Wednesday, March 25, 2026

ମାନଵ ମନର ନକାରାତ୍ମକ ଆକର୍ଷଣ ଏଵଂ ତହିଁର ଵିଵର୍ତ୍ତନ ଇତିହାସ

ମାନଵ ମନ ଏକ ଜଟିଳ ଏଵଂ ରହସ୍ୟମୟ ଯନ୍ତ୍ର। ଆମେ ପ୍ରତିଦିନ ହଜାର ହଜାର ସୂଚନା, ଅନୁଭୂତି ଓ ଘଟଣାର ସାମ୍ନା କରୁଛୁ, କିନ୍ତୁ ସବୁକିଛି ସମାନ ଭାବେ ଆମ ମନରେ ପ୍ରଭାଵ ପକାଇ ନଥାଏ। ଯଦି ଆମେ ସୂକ୍ଷ୍ମ ଭାବେ ନିରୀକ୍ଷଣ କରିଵା ତେବେ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ ସାମ୍ନାକୁ ଆସେ ଯେ "ନକାରାତ୍ମକ ଘଟଣା, ଅନୁଭୂତି କିମ୍ଵା ସୂଚନା ସକାରାତ୍ମକ ଜିନିଷଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ ଏଵଂ ଆମ ମନରେ ଅଧିକ ଗଭୀର ପ୍ରଭାଵ ପକାଇଥାଏ" । ଏହି ମନୋଵୈଜ୍ଞାନିକ ପ୍ରଵୃତ୍ତିକୁ ମନୋଵିଜ୍ଞାନର ଭାଷାରେ ନକାରାତ୍ମକ ପକ୍ଷପାତ ଵା negativity bias କୁହାଯାଏ। ଏହା କେଵଳ ଏକ ମାନସିକ ଵିଶେଷତ୍ୱ ନୁହେଁ ଵରଂ ଆମର ଵିଵର୍ତ୍ତନଗତ ଇତିହାସ ସହିତ ଗଭୀର ଭାବେ ଜଡ଼ିତ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଆମ ପୂର୍ଵପୁରୁଷଙ୍କ ବଞ୍ଚିଵା ଓ ଉନ୍ନତି ପାଇଁ ଅତ୍ୟନ୍ତ ଆଵଶ୍ୟକ ଥିଲା।

ନେଗେଟିଵିଟି ବାୟସ୍ ଵା ନକାରାତ୍ମକ ପକ୍ଷପାତ ମାନଵ ମନର ଏକ ପ୍ରାକୃତିକ ପ୍ରଵୃତ୍ତି ଅଟେ ଯାହାର ପ୍ରଭାଵରେ ଆମେ ନକାରାତ୍ମକ ଘଟଣା, ଅନୁଭୂତି, ସୂଚନା କିମ୍ଵା ସ୍ମୃତିକୁ ସକାରାତ୍ମକ ଜିନିଷଠାରୁ ଅଧିକ ଗୁରୁତ୍ୱ ଦେଇଥାଉ, ଅଧିକ ଧ୍ୟାନ ଦେଇଥାଉ, ଅଧିକ ଶୀଘ୍ର ପ୍ରକ୍ରିୟାକରଣ କରିଥାଉ ଏଵଂ ଅଧିକ ସମୟ ଧରି ଚିନ୍ତା କରିଥାଉ। ଏହା ଏକ ସାର୍ଵଜନୀନ ମାନଵୀୟ ଲକ୍ଷଣ ଯାହା ସମସ୍ତ ସଂସ୍କୃତି, ଵୟସ ଏଵଂ ପୃଷ୍ଠଭୂମି ମଧ୍ୟରେ ଦେଖାଯାଏ। ଏହି "ବାୟସ୍ ଵା ପକ୍ଷପାତ" ଆମର ଵିଵର୍ତ୍ତନଗତ ଇତିହାସରୁ ଆସିଛି କାରଣ ପୂର୍ଵକାଳରେ ଵିପଦ ଚିହ୍ନଟ କରିଵା ଏଵଂ ତହିଁରୁ ନିଜକୁ ରକ୍ଷା କରି ଜୀଵନ ବଞ୍ଚାଇଵା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମ ପୂର୍ଵପୁରୁଷଙ୍କ ପାଇଁ ଏକ ମିଠା ଫଳର ସ୍ମୃତି ଅପେକ୍ଷା ଏକ ଵିଷାକ୍ତ ଫଳ ଖାଇଵା ଦ୍ଵାରା ହେଉଥିଵା କ୍ଷତି କିମ୍ଵା ପ୍ରଜାପତିର ସୌନ୍ଦର୍ଯ୍ୟ ମନେ ରଖିଵା ଅପେକ୍ଷା ଵିପଜ୍ଜନକ ଜନ୍ତୁର ସ୍ଵରୂପ ସ୍ମରଣ କରି ରଖିଵା ଅଧିକ ମୂଲ୍ୟଵାନ ଥିଲା। ଏହି କାରଣରୁ ଯେଉଁମାନେ ନକାରାତ୍ମକ ଘଟଣାକୁ ଅଧିକ ଧ୍ୟାନରେ ରଖୁଥିଲେ ସେମାନେ ଅଧିକ ବଞ୍ଚିଵାର ସମ୍ଭାଵନା ରଖିଥିଲେ ଏଵଂ ଆଜି ସେହି ଜିନ୍ ଆସି ଆମ ପର୍ଯ୍ୟନ୍ତ ପହଞ୍ଚିଛି।

ଆଧୁନିକ ଜୀଵନରେ ଯେତେବେଳେ ଵନ୍ୟ ଜନ୍ତୁ କିମ୍ଵା ଜୀଵନ ସଂକଟର ଭୟ କମ୍ ହୋଇଛି ସେତେବେଳେ ମଧ୍ୟ ଏହି ବାୟସ୍ ଆମ ମନରେ ସକ୍ରିୟ ରହିଛି। ଏହା ଆଜିର ଦୈନନ୍ଦିନ ଜୀଵନରେ ଅନେକ ରୂପରେ ଦେଖାଯାଏ - କାର୍ଯ୍ୟକ୍ଷେତ୍ରରେ, ସମ୍ପର୍କରେ, ସାମାଜିକ ଗଣମାଧ୍ୟମରେ ଏଵଂ ଆମର ନିଜସ୍ୱ ଚିନ୍ତାଧାରାରେ ।

କେହି କେହି ଵିଚାର କରିପାରନ୍ତି ଯେ ନେଗେଟିଵିଟି ବାୟସ୍ କେଵଳ ଏକ ତାତ୍ତ୍ୱିକ ଧାରଣା କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ପ୍ରକୃତରେ ଏହା ଏକ ଵାସ୍ତଵ ତତ୍ତ୍ଵ ଯାହା ଆମର ଦୈନନ୍ଦିନ ଜୀଵନରେ ନିରନ୍ତର ପ୍ରକାଶ ପାଇଥାଏ। 

