୧୯୪୬ ମସିହା କଥା। ଦିଲ୍ଲୀଠାରୁ କିଛି କୋଶ ଦୂରରେ ଦକ୍ଷିଣ ପଶ୍ଚିମ ପଟେ ଗୋଟାଏ ଛୋଟ ଗାଆଁ ମହିପାଳପୁର। ସେହି ଗ୍ରାମରେ ରଘୁ ଚୌଧୁରୀ ନାଁରେ ଜଣେ ଵୃଦ୍ଧ ଚାଷୀ କଷ୍ଟେମଷ୍ଟେ ଜୀଵନ ନିର୍ଵାହ କରୁଥିଲେ। ଦାରିଦ୍ର୍ୟ ସତ୍ତ୍ୱେ ତାଙ୍କ ଜୀଵନରେ ଏକ ସମ୍ଵଳ ଥିଲା - ତାଙ୍କର ଏକମାତ୍ର ପୁଅ ମୋହନ।
ମୋହନ କେଵଳ ରୂପଵାନ ନୁହେଁ, ସେ ଥିଲା ବୁଦ୍ଧିମାନ ଓ ପରୋପକାରୀ। ଗାଁର ସମସ୍ତେ ତାହାର ପ୍ରଶଂସା କରୁଥିଲେ। "ଏ ପିଲା ଵଡ଼ ଉପକାରୀ," ଲୋକେ କହୁଥିଲେ, "ୟେ ସମସ୍ତଙ୍କୁ ସାହାଯ୍ୟ କରେ।" କିନ୍ତୁ ମୋହନର ଜୀଵନରେ ଏକ ଗୁପ୍ତ ପକ୍ଷ ମଧ୍ୟ ଥିଲା - ଦିନରେ ସେ ଗାଁ ଲୋକଙ୍କୁ ସାହାଯ୍ୟ କରୁଥିଲା, ଆଉ ରାତିରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଉଠାଵସା କରୁଥିଲା। ଇଂରେଜ ଶାସନକୁ ସେ ମନେ ମନେ ଘୃଣା କରୁଥିଲା।
ସେହି ଵର୍ଷ ଅଗଷ୍ଟ ମାସରେ କଲିକତା ସହରରେ ଭୀଷଣ ସାମ୍ପ୍ରଦାୟିକ ଦଙ୍ଗା ହେଲା। ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ରକ୍ତପାତ ହେଲା। ପାଖ ଗ୍ରାମର ସବୁଠୁ ଧନୀ ସାହୁକାର ଲାଲଚାନ୍ଦ ଶେଠ ଏହି ଖବର ବିବିସି ରେଡିଓ ଷ୍ଟେସନ୍ରୁ ଶୁଣି ବହୁତ କ୍ରୋଧିତ ହେଲେ। ସେ ପଠାଣମାନଙ୍କୁ ବହେ ଗାଳିଗୁଲଜ କରିଵାକୁ ଲାଗିଲେ, ମୁସଲମାନମାନଙ୍କ ଵିରୁଦ୍ଧରେ ଵିଷାକ୍ତ ମନ୍ତଵ୍ୟ ଦେଲେ।
ପଡ଼ୋଶୀ ଘରର ଜଣେ ଯୁଵକ ମୋଏନ୍ ଅଲି ଚୌଧୁରୀ ଏହି କଥା ଶୁଣି ବହୁତ କ୍ଷୁଵ୍ଧ ହେଲା। ଲାଲଚାନ୍ଦ ଶେଠଙ୍କ ଵିରୁଦ୍ଧରେ ତାହାର ମନରେ ପ୍ରତିଶୋଧର ଅଗ୍ନି ଜଳିଉଠିଲା। ସେ ଠିକ୍ କଲା, "ଏହି ଲୋକକୁ ଉପଯୁକ୍ତ ଶିକ୍ଷା ଦେଵାକୁ ହେଵ।"
