My Blog List

Tuesday, April 19, 2022

ପାର୍ସୀ ଭାଷାର ଖୁଦା(ଈଶ୍ଵର),ଖାତୁନ୍(ମହିଳା, ସମ୍ମାନନୀୟା ମହିଳା) ସହିତ ଵୈଦିକ ସ୍ବଧା ଶବ୍ଦର କ'ଣ ସମ୍ପର୍କ ଅଛି ଜାଣିଛନ୍ତି କି ?


କଠୋରପନ୍ଥୀ ମୁସଲମାନମାନେ ସନାତନ ଧର୍ମର ଶାସ୍ତ୍ର ପୁରାଣ ଲେଖାଯାଇଥିଵାରୁ ସଂସ୍କୃତ ଭାଷା ଓ ଏହାର ଶବ୍ଦାଵଳୀକୁ ଘୃଣା କରନ୍ତି ।  କିନ୍ତୁ ଭାରତ ,ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନର ମୁସଲମାନମାନେ ସର୍ଵଶକ୍ତିମାନ ନିରାକାର ଈଶ୍ଵରଙ୍କୁ ଯେଉଁ ଖୁଦା ସମ୍ବୋଧନ କରି ସ୍ମରଣ କରିଥାନ୍ତି ତାହାର ସମ୍ପର୍କ ସଂସ୍କୃତ ସହିତ ରହିଛି ବୋଲି ସେମାନେ ଜାଣିନାହାନ୍ତି ।

ଆଧୁନିକ ଖୁଦା ଶବ୍ଦଟି ପୂର୍ଵେ خدای‎ (xodây) ଥିଲା ଏଵଂ ତହିଁ ପୂର୍ଵରୁ  𐫑𐫇𐫅𐫀𐫏‎ (xwadāy) ରୂପରେ ଇରାନରେ ପ୍ରଚଳିତ ଥିଲା ।

ପାଶ୍ଚାତ୍ୟ ଭାଷାଵିଦମାନେ ଖୁଦା ଶବ୍ଦର ଵିଭିନ୍ନ ଅଞ୍ଚଳରେ ତଥା ଭିନ୍ନ ଭିନ୍ନ କାଳଖଣ୍ଡରେ ପ୍ରଚଳିତ ରୂପକୁ ଆଧାର କରି ଏହାର ପ୍ରାକ୍ ଇରାନୀ ରୂପ  *hwatā́wā (“lord, god”) ଅନୁମାନ କରିଛନ୍ତି ।

ପ୍ରାକ୍ ଇରାନୀୟ ଶବ୍ଦ  hwatā́wā ରେ ଦୁଇଟି ଶବ୍ଦ ଅଛି
*hwá (“ସ୍ଵୟଂ”) ଓ  *tā́wā(ଶକ୍ତିଶାଳୀ ଵା ଶକ୍ତିମାନ) । ଏହାର ସବୁଠାରୁ ନିକଟତର ସଂସ୍କୃତ ଶବ୍ଦ ହେଉଛି “ସ୍ଵତଵସ” ଯାହାର ଅର୍ଥ ମଧ୍ୟ ଵୀର ଓ ଶକ୍ତିଶାଳୀ ଅଟେ ।

ପାଶ୍ଚାତ୍ୟ ଭାଷାଵିଦମାନଙ୍କ ଅନୁସାରେ

•ଆଵେସ୍ତୀୟ 𐬓𐬀𐬜𐬀𐬙𐬀‎ (xᵛaδata, “ସ୍ଵନିର୍ଦ୍ଧାରିତ”) (କୌଣସି ପରିସ୍ଥିତିରେ କା ପାଖରେ ନିର୍ଭର କି ପରାଧୀନ ନହେଵା ଅଵସ୍ଥା ")

•ବ୍ୟାକ୍ଟ୍ରିୟ χοαδηο (xoadēo, “ପ୍ରଭୁ,ମାଲିକ”)

• କୁର୍ଦ୍ଦସ୍  xwedê ଓ خوا‎ (xwa)

•ସଂସ୍କୃତ ସ୍ବଧା(svádhā)

ଇତ୍ୟାଦି ଶବ୍ଦ ସହିତ ପାର୍ସୀ ଖୁଦା ଶବ୍ଦ ସମୋଦ୍ଧୃତ ।

ପାର୍ସୀରେ ଖୁଦା ଶବ୍ଦ ସହିତ ମଧ୍ୟ ଅନେକ ସମୋଦ୍ଧୃତ ଶବ୍ଦ ମଧ୍ୟ ପ୍ରଚଳିତ ଯଥା—   خود‎ (xod, “ସ୍ଵୟଂ”; ଏହି ଖୁଦ୍ ଶବ୍ଦ ସଂସ୍କୃତ ସ୍ଵୟଂ ସହିତ ସମୋଦ୍ଧୃତ), خدیو‎ (xadiv, “ପ୍ରଭୁ, ମାଲିକ”), خاتون‎ (xâtun, “ମହିଳା, ସମ୍ମାନୀୟା ମହିଳା”).

ପାଶ୍ଚାତ୍ୟ ଭାଷାଵିଦମାନେ ଖୁଦା ଓ ସ୍ବଧା ଶବ୍ଦର ପ୍ରାକ୍ ଭାରତୀୟ ରୂପ   *swádʰaH, ପ୍ରାକ୍ ଭାରୋ ଇରାନୀୟ ରୂପ  *swádʰaH ଏଵଂ ପ୍ରାକ୍ ଭାରୋପୀୟ ରୂପ  *swe-dʰh₁- ଅନୁମାନ କରିଛନ୍ତି ।

ବହୁ ପ୍ରାଚୀନ କାଳରେ ସ୍ବଧା ଶବ୍ଦ ପାରସ୍ୟ ଦେଶରେ ପ୍ରଚଳିତ ଥିଲା ଯାହା ପ୍ରମାଣ କରେ ଯେ ଆଜିର ଇରାନର ଲୋକେ ଆଗେ ସନାତନୀ ହିଁ ଥିଲେ ।

ପୁନଶ୍ଚ ସ୍ବଧା କୌଣସି ସାଧାରଣ ଶବ୍ଦ ନୁହେଁ ଵରଂ ଏହା ଏକ ପୁରାତନ ଓ ଵେଦ ତଥା ପୁରାଣାଦିରେ ବହୁଧା ଵ୍ୟଵହୃତ ଭାରତୀୟ
ଶବ୍ଦ ଅଟେ ।

ପ୍ରାଚୀନ ଭାରତୀୟ ଭାଷାଵିଦମାନେ ସ୍ବଧା ଶବ୍ଦକୁ ସ୍ବଦ୍ ଧାତୁରୁ ନିଷ୍ପନ୍ନ କରିଯାଇଛନ୍ତି ।

ସ୍ବଦ୍ ଧାତୁରୁ  ଆସ୍ବାଦନକରିଵା ଵା ଚାଖିଵା,ଅନୁଭଵ କରିଵା,ଛେଦନ କରିଵା ଓ ଵଧ କରିଵା ଆଦି ଅର୍ଥ ଘେନି ଶବ୍ଦ ନିଷ୍ପନ୍ନ ହୋଇଥାଏ ।

ପିତୃସମ୍ପ୍ରଦାନ ମନ୍ତ୍ରରେ ସ୍ବାଧା ଶବ୍ଦ ପ୍ରୟୋଗ କରାଯାଏ ...
“ଦୈତ୍ଯେଭ୍ଯୋଽଳଂ ହରିଃ ପୂଷ୍ଣେ ଵଷଟ୍ ସଦ୍ଭ୍ଯୋ ହିତଂ ସୁଖମ୍ । ସ୍ଵାହାଗ୍ନୟେ ସ୍ଵଧା ପିତ୍ରେ ସ୍ଵସ୍ତି ଧାତ୍ରେ ନମଃ ସତେ ॥ ”

ଦେଵତାଙ୍କୁ ହବିର୍ଦାନ କରିଵା ବେଳେ ଉଚ୍ଚାରିତ ମନ୍ତ୍ର  ଯଥା ସ୍ଵାହା, ଶ୍ରୌଷଟ୍, ବୌଷଟ୍, ବଷଟ୍ ଓ ସ୍ବଧା, ସ୍ଥାନଵିଶେଷରେ ଵ୍ୟଵହୃତ ହୁଏ।

ଏହାର ଅର୍ଥ— "ହେ ଦେବ! ଏହା ଆପଣ ଗ୍ରହଣ ବା ଆସ୍ବାଦନ କର"। ଏହି ଶବ୍ଦମାନଙ୍କ ଯୋଗରେ ସଂସ୍କୃତରେ ଚତୁର୍ଥୀ ଵିଭକ୍ତି ହୁଏ ।

ସେହିପରି ପିତୃପୁରୁଷଙ୍କୁ ପିଣ୍ଡ ଓ ତିଳଜଳ ଦେଵା ସମୟରେ ଉଚ୍ଚାରିତ ମନ୍ତ୍ରକୁ ସ୍ବଧା କୁହାଯାଏ । କାରଣ ଭାରତୀୟ ପୁରାଣ ଶାସ୍ତ୍ର ଅନୁଯାୟୀ ସ୍ବଧା ହେଉଛନ୍ତି ଶ୍ରାଦ୍ଧର ଅଧିଷ୍ଠାତ୍ରୀ ଦେଵୀ । ଦେଵୀ ସ୍ଵଧା ହେଲେ ବ୍ରହ୍ମାଙ୍କ ମାନସୀ କନ୍ୟା ।ଦେଵୀ ସ୍ବଧା ସୁସ୍ଥିରଯୌଵନା, ଶ୍ବେତଚମ୍ପକଵର୍ଣ୍ଣା, ଗୁଣଵତୀ, ଵିଦ୍ଯାଵତୀ ଓ ରୂପଵତୀ ହୋଇଥିଵା ଭାରତୀୟ ପୁରାଣ ଶାସ୍ତ୍ରର ମତ । ଏହାଙ୍କ ନାମ ଉଚ୍ଚାରଣ କଲେ ପିତୃଲୋକେ ପିଣ୍ଡ ପାଆନ୍ତି ବୋଲି ଵିଶ୍ଵାସ ରହିଛି। ଏହାଙ୍କୁ ପ୍ରଥମେ ଅର୍ଜନ ନ କରି ଶ୍ରାଦ୍ଧ କଲେ ଉକ୍ତ ପିଣ୍ଡକୁ ପିତୃଲୋକେ ପାଆନ୍ତି ନାହିଁ ବୋଲି ମଧ୍ୟ କଥିତ ହୁଏ ।

କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଏହି ଦେଵୀ ସ୍ଵଧାଙ୍କର ନାମର ନିରୁକ୍ତି ଏମନ୍ତ ଉଲ୍ଲେଖ ଅଛି...
“ସ୍ଵାନ୍ ଦଧାତୀତି । ଧା + କ୍ଵିପ୍ ।”

ବ୍ରହ୍ମଵୈଵର୍ତ୍ତ ପୁରାଣର ପ୍ରକୃତିଖଣ୍ଡରେ ଦେଵୀ ସ୍ଵଧାଙ୍କ ଵିଷୟରେ ଶ୍ରୀ ଭଗଵାନ ଦେଵଋଷି ନାରଦଙ୍କୁ ବ୍ରହ୍ମାଙ୍କର ମାନସୀ ପୁତ୍ରୀ ଦେଵୀ ସ୍ଵଧାଙ୍କ ଵିଷୟରେ ଯାହା କହି ଅଛନ୍ତି ତାହା ଏଠାରେ ପ୍ରଦତ୍ତ ହେଲା...

ଶ୍ରୀନାରାୟଣ ଉଵାଚ ।
“ଶୃଣୁ ନାରଦ ଵକ୍ଷ୍ଯାମି ସ୍ଵଧୋପାଖ୍ଯାନମୁତ୍ତମମ୍ ।
ପିତୃ଼ଣାଞ୍ଚ ତୃପ୍ତିକରଂ ଶ୍ରାଦ୍ଧାନାଂ ଫଳଵର୍ଦ୍ଧନମ୍ ॥
ସୃଷ୍ଟେରାଦୌ ପିତୃଗଣାନ୍ ସସର୍ଜ୍ଜ ଜଗତାଂ ଵିଧିଃ ।
ଚତୁରଶ୍ଚତୁର୍ମ୍ମୂର୍ତ୍ତିମତସ୍ତ୍ରୀଂଶ୍ଚ ତେଜଃସ୍ଵରୂପିଣଃ ॥
ଦୃଷ୍ଟ୍ଵା ସପ୍ତ ପିତୃଗଣାନ୍ ସିଦ୍ଧରୂପାନ୍ମନୋହରାନ୍ ।
ଆହାରଂ ସଂସୃଜେ ତେଷାଂ ଶ୍ରାଦ୍ଧଂ ତର୍ପଣପୂର୍ବ୍ବକମ୍ ॥
ସ୍ନାନଂ ତର୍ପଣପର୍ଯ୍ଯନ୍ତଂ ଶ୍ରାଦ୍ଧାନ୍ତଂ ଦେଵପୂଜନମ୍ ।
ଆହ୍ନିକଞ୍ଚ ତ୍ରିସନ୍ଧ୍ଯାନ୍ତଂ ଵିପ୍ରାଣାଞ୍ଚ ଶ୍ରୁତୌ ଶ୍ରୁତମ୍ ॥
ନିତ୍ଯଂ ନ କୁର୍ଯ୍ଯାଦ୍ଯୋ ଵିପ୍ରସ୍ତ୍ରିସନ୍ଧ୍ଯଂ ଶ୍ରାଦ୍ଧତର୍ପଣମ୍ ।
ବଳିଂ ଵେଦଧ୍ଵନିଂ ସୋଽପି ଵିଷହୀନୋ ଯଥୋରଗଃ ॥
ହରିସେଵାଵିହୀନଶ୍ଚ ଶ୍ରୀହରେରନୈଵେଦ୍ଯଭୁକ୍ ।
ଭସ୍ମାନ୍ତଂ ସୂତକଂ ତସ୍ଯ ନ କର୍ମ୍ମାର୍ହଃ ସ ନାରଦ ॥
ବ୍ରହ୍ମା ଶ୍ରାଦ୍ଧାଦିକଂ ସୃଷ୍ଟ୍ଵା ଜଗାମ ପିତୃହେତଵେ ।
ନ ପ୍ରାପ୍ନୁଵନ୍ତି ପିତରୋ ଦଦତି ବ୍ରାହ୍ମଣାଦୟଃ ॥
ସର୍ଵ୍ଵେ ପ୍ରଜଗ୍ମୁଃ କ୍ଷୁଭିତା ଵିଷଣ୍ଣା ବ୍ରହ୍ମଣଃ ସଭାମ୍ ।
ସର୍ଵ୍ଵଂ ନିଵେଦନଂ ଚକ୍ରୁସ୍ତମେଵ ଜଗତାଂ ଵିଧିମ୍ ॥
ବ୍ରହ୍ମା ଚ ମାନସୀଂ କନ୍ଯାଂ ସସୃଜେ ତାଂ ମନୋହରାମ୍ ।
ରୂପଯୌଵନସମ୍ପନ୍ନାଂ ଶତଚନ୍ଦ୍ରସମପ୍ରଭାମ୍ ॥
ଵିଦ୍ଯାଵତୀଂ ଗୁଣଵତୀମତିରୂପଵତୀଂ ସତୀମ୍ ।
ଶ୍ଵେତଚମ୍ପକଵର୍ଣାଭାଂ ରତ୍ନଭୂଷଣଭୂଷିତାମ୍ ॥
ଵିଶୁଦ୍ଧାଂ ପ୍ରକୃତେରଂଶାଂ ସମ୍ମିତାଂ ଵରଦାଂ ଶୁଭାମ୍ ।
ସ୍ଵଧାଭିଧାନାଂ ସୁଦତୀଂ ଲକ୍ଷ୍ମୀଲକ୍ଷଣସଂଯୁତାମ୍ ॥ ଶତପଦ୍ମଦଳନ୍ଯସ୍ତପାଦପଦ୍ମଞ୍ଚ ବିଭ୍ରତୀମ୍ । ପତ୍ନୀଂ ପିତୃ଼ଣାଂ ପଦ୍ମାସ୍ଯାଂ ପଦ୍ମଜାଂ ପଦ୍ମଲୋଚନାମ୍ ॥
ପିତୃଭ୍ଯସ୍ତାଂ ଦଦୌ ବ୍ରହ୍ମା ତୁଷ୍ଟେଭ୍ଯସ୍ତୁଷ୍ଟିରୂପିଣୀମ୍ । ବ୍ରାହ୍ମଣାଂଶ୍ଚୋପଦେଶଞ୍ଚ ଚକାର ଗୋପନୀୟକମ୍ ॥
ସ୍ଵଧାନ୍ତଂ ମନ୍ତ୍ରମୁଚ୍ଚାର୍ଯ୍ଯ ପିତୃଭ୍ଯୋ ଦେହି ଚେତି ଚ ।
କ୍ରମେଣ ତେନ ଵିପ୍ରାଶ୍ଚ ପିତ୍ରେ ଦାନଂ ଦଦୁଃ ପୁରା ॥
ସ୍ଵାହା ଶସ୍ତା ଦେଵଦାନେ ପିତୃଦାନେ ସ୍ଵଧା ପରା ।
ସର୍ଵ୍ଵତ୍ର ଦକ୍ଷିଣା ଶସ୍ତା ହତଯଜ୍ଞମଦକ୍ଷିଣମ୍ ॥ ପିତରୋ ଦେଵତା ଵିପ୍ରା ମୁନୟୋ ମନଵସ୍ତଥା ।
ପୂଜାଂ ଚକ୍ରୁଃ ସ୍ଵଧାଂ ଶାନ୍ତାଂ ତୁଷ୍ଟାଵ ପରମାଦରମ୍ ॥
ଦେଵାଦୟଶ୍ଚ ସନ୍ତୁଷ୍ଟାଃ ପରିପୂର୍ଣ୍ଣମନୋରଥାଃ ।
ଵିପ୍ରାଦୟଶ୍ଚ ପିତରଃ ସ୍ଵଧାଦେଵୀଵରେଣ ଚ ॥
ଇତ୍ଯେଵଂ କଥିତଂ ସର୍ଵ୍ଵଂ ସ୍ଵଧୋପାଖ୍ଯାନମୁତ୍ତମମ୍ ।
ସର୍ଵ୍ଵେଷାଞ୍ଚ ତୁଷ୍ଟିକରଂ କିଂ ଭୂୟଃ ଶ୍ରୋତୁମିଚ୍ଛସି ॥”