ଦୈନନ୍ଦିନ ଜୀଵନରେ ଏକ ସାଧାରଣ ଉଦାହରଣ ହେଉଛି କାର୍ଯ୍ୟକ୍ଷେତ୍ରରେ ପ୍ରତିକ୍ରିୟା ଵା ଫିଡ଼ବ୍ୟାକ୍ ପାଇଵା। ଧରନ୍ତୁ ଆପଣ ଏକ ପ୍ରୋଜେକ୍ଟ୍ ଉପରେ କାମ କରିଛନ୍ତି ଏଵଂ ଆପଣଙ୍କର ଉଚ୍ଚ ଅଧିକାରୀ, ମାଲିକ ଵା Boss ଆପଣଙ୍କୁ ଦଶଟି ସକାରାତ୍ମକ ମନ୍ତଵ୍ୟ ଦେଇଛନ୍ତି ଯେମିତି ଆପଣଙ୍କ କାମ ଉତ୍କୃଷ୍ଟ, ସମୟାନୁଵର୍ତ୍ତୀ ଏଵଂ ସୃଜନଶୀଳ। କିନ୍ତୁ ଶେଷରେ ଏକ ଛୋଟ ସୁଧାର ପରାମର୍ଶ ଦେଇଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଅଂଶରେ ଆହୁରି ଉନ୍ନତି କରାଯାଇପାରିଵ। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ କ'ଣ ଘଟେ? ସେମାନେ ସେହି ଗୋଟିଏ ନକାରାତ୍ମକ ମନ୍ତଵ୍ୟକୁ ନେଇ ଚିନ୍ତା କରିଵାକୁ ଲାଗନ୍ତି, ସେହି ଗୋଟିଏ କଥା ଯୋଗୁଁ ସମଗ୍ର ଦିନଟି ଖରାପ ଲାଗିଵାକୁ ଲାଗେ ଏଵଂ ସକାରାତ୍ମକ ପ୍ରଶଂସାଗୁଡ଼ିକ ପ୍ରାୟ ଭୁଲିଯାଆନ୍ତି। ରାତ୍ରିରେ ଶୋଇଵା ସମୟରେ ମନରେ ଵାରମ୍ଵାର ସେହି ସମାଲୋଚନା ଘୁରିବୁଲେ ଏଵଂ ଦଶଟି ପ୍ରଶଂସା ଅଦୃଶ୍ୟ ହୋଇଯାଏ। ସେହିପରି ଆପଣ ଏକ କମ୍ପାନୀରେ ସବୁ କର୍ମଚାରୀଙ୍କ ସହିତ ଭଲ ସମ୍ବନ୍ଧ ରଖି ମିଳିମିଶି ଗୁଡ଼ାଏ ମାସ କାମ କଲେ, ସମସ୍ତଙ୍କୁ ସାହାଯ୍ୟ କଲେ କିନ୍ତୁ ଗୋଟିଏ ଛୋଟିଆ ଵିଵାଦ ଵା ଭୁଲ୍ ଯୋଗୁଁ ସେମାନେ ଆପଣଙ୍କ ସହିତ ଥିଵା ତାଙ୍କର ସମସ୍ତ ସକାରାତ୍ମକ ଅନୁଭୂତି ଭୁଲି ଯାଆନ୍ତି ଏଵଂ ଆପଣଙ୍କୁ ମନ୍ଦ ଵ୍ୟକ୍ତି ଵା ଅଯୋଗ୍ୟ ଵ୍ୟକ୍ତି ଵିଚାର କରିନିଅନ୍ତି । 
ଏହା ନେଗେଟିଵିଟି ବାୟସ୍‌ର ଏକ ସ୍ପଷ୍ଟ ପ୍ରକାଶ ଯେଉଁଠାରେ ଗୋଟିଏ ନକାରାତ୍ମକ ଘଟଣା ଦଶଟି ସକାରାତ୍ମକ ଘଟଣାକୁ ଲୁଚାଇ ଦିଏ ଭୁଲାଇ ଦେଇଥାଏ।

ଵ୍ୟକ୍ତିଗତ ସମ୍ପର୍କରେ ମଧ୍ୟ ଏହି ବାୟସ୍ ବହୁତ ଦେଖାଯାଏ। ଧରନ୍ତୁ ଆପଣଙ୍କ ସାଙ୍ଗ କିମ୍ଵା ପ୍ରିୟଜନ ସହ ଏକ ବଡ଼ ଝଗଡ଼ା ହୋଇଛି ଏଵଂ ପରେ ସେମାନେ କ୍ଷମା ମାଗିଛନ୍ତି ତଥା ସବୁ ଠିକ୍ ହୋଇଯାଇଛି। କିନ୍ତୁ ଆପଣଙ୍କ ମନରେ ସେହି ଝଗଡ଼ା ସମୟରେ କହାଯାଇଥିଵା ଗାଳିଗୁଲଜ କିମ୍ଵା ଏକ କଠୋର କଥା ଵାରମ୍ଵାର ଆସିଥାଏ ଯାହା ଯୋଗୁଁ ଆପଣ ସମ୍ପର୍କରେ ଅସ୍ଥିରତା ଅନୁଭଵ କରନ୍ତି। ଵର୍ଷ ଵର୍ଷର ସୁଖଦ ମୁହୂର୍ତ୍ତଗୁଡ଼ିକ, ଅଗଣିତ ଭଲ ସ୍ମୃତି, ସାହାଯ୍ୟ ଓ ଆନନ୍ଦର ମୂହୁର୍ତ୍ତଗୁଡ଼ିକ ପ୍ରାୟ ପଛରେ ପଡ଼ିଯାଏ ଏଵଂ ସେହି ଗୋଟିଏ ନକାରାତ୍ମକ ଘଟଣା ଅଧିକ ପ୍ରଭାଵଶାଳୀ ହୋଇପଡ଼େ। କେତେକ ସମୟରେ ଲୋକେ ଏହି ଗୋଟିଏ ଘଟଣା ଯୋଗୁଁ ସମଗ୍ର ସମ୍ପର୍କକୁ ପୁନର୍ଵିଚାର କରିଵାକୁ ଲାଗନ୍ତି। ମନୋଵିଜ୍ଞାନୀ John Gottmanଙ୍କ ଗଵେଷଣା ଅନୁସାରେ ଏକ ସଫଳ ସମ୍ପର୍କ ପାଇଁ ଅନ୍ତତଃ ପାଞ୍ଚଟି ସକାରାତ୍ମକ ଅନୁଭୂତି ପ୍ରତ୍ୟେକ ନକାରାତ୍ମକ ଅନୁଭୂତି ପାଇଁ ଆଵଶ୍ୟକ ହୁଏ। ସେଥିପାଇଁ କୁହନ୍ତି ଯେ ସକାରାତ୍ମକ ଘଟଣାଠାରୁ ନକାରାତ୍ମକ ଘଟଣା ପାଞ୍ଚ ଗୁଣ ଅଧିକ ଶକ୍ତିଶାଳୀ ହୋଇଥାଏ।

ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ନେଗେଟିଵିଟି ବାୟସ୍ ବହୁତ ସ୍ପଷ୍ଟ ଭାବେ ଦେଖାଯାଏ। ଖବର ଚ୍ୟାନେଲ୍ କିମ୍ଵା ଅନଲାଇନ୍ ପୋର୍ଟାଲ୍ ସାଧାରଣତଃ ଦୁର୍ଘଟଣା, ଅପରାଧ, ରାଜନୈତିକ ଵିଵାଦ, ଦୁର୍ନୀତି, ମହାମାରୀ ଭଳି ନକାରାତ୍ମକ ଖଵରକୁ ଅଧିକ ପ୍ରଚାର କରନ୍ତି କାରଣ ଲୋକେ ସେହିସବୁ ଅଧିକ ଦେଖନ୍ତି ଏଵଂ ଶେୟାର କରନ୍ତି। "If it bleeds, it leads" ନାମକ ସାମ୍ଵାଦିକତା ନୀତି ଏହାକୁ ଆହୁରି ସ୍ପଷ୍ଟ କରେ। ଏକ ସୁଖଦ ଘଟଣା ଵିଷୟରେ ଖବର ଯେମିତି ଏକ ସମୁଦାୟ ଦାତଵ୍ୟ କାର୍ଯ୍ୟକ୍ରମ କିମ୍ଵା ଵୈଜ୍ଞାନିକ ଅଗ୍ରଗତି କମ୍ ଆକର୍ଷଣ ସୃଷ୍ଟି କରେ। ସୋସିଆଲ୍ ମିଡିଆରେ ମଧ୍ୟ ଵିଵାଦୀୟ, କ୍ରୋଧଜନକ କିମ୍ଵା ଭୟଭୀତ କରୁଥିଵା ପୋଷ୍ଟ୍ ଅଧିକ ଲାଇକ୍, କମେଣ୍ଟ୍ ଏଵଂ ଶେୟାର ପାଇଥାଏ। ଉଦାହରଣ ସ୍ୱରୂପ ଆପଣ ମାସ ମାସ ଧରି ଗଵେଷଣା କରି ଦଶଟା ବହି ପଢ଼ି ଅନେକ ତର୍ଜମା କରି ଗୋଟିଏ ପ୍ରବନ୍ଧ ଲେଖିଲେ ଏଵଂ ତାକୁ ଫେସବୁକରେ ପୋଷ୍ଟ କଲେ । ଫଳାଫଳ କ’ଣ ହେଵ ? ଲୋକେ ସେଭଳି ଲେଖାକୁ କମ୍ ପଢି଼ବେ କିନ୍ତୁ ଗୋଟିଏ ଵିଵାଦୀୟ ପୋଷ୍ଟରେ ଶହ ଶହ ସଂଖ୍ୟାରେ ଜଡ଼ିତ ରହିବେ । ସାମାଜିକ ଗଣମାଧ୍ୟମରେ ଗୋଟିଏ ଵିଵାଦୀୟ ପୋଷ୍ଟର ଵିଷ୍ଟାସମ ଗନ୍ଧ ଏକ ସୁଗନ୍ଧିତ ଗଵେଷଣାଲବ୍ଧ ପ୍ରବନ୍ଧଠାରୁ ପାଞ୍ଚଗୁଣ ଅଧିକ ଶକ୍ତିଶାଳୀ କାରଣ ତହିଁରେ ନେଗେଟିଵିଟି ବାୟସ୍‌ର ପ୍ରଭାଵ ରହିଛି । 
ସାମାଜିକ ଗଣମାଧ୍ୟମରେ ନେଗେଟିଵିଟି ବାୟସ୍‌ର ଏହି ପ୍ରଭାଵ ଯୋଗୁଁ ହିଁ ଆମେ ଅଧିକ ନକାରାତ୍ମକ ସୂଚନା ଚାରିପଟେ ଘେରି ରହିଥାଉ ଏଵଂ ଜଗତକୁ ଅଧିକ ଖରାପ ଦେଖୁଥାଉ ଯଦିଓ ଵାସ୍ତଵରେ ଅନେକ କ୍ଷେତ୍ରରେ ପରିସ୍ଥିତି ଉନ୍ନତ ହୋଇଛି।

