତ୍ୱର ଓ ଅନ୍ୱେଷଣ ଆଦି ଶବ୍ଦର ଉଦାହରଣ ରହୁଥିଲା। ତେଣୁ ଛୋଟବେଳେ ଵର୍ଣ୍ଣବୋଧ ପଢ଼ିଥିଵା ଲୋକଙ୍କ ମଧ୍ୟରେ କେହି କେହି ଏବେ ବି ହୁଏତ ପଲ୍ବଳ ଶବ୍ଦଟିକୁ ମନେ ରଖିଥିବେ । ପ୍ରକୃତରେ କ୍ଷୁଦ୍ର ଜଳାଧାର,ଡୋବା ଵା ଚୁଆକୁ ସଂସ୍କୃତ ଭାଷାରେ ପଲ୍ବଳ କୁହନ୍ତି । ଏ ଶବ୍ଦ ବହୁତ ପ୍ରାଚୀନ।
ମହାଭାରତରେ ପଲ୍ଵଳ ଶବ୍ଦ ପ୍ରୟୋଗ ହୋଇଥିଵା କଥା କଳ୍ପଦ୍ରୁମରେ ଉଲ୍ଲେଖ ଅଛି । ଯଥା :
“ପଲ୍ଵଳାନି ଚ ସର୍ଵ୍ଵାନି ସର୍ଵ୍ଵେ ଚୈଵ ତୃଣୋପଳାଃ ।
ସ୍ଥାଵରଂ ଜଙ୍ଗମଞ୍ଚୈଵ ନିଃଶେଷଂ କୁରୁତେ ଜଗତ୍ ॥”
ସଂସ୍କୃତ କଳ୍ପଦ୍ରୁମରେ ଏହି ଶବ୍ଦର ନିରୁକ୍ତି ଲେଖାଅଛି “ପଳତି ଗଚ୍ଛତି ପିବତ୍ଯସ୍ମିନ୍ ଵା ।ପଳ ଗତୌ ପା ପାନେ ଵା +“ସାନସିଵର୍ଣ୍ଣସିପର୍ଣ୍ଣସୀତି ।” ଉଣାଂ । ୪ । ୧୦୭ । ଇତି ନିପାତନାତ୍ଵଳଚ୍ ପ୍ରତ୍ଯୟେନ ସିଦ୍ଧମ୍” ।
ପଲ୍ ଧାତୁରୁ ଯିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ ତେଣୁ ଯେଉଁଠାକୁ ଗୋମେଷାଦି ପାଣି ପିଇଵାକୁ ଯାଆନ୍ତି ତାହା ପଲ୍ଵଳ ଅଟେ । ଭାଵପ୍ରକାଶ ଗ୍ରନ୍ଥରେ 'ପଲ୍ବଳ'ର ଲକ୍ଷଣ(ଅର୍ଥ) ଏମନ୍ତ ଉଲ୍ଲେଖ କରାଯାଇଛି -“ଅଳ୍ପଂ ସରଃ ପଲ୍ଵଳଂ ସ୍ଯାଦ୍ଯତ୍ର ଚନ୍ଦ୍ରର୍କ୍ଷ୍ୟଗେ ରଵୌ । ନ ତିଷ୍ଠତି ଜଳଂ କିଞ୍ଚିତ୍ତତ୍ରତ୍ଯଂ ଵାରି ପାଲ୍ଵଳମ୍ ॥” ସେହିପରି ପଲ୍ବଳର ଗୁଣ ଲେଖାଅଛି “ପାଲ୍ଵଳଂ ଵାର୍ଯ୍ଯଭିଷ୍ଯନ୍ଦି ଗୁରୁ ସ୍ଵାଦୁ ତ୍ରିଦୋଷକୃତ୍ ॥”
ଓଡ଼ିଆ ସାହିତ୍ୟରେ ପଲ୍ଵଳ ଶବ୍ଦର ପ୍ରୟୋଗ ନୂଆ ନୁହେଁ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି ।
କଵି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାଵ୍ୟରେ ପଲ୍ଵଳ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି...
“ରଞ୍ଜକ ଖ୍ୟାତ ନଳୀ ଅଛି ଯୋଖି ।
ମନୋହର ନାଭି ପଲ୍ୱଳ ଦେଖି॥”
ସେହିପରି ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର କରି ଭଞ୍ଜକଵି ପଦେ ରଚିଛନ୍ତି
“ବନ୍ଧାଇ ହୋଇ ସୁଗ୍ରୀଵେ ମିତ୍ର ବଳ ସାଜି ।
ଵାରିଧି ପଲ୍ୱଳ ଡେଇଁ ଆସିଛି ମୁଁ ଖୋଜି ଯେ ॥”
(ହନୁମାନ ରାବଣକୁ କହିଲା "ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ମିତ୍ରତା ସୂତ୍ରରେ ବନ୍ଧନ ହେବାରୁ ମିତ୍ର ସୁଗ୍ରୀବ ସୈନ୍ୟ ସଜ୍ଜିତ କରୁଅଛନ୍ତି । ମୁଁ ସମୁଦ୍ରକୁ କ୍ଷୁଦ୍ର ପୁଷ୍କରିଣୀ ପରି ଡେଇଁ ସୀତାଙ୍କୁ ଖୋଜିବାକୁ ଆସିଅଛି ।" )
ନାରାୟଣ ଵିପ୍ରଙ୍କ ଵିରଚିତ ପଦ୍ମପୁରାଣରେ ମଧ୍ୟ ପଲ୍ଵଳ ଶବ୍ଦ ପ୍ରୟୋଗ କରାଯାଇଥିଵା ଜଣାଯାଏ।
“ହାୟନ ଯୁଗ ଆଦି ଯେତେ । ପୂର୍ଵାନୁକ୍ରମେ ଏ ଜଗତେ।।
ନଦୀ ସାଗର ବାମ୍ଫୀ ସର । ପଲ୍ୱଳ ହ୍ରଦ ଯେ ନିର୍ଝର।।
ଵୃକ୍ଷ ବଲ୍ଲରୀ ମନୌଷଧି । ଗିରି ନଗର ଗ୍ରାମ ଆଦି।।
ଏମାନେ ସ୍ଵାମୀ ଗୁଣେ ଯୁତ। ହୁଅନ୍ତି ସର୍ଵଦା ପୂଜିତ।।”
(ନାରାୟଣ ଵିପ୍ର କୃତ ପଦ୍ମପୁରାଣ)
ତେଣୁ ହଁ କଥିତ ଓଡ଼ିଆ ଭାଷାରେ ସେତେଟା ଵ୍ୟଵହାର ହେଉନଥିଲେ ବି ଓଡ଼ିଆ ଲିଖିତ ସାହିତ୍ୟରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି । ଆଜି ବି ଅନେକ କଵି ପଲ୍ଵଳ ଶବ୍ଦ ପ୍ରୟୋଗ କରୁଅଛନ୍ତି ।
ତେବେ ଭାରତଵର୍ଷର କେତେକ ଇଣ୍ଡିକ୍ ଭାଷାରେ ପଲ୍ଵଳ ଶବ୍ଦ ମୂଳରୁ ଅନେକ ଦେଶଜ ଶବ୍ଦ ବି ସୃଷ୍ଟି ହୋଇଛି ।
ପାଲିରେ ପଲ୍ଵଳ ଶବ୍ଦ pallala ହୋଇ ଚଳୁଥିଲାବେଳେ
ପ୍ରାକୃତରେ ତାହା 𑀧𑀮𑁆𑀮𑀮 (pallala) ହୋଇଥିଲା । ଏଥିରେ ଜଣାଯାଏ ଯେ ଆଗେ ପଲ୍ଵଳ ଶବ୍ଦଟି ତତ୍କାଳୀନ ଵିଭିନ୍ନ କଥିତ ଇଣ୍ଡିକ୍ ଭାଷାରେ ବି ନାନା ରୂପ ଘେନି ଚଳୁଥିଲା । ପରଵର୍ତ୍ତୀ କାଳରେ ପ୍ରାକୃତ ଓ ପାଲି ଭାଷା ଦେଇ ଏହି ପଲ୍ବଳ ଶବ୍ଦ ମୂଳର pallala ଓ 𑀧𑀮𑁆𑀮𑀮 (pallala) କ୍ରମେ ଧିଵେହୀ ଭାଷାରେ(ମାଳଦ୍ଵୀପ) ފަޅު
(faḷu) ଓ ସିଂହଳୀ ଭାଷାରେ පල්ලල (pallala) ହୋଇଅଛି । ଏପଟେ ସିନ୍ଧୀ ଭାଷାରେ ବି ପ୍ରାକୃତ ଭାଷା ଦେଇ پَلهَرُ ପଲ୍ହରୁ ଶବ୍ଦ ସୃଷ୍ଟି ହୋଇଛି ।