ନାରଦ ଉଵାଚ ।

“ସ୍ଵଧାପୂଜାଵିଧାନଞ୍ଚ ଧ୍ଯାନଂ ସ୍ତୋତ୍ରଂ ତଥା ମୁନେ ।
ଶ୍ରୋତୁମିଚ୍ଛାମି ଯତ୍ନେନ ଵଦ ଵେଦଵିଦାଂଵର ॥”

ଶ୍ରୀନାରାୟଣ ଉଵାଚ ।

“ତଦ୍ଧ୍ଯାନଂ ସ୍ତଵନଂ ବ୍ରହ୍ମନ୍ ଵେଦୋକ୍ତଂ ସର୍ଵ୍ଵସମ୍ମତମ୍ ।
ସର୍ଵ୍ଵଂ ଜାନାସି ଚ କଥଂ ଜ୍ଞାତୁମିଚ୍ଛସି ଵୃଦ୍ଧୟେ ॥
ଶରତ୍କୃଷ୍ଣତ୍ରୟୋଦଶ୍ଯାଂ ମଘାୟାଂ ଶ୍ରାଦ୍ଧଵାସରେ ।
ସ୍ଵଧାଂ ସଂପୂଜ୍ଯ ଯତ୍ନେନ ତତଃ ଶ୍ରାଦ୍ଧଂ ସମାଚରେତ୍ ॥
ସ୍ଵଧାଂ ନାଭ୍ଯର୍ଚ୍ଚ୍ଯ ଯୋ ଵିପ୍ରଃ ଶ୍ରାଦ୍ଧଂ କୁର୍ଯ୍ଯାଦହମ୍ମତିଃ ।
ନ ଭଵେତ୍ ଫଳଭାକ୍ ସତ୍ଯଂ ଶ୍ରାଦ୍ଧସ୍ଯ ତର୍ପଣସ୍ଯ ଚ ॥
ବ୍ରହ୍ମଣୋ ମାନସୀଂ କନ୍ଯାଂ ଶଶ୍ଵତ୍ ସୁସ୍ଥିରଯୌଵନାମ୍ ।
ପୂଜ୍ଯାଂ ପିତୃ଼ଣାଂ ଦେଵାନାଂ ଶ୍ରାଦ୍ଧାନାଂ ଫଳଦାଂ ଭଜେ ॥
ଇତି ଧ୍ଯାତ୍ଵା ଶାଳଗ୍ରାମେଽପ୍ଯଥଵା ମଙ୍ଗଳେ ଘଟେ ।
ଦଦ୍ଯାତ୍ ପାଦ୍ଯାଦିକଂ ତସ୍ଯୈ ମୂଳେନେତି ଶ୍ରୁତୌ ଶ୍ରୁତମ୍ ॥

ଓଁ ହ୍ରୀଁ ଶ୍ରୀଁ କ୍ଲୀଁ ସ୍ଵଧାଦେଵ୍ଯୈ ସ୍ଵାହେତି ଚ ମହା- ମନୁମ୍ ।
ସସୁଚ୍ଚାର୍ଯ୍ଯ ଚ ସଂପୂଜ୍ଯ ସ୍ତୁତ୍ଵା ତାଂ ପ୍ରଣମେଦ୍ଦ୍ଵିଜଃ ॥ * ॥

ସ୍ତୋତ୍ରଂ ଶୃଣୁ ମୁନିଶ୍ରେଷ୍ଠ ବ୍ରହ୍ମପୁତ୍ତ୍ର ଵିଶାରଦ । ସର୍ଵ୍ଵଵାଞ୍ଛାପ୍ରଦଂ ନୃ଼ଣାଂ ବ୍ରହ୍ମଣା ଯତ୍ କୃତଂ ପୁରା ॥ ବ୍ରହ୍ମୋଵାଚ ।

“ସ୍ଵଧୋଚ୍ଚାରଣମାତ୍ରେଣ ତୀର୍ଥସ୍ନାୟୀ ଭଵେନ୍ନରଃ ।
ମୁଚ୍ଯତେ ସର୍ଵ୍ଵପାପେଭ୍ଯୋ ଵାଜପେୟଫଳଂ ଲଭେତ୍ ॥
ସ୍ଵଧା ସ୍ଵଧା ସ୍ଵଧେତ୍ଯେଵଂ ଯଦି ଵାରତ୍ରୟଂ ସ୍ମରେତ୍ ।
ଶ୍ରାଦ୍ଧସ୍ଯ ଫଳମାପ୍ନୋତି ଵଳେଶ୍ଚ ତର୍ପଣସ୍ଯ ଚ ॥
ଶ୍ରାଦ୍ଧକାଳେ ସ୍ଵଧାସ୍ତୋତ୍ରଂ ଯଃ ଶୃଣୋତି ସମାହିତଃ ।
ଲଭେତ୍ ଶ୍ରାଦ୍ଧଶତାନାଞ୍ଚ ପୁଣ୍ଯମେଵ ନ ସଂଶୟଃ ॥
ସ୍ଵଧା ସ୍ଵଧା ସ୍ଵଧେତ୍ଯେଵଂ ତ୍ରିସନ୍ଧ୍ଯଂ ଯଃ ପଠେନ୍ନରଃ ।
ପ୍ରିୟାଂ ଵିନୀତାଂ ସ ଲଭେତ୍ ସାଧ୍ଵୀଂ ପୁତ୍ତ୍ରଂ ଗୁଣାନ୍ଵିତମ୍ ॥
ପିତୃ଼ଣାଂ ପ୍ରାଣତୁଲ୍ଯା ତ୍ଵଂ ଦ୍ଵିଜଜୀଵନରୂପିଣୀ ।
ଶ୍ରାଦ୍ଧାଧିଷ୍ଠାତୃଦେଵୀ ଚ ଶ୍ରାଦ୍ଧାଦୀନାଂ ଫଳପ୍ରଦା ॥
ଵହିର୍ଗଚ୍ଛ ମନ୍ମନସଃ ପିତୃ଼ଣାଂ ତୁଷ୍ଟିହେତଵେ ।
ସଂପ୍ରୀତୟେ ଦ୍ଵିଜାତୀନାଂ ଗୃହିଣାଂ ଵୃଦ୍ଧିହେତଵେ ॥
ନିତ୍ଯା ତ୍ଵଂ ନିତ୍ଯରୂପାସି ପୁଣ୍ଯରୂପାସି ସୁଵ୍ରତେ ।
ଆଵିର୍ଭାଵତିରୋଭାଵୀ ସୃଷ୍ଟୌ ଚ ପ୍ରଳୟେ ତଵ ॥
ଓଁ ସ୍ଵସ୍ତି ଚ ନମଃ ସ୍ଵାହା ସ୍ଵଧା ତ୍ଵଂ ଦକ୍ଷିଣା ତଥା ।
ନିରୂପିତାଶ୍ଚତୁର୍ଵ୍ଵେଦେ ଷଟ୍ ପ୍ରଶସ୍ତାଶ୍ଚ କର୍ମ୍ମଣାମ୍ ॥
ପୁରାସୀସ୍ତ୍ଵଂ ସ୍ଵଧା ଗୋପୀ ଗୋଲୋକେ ରାଧିକାସଖୀ ।
ଧୃତୋରସି ସ୍ଵମାତ୍ମାନଂ କୃଷ୍ଣତ୍ଵେନ ସ୍ଵଧା ସ୍ମୃତା ॥
ଧ୍ଵସ୍ତା ତ୍ଵଂରାଧିକାଶାପାତ୍ ଗୋଲୋକାଦ୍ଵିଶ୍ଵମାଗତା ।
କୃଷ୍ଣଶ୍ଲିଷ୍ଟା ତୟା ଦୃଷ୍ଟା ପୁରା ଵୃନ୍ଦାଵନେ ଵନେ ॥
କୃଷ୍ଣାଲିଙ୍ଗନପୁଣ୍ଯେନ ଭୂତା ମେ ମାନସୀ ସୁତା ।
ଅତୃପ୍ତା ସୁରତୌ ତେନ ଚତୁର୍ଣ୍ଣାଂ ସ୍ଵାମିନାଂ ପ୍ରିୟା ॥
ସ୍ଵାହା ଚ ସୁନ୍ଦରୀ ଗୋପୀ ପୁରାସୀଦ୍ରାଧିକାସଖୀ ।
ସ୍ଵଂ କୃଷ୍ଣମାହ ରତୟେ ତେନ ସ୍ଵାହା ପ୍ରକୀର୍ତ୍ତିତା ॥
କୃଷ୍ଣେନ ସାର୍ଦ୍ଧଂ ସୁଚିରଂ ରମତେ ରାସମଣ୍ଡଳେ ।
ପ୍ରମତ୍ତା ସୁରତୌ ଶ୍ଲିଷ୍ଟା ଦୃଷ୍ଟା ସା ରାଧୟା ପୁରା ॥
ତସ୍ଯାଃ ଶାପେନ ପ୍ରଧ୍ଵସ୍ତା ଗୋଲୋକାଦ୍ବିଶ୍ଵମାଗତା ।
କୃଷ୍ଣାଲିଙ୍ଗନପୁଣ୍ଯେନ ବଭୂଵ ଵହ୍ନିକାମିନୀ ॥
ପଵିତ୍ରରୂପା ପରମା ଦେଵାନାଂ ଵନ୍ଦିତା ନୃଣାମ୍ ।
ଯନ୍ନାମୋଚ୍ଚାରଣେନୈଵ ନରୋ ମୁଚ୍ଯେତ ପାତକାତ୍ ॥
ସା ସୁଶୀଳାଭିଧାଗୋପୀ ପୁରାସୋଦ୍ରାଧିକାସଖୀ ।
ଉଵାସ ଦକ୍ଷିଣେ କ୍ରୋଡେ କୃଷ୍ଣସ୍ଯ ରାଧିକାଗ୍ରତଃ ॥
ପ୍ରଧ୍ବସ୍ତା ସା ଚ ତତ୍ଶାପାତ୍ ଗୋଲୋକାଦ୍ଵିଶ୍ଵମାଗତା । କୃଷ୍ଣାଲିଙ୍ଗନପୁଣ୍ଯେନ ସା ବଭୂଵ ଚ ଦକ୍ଷିଣା ॥
ପ୍ରେୟସୀ ସୁରତୌ ଦକ୍ଷା ପ୍ରଶସ୍ତା ସଵ୍ଵକର୍ମ୍ମସୁ ।
ଉଵାସ ଦକ୍ଷିଣେ ଭର୍ତ୍ତୁର୍ଦ୍ଦକ୍ଷିଣା ତେନ କୀର୍ତ୍ତିତା ॥
ବଭୂଵୁସ୍ତିସ୍ରୋ ଗୋପ୍ଯଶ୍ଚ ସ୍ଵଧା ଚ ଦକ୍ଷିଣା ତଥା ।
କର୍ମ୍ମିଣାଂ କର୍ମ୍ମପୂର୍ଣାର୍ଥଂ ପୁରା ଚୈଵେଶ୍ଵରେଚ୍ଛୟା ॥
ଇତ୍ଯେଵମୁକ୍ତ୍ଵା ସ ବ୍ରହ୍ମା ବ୍ରହ୍ମଲୋକେ ସ୍ଵସଂସଦି ।
ତସ୍ଥୌ ଚ ସହସାମାତ୍ଯଃ ସ୍ଵଧା ସାଵିର୍ବ୍ବଭୂଵ ହ ॥
ତଦା ପିତୃଭ୍ଯଃ ପ୍ରଦଦୌ ତାମେଵ କମଳାଳୟାମ୍ ।
ତାଂ ସଂପ୍ରାପ୍ଯ ଯତସ୍ତେ ଚ ପିତରଶ୍ଚ ସହର୍ଷିତାଃ ॥
ସ୍ଵଧାସ୍ତୋତ୍ରମିଦଂ ପୁଣ୍ଯଂ ଯଃ ଶୃଣୋତି ସମାହିତଃ ।
ସ ସ୍ନାତଃ ସର୍ଵ୍ଵତୋର୍ଥେଷୁ ଵେଦପାଠଫଳଂ ଲଭେତ୍ ॥”

(ଇତି ବ୍ରହ୍ମଵୈଵର୍ତ୍ତେ ପ୍ରକୃତିଖଣ୍ଡେ ୪୧ ଅଧ୍ଯାୟଃ ॥)

ଏହି ଦେଵୀ ସ୍ଵଧା ଏତେ ଲୋକପ୍ରିୟ ଥିଲେ ଯେ ଏହାଙ୍କ ନାମ ସହିତ ସମୋଦ୍ଧୃତ ଏକ ପାର୍ସୀ ଶବ୍ଦ "خاتون‎/ଖାତୁନ୍" ମଧ୍ୟ ପ୍ରାଚ୍ୟର ଵିଭିନ୍ନ ଭାଷାରେ ପାର୍ସୀ ଭାଷାର ପ୍ରଭାଵ ଯୋଗୁଁ ଭିନ୍ନ ଭିନ୍ନ ଅର୍ଥରେ ପ୍ରଚଳିତ ।

ପାର୍ସୀରେ خاتون‎/ଖାତୁନ୍ ଶବ୍ଦ ସମ୍ମାନନୀୟ ମହିଳା ଅର୍ଥରେ ପ୍ରୟୋଗ ହୋଇଥାଏ ।‌ ଅନ୍ୟ ଏକ ଇରାନୀୟ ଭାଷା sogadianରେ 𐼶𐼴𐽂𐼰𐼷𐼻𐼳‎‎(γwtʾynh /xwatēn, xutēn/) ରାଣୀଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ ହେଉଥିଲା ।

ପ୍ରାଚୀନ ତୁର୍କ ଭାଷାରେ ମଧ୍ୟ   𐰴𐱃𐰆𐰣‎ (qatun) ଶବ୍ଦ ରାଣୀଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଇଥିଵା ଜଣାଯାଏ ।‌
ଵର୍ତ୍ତମାନର ତୁର୍କ ଭାଷାରେ ପ୍ରଚଳିତ kadın (“ମହିଳା”) ଓ hatun (“ନାରୀ ଵା ସ୍ତ୍ରୀ, ପତ୍ନୀ”) ଓ Karakhanid ଶବ୍ଦ قاتُونْ‎ (qātūn, “ସମ୍ମାନନୀୟା ମହିଳା”), ଇତ୍ୟାଦି ଶବ୍ଦ ମୂଳତଃ ପାର୍ସୀ ଶବ୍ଦ خاتون‎/ଖାତୁନ୍‌ର ପରିଵର୍ତ୍ତିତ ରୂପ । ପୁଣି ପାର୍ସୀ ଭାଷାର ଖାତୁନ୍ ଶବ୍ଦର ମହିଳା ତଥା ସମ୍ମାନନୀୟା ମହିଳା ଅର୍ଥ କ'ଣ ପ୍ରମାଣ କରେ ?

