ଦେଵତାମାନେ ଦୁଇ ଭାଗରେ ଵିଭକ୍ତ ଥିଲେ ।ଅନ୍ନୁନାକି(Anunnaki) ଦେଵତାମାନେ ଆକାଶରେ ରାଜା ଥିଲେ ଆଉ ଇଗିଗି ଦେଵତାମାନେ ପୃଥିଵୀରେ ରହି କଠିନ ପରିଶ୍ରମ କରୁଥିଲେ। ଇଗିଗିମାନେ(Igigi) ନଦୀ ଖୋଳି ମାଟି କାଟୁଥିଲେ, କିନ୍ତୁ ଏହି କାମ ଯୋଗୁଁ ସେମାନେ କ୍ଳାନ୍ତ ହୋଇ ଵିଦ୍ରୋହ କଲେ। ଦେଵତାମାନଙ୍କର ମହାନ ରାଜା ଏନ୍ଲିଲ୍(Enlil) ଏହି ଵିଦ୍ରୋହ ଦେଖି କ୍ରୋଧିତ ହେଲେ। କିନ୍ତୁ ଜ୍ଞାନର ଦେଵତା "ଏଆ(Ea)" ଏକ ସମାଧାନ ପ୍ରସ୍ତାଵ ଦେଲେ। ସେ କହିଲେ, "ଆମେ ମଣିଷ ସୃଷ୍ଟି କରିଵା। ସେମାନେ ଆମ ପାଇଁ କାମ କରିଵେ, ଓ ଇଗିଗିମାନେ ମୁକ୍ତ ହେଵେ।" ଏନ୍ଲିଲ୍ ଓ ଅନ୍ୟ ଦେଵତାମାନେ ଏହାକୁ ସମ୍ମତି ଦେଲେ।
"ଏଆ(Ea)", ମାତୃଦେଵୀ "ମାମି"ଙ୍କ ସହ ମିଶି ମାଟିରେ ଦେଵତାଙ୍କ ରକ୍ତ ମିଶାଇ ମଣିଷ ସୃଷ୍ଟି କଲେ। ଏହି ମଣିଷମାନେ କାମ କଲେ, ନଦୀ ଖୋଳିଲେ, ମନ୍ଦିର ନିର୍ମାଣ କଲେ ଓ ଦେଵତାମାନଙ୍କୁ ଖାଦ୍ୟ ଓ ପୂଜା ଅର୍ପଣ କଲେ। ଦେଵତାମାନେ ଖୁସି ହେଲେ ଓ ପୃଥିଵୀରେ ଅନେକ ଵର୍ଷ ଯାଏଁ ସୁଖ ଶାନ୍ତି ରହିଲା।
କିନ୍ତୁ ସମୟର ଚକ ସବୁବେଳେ ଘୂରୁଛି ତେଣୁ ଭଲ ସମୟ ପରେ ମନ୍ଦ ସମୟ ଆସିଵା ସ୍ଵାଭାଵିକ କଥା । ସମୟ ସହ ମଣିଷମାନଙ୍କର ଜନସଂଖ୍ୟା ବଢ଼ିଲା । ସେମାନଙ୍କ କୋଳାହଳ ଓ ଗୀତନାଦ ଏତେ ବେଶୀ ହେଲା ଯେ ଏନ୍ଲିଲ୍ଙ୍କ ନିଦ୍ରା ବିଘ୍ନିତ ହେଵାକୁ ଲାଗିଲା। କ୍ରୋଧିତ ହୋଇ ଏନ୍ଲିଲ୍ ଘୋଷଣା କଲେ, "ମଣିଷମାନଙ୍କର ଵିନାଶ କରାଯିଵ!"
