ଓଡ଼ିଆ ଭାଷାରେ ବାଇନ ବୋଲି ଶବ୍ଦଟିଏ ଅଛି କିନ୍ତୁ ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇନାହିଁ କି ପୁରାତନ ସାହିତ୍ୟରେ ମଧ୍ୟ ବାଇନ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ ନାହିଁ । ସମ୍ଭଵତଃ ପ୍ରାୟ ଶହେ ଵର୍ଷ ତଳେ ବାଇନ ଶବ୍ଦ ଏକ ଅଞ୍ଚଳ ଵିଶେଷରେ ପ୍ରଚଳିତ ଏକ ଅଲୋକପ୍ରିୟ ଓଡ଼ିଆ ଶବ୍ଦ ଥିଲା କିଂଵା ଏହା ଏଇ କେଇ ଦଶନ୍ଧି ଧରି ସୃଷ୍ଟି ହୋଇଥିଵା ଏକ ଆଧୁନିକ ଓଡ଼ିଆ ଶବ୍ଦ ହୋଇଥାଇପାରେ ।
ଵର୍ତ୍ତମାନ ସମୟର ଓଡ଼ିଆ ସାହିତ୍ୟରେ ଓ କଥିତ ଓଡ଼ିଆ ଭାଷାରେ ବାଇନ ଶବ୍ଦ ଵିଶେଷ ଭାବେ ପ୍ରଚଳିତ । ଅନେକ ଓଡ଼ିଆ ଲୋକଙ୍କ ନାମ ମଧ୍ୟ ବାଇନ ରଖାଯାଇଥିଵା ଦେଖାଯାଏ । ଏହି ବାଇନ ଶବ୍ଦଟି ଅଧୁନା ସ୍ନେହସୂଚକ ଓ ଵ୍ୟଙ୍ଗାତ୍ମକ ସମ୍ବୋଧନ ହେତୁକ ପ୍ରୟୋଗ କରାଯାଉଛି । ତେବେ ପ୍ରତ୍ୟେକ ଶବ୍ଦର କୌଣସି ନା କୌଣସି ଏକ ଉତ୍ସ ନିଶ୍ଚୟ ରହିଥାଏ । ବାଇନ ଶବ୍ଦର ମୂଳକୁ ନେଇ ବି ନାନାମତ ରହିଛି ।
ଆମ ଓଡ଼ିଶାରେ ପ୍ରାଚୀନ ସାହିତ୍ୟରେ ଅଵ୍ୟଵହୃତ ଗୋଟିଏ ଆଧୁନିକ ଓଡ଼ିଆ ଶବ୍ଦ ଦେଖିଲେ ପ୍ରଥମେ ଵୈଦେଶିକ ଭାଷାରେ ଉକ୍ତ ଶବ୍ଦକୁ ଉଣ୍ଡିଵାକୁ ଚେଷ୍ଟା କରନ୍ତି । ଓଡ଼ିଶାର କେତେକ ଲୋକ ମନେ କରନ୍ତି ଯେ ଓଡ଼ିଆ ଭାଷାରେ ପ୍ରଚଳିତ ବାଇନ ଶବ୍ଦଟି ଆରବୀ بَيْنَ (bayna) ଶବ୍ଦର ଓଡ଼ିଆ ରୂପ ହୋଇଥାଇପାରେ । କିନ୍ତୁ ଆରବୀରେ ପ୍ରଚଳିତ بَيْنَ (bayna) ଶବ୍ଦର ଅର୍ଥ ସହ ଓଡ଼ିଆ ଭାଷାରେ ଚଳୁଥିଵା ବାଇନ ଶବ୍ଦର ଵ୍ୟଵହାର ଆଦୌ ମିଶେ ନାହିଁ । ଆରବୀ ଭାଷାରେ بَيْنَ ଶବ୍ଦକୁ ମଧ୍ୟରେ,ଵିଭାଜିତ,(ଦୁଇଟି ଵସ୍ତୁ ମଧ୍ୟରେ) ଵ୍ୟଵଧାନ,ଅନ୍ତର,ଵିଯୋଗ ଅର୍ଥରେ ଵ୍ୟଵହାର କରାଯାଏ । ତେବେ ପ୍ରାଚୀନ ଆରବୀରେ بَيْنَ (bayna) ଶବ୍ଦଟି (ବନ୍ଧୁ ଵା ସାଥିମାନଙ୍କ) ସଙ୍ଘ ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଉଥିଵାର ଜଣାଯାଏ କିନ୍ତୁ ଏହି ଵ୍ୟଵହାର ଵର୍ତ୍ତମାନ ଅପ୍ରଚଳିତ ।