କିଛି ଦିନ ପରେ ଗାଁରେ ଶୁଣାଗଲା ଯେ - ଲାଲଚାନ୍ଦ ଶେଠଙ୍କ ଘରରୁ ଗୋଟିଏ ରାତିରେ ଢେର ଟଙ୍କା ଓ ସୁନାରୂପା ଗହଣା ଇତ୍ୟାଦି କିଏ ସିନ୍ଦିଗାତ ଖୋଳି ଚୋରେଇ ନେଇଇଛି। ସକାଳୁ ଉଠି ଶେଠ ଦେଖିଲେ, ସିନ୍ଦୁକ ଖାଲି,ସୁନା ରୂପା ଗହଣା କି ଟଙ୍କା କିଛି ବି ନାହିଁ। ସେ ସିଧା ଥାନାକୁ ଦୌଡ଼ିଗଲେ।
ଥାନାର ଦାରୋଗା ଥିଲେ ଶ୍ୟାମ ଵର୍ମା - ଇଂରେଜ ସରକାରଙ୍କ ଵିଶ୍ୱସ୍ତ ଲୋକ। ଚମକୁଆ ୟୁନିଫର୍ମ, ହାତରେ ରୁଲ୍ ବାଡ଼ି, ମୁହଁରେ ଦାମ୍ଭିକତା। ଯେକେହି ତାଙ୍କୁ ଦେଖିଲେ ଶଙ୍କିଯିଵ । ଶ୍ୟାମ ଵର୍ମା ତଦନ୍ତ ଆରମ୍ଭ କଲେ। ଗ୍ରାମଵାସୀଙ୍କୁ ପଚରାଗଲା, ତଲାଶୀ ଚାଲିଲା। କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ପୋଲିସକୁ କୌଣସି ସୂତ୍ର ମିଳିଲା ନାହିଁ।
ଶେଷରେ ମୋଏନ୍ ଅଲି ଚୌଧୁରୀ ଉପରେ ସନ୍ଦେହ କରାଗଲା । ଲୋକେ କହିଲେ, "ସେହିଦିନ ଶେଠଙ୍କ ଘର ପାଖରେ ମୋଏନ୍ ଚୌଧୁରୀକୁ ଦେଖିଥିଲୁ।" ପୋଲିସ ତାକୁ ଧରିଵାକୁ ଆସିଵାର ଖବର ପାଇ ମୋଏନ୍ ଅଲି ମହିପାଳପୁରରେ ନିଜ ସମ୍ପର୍କୀୟଙ୍କ ଘରେ ଲୁଚିଗଲା।
ଦୁଇଜଣ ସିପାହୀ ମହିପାଳପୁରରେ ତାକୁ ଖୋଜିଵାକୁ ଆସିଲେ। କିନ୍ତୁ ଏଠାରେ ଏକ ଵିରାଟ ଭୁଲ୍ ହୋଇଗଲା। ସେହି ସିପାହୀମାନେ ନୂଆ ଓ ଅନଭିଜ୍ଞ ଥିଲେ। ସେମାନେ କାଗଜରେ ଥିଵା "ମୋଏନ୍ ଚୌଧୁରୀ" ନାମକୁ "ମୋହନ ଚୌଧୁରୀ" ମନେ କରି ସେହି ନାମର ଵ୍ୟକ୍ତିଙ୍କୁ ଖୋଜିଲେ। ଆଉ ନିରୀହ ମୋହନ ଚୌଧୁରୀକୁ ଧରି ଜେଲରେ ବନ୍ଦ କରିଦେଲେ।