ଏହି ଖାତୁନ୍ ଶବ୍ଦ ଓ ଏହାର ଅର୍ଥ ହିଁ କହିଦିଏ ଯେ ପ୍ରାଚୀନ କାଳରେ ଇରାନ ଦେଶରେ ସନାତନୀମାନେ ହିଁ ନିଵାସ କରୁଥିଲେ କିନ୍ତୁ ସମୟ ସହ ମୁସଲମାନ ଆକ୍ରମଣକାରୀମାନେ ସେମାନଙ୍କର ଧର୍ମାନ୍ତରୀକରଣ କରି ଦେଇଛନ୍ତି । ହେଲେ ଆକ୍ରାନ୍ତାମାନେ ସଂସ୍କୃତି ଓ ପରମ୍ପରାକୁ ମାରିଦେଇଥିଲେ ବି ପାର୍ସୀ ଭାଷାର ଭାରୋପୀୟ ଶବ୍ଦ ମଧ୍ୟରେ ଅନେକ ଆଜି ମଧ୍ୟ ବଞ୍ଚି ରହିଛି ‌ ଭାରତଵର୍ଷର ଲୋକଙ୍କୁ ନିଜର ପୂର୍ଵଜଙ୍କ ଇତିହାସ ଜଣାଇଦେଵାକୁ...

ତଥ୍ୟ
© ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
© କଳ୍ପଦ୍ରୁମ ସଂସ୍କୃତ ଅଭିଧାନ
© ବ୍ରହ୍ମଵୈଵର୍ତ୍ତ ପୁରାଣ
©ଉଇକିଶବ୍ଦକୋଷ



Saturday, April 16, 2022

●—“ଦକ୍ଷିଣ ଏସିଆର ସନାତନୀ ନଵଵର୍ଷ ମେଷ ସଂକ୍ରାନ୍ତି”—●

ଭାରତୀୟ ନଵଵର୍ଷ ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ସମୟରେ ପାଳିତ ହୁଏ ।

ମହାଵିଷୁଵ ସଂକ୍ରାନ୍ତି ଵା ପଣା ସଂକ୍ରାନ୍ତି (ଏପ୍ରିଲ ୧୩ /୧୪ ତାରିଖ) କୁ ନଵଵର୍ଷ ରୂପେ କେଉଁ କେଉଁ ଅଞ୍ଚଳରେ ପାଳନ କରାଯାଏ ?

ଭାରତରେ ମେଷ ସଂକ୍ରାନ୍ତି କୁ ନଵଵର୍ଷ ଭାବେ ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ ପାରମ୍ପରିକ ପର୍ଵ ଭାବେ ପାଳିଥାନ୍ତି । 

ଭାରତର ଵିଭିନ୍ନ ଅଞ୍ଚଳରେ ଏହି ନଵଵର୍ଷ ପର୍ଵର ନାମ ମଧ୍ୟ ଭିନ୍ନ ଭିନ୍ନ 

ଯଥା—

●Buisu — ତ୍ରୀପୁରାର ପାରମ୍ପରିକ ନଵଵର୍ଷ
●ବିଖୁ ଵା ବିଖାଉତି = କୁମାଉନ୍
ଅଞ୍ଚଳ(ଉତ୍ତରାଖଣ୍ଡ)

●ବିଷୁ=ତୁଲୁ ନଵଵର୍ଷ (ତାମିଳନାଡୁ଼)

●ରଙ୍ଗୋଲୀ ବିହୁ=ଆସାମ ନଵଵର୍ଷ 

●ଏଦମାୟର ଓଣ୍ଡ ଵା ଵିଷୁ ଚଙ୍ଗ୍ରାନ୍ଦି
= କୋଡ଼ଵା ନଵଵର୍ଷ

●ମହାଵିଷୁଵ ପଣାସଂକ୍ରାନ୍ତି=ଓଡ଼ିଶାଞ୍ଚଳ 

●ଜୁରଶୀତଳ=ମୈଥିଳୀ ନଵଵର୍ଷ(ନେପାଳ, ଭାରତ)

●ପୋହେଲା ବୈଶାଖ=ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳରେ ଵସଵାସ କରୁଥିଵା ବଙ୍ଗାଳୀ ସନାତନୀଙ୍କ ନଵଵର୍ଷ

●ପୁଥାଣ୍ଡୁ =ତାମିଳନାଡୁ଼

●ଵିଷୁ = କେରଳ
●Sangken = ଅରୁଣାଚଳ ପ୍ରଦେଶର Khamti, Singpho, Khamyang ଓ Tangsa ଜନଜାତି ତଥା ଆସାମର Tai Phake, Tai Aiton ଓ Turung ଜନଜାତିର ପାରମ୍ପରିକ ନଵଵର୍ଷ

●Bwisagu = ଆସାମର ବୋଡୋ ଜନଜାତିର ପାରମ୍ପରିକ ନଵଵର୍ଷ

●Bizhu/Bizu = ମିଜୋରାମ, ତ୍ରିପୁରା ଓ ବଙ୍ଗଳାଦେଶରେ ଵସଵାସ କରୁଥିଵା 
ଚକମା ଜନଜାତିର ପାରମ୍ପରିକ ନଵଵର୍ଷ

●Bisu = ତୁଲୁନାଡୁ଼ ଅଞ୍ଚଳର ତୁଲଭାଷୀମାନଙ୍କର ପାରମ୍ପରିକ ନଵଵର୍ଷ

●ଵୈଶାଖୀ = ପଞ୍ଜାବୀ ନଵଵର୍ଷ(ପଞ୍ଜାବ,ହରିଆଣା ଓ ଭାରତ ବାହାରେ ଵସଵାସ କରୁଥିଵା ପଞ୍ଜାବୀଭାଷୀ ହିନ୍ଦୁ ତଥା ସିଖ୍ ଆଦି ସନାତନୀମାନଙ୍କର ନଵଵର୍ଷ)

କେଵଳ ଭାରତ ହିଁ ନୁହେଁ ଭାରତ ବାହାରେ ଭାରତୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଏଵଂ ପୂର୍ଵେ କଳିଙ୍ଗ ଦେଶର ଉପନିଵେଶ ଥିଵା ଅନେକ ଦେଶରେ ମଧ୍ଯ ମେଷ ସଂକ୍ରାନ୍ତିକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ...

ଯଥା—
●Thingyan = ବର୍ମାର ନଵଵର୍ଷ 

●Choul Chnam Thmey/ Moha Sangkran = କାମ୍ଵୋଡି଼ଆର ନଵଵର୍ଷ 

●Aluth Avurudda=ସିଂହଳୀ ନଵଵର୍ଷ 

●Pi Mai = ଲାଓସ୍ ଦେଶର ପାରମ୍ପରିକ ନଵଵର୍ଷ

●Songkran=ଥାଇଲାଣ୍ଡ ର ନଵଵର୍ଷ 

●Pōshuǐ jié=Dai ଜନଜାତିର ନଵଵର୍ଷ(ଚୀନରେ ଏହା Water-sprinkling festival ଭାବରେ ଜଣାଶୁଣା)

ଯଥାର୍ଥରେ ଦକ୍ଷିଣ ଏସିଆର ଅନେକ ଦେଶର ପାରମ୍ପରିକ ନଵଵର୍ଷ ହୋଇଥିଵାରୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍‌କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ନଵଵର୍ଷ ମଧ୍ଯ କୁହାଯାଇଥାଏ । 

ମେଷ ସଂକ୍ରାନ୍ତି ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,
 ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।
 ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି ।
    

ଉଲ୍ଲେଖଯୋଗ୍ୟ ଯେ ଆମ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ପାଳିତ ହେଵାର ପ୍ରଥା ରହିଛି । 

●ଜଳ ଵିଷୁଵ ସଂକ୍ରାନ୍ତି
●ମହା ଵିଷୁଵ ସଂକ୍ରାନ୍ତି 

ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ ମେଷ ସଂକ୍ରାନ୍ତି, ଚଡ଼କ ସଂକ୍ରାନ୍ତି,ଠେକିବସା ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ । 

ଵୈଜ୍ଞାନିକମାନେ ପୃଥିଵୀ ମଧ୍ୟରେ କେତେକ କାଳ୍ପନିକ ରେଖା, ବିନ୍ଦୁ, ଵୃତ୍ତର କଳ୍ପନା କରିଛନ୍ତି ଏଵଂ ସେହି କଳ୍ପନାର ପ୍ରାଚୀନ ମୂଳ ଆଧାର ଭାରତୀୟ ଭୌଗୋଳିକ ଜ୍ଞାନ। 

କ୍ରାନ୍ତିଵୃତ୍ତ (Ecliptic) ଓ ନିରକ୍ଷଵୃତ୍ତ (Equator) ଏହି ଦୁଇଟି ଵୃତ୍ତ ଦୁଇଟି କାଳ୍ପନିକ ବିନ୍ଦୁ ସୃଷ୍ଟି କରିଥାନ୍ତି । ସେହି ଦୁଇ ବିନ୍ଦୁକୁ ମହାଵିଷୁଵ ଓ ଜଳଵିଷୁଵ ବିନ୍ଦୁ କୁହାଯାଏ । ଯେତେବେଳେ ମହାଵିଷୁଵ ବିନ୍ଦୁ ଉପରେ ସୌର କେନ୍ଦ୍ର ବିନ୍ଦୁ ସ୍ପର୍ଶ କରେ, ସେତେବେଳେ ମହାଵିଷୁଵ ସଂକ୍ରାନ୍ତି ହୁଏ ।

ମେଷମାସରେ
ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି । ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ । ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ,ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । 
 
ଓଡ଼ିଶାର ନୌଵାଣିଜ୍ୟ ପରମ୍ପରା ସହିତ ମେଷ ସଂକ୍ରାନ୍ତି ଵା ମହା ଵିଷୁଵ ପଣା ସଂକ୍ରାନ୍ତିର ଏକ ଵିଶିଷ୍ଟ ସମ୍ପର୍କ ରହିଛି । 
ସାଧଵମାନେ କାର୍ତ୍ତିକ ମାସରେ ନୌଵାଣିଜ୍ୟ କରିଵାକୁ ଦରିଆ ପାରି ଦେଶକୁ ଯାଇ ଵୈଶାଖ ମାସରେ ସ୍ଵଦେଶ ଫେରି ଆସୁଥିଲେ । ଫଳତଃ କେଵଳ ଓଡ଼ିଶା ନୁହେଁ ପୂର୍ଵେ ଯେଉଁ ଯେଉଁ ସ୍ଥାନରେ କଳିଙ୍ଗୀମାନଙ୍କର ଶାସନ ଓ ଉପନିଵେଶ ଥିଲା ସେହି ସେହି ସ୍ଥାନରେ ଵୈଶାଖ ମାସକୁ ମହତ୍ତ୍ୱପୂର୍ଣ୍ଣ ଵିଚାର କରାଯାଇଥିଲା । 

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଦଣ୍ଡନୃତ୍ୟ, ଝାମୁ ଯାତ୍ରା, ଶକ୍ତିପୀଠରେ ଉପାସନା (ତାରିଣୀ, ସମଲେଶ୍ୱରୀ, ସାରଳା, ଚଣ୍ଡୀ ଇତ୍ୟାଦି), ଜଳଦାନ ଏକ ପ୍ରକାରେ ଆୟୋଜିତ ହୁଏ, ଯାହାକି ଉଡ୍ର ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିକୁ ପ୍ରତିପାଦିତ କରେ ।

ଆମ "ମହା ଵିଷୁଵ ପଣା ସଂକ୍ରାନ୍ତି"

●ଋତୁଚକ୍ରର ଠିକ୍ ଆରମ୍ଭରେ ପାଳିତ ହୁଏ ଅର୍ଥାତ୍ ଗ୍ରୀଷ୍ମଋତୁର ଆରମ୍ଭ ସହିତ ଆମର ନଵଵର୍ଷ ଆରମ୍ଭ ହୋଇଥାଏ ।

●ଆମ୍ବ,ବେଲ ଭଳି ଭାରତୀୟ ଫଳ ଓ ପୁଷ୍ପରେ ଵନ ଉପଵନ ଭରିଯାଏ

●ଵର୍ଷ ଆରମ୍ଭ ସହିତ ସୂର୍ଯ୍ୟ ପ୍ରଖର ହୁଅନ୍ତି ଏଵଂ ନଵଵର୍ଷରେ କର୍ମଠ ହେଵା ଲାଗି ଶକ୍ତି ପ୍ରଦାନ କରନ୍ତି

●ତୁଳସୀ ଭଳି ପଵିତ୍ର ଵୃକ୍ଷ ପରେ ଠେକି ବସା ଯାଇ ଜଳଦାନ କରିଵା ସହ ଲୋକଙ୍କୁ ପଣା ପାନ କରାଇ ଭଵିଷ୍ୟତରେ ରୌଦ୍ରତ୍ରାପରୁ ରକ୍ଷା ହେତୁ ଲକ୍ଷଣାର୍ଥ ଉପଦେଶ ଦେଵା ଭଳି ଏକମାତ୍ର ଭାରତୀୟ ସନତନୀ ନଵଵର୍ଷ ହେଉଛି ଆମ ମହା ଵିଷୁଵ ପଣା ସଂକ୍ରାନ୍ତି ! 

ଅନେକେ ପ୍ରଶ୍ନ କରନ୍ତି ଭାରତରେ ଏଵଂ ଭାରତ ବାହାରେ ଏତେ ସଂଖ୍ୟକ ସନାତନୀମାନେ ମେଷ ସଂକ୍ରାନ୍ତିକୁ ନିଜର ନଵଵର୍ଷ ବୋଲି କେମିତି ଗ୍ରହଣ କରିନେଲେ ?

 ସେମାନେ ଚୈତ୍ର ପୂର୍ଣିମାକୁ ଵର୍ଷାନ୍ତ ଦିଵସ ଧରି ଵୈଶାଖ କୃଷ୍ଣ ପକ୍ଷ ପ୍ରତିପଦରୁ ଗଣନା ଆରମ୍ଭ କଲେ ନାହିଁ କାହିଁକି ?