ଅନ୍ୟ ଏକ ମତରେ ବାଇନ ଶବ୍ଦଟି ଓଡ଼ିଆ ଭାଇନା ଶବ୍ଦର ଏକ ରୂପ ହୋଇଥାଇପାରେ ବୋଲି କିଛି ଲୋକ ମତ ଦେଇଥାନ୍ତି । ହେଲେ ଭାଇନା ଶବ୍ଦକୁ ପୂର୍ଵାଞ୍ଚଳରେ ଭିଣୋଇ ତଥା ଦକ୍ଷିଣ ଓଡିଶାରେ ବଡ଼ଭାଇଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରାଯାଏ । ଦକ୍ଷିଣ ଓଡ଼ିଶାରେ ଭ ଵର୍ଣ୍ଣ ଵର୍ଗ୍ୟ ବ ଉଚ୍ଚାରଣ ହେଉଥିଵାରୁ ଭାଇନା ଶବ୍ଦଟି ବାଇନା ଓ ଶେଷରେ ବାଇନ ହୋଇଥିଵା ଅନୁମାନ କରାଯାଏ ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବାଇମନ ଶବ୍ଦର ଏକ ସମ୍ବୋଧନଵାଚକ ଶବ୍ଦ ଭାବେ ଵ୍ୟଵହାର ହୋଇଥିଵା ଜଣାଯାଏ ।
ଅଚ୍ୟୁତାନନ୍ଦ ଦାସ ଏହି ଶବ୍ଦର ଅନେକ ସ୍ଥଳରେ ପ୍ରୟୋଗ କରିଛନ୍ତି । ଯଥା—
“ବାଇମନ ହୋ, ବସି ହଂସକୁ ଖେଳା
ହଂସ ଉଡିଗଲେ ବୁଡ଼ିବ ଭେଳା ।”
ଓ
“ବାଇମନ ହୋ। ତୁ ତ ଅବନାଵନ,
ଅବନା ବନିଲେ ଅମପା ମାପିଲେ
ଅଜପାରେ ଜପ ହୋଇବ ଧନ।"
ଆଜି ବି ଏ ଶବ୍ଦଟି ଭଜନ ଲେଖିଵା ସମୟରେ କଵି ଗୀତିକାରମାନେ ଵ୍ୟଵହାର କରିଥାନ୍ତି । ଵସ୍ତୁତଃ ବାଇମନ ଶବ୍ଦକୁ କଵି ନିଜର ସଂସାର ମୋହମାୟାରେ ବାୟା ହୋଇଥିଵା ମନପ୍ରତି ତଥା ସଂସାରୀପାଠକଙ୍କ ପ୍ରତି ସମ୍ବୋଧନ ହେତୁକ ଵ୍ୟଵହାର କରିଥାଏ ।
ଓଡ଼ିଆ ଲୋକସାହିତ୍ୟରେ ଆଉ ଏକ ଶବ୍ଦ "ବାଇଧନ" ରହିଛି ଯହିଁର ଵ୍ୟଵହାର ଠିକ୍ ବାଇନ ଶବ୍ଦ ଭଳି ହେଉଥିଲା ଅର୍ଥାତ୍ କାହାକୁ ସ୍ନେହସୂଚକ ସମ୍ବୋଧନ ପାଇଁ ଉକ୍ତ ଶବ୍ଦର ଵ୍ୟଵହାର କରାଯାଉଥିଲା । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ପୋତାମାଲକୁ ଓ ଦଣ୍ଡ ନାଟର ନାଟୁଆଙ୍କୁ ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳରେ ବାଇଧନ କୁହାଯାଏ ।
ବାଇଧନ ଶବ୍ଦଟି ପ୍ରିୟତମ ଵ୍ୟକ୍ତିକୁ ସ୍ନେହସୂଚକ ସମ୍ବୋଧନ ଭାବରେ ଵ୍ୟଵହାର କରାଯାଉଥିଵାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।
ପୂର୍ଵକାଳରେ କେଳାମାନେ ସାଧାରଣତଃ କେଳାଗୀତ ଗାଇଵା ସମୟରେ ଏହି ବାଇଧନ ଶବ୍ଦର ପ୍ରୟୋଗ କରି ଗାଉଥିଲେ...