ଏହି ଉଦ୍ଦେଶ୍ୟରେ ସେ ପ୍ରଥମେ ମହାମାରୀ ପଠାଇଲେ, ତା'ପରେ ଦୁର୍ଭିକ୍ଷ। କିନ୍ତୁ ପ୍ରତ୍ୟେକ ଥର "ଏଆ' ମଣିଷମାନଙ୍କୁ ବଞ୍ଚାଇଵା ପାଇଁ ଉପାୟ ପାଞ୍ଚି ମଣିଷମାନଙ୍କୁ ଗୁପ୍ତରେ ବଞ୍ଚାଇଲେ ।
ଶେଷରେ ଏନ୍ଲିଲ୍ ଏକ ଜଳପ୍ରଳୟ ସୃଷ୍ଟି କରିଵାକୁ ନିଷ୍ପତ୍ତି ନେଲେ, ଯାହା ସମସ୍ତ ମଣିଷକୁ ନିଶ୍ଚିହ୍ନ କରିଦେଵ। କିନ୍ତୁ "ଏଆ", ଯିଏ ମଣିଷକୁ ନିଜ ସନ୍ତାନ ଭଳି ଭଲପାଉଥିଲେ, ଏହାକୁ ସହିପାରିଲେ ନାହିଁ। ସେ "ଅତ୍ର-ହାସିସ(Atrahasis)" ନାମକ ଜଣେ ଜ୍ଞାନୀ ଓ ଧାର୍ମିକ ମଣିଷଙ୍କୁ ସ୍ଵପ୍ନରେ ଦେଖା ଦେଲେ। "ଏଆ" କହିଲେ, "ଅତ୍ର-ହାସିସ, ଏକ ବଡ଼ ନୌକା ତିଆରି କର। ତୁମ ପରିଵାର, ପଶୁପକ୍ଷୀ ଓ ସମସ୍ତ ଜୀଵଜନ୍ତୁଙ୍କୁ ନେଇ ଏଥିରେ ପ୍ରଵେଶ କର। ମହାପ୍ରଳୟ ହେଵାକୁ ଯାଉଛି ।"
ଅତ୍ର-ହାସିସ କାଳ ଵିଳମ୍ବ ନକରି "ଏଆ" ଦେଵତାଙ୍କ ଆଦେଶ ପାଳନ କଲେ। ସେ ଏକ ଵିଶାଳ ନୌକା ତିଆରି କଲେ, ଯାହା ମାଟିରେ ତୈଳ ଲେପି ଜଳନିରୋଧକ କରାଯାଇଥିଲା। ସେ ନିଜ ପରିଵାର, ପଶୁମାନଙ୍କୁ ଓ ଖାଦ୍ୟ ସଂଗ୍ରହ କରି ନୌକାରେ ପ୍ରଵେଶ କଲେ। ଠିକ୍ ସମୟରେ ଆକାଶ ଫାଟି ପଡ଼ିଲା। ଵର୍ଷା ଅଵିରତ ଵର୍ଷିଵାକୁ ଲାଗିଲା, ନଦୀରେ ଜଳ କୂଳ ଲଙ୍ଗି ଉଛୁଳି ପଡ଼ିଲା, ଆଉ ଚାହୁଁ ଚାହୁଁ ପୃଥିଵୀର ସବୁ ସ୍ଥଳଭାଗ ଜଳରେ ବୁଡ଼ିଗଲା।
ସାତ ଦିନ ଓ ସାତ ରାତି ପର୍ଯ୍ୟନ୍ତ ଜଳପ୍ରଳୟ ଲାଗି ରହିଲା। ଅତ୍ର-ହାସିସଙ୍କ ନୌକା ଜଳ ଉପରେ ଭାସୁଥିଲା,ଏଆ ଦେଵତା ଗୁପ୍ତରେ ସେ ନୌକାକୁ ସବୁ ଵିପତ୍ତିରୁ ରକ୍ଷା କରୁଥିଲେ । ମହାପ୍ରଳୟର ଅଷ୍ଟମ ଦିନ ଵର୍ଷା ଶାନ୍ତ ହେଲା, ଓ ଜଳ କମିଵାକୁ ଲାଗିଲା। ଅତ୍ର-ହାସିସ ସ୍ଥଳଭାଗ ଠାବ କରିଵାକୁ ଏକ ପକ୍ଷୀ ଛାଡ଼ିଲେ, କିନ୍ତୁ ସେ ପକ୍ଷୀ ଉଡ଼ିଯାଇ ଆଉ ଫେରିନଥିଲା । ଏଥିରୁ ଅତ୍ର-ହାସିସ ବୁଝିଲେ ଯେ ହୁଏତ କୋଉଠି ଏବେ ବି ସ୍ଥଳଭାଗ ରହିଛି । ସେ ପକ୍ଷୀ ଉଡ଼ିଯାଇଥିଵା ଦିଗ ଆଡ଼କୁ ନୌକା ଚଳାଇ ଏକ ସ୍ଥଳଭାଗ ଠାବକଲେ ଏଵଂ Nisir ନାମକ ଏକ ପର୍ଵତର ଉପରିଭାଗରେ ପହଞ୍ଚିଲେ । ଅତ୍ର-ହାସିସ ଓ ତାଙ୍କ ପରିବାର ବାହାରକୁ ଆସି ଦେବତାମାନଙ୍କୁ ଧନ୍ୟବାଦ ଦେଇ ବଳି ଅର୍ପଣ କଲେ। ଏହି ବଳିର ସୁଗନ୍ଧ, ଦେଵତାମାନଙ୍କୁ ଆକର୍ଷିତ କଲା। ଏନ୍ଲିଲ୍,ଅତ୍ର-ହାସିସଙ୍କ ଜ୍ଞାନ, ଧୌର୍ଯ୍ୟ,ସାହସ ଓ ଭକ୍ତି ଦେଖି ଅତି ପ୍ରସନ୍ନ ହେଲେ। ସେ "ଏଆ"ଙ୍କୁ ତିରସ୍କାର କଲେ, କିନ୍ତୁ ମଣିଷମାନଙ୍କୁ ଆଉ ମଣିଷ ଜାତିର ନାଶ ନକରିଵାକୁ ନିଷ୍ପତ୍ତି ନେଲେ।
ଅଵଶ୍ୟ ଏଆ ଓ ଅନ୍ୟ ଦେଵତା ମଣିଷମାନଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନୂଆ ଵ୍ୟଵସ୍ଥା କଲେ। ସେମାନେ ସ୍ଥିର କଲେ ଯେ କେତେକ ମହିଳା ସନ୍ତାନ ଜନ୍ମ ଦେବେନାହିଁ,ସମୟେ ସମୟେ ମହାମାରୀ ଵ୍ୟାପିଵ, ଯୁଦ୍ଧ ହେଵ ଏଵଂ ପ୍ରାକୃତିକ ଵିପର୍ଯ୍ୟୟ ମାଧ୍ୟମରେ ମଣିଷ ସଂଖ୍ୟା ସନ୍ତୁଳିତ ରହିଵ। ଅତ୍ର-ହାସିସ ଓ ତାଙ୍କ ପରିଵାର ନୂଆ ପୃଥିଵୀରେ ସୁଖରେ ବାସ କଲେ ଆଉ ତାଙ୍କ କାହାଣୀ ମେସୋପୋଟାମିଆର ମାଟିରେ ଅମର ହୋଇ ରହିଗଲା।
------------------------------
ଏହି ଜଳପ୍ରଳୟ ଗାଥା "ଅତ୍ରାହାସିସ ମହାକାଵ୍ୟ"ରେ ଲିପିବଦ୍ଧ ଅଛି, ଯାହା ପ୍ରାଚୀନ ଆକ୍କାଡିଆନ ସାହିତ୍ୟର ଏକ ପ୍ରମୁଖ ରଚନା। ଏହି ମହାକାବ୍ୟ ଖ୍ରୀ.ପୂ. ୧୭୦୦ ଅବ୍ଦ ପର୍ଯ୍ୟନ୍ତ ଲିଖିତ କ୍ୟୁନିଫର୍ମ ଲିପିରେ ମୃତ୍ତିକା ଫଳକରେ (clay tablets) ଲିପିବଦ୍ଧ ହୋଇଛି।
ଏହି ଗାଥା ଵିଶେଷତଃ "ନିନେଵେହ ଗ୍ରନ୍ଥାଗାର(Library of Nineveh)" ଏଵଂ ଅନ୍ୟାନ୍ୟ ପ୍ରାଚୀନ ସ୍ଥାନରୁ ମିଳିଥିଵା ମୃତ୍ତିକା ଫଳକରେ ସଂରକ୍ଷିତ ଅଛି। ଏହି ମହାକାଵ୍ୟ ପ୍ରାୟ ୩୮୦୦ ଵର୍ଷରୁ ଅଧିକ ପୁରୁଣା। ତଥାପି, ଏହାର ମୌଖିକ ପରମ୍ପରା ଏହାଠାରୁ ମଧ୍ୟ ପୁରାତନ ହୋଇପାରେ, କାରଣ ଏହି ଗାଥା ସୁମେରୀୟ ଓ ବେବିଲୋନୀୟ ସଂସ୍କୃତିରେ ପୂର୍ଵରୁ ପ୍ରଚଳିତ ଥିଲା। ମେସୋପୋଟାମିଆର ଭିନ୍ନ ଭିନ୍ନ ସଂସ୍କୃତିରେ ତିନିରୁ ଅଧିକ ଜଳପ୍ରଳୟର ଗାଥା ରହିଛି ଏଵଂ ସେଥିରେ ତିନିଜଣ ନାୟକଙ୍କ ନାମ ଉଲ୍ଲେଖ ଥିଵା ଜଣାଯାଏ । ସେହି ତିନିଜଣ ନାୟକ