ଵ୍ୟକ୍ତିଗତ ସ୍ମୃତିରେ ପୂର୍ଵତନ ସମ୍ପର୍କ ଵିଷୟରେ ଚିନ୍ତା କରିଵା ଏ ଧରଣର ଆଉ ଏକ ଉଦାହରଣ ଅଟେ। ଯଦି କୌଣସି ଵ୍ୟକ୍ତି ଏକ ପୁରୁଣା ସମ୍ପର୍କ ଵିଷୟରେ ଚିନ୍ତା କରେ ତେବେ ସେ ପ୍ରାୟତଃ ଝଗଡ଼ା, ଵିଶ୍ୱାସଘାତକତା, ଅପମାନ କିମ୍ଵା ଦୁଃଖଦ ମୁହୂର୍ତ୍ତଗୁଡ଼ିକୁ ଅଧିକ ମନେ ପକାଏ ଏଵଂ ସୁଖଦ ସମୟଗୁଡ଼ିକ ପଛରେ ପଡ଼ିଯାଏ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଵିଵାଦ ହୋଇଯାଏ ସେମାନେ ଅଲଗା ହୋଇଯାଆନ୍ତି ଏଵଂ ପରସ୍ପର ସହିତ ବିତାଇଥିଵା ଭଲ ସମୟକୁ ଗୌଣ କରି ମନ୍ଦ ସମୟକୁ ମନେ ରଖି ଅନ୍ୟ ଆଗରେ ପରସ୍ପରର ନିନ୍ଦା ଗାନ କରନ୍ତି । ମେରି କମ୍‌ଙ୍କ କ୍ଷେତ୍ରରେ ଏହା ହିଁ ଘଟିଛି । ସେ ନିଜ ପୂର୍ଵପତିଙ୍କ ଉପକାରଗୁଡ଼ିକ ଭୁଲିଗଲେ ଯେ କେମିତି ତାଙ୍କ ପୂର୍ଵ ସ୍ଵାମୀ ନିଜର କ୍ୟାରିୟରକୁ ଜଳାଞ୍ଜଳି ଦେଇ ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କଲେ ଏଵଂ କେଵଳ ଖରାପ ମୁହୂର୍ତ୍ତଗୁଡ଼ିକୁ ମନେ ରଖିଲେ । 
ତେବେ ଵ୍ୟକ୍ତିଗତ ସମ୍ପର୍କ କ୍ଷେତ୍ରରେ ନେଗେଟିଵିଟି ବାୟସର ଏହି ପ୍ରଭାଵ ଯୋଗୁଁ ନୂତନ ସମ୍ପର୍କ ଗଢ଼ିଵାରେ ମଧ୍ୟ ଅସୁଵିଧା ହୁଏ କାରଣ ପୁରୁଣା ନକାରାତ୍ମକ ଅଭିଜ୍ଞତା ଯୋଗୁଁ ନୂତନ ଵ୍ୟକ୍ତିଙ୍କୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖାଯାଏ। ଏହାକୁ "emotional scarring" କୁହାଯାଏ କାରଣ ନକାରାତ୍ମକ ଅନୁଭୂତି ଅନେକ ଗଭୀର ଘାଆ ଛାଡ଼ିଯାଏ।

ପୁଣି ରେଷ୍ଟୁରାଣ୍ଟ୍ କିମ୍ଵା ସେଵା ଵିଷୟରେ ଅଭିଯୋଗ କରିଵା ଅଧ୍ୟତମ ଉଦାହରଣ। ଭୋଜନ ଅତ୍ୟନ୍ତ ସ୍ଵାଦିଷ୍ଟ, ପରିବେଶ ସୁନ୍ଦର କିନ୍ତୁ ଯଦି ସେଵାରେ ଏକ ଛୋଟ ଭୁଲ୍ ହୋଇଥାଏ ଯଥା ଅର୍ଡର୍ ଦେଵାରେ ଵିଳମ୍ଵ ଇତ୍ୟାଦି ତେବେ ଅନେକ ଲୋକ ସେହି ଛୋଟ ଭୁଲ୍‌କୁ ନେଇ ଅଭିଯୋଗ କରନ୍ତି ଏଵଂ ସମଗ୍ର ଅଭିଜ୍ଞତାକୁ ଖରାପ ବୋଲି କହନ୍ତି। ଅନଲାଇନ୍ ରିଭ୍ୟୁରେ ମଧ୍ୟ ଦେଖାଯାଏ ଯେ ନକାରାତ୍ମକ ରିଭ୍ୟୁ ଅଧିକ ଲେଖାଯାଏ ଏଵଂ ତାହା ଅଧିକ ଲମ୍ଵା ହୋଇଥାଏ ମାତ୍ର ସକାରାତ୍ମକ ଅଭିଜ୍ଞତା ପାଇଁ ଲୋକେ କମ୍ ସମୟ ଦେଇଥାନ୍ତି। ଏହିପରି ଭାବେ ନକାରାତ୍ମକ ଅଭିଜ୍ଞତା ସକାରାତ୍ମକଠାରୁ ଅଧିକ ପ୍ରଭାଵ ପକାଇଥାଏ ଏଵଂ ଅଧିକ କାର୍ଯ୍ୟକାରିତା ସୃଷ୍ଟି କରେ।

ଏହି ଉଦାହରଣଗୁଡ଼ିକରୁ ସ୍ପଷ୍ଟ ହୁଏ ଯେ ନେଗେଟିଵିଟି ବାୟସ୍ ଆମର ମନୋଭାଵ, ସିଦ୍ଧାନ୍ତ ଗ୍ରହଣ, ସମ୍ପର୍କ, କ୍ରୟ ଆଚରଣ ଏଵଂ ଜଗତ ପ୍ରତି ଦୃଷ୍ଟିକୋଣକୁ ଗଭୀର ଭାବେ ପ୍ରଭାଵିତ କରିଥାଏ। ଏହାକୁ ବୁଝିଵା ଏଵଂ ସଚେତନ ରହିଵା ଦ୍ୱାରା ଆମେ ଅଧିକ ସନ୍ତୁଳିତ ଭାବେ ଜୀଵନକୁ ଦେଖିପାରିଵା ଏଵଂ ନକାରାତ୍ମକ ଘଟଣାକୁ ଅଧିକ ମୂଲ୍ୟ ନଦେଵାକୁ ଶିଖିପାରିଵା।

ତେବେ ମଣିଷମାନେ ଏ ନେଗେଟିଵିଟି ବାୟସ୍ ଵା ନକାରାତ୍ମକ ପକ୍ଷପାତ ଵିଷୟରେ କେମିତି ଜାଣିଲେ ? ନିଶ୍ଚିତ ଭାବରେ ଏହା ଗୋଟିଏ ଦିନରେ ଵା ଵର୍ଷରେ ଜଣାପଡ଼ିନାହିଁ ଵରଂ ଏ କ୍ଷେତ୍ରରେ ବହୁ ଵର୍ଷର ଗଵେଷଣା ନିହିତ ଅଛି । 
ନେଗେଟିଵିଟି ବାୟସ୍ (negativity bias) ଭଳି ଏକ ମନୋଵିଜ୍ଞାନୀୟ ପ୍ରଵୃତ୍ତିର ଐତିହାସିକ ଵିକାଶ ଏଵଂ ଵୈଜ୍ଞାନିକ ଆଵିଷ୍କାର ଅତ୍ୟନ୍ତ ରୋଚକ ଏଵଂ ଗଭୀର। ଏହା ପ୍ରାଚୀନ କାଳରୁ ମାନଵ ମନରେ ଉପସ୍ଥିତ ଥିଲା ଯଦିଓ ସେତେବେଳେ ଏହାକୁ ଏଭଳି ଏକ ନିର୍ଦ୍ଦିଷ୍ଟ ନାମରେ ଚିହ୍ନିତ କରାଯାଇ ନଥିଲା।