କିନ୍ତୁ ପଲ୍ଵଳ ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥିଵା ସଗୋତ୍ରୀୟ ଶବ୍ଦ Balto-Slavic ଭାଷା ଲିଥୁଆନିଆ ଓ ଲାଟଵିଅନ୍ ଭାଷା,ଇଟାଲିକ୍ ଭାଷା ଲାଟିନ ଓ Hellenic ଭାଷା ଗ୍ରୀକ୍ରେ ବି ରହିଥିଵାର ଆଧୁନିକ ଭାଷାଵିଜ୍ଞାନୀମାନେ ପ୍ରମାଣ କରିଛନ୍ତି ।
ମୂଳ ଭାରୋପୀୟ ଭାଷାରେ*pelH ବୋଲି ଗୋଟିଏ ଶବ୍ଦ ପ୍ରଥମେ ଖଦିର,ଧୂସର,ପାଉଁଶିଆ ଵା Gray ଅର୍ଥରେ ପ୍ରୟୋଗ ହେଉଥିଲା । ପରେ ଏ ଶବ୍ଦ କ୍ଷେତ୍ରରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ତାହା swamp ଵା ଜଳାଭୂମି,marsh ଓ puddle ଆଦି ନାନା ଅର୍ଥରେ ଵିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ରୂପରେ ଚଳିଵାକୁ ଲାଗିଲା । ଯେହେତୁ ଜଳାଭୂମି,ଛୋଟ ଗାଡ଼,ଡୋବା,ଚୁଆ ଓ କ୍ଷୁଦ୍ର ଜଳାଶୟ ଦୂରରୁ ଦେଖିଲେ ଖଦିର,ଧୂସର ଵା ପାଉଁଶିଆ ରଙ୍ଗର ଦେଖାଯାଇଥାଏ ତେଣୁ ହୁଏତ ମୂଳ ଭାରୋପୀୟ ଶବ୍ଦ *pelH କ୍ଷେତ୍ରରେ ଏଭଳି ଶବ୍ଦାର୍ଥ ପରିଵର୍ତ୍ତନ ସମ୍ଭଵ ହୋଇଥାଇପାରେ । ଆଜି ବି ଇଂରାଜୀ ଭାଷାରେ ଵ୍ୟଵହୃତ ହେଉଥିଵା Pale ଶବ୍ଦଟି ଏହି ମୂଳ ଶବ୍ଦରୁ ସୃଷ୍ଟି ହୋଇଛି । ସେହିପରି ପ୍ରାଚୀନ ଗ୍ରୀକରେ ଏହି ମୂଳ ଶବ୍ଦରୁ πηλός(pēlós) ଶବ୍ଦ ସୃଷ୍ଟି ହୋଇ ମୃତ୍ତିକା ଓ କର୍ଦ୍ଦମ ଆଦି ଅର୍ଥରେ ଚଳୁଥିଲା । ଲିଥୁଆନିଆର pelkė (“marsh”) ଓ ଲାଟଵିଅନର peļķe (“puddle”) ଶବ୍ଦ ମଧ୍ୟ ଏହି ମୂଳରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଜ୍ଞାନୀମାନେ ମତ ଦିଅନ୍ତି । ଲାଟିନ ଭାଷାର palūs ଓ palūdis ଇତ୍ୟାଦି ଶବ୍ଦ ବି ଏହି ମୂଳରୁ ସୃଷ୍ଟି ହୋଇଥିଲା ଏଵଂ ଜଳାଭୂମି,ଡୋବା,ଚୁଆ ଓ ଜଳାଶୟ ଇତ୍ୟାଦି ଅର୍ଥରେ ଚଳୁଥିଲା । କିନ୍ତୁ ପ୍ରଶ୍ନ ଆସେ ଯଦି ମୂଳ ଭାରୋପୀୟ ଭାଷାରେ ଆଗେ ପଲ୍ଵଳ ଶବ୍ଦର ମୂଳ ରୂପ *pelH ଶବ୍ଦଟିର ଅର୍ଥ ଧୂସର,ପାଣ୍ଡୁର ଓ ଖଦିର ଥିଲା ଏଵଂ ପରେ ସେହି ଶବ୍ଦରୁ ଇଂରାଜୀ ଭାଷାରେ Pale ଶବ୍ଦ ସୃଷ୍ଟି ହୋଇଛି ତାହେଲେ କ'ଣ ଭାରତରେ ବି କ୍ଷୁଦ୍ର ଜଳଧାରା ଵା ଡୋବା ଇତ୍ୟାଦି ଅର୍ଥଜ ପଲ୍ଵଳ ଶବ୍ଦ ଛଡ଼ା ଅନ୍ୟ କୌଣସି ଶବ୍ଦ ଥିଲା ?
Sir. Ralph Lilley Turnerଙ୍କ ଆର୍ଯ୍ୟଭାଷା ଵ୍ୟୁତ୍ପତ୍ତି କୋଷ A comparative dictionary of Indo-Aryan languagesର ୭୯୭୪ ତଥା ୭୯୭୫ତମ ପୃଷ୍ଠାରେ କୁହାଯାଇଛି ଯେ ହଁ ଆଗେ ଭାରତରେ ମଧ୍ୟ
†*paluva(୰ପଲୁଵ),*palva(ପଲ୍ଵ) ଓ *palvara(ପଲ୍ଵର) ଭଳି ଶବ୍ଦ ଧୂସର,ପାଣ୍ଡୁର ଓ ଖଦିର ଅର୍ଥରେ ଚଳୁଥିଲା। ସେଥିପାଇଁ ତ ଆଜି ବି ସିଂହଳୀରେ Pulu(Grey hair),ପାହାଡ଼ୀ ଶୈଳୀ ଭାଲେଶୀରେ pallrā̃(Grey hair) ଓ ଭଦ୍ରଵାହୀରେ pallar(Grey hair) ଆଦି ଶବ୍ଦ ଚଳୁଅଛି ବୋଲି ରାଲ୍ଫ ଟର୍ନରଙ୍କ ଵ୍ୟୁତ୍ପତ୍ତିକୋଷରୁ ଜଣାଯାଏ ।
ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ସଂସ୍କୃତ ଏମିତି ଏକ ଭାଷା ଯହିଁର ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଶବ୍ଦର ସଗୋତ୍ରୀୟ ସମ୍ପର୍କ ତିନି ଵା ତତୋଽଧିକ ଭାରୋପୀୟ ଶାଖାର ଭାଷାରେ ପ୍ରଚଳିତ ଶବ୍ଦ ସହିତ ଥିଵା ଦୃଷ୍ଟିଗୋଚର ହୋଇଥାଏ । *pelH ଭଳି ଗୋଟିଏ ଗୋଟିଏ ପ୍ରାଚୀନ ମୂଳ ଶବ୍ଦରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ନାନା ଭରୋପୀୟ ଭାଷାରେ ଗୋଟିଏ ମୂଳ ଶବ୍ଦ ଭିନ୍ନ ଭିନ୍ନ ରୂପ ଧାରଣ କରି ଅନେକ ଅର୍ଥରେ ଚଳିଅଛି । ପୁଣି ଅନେକ ପ୍ରାଚୀନ ମୂଳ ଭାରୋପୀୟ ଶବ୍ଦ ମଧ୍ୟ ନିଜର ପ୍ରାଚୀନ ଅର୍ଥ ଓ ରୂପ ଘେନି ସଂସ୍କୃତ ଓ ପ୍ରାକୃତ ଆଦି ଭାଷାରେ ଚଳୁଥିଲା ତଥା ଏବେ ବି ତନ୍ମଧ୍ୟରେ କେତେକ ଚଳୁଅଛି । ଶେଷରେ ପଲ୍ଵଳ ଶବ୍ଦର ନିରୁକ୍ତି ଓ ଵ୍ୟୁତ୍ପତ୍ତି ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଦେଖି ଆମ୍ଭେମାନେ ଜାଣିଲେ ଯେ ଗୋଟିଏ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଓ ନିରୁକ୍ତି ଇତିହାସ କେମିତି ଭିନ୍ନ ଭିନ୍ନ ହୋଇପାରେ। ପ୍ରାଚୀନ ଭାରତୀୟ ଭାଷାଵିଦମାନେ ନିରୁକ୍ତି ବଳରେ ମୂଳ ଭାରୋପୀୟ ଶବ୍ଦଗୁଡ଼ିକୁ ଧାତୁ ପ୍ରତ୍ୟୟାଦି ଦ୍ଵାରା ସଂସ୍କୃତ କରିଥିଲେ, ଶୁଦ୍ଧ କରିଥିଲେ କିନ୍ତୁ ଉକ୍ତ ଶବ୍ଦଗୁଡ଼ିକର ଅନ୍ୟାନ୍ୟ ଭାରୋପୀୟ ଭାଷାରେ ସଗୋତ୍ରୀୟ ସମୋଦ୍ଧୃତ ଶବ୍ଦ ଆମକୁ ଜଣାଇ ଦିଏ ଯେ ସେ ଶବ୍ଦର ଇତିହାସ ଅତି ଗହନ ଓ ପ୍ରାଚୀନ ହୋଇପାରେ ।
No comments:
Post a Comment