ଇଂରେଜ ସିପାହୀଙ୍କ ଭୁଲ ନାମ ଲେଖିଵା ଯୋଗୁଁ ମୋହନ ଚୌଧୁରୀ ଫସିଗଲା। ସତ୍ୟ ଚୋର ମୁକ୍ତ, ଆଉ ନିରୀହ ଜେଲରେ।
ମୋହନକୁ ଜେଲ୍ ହୋଇଡଲା । କିଛି ମାସ ଗଡ଼ିଗଲା। ଖରାଦିନ ଆସିଲା। ଚାଷ ଋତୁ ଆରମ୍ଭ ହେଵାକୁ ଯାଉଛି। ଘରେ ଵୃଦ୍ଧ ରଘୁ ଚୌଧୁରୀ ଆଖି ପୋଛୁ ପୋଛୁ ଭାବୁଛନ୍ତି - "ଏ ବଡ଼ ଜମି, ଏ ବଡ଼ ଦୁଃଖ! ଆଉ ଖୋଳିଵ କିଏ? ହାତ ତଳୁ ନାହିଁ, ପିଠି ଭାଙ୍ଗିଯାଉଛି, ଲଙ୍ଗଳ ଧରିଵାକୁ ବଳ ନାହିଁ।"
ଦିନେ ସେ ଗାଁର ଜଣେ ପାଠପଢ଼ା ଲୋକଙ୍କୁ ଡାକି ଚିଠି ଲେଖାଇଲେ:
"ବାବୁ ମୋହନ,
ଏ ଵର୍ଷ ମୁଁ ଆଳୁ ଓ ସୋରିଷ ଲଗାଇପାରିବି ନାହିଁ। ଗୋଡ଼ ହାତ ଚଳୁନାହିଁ, ଜମି ଖୋଳିଵା ଲୋକ ନାହିଁ। ତୁ ଯଦି ଘରେ ଥାଆନ୍ତୁ, ବୋଧହୁଏ ଆଗୁଆ ଖୋଳି ଦେଇଥାଆନ୍ତୁ। ହଉ ସବୁ ଈଶ୍ୱରଙ୍କ ଇଚ୍ଛା।"
ଜେଲ ଭିତରେ ମୋହନ ଚିଠି ପଢ଼ିଲା। ଆଖି ଓଦା ହୋଇଗଲା। ବସି ବସି ଭାବିଲା... ଭାବିଲା... ଆଉ ଭାବିଲା। ବାପାଙ୍କୁ ସାହାଯ୍ୟ କେମିତି କରିଵ? ଜେଲରୁ କ’ଣ କରିହେଵ?
ହଠାତ୍ ତାହାର ମନକୁ ଏକ ଉପାୟ ଜୁଟିଲା। ଇଂରେଜ ସରକାରଙ୍କ ଲୋଭ, ସେମାନଙ୍କ ସନ୍ଦେହପ୍ରଵଣତା - ଏସବୁ ସେ ଜାଣିଥିଲା। ସେ ବାପିଙ୍କୁ ଉତ୍ତର ଲେଖିଲା:
"ବାପା,ଗୋଟିଏ କଥା ମନେ ରଖ - ଜମି ହଳ କର ନାହିଁ । ସେ ଜମିରେ ହାତ ଦିଅ ନାହିଁ। ସେ ମାଟିରେ ସୁନା ଅଛି। ଏକ ଵର୍ଷ ଅପେକ୍ଷା କର, ତାପରେ ସେ ମାଟିରୁ ଆପେ ସୁନା ବାହାରିଵ।"
ଇଂରାଜୀ ଅମଳରେ ସମସ୍ତ କଏଦୀଙ୍କ ଚିଠି ପଢ଼ାଯାଉଥିଲା। ମୋହନଙ୍କ ଚିଠି ପଢ଼ିଵା ମାତ୍ରେ ପୋଲିସକୁ ଯହ ସନ୍ଦେହ ହେଲା। "ହୁଏତ ମୋହନ ସେହି ଜମିରେ ଚୋରି ହୋଇଥିଵା ସୁନା, ରୂପା, ମୁଦ୍ରା, ଅଳଙ୍କାର ପୋତିଛି!"