 ପ୍ରାଚୀନ କାଳରେ ମାନଵ ସମାଜରେ ଏହି ପ୍ରଵୃତ୍ତିର ପ୍ରକାଶ ଵିଭିନ୍ନ ସାହିତ୍ୟିକ, ଧାର୍ମିକ ଏଵଂ ଦାର୍ଶନିକ ରଚନାରେ ଦେଖାଯାଏ। ଉଦାହରଣ ସ୍ୱରୂପ ପ୍ରାଚୀନ ଭାରତୀୟ ଓ ଗ୍ରୀକ ଦାର୍ଶନିକ ଏଵଂ ସାହିତ୍ୟିକମାନେ ମନ୍ଦ ଘଟଣାର ଅଧିକ ପ୍ରଭାଵଶାଳୀ ହେଵାକୁ ଲକ୍ଷ୍ୟ କରିଥିଲେ। ଶେକ୍ସପିୟର୍ ଙ୍କ ରଚନାରେ ମଧ୍ୟ ଏହି ଧାରଣା ପ୍ରତିଫଳିତ ହୋଇଛି ଯହିଁରେ ଏକ ଛୋଟ ଦୋଷ ସମଗ୍ର ଗୁଣକୁ ନଷ୍ଟ କରିଦେଵାର ଉଲ୍ଲେଖ ରହିଛି। ଆର୍ଥର୍ ଶୋପେନହାୱର୍ ଭଳି ଦାର୍ଶନିକ କହିଥିଲେ ଯେ ଯନ୍ତ୍ରଣାର ଅନୁପସ୍ଥିତି ଅନୁଭଵ ହୁଏ ନାହିଁ କିନ୍ତୁ ଯନ୍ତ୍ରଣା ନିଜେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଅନୁଭଵ ହୁଏ। ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ନାଟ୍ୟଶାସ୍ତ୍ରରେ ଭାଵନାଗୁଡ଼ିକର ଵର୍ଣ୍ଣନାରେ ମଧ୍ୟ ନକାରାତ୍ମକ ଭାଵନାର ଵିସ୍ତୃତତା ଦେଖାଯାଏ। ଏହିସବୁରୁ ସ୍ପଷ୍ଟ ହୁଏ ଯେ ମାନଵ ମନ ପ୍ରାଚୀନ କାଳରୁ ନକାରାତ୍ମକ ଘଟଣାକୁ ଅଧିକ ଗୁରୁତ୍ୱ ଦେଇଆସିଛି।

ଵିଵର୍ତ୍ତନଗତ ଦୃଷ୍ଟିକୋଣରୁ ଦେଖିଲେ ଏହି ପ୍ରଵୃତ୍ତି ଲକ୍ଷ ଲକ୍ଷ ଵର୍ଷ ପୂର୍ବେ ଆମ ପୂର୍ଵପୁରୁଷଙ୍କ ପାଇଁ ଏକ ଅତ୍ୟନ୍ତ ଉପକାରୀ ଅସ୍ତ୍ର ଥିଲା। ସେତେବେଳେ ଵନ୍ୟ ଜନ୍ତୁ, ଵିଷାକ୍ତ ଖାଦ୍ୟ, ପ୍ରାକୃତିକ ଵିପଦ ଏଵଂ ଅନ୍ୟାନ୍ୟ ଵିପଦ ସର୍ଵଦା ଉପସ୍ଥିତ ଥିଲା। ଯେଉଁମାନେ ନକାରାତ୍ମକ ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ତହିଁରୁ ରକ୍ଷା ପାଇଵାର କୌଶଳ ଶିଖିଥିଲେ ଏଵଂ ତାକୁ ଏଡ଼ାଇଵାକୁ ଚେଷ୍ଟା କରିଥିଲେ ସେମାନେ ଅଧିକ ଦିନ ବଞ୍ଚିଵାର ସମ୍ଭାଵନା ରଖିଥିଲେ ଏଵଂ ସେହି genes ପରଵର୍ତ୍ତୀ ପିଢ଼ିକୁ ପ୍ରସାରିତ ହୋଇଛି। ଏକ ଭୁଲ୍ ଯୋଗାତ୍ମକ ଵା false positive ଅର୍ଥାତ୍ ଵିପଦ ନଥିଵା ସମୟରେ ଵିପଦ ଦେଖିଵା ଜୀଵନ ପାଇଁ କ୍ଷତିକାରକ ନୁହେଁ କିନ୍ତୁ ଭୁଲ୍ ନକାରାତ୍ମକ ଵା false negative ଅର୍ଥାତ୍ ଵିପଦ ଥିଵା ସମୟରେ ଵିପଦ ନଦେଖିଵା ମୃତ୍ୟୁ ଘଟାଇପାରେ। ଏହି କାରଣରୁ ଵିଵର୍ତ୍ତନ ଦ୍ଵାରା ପ୍ରକୃତି ଆମକୁ ଅଧିକ ସତର୍କ ରହିଵାକୁ ପ୍ରୋଗ୍ରାମ୍ କରିଛି।

ଆଧୁନିକ ମନୋଵିଜ୍ଞାନରେ ଏହି ପ୍ରଵୃତ୍ତିର ଵ୍ୟଵସ୍ଥିତ ଆଲୋଚନା ଵିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହେଲା । ପ୍ରଥମେ ଏହା impression formation ଏଵଂ ସାମାଜିକ ଵିଚାର କ୍ଷେତ୍ରରେ ଦେଖାଗଲା। ୧୯୬୦ ଓ ୧୯୭୦ ଦଶକରେ ଗଵେଷକମାନେ ଲକ୍ଷ୍ୟ କଲେ ଯେ ନକାରାତ୍ମକ ଗୁଣାଵଳୀ ସମଗ୍ର ଵ୍ୟକ୍ତିତ୍ୱ ମୂଲ୍ୟାଙ୍କନରେ ଅଧିକ ପ୍ରଭାଵ ପକାଇଥାଏ। Kanouse ଓ Hansonଙ୍କ ୧୯୭୨ର କାମରେ ଏହି ନକାରାତ୍ମକ ପ୍ରଭାଵର ଉଲ୍ଲେଖ ରହିଛି। ଏହା ପରେ ଅନେକ ଗଵେଷଣାରେ ଏହି ଧାରଣା ଵିସ୍ତୃତ ହେଲା କିନ୍ତୁ ଏହାକୁ ଏକ ସାଧାରଣ ନିୟମ ଭାବେ ପ୍ରତିଷ୍ଠା କରିଵା ପାଇଁ ଆଵଶ୍ୟକ ଥିଲା ଏକ ସମନ୍ୱିତ ସମୀକ୍ଷା।

ସର୍ଵପ୍ରଥମେ ଏହି ଶବ୍ଦ "negativity bias" ଵା ନକାରାତ୍ମକ ପକ୍ଷପାତକୁ ଏକ ନିର୍ଦ୍ଦିଷ୍ଟ ଏଵଂ ଵ୍ୟାପକ ଅର୍ଥରେ ମନୋଵିଜ୍ଞାନୀ Paul Rozin ଓ Edward Royzman ପ୍ରତିଷ୍ଠା କରିଥିଲେ। ସେମାନଙ୍କ ୨୦୦୧ ମସିହାରେ ପ୍ରକାଶିତ ପେପର୍ "Negativity Bias, Negativity Dominance, and Contagion"ରେ ଏହି ପ୍ରଵୃତ୍ତିକୁ ଚାରିଟି ମୁଖ୍ୟ ଉପାଦାନରେ ଵିଭକ୍ତ କରି ଵର୍ଣ୍ଣନା କରାଯାଇଛି। ଏହି ପେପର୍ ପ୍ରଥମେ ଏହି ଧାରଣାକୁ ଏକ ସାଧାରଣ ନିୟମ ଭାବେ ପ୍ରତିଷ୍ଠା କଲା ଯାହା ମାନଵ ଓ ପଶୁ ଉଭୟଙ୍କ ପାଇଁ ପ୍ରଯୁଜ୍ୟ। ସେହି ଵର୍ଷରେ ହିଁ Roy Baumeister ଏଵଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା "Bad is Stronger than Good" ନାମକ ଏକ ପ୍ରଭାଵଶାଳୀ ସମୀକ୍ଷା ପ୍ରକାଶିତ ହେଲା ଯହିଁରେ ଵିଭିନ୍ନ କ୍ଷେତ୍ରରେ ନକାରାତ୍ମକ ଘଟଣାର ଅଧିକ ପ୍ରଭାଵକୁ ଵିସ୍ତୃତ ଭାବେ ପ୍ରମାଣ କରାଯାଇଛି । ସମ୍ପର୍କ, ଭାଵନା, ସିଦ୍ଧାନ୍ତ ଗ୍ରହଣ, ସ୍ମୃତି, ସ୍ୱାସ୍ଥ୍ୟ ଏଵଂ ଅନ୍ୟାନ୍ୟ କ୍ଷେତ୍ରରେ କେମିତି Negativity biasର ପ୍ରଭାଵ ପରିଲକ୍ଷିତ ହୁଏ ତାହା ଏଥିରେ ଵର୍ଣ୍ଣିତ ହୋଇଛି। ଏହି ଦୁଇଟି ପେପର୍ ଏକତ୍ର ଏହି ଵିଷୟକୁ ଆଧୁନିକ ମନୋଵିଜ୍ଞାନରେ ଏକ ପ୍ରମୁଖ ସ୍ଥାନ ଦେଲା।