ଏହି ପ୍ରଶ୍ନର ଉତ୍ତର ପ୍ରାଜ୍ଞ ଶ୍ରୀଳଶ୍ରୀମାନ ଶ୍ରୀସନତ୍ ଦାସ ମହାଭାଗ ଥରେ ଏମନ୍ତ ଭାବରେ ଦେଇଥିଲେ...

“ଆଦିକାଳରୁ କୃଷ୍ଣ ପକ୍ଷ ଜଗଦ୍-ବନ୍ଧନର ପ୍ରତୀକ ଏଵଂ ଵର୍ଷାନ୍ତ ଦିଵସ ଭାବରେ ପୂର୍ଣିମା ତିଥି କଦାଚିତ୍ ଗ୍ରହଣଯୁକ୍ତ ହୋଇ ପରଦିନ ଦିଵାର୍ଦ୍ଧ ପର୍ଯ୍ଯନ୍ତ ସକଳଵିଧ ଦେଵନୀତି ଓ ଶୁଭକର୍ମରେ ଵ୍ୟାଘାତ ଘଟିଵାର ଭୟ ରହିଵ ।
ସେ ଦୃଷ୍ଟିରୁ ସଂକ୍ରାନ୍ତି ଏପରି ଏକ ଵଳଵାନ୍ ଦିଵସ ଯେଉଁ ଦିନ କି ପରାଗ/ଗ୍ରହଣର ଭୟ ନାହିଁ ଏବଂ ଭଗଵାନ୍ ସୂର୍ଯ୍ୟ ନାରାୟଣ ମୀନ ରାଶି ଅତିକ୍ରମଣ କରି ମହାକାଶରେ ମେଷ ରାଶି ମଣ୍ଡନ କରୁଛନ୍ତି ।ସଂକ୍ରାନ୍ତି ପୁନଶ୍ଚ କୃଷ୍ଣ ପକ୍ଷର ଦୁଃଖ ଵା ଶୁକ୍ଳ ପକ୍ଷର ସୁଖ ଭଳି ଦ୍ବୈତ ସ୍ଥିତିର ଊର୍ଦ୍ଧ୍ବରେ ଆନନ୍ଦମୟ ଏକ ମହତ୍ତର ତେଜୋପୂର୍ଣ୍ଣ ଜୀଵନର ସଂକେତ ଵହନ କରେ । ସୁତରାଂ ମହାଵିଷୁଵ ସଂକ୍ରାନ୍ତି 
ସର୍ଵଭାରତୀୟ ନଵବର୍ଷ-ପ୍ରଥମଦିଵସ
ହେଵାକୁ ସର୍ଵଥା ଯୋଗ୍ଯ ।”

(ଚିତ୍ରରେ ଲିଖିତ ସୂର୍ଯ୍ୟଙ୍କ ଗତିକୁ ସୂର୍ଯ୍ୟଙ୍କର ଆପେକ୍ଷିକ ଗତି ଅର୍ଥାତ୍ "motion of sun relative to earth" ବୋଲି ପଢ଼ିବାକୁ ଅନୁରୋଧ)

●●●●●●●●●●●●●●●●●●
ତଥ୍ୟ—
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଅନ୍ତର୍ଜାଲ
ଵୈଦ୍ୟଶ୍ରୀ ଦେଵାଶିଷ ଜ୍ୟୈଷ୍ଠୀ ମହାଶୟ
ଶ୍ରୀଳଶ୍ରୀମାନ୍ ଶ୍ରୀ Sanatkumar Das ମହାଭାଗ

ଚିତ୍ର—
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
●●●●●●●●●●●●●●●●●

Friday, April 15, 2022

ସନତ୍ସୁଜାତ ମୁନି ଧୃତରାଷ୍ଟ୍ରଙ୍କୁ ବ୍ରାହ୍ମଣମାନଙ୍କର ବାରଗୋଟି ଵ୍ରତ ଵିଷୟରେ କ'ଣ କହିଥିଲେ?

ମହାଭାରତର ଉଦ୍ୟୋଗପର୍ଵ ଅନ୍ତର୍ଗତ ସନତତ୍ସୁଜାତ ପର୍ଵରେ ଧୃତରାଷ୍ଟ୍ରଙ୍କୁ ବ୍ରହ୍ମାଙ୍କର ସାତଜଣ ମାନସପୁତ୍ରଙ୍କ ମଧ୍ୟରେ ଅନ୍ୟତମ ସନତ୍ସୁଜାତ ମୁନି ଉପଦେଶ ଦେଇଥିଲେ...

ତହିଁର କିଛି ଶ୍ଳୋକ...

“ସ୍ପୃହୟାଳୁରୁଗ୍ରଃ ପରୁଷୋ ଵାଵଦାନ୍ଯଃ କ୍ରୋଧଂ ଵିଭ୍ରନ୍ମନସା ଵୈ ଵିକତ୍ଥୀ । ନୃଶଂସଧର୍ମାଃ ପଡି଼ମେ ଜନା ଵୈ ପ୍ରାଧ୍ଯାପ୍ଯର୍ଥଂ ନୋତ ସଭାଜୟନ୍ତେ ॥ ୩॥

(ଲୋଲୁପୀ,କ୍ରୁର,କଠୋରଭାଷୀ,କୃପଣ,ମନେ ମନେ କ୍ରୋଧ ପାଳୁଥିଵା ଏଵଂ ଅତ୍ୟଧିକ ଆତ୍ମମୁଗ୍ଧ ଆତ୍ମପ୍ରଶଂସାରେ ଲିପ୍ତ ଏହି ଷଡ଼ଜାତୀୟ ମନୁଷ୍ୟ ନିଶ୍ଚିନ୍ତ ହିଁ କ୍ରୁରକର୍ମକାରୀ ହୋଇଥାନ୍ତି । ଏମାନେ ପ୍ରାପ୍ତ ହୋଇଥିଵା ସମ୍ପତ୍ତିର ଉଚିତ୍ ଉପଯୋଗ କରନ୍ତି ନାହିଁ ।)

ସମ୍ଭୋଗସଂଵିଦ ଵିଷମୋଽତିମାନୀ ଦତ୍ତ୍ଵା ଵିକତ୍ଥୀ କୃପଣୋ ଦୁର୍ଵଳଶ୍ଚ । ବହୁପ୍ରଶଂସୀ ଵନ୍ଦିତଦ୍ଵିଟ୍ ସଦୈଵ ସପ୍ତୈଵୋକାଃ ପାପଶୀଳା ନୃଶଂସାଃ ॥ ୪ ॥

(ସଦା ସମ୍ଭୋଗରେ ଵ୍ରତୀ,ଵିଷମତା ସୃଷ୍ଟିକାରୀ, ଅତ୍ୟନ୍ତ ଅଭିମାନୀ,ଦାନ ଦେଇ ଆତ୍ମଶ୍ଲାଘା କରୁଥିଵା ଜନ,କୃପଣ ,ଅସମର୍ଥ ହୋଇ ବି ନିଜକୁ ଶ୍ରେଷ୍ଠ ମଣି ୟା ତା ଆଗରେ ନିଜର ଗୁଣସଂକୀର୍ତ୍ତନ କରି ଗପୁଥିଵା ଜନ ଏଵଂ ନିଜେ ଧନ ତଥା ଜ୍ଞାନ ଲାଭକରି ଉଚ୍ଚାସାନ ପାଇଗଲା ପରେ ସାମାନ୍ୟ ପୁରୁଷ ଵା ସାଧାରଣ ଲୋକଙ୍କୁ ହୀନ ମନେକରୁଥିଵା ଏହି ସାତ ପ୍ରକାରର ମନୁଷ୍ୟମାନେ ହିଁ ପାପୀ ଓ କ୍ରୁର କଥିତ ହୁଅନ୍ତି । )


ଧର୍ମଶ୍ଚ ସତ୍ୟଂ ଚ ତପୋ ଦମଶ୍ଚ
ଅମାତ୍ସର୍ଯ୍ୟେଂ ହ୍ଲିସ୍ତିତିକ୍ଷାନସୂୟା ।
ଦାନଂ ଶ୍ରୁତଂ ଚୈଵ ଧୃତିଃ କ୍ଷମା ଚ
ମହାଵ୍ରତା ଦ୍ଵାଦଶ ବ୍ରାହ୍ମଣସ୍ୟ ॥୫॥”


(ଧର୍ମ,ସତ୍ୟ,ଇନ୍ଦ୍ରିୟସଂଯମ, ଈର୍ଷ୍ୟା ଦ୍ଵେଷ ନକରିଵା,ଲଜ୍ଜା,ସହନଶୀଳତା,କାହାର ଦୋଷ ନ ଦେଖିଵା,ଦାନ, ଶାସ୍ତ୍ରଜ୍ଞାନ, ଧୈର୍ଯ୍ୟ ଓ କ୍ଷମା ଏହି ବାରଗୋଟି ଵ୍ରତ ବ୍ରାହ୍ମଣମାନଙ୍କର ମହାନ ଜୀଵନ ଵ୍ରତ ଅଟେ ।) 

(ସନତ୍ସୁଜାତ ପର୍ଵ,ଉଦ୍ୟୋଗପର୍ଵ , ମହାଭାରତ)

Sunday, April 10, 2022

କଳାମାଣିକରେ


••••••••••••••••••••••••••


ଧୀରେ ଘେନ କାନନରେ କୃଷ୍ଣ ଵିଳମ୍ବିତ, 
ଵାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। 

କଳାମାଣିକ ରେ ||୧||


ନିଧନ ସଙ୍ଖାଳି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା । 

କଳାମାଣିକ ରେ ॥୨|| 

ମୋ ଜୀଵ ଜୀଵନ ତୁହି ନୟନ ପ୍ରତିମା, ତୋତେ କି ପାସୋରି ହେଵ, ମୋର ସୁଖ ସୀମା !

 କଳାମାଣିକ ରେ ।୩।
 ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁପାଇଁ ସାରୁ !
 କଳାମାଣିକ ରେ ॥୪॥
ଵୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, 
ହୃଦତାପ ଵିନାଶନେ ତୁ ହରିଚନ୍ଦନ।

 କଳାମାଣିକ ରେ ॥୫॥
 ଗୋଟିକା, ଅଧାମ, ସର ନ ରୁଚଇ ତୋତେ, 
 ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ !
 କଳାମାଣିକ ରେ ।୬। 
ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ଵଳ ଦେଖି କାହିଁ ପଶିବଇଁ ମୁହିଁ !

 କଳାମାଣିକ ରେ ॥ ୭ ॥ 
ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ,
 ବାର ବାର ବାରୁଥାଇ ଯିଵା ପାଇଁ ଵନେ ! 
କଳାମାଣିକ ରେ ||୮|| 

ନିଶାଚର ମାତିଵାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ଵନକୁ କାହିଁକି ! 

କଳାମାଣିକ ରେ ॥୯॥ 

ଝାଳ ବହୁଥିଵ ଅଙ୍ଗୁ ଲାଗି, 
ଝାଞ୍ଜି ଖରା, ଶ୍ରମ ପାଇ ତରୁତଳେ ବସିଥିବୁ ପରା ! 

କଳାମାଣିକ ରେ ।।୧୦|| 

ନେଲୁ ନାହିଁ କାହିଁ ପାଇଁ ତୋ’ କଠାଉ ଛତା, 
ଵନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।

 କଳାମାଣିକ ରେ ॥୧୧॥ 
କାନ ଡେରିଥାଇ ଏକା ତୋ’ ବେଣୁ ଗୀତକୁ, 
ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ! 

କଳାମାଣିକ ରେ ॥୧୨॥

•••••••••••••••••••••••••••

‘କଳାମାଣିକରେ’ କଵିତାଟି ଵିଦଗ୍ଧ ଚିନ୍ତାମଣି କାଵ୍ୟର ସତଷଠି ଛାନ୍ଦରୁ ଅଣାଯାଇଛି । ଏଥିରେ ଶ୍ରୀକୃଷ୍ଣ ସନ୍ଧ୍ୟାସମୟରେ ଗାଈଗୋଠ ଧରି ଫେରିଵାରେ ଵିଳମ୍ବ ହେଵାରୁ ମାତା ଯଶୋଦାଙ୍କ ମନରେ ଵ୍ୟସ୍ତତା ଦେଖା ଦେଇଛି । ଏହି କଵିତାରେ ଵାତ୍ସଲ୍ୟମୟୀ ମାତୃହୃଦୟର ଆଵେଗକୁ ସୁନ୍ଦରଭାବେ ଵର୍ଣ୍ଣନା କରାଯାଇଛି । 

       • "କଵି ପରିଚୟ" •
ଅଭିମନ୍ୟୁ ସାମନ୍ତସିଂହାର : ଓଡ଼ିଆ ସାହିତ୍ୟର ରୀତିଯୁଗୀୟ କଵିମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତସିଂହାର ଜଣେ ପ୍ରମୁଖ ସ୍ରଷ୍ଟା । ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିଵାରରେ ସେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ଅଭିମନ୍ୟୁ ସରଳ ଗାଉଁଲୀ ଭାଷାରେ ସୁନ୍ଦର କଵିତା ରଚନା କରୁଥିଲେ । ପରେ ସେ ରାଧାକୃଷ୍ଣଙ୍କ ଲୀଳାକୁ ଆଧାର କରି କାଵ୍ୟ କଵିତାମାନ ରଚନା କରିଥିଲେ । ଵିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସଵତୀ, ସୁଲକ୍ଷଣା, ବାଘଗୀତ, ଚଢ଼େଇଗୀତ, ବୋଲେ ହୁଁ ଟି ଇତ୍ୟାଦି ତାଙ୍କର କେତୋଟି ଲୋକପ୍ରିୟ ସୃଷ୍ଟି ।

(ସଂଗ୍ରହ : ବହୁ ଵର୍ଷ ଧରି ଏହି କଵିତାଟି ସପ୍ତମ ଶ୍ରେଣୀରେ ପଢ଼ାଯାଉଅଛି । )

Thursday, April 7, 2022

ମଧୁବାବୁଙ୍କ ଶେଷ ସମୟ କେମିତି ଥିଲା ?