ଅତ୍ରାହାସିସ, ଜିଉସୁଦ୍ରା, ଓ ଉତ୍ନପିଷ୍ଟିମ୍ ଅଟନ୍ତି । ତେବେ ଏମାନେ ଏକ ଵ୍ୟକ୍ତି ନୁହଁନ୍ତି, ଵରଂ ପ୍ରାଚୀନ ମେସୋପୋଟାମିଆର ଵିଭିନ୍ନ ସାହିତ୍ୟ ଓ ସଂସ୍କୃତିରେ ଜଳପ୍ରଳୟ ଗାଥାର ନାୟକ ଭାବେ ଵର୍ଣ୍ଣିତ ଚରିତ୍ରମାନଙ୍କର ଭିନ୍ନ ଭିନ୍ନ ନାମ । ଏମାନେ ସମଭିତ୍ତିକ ଏକ ପୌରାଣିକ ଵ୍ୟକ୍ତିତ୍ୱକୁ ସୂଚାଉଛନ୍ତି, ଯିଏ ଦେଵତାଙ୍କ ଆଦେଶରେ ଜଳପ୍ରଳୟରୁ ରକ୍ଷା ପାଇଵା ପାଇଁ ନୌକା ନିର୍ମାଣ କରିଥିଲେ।
ଅତ୍ରାହାସିସ (Atrahasis) ନାମ ଆକ୍କାଡିଆନ ମହାକାଵ୍ୟ "ଅତ୍ରାହାସିସ"ରେ ଦେଖାଯାଏ, ଯହିଁର କଥା ଅନୁସାରେ ସେ ଜଳପ୍ରଳୟରୁ ମାନଵଜାତିକୁ ରକ୍ଷା କରିଵା ପାଇଁ ଦେଵତା ଏଆ(Ea)ଙ୍କ ସହାୟତାରେ ଏକ ନୌକା ନିର୍ମାଣ କରନ୍ତି। "ଅତ୍ରାହାସିସ" ଶବ୍ଦର ଅର୍ଥ ହେଉଛି "ଅତ୍ୟନ୍ତ ଜ୍ଞାନୀ"।
ଜିଉସୁଦ୍ରା (Ziusudra) ଏହି ନାମ ସୁମେରୀୟ ସାହିତ୍ୟରେ, ଵିଶେଷତଃ "ସୁମେରୀୟ ଜଳପ୍ରଳୟ ଗାଥା"ରେ ଦେଖାଯାଏ। ଜିଉସୁଦ୍ରା ଜଣେ ରାଜା ଓ ପୁରୋହିତ ଥିଲେ, ଯିଏ ଜଳପ୍ରଳୟରୁ ବଞ୍ଚିଥିଲେ। "ଜିଉସୁଦ୍ରା" ଅର୍ଥ "ଦୀର୍ଘାୟୁ ଜୀଵନ" ଅଟେ।
ଉତ୍ନପିଷ୍ଟିମ୍ (Utnapishtim) ନାମ "ଗିଲଗାମେଶ ମହାକାଵ୍ୟ"ର ଏକଦଶମ ପଟ୍ଟିକାରେ ଦେଖାଯାଏ। ଉତ୍ନପିଷ୍ଟିମ୍ ମଧ୍ୟ ଜଳପ୍ରଳୟରୁ ରକ୍ଷା ପାଇ ଅମରତ୍ୱ ଲାଭ କରିଥିଲେ। "ଉତ୍ନପିଷ୍ଟିମ୍" ଅର୍ଥ "ଯେ ଜୀଵନ ଉଣ୍ଡି ପାଇଲେ"।
ସମ୍ଭଵତଃ ଏକ ଐତିହାସିକ ଜଳପ୍ରଳୟ ଵା ତତ୍ ଆଧାରିତ ପୌରାଣିକ ଗାଥାର ଵିଭିନ୍ନ ସାଂସ୍କୃତିକ ଵ୍ୟାଖ୍ୟାର ଆତ୍ରାହାସିସ, ଜିଉସୁଦ୍ରା, ଓ ଉତ୍ନପିଷ୍ଟିମ୍ ଜଣେ ଜଣେ ନାୟକ ଅଟନ୍ତି । ହୁଏତ ଏମାନେ ଏକାଧାରରେ ଏକ ଵ୍ୟକ୍ତିତ୍ୱକୁ ସୂଚାଇପାରନ୍ତି, କିନ୍ତୁ ମେସୋପୋଟାମିଆର ପୌରାଣିକ ସାହିତ୍ୟରେ ସେମାନଙ୍କ ନାମ ଓ ଵିଵରଣୀ ଭିନ୍ନ ଭିନ୍ନ।
ଏନ୍ଲିଲ୍(Enlil) :ଏନ୍ଲିଲ୍ ଆକ୍କାଡିଆନ୍ ପୌରାଣିକ କାହାଣୀରେ ଵାୟୁ, ଝଡ଼ତୋଫାନ ଓ ଭାଗ୍ୟର ଦେଵତା ଥିଲେ। ସେ ଦେଵତାମାନଙ୍କର ପ୍ରମୁଖ ନେତା ଓ ମେସୋପୋଟାମିଆର ପ୍ରମୁଖ ଦେଵତାମାନଙ୍କ ମଧ୍ୟରୁ ଜଣେ ଥିଲେ।