ତତ୍ପରେ ଏ ଵିଷୟରେ ଅନେକ ଅଧ୍ୟୟନ ହୋଇଛି ।neuroscience ପ୍ରମାଣ ଦେଖାଇଛି ଯେ amygdala ଭଳି ମସ୍ତିଷ୍କ ଅଂଶ ନକାରାତ୍ମକ ଉତ୍ତେଜନାକୁ ଅଧିକ ଶୀଘ୍ର ଏଵଂ ଗଭୀର ଭାବେ ପ୍ରତିକ୍ରିୟା କରିଥାଏ। fMRI ସ୍କାନ୍ ଦେଖାଏ ଯେ ନକାରାତ୍ମକ ଛବି ଦେଖିଲେ ଆମ୍ୟଗ୍ଡାଲା ଅଧିକ ସକ୍ରିୟ ହୁଏ ଯାହା ସକାରାତ୍ମକ କିମ୍ଵା ନିରପେକ୍ଷ ଛବି ସମୟରେ ହୁଏ ନାହିଁ। ଶିଶୁ ଵିକାଶରେ ମଧ୍ୟ ଏହି ବାୟସ୍ ପ୍ରଥମ ଵର୍ଷର ଦ୍ୱିତୀୟ ଭାଗରେ ଦେଖାଯାଏ ଯାହା social referencing ମାଧ୍ୟମରେ ପ୍ରମାଣିତ ହୋଇଛି। ଆଧୁନିକ ଯୁଗରେ ଏହି ବାୟସ୍ ସାମାଜିକ ଗଣମାଧ୍ୟମ, ଖବର ଓ ଦୈନନ୍ଦିନ ସିଦ୍ଧାନ୍ତରେ ପ୍ରଭାଵ ପକାଇଛି। ଏହି ଐତିହାସିକ ଯାତ୍ରା ପ୍ରାଚୀନ ସମୟର ପ୍ରାକୃତିକ ପ୍ରଵୃତ୍ତିରୁ ଆରମ୍ଭ ହୋଇ ଆଧୁନିକ ଵୈଜ୍ଞାନିକ ସମୀକ୍ଷା ପର୍ଯ୍ୟନ୍ତ ପହଞ୍ଚିଛି ଯାହା ଆମକୁ ବୁଝାଏ ଯେ କେମିତି ଏକ ଵିଵର୍ତ୍ତନଗତ ଉପକାରୀ ପ୍ରକ୍ରିୟା ଆଜି ମଧ୍ୟ ଆମର ମନୋଭାଵକୁ ନିର୍ଦ୍ଦେଶିତ କରୁଛି।

ଅଵଶ୍ୟ ନେଗେଟିଵିଟି ବାୟସ୍ ମାନଵଜାତିରେ ହଜାର ହଜାର ଵର୍ଷ ପୂର୍ଵେ ଥିଵାର ପ୍ରମାଣ ସିଧାସଳଖ ପ୍ରାଚୀନ ଜୀଵାଶ୍ମ କିମ୍ଵା ଫସିଲ୍ ରୂପରେ ନଥିଲେ ମଧ୍ୟ evolutionary ଵା ଵିଵର୍ତ୍ତନଗତ ଓ developmental ଵା ଵିକାଶମୂଳକ ଏଵଂ ନ୍ୟୁରୋସାଇନ୍ସ୍ ଆଧାରିତ ଅନେକ ପ୍ରମାଣ ରହିଛି ଯାହା ଏହାକୁ ଏକ ପ୍ରାଚୀନ ଵିଵର୍ତ୍ତନଗତ ପ୍ରକ୍ରିୟାର ଫଳ ବୋଲି ସ୍ପଷ୍ଟ କରିଥାଏ।

ଲକ୍ଷ ଲକ୍ଷ ଵର୍ଷ ପୂର୍ଵେ ଆମ ପୂର୍ଵପୁରୁଷଙ୍କ ପାଇଁ ଆଜିଠାରୁ ସମ୍ପୂର୍ଣ୍ଣ ଭିନ୍ନ ପରସ୍ଥିତି ଥିଲା ।‌ ସେତେବେଳେ ଏକ ନକାରାତ୍ମକ ଘଟଣା ମୃତ୍ୟୁର ସାମ୍ନା କରାଇ ଦେଉଥିଲା । ମନୁଷ୍ୟ ଅନ୍ଧକାରକୁ ଡରୁଥିଲା କାରଣ ଅନ୍ଧକାରରେ ନିଶାଚର ମାଂସାହାରୀ ଜୀଵଙ୍କ ହାବୁଡ଼ରେ ପଡ଼ିଵାର ସମ୍ଭାଵନା ଥିଲା କିମ୍ବା ଵିଷାକ୍ତ ପୋକ,ବୁଢ଼ିଆଣୀ,କଙ୍କଡ଼ାବିଚ୍ଛା କିମ୍ବା ସର୍ପ ଦଂଶନର ଭୟ ରହୁଥିଲା । ମନୁଷ୍ୟ ଜଳକୁ ଡରୁଥିଲା,ଅଗ୍ନିକୁ ଡରୁଥିଲା,ପର୍ଵତକୁ ଡରୁଥିଲା,ଵିଜୁଳି ଓ ଵର୍ଷାକୁ ଡରୁଥିଲା କାରଣ ସେ ଜାଣିଥିଲା ଏକ ମନ୍ଦ ପରିସ୍ଥିତିରେ ପଡ଼ି ମୃତ୍ୟୁଵରଣ କରିଵା ସାର ହେଵ । 
ସେତେବେଳେ ନକାରାତ୍ମକ ପକ୍ଷପାତର ଭାଵନା ତା ମନକୁ କଵଳିତ କରିଛି ଯାହା ପିଢ଼ି ପିଢ଼ି ଧରି ଆହୁରି ଉତ୍କଟ ହୋଇଛି । ଏହାର କିଛି ହଜାର ଵର୍ଷ ନୁହେଁ ଵରଂ ଲକ୍ଷାଧିକ ଵର୍ଷ ଧରି ମାନଵ ତଥା ସେମାନଙ୍କ ହୋମୋ ପୂର୍ଵଜଙ୍କୁ ସାମ୍ନା କରିଵାକୁ ପଡ଼ିଛି । ଏହି ସବୁ କାରଣରୁ ମଣିଷ ମନରେ ନକାରାତ୍ମକ ପକ୍ଷପାତ ଜନ୍ମ ନେଇଛି ଏଵଂ ତାହା ଜିନ୍‌ରେ ପର ପିଢ଼ିକୁ ମିଳିଛି। ମଣିଷମାନଙ୍କ ମଧ୍ୟରେ ଏହା ଏତେ ସାଧାରଣ ଯେ ତିନି ମାସର ମାନଵଶିଶୁ ମଧ୍ୟରେ ବି ଏହାର ଲକ୍ଷଣ ପ୍ରକାଶ କରିଥାଏ । ଗବେଷଣାରୁ ଜଣାପଡ଼ିଛି ଯେ ମାତ୍ର ୩ ମାସର ଶିଶୁମାନେ ସାମାଜିକ ମୂଲ୍ୟାଙ୍କନରେ ନକାରାତ୍ମକ ଘଟଣାକୁ ଅଧିକ ଧ୍ୟାନ ଦିଅନ୍ତି। Hamlin, Wynn ଓ Bloomଙ୍କ ଅଧ୍ୟୟନରେ ୩ ମାସର ଶିଶୁମାନେ ସାହାଯ୍ୟକାରୀ(helper)ଠାରୁ ବାଧାଦାୟକ (hinderer)ଏଜେଣ୍ଟକୁ ଅଧିକ ସମୟ ଦେଖିଥିଲେ। ୬ ଏଵଂ ୧୦ ମାସର ଶିଶୁମାନେ ମଧ୍ୟ ନକାରାତ୍ମକ ଏଜେଣ୍ଟକୁ ଅଧିକ ଏଡ଼ାଇଥିଲେ ଏଵଂ ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ଏହା ଦର୍ଶାଏ ଯେ ଏହି ବାୟସ୍ ଵା ପକ୍ଷପାତ ଜନ୍ମଗତ ଅଟେ ‌।