ମଧୁବାବୁଙ୍କର ଶେଷ ଜୀଵନରେ ଅର୍ଥାଭାଵ ଦେଖା ଦେଇଥିଲା ।  ଅଦାଲତ ଵିଚାରରେ ଦେଉଳିଆ ହେଵା ଆଦି ଘଟଣା ଘଟିତ ହୋଇଥିଲା ।

ଦେଶର ଜାତୀୟ ଜୀଵନର ଉନ୍ନତି ପାଇଁ, ଶିଳ୍ପ ପ୍ରସାର ପାଇଁ ଵିଶେଷତଃ ଉତ୍କଳ ଟ୍ୟାନେରୀ ପାଇଁ ଟଙ୍କା ଖରଚ କରି ସେ ଦେଉଳିଆ ହେଲେ ।

ପୁନଶ୍ଚ  ଟଙ୍କା ପଇସା ଵିଷୟରେ ମଧୁବାବୁ ସବୁ ଦିନେ ଉଦାର ଓ ଉଦାସୀନ ଥିଲେ; ଉତ୍କଳ ସମ୍ମିଳନୀ ପାଇଁ ଟଙ୍କା ଵ୍ୟୟ ହେଉଥିଲା ହେଲେ ସେଥିପାଇଁ ଦିନେ ହେଲେ କାହାରିକୁ ସେ ପଇସା ପାଇଁ ହାତ ପତାଇ ନ ଥିଲେ ।

ପ୍ରଜାପ୍ରତିନିଧି ସଭାର ଖର୍ଚ୍ଚ, ଵନ୍ୟାପ୍ରପୀଡ଼ିତ ଅଞ୍ଚଳକୁ ସାହାଯ୍ୟ, ‘ଦ ଓଡ଼ିଆ’ ନାମକ ଇଂରାଜୀ ସମ୍ବାଦପତ୍ର ଇତ୍ୟାଦି ଅନୁଷ୍ଠାନ ଓ ଅନ୍ୟାନ୍ୟ ଲୋକହିତକର କାର୍ଯ୍ୟ ପାଇଁ ଟଙ୍କା ଅଵଶ୍ୟକ ହେଉଥିଲା, ସେଥିଲାଗି ସେ ଦିନେ ବି କାହାର ଦ୍ବାରସ୍ଥ ହୋଇ ନ ଥିଲେ ।

ମଧୁବାବୁ ଯେଉଁମାନଙ୍କୁ ଅତି ଵିଶ୍ଵାସ କରୁଥିଲେ, ସେମାନେ ସୁଦ୍ଧା ନିଜର ସ୍ଵାର୍ଥ ସାଧନ ଲାଗି ତାଙ୍କର ଟଙ୍କା ଆତ୍ମସାତ୍ କରିଥିଵା ଜଣାଯାଏ । 

ସେ ସମୟରେ ଆଜିକାଲି ପରି ଏତେ ନୋଟ୍‌ର ପ୍ରଚଳନ ନଥିଲା, ଲୋକେ ସୂତା ଵା ଛଣପଟରେ ତିଆରି ବଡ଼ ବଡ଼ ତୋଡ଼ାରେ ଟଙ୍କା ପୂରଇ ରଖୁଥିଲେ ।

ଗୋଟାଏ ଲୁହା ସିନ୍ଧୁକରେ ତାଙ୍କର ଟଙ୍କା ତୋଡ଼ାଯାକ ରହୁଥିଲା ‌ ।  ତେବେ ଅନେକ ସମୟରେ ମେଜ ଉପରେ ଚାବି ଛଡ଼ିଦେଇ ହୁଏତ କଚେରକି କିମ୍ବା ବୁଲିଵାକୁ ଚାଲିଯାଉ ଥିଲେ । ଏଥୁରୁ ସହଜରେ ଅନୁମାନ କରାଯାଇ ପାରେ ଯେ ତାଙ୍କ ଟଙ୍କା କଉଡ଼ି କିପରି ହରଣଚାଲ ହେଉଥିଲା ।

ସେ ପୁଣି ଏପରି ଉଦାର ଥିଲେ ଯେ, ଗୋଟିଏ ଶହେ ଟଙ୍କିଆ ନୋଟ ଭଙ୍ଗାଇଵାକୁ ଦେଲେ, ଚାକର ସେଥିରୁ କୋଡ଼ିଏ ୪ଙ୍କା ଖରଚ କରି ଅଶି ଟଙ୍କା ଫେରାଇ ଦେଲାବେଳକୁ ଵିରକ୍ତ ହୋଇ କହୁଥିଲେ ‘‘ତୋତେ କଣ ମୁଁ ବାକି ବାକି ମାଗିଲି ? ତୋ ପାଖରେ ବାକି ଟଙ୍କାତକ ଥିଲେ କ'ଣ ହେଵ ନାହିଁ ?”

କିନ୍ତୁ ସେ ଟଙ୍କା ଆଉ କେବେ ମାଗନ୍ତି ନାହିଁ । ସେ ଟଙ୍କା ଚାକର ପାଖରେ ସେହିପରି ରହିଲା, ଆଉ ସେ କଥା ତାଙ୍କର ମନେ ରହେ ନାହିଁ । ଏପରି କ୍ଲବରେ ମଧ୍ୟ ବହୁତ ଟଙ୍କା ଉଡ଼ିଯାଏ ।

ସେ ଦେଉଲିଆ ହେଲାପରେ କହୁଥିଲେ, ‘ମୁଁ ଜଣେ ଦରିଦ୍ରର ସନ୍ତାନ ଥିଲି; ମୁଁ ପୃଥିଵୀରେ ଜନ୍ମ ହେଲା ବେଳେ ସଙ୍ଗରେ ଟଙ୍କା ପଇସା ନେଇ ଆସି ନ ଥିଲି; ମୁଁ ଫେରଗଲା ବେଳକୁ ମୋର କେହି ନାହିଁ, ଯାହାପାଇଁ ଟଙ୍କା କଉଡ଼ି ରଖିଯିବି । ଖାଲି ହାତରେ ଭୁଲଯିବି । ସେଥିପାଇଁ ଚିନ୍ତା କଣ ?”

ତାଙ୍କର ମୃତ୍ୟୁ ପୂର୍ଵଦିନ ସୁଦ୍ଧା ଭୁଲ୍ ଵଶତଃ ଗୋଟାଏ ବ୍ୟାଙ୍କରେ ସାମାନ୍ୟ ଏକଶହ ଚଉଷଠୀ ଟଙ୍କା ରହି ଯାଇଥିଲା । ଏ କଥା ତାଙ୍କର ମନେ ନ ଥିଲା; କିନ୍ତୁ ଯେଉଁମାନେ ତାହା ଜାଣିଥିଲେ, ସେ ଟଙ୍କା ପାଇବାର ପ୍ରତିନିଧି ନିଯୁକ୍ତିପତ୍ର ମୃତ୍ୟୁର କେତେକ ଘଣ୍ଟା ପୂର୍ଵରୁ ସ୍ବାକ୍ଷର କରାଇନେଲେ ।

ସେ ଦୀର୍ଘ ନିଶ୍ଵାସଟିଏ ପକାଇଲେ ମାତ୍ର । ଏହି ଘଟଣାର କେତେକ ଘଣ୍ଟା ପରେ ସମ୍ପୂର୍ଣ୍ଣ ଭାବରେ କପର୍ଦ୍ଦକଶୂନ୍ୟ ହେଲା ଉତ୍ତାରୁ ତାଙ୍କର ପ୍ରାଣଵାୟୁ ବାହାର ଗଲା ।

(ଚିତ୍ର ଓ ତଥ୍ୟ ନଵକିଶୋର ଦାସଙ୍କ ଲିଖିତ ଉତ୍କଳ ଗୌରଵ ମଧୁସୂଦନ ପୁସ୍ତକରୁ ସଂଗୃହୀତ)

Tuesday, April 5, 2022

ମଧୁବାବୁ ଖ୍ରୀଷ୍ଟିଆନ ହୋଇ ମଧ୍ୟ ଶ୍ରୀମନ୍ଦିର ରକ୍ଷା କରିବାକୁ ଲଢି଼ଥିଲେ



୧୮୬୫ରେ ରାଧାନାଥ ରାୟ, ଫକୀରମୋହନ ସେନାପତି ଓ ମଧୁସୂଦନ ଦାସ ଏହି ତିନିହେଁ ବାଲେଶ୍ଵର ଜିଲ୍ଲାରେ ରହୁଥିଲେ । 

ଫକୀରମୋହନ ତାଙ୍କ ଆତ୍ମଜୀବନୀରେ ଏ ଵିଷୟରେ ଏମନ୍ତ ଲେଖିଛନ୍ତି

"ବାଲେଶ୍ୱରରେ ମୋତିଗଞ୍ଜ ବଜାରର ଦକ୍ଷିଣ ପ୍ରାନ୍ତରେ ଗୋଟିଏ ପୁଷ୍କରିଣୀର ନାମ ଗଡ଼ଗଡ଼ିଆ । ବାବୁ ମଧୁସୂଦନ ସେ ସମୟରେ ବାଲେଶ୍ୱର ଜିଲ୍ଲା ସ୍କୁଲ୍‍ର ତୃତୀୟ ଶିକ୍ଷକ ଥିଲେ । ଗ୍ରୀଷ୍ମ କାଳରେ ଆମ୍ଭେମାନେ ପ୍ରାୟ ପ୍ରତିଦିନ ପରସ୍ପର କଥୋପକଥନ ଓ ଵାୟୁ ସେଵନ ନିମନ୍ତେ ଉକ୍ତ ପୁଷ୍କରିଣୀର ଘାଟରେ ଏକତ୍ରିତ ହେଉଥିଲୁ । ପିତାଙ୍କ ଭୟରେ ରାଧାନାଥ ଦିଵାଲୋକର ପ୍ରକାଶରେ ଆମ୍ଭମାନଙ୍କ ସହିତ ଆସି ବସିପାରନ୍ତି ନାହିଁ । ଦିନେଦିନେ ସନ୍ଧ୍ୟା ଉତ୍ତାରେ ଆସି ପହଞ୍ଚି ଯାଆନ୍ତି । କିନ୍ତୁ ମଧୁସୂଦନ ପ୍ରତ୍ୟହ ଆସି ଆମ ଦଳରେ ମିଶୁଥିଲେ । ସେହି ତରୁଣ ଵୟସରେ ମଧ୍ୟ ତାହାଙ୍କର ଉଚ୍ଚାକାଂକ୍ଷା ଵିଷୟରେ ଶୁଣି ଆମ୍ଭେମାନେ ସ୍ତମ୍ଭୀତ ହୋଇଯାଇଥିଲୁ । ସେ ସେଠାରୁ କର୍ମ ତ୍ୟାଗ କରି କଲକତା ଚାଲି ଯାଇଥିଲେ ।"

ମଧୁସୂଦନ ଦାସ ୧୮୬୬ରେ କଲିକତା ଚାଲିଯାଇଥିଲେ । ଏ ଵିଷୟରେ  ମଧୁସୂଦନ ତାଙ୍କ ନିଜସ୍ୱ ଵକ୍ତଵ୍ୟରେ ଥରେ ଉଲ୍ଲେଖ କରିଥିଲେ...

"ଆମ୍ଭେମାନେ କଟକ କଲିଜିଏଟ୍‍ ସ୍କୁଲ୍‍‌ରେ ପଢ଼ିଲାବେଳେ ଇଂରାଜୀ ଓ ବଂଗଳା ବହି ପଢ଼ୁଥିଲୁ, କାରଣ ସବୁତକ ମାଷ୍ଟର ବଙ୍ଗାଳୀ । ସେତେବେଳେ ସେମାନେ ଓଡ଼ିଆରେ କଥା କହୁ ନଥିଲେ । ଆମର ଓଡ଼ିଆ ପାଠ୍ୟ ପୁସ୍ତକ ମଧ୍ୟ ନଥିଲା । ତେଣୁ ଆମେ କେତେକ ଓଡ଼ିଆ ପିଲାଙ୍କ ମନରେ ଭାବ ଆସିଲା ଯେ, ଓଡ଼ିଆ ପାଠ୍ୟ ପୁସ୍ତକ ଥାଆନ୍ତା ଓ ଓଡ଼ିଆ ମାଷ୍ଟର ଥାଆନ୍ତେ କି ? ଯାହାହେଉ ମୁଁ ପାଶ୍‍ କରି ଉଚ୍ଚଶିକ୍ଷାପାଇଁ ଇଚ୍ଛା ପ୍ରକାଶ କରି ବାପାଙ୍କୁ କହିଲି । ସେ ମନାକରି କହିଲେ, "ଡେପୁଟି ହୁଅ ।"
⁠ମୁଁ ତାଙ୍କ କଥା ନମାନି ଚାଲିଚାଲି ବାଲେଶ୍ୱର ଗଲି ଓ ଜିଲ୍ଲାସ୍କୁଲ୍‍ ମାଷ୍ଟର ହେଲି । ସେଠି ହେଡ଼୍‍ ପଣ୍ଡିତ କାନ୍ତିଚନ୍ଦ୍ର ବନ୍ଦୋପାଧ୍ୟାୟ ଓଡ଼ିଆ ବିଦ୍ୱେଷୀ ଥିଲେ । ସେ କହୁଥିଲେ, ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ । ଫକୀରମୋହନ ସେନାପତି ଭର୍ଣ୍ଣାକୁଲାର ପଢ଼ି ଗୋଟିଏ ପ୍ରାଇମେରୀ ସ୍କୁଲ୍‍ ଶିକ୍ଷକ ଥିଲେ । ସେ ଓଡ଼ିଆ ଭାଷାପ୍ରେମୀ ଥାଇ ବାଲେଶ୍ୱରରେ ଆନ୍ଦୋଳନ ଚଳାଇଲେ । ସେ ମୋଠାରୁ ପାଞ୍ଚ ବର୍ଷ ବଡ଼ ଥିଲେ ଓ ମୁଁ ତାଙ୍କ ସହିତ ଯୋଗ ଦେଵାରୁ କାନ୍ତିଚନ୍ଦ୍ର ମୋ ଉପରେ ବିରକ୍ତ ହେଲେ । ତା'ପରେ ସବ୍‍ ରେଜେଷ୍ଟ୍ରି ଅଫିସରେ ଚାକିରି କଲି । କାନ୍ତିଚନ୍ଦ୍ରଙ୍କ ବନ୍ଧୁ ସେଠି ହେଡ଼୍‍ କିରାଣି ଥାଇ ମୋତେ ବଦନାମରେ ପକାଇବାକୁ ଚେଷ୍ଟା କଲେ । ମୁଁ ତାଙ୍କର ଦୌରାତ୍ମ୍ୟ ଓ ଷଡ଼ଯନ୍ତ୍ର ସହି ନପାରି ଚାକିରି ଛାଡ଼ି କଲିକତା ଗଲି ।”

ମଧୁସୂଦନ ଦାସ ଯୋଉଵର୍ଷ ଓଡ଼ିଶା ଛାଡ଼ି ଦେଲେ ସେହି ଵର୍ଷ ୧୮୬୬ ଥିଲା ଏଵଂ ଦୁର୍ଭାଗ୍ୟକୁ ସେହି ବର୍ଷଠାରୁ ଲାଗ୍ ଲାଗ୍ ତିନି ଵର୍ଷ ଧରି  ମରୁଡ଼ି ପଡି଼ଲା । ଏ ଜାତିର
ଏକ ଚତୁର୍ଥାଂଶ ଲୋକ ମୃତ୍ୟୁ ମୁଖରେ ପଡ଼ିଲେ ଅନେକେ ଦରିଦ୍ର ହୋଇଗଲେ ।
କିଛି ଲୋକ ଜୀଵନ ଵିକଳରେ ଖ୍ରୀଷ୍ଟିଆନ ଆଉ ମୁସଲମାନମାନଙ୍କ ହାତରୁ ଅନ୍ନ ଗ୍ରହଣ କଲେ ବୋଲି ଧନାଢ୍ୟ ହିନ୍ଦୁ ସମାଜ ତାଙ୍କୁ ଛତରଖିଆ ଘୋଷିତ କରି ଜାତିଚ୍ୟୁତ କରିଦେଲେ ‌ ।

କିନ୍ତୁ ନଅ ଅଙ୍କ ଦୁର୍ଭିକ୍ଷ ଓଡ଼ିଆ ଜାତିକୁ ଚେତେଇ ଦେଇ ଗଲା ଉଠେଇ ଦେଇ ଜଗାଇ ଦେଲା । ଫଳତଃ ଉତ୍କଳଦୀପିକା ପତ୍ରିକା ପ୍ରକାଶ ପାଇ ଓଡ଼ିଆ ଜାତିକୁ ସଂଗଠିତ କରିଵାରେ ଲାଗିଗଲା । 

ସେହିପରି ୧୮୭୦ରେ ଗଞ୍ଜାମର ରସଲକୁଣ୍ଡା (ଭଞ୍ଜନଗର)ଠାରେ ପ୍ରଥମ ପ୍ରତିଵାଦର ଗୁଞ୍ଜରଣ ଶୁଭିଥିଲା । ନଅ ଅଙ୍କ ଦୁର୍ଭିକ୍ଷ ସମୟରେ ଏଣେ ବଙ୍ଗାଳୀମାନେ ଓଡ଼ିଆ ଭାଷା ମାରି ଦେଵାକୁ ଚକ୍ରାନ୍ତ କରୁଥାନ୍ତି ।

