Thursday, July 1, 2021

ବେଙ୍ଗରାଜା

ଗୋଟିଏ ପୋଖରୀରେ ଅନେକ ବେଙ୍ଗ ଥିଲେ । ସେମାନଙ୍କ ସଂଖ୍ୟା ଅଧିକ ହେଵାରୁ ତାଙ୍କ ସମାଜରେ ଵିଶୃଙ୍ଖଳା ଦେଖାଦେଲା । ତହୁଁ ବେଙ୍ଗମାନେ କେଁ କଟର ରାବି ରାବି ଇନ୍ଦ୍ର ଦେଵଙ୍କୁ ତାଙ୍କର ରାଜା ହେଵା ପାଇଁ ଗୁହାରି କଲେ ।

ଇନ୍ଦ୍ର ମନେ ମନେ ବହୁତ ରାଗିଲେ । ଖୋ ରେ !  ଏ ନେଞ୍ଚ ବେଙ୍ଗମାନଙ୍କର ତ କମ୍ ସାହସ ନୁହେଁ ! ମୁଁ ସ୍ଵର୍ଗର ରାଜା , ଲକ୍ଷ ଲକ୍ଷ ଜୀଵଙ୍କୁ ପାଳିଥାଉଛି ଆଉ ଏ ମେଞ୍ଚଡ଼ ଜୀଵଯାକ ମୋତେ ତାଙ୍କ ରାଜା କରିଵାକୁ ମନ କରୁଛନ୍ତି 😏

ଇନ୍ଦ୍ର ମନରେ କପଟକରି ସେମାନଙ୍କୁ କାଠର ବଡ଼ ବେଙ୍ଗ କଣ୍ଢେଇଟିଏ ଦେଇଦେଲେ । ବେଙ୍ଗମାନେ ନୂଆ ରାଜା ପାଇ କେତେକ ଦିନଯାଏଁ ଖୁସିରେ ରହିଲେ ।

ପଵନ ହେଲେ ସାଧାରଣ ବେଙ୍ଗ ପଦ୍ମ କି କଇଁ ପତର ତଳେ ଲୁଚି ଯାଉଥିଲେ କିନ୍ତୁ ନୂଆରାଜା ତାଙ୍କ ପୋଖରୀ ରାଜ୍ୟ ବୁଲି ଦେଖୁଥିଲେ । ଵର୍ଷାହେଲେ ନୂଆରାଜା ପୋଖରୀ ମଧ୍ୟରେ  ଵର୍ଷା ଛାଡି଼ଲା ଯାଏଁ ବୁଡୁ଼ଥିଲେ,ପହଁରୁଥିଲେ । ଏସବୁ ଗୁଣ ଜଣେ ଶ୍ରେଷ୍ଠ ରାଜାର ଵିଚାର କରି ବେଙ୍ଗମାନେ ନିଜକୁ ବଡ଼ ଭାଗ୍ୟଵାନ ମନେ କରୁଥିଲେ ।

ଅଵଶ୍ୟ  ନୂଆ ରାଜାଙ୍କ ଛାମୁକୁ ବେଙ୍ଗମାନେ ନିଜର ଦୁଃଖ ଶୁଣେଇଵାକୁ ଆସନ୍ତି କିନ୍ତୁ ନୂଆ ରାଜା କିଛି ନକହି ସେମାନଙ୍କ କଥା କେଵଳ ଶୁଣୁଥାଆନ୍ତି । କାଠବେଙ୍ଗଟିର ତ ଜୀଵନ ନଥାଏ ସେ ଵା କ'ଣ କୁହନ୍ତା ?