ମନୁଷ୍ୟ ମଧ୍ୟରେ negativity bias" ଵା ନକାରାତ୍ମକ ପକ୍ଷପାତର ଗୁଣ ଥିଵାର
ନ୍ୟୁରୋଵାୟୋଲୋଜିକାଲ୍ ପ୍ରମାଣ ମଧ୍ୟ ରହିଛି । ଆମ୍ୟଗ୍ଡାଲା (amygdala) ଭଳି ମସ୍ତିଷ୍କ ଅଂଶ ନକାରାତ୍ମକ ଉତ୍ତେଜନାକୁ ଅଧିକ ଶୀଘ୍ର ଏଵଂ ଗଭୀର ଭାବେ ପ୍ରତିକ୍ରିୟା କରିଥାଏ ଯାହା ଏକ ପ୍ରାଚୀନ ଵିଵିର୍ତ୍ତନଗତ ଵ୍ୟଵସ୍ଥାର ଅଂଶ। ଏହି ପ୍ରତିକ୍ରିୟା ପ୍ରାଣୀମାନଙ୍କରେ ମଧ୍ୟ ଦେଖାଯାଏ ଯାହା ଏହାର ପ୍ରାଚୀନତାକୁ ସମର୍ଥନ କରେ। ସେହିପରି କ୍ରସ୍-କଲ୍ଚରାଲ୍ ଅଧ୍ୟୟନରେ ଦେଖାଯାଇଛି ଯେ ଵିଭିନ୍ନ ସଂସ୍କୃତିରେ ନକାରାତ୍ମକ ଖବରକୁ ଅଧିକ ଶାରୀରିକ ପ୍ରତିକ୍ରିୟା ଦିଆଯାଏ ଯାହା ଏହାର ସାର୍ଵଜନୀନତା ଏଵଂ ଵିଵର୍ତ୍ତନ ସମ୍ବନ୍ଧୀୟ ମୂଳକୁ ପ୍ରମାଣ କରେ। ଶତାଧିକ ଵର୍ଷ ଧରି କରାଯାଇଥିଵା ସମଗ୍ର ଗଵେଷଣାରୁ ସ୍ପଷ୍ଟ ହୁଏ ଯେ ଏହି ନେଗେଟିଵିଟି ବାୟସ୍ ହଜାର ହଜାର ଵର୍ଷ ପୂର୍ବେ ଆମ ପୂର୍ଵପୁରୁଷଙ୍କ ମଧ୍ୟରେ ଥିଲା ଏଵଂ ଏହା ଜୀଵନ ରକ୍ଷା ପାଇଁ ଏକ ମୌଳିକ ପ୍ରକ୍ରିୟା ଥିଲା ଯାହା ଆଜି ମଧ୍ୟ ଆମ ମନରେ ରହିଛି।

ନେଗେଟିଵିଟି ବାୟସ୍‌ର ପ୍ରକାଶ ଓ କାର୍ଯ୍ୟପ୍ରଣାଳୀକୁ ବୁଝିଵା ପାଇଁ Paul Rozin ଓ Edward B. Royzmanଙ୍କ ୨୦୦୧ ମସିହାର ପ୍ରସିଦ୍ଧ ଗଵେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଏହି ବାୟସ୍‌କୁ ଚାରିଟି ମୁଖ୍ୟ ଉପାଦାନରେ ଵିଭକ୍ତ କରିଛନ୍ତି: (କ)negative potency
(ଖ)steeper negative gradients (ଗ)negativity dominance
(ଘ)negative differentiation

ପ୍ରଥମ ଘଟକ ହେଉଛି negative potency ଅର୍ଥାତ୍ ନକାରାତ୍ମକ ଶକ୍ତି। ଏହା କହେ ଯେ ସମାନ ମାତ୍ରାର ନକାରାତ୍ମକ ଏଵଂ ସକାରାତ୍ମକ ଘଟଣା ଥିଲେ ମଧ୍ୟ ନକାରାତ୍ମକ ଘଟଣା ଅଧିକ ଶକ୍ତିଶାଳୀ ହୋଇଥାଏ ଏଵଂ ଅଧିକ ପ୍ରଭାଵ ପକାଇଥାଏ। ଉଦାହରଣ ସ୍ୱରୂପ ଯଦି ଆପଣ ୫୦୦ ଟଙ୍କା ପାଇଵା ସହ ସେହି ପରିମାଣର ଟଙ୍କା ହରାଇଵା ହୁଏ ତେବେ ହରାଇଵାର ଦୁଃଖ, ପାଇଵାର ଆନନ୍ଦଠାରୁ ଅଧିକ ହୋଇଥାଏ। ମନୋଵିଜ୍ଞାନୀ Daniel Kahneman ଓ Amos Tverskyଙ୍କ ପ୍ରସ୍ପେକ୍ଟ୍ ଥିଓରୀରେ ଏହି ଧାରଣା ଦେଖାଯାଏ ଯେ କ୍ଷତି ଲାଭଠାରୁ ପ୍ରାୟ ଦୁଇ ଗୁଣ ଅଧିକ ଶକ୍ତିଶାଳୀ ହୋଇଥାଏ। ନକାରାତ୍ମକ ଵସ୍ତୁ କିମ୍ଵା ଅନୁଭୂତିର ତୀଵ୍ରତା ସକାରାତ୍ମକ ଵସ୍ତୁର ତୀଵ୍ରତାଠାରୁ ଅଧିକ ହୋଇଥାଏ ଯାହା ଆମ ମନରେ ଅଧିକ ଗଭୀର ପ୍ରଭାଵ ପକାଇଥାଏ।

ଦ୍ୱିତୀୟ ଘଟକ ହେଉଛି steeper negative gradients। ଏହା କହେ ଯେ ନକାରାତ୍ମକ ଘଟଣା ସମୟ କିମ୍ଵା ସ୍ଥାନରେ ନିକଟତର ହେଵା ସହ ତାହାର ନକାରାତ୍ମକତା ଅଧିକ ଶୀଘ୍ର ଏଵଂ ଅଧିକ ତୀଵ୍ର ଭାବେ ବଢ଼ିଥାଏ ଫଳତଃ ସକାରାତ୍ମକ ଘଟଣାର ସକାରାତ୍ମକତା ସେତେ ଶୀଘ୍ର ବଢ଼େ ନାହିଁ। ଉଦାହରଣ ସ୍ୱରୂପ ଏକ ବଡ଼ ବିଲ୍ ଦେଵାର ତାରିଖ ନିକଟତର ହେଵା ସହ ଚିନ୍ତା ଅଧିକ ତୀଵ୍ର ହୋଇଯାଏ କିନ୍ତୁ ଏକ ବଡ଼ ପରିମାଣର ଟଙ୍କା ପାଇଵାର ତାରିଖ ନିକଟତର ହେଵା ସହ ଆନନ୍ଦ ସେତେ ତୀଵ୍ର ଭାବେ ବଢ଼େ ନାହିଁ। ନକାରାତ୍ମକ ଘଟଣା ଆମକୁ ଅଧିକ ସତର୍କ କରି ରଖିଥାଏ କାରଣ ଵିପଦ ନିକଟତର ହେଵା ସହ ତାହାର ପ୍ରଭାଵ ଅଧିକ ବଢ଼ିଯାଏ।