୧୮୬୭-୬୮ ସାଲରେ ଓଡ଼ିଶାର ମୂଳ ଭୂଖଣ୍ଡ ବାଲେଶ୍ୱରର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନ ବିରୋଧରେ ଫକୀରମୋହନଙ୍କ ଦ୍ୱାରା ସଞ୍ଚାଳିତ ଜନଜାଗରଣକୁ କଲେକ୍ଟର ବୀମସ୍‍ ସାହେବଙ୍କର ଅକୁଣ୍ଠ ସମର୍ଥନ ଆଉ କମିଶନର ରେଭେନ୍‍ସା ସାହେବଙ୍କର ସମୟୋପଯୋଗୀ ଦୃଢ଼ ପଦକ୍ଷେପ ଫଳରେ,୧୮୬୯ରେ ଓଡ଼ିଆ ଭାଷା ନିଜର ମାନ୍ୟତା ଫେରିପାଇଲା  ।

ତେବେ ଵହିରାଗତ ବଙ୍ଗାଳୀ, ତେଲେଙ୍ଗା ଓ ବିହାରୀ କର୍ମଚାରୀଙ୍କ ପକ୍ଷପାତିତା ଯୋଗୁଁ  ଵିଖଣ୍ଡିତ ଓଡ଼ିଆ ଜାତି ପ୍ରତିଵାଦ କରିଵାର ସ୍ୱରଟି ପ୍ରାୟତଃ ହରାଇ ବସିଥିଲା ।

କେତେକ ଵର୍ଷ ପରେ ମଧୁସୂଦନ କଲିକତାରୁ ଓଡ଼ିଶାକୁ ଏକ କ୍ରାନ୍ତିକାରୀ ନୂତନ ଯୁଗର ଵାର୍ତ୍ତାବହ ରୂପରେ ଫେରିଆସିଥିଲେ ।

୧୮୮୨ରେ ଉତ୍କଳ ସଭାଗଠନ କରି, ତାହାରି ମାଧ୍ୟମରେ ମଧୁସୂଦନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଲାଗି ତତ୍‍କାଳୀନ ବଙ୍ଗର ଗଭର୍ଣ୍ଣରଙ୍କ ସମକ୍ଷରେ
ଦାବି ଉପସ୍ଥାପନ କରିଥିଲେ ।

୧୮୮୭ରେ ଓଡ଼ିଆ ଜାତିର ସ୍ନାୟୁକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନାକୁ ଇଂରେଜୀ ସରକାରଙ୍କୁ ହସ୍ତାନ୍ତର କରିଵାର ହୀନ ଚକ୍ରାନ୍ତକୁ ଆଇନଗତ ସଂଗ୍ରାମରେ ପ୍ରତିହତ କରି, ସ୍ମରଣାତୀତ ଯୁଗରୁ ପ୍ରଚଳିତ ଥିବା ଗଜପତି ବଂଶର ପରମ୍ପରାକୁ ମଧୁସୂଦନ ଆଉ ଥରେ ସଂସ୍ଥାପିତ କରିଥିଲେ  ।

ସେତେବେଳେ ତ ମଧୁସୂଦନଙ୍କ ଯୋଗୁଁ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ରକ୍ଷା ପାଇଯାଇଥିଲେ ହେଲେ ଆଜି ଲକ୍ଷ ଲକ୍ଷ ତଥାକଥିତ ଧର୍ମଧ୍ଵଜାଧାରୀ ହିନ୍ଦୁ ସିଂହ ସିଂହୀ ଆଉ ଷଣ୍ଢଙ୍କର ଅହେତୁକ ପ୍ରାଦୃଭାଵ ଅନ୍ତର୍ଜାଲରେ ଥାଇ ମଧ୍ୟ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ବେଆଇନ ଖନନ ଚାଲିଛି ।

ମଧୁସୂଦନ ଦାସ ଖ୍ରୀଷ୍ଟିଆନ ହୋଇଯାଇଥିଲେ ବୋଲି ତାଙ୍କୁ ତଥାକଥିତ ବେହିଆ ହିନ୍ଦୁମାନେ କେଵଳ ଗାଳି ଦେଇ ଜାଣନ୍ତି କିନ୍ତୁ ରାଜରାସ୍ଥାକୁ ଓହ୍ଲାଇ ୟା ଵିରୁଦ୍ଧରେ ଜନ ଆନ୍ଦୋଳନ କରୁପାରୁନାହାନ୍ତି କ'ଣ ପାଇଁ ?


Sunday, April 3, 2022

ତଅପୋଇର କାହାଣୀ ମଧ୍ୟରେ ରହିଛି ଓଡ଼ିଶାର ସାଂସ୍କୃତିକ ଇତିହାସର ସଂକ୍ଷିପ୍ତ ଵିଵରଣୀ

ତଅପୋଇର କାହାଣୀ ସମସ୍ତେ ଜାଣିଥିବେ । କିନ୍ତୁ ସେ କାହାଣୀ ଭିତରେ ପରୋକ୍ଷରେ ଓଡ଼ିଶାର ଇତିହାସ ଥିଵା ମୋତେ ଅନୁଭୁତ ହୋଇଥାଏ । ସଂକ୍ଷେପରେ କାହାଣୀଟି ଏମନ୍ତ...

ସାତ ଭାଇରେ ସେ ଗୋଟିଏ ଭଉଣୀ । ତଅପୋଇର ବାପା ଆରପାରିକୁ ଚାଲିଗଲାପରେ ତା ଭାଇମାନେ ମଧ୍ୟ ନୌଵାଣିଜ୍ୟ ହେତୁକ ଜାଭା ବୋର୍ଣ୍ଣିଓ ଲବଙ୍ଗ ଦ୍ଵୀପକୁ ଚାଲିଗଲେ ଏଵଂ ତାକୁ ଛାଡ଼ିଦେଇ ଗଲେ ସାତ ଭାଉଜଙ୍କ ପାଖରେ...

ସାତ ଭାଉଜଙ୍କ ମଧ୍ୟରେ ସବା ସାନ ଭାଉଜଟି ତଅପୋଇକୁ ବହୁତ ସ୍ନେହ କରୁଥିଲା ।

ତଅପୋଇର ଭାଇ ଵଣିଜ କରିଵାକୁ ସାଗରପାରି ଆନ ଦେଶକୁ ଯିଵାପରେ ଗୋଟିଏ ଵିଧଵା ବାହ୍ମୁଣୀ କୌଣସି ଆଡ଼ୁ ଆସି ମିଠା ମିଠା କଥାରେ ଭାଉଜମାନଙ୍କ ମନ ଜିଣି ତାଙ୍କ ଘରେ ରହିଵାକୁ ଲାଗିଲା ।

ସାତ ଭାଉଜ ସେ ଵିଧଵା ବାହ୍ମୁଣୀର ସେଵା କରିଵାକୁ ଲାଗିଲେ କିନ୍ତୁ ସେମାନେ ତାଙ୍କର ନଣନ୍ଦ ତଅପୋଇକୁ ମଧ୍ୟ ସ୍ନେହ କରୁଥାନ୍ତି ।

ବାହ୍ମୁଣୀ ଏହା ସହି ପାରୁନଥାଇ ।
ଧେତ୍ ! ନଣନ୍ଦ ଆଉ ଭାଉଜଙ୍କ ଭିତରେ ପୁଣି ଏତେ ସ୍ନେହ ଭଲପାଇଵା !!!

ସେ ଭେଦବୁଦ୍ଧି ଲଗାଇ ଛଅ ଜଣ ବଡ଼ ଭାଉଜଙ୍କ ମନରେ ତଅପୋଇ ପ୍ରତି ଘୃଣା ଦ୍ଵେଷ ଵୃଦ୍ଧି କରିଵାରେ ସଫଳ ହୋଇଗଲା ।
କିନ୍ତୁ ସାନ ଭାଉଜଟି କେବେବି ତଅପୋଇକୁ ଘୃଣା କରିପାରିଲା ନାହିଁ ଵରଂ ଲୁଚିଛପି ତାକୁ ସାହାଯ୍ୟ କରୁଥିଲା ।

ତଅପୋଇ ଛେଳି ଚରେଇଲା,ମୂଷା ଲେଣ୍ଡି ମିଶା ଭାତ ଖାଇଲା ,ଅସନା ଘରେ ଶୋଇଲା । ଆଗେ ସେ ରାଜକୁମାରୀ ଭଳି ସଜେଇ ହେଉଥାଇ ଏବେ ସେସବୁ ନଥିଲା ।

ଭାଇମାନେ ଫେରି ଆସିଲେ ସେ ନିଜ ଦୁଃଖ ଜଣାଇ ଏ କଷ୍ଟରୁ ମୁକ୍ତି ପାଇଵ ସେଥିପାଇଁ ଦେଵୀ ମଙ୍ଗଳାଙ୍କର ଓଷା କଲା ।

ଦିନେ ଛେଳିଟିଏ ହଜିଵାରୁ ଜଙ୍ଗଲରେ ତଅପୋଇ ତାକୁ ଖୋଜି ବୁଲୁଥିଲା । ଏତିକି ବେଳେ ତା ଭାଇମାନେ ଫେରି ଆସି ପାଖ ବଣରେ କାହାର କ୍ରନ୍ଦନ ଶୁଣିଣ ଦୌଡ଼ି ଆସି  ତଅପୋଇକୁ ପାଇଲେ ।  ଭାଇମାନେ ତଅପୋଇଠାରୁ ସବୁ ଶୁଣିଲେ ଏଵଂ ତାକୁ ବୋଇତକୁ ନେଇଗଲେ ।

ତତ୍ପର ଦିନ ବୋଇତ ବନ୍ଦାଣ ପାଇଁ ସାତ ଭାଉଜ ବୋଇତ ପାଖକୁ ଆସିଲେ । ପ୍ରଥମେ ବୋଇତ ମଧ୍ୟରେ ସ୍ଥିତା ମଙ୍ଗଳା ଦେଵୀଙ୍କ ବନ୍ଦନା କରିଵାକୁ ଏକ ଏକ କରି ଛଅଜଣ ବଡ଼ ଭାଉଜଙ୍କ ନାକ କାଟିଦେଲେ ମାଆ ମଙ୍ଗଳା ଏଵଂ ସବା ସାନ ଭାଉଜଙ୍କୁ ଆଶିର୍ଵାଦ ଦେଇ ଉଭେଇ ଗଲେ ।

ସ୍ଥୂଳ ଭାବରେ ଦେଖିଲେ କାହାଣୀଟି ପୁରାତନ କଳିଙ୍ଗ ଦେଶରେ ନୌଵାଣିଜ୍ୟ ପରମ୍ପରାକୁ ପ୍ରକଟିତ କରୁଥିଵା ସାଧାରଣ ଲୋକକଥା ପରି ଦୃଶ୍ୟ ହୋଇଥାଏ ।

କିନ୍ତୁ ଏ କାହାଣୀ ଭିତରେ କିଛି ଗୂଢ଼ କଥା କୁହାଯାଇଛି ବୋଲି ଭଗଵତ୍ ପ୍ରେରଣାରୁ ମୋହର କେତେକ ଵର୍ଷ ତଳେ ହୃଦବୋଧ ହୋଇଥିଲା ।



କାହାଣୀରେ...

•ବଡ଼ ସାଧଵ ଵା ତଅପୋଇର ପିତା = ଜାତୀୟତାବୋଧ ଓ ଏକତା

•ସାତ ଭାଇ = ଵ୍ୟାପାରୀ ସାଧଵ

•ସାତ ଭାଉଜ = ଓଡ଼ିଶାଳ ରାଜବଂଶ

•ତଅପୋଇ = ସାଧଵ ପରିଵାର

•ଵିଧଵା ବାହ୍ମୁଣୀ = ଉତ୍ତର ଭାରତରୁ ଆସିଥିଵା ଛୁଆଁ ଅଛୁଆଁ ଭେଦଭାଵ ଵୃଦ୍ଧି କରିଥିଵା ମୌଳିଵାଦୀ ବ୍ରାହ୍ମଣ

•ସାନ ଭାଉଜ = ଓଡ଼ିଆ ଜାତି ଏକତା ସପକ୍ଷରେ କାର୍ଯ୍ୟ କରିଥିଵା କୌଣସି ଏକ ରାଜବଂଶ

ଓଡ଼ିଶାରେ ସବୁ ଲୋକମାନଙ୍କ ମଧ୍ୟରେ ଏକତା ଥିଲା ତା'ପରେ ଏମିତି ଏକ ସମୟ ଆସିଲା ଯେତେବେଳେ ଉତ୍ତର ଭାରତରୁ ଜାତିଵାଦୀ ବାହ୍ମୁଣ ଆସିଲେ । ସେମାନେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଜାତିଭେଦ ସୃଷ୍ଟି କଲେ । ଏହି ଜାତୀୟ ବ୍ରାହ୍ମଣ ହିଁ ଜଗନ୍ନାଥ ଦାସଙ୍କ ଭାଗଵତକୁ ତେଲି ଭାଗଵତ କହିଥିଲେ ।

ସେତେବେଳେ ଏହି ଜାତୀୟ ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କୁ ଓଡ଼ିଶାର ତତ୍କାଳୀନ ରାଜାମାନେ ଯାଗା ବାଡ଼ି ଓ ଧନ ଦେଇ ଓଡ଼ିଶାରେ ରଖାଇଥିଲେ । ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦିଆଗଲା ଏଵଂ ଓଡ଼ିଶାର ଉଡ୍ର ଭାଷା,ପାଲୀ ଭାଷା , ସଉରା ଭାଷା ଓ କୁଈ ଭାଷା ଆଦିକୁ ଗୌଣ ମନେ କରାଗଲା ।

ଓଡ଼ିଶାର ଲୋକଙ୍କୁ ଜାତିଭେଦ କରି ବାଣ୍ଟିଦିଆଗଲାବେଳେ ସବୁଠାରୁ ଅଧିକ ଅପମାନର ଶିକାର ହେଲେ ସାଧଵ ପରିଵାରମାନେ । ସାଧଵମାନେ ଵ୍ୟାପାର କରୁଥିଵାରୁ ଏଵଂ ଉତ୍ତର ଭାରତରେ ଵ୍ୟାପାରୀମାନଙ୍କୁ ଵୈଶ୍ୟ ଵିଚାର କରାଯାଇ ଘୃଣା କରାଯିଵାର ପ୍ରଥା ଥିଵାରୁ ସେମାନେ ସମାଜରେ ନୀଚ ହୀନ ନିକୃଷ୍ଟ ଗଣ୍ୟ ହେଲେ ।

ତେବେ ସାଧଵମାନଙ୍କୁ ପ୍ରକାଶ୍ୟ ହେଉ ଵା ଗୁପ୍ତରେ କିଛି ରାଜବଂଶ ସମର୍ଥନ କଲେ । ଓଡ଼ିଶାର ଲୋକେ ମାଆ ମଙ୍ଗଳାଙ୍କୁ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ଘୋଷଣା କରି ସେ ସମୟର ମୌଳିଵାଦୀ ଶକ୍ତି ଵିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ । ଧନ ଥିଲା ସାଧଵଙ୍କ ପାଖରେ ତେଣୁ ସେମାନେ କ୍ରମଶଃ ମୌଳିଵାଦର ସମର୍ଥକ ସାଜିଥିଵା ରାଜାମାନଙ୍କୁ ଧନ ନଦେଵାରୁ ସେମାନଙ୍କର ଶକ୍ତି ହ୍ରାସ ଘଟିଲା । ଶେଷରେ କଳିଙ୍ଗୀ ପ୍ରଜାଙ୍କ ଏକତା ରୂପ ମଙ୍ଗଳାଦେଵୀଙ୍କ ହସ୍ତରେ ମୌଳିଵାଦ ସମର୍ଥକ ରାଜବଂଶମାନଙ୍କର ନାସିକା ଛେଦନ ହୋଇଥିଲା ।

ଆଜି ବି ଆମେ ଦେଖନ୍ତି ଓଡ଼ିଶାର କିଛି ଲୋକେ ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଓଡ଼ିଶାର ନଵଵର୍ଷ ନୁହେଁ ବୋଲି ତୁଚ୍ଛା ଯୁକ୍ତି କରନ୍ତି ।

କିଏ ସେମାନେ ? କୁଆଡ଼ୁ ଆସିଲା ତାଙ୍କ ମନରେ ଓଡ଼ିଆ ଜାତିର ଏକ ପ୍ରାଚୀନ ପର୍ଵ ଵିପକ୍ଷରେ  ଏତେ  ଦ୍ୱେଷ ?