"ବାଇଧନ ତ! ବାଇଧନ ଗଲେ ଵୃନ୍ଦାଵନ ତ।"
"ବାଇଧନ! ବାଇଧନ।
ବାଇଧନକୁ ମୁଁ ଛାଡ଼ି ଅଇଲି,
ଜାଗର ଯାତରା ଦିନ।"
"ମୋ ବାଇଧନ।
ପିଠା କରିଦେବି ପଅରଦିନ"
ଆମ ଓଡ଼ିଶାରେ ସାନମାନଙ୍କୁ ବଡ଼ମାନେ ସ୍ନେହରେ ବାଇଆ ! ବାୟା ! ବାୟା ଟା ! ଇତ୍ୟାଦି ସମ୍ବୋଧନ କରିଥାନ୍ତି ପୁଣି ମାଆବାପା ପୁଅକୁ ସ୍ନେହରେ ଧନ ସମ୍ବୋଧନ କରନ୍ତି । ଯୋଗିନ୍ଦ୍ର ଵିପ୍ରଙ୍କ ଟୀକା ଗୋଵିନ୍ଦ ଚନ୍ଦ୍ରରେ ତହିଁର ଏକ ଉଦାହରଣ
"ଗହନ ଵନସ୍ତ ପୋଡ଼ିଲେ ଧନରେ
ଜସ ଜଗତ ଜାଣନ୍ତି
ମାତା କ୍ଷୀରଵତୀ ହୃଦୟ ପୋଡ଼ିଲେ
ତାହା କେହି ନ ଜାଣନ୍ତି ।”
ଆଧୁନିକ ଯୁଗର ଓଡ଼ିଆ ସମାଜରେ ପତି ପତ୍ନୀ କିଂଵା ପ୍ରେମିକ ପ୍ରେମିକା ପରସ୍ପରକୁ ଇଂରାଜୀର dear ଭଳି ଧନ ସମ୍ବୋଧନ କରୁଥିଵା ଦୃଶ୍ୟ ହୋଇଥାଏ । କଵିସୂର୍ଯ୍ୟ ଵଳଦେଵ ରଥଙ୍କ ସମୟରେ ମଧ୍ୟ ଧନ ଶବ୍ଦକୁ ପ୍ରିୟତମ ଵା ପ୍ରିୟତମାକୁ ସମ୍ବୋଧନ କରିଵା ହେତୁକ ଵ୍ୟଵହାର ହେଉଥିଲା
ଖିଆଲ ପରି କି ଧନ ମନରେ ଭାଳିଲୁ ରେ,
ଖଳିକାର ନୋହିଁ କଳା ନାଗକୁ ଚାଳିଲୁରେ ।
(କିଶୋରଚନ୍ଦ୍ରାନନ୍ଦ ଖ ଚମ୍ପୂ)
ଭକ୍ତ ସାଲବେଗ ତ ସ୍ଵୟଂ ଶ୍ରୀଜଗନ୍ନାଥଙ୍କୁ ଧନ ସମ୍ବୋଧନ କରି ଗାଇଛନ୍ତି
"କାଳିଆ ଧନ,
ତୋ ଲାଗି ଯାଉ ଏ ଜୀଵନ ।
ବାରେ ନ ଦେଲୁ ଦରଶନ ।"
ହୁଏତ ଏହି ବହୁ ପ୍ରଚଳିତ ଓ ପ୍ରାଚୀନ ବାଇଧନ ଶବ୍ଦଟି ଲୋକମୁଖରେ ବାଇନରେ ପରିଵର୍ତ୍ତିତ ହୋଇଯାଇଥିଵ । ବାଇନ ଶବ୍ଦର ମୂଳ ଯାହା ହୋଇଥାଉ ଏ ଶବ୍ଦ ଏବେ ଓଡ଼ିଶାର କଥିତ ଶୈଳୀରେ ଏଵଂ ଆଧୁନିକ ଓଡ଼ିଆ ସାହିତ୍ୟରେ ବହୁଳ ପରିମାଣରେ ଵ୍ୟଵହୃତ ହେଉଅଛି ଏଵଂ ଜନାଦୃତ ମଧ୍ୟ ହୋଇଛି ।
No comments:
Post a Comment