ଏଆ (Ea): ବେବିଲୋନୀୟ ଓ ଆକ୍କାଡିଆନ ପୌରାଣିକ କାହାଣୀରେ ଏନ୍କିଙ୍କୁ "ଏଆ" ନାମରେ ଡକାଯାଉଥିଲା। ଏହା ଏନ୍କିଙ୍କର ଆକ୍କାଡିଆନ ନାମ। ଏଆ ମଧ୍ୟ ଜଳ, ଜ୍ଞାନ, ଓ ସୃଜନଶୀଳତାର ଦେଵତା ଥିଲେ ଏଵଂ ତାଙ୍କର ଭୂମିକା ସୁମେରୀୟ ଏନ୍କି ସହ ଅଭିନ୍ନ। ତାଙ୍କର ପ୍ରମୁଖ ମନ୍ଦିର ଥିଲା ଏରିଦୁ ସହରରେ, ଯାହା ସୁମେରୀୟ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ଥିଲା।
ଇଗିଗି(Igigi): ଇଗିଗି ଥିଲେ ଏକ ନିମ୍ନଶ୍ରେଣୀର ଦେଵତା ସମୂହ, ଯେଉଁମାନେ ପ୍ରାୟତଃ ଅନ୍ନୁନାକି ଦେଵତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଅଵଶ୍ୟ ଏମାନେ ମଧ୍ୟ ଦେଵତା ଭାବେ ଵିଵେଚିତ ହେଉଥିଲେ।
ମାମି(Mami): ମେସୋପୋଟାମିଆର ଆଉ କେତେକ ସଂସ୍କୃତିରେ Nintu ଓ Ninhursag ନାମରେ ପରିଚିତ ଥିଲେ । ମାମି ହେଉଛନ୍ତି ମାତୃତ୍ୱ ଓ ସୃଷ୍ଟିର ଦେଵୀ, ଯିଏ ମାନଵଜାତିର ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ଅତ୍ରହାସିସ ମହାକାଵ୍ୟରେ ସେ ମାନଵମାନଙ୍କୁ ମାଟିରୁ ଗଢ଼ିଥିଵା ଵର୍ଣ୍ଣନା ରହିଛି।
ଅନ୍ନୁନାକି(Anunnaki): ଦେଵତାମାନଙ୍କର ଏକ ସମୂହକୁ ଅନ୍ନୁନାକି କୁହାଯାଉଥିଲା ।ଏମାନେ ଉଚ୍ଚଶ୍ରେଣୀର ଦେଵତା, ଏମାନେ ମେସୋପୋଟାମିଆର ପୌରାଣିକ କାହାଣୀରେ ଭାଗ୍ୟ ଓ ଵିଶ୍ୱର ଶାସନ ନିର୍ଦ୍ଧାରଣ କରୁଥିଲେ। ଏମାନଙ୍କୁ ପ୍ରାୟତଃ ପାତାଳ ଓ ସ୍ଵର୍ଗର ଦେବତା ଭାବେ ଵିଵେଚନା କରାଯାଉଥିଲା।
ଆକ୍କାଡିଆନ୍ ସଭ୍ୟତା ମେସୋପୋଟାମିଆର ମଧ୍ୟଭାଗରେ ଅର୍ଥାତ୍ ଆଧୁନିକ ଇରାକର ମଧ୍ୟାଞ୍ଚଳରେ ଗଢ଼ିଉଠିଥିଲା ତେବେ ଜଳଵାୟୁ ପରିଵର୍ତ୍ତନ ତଥା ଗୁଟିଆନ୍ ଜାତିର ଲୋକଙ୍କ ଆକ୍ରମଣ ଯୋଗୁଁ ଏମାନଙ୍କ ସଭ୍ୟତା ବହୁଧା କ୍ଷତିଗ୍ରସ୍ତ ହୋଇଥିଲା । ପରେ ଅକ୍କାଡିଆନ ସାମ୍ରାଜ୍ୟ ଵିଭାଜିତ ହୋଇ ସୁମେରୀୟ ଓ ବେବିଲୋନୀୟ ସଭ୍ୟତାରେ ପରିଣତ ହୋଇଥିଲା ।
No comments:
Post a Comment