ସଙ୍ଗେସଙ୍ଗେ ଦଳେ ପୋଲିସ ରଘୁ ଚୌଧୁରୀଙ୍କ ଦ୍ୱାରରେ ହାଜର। ସାଙ୍ଗରେ ଆଠ-ଦଶଜଣ ସିପାହୀ, ବେଲଚା, ଶାବଳ, କୋଦାଳି ସହିତ ହାଜର ।
"ଚାଲ ଖୋଳ! ଏପଟ ଖୋଳ, ସେପଟ ଖୋଳ, ମଝିରେ ଖୋଳ, କୋଣରେ ଖୋଳ - ଗୋଟା ଜମି ଓଲଟପାଲଟ କରିଦିଅ ! କୋଉ ଗୋଟାଏ ବି ଥାନ ଛାଡ଼ ନାହିଁ" ଦାରୋଗା ଶ୍ୟାମ ଵର୍ମା ହୁକୁମ ଦେଉଥିଲେ।
ଗମ୍ ଗମ୍ ଝାଳ ବୋହି ଯାଉଥିଲା, ମାଟି ଉଡ଼ୁଥିଲା, ପ୍ରବଳ ସୂଖରା ହେଉଥିଲା। ଖୋଳ, ଖୋଳ, ଖୋଳ। ସିପାହୀମାନେ ଗୋଟା ଜମି ଓଲଟପାଲଟ କରିଦେଲେ।
ଟଙ୍କା.. ସୁନା ? କାଣି କଉଡ଼ିଟେ ବି ମିଳିଲା ନାହିଁ। ତେବେ କିଛି ମଧ୍ୟଯୁଗୀୟ ମାଟି ବାସନ ମିଳିଲା ତାକୁ ନେଇ ଫେରିଗଲେ ।
ସିପାହୀମାନେ ସିନା କିଛି ମୂଲ୍ୟଵାନ ଦରଵ ନପାଇ ଫେରିଗଲେ କିନ୍ତୁ ମୋହନର ଉଦ୍ଦେଶ୍ୟ ସଫଳ ହୋଇଗଲା । ସରକାରୀ ସିପାହୀମାନେ ସ୍ଵୟଂ ମୋହନର ବାପାଙ୍କ ଜମି ଚାଷ ଯୋଗ୍ୟ କରିଦେଇଗଲେ !
କିଛିଦିନ ପରେ ରଘୁ ଚୌଧୁରୀ ନିଜ ପୁଅ ପାଖକୁ ଆଉ ଏକ ଚିଠି ପଠାଇଲେ:
"ବୁବୁ ମୋହନ,
ମୁଁ ଜାଣିନାହିଁ କ’ଣ ହୋଇଛି କିନ୍ତୁ ଦିନେ ସକାଳୁ ଦାରୋଗା ଶ୍ୟାମ ଵର୍ମା ନିଜେ ଆଠଜଣ ସିପାହୀ ନେଇ ଆମ ଜମି ଗୋଟା ଖୋଳି ଦେଇଗଲେ - ବିନା ଏକ ପଇସା ମଜୁରିରେ! ବ୍ରିଟିଶ ସରକାରଙ୍କ ସିପାହୀ ଆମ ଚାଷ ଜମି ଚାଷ ଯୋଗ୍ୟ କରିଦେଲେ! ଆଳୁ ଓ ସୋରିଷ ବୁଣିଦେଲିଣି। ଫସଲ ଉଠିଲେ ଆଉ ଏକ ଚିଠି ଆସିଵ। ଭଗଵାନ ତୋର ମଙ୍ଗଳ କରନ୍ତୁ । "
ଆଉ ମୋଏନ୍ ଅଲି? ସେ ମହିପାଳପୁରରେ ଲୁଚି ରହିଥିଲା। ପୋଲିସ ଦୁଇ-ତିନିଥର ସେଠାକୁ ଆସିଵାରୁ ତାହାର ଭୟ ବଢ଼ିଯାଇଥିଲା। ସେ ଭାଵିଲା, " ମୋତେ ଖୋଜିଵାକୁ ବୋଧେ ବାରମ୍ବାର ଆସୁଛନ୍ତି ! ନା ଏ ସ୍ଥାନ ଆଉ ସୁରକ୍ଷିତ ନୁହେଁ, ଭିନ୍ନ ଥାନକୁ ଯିଵାକୁ ହେଵ ! "
ସମସ୍ୟା ଥିଲା - ଚୋରି ହୋଇଥିଵା ସେହି ଵିପୁଳ ଧନ। ସୁନା, ରୂପା, ମୁଦ୍ରା, ଅଳଙ୍କାର - ସବୁ ତାହା ପାଖରେ। ଏସବୁ ଏବେ ନେଇ ପଳାଇଵା ଵିପଜ୍ଜନକ।