ତୃତୀୟ ଘଟକ ହେଉଛି negativity dominance ଯାହା ନେଗେଟିଵିଟି ବାୟସ୍‌ର ସବୁଠାରୁ ସଶକ୍ତ ପ୍ରକାଶ ଅଟେ। ଯେତେବେଳେ ସକାରାତ୍ମକ ଏଵଂ ନକାରାତ୍ମକ ଘଟଣା ମିଶିଥାଏ ତେବେ ସମଗ୍ର ଅନୁଭୂତି ଵା ମୂଲ୍ୟାଙ୍କନ ନକାରାତ୍ମକ ଦିଗକୁ ଅଧିକ ଢଳିଥାଏ। ଉଦାହରଣ ସ୍ୱରୂପ ଏକ ଭଲ ଖାଦ୍ୟରେ ଏକ ଛୋଟ ଖରାପ ଅଂଶ ସମଗ୍ର ଖାଦ୍ୟକୁ ମନ୍ଦ କରିଦେଇପାରେ। ଏକ ଵ୍ୟକ୍ତିର ଅନେକ ଭଲ ଗୁଣ ଥିଲେ ମଧ୍ୟ ଗୋଟିଏ ବଡ଼ ଖରାପ ଗୁଣ ସମଗ୍ର ପ୍ରଭାଵକୁ ନକାରାତ୍ମକ କରିଦେଇପାରେ। ନକାରାତ୍ମକ ଘଟଣା ସକାରାତ୍ମକ ଘଟଣାକୁ ଲୁଚାଇ ଦେଇଥାଏ ଏଵଂ ସମଗ୍ର ପରିସ୍ଥିତିକୁ ନକାରାତ୍ମକ କରିଦିଏ। ଏହା ଦୈନନ୍ଦିନ ଜୀଵନରେ ସମ୍ପର୍କ, କାର୍ଯ୍ୟକ୍ଷେତ୍ର ଏଵଂ ସାମାଜିକ ପାରସ୍ପରିକ କାର୍ଯ୍ୟରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଏ।

ଚତୁର୍ଥ ଘଟକ ହେଉଛି negative differentiation। ଏହି ଉପାଦାନ ଅନୁସାରେ ନକାରାତ୍ମକ ଵସ୍ତୁ କିମ୍ଵା ଘଟଣାଗୁଡ଼ିକ ଅଧିକ ଵିଵିଧ ହୋଇଥାଏ, ଅଧିକ ଜଟିଳ ଧାରଣା ସୃଷ୍ଟି କରିଥାଏ ଏଵଂ ଅଧିକ ଵିସ୍ତୃତ ପ୍ରତିକ୍ରିୟା ଉତ୍ପନ୍ନ କରିଥାଏ। ଅର୍ଥାତ୍ ନକାରାତ୍ମକ ଅନୁଭୂତି କିମ୍ଵା ଵିଷୟଗୁଡ଼ିକୁ ଆମେ ଵିଭିନ୍ନ ଭାଵରେ ଵର୍ଗୀକରଣ କରୁଛୁ। ଉଦାହରଣ ସ୍ୱରୂପ ଆମ ଭାଷାରେ ନକାରାତ୍ମକ ଭାଵନା ଵର୍ଣ୍ଣନା କରିଵା ପାଇଁ ଅଧିକ ଶବ୍ଦ ଅଛି ଯେମିତି କ୍ରୋଧ, ଭୟ, ଘୃଣା, ଉଦ୍ବେଗ, ଈର୍ଷା, ଦୁଃଖ ଇତ୍ୟାଦି କିନ୍ତୁ ସକାରାତ୍ମକ ଭାଵନା ପାଇଁ କମ୍ ଶବ୍ଦ ଅଛି । ଏଥିଯୋଗୁଁ ନକାରାତ୍ମକ ଘଟଣା ଆମ ମନରେ ଅଧିକ ସ୍ଥାୟୀ ଏଵଂ ଵିସ୍ତୃତ ଭାବେ ରହିଥାଏ।

ଏହି ଚାରିଟି ଘଟକ ଏକତ୍ର ନେଗେଟିଵିଟି ବାୟସ୍‌ର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରେ ଏଵଂ ବୁଝାଏ ଯେ କାହିଁକି ନକାରାତ୍ମକ ଘଟଣା ଆମ ମନରେ ଅଧିକ ଗଭୀର, ଅଧିକ ଦୀର୍ଘସ୍ଥାୟୀ ଏଵଂ ଅଧିକ ପ୍ରଭାଵଶାଳୀ ହୋଇଥାଏ। ଏହି ଘଟକଗୁଡ଼ିକ ଵିଵର୍ତ୍ତନଗତ ଭାବେ ଆମକୁ ଵିପଦରୁ ରକ୍ଷା କରିଵା ପାଇଁ ସାହାଯ୍ୟ କରିଥିଲେ କିନ୍ତୁ ଆଧୁନିକ ଜୀଵନରେ ଏହା ଅନେକ ସମୟରେ ଆମକୁ ଅଧିକ ଚିନ୍ତାଗ୍ରସ୍ତ, ନକାରାତ୍ମକ ଏଵଂ ଅସନ୍ତୁଳିତ କରିଥାଏ।

 ନେଗେଟିଵିଟି ବାୟସ୍ ଵା ନକାରାତ୍ମକ ପକ୍ଷପାତ ଆଧୁନିକ ଜୀଵନରେ ବହୁ ପ୍ରକାରର ପ୍ରଭାଵ ପକାଇଥାଏ। ଏହା ଆମର ମାନସିକ ସ୍ୱାସ୍ଥ୍ୟ, ସମ୍ପର୍କ, କ୍ୟାରିୟର୍ ଏଵଂ ସାମଗ୍ରିକ ସୁଖକୁ ପ୍ରଭାଵିତ କରିପାରେ। ଯେଉଁମାନେ ଅଧିକ ନକାରାତ୍ମକ ଘଟଣାକୁ ଗୁରୁତ୍ୱ ଦେଇଥାନ୍ତି ସେମାନେ ଉଦ୍ବେଗ, ଅଵସାଦ ଓ ଚାପର ଶିକାର ହେଵାର ସମ୍ଭାଵନା ଅଧିକ ରଖନ୍ତି। ସମ୍ପର୍କରେ ଏହି ବାୟସ୍ ଅନାଵଶ୍ୟକ ସଂଘର୍ଷ ଏଵଂ ଭୁଲ ବୁଝାମଣା ସୃଷ୍ଟି କରିପାରେ। କାର୍ଯ୍ୟକ୍ଷେତ୍ରରେ ଏହା ଆତ୍ମଵିଶ୍ୱାସ କମାଇ ଦେଇପାରେ ଏଵଂ ଅଗ୍ରଗତିକୁ ଵାଧା ଦେଇପାରେ।

କିନ୍ତୁ ଏହାର ପ୍ରତିକାର ସମ୍ଭଵ। ପ୍ରଥମେ ଏହି ବାୟସ୍ ଵିଷୟରେ ସଚେତନତା ହିଁ ପ୍ରଥମ ପଦକ୍ଷେପ। ଯେତେବେଳେ ଆମେ ବୁଝିଵା ଯେ ଆମର ମନ ନକାରାତ୍ମକତାକୁ ଅଧିକ ଗୁରୁତ୍ୱ ଦେଇଥାଏ ତେବେ ଆମେ ସଚେତନ ଭାବେ ସକାରାତ୍ମକ ଘଟଣାଗୁଡ଼ିକୁ ମଧ୍ୟ ଧ୍ୟାନ ଦେଵାକୁ ଚେଷ୍ଟା କରିପାରିଵା। ସକାରାତ୍ମକ ମନୋଵିଜ୍ଞାନ ଵା positive psychologyର କିଛି ଅଭ୍ୟାସ ଯେମିତି କୃତଜ୍ଞତା ଡାଇରୀ ଲେଖିଵା, ପ୍ରତିଦିନର ତିନୋଟି ଭଲ ଜିନିଷ ଚିନ୍ତା କରିଵା, ସକାରାତ୍ମକ ପୁନର୍ମୂଲ୍ୟାଙ୍କନ ଵା positive reframing ଇତ୍ୟାଦି ଅଭ୍ୟାସ କରିଵା ଦ୍ଵାରା ଲାଭ ହୋଇପାରେ। ମାଇଣ୍ଡଫୁଲନେସ୍ (mindfulness) ଏଵଂ ମେଡିଟେସନ୍ ମଧ୍ୟ ଆମକୁ ଵର୍ତ୍ତମାନ ମୁହୂର୍ତ୍ତରେ ରହିଵାକୁ ଏଵଂ ନକାରାତ୍ମକ ଚିନ୍ତାର ପୁନରାଵୃତ୍ତି (rumination) କମାଇଵାକୁ ସାହାଯ୍ୟ କରେ।