କାରଣ ସେମାନେ ଜାଣନ୍ତି ଯେ ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ଅଵଶେଷ । ସେମାନେ ଜାଣନ୍ତି ଓଡ଼ିଆ ସାଧଵ କାର୍ତ୍ତିକରେ ଵିଦେଶ ଯାଇ ଵୈଶାଖରେ ଫେରି ଆସୁଥିଲେ । ତାଙ୍କ ଆଗମନର ଉତ୍ସଵ ଏହି ମହା ଵିଷୁଵ ପଣା ସଂକ୍ରାନ୍ତିକୁ ତେଣୁ ସେହି ମୌଳିଵାଦୀମାନେ ତଅପୋଇ କାହାଣୀର ଵିଧଵା ବାହ୍ମୁଣୀ ପରି ସହି ନପାରି ଵିରୋଧ କରୁଛନ୍ତି !

ତଅପୋଇର କାହାଣୀ ମଧ୍ୟରେ ସମ୍ରାଟ ଖାରବେଳଙ୍କ ସମ୍ପୂର୍ଣ୍ଣ ଭାରତ ଵିଜୟଠାରୁ ଆରମ୍ଭ କରି କଳିଙ୍ଗ ସମ୍ରାଟ ଅନନ୍ତ ଵର୍ମା ଗଙ୍ଗଙ୍କ ଦ୍ଵାରା କାଳିଙ୍ଗ୍ୟ ଏକତା ହେତୁକ ପୁରୀ ଶ୍ରୀକ୍ଷେତ୍ରରେ ଭଵ୍ୟ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ ପର୍ଯ୍ୟନ୍ତ ସମୟକାଳସ୍ଥ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ସଂକ୍ଷେପରେ କହି ଦିଆଯାଇଥିଵା ହୃଦବୋଧ ହୋଇଥାଏ ।

Monday, March 21, 2022

ତିନି ସଙ୍ଗାତ କଥା


ଏକ ଜଙ୍ଗଲରେ ହରିଣ ଓ  କାଉ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା । ବିଲୁଆ ଏହା ଦେଖି ସହି ପାରୁନଥାଇ ‌।  ହରିଣ ସହିତ  କାଉ ଥିଵାରୁ ହରିଣକୁ ମାରିଵା ସହଜ ନଥିଲା କାରଣ ସେହି  କାଉଟା କାଉ ପଲ୍ଲଙ୍କ ମୁଖିଆ ଥିଲା ତେଣୁ କାଉମାନଙ୍କ ଆକ୍ରମଣ ଭୟରେ ସିଂହ ଵ୍ୟାଘ୍ର ମଧ୍ୟ  ଉକ୍ତ ହରିଣଠାରୁ ଦୂରେଇ ରହୁଥିଲେ ।

ବିଲୁଆ କେମିତି କଳେ ବଳେ କୌଶଳେ ହରିଣ ଓ କାଉ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗି ହରିଣକୁ ମାରି ଖାଇଵ ଏହି ଵିଚାର କରିଵାକୁ ଲାଗିଲା ।

ହରିଣ ଓ କାଉ ଉଭୟେ ପରସ୍ପରର ପରମମିତ୍ର ଥିଲେ ଏଵଂ ବିଲୁଆ ଏକ ହିଂସ୍ରଜନ୍ତୁ ହୋଇଥିଵାରୁ ହରିଣ ତାକୁ ଵିଶ୍ଵାସ କରୁନଥିଲା ।

ବିଲୁଆ ବହୁତ ବୁଦ୍ଧିଆ ଜୀଵ । ହରିଣ ସହ ମିତ୍ରତା କରିଵାକୁ ବିଲୁଆ ଅନେକ ପ୍ରୟାସ କଲା ହେଲେ ପ୍ରଥମେ ପ୍ରଥମେ ସଫଳ ହୋଇପାରିଲା ନାହିଁ ।‌

ବିଲୁଆ ମନେ ମନେ ଭାବିଲା ଯେ ଯେତେଦିନ ଯାଏଁ ମୁଁ ଏ ହରିଣ ସହ ସାମାଜିକ ସମ୍ପର୍କ ସ୍ଥାପନ ନକରିଛି ଇଏ ମୋତେ ଵିଶ୍ଵାସ କରିଵ ନାହିଁ ।

ବିଲୁଆର ଚାରିଗୋଟି ଛୁଆ ଜନମିଥିଲେ ଏଵଂ ହରିଣର ମଧ୍ୟ ଦୁଇଗୋଟି ଛୁଆ ଥିଲେ । ବିଲୁଆ ନିଜର ପରିଵାର ଘେନି ହରିଣର ଗୃହ ପାଖରେ ରହିଵାକୁ ଲାଗିଲା । ଫଳତଃ ବିଲୁଆ ଓ ହରିଣର ଛୁଆମାନେ ପରସ୍ପର ସହିତ ଖେଳିଵାକୁ ଲାଗିଲେ ଏଵଂ ସେମାନଙ୍କ ମଧ୍ୟରେ ସ୍ଵଭାଵତଃ ବନ୍ଧୁତା ହୋଇଗଲା ।

ବିଲୁଆ ନିଜ ପିଲାମାନଙ୍କୁ କାଉ ମାନଙ୍କ ଵିରୋଧରେ ନାନା କାହାଣୀ ଶୁଣାଇ ସେମାନଙ୍କ ମତିଭ୍ରମ କରିଦେଲା । କାଉମାନେ କେମିତି ହରିଣ ଓ ବିଲୁଆଙ୍କ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗିଦେଇଥିଲେ ସେକଥା ବିଲୁଆ ତାହାର ଛୁଆଙ୍କୁ ପ୍ରାୟତଃ କହୁଥିଲା ।

କାଉମାନେ ସର୍ଵଭକ୍ଷୀ ହୋଇଥିଵାରୁ କେମିତି ଜଙ୍ଗଲର ଫଳ ମୂଳ ଓ ମାଂସ ସବୁ ଖାଇ ଦେଇ ହରିଣ ଓ ବିଲୁଆମାନଙ୍କୁ ଭୁଆଁ ବୁଲେଇ ରଖିଛନ୍ତି ସେ କଥା ମଧ୍ୟ କହିଲା ।
ଅନେକ ଵର୍ଷ ବିତିଗଲା ଏଵଂ ବିଲୁଆର ଆଶା କେଵଳର ଆଶାରେ ରହିଗଲା । ସେ କେବେ ବି ହରିଣକୁ ଖାଇପାରିଲା ନାହିଁ ସତ କିନ୍ତୁ ହରିଣ ଓ କାଉ ମଧ୍ୟରେ ଭେଦ ଭାଵ ବଢ଼ାଇଵା ଯୋଜନା ଛାଡି଼ଲା ନାହିଁ ।

ବିଲୁଆର ଛୁଆମାନେ ନିଜ ହରିଣ ସାଙ୍ଗମାନଙ୍କ ସହିତ ଖେଳ ଓ ବୁଲାବୁଲି ସମୟରେ ନିଜ ବାପଠାରୁ କାଉମାନଙ୍କ ସମ୍ବନ୍ଧରେ ଶୁଣିଥିଵା କଥା ଵିଷୟରେ ଆଲୋଚନା କରୁଥିଲେ । ଧିରେ ଧିରେ ବୁଢ଼ା ବିଲୁଆ ଦ୍ଵାରା ପ୍ରଚାରିତ କଥାକୁ ସେ ଜଙ୍ଗଲର ସବୁ ନହେଲେ ମଧ୍ୟ ଅନେକ ହରିଣମାନେ  ଵିଶ୍ଵାସ କରିଵାକୁ ଲାଗିଲେ ।

କ୍ରମେ ହରିଣ ଓ କାଉମାନଙ୍କ ମଧ୍ୟରେ ଭେଦଭାଵ ବୃଦ୍ଧି ପାଇଲା ଏଵଂ ସେମାନଙ୍କ ମଧ୍ୟରେ ଆଉ ପୂର୍ଵ ସୌହାର୍ଦ୍ଦ୍ୟ ରହିଲା ନାହିଁ ।

ଥରେ ଭାରତଵର୍ଷରେ ଭୀଷଣ ମରୁଡ଼ି ପଡି଼ଵାରୁ ଏହାର ପ୍ରଭାଵ ଉକ୍ତ ଜଙ୍ଗଲ ଉପରେ ମଧ୍ୟ ଦେଖାଦେଲା । ଅନେକ ଵୃକ୍ଷ ପତ୍ର ପୁଷ୍ପ ଫଳହୀନ ହେଵାରୁ ଖାଦ୍ୟର ଘୋର ଅଭାଵ ହେଲା ।

ସର୍ଵଭକ୍ଷୀ ଜୀଵ ହୋଇଥିଵାରୁ ଏହି ମରୁଡ଼ି ଜନିତ ଖାଦ୍ୟାଭାଵ ପାଇଁ ଉଭୟ ହରିଣ ଓ ବିଲୁଆମାନେ କାଉମାନଙ୍କୁ ଦୋଷ ଦେଵାକୁ ଲାଗିଲେ । କାଉମାନେ ମଧ୍ୟ ନିର୍ଦ୍ଦୋଷ ବୋଲି ଅନେକ ଥର ଯୁକ୍ତି କରି ନୟାନ୍ତ ହେଵାରୁ ହରିଣଙ୍କୁ ତାଙ୍କ ବାଟରେ ଛାଡ଼ି ନିଜ କଥା ବୁଝିଲେ ।

ବିଲୁଆମାନେ ତ ସ୍ଵଭାଵତଃ ମାଂସଭକ୍ଷକ । ଖାଦ୍ୟ ଅଭାଵ ହେଵାରୁ ସେମାନଙ୍କ ମନରେ  ତାଙ୍କ ପୂର୍ଵଜଙ୍କ ସେହି ପ୍ରାଚୀନ ସ୍ଵଭାଵ ସ୍ଵତଃ ଜାତ ହେଲା । ଶାରୀରିକ ଓ ମାନସିକ ଭୋକ ସମୟରେ ମନୁଷ୍ୟ ପରି ବୁଦ୍ଧିମାନ ଜୀଵ ମଧ୍ୟ ଧର୍ମ କର୍ମ ଭୁଲି ଅନ୍ୟାଚାର କରିଵାକୁ ପଛାଏ ନାହିଁ । ଅତଃ ବିଲୁଆମାନେ ଉକ୍ତ ପ୍ରାଚୀନ ହିଂସ୍ର ସ୍ଵଭାଵର ଵଶଵର୍ତ୍ତୀ ହୋଇ ଅନେକ ହରିଣଙ୍କୁ ଆକ୍ରମଣ କରି ସେମାନଙ୍କୁ ଖାଇଗଲେ ।‌

(ଏହି କାହାଣୀଟି ଓଡ଼ିଶା ମଧ୍ୟରେ ଵର୍ତ୍ତମାନ ବୃଦ୍ଧି ପାଉଥିଵା ଆଞ୍ଚଳିକଵାଦ ଓ ଆଞ୍ଚଳିକଵାଦୀଙ୍କୁ ଉପଲକ୍ଷ୍ଯ କରି ଲିଖିତ ହୋଇଅଛି । ତେବେ ଏ କାହାଣୀଟି ହିତୋପଦେଶର ମୃଗ ଓ କାକ ସମ୍ବନ୍ଧୀୟ ଏକ ଗଳ୍ପର ଅନୁକରଣରେ ଲିଖିତ । ହିତୋପଦେଶର ଉକ୍ତ କାହାଣୀ ଅନୁସାରେ ମୃଗ ଓ କାକ ବନ୍ଧୁ ଥିଲେ । ମୃଗ ସହିତ ଶୃଗାଳ ମିଠା ମିଠା କଥା କହି ବନ୍ଧୁତା କରିଥିଲା ଏଵଂ କାକ ଏହାକୁ ପ୍ରଥମେ ଵିରୋଧ କରି ପରେ ଶୃଗାଳର ଯୁକ୍ତିରେ ପରାସ୍ତ ହୋଇ ଶେଷରେ ଗ୍ରହଣ କରିଥିଲା ।  ଦିନେ ଏକ କୃଷକଦ୍ଵାରା ପକାଇଯାଇଥିଵା ଜାଲରେ ମୃଗ ପଡି଼ଯିଵାରୁ ଶୃଗାଳ ମାଂସ ଲୋଭରେ ତାକୁ ଉଦ୍ଧାର ନକରି ତାହାର ମରଣକୁ ଅପେକ୍ଷା କରି ଲୁଚି ବସି ରହିଲା । କାକ ସନ୍ଧ୍ୟାରେ ବନ୍ଧୁ ନଫେରିଵା ଦେଖି ଚାରିଆଡ଼େ ଉଣ୍ଡାଉଣ୍ଡି କରି ସେହି କୃଷିକ୍ଷେତ୍ରରେ ପହଞ୍ଚି ମୃଗକୁ ଜାଲରେ ପଡି଼ଥିଵାର ଦେଖିଲା । କାକଟି ତାହାର ବନ୍ଧୁ ମୃଗକୁ କହିଲା କୃଷକ ଆସିଵା ସମୟରେ ସେ ମରିଵାର ମିଛ ଅଭିନୟ କରି ପଡି଼ରହିଵ ଏଵଂ ତାହାର କା କା ରାଵ ଶୁଣିଲା ମାତ୍ରେ ଉଠି ପଳାୟନ କରିଵ । ବଡିଭୋରରେ କୃଷକ ଜାଲ ପଡି଼ଥିଵା ସ୍ଥାନରେ ମୃଗଟିଏ ମରି ପଡି଼ଥିଵା ଦେଖି ତାକୁ ଜାଲରୁ ବାହାର କରିଵାକୁ ଉଦ୍ୟନ୍ତ ହୁଅନ୍ତେ କାକ ରାବି ଦେଵାରୁ ମୃଗ ଝଟ୍ ଉଠି ପଳାୟନ କଲା । କୃଷକ ଏହା ଦେଖି କ୍ରୋଧଵଶତଃ ଏକ ଠେଙ୍ଗା ତାହା ଉପରକୁ ନିକ୍ଷେପ କରିଵା ଯୋଗୁଁ ତାହା ଯାଇ ଶୃଗାଳ ମସ୍ତକରେ ବାଜିଲା ଏଵଂ ସେଇଠି ହିଁ ଉକ୍ତ ଶୃଗାଳର ମୃତ୍ୟୁ ହୋଇଯାଇଥିଲା)•

Wednesday, March 16, 2022

ଗରିଲାର ବୁଦ୍ଧି

ହନୁ ଓ ମାଙ୍କଡ଼ମାନେ ଭାରତରେ ଶାନ୍ତିପ୍ରିୟ ମନୁଷ୍ୟମାନଙ୍କଦ୍ଵାରା ଅତ୍ୟାଚାରିତ ହେଲେ ଫଳତଃ ଅତିଷ୍ଠ ହୋଇ ଆଫ୍ରିକାକୁ ପଳାୟନ କଲେ ‌।

ଆଫ୍ରିକାରେ ଗରିଲା,ସିମ୍ପାଜୀ,କଳା ମାଙ୍କଡ଼ ଆଦି ପ୍ରାୟ ୨୧୬ ପ୍ରଜାତିର ଵାନର ଦେଖିଵାକୁ ମିଳନ୍ତି ତନ୍ମଧ୍ୟରେ ୧୧୧ଟି ମୂଳ ଆଫ୍ରିକା ଏଵଂ ବାକି ୧୦୫ଟି ଵାନର ପ୍ରଜାତି ମାଡାଗାସ୍କର ଦ୍ଵୀପରେ ଦେଖାଯାଆନ୍ତି ‌ ।

ସେ ଯାହା ହେଉ ଆଫ୍ରିକୀୟ ଵାନରମାନେ ଭାରତୀୟ ଵାନରଙ୍କ ଦୁଃଖ ଜାଣିଲେ ବଡ଼ ଦୁଃଖ କଲେ ।

ଭାରତୀୟ ଵାନର କାନ୍ଦିଵାରୁ ତାଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନଙ୍କର ମଧ୍ୟ କାନ୍ଦ ବୋବାଳି ବାହାରି ପଡ଼ିଲା ।

ଵର୍ଷ ପରେ ଵର୍ଷ ବିତିଗଲା କିନ୍ତୁ ଭାରତୀୟ ଵାନର କାନ୍ଦିଵା ଛାଡି଼ଲେ ନାହିଁ କି ଲଢି଼ଵା ଶିଖିଲେ ନାହିଁ ।

ପ୍ରଥମେ ପ୍ରଥମେ ଭାରତୀୟ ଵାନରଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନେ ବି କାନ୍ଦି ପକାଇଥିଲେ ତାପରେ ଧିରେ ଧିରେ ଏସବୁ ପାଣିଚିଆ ଲାଗିଲା ।

ଧେତ୍ ସବୁଦିନ ସେଇ କାନ୍ଦ...
ଭୀରୁ କାପୁରୁଷ ଦଳ ଯୁଦ୍ଧ କି ଵିରୋଧ ନରି ନିଜ ଦେଶ ଛାଡ଼ି ଏଠିକି ପଳାଇ ଆସିଛନ୍ତି ଆଉ ଖାଲି ଲୁହ ଗଡ଼ାଉଛନ୍ତି

ଛି ଛି ଛି...