ତେଣୁ ସେ କଣ କଲା? ଗୋଟିଏ ରାତିରେ ମହିପାଳପୁରର ମୋହନ ଚୌଧୁରୀଙ୍କ ଜମିକୁ ଲାଗିକରି ଥିଵା ଵରଗଛ ମୂଳେ ଗଭୀର ଗାତ ଖୋଳି ସମସ୍ତ ଧନସମ୍ପତ୍ତି ପୋତିଦେଲା। ତା'ଉପରେ ତିନି-ଚାରିଟା ଵଡ଼ ଵଡ଼ ପଥର ରଖିଦେଇ ଚିହ୍ନ କଲା। ଭାଵିଲା, ହିନ୍ଦୁମାନେ ଵରଗଛକୁ ହାଣନ୍ତି ନାହିଁ କି ତା ମୂଳରେ ଖୋଳାଖୋଳି କରନ୍ତି ନାହିଁ ତେଣୁ ଏଠି ମୋ ଧନ ସୁରକ୍ଷିତ ରହିଵ । କିଛିମାସ ପରେ ସବୁ ଶାନ୍ତ ହେଲେ ଆସି ଖୋଳି ନେଇଯିବି । ମନରେ ଏଇଆ ଵିଚାର କରି ସେ ଦିଲ୍ଲୀର ଅନ୍ୟ ଏକ ଅଞ୍ଚଳକୁ ପଳାଇଗଲା।
ମାସ ଗଡ଼ିଲା। ଦେଶର ରାଜନୈତିକ ପରିସ୍ଥିତି ବଦଳୁଥିଲା। ୧୯୪୭ ମସିହାର ଜୁନ୍ ମାସରେ " ମାଉଣ୍ଟବ୍ୟାଟନ୍ ଯୋଜନା" ଘୋଷଣା ହେଲା ଏଵଂ ତାହା ଭାରତ ଵିଭାଜନର ଆଧିକାରିକ ପ୍ରସ୍ତାଵ ଥିଲା। ସହରରେ ଏହା ଵିଷୟରେ ଶୀଘ୍ର ସମସ୍ତଙ୍କୁ ଜଣାପଡ଼ିଗଲା, କିନ୍ତୁ ଗାଁରେ ଏ ଵିଷୟରେ ତଥ୍ୟ ପହଞ୍ଚିଵାକୁ ସମୟ ଲାଗିଲା।
ଜୁଲାଇ-ଅଗଷ୍ଟରେ ଦେଶ ଵିଭାଜନର ଖବର ଧୀରେଧୀରେ ଗାଁଗଣ୍ଡାରେ ପହଞ୍ଚିଲା। "ଦେଶ ଦୁଇଭାଗ ହେଵ," "ହିନ୍ଦୁ-ମୁସଲମାନ ଅଲଗା ହେଵେ" - ଏପରି ଅସ୍ପଷ୍ଟ ଖବର ସେତେବେଳେ ମିଳୁଥିଲା। ୧୪-୧୫ ଅଗଷ୍ଟ ୧୯୪୭ - ସ୍ୱାଧୀନତା ଓ ଵିଭାଜନ ଆଧିକାରିକ ଭାବେ ହେଲା। ନେହେରୁଙ୍କ "ଟ୍ରିଷ୍ଟ ୱିଥ୍ ଡେଷ୍ଟିନି" ଭାଷଣ ରେଡିଓରେ ପ୍ରସାରିତ ହେଲା। କିନ୍ତୁ ଅଧିକାଂଶ ଗାଁରେ ଏହା ତୁରନ୍ତ ପହଞ୍ଚିଲା ନାହିଁ। ଅଗଷ୍ଟ ଶେଷ ଓ ସେପ୍ଟେମ୍ଵରରେ ଵିଭାଜନର ପ୍ରକୃତ ଅର୍ଥ ସ୍ପଷ୍ଟ ହେଲା।କୋଟିଏରୁ ଅଧିକ ଶରଣାର୍ଥୀମାନେ ଦିଲ୍ଲୀ ଆଦି ବଡ଼ ବଡ଼ ସହରକୁ ଆସିଵା ଆରମ୍ଭ କଲେ। ସେ ସମୟର ଦୃଶ୍ୟ ଅତ୍ୟନ୍ତ ଦୟନୀୟ ଥିଲା । ଲକ୍ଷ ଲକ୍ଷ ଲୋକ ଟ୍ରେନ୍, ଗାଡ଼ି, ପାଦରେ ଯାତ୍ରା କରି ସୀମା ଅତିକ୍ରମ କରୁଥିଲେ । ଟ୍ରେନଗୁଡ଼ିକ ଭିଡ଼ ପୂର୍ଣ୍ଣ ଥିଲା, ଅନେକ ସମୟରେ ଆକ୍ରମଣରେ ନିହତ ହୋଇଥିଲେ । ପାକିସ୍ତାନରୁ ଆସିଥିଵା ଅନେକ ଟ୍ରେନରେ ହତ୍ୟାକାଣ୍ଡରେ ଶିକାର ମୃତ ଲୋକଙ୍କ ଶଵ ବି ଆସିଥିଲା । ସହର ଏବଂ ଗାଁର ରାସ୍ତାରେ ନିରାଶ୍ରୟ ଲୋକମାନେ ଭୋକ ଶୋଷରେ ବୁଲୁଥିଲେ । ହିଂସା, ଲୁଟପାଟ୍, ଵଳାତ୍କାର ଓ ହତ୍ୟାକାଣ୍ଡ ସାଧାରଣ ହୋଇଯାଇଥିଲା । ଦିଲ୍ଲୀ ତଥା ଅନ୍ୟାନ୍ୟ ସହରଗୁଡ଼ିକ କନେକ ଶିବିର କରାଗଲା କିନ୍ତୁ ସେଠାରେ ମଧ୍ୟ ରୋଗ ଓ ଭୋକ ଯୋଗୁଁ ଅନେକ ଶରଣାର୍ଥୀମାନେ ମୃତ୍ୟୁମୁଖରେ ପଡ଼ିଥିଲେ । ହଜାର ହଜାର ସଂଖ୍ୟାରେ ଶରଣାର୍ଥୀ ପରିଵାର ଵିଚ୍ଛିନ୍ନ ହୋଇଯାଇଥିଲେ, ଶିଶୁମାନେ ଅନାଥ ହୋଇଥିଲେ । ସ୍ଥାନୀୟ ହିନ୍ଦୁମାନଙ୍କର ରକ୍ତ ତାତି ଉଠିଲା । ଶରଣାର୍ଥୀମାନେ ବି ପାକିସ୍ତାନରେ ମଜହବୀ ହିଂସାର ଶିକାର ହୋଇ ଫେରିଥିଲେ ତେଣୁ ସେମାନେ ମଧ୍ୟ ଆକ୍ରୋଶର ଶିକାର ହୋଇଗଲେ । ଫଳତଃ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଭୟଙ୍କର ହିଂସା ହେଲା। ଯେଉଁ ପଠାଣମାନେ ଭାରତରେ ରହିଯାଇଥିଲେ ସେମାନେ ଭାରତ ଛାଡ଼ିଵାକୁ ବାଧ୍ୟ ହେଲେ । ରକ୍ତପାତ, ଲୁଟ, ଅଗ୍ନିସଂଯୋଗ - ଚାରିଆଡ଼େ ଵିଭୀଷିକାର ଖଣ଼ଡ ପ୍ରଳୟ ଦେଖା ଦେଇଥିଲା ।
ସେ ସମୟରେ ଅନେକ ମୁସଲମାନ ଭାରତ ଛାଡ଼ି ପାକିସ୍ତାନ ପଳାଇଲେ। ତାଙ୍କ ମଧ୍ୟରେ ମୋଏନ୍ ଅଲି ଚୌଧୁରୀଙ୍କ ପରିଵାର ମଧ୍ୟ ଥିଲେ। ଜୀଵନ ଵଞ୍ଚାଇଵାକୁ ସେମାନେ ସବୁକିଛି ଛାଡ଼ି ପଳାଇଗଲେ। ମୋଏନ୍ ଅଲି ଭାଵିଲା, "ପରେ ଆସି ସେହି ଧନ ନେଵି।" କିନ୍ତୁ ଵିଧିର ଵିଧା ନଭିନ୍ନ ଥିଲା।
ସ୍ୱାଧୀନତା ପରେ ଅନେକ ରାଜନୈତିକ କଏଦୀଙ୍କୁ ମୁକ୍ତ କରାଗଲା। ମୋହନ ଚୋରି ମାମଲାରେ ଜେଲରେ ଥିଲେ ବି, ଯେହେତୁ ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଜଡ଼ିତ ଥିଲା, ଏହାକୁ ମିଛ ମାମଲା ବୋଲି ଧରାଯାଇ ଏକଵର୍ଷ ପରେ ଜେଲରୁ ମୁକ୍ତ କରାଗଲା। ଗାଁକୁ ଫେରି ମୋହନ ଚୌଧୁରୀ ବାହା ହେଲା। ତାହାର ପିଲାପିଲି ହେଲେ। ଜୀଵନ ସାଧାରଣ ଗତିରେ ଚାଲୁଥିଲା। କିଛି ଵର୍ଷ ପରେ ଅଧିକ ଚାଷ ପାଇଁ ସେ ନିଜ ଜମିକୁ ଲାଗିକରି ଥିଵା ଵରଗଛ ମୂଳର ପଡ଼ିଆ ଜମିକୁ ମଧ୍ୟ ହଳ କରିଵାକୁ ସ୍ଥିର କଲା।