ସମ୍ପର୍କରେ ଆମେ ସଚେତନ ଭାବେ ସକାରାତ୍ମକ ଅନୁଭୂତିଗୁଡ଼ିକୁ ଅଧିକ ପ୍ରକାଶ କରିପାରିଵା ଏଵଂ ନକାରାତ୍ମକ ଘଟଣାକୁ ପ୍ରସଙ୍ଗରେ ରଖିପାରିଵା। ସାମାଜିକ ଗଣମାଧ୍ୟମ ଏଵଂ ସାମାଜିକ ଗଣମାଧ୍ୟମର ଵ୍ୟଵହାରକୁ ସୀମିତ କରିଵା ମଧ୍ୟ ସାହାଯ୍ୟକାରୀ ହୋଇପାରେ କାରଣ ଏଗୁଡ଼ିକ ନକାରାତ୍ମକ ସୂଚନାର ପ୍ରମୁଖ ଉତ୍ସ। ସକାରାତ୍ମକ ସମ୍ପର୍କ ଏଵଂ ସାମାଜିକ ସହାୟତା ଵିକଶିତ କରିଵା ମଧ୍ୟ ନେଗେଟିଵିଟି ବାୟସ୍‌ର ପ୍ରଭାଵ କମାଇଦେଇପାରେ।


ନେଗେଟିଵିଟି ବାୟସ୍ ମାନଵ ମନର ଏକ ପ୍ରାକୃତିକ ଏଵଂ ଶକ୍ତିଶାଳୀ ପ୍ରଵୃତ୍ତି ଯାହା ଆମର ଵିଵର୍ତ୍ତନଗତ ଇତିହାସରେ ଗଭୀର ଭାବେ ଜଡ଼ିତ । ଏହା ପୂର୍ଵକାଳରେ ଆମ ପୂର୍ଵପୁରୁଷଙ୍କ ପାଇଁ ଏକ ଜୀଵନରକ୍ଷକ ଯନ୍ତ୍ର ଥିଲା କିନ୍ତୁ ଆଧୁନିକ ଜୀଵନରେ ଏହା ଅନେକ ସମୟରେ ଆମର ସୁଖ ଏଵଂ କଲ୍ୟାଣକୁ ବାଧା ଦେଇଥାଏ। ଦୈନନ୍ଦିନ ଜୀଵନରେ କାର୍ଯ୍ୟକ୍ଷେତ୍ର, ସମ୍ପର୍କ, ମିଡିଆ, ସ୍ମୃତି ଏଵଂ ଵିଭିନ୍ନ କ୍ଷେତ୍ରରେ ଆମେ ଏହାର ପ୍ରକାଶ ଦେଖିପାରୁଛୁ। ଏହାର ଵୈଜ୍ଞାନିକ ଆଵିଷ୍କାର ପ୍ରାଚୀନ ଦାର୍ଶନିକ ପର୍ଯ୍ୟବେକ୍ଷଣରୁ ଆରମ୍ଭ ହୋଇ ଆଧୁନିକ ନ୍ୟୁରୋସାଇନ୍ସ୍ ପର୍ଯ୍ୟନ୍ତ ଵିସ୍ତୃତ ହୋଇଛି।

Paul Rozin ଓ Roy Baumeisterଙ୍କ ଯୁଗାନ୍ତକାରୀ ଗଵେଷଣା ଏହି ପ୍ରଵୃତ୍ତିକୁ ଏକ ସ୍ପଷ୍ଟ ତଥା ଵୈଜ୍ଞାନିକ frameworkରେ ପ୍ରତିଷ୍ଠା କରିଛି। ଚାରିଟି ମୁଖ୍ୟ ଉପାଦାନ - negative potency, steeper negative gradients, negativity dominance ଏଵଂ negative differentiation - ଏକତ୍ର ଏହି ଵାୟସ୍‌ର ଜଟିଳ କାର୍ଯ୍ୟପ୍ରଣାଳୀକୁ ବୁଝାଏ। ଶିଶୁମାନଙ୍କ ମଧ୍ୟରେ ଏହାର ପ୍ରାରମ୍ଭିକ ଉପସ୍ଥିତି, ଵିଵର୍ତ୍ତନଗତ ନିର୍ଵାଚନ ତତ୍ତ୍ୱ ଓ ନ୍ୟୁରୋବାୟୋଲୋଜିକାଲ୍ ପ୍ରମାଣ ଆଦି ସମସ୍ତ ଏହାକୁ ଏକ ପ୍ରାଚୀନ ଆଉ ସାର୍ଵଜନୀନ ମାନଵୀୟ ଲକ୍ଷଣ ବୋଲି ପ୍ରମାଣ କରେ।

କିନ୍ତୁ ତଥାପି ଆଶା ଅଛି। ଏହି ବାୟସ୍ ଵିଷୟରେ ସଚେତନତା ହିଁ ପ୍ରଥମ ଏଵଂ ମୁଖ୍ୟ ପଦକ୍ଷେପ। ଯେତେବେଳେ ଆମେ ବୁଝିଵା ଯେ ଆମର ମନ ସ୍ୱାଭାଵିକ ଭାବେ ନକାରାତ୍ମକତା ପ୍ରତି ଆକର୍ଷିତ ହୁଏ ତେବେ ଆମେ ସଚେତନ ଭାବେ ସକାରାତ୍ମକ ଅନୁଭୂତିଗୁଡ଼ିକୁ ମଧ୍ୟ ସମାନ ଧ୍ୟାନ ଦେଵାକୁ ଚେଷ୍ଟା କରିପାରିଵା। କୃତଜ୍ଞତା ଅଭ୍ୟାସ, ଦୃଢ଼ ମନୋଯୁଗ, ସକାରାତ୍ମକ ପୁନର୍ମୂଲ୍ୟାଙ୍କନ ଏଵଂ ସକାରାତ୍ମକ ସାମାଜିକ ସଂଯୋଗ ସମସ୍ତ ଆମକୁ ଏହି ଵାୟସ୍‌ର ପ୍ରଭାଵ କମାଇଵାରେ ସାହାଯ୍ୟ କରିପାରେ।

ସର୍ଵୋପରି ନେଗେଟିଵିଟି ଵାୟସ୍ ଆମର ଏକ ଦୋଷ ନୁହେଁ ଵରଂ ଏକ ଵିଵର୍ତ୍ତନଗତ ଉପହାର ଯାହା ଆମ ପୂର୍ଵପୁରୁଷଙ୍କୁ ବଞ୍ଚିଵାରେ ସାହାଯ୍ୟ କରିଥିଲା। ଆଧୁନିକ ଜୀଵନରେ ଏହାକୁ ବୁଝି ଓ ସନ୍ତୁଳିତ କରି ଆମେ ଅଧିକ ସୁଖୀ, ଅଧିକ ସନ୍ତୁଳିତ ଏଵଂ ଅଧିକ ସମୃଦ୍ଧ ଜୀଵନ ଯାପନ କରିପାରିଵା। ଏହା କେଵଳ ନକାରାତ୍ମକତାକୁ ଅଣଦେଖା କରିଵା ନୁହେଁ ଵରଂ ସକାରାତ୍ମକ ଏଵଂ ନକାରାତ୍ମକ ଉଭୟକୁ ସମାନ ଏଵଂ ସନ୍ତୁଳିତ ଦୃଷ୍ଟିରେ ଦେଖିଵାର ଏକ ଚେଷ୍ଟା। ଏହି ବୁଝାମଣା ଓ ଅଭ୍ୟାସ ଆମକୁ ଅଧିକ ଵାସ୍ତଵଵାଦୀ, ଅଧିକ ସ୍ଥିର ଏଵଂ ଅଧିକ ସଚେତନ ଭାବେ ଜୀଵନ ଯାପନ କରିଵାକୁ ସାହାଯ୍ୟ କରିପାରେ।

No comments:

Post a Comment

ମାନଵ ମନର ନକାରାତ୍ମକ ଆକର୍ଷଣ ଏଵଂ ତହିଁର ଵିଵର୍ତ୍ତନ ଇତିହାସ

ମାନଵ ମନ ଏକ ଜଟିଳ ଏଵଂ ରହସ୍ୟମୟ ଯନ୍ତ୍ର। ଆମେ ପ୍ରତିଦିନ ହଜାର ହଜାର ସୂଚନା, ଅନୁଭୂତି ଓ ଘଟଣାର ସାମ୍ନା କରୁଛୁ, କିନ୍ତୁ ସବୁକିଛି ସମାନ ଭାବେ ଆମ ମନରେ ପ୍ରଭାଵ ପକାଇ...