ପୁଣି କେତେକ ଵର୍ଷ ଗତ ହୋଇଗଲା...

ଆଫ୍ରିକୀୟ ଵାନରଙ୍କ ମଧ୍ୟରେ ଦୁଇ ଦଳ ମଧ୍ୟରେ ଵିଵାଦ ଦେଖା ଦେଲା ।ଆଫ୍ରିକାରେ Baboons ଓ Gorilla ଵାନରଙ୍କ ମଧ୍ୟରେ ଵିଵାଦ ବହୁତ ଦିନ ଯାଏଁ ଚାଲିଲା ।

ଆଫ୍ରିକାରେ ସବୁ ଜାତୀୟ ଵାନରମାନେ ଗରିଲାମାନଙ୍କୁ ଘୃଣା ଚକ୍ଷୁରେ ଦେଖିଵାକୁ ଲାଗିଲେ ।

ଜଣେ ଚତୁର ଗରିଲା ଦେଖିଲା ଏହାର ସମାଧାନ ନକଲେ ଗରିଲାଙ୍କୁ “ପତର- ପାଣି” କିଛି ବି ମିଳିଵ ନାହିଁ ।

ତେଣୁ ସେ ଗୋଟିଏ ନାଟକ ମଣ୍ଡଳୀ ଗଠନ କଲା ଯେ ସେଥିରେ ସବୁ ଜାତୀୟ ଵାନର ଅଭିନେତା ଥିଲେ । ଆଫ୍ରିକା ସାରା ବୁଲି ବୁଲି ସେମାନେ ନାଟକ ପରିଵେଷଣ କରୁଥିଲେ । 

ଭାରତୀୟ ଵାନରଙ୍କର ଭାରତରୁ ଆଫ୍ରିକ ପଳାୟନର ଲୋମହର୍ଷଣକାରୀ ଘଟଣାଵଳୀକୁ ନାଟକ ଦ୍ଵାରା ବଡ଼ ଚମତ୍କାର ଭାବରେ ପ୍ରଦର୍ଶିତ କରାଗଲା ଏଵଂ ସେଥିରେ ଭାରତୀୟ ଵାନର ଭାଵରେ ଅଭିନୟ କଲେ ଗରିଲା ଵାନରମାନେ...

ବାସ୍ ଆଉ ଗରିଲାଙ୍କ ପ୍ରତି ଆଫ୍ରିକାରେ ଅନ୍ୟ ଵାନରମାନଙ୍କର ଦ୍ୱେଷ ରହିଲା ନାହିଁ । ଗରିଲାମାନେ ବବୁନ୍‌ମାନଙ୍କ ସହିତ ଯୋଉ ଅତ୍ୟାଚାର କରିଥିଲେ ତାକୁ ସମସ୍ତେ ଭୁଲିଗଲେ ...

Tuesday, March 15, 2022

ଆମ ବିଚ୍ଛିନ୍ନାଞ୍ଚଳର କଥା

ଖଡ଼ିଆଳ ରାଜା ଵୀର ଵିକ୍ରମ ସିଂହ ଓଡ଼ିଆ,ଓଡ଼ିଶାର ପରାଧୀନତା ଦେଖି ଏକଦା ଲେଖିଥିଲେ...

"ସହିଵ କେ ଦେଖି ଏ ଉତ୍କଳ,
ଅଙ୍ଗ ପ୍ରତ୍ଯଙ୍ଗ ଵିଭଙ୍ଗ ହୋଇଗଲାଣି ଉତ୍ସଙ୍ଗ,

ଜାଣେ ନାହିଁ ପ୍ରବୋଧି କହିଵାକୁ ଗୀର ॥

ହିନ୍ଦୀ ତେଲେଙ୍ଗା ବଙ୍ଗାଳି-ମହାରାଷ୍ଟ୍ର ଆଦି ମିଳି ବାଣ୍ଟିନେଲେ ସର୍ଵେ ଯେଝା ପ୍ରକାର ॥

ଉତ୍କଳ ଯେତେ ସନ୍ତାନ ହେଉଛନ୍ତି ହୀନିମାନ,
ଉତ୍କଳ ଦୁର୍ଦ୍ଦଶା କେବେ ହେଵ ଅନ୍ତର ॥”

୧୯୩୬ ଅପ୍ରେଲ ୧ତାରିଖଠାରୁ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପ୍ରଦାନ କଲେ ତତ୍କାଳୀନ ଇଂରେଜ ସରକାର । ତତ୍କାଳୀନ ଓଡ଼ିଶା ରାଜ୍ୟ ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ହୋଇଥିଲେ ହେଁ ସେ ସମୟରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିପାରି ନଥିଲା ।

ଉତ୍ତରରେ...
ମେଦିନୀପୁର, ସିଂହଭୂମି, ଧଳଭୂମି, ଚାଇଁବସା, ଛୋଟନାଗପୁର ଓ ଚକ୍ରଧରପୁର ଆଦି

ପଶ୍ଚିମରେ...
ବସ୍ତର, ରାୟପୁର, ଅମ୍ବିକାପୁର, ସୁରୁଗୁଜା, ଶ୍ରୀପୁର ଓ ସରିୟା ପ୍ରଭୃତି

ଦକ୍ଷିଣରେ...
ଶ୍ରୀକାକୁଲମ୍,ମଞ୍ଜୁଷା, ଟିକାଲି, ଜଳନ୍ତର ଇତ୍ୟାଦି ଓଡ଼ିଆ ଅଞ୍ଚଳ ସେତେବେଳେ ଓଡ଼ିଶା ସହିତ ମିଶିପାରି ନଥିଲା ।

ଏ ଖଣ୍ଡିତ ଓଡ଼ିଶା ଦେଖିଵାକୁ ସେତେବେଳେ ଉତ୍କଳମଣି ଗୋପବନ୍ଧୁ ଦାସ ,ଉତ୍କଳଗୌରଵ ମଧୁସୂଦନ ଦାସଙ୍କ ସମେତ ଅନେକ ଉତ୍କଳ ପ୍ରାଣ ନେତା ଜୀଵିତ ନଥିଲେ ।

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ମସିହାରେ ଗଠନ ହୋଇଥିଲେ ହେଁ ଓଡ଼ିଶାବାସୀଙ୍କର ଅଖଣ୍ଡ ଓଡ଼ିଶା ଗଠନର ସ୍ଵପ୍ନ କେବେ ସାକାର ହୋଇପାରିଲା ନାହିଁ

ଭାରତ ଦେଶ ସ୍ବାଧୀନ ହେଲାପାରେ ବିହାରୀ ନେତାଙ୍କ ଚକ୍ରାନ୍ତ ଏଵଂ ଓଡ଼ିଶାର ନେତାମାନଙ୍କ ମୂର୍ଖାମୀ ଯୋଗୁଁ ଓଡ଼ିଆ ଅଞ୍ଚଳ ହୋଇ ମଧ୍ୟ ଷଡୈକଳା ଓ ଖରସୁଆଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲା ।

ଷଡୈକଳାର ଶେଷ ରାଜା ଆଦିତ୍ୟ ପ୍ରତାପ ଦେଵ ନିଜ ରାଜ୍ୟକୁ ଓଡ଼ିଶାରେ ମିଶାଇଵାକୁ ଚୁକ୍ତି କରିଥିଲେ ହେଁ ତାଙ୍କର ସେ ଚୁକ୍ତିପତ୍ରର ସର୍ତ୍ତକୁ ଅଗ୍ରାହ୍ୟ କରିଦିଆଯାଇ ଲକ୍ଷ ଲକ୍ଷ ଷଡୈକଳା ଖରସୁଆଁଵାସୀଙ୍କ ସହ ଅନ୍ୟାୟ କରାଯାଇଥିଲା ।

ଵିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ଦୁଃଖ ଦୁର୍ଦ୍ଦଶା ସ୍ଵଚକ୍ଷୁରେ ନଦେଖିଲେ ଵିଚ୍ଛିନ୍ନତାର ଯନ୍ତ୍ରଣା ହୃଦୟଙ୍ଗମ କରିହେଵ ନାହିଁ ।

ସ୍ଵାଧୀନତା ପରେ ଷଡୈ଼କଳା ଓ ଖରସୁଆଁକୁ ଓଡ଼ିଶାରେ ମିଶାଇଵା ପାଇଁ ଯେ ଆନ୍ଦୋଳନ ଯେ ହୋଇନାହିଁ ତା ନୁହେଁ କିନ୍ତୁ ଓଡ଼ିଶାବାସୀ ଵ୍ୟାପକ ଆନ୍ଦୋଳନ କରିଥିଲେ ହେଁ ତତ୍କାଳୀନ ସରକାର ସେ ଆନ୍ଦୋଳନକୁ ନିର୍ମମ ଭାବେ ଦମନ କରିଦେଲେ ‌ । ୧୯୫୬ରେ ଓଡ଼ିଶାର ଵିରୋଧୀ ଦଳମାନେ ସ୍ଵତନ୍ତ୍ର କଳିଙ୍ଗ ଦେଶ ଗଠନର ଧମକ ମଧ୍ୟ ଦେଇଥିଲେ କିନ୍ତୁ ଦିଲ୍ଲୀ ଵିରୋଧୀ ଆନ୍ଦୋଳନକୁ ଓଡ଼ିଶାର ଚତୁର ନେତାମାନେ ନଵକୃଷ୍ଣ ଚୌଧୁରୀ ଵିରୋଧୀ ଆନ୍ଦୋଳନରେ ପରିଵର୍ତ୍ତିତ କରିଦେଲେ । ଅସ୍ତୁ ପ୍ରଥମେ ଓଡ଼ିଆ ସ୍ଵାଭିମାନୀମାନଙ୍କ ଦ୍ଵାରା ହୋଇଥିଵା ସ୍ଵତନ୍ତ୍ର କଳିଙ୍ଗ ଦେଶ ଗଠନର ଆନ୍ଦୋଳନ ରାଜନୈତିକ ରଙ୍ଗ ଲାଗି ମଧ୍ୟ ଫଳ କିଛି ମିଳିଲା ନାହିଁ ।

୧୯୫୬ର ଏହି ଆନ୍ଦୋଳନ ଯୋଗୁଁ ଅନେକ ଓଡ଼ିଆମାନେ ସରକାରୀ ଦମନଲୀଳା ସହିନପାରି ମୃତ୍ୟୁଵରଣ କରିଥିଲେ ହେଁ କେଵଳ ସୁନୀଲ ଓ ବେଙ୍ଗ ପାଣିଆ ନାମରେ ଦୁଇଜଣ ଓଡ଼ିଆ ଶହୀଦଙ୍କ ନାମ ଲୋକଲୋଚନକୁ ଆସି ପାରିଥିଲା ।

ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନର ଆଶା ଆଶାରେ ହିଁ ରହିଗଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅଶୀଵର୍ଷାଧିକ୍ୟ ହେଲାଣି, ତଥାପି ଓଡ଼ିଶା ପଛୁଆ ରାଜ୍ୟ ।

ଯେଉଁ ଓଡ଼ିଆ ଭାଷାକୁ ଓଡ଼ିଶାର ସଂସ୍କୃତିକୁ ଆଧାର କରି ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି ଓଡ଼ିଆ ଭାଷା ସଂସ୍କୃତି ଆଜି ଵିପନ୍ନ । ପ୍ରାଚୀନ ସାହିତ୍ୟ, ଅଭିଲେଖ, ଵିଦେଶୀ ପରିବ୍ରାଜକଙ୍କ ବିବରଣୀ ପ୍ରଭୃତିରେ ଵର୍ଣ୍ଣିତ ଵିଶାଳ ଓଡ଼ିଶାର ସାମଗ୍ରିକ ଐତିହ୍ୟକୁ ଜଳାଞ୍ଜଳି ଦିଆଯାଇ ଏକ ଖଣ୍ଡିତ ପ୍ରଦେଶକୁ ଓଡ଼ିଶା ପ୍ରଦେଶ କୁହାଯାଉଛି ।

ଯଦି କାଶ୍ମୀର  ଭାରତର ଅଭିନ୍ନ ଅଙ୍ଗ  ତା'ହେଲେ, ଷଢ଼େଇକଳା ଓ ତତ୍‌ସଂଲଗ୍ନ ଓଡ଼ିଆ ଅଞ୍ଚଳ ଓଡ଼ିଶାର ଅଭିନ୍ନ ଅଙ୍ଗ ନ ହେଵ କାହିଁକି ?

କେଉଁ ନୀତିରେ ସେହି ଓଡ଼ିଆ ଭାଷୀ ଅଞ୍ଚଳ ଆଜି ବିହାରୀ ମାନସିକତାର ପରାଧୀନ ?

•••••••••••••••••••••••••••••
•ତଥ୍ୟ ଉତ୍ସ
— ସ୍ଵତନ୍ତ୍ର ପ୍ରଦେଶ ଗଠନର ଇତିହାସ (ପ୍ରବନ୍ଧ/ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର)
—ଓଡ଼ିଶା ରାଜନୀତିର ଇତିହାସ
(ପୁସ୍ତକ/ଡକ୍ଟର ଉଦ୍ଧଵ ଚରଣ ନାୟକ)
—ଗଵେଷକ ଶ୍ରୀ Kartik Parichha
(ଷଡ଼ୈକଳା)
•ଚିତ୍ର
—ଚିକିତ୍ସକ ଉଡ୍ରବନ୍ଧୁ ଶ୍ରୀଳ ଶ୍ରୀମାନ୍ ଶ୍ରୀଦେଵାଶିଷ ଜ୍ୟେଷ୍ଠୀ
•ସମ୍ପାଦନା
— ଅକିଞ୍ଚନ ଶିଶିର ସାହୁ ମନୋଜ
•••••••••••••••••••••••••••••