ଜମିରେ କାମ କରିଵା ସମୟରେ ମୋହନ ଵରଗଛ ମୂଳରେ ଆସି ମୋଏନ୍ ଅଲ୍ଲୀ ଚୌଧୁରୀ ରଖିଥିଵା ସେହି ପଥର ଉପରେ ଵସି ଵିଶ୍ରାମ ନେଉଥିଲା, ରୁଟି ଖାଉଥିଲା। ଦିନେ ସେ ଭାବିଲା, "ଏହି ଛାଇ ଯାଗାରେ ହଳଦୀ ଗଛ ଲଗାଇଲେ ଭଲ ହେଵ।"
ପଥରଗୁଡ଼ିକୁ ଅନ୍ୟ ସ୍ଥାନକୁ ହଟାଇ ସେ ସେହି ସ୍ଥାନକୁ ହଳ କଲା। ହଠାତ୍ ସେ ସ୍ଥାନରେ ଲଙ୍ଗଳ ଲାଗିଲା। ଖୋଳିଵାରୁ ଦେଖିଲା - ମାଟି ତଳୁ ସୁନା, ରୂପା, ମୁଦ୍ରା, ଅଳଙ୍କାର ଵାହାରୁଛି!
ମୋହନ ଚକିତ ହୋଇଗଲା। ଏତେ ଧନ! କିଏ ପୋତିଥିଵ? କାହିଁକି? କିନ୍ତୁ ଏସବୁ ଭାବିଵାର ସମୟ ନଥିଲା। ସେ ସବୁକିଛି ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିଲା।
ତାହାର ଅଵସ୍ଥା ପୁରା ବଦଳି ଗଲା। କେତେକ ମାସ ମଧ୍ୟରେ ସେ କୋଠାଘରଟିଏ ନିର୍ମାଣ କଲା। ପରେ ଘରଟିକୁ ଭଡ଼ାରେ ଦେଇ ନିଜେ ଦିଲ୍ଲୀ ସହରରେ ରହିଵାକୁ ଲାଗିଲା। ସ୍ୱାଧୀନତା ସଂଗ୍ରାମୀ ବୋଲି ପରିଚିତ ହେଵାରୁ କଂଗ୍ରେସରେ ମିଶିଲା। ଥରେ ନିର୍ଵାଚନ ଟିକେଟ ମଧ୍ୟ ପାଇଲା, ଯଦିଓ ଜିତିପାରିଲା ନାହିଁ। ଏହିପରି ମୋହନ ଚୌଧୁରୀଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଵଦଳିଗଲା।
ଆଉ ମୋଏନ୍ ଅଲି ଚୌଧୁରୀ? ପାକିସ୍ତାନରେ ତାଙ୍କ ଜୀଵନ ଦୁଃସ୍ଵପ୍ନ ହୋଇଗଲା। ସେଠାରେ ସମସ୍ତେ ତାକୁ "ମୁହାଜିର" କହୁଥିଲେ। କୌଣସି ସମ୍ମାନ ନାହିଁ, କାମଦାମ ନାହିଁ, ଆଶ୍ରୟ ନାହିଁ। ଜୀଵନଜୀଵିକା ପାଇଁ ସେ ପୁଣି ଚୋରି କଲା। ଧରାପଡ଼ି ପାକିସ୍ତାନର ଜେଲରେ ଵନ୍ଦ ହେଲା। ଜେଲରେ ଥିଵା ସମୟରେ ତାହାର ବିୱି ଅନ୍ୟ କାହା ସହିତ ନିକାହ କରିନେଲା। ମୋଏନ୍ ଅଲି ସବୁକିଛି ହରାଇଲା - ପରିଵାର, ସମ୍ମାନ, ଧନସମ୍ପତ୍ତି।