ତେବେ ବେଙ୍ଗମାନଙ୍କ ମନରେ ଵିଶ୍ଵାସ ଜାତ ହେଲା ଯେ ଆମ ରାଜା ଵିପଦବେଳେ ଵୀର କିନ୍ତୁ ଅନ୍ୟ ସମୟରେ ସେ ବଡ଼ ଧୀର  । ତାଙ୍କ ବେଙ୍ଗରାଜା ଜଣେ ସାଧୁ ସଂଯମୀ ରାଜା ବୋଲି ସେମାନେ ଵିଚାର କରିଵାକୁ ଲାଗିଲେ ।

ସମୟ ଗଡି଼ଚାଲିଲା ହେଲେ ବେଙ୍ଗମାନଙ୍କର ରାଜା କିଛି ନକହି ସେମିତି ଗୁମ୍ ମାରି ବସି ରହୁଥାନ୍ତି । କିଛି ବେଙ୍ଗ ରାଜାଙ୍କୁ ଗାଳି କଲେ ମଧ୍ୟ ରାଜାଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳୁନଥିଲା । ଶେଷରେ ବେଙ୍ଗମାନେ ଦେଶରେ ବେଙ୍ଗରାଜାଙ୍କ ଵିପକ୍ଷରେ ଆନ୍ଦୋଳନ କରିଦେଲେ । ସେମାନେ ରାଜାଙ୍କ ଉପରେ ଚଢି଼ଗଲେ କିନ୍ତୁ ତଥାପି ସେ କାଠ କଣ୍ଢେଇ ବେଙ୍ଗରାଜା କିଛି ନକହି ଚୁପ୍ ରହିଲେ ।

ନିରାଶ ହୋଇ ବେଙ୍ଗମାନେ ପୁଣି ଇନ୍ଦ୍ରଦେଵଙ୍କୁ ତାଙ୍କ ରାଜା ହେଵା ଲାଗି  ଗୁହାରି କରିଵାକୁ ଲାଗିଲେ । ଇନ୍ଦ୍ର ଦେଖିଲେ ଏ ବେଙ୍ଗମାନେ ତାଙ୍କ ପିଛା ସହଜରେ ଛାଡି଼ଵେ ନାହିଁ ତେଣୁ ସେ ଗୋଟିଏ ବଗକୁ ତାଙ୍କର ରାଜାକରି ପୋଖରୀକୁ ଛାଡି଼ଦେଲେ ।

ବେଙ୍ଗମାନେ ବଗକୁ ତାଙ୍କ ରାଜା ଭାବରେ ପାଇ ଗଦ୍ ଗଦ୍ ହୋଇଗଲେ । ମନ ଆନନ୍ଦରେ କୋଉ ବେଙ୍ଗ ପାଣିରେ ଓଲଟା ପହଁରୁଥାଇ ତ ଆଉ କିଏ ପଦ୍ମପତ୍ର ଉପରେ ନାଚୁ ଥାଏ । କିଛି ବେଙ୍ଗ ଏତେ ମାତ୍ରାରେ ଉତ୍ସାହିତ ହୋଇଗଲେ ଯେ ତାଙ୍କ ନୂଆ ରାଜା ବଗ ଉପରେ ଚଢି଼ଗଲେ...

ବଗଟି ତା ଉପରେ ଚଢି଼ଵାକୁ ଚେଷ୍ଟା କରୁଥିଵା କିଛି ବେଙ୍ଗଙ୍କୁ ମାରି ଖାଇଦେଲା । ଏହା ଦେଖି ବେଙ୍ଗମାନେ ଜାଣିଲେ ତାଙ୍କର ଏ ନୂଆରାଜା ପୂର୍ଵର ସେ ମଉନମୁହାଁ ବେଙ୍ଗରାଜାଠୁ ଅଧିକ ଶକ୍ତିଶାଳୀ ଓ ପ୍ରତିକ୍ରିୟାଵାଦୀ । ସେମାନେ ବଗରାଜାଙ୍କର ସ୍ତୁତିଗାନ କରିଵାକୁ ଲାଗିଲେ...

ହେଲେ ବଗ ଗୋଟି ଗୋଟି କରି ସେ ପୋଖରୀର ସବୁ ବେଙ୍ଗକୁ ମାରିଖାଇଗଲା ଏଵଂ ଶେଷରେ ସେଠି କେଵଳ ଇନ୍ଦ୍ରପ୍ରଦତ୍ତ ସେହି ପୁରୁଣା କାଠବେଙ୍ଗଟି ହିଁ  ରହିଗଲା ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...