ଜେଲରେ ସେ ଅନ୍ୟ କଏଦୀମାନଙ୍କୁ ନିଜର କାହାଣୀ ଶୁଣାଏ: "ମୁଁ ଦିଲ୍ଲୀ ନିକଟସ୍ଥ ଏକ ଗାଁର ଵରଗଛ ମୂଳେ ଅଗଣିତ ଧନସମ୍ପତ୍ତି ପୋତିଥିଲି। ଭାରତ ଵିଭାଜନ ଯୋଗୁଁ ସବୁକିଛି ହାତଛଡ଼ା ହୋଇଗଲା।"
କିନ୍ତୁ କେହି ଵିଶ୍ୱାସ କରନ୍ତି ନାହିଁ। "ତୁଚ୍ଛା ଗପ!" ଲୋକେ ତାକଥା ଶୁଣି ହସନ୍ତି।
ମୋଏନ୍ ଅଲି କାନ୍ଦେ, କିନ୍ତୁ କେହି ଶୁଣନ୍ତି ନାହିଁ। ସେହି ଧନ ତାର ନଥିଲା, କିନ୍ତୁ ସେହି ହାନି ତା ହୃଦୟକୁ କ୍ଷତଵିକ୍ଷତ କରେ। ରାତିରେ ସେ ସ୍ଵପ୍ନ ଦେଖେ - ସେହି ଵରଗଛ, ସେହି ପଥର, ସେହି ଗୁପ୍ତଧନ। କିନ୍ତୁ ସକାଳୁ ଉଠିଲେ ଚାରିଆଡ଼େ କେଵଳ ଜେଲର କାନ୍ଥ।
•••••••••••••••••••••••••••••••••••••
ଵି.ଦ୍ର:- କାହାଣୀଟି କଳ୍ପିତ ତେବେ ଏଥିରେ ଵର୍ଣ୍ଣିତ ଐତିହାସିକ ତଥ୍ୟ ସତ ଏଵଂ ତତ୍କାଳୀନ ପୁସ୍ତକ ଓ ସମ୍ବାଦପତ୍ରରେ ବହୁଵାର ଉଲ୍ଲେଖିତ ହୋଇଛି । ପ୍ରକୃତରେ ଦିଲ୍ଲୀ ନିକଟରେ ମହିପାଳପୁର ବୋଲି ଛୋଟ ଗାଆଁଟିଏ ଅଛି ଏଵଂ ଏହି ଗାଆଁଟି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ଵିମାନବନ୍ଦର ତଥା ମହରୌଲୀ ମଧ୍ୟରେ ଅଵସ୍ଥିତ । ମୂଳ କାହାଣୀଟି ଵୈଦେଶିକ ଯହିଁରେ ଜଣେ ଚୋର ଜେଲ୍ ଯିଵାପରେ ନିଜ ବାପାକୁ ସାହାଯ୍ୟ କରିଵା ପାଇଁ ପୋଲିସମାନଙ୍କ ସହିତ ଖେଳ ଖେଳେ । ତେବେ ସେହି ଛୋଟ ସରଳ କାହାଣୀରେ ଅନେକ ପରିଵର୍ତ୍ତନ କରି ଏହି କାହାଣୀକୁ ଶୈଳୀରେ ଲେଖାଯାଇଛି । ଏମନ୍ତ ଲେଖିଵାର ଉଦ୍ଦେଶ୍ୟ ସେ ସମୟର ଭାରତ ସହିତ ଲୋକଙ୍କୁ ଆଉ ଥରେ ପରିଚିତ କରାଇଵା ଅଟେ । ଆଜିର ପିଢ଼ି ସେ ସମୟର ଭାରତକୁ ଭୁଲିଯାଇଛି । ଆଜିର ପିଢ଼ି ସହିତ ସେସମୟର ଭାରତର ପରିଚୟ କରାଇଵା ପାଇଁ ଏହି କାହାଣୀଟି ଲେଖାଯାଇଛି ।
•••••••••••••••••••••••••••••••••••••••
No comments:
